ଆମ ଓଡ଼ିଆ ବ୍ୟାକରଣ/ସନ୍ଧି ଶବ୍ଦ
←ସମାସ ଶବ୍ଦ | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: ସନ୍ଧି ଶବ୍ଦ |
ତୁମେ ଜାଣିଛ, ଏକାଧିକ ଶବ୍ଦ ମିଶି ଗୋଟିଏ ଶବ୍ଦ ହେଲେ ତାହାକୁ ସମାସ ଶବ୍ଦ କୁହାଯାଏ ।
ତଳଲିଖିତ ଶବ୍ଦଗୁଡ଼ିକୁ ଦେଖ-
(କ) ବିଦ୍ୟାଳୟ
(ଖ) ସଚ୍ଚରିତ୍ର
(ଗ) ପୁନର୍ବାର
ଏଗୁଡ଼ିକ ମଧ୍ୟ ସମାସ ଶବ୍ଦ । କାରଣ ‘ବିଦ୍ୟା’ ଏବଂ ‘ଆଳୟ’ ଦୁଇଟି ଶବ୍ଦ ମିଶି ‘ବିଦ୍ୟାଳୟ’ ଶବ୍ଦଟି ହୋଇଛି । ‘ସତ୍’ ଏବଂ ‘ଚରିତ୍ର’ ଦୁଇଟି ଶବ୍ଦ ମିଶି ‘ସଚ୍ଚରିତ୍ର’ ଶବ୍ଦଟି ହୋଇଛି । ସେହିପରି ‘ପୁନଃ’ ଏବଂ ‘ବାର’ ଦୁଇଟି ଶବ୍ଦ ମିଶି ‘ପୁନର୍ବାର’ ଶବ୍ଦଟି ହୋଇଛି ।
ଆମେ ଲକ୍ଷ୍ୟ କରିପାରୁଥାଇଁ, ଏହି ଶବ୍ଦଗୁଡ଼ିକରେ ଦୁଇଟି ଲେଖାଏଁ ଶବ୍ଦ ମିଶି ଗୋଟିଏ ଲେଖାଏଁ ଶବ୍ଦ ହୋଇଛି ସତ, କିନ୍ତୁ ଉଭୟଙ୍କର ମଝିରେ କିଛି ପରିବର୍ତ୍ତନ ହୋଇଯାଇଛି ।
‘ବିଦ୍ୟାଳୟ’ ଶବ୍ଦରେ ‘ଆଳୟ’ର ‘ଆ’ଟି ନାହିଁ ।
‘ସଚ୍ଚରିତ୍ର’ ଶବ୍ଦରେ ‘ସତ୍’ର ‘ତ୍’ଟି ନାହିଁ ଏବଂ ‘ଚରିତ୍ର’ର ‘ଚ’ଟି
‘ଚ୍ଚ’ ହୋଇଯାଇଛି । ‘ପୁନର୍ବାର’ ଶବ୍ଦରେ ‘ପୁନଃ’ର ବିସର୍ଗଟି ନାହିଁ ଏବଂ ‘ବାର’ର ‘ବା’ଟି ‘ର୍ବା’ ହୋଇଯାଇଛି । ଏହିପରି, ପରିବର୍ତ୍ତନମାନ ଆମେ ଲକ୍ଷ୍ୟ କରିପାରୁଥାଇଁ ।
ଦୁଇଟି ଶବ୍ଦ ମିଶି ଗୋଟିଏ ଶବ୍ଦ ହୋଇଥିଲେ ଏବଂ ମଝିରେ କିଛି ପରିବର୍ତ୍ତନ ହୋଇଥିଲେ ସେଭଳି ଶବ୍ଦକୁ ସନ୍ଧି ଶବ୍ଦ କୁହାଯାଏ ।
ବିଦ୍ୟାଳୟ, ସଚ୍ଚରିତ୍ର, ପୁନର୍ବାର, ଏଗୁଡ଼ିକ ଗୋଟିଏ ଗୋଟିଏ ସନ୍ଧି ଶବ୍ଦ ।
ସନ୍ଧିଶବ୍ଦରେ ମିଶିଥିବା ଶବ୍ଦଗୁଡ଼ିକୁ + ଚିହ୍ନଦ୍ୱାରା ଦେଖାଇ ଦିଆଯାଏ ।
ତଳେ + ଚିହ୍ନ ସହିତ କେତେକ ସନ୍ଧିଶବ୍ଦ ଦିଆଗଲା ।
ବିଦ୍ୟା + ଆଳୟ = ବିଦ୍ୟାଳୟ ସତ୍ + ଚରିତ୍ର = ସଚ୍ଚରିତ୍ର
ଜନ୍ମ + ଅଷ୍ଟମୀ = ଜନ୍ମାଷ୍ଟମୀ ଜଗତ୍ + ନାଥ = ଜଗନ୍ନାଥ
ଦେବ + ଆଶିଷ = ଦେବାଶିଷ ଚଳତ୍ + ଚିତ୍ର = ଚଳଚ୍ଚିତ୍ର
ମହା + ଆଶୟ = ମହାଶୟ ଦିକ୍ + ଅମ୍ବର = ଦିଗମ୍ବର
ଗଣ + ଈଶ = ଗଣେଶ ଷଟ୍ + ଆନନ = ଷଡ଼ାନନ
ମହା + ଈଶ୍ୱର = ମହେଶ୍ୱର ମନଃ + କାମନା = ମନସ୍କାମନା
ଲମ୍ବ + ଉଦର = ଲମ୍ବୋଦର ଚତୁଃ + ପଦ = ଚତୁଷ୍ପଦ
ପର + ଉପକାର= ପରୋପକାର ପୁନଃ + ବାର = ପୁନର୍ବାର
ପ୍ରତି + ଏକ = ପ୍ରତ୍ୟେକ ଅନ୍ତଃ + ଗତ = ଅନ୍ତର୍ଗତ
ସପ୍ତ + ଋଷି = ସପ୍ତର୍ଷି ତପଃ + ବନ = ତପୋବନ
ତୁମେ ନିମ୍ନଲିଖିତ ଲେଖାରେ ସନ୍ଧି ହୋଇଥିବା ପଦଗୁଡ଼ିକୁ ଚିହ୍ନାଅ ଏବଂ ସେଗୁଡ଼ିକୁ + ଚିହ୍ନଦ୍ୱାରା ଅଲଗା ଅଲଗା କର ।
ପଠାଣି ସାମନ୍ତ ମହାମହୋପାଧ୍ୟାୟ ଉପାଧି ପାଇଥିଲେ ।
ଜୟଦେବ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ।
ପ୍ରତ୍ୟେକ ପ୍ରାଣୀ ଦେହରେ ପରମେଶ୍ୱର ଅଛନ୍ତି ।
ପରୋପକାରେ ଯାହାର ସଦା ଥାଏ ମତି
ଜଗଦୀଶ୍ୱର ତାହାକୁ ସହାୟ ହୁଅନ୍ତି ।
ସଜ୍ଜନ ସଙ୍ଗେ କଲେ ବାସ । ସୁଗୁଣ ହୋଇବ ବିକାଶ ।।