ଆମ ଓଡ଼ିଆ ବ୍ୟାକରଣ/ବିଶେଷ୍ୟ ପଦ
←କେଉଁଠାରେ, କେତେବେଳେ ? | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: ବିଶେଷ୍ୟ ପଦ |
ବାଘ-ବାଘୁଣୀ, ମୃଗ-ମୃଗୁଣୀ→ |
ଭାରତ - ଏକ ଦେଶର ନାମ
ମନୁଷ୍ୟ - ଏକ ଜାତିର ନାମ
ଲୁହା - ଏକ ପ୍ରକାର ବସ୍ତୁର ନାମ
ଦୟା - ଏକ ଗୁଣର ନାମ
ପଠନ - ଏକ କାର୍ଯ୍ୟର ନାମ
ଯେକୌଣସି ନାମକୁ ବିଶେଷ୍ୟ ପଦ କୁହାଯାଏ ।
ଭାରତ, ମନୁଷ୍ୟ, ଲୁହା, ଦୟା, ପଠନ- ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷ୍ୟ ପଦ ।
ସମସ୍ତ ନାମକୁ ପାଞ୍ଚ ଭାଗ କରାଯାଇପାରେ । ଯଥା-
(୧) ସଂଜ୍ଞା ବୁଝାଉଥିବା ନାମ- ଭାରତ, ବାଲ୍ମୀକି, କାଳିଦାସ, ହିମାଳୟ, ମହାନଦୀ, ପାରାଦ୍ୱୀପ, ଚିଲିକା, ପୁରୀ, ଭୁବନେଶ୍ୱର, ଦୁର୍ଗା, ଚନ୍ଦ୍ର, ସୂର୍ଯ୍ୟ ପ୍ରଭୃତି । ସଂଜ୍ଞାବୁଝାଉଥିବା ନାମ କେବଳ ଜଣକୁ ବା ଗୋଟିଏକୁ ବୁଝାଏ ।
(୨) ଜାତି ବୁଝାଉଥିବା ନାମ- ମନୁଷ୍ୟ, ପଶୁ, ସିଂହ, ବାଘ, ପକ୍ଷୀ, କୁଆ, ପର୍ବତ, ନଦୀ, ହ୍ରଦ, ଦେଶ, ଗାଈ, ଛେଳି ପ୍ରଭୃତି ।
‘ମନୁଷ୍ୟ’ ବୋଇଲେ ଅନେକ ମନୁଷ୍ୟ, ‘ପର୍ବତ’ ବୋଇଲେ ଅନେକ ପର୍ବତ, ‘ନଦୀ’ ବୋଇଲେ ଅନେକ ନଦୀ, ‘କୁଆ’ ବୋଇଲେ ଅନେକ କୁଆ, ‘ଦେଶ’ ବୋଇଲେ ଅନେକ ଦେଶ । ଏହିପରି ଜାତି ବୁଝାଉଥିବା ନାମ ଅନେକଙ୍କୁ ବୁଝାଏ ।
(୩) ବସ୍ତୁ ବୁଝାଉଥିବା ନାମ- ମାଟି, ପାଣି, ପଥର, ବାଲି, କାଠ, ଗୁଡ଼, ଚିନି, ଲୁହା, ତମ୍ବା, ସୁନା, କ୍ଷୀର, ମହୁ ପ୍ରଭୃତି ।
(୪) ଗୁଣ ବା ଅବସ୍ଥା ବୁଝାଉଥିବା ନାମ- ଦୟା, କ୍ଷମା, ସ୍ନେହ, ମମତା, ଧୈର୍ଯ୍ୟ, ବୀରତ୍ୱ, ଗର୍ବ, ଦୁଷ୍ଟାମି, ମୂର୍ଖତା, ଶୈଶବ, ବାର୍ଦ୍ଧକ୍ୟ, ଦରିଦ୍ରତା ପ୍ରଭୃତି ।
‘ଗୁଣ’ ବୋଇଲେ ଭଲଗୁଣ ଓ ମନ୍ଦଗୁଣ ଉଭୟକୁ ବୁଝାଏ । ଯେପରି ଦୟା ମନୁଷ୍ୟର ଏକ ଭଲଗୁଣ, ଗର୍ବ ଏକ ମନ୍ଦଗୁଣ ।
(୫) କାର୍ଯ୍ୟ ବୁଝାଉଥିବା ନାମ- ପଢ଼ିବା, ଦେଖିବା, ଧାଇଁବା, କହିବା, ଶୁଣିବା, ଲେଖିବା, ଭ୍ରମଣ, ଶୟନ, ଭୋଜନ, ଗମନ, ରନ୍ଧନ, ଦର୍ଶନ ପ୍ରଭୃତି ।
ଅତଏବ ବିଶେଷ୍ୟ ପଦ ପାଞ୍ଚ ପ୍ରକାର-
(୧) ସଂଜ୍ଞା ବିଶେଷ୍ୟ
(୨) ଜାତି ବିଶେଷ୍ୟ
(୩) ବସ୍ତୁ ବିଶେଷ୍ୟ
(୪) ଗୁଣ ବା ଅବସ୍ଥା ବିଶେଷ୍ୟ
(୫) କାର୍ଯ୍ୟ ବିଶେଷ୍ୟ
ତୁମେ ନିମ୍ନଲିଖିତ ପଦଗୁଡ଼ିକ ମଧ୍ୟରୁ କିଏ କି ପ୍ରକାର ବିଶେଷ୍ୟ, ଚିହ୍ନାଇଦିଅ ।
ନେଉଳ, ବୈତରଣୀ, ଗୋଡ଼ି, ତୁଳା, ଆଗ୍ରା, ଇଟା, ବାଘ, କାଚ, କାଗଜ, ର୍ଶନ, ଚୋରି, ମିଛ, ସତ, କବି, କୃଷକ, ପେନ୍ସିଲ୍, ଖଟ, ଚନ୍ଦ୍ର, ଶୈଶବ, କଟକ, ମୃଗ । ନିମ୍ନଲିଖିତ ପ୍ରତ୍ୟେକ ବାକ୍ୟରେ ପାଞ୍ଚଟି ଲେଖାଏଁ ଏକା ପ୍ରକାର ବିଶେଷ୍ୟ ଏବଂ ଗୋଟିଏ ଲେଖାଏଁ ଭିନ୍ନ ପ୍ରକାର ବିଶେଷ୍ୟ ଅଛି । ସେହି ଭିନ୍ନ ପ୍ରକାର ବିଶେଷ୍ୟଗୁଡ଼ିକୁ ଚିହ୍ନାଇଦିଅ ।
(କ) ମହୁ, ଚାଉଳ, ଚିନି, ସହର, କନ୍ଦ, କାଚ
(ଖ) ଯୋଗାଣ, ରାନ୍ଧିବା, ଧୈର୍ଯ୍ୟ, ଖଟଣି, କାଟିବା, ବନ୍ଦାଣ
(ଗ) ଦିଲ୍ଲୀ, ବୈଶାଖ, ପଥର, ଚୀନ୍, ଧଉଳିଗିରି, ପୁରୀ
(ଘ) ଗାଈ, ବାଳକ, ପକ୍ଷୀ, ମଇଁଷି, ମୟୂରଭଞ୍ଜ, ମଣିଷ
(ଙ) ଭକ୍ତି, ସାହସ, ଭୟ, ବିନୟ, ମାଟି, ପାଣ୍ଡିତ୍ୟ
ନିମ୍ନଲିଖିତ ପଦରେ ବିଶେଷ୍ୟ ପଦଗୁଡ଼ିକୁ ଚିହ୍ନାଇଦିଅ ।
ନର ପଶୁ ପକ୍ଷୀ କୀଟ ତରୁ ଲତା ତୃଣ,
ସମସ୍ତଙ୍କୁ ମଙ୍ଗଳରେ ରଖ ନାରାୟଣ ।
ରାମ କୃଷ୍ଣ ମହମ୍ମଦ ଯୀଶୁ ବୁଦ୍ଧ ନାମେ
ସୁଖ ଶାନ୍ତି ଖେଳିଯାଉ ପୁର ପଲ୍ଲୀ ଗ୍ରାମେ ।