ଆମ ଦେବଦେବୀ/ଗଣେଶ
ଆମ ଦେବଦେବୀ (୨୦୧୧) ଲେଖକ/କବି: ଗଣେଶ |
ଦୁର୍ଗା→ |
ଆମ ଭାରତର ଶାସ୍ତ୍ର, ପୁରାଣମାନଙ୍କରେ ଯେଉଁସବୁ ଦେବଦେବୀଙ୍କ ନାମ ଓ ଗୁଣର ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ଗଣେଶଙ୍କ ମହତ୍ତ୍ୱ ଅସାଧାରଣ । ସନାତନ ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ଯେ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ; ଅନ୍ୟ ଯେ କୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ ମଧ୍ୟ ଶ୍ରୀଗଣେଶଙ୍କ ସ୍ମରଣ ବା ଆବାହନ ବିନା
ପଦ୍ମ ପୁରାଣ, ଲିଙ୍ଗ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ସ୍କନ୍ଦ ପୁରାଣ, ଶିବ ପୁରାଣ ଆଦିରେ ଗଣେଶଙ୍କର ଜନ୍ମ ଓ ବିଭିନ୍ନ ଲୀଳା ସମ୍ପର୍କରେ ବହୁ କାହାଣୀ ରହିଛି । କେତେକ କାହାଣୀ ପୁଣି ପରସ୍ପର ଠାରୁ ଭିନ୍ନ । ଗଣେଶ ପୁରାଣ ଓ ମୁଦ୍ଗଲ ପୁରାଣରେ ଗଣେଶଙ୍କର ବିଭିନ୍ନ ଅବତାର ବିଷୟରେ ବିଶଦ ଭାବରେ ଉଲ୍ଲେଖ ଅଛି । ଭଗବାନ ବିଷ୍ଣୁ ଦୁଷ୍ଟମାନଙ୍କୁ ସଂହାର କରି ପୃଥିବୀରେ ଧର୍ମର ପ୍ରତିଷ୍ଠା ପାଇଁ ବିଭିନ୍ନ ଯୁଗରେ ଅବତାର ଗ୍ରହଣ କରିଥିଲେ । ସେହିରି ଗଣେଶ ମଧ୍ୟ ଦୁଷ୍ଟ ସଂହାର କରି ପୃଥିବୀକୁ ରକ୍ଷା କରିବା ପାଇଁ ବିଭିନ୍ନ ଯୁଗରେ ଅବତାର ଗ୍ରହଣ କରିଥିଲେ ବୋଲି ଗଣେଶ ପୁରାଣରେ ଉଲ୍ଲେଖ ଅଛି । ବର୍ଣ୍ଣନା ଅଛି ଯେ, ସତ୍ୟ (କୃତ) ଯୁଗରେ ଗଣେଶଙ୍କର ପ୍ରଥମ ଅବତାର ହୋଇଥିଲା । ‘ମହୋତ୍କଟ ବିନାୟକ’ ରୂପରେ ଦେବମାତା ଅଦିତିଙ୍କ ଗର୍ଭରୁ ଆବିର୍ଭୂତ ହୋଇ ସେ ଧୁମ୍ରାକ୍ଷ, ଜୃମ୍ଭା, ଅନ୍ଧକ, ଦେବାନ୍ତକ, ନରାନ୍ତକ ଆଦି ମାୟାବୀ ଅସୁରଙ୍କୁ ସଂହାର କରିଥିଲେ । ମହୋତ୍କଟ ବିନାୟକଙ୍କର ଦଶଭୁଜ । ଭୁଜରେ ପରଶୁ ଓ କମଣ୍ଡଳୁ, କର୍ଣ୍ଣରେ କୁଣ୍ଡଳ, ଲଲାଟରେ କସ୍ତୂରୀ ତିଳକ, କଣ୍ଠରେ ମୋତିମାଳା, କଟିରେ ସୁବର୍ଣ୍ଣ କଟିସୂତ୍ର ଓ ନାଭିରେ ସର୍ପ ଶୋଭିତ ।
ଗଣେଶ ପୁନର୍ବାର ତ୍ରେତା ଯୁଗରେ ମୟୂରେଶ ରୂପରେ ଓ ଦ୍ୱାପର ଯୁଗରେ ଗଜାନନ ରୂପରେ ଅବତାର ଗ୍ରହଣ କରିଥିଲେ । ତ୍ରେତା ଯୁଗରେ ମୟୂରେଶ ରୂପରେ ସେ ଶିବ ଓ ପାର୍ବତୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ଛତ୍ର, ଅଙ୍କୁଶ, ଊର୍ଦ୍ଧ୍ୱରେଖା ଯୁକ୍ତ କମଳ ଆଦି ଶୁଭ ଚିହ୍ନ ତାଙ୍କଠାରେ ଶୋଭା ପାଉଥିଲା । ସେହି ଅବତାରରେ ସେ ସୂର୍ଯ୍ୟଙ୍କ ବରରେ ବଳୀୟାନ ସିନ୍ଧୁ ଦୈତ୍ୟକୁ ନାଶ କରି ପୃଥିବୀକୁ ରକ୍ଷା କରିଥିଲେ । କମଳାସୁର ଓ ତା’ର ବହୁ ଅକ୍ଷୌହିଣୀ ସୈନ୍ୟଙ୍କୁ ମଧ୍ୟ ସେ ନାଶ କରିଥିଲେ । ତାଙ୍କର ତ୍ରିଶୂଳ ଆଘାତରେ କମଳାସୁରର ଶିର ଛିଣ୍ଡି ଯେଉଁଠାରେ ପଡ଼ିଥିଲା, ଦେବତା ଓ ମୁନିଋଷିଙ୍କ ପ୍ରାର୍ଥନା ରକ୍ଷା କରି ସେ ସେଠାରେ ମୟୂରେଶ ନାମରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଏହି ଅବତାରରେ ତାଙ୍କର ଶରୀରର ବର୍ଣ୍ଣ ଥିଲା ଶ୍ୱେତ । ସେ ହୋଇଥିଲେ ଷଡ଼ଭୁଜ । ତାଙ୍କର ବାହନ ଥିଲା ମୟୂର ।
ସେହିରି ଦ୍ୱାପର ଯୁଗରେ ଗଣେଶ ଗଜାନନ ରୂପେ ଅବତାର ଗ୍ରହଣ କରି ସିନ୍ଦୂର ନାମକ ଦୈତ୍ୟକୁ ସଂହାର କରିଥିଲେ । ଏହି ଅବତାରରେ ଆବିର୍ଭୂତ ହେବାବେଳେ ତାଙ୍କର
ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର ପରି ଗଣେଶଙ୍କର ମଧ୍ୟ ଏକ ଶେଷ ଅବତାରର କଳ୍ପନା ଗଣେଶ ପୁରାଣରେ କରାଯାଇଛି । ସେଥିରେ ବର୍ଣ୍ଣନା ଅଛି ଯେ କଳିଯୁଗ ଶେଷରେ ଗଣେଶ ଧୂମ୍ରକେତୁ ରୂପରେ ଆବିର୍ଭୂତ ହେବେ । ସେତେବେଳେ ତାଙ୍କର ଶରୀର ହେବ ଶ୍ୟାମବର୍ଣ୍ଣ । କଳ୍କୀ ଅବତାର ପରି ତାଙ୍କର ବାହନ ମଧ୍ୟ ହେବ ଅଶ୍ୱ । ଦ୍ୱିଭୁଜ ଧୂମ୍ରକେତୁ ତୀକ୍ଷ୍ଣ ତରବାରିରେ କଳି ସଂହାର କରିବେ ।
‘ଗଣେଶ ପୁରାଣ’ରେ ବର୍ଣ୍ଣିତ ଚାରି ଅବତାର ବ୍ୟତୀତ ‘ମୁଦ୍ଗଲ ପୁରାଣ’ରେ ମଧ୍ୟ ଗଣେଶଙ୍କର ବହୁ ଅବତାରର ବର୍ଣ୍ଣନା ଅଛି । ସେଥିମଧ୍ୟରୁ ଆଠଟି ଅବତାର ମୁଖ୍ୟ । ସେହି ଆଠଟି ଅବତାର ହେଉଛନ୍ତି :
୧- ବକ୍ରତୁଣ୍ଡ : ତାଙ୍କର ବାହନ ସିଂହ, ସେ ମତ୍ସରାସୁରକୁ ନିହତ କରିଥଲେ ।
୨- ଏକଦନ୍ତ : ତାଙ୍କର ବାହନ ମୂଷିକ ଓ ସେ ମଦାସୁରର ହନ୍ତା ।
୩- ମହୋଦର : ତାଙ୍କର ବାହନ ମୂଷିକ ଓ ମୋହାସୁରର ବିନାଶକ ଓ ଜ୍ଞାନଦାତା ।
୪- ଗଜାନନ : ତାଙ୍କର ବାହନ ମୂଷିକ ଓ ସେ ଲୋଭାସୁରର ବିନାଶକ ।
୫- ଲୟୋଦର : ତାଙ୍କର ବାହନ ମୂଷିକ ଓ ସେ କ୍ରୋଧାସୁରର ନାଶକାରୀ ।
୬- ବିକଟ : ତାଙ୍କର ବାହନ ମୟୁର ଓ ସେ କାମାସୁରର ହନ୍ତା ।
୭- ବିଘ୍ନରାଜ : ତାଙ୍କର ବାହନ ଶେଷ ଓ ସେ ମମତାସୁରର ବିନାଶକ ।
୮- ଧୂମ୍ରବର୍ଣ୍ଣ : ତାଙ୍କର ବାହନ ମୂଷିକ ଓ ସେ ଅହଂ ଅସୁରର ବିନାଶକାରୀ ।
ଏଣୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମମତା (ଆସକ୍ତି) ଓ ଅହଂ ଆଦି ଅସୁରଙ୍କୁ ନାଶ କରିବା ସହିତ ଗଣେଶ ଆମ ମନରୁ ଏହି ସବୁ ଦୁଷ୍ଟ ପ୍ରବୃଭିକୁ ମଧ୍ୟ ବିନାଶ
କରି ଥାଆନ୍ତି । ଫଳରେ ଆମର ଚରିତ୍ର ଉନ୍ନତ ଓ ମନ ନିର୍ମଳ ହୋଇଥାଏ । ଏଣୁ ଏହି ସବୁ ଦୁଷ୍ଟ ପ୍ରବୃତ୍ତିଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରି ଗଣେଶଙ୍କ ପୂଜା କରିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ ।
ଉପରେ ଉଲ୍ଲେଖ କରାଯାଇଥବା ପୁରାଣମାନଙ୍କରେ ଗଣେଶଙ୍କର ଯେଉଁ ସବୁ ବର୍ଣ୍ଣନା ଓ ଲୀଳା କାହାଣୀ ଅଛି, ସେଥିରେ ପରସ୍ପର ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ତେବେ ସେହି ବର୍ଣ୍ଣନାର ଆଧାରରେ ଗଣେଶଙ୍କ ସମ୍ପର୍କରେ ଏକ ସର୍ବଜନଗ୍ରାହ୍ୟ ଧାରଣା କରାଯାଏ । ତାହା ହେଉଛି-
ଗଣେଶ ଏକଦନ୍ତ ଓ ଚତୁର୍ଭୁଜ । ତାଙ୍କର ଚାରି ହାତରେ ପାଶ, ଅଙ୍କୁଶ, ଅଭୟ ଓ ବରଦ ମୁଦ୍ରା ଶୋଭିତ । ତାଙ୍କର ବାହନ ମୂଷିକ । ଶରୀର ରକ୍ତବର୍ଣ୍ଣ । ରକ୍ତବର୍ଣ୍ଣ ବସନ ଓ ପୁଷ୍ପ ତାଙ୍କର ପ୍ରିୟ ।
ଶ୍ରୀତତ୍ତ୍ୱନିଧି, ମନ୍ତ୍ର ମହୋଦଧି, ମନ୍ତ୍ର ରତ୍ନାକର, ରୂପ ମଣ୍ଡନ, ଶିଳ୍ପ ରତ୍ନ, ମନ୍ତ୍ରମହାର୍ଣ୍ଣବ, ଅଂଶୁମଦ୍ଭେଦାଗମ, ଉତ୍ତର କାମିକାଗମ, ସୁପ୍ରଭେଦାଗମ ଆଦି ଅନେକ ଗ୍ରନ୍ଥରେ ଗଣେଶଙ୍କର ଆହୁରି ବହୁ ରୂପ, ଗୁଣର ବର୍ଣ୍ଣନା ଅଛି । କେଉଁଠି ତାଙ୍କର ହାତ ସଂଖ୍ୟା ୧୬ ତ କେଉଁଠି ୮ ଓ ପୁଣି କେଉଁଠି ୬ । ଶରୀରର ବର୍ଣ୍ଣ ବି ସେମିତି । କେଉଁଠି ଆଉଟା ସୁନାପରି ଉଜ୍ଜଳ ତ କେଉଁଠି ସକାଳର ସୁର୍ଯ୍ୟ ପରି ଲାଲ ଏବଂ ପୁଣି କେଉଁଠି ଚନ୍ଦ୍ରପରି ଶ୍ୱେତବର୍ଣ୍ଣ । ହେରମ୍ବ ଗଣପତିଙ୍କ ବାହନ ସିଂହ, ମୟୂରେଶ ଗଣପତିଙ୍କ ବାହନ ମୟୂର ଓ ବହୁ ସ୍ଥାନରେ ବାହନ ମୂଷିକ । ପୁଣି କଳିଯୁଗରେ ତାଙ୍କର ବାହନ ହେବ ଅଶ୍ୱ । ପୁଣି କେଉଁଠି ସେ ପଞ୍ଚମୁଖ (ହେରମ୍ବ ଗଣପତି) ତ କେଉଁଠି ଏକମୁଖ, ଗଜାନନ ।
ଗଣେଶଙ୍କ ବେଶଭୂଷାର ବର୍ଣ୍ଣନା ମଧ୍ୟ ଗଣେଶ ପୁରାଣରେ ଖୁବ୍ ଚମତ୍କାର ଭାବରେ ରହିଛି । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମୁଖରେ ଗଣେଶଙ୍କ ବେଶଭୂଷାର ବର୍ଣ୍ଣନା ଦିଆଯାଇ ଗଣେଶ ପୁରାଣରେ କୁହାଯାଇଛି-
ମୋତି ଓ ରତ୍ନ ଆଦି ତାଙ୍କର ମୁକୁଟରେ ଖଞ୍ଜା ହୋଇଥାଏ । ସମଗ୍ର ଶରୀରରେ ସେ ରକ୍ତ ଚନ୍ଦନ ଲେପନ କରନ୍ତି । ଗଳାରେ ମୋତିମାଳା, ମସ୍ତକରେ ସିନ୍ଦୂରର ଶୋଭା, ବକ୍ଷସ୍ଥଳରେ ସର୍ପ-ପଇତା । ବାହୁରେ ରତ୍ନ ଖଚିତ ବାହୁଟି, ମର୍କତମଣିର ମୁଦି । କଟିରେ ସର୍ପ-ରଜ୍ଜୁ । ଭାଲପଟରେ ଚନ୍ଦ୍ରମା । ଦନ୍ତ ସୁନ୍ଦର ଓ ଶୁଭ୍ର । ହାତ ବରଦ ମୁଦ୍ରାରେ ଶୋଭିତ ।
ଏହି ଅଳଙ୍କାର ଓ ଆଭୂଷଣ ସେ ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ଲକ୍ଷ୍ମୀ, ସାବିତ୍ରୀ, ସରସ୍ୱତୀ ଆଦିଙ୍କ ଠାରୁ ପାଇଛନ୍ତି ବୋଲି ବ୍ରହ୍ମବୈବର୍ତ୍ତ ପୁରାଣରେ ଉଲ୍ଲେଖ ଅଛି ।
ଗଣେଶ କାହିଁକି ଲମ୍ବୋଦର, ଏକଦନ୍ତ ଓ ମୋଦକ ପ୍ରିୟ, ସେ ସବୁ ସମ୍ପର୍କରେ ବହୁ କାହାଣୀ ବିଭିନ୍ନ ପୁରାଣରେ ଦେଖିବାକୁ ମିଳେ । ବ୍ରହ୍ମ ପୁରାଣରେ ଥିବା ବର୍ଣ୍ଣନାନୁଯାୟୀ ଗଣେଶ ଛୋଟ ଥିଲାବେଳେ ମାତା ପାର୍ବତୀଙ୍କ ଠାରୁ ସ୍ତନ୍ୟ ପାନ କରିବାକୁ ଭଲ ପାଉଥିଲେ । ଭାଇ କାର୍ତ୍ତିକଙ୍କୁ ସ୍ତନ୍ୟ ପାନର ସୁଯୋଗ ଦେଉ ନଥିଲେ । ତାହା ଦେଖି କୌତୁକରେ ଶିବ ତାଙ୍କୁ ‘ଲମ୍ବୋଦର’ ବୋଲି କହିଥିଲେ । ଗଣେଶ ମୋଦକ ପ୍ରିୟ । ଜ୍ଞାନବର୍ଦ୍ଧକ ମୋଦକ ଖାଇ ସେ ଆନନ୍ଦ ମନରେ ନୃତ୍ୟ କରିବାର ବର୍ଣ୍ଣନା ପୁରାଣମାନଙ୍କରେ ଅଛି ।
ସେହିପରି ଗଣେଶ କାହିଁକି ଏକଦନ୍ତ, ସେ ସମ୍ପର୍କରେ ମଧ୍ୟ କାହାଣୀ ରହିଛି । ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି, କୃତ (ସତ୍ୟ) ଯୁଗରେ ଯେତେବେଳେ ଗଣେଶ ମହୋତ୍କଟ ବିନାୟକ ଅବତାର ଗ୍ରହଣ କରିଥିଲେ, ସେତେବେଳେ ଦେବାନ୍ତକ ଅସୁର ସହିତ ତାଙ୍କର ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ଦେବାନ୍ତକର ମୃତ୍ୟୁ ଅବଶ୍ୟ ହୋଇଥିଲା; ମାତ୍ର ଗଣେଶ ଏକଦନ୍ତ ହୋଇଯାଇଥିଲେ ।
ଅନ୍ୟ ଏକ କାହାଣୀରୁ ଜଣାଯାଏ ଯେ ପାଣ୍ଡବ ଓ କୌରବମାନଙ୍କ ମୃତ୍ୟୁ ପରେ, ମହର୍ଷି ବେଦବ୍ୟାସ ପୁନର୍ବାର ଧ୍ୟାନସ୍ଥ ହେଲେ । ମାତ୍ର ମହାଭାରତର ପବିତ୍ର ଗାଥା ତାଙ୍କ ମନରେ ଖେଳୁଥାଏ । ପଞ୍ଚମବେଦ- ମହାଭାରତର କିପରି ପ୍ରଚାର ହେବ ସେ ତାହା ଚିନ୍ତା କରୁଥାନ୍ତି । ସେତିକିବେଳେ ଥରେ ପିତାମହ ବ୍ରହ୍ମା ଯାଇ ତାଙ୍କ ଆଶ୍ରମରେ ପହଞ୍ଚିଲେ । ତାଙ୍କୁ ଆସନ, ପାଦ୍ୟ, ଅର୍ଘ୍ୟ ଆଦି ଦେଇ ବେଦବ୍ୟାସ ଭବ୍ୟ ସତ୍କାର କଲେ । ସମସ୍ତ ଶାସ୍ତ୍ରର ସାର କଥାକୁ ନେଇ ସୃଷ୍ଟି ହୋଇଥିବା ଏବଂ ବେଦବେଦାଙ୍ଗର ଗୂଢ଼ ରହସ୍ୟ ସ୍ଥାନ ପାଇଥିବା ଏହି ମହାଭାରତ ମହାକାବ୍ୟ କିପରି ପୃଥିବୀରେ ପ୍ରଚାରିତ ହେବ ତାହାର ଉପାୟ କହିବା ପାଇଁ ସେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ତାଙ୍କର ପ୍ରାର୍ଥନା ଶୁଣି ବ୍ରହ୍ମା କହିଲେ, ଗଣେଶ ହେଉଛନ୍ତି ସକଳ ବୁଦ୍ଧିର ନିଧାନ । ସେ ହିଁ କେବଳ ତାହା ଶୁଣି ଲେଖି ପାରିବାରେ ସମର୍ଥ ହେବେ । ତେଣୁ ମହାଭାରତ ମହାକାବ୍ୟ ରଚନା ପାଇଁ ଗଣେଶଙ୍କୁ ପ୍ରାର୍ଥନା କରିବା ପାଇଁ ସେ କହିଲେ । ବ୍ରହ୍ମାଙ୍କ ପରାମର୍ଶ ମାନି ମହର୍ଷି ବେଦବ୍ୟାସ ସେଥିାଇଁ ଗଣେଶଙ୍କୁ ଅନୁରୋଧ କଲେ । ମାତ୍ର ଗଣେଶ ଲେଖିବା ପାଇଁ ରାଜି ହେବା ସହିତ ଏକ ସର୍ତ୍ତ ବାଢ଼ିଲେ । ସର୍ତ୍ତଟି ହେଉଛି, ବ୍ୟାସଦେବ ଏପରି ଡାକିବେ,ଯେପରିକି ଗଣେଶଙ୍କ ଲେଖନୀ ମୁହୂର୍ତ୍ତକ ପାଇଁ ବି ଅଟକିବ ନାହିଁ । ଅଟକିଲେ ଲେଖା ସେତିକିରେ ବନ୍ଦ । ବ୍ୟାସଦେବ ସେଥିରେ ରାଜି ହେଲେ । କିନ୍ତୁ ପାଲଟା ସର୍ତ୍ତ ବାଢ଼ିଲେ ଯେ ସେ ଯାହା ଡାକିବେ ଗଣେଶ ତାହା ବୁଝିସାରି ଲେଖିବେ । ନ ବୁଝି କିଛି ଲେଖିବେ ନାହିଁ । ଏହିପରି ମହାଭାରତ ଲେଖା ହେଲା । ମହାଭାରତର ଆଦିପର୍ବରେ, ଏ କଥା ଲେଖା ଅଛି । କଥିତ ଅଛି ଯେ ସେହି ଲେଖା ପାଇଁ ଲେଖନୀ ରୂପେ ଗଣେଶ ତାଙ୍କର ଗୋଟିଏ ଦନ୍ତକୁ ବ୍ୟବହାର କରିଥିଲେ ।
ଗଣେଶଙ୍କର ଗୋଟିଏ ନାଁ ଏକଦନ୍ତ । ସେ କାହିଁକି ଏକଦନ୍ତ, ସେ ସମ୍ପର୍କରେ ଆହୁରି କେତୋଟି କାହାଣୀ ମଧ୍ୟ ରହିଛି । ସେଥିମଧ୍ୟରୁ ପଦ୍ମପୁରାଣରେ ଥିବା ଗୋଟିଏ କାହାଣୀ ହେଉଛି, ପରଶୁରାମ ଥରେ ଶିବଙ୍କୁ ସାକ୍ଷାତ କରିବା ପାଇଁ କୈଳାସପୁରକୁ ଯାଇଥିଲେ । ସେ ଯେତେବେଳେ ଯାଇ କୈଳାସପୁରରେ ପହଞ୍ଚିଲେ, ସେତେବେଳକୁ ଶିବ ବିଶ୍ରାମ ନେଉଥିଲେ । ଗଣେଶ ଥିଲେ ଦ୍ୱାର ଜଗିବା ଦାୟିତ୍ୱରେ । ତେଣୁ ସେ ପରଶୁରାମଙ୍କୁ ଶିବଙ୍କ ବିଶ୍ରାମ କକ୍ଷ ମଧ୍ୟକୁ ଛାଡ଼ିଲେ ନାହିଁ । ଫଳରେ ପରଶୁରାମ କ୍ରୁଦ୍ଧ ହେଲେ । ଗଣେଶଙ୍କ ସହିତ ତାଙ୍କର ଯୁଦ୍ଧ ହେଲା । ଗଣେଶ ତାଙ୍କୁ ଶୁଣ୍ଢରେ ଗୁଡ଼ାଇ, ଟେକି କଚି ଦେଲେ । ଏଥିରେ ପରଶୁରାମ ରାଗିଗଲେ । ଶିବଙ୍କୁ ତପସ୍ୟା କରି ପାଇଥିବା କୁଠାରଟିକୁ ଗଣେଶଙ୍କ ଉପରକୁ ଫୋପାଡ଼ିଲେ । ସେହି କୁଠାର ଗଣେଶଙ୍କ ଦାନ୍ତରେ ବାଜି ତାଙ୍କର ଦାନ୍ତ ଭାଙ୍ଗିଗଲା ।
ଏ ସମ୍ପର୍କରେ ଆଉ ଗୋଟିଏ କୌତୁକପୂର୍ଣ୍ଣ କାହାଣୀ ମଧ୍ୟ ଅଛି । ଥରେ ଚନ୍ଦ୍ର ଗଣେଶଙ୍କ ଲମ୍ବୋଦରକୁ ଦେଖି ତାଙ୍କୁ ପରିହାସ କରିବାରୁ ଗଣେଶ କ୍ଷୁବ୍ଧ ହୋଇ ନିଜର ଗୋଟିଏ ଦାନ୍ତ ଭାଙ୍ଗି ଚନ୍ଦ୍ରଙ୍କ ଉପରକୁ ଫୋପାଡି ଥିଲେ । ସେହିଦିନଠୁ ଚନ୍ଦ୍ରଙ୍କର ସୁନ୍ଦର ଦେହରେ ଚିହ୍ନ ରହିଗଲା । ଗଣେଶ ମଧ୍ୟ ଏକଦନ୍ତ ହେଲେ ।
ଏକଦନ୍ତ କାହାଣୀ ପରି, ଗଣେଶଙ୍କ ଜନ୍ମବୃତ୍ତାନ୍ତ ଓ ଗଜାନନ ଧାରଣ ସମ୍ପର୍କରେ ମଧ୍ୟ ବିଭିନ୍ନ ପୁରାଣରେ ବହୁ କୌତୁକପୂର୍ଣ୍ଣ କାହାଣୀ ରହିଛି । ସେହିସବୁ କାହାଣୀ ମଧ୍ୟରୁ ସବୁଠୁ ଲୋକପ୍ରିୟ କାହାଣୀଟି ହେଉଛି- ଥରେ ପାର୍ବତୀ ନିଜ ଶରୀରର ହଳଦି ମଳୁଖରୁ ଏକ ଚେତନ ପୁରୁଷ ସୃଷ୍ଟି କଲେ । ସେହି ଚେତନ ପୁରୁଷ ହେଉଛନ୍ତି ଶ୍ରୀଗଣେଶ । ଦିନେ ଗଣେଶଙ୍କୁ ଦ୍ୱାର ଜଗାଇଦେଇ ପାର୍ବତୀ ଭିତରେ ସ୍ନାନ କରୁଥିଲେ । ସେହି ସମୟରେ ଶିବ ଆସି ପହଞ୍ଚି ଭିତରକୁ ଯିବାକୁ ଉଦ୍ୟତ ହେଲେ । ମାତ୍ର ଦ୍ୱାର ଜଗି ରହିଥିବା ଗଣେଶ କହିଲେ, ମାତାଙ୍କ ଆଦେଶ ବିନା ସେ କାହାକୁ ଭିତରକୁ ଛାଡ଼ିବେ ନାହିଁ । ଶିବଙ୍କୁ ଭିତରକୁ ନ ଛାଡ଼ି ଦ୍ୱାର ନିକଟରେ ଅଟକାଇ ରଖିବାରୁ ଶିବ କ୍ରୁଦ୍ଧ ହେଲେ । ତ୍ରିଶୂଳ ଓ ପିନାକ ଦ୍ୱାରା ତାଙ୍କର ଶିର ଚ୍ଛେଦ କରିଦେଲେ । ତାହା ଜାଣି ପାର୍ବତୀ ଅତ୍ୟନ୍ତ କ୍ରୁଦ୍ଧ ହେଲେ । ଦେବତା, ଋଷି, ବ୍ରାହ୍ମଣ, ସମସ୍ତେ ଆଶଙ୍କା କଲେ ଯେ ପାର୍ବତୀଙ୍କ କ୍ରୋଧରେ ତ୍ରିଲୋକ ନାରଖାର ହୋଇଯିବ । ତେଣୁ ସେମାନେ କ୍ରୋଧ ସମ୍ବରଣ ପାଇଁ ପାର୍ବତୀଙ୍କୁ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଗଣେଶ କିପରି ପୁନର୍ଜୀବନ ଲାଭ କରିବେ, ତାହାର ଉପାୟ କରିବା ପାଇଁ ଶିବଙ୍କୁ ପ୍ରାର୍ଥନା କଲେ । ଶିବ କହିଲେ, ଉତ୍ତର ଦିଗକୁ ଗଲେ ଯେଉଁ ଜୀବ ପ୍ରଥମେ ମିଳିବ ଏବଂ ତାହାର ମାଆ ତାକୁ ଜନ୍ମ ଦେବା ପରେ ତା’ ଆଡ଼କୁ ପଛ କରି ଶୋଇଥିବ- ସେହି ଜୀବର ମସ୍ତକ ଆଣି ଯୋଡ଼ିଲେ ଗଣେଶ ପୁନର୍ଜୀବନ ଲାଭ କରିବେ ।
ତାହା ଶୁଣି ଦେବତା ଓ ରୁଦ୍ରଗଣ ଉତ୍ତର ଦିଗକୁ ଯାଇ ଗୋଟିଏ ମାଆ ହାତୀ ଓ ତା’ର ଛୁଆକୁ ସେହିପରି ଅବସ୍ଥାରେ ଶୋଇଥିବା ଦେଖି ଛୁଆଟିର ମସ୍ତକ କାଟି ନେଇ ଆସିଲେ । ହାତୀ ଛୁଆର ସେହି ମସ୍ତକଟିକୁ ଗଣେଶଙ୍କ ଶରୀରରେ ଯୋଡ଼ି ଶିବ ତାହାଙ୍କୁ ଜୀବନ୍ୟାସ ଦେଲେ । ଏବେ ଗଣେଶ ହେଲେ ଗଜାନନ । ପାର୍ବତୀଙ୍କ ପ୍ରାର୍ଥନା ଅନୁସାରେ ସେହି ଗଣେଶ ହିଁ ହେଲେ ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ । ପରେ ସେ ଗଣମାନଙ୍କର ଅଧିପତି (ଗଣପତି) ଭାବରେ ମଧ୍ୟ ଖ୍ୟାତ ହୋଇଥିଲେ ।
ଗଣେଶଙ୍କ ଗଜାନନ ସମ୍ପର୍କରେ ଆଉ ଏକ କାହାଣୀ ହେଉଛି, ଶନିଙ୍କ ଦୃଷ୍ଟି ଯୋଗୁଁ ତାଙ୍କର ମୂଳ ମସ୍ତକଟି ଧ୍ୱଂସ ପାଇଯାଇଥିଲା । ପରେ ଏକ ଶିଶୁ-ହସ୍ତୀର ମସ୍ତକ ଅଣାଯାଇ ଖଞ୍ଜା ହେବା ଫଳରେ ସେ ଜୀବନ୍ୟାସ ପାଇଥିଲେ ।
ଗଣେଶଙ୍କ ବିବାହ-ବୃତ୍ତାନ୍ତ ମଧ୍ୟ ବେଶ୍ କୌତୂହଳପ୍ରଦ । ଗଣେଶ ଓ କାର୍ତ୍ତିକ ଦୁଇ ଭାଇଙ୍କର ବିବାହଯୋଗ୍ୟ ବୟସ ହେବାରୁ ଦୁହିଁଙ୍କର ବିବାହ କରାଇବା ପାଇଁ ଶିବ ଓ ପାର୍ବତୀ ସ୍ଥିର କଲେ । ମାତ୍ର ପ୍ରଥମେ କାହାର ବିବାହ କରାଇବେ ତାହା ଠିକ୍ ହୋଇ ପାରିଲା ନାହିଁ । ତେଣୁ ସେମାନେ ଦୁଇପୁଅଙ୍କ ପାଇଁ ଗୋଟିଏ ସର୍ତ୍ତ ରଖିଲେ । ସର୍ତ୍ତଟି ହେଉଛି, ଦୁହିଁଙ୍କ ମଧ୍ୟରୁ ଯିଏ ସମଗ୍ର ପୃଥିବୀ ଆଗ ବୁଲି ଆସି ପାରିବ, ସେ ଆଗ ବିବାହ କରିବ । ତାହା ଶୁଣି କାର୍ତ୍ତିକ ନିଜର ବାହନ ମୟୂର ଉପରେ ବସି ପୃଥିବୀ ପରିକ୍ରମା କରିବାକୁ ବାହାରି ଗଲେ । ଗଣେଶଙ୍କର ତ ମୂଷା ବାହନ । ସେ ସେଥିରେ ବସି ପୃଥିବୀ ପରିକ୍ରମା କରିବାକୁ ଗଲେ ବି କାର୍ତ୍ତିକଙ୍କ ଅପେକ୍ଷା ଆଗ ଫେରିଆସି ପାରିବେ ନାହିଁ । ତେଣୁ ସେ ବସି ବସି ଉପାୟ ଚିନ୍ତା କଲେ ।
ଆସିଲେ । ପଚାରିବାରୁ କହିଲେ, ଶିବ ଓ ପାର୍ବତୀଙ୍କ ଭିତରେ ତ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ରହିଛି । ଏଣୁ ତାଙ୍କ ଚାରିପଟେ ବୁଲି ଆସିବା, ପୃଥିବୀ ଚାରିପଟେ ବୁଲି ଆସିବାଠାରୁ ଅଧିକ । ଫଳରେ ସେହି ପ୍ରତିଯୋଗିତାରେ ଗଣେଶ ଜିତିଲେ । ତାଙ୍କର ଆଗ ବିବାହ ହେଲା । ତାଙ୍କର ଦୁଇ ସ୍ତ୍ରୀଙ୍କ ନାଁ ସିଦ୍ଧି ଓ ବୁଦ୍ଧି । ତେଣୁ ଗଣେଶଙ୍କୁ ପୂଜା କଲେ ସିଦ୍ଧି ଓ ବୁଦ୍ଧି ଉଭୟ ମିଳେ ବୋଲି ବିଶ୍ୱାସ କରାଯାଏ ।
ଆମର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମଧ୍ୟ ବର୍ଷରେ ଥରେ ଗଜାନନ ବା ହାତୀ ବେଶ ହୁଅନ୍ତି । ଗଣେଶଙ୍କର ଜଣେ ଭକ୍ତ ଓ ଉପାସକ ଗଣପତି ଭଟ୍ଟଙ୍କ ପାଇଁ ଶ୍ରୀଜଗନ୍ନାଥ ଏହି ବେଶ ହୁଅନ୍ତି ବୋଲି ରାମ ଦାସଙ୍କ ରଚିତ 'ଦାର୍ଢ୍ୟତାଭକ୍ତି ରସାମୃତ'ରେ ଉଲ୍ଲେଖ ଅଛି । ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀରେ ହେଉଥିବା ସ୍ନାନଯାତ୍ରା ଦିନ, ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥ ଏହି ବେଶ ହୁଅନ୍ତି । ଏଥିରେ ଜଗନ୍ନାଥଙ୍କୁ ଗଣେଶ ରୂପେ ଭକ୍ତମାନେ ଗ୍ରହଣ କରିଥାନ୍ତି ।
ଗଣେଶ ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଏବଂ ବିଘ୍ନ ବିନାଶକ ହୋଇଥିବାରୁ ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ତାଙ୍କୁ ସମସ୍ତେ ପୂଜା କରିଥାଆନ୍ତି । ବିଶେଷକରି ସ୍କୁଲ୍, କଲେଜ୍ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଙ୍କର ପୂଜା ମହା ସମାରୋହରେ କରାଯାଇଥାଏ । ସେମାନେ ଶ୍ରୀଗଣେଶଙ୍କୁ ପ୍ରାର୍ଥନା କରି ଗାଇଥାନ୍ତି-
ଖର୍ବଂ ସ୍ଥୂଳତନୁ ଗଜେନ୍ଦ୍ରବଦନଂ ଲମ୍ବୋଦରଂ ସୁନ୍ଦରମ୍
ପ୍ରସ୍ୟନ୍ଦନ୍ ମଧୁଗନ୍ଧଲୁବ୍ଧମଧୁବ୍ୟାଲୋଳ ଗଣ୍ଡସ୍ଥଳମ୍ ।
ଦନ୍ତାଘାତ ବିଦାରିତାରି ରୁଧିରୈଃ ସିନ୍ଦୂରଶୋଭାକରମ୍
ବନ୍ଦେ ଶୈଳସୁତାସୁତଂ ଗଣପତିଂ ସିଦ୍ଧିପ୍ରଦଂ କାମଦମ୍ ॥
![]() |
![]() |
![]() |
![]() |
![]() |
![]() |
![]() |