ଆମ ଓଡ଼ିଆ ବ୍ୟାକରଣ/ସମ୍ପର୍କରୁ ସିନା ବୁଝିବା
←ଅର୍ଥ ହିଁ ପ୍ରାଣ | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: ସମ୍ପର୍କରୁ ସିନା ବୁଝିବା |
ବଡ଼ରୁ ସାନ ସାନ-ଶବ୍ଦ ଅକ୍ଷର ବର୍ଣ୍ଣ→ |
ବର ଓ ଅଶ୍ୱତ୍ଥ ଦୁଇଟି ବଡ଼ ବୃକ୍ଷ ।
ବର ଓ କନ୍ୟା ଉଭୟେ ଶିକ୍ଷିତ ।
ସାବିତ୍ରୀ ଯମଙ୍କୁ ତିନୋଟି ବର ମାଗିଥିଲେ ।
ଗୋପବନ୍ଧୁ ଓଡ଼ିଶାର ଜଣେ ବରପୁତ୍ର ।
ଉପର ବାକ୍ୟଗୁଡ଼ିକରେ ପ୍ରତ୍ୟେକରେ ‘ବର’ ଶବ୍ଦଟି ବ୍ୟବହୃତ ହୋଇଛି । କିନ୍ତୁ ସବୁ ‘ବର’ ଶବ୍ଦର ଅର୍ଥ ସମାନ ନୁହେଁ । ପ୍ରଥମ ବାକ୍ୟରେ ‘ବର’ ଅର୍ଥ ବରଗଛ, ଦ୍ୱିତୀୟରେ ‘ବର’ ଅର୍ଥ ବିଭାହେଉଥିବା ପୁରୁଷ । ତୃତୀୟରେ ‘ବର’ ଅର୍ଥ ଦେବତାଙ୍କୁ ଯାହା ମଗାଯାଏ, ଚତୁର୍ଥରେ ‘ବର’ ଅର୍ଥ ଯୋଗ୍ୟ ବା ଶ୍ରେଷ୍ଠ । ଏହିପରି ବାକ୍ୟରେ ଅନ୍ୟାନ୍ୟ ପଦଗୁଡ଼ିକର ସଂପର୍କରୁ ଭିନ୍ନ ଭିନ୍ନ ଅର୍ଥ ବୁଝାପଡ଼ିଲା ।
ଆମ ଭାଷାରେ କେତେକ ଶବ୍ଦ ଅଛି, ଯେଉଁଗୁଡ଼ିକର ଅର୍ଥ ଭିନ୍ନଭିନ୍ନ । କେଉଁଠି କି ଅର୍ଥ, ତାହା ବାକ୍ୟରେ ଅନ୍ୟ ପଦଗୁଡ଼ିକର ସଂପର୍କରୁ ହିଁ ବୁଝାପଡେ଼ । ଏଭଳି ଶବ୍ଦଗୁଡ଼ିକୁ ବିଭିନ୍ନାର୍ଥକ ଶବ୍ଦ କୁହାଯାଏ ।
କେତେଗୁଡ଼ିଏ ବିଭିନ୍ନାର୍ଥକ ଶବ୍ଦକୁ ବାକ୍ୟରେ ବ୍ୟବହାର କରି ଦେଖାଇ ଦିଆଗଲା ।
ଅମଳ - ଇଂରେଜମାନଙ୍କ ଅମଳରୁ ଆମ ଦେଶରେ ଇଂରାଜୀ ଭାଷା
ଚାଲିଛି ।
ଏବର୍ଷ ଭଲ ଫସଲ ଅମଳ ହୋଇନାହିଁ । ଓଳି - ଘରର ଓଳିତଳେ ବସିବା ଉଚିତ ନୁହେଁ ।
ଚାଟଶାଳୀରେ ଦୁଇଓଳି ପାଠପଢ଼ା ହେଉଥିଲା ।
କଳ - ରାୟଗଡ଼ା ଜେକେପୁରରେ କାଗଜକଳ ଅଛି ।
ପିଲାଟି କଳରେ କୋଳି ଜାକିଛି ।
ଦୂରରୁ ଝରଣାର କଳଧ୍ୱନି ଶୁଣାଗଲା ।
କଳା - କନକ ଆଖିରେ କଳା ଲଗାଇଛି ।
ମାଙ୍କଡ଼ ମୁହଁ କଳା ।
ନିଜ ଦେଶର ପ୍ରାଚୀନ କଳାକୁ ରକ୍ଷା କରିବା ଉଚିତ ।
ଝିଅଟି ଚନ୍ଦ୍ରକଳା ପରି ବଢ଼ିଲା ।
କାତି - ମାଛ ଦେହରେ କାତି ଥାଏ ।
ଗୁଆକାତିରେ ଭଲ ଧାର ନାହିଁ ।
କାଳ - ବସନ୍ତକାଳ ସମସ୍ତଙ୍କପାଇଁ ସୁଖକର ।
ଆହା ! ଅଳ୍ପ ବୟସରେ ତାଙ୍କର କାଳ ହୋଇଗଲା ।
ଘଡ଼ି - ପୂର୍ବେ ସୂର୍ଯ୍ୟଘଡ଼ିରୁ ସମୟ ଜାଣୁଥିଲେ ।
ଘଡ଼ିରେ ଘିଅ ରଖିିଦିଅ ।
ଆଜି ଦୁଇ ଘଡ଼ି ଅନ୍ଧାର ପରେ ଚନ୍ଦ୍ର ଉଇଁବ ।
ତାଳ - ଗଛରୁ ପାଚିଲା ତାଳ ପଡ଼ିଲା ।
ଠିକ୍ ତାଳରେ ଗୀତ ନଗାଇଲେ ଅଡ଼ୁଆ ଶୁଣାଯାଏ ।
ଦଳ - ପୋଖରୀରେ ବହୁତ ଦଳ ଅଛି ।
ଗାଆଁର ଲୋକମାନେ ଦୁଇ ଦଳ ହୋଇଛନ୍ତି ।
ଧାର - ଖରାଦିନେ କେତେକ ନଦୀର ଧାର ଶୁଖିଯାଏ ।
କଟୁରିରେ ଭଲ ଧାର ନାହିଁ ।
ସଡ଼କ ଧାରରେ ଆଗେ ବହୁତ ଗଛ ଥିଲା ।
ନାଳ - ନଦୀନାଳସବୁ ବର୍ଷାପାଣିରେ ପୂର୍ଣ୍ଣ ହୋଇଗଲା ।
ପିଲାଟିର ପାଟିରୁ ନାଳ ବହୁଛି ।
ପଦ୍ମ ନାଳରେ ସୂକ୍ଷ୍ମ ରନ୍ଧ୍ର ଥାଏ ।
ପଟ - ସନ୍ନ୍ୟାସୀମାନେ ବୃକ୍ଷର ପଟକୁ ବସ୍ତ୍ରରୂପେ ବ୍ୟବହାର
କରୁଥିଲେ ।
ରାସ୍ତାରେ ଏପଟ ସେପଟ ହୁଅନାହିଁ ।
ଚାଷୀଟିର ଏକ ପଟ ମାତ୍ର ବଳଦ ଅଛି ।
ପର - ଛୋଟ ପକ୍ଷୀଟିର ଏପର୍ଯ୍ୟନ୍ତ ପର କଅଁଳି ନାହିଁ ।
ନିଜ ପିଲାଙ୍କୁ ପର ମନେ କରିବା ଉଚିତ ନୁହେଁ ।
କାଲି ତାଙ୍କର ପରଲୋକ ହୋଇଗଲା ।
ପକ୍ଷ - ଶର ଆଘାତରେ ପକ୍ଷୀଟିର ପକ୍ଷ ଛିଣ୍ଡିଗଲା ।
ବିଭୀଷଣ ରାମଚନ୍ଦ୍ରଙ୍କ ପକ୍ଷରେ ଥିଲେ ।
ପାଣି - ଖାଇସାରି ପାଣି ପିଇବା ଉଚିତ ।
ସରସ୍ୱତୀଙ୍କ ପାଣିରେ ବୀଣାଥାଏ ବୋଲି ତାଙ୍କୁ ବୀଣାପାଣି କହନ୍ତି ।
ପିତା - କଲରା ପିତା ଲାଗେ ।
ପିତାମାତାଙ୍କୁ ଭକ୍ତି କର ।
ବାର - ଶ୍ୟାମର ମୋଟେ ବାର ଟଙ୍କା ଲାଭ ହୋଇଥିଲା ।
ଗୋପାଳବାବୁ ସୋମବାର ଦିନ ଗାଆଁକୁ ଗଲେ ।
ମୁଁ ତୁମକୁ ବହୁବାର ଏକଥା କହିଛି ।
ତୁମେ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ଭିନ୍ନଭିନ୍ନ ଅର୍ଥରେ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଲେଖ -
ରମା ରମା ନାମେ ଦୁଇଟି ବାଳିକା
ଗୋଟିଏ ଗାଆଁରେ ଘର ।
ରମା ବାପା ଯଦୁ ରମା ବାପା ମଧୁ
କହିଲେ ବୁଝନ୍ତି ନର ।
ବାଳିକାଟି କାଳିକଲମରେ ଲେଖୁଛି ।
ସତ୍ୟବାଦୀଲୋକର ଦେହରେ କାଳି ଲାଗେ ନାହିଁ ।
ହରିର ଧନଠାରୁ ନରିର ଧନ ତିନିଗୁଣ ଅଧିକ ।
ଶ୍ରଦ୍ଧା, ଦୟା, କ୍ଷମା ଆଦି ମଣିଷର ଭଲଗୁଣ ଅଟେ ।
ଛାତ୍ରଟି ଶିକ୍ଷକଙ୍କ ପ୍ରଶ୍ନର ଠିକ୍ ଉତ୍ତର ଦେଲା ।
ଶୀତଦିନେ ଉତ୍ତର ଦିଗରୁ ପବନ ବହେ ।
ଆମର ଉତ୍ତରପୁରୁଷମାନେ ଆମଠାରୁ ଅଧିକ ଯୋଗ୍ୟ ହେବା ଦରକାର ।