ଆମ ଓଡ଼ିଆ ବ୍ୟାକରଣ/ଶବ୍ଦରୁ ଶବ୍ଦ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଓଡ଼ିଆ ବ୍ୟାକରଣ (୨୦୧୪)  ଲେଖକ/କବି: ଧନେଶ୍ୱର ମହାପାତ୍ର
ଶବ୍ଦରୁ ଶବ୍ଦ
ଶବ୍ଦରୁ ଶବ୍ଦ
ବୁଦ୍ଧ - ବୌଦ୍ଧ ଜ୍ଞାନ - ଜ୍ଞାନୀ
ବନ - ବନ୍ୟ ପାହାଡ଼ - ପାହାଡ଼ିଆ

‘ବୁଦ୍ଧ’ ଗୋଟିଏ ଶବ୍ଦ, ‘ବୌଦ୍ଧ’ ମଧ୍ୟ ଗୋଟିଏ ଶବ୍ଦ । ବୁଦ୍ଧ ଶବ୍ଦରୁ ବୌଦ୍ଧ ହୋଇଛି । ସେହିପରି ‘ବନ’, ‘ଜ୍ଞାନ’, ‘ପାହାଡ଼’ ଗୋଟିଏ ଗୋଟିଏ ଶବ୍ଦ । ବନରୁ ବନ୍ୟ ହୋଇଛି, ଜ୍ଞାନରୁ ଜ୍ଞାନୀ ହୋଇଛି ଏବଂ ପାହାଡ଼ରୁ ପାହାଡ଼ିଆ ହୋଇଛି ।

ପ୍ରଥମ ଶବ୍ଦକୁ ମୂଳ ଶବ୍ଦ କୁହାଯାଏ ଏବଂ ମୂଳ ଶବ୍ଦରୁ ହୋଇଥିବା ଶବ୍ଦକୁ ତଦ୍ଧିତ ଶବ୍ଦ କୁହାଯାଏ ।

ବୁଦ୍ଧ, ବନ, ଜ୍ଞାନ, ପାହାଡ଼- ଏଗୁଡ଼ିକ ଗୋଟିଏ ଗୋଟିଏ ମୂଳ ଶବ୍ଦ ।
ବୌଦ୍ଧ, ବନ୍ୟ, ଜ୍ଞାନୀ, ପାହାଡ଼ିଆ- ଏଗୁଡ଼ିକ ଗୋଟିଏ ଗୋଟିଏ ତଦ୍ଧିତ ଶବ୍ଦ ।

ମୂଳଶବ୍ଦ ଓ ତଦ୍ଧିତ ଶବ୍ଦର ବ୍ୟବହାର ସମାନ ଅର୍ଥରେ ହୁଏ ନାହିଁ, ଭିନ୍ନ ଅର୍ଥରେ ହୁଏ । କିନ୍ତୁ ସେହି ଦୁଇ ଅର୍ଥ ମଧ୍ୟରେ ସଂପର୍କ ଥାଏ । ଯେପରି-

ବୁଦ୍ଧ ଲୋକମାନଙ୍କୁ ସତ୍‍ ଉପଶେ ଦେଉଥିଲେ ।
ବହୁ ଦେଶରେ ବୌଦ୍ଧଧର୍ମର ଲୋକ ବାସ କରନ୍ତି ।
ବନରେ ବହୁ ପ୍ରକାର ପଶୁପକ୍ଷୀ ରହନ୍ତି ।
ବନ୍ୟପ୍ରାଣୀମାନଙ୍କୁ ମାରିବା ଉଚିତ ନୁହେଁ । ଈଶ୍ୱରଚନ୍ଦ୍ରଙ୍କର ବହୁତ ଶାସ୍ତ୍ରରେ ଜ୍ଞାନ ଥିଲା ।
ଈଶ୍ୱରଚନ୍ଦ୍ର ଜଣେ ଜ୍ଞାନୀ ଲୋକ ଥିଲେ ।
ଓଡ଼ିଶାରେ ଅନେକ ପାହାଡ଼ ଅଛି ।
ପାହାଡ଼ିଆ ଜାଗାରେ ପଣସ ଗଛ ଭଲ ହୁଏ ।

ଏଠାରେ କେତେକ ମୂଳଶବ୍ଦ ଏବଂ ସେଥିରୁ ହୋଇଥିବା ତଦ୍ଧିତ ଶବ୍ଦ ଦିଆଗଲା ।

ଶିବ - ଶୈବ ମୂର୍ଖ - ମୂର୍ଖତା
ଭରତ - ଭାରତ ବୀର - ବୀରତ୍ୱ
ଦଶରଥ - ଦାଶରଥି ପୁଷ୍ପ - ପୁଷ୍ପିତ
ମରୁତ - ମାରୁତି ଦାଢ଼ି - ଦାଢ଼ିଆ
ବର୍ଷ - ବାର୍ଷିକ ମହୁରି - ମହୁରିଆ
ମାସ - ମାସିକ ଡାକ୍ତର - ଡାକ୍ତରି
ସମାଜ - ସାମାଜିକ ହଳ - ହଳିଆ
ବିଜ୍ଞାନ - ବୈଜ୍ଞାନିକ ମୂଲ - ମୂଲିଆ
ସାହିତ୍ୟ - ସାହିତ୍ୟିକ ଲୁଣ - ଲୁଣିଆ
ସୁନ୍ଦର - ସୌନ୍ଦର୍ଯ୍ୟ ପଙ୍କ - ପଙ୍କୁଆ
ଅଳସ - ଆଳସ୍ୟ ନାଟ - ନାଟୁଆ
ଗ୍ରାମ - ଗ୍ରାମ୍ୟ ମିଛ - ମିଛୁଆ
ପର୍ବତ - ପାର୍ବତ୍ୟ ଠକ - ଠକାମି
ଜଳ - ଜଳୀୟ ଶଙ୍ଖା - ଶଙ୍ଖାରି
ଦେଶ - ଦେଶୀୟ କାଚ - କାଚରା
ତୁମେ ନିମ୍ନଲିଖିତ ମୂଳ ଶବ୍ଦକୁ ଓ ସେଥିରୁ ହୋଇଥିବା ତଦ୍ଧିତ ଶବ୍ଦକୁ ଲଗାଇ ଅଲଗା ଅଲଗା ବାକ୍ୟ ଗଠନ କର ।
ମୂଳ ଶବ୍ଦ ତଦ୍ଧିତ ଶବ୍ଦ
ଜଳ ଜଳୀୟ
ବର୍ଷ ବାର୍ଷିକ
ପଙ୍କ ପଙ୍କୁଆ
ବିଜ୍ଞାନ ବୈଜ୍ଞାନିକ
ବୀର ବୀରତ୍ୱ

କାଚରା ବୁଲି ବିକଇ କାଚ
ପାନରା ବିକେ ପାନ
ଢୋଲିଆ ନାଚି ଢୋଲ ବଜାଏ
ଚାଷୀ ଫଳାଏ ଧାନ ।