"ଖ" - ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ

ଉଇକିପାଠାଗାର‌ରୁ
ପ୍ରେମୋଦୟ ଚମ୍ପୂ ଲେଖକ/କବି: ବଳଦେବ ରଥ
ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ

ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ
(ରାଗ: ବସନ୍ତ - ତ୍ରିପଟା)

ଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ ପ୍ରାଣସଖି ।
ନ ଘେନିଲୁ ତ ମୋ ବାଣୀ ରେ । ଘୋଷା।

ଖମଣି ସୂତାତଟ, ବିଟ ସେ ନନ୍ଦଚାଟ ।
ବୋଲି ନ ଥୁଲୁ ଏହା ଜାଣି ରେ । ୧ ।

ଖୁରିକେ ସେ କିଶୋର-ବର ତରଳତର ।
ଭୂଭଙ୍ଗୀ ଦିଏ ଦନ୍ତ ହାଣି ରେ । ୨ ।

ଖଣ୍ଡିବ ସତୀବ୍ରତ ବୋଲି ତା’ର ନେତ୍ରାନ୍ତ-।
ଶରକୁ ରଖିଛି ସେ ଶାଣି ରେ । ୩ ।

ଖଟି ହରିଚନ୍ଦନ କହେ ନ ଜାଣୁ ଧନ।
ବୋଲି ମୋହନ ବଂଶୀପାଣି ରେ । ୪ ।