ଆମ ଓଡ଼ିଆ ବ୍ୟାକରଣ/କାହାପାଇଁ, କଅଣପାଇଁ ?
←କାହାଦ୍ୱାରା, କାହିଁରେ ? | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: କାହାପାଇଁ, କଅଣପାଇଁ ? |
କାହାଠାରୁ, କେଉଁଠାରୁ ?→ |
(କ) ମଧୁବାବୁ ସର୍ବଦା ଓଡ଼ିଶାପାଇଁ ଭାବୁଥିଲେ ।
(ଖ) ଜ୍ଞାନଅର୍ଜନପାଇଁ ଛାତ୍ରଛାତ୍ରୀମାନେ ବହି ପଢ଼ନ୍ତି ।
ପ୍ରଥମ ବାକ୍ୟରେ ‘ଭାବୁଥିଲେ’ କ୍ରିୟାପଦ ଏବଂ ଦ୍ୱିତୀୟ ବାକ୍ୟରେ ‘ପଢ଼ନ୍ତି’ କ୍ରିୟାପଦ । ଏହି କ୍ରିୟାପଦ ଦୁଇଟିର ମୂଳରେ ଆମେ କାହାପାଇଁ ବା କଅଣପାଇଁ ଲଗାଇ ପ୍ରଶ୍ନ କଲେ ଉତ୍ତରରେ କି କି ପଦ ମିଳୁଛି, ଦେଖିବା ।
ପ୍ରଶ୍ନ | ଉତ୍ତର |
କାହାପାଇଁ ଭାବୁଥିଲେ ? | ଓଡ଼ିଶାପାଇଁ |
କଅଣପାଇଁ ପଢ଼ନ୍ତି? | ଜ୍ଞାନଅର୍ଜନପାଇଁ |
କ୍ରିୟାପଦର ପୂର୍ବରୁ କାହାପାଇଁ ବା କଅଣପାଇଁ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହାକୁ ସଂପ୍ରଦାନ କାରକ ବା ନିମିତ୍ତ କାରକ କହନ୍ତି ।
ଉପର ବାକ୍ୟ ଦୁଇଟିରେ ‘ଓଡ଼ିଶାପାଇଁ’ ଏବଂ ‘ଜ୍ଞାନଅର୍ଜନପାଇଁ’ ଦୁଇଟି ସଂପ୍ରଦାନ କାରକ ବା ନିମିତ୍ତ କାରକ ।
‘ଓଡ଼ିଶ। ପାଇଁ’ ପରିବର୍ତ୍ତେ ଆମେ ଯଦି ‘ଓଡ଼ିଶ। ନିମନ୍ତେ’ କହିବା, ତେବେ ଅର୍ଥ ମଧ୍ୟ ଠିକ୍ ରହିବ ।
ସେହିପରି ‘ଜ୍ଞାନଅର୍ଜନପାଇଁ’ ପରିବର୍ତ୍ତେ ‘ଜ୍ଞାନଅର୍ଜନନିମନ୍ତେ’ କହିଲେ ଅର୍ଥ ମଧ୍ୟ ଠିକ୍ ରହିବ । ତେଣୁ ନିମନ୍ତେ, ନିମିତ୍ତ, ସକାଶେ, କୁ, ପ୍ରଭୃତିକୁ ମଧ୍ୟ ‘ପାଇଁ’ ପରିବର୍ତ୍ତେ ବ୍ୟବହାର କରାଯାଇପାରେ । ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସଂପ୍ରଦାନ କାରକଗୁଡ଼ିକୁ ଚିହ୍ନାଅ ।
(କ) ମାଆ ପୁଅନିମନ୍ତେ ବହି କିଣିଲେ ।
(ଖ) ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷାନିମିତ୍ତ ବନକୁ ଗଲେ ।
(ଗ) ସତ କହିବାକୁ କିଆଁ ଡରିବି ।
(ଘ) ଆସନସକାଶେ ବୃଦ୍ଧେ ଏଡ଼େ ବାଇ ।
(ଙ) କଲରା ଖାଇବାକୁ ପିତା, କିନ୍ତୁ ଦେହକୁ ହିତ ।
(ଚ) ପିତାମାତା ପିଲାଙ୍କପାଇଁ ବହୁତ କଷ୍ଟ ସହନ୍ତି ।
(ଛ) ଭୀମ ଭୋଇ ଜଗତନିମନ୍ତେ ପ୍ରାର୍ଥନା କରୁଥିଲେ ।