ଆମ ଓଡ଼ିଆ ବ୍ୟାକରଣ/ବିଭକ୍ତି
←ବାଘ-ବାଘୁଣୀ, ମୃଗ-ମୃଗୁଣୀ | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: ବିଭକ୍ତି |
ବଚନ→ |
ପରେଶର ଭାଇ କାଲି ଉଡ଼ାଜାହାଜରେ ଦିଲ୍ଲୀରୁ ଭୁବନେଶ୍ୱରକୁ ଆସିଲେ ।
ଏହି ବାକ୍ୟଟିରେ ସାତଟି ଅଂଶ ଅଛି । ଯଥା-
ପରେଶର / ଭାଇ / କାଲି / ଉଡ଼ାଜାହାଜରେ / ଦିଲ୍ଲୀରୁ / ଭୁବନେଶ୍ୱରକୁ / ଆସିଲେ ।
ବାକ୍ୟର ପ୍ରତ୍ୟେକ ଅଂଶକୁ ଗୋଟିଏ ଗୋଟିଏ ପଦ କହନ୍ତି । ତେଣୁ ଉକ୍ତ ବାକ୍ୟରେ ସାତଟି ପଦ ଅଛି ।
ପରେଶର, ଉଡ଼ାଜାହାଜରେ, ଦିଲ୍ଲୀରୁ, ଭୁବନେଶ୍ୱରକୁ- ଏହି ପଦଗୁଡ଼ିକରେ ର, ରେ, ରୁ, କୁ ଲାଗିଛି, କିନ୍ତୁ ଅନ୍ୟ ପଦଗୁଡ଼ିକରେ କିଛି ଲାଗିନାହିଁ । ଆଉ କେତୋଟି ବାକ୍ୟ ଦେଖ ।
(କ) ଦୁର୍ଗାଦେବୀ ମହିଷାସୁରକୁ ମାରିଲେ ।
(ଖ) ଔଷଧଦ୍ୱାରା ରୋଗ ଭଲ ହୁଏ ।
(ଗ) ଗୋପବନ୍ଧୁ ନିଜପାଇଁ କିଛି କରିନଥିଲେ ।
(ଘ) ଗୋପାଳ ବନ୍ଧୁଠାରୁ ବହୁତ ସାହାଯ୍ୟ ପାଇଲା ।
(ଙ) ତୁଳସୀଗଛର ପତ୍ର ବହୁତ ଉପକାରୀ ଅଟେ ।
(ଚ) ହାଟପଡ଼ିଆଠାରେ ସଭା ହେବ ।
ଏହି ବାକ୍ୟଗୁଡ଼ିକରେ କେତେକ ପଦରେ କୁ, ଦ୍ୱାରା, ପାଇଁ, ଠାରୁ, ର, ଠାରେ ଲାଗିଛି । ପଦରେ ଲାଗିଥିବା କୁ, ରେ, ର, ରୁ, ଠାରୁ, ଦ୍ୱାରା, ପାଇଁ, ଠାରେ ପ୍ରଭୃତିକୁ ବିଭକ୍ତି ବା ବିଭକ୍ତି ଚିହ୍ନ କୁହାଯାଏ ।
ତୁମେ ନିମ୍ନଲିଖିତ ଲେଖାରେ ବିଭକ୍ତି ଚିହ୍ନ ଚିହ୍ନାଅ ।
ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ବଡ଼ ।
ପ୍ରାଣୀର ନ ପାଞ୍ଚିବ ମନ୍ଦ । ସକଳ ଘଟରେ ଗୋବିନ୍ଦ ।।
କଟକ ଚିନ୍ତା ବାଇମୁଣ୍ଡିକି ।
ଅହିଂସାଦ୍ୱାରା ହିଂସାକୁ ଜିଣିହୁଏ ।
ତୁମକୁ ସେ ଭଲ କଥା କହିଲେ ।
ବିଜ୍ଞାନଦ୍ୱାରା ଆମର ବହୁତ ଉପକାର ହେଉଛି ।
ଓଡ଼ିଶାରେ ଅନେକ ନଦୀ ବହୁଛି ।