ଆମ ଓଡ଼ିଆ ବ୍ୟାକରଣ/ସମାସ ଶବ୍ଦ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଓଡ଼ିଆ ବ୍ୟାକରଣ (୨୦୧୪)  ଲେଖକ/କବି: ଧନେଶ୍ୱର ମହାପାତ୍ର
ସମାସ ଶବ୍ଦ
ସମାସ ଶବ୍ଦ
ବୀଣାପାଣି ମାତୃଭାଷା
କାଠପୋଲ ଯଥାଶକ୍ତି

ଉପରେ ଚାରିଗୋଟି ଶବ୍ଦ ଲେଖାଯାଇଛି । କିନ୍ତୁ ପ୍ରକୃତରେ ଏଗୁଡ଼ିକରେଆଠଗୋଟି ଶବ୍ଦ ରହିଛି । ‘ବୀଣାପାଣି’ରେ ‘ବୀଣା’ ଓ ‘ପାଣି’ ଦୁଇଟି ଶବ୍ଦ ଅଛି । ‘କାଠପୋଲ’ରେ ‘କାଠ’ ଓ ‘ପୋଲ’ ଦୁଇଟି ଶବ୍ଦ ଅଛି । ‘ମାତୃଭାଷା’ରେ ‘ମାତୃ’ ଓ ‘ଭାଷା’ ଦୁଇଟି ଶବ୍ଦ ଅଛି । ‘ଯଥାଶକ୍ତି’ରେ ‘ଯଥା’ ଓ ‘ଶକ୍ତି’ ଦୁଇଟି ଶବ୍ଦ ଅଛି । ଦୁଇଟି ଲେଖାଏଁ ଶବ୍ଦ ମିଶି ଗୋଟିଏ ଲେଖାଏଁ ଶବ୍ଦ ହୋଇଛି ।

ଏକାଧିକ ଶବ୍ଦ ମିଶି ଗୋଟିଏ ଶବ୍ଦ ହୋଇଥିଲେ ତାହାକୁ ସମାସ ଶବ୍ଦ କହନ୍ତି ।

ବୀଣାପାଣି, କାଠପୋଲ, ମାତୃଭାଷା, ଯଥାଶକ୍ତି- ଏଗୁଡ଼ିକ ଗୋଟିଏ ଗୋଟିଏ ସମାସ ଶବ୍ଦ ।

ସମାସ ଶବ୍ଦକୁ ଏକାଠି ଲଗାଇକରି ଲେଖାଯାଏ, ଛଡ଼ାଛଡ଼ା କରି ଲେଖାଯାଏ ନାହିଁ । ବୀଣା ପାଣି, କାଠ ପୋଲ, ମାତୃ ଭାଷା, ଯଥା ଶକ୍ତି- ଏମିତି ଛଡ଼ାଛଡ଼ା କରି ଲେଖିବା ଠିକ୍‍ ନୁହେଁ । କାରଣ, ସମାସ ଶବ୍ଦକୁ ଗୋଟିଏ ଶବ୍ଦ ବୋଲି ଧରାଯାଏ ।

ତଳେ ଦୁଇ ଦୁଇଟି ଶବ୍ଦ ମିଶି ଗୋଟିଏ ଲେଖାଏଁ ଶବ୍ଦ ହୋଇଥିବା କେତେକ ସମାସ ଶବ୍ଦ ଦିଆଗଲା ।
ପିତୃଭକ୍ତି ନୀଳଚକ୍ର
ପୁତ୍ରସ୍ନେହ ସୁନାହାର
ପିଇବାପାଣି ଇଟାଭାଟି
ଗାଧୁଆଘର ଅଷ୍ଟରତ୍ନ
ସମୁଦ୍ରଜଳ ସପ୍ତାହ
ମାମୁଁଘର ନୀଳକଣ୍ଠ
ଗଛପାଚିଲା ମହାବାହୁ
ବଣଭୋଜି ପ୍ରତିକ୍ଷଣ
ମହାପୁରୁଷ ଦଶମୁଖ
ପାଦପଦ୍ମ ଜନ୍ମଭୂମି

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସମାସ ହୋଇଥିବା ପଦଗୁଡ଼ିକୁ ଚିହ୍ନାଇଦିଅ ।

(କ) ଭାରତ ଆମର ମାତୃଭୂମି ଅଟେ ।
(ଖ) ଆକାଶରେ ତାରାଗଣ ଶୋଭା ପାଉଛନ୍ତି ।
(ଗ) ବିଦ୍ୟାଧନଠାରୁ ବଡ଼ ଧନ ନାହିଁ ।
(ଘ) ରେଳପଥରେ ଅନେକ ଯାତ୍ରୀଗାଡ଼ି ଓ ମାଲଗାଡ଼ି ଚାଲୁଛି ।
(ଙ) ସମୁଦ୍ରପାଣିରୁ ଲୁଣ ଉତ୍ପାଦନ କରାଯାଏ ।

ସାଧୁର ଲକ୍ଷଣ ଈଶ୍ୱରଭକ୍ତି ।
ଦୁଗ୍‍ଧପାନ କଲେ ବଢ଼ଇ ଶକ୍ତି ।

ବୀଣାପାଣି ସରସ୍ୱତୀ ବିଦ୍ୟାଦାତ୍ରୀ ମାଆଗୋ
ମାତୃଭାଷାକୁ ଆମର ସଦା ହୁଅ ସାହା ଗୋ ।