ପୃଷ୍ଠା:Sarala Bhashatattwa.pdf/59

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିର୍ଦ୍ଦେଶିତ କରିବାକୁ ହେବ ଓ ମୂଳ ଶବ୍ଦରୁ ଏକ ଦିଗରେ ବୈଦିକ, ସଂସ୍କୃତ, ପ୍ରାକୃତ ଓ ଓଡ଼ିଆ, ଅନ୍ୟ ଦିଗରେ ଟିଉଟନିକ, ଜର୍ମାନ୍, ପ୍ରାଚୀନ ଇଂରାଜୀ ଓ ଆଧୁନିକ ଇଂରାଜୀ ରୂପମାନଙ୍କର ମଧ୍ୟ ପରିଚୟ ଓ ବ୍ୟାଖ୍ୟା ଏବଂ କ୍ରମ ବିକାଶର କାରଣ ଓ କାଳ ମଧ୍ୟ ନିର୍ଦ୍ଦେଶ କରିବାକୁ ହେବ । କେବଳ ପିତା = father କିମ୍ବା ପନ୍ଥା = path ବୋଲି କହିଲେ ତାହା ଭାଷାତତ୍ତ୍ୱର ଜ୍ଞାନ ବିଷୟରେ ପରିଚୟ ଦେବ ନାହିଁ । ଓଡ଼ିଆ 'ଦ୍ୱାର' ଓ ଇଂରାଜୀ door ମଧ୍ୟରେ ସମତା ଦେଖି ସେମାନଙ୍କର ସମ୍ପର୍କ ଅନୁମାନ କରାଯାଇ ଦ୍ୱାର ଶବ୍ଦକୁ ବୈଦିକ 'ଦ୍ୱାର' ଓ ମୂଳ ଆର୍ଯ୍ୟ 'ଧ୍ୱାର'(ଧୂ = କମ୍ପନର ସମ୍ପ୍ରସାରିତ ରୂପ ଅର୍ଥାତ୍ ଗୃହର ଯେଉଁ ଅଂଶ ପବନରେ କମ୍ପିତ ହୁଏ) କୁ ନେବାକୁ ହେବ ଓ ଏହି ମୂଳ 'ଧ୍ୱାର' ଶବ୍ଦରୁ ଭାଷାତତ୍ତ୍ୱର ନିୟମ ଅନୁସାରେ ଗଥିକ daur ପ୍ରାଚୀନ ଇଂରାଜି duru ଓ ଆଧୁନିକ ଇଂରାଜି door ଶବ୍ଦ ନିଷ୍ପନ୍ନ କରିବାକୁ ହେବ । ଏହିପରି ଭାବରେ ସଂସ୍କୃତରୁ ଆଗତ ପ୍ରତ୍ୟେକ ଓଡ଼ିଆ ଶବ୍ଦର ଇତିହାସ ଅନୁସରଣ କରି ଅନ୍ୟାନ୍ୟ ଆର୍ଯ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କ ସହିତ ସେମାନଙ୍କର ସମୀକରଣ କରାଯାଇ ପାରେ । ଏହି ସମୀକରଣ ପ୍ରକ୍ରିୟାଦ୍ୱାରା ଓଡ଼ିଆ 'ନାଗ' ଶବ୍ଦକୁ ପ୍ରାଚୀନ ଆର୍ଯ୍ୟ 'ସୃପ' ଶବ୍ଦରୁ ଉତ୍ପନ୍ନ (ସଂସ୍କୃତ 'ନାଦ' ଶବ୍ଦ) ବୋଲି ଧରାଯାଇ ପାରେ ଓ ଇଂରାଜି snake ଶବ୍ଦ ସହିତ ତାହାର ସମ୍ପର୍କ ପ୍ରତିଷ୍ଠିତ ହୋଇ ପାରେ ଏବଂ ଏପରି ଆଲୋଚନାଦ୍ୱାରା ଓଡ଼ିଆ 'ଅଶ୍ରୁ' ସହିତ ଇଂରାଜି tear ଶବ୍ଦର ସମ୍ପର୍କ ମଧ୍ୟ ପ୍ରତିଷ୍ଠିତ ହୁଏ । ସମୀକରଣ ପ୍ରକ୍ରିୟା ନ ଜାଣିଲେ ବିଭିନ୍ନ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ସମ୍ପର୍କ ନିରୂପଣ କରିବା ଅସମ୍ଭବ ହେବ ।

ଶବ୍ଦର ଇତିହାସ:- ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଆମ୍ଭମାନଙ୍କୁ କେବଳ ଶବ୍ଦର ବିକୃତ ପ୍ରତି ଲକ୍ଷ୍ୟ ନ ରଖି ଶବ୍ଦର ଇତିହାସ ପ୍ରତି ଲକ୍ଷ୍ୟ ରଖିବାକୁ ହେବ । ପ୍ରତ୍ୟେକ ଶବ୍ଦର ଗୋଟିଏ ଉତ୍ପତ୍ତିସ୍ଥାନ ଅଛି, ପ୍ରତ୍ୟେକ ଶବ୍ଦ ଉତ୍ପନ୍ନ ହୋଇ ବିକୃତ ବା ଅବିକୃତଭାବରେ କୌଣସି ଭାଷାରେ ପ୍ରଚଳିତ ହୋଇଅଛି ଓ ଏହି ବିକୃତିର ସ୍ତର ମଧ୍ୟ ଅଛି । କେବଳ ସଂସ୍କୃତ 'ଆମ୍ର' ଶବ୍ଦରୁ ଓଡ଼ିଆ 'ଆମ୍ବ' ଶବ୍ଦ ଉତ୍ପନ୍ନ ହୋଇଅଛି ଏହା କହିବା ଯଥେଷ୍ଟ ନୁହେ, କାରଣ ବାସ୍ତବରେ ଓଡ଼ିଆ 'ଆମ୍ବ' ଶବ୍ଦ ସଂସ୍କୃତ ଆମ୍ର ଶବ୍ଦର ବିକୃତି ନୁହେ । ଏହା ପାଲି 'ଅମ୍ବ' ଶବ୍ଦର ବିକୃତ ବ୍ୟବହାର ଅର୍ଥାତ୍ ସଂସ୍କୃତ 'ଆମ୍ର' ଶବ୍ଦ ପାଲିରେ 'ଅମ୍ବ' ଶବ୍ଦରେ ପରିଣତ ହୋଇଥିଲା ଓ ଏହି 'ଅମ୍ବ' ଶବ୍ଦ ପୁନର୍ବାର ବିକୃତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ସଂସ୍କୃତ ଆମ୍ର ଯଦି