Jump to content

ପ୍ରଥମ ପୁରୁଷ/ପ୍ରତୀକ୍ଷା

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ପ୍ରତୀକ୍ଷା

ପ୍ରତୀକ୍ଷା

ସେମାନେ ଆସନ୍ତି ନାହିଁ ଆଜି ଆଉ
ମୋ ଘରର ଝରକାକୁ ଡେଇଁ
ଲୁଚି ଲୁଚି ଅଧା ଆଲୁଅରେ
ମୁଠା ମୁଠା ଆକାଶ
ମୋ କୋଠରୀରେ ବିଞ୍ଚି ଦେଇ
ସେମାନଙ୍କ ଈଷତ୍ ହସରେ
ଅନେକ ପୁରୁଣା ଏବଂ ଭୁଲିଯିବା ସଂଗୀତର
ଢେଉ ତୋଳି ଅଳସ ପାଦରେ
ସେମାନେ ଆସନ୍ତି ନାହିଁ ଆଜି ଆଉ
ମୋ ଘରକୁ ସକାଳର ପକ୍ଷୀ ଭଳି
ଗୋପନୀୟ ଚିଠି ନେଇ
କମ୍ପିତ ହାତରେ

ଅନ୍ଧାରକୁ ବୁଝି ହୁଏ
ଅନୁଭୂତିହୀନ ଶୂନ୍ୟତାରେ
ଅନେକ ଯନ୍ତ୍ରଣା ମିଶି
ପ୍ରେମିକାର ମୁହଁ ହୋଇଯାନ୍ତି
ସେମାନଙ୍କୁ ସହି ହୁଏ
ଅନେକ ଜୀବନମାନ ବଞ୍ଚି ହୁଏ
ପ୍ରତ୍ୟେକଟି ପ୍ରେମ ପାଇଁ
ସେ ସବୁକୁ ମାପି ହୁଏ
କିନ୍ତୁ କେଉଁପରି


ସମୟକୁ ବନ୍ଦ କରି ରଖି ହବ
ଖାଲି କୋଠରୀରେ

ଛାଇମାନେ ଚାଲିଗଲେ
ସକାଳର ତାରା ମାନେ ଶୋଇଯିବା ପରେ
ନୀଳ ଆଖି ନରମ ହାତ
ଓ ଇତସ୍ତତଃ କବରୀର ନରମ ଚଟାଣ
ଉପରେ ଅଳସ ଭାଙ୍ଗି
ଝିଅମାନେ ସ୍ୱପ୍ନ ବି ଦେଖିଲେ
ସେମାନେ ହୁଏତ ଏଇ ସଜାଗ ସତର୍କ
ପ୍ରହରୀର ଭିଡ଼ ଭାଙ୍ଗି ଦୁର୍ଗ ଭିତରକୁ
ଯିବା ପାଇଁ ଭୟ କରୁଥିଲେ
ଆଉ ସେଥିପାଇଁ ସ୍ୱପ୍ନ ଦେଖୁଥିଲେ
କିନ୍ତୁ କି ଲାଭ ସେ ସ୍ୱପ୍ନ ଦେଖିବାରେ
କି ଲାଭ ଚିତ୍କାର କରି
ଝଡ଼ ଭଳି ଏକା ଏକା
କେହି ଯଦି ଯାଏ ନାହିଁ
ସେ ଶୂନ୍ୟ ରାସ୍ତାରେ

ମୁଁ ଭାବୁଛି ଏ ଜୀବନ
ଅନ୍ୟ ଭଳି ହୋଇଥାନ୍ତା ମୋର
ବିମର୍ଷ ଅତୀତ ଏବଂ
ସବୁ ବନ୍ଧ୍ୟା ଭବିଷ୍ୟତ
ରୂପାନ୍ତର ନେଇ ଏକରଙ୍ଗ ହୋଇଯାନ୍ତେ

 ସେ ରଙ୍ଗ ଆଖିରେ ଦେଇ
 ମୁଁ ଦେଖନ୍ତି ବହୁବିଧ ସ୍ୱପ୍ନ
 ମୋର ନିରର୍ଥକ ମୁହୂର୍ତ୍ତ ସବୁରେ
 ରହିଥାନ୍ତି ଅପେକ୍ଷାରେ
 ଝିଅମାନେ ହସିବେ ଓ
 ସତର୍କ ପ୍ରହରୀମାନେ ଶୋଇଗଲେ
 ସେମାନେ ଆସିବେ