ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
"କୋଣ୍ଡଲ ରାଓ ଦୟା କଲେ
ବୋଦା ନ ମାରି ଛାଡ଼ିଦେଲେ ।"

ଏହି ଘଟଣାର ପ୍ରଭାବରେ ଆସ୍କା ଅଂଚଳରେ ଥିବା ଠାକୁରାଣୀଙ୍କ ପୀଠରେ ଆଉ ପଶୁବଳି ପଡ଼ିଲା ନାହିଁ । ସାରା ଗଞ୍ଜାମ ଜିଲ୍ଲାରେ ଏହି ବଳି ପ୍ରଥା ବିରୁଦ୍ଧରେ ଲୋକମାନଙ୍କ ମଧ୍ଯରେ ଏକ ଆନ୍ଦୋଳନ ବ୍ଯାପିଗଲା । ସମସ୍ତେ ଏଥିପାଇଁ ଏହାର ମୁଳକର୍ତ୍ତା ପରଶୁରାମଙ୍କୁ ଧନ୍ଯ ଧନ୍ଯ କଲେ ।

ଅସ୍ପୃଶ୍ୟତା ନିବାରଣପାଇଁ ପରଶୁରାମ ବହୁ ପଦକ୍ଷେପ ନେଇଥିଲେ । ଏ ସଂପର୍କରେ ସେ ଗାନ୍ଧିଜୀଙ୍କ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ଛାତ୍ରଛାତ୍ରୀମାନେ ଏ ସଂପର୍କରେ ଆଲୋଚନା କରୁଥିଲେ । ଏକ ଅସ୍ପୃଶ୍ଯତା ନିବାରିଣୀ ସଂଘ ଗଠନ କରି ଅନେକ ଶିକ୍ଷିତ ବ୍ଯକ୍ତିଙ୍କୁ ଏଥିରେ ସଭ୍ଯ କରାଇଥିଲେ । ହରିଜନ ମାନଙ୍କର ମନ୍ଦିର ପ୍ରବେଶଠାରୁ ଆରମ୍ଭ କରି ଗାନ୍ଧିଜୀଙ୍କ ଉପଦେଶ ଅନୁସାରେ ନାନା କାର୍ଯ୍ଯକ୍ରମ ପର୍ଯ୍ଯନ୍ତ ସେ ଗ୍ରହଣ କରିଥିଲେ । ହରିଜନ ମାନଙ୍କ ଉନ୍ନତି ପାଇଁ ସେ ବିଭିନ୍ନ କାର୍ଯ୍ଯ କରିଥିଲେ ।

ସାକ୍ଷରତା ଆନ୍ଦୋଳନ:

ନିରକ୍ଷରତା ଆମ ଜାତିର ଏକ ବଡ଼ କଳଙ୍କ ବୋଲି ସେ ବୁଝି ନିରକ୍ଷର ମାନଙ୍କୁ ସାକ୍ଷର କରିବାକୁ ସବୁ ପ୍ରକାର ଉଦ୍ଯମ କରିଥିଲେ । ଜାତୀୟ ସ୍ତରରେ ନୂଆ କରି ପ୍ରଚାରିତ ହୋଇଥିବା "ଜଣେ ଜଣଙ୍କୁ ପଢ଼ାଇବା"(Each one, teach one) ଆଦର୍ଶକୁ ସେ ବରି ନେଇଥିଲେ ଏବଂ ନିଜେ ତାହା କାର୍ଯ୍ଯକାରୀ କରିଥିଲେ । କେବଳ ନିଜର ସ୍ବାକ୍ଷରଟିଏ ଦେଲେ ଚଳିବ ନାହିଁ, ନିରକ୍ଷର ମାନେ ଯେମିତି ବହି ପତ୍ର ପଢ଼ିବେ, ହିସାବ କିତାବ ରଖିବେ, ଚିଠି ଲେଖିବେ, ତାହା ସାକ୍ଷରତା ଆନ୍ଦୋଳନର ଲକ୍ଷ ହେଲା ।ପରଶୁରାମ ନିଜ ସ୍କୁଲର ଛାତ୍ର ଓ ଶିକ୍ଷକ ଗଣଙ୍କୁ ନେଇ ଗାଁ ଗହଳିରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରୁଥିଲେ । ସାକ୍ଷରତା ଆନ୍ଦୋଳନ ଦକ୍ଷିଣ ଓଡ଼ିଶାରେ ଖୁବ୍ ସଫଳ ହୋଇଥିଲା ।
ପରଶୁରାମ ଆସ୍କାରେ ଖୁବ୍ ଲୋକପ୍ରିୟ ହୋଇଥିଲେ । ବିଭିନ୍ନ ସଂଗଠନ ଓ ସମାଜସେବା ମୂଳକ କାର୍ଯ୍ଯ ସଂପାଦନ କରିବାରୁ ସବୁ ସ୍ତରର ଲୋକଙ୍କ ସହିତ ସଦ୍ଭାବ ଥିଲା । ତାଙ୍କର ସଦାଚାର, ନିଷ୍ଠା ଓ ସମାଜସେବା ମନୋବୃତ୍ତି ଦେଖି ବିଭିନ୍ନ