ଆମ ଓଡ଼ିଆ ବ୍ୟାକରଣ/ଅର୍ଥ ହିଁ ପ୍ରାଣ
←କବିତାରୁ କଥା | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: ଅର୍ଥ ହିଁ ପ୍ରାଣ |
ସମ୍ପର୍କରୁ ସିନା ବୁଝିବା→ |
(କ) ଗାଁ, ଆକାଶ, ପବନ, ସେବା, ସୁନ୍ଦର, ମଧୁର - ଏଗୁଡ଼ିକର ଅର୍ଥ ଅଛି । ତେଣୁ ଏଗୁଡ଼ିକ ଗୋଟିଏ ଗୋଟିଏ ଶବ୍ଦ ।
ପକଚ, ଲରଟା, କପଣିଜ, ନବରଟୁ- ଏଗୁଡ଼ିକର କୌଣସି ଅର୍ଥ ନାହିଁ । ତେଣୁ ଏଗୁଡ଼ିକ ଶବ୍ଦ ନୁହେଁ ।
ଏକ ବା ଏକାଧିକ ଅକ୍ଷର ମିଶି ଅର୍ଥ ପ୍ରକାଶ କରୁଥିଲେ ତାହାକୁ ଶବ୍ଦ କହନ୍ତି ।
ଶବ୍ଦ ଆଉ ଅର୍ଥ ଦୁହେଁ ଅଟନ୍ତି ଅଭିନ୍ନ
ଚନ୍ଦନ ସହିତ ତା’ର ସୁଗନ୍ଧ ଯେସନ ।
ତଳ ଲେଖାଗୁଡ଼ିକ ମଧ୍ୟରୁ କିଏ ଶବ୍ଦ, କିଏ ଶବ୍ଦ ନୁହେଁ, ତୁମେ ଚିହ୍ନାଇଦିଅ ।
ରାଜଧାନୀ, ବଗିଚା, କପମା, ବିଜୁଳି, ଫଣିଜ, ଦୋକାନ ।
(ଖ) ଜଳଖିଆ ମୁଁ ଗଲି ଖାଇ ଖେଳିବାକୁ
ପ୍ଲାଷ୍ଟିକ୍ ତିଆରି ଜିନିଷଗୁଡ଼ିକ ଆଜି
ଏହି ଦୁଇ ଧାଡ଼ି ଲେଖାରୁ ଯଦିଓ କିଛି କିଛି ଅର୍ଥ ବୁଝାପଡୁଛି, କିନ୍ତୁ ସ୍ପଷ୍ଟ ଭାବେ ବୁଝାପଡୁ ନାହିଁ । ଆମେ ନିମ୍ନ ପ୍ରକାରେ ଲେଖିଲେ ଅର୍ଥ ସୃଷ୍ଟି ବୁଝାପଡ଼ିବ-
ମୁଁ ଜଳଖିଆ ଖାଇ ଖେଳିବାକୁ ଗଲି । ପ୍ଲାଷ୍ଟିକ୍ ତିଆରି ଜିନିଷଗୁଡ଼ିକ ଆଜି ବହୁ କାମରେ ଲାଗୁଛି ।
ସ୍ପଷ୍ଟ ଭାବରେ ଲେଖିବା
ପୂର୍ଣ୍ଣଚ୍ଛେଦଟିଏ ଦେବା ।
(ଗ) ତୁମେ ପ୍ରଥମ ସ୍ତମ୍ଭ ସହିତ ଦ୍ୱିତୀୟ ସ୍ତମ୍ଭକୁ ଯୋଡ଼ି ଏବଂ ପୂର୍ଣ୍ଣଚ୍ଛେଦ ଦେଇ ସ୍ପଷ୍ଟ ଭାବରେ ବୁଝାପଡ଼ୁଥିବା ବାକ୍ୟ ଲେଖ-
ପ୍ରଥମ ସ୍ତମ୍ଭ | ଦ୍ୱିତୀୟ ସ୍ତମ୍ଭ |
---|---|
ମନୁଷ୍ୟ ଆଦରରେ | ପର୍ବତ ରହିଅଛି |
ସମୁଦ୍ର ଗର୍ଭରେ ମଧ୍ୟ | ଲୁହାପଥର ରପ୍ତାନି ହେଉଛି |
ପାରାଦ୍ୱୀପ ବନ୍ଦରରୁ | ପଶୁପକ୍ଷୀଙ୍କୁ ପାଳେ |
(ଖ) ନିମ୍ନଲିଖିତ ଧାଡ଼ିଗୁଡ଼ିକର ମୂଳରେ କିମ୍ବା ଶେଷରେ ଆବଶ୍ୟକ
ଅଂଶ ଯୋଡ଼, ଯେପରି ସ୍ପଷ୍ଟ ଭାବରେ ଅର୍ଥ ପ୍ରକାଶ ପାଇବ-
ସମୁଦ୍ରରୁ ସଂଗୃହୀତ ହୁଏ
ପଠାଣି ସାମନ୍ତ ରାତିରାତି ଅନିଦ୍ରା ରହି
ଝାନ୍ସୀରେ ଜନ୍ମ ହୋଇଥିଲେ
ଭାରତର ଉତ୍ତର ଦିଗରେ
ଅର୍ଥ ହେଉଛି ଶବ୍ଦ ଓ ବାକ୍ୟର ପ୍ରାଣ । ଆମେ ଯାହା ଲେଖିବା, ସ୍ପଷ୍ଟ ଭାବରେ ଲେଖିବା, ଯେପରି ସମସ୍ତେ ବୁଝିପାରିବେ ।
ଗଙ୍ଗାଧର ସ୍ପଷ୍ଟ ଭାବରେ ଲେଖିଛନ୍ତି-
ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା ।