ଆମ ଦେବଦେବୀ

ଉଇକିପାଠାଗାର ରୁ
Jump to navigation Jump to search
ଆମ ଦେବଦେବୀ (୨୦୧୧) 
ଲେଖକ/କବି: ଅସିତ ମହାନ୍ତି
ଆମ ଦେବଦେବୀ






ଅସିତ ମହାନ୍ତି






Aama Debadebi.pdf
ଆମ ଦେବାଦେବୀ

ଅସିିତ ମହାନ୍ତି

ପ୍ରକାଶକ : ଆମ ଓଡ଼ିଶା
୪ ଆର୍୧/୨, ଇଉନିଟ୍-୩
ଭୁବନେଶ୍ୱର-୭୫୧୦୦୧

ମୁଦ୍ରଣ : ଶ୍ରୀରାମ ସ୍କ୍ରିନ୍ ପ୍ରିଣ୍ଟିଂ
ଭୁବନେଶ୍ୱର - ୭

ପ୍ରଥମ ସଂସ୍କରଣ : ଡିସେମ୍ବର,୨୦୧୧
ପୁର୍ନର୍ମୁଦ୍ରଣ : ଜୁନ୍‍, ୨୦୧୨
 ଫେବ୍ରୁଆରି, ୨୦୧୩

© ଆମ ଓଡ଼ିଶା

ଚିତ୍ର : ଚନ୍ଦ୍ରଶେଖର ରାଓ
 ଶଶିକାନ୍ତ ରାଉତ

ପ୍ରଚ୍ଛଦ ଚିତ୍ର : ଚନ୍ଦ୍ରଶେଖର ରାଓ
ମୂଲ୍ୟ : ଟ୬୦/-

Ama Debadebi
Asit Mohanty

Publisher: Aama Odisha,
4R 1/2, Unit-3, Bhubaneswar-1
e-mail: aamaodisha@gmail.com

Printed at : Sriram Screen Printing
Bhubaneswar-07
First edition : December, 2011
Reprint : June, 2012
 February, 2013
Illustrations : Chandrasekhar Rao
 Sashikant Rout

Cover painting : Chandrasekhar Rao

© Ama Odisha

Price: Rs. 60/-

ISBN: 978-81-89436-20-9

ନିଜ କଥା

ସବୁ ମଣିଷଙ୍କ ପରି ସବୁ ବହିର ବି ବୋଧହୁଏ ଗୋଟିଏ ଭାଗ୍ୟ ଥାଏ । ତା' ନହେଲେ ଦୀର୍ଘ ପ୍ରାୟ କୋଡ଼ିଏ ବର୍ଷ ତଳେ ଲେଖିଥିବା ଲେଖାଗୁଡ଼ିକୁ ନେଇ ଆଜି ଏ ବହି ପ୍ରକାଶ ପାଉ ନଥାନ୍ତା ।

ଆମର ଖୁବ୍ ପରିଚିତ ଷୋହଳ ଜଣ ଦେବଦେବୀଙ୍କୁ ନେଇ ଏ ବହି । ସେମାନଙ୍କ ମଧ୍ୟରେ ଯେମିତି ଗଣେଶ ଓ ସରସ୍ୱତୀଙ୍କ ପରି ବିଦ୍ୟାଦାତା ଓ ବିଦ୍ୟାଦାତ୍ରୀ ଅଛନ୍ତି, ସେମିତି ବି ଅଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; ଇନ୍ଦ୍ର, ଚନ୍ଦ୍ର ଓ ସୂର୍ଯ୍ୟ; ଦୁର୍ଗା, ଲକ୍ଷ୍ମୀ ଓ କାର୍ତ୍ତିକ । ପୁଣି ଗୋ-ମାତା କାମଧେନୁ, ପକ୍ଷୀରାଜ ଗରୁଡ଼ ଓ ସର୍ପରାଜ ବାସୁକୀ ଏବଂ ଆମ ଆଦିକବି ସାରଳା ଦାସଙ୍କ କଳ୍ପନାର ଅଦ୍ଭୁତ ଅବତାର ନବଗୁଞ୍ଜର ଓ ସଂକଟମୋଚନ ହନୁମାନ ବି ଅଛନ୍ତି ।

ମଝିରେ ମାତ୍ର ଗୋଟିଏ ମାସକୁ ଛାଡ଼ି,୧୯୯୦ ଅଗଷ୍ଟରୁ ୧୯୯୧ ନଭେମ୍ବର ପର୍ଯ୍ୟନ୍ତ ଏହି ଷୋହଳଟି ଲେଖାରୁ ପନ୍ଦରଟି, ମାସିକ 'ମୀନାବଜାର' ପତ୍ରିକାର ପ୍ରଚ୍ଛଦ କାହାଣୀ ଭାବରେ ପ୍ରକାଶ ପାଇଥିଲା । ସେତେବେଳେ ମୁଁ ଥିଲି ତା'ର ସହ-ସଂପାଦକ । କେବଳ ହନୁମାନ ଲେଖାଟି ପ୍ରକାଶ ପାଇଥିଲା ପ୍ରାୟ ଦେଢ଼ବର୍ଷ ପରେ, ୧୯୯୩ ଏପ୍ରିଲ୍‌ର ପ୍ରଚ୍ଛଦ କାହାଣୀ ଭାବରେ ।

ଆଜି ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ପରେ, ଲେଖାଗୁଡ଼ିକୁ ସାଉଁଟି ବହିଟିଏ କରିବାକୁ ଇଚ୍ଛା କଲାବେଳେ, କେତୋଟି ଲେଖାର କିଛି କିଛି ପୃଷ୍ଠା ହଜି ଯାଇଥିବା ଦେଖାଗଲା । ପୁଣି ହନୁମାନ ପରି ଗୋଟିଏ, ଦୁଇଟି ଲେଖା ବହୁ ଖୋଜିବା ପରେ ବି ମିଳିଲା ନାହିଁ । ତେଣୁ ସେସବୁକୁ ସଜାଡ଼ି ଓ ସ୍ଥଳ ବିଶେଷରେ ପୁନର୍ଲିଖିତ କରି, ପୁଣି ମିଳୁନଥିବା କେତୋଟିକୁ ନୂଆ କରି ଲେଖି ଏ ବହିଟି ହେଲା । ଗୋଟିଏ ଦୃଷ୍ଟିରୁ ଭଲ ହେଲା ଯେ ପ୍ରାୟ ସବୁ ଲେଖା ନୂଆ ହୋଇଗଲା ।

ଆଜିର ପିଲାଏ, ଆମ ପୁରାଣ ପରଂପରା ସହିତ ପ୍ରାୟ ପରିଚିତ ନୁହନ୍ତି । ସେମାନେ ହୁଏତ ସ୍କୁଲ୍, କଲେଜରେ ଗଣେଶ ଓ ସରସ୍ୱତୀ ପୂଜା ଏବଂ ସାମାଜିକ ପର୍ବ, ଉତ୍ସବରେ ଦୁର୍ଗା, ଲକ୍ଷ୍ମୀ, ଶିବ ଓ ହନୁମାନ ଆଦିଙ୍କୁ ପୂଜା, ଭକ୍ତି କରନ୍ତି; ମାତ୍ର ସେମାନଙ୍କର ସ୍ୱରୂପ ଓ ବିଶେଷତ୍ୱ ସଂପର୍କରେ ବେଶି କିଛି ଜାଣନ୍ତି ନାହିଁ । ଗପ ଛଳରେ ସେମାନଙ୍କୁ ସେସବୁ ସହ ଯୋଡ଼ିବାର ଚେଷ୍ଟା ଏଥିରେ ମୁଁ କରିଛି । ପୁଣି ଗୋଟିଏ ଗୋଟିଏ ଗପ ଭିତରେ ଗୁନ୍ଥା ଗୁନ୍ଥି ହୋଇ ରହିଛି ଅନେକ ଗୁଡ଼ିଏ ଗପ । ଏହା ଯେ ସେମାନଙ୍କୁ ଆନନ୍ଦ ଦେବ, ସେମାନଙ୍କ ଜ୍ଞାନ ବଢ଼ାଇବ, ଆମ ପୁରାଣ ପରଂପରା ସହ ସେମାନଙ୍କୁ ଯୋଡ଼ିବ, ଏଥିରେ ମୁଁ ନିଃସନ୍ଦେହ ।

ଆଜି 'ହ୍ୟାରି ପୋଟର' ପରି ଉପନ୍ୟାସମାଳା ଇଂଲିଶ୍ ପଢ଼ୁଆ ପିଲାଙ୍କ ଭିତରେ ଖୁବ୍ ଆଦର ପାଉଛି । କିନ୍ତୁ ଆମ ପୁରାଣ କାହାଣୀ ଭିତରେ ଯେ ସେପରି ବହୁ ରୋମାଞ୍ଚକର ଉପାଦାନ ଭରି ରହିଛି, ସେ ସଂର୍ପକରେ ହୁଏତ ଆମେ ନିଜେ ବି ସଚେତନ ନୋହୁ । ଆମ ପୁରାଣ କାହାଣୀ କହେ, ଦିନେ ସବୁ ପର୍ବତଙ୍କର ଡେଣା ଥିଲା । ସେମାନେ ମନଇଚ୍ଛା ଆକାଶରେ ଉଡ଼ି ବୁଲୁଥିଲେ । ବଜ୍ର ମାରି ଇନ୍ଦ୍ର ସେମାନଙ୍କର ପକ୍ଷ ଚ୍ଛେଦିଦେଲେ । କାର୍ତ୍ତିକଙ୍କୁ ଛଅଜଣ ମାଆ ଏକାବେଳକେ କ୍ଷୀର ପିଆଇବାକୁ ଚାହିଁବାରୁ ସେ ଛଅ ମୁହଁ ହୋଇଗଲେ । ସେମିତି ଶିବଙ୍କ କଣ୍ଠ କାହିଁକି ନୀଳ, ନାଲି ପିଆଜ କାହିଁକି ନାଲି ଓ ଧଳା ପିଆଜ କାହିଁକି ଧଳା, ସାପଙ୍କ ଜିଭ କାହିଁକି କଟା- ଏମିତି ଶହ ଶହ କାହାଣୀ ସେମାନେ ଏ ବହିରୁ ପାଇବେ । ପୁଣି ସୂର୍ଯ୍ୟଙ୍କର ସାତ ଘୋଡ଼ା ଓ ଚନ୍ଦ୍ରଙ୍କର ସତେଇଶ ସ୍ତ୍ରୀ ପରି ଗପର ଯେ ବୈଜ୍ଞାନିକ ଭିତ୍ତି ରହିଛି, ତାହା ମଧ୍ୟ ସେମାନେ ଜାଣି ପାରିବେ ।

ଏଣୁ ଏ ବହି ପଢ଼ି, ଆମ ପୁରାଣ ପରଂପରା ଓ ଆମ ପାରଂପରିକ ମୂଲ୍ୟବୋଧ ସହ ଆମ ପିଲାଏ ଯଦି କିଛି ପରିମାଣରେ ଯୋଡ଼ି ହେବେ, ତେବେ ଏହାର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମୁଁ ଭାବିବି । ଏସବୁ କିଛି ନ ହୋଇ, ଗପଗୁଡ଼ିକ ପଢ଼ି ସେମାନେ ଯଦି କେବଳ ଖୁସି ହେବେ; ତେବେ ବି ମୁଁ ଆହୁରି ବେଶି ଖୁସି ହେବି ।

ଅସିତ ମହାନ୍ତି

ସୂଚିପତ୍ର

ଗଣେଶ :: ୦୭
ଦୁର୍ଗା :: ୧୫
କାର୍ତ୍ତିକ :: ୨୫
ଲକ୍ଷ୍ମୀ :: ୩୧
ବ୍ରହ୍ମା :: ୩୯
ସରସ୍ୱତୀ :: ୪୭
ଶିବ :: ୫୩
ବିଷ୍ଣୁ :: ୬୧
ଇନ୍ଦ୍ର :: ୬୯
ସୂର୍ଯ୍ୟ :: ୭୭
ଚନ୍ଦ୍ର :: ୮୫
କାମଧେନୁ :: ୯୧
ଗରୁଡ଼ :: ୯୭
ବାସୁକୀ :: ୧୦୫
ନବଗୁଞ୍ଜର :: ୧୧୧
ହନୁମାନ :: ୧୧୯
Aama Debadebi.pdf
ଗଣେଶ

ଆମ ଭାରତର ଶାସ୍ତ୍ର, ପୁରାଣମାନଙ୍କରେ ଯେଉଁସବୁ ଦେବଦେବୀଙ୍କ ନାମ ଓ ଗୁଣର ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ଗଣେଶଙ୍କ ମହତ୍ତ୍ୱ ଅସାଧାରଣ । ସନାତନ ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ଯେ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ; ଅନ୍ୟ ଯେ କୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ ମଧ୍ୟ ଶ୍ରୀଗଣେଶଙ୍କ ସ୍ମରଣ ବା ଆବାହନ ବିନା

ଆରମ୍ଭ କରାଯାଏ ନାହିଁ । ପୁଣି ଯେ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାହୁଏ ନାହିଁ । ଗଣେଶ ଏ ଦୃଷ୍ଟିରୁ ଅଗ୍ରପୂଜ୍ୟ । ପୁଣି ସେ ସିଦ୍ଧି ଓ ସମୃଦ୍ଧିଦାତା ହୋଇଥିବାରୁ ସମସ୍ତଙ୍କର ପୂଜ୍ୟ ହୋଇଥାଆନ୍ତି । ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି ବିଶ୍ୱାସ ରହିଛି ।

ପଦ୍ମ ପୁରାଣ, ଲିଙ୍ଗ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ସ୍କନ୍ଦ ପୁରାଣ, ଶିବ ପୁରାଣ ଆଦିରେ ଗଣେଶଙ୍କର ଜନ୍ମ ଓ ବିଭିନ୍ନ ଲୀଳା ସମ୍ପର୍କରେ ବହୁ କାହାଣୀ ରହିଛି । କେତେକ କାହାଣୀ ପୁଣି ପରସ୍ପର ଠାରୁ ଭିନ୍ନ । ଗଣେଶ ପୁରାଣ ଓ ମୁଦ୍‌ଗଲ ପୁରାଣରେ ଗଣେଶଙ୍କର ବିଭିନ୍ନ ଅବତାର ବିଷୟରେ ବିଶଦ ଭାବରେ ଉଲ୍ଲେଖ ଅଛି । ଭଗବାନ ବିଷ୍ଣୁ ଦୁଷ୍ଟମାନଙ୍କୁ ସଂହାର କରି ପୃଥିବୀରେ ଧର୍ମର ପ୍ରତିଷ୍ଠା ପାଇଁ ବିଭିନ୍ନ ଯୁଗରେ ଅବତାର ଗ୍ରହଣ କରିଥିଲେ । ସେହିରି ଗଣେଶ ମଧ୍ୟ ଦୁଷ୍ଟ ସଂହାର କରି ପୃଥିବୀକୁ ରକ୍ଷା କରିବା ପାଇଁ ବିଭିନ୍ନ ଯୁଗରେ ଅବତାର ଗ୍ରହଣ କରିଥିଲେ ବୋଲି ଗଣେଶ ପୁରାଣରେ ଉଲ୍ଲେଖ ଅଛି । ବର୍ଣ୍ଣନା ଅଛି ଯେ, ସତ୍ୟ (କୃତ) ଯୁଗରେ ଗଣେଶଙ୍କର ପ୍ରଥମ ଅବତାର ହୋଇଥିଲା । ‘ମହୋତ୍କଟ ବିନାୟକ’ ରୂପରେ ଦେବମାତା ଅଦିତିଙ୍କ ଗର୍ଭରୁ ଆବିର୍ଭୂତ ହୋଇ ସେ ଧୁମ୍ରାକ୍ଷ, ଜୃମ୍ଭା, ଅନ୍ଧକ, ଦେବାନ୍ତକ, ନରାନ୍ତକ ଆଦି ମାୟାବୀ ଅସୁରଙ୍କୁ ସଂହାର କରିଥିଲେ । ମହୋତ୍କଟ ବିନାୟକଙ୍କର ଦଶଭୁଜ । ଭୁଜରେ ପରଶୁ ଓ କମଣ୍ଡଳୁ, କର୍ଣ୍ଣରେ କୁଣ୍ଡଳ, ଲଲାଟରେ କସ୍ତୂରୀ ତିଳକ, କଣ୍ଠରେ ମୋତିମାଳା, କଟିରେ ସୁବର୍ଣ୍ଣ କଟିସୂତ୍ର ଓ ନାଭିରେ ସର୍ପ ଶୋଭିତ ।

ଗଣେଶ ପୁନର୍ବାର ତ୍ରେତା ଯୁଗରେ ମୟୂରେଶ ରୂପରେ ଓ ଦ୍ୱାପର ଯୁଗରେ ଗଜାନନ ରୂପରେ ଅବତାର ଗ୍ରହଣ କରିଥିଲେ । ତ୍ରେତା ଯୁଗରେ ମୟୂରେଶ ରୂପରେ ସେ ଶିବ ଓ ପାର୍ବତୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ଛତ୍ର, ଅଙ୍କୁଶ, ଊର୍ଦ୍ଧ୍ୱରେଖା ଯୁକ୍ତ କମଳ ଆଦି ଶୁଭ ଚିହ୍ନ ତାଙ୍କଠାରେ ଶୋଭା ପାଉଥିଲା । ସେହି ଅବତାରରେ ସେ ସୂର୍ଯ୍ୟଙ୍କ ବରରେ ବଳୀୟାନ ସିନ୍ଧୁ ଦୈତ୍ୟକୁ ନାଶ କରି ପୃଥିବୀକୁ ରକ୍ଷା କରିଥିଲେ । କମଳାସୁର ଓ ତା’ର ବହୁ ଅକ୍ଷୌହିଣୀ ସୈନ୍ୟଙ୍କୁ ମଧ୍ୟ ସେ ନାଶ କରିଥିଲେ । ତାଙ୍କର ତ୍ରିଶୂଳ ଆଘାତରେ କମଳାସୁରର ଶିର ଛିଣ୍ଡି ଯେଉଁଠାରେ ପଡ଼ିଥିଲା, ଦେବତା ଓ ମୁନିଋଷିଙ୍କ ପ୍ରାର୍ଥନା ରକ୍ଷା କରି ସେ ସେଠାରେ ମୟୂରେଶ ନାମରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଏହି ଅବତାରରେ ତାଙ୍କର ଶରୀରର ବର୍ଣ୍ଣ ଥିଲା ଶ୍ୱେତ । ସେ ହୋଇଥିଲେ ଷଡ଼ଭୁଜ । ତାଙ୍କର ବାହନ ଥିଲା ମୟୂର ।

ସେହିରି ଦ୍ୱାପର ଯୁଗରେ ଗଣେଶ ଗଜାନନ ରୂପେ ଅବତାର ଗ୍ରହଣ କରି ସିନ୍ଦୂର ନାମକ ଦୈତ୍ୟକୁ ସଂହାର କରିଥିଲେ । ଏହି ଅବତାରରେ ଆବିର୍ଭୂତ ହେବାବେଳେ ତାଙ୍କର

ମସ୍ତକରେ ଚନ୍ଦ୍ରମା, ହୃଦୟରେ ଚିନ୍ତାମଣି ଶୋଭା ପାଉଥିଲା । ବିଶାଳ ଓ ଉନ୍ନତ ଉଦର, ଛୋଟ ଛୋଟ ହାତ ପାଦ, ଜୁଲା ପରି କାନ ଓ ଛୋଟ ଆଖିରେ ଗଜାନନ ଗଣେଶଙ୍କର ରୂପ ଖୁବ୍ କୌତୁକପୂର୍ଣ୍ଣ ହୋଇଥଲା । ଏହି ଅବତାରରେ ତାଙ୍କର ବାହନ ଥିଲା ମୂଷିକ । ମହର୍ଷି ପରାଶର ଓ ତାଙ୍କ ଧର୍ମପତ୍ନୀ ବତ୍ସଳା ତାଙ୍କୁ ଲାଳନ ପାଳନ କରିଥିଲେ । ଦ୍ବାପର ଯୁଗରେ ଗଜାନନ ଅବତାରରେ ସେ ଦୁଷ୍ଟ ଅସୁର ସିନ୍ଦୂରକୁ ବଧ କରି ତା’ର ରକ୍ତକୁ ନିଜ ଶରୀରରେ ଲେପନ କରିଥଲେ । ସିନ୍ଦୂରର ବଧ ପରେ ସ୍ଵର୍ଗ, ମର୍ଯ୍ୟ ଓ ପାତାଳ- ଏହି ତ୍ରିଲୋକ ଭୟାନକ ବିପତ୍ତିରୁ ରକ୍ଷା ପାଇଥିଲା । ସେହିଦିନୁ ତାଙ୍କର ନାମ ହୋଇଥଲା, ସିନ୍ଦୂରପ୍ରିୟ, ସିନ୍ଦୂରହା ଓ ସିନ୍ଦୂର ବଦନ । ପାର୍ବତୀଙ୍କ ପୁତ୍ର ରୂପେ ପ୍ରକଟ ହେଲେ ହେଁ ସେ ଏହି ଅବତାରରେ ବରେଣ୍ୟ ଓ ପୁଷ୍ପିକାଙ୍କ ପୁତ୍ର ରୂପେ ପରିଚିତ ହୋଇଥିଲେ । ନିଜ ପିତା ବରେଣ୍ୟଙ୍କୁ ସେ ଯେଉଁ ମୁଲ୍ୟବାନ ଉପଦେଶ ଦେଇଥିଲେ ସେହି ଉପଦେଶ 'ଗଣେଶ ଗୀତା' ନାମରେ ପ୍ରସିଦ୍ଧ ।

ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର ପରି ଗଣେଶଙ୍କର ମଧ୍ୟ ଏକ ଶେଷ ଅବତାରର କଳ୍ପନା ଗଣେଶ ପୁରାଣରେ କରାଯାଇଛି । ସେଥିରେ ବର୍ଣ୍ଣନା ଅଛି ଯେ କଳିଯୁଗ ଶେଷରେ ଗଣେଶ ଧୂମ୍ରକେତୁ ରୂପରେ ଆବିର୍ଭୂତ ହେବେ । ସେତେବେଳେ ତାଙ୍କର ଶରୀର ହେବ ଶ୍ୟାମବର୍ଣ୍ଣ । କଳ୍କୀ ଅବତାର ପରି ତାଙ୍କର ବାହନ ମଧ୍ୟ ହେବ ଅଶ୍ୱ । ଦ୍ୱିଭୁଜ ଧୂମ୍ରକେତୁ ତୀକ୍ଷ୍‌ଣ ତରବାରିରେ କଳି ସଂହାର କରିବେ ।

‘ଗଣେଶ ପୁରାଣ’ରେ ବର୍ଣ୍ଣିତ ଚାରି ଅବତାର ବ୍ୟତୀତ ‘ମୁଦ୍‌ଗଲ ପୁରାଣ’ରେ ମଧ୍ୟ ଗଣେଶଙ୍କର ବହୁ ଅବତାରର ବର୍ଣ୍ଣନା ଅଛି । ସେଥିମଧ୍ୟରୁ ଆଠଟି ଅବତାର ମୁଖ୍ୟ । ସେହି ଆଠଟି ଅବତାର ହେଉଛନ୍ତି :
୧- ବକ୍ରତୁଣ୍ଡ : ତାଙ୍କର ବାହନ ସିଂହ, ସେ ମତ୍ସରାସୁରକୁ ନିହତ କରିଥଲେ ।
୨- ଏକଦନ୍ତ : ତାଙ୍କର ବାହନ ମୂଷିକ ଓ ସେ ମଦାସୁରର ହନ୍ତା ।
୩- ମହୋଦର : ତାଙ୍କର ବାହନ ମୂଷିକ ଓ ମୋହାସୁରର ବିନାଶକ ଓ ଜ୍ଞାନଦାତା ।
୪- ଗଜାନନ : ତାଙ୍କର ବାହନ ମୂଷିକ ଓ ସେ ଲୋଭାସୁରର ବିନାଶକ ।
୫- ଲୟୋଦର : ତାଙ୍କର ବାହନ ମୂଷିକ ଓ ସେ କ୍ରୋଧାସୁରର ନାଶକାରୀ ।
୬- ବିକଟ : ତାଙ୍କର ବାହନ ମୟୁର ଓ ସେ କାମାସୁରର ହନ୍ତା ।
୭- ବିଘ୍ନରାଜ : ତାଙ୍କର ବାହନ ଶେଷ ଓ ସେ ମମତାସୁରର ବିନାଶକ ।
୮- ଧୂମ୍ରବର୍ଣ୍ଣ : ତାଙ୍କର ବାହନ ମୂଷିକ ଓ ସେ ଅହଂ ଅସୁରର ବିନାଶକାରୀ ।

ଏଣୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ମମତା (ଆସକ୍ତି) ଓ ଅହଂ ଆଦି ଅସୁରଙ୍କୁ ନାଶ କରିବା ସହିତ ଗଣେଶ ଆମ ମନରୁ ଏହି ସବୁ ଦୁଷ୍ଟ ପ୍ରବୃଭିକୁ ମଧ୍ୟ ବିନାଶ

କରି ଥାଆନ୍ତି । ଫଳରେ ଆମର ଚରିତ୍ର ଉନ୍ନତ ଓ ମନ ନିର୍ମଳ ହୋଇଥାଏ । ଏଣୁ ଏହି ସବୁ ଦୁଷ୍ଟ ପ୍ରବୃତ୍ତିଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରି ଗଣେଶଙ୍କ ପୂଜା କରିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ ।

ଉପରେ ଉଲ୍ଲେଖ କରାଯାଇଥବା ପୁରାଣମାନଙ୍କରେ ଗଣେଶଙ୍କର ଯେଉଁ ସବୁ ବର୍ଣ୍ଣନା ଓ ଲୀଳା କାହାଣୀ ଅଛି, ସେଥିରେ ପରସ୍ପର ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ତେବେ ସେହି ବର୍ଣ୍ଣନାର ଆଧାରରେ ଗଣେଶଙ୍କ ସମ୍ପର୍କରେ ଏକ ସର୍ବଜନଗ୍ରାହ୍ୟ ଧାରଣା କରାଯାଏ । ତାହା ହେଉଛି-

ଗଣେଶ ଏକଦନ୍ତ ଓ ଚତୁର୍ଭୁଜ । ତାଙ୍କର ଚାରି ହାତରେ ପାଶ, ଅଙ୍କୁଶ, ଅଭୟ ଓ ବରଦ ମୁଦ୍ରା ଶୋଭିତ । ତାଙ୍କର ବାହନ ମୂଷିକ । ଶରୀର ରକ୍ତବର୍ଣ୍ଣ । ରକ୍ତବର୍ଣ୍ଣ ବସନ ଓ ପୁଷ୍ପ ତାଙ୍କର ପ୍ରିୟ ।

ଶ୍ରୀତତ୍ତ୍ୱନିଧି, ମନ୍ତ୍ର ମହୋଦଧି, ମନ୍ତ୍ର ରତ୍ନାକର, ରୂପ ମଣ୍ଡନ, ଶିଳ୍ପ ରତ୍ନ, ମନ୍ତ୍ରମହାର୍ଣ୍ଣବ, ଅଂଶୁମଦ୍‌ଭେଦାଗମ, ଉତ୍ତର କାମିକାଗମ, ସୁପ୍ରଭେଦାଗମ ଆଦି ଅନେକ ଗ୍ରନ୍ଥରେ ଗଣେଶଙ୍କର ଆହୁରି ବହୁ ରୂପ, ଗୁଣର ବର୍ଣ୍ଣନା ଅଛି । କେଉଁଠି ତାଙ୍କର ହାତ ସଂଖ୍ୟା ୧୬ ତ କେଉଁଠି ୮ ଓ ପୁଣି କେଉଁଠି ୬ । ଶରୀରର ବର୍ଣ୍ଣ ବି ସେମିତି । କେଉଁଠି ଆଉଟା ସୁନାପରି ଉଜ୍ଜଳ ତ କେଉଁଠି ସକାଳର ସୁର୍ଯ୍ୟ ପରି ଲାଲ ଏବଂ ପୁଣି କେଉଁଠି ଚନ୍ଦ୍ରପରି ଶ୍ଵେତବର୍ଣ୍ଣ । ହେରମ୍ବ ଗଣପତିଙ୍କ ବାହନ ସିଂହ, ମୟୂରେଶ ଗଣପତିଙ୍କ ବାହନ ମୟୂର ଓ ବହୁ ସ୍ଥାନରେ ବାହନ ମୂଷିକ । ପୁଣି କଳିଯୁଗରେ ତାଙ୍କର ବାହନ ହେବ ଅଶ୍ୱ । ପୁଣି କେଉଁଠି ସେ ପଞ୍ଚମୁଖ (ହେରମ୍ବ ଗଣପତି) ତ କେଉଁଠି ଏକମୁଖ, ଗଜାନନ ।

ଗଣେଶଙ୍କ ବେଶଭୂଷାର ବର୍ଣ୍ଣନା ମଧ୍ୟ ଗଣେଶ ପୁରାଣରେ ଖୁବ୍ ଚମତ୍କାର ଭାବରେ ରହିଛି । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମୁଖରେ ଗଣେଶଙ୍କ ବେଶଭୂଷାର ବର୍ଣ୍ଣନା ଦିଆଯାଇ ଗଣେଶ ପୁରାଣରେ କୁହାଯାଇଛି-

ମୋତି ଓ ରତ୍ନ ଆଦି ତାଙ୍କର ମୁକୁଟରେ ଖଞ୍ଜା ହୋଇଥାଏ । ସମଗ୍ର ଶରୀରରେ ସେ ରକ୍ତ ଚନ୍ଦନ ଲେପନ କରନ୍ତି । ଗଳାରେ ମୋତିମାଳା, ମସ୍ତକରେ ସିନ୍ଦୂରର ଶୋଭା, ବକ୍ଷସ୍ଥଳରେ ସର୍ପ-ପଇତା । ବାହୁରେ ରତ୍ନ ଖଚିତ ବାହୁଟି, ମର୍କତମଣିର ମୁଦି । କଟିରେ ସର୍ପ-ରଜ୍ଜୁ । ଭାଲପଟରେ ଚନ୍ଦ୍ରମା । ଦନ୍ତ ସୁନ୍ଦର ଓ ଶୁଭ୍ର । ହାତ ବରଦ ମୁଦ୍ରାରେ ଶୋଭିତ ।

ଏହି ଅଳଙ୍କାର ଓ ଆଭୂଷଣ ସେ ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ଲକ୍ଷ୍ମୀ, ସାବିତ୍ରୀ, ସରସ୍ଵତୀ ଆଦିଙ୍କ ଠାରୁ ପାଇଛନ୍ତି ବୋଲି ବ୍ରହ୍ମବୈବର୍ତ୍ତ ପୁରାଣରେ ଉଲ୍ଲେଖ ଅଛି ।

ଗଣେଶ କାହିଁକି ଲମ୍ବୋଦର, ଏକଦନ୍ତ ଓ ମୋଦକ ପ୍ରିୟ, ସେ ସବୁ ସମ୍ପର୍କରେ ବହୁ କାହାଣୀ ବିଭିନ୍ନ ପୁରାଣରେ ଦେଖିବାକୁ ମିଳେ । ବ୍ରହ୍ମ ପୁରାଣରେ ଥିବା ବର୍ଣ୍ଣନାନୁଯାୟୀ ଗଣେଶ ଛୋଟ ଥିଲାବେଳେ ମାତା ପାର୍ବତୀଙ୍କ ଠାରୁ ସ୍ତନ୍ୟ ପାନ କରିବାକୁ ଭଲ ପାଉଥିଲେ । ଭାଇ କାର୍ତ୍ତିକଙ୍କୁ ସ୍ତନ୍ୟ ପାନର ସୁଯୋଗ ଦେଉ ନଥିଲେ । ତାହା ଦେଖି କୌତୁକରେ ଶିବ ତାଙ୍କୁ ‘ଲମ୍ବୋଦର’ ବୋଲି କହିଥିଲେ । ଗଣେଶ ମୋଦକ ପ୍ରିୟ । ଜ୍ଞାନବର୍ଦ୍ଧକ ମୋଦକ ଖାଇ ସେ ଆନନ୍ଦ ମନରେ ନୃତ୍ୟ କରିବାର ବର୍ଣ୍ଣନା ପୁରାଣମାନଙ୍କରେ ଅଛି ।

ସେହିପରି ଗଣେଶ କାହିଁକି ଏକଦନ୍ତ, ସେ ସମ୍ପର୍କରେ ମଧ୍ୟ କାହାଣୀ ରହିଛି । ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି, କୃତ (ସତ୍ୟ) ଯୁଗରେ ଯେତେବେଳେ ଗଣେଶ ମହୋତ୍କଟ ବିନାୟକ ଅବତାର ଗ୍ରହଣ କରିଥିଲେ, ସେତେବେଳେ ଦେବାନ୍ତକ ଅସୁର ସହିତ ତାଙ୍କର ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ଦେବାନ୍ତକର ମୃତ୍ୟୁ ଅବଶ୍ୟ ହୋଇଥିଲା; ମାତ୍ର ଗଣେଶ ଏକଦନ୍ତ ହୋଇଯାଇଥିଲେ ।

ଅନ୍ୟ ଏକ କାହାଣୀରୁ ଜଣାଯାଏ ଯେ ପାଣ୍ଡବ ଓ କୌରବମାନଙ୍କ ମୃତ୍ୟୁ ପରେ, ମହର୍ଷି ବେଦବ୍ୟାସ ପୁନର୍ବାର ଧ୍ୟାନସ୍ଥ ହେଲେ । ମାତ୍ର ମହାଭାରତର ପବିତ୍ର ଗାଥା ତାଙ୍କ ମନରେ ଖେଳୁଥାଏ । ପଞ୍ଚମବେଦ- ମହାଭାରତର କିପରି ପ୍ରଚାର ହେବ ସେ ତାହା ଚିନ୍ତା କରୁଥାନ୍ତି । ସେତିକିବେଳେ ଥରେ ପିତାମହ ବ୍ରହ୍ମା ଯାଇ ତାଙ୍କ ଆଶ୍ରମରେ ପହଞ୍ଚିଲେ । ତାଙ୍କୁ ଆସନ, ପାଦ୍ୟ, ଅର୍ଘ୍ୟ ଆଦି ଦେଇ ବେଦବ୍ୟାସ ଭବ୍ୟ ସତ୍କାର କଲେ । ସମସ୍ତ ଶାସ୍ତ୍ରର ସାର କଥାକୁ ନେଇ ସୃଷ୍ଟି ହୋଇଥିବା ଏବଂ ବେଦବେଦାଙ୍ଗର ଗୂଢ଼ ରହସ୍ୟ ସ୍ଥାନ ପାଇଥିବା ଏହି ମହାଭାରତ ମହାକାବ୍ୟ କିପରି ପୃଥିବୀରେ ପ୍ରଚାରିତ ହେବ ତାହାର ଉପାୟ କହିବା ପାଇଁ ସେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ତାଙ୍କର ପ୍ରାର୍ଥନା ଶୁଣି ବ୍ରହ୍ମା କହିଲେ, ଗଣେଶ ହେଉଛନ୍ତି ସକଳ ବୁଦ୍ଧିର ନିଧାନ । ସେ ହିଁ କେବଳ ତାହା ଶୁଣି ଲେଖି ପାରିବାରେ ସମର୍ଥ ହେବେ । ତେଣୁ ମହାଭାରତ ମହାକାବ୍ୟ ରଚନା ପାଇଁ ଗଣେଶଙ୍କୁ ପ୍ରାର୍ଥନା କରିବା ପାଇଁ ସେ କହିଲେ । ବ୍ରହ୍ମାଙ୍କ ପରାମର୍ଶ ମାନି ମହର୍ଷି ବେଦବ୍ୟାସ ସେଥିାଇଁ ଗଣେଶଙ୍କୁ ଅନୁରୋଧ କଲେ । ମାତ୍ର ଗଣେଶ ଲେଖିବା ପାଇଁ ରାଜି ହେବା ସହିତ ଏକ ସର୍ତ୍ତ ବାଢ଼ିଲେ । ସର୍ତ୍ତଟି ହେଉଛି, ବ୍ୟାସଦେବ ଏପରି ଡାକିବେ,ଯେପରିକି ଗଣେଶଙ୍କ ଲେଖନୀ ମୁହୂର୍ତ୍ତକ ପାଇଁ ବି ଅଟକିବ ନାହିଁ । ଅଟକିଲେ ଲେଖା ସେତିକିରେ ବନ୍ଦ । ବ୍ୟାସଦେବ ସେଥିରେ ରାଜି ହେଲେ । କିନ୍ତୁ ପାଲଟା ସର୍ତ୍ତ ବାଢ଼ିଲେ ଯେ ସେ ଯାହା ଡାକିବେ ଗଣେଶ ତାହା ବୁଝିସାରି ଲେଖିବେ । ନ ବୁଝି କିଛି ଲେଖିବେ ନାହିଁ । ଏହିପରି ମହାଭାରତ ଲେଖା ହେଲା । ମହାଭାରତର ଆଦିପର୍ବରେ, ଏ କଥା ଲେଖା ଅଛି । କଥିତ ଅଛି ଯେ ସେହି ଲେଖା ପାଇଁ ଲେଖନୀ ରୂପେ ଗଣେଶ ତାଙ୍କର ଗୋଟିଏ ଦନ୍ତକୁ ବ୍ୟବହାର କରିଥିଲେ ।

ଗଣେଶଙ୍କର ଗୋଟିଏ ନାଁ ଏକଦନ୍ତ । ସେ କାହିଁକି ଏକଦନ୍ତ, ସେ ସମ୍ପର୍କରେ ଆହୁରି କେତୋଟି କାହାଣୀ ମଧ୍ୟ ରହିଛି । ସେଥିମଧ୍ୟରୁ ପଦ୍ମ‌ପୁରାଣରେ ଥିବା ଗୋଟିଏ କାହାଣୀ ହେଉଛି, ପରଶୁରାମ ଥରେ ଶିବଙ୍କୁ ସାକ୍ଷାତ କରିବା ପାଇଁ କୈଳାସପୁରକୁ ଯାଇଥିଲେ । ସେ ଯେତେବେଳେ ଯାଇ କୈଳାସପୁରରେ ପହଞ୍ଚିଲେ, ସେତେବେଳକୁ ଶିବ ବିଶ୍ରାମ ନେଉଥିଲେ । ଗଣେଶ ଥିଲେ ଦ୍ୱାର ଜଗିବା ଦାୟିତ୍ୱରେ । ତେଣୁ ସେ ପରଶୁରାମଙ୍କୁ ଶିବଙ୍କ ବିଶ୍ରାମ କକ୍ଷ ମଧ୍ୟକୁ ଛାଡ଼ିଲେ ନାହିଁ । ଫଳରେ ପରଶୁରାମ କ୍ରୁଦ୍ଧ ହେଲେ । ଗଣେଶଙ୍କ ସହିତ ତାଙ୍କର ଯୁଦ୍ଧ ହେଲା । ଗଣେଶ ତାଙ୍କୁ ଶୁଣ୍ଢରେ ଗୁଡ଼ାଇ, ଟେକି କଚି ଦେଲେ । ଏଥିରେ ପରଶୁରାମ ରାଗିଗଲେ । ଶିବଙ୍କୁ ତପସ୍ୟା କରି ପାଇଥିବା କୁଠାରଟିକୁ ଗଣେଶଙ୍କ ଉପରକୁ ଫୋପାଡ଼ିଲେ । ସେହି କୁଠାର ଗଣେଶଙ୍କ ଦାନ୍ତରେ ବାଜି ତାଙ୍କର ଦାନ୍ତ ଭାଙ୍ଗିଗଲା ।

ଏ ସମ୍ପର୍କରେ ଆଉ ଗୋଟିଏ କୌତୁକପୂର୍ଣ୍ଣ କାହାଣୀ ମଧ୍ୟ ଅଛି । ଥରେ ଚନ୍ଦ୍ର ଗଣେଶଙ୍କ ଲମ୍ବୋଦରକୁ ଦେଖି ତାଙ୍କୁ ପରିହାସ କରିବାରୁ ଗଣେଶ କ୍ଷୁବ୍‌ଧ ହୋଇ ନିଜର ଗୋଟିଏ ଦାନ୍ତ ଭାଙ୍ଗି ଚନ୍ଦ୍ରଙ୍କ ଉପରକୁ ଫୋପାଡି ଥିଲେ । ସେହିଦିନଠୁ ଚନ୍ଦ୍ରଙ୍କର ସୁନ୍ଦର ଦେହରେ ଚିହ୍ନ ରହିଗଲା । ଗଣେଶ ମଧ୍ୟ ଏକଦନ୍ତ ହେଲେ ।

ଏକଦନ୍ତ କାହାଣୀ ପରି, ଗଣେଶଙ୍କ ଜନ୍ମବୃତ୍ତାନ୍ତ ଓ ଗଜାନନ ଧାରଣ ସମ୍ପର୍କରେ ମଧ୍ୟ ବିଭିନ୍ନ ପୁରାଣରେ ବହୁ କୌତୁକପୂର୍ଣ୍ଣ କାହାଣୀ ରହିଛି । ସେହିସବୁ କାହାଣୀ ମଧ୍ୟରୁ ସବୁଠୁ ଲୋକପ୍ରିୟ କାହାଣୀଟି ହେଉଛି- ଥରେ ପାର୍ବତୀ ନିଜ ଶରୀରର ହଳଦି ମଳୁଖରୁ ଏକ ଚେତନ ପୁରୁଷ ସୃଷ୍ଟି କଲେ । ସେହି ଚେତନ ପୁରୁଷ ହେଉଛନ୍ତି ଶ୍ରୀଗଣେଶ । ଦିନେ ଗଣେଶଙ୍କୁ ଦ୍ୱାର ଜଗାଇଦେଇ ପାର୍ବତୀ ଭିତରେ ସ୍ନାନ କରୁଥିଲେ । ସେହି ସମୟରେ ଶିବ ଆସି ପହଞ୍ଚି ଭିତରକୁ ଯିବାକୁ ଉଦ୍ୟତ ହେଲେ । ମାତ୍ର ଦ୍ୱାର ଜଗି ରହିଥିବା ଗଣେଶ କହିଲେ, ମାତାଙ୍କ ଆଦେଶ ବିନା ସେ କାହାକୁ ଭିତରକୁ ଛାଡ଼ିବେ ନାହିଁ । ଶିବଙ୍କୁ ଭିତରକୁ ନ ଛାଡ଼ି ଦ୍ୱାର ନିକଟରେ ଅଟକାଇ ରଖିବାରୁ ଶିବ କ୍ରୁଦ୍ଧ ହେଲେ । ତ୍ରିଶୂଳ ଓ ପିନାକ ଦ୍ୱାରା ତାଙ୍କର ଶିର ଚ୍ଛେଦ କରିଦେଲେ । ତାହା ଜାଣି ପାର୍ବତୀ ଅତ୍ୟନ୍ତ କ୍ରୁଦ୍ଧ ହେଲେ । ଦେବତା, ଋଷି, ବ୍ରାହ୍ମଣ, ସମସ୍ତେ ଆଶଙ୍କା କଲେ ଯେ ପାର୍ବତୀଙ୍କ କ୍ରୋଧରେ ତ୍ରିଲୋକ ନାରଖାର ହୋଇଯିବ । ତେଣୁ ସେମାନେ କ୍ରୋଧ ସମ୍ବରଣ ପାଇଁ ପାର୍ବତୀଙ୍କୁ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଗଣେଶ କିପରି ପୁନର୍ଜୀବନ ଲାଭ କରିବେ, ତାହାର ଉପାୟ କରିବା ପାଇଁ ଶିବଙ୍କୁ ପ୍ରାର୍ଥନା କଲେ । ଶିବ କହିଲେ, ଉତ୍ତର ଦିଗକୁ ଗଲେ ଯେଉଁ ଜୀବ ପ୍ରଥମେ ମିଳିବ ଏବଂ ତାହାର ମାଆ ତାକୁ ଜନ୍ମ ଦେବା ପରେ ତା’ ଆଡ଼କୁ ପଛ କରି ଶୋଇଥିବ- ସେହି ଜୀବର ମସ୍ତକ ଆଣି ଯୋଡ଼ିଲେ ଗଣେଶ ପୁନର୍ଜୀବନ ଲାଭ କରିବେ ।

Aama Debadebi.pdf
ଶ୍ରୀଜଗନ୍ନାଥଙ୍କ ଗଜାନନ (ହାତୀ) ବେଶ

ତାହା ଶୁଣି ଦେବତା ଓ ରୁଦ୍ରଗଣ ଉତ୍ତର ଦିଗକୁ ଯାଇ ଗୋଟିଏ ମାଆ ହାତୀ ଓ ତା’ର ଛୁଆକୁ ସେହିପରି ଅବସ୍ଥାରେ ଶୋଇଥିବା ଦେଖି ଛୁଆଟିର ମସ୍ତକ କାଟି ନେଇ ଆସିଲେ । ହାତୀ ଛୁଆର ସେହି ମସ୍ତକଟିକୁ ଗଣେଶଙ୍କ ଶରୀରରେ ଯୋଡ଼ି ଶିବ ତାହାଙ୍କୁ ଜୀବନ୍ୟାସ ଦେଲେ । ଏବେ ଗଣେଶ ହେଲେ ଗଜାନନ । ପାର୍ବତୀଙ୍କ ପ୍ରାର୍ଥନା ଅନୁସାରେ ସେହି ଗଣେଶ ହିଁ ହେଲେ ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ । ପରେ ସେ ଗଣମାନଙ୍କର ଅଧିପତି (ଗଣପତି) ଭାବରେ ମଧ୍ୟ ଖ୍ୟାତ ହୋଇଥିଲେ ।

ଗଣେଶଙ୍କ ଗଜାନନ ସମ୍ପର୍କରେ ଆଉ ଏକ କାହାଣୀ ହେଉଛି, ଶନିଙ୍କ ଦୃଷ୍ଟି ଯୋଗୁଁ ତାଙ୍କର ମୂଳ ମସ୍ତକଟି ଧ୍ୱଂସ ପାଇଯାଇଥିଲା । ପରେ ଏକ ଶିଶୁ-ହସ୍ତୀର ମସ୍ତକ ଅଣାଯାଇ ଖଞ୍ଜା ହେବା ଫଳରେ ସେ ଜୀବନ୍ୟାସ ପାଇଥିଲେ ।

ଗଣେଶଙ୍କ ବିବାହ-ବୃତ୍ତାନ୍ତ ମଧ୍ୟ ବେଶ୍ କୌତୂହଳପ୍ରଦ । ଗଣେଶ ଓ କାର୍ତ୍ତିକ ଦୁଇ ଭାଇଙ୍କର ବିବାହଯୋଗ୍ୟ ବୟସ ହେବାରୁ ଦୁହିଁଙ୍କର ବିବାହ କରାଇବା ପାଇଁ ଶିବ ଓ ପାର୍ବତୀ ସ୍ଥିର କଲେ । ମାତ୍ର ପ୍ରଥମେ କାହାର ବିବାହ କରାଇବେ ତାହା ଠିକ୍ ହୋଇ ପାରିଲା ନାହିଁ । ତେଣୁ ସେମାନେ ଦୁଇପୁଅଙ୍କ ପାଇଁ ଗୋଟିଏ ସର୍ତ୍ତ ରଖିଲେ । ସର୍ତ୍ତଟି ହେଉଛି, ଦୁହିଁଙ୍କ ମଧ୍ୟରୁ ଯିଏ ସମଗ୍ର ପୃଥିବୀ ଆଗ ବୁଲି ଆସି ପାରିବ, ସେ ଆଗ ବିବାହ କରିବ । ତାହା ଶୁଣି କାର୍ତ୍ତିକ ନିଜର ବାହନ ମୟୂର ଉପରେ ବସି ପୃଥିବୀ ପରିକ୍ରମା କରିବାକୁ ବାହାରି ଗଲେ । ଗଣେଶଙ୍କର ତ ମୂଷା ବାହନ । ସେ ସେଥିରେ ବସି ପୃଥିବୀ ପରିକ୍ରମା କରିବାକୁ ଗଲେ ବି କାର୍ତ୍ତିକଙ୍କ ଅପେକ୍ଷା ଆଗ ଫେରିଆସି ପାରିବେ ନାହିଁ । ତେଣୁ ସେ ବସି ବସି ଉପାୟ ଚିନ୍ତା କଲେ ।

କିଛି ସମୟ ପରେ ସେ ମୂଷା ବାହନରେ ବସି ଶିବ ଓ ପାର୍ବତୀଙ୍କ ଚାରିପଟେ ଥରେ ବୁଲି ଆସିଲେ । ପଚାରିବାରୁ କହିଲେ, ଶିବ ଓ ପାର୍ବତୀଙ୍କ ଭିତରେ ତ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ରହିଛି । ଏଣୁ ତାଙ୍କ ଚାରିପଟେ ବୁଲି ଆସିବା, ପୃଥିବୀ ଚାରିପଟେ ବୁଲି ଆସିବାଠାରୁ ଅଧିକ । ଫଳରେ ସେହି ପ୍ରତିଯୋଗିତାରେ ଗଣେଶ ଜିତିଲେ । ତାଙ୍କର ଆଗ ବିବାହ ହେଲା । ତାଙ୍କର ଦୁଇ ସ୍ତ୍ରୀଙ୍କ ନାଁ ସିଦ୍ଧି ଓ ବୁଦ୍ଧି । ତେଣୁ ଗଣେଶଙ୍କୁ ପୂଜା କଲେ ସିଦ୍ଧି ଓ ବୁଦ୍ଧି ଉଭୟ ମିଳେ ବୋଲି ବିଶ୍ୱାସ କରାଯାଏ ।

ଆମର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମଧ୍ୟ ବର୍ଷରେ ଥରେ ଗଜାନନ ବା ହାତୀ ବେଶ ହୁଅନ୍ତି । ଗଣେଶଙ୍କର ଜଣେ ଭକ୍ତ ଓ ଉପାସକ ଗଣପତି ଭଟ୍ଟଙ୍କ ପାଇଁ ଶ୍ରୀଜଗନ୍ନାଥ ଏହି ବେଶ ହୁଅନ୍ତି ବୋଲି ରାମ ଦାସଙ୍କ ରଚିତ 'ଦାର୍ଢ୍ୟତାଭକ୍ତି ରସାମୃତ'ରେ ଉଲ୍ଲେଖ ଅଛି । ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀରେ ହେଉଥିବା ସ୍ନାନଯାତ୍ରା ଦିନ, ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥ ଏହି ବେଶ ହୁଅନ୍ତି । ଏଥିରେ ଜଗନ୍ନାଥଙ୍କୁ ଗଣେଶ ରୂପେ ଭକ୍ତମାନେ ଗ୍ରହଣ କରିଥାନ୍ତି ।

ଗଣେଶ ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଏବଂ ବିଘ୍ନ ବିନାଶକ ହୋଇଥିବାରୁ ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ତାଙ୍କୁ ସମସ୍ତେ ପୂଜା କରିଥାଆନ୍ତି । ବିଶେଷକରି ସ୍କୁଲ୍, କଲେଜ୍ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଙ୍କର ପୂଜା ମହା ସମାରୋହରେ କରାଯାଇଥାଏ । ସେମାନେ ଶ୍ରୀଗଣେଶଙ୍କୁ ପ୍ରାର୍ଥନା କରି ଗାଇଥାନ୍ତି-

ଖର୍ବଂ ସ୍ଥୂଳତନୁ ଗଜେନ୍ଦ୍ରବଦନଂ ଲମ୍ବୋଦରଂ ସୁନ୍ଦରମ୍
ପ୍ରସ୍ୟନ୍ଦନ୍ ମଧୁଗନ୍ଧଲୁବ୍ଧମଧୁବ୍ୟାଲୋଳ ଗଣ୍ଡସ୍ଥଳମ୍ ।
ଦନ୍ତାଘାତ ବିଦାରିତାରି ରୁଧିରୈଃ ସିନ୍ଦୂରଶୋଭାକରମ୍
ବନ୍ଦେ ଶୈଳସୁତାସୁତଂ ଗଣପତିଂ ସିଦ୍ଧିପ୍ରଦଂ କାମଦମ୍ ॥

Aama Debadebi.pdf
ଦୁର୍ଗା

ବହୁ ପ୍ରାଚୀନ କାଳରେ ଦୁର୍ଗମ ନାମରେ ଏକ ଦୁରାଚାରୀ ଅସୁର ଥିଲା । ସେ ଅସୁରରାଜ ହିରଣ୍ୟାକ୍ଷର ବଂଶରେ ଜାତ ହୋଇଥିଲା । ସେ ଥିଲା ହିରଣ୍ୟକଶିପୁର ନାତି । ଜନ୍ମ ହେବା ଦିନରୁ ଦେବତାମାନଙ୍କୁ ସେ ଶତ୍ରୁ ବୋଲି ଭାବୁଥିଲା । ଟିକିଏ ବଡ଼ ହେବା ପରେ ସେ ଜାଣିଲା ଯେ, ବେଦ ଯୋଗୁଁ ହିଁ ଦେବତାମାନେ ଖୁବ୍ ଶକ୍ତିଶାଳୀ ହୋଇ ରହିଛନ୍ତି । ଯଦି

ବେଦ ରହିବ ନାହିଁ; ତେବେ ଯଜ୍ଞ ମଧ୍ୟ ହେବ ନାହିଁ । ଯଜ୍ଞ ନହେଲେ ଦେବଗଣ ହବିଭାଗ ପାଇବେ ନାହିଁ । ହବିଭାଗ ନ ପାଇଲେ ସେମାନଙ୍କର ଶକ୍ତି କମିଯିବ ଏବଂ କ୍ଷମତା ଆଉ ରହିବ ନାହିଁ । ଏଣୁ ଦେବତାମାନଙ୍କୁ ଶାସ୍ତି ଦେବା ପାଇଁ କୌଣସିମତେ ବେଦମାନଙ୍କୁ ଧ୍ୱଂସ କରିଦେବା ବା ଅପହରଣ କରିନେବା ପାଇଁ ସେ ଚାହିଁଲା ।

ମାତ୍ର ବେଦମାନଙ୍କୁ ଧ୍ୱଂସ ବା ଅପହରଣ କରିବା କିଛି ସହଜସାଧ୍ୟ କଥା ନୁହେଁ । ଚତୁର୍ବେଦର ଅଧିପତି ତ ସ୍ୱୟଂ ପିତାମହ ବ୍ରହ୍ମା । ତେଣୁ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଯାଇ ହିମାଳୟରେ ଘୋର ତପସ୍ୟା ଆରମ୍ଭ କଲା ।

ସେହି ତପସ୍ୟା ଅତ୍ୟନ୍ତ କଠୋର । ସହସ୍ର ବର୍ଷ ଧରି ସେ ଅନ୍ନ, ଜଳ ସ୍ପର୍ଶ କଲା ନାହିଁ । ଯଜ୍ଞଅଗ୍ନି ଜଳାଇ ସେଥିରେ ନିଜର ଗୋଟିଏ ଗୋଟିଏ ଅଙ୍ଗ କାଟି ଆହୁତି ଦେଲା । ତାହାର ସେହି ଘୋର ତପରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ତିନି ଲୋକ ଥରହର ହେଲା । ଯଜ୍ଞ ଅଗ୍ନିରେ ଗୋଟିଏ ଗୋଟିଏ ଅଙ୍ଗ ଆହୁତି ଦେବାରୁ ତାହା ପୋଡ଼ି ହୋଇ ଯେଉଁ ତୀବ୍ର ଦୁର୍ଗନ୍ଧ ଜାତ ହେଲା, ସେଥିରେ ଦେବତାମାନେ ସ୍ଥିର ହୋଇ ରହିପାରିଲେ ନାହିଁ । ଫଳରେ ବ୍ରହ୍ମା ବାଧ୍ୟ ହୋଇ ଆସି ଦୁର୍ଗମ ଆଗରେ ଉଭା ହେଲେ । କହିଲେ, ତୋର ଘୋର ତପସ୍ୟାରେ ମୁଁ ମୁଗ୍‌ଧ ହୋଇଛି । କି ବର ମାଗୁଛୁ ମାଗ । ପୂର୍ବରୁ ମଧ୍ୟ ଥରେ ତପସ୍ୟା କରି ଦୁର୍ଗମ ବ୍ରହ୍ମାଙ୍କ ଠାରୁ ଗୋଟିଏ ବର ପାଇଥିଲା ଯେ ସଂସାରରେ ପୁରୁଷ ବା ଅନ୍ୟ କୌଣସି ପ୍ରାଣୀ ହାତରେ ତାର ମୃତ୍ୟୁ ହେବ ନାହିଁ । ତା’ ଛଡ଼ା ମର୍ତ୍ତ୍ୟ ଓ ପାତାଳ ତ ସାମାନ୍ୟ କଥା, ସେ ବ୍ରହ୍ମଲୋକ ଠାରୁ ବୈକୁଣ୍ଠ ଲୋକ ପର୍ଯ୍ୟନ୍ତ ମଧ୍ୟ ଅନାୟାସରେ ଯାତାୟାତ କରି ପାରିବ । ବ୍ରହ୍ମାଙ୍କ ଠାରୁ ଆଉ କି ବର ବା ସେ ମାଗନ୍ତା ! ତେଣୁ, ଯେଉଁ ଚାରିବେଦ ଯୋଗୁଁ ଦେବତାମାନେ ଶକ୍ତିଶାଳୀ ଓ ବହୁ କ୍ଷମତାର ଅଧିକାରୀ ହୋଇପାରିଛନ୍ତି, ବ୍ରହ୍ମାଙ୍କ ଠାରୁ ସେହି ଚାରି ବେଦଙ୍କୁ ହିଁ ସେ ମାଗିଲା ।

ଦୁର୍ଗମ ଅସୁରର ମନ୍ଦ ଉଦ୍ଦେଶ୍ୟ ବୁଝିପାରି ବ୍ରହ୍ମା ତାକୁ ବୁଝାଇବାକୁ ଚେଷ୍ଟା କଲେ । କହିଲେ, ଚାରିବେଦ ନେଇ ତୋର କି ଲାଭ ହେବ ? ବରଂ ତୁ ଚାହିଁଲେ ତୋ’ର ଅଜା ହିରଣ୍ୟକଶିପୁ ପରି ତିନିଲୋକର ଶାସନ ଅଧିକାର ମୁଁ ତୋତେ ଦେଇପାରେ । ମାତ୍ର ଦୁର୍ଗମ କୌଣସି କଥାରେ ରାଜି ହେଲା ନାହିଁ ।

ବ୍ରହ୍ମା ଜାଣିଥିଲେ, ଦୁର୍ଗମକୁ ଯଦି ସେ ଚାରିବେଦ ଦେଇଦେବେ, ତେବେ ଦୁର୍ଗମ ଦେବତାମାନଙ୍କ ଠାରୁ ମଧ୍ୟ ଶକ୍ତିଶାଳୀ ହୋଇଯିବ । ସେମାନଙ୍କୁ ଦାସ ପରି ଖଟାଇବ । ତେଣୁ ସେ ଦୁର୍ଗମକୁ ମାୟା ରୂପ ଧାରଣ କରି ପାରିବାର ଶକ୍ତି ଦେଲେ । କହିଲେ, ଯଦି ପାରିବୁ, ମାୟାରୂପ ଧରି ଯାଇ ସ୍ୱର୍ଗଲୋକରୁ ବେଦକୁ ଅପହରଣ କରି ନେ । ତାହା ଶୁଣି,

ଦୁର୍ଗମ ମାୟାରୂପ ଧାରଣ କରି ଯାଇ ନନ୍ଦନ ବନରୁ ଚାରିବେଦଙ୍କୁ ହରଣ କରି ନେଇ ଆସିଲା । ଇନ୍ଦ୍ର ଓ ଅନ୍ୟ ଦେବଗଣ ତାହାକୁ ଧରିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇପାରିଲେ ନାହିଁ ।

ଦୁର୍ଗମ ଅସୁର ଚାରିବେଦଙ୍କୁ ହରଣ କରି ନେଇ କୌଣସି ଗୋପନ ସ୍ଥାନରେ ଲୁଚାଇ ରଖିଲା । ଇନ୍ଦ୍ରାଦି ଦେବଗଣ ତାର ପଛେ ପଛେ ଯାଇ ମଧ୍ୟ ତାହା ଜାଣିପାରିଲେ ନାହିଁ ।

ଏଣେ ବେଦ ହରଣ ହୋଇଯିବାରୁ ବ୍ରାହ୍ମଣମାନେ ଆଉ ବେଦମନ୍ତ୍ର ମନେ ପକାଇ ପାରିଲେ ନାହିଁ । ତ୍ରିସନ୍ଧ୍ୟା ସ୍ନାନ, ହୋମ, ଜପ ଓ ଅନ୍ୟ ଧର୍ମୋପଚାର ଆଦି ହୋଇ ପାରିଲା ନାହିଁ । ଫଳରେ ସମସ୍ତ ଧର୍ମକର୍ମ ଲୋପ ପାଇବାକୁ ବସିଲା । ଦେବତାମାନେ ଶକ୍ତିହୀନ ହୋଇ ପଡ଼ିଲେ । ପୃଥିବୀରେ ଜଳ ବର୍ଷା ହେଲା ନାହିଁ । ଲୋକମାନେ ବହୁ କଷ୍ଟ ପାଇଲେ । ପୁଣି ଦୁର୍ଗମ ଦେବଲୋକ ଆକ୍ରମଣ କରି ଦେବଗଣଙ୍କୁ ସ୍ୱର୍ଗରୁ ବିତାଡ଼ିତ କରିଦେଲା । ସେମାନେ ଯାଇ ପର୍ବତ ଗୁମ୍ଫାରେ ଲୁଚିଲେ ।

ଏହିପରି ଶହେବର୍ଷ ବିତିବା ବେଳକୁ ପୃଥିବୀ ଧ୍ୱଂସ ପାଇଯିବା ପରି ଅବସ୍ଥା ହେଲା । ତେଣୁ ଦେବତା, ବ୍ରାହ୍ମଣମାନେ ହିମାଳୟ ଯାଇ ମାଆ ଜଗଦମ୍ବିକାଙ୍କୁ ପ୍ରାର୍ଥନା କଲେ । ଦେବଗଣଙ୍କ ସହିତ ଗୁରୁ ବୃହସ୍ପତି ମଧ୍ୟ ଥିଲେ । ସେତେବେଳେ ଜଗଦମ୍ବିକା ମହାଜ୍ୟୋତି ରୂପେ ବିଦ୍ୟମାନ ହୋଇଥିଲେ । ଦେବତା, ବ୍ରାହ୍ମଣ ସମସ୍ତଙ୍କ ପକ୍ଷରୁ ବୃହସ୍ପତି ଦୁଇହାତ ଯୋଡ଼ି ସେହି ମହାଜ୍ୟୋତିସ୍ୱରୂପା ଜଗଦମ୍ବିକାଙ୍କୁ ସ୍ତୁତି କରି କହିଲେ, ହେ ପରମଜ୍ୟୋତିସ୍ୱରୂପା ମାଆ ଜଗଦମ୍ବିକା, ଦୁର୍ଗମାସୁରର ଦୁଷ୍କୃତି ଯୋଗୁଁ ତ୍ରିଲୋକ ନାଶ ଯିବାକୁ ବସିଲାଣି । ଏଣୁ ଆମେ ଆସି ଶରଣ ପଶିଛୁ । ଦୟାକରି ଆମକୁ ଓ ତ୍ରିଲୋକକୁ ଏହି ଘୋର ବିପତ୍ତିରୁ ରକ୍ଷା କରନ୍ତୁ ।

ଇନ୍ଦ୍ର, ବୃହସ୍ପତି ଓ ଅନ୍ୟ ଦେବଗଣ ଏବଂ ବ୍ରାହ୍ମଣମାନେ ସେହି ମହାଜ୍ୟୋତିଙ୍କୁ ମସ୍ତକ ଅବନତ କରି ପ୍ରଣାମ କଲେ । ଏଥର ସେହି ଜ୍ୟୋତି ମଧ୍ୟରୁ ଏକ ଦିବ୍ୟ ନାରୀମୂର୍ତ୍ତି ପ୍ରକଟ ହେଲେ । ତାଙ୍କର ଚତୁର୍ହସ୍ତରେ ପାଶ, ଆଙ୍କୁଶ, ବରଦ ଓ ଅଭୟ ମୁଦ୍ରା ଶୋଭା ପାଉଥିଲା ।

ସେତେବେଳକୁ ଜଳବୃଷ୍ଟି ନ ହେବାରୁ ନଦନଦୀ ସବୁ ଶୁଖିଯାଇ ଥାଏ । କେଉଁଠି ହେଲେ ଗଛଲତାର ଚିହ୍ନବର୍ଣ୍ଣ ନଥାଏ । ପୃଥିବୀ ମରୁଭୂମି ପରି ଦିଶୁଥାଏ । ଲୋକମାନେ ଖାଇବା ପିଇବାକୁ ନ ପାଇ ଡହଳ ବିକଳ ହେଉଥାଆନ୍ତି । ତାହା ଦେଖି ଦେବୀଙ୍କ ଚକ୍ଷୁ ଲୋତକାପ୍ଲୁତ ହୋଇଗଲା । ତାହାର ପ୍ରଭାବରେ ନଦନଦୀ ପୂର୍ଣ୍ଣ ହୋଇଗଲେ । ସେହିଦିନୁ ଦେବୀଙ୍କର ନାଆଁ ହେଲା ଶତାକ୍ଷି । ପୁଣି ଦେବୀ ସେମାନଙ୍କୁ ଶାକ ଓ ଅନ୍ୟ ଖାଦ୍ୟଦ୍ରବ୍ୟ ଖାଇବା ପାଇଁ ଦେଲେ । ସେହିଦିନୁ ଦେବୀଙ୍କର ଆଉ ଗୋଟିଏ ନାଆଁ ହେଲା ଶାକମ୍ଭରୀ ।

ତତ୍ପରେ ଦେବୀ କହିଲେ, ବ୍ରହ୍ମାଙ୍କଠାରୁ ବର ପାଇ ଓ ବେଦମାନଙ୍କୁ ହରଣ କରି ନେଇ ଦୁର୍ଗମାସୁର ଖୁବ୍ ପରାକ୍ରମୀ ହୋଇଛି । ତୁମେମାନେ ତା’ ବିରୋଧରେ ଯୁଦ୍ଧ କରି ତାକୁ ପାରିବ ନାହିଁ । ଏଣୁ ଯୁଦ୍ଧରୁ ନିବୃତ୍ତ ହୋଇ ଯାଇ ନିଶ୍ଚିନ୍ତରେ ରୁହ । ଅବିଳମ୍ବେ ମୁଁ ଦୁର୍ଗମାସୁର ଓ ଅନ୍ୟ ଦୁଷ୍ଟ ଅସୁରଗଣଙ୍କୁ ସଂହାର କରିବି ।

ଦେବୀଙ୍କଠାରୁ ଏହି ଆଶ୍ୱାସନା ବାକ୍ୟ ଶୁଣି ଇନ୍ଦ୍ରାଦିଦେବତା ଓ ବ୍ରାହ୍ମଣମାନେ ନିଶ୍ଚିନ୍ତ ମନରେ ଫେରି ଆସିଲେ । ତ୍ରିଲୋକ ପୁଣି ଆନନ୍ଦ ମୁଖର ହୋଇ ଉଠିଲା ।

ତାହା ଦେଖି ଦୁର୍ଗମାସୁର ବିସ୍ମିତ ହେଲା । ଭାବିଲା, ତ୍ରିଲୋକ ତ ମୋର ପ୍ରତାପରେ ଥରହର ହେଉଥିଲା, ଏପରି ଆନନ୍ଦ ମୁଖର ହେଲା କିପରି? ତା'ପରେ ସେ ଜାଣିଲା ଯେ ମାଆ ତ୍ରିଲୋକକୁ ରକ୍ଷା କରିବା ପାଇଁ ଜଗଦମ୍ବିକା ଜ୍ୟୋତିରୂପରୁ ଦିବ୍ୟ ନାରୀମୂର୍ତ୍ତି ରୂପେ ପ୍ରକଟ ହୋଇଛନ୍ତି । ସେଇଥିାଇଁ ହିଁ ତ୍ରିଲୋକରେ ପୁଣି ଏପରି ଆନନ୍ଦ କୋଳାହଳ ଖେଳି ଯାଇଛି ।

ତାହା ଜାଣି ସେ ସିଂହ ପରି ଘୋର ଗର୍ଜନ କରିବାକୁ ଲାଗିଲା । ତା’ର ସେହି ଗର୍ଜନରେ ଇନ୍ଦ୍ର ଓ ବୃହସ୍ପତି ମଧ୍ୟ ଥରି ଉଠିଲେ । ଦୁର୍ଗମାସୁର ଆସି ଦେବୀଙ୍କ ସମ୍ମୁଖରେ ପହଞ୍ଚି ଦେଖିଲା, ସେହି ପରମ ଜ୍ୟୋତିରୁ ଏକ ଦିବ୍ୟ ନାରୀମୂର୍ତ୍ତି ପ୍ରକଟ ହୋଇଛନ୍ତି । ଦେବୀ ସିଂହ ଉପରେ ଉପବେଶନ କରିଥିଲେ । ପାଶ, ଅଙ୍କୁଶ, ଅଭୟ ଓ ବରଦ ମୁଦ୍ରା ଶୋଭା ପାଉଥିବା ଚତୁର୍ଭୁଜ ଆଉ ନଥିଲା । ଦେବୀ ହୋଇଥିଲେ ଅଷ୍ଟଭୁଜା । ତାଙ୍କର ଚକ୍ଷୁ ଦେଖା ଯାଉଥିଲା ରକ୍ତବର୍ଣ୍ଣ । ଦୁର୍ଗମ ଅସୁରକୁ ସମ୍ମୁଖରେ ଦେଖି ଦେବୀ ତାହାକୁ ଯୁଦ୍ଧ ପାଇଁ ଆହ୍ୱାନ କଲେ ।

ଦୁର୍ଗମାସୁର ମଧ୍ୟ ଦେବୀଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲା । କହିଲା, ହେ ସୁନ୍ଦରି! ତୁ ଅଷ୍ଟ ଭୁଜରେ ଯୁଦ୍ଧ କର ବା ସହସ୍ର ଭୁଜରେ ଯୁଦ୍ଧକର- ମୁଁ କିନ୍ତୁ ଗୋଟି ମାତ୍ର ବାଣରେ ତୋତେ ବଧ କରିବି । ପ୍ରଥମେ ତୁ ମୋ ଉପରକୁ ବାଣ ନିକ୍ଷେପ କର । ତା' ନହେଲେ ଏ ତ୍ରିଲୋକରେ ସମସ୍ତେ ମୋତେ ସ୍ତ୍ରୀ ହତ୍ୟାକାରୀ ବୋଲି କହିବେ ।

ଦେବୀ ଦୁର୍ଗମାସୁରକୁ ତାହାର ଇଷ୍ଟ ସ୍ମରଣ କରିବାକୁ କହି ତା’ ଉପରକୁ ବାଣ ନିକ୍ଷେପ କଲେ । ଦୁର୍ଗମାସୁର ମଧ୍ୟ ନିଜର ଦଳବଳ ସହ ମହାପରାକ୍ରମରେ ଦେବୀଙ୍କୁ ଆକ୍ରମଣ କଲା । ଦେବୀଙ୍କ ଦିବ୍ୟରୂପରୁ କାଳୀ, ତାରା, ଛିନ୍ନମସ୍ତା, ଶ୍ରୀବିଦ୍ୟା, ଭୁବନେଶ୍ୱରୀ, ଭୈରବୀ, ବଗଳା, ଧ୍ୱସ୍ତା, ତ୍ରିପୁରା ସୁନ୍ଦରୀ, ମାତଙ୍ଗୀ ଆଦି ଦଶ ମହାବିଦ୍ୟା ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ବାହାରିଲେ । ଦଶ ମହାବିଦ୍ୟାଙ୍କ ସହିତ ଅସଂଖ୍ୟ ମାତୃକା ମଧ୍ୟ ପ୍ରକଟ ହେଲେ । ଆସୁରୀ ସେନା ସହିତ ସେମାନଙ୍କର ଘୋର ଯୁଦ୍ଧ ହେଲା । ଆଖି ପିଛୁଳାକେ ସେମାନେ ଦୁର୍ଗମାସୁରର ଶତ ଅକ୍ଷୌହିଣୀ ସୈନ୍ୟଙ୍କୁ ଧ୍ୱଂସ କରିଦେଲେ । ସିଂହବାହିନୀ ମାଆଙ୍କ ସହିତ ଦୁର୍ଗମାସୁରର

ଘୋର ଯୁଦ୍ଧ ଦେଖି ଦେବଗଣ ମଧ୍ୟ ଭୟରେ ଥରି ଉଠିଲେ । ତ୍ରିପୁର ଥରଥର ହୋଇ କମ୍ପିଲା ।

ଶେଷରେ ସିଂହବାହିନୀ ମାଆ ଭୀଷଣ ରଣଚଣ୍ଡୀ ମୂର୍ତ୍ତି ଧରି ସିଂହ ଉପରୁ ଡେଇଁ ପଡ଼ିଲେ । ଦୁର୍ଗମାସୁରକୁ ଧରି ତଳେ ଛେଚି ଦେଲେ ଏବଂ ତାହାର ଛାତି ଉପରେ ଆଣ୍ଠୁ ମାଡି ବସି ତ୍ରିଶୂଳରେ ତାକୁ ବଧ କଲେ ।

ସେତିକିବେଳେ ହଂସ ବାହନରେ ଚଢ଼ି ବ୍ରହ୍ମା ଆସି ସେଠାରେ ପହଞ୍ଚିଲେ । ଏ ମଧ୍ୟରେ ଧର୍ମଦେବତା ଓ ଅନ୍ୟମାନେ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଯାଇ ବେଦର ସନ୍ଧାନ କରି ଫେରି ଆସିଥିଲେ । ବ୍ରହ୍ମାଙ୍କ ଉପସ୍ଥିତିରେ ଧର୍ମଦେବତା ଓ ବାୟୁ ଦେବତା ଚାରି ବେଦଙ୍କୁ ଦେବୀଙ୍କ ପାଦ ନିକଟରେ ଏକ ସ୍ୱତନ୍ତ୍ର ଆସନ ଉପରେ ସ୍ଥାପନ କଲେ ।

ଦେବୀଙ୍କୁ ସ୍ତୁତି କରି ବ୍ରହ୍ମା କହିଲେ, ହେ ମହାମାୟା, ତ୍ରିଲୋକ-ଈଶ୍ୱରୀ ଦେବୀ । ଆପଣ ସଂସାରର ଅମୂଲ୍ୟ ଗ୍ରନ୍ଥ ବେଦକୁ ରକ୍ଷା କରି ତ୍ରିଲୋକର କଲ୍ୟାଣ କରିଛନ୍ତି । ଘୋର ଦୁରାଚାରୀ ଦୁର୍ଗମଅସୁରକୁ ସଂହାର କରି ତ୍ରିଲୋକକୁ ଅଭୟ ମଧ୍ୟ ଦେଇଛନ୍ତି । ଏଣୁ ଆଜିଠାରୁ ଆପଣ ‘ଦୁର୍ଗା’ ନାମରେ ତ୍ରିଲୋକରେ ପରିଚିତା ଓ ପୂଜିତା ହେବେ ।

ସେହିଦିନଠାରୁ ପରମଜ୍ୟୋତି ସ୍ୱରୂପା ଜଗଦମ୍ବିକା ହେଲେ ଦୁର୍ଗ (ଦୁର୍ଗମ) ନାଶିନୀ ମାଆ ଦୁର୍ଗା ।

ମାଆ ଦୁର୍ଗାଙ୍କର ଆଉ ଗୋଟିଏ ଖୁବ୍ ଲୋକପ୍ରିୟ ନାଆଁ ହେଉଛି ‘ମହିଷମର୍ଦ୍ଧିନୀ’ । ଦୁର୍ଗାଙ୍କର ନାଆଁ କାହିଁକି ‘ମହିଷମର୍ଦ୍ଧିନୀ’ ହେଲା ସେ ସମ୍ପର୍କରେ ମଧ୍ୟ ପୁରାଣମାନଙ୍କରେ ସ୍ୱତନ୍ତ୍ର କାହାଣୀ ରହିଛି ।

ସେହି କାହାଣୀ ଏହିପରି-

ଅନେକ ଦିନ ତଳେ ଦନୁ ନାମରେ ଗୋଟିଏ ଅସୁରାରାଜା ଥିଲା । ତାର ଦୁଇ ପୁଅ । ଗୋଟିଏ ପୁଅର ନାଆଁ ରମ୍ଭ ଓ ଅନ୍ୟ ପୁଅର ନାଆଁ କରମ୍ଭ । ରମ୍ଭ ଓ କରମ୍ଭଙ୍କର କୌଣସି ପୁତ୍ର ସନ୍ତାନ ନ ହେବାରୁ ଦୁହେଁ ପୁତ୍ରସନ୍ତାନ ପାଇବା ଇଚ୍ଛାରେ ମାଳବତ ଯକ୍ଷଙ୍କୁ ପ୍ରାର୍ଥନା କରି ପସ୍ୟା କଲେ । କରମ୍ଭ ଜଳ ଭିତରେ ବସି ଓ ରମ୍ଭ ପଞ୍ଚାଗ୍ନି ଜାଳି ତା’ ଭିତରେ ବସି ତପସ୍ୟା କଲେ । ତାହା ଦେଖି ସ୍ୱର୍ଗରେ ଦେବରାଜ ଇନ୍ଦ୍ର ପ୍ରମାଦ ଗଣିଲେ । କରମ୍ଭର ପସ୍ୟା ଭଙ୍ଗ କରିବା ଉଦ୍ଦେଶ୍ୟରେ ଏକ କୁମ୍ଭୀର ରୂପରେ ଯାଇ କରମ୍ଭର ପାଦକୁ କାମୁଡ଼ି ଧରି ପାଣି ଭିତରେ ବୁଡାଇ ଦେଲେ । ଫଳରେ କରମ୍ଭର ମୃତ୍ୟୁ ହେଲା । ଏହା ଦେଖି ରମ୍ଭ କ୍ରୁଦ୍ଧ ଓ କ୍ଷୁବ୍‌ଧ ହୋଇ, ନିଜ ମୁଣ୍ଡ କାଟି ଅଗ୍ନିରେ ଆହୁତି ଦେବାକୁ ଉଦ୍ୟତ ହେଲା । ତାହା ଦେଖି ଅଗ୍ନିଦେବତା ଆସି ତା' ଆଗରେ ଆବିର୍ଭୂତ ହେଲେ । କହିଲେ, ଆତ୍ମହତ୍ୟା ମହାପାପ ।

ଏପରିକି ହତ୍ୟା ଠାରୁ ମଧ୍ୟ ଆତ୍ମହତ୍ୟାଜନିତ ପାପର ମାତ୍ରା ଅଧିକ । ଏଣୁ ଆତ୍ମହତ୍ୟା କର ନାହିଁ । ଏହା କହି ରମ୍ଭକୁ ଆତ୍ମହତ୍ୟାରୁ ନିବୃତ୍ତ କରାଇବା ସଙ୍ଗେ ସଙ୍ଗେ ତାକୁ ଏକ ବର ମଧ୍ୟ ଯାଚିଲେ । ପୁତ୍ର ସନ୍ତାନ ପାଇବା ପାଇଁ ଇଚ୍ଛା କରି ରମ୍ଭ କହିଲା, ହେ ଅଗ୍ନିଦେବତା, ଯଦି ଆପଣ ସତରେ ମୋ’ ପ୍ରତି ସଦୟ, ତେବେ ଏହି ବର ଦିଅନ୍ତୁ- ଯେପରି ମୁଁ ପୁତ୍ର ସନ୍ତାନଟିଏ ଲାଭ କରିବି । ସେହି ପୁତ୍ର ଆପଣଙ୍କ ପରି ତେଜସ୍ୱୀ ଓ ବୁଦ୍ଧିମାନ୍ ହେବ । ସେ ବାୟୁ ପରି ଶକ୍ତିମାନ୍ ହେବ । ବପୁରେ ଓ ଯୁଦ୍ଧ କୌଶଳରେ ତାହାର ସମକକ୍ଷ ବୀର କେହି ହୋଇ ପାରିବେ ନାହିଁ । ସେ ଦେବତା ବା ଅସୁର କାହା ହାତରେ ମରିବ ନାହିଁ । ପୁଣି ତ୍ରିଲୋକ ବିଜୟ କରିବ ।

ରମ୍ଭ ଏପରି ଏକ ପୁତ୍ରସନ୍ତାନ ପାଇବାକୁ ଇଚ୍ଛା କରିବା ଜାଣି ଅଗ୍ନିଦେବତା 'ତଥାସ୍ତୁ' କହି ଅନ୍ତର୍ଦ୍ଧାନ ହୋଇଗଲେ ।

ତା'ପରେ ରମ୍ଭ ମାଳବତ ଯକ୍ଷ ପାଖକୁ ଗଲା । ତାଙ୍କ ପାଖରେ ହାତୀ, ଘୋଡା, ମଇଁଷି, ଗାଈ, ମେଣ୍ଢା ଆଦି ବହୁ ପଶୁ ଥିଲେ । ସେମାନଙ୍କ ମଧ୍ୟରେ ତିନିବର୍ଷ ବୟସର ଏକ ସୁନ୍ଦରୀ ମଇଁଷି ଥିଲା । ତାହାକୁ ଦେଖି ରମ୍ଭ ମୁଗ୍ଧ ହେଲା । ତାହାକୁ ନିଜର ସ୍ତ୍ରୀ ରୂପେ ବରଣ କରି ପାତାଳପୁରୀକୁ ନେଇଗଲା ।

ଗୋଟିଏ ମଇଁଷିକୁ ସ୍ତ୍ରୀ ରୂପେ ଆଣି ଆସିଥିବାରୁ ପାତାଳପୁରୀର ଦାନବମାନେ ତାକୁ ବାସନ୍ଦ କଲେ । ତେଣୁ ସେଠାରେ ନିଜ ମଇଁଷି ସ୍ତ୍ରୀ ସହିତ ରହି ନ ପାରି ରମ୍ଭ ପୁଣି ମାଳବତ ଯକ୍ଷ ପାଖକୁ ଫେରି ଆସି ଯକ୍ଷମଣ୍ଡଳରେ ବାସ କଲା । ଯଥା ସମୟରେ ସେମାନଙ୍କର ଗୋଟିଏ ପୁତ୍ରସନ୍ତାନ ଜାତ ହେଲା । ସେହି ପୁତ୍ର ସନ୍ତାନ ଦେଖିବାକୁ ବଡ଼ ବିଚିତ୍ର । ମଇଁଷି ଓ ଅସୁରର ମିଶାମିଶି ରୂପ । ତେଣୁ ତାହାର ନାମ ରହିଲା ମହିଷାସୁର ।

ଏ ଭିତରେ ଆଉ ଗୋଟିଏ ଘଟଣା ଘଟିଲା । ରମ୍ଭ ନିଜ ସ୍ତ୍ରୀ ରୂପେ ଯେଉଁ ମଇଁଷିଟିକୁ ବରଣ କରି ଆଣିଥିଲା, ତାହାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଆଉ ଗୋଟିଏ ପୁରୁଷ ମଇଁଷି ଥରେ ଆସି ଯକ୍ଷମଣ୍ଡଳରେ ପହଞ୍ଚିଲା । ନିଜ ସ୍ତ୍ରୀ ପ୍ରତି ସେ ଆକୃଷ୍ଟ ହେବା ଦେଖି ରମ୍ଭ ତାହାକୁ ଖଣ୍ଡା ଧରି ଆକ୍ରମଣ କଲା । ମାତ୍ର ସେଇ ମଇଁଷିଟି ଅତ୍ୟନ୍ତ ଶକ୍ତିଶାଳୀ ଥିବାରୁ ରମ୍ଭକୁ ତା’ର ଶିଙ୍ଗରେ ଭୁଷି ମାରିଦେଲା । ତାହା ଦେଖି ରମ୍ଭର ମଇଁଷି ସ୍ତ୍ରୀ ଯାଇ ଯକ୍ଷମାନଙ୍କର ଶରଣ ପଶିଲା । ଫଳରେ ଭଗ୍ନ ମନୋରଥ ହୋଇ ସେହି ପୁରୁଷ ମଇଁଷିଟି ଯାଇ ପାଣିରେ ଝାସ ଦେଇଦେଲା । କିନ୍ତୁ ତାର ମୃତ୍ୟୁ ହେଲା ନାହିଁ । ସେ ଅତ୍ୟନ୍ତ ବଳବାନ ଏକ ଅସୁରରେ ପରିଣତ ହୋଇଗଲା । ତାହାର ନାଆଁ ହେଲା ନମର ଅସୁର ।

ଏଣେ, ରମ୍ଭର ଯେଉଁ ମଇଁଷି ସ୍ତ୍ରୀ ଯକ୍ଷମାନଙ୍କ ନିକଟରେ ଯାଇ ଶରଣ ପଶିଥିଲା, ସେ ରମ୍ଭର ଚିତା ନିଆଁରେ ଆସି ଝାସ ଦେଲା । ମାତ୍ର ସେ ଝାସ ଦେବାକ୍ଷଣି ସେହି ଚିତା ନିଆଁରୁ ଏକ ଭୟଙ୍କର ଅସୁର ଜାତ ହେଲା । ସେହି ଅସୁର ହେଉଛି ରକ୍ତବୀର୍ଯ୍ୟ । ସେ ହାତରେ ଖଣ୍ଡା ଧରି ପ୍ରଥମେ ଯକ୍ଷମାନଙ୍କୁ ଆକ୍ରମଣ କଲା । କ୍ରୁଦ୍ଧ ହୋଇ ଅନ୍ୟ ସମସ୍ତ ମଇଁଷିଙ୍କୁ ମାରିପକାଇଲା । ଇନ୍ଦ୍ର, ରୁଦ୍ର, ସୂର୍ଯ୍ୟ ଓ ବାୟୁ ପ୍ରଭୃତି ଦେବଗଣଙ୍କୁ ପରାସ୍ତ କଲା । କେବଳ ରମ୍ଭର ପୁଅ ମହିଷାସୁର ତା’ ଦାଉରୁ ରକ୍ଷା ପାଇଲା ।

ଏଣେ ଅଗ୍ନିଦେବତାଙ୍କ ପୂର୍ବ ବର ଅନୁସାରେ ମହିଷାସୁର ଅତ୍ୟନ୍ତ ପରାକ୍ରମୀ ହେଲା । ସେ ଅଗ୍ନିଙ୍କ ପରି ତେଜସ୍ୱୀ ଓ ବୁଦ୍ଧିମାନ୍ ଏବଂ ବାୟୁଙ୍କ ପରି ଶକ୍ତିମାନ୍ ହେଲା । ବପୁବଳ ଓ ଯୁଦ୍ଧ କୌଶଳରେ ତାହାର ସମକକ୍ଷ ବୀର କେହି ରହିଲେ ନାହିଁ । ପୁଣି ଅଗ୍ନି ଦେବତାଙ୍କ ବର ମଧ୍ୟ ଥିଲା ଯେ ସେ ତ୍ରିଲୋକ ବିଜୟୀ ହେବ । ତାହାର ସମକକ୍ଷ ବୀର କେହି ରହିବେ ନାହିଁ କି ସେ କାହାରି ହାତରେ ମରିବ ନାହିଁ । ତେଣୁ ସେ ମଦମତ୍ତ ହୋଇ ବହୁ ଅନର୍ଥ ଘଟାଇଲା । ତାହାର ଭୟରେ ଦେବତାମାନେ ନିଜ ନିଜର ଆସନ ଛାଡ଼ି ପଳାଇଗଲେ । ପୃଥିବୀରେ ଅନ୍ଧାର ଘୋଟିଗଲା । ଚିକ୍ଷୁର, ତାମ୍ର, ଅସିଲୋମ, ବିଡାଳ, ବାଷ୍କଳ, ତ୍ରିନେତ୍ର, କାଳବନ୍ଧକ, ଶୁକ୍ରାଚାର୍ଯ୍ୟ ଆଦି ଅସୁରଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ସେ ନିଶ୍ଚିନ୍ତ ମନରେ ରାଜତ୍ୱ କରିବାରେ ଲାଗିଲା ।

ଥରେ, ସ୍ୱର୍ଗର ସମସ୍ତ ସମ୍ପଦ ଲାଭ କରିବା ଇଚ୍ଛାରେ ସେ ଇନ୍ଦ୍ରଙ୍କ ନିକଟକୁ ଦୂତ ପଠାଇଲା । ଦୂତ ଯାଇ ସ୍ୱର୍ଗରେ ଇନ୍ଦ୍ରଙ୍କୁ କହିଲା, ଯଦି ଭଲ ଗତି ଅଛି, ସ୍ୱର୍ଗର ସମସ୍ତ ସମ୍ପଦ ଆଣି ଆସ ଓ ମହିଷାସୁରର ଶରଣ ପଶ । ତାହା ଶୁଣି ଇନ୍ଦ୍ର କ୍ରୁଦ୍ଧ ହୋଇ ଦୂତକୁ ବାହୁଡ଼ାଇ ଦେଲେ ।

ମାତ୍ର ମହିଷାସୁରର ସେହି ଆସ୍ପର୍ଦ୍ଧାରେ ଇନ୍ଦ୍ର ଭୟଭୀତ ହୋଇ ଯାଇଥିଲେ । ତେଣୁ ସେ ଦେବତାମାନଙ୍କର ଏକ ସଭା ଡକାଇଲେ । ସମସ୍ତେ ଏକାଠି ବସି ବିଚାର କଲେ, ବ୍ରହ୍ମା ଓ ଇନ୍ଦ୍ର କୈଳାସକୁ ଯିବେ । ସେଠାରୁ ଶିବଙ୍କୁ ସାଙ୍ଗରେ ନେଇ ବୈକୁଣ୍ଠକୁ ଯିବେ ଏବଂ ବିଷ୍ଣୁଙ୍କୁ ସବୁକଥା ଜଣାଇବେ ।

ତାହା ହିଁ ହେଲା । ବ୍ରହ୍ମା, ଇନ୍ଦ୍ର ଓ ଶିବ ଯାଇ ବିଷ୍ଣୁଙ୍କୁ ସବୁକଥା ଜଣାଇଲେ । ଦେବତାମାନେ ଯୁଦ୍ଧ ଚାହୁଁଥିବା ଜାଣି ବିଷ୍ଣୁ ସେଥିରେ ସମ୍ମତି ଦେଲେ ।

ଫଳରେ ଦେବତା ଓ ଅସୁରଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ସେହି ଯୁଦ୍ଧ ପଚାଶ ଦିନ ଧରି ଦିନରାତି ଚାଲିଲା । ପ୍ରଥମେ ମହିଷାସୁର ଇନ୍ଦ୍ରଙ୍କୁ ଆକ୍ରମଣ କଲା । ମାତ୍ର ଇନ୍ଦ୍ର ବଜ୍ରରେ ତାହାର ଅସ୍ତ୍ରକୁ ଚୂନା କରିଦେଲେ । ଅନ୍ଧକ ବିଷ୍ଣୁଙ୍କୁ ଅସ୍ତ୍ର ପ୍ରହାର କଲା । ମାତ୍ର ବିଷ୍ଣୁ

ପଞ୍ଚବାଣ ମାରି ଆକାଶକୁ ରୁନ୍ଧି ଦେଲେ ଏବଂ ତାହାର ସବୁ ଅସ୍ତ୍ରକୁ ଧୂଳିସାତ୍ କରିଦେଲେ । ବାଷ୍କଳର ଇନ୍ଦ୍ରଙ୍କ ସହିତ, ମହିଷାସୁରର ରୁଦ୍ରଙ୍କ ସହିତ, ତ୍ରିନେତ୍ରର ଯମଧର୍ମଙ୍କ ସହିତ, ମହାହନୁର ଶ୍ରୀପଦଙ୍କ ସହିତ ଏବଂ ଅସିଲୋମର ପ୍ରଚେତଙ୍କ ସହିତ ଘୋର ଯୁଦ୍ଧ ହେଲା । ଅନ୍ଧକ ଗରୁଡ଼ଙ୍କୁ ଆକ୍ରମଣ କଲା । ତାହା ଦେଖି ବିଷ୍ଣୁ ଶାରଙ୍ଗ ଧନୁ ଦ୍ୱାରା ତାକୁ ତୀର ମାରିଲେ । ସୁଦର୍ଶନ ଚକ୍ର ମଧ୍ୟ ପେଷିଲେ । ମାତ୍ର ଅନ୍ଧକ ସୁଦର୍ଶନ ଚକ୍ରକୁ ମଧ୍ୟ ରୋଧି ଦେଲା । ଅନ୍ଧକ ଏପରି ଅଟ୍ଟହାସ୍ୟ କଲା ଯେ, ଦେବତାମାନେ ମଧ୍ୟ ନିରାଶ ହୋଇପଡ଼ିଲେ । ଏଥର ବିଷ୍ଣୁ କୌମୋଦକୀ ଗଦା ଧରି ଅସୁର ଥାଟ ଉପରେ ପ୍ରହାର କଲେ । ସେହି ଆଘାତରେ ଅନ୍ଧକ ଆହତ ହୋଇ ତଳେ ପଡ଼ିଗଲା । ତାହା ଦେଖି ମହିଷାସୁର ଗର୍ଜନ କରି ଧାଇଁଲା । ତାହାର ଆକ୍ରମଣରେ ଗରୁଡ଼ ଓ ବିଷ୍ଣୁ ଆହତ ହେଲେ । ଶିବଙ୍କ ସହିତ ମଧ୍ୟ ମହିଷାସୁରର ଘୋର ଯୁଦ୍ଧ ହେଲା । ଶିବ ଓ ବିଷ୍ଣୁ ଦୁହେଁ ମିଶି ମହିଷାସୁରକୁ ଆକ୍ରମଣ କରିବାରୁ ମହିଷାସୁର ଚେତା ହରାଇ ପଡ଼ିଲା । ତାହା ଦେଖି ବିଷ୍ଣୁ ପାଞ୍ଚଜନ୍ୟ ଶଙ୍ଖନାଦ କଲେ । ସେହି ଶଙ୍ଖନାଦ ଶୁଣି ଅନ୍ୟ ଅସୁରମାନେ ଭୟଭୀତ ହୋଇପଡ଼ିଲେ । ମାତ୍ର ମହିଷାସୁର ଚେତା ପାଇ ଆସି ସିଂହ ବେଶରେ ବିଷ୍ଣୁଙ୍କୁ ଆକ୍ରମଣ କଲା । ବିଷ୍ଣୁ ପ୍ରତିଆକ୍ରମଣ କରିବାରୁ ପଳାଇଯାଇ ପୁଣି ନିଜ ମଇଁଷି ରୂପରେ ଝପଟି ଆସି ବିଷ୍ଣୁଙ୍କ ଛାତିରେ ଶିଙ୍ଗ ଭୁଷି ଦେଲା ।

ଏହିରି ଦୀର୍ଘ ପଚାଶ ଦିନ ଅବିରାମ ଭାବରେ ଯୁଦ୍ଧ ଚାଲିଲେ ମଧ୍ୟ ଦେବତାମାନଙ୍କ ବିଜୟର କିଛି ସଙ୍କେତ ଦେଖାଗଲା ନାହିଁ । ଶେଷରେ ଶିବଙ୍କର ସ୍ମରଣ ହେଲା ଯେ ପୂର୍ବରୁ ବର ପାଇଥିବାରୁ ମହିଷାସୁର ଦେବତା ବା ଅସୁର କାହା ହାତରେ ମରିବ ନାହିଁ । ଶେଷରେ ତାହା ହିଁ ହେଲା । ମହିଷାସୁରର ଭୟଙ୍କର ଆକ୍ରମଣରେ ଦେବତାମାନେ ଛତ୍ରଭଙ୍ଗ ଦେଇ ପଳାଇଲେ । ମହିଷାସୁର ଏକଛତ୍ର ଅଧିପତି ହୋଇ ତ୍ରିଲୋକରେ ରାଜତ୍ୱ କଲା ।

ଏହିରି ବହୁକାଳ ବିତିଗଲା । ମହିଷାସୁରର ଅତ୍ୟାଚାରରେ ତ୍ରିଲୋକରେ ବହୁ ଅନର୍ଥ, ଅନାଚାର ଘଟିବାକୁ ଲାଗିଲା । ଦେବଗଣ ଚିନ୍ତିତ ହୋଇ କୌଣସିମତେ ମହିଷାସୁରର ମୃତ୍ୟୁର ଉପାୟ କରିବାକୁ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମା ଓ ଅନ୍ୟ ଦେବଗଣ ଏକାଠି ହୋଇ ଯାଇ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ କହିଲେ, ପୂର୍ବରୁ ଥରେ ବ୍ରହ୍ମାଙ୍କୁ ତପସ୍ୟା କରି ମହିଷାସୁର ବର ପାଇଛି ଯେ ଦେବତା, ଅସୁର ବା ମନୁଷ୍ୟ କାହା ହାତରେ ତାର ମୃତ୍ୟୁ ହେବ ନାହିଁ । କେବଳ ଜଣେ ନାରୀ ହାତରେ ତାର ମୃତ୍ୟୁ ହେବ । ଏଣୁ ସମସ୍ତଙ୍କର ଶକ୍ତି ପୁଞ୍ଜିଭୂତ କରି ଯଦି ଜଣେ ନାରୀ ସୃଷ୍ଟି ହୋଇପାରିବେ, ତା' ହେଲେ ହୁଏତ ମହିଷାସୁରର ମୃତ୍ୟୁ ସମ୍ଭବ ହେବ ।

ମହାବିଷ୍ଣୁ ଏହା କହିବାକ୍ଷଣି ବ୍ରହ୍ମାଙ୍କ ମୁଖରୁ ଏକ ଜ୍ୟୋତି ପ୍ରକଟ ହେଲା । ବିଷ୍ଣୁ, ଶିବ, ଇନ୍ଦ୍ର, କୁବେର, ବରୁଣ ଓ ଅନ୍ୟ ଦେବଗଣଙ୍କର ଶକ୍ତି ଯାଇ ସେଥିରେ ମିଶିଲା । ସେହି

Aama Debadebi.pdf
ମହିଷାମର୍ଦ୍ଦିନୀ ମୂର୍ତ୍ତି: ଓଡ଼ିଶା

ଜ୍ୟୋତି ମଧ୍ୟରୁ ଏକ ପରମ ସୌନ୍ଦର୍ଯ୍ୟମୟୀ, ଦିବ୍ୟ ନାରୀମୂର୍ତ୍ତି ପ୍ରକଟ ହେଲେ । ଦେବତାମାନେ ନିଜ ନିଜର ରତ୍ନ ଆଭୂଷଣ ଓ ଆୟୁଧ ତାଙ୍କୁ ଦେଲେ । ସେହି ସବୁ ରତ୍ନ ଆଭୂଷଣ ଓ ଆୟୁଧରେ ସଜ୍ଜିତା ହୋଇ ସେ ଯାଇ ମହିଷାସୁରକୁ ଯୁଦ୍ଧ ଆହ୍ୱାନ ଦେଲେ । ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ, ରକ୍ତବୀର୍ଯ୍ୟ ଆଦି ଅସୁରମାନେ ତାଙ୍କ ଦ୍ୱାରା ନିହତ ହେଲେ । ତାହା ଜାଣି ମହିଷାସୁର କ୍ରୁଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିବାକୁ ପହଞ୍ଚିଲା । ମାତ୍ର ତାଙ୍କର ସୌନ୍ଦର୍ଯ୍ୟରେ ସେ ମୋହିତ ହୋଇଗଲା । ତହୁଁ ଦେବୀ ମହିଷାସୁରକୁ ତ୍ରିଶୂଳ ଦ୍ୱାରା ବଧ କଲେ । ମହିଷାସୁରକୁ ମର୍ଦ୍ଦନ କରିଥିବାରୁ ସେହିଦିନୁ ତାଙ୍କର ନାଆଁ ହେଲା ମହିଷମର୍ଦ୍ଦିନୀ ।

ତ‌ତ୍ପରେ ଦେବଗଣଙ୍କୁ ସେହି ସିଂହବାହିନୀ ଦେବୀ କହିଲେ, ଆଜିଠାରୁ ଯେଉଁ ଯୋଦ୍ଧା ଯୁଦ୍ଧ ଆରମ୍ଭରୁ ମୋହର ଏହି ମହିଷମର୍ଦ୍ଦିନୀ ଦୁର୍ଗା ସ୍ୱରୂକୁ ପୂଜା କରି ମୋର ଶରଣାଗତ ହେବ, ସେ ନିଶ୍ଚିତ ଭାବରେ ଯୁଦ୍ଧରେ ବିଜୟୀ ହେବ ।

ଏହି ମହିଷମର୍ଦ୍ଦିନୀ ମା’ ଦୁର୍ଗାଙ୍କୁ ସର୍ବମଙ୍ଗଳଦାୟିନୀ, ସର୍ବସିଦ୍ଧିଦାତ୍ରୀ, ଶରଣାଗତତାରିଣୀ, ଆଦି ରୂରେ ବର୍ଣ୍ଣନା କରାଯାଇଛି । ‘ଶ୍ରୀ ଶ୍ରୀ ଚଣ୍ଡୀ’ରେ ତାଙ୍କୁ ପ୍ରଣିପାତ କରି କୁହାଯାଇଛି-

ସର୍ବମଙ୍ଗଳମାଙ୍ଗଲ୍ୟେ! ଶିବେ! ସର୍ବାର୍ଥସାଧିକେ ।
ଶରଣ୍ୟେ ତ୍ର୍ୟମ୍ବକେ! ଗୌରି! ନାରାୟଣି! ନମୋଽସ୍ତୁ ତେ ।

Aama Debadebi.pdf
କାର୍ତ୍ତିକ

ବହୁ ପ୍ରାଚୀନ କାଳର କଥା । ବଜ୍ରାଙ୍ଗ ନାମରେ ଏକ ପରାକ୍ରମୀ ଅସୁର ଥିଲା । ତାର ବିଶାଳ ଶରୀର ବଜ୍ର ପରି କଠିନ ହୋଇଥିବାରୁ ତାହାର ନାମ ହୋଇଥିଲା ବଜ୍ରାଙ୍ଗ । କଶ୍ୟପପ୍ରଜାପତି ଥିଲେ ତା’ର ପିତା ଓ ଦନୁ ଥିଲେ ମାତା । ବହୁକାଳ ଅସୁର ଭାବରେ ଜୀବନ କଟାଇବା ପରେ ସେ ଅସୁର ପ୍ରକୃତିରୁ ମୁକ୍ତ ହୋଇ ଦିନ ବିତାଇବା ପାଇଁ ଘୋର

ତପସ୍ୟା କରିବାରେ ଲାଗିଲା । ଶହ ଶହ ବର୍ଷ ଧରି ସେହି ତପସ୍ୟା ଚାଲିଲା । ତାର ତପସ୍ୟାରେ ଇନ୍ଦ୍ର ଭୟଭୀତ ହୋଇପଡ଼ିଲେ ।

ଏଣେ ବଜ୍ରାଙ୍ଗ ତପସ୍ୟା କରୁଥିବା ବେଳେ ତାର ସ୍ତ୍ରୀ ବରାଙ୍ଗୀ ଘରେ ଏକୁଟିଆ ଥାଏ । ଦିନେ ଗୋଟିଏ ମାଙ୍କଡ ଆସି ତାକୁ ବହୁତ ହଇରାଣ ହରକତ କଲା । ଆଉ ଦିନେ ଗୋଟିଏ ସିଂହ ଆସି ତାକୁ ଖାଇବ ବୋଲି ଭୟ ଦେଖାଇଲା । ପୁଣି ଦିନେ ଗୋଟିଏ ସାପ ତାର ଗୋଡ଼କୁ କାମୁଡ଼ି ଦେଲା । ସାପ ବିଷର ଜ୍ୱାଳାରେ ସେ ବହୁତ କଷ୍ଟ ପାଇଲା । ଗୋଟିଏ ପର୍ଯ୍ୟାୟର ତପସ୍ୟା ପରେ ଯେତେବେଳେ ବଜ୍ରାଙ୍ଗ ଘରକୁ ଆସିଲା, ସେତେବେଳେ ବରାଙ୍ଗୀ କାନ୍ଦି କାନ୍ଦି ତାକୁ କହିଲା, ଦେବରାଜ ଇନ୍ଦ୍ର ହିଁ ସେହି ମାଙ୍କଡ, ସିଂହ ଓ ସାପ ବେଶରେ ଆସି ତାକୁ ହଇରାଣ ହରକତ କରିଛନ୍ତି । ତାହା ଶୁଣି ବଜ୍ରାଙ୍ଗ ଖୁବ୍ କ୍ରୁଦ୍ଧ ହେଲା । କୌଣସିମତେ ଇନ୍ଦ୍ରଙ୍କୁ ଶାସ୍ତି ଦେବା ପାଇଁ ପଣ କରି ପୁଣି ତପସ୍ୟା କରିବାକୁ ଚାଲିଗଲା ।

ତେଣେ ବଜ୍ରାଙ୍ଗର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତା' ସମ୍ମୁଖରେ ଆସି ଆବିର୍ଭୂତ ହେଲେ । ବଜ୍ରାଙ୍ଗ ତାଙ୍କଠାରୁ ବର ରୂପେ ବୀର ଓ ଅଜେୟ ପୁତ୍ରଟିଏ ଚାହିଁଲା । ବ୍ରହ୍ମା ତାକୁ ସେହି ବର ଦେଲେ । ସେ ଆହୁରି ମଧ୍ୟ ଚାହିଁଲା ଯେ ସେହି ପୁତ୍ର କାହାରି ହାତରେ ନମରି ଅମର ହେଉ । ମାତ୍ର ବ୍ରହ୍ମା ଅମର ବର ନ ଦେଇ ତାକୁ କହିଲେ, ମାତ୍ର ସାତ ଦିନର ଶିଶୁ ଟିଏ ତାକୁ ମାରିଲେ ମାରିବ; ନ ହେଲେ ଆଉ କେହି ମାରିପାରିବେ ନାହିଁ ।

ସେହି ବର ଅମର ବର ସହିତ ପ୍ରାୟ ସମାନ ବୋଲି ଭାବି ବଜ୍ରାଙ୍ଗ ଖୁବ୍ ଖୁସି ହୋଇଗଲା । ନିଜ ପରାକ୍ରମୀ ଶିଶୁ ପୁତ୍ରଟିର ଅପେକ୍ଷାରେ ରହିଲା ।

ଏହିପରି ବର୍ଷଟିଏ ବିତିଯିବା ପରେ ତାର ଏକ ପୁତ୍ର ସନ୍ତାନ ଜାତ ହେଲା । ସେହି ପୁତ୍ରସନ୍ତାନଟି ହେଉଛି ପୁରାଣର ତାରକାସୁର । ସେ ତାର ପିତା ବଜ୍ରାଙ୍ଗର ପୂର୍ବ ବର ଓ ନିଜର ତପସ୍ୟା ଫଳରେ ଅଜେୟ ଶକ୍ତିସମ୍ପନ୍ନ ହେଲା । ରାଜାମାନଙ୍କୁ ପରାଜିତ କରି ସବୁ ସମୃଦ୍ଧି ଓ ଅଧିକାର ଭୋଗ କଲା । ତା' ଭୟରେ ଯଜ୍ଞାଦି ପୁଣ୍ୟକର୍ମ ହୋଇପାରିଲା ନାହିଁ । ତ୍ରିଲୋକରେ ତ୍ରାହି ତ୍ରାହି ଡାକ ପଡ଼ିଲା । ଫଳରେ ଦିନେ ଇନ୍ଦ୍ରାଦି ଦେବଗଣ ଯାଇ ବ୍ରହ୍ମାଙ୍କ ନିକଟରେ ଶରଣ ପଶିଲେ । ତାରକାସୁରର ଉପଦ୍ରବରୁ ପୃଥିବୀକୁ ତଥା ଦେବତା, ବ୍ରାହ୍ମଣଙ୍କୁ ରକ୍ଷା କରିବାର ଉପାୟ କରିବାକୁ ତାଙ୍କୁ ପ୍ରାର୍ଥନା କଲେ ।

ସବୁ ଶୁଣି ବ୍ରହ୍ମା ଦୀର୍ଘ ସମୟ ଧ୍ୟାନସ୍ଥ ହୋଇ ଚିନ୍ତା କଲେ । ତା' ପରେ କହିଲେ, ତାରକାସୁରର ପିତା ବଜ୍ରାଙ୍ଗ ପୂର୍ବରୁ ଯେଉଁ ବର ପାଇଥିଲା, ତାହା ଫଳରେ ତାରକାସୁରର ମୃତ୍ୟୁ କେବଳ ଏକ ସାତ ଦିନର ଶିଶୁ ହାତରେ ହେବ । ଶିବଙ୍କ ଅଂଶରେ ସେହି ଦିବ୍ୟଶିଶୁ ଜାତ ହେଲେ ହିଁ ତାରକାସୁରକୁ ସଂହାର କରିବା ପରି ବଳଶାଳୀ ହୋଇପାରିବ । ତେଣୁ

ଶିବଙ୍କର ଯେପରି ଯଥାଶୀଘ୍ର ଏକ ପୁତ୍ର ସନ୍ତାନ ଜାତ ହେବ, ତାହାର ଉପାୟ ନ କଲେ ଉଦ୍ଦେଶ୍ୟ ସିଦ୍ଧ ହେବ ନାହିଁ ।

ସେତେବେଳକୁ ଦକ୍ଷଯଜ୍ଞରେ ଶିବପତ୍ନୀ ସତୀ ଆତ୍ମାହୁତି ଦେଇ ସାରିଥିଲେ । ତେଣୁ ଶିବ ପତ୍ନୀହରା ହୋଇ ଏକାକୀ ଏକନିଷ୍ଠ ତପସ୍ୟାରେ ମଗ୍ନ ଥିଲେ । ଏଣେ ଦକ୍ଷଯଜ୍ଞରେ ଝାସ ଦେଇଥିବା ସତୀ ପୁନର୍ବାର ହିମଗିରି (ହିମାଳୟ)ଙ୍କ କନ୍ୟା ପାର୍ବତୀ ରୂପେ ଜନ୍ମଗ୍ରହଣ କରି ଶିବଙ୍କୁ ବର ରୂପେ ପାଇବା ପାଇଁ ତପସ୍ୟା କରୁଥିଲେ । ଶିବଙ୍କ ତପସ୍ୟା ଭାଙ୍ଗିବ ବା କିଏ ? ତେଣୁ ସମସ୍ତେ ଚିନ୍ତାକରି ଏକ ଉପାୟ ବାହାର କଲେ । ପ୍ରେମର ଦେବତା କାମଦେବଙ୍କୁ ଡକାଇ ତାଙ୍କୁ ଶିବଙ୍କ ତପସ୍ୟା ଭଙ୍ଗ କରିବାର ଦାୟିତ୍ୱ ଦେଲେ । ଶିବ ତପସ୍ୟା କରୁଥିବା ସ୍ଥାନକୁ ଯାଇ କାମଦେବ ତାଙ୍କର ଚିତ୍ତ ଅସ୍ଥିର ହେବାପରି ବାତାବରଣ ସୃଷ୍ଟି କଲେ । ଚାରିଆଡେ଼ ଫୁଲ ଫୁଟି ସେ ସ୍ଥାନକୁ ସୁବାସିତ କଲା । ମଳୟ ପବନ ବହିଲା । କାମଦେବ ତାଙ୍କର ଫୁଲଧନୁରେ ପଞ୍ଚଶର ଯୋଖି ଶିବଙ୍କ ଉପରକୁ ନିକ୍ଷେପ କଲେ । ତାହା ଫଳରେ ଶିବଙ୍କର ଧ୍ୟାନ ଭାଙ୍ଗିଗଲା । କିଏ ତପସ୍ୟା ଭଙ୍ଗ କଲା ଭାବି ସେ ରାଗିଗଲେ । ତାଙ୍କର ତୃତୀୟ ନେତ୍ରରୁ ଅଗ୍ନି ବାହାରି କାମଦେବଙ୍କୁ ଭସ୍ମୀଭୂତ କରିଦେଲା । କିନ୍ତୁ ଦେବଗଣଙ୍କ ଉଦ୍ଦେଶ୍ୟ ଚରିତାର୍ଥ ହେଲା । ଶିବଙ୍କ ତପସ୍ୟା ଭଙ୍ଗ ହେଲା । ପରେ କାମଦେବଙ୍କର ସ୍ତ୍ରୀ ରତିଙ୍କ ପ୍ରାର୍ଥନାରେ ଶିବ କାମଦେବଙ୍କୁ ପୁନର୍ବାର ଜୀବନ ଦାନ କରିଥିଲେ ।

ଏଥର ଦେବଗଣ ଶିବଙ୍କ ପାଖକୁ ଯାଇ ତାଙ୍କୁ ପ୍ରାର୍ଥନା କରି କହିଲେ, ହେ ଦେବଦେବ ମହାଦେବ । ତାରକାସୁରର ଅତ୍ୟାଚାରରେ ଆମ୍ଭେମାନେ ଅତିମାତ୍ରାରେ ଅତିଷ୍ଠ । ଆପଣ ପ୍ରସନ୍ନ ହୋଇ ବିବାହ ନିମନ୍ତେ ସମ୍ମତ ହୁଅନ୍ତୁ । ହିମଗିରି ନନ୍ଦିନୀ ପାର୍ବତୀ ଆପଣଙ୍କୁ ବର ରୂପେ ପାଇବା ପାଇଁ ତପସ୍ୟା କରୁଛନ୍ତି । ଆପଣ ତାଙ୍କର ସେହି ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରନ୍ତୁ । ଆପଣଙ୍କର ସନ୍ତାନ ହିଁ ତାରକାସୁରକୁ ନାଶ କରିବ ।

ତାହା ଶୁଣି ଶିବ ସେମାନଙ୍କୁ ଆଶ୍ୱସ୍ତ କରି ବିଦାୟ ଦେଲେ । ତା'ପରେ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସେ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ ।

କିଛି କାଳ ପରେ ଶିବ-ପାର୍ବତୀଙ୍କର ଏକ ଦିବ୍ୟ ସନ୍ତାନ ଜାତହେଲା । ସେହି ପୁତ୍ରସନ୍ତାନ ହେଉଛନ୍ତି ସ୍କନ୍ଦ ବା କାର୍ତ୍ତିକ । ତାଙ୍କର ଜନ୍ମ ଗଙ୍ଗା ତୀରର ଶରବଣରେ ହୋଇଥିବାରୁ ତାଙ୍କର ଆଉ ଗୋଟିଏ ନାମ ହେଉଛି ଶରଜନ୍ମା ବା ଗାଙ୍ଗେୟ । ତାଙ୍କର ଶୁଭ ଜନ୍ମଲାଭର ସମ୍ବାଦ ପାଇ ଛଅ କୃତ୍ତିକା, ମାତା ଭାବରେ ତାଙ୍କୁ ସ୍ତନ୍ୟପାନ କରାଇବାକୁ ଇଚ୍ଛା କଲେ । ଫଳରେ କାର୍ତ୍ତିକ ଷଡ଼ମୁଖ ହୋଇ ସେମାନଙ୍କ ଠାରୁ ସ୍ତନ୍ୟ ପାନ କରିଥିଲେ । ସେଥିପାଇଁ କାର୍ତ୍ତିକେୟଙ୍କର ଆଉ ଗୋଟିଏ ନାମ ହେଉଛି ଷଣ୍ମୁଖ ବା ଷଡ଼ାନନ । ତାଙ୍କର ଆହୁରି ଅନେକ ନାମ ମଧ୍ୟ

ରହିଛି । କ୍ରୌଞ୍ଚ ନାମକ ଏକ ଅସୁରକୁ ସଂହାର କରିଥିବାରୁ ତାଙ୍କର ନାମ କ୍ରୌଞ୍ଚାରାତି ବା କ୍ରୌଞ୍ଚନିସୂଦନ । ସେହି କାହାଣୀଟି ଏହିପରି-

କ୍ରୌଞ୍ଚ ନାମକ ପର୍ବତରେ ଏକ ଦୁର୍ଜେୟ ଦୈତ୍ୟ ବାସ କରୁଥିଲା । ତାହାର ନାମ କ୍ରୌଞ୍ଚ । ହିମାଳୟର ଏକଭାଗରେ ରହି ସେ କ୍ରୌଞ୍ଚ ଦ୍ୱୀପରେ ଶାସନ କରୁଥିଲା । ପର୍ବତର ଏପରି ଦୁର୍ଗମ ଅଞ୍ଚଳରେ ସେ ରହୁଥିଲା ଯେ ସେଠାକୁ କେହି ଯାଇ ପାରୁନଥିଲେ । ଫଳରେ ସେ ଅଜେୟ ଓ ଅବଧ୍ୟ ହୋଇ ରହିଥିଲା । ଶିବଙ୍କ ଆଜ୍ଞାରେ କାର୍ତ୍ତିକ ପରଶୁରାମଙ୍କୁ ସାଙ୍ଗରେ ନେଇ ଯାଇ ତାକୁ ମାରିଥିଲେ । ସେ କ୍ରୌଞ୍ଚ ପର୍ବତର ଅପରପାର୍ଶ୍ୱରେ ଲୁଚି ରହିଥିଲା । ତାହା ଜାଣିପାରି ବିଶେଷ ଶକ୍ତି ବଳରେ ଏକସଙ୍ଗରେ ସେ କ୍ରୌଞ୍ଚ ପର୍ବତକୁ ଭେଦ କରିବା ସହିତ ତାର ଅପରପାର୍ଶ୍ୱରେ ଥିବା ଅସୁରକୁ ମଧ୍ୟ ବଧ କରିଥିଲେ । ଫଳରେ ସେହିଦିନଠାରୁ କାର୍ତ୍ତିକ ଦୁଇଟି ନୂଆ ନାମର ଅଧିକାରୀ ହେଲେ । ସେହି ଦୁଇଟି ନାମ ହେଉଛି, 'କ୍ରୌଞ୍ଚଭେଦନ' ଓ 'କ୍ରୌଞ୍ଚ ନିସୂଦନ' ।

କିନ୍ତୁ ଯେଉଁଥିପାଇଁ କାର୍ତ୍ତିକ ପ୍ରସିଦ୍ଧ ବା ଯେଉଁ ଉଦ୍ଦେଶ୍ୟରେ ତାଙ୍କର ଆବିର୍ଭାବ ହୋଇଥିଲା, ତାହା ହେଉଛି ତାରକାସୁର ସଂହାର ।

କାର୍ତ୍ତିକ ଜନ୍ମବେଳକୁ ତାରକାସୁର ବହୁ ଉପଦ୍ରବ କରୁଥିଲା । ମାତ୍ର କାର୍ତ୍ତିକ ଜନ୍ମ ହେବା ମାତ୍ରେ ଯେଉଁ ରଡ଼ି ଦେଲେ, ସେଥିରେ ତା'ର କିରୀଟକୁଣ୍ଡଳ ଖସି ପଡ଼ିଲା । ଶରୀର କମ୍ପମାନ ହେଲା । ସେ ଆଶଙ୍କା କଲା ଯେ ହୁଏତ କିଛି ଅଘଟଣ ଘଟିବ ।

କିନ୍ତୁ ତାରକାସୁରର ଶତ୍ରୁ ଜାତ ହେବା ସମ୍ବାଦ ପାଇ ଦେବଗଣ ଆନନ୍ଦିତ ହେଲେ । ସେମାନେ ଦେବରାଜ ଇନ୍ଦ୍ର ଏବଂ ଅନ୍ୟ ଋଷି ଓ ମୁନିମାନଙ୍କ ସହିତ ଯାଇ ପହଞ୍ଚିଲେ କାର୍ତ୍ତିକଙ୍କ ଜନ୍ମସ୍ଥାନରେ । ପହଞ୍ଚି ତାଙ୍କର ଜାତକର୍ମ, ସଂସ୍କାର ଆଦି କଲେ । ଦେବ, ଗନ୍ଧର୍ବ ଓ କିନ୍ନରମାନଙ୍କ ସେନାର ସେନାପତି ରୂପେ ତାଙ୍କୁ ଅଭିଷିକ୍ତ କଲେ । ବ୍ରହ୍ମାଦି ଦେବଗଣ ତାଙ୍କୁ ବହୁ ଉପହାର ମଧ୍ୟ ଦେଲେ । ଶିବ ଦେଲେ ଇନ୍ଦ୍ରଙ୍କ ପରି ଶକ୍ତିମାନ୍ ଚାରି ପ୍ରମଥ । ସେହି ଚାରି ପ୍ରମଥଙ୍କ ନାମ ହେଉଛି, ଘଣ୍ଟାକର୍ଣ୍ଣ, ଲୋହିତାକ୍ଷ, ନନ୍ଦୀସେନ ଓ କୁମୁଦମାଳି । ବ୍ରହ୍ମା ଓ ଅନ୍ୟ ଦେବତାମାନେ ମଧ୍ୟ ସେମାନଙ୍କ ପ୍ରମଥମାନଙ୍କୁ କାର୍ତ୍ତିକେୟଙ୍କୁ ଉପହାର ଦେଲେ । ବ୍ରହ୍ମା ଦେଲେ ସ୍ଥାଣୁ ନାମକ ପ୍ରମଥ । ବିଷ୍ଣୁ ଦେଲେ ସଂକ୍ରମ, ବିକ୍ରମ ଓ ପରାକ୍ରମ ନାମକ ତିନି ପ୍ରମଥ । ଇନ୍ଦ୍ର ଦେଲେ ଉତ୍କଳେଶ ଓ ପଙ୍କଜ ନାମକ ଦୁଇ ପ୍ରମଥ । ସୂର୍ଯ୍ୟ ଦେଲେ ଦଣ୍ଡକ ଓ ପିଙ୍ଗଳ ନାମକ ଦୁଇ ପରିଚାରକ ଏବଂ ଚନ୍ଦ୍ର ଦେଲେ ମଣିବସୁ ମଣି । ଅଶ୍ୱିନୀ ଦେଲେ ବତ୍ସନନ୍ଦୀ । ପ୍ରମୁଖ ଦେବତା, ମାତୃକା ଓ ତୀର୍ଥମାନେ ମଧ୍ୟ ବହୁ ଅମୂଲ୍ୟ ଉପହାର ଦେଲେ । ଗରୁଡ଼ ନିଜର ପୁତ୍ର ମୟୂରକୁ କାର୍ତ୍ତିକଙ୍କୁ ଦେଲେ । ତାହା କାର୍ତ୍ତିକଙ୍କର ବାହନ ହେଲା ।

ଅରୁଣ ନିଜର ପୁତ୍ର, ଅଦ୍ଭୁତ ଶକ୍ତିସମ୍ପନ୍ନ କୁକ୍‌କୁଟକୁ ତାଙ୍କୁ ଉପହାର ଦେଲେ । ଅଗ୍ନି ଦେଲେ ତ୍ରିଶୂଳ, ବୃହସ୍ପତି ଦେଲେ ଦଣ୍ଡ ଓ ଗଙ୍ଗା ଦେଲେ କମଣ୍ଡଳୁ । ବିଷ୍ଣୁ ଦେଲେ ଦିବ୍ୟ ମାଳା । ପାର୍ବତୀ ଦେଲେ ସୁନ୍ଦର ବସ୍ତ୍ର ଓ ଶିବ ଦେଲେ ମହାର୍ହ ପଦକ । ଇନ୍ଦ୍ର ଦେଲେ ଦିବ୍ୟ ମୋତିମାଳା । ଏହିସବୁ ଦିବ୍ୟ ଅସ୍ତ୍ର, ବସନ, ବାହନ ଓ ଭୂଷଣ ଆଦିରେ ସୁସଜ୍ଜିତ ହୋଇ କାର୍ତ୍ତିକ ଦେବ ସେନାପତି ରୂପେ ଅଭିଷିକ୍ତ ହେଲେ। ଅଗ୍ନି ତାଙ୍କୁ ଦେଇଥିଲେ ଦିବ୍ୟ ତେଜ ଏବଂ ବିଷ୍ଣୁ ଦେଇଥିଲେ ଯୁଦ୍ଧ ପାଇଁ ଦିବ୍ୟାସ୍ତ୍ର ।

ଦେବଗଣ ତାଙ୍କୁ ତାରକାସୁରର ଉତ୍ପାତ ଓ ଅତ୍ୟାଚାରର କାହାଣୀ କହି ତାକୁ ସଂହାର କରିବା ପାଇଁ କାର୍ତ୍ତିକଙ୍କୁ ଅନୁରୋଧ କଲେ । କାର୍ତ୍ତିକ ସେମାନଙ୍କୁ ଆଶ୍ୱାସନା ଦେଇ କହିଲେ, ଆପଣମାନେ ନିଶ୍ଚିନ୍ତ ରହନ୍ତୁ । ମୁଁ ଅବିଳମ୍ବେ ତାରକାସୁରକୁ ସଂହାର କରିବି । ଏହା କହି ସେ ସୈନ୍ୟସଜ୍ଜା କରି ଯୁଦ୍ଧକୁ ବାହାରିଲେ ।

କାର୍ତ୍ତିକଙ୍କର ରଣସଜ୍ଜା ସମୟରୁ ତାରକାସୁରର ନଗରୀରେ ନାନା ଅଶୁଭ ଲକ୍ଷଣ ଦେଖାଗଲା । ତେଣୁ ସେ ବିଚଳିତ ହୋଇ ନିଜ ଅଟ୍ଟାଳିକାର ଉଚ୍ଚ ଗମ୍ବୁଜ ଉପରକୁ ଯାଇ ଦେଖିଲା, ଧ୍ୱଜ ପତାକା ଦିଶୁଛି ଓ ଘୋର ରଣନାଦ ଶୁଭୁଛି । ଖବର ନେଇ ସେ ଜାଣିଲା ଯେ ଗୋଟିଏ ବାଳକକୁ ସେନାପତି କରି ଦେବସେନାଗଣ ତା’ ସହିତ ଯୁଦ୍ଧ କରିବାକୁ ଆସୁଛନ୍ତି । ପୂର୍ବରୁ ବ୍ରହ୍ମା ଦେଇଥିବା ବର ତାର ମନେ ପଡ଼ିଗଲା । ସେହି ବର ଥିଲା ଯେ ସାତଦିନର ଏକ ଶିଶୁ ହାତରେ ତାର ମୃତ୍ୟୁ ହେବ । ତେଣୁ ସେ ଭୟଭୀତ ହୋଇ ପଡ଼ିଲା । କିନ୍ତୁ ଦମ୍ଭ ନ ହରାଇ ନିଜର ସେନାପତିକୁ ଡକାଇ ରଣସଜ୍ଜା କରିବାକୁ ଆଦେଶ ଦେଲା । କାଳନେମୀ ଆଦି ବିକଟ ଅସୁରଙ୍କୁ ଡକାଇ ସେହି ବାଳକକୁ ଧରି ଆଣିବା ପାଇଁ ଆଦେଶ ଦେଲା । ସମ୍ଭାଳି ନପାରି ସେ ନିଜେ ମଧ୍ୟ ଯାଇ ରଣଥାଟ ଆଗରେ ଠିଆ ହୋଇପଡ଼ିଲା । କହିଲା, ରେ ଅପୌଗଣ୍ଡ ବାଳକ, ତୁ କ’ଣ ମୋ’ପରି ଜଣେ ପରାକ୍ରମୀ ଓ ଅଜେୟ ଅସୁର ସହିତ ଲଢ଼ିବାକୁ ଚାହୁଁଛୁ? ତୋର ତ ଏବେ ଖେଳିବା ବୟସ । ଯୁଦ୍ଧ ତ ଆଉ ଖେଳ ନୁହେଁ ! ତେଣୁ ତୋର ଯଦି ଖେଳିବାକୁ ଇଚ୍ଛା ହେଉଛି, ତା’ହେଲେ ଆ, ସାଙ୍ଗ ହୋଇ ତୋର ମୋର ପେଣ୍ଡୁ ଖେଳିବା ।

ତାହା ଶୁଣି କାର୍ତ୍ତିକ କହିଲେ, ରେ ପାମର ରାକ୍ଷସ ! ଛାର ବାଳକଟିଏ ବୋଲି ତୁ ମତେ ହେୟ ମନେ କରୁଛୁ ? ସକାଳର ସୂର୍ଯ୍ୟ ବାଳସୂର୍ଯ୍ୟ ହେଲେ ହେଁ ସେଥିରେ ସୂର୍ଯ୍ୟଙ୍କର ସକଳ ବିଶେଷତ୍ୱ କ’ଣ ନଥାଏ? ବୀଜମନ୍ତ୍ର ଓଁ ଗୋଟିଏ ମାତ୍ର ଅକ୍ଷର ହେଲେ ହେଁ ତାହା କ’ଣ ଯେ କୌଣସି ମନ୍ତ୍ରଠାରୁ ଅଧିକ ଶକ୍ତିଶାଳୀ ନୁହେଁ? ବାଳକଟିଏ ହେଲେ ବି ମୁଁ ହିଁ ତୋର ଯମ ।

କାର୍ତ୍ତିକଙ୍କର ସ୍ପର୍ଦ୍ଧା ଶୁଣି ତାରକାସୁର କ୍ରୁଦ୍ଧ ହେଲା । ମୁଦ୍‌ଗର ଉଠାଇ ତାଙ୍କୁ ପ୍ରହାର କଲା । ମାତ୍ର କାର୍ତ୍ତିକ ତାହାକୁ ନିଜ ବଜ୍ର ଦ୍ୱାରା ତତ୍‌କ୍ଷଣାତ୍ ଖଣ୍ଡନ କରିଦେଲେ । ଏଥର ପୁଣି ଅନେକ ଶକ୍ତିଶାଳୀ ଅସ୍ତ୍ରରେ ସେ କାର୍ତ୍ତିକେୟଙ୍କୁ ପ୍ରହାର କଲା । ମାତ୍ର କାର୍ତ୍ତିକେୟ ସେହିସବୁ ଅସ୍ତ୍ରକୁ ଧରି ନେଇ ଗୁଣ୍ଡ କରିଦେଲେ । ତା'ପରେ ନିଜର ଗଦାକୁ ଟେକି ସେ ତାରକାସୁର ଉପରକୁ ନିକ୍ଷେପ କଲେ । ଶେଷରେ ସେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର ଅସୁର ଉପରକୁ ନିକ୍ଷେପ କଲେ । ତାହା ତୀବ୍ର ଗତିରେ ଯାଇ ତାରକାସୁରର ବଜ୍ରପରି ହୃଦୟରେ ବିଦ୍ଧ ହେଲା । ତାହାର ମୁଣ୍ଡ, ମୁକୁଟ, କୁଣ୍ଡଳ ଓ କବଚ ଛିନ୍ନଭିନ୍ନ ହୋଇଲା । ଭୟଙ୍କର ଗର୍ଜନ କରି ତା'ର ମୃତ୍ୟୁ ହେଲା ।

ତାରକାସୁରର ମୃତ୍ୟୁ ହେବାରୁ ଦେବତା, ମୁନି, ଋଷି ଆଦିଙ୍କର ଆନନ୍ଦର ସୀମା ରହିଲା ନାହିଁ । ପ୍ରସନ୍ନ ଚିତ୍ତରେ ସମସ୍ତେ କାର୍ତ୍ତିକଙ୍କର ସ୍ତୁତି କରିବାକୁ ଲାଗିଲେ ।

କାର୍ତ୍ତିକ ବୀର ଓ ତାଙ୍କର ରୂପ ଖୁବ୍ ସୁନ୍ଦର । ତାମିଲ ଭାଷାରେ 'ମୁରୁଗୁ'ର ଅର୍ଥ ସୌନ୍ଦର୍ଯ୍ୟ । ତେଣୁ ସେହି ଭାଷାରେ କାର୍ତ୍ତିକଙ୍କୁ 'ମୁରୁଗାନ୍' କୁହାଯାଏ । ତେଣୁ କାର୍ତ୍ତିକଙ୍କ ପରି ବୀର ଓ ସୁନ୍ଦର ବର ମିଳୁ ବୋଲି ସାଧାରଣତଃ ଝିଅମାନଙ୍କୁ ଆଶୀର୍ବାଦ କରାଯାଇଥାଏ ।

ଦକ୍ଷିଣ ଭାରତରେ କାର୍ତ୍ତିକଙ୍କ ଉପାସନା ଖୁବ୍ ଲୋକପ୍ରିୟ । ମାତ୍ର ଆମ ରାଜ୍ୟରେ ତାଙ୍କର ଉପାସନା ପ୍ରାୟ ନାହିଁ । କେବଳ କାର୍ତ୍ତିକ ପୂର୍ଣ୍ଣମୀ ସମୟରେ କଟକ ସହର ଓ ଅନ୍ୟ କେତେକ ସ୍ଥାନରେ କାର୍ତ୍ତିକେଶ୍ୱରଙ୍କର ମେଢ଼ ଓ ମୂର୍ତ୍ତି ହୁଏ । ତେବେ ରାଜ୍ୟର ଶିବ ମନ୍ଦିରଗୁଡ଼ିକରେ ପାଶ୍ୱର୍ଦେବତା ରୂପେ କାର୍ତ୍ତିକଙ୍କର ମୂର୍ତ୍ତି ଥିବା ଦେଖାଯାଏ ।

କେତେକ ଗବେଷକଙ୍କ ମତରେ ଭୁବନେଶ୍ୱରର 'ଖଣ୍ଡଗିରି'ର ନାମ ପ୍ରଥମେ 'କୁମାରଗିରି' ଥିଲା । 'କୁମାର' ଓ 'ସ୍କନ୍ଦ' କାର୍ତ୍ତିକଙ୍କର ଦୁଇଟି ନାମ । ତେଣୁ 'କୁମାରଗିରି' ପରେ 'ସ୍କନ୍ଦଗିରି' ହୋଇ ପରେ 'ଖଣ୍ଡଗିରି' ହୋଇଛି । ଓଡ଼ିଶାରେ ଯେ ଦିନେ କାର୍ତ୍ତିକେୟଙ୍କର ଉପାସନା ଥିଲା, ଏହି ଖଣ୍ଡଗିରି ତାହାର ପ୍ରମାଣ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାର ବିମଳା ମନ୍ଦିରର ପ୍ରବେଶ ପଥର ଡାହାଣ ପଟେ କାର୍ତ୍ତିକେୟଙ୍କର ଛଅମୁଖ ଓ ବାରହାତର ଏକ ସୁନ୍ଦର ମୂର୍ତ୍ତି ଅଛି । ସଂସ୍କୃତ ଶାସ୍ତ୍ର, ଗ୍ରନ୍ଥମାନଙ୍କରେ କାର୍ତ୍ତିକଙ୍କର ବହୁ ଧ୍ୟାନଶ୍ଳୋକ ଅଛି । ସେଥିରୁ ଗୋଟିଏରେ କୁହାଯାଇଛି-

ନମାମି ନିତ୍ୟଂ ଶିଖିପୃଷ୍ଠସଂସ୍ଥିତଂ ଗୌରୀସୁତଂ ସ୍କନ୍ଦଷଡ଼ାନନଂ ବିଭୁଂ ।
ତଂ ରୁଦ୍ରପୁତ୍ରଂ ସୁରଲୋକବନ୍ଦ୍ୟଂ ଭଜାମି ଦେବାଗ୍ରସେନାଗ୍ରଗଣ୍ୟମ୍ ॥

Aama Debadebi.pdf
ଲକ୍ଷ୍ମୀ

ସୃଷ୍ଟିର ଆଦିକାଳ କଥା । ସେତେବେଳେ କଶ୍ୟପ ନାମରେ ଜଣେ ଋଷି ଥିଲେ । ତାଙ୍କର ଅନେକ ପତ୍ନୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ଅଦିତି ଓ ଦିତି । ଅଦିତିଙ୍କ ଗର୍ଭରୁ ଆଦିତ୍ୟବା ଦେବତାମାନେ ଏବଂ ଦିତିଙ୍କ ଗର୍ଭରୁ ଦୈତ୍ୟ ବା ଅସୁରମାନେ ଜାତ ହୋଇଥିଲେ । ଗୋଟିଏ ପିତାର ସନ୍ତାନ ହେଲେ ମଧ୍ୟ ଦେବତା ଓ ଦୈତ୍ୟମାନଙ୍କ

ମଧ୍ୟରେ ଅନେକ ପାର୍ଥକ୍ୟ ଥିଲା । ଦେବତାମାନେ ଥିଲେ ଗୁଣ ଓ କର୍ମରେ ମହତ୍ ଓ ଶାନ୍ତିପ୍ରିୟ । ମାତ୍ର ଦୈତ୍ୟମାନେ ଥିଲେ ଗୁଣ ଓ କର୍ମରେ ଦୁରାଚାରୀ ଓ ଯୁଦ୍ଧପ୍ରିୟ । ତେଣୁ ଉଭୟଙ୍କ ମଧ୍ୟରେ ସବୁବେଳେ ବିରୋଧ ଓ ଯୁଦ୍ଧ ଲାଗି ରହୁଥିଲା । ଦେବତାମାନେ ସେମାନଙ୍କ ସଦ୍‌ଗୁଣ ଫଳରୁ ସ୍ୱର୍ଗରେ ବାସ କରୁଥିଲେ । ଇନ୍ଦ୍ର ଥିଲେ ସେମାନଙ୍କର ରାଜା ।

ଦେବତାମାନଙ୍କ ଉତ୍ତମ ସ୍ୱଭାବ ଯୋଗୁଁ ମହାଲକ୍ଷ୍ମୀ ସେମାନଙ୍କ ସହିତ ରହିଥିଲେ । ତେଣୁ ସ୍ୱର୍ଗରେ ଧନ, ଧାନ୍ୟ ଓ ଐଶ୍ୱର୍ଯ୍ୟ ବିରାଜମାନ କରୁଥିଲା ।

ଏହି ସମୟରେ ଥରେ ମହର୍ଷି ଦୁର୍ବାସା ଦେବରାଜ ଇନ୍ଦ୍ରଙ୍କୁ ଦର୍ଶନ କରିବା ପାଇଁ ଦେବଲୋକକୁ ଆସିଲେ । ସେତେବେଳକୁ ଦେବରାଜ ଇନ୍ଦ୍ର ତାଙ୍କର ଐରାବତ ହାତୀରେ ଚଢ଼ି ବୁଲି ବାହାରି ଥାଆନ୍ତି । ଦେବଲୋକରେ ପ୍ରବେଶ କରୁ କରୁ ଇନ୍ଦ୍ରଙ୍କର ଦର୍ଶନ ପାଇ ଦୁର୍ବାସା ଖୁବ୍ ଖୁସି ହୋଇଗଲେ । ତାଙ୍କ ପାଖରେ ପାରିଜାତ ଫୁଲର ଗୋଟିଏ ମାଳା ଥିଲା । ସେହି ମାଳାଟିକୁ ସେ ଜଣେ ସୁନ୍ଦରୀ ବିଦ୍ୟାଧରୀ ଠାରୁ ଉପହାର ରୂପେ ପାଇଥିଲେ । ମାଳାଟି ଏତେ ସୁନ୍ଦର ଓ ସୁବାସିତ ଥିଲା ଯେ, ଯେକେହି ତାହାକୁ ଦେଖିଲେ ଲୋଭ କରିବ ଏବଂ ପାଇଲେ ଖୁସି ହେବ । ତେଣୁ ସେ ସେହି ମାଳାଟିକୁ ଇନ୍ଦ୍ରଙ୍କୁ ଉପହାର ଦେଲେ ।

ଦୁର୍ବାସାଙ୍କ ଠାରୁ ମାଳାଟି ଉପହାର ରୂପେ ପାଇ ଇନ୍ଦ୍ର ସେଇଟିକୁ ଗ୍ରହଣ ଅବଶ୍ୟ କଲେ, ମାତ୍ର ତାହାକୁ ନିଜେ ନ ପିନ୍ଧି ତାଙ୍କର ବାହନ ଐରାବତର ମୁଣ୍ଡ ଉପରେ ପକାଇ ଦେଲେ ।

ପାରିଜାତ ଫୁଲର ସୁବାସ ତ ସବୁ ଫୁଲର ସୁବାସରୁ ବଳି । ତେଣୁ ସେହି ସୁବାସରେ ଐରାବତଟି ଉନ୍ମତ୍ତ ହୋଇଉଠିଲା । ସୁବାସ କେଉଁଠାରୁ ଆସୁଛି ତାହା ଜାଣି ନପାରି ସେ ଶୁଣ୍ଢ ବଢ଼ାଇ ମାଳଟିକୁ ଭିଡ଼ି ଆଣିଲା; ଫଳରେ ମାଳଟି ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିଯାଇ ଫୁଲଗୁଡ଼ିକ ତଳେ ବିଞ୍ଚି ହୋଇଗଲା ।

ସୁନ୍ଦରୀ ବିଦ୍ୟାଧରୀ ଠାରୁ ଉପହାର ପାଇଥିବା ନିଜର ପ୍ରିୟ ଓ ଦୁର୍ଲଭ ପାରିଜାତ ମାଳାଟିର ଏହି ଅବସ୍ଥା ଦେଖି ଦୁର୍ବାସା ଦୁଃଖିତ ହେଲେ । ଉପହାର ମାଳାଟିକୁ ଇନ୍ଦ୍ର ଗ୍ରହଣ କଲେ ମଧ୍ୟ ନିଜର ବାହନକୁ ଦେଇଦେବାରୁ ଏବଂ ବାହନ ମୂଲ୍ୟ ନ ବୁଝି ତାହାକୁ ନଷ୍ଟ କରିଦେବାରୁ ଦୁର୍ବାସା ଖୁବ୍ ଅପମାନିତ ମନେ କରୁଥିଲେ । ସେହି ଦୁଃଖ ଓ ଅପମାନ ତାଙ୍କ ଅନ୍ତରରେ କ୍ରୋଧ ସୃଷ୍ଟି କଲା । କ୍ରୁଦ୍ଧ ହେଲେ ଦୁର୍ବାସା ନିଜ ଆୟତ୍ତରେ ରହି ପାରନ୍ତି ନାହିଁ । ତେଣୁ ସେ ଇନ୍ଦ୍ରଙ୍କୁ ଅଭିଶାପ ଦେଇ କହିଲେ, ହେ ଦେବରାଜ ଇନ୍ଦ୍ର, ମହାଲକ୍ଷ୍ମୀଙ୍କର ଅଂଶ ରାଜଲକ୍ଷ୍ମୀ ରୂପେ ତୁମ୍ଭ ଠାରେ ବିରାଜମାନ କରିଥିବାରୁ ସ୍ୱର୍ଗରାଜ୍ୟ ଧନ, ଧାନ୍ୟ ଓ ଐଶ୍ୱର୍ଯ୍ୟରେ ଭରି ରହିଛି । ତେଣୁ ତୁମର ଖୁବ୍ ଗର୍ବ ହୋଇଯାଇଛି । ସେଥିପାଇଁ ଦୁର୍ଲଭ ପାରିଜାତ ମାଳର ମହତ୍ତ୍ୱ ତୁମେ ବୁଝିପାରୁ ନାହଁ । ପୁଣି ଶ୍ରଦ୍ଧାରେ ତୁମକୁ କେହି କିଛି ଉପହାର ଦେଲେ ତୁମେ

ସେହି ଉପହାରକୁ ଓ ଉପହାରଦାତାକୁ ଅପମାନିତ କରୁଛ । ଏଣୁ ମୁଁ ତୁମକୁ ଅଭିଶାପ ଦେଉଛି, ଆଜିଠାରୁ ତୁମେ ହତଲକ୍ଷ୍ମୀ ହେବ । ରାଜଲକ୍ଷ୍ମୀ ଆଉ ତୁମ ନିକଟରେ ରହିବେ ନାହିଁ ।

ଦୁର୍ବାସାଙ୍କର ଅଭିଶାପ ତ ଅମୋଘ; ତାହା କେବେ ବ୍ୟର୍ଥ ହେବାର ନୁହେଁ । ତେଣୁ ସେହି ଅଭିଶାପ ଫଳରେ ଲକ୍ଷ୍ମୀ ସ୍ୱର୍ଗରାଜ୍ୟ ଛାଡ଼ି, ବୈକୁଣ୍ଠପୁରକୁ ଯାଇ ମହାଲକ୍ଷ୍ମୀଙ୍କଠାରେ ମିଶିଗଲେ । ଦେବତାମାନଙ୍କର ପୂର୍ବ ତେଜ ଆଉ ରହିଲା ନାହିଁ । ସେମାନେ ଜରାଗ୍ରସ୍ତ ହୋଇଗଲେ । ସେମାନଙ୍କ କେଶ ପାଚିଗଲା । ଦୃଷ୍ଟିଶକ୍ତି କ୍ଷୀଣ ହୋଇଗଲା । ଶକ୍ତି ହ୍ରାସ ପାଇଲା ।

ଦୈତ୍ୟଗଣଙ୍କର ତ ଦେବତାମାନଙ୍କ ସହିତ ଆଜନ୍ମ ଶତ୍ରୁତା ଥାଏ । ଏଣୁ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କ ଦୁର୍ଦ୍ଧଶା ଦେଖି ଦୈତ୍ୟଗଣ ସେମାନଙ୍କ ଉପରେ ଦ୍ୱିଗୁଣ ଉତ୍ସାହରେ ଆକ୍ରମଣ ଆରମ୍ଭ କରିଦେଲେ । ସେମାନଙ୍କର ଅତ୍ୟାଚାରରେ ସମଗ୍ର ସ୍ୱର୍ଗରାଜ୍ୟରେ ହାହାକାର ଖେଳିଗଲା ।

ଦିନକୁଦିନ ଦୈତ୍ୟମାନଙ୍କର ଅତ୍ୟାଚାର ଅଧିକ ହେବାରୁ ଦେବଗଣ ଅତିଷ୍ଠ ହୋଇପଡ଼ିଲେ । ସତ୍ୟଲୋକକୁ ଯାଇ ପ୍ରତିକାର ପାଇଁ ବ୍ରହ୍ମାଙ୍କୁ ନିବେଦନ କଲେ ।

ମାତ୍ର ବ୍ରହ୍ମା ସେମାନଙ୍କୁ ସ୍ପଷ୍ଟ ଜଣାଇଦେଲେ ଯେ ଦୁର୍ବାସାଙ୍କ ଅଭିଶାପ ଫଳରେ ଲକ୍ଷ୍ମୀ ସ୍ୱର୍ଗରାଜ୍ୟ ଛାଡ଼ି ଚାଲିଯାଇଛନ୍ତି । ତେଣୁ ସ୍ୱର୍ଗରାଜ୍ୟର ଏପରି ଦୁର୍ଦ୍ଧଶା । ଯଦି ଲକ୍ଷ୍ମୀ ପୁଣି ଆସି ସ୍ୱର୍ଗର ରାଜଲକ୍ଷ୍ମୀ ରୂପେ ରହନ୍ତି, ତେବେ ଯାଇ ଦେବତାମାନଙ୍କର ପୂର୍ବ ତେଜ ଓ ସୌଭାଗ୍ୟ ଫେରିଆସିବ । ଦେବଲୋକର ସମସ୍ତ ଶ୍ରୀ ଓ ଐଶ୍ୱର୍ଯ୍ୟ ସେମାନେ ପାଇ ପାରିବେ । ମାତ୍ର ସ୍ୱର୍ଗରାଜ୍ୟ ଛାଡ଼ି ଚାଲିଯିବା ପରେ ରାଜଲକ୍ଷ୍ମୀ ଯାଇ ନିଜର ମୂଳ ସତ୍ତା ମହାଲକ୍ଷ୍ମୀଙ୍କ ଠାରେ ମିଶି ଯାଇଛନ୍ତି । ମହାଲକ୍ଷ୍ମୀ ଏବେ ବିଷ୍ଣୁଙ୍କ ସହିତ ବୈକୁଣ୍ଠ ଲୋକରେ ଅବସ୍ଥାନ କରୁଛନ୍ତି । ମହାଲକ୍ଷ୍ମୀଙ୍କୁ ସେଠାରୁ ପୁଣି ସ୍ୱର୍ଗରାଜ୍ୟକୁ ଆଣିବାର କ୍ଷମତା କେବଳ ବିଷ୍ଣୁଙ୍କର ରହିଛି । ଏଣୁ ସମସ୍ତେ ବୈକୁଣ୍ଠଲୋକକୁ ଯାଇ, ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ ।

ତାହା ଜାଣି ଇନ୍ଦ୍ରାଦି ଦେବଗଣ ବ୍ରହ୍ମାଙ୍କ ସହିତ ଯାଇ ବୈକୁଣ୍ଠ ଲୋକରେ ପହଞ୍ଚିଲେ । ସେମାନଙ୍କ ସ୍ତୁତି ଓ ପ୍ରାର୍ଥନାରେ ବିଷ୍ଣୁ ସନ୍ତୁଷ୍ଟ ହେଲେ । କହିଲେ, ଯେଉଁ ରାଜଲକ୍ଷ୍ମୀ ଥରେ ସ୍ୱର୍ଗରାଜ୍ୟ ଛାଡ଼ି ଚାଲିଆସିଛନ୍ତି, ସେ ପୁଣି ସ୍ୱଇଚ୍ଛାରେ ଆଉ ସ୍ୱର୍ଗରାଜ୍ୟକୁ ଫେରିଯାଇପାରିବେ ନାହିଁ । ସେଥିାଇଁ ଦେବଗଣଙ୍କୁ ପ୍ରୟାସ କରିବାକୁ ପଡ଼ିବ । ସେ ଏବେ ମୋର ନିର୍ଦ୍ଦେଶରେ ଯାଇ କ୍ଷୀରସାଗରରେ, କ୍ଷୀରାବ୍‌ଧିଙ୍କର କନ୍ୟା ରୂପେ ଜନ୍ମଗ୍ରହଣ କରିବେ । ତୁମ୍ଭେମାନେ ଦୈତ୍ୟମାନଙ୍କ ସହଯୋଗରେ ସେହି ସାଗର ମନ୍ଥନ କଲେ, ଅନ୍ୟାନ୍ୟ ଐଶ୍ୱର୍ଯ୍ୟ ସହିତ ଲକ୍ଷ୍ମୀଙ୍କୁ ମଧ୍ୟ ଲାଭ କରିପାରିବ ।

ସମୁଦ୍ର ମନ୍ଥନ ତ କିଛି ସହଜ କଥା ନୁହେଁ । ସେଥିାଇଁ ଦେବତା ଓ ଦୈତ୍ୟ ସମସ୍ତଙ୍କର ସହଯୋଗ ଆବଶ୍ୟକ । ତେଣୁ ବିଷ୍ଣୁଙ୍କ ପରାମର୍ଶରେ ଦେବତାମାନଙ୍କ ପକ୍ଷରୁ ଇନ୍ଦ୍ର ପ୍ରତିନିଧି ରୂପେ ଯାଇ ଦୈତ୍ୟରାଜ ବଳିଙ୍କୁ ଭେଟିଲେ । କହିଲେ, ଆମର ପରସ୍ପର ମଧ୍ୟରେ ଯେତେ ଶତ୍ରୁତା ଥିଲେ ବି ଆମେ ଗୋଟିଏ ପିତାର ସନ୍ତାନ । ତେଣୁ ଆମେ ଦୁହେଁ ପରସ୍ପରର ଭାଇ । ଏଣୁ ସମୁଦ୍ର ମନ୍ଥନ କରି ସମସ୍ତଙ୍କର ମଙ୍ଗଳ କାର୍ଯ୍ୟରେ ଆମେ ପରସ୍ପରକୁ ସହଯୋଗ କରିବା ଉଚିତ । ତା’ ନ ହେଲେ ଏହି ମହତ୍ କାର୍ଯ୍ୟ ହୋଇପାରିବ ନାହିଁ । ତା’ଛଡ଼ା ସମୁଦ୍ରମନ୍ଥନରୁ ଯେଉଁସବୁ ଦ୍ରବ୍ୟ ମିଳିବ, ତାହା ଆମେ ପରସ୍ପର ମଧ୍ୟରେ ବାଣ୍ଟି ନେଇପାରିବା । ତାହା ଦ୍ୱାରା ନିଜ ନିଜକୁ ସମୃଦ୍ଧ ମଧ୍ୟ କରିପାରିବା ।

ଏକଥା ଶୁଣି ଦୈତ୍ୟରାଜ ବଳି ଇନ୍ଦ୍ରଙ୍କ ପ୍ରସ୍ତାବରେ ରାଜି ହେଲେ । ସମୁଦ୍ର ମନ୍ଥନ ପାଇଁ ଦିନ ଧାର୍ଯ୍ୟ ହେଲା । ମନ୍ଦର ପର୍ବତ ହେଲା ମନ୍ଥନ-ଦଣ୍ଡ । ସର୍ପରାଜ ବାସୁକୀ ହେଲେ ମନ୍ଥନ-ରଜ୍ଜୁ । ସମୁଦ୍ର ମନ୍ଥନ ପାଇଁ ମନ୍ଦର ପର୍ବତଙ୍କୁ ଭଗବାନ ବିଷ୍ଣୁ କଚ୍ଛପ ରୂପରେ ତଳୁ ପିଠି ଲଗାଇ ଟେକି ରଖିଲେ । ଗୋଟିଏ ପଟରେ ଦେବତାମାନେ ଓ ଅନ୍ୟ ପଟରେ ଦୈତ୍ୟମାନେ ରହି ସମୁଦ୍ର ମନ୍ଥନ କରାଗଲା ।

ସେହି ସମୁଦ୍ର ମନ୍ଥନରୁ ଗୋଟିଏ ପରେ ଗୋଟିଏ ହୋଇ କାମଧେନୁ ନାମକ ଦିବ୍ୟ ଗାଭୀ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ, କୌସ୍ତୂଭମଣି, ପାରିଜାତ ଓ କଳ୍ପବୃକ୍ଷ, ରମ୍ଭା ଅପସରା ଆଦି ବାହାରିଲେ । ହଳାହଳ ବିଷ ମଧ୍ୟ ବାହାରିଥିଲା । ମାତ୍ର ସଂସାରର ମଙ୍ଗଳ ପାଇଁ ଶିବ ସେହି ବିଷକୁ ପାନ କଲେ ।

ସମୁଦ୍ର ମନ୍ଥନରୁ ଅଷ୍ଟମବାର ବାହାରିଲେ ଲକ୍ଷ୍ମୀ । ସେ ଥିଲେ ମହାଲକ୍ଷ୍ମୀଙ୍କର ଅଂଶ ସଂଭୂତା ଏବଂ ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟରେ ଅନୁପମା । ତାଙ୍କର ତେଜ ଓ ସୌନ୍ଦର୍ଯ୍ୟ ଦେଖି ଦେବତା ଓ ଦୈତ୍ୟ ସମସ୍ତଙ୍କ ମଧ୍ୟରେ ଚହଳ ପଡ଼ିଗଲା । ସୂର୍ଯ୍ୟଙ୍କର ପ୍ରଭା, ଅଗ୍ନିଙ୍କର ଦାହିକା ଶକ୍ତି, ଚନ୍ଦ୍ରଙ୍କର ଚନ୍ଦ୍ରିକା- ସବୁ ତାଙ୍କ ନିକଟରେ ଏକୀଭୂତ ହୋଇଥିଲା । ସେ ଥିଲେ କାଞ୍ଚନବର୍ଣ୍ଣା, ଚତୁର୍ଭୁଜା, ସର୍ବ ସୌନ୍ଦର୍ଯ୍ୟ ମଣ୍ଡିତା, ସର୍ବଭୂଷଣ ଭୂଷିତା ଓ ପଦ୍ମାରୂଢ଼ା । ସୁବର୍ଣ୍ଣତୁଲ୍ୟ କାନ୍ତିମୟୀ ସେହି ଦେବୀଙ୍କୁ ହିମାଳୟତୁଲ୍ୟ ଶ୍ୱେତହସ୍ତୀ ସୁବର୍ଣ୍ଣକଳସ ଓ ପଦ୍ମ‌ପୁଷ୍ପ ଦ୍ୱାରା ଅର୍ଚ୍ଚିତ କରୁଥିଲେ । ଦେବୀଙ୍କର ଦୁଇ ହାତରେ ଥିଲା ବରଦ ଓ ଅଭୟ ମୁଦ୍ରା । ଅନ୍ୟ ଦୁଇହାତରେ ସେ ପଦ୍ମ‌ପୁଷ୍ପ ଧାରଣ କରିଥିଲେ ।

କ୍ଷୀରସାଗର ଗର୍ଭରୁ ଆବିର୍ଭୂତା ସେହି ଦେବୀଙ୍କର ଦର୍ଶନ ଲାଭକରି ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବଗଣ ତାଙ୍କୁ ଦିବ୍ୟ ସ୍ତୁତି କଲେ । ଇନ୍ଦ୍ର ସ୍ତୁତି କରି କହିଲେ- ହେ ମହିମାମୟୀ ମା’ ଲକ୍ଷ୍ମୀ, ତୁମର ଦର୍ଶନ ଲାଭ ମାତ୍ରେ ବା ତୁମର କୃପା ଦୃଷ୍ଟି ମାତ୍ରେ ନିର୍ଗୁଣ ମନୁଷ୍ୟ ମଧ୍ୟରେ ବି

ଶୀଳ, ବିଦ୍ୟା, ବିନୟ, ଔଦାର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ କାନ୍ତି ଆଦି ସମସ୍ତ ସଦ୍‌ଗୁଣ ଜାତ ହୁଏ । ତାହା ଫଳରେ ମନୁଷ୍ୟ ମଧ୍ୟରେ ବିଶ୍ୱପ୍ରେମ ଜାଗ୍ରତ ହୁଏ । ତାହାର ସମସ୍ତ ସମୃଦ୍ଧି ହୁଏ । ସମସ୍ତେ ତାହାକୁ ଆଦର କରନ୍ତି ।

ତା'ପରେ ଦେବଗଣ କ୍ଷୀରସାଗର ସଂଭୂତା ଲକ୍ଷ୍ମୀଦେବୀଙ୍କର ଅଭିଷେକ କରାଇଲେ । ଲକ୍ଷ୍ମୀଦେବୀ ପ୍ରସନ୍ନା ହୋଇ ପୁନର୍ବାର ରାଜଲକ୍ଷ୍ମୀ ଭାବରେ ସ୍ୱର୍ଗରାଜ୍ୟରେ ଅବସ୍ଥାନ କଲେ । ଏହା ଫଳରେ ସ୍ୱର୍ଗଲୋକର ଶ୍ରୀ ଓ ଐଶ୍ୱର୍ଯ୍ୟ ପୁଣି ଫେରିଆସିଲା । ଦେବତାମାନେ ମଧ୍ୟ ସେମାନଙ୍କର ହୃତ ତେଜ ଓ ଶକ୍ତି ଫେରିପାଇଲେ ।

ମହାଲକ୍ଷ୍ମୀଙ୍କ ମୂଳ ସତ୍ତାର ଅଂଶରୁ ସୃଷ୍ଟି ହୋଇଥିବାରୁ ବିଷ୍ଣୁ ତାଙ୍କୁ ନିଜର ପତ୍ନୀ ରୂପେ ଗ୍ରହଣ କଲେ ।

ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ ଲକ୍ଷ୍ମୀଙ୍କୁ ପୁଣି ଫେରିପାଇବା ପାଇଁ ଇନ୍ଦ୍ରାଦି ଦେବଗଣ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ଲକ୍ଷ୍ମୀ କେଉଁ ସବୁ ସ୍ଥାନରେ ଅବସ୍ଥାନ କରନ୍ତି, ସେ ସମ୍ପର୍କରେ ବିଷ୍ଣୁ ସେମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ । ସେତେବେଳେ ସେ କହିଥିଲେ, ଯେଉଁ ସ୍ଥାନ ଅପରିଷ୍କାର ବା ଅପବିତ୍ର ହୋଇଥାଏ, ସେ ସ୍ଥାନକୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି । ଯେଉଁ ସ୍ଥାନ ରୁଚିବନ୍ତ ଓ ଶୁଚିମନ୍ତ, ସେହି ସ୍ଥାନରେ ହିଁ ଲକ୍ଷ୍ମୀ ଅବସ୍ଥାନ କରନ୍ତି ।

ଏ ସମ୍ପର୍କରେ ଆମ ଓଡ଼ିଶାର ପୁରାଣମାନଙ୍କରେ ଏକ ଚମତ୍କାର କାହାଣୀ ଅଛି । ବଳରାମ ଦାସଙ୍କ 'ଲକ୍ଷ୍ମୀପୁରାଣ'ରେ ହିଁ ଅଧିକ ବିଶଦ ଭାବରେ ସେହି କାହାଣୀ ବର୍ଣ୍ଣିତ ହୋଇଛି । କାହାଣୀଟି ଏହପରି :

ଶ୍ରୀୟା ନାମରେ ଏକ ଚଣ୍ଡାଳୁଣୀ ଥିଲା । ସେ ପ୍ରତି ଗୁରୁବାର ଦିନ, ବିଶେଷକରି ମାର୍ଗଶିର ମାସ ଗୁରୁବାର ଦିନ ଅତ୍ୟନ୍ତ ଶୁଚିମନ୍ତ ହୋଇ ଲକ୍ଷ୍ମୀଙ୍କୁ ପୂଜା କରେ । ଥରେ ଲକ୍ଷ୍ମୀ ତା’ର ଭକ୍ତିରେ ଓ ତା’ ଘରର ଶୁଚିମନ୍ତ ପରିବେଶରେ ମୁଗ୍ଧ ହୋଇ ତା’ ଘରକୁ ଯାଇ ତା’ଠାରୁ ପୂଜା ଗ୍ରହଣ କଲେ । ମାତ୍ର ତାହା ତାଙ୍କର ଦେଢ଼ଶୁର ବଳରାମଙ୍କର ପସନ୍ଦ ହେଲା ନାହିଁ । ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ବାହାର କରିଦେବା ପାଇଁ ସେ ଜଗନ୍ନାଥଙ୍କୁ କହିଲେ । ଜଗନ୍ନାଥ ଯେତେ ବୁଝାଇଲେ ମଧ୍ୟ ଶୁଣିଲେ ନାହିଁ । ଫଳରେ ବାଧ୍ୟ ହୋଇ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ରହିବାକୁ ଜଗନ୍ନାଥ ଅନୁମତି ଦେଲେ ନାହିଁ । ଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ଚାଲିଯିବାରୁ ଶ୍ରୀମନ୍ଦିର ହତଶ୍ରୀ ହୋଇଗଲା । ଜଗନ୍ନାଥ ଓ ବଳଭଦ୍ର, ଖାଇବା ପିନ୍ଧିବା ପାଇଁ କିଛି ପାଇଲେ ନାହିଁ । ଖୁବ୍ ହଇରାଣ ହରକତ ହେଲେ । ସବା ଶେଷରେ ଲକ୍ଷ୍ମୀ ରାନ୍ଧି ଖାଇବାକୁ ଦେବାରୁ ଖାଇଲେ । ସେମାନଙ୍କର ଭ୍ରମ ଦୂର ହେଲା ।

Aama Debadebi.pdf
ଶ୍ୱେତଧାନରେ ତିଆରି ମୁକୁଟ ଓ ଅଳଙ୍କାରରେ ଶୋଭିତ ଦେବୀ ଲକ୍ଷ୍ମୀ

ଆମ ଓଡ଼ିଆ ପୁରାଣରେ ବର୍ଣ୍ଣିତ ଏହି କାହାଣୀରେ ଅନେକ ବିଶେଷତ୍ୱ ରହିଛି । ସେହି ବିଶେଷତ୍ୱ ହେଉଛି, ବ୍ରାହ୍ମଣ ହୁଅନ୍ତୁ ବା ଚଣ୍ଡାଳ- ଯିଏ ଶୁଚିମନ୍ତ ହୋଇ, ମନରେ ଭକ୍ତି ରଖି ପୂଜା କରେ, ଦେବୀ ବା ଦେବତା ତା’ ପ୍ରତି ପ୍ରସନ୍ନ ହୁଅନ୍ତି । ଦେବୀ ବା ଦେବତାଙ୍କ ନିକଟରେ ଜାତିଭେଦର କିଛି ମୂଲ୍ୟ ନାହିଁ ।

ଆମ ଦେଶରେ ଗାଈର ଗୋବରକୁ ପବିତ୍ର ବୋଲି ମନେ କରାଯାଏ । ସେଥିରେ ଲକ୍ଷ୍ମୀ ବିରାଜମାନ କରନ୍ତି ବୋଲି ମଧ୍ୟ ପୁରାଣରେ କୁହାଯାଇଛି । ମହାଭାରତ, ଅନୁଶାସନ ପର୍ବର କାହାଣୀ ଅନୁସାରେ, ଥରେ ଗୋଠେ ଗାଈ ଘାସ ଚରୁଥିଲେ । ଶାନ୍ତ, ସୁଶୀଳ ସ୍ୱଭାବର ସେହି ଗାଈମାନଙ୍କୁ ଦେଖି ଲକ୍ଷ୍ମୀ ଖୁବ୍ ଖୁସି ହୋଇ ସେମାନଙ୍କୁ ବର ଯାଚିଲେ । ଗାଈମାନେ ସ୍ୱଭାବତଃ ସମୃଦ୍ଧିମନ୍ତ । ତେଣୁ ସେମାନେ କହିଲେ, ଆମର ଯେତିକି ଅଛି, ସେତିକିରେ ଆମେ ଖୁସି । ଆଉ କିଛି ଆମର ଦରକାର ନାହିଁ । ମାତ୍ର ଲକ୍ଷ୍ମୀ ସେମାନଙ୍କୁ ବର ଦେବା ପାଇଁ ପୁଣି ଅନୁରୋଧ କରିବାରୁ ସେମାନେ କହିଲେ, ଯଦି ଚାହୁଁଛନ୍ତି, ତେବେ ଏହି ବର ଦିଅନ୍ତୁ ଯେ ଆମର ଗୋବର ମଧ୍ୟ ସମୃଦ୍ଧିମନ୍ତ ହେବ । ଲକ୍ଷ୍ମୀ ସେହି ବର ଦେଲେ । ତେଣୁ ଗୋବରରେ ଲିପା ସ୍ଥାନ ପବିତ୍ର ଏବଂ ତାହା ଦ୍ୱାରା ସମୃଦ୍ଧି ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ । କାରଣ ଲକ୍ଷ୍ମୀ ସେଇଠି ବିରାଜମାନ କରନ୍ତି ।

ଲକ୍ଷ୍ମୀ ଶସ୍ୟ ଓ ସମୃଦ୍ଧିର ଦେବୀ । ଆମ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଆମ ରାଜ୍ୟରେ ପାଚିଲା ଧାନକୁ ଲକ୍ଷ୍ମୀଙ୍କର ପ୍ରତୀକ ରୂପେ ଗ୍ରହଣ କରାଯାଇଛି । ସେଥିପାଇଁ ମାର୍ଗଶିର ମାସରେ ଫସଲ ଅମଳ ବେଳେ ନୂଆ ଓ ପାଚିଲା ଧାନ-ମେଣ୍ଟା ଏବଂ ଧାନଭର୍ତ୍ତି ମାଣକୁ ଖଟୁଲିରେ ରଖି ଲକ୍ଷ୍ମୀରୂପେ ପୂଜା କରାଯାଏ । ଏହା ଏକ କୃଷିକାରୀ ସଂସ୍କୃତିର ପ୍ରଥା । ମାର୍ଗଶିର ମାସ ଗୁରୁବାର ଦିନ ଏହି ପୂଜା କରାଯାଏ । ସୁଦଶାବ୍ରତ ମଧ୍ୟ ଲକ୍ଷ୍ମୀଙ୍କର ଉପାସନା ପାଇଁ ଆଉ ଏକ ବ୍ରତ । ବର୍ଷର ଯେ କୌଣସି ମାସ ହେଉ, ପକ୍ଷ ଦଶମୀ ତିଥି ଯଦି ଗୁରୁବାରରେ ପଡେ, ଏହି ବ୍ରତ କରାଯାଏ ।

ଆମ ଭାରତବର୍ଷର ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁଯାୟୀ ଏହି ଲକ୍ଷ୍ମୀ, ମହାଲକ୍ଷ୍ମୀ ରୂପେ ବିଷ୍ଣୁଙ୍କର ପତ୍ନୀ । ତେବେ ରାଜଲକ୍ଷ୍ମୀ ଭାବରେ ସେ ରାଜା ବା ଶାସକଙ୍କ ନିକଟରେ ଅବସ୍ଥାନ କରନ୍ତି । ରାଜା ବା ଶାସକଙ୍କ ନିକଟରେ ଲକ୍ଷ୍ମୀ ଖୁବ୍ ଚଞ୍ଚଳା । ଯେଉଁ ରାଜା ଅନ୍ୟାୟ ଆଚରଣ କରନ୍ତି, ରାଜଲକ୍ଷ୍ମୀ ତାଙ୍କୁ ଛାଡ଼ି ଚାଲିଯାଆନ୍ତି । ଫଳରେ ରାଜ୍ୟରେ ଅନାଚାର ବ୍ୟାପିଯାଏ । ଦୁର୍ବିପାକ ଦେଖାଦିଏ ।

ପୁରାଣମାନଙ୍କରେ ଆହୁରି ମଧ୍ୟ କୁହାଯାଇଛି ଯେ ଭଗବାନ ବିଭିନ୍ନ ଅବତାରରେ ଆବିର୍ଭୂତ ହେଲାବେଳେ ମହାଲକ୍ଷ୍ମୀ ମଧ୍ୟ ବିଭିନ୍ନ ରୂପରେ ସେ ଆବିର୍ଭୂତା ହୋଇଥାନ୍ତି । ଭଗବାନ ବିଷ୍ଣୁଙ୍କ ବାମନ ଅବତାରରେ ସେ ପଦ୍ମରୂପେ, ପରଶୁରାମ ଅବତାରରେ ଧାରଣୀ ରୂପେ, ରାମ ଅବତାରରେ ସୀତା ରୂପେ ଏବଂ କୃଷ୍ଣ ଅବତାରରେ ପ୍ରଥମେ ରାଧା ଓ ପରେ ରୁକ୍ମିଣୀ ରୂପେ ଆବିର୍ଭୂତା ହୋଇଥିଲେ । ବିଭିନ୍ନ ସମୟରେ ସେ ତୁଳସୀ ଓ ବେଦମତୀ ଆଦି ରୂପରେ ମଧ୍ୟ ଜନ୍ମଗ୍ରହଣ କରିଥିଲେ ।

ବିଭିନ୍ନ ପୁରାଣ ଓ ଶାସ୍ତ୍ରଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପର ବର୍ଣ୍ଣନା କରାଯାଇଛି । କେଉଁଠାରେ ସେ ଦ୍ୱିଭୁଜା ତ କେଉଁଠାରେ ଚତୁର୍ଭୁଜା । ପୁଣି କେଉଁଠାରେ ସେ କମଳ ବା ପ୍ରସ୍ଫୁଟିତ ପଦ୍ମ ଉପରେ ଉପବେଶନ କରିଥିବା ଦେଖାଯାଏ ତ କେଉଁଠି ତାଙ୍କୁ ପଦ୍ମ ଉପରେ ବିରାଜମାନ ଥିବା ଦେଖାଯାଏ । ପରବର୍ତ୍ତୀ କାଳର କେତେକ ମୂର୍ତ୍ତିରେ ତାଙ୍କର ମୁକ୍ତ କରତଳରୁ ସ୍ୱର୍ଣ୍ଣମୁଦ୍ରାମାନ ଝରି ପଡ଼ୁଥିବା ଦେଖାଯାଇଛି । ସମଗ୍ର ଭାରତରେ ଲକ୍ଷ୍ମୀ ଓ ନାରାୟଣଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ଅଛି । ସେହିସବୁ ମୂର୍ତ୍ତିରେ ସେ ବିଷ୍ଣୁ ବା ନାରାୟଣଙ୍କ ସହିତ ଗରୁଡ଼ ଉପରେ ଉପବେଶନ କରିଥିବା ବା ବିଷ୍ଣୁଙ୍କର ବକ୍ଷ ସ୍ଥଳରେ ବିରାଜମାନ କରିଥିବା ଦେଖାଯାଏ ।

ଲକ୍ଷ୍ମୀଦେବୀଙ୍କର ଶତନାମ ବା ସହସ୍ର ନାମ ସ୍ତୋତ୍ର ମଧ୍ୟ ଆମର ଶାସ୍ତ୍ର ଗ୍ରନ୍ଥାଦିରୁ ମିଳେ । ତେବେ ଲକ୍ଷ୍ମୀଦେବୀଙ୍କର ଯେଉଁ କେତୋଟି ନାମ ଅତ୍ୟନ୍ତ ଲୋକପ୍ରିୟ, ସେହି ନାମଗୁଡ଼ିକର

ଉଲ୍ଲେଖ 'ଅମରକୋଷ'ରେ ଅଛି । ତାହା ହେଉଛି- ଲକ୍ଷ୍ମୀ, ପଦ୍ମାଳୟା, ପଦ୍ମା, କମଳା, ଶ୍ରୀହରିପ୍ରିୟା, ଇନ୍ଦିରା, ଲୋକମାତା, ମା, କ୍ଷୀରାବ୍‌ଧିତନୟା ଓ ରମା । ପ୍ରାଚୀନତମ ଗ୍ରନ୍ଥ ଋକ୍‌ବେଦର ଶ୍ରୀ ସୂକ୍ତ ଦେବୀ ଲକ୍ଷ୍ମୀଙ୍କ ସହିତ ସମ୍ବନ୍ଧିତ ।

ବୈଷ୍ଣବମାନଙ୍କର ବିଭିନ୍ନ ସଂପ୍ରଦାୟ ମଧ୍ୟରୁ ଶ୍ରୀସଂପ୍ରଦାୟ ଅନ୍ୟତମ । ଲକ୍ଷ୍ମୀଦେବୀଙ୍କ ନାମାନୁସାରେ ସେହି ସଂପ୍ରଦାୟ ନାମିତ ହୋଇଛି । ଏହାର ଅନୁଗାମୀମାନେ ଲକ୍ଷ୍ମୀ- ନାରାୟଣଙ୍କର ଉପାସକ । ଦାକ୍ଷିଣାତ୍ୟର ବିଶିଷ୍ଟ ବିଦ୍ୱାନ ରାମାନୁଜାଚାର୍ଯ୍ୟ ଏହି ସଂପ୍ରଦାୟର ପ୍ରତିଷ୍ଠାତା । ତାଙ୍କର ସମୟ ଦ୍ୱାଦଶ ଶତାବ୍ଦୀ । ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟ ଏହି ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ନାମ ମଧ୍ୟ ଶ୍ରୀମନ୍ଦିର । ଶ୍ରୀମନ୍ଦିରର ଦଧିନଉତି ଉପର କଳସରେ ଏହି ସଂପ୍ରଦାୟର ଭକ୍ତମାନେ ଧାରଣ କରୁଥିବା ଚିତା ଶୋଭାପାଏ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାରେ ଏବେ ଯେଉଁ ଲକ୍ଷ୍ମୀ ମନ୍ଦିର ଅଛି, ତାହା ରାମାନୁଜାଚାର୍ଯ୍ୟଙ୍କ ଅନୁରୋଧକ୍ରମେ ରାଜା ଚୋଡ଼ଗଙ୍ଗ ଦେବ ପ୍ରତିଷ୍ଠା କରିଥିବା ଜଣାଯାଏ । ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ଉପରେ ମଧ୍ୟ ଲକ୍ଷ୍ମୀଦେବୀଙ୍କର ସୁନ୍ଦର ପ୍ରତିମା ବିରାଜିତା ।

ଲକ୍ଷ୍ମୀଦେବୀଙ୍କୁ ଯେଉଁସବୁ ସ୍ତୋତ୍ର ବା ଶ୍ଳୋକରେ ସ୍ତୁତି କରାଯାଏ ସେସବୁ ମଧ୍ୟରୁ 'ଶାରଦା ତିଳକ'ରେ ଥିବା ଗୋଟିଏ ଧ୍ୟାନ ଶ୍ଳୋକ ଖୁବ୍ ପ୍ରସିଦ୍ଧ । ସେଥିରେ କୁହାଯାଇଛି-

କାନ୍ତ୍ୟା କାଞ୍ଚନସନ୍ନିଭାଂ ହିମଗିରି ପ୍ରଖ୍ୟୈ ଶ୍ଚତୁର୍ଭିର୍ଗଜୈ ।
ହସ୍ତୋତ୍‌କ୍ଷିପ୍ତ ହିରଣ୍ମୟାମୃତ ଘଟୈ ରାସିଚ୍ୟମାନାଂଶ୍ରିୟମ୍ ॥
ବିଭ୍ରାଣାଂ ବରମବ୍‌ଜଯୁଗ୍ମମଭୟାଂ ହସ୍ତୈଃ କିରୀଟୋଜ୍ଜ୍ୱଳାଂ ।
କ୍ଷୋମାବଦ୍ଧ ନିତମ୍ବବିମ୍ବ ଲଳିତାଂ ବନ୍ଦେଽରବିନ୍ଦସ୍ଥିତାମ୍ ॥

ଅର୍ଥାତ୍, ଯାହାଙ୍କର କାନ୍ତି ଶୁଦ୍ଧ ସୁବର୍ଣ୍ଣ ପରି ପ୍ରଭାମୟ ଏବଂ ଯାହାଙ୍କୁ ହିମାଳୟ ପରି ଉଚ୍ଚ ଓ ଶୁଭ୍ର ଚାରିଟି ଶ୍ୱେତ ଗଜରାଜ ନିଜର ଶୁଣ୍ଢରେ ଅମୃତକଳସ ଧାରଣ କରି ଅହରହ ଅଭିଷେକ କରୁଥା’ନ୍ତି; ଯେ ନିଜର ଚତୁର୍ହସ୍ତରେ ଯଥାକ୍ରମେ ବରଦ ଓ ଅଭୟମୁଦ୍ରା ଏବଂ କମଳ ପୁଷ୍ପ ଧାରଣ କରିଥାଆନ୍ତି; ଯାହାଙ୍କର ମସ୍ତକ ଉଜ୍ଜ୍ୱଳ ବର୍ଣ୍ଣର ଭବ୍ୟ କିରୀଟ ଦ୍ୱାରା ଶୋଭିତ; ଯାହାଙ୍କର କଟିଦେଶରେ କୌଶେୟ ବସନ ଶୋଭା ପାଉଥାଏ; ପ୍ରସ୍ଫୁଟିତ ପଦ୍ମ ଉପରେ ଆରୂଢ଼ା, ସେହି ଭଗବତୀ ଲକ୍ଷ୍ମୀଙ୍କୁ ମୁଁ ବନ୍ଦନା କରୁଛି ।

Aama Debadebi.pdf
ବ୍ରହ୍ମା

ହିନ୍ଦୁ ଧର୍ମମତ ଓ ଶାସ୍ତ୍ର ପୁରାଣରେ ଯେଉଁ ତିନି ଦେବତାଙ୍କୁ ସବୁ ଦେବତାଙ୍କ ମଧ୍ୟରେ ମୁଖ୍ୟ ବୋଲି ଗ୍ରହଣ କରାଯାଇଛି, ସେହି ତ୍ରିଦେବ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହେଶ୍ୱର ବା ଶିବ ସଂହାରକର୍ତ୍ତା । ଏହି ବୃହତ୍ ଦେବତା-ତ୍ରୟୀଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ବ୍ରହ୍ମା । କାରଣ ସେ ଏ ସମଗ୍ର ଜଗତର ପିତା ବା ସ୍ରଷ୍ଟା ।

ମାତ୍ର ବ୍ରହ୍ମା ଦେବତାମାନଙ୍କ ମଧ୍ୟରେ ପ୍ରଥମ ହେଲେ ହେଁ ତାଙ୍କର ସୃଷ୍ଟି, ପରମାତ୍ମା ବା ଭଗବାନ ନାରାୟଣଙ୍କ ନାଭି-ପଦ୍ମରୁ । ଆମ ଭାରତର ପ୍ରାୟ ସବୁ ପୁରାଣରେ ଏହି କାହାଣୀ ଦେଖିବାକୁ ମିଳେ । ଦେବୀ ପୁରାଣରେ ଏ କାହାଣୀକୁ ଅତ୍ୟନ୍ତ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । କାହାଣୀଟି ହେଉଛି, ମହାପ୍ରଳୟ ହୋଇ ସମଗ୍ର ସୃଷ୍ଟି ଧ୍ୱଂସ ହେଲା । ତା’ପରେ ପୁଣି ଯେତେବେଳେ ସୃଷ୍ଟି ଆରମ୍ଭ ହେବାର ସମୟ ହେଲା, ସେତେବେଳେ ଭଗବାନ ବିଷ୍ଣୁ ଏକ ଶିଶୁ ରୂପରେ ପ୍ରଳୟ ଜଳରେ ଭାସୁଥିବା ଏକ ବଟପତ୍ର ଉପରେ ଶୋଇରହିଥିବାର ଦେଖାଗଲା । କ୍ରମେ ଯେତେବେଳେ ତାଙ୍କର ଆଖି ଖୋଲିଲା, ସେ ଭାବିଲେ, ମୁଁ କିଏ? କିଏ ମତେ ସୃଷ୍ଟି କଲା? କାହିଁକି ସୃଷ୍ଟି କଲା? ମୁଁ କରିବି କଣ?

ସେତେବେଳେ ଶୂନ୍ୟରୁ ଏକ ସ୍ୱର ଶୁଣାଗଲା । ସେହି ସ୍ୱର କହୁଥିଲା, ସବୁକିଛି ହେଉଛି ମୁଁ । ମୋ ବିନା କିଛି ନିତ୍ୟ ନୁହେଁ । ସେହି ସ୍ୱର କେଉଁଠୁ ଆସୁଛି, ତାହା ଜାଣିବା ପାଇଁ ଭଗବାନ ନାରାୟଣ ଚାରିଆଡକୁ ଚାହିଁଲେ । ମାତ୍ର କିଛି ଦେଖିପାରିଲେ ନାହିଁ ।

ସେତେବେଳେ ଏକ ବିଚିତ୍ର ଘଟଣା ଘଟିଲା । ମହାଦେବୀ ତାଙ୍କ ଆଗରେ ଆସି ଆବିର୍ଭୂତ ହେଲେ । ତାଙ୍କର ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଥିଲା । ସମ୍ପତ୍ତି ଓ ଶକ୍ତିମାନେ ଦିବ୍ୟ ନାରୀ ରୂରେ ତାଙ୍କ ଚର୍ତୁପାର୍ଶ୍ୱରେ ବେଢ଼ି ରହିଥିଲେ । ସେହି ସମ୍ପତ୍ତି ଓ ଶକ୍ତିମାନେ ହେଉଛିନ୍ତ- ରତି, ଭୂତି, ବୁଦ୍ଧି, ମତି, କୀର୍ତ୍ତି, ଧୃତି, ସ୍ମୃତି, ଶ୍ରଦ୍ଧା, ମେଧା, ସ୍ୱଧା, ସ୍ୱାହା, କ୍ଷୁଧା, ନିଦ୍ରା, ଦୟା, ଗତି, ତୁଷ୍ଟି, ପୁଷ୍ଟି, କ୍ଷମା, ଲଜ୍ଜା, ଜୃମ୍ଭା ଓ ତନ୍ଦ୍ରା । ଏ ସମସ୍ତଙ୍କ ଦ୍ୱାରା ପରିବେଷ୍ଟିତା ହୋଇଥିବା ମହାଦେବୀ ଭଗବାନଙ୍କୁ କହିଲେ, ଏ ଜଗତ ବାରମ୍ବାର ସୃଷ୍ଟି ହୁଏ, ବିକାଶ ଲାଭ କରେ ଓ ଶେଷରେ ବିନାଶ ହୁଏ । ତା’ପରେ ତୁମେ ହିଁ ନୂଆ ସୃଷ୍ଟି କରିଥାଅ । ଏଥର ମଧ୍ୟ ତୁମେ ହିଁ ପୁଣି ନୂଆ ସୃଷ୍ଟି କରିବ । ପ୍ରଳୟକାଳ ଶେଷ ହେଲାଣି । ତେଣୁ କାଳାତ୍ମିକା ଶକ୍ତିକୁ ନିଜ ଶରୀରରେ ଧାରଣ କରି ତୁମେ ଯେଉଁ ଯୋଗ ନିଦ୍ରାରେ ଶୋଇ ରହିଥିଲ, ତାହାକୁ ଛାଡି, ନୂଆ ସୃଷ୍ଟିରେ ପ୍ରବୃତ୍ତ ହୁଅ । ତୁମର ନାଭିପଦ୍ମରୁ ବ୍ରହ୍ମା ଜାତ ହେବେ ଓ ନୂଆ ସୃଷ୍ଟି କରିବେ । ମହାଦେବୀଙ୍କର ସେହି କଥା ଶୁଣିବା ପରେ ଭଗବାନ ନାରାୟଣ ନିଜର ସମସ୍ତ ଗୁଣକୁ ଆଶ୍ରୟ କରି ନୂଆ ସୃଷ୍ଟିରେ ପ୍ରବୃତ୍ତ ହେଲେ । ତାପରେ ଭଗବାନ ନାରାୟଣଙ୍କ ନାଭିରୁ ଗୋଟିଏ ପଦ୍ମ ବିକଶିତ ହେଲା । ସେହି ପଦ୍ମର କର୍ଣ୍ଣିକା ବା କେଶର ଉପରେ ଦେଖାଦେଲେ ଆଦି ଦେବତା ବ୍ରହ୍ମା ।

ମନୁସ୍ମୃତି, ବାମନ ପୁରାଣ ଓ ଶ୍ରୀମଦ୍‌ଭାଗବତରେ ବ୍ରହ୍ମାଙ୍କର ଉଦ୍ଭବ ସମ୍ପର୍କରେ ଚମତ୍କାର ବର୍ଣ୍ଣନା ରହିଛି । ଶ୍ରୀମଦ୍‌ଭାଗବତରେ ବର୍ଣ୍ଣନା ଅଛି ଯେ ସୃଷ୍ଟି ହେବା ପରେ ବ୍ରହ୍ମା ଚାରିଆଡ଼କୁ ଆଖିବୁଲାଇ ଦେଖିବାକୁ ଚାହିଁଲେ । ଫଳରେ ସେହି ଉତ୍ସୁକ ଭାବରୁ ତାଙ୍କର ଚାରିଟି ମୁଖ ସୃଷ୍ଟି ହେଲା ।

ଶ୍ରୀମଦ୍‌ଭାଗବତରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଶୂନ୍ୟରେ ଚାରିଆଡ଼କୁ ଚାହିଁଲେ ମଧ୍ୟ ବ୍ରହ୍ମା କିଛି ଦେଖିପାରିଲେ ନାହିଁ । ସେ ନିଜେ କେଉଁଠି ଅଛନ୍ତି, ତାହା ମଧ୍ୟ ଜାଣି ପାରିଲେ ନାହିଁ । ଭାବିଲେ, ମୁଁ କିଏ ? କାହିଁକି ଆସିଲି ? ପୁଣି କେଉଁଠୁ ଆସିଲି? ଏ ଯେଉଁ ପଦ୍ମ, ତାହା କେଉଁଠାରୁ ଫୁଟିଛି? ତାହା ଜାଣିବା ପାଇଁ ସେ ମହାଦେବୀ ଜଗଦମ୍ବା ଓ ଭଗବାନ ନାରାୟଣଙ୍କୁ ତପସ୍ୟା କଲେ ।

ବ୍ରହ୍ମାଙ୍କର ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କୁ ଦର୍ଶନ ଦେଲେ । ଯେଉଁ ରୂପ ପୂର୍ବରୁ କେହି ଦେଖିବାର ସୌଭାଗ୍ୟ ଲାଭ କରିନାହାନ୍ତି, ତାଙ୍କର ଦର୍ଶନ ବ୍ରହ୍ମା ପାଇଲେ । ମହାନୀଳମଣିକୁ ମଳିନ କରିଦେବା ପରି ଜ୍ୟୋତି ତାଙ୍କ ଶରୀରରୁ ନିର୍ଗତ ହେଉଥିଲା ।

ନୀଳମଣି ଠାରୁ ଆହୁରି ଉଜ୍ଜ୍ୱଳ କାନ୍ତି ବିଶିଷ୍ଟ ସେହି ପରମପୁରୁଷଙ୍କ ଦର୍ଶନ ପାଇ ବ୍ରହ୍ମା ତାହାଙ୍କୁ ସମଗ୍ର ସୃଷ୍ଟିର ମୂଳ କାରଣ ଭାବି ସ୍ତୁତି କରିବାକୁ ଲାଗିଲେ । ଭଗବାନ ନାରାୟଣ ତାଙ୍କୁ ଜଗତ୍ ସୃଷ୍ଟି କରିବାକୁ ଆଜ୍ଞା ଦେଲେ । ନାରାୟଣଙ୍କ ଆଜ୍ଞା ପାଇ ବ୍ରହ୍ମା ସୃଷ୍ଟି କାର୍ଯ୍ୟରେ ପ୍ରବୃତ୍ତ ହେଲେ ।

ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ, ସୃଷ୍ଟିର ବିସ୍ତାର ପାଇଁ, ସନକାଦି ଚାରି ମାନସପୁତ୍ରଙ୍କ ବ୍ୟତୀତ ମରୀଚି, ପୁଲସ୍ତ୍ୟ, ପୁଲହ, କ୍ରତୁ, ଅଙ୍ଗିରା, ଭୃଗୁ, ବଶିଷ୍ଠ, ଦକ୍ଷ ଆଦି ମାନସପୁତ୍ରଙ୍କୁ ବ୍ରହ୍ମା ସୃଷ୍ଟି କଲେ । ତା'ପରେ ସ୍ୱାୟମ୍ଭୁବ ମନୁ ଆଦିଙ୍କଠାରୁ ସମସ୍ତ ପ୍ରକାରର ସୃଷ୍ଟି ହେବାରେ ଲାଗିଲା ।

ପୁରାଣ ଓ ସ୍ମୃତିଗ୍ରନ୍ଥମାନଙ୍କରେ ବ୍ରହ୍ମାଙ୍କର ବହୁ ପୁତ୍ର ଥିବା ଉଲ୍ଲେଖ ଅଛି । ଉଲ୍ଲେଖ ଅଛି ଯେ ବ୍ରହ୍ମା ନିଜ ମାନସିକ ସଂକଳ୍ପରୁ ‘ପ୍ରଜାପତି’ମାନଙ୍କୁ ସୃଷ୍ଟି କରିଥିଲେ । ସେମାନଙ୍କ ଠାରୁ ସୃଷ୍ଟିର ସମସ୍ତ ପ୍ରଜା (ଜୀବ) ଉତ୍ପନ୍ନ ହୋଇଥିଲେ । ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ ଓ କର୍ଦ୍ଦମ-ଏହି ଦଶ ଜଣ ହେଉଛନ୍ତି ମୁଖ୍ୟ ପ୍ରଜାପତି । ଏହି ଦଶ ପ୍ରଜାପତିଙ୍କ ମଧ୍ୟରୁ ମରୀଚିଙ୍କର ପୁତ୍ର କଶ୍ୟପ ଓ ଦକ୍ଷଙ୍କ ଠାରୁ ଅନେକ ସନ୍ତାନ ଜାତ ହୋଇ ସମଗ୍ର ତ୍ରିଲୋକରେ ବ୍ୟାପିଯାଇଥିଲେ ।

ପ୍ରଜା-ବିସ୍ତାରରେ ଦକ୍ଷଙ୍କର ଥିଲା ସବୁଠୁ ବେଶି ରୁଚି । ତେଣୁ ବ୍ରହ୍ମା ତାଙ୍କୁ ସମସ୍ତ ପ୍ରଜାପତିଙ୍କ ମଧ୍ୟରେ ମୁଖ୍ୟ କରିଥିଲେ । ଦକ୍ଷଙ୍କର ଥିଲେ ଅନେକ କନ୍ୟା । ସେମାନଙ୍କ ମଧ୍ୟରୁ ଅନେକେ ଚନ୍ଦ୍ର, କଶ୍ୟପ ଓ ଧର୍ମଙ୍କର ପତ୍ନୀ ହୋଇଥିଲେ । ମରୀଚିଙ୍କର ପୁତ୍ର କଶ୍ୟପଙ୍କର ଥିଲେ ଦଶ ପତ୍ନୀ । ସେମାନଙ୍କ ମଧ୍ୟରୁ ଅଦିତିଙ୍କ ଠାରୁ ଦେବତା, ଦିତିଙ୍କ ଠାରୁ ଦୈତ୍ୟ ଓ ଦନୁଙ୍କଠାରୁ ଦାନବଗଣ ଉତ୍ପନ୍ନ ହୋଇଥିଲେ । ଏହିପରି ଭାବରେ ସମସ୍ତ ଦେବତା ଏବଂ ଦେବତାଙ୍କର ଅନ୍ୟ ଶ୍ରେଣୀ, ଯଥା- ବିଦ୍ୟାଧର, ନାଗ, କିନ୍ନର ଆଦିଙ୍କର ଉତ୍ପତ୍ତି ହୋଇଥିଲା ।

ମନୁଷ୍ୟମାନଙ୍କର ଉତ୍ପତ୍ତି ମଧ୍ୟ ଏହିପରି ଭାବରେ ବ୍ରହ୍ମାଙ୍କଠାରୁ ହୋଇଥିଲା । ସ୍ୱାୟମ୍ଭୁବ ମନୁ ଥିଲେ ବ୍ରହ୍ମାଙ୍କ ପୁତ୍ର । ସେ ବ୍ରହ୍ମାଙ୍କ ଶରୀରର ଦକ୍ଷିଣ ଭାଗରୁ ଉତ୍ପନ୍ନ ହୋଇଥିଲେ । ମହାରାଣୀ ଶତରୂପା ଉତ୍ପନ୍ନ ହୋଇଥିଲେ ତାଙ୍କର ବାମ ଭାଗରୁ । ମନୁ ଓ ଶତରୂପାଙ୍କ ଠାରୁ ମାନବ ଜାତିର ସୃଷ୍ଟି ହୋଇଥିଲା । ଏ ଦୃଷ୍ଟିରୁ ସମଗ୍ର ଜଗତ ବ୍ରହ୍ମାଙ୍କର ପୌତ୍ର ବା ନାତି । ବ୍ରହ୍ମା ସମସ୍ତଙ୍କର ଅଜା ବା ପିତାମହ ।

ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁଯାୟୀ, ବ୍ରହ୍ମାଙ୍କର ଏହି ସମଗ୍ର ସୃଷ୍ଟି ମୋଟରେ ଦୁଇପ୍ରକାରର । ଗୋଟିଏ ହେଉଛି ସର୍ଗ ଓ ଅନ୍ୟଟି ପ୍ରତିସର୍ଗ । ସୃଷ୍ଟିର ଆରମ୍ଭରେ ବ୍ରହ୍ମା ଯେତେବେଳେ ପ୍ରଥମେ ସୃଷ୍ଟି ହୋଇ ଜୀବଜଗତ ବିସ୍ତାର କରିବାକୁ ଆଜ୍ଞା ପାଇଲେ, ସେତେବେଳେ ଏପରି କିଛି ସୃଷ୍ଟି ହୋଇଥିଲା, ଯାହା ଅନିତ୍ୟ । ଗୋଟିଏ କଳ୍ପ ଶେଷ ହେବା ସହିତ ତାହା ଧ୍ୱଂସ ହୁଏ ଓ ନୂଆ କଳ୍ପ ଆରମ୍ଭ ହେବାବେଳେ ପୁଣି ନୂଆକରି ଗଢ଼ା ହୁଏ । ଏଗୁଡ଼ିକ ପ୍ରତିସର୍ଗ ବା ଅପ୍ରାକୃତ ସୃଷ୍ଟି । ଏହା ମଧ୍ୟରେ ଭୂଃଲୋକ, ଭୁଭଃଲୋକ ଓ ସ୍ୱଃଲୋକ ତଥା ଖଣିଜ, ବୃକ୍ଷଲତା, ପଶୁପକ୍ଷୀ ଓ ସମଗ୍ର ମାନବ ସମାଜ ଅନ୍ତର୍ଭୁକ୍ତ । ବ୍ରହ୍ମାଙ୍କର ଗୋଟିଏ ଦିନ ବା ଗୋଟିଏ କଳ୍ପର ଶେଷରେ ସମ୍ବର୍ତ୍ତକ ଅଗ୍ନି ଓ ସମ୍ବର୍ତ୍ତକ ବର୍ଷାରେ ଏହି ପ୍ରତିସର୍ଗ ବା ଅନିତ୍ୟ ସୃଷ୍ଟି ଧ୍ୱଂସପାଏ ।

ମାତ୍ର, ସର୍ଗ ବା ପ୍ରକୃତ ସୃଷ୍ଟି, ପ୍ରତି କଳ୍ପର ଶେଷ ସହିତ ଧ୍ୱଂସ ପାଏ ନାହିଁ । ପ୍ରତି କଳ୍ପର ଶେଷ ପରେ ବ୍ରହ୍ମା ଯେତେବେଳେ ପୁଣିଥରେ ନୂଆ କରି ସୃଷ୍ଟି କରନ୍ତି, ସେତେବେଳେ ସନକାଦି ଋଷି, କର୍ଦ୍ଦମ, ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ, ଧର୍ମ, ଅଧର୍ମ, ନିଋତି, ସରସ୍ୱତୀ, କାମ, ଅଥର୍ବ, ଅଗ୍ନି, ସ୍ଥାଣୁ ଓ ସ୍ୱାୟମ୍ଭୁବ, ଆଦି ବ୍ରହ୍ମାଙ୍କୁ ନୂଆ ସୃଷ୍ଟିରେ ସାହାଯ୍ୟ କରନ୍ତି । ଗୋଟିଏ କଳ୍ପର ଶେଷ ସହିତ ଧ୍ୱଂସ ନପାଇ ବ୍ରହ୍ମାଙ୍କ ସହିତ ହିଁ ସେମାନେ ଧ୍ୱଂସ ପାଇଥାନ୍ତି ।

ଜଟିଳ ମନେ ହେଉଥିବା ଏହି ତତ୍ତ୍ୱକୁ ବୁଝିବାକୁ ହେଲେ ବ୍ରହ୍ମାଙ୍କ ସମୟ ବା ଆୟୁଷ ସମ୍ପର୍କରେ ଜାଣିବା ଆବଶ୍ୟକ ।

ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁଯାୟୀ ବ୍ରହ୍ମାଙ୍କର ବୟସ ହେଉଛି ୧୨୦ ବର୍ଷ । ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ଗୋଟିଏ କଳ୍ପ । ଏହି କଳ୍ପ ବା ବ୍ରହ୍ମାଙ୍କର ଗୋଟିଏ ଦିନ ପୁଣି ୧୪ ଭାଗରେ ବିଭକ୍ତ । ପ୍ରତି ଭାଗ ଗୋଟିଏ ଗୋଟିଏ ‘ମନ୍ୱନ୍ତର’ । ଗୋଟିଏ ଗୋଟିଏ ମନ୍ୱନ୍ତରରେ ଜଣେ ଜଣେ ମନୁ ରାଜତ୍ୱ କରନ୍ତି । ପ୍ରତି ମନୁଙ୍କର ରାଜତ୍ୱକାଳ ବା ପ୍ରତି ମନ୍ୱନ୍ତରରେ ୭୧ ଥର ଚାରିଯୁଗ ଆସେ । ଏହି ଚାରିଯୁଗ ହେଉଛି ‘କୃତ୍ୟ (ସତ୍ୟ)ଯୁଗ’, ‘ତ୍ରେତା ଯୁଗ’, ‘ଦ୍ୱାପର ଯୁଗ’ ଓ ‘କଳିଯୁଗ’ । ଏହିପରି ୭୧ଟି ଚାରିଯୁଗ ବା

୭୧*୪=୨୮୪ଟି ଯୁଗ ଶେଷ ହେବା ପରେ, ଜଣେ ମନୁଙ୍କର ରାଜତ୍ୱକାଳ ବା ଗୋଟିଏ ମନ୍ୱନ୍ତର ଶେଷ ହୁଏ । ଏହିପରି ୧୪ଜଣ ମନୁଙ୍କର ରାଜତ୍ୱକାଳ ଶେଷ ହେବା ପରେ ଗୋଟିଏ କଳ୍ପ ବା ବ୍ରହ୍ମାଙ୍କର ଗୋଟିଏ ଦିନ ଶେଷ ହୁଏ । ସେହିରି ୩୬୦ କଳ୍ପରେ ବ୍ରହ୍ମାଙ୍କର ଗୋଟିଏ ବର୍ଷ ଓ ୧୨୦ ବର୍ଷରେ ବ୍ରହ୍ମାଙ୍କର ଆୟୁଷ ଶେଷହୁଏ । ସେଥିସହିତ ଶେଷହୁଏ ଗୋଟିଏ ମହାକଳ୍ପ । ସେତେବେଳେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସପାଏ ବା ମହାପ୍ରଳୟ ସଂଘଟିତ ହୁଏ ।

ଏହିପରି ଭାବରେ ଦେଖିଲେ, ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେବା ଦିନଠାରୁ ବ୍ରହ୍ମାଙ୍କର ମାତ୍ର ଗୋଟିଏ ଦିନ ବି ବିତି ନାହିଁ । ୧୪ଟି ମନ୍ୱନ୍ତର ବା ୧୪ଜଣ ମନୁଙ୍କର ସମୟ ଶେଷ ହେବା ପରେ ଯାଇ ବ୍ରହ୍ମାଙ୍କର ମାତ୍ର ଗୋଟିଏ ଦିନ ଶେଷ ହେବ ।

ଆମ ପୁରାଣମାନଙ୍କରେ ଦିଆଯାଇଥିବା ବିବରଣୀ ଅନୁଯାୟୀ, ଏ ପର୍ଯ୍ୟନ୍ତ ଛଅଜଣ ମନୁଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ସ୍ୱାୟମ୍ଭୁବ, ସ୍ୱାରୋଚିଷ, ଔତ୍ତମ, ତାମସ, ରୈବତ ଓ ଚାକ୍ଷୁଷ ମନୁଙ୍କର କାର୍ଯ୍ୟକାଳ ଶେଷ ହୋଇ ଏବେ ଶ୍ୱେତବରାହ କଳ୍ପର ସପ୍ତମ ବୈବସ୍ୱତ ମନ୍ୱନ୍ତର ଚାଲିଛି । ଏହି ମନ୍ୱନ୍ତରର ୨୭ଟି ଚାରିଯୁଗ ଶେଷ ହୋଇ ୨୮ ତମ ଚାରିଯୁଗ ଚାଲିଛି । ଏହିପରି ମୋଟ ୭୧ଟି ଚାରିଯୁଗ ଶେଷ ହେବା ପରେ ସପ୍ତମ ମନ୍ୱନ୍ତର ଶେଷ ହେବ । ତା’ପରେ ଆହୁରି ୭ଜଣ ମନୁଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଗୋଟିଏ କଳ୍ପ ବା ବ୍ରହ୍ମାଙ୍କର ଗୋଟିଏ ଦିନ ଶେଷ ହେବ । ଏମିତି ଗୋଟିଏ ଗୋଟିଏ ଦିନ ହୋଇ ଗୋଟିଏ ବର୍ଷ ଓ ଗୋଟିଏ ଗୋଟିଏ ବର୍ଷ ହୋଇ ୧୨୦ ବର୍ଷ ଶେଷ ହେଲେ ବ୍ରହ୍ମାଙ୍କର ଆୟୁଷ ଶେଷ ହେବ ଏବଂ ସେ ନାରାୟଣଙ୍କ ଶରୀରରେ ଲୀନ ହେବେ । ତା’ପରେ ହେବ ମହାପ୍ରଳୟ । ତା’ପରେ ପୁଣିଥରେ ନାରାୟଣଙ୍କ ନାଭିରୁ ପଦ୍ମଯୋନି ରୂପେ ବ୍ରହ୍ମା ସୃଷ୍ଟି ହେବେ ଏବଂ ପୁଣି ଥରେ ସମଗ୍ର ସୃଷ୍ଟି ସମ୍ପୂର୍ଣ୍ଣ ନୂଆ କରି ଗଢ଼ାହେବ ।

ରୂପମଣ୍ଡଳ, ପ୍ରତିମା ମଣ୍ଡଳ, ଶିଳ୍ପରତ୍ନ, ଚିତ୍ରମଣ୍ଡନ, କାଶ୍ୟପଶିଳ୍ପମ୍, ମତ୍ସ୍ୟପୁରାଣ ଓ ବିଷ୍ଣୁଧର୍ମୋତ୍ତର ଆଦି ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ, ଭାରତର ବିଭିନ୍ନ ସ୍ଥାନରେ ବ୍ରହ୍ମାଙ୍କର ଚିତ୍ର, ମୂର୍ତ୍ତି ଆଦି ନିର୍ମାଣ କରାଯାଇଛି । ସେ ସବୁରେ ବ୍ରହ୍ମାଙ୍କୁ ଚତୁର୍ମୁଖ ଓ ଚତୁର୍ଭୁଜ ରୂପରେ ଦେଖିବାକୁ ମିଳେ । ତାଙ୍କର ମସ୍ତକରେ ଜଟା, ହସ୍ତରେ ଅକ୍ଷମାଳା, କମଣ୍ଡଳୁ, ବେଦ ଓ ଅଭୟ ମୁଦ୍ରା ଆଦି ଦେଖାଯାଏ । କେତେକରେ ସେ ହଂସ ଉପରେ ତ’ କେତେକରେ ପଦ୍ମଫୁଲର କେଶର ଉପରେ ଉପବେଶନ କରିଥିବା ଦେଖାଯାଏ । କେତେକ ଚିତ୍ର ଓ ମୂର୍ତ୍ତିରେ ତାଙ୍କର ଶରୀରର ରଙ୍ଗ ପଦ୍ମ‌ପରି, ଆଖି ସୁନ୍ଦର, ମୁହଁରେ ଦାଢ଼ି ଏବଂ ହାତରେ କମଣ୍ଡଳୁ, ଶ୍ରୁବ, ଦଣ୍ଡ ଓ ଶ୍ରୁଚ ଆଦି ମଧ୍ୟ ଦେଖାଯାଏ । ବ୍ରହ୍ମାଙ୍କର ଏହିସବୁ ରୂପ ମୁଖ୍ୟତଃ ପାଞ୍ଚ

ପ୍ରକାରର । ସେହି ପାଞ୍ଚ ରୂପ ହେଉଛି- ଚତୁର୍ମୁଖ ରୂପ, ଚତୁର୍ଭୁଜ ରୂପ, ପଦ୍ମାସନ ରୂପ, ହଂସାରୂଢ଼ ରୂପ ଓ ପ୍ରଜାପତି ରୂପ ।

ବିଷ୍ଣୁଧର୍ମୋତ୍ତର ପୁରାଣରେ ବ୍ରହ୍ମାଙ୍କର ରୂପ ଓ ଆଭୂଷଣ ଆଦିର ରହସ୍ୟ ସମ୍ପର୍କରେ ଚମତ୍କାର ବର୍ଣ୍ଣନା ଅଛି । ସେଥିରେ କୁହାଯାଇଛି, ବ୍ରହ୍ମାଙ୍କର ପୂର୍ବମୁଖରେ ଋକ୍‌ବେଦ୍, ଦକ୍ଷିଣମୁଖରେ ଯଜୁର୍ବେଦ, ପଶ୍ଚିମମୁଖରେ ସାମବେଦ ଓ ଉତ୍ତରମୁଖରେ ଅଥର୍ବବେଦ ଅବସ୍ଥାନ କରିଥାନ୍ତି । ସେହିପରି ତାଙ୍କର ଚାରିଭୁଜ ଚାରି ଦିଗର ପ୍ରତୀକ । ସଂସାରର ସାରବସ୍ତୁ ହେଉଛି ଜଳ ଏବଂ ଏହି ସମଗ୍ର ସଂସାର ଜଳ ଉପରେ ହିଁ ନିର୍ଭରଶୀଳ । ସ୍ଥାବର ଓ ଜଙ୍ଗମ ସମସ୍ତଙ୍କର ସ୍ଥିତି ପାଇଁ ଜଳ ହିଁ ଏକ ଆଧାର । ସେଥିପାଇଁ ପ୍ରତୀକ ରୂପେ ବ୍ରହ୍ମା ଜଳପୂର୍ଣ୍ଣ କମଣ୍ଡଳୁ ଧାରଣ କରିଥାଆନ୍ତି । ତାଙ୍କର ଡାହାଣ ହାତରେ ଥାଏ ରୁଦ୍ରାକ୍ଷ ମାଳା । ତାହା ମୁହୂର୍ତ୍ତରୁ ଆରମ୍ଭ କରି କଳ୍ପ ପର୍ଯ୍ୟନ୍ତ କାଳ-ଗଣନାର ପ୍ରତୀକ । ସଂସାରରେ ଭୂଃ, ଭୁବଃ, ସ୍ୱଃ, ମହଃ, ଜନଃ, ତପଃ ଓ ସତ୍ୟମ୍ ନାମରେ ଯେଉଁ ସପ୍ତଲୋକ ରହିଛି- ବ୍ରହ୍ମାଙ୍କର ରଥ ବା ତାଙ୍କର ବାହନ ହଂସ ତାହାର ପ୍ରତୀକ ।

ଯେଉଁ ପଦ୍ମ ଉପରେ ବ୍ରହ୍ମା ଉପବେଶନ କରନ୍ତି, ତାହାକୁ ସୁମେରୁ ପର୍ବତ ଓ ତାଙ୍କର ଜଟାକୁ ସଂସାରର ସମସ୍ତ ବନସ୍ପତି ଓ ଔଷଧିର ପ୍ରତୀକ ରୂପେ ମଧ୍ୟ ଗ୍ରହଣ କରାଯାଏ । ତାଙ୍କ ଶରୀରର ବିଭିନ୍ନ ପ୍ରତ୍ୟଙ୍ଗ ଓ ଅଳଙ୍କାରକୁ ସୂର୍ଯ୍ୟ, ଚନ୍ଦ୍ର, ଜ୍ୟୋତିଶ୍ଚକ୍ର ଓ ବୁଦ୍ଧି ଆଦିର ପ୍ରତୀକ ଭାବରେ ବର୍ଣ୍ଣନା କରାଯାଏ । ଏସବୁ ଦୃଷ୍ଟିରୁ ବ୍ରହ୍ମା ସମଗ୍ର ବିଶ୍ୱର ପ୍ରତୀକ ଏବଂ ସମସ୍ତ ଦେବତାଙ୍କ ମଧ୍ୟରେ ପ୍ରଥମ ଓ ପ୍ରଧାନ ।

ଦେବୀ ଭାଗବତର ଅଷ୍ଟମ ସ୍କନ୍ଦରେ ବର୍ଣ୍ଣନା ଅଛି ଯେ ମହାମେରୁ ପର୍ବତର ଶିଖରରେ ବ୍ରହ୍ମା ଅବସ୍ଥାନ କରନ୍ତି । ତାହା ହେଉଛି ବ୍ରହ୍ମଲୋକ । ସେଠାରେ ଅଛି ନଅଟି ନଗର ବା ପୁର । ତାହାର କେନ୍ଦ୍ରସ୍ଥଳରେ ବ୍ରହ୍ମାଙ୍କର ନଗର ବା ମନୋବତୀ ପୁର । ମନୋବତୀ ପୁରର ପୂର୍ବ ଦିଗକୁ ଅମରାବତୀ ପୁର; ତାହା ଇନ୍ଦ୍ରଙ୍କର ନିବାସ । ଦକ୍ଷିଣ-ପୂର୍ବକୁ ରଜୋବତୀ ପୁର; ତାହା ଅଗ୍ନିଙ୍କର ନିବାସ । ଦକ୍ଷିଣରେ ସଂଯାମନୀ ପୁର; ତାହା ଯମଙ୍କର ନିବାସ । ଦକ୍ଷିଣ ପଶ୍ଚିମ ଦିଗକୁ ନିଋତି ପୁର ଓ ପଶ୍ଚିମରେ ଶ୍ରଦ୍ଧାବତୀପୁର । ଶ୍ରଦ୍ଧାବତୀପୁରରେ ବରୁଣଙ୍କର ନିବାସ । ଉତ୍ତର-ପଶ୍ଚିମ କୋଣରେ ଗନ୍ଧବତୀପୁର । ତାହା ବାୟୁଙ୍କର ନିବାସ । ଉତ୍ତରରେ ରହିଛି କୁବେରଙ୍କର ମହୋଦୟପୁର ଏବଂ ଉତ୍ତର-ପୂର୍ବରେ ଶିବଙ୍କର ଯଶୋବତୀପୁର ।

ମହାଭାରତ ଓ ଅନ୍ୟ ପୁରାଣ ଅନୁସାରେ ବ୍ରହ୍ମାଙ୍କ ସଭା ଅତୁଳନୀୟ । ସେହି ‘ବ୍ରହ୍ମସଭା’କୁ ‘ସୁସୁଖା’ ବୋଲି ମଧ୍ୟ କୁହାଯାଏ । କାରଣ ତାହା ସମସ୍ତଙ୍କ ପାଇଁ ‘ସୁ’ ବା ଉତ୍ତମ ‘ସୁଖଦାୟକ’ । ସେହି ସଭା ପଦ୍ମରାଗ, ବୈଦୂର୍ଯ୍ୟ, ମର୍କତ ଆଦି ମଣିରେ ନିର୍ମିତ ।

ସେଠାରେ ସୂର୍ଯ୍ୟ, ଚନ୍ଦ୍ର ବା ଅଗ୍ନିଙ୍କ ଆଲୋକ ଆବଶ୍ୟକ ହୁଏ ନାହିଁ । ତାହା ‘ସ୍ୱୟଂପ୍ରଭ’ ବା ଆପେ ଆପେ ଆଲୋକିତ ହୁଏ । ସେହି ସଭାର ମଧ୍ୟଭାଗରେ ବ୍ରହ୍ମା ବିରାଜମାନ କରନ୍ତି । ସେଠାରେ ମୁଖ୍ୟତଃ ବ୍ରହ୍ମା ଏକା ରହିଲେ ହେଁ, ସଭା ସମୟରେ ଦକ୍ଷ, ପ୍ରଚେତା, କଶ୍ୟପ ଆଦି ପ୍ରଜାପତିଗଣ; ମାର୍କଣ୍ଡେୟ, ଅଗସ୍ତ୍ୟ, ଜମଦଗ୍ନି, ଭରଦ୍ୱାଜ, ଆଦି ତେଜସ୍ୱୀ ଋଷି ଉପସ୍ଥିତ ରହି ବ୍ରହ୍ମାଙ୍କୁ ଉପାସନା କରନ୍ତି । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଆଦି ଦିବ୍ୟ ରୂପରେ ସେଠାରେ ରହିଥାନ୍ତି । ସେମାନଙ୍କ ସହିତ ଆଠ ଅଙ୍ଗ ସହ ଆୟୁର୍ବେଦ ଓ ଚାରି ଅଙ୍ଗ ସହିତ ବେଦ ମଧ୍ୟ ଅବସ୍ଥାନ କରନ୍ତି । ପୁଣି ଥାଆନ୍ତି ବାୟୁଦେବତା ଓ ମରୁଦ୍‌ଗଣ; ଧର୍ମ, ଅର୍ଥ, କାମ ଓ ମୋକ୍ଷ ଚାରି ପୁରୁଷାର୍ଥ; ଦ୍ୱାଦଶ ଆଦିତ୍ୟ ଓ ସମସ୍ତ ଆଗମର ମନ୍ତ୍ର । ଇତିହାସ, ପୁରାଣ, ଜ୍ୟୋତିଷ ଆଦି ବେଦାଙ୍ଗ, ତିନି ପ୍ରକାରର ଯଜ୍ଞ; ଦେବତା ଓ ଗ୍ରହମଣ୍ଡଳ ଆଦି ମଧ୍ୟ ଉପସ୍ଥିତ ରହନ୍ତି । ସାବିତ୍ରୀ, ସରସ୍ୱତୀ, ମେଧା, ଧୃତି, ଶ୍ରୁତି, ପ୍ରଜ୍ଞା, ବୃଦ୍ଧି, ଯଶ ଓ କ୍ଷମା ଆଦି ଦେବୀ ମଧ୍ୟ ଉପସ୍ଥିତ ଥାଆନ୍ତି । ବେଦର ସୂକ୍ତ, ଗାଥା, ଭାଷ୍ୟ, ଦର୍ଶନ, କାବ୍ୟଶାସ୍ତ୍ର ଆଦି ମଧ୍ୟ ଉପସ୍ଥିତ ଥାଆନ୍ତି । ତା’ ସହିତ ସମଗ୍ର ସୃଷ୍ଟିର ଲୋକପାଳମାନେ ମଧ୍ୟ ଉପସ୍ଥିତ ରହନ୍ତି । ଏସବୁ ଦୃଷ୍ଟିରୁ ବ୍ରହ୍ମାଙ୍କ ସଭା ପରି ସଭା ସମଗ୍ର ସୃଷ୍ଟିରେ ଆଉ କେଉଁଠି ହେଲେ ନାହିଁ ।

ବ୍ରହ୍ମାଙ୍କର ତୁଳନା ମଧ୍ୟ ଅନ୍ୟ କୌଣସି ଦେବତାଙ୍କ ସହିତ କରାଯାଇ ପାରିବ ନାହିଁ । ବ୍ରହ୍ମାଙ୍କର ଯେଉଁ ବିଭିନ୍ନ ନାମ ରହିଛି, ତାହା ହିଁ ବ୍ରହ୍ମାଙ୍କର ଏହି ଅଦ୍ୱିତୀୟତାର ପ୍ରମାଣ । ସେ ବୃଦ୍ଧି କରନ୍ତି, ତେଣୁ ତାଙ୍କର ନାମ ବ୍ରହ୍ମା । ସେ ସ୍ୱୟଂ ପରମ ପୁରୁଷ ପରମାତ୍ମାଙ୍କ ଅଙ୍ଗରୁ ଉଦ୍ଭବ, ତେଣୁ ତାଙ୍କର ନାମ ଆତ୍ମଭୂ । ସେ ଦେବତାମାନଙ୍କ ମଧ୍ୟରେ ଜ୍ୟେଷ୍ଠ, ତେଣୁ ତାଙ୍କର ନାମ ସୁରଜ୍ୟେଷ୍ଠ । ସେ ପରମ ବା ସତ୍ୟରେ ବାସ କରନ୍ତି, ତେଣୁ ତାଙ୍କର ନାମ ପରମେଷ୍ଠୀ । ସମଗ୍ର ସୃଷ୍ଟି ତାଙ୍କର ସନ୍ତାନମାନଙ୍କଠାରୁ ଜାତ, ତେଣୁ ସେ ପିତାମହ । ସେ ସୁବର୍ଣ୍ଣ କୋଷରୁ ଉଦ୍ଭବ ହେବାର ବର୍ଣ୍ଣନା ମଧ୍ୟ ଅଛି, ତେଣୁ ତାଙ୍କର ନାମ ହିରଣ୍ୟଗର୍ଭ । ସେ ସମସ୍ତ ଲୋକର ଈଶ୍ୱର, ତେଣୁ ତାଙ୍କର ନାମ ଲୋକେଶ । ସେ ନିଜେ ନିଜଠାରୁ ଉଦ୍ଭୂତ, ତେଣୁ ତାଙ୍କର ନାମ ସ୍ୱୟଂଭୂ । ତାଙ୍କର ଚାରି ମୁଖ, ତେଣୁ ସେ ଚତୁରାନନ ବା ଚତୁର୍ମୁଖ । ସେ ସମସ୍ତଙ୍କୁ ଧାରଣ କରିଛନ୍ତି, ତେଣୁ ତାଙ୍କର ନାମ ଧାତା । ସେ ନାରାୟଣଙ୍କ ନାଭିପଦ୍ମରୁ ଜାତ, ତେଣୁ ତାଙ୍କର ନାମ ପଦ୍ମଯୋନି । ସେ ଅସୁର ବିନାଶକାରୀ, ତେଣୁ ତାଙ୍କର ନାମ ଦ୍ରୁହିଣ । ସେ ସମଗ୍ର ସୃଷ୍ଟିର ରଚୟିତା, ତେଣୁ ତାଙ୍କର ନାମ ବିରଞ୍ଚି । ସେ ବିକଶିତ ପଦ୍ମ ବା କମଳ ଆସନ ଉପରେ ଉପବେଶନ କରିଥାଆନ୍ତି, ତେଣୁ ତାଙ୍କର ନାମ କମଳାସନ । ସେ ସମଗ୍ର ଜଗତର ସୃଷ୍ଟିକର୍ତ୍ତା, ତେଣୁ ତାଙ୍କର ନାମ ସ୍ରଷ୍ଟା ବା ବିଶ୍ୱସୃକ୍ ।

ସେ ସମଗ୍ର ଜଗତର କର୍ତ୍ତା, ତେଣୁ ତାଙ୍କର ନାମ ବିଧାତା । ସେ ସମଗ୍ର ଜଗତର ବିଚାରକ ବା ସିଦ୍ଧାନ୍ତକାରୀ, ତେଣୁ ତାଙ୍କର ନାମ ବିଧି । ତାଙ୍କର ବାହନ ହଂସ, ତେଣୁ ସେ ହଂସବାହନ ।

କିନ୍ତୁ ଏତେ ସବୁ ସଦ୍‌ଗୁଣ ଥାଇ ମଧ୍ୟ ବ୍ରହ୍ମାଙ୍କୁ କେହି ପୂଜା କରନ୍ତି ନାହିଁ । ଏପରିକି ରାଜସ୍ଥାନର ପୁଷ୍କର ହ୍ରଦ ଛଡ଼ା ଭାରତରେ ବା ଭାରତ ବାହାରେ ତାଙ୍କର ଆଉ ଗୋଟିଏ ହେଲେ ମନ୍ଦିର ନାହିଁ । ବ୍ରହ୍ମା କାହିଁକି ପୂଜା ପାଆନ୍ତି ନାହିଁ ସେ ସଂପର୍କରେ ପୁରାଣରେ କାହାଣୀ ଅଛି । ସେହି କାହାଣୀ ଅନୁସାରେ ଥରେ ବ୍ରହ୍ମା ଓ ବିଷ୍ଣୁ ଶିବଙ୍କ ଦର୍ଶନ ପାଇଁ ହିମବାନ୍ ଯାଇଥିଲେ । ଦୁହେଁ ସେଠାରେ ଏକ ବିରାଟ ଜ୍ୟୋତିର୍ଲିଙ୍ଗ ଦେଖିଲେ । ତାହାର ଆରମ୍ଭ କେଉଁଠି ଓ ଶେଷ କେଉଁଠି କଳନା କରି ହେଉ ନଥିଲା । ତେଣୁ ଜଣେ ତା'ର ତଳ ଆଡ଼କୁ ଓ ଅନ୍ୟ ଜଣେ ଉପର ଆଡ଼କୁ ଗଲେ । ମାତ୍ର ତାହାର ଆଦି ବା ଅନ୍ତ ଜାଣି ପାରିଲେ ନାହିଁ । ତା'ପରେ ଦୁହେଁ ଶିବଙ୍କୁ ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିବାରୁ ଶିବ ତାଙ୍କର ପୁଅ ରୂପେ ଜନ୍ମ ହୁଅନ୍ତୁ ବୋଲି ବ୍ରହ୍ମା କହିଲେ । ବ୍ରହ୍ମାଙ୍କର ସେହି ଧୃଷ୍ଟତା ଶିବଙ୍କୁ ରୁଷ୍ଟ କଲା । ଏପରି ଅବାନ୍ତର ଇଚ୍ଛା କରିଥିବାରୁ ତାଙ୍କୁ ଭବିଷ୍ୟତରେ କେହି ପୂଜା କରିବେ ନାହିଁ ବୋଲି ସେ ଅଭିଶାପ ଦେଲେ । ଏହି ପୁରାଣ କାହାଣୀ ସୂଚାଏ ଯେ ଆମେ ଯେତେ ବଡ଼ ହେଲେ ବି ଅବାନ୍ତର ଇଚ୍ଛା କରିବା ଅନୁଚିତ ।

ତେବେ କେଉଁଠାରେ ପୂଜା ନପାଇଲେ ମଧ୍ୟ ବ୍ରହ୍ମା ପିତାମହ ଭାବେ ସମସ୍ତଙ୍କ ଦ୍ୱାରା ମାନ୍ୟ ହୋଇଥା'ନ୍ତି । ସେ ମଧ୍ୟ ପୃଥିବୀକୁ ପାପତାପରୁ ରକ୍ଷା କରିବାର ମାଧ୍ୟମ ହୋଇଥାଆନ୍ତି । ସ୍ୱଭାବରେ ଦୟାଳୁ ହୋଇଥିବାରୁ ତପସ୍ୟା ଓ ଦାନଧ୍ୟାନରେ ସେ ସହଜରେ ସନ୍ତୁଷ୍ଟ ହୋଇ ବର ଦେଇଦିଅନ୍ତି । ଅସୁରମାନେ ତେଣୁ ତାଙ୍କୁ ହିଁ ବେଶି ତପସ୍ୟା କରନ୍ତି ଏବଂ ତାଙ୍କ ବରରେ ବଳୀୟାନ ହୋଇ ତ୍ରିଲୋକରେ ଉତ୍ପାତ କରନ୍ତି । ବେଶି ଉତ୍ପାତ କଲେ, ବ୍ରହ୍ମା ଯାଇ ବିଷ୍ଣୁ ବା ଜଗଦମ୍ବାଙ୍କ ସହାୟତାରେ ସେମାନଙ୍କର ବିନାଶ କରାଇଥାଆନ୍ତି ।

ବ୍ରହ୍ମାଙ୍କ ଉପାସନାର ପରଂପରା ନଥିଲେ ହେଁ ସେ ପିତାମହ ହୋଇଥିବାରୁ ସଂସ୍କୃତ ଶାସ୍ତ୍ରଗ୍ରନ୍ଥମାନଙ୍କରେ ତାଙ୍କର ଧ୍ୟାନଶ୍ଳୋକମାନ ରହିଛି ।

ଏପରି ଗୋଟିଏ ଶ୍ଳୋକରେ କୁହାଯାଇଛି-

ପଦ୍ମଯୋନି ଶ୍ଚତୁର୍ମୂର୍ତ୍ତି ର୍ବେଦାବାସଃ ପିତାମହଃ
ଯଜ୍ଞାଧ୍ୟକ୍ଷ ଶ୍ଚତୁର୍ବକ୍ତ୍ର ସ୍ତସ୍ମୈ ନିତ୍ୟଂ ନମୋ ନମଃ ।

Aama Debadebi.pdf
ସରସ୍ୱତୀ

ଆମ ପୁରାଣମାନଙ୍କରେ ଯେଉଁସବୁ ଦେବଦେବୀଙ୍କର ବର୍ଣ୍ଣନା ରହିଛି, ସେମାନଙ୍କ ମଧ୍ୟରେ ଗଣେଶ ବିଦ୍ୟାଦାତା ଓ ସରସ୍ୱତୀ ବିଦ୍ୟାଦେବୀ ଭାବରେ ପ୍ରସିଦ୍ଧ । ଗଣେଶ ଯେପରି ବିଦ୍ୟାଦାତା, ବିଘ୍ନ ବିନାଶକ ଓ ମଙ୍ଗଳକାରୀ, ସରସ୍ୱତୀ ମଧ୍ୟ ସେହିରି ବିଦ୍ୟା ସହିତ ଅନ୍ୟାନ୍ୟ ବହୁ ଗୁଣର ଅଧିକାରିଣୀ ।

ଆମ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ ସରସ୍ୱତୀ ହେଉଛନ୍ତି ସମସ୍ତ ଜ୍ଞାନ, ବିଜ୍ଞାନ, କଳା, ବୃଦ୍ଧି, ମେଧା, ଧାରଣା, ତର୍କଶକ୍ତି ଆଦିର ଦେବୀ ।

ସରସ୍ୱତୀ ପିତାମହ ବ୍ରହ୍ମାଙ୍କର ପତ୍ନୀ । ମାତ୍ର ବ୍ରହ୍ମାଙ୍କର ମୁଖରୁ ତାଙ୍କର ସୃଷ୍ଟି ହୋଇଥିବାରୁ ସେ ବ୍ରହ୍ମାଙ୍କର କନ୍ୟା ବୋଲି ମଧ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି । ସେଥିରେ କୁହାଯାଇଛି, ବ୍ରହ୍ମାଙ୍କ ହୃଦୟରୁ କାମଦେବ, ଭ୍ରୂଲତାରୁ କ୍ରୋଧ, ଅଧରୋଷ୍ଠରୁ ଲୋଭ ଏବଂ ଅନ୍ୟାନ୍ୟ ଅଙ୍ଗରୁ ସମୁଦ୍ରମାନେ ଓ ନିଋତି ଜାତ ହୋଇଥିଲେ । ସରସ୍ୱତୀ ଜାତ ହୋଇଥିଲେ ବ୍ରହ୍ମାଙ୍କ ମୁଖରୁ । ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣନା ଅଛି, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍‌ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା ପରମ ରୂପବତୀ କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିଲେ । ତାହା ଶୁଣି କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍‌ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।

ଯେଉଁଦିନ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା, ସେହିଦିନଟି ଥିଲା ମାଘ ଶୁକ୍ଳ ପଞ୍ଚମୀ । ତାହା ‘ଶ୍ରୀପଞ୍ଚମୀ’ ଭାବରେ ପ୍ରସିଦ୍ଧ । କାରଣ ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ । ପୁଣି ସରସ୍ୱତୀ, ବୁଦ୍ଧି,ଐଶ୍ୱର୍ଯ୍ୟ, ଧର୍ମ ଓ ଅର୍ଥ ଆଦି ପୁରୁଷାର୍ଥ, ଅଣିମା ଓ ଲଘିମା ଆଦି ସିଦ୍ଧି ଏବଂ ସୌନ୍ଦର୍ଯ୍ୟ ଓ ମଙ୍ଗଳକୁ ମଧ୍ୟ ତାହା ବୁଝାଏ । ଏଣୁ ସରସ୍ୱତୀଙ୍କ ଆବିର୍ଭାବ ଦିବସ ମାଘ ଶୁକ୍ଳ ପଞ୍ଚମୀକୁ ‘ଶ୍ରୀପଞ୍ଚମୀ' ରୂପେ ପାଳନ କରାଯାଏ । ସେହିଦିନ ସରସ୍ୱତୀଙ୍କର ବିଶେଷ ପୂଜା କରାଯାଏ ।

ସରସ୍ୱତୀ ଦେବୀ ଭାବରେ ଯେତିକି ପ୍ରସିଦ୍ଧ, ନଦୀ ଭାବରେ ମଧ୍ୟ ସେତିକି ପ୍ରସିଦ୍ଧ । ମର୍ତ୍ତ୍ୟରେ ଏକ ନଦୀ ରୂପେ ପ୍ରବାହିତ ହେବା ପାଇଁ ବ୍ରହ୍ମା ହିଁ ସରସ୍ୱତୀଙ୍କୁ କହିଥିଲେ । ତେବେ ସରସ୍ୱତୀ କାହିଁକି ମର୍ତ୍ତ୍ୟରେ ନଦୀ ହେଲେ, ସେ ସମ୍ପର୍କରେ ଅନ୍ୟ କାହାଣୀ ରହିଛି । ପୁରାଣ ମାନଙ୍କରେ ଉଲ୍ଲେଖ ଅଛି, ଯେତେବେଳେ ଭାର୍ଗବ ଓ ହେହୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ହେଲା, ସେତେବେଳେ ସେହି ଦ୍ୱନ୍ଦ୍ୱରୁ ବାଡ଼ବାଗ୍ନି ନାମକ ଅଗ୍ନି ଜାତ ହେଲେ । ସେହି ଅଗ୍ନି ସର୍ବଭକ୍ଷ । ତାହାଙ୍କର ଜ୍ୱାଳାରେ ସମଗ୍ର ପୃଥିବୀ ଧ୍ୱଂସ ପାଇଯାଇ ଥାଆନ୍ତା । ମାତ୍ର ସରସ୍ୱତୀ ହିଁ ଏକ ନଦୀ ରୂପରେ ପ୍ରବାହିତା ହୋଇ ସେହି ବାଡ଼ବାଗ୍ନିଙ୍କୁ ସମୁଦ୍ରକୁ ବୋହି ନେଇଯାଇଥିଲେ ।

ପଦ୍ମ‌ପୁରାଣ, ସୃଷ୍ଟିଖଣ୍ଡରେ ଉଲ୍ଲେଖ ଅଛି ଯେ ବାଡ଼ବାଗ୍ନିଙ୍କୁ ପଶ୍ଚିମ ସମୁଦ୍ରକୁ ବୋହିନେଇ ଯିବାକୁ ଇନ୍ଦ୍ର ହିଁ ସରସ୍ୱତୀଙ୍କୁ ଅନୁରୋଧ କରିଥିଲେ । ମାତ୍ର ସରସ୍ୱତୀ ପ୍ରଥମେ ସେଥିରେ ରାଜି ହୋଇ ନଥିଲେ । ଇନ୍ଦ୍ରଙ୍କୁ ସେ କହିଥିଲେ, ମୁଁ ସ୍ୱେଚ୍ଛାଚାରିଣୀ ନୁହେଁ । ବ୍ରହ୍ମା ମୋର ସୃଷ୍ଟିକର୍ତ୍ତା । ତାଙ୍କର ବିନା ଆଦେଶରେ ମୁଁ କିଛି କରିପାରିବି ନାହିଁ । ତେଣୁ ଇନ୍ଦ୍ରଙ୍କ ସହିତ ଅନ୍ୟ ଦେବଗଣ ଏକାଠି ହୋଇ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ବାଡ଼ବାଗ୍ନିଙ୍କୁ ସମୁଦ୍ରକୁ ବୋହି ନେବାକୁ ବ୍ରହ୍ମା ସରସ୍ୱତୀଙ୍କୁ ଆଦେଶ ଦେଲେ । ସରସ୍ୱତୀ ତାଙ୍କର ଆଦେଶ ପାଳନ କରିଥିଲେ ।

ବାଡ଼ବାଗ୍ନିଙ୍କୁ ଧାରଣ କରି ସରସ୍ୱତୀ ଯେଉଁ ଯେଉଁ ପଥ ଦେଇ ପ୍ରବାହିତ ହୋଇଥିଲେ, ସେହିସବୁ ପଥରେ ଅନେକ ତୀର୍ଥ ସୃଷ୍ଟି ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ତୀର୍ଥ ହେଉଛି ପୁଷ୍କର । ବାଡ଼ବାଗ୍ନି ସହ ସରସ୍ୱତୀ ଉତ୍ତର ଦିଗରେ ଗତିକରି ଏକ ପୁଷ୍କରିଣୀରେ ଅବସ୍ଥାନ କରିଥିଲେ । ସେହି ଦିନରୁ ପୁଷ୍କର ଏକ ପୁଣ୍ୟ ତୀର୍ଥରେ ପରିଣତ ହୋଇଛି । ବିଶ୍ୱାସ ଅଛି ଯେ ସେହି ତୀର୍ଥରୁ ଜଳପାନ କଲେ ବ୍ରହ୍ମଲୋକ ପ୍ରାପ୍ତି ହୁଏ ।

ନଦୀ ରୂପରେ ସରସ୍ୱତୀଙ୍କର ଆଉ ଏକ ପ୍ରସିଦ୍ଧ ନାମ ହେଉଛି ନନ୍ଦା । ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ ପୁଷ୍କରରୁ ପଶ୍ଚିମ ଦିଗରେ ଅଗ୍ରସର ହୋଇ ସରସ୍ୱତୀ ଏକ ଉଦ୍ୟାନ ନିକଟରେ ଆବିର୍ଭୂତ ହୋଇଥିଲେ । ସେଠାରେ ସେ ନନ୍ଦା ନାମରେ ଖ୍ୟାତ ହେଲେ । ଏହି ନନ୍ଦା ନାମ ପଛରେ ଏକ କାହାଣୀ ଅଛି । ସେହି କାହାଣୀଟି ହେଉଛି-

ଏକଦା ପ୍ରଭଞ୍ଜନ ନାମରେ ଜଣେ ରାଜା ଥିଲେ । ଥରେ ସେ ଜଙ୍ଗଲରେ ଶିକାର କଲାବେଳେ ଲତା ଗୁଳ୍ମ ମଧ୍ୟରେ ହରିଣୀଟିଏ ଦେଖି ତାହାକୁ ଶିକାର କରିବାକୁ ତୀର ନିକ୍ଷେପ କଲେ । ସେତେବେଳକୁ ହରିଣୀଟି ତା’ର ଛୁଆକୁ କ୍ଷୀର ପିଆଉଥିଲା । ତୀର ଯାଇ ହରିଣୀ ଦେହରେ ବାଜିଲା । ହରିଣୀଟିକୁ ଖୁବ୍ କଷ୍ଟ ହେଲା । ସେ ଆଉ ତାର ଶିଶୁୁପୁତ୍ରକୁ କ୍ଷୀର ପିଆଇ ପାରିଲା ନାହିଁ । ସେ ରାଜାଙ୍କୁ କହିଲା, ହେ ରାଜା, କୌଣସି ହରିଣ ଜଳପାନ କରୁଥିବା ବେଳେ, ଶୋଇଥିବା ବେଳେ, ଶାବକକୁ କ୍ଷୀର ପିଆଉଥିବା ବେଳେ ବା ତାର ମିଳନ ବେଳେ, ତାହାକୁ ତୀର ନିକ୍ଷେପ କରିବା ରାଜଧର୍ମ ନୁହେଁ । ମୁଁ ମୋର ଶାବକକୁ କ୍ଷୀରପାନ କରାଉଥିବା ବେଳେ ତୁମେ ମୋତେ ତୀର ନିକ୍ଷେପ କରି କଷ୍ଟ ଦେଇଛ । ଏଣୁ ମୁଁ ତୁମକୁ ଅଭିଶାପ ଦେଉଛି, ତୁମେ ବାଘଟିଏରେ ପରିଣତ ହୋଇ କଣ୍ଟାଝଟାପୂର୍ଣ୍ଣ ଜଙ୍ଗଲରେ ଘୂରି ବୁଲିବ । ହରିଣର ଅଭିଶାପ ଶୁଣି ରାଜାଙ୍କ ମୁଣ୍ଡରେ ସତେ ଯେପରି ବଜ୍ରପାତ ହେଲା । ସେହି ଅଭିଶାପରୁ ତାଙ୍କୁ ରକ୍ଷା କରିବା ପାଇଁ ସେ ହରିଣୀଟିକୁ ପ୍ରାର୍ଥନା କଲେ । ମାତ୍ର ଅଭିଶାପ ହେଉ କି ଆଶୀର୍ବାଦ, ତାହା ଯଦି ହୃଦୟ ଭିତରୁ ଆସିଥାଏ, ତାହା କେବେ ବ୍ୟର୍ଥ ହୁଏ ନାହିଁ ।

ତଥାପି, ରାଜାଙ୍କ ବ୍ୟାକୁଳ ପ୍ରାର୍ଥନା ଶୁଣି ହରିଣୀର ହୃଦୟ ତରଳି ଗଲା । ସେ କହିଲା, ଆଜିଠୁ ପ୍ରାୟ ଶହେ ବର୍ଷ ପରେ ‘ନନ୍ଦା’ ନାମରେ ଗୋଟିଏ ଗାଈ ଏଠାକୁ ଆସିବ । ତା’ ସହିତ ତୁମର କଥୋପକଥନ ହେଲେ ତୁମେ ଅଭିଶାପରୁ ମୁକ୍ତି ପାଇବ । ଏଣୁ ୧୦୦ ବର୍ଷ ଜଙ୍ଗଲରେ କଞ୍ଚା ମାଂସ ଖାଇ ଜୀବନ ବିତାଅ ।

ହରିଣୀଟିର ସେହି ଅଭିଶାପ ଯୋଗୁଁ ରାଜା ସତକୁ ସତ ଗୋଟିଏ ବାଘରେ ପରିଣତ ହୋଇଗଲେ । କ୍ରମେ ବର୍ଷ ବର୍ଷ ହୋଇ ଶହେ ବର୍ଷ ବିତିଗଲା । ଶହେବର୍ଷ ପରେ ଦିନେ ପହ୍ଲେ ଗାଈ ଚରୁ ଚରୁ ସେଆଡ଼କୁ ଆସିଲେ । ସେମାନଙ୍କର ଆଗରେ ଥାଏ ନନ୍ଦା ନାମକ ଏକ ସୁନ୍ଦର ଗାଈ । ସେ ଗାଈଟି ସବୁ ଗାଈଙ୍କ ଭିତରେ ରାଣୀ ପରି ଦେଖାଯାଉଥାଏ ।

ଚରୁ ଚରୁ ନନ୍ଦା କିଛିବାଟ ଆଗେଇ ଆସି ଏକ ନିକାଞ୍ଚନ ସ୍ଥାନରେ ପହଞ୍ଚିଲା । ସେଠାରେ ରୋହିତ ନାମକ ଗୋଟିଏ ପର୍ବତ ଥାଏ । ପାଖରେ ନଈଟିଏ ବହି ଯାଉଥାଏ । ତା’ କୂଳରେ ଭଲ ଘାସ ହୋଇଥାଏ । ପର୍ବତର ଉତ୍ତର ଦିଗକୁ ଥାଏ ଘଞ୍ଚ ଜଙ୍ଗଲ । ସେହି ଜଙ୍ଗଲରେ ବହୁ ହିଂସ୍ର ବଣଜନ୍ତୁ ଥାଆନ୍ତି ।

ହରିଣଠାରୁ ଅଭିଶାପ ପାଇ ପ୍ରଭଞ୍ଜନ ରାଜା ମଧ୍ୟ ବାଘଟିଏ ହୋଇ ସେହି ଜଙ୍ଗଲରେ ଥାଆନ୍ତି । ସେ ଦେଖା ଯାଉଥାଆନ୍ତି ସବୁ ବାଘଙ୍କ ଠାରୁ ଭିନ୍ନ । ପର୍ବତ ପରି ସେହି ବିଶାଳ ବାଘକୁ ଦେଖି ଅନ୍ୟ ବାଘମାନେ ଡରିଯାଉ ଥାଆନ୍ତି ।

ନଈ କୂଳରେ ବଢ଼ିଥିବା କଅଁଳ ଛନଛନ ଘାସ ଚରୁ ଚରୁ ନନ୍ଦା ସେଆଡ଼କୁ ଏକୁଟିଆ ଚାଲିଗଲା । ତାହା ଦେଖି ବାଘଟି ତାକୁ ମାରି ଖାଇବା ପାଇଁ ଗୋଡାଇଲା । ନନ୍ଦା ଧାଉଁଥାଏ ଓ ପାଟିକରି କହୁଥାଏ, ମୋ ଘରେ ମୋ ପୁଅ ଅଛି, ସେ ମୋ ଫେରିବା ବାଟକୁ ଚାହିଁ ବସିଥିବ । ମୁଁ ଯାଇ ତା’ଠୁ ବିଦାୟ ନେଇ ଆସେ କି ମତେ ଖାଇବ ।

ନନ୍ଦାର ସେହି ବ୍ୟାକୁଳ ଚିତ୍କାର ଶୁଣି ବାଘର ହୃଦୟରେ ଦୟାଭାବ ଜାତ ହେଲା । ଘରକୁ ଯାଇ ନିଜ ପୁଅଠାରୁ ବିଦାୟ ନେଇ ଆସିବା ପାଇଁ ସେ ନନ୍ଦାକୁ ଅନୁମତି ଦେଲା ।

ତାହା ଶୁଣି ନନ୍ଦା ଖୁବ୍ ଖୁସି ହେଲା । ପୁଅଠାରୁ ବିଦାୟ ନେଇ ସନ୍ଧ୍ୟା ହେବା ଆଗରୁ ଫେରି ଆସିବ ବୋଲି ସତ୍ୟ କରି ଘରକୁ ଗଲା । ସତ୍ୟ ରକ୍ଷା କରି ସନ୍ଧ୍ୟା ପୂର୍ବରୁ ଫେରି ବି ଆସିଲା ।

ନନ୍ଦାର ସତ୍ୟନିଷ୍ଠା ଦେଖି ବାଘଟି ଖୁବ୍ ସନ୍ତୁଷ୍ଟ ହେଲା । ତାହାର ନାମ ଓ ଖାଉନ୍ଦର ନାମ କ’ଣ ବୋଲି ପଚାରିଲା । ନନ୍ଦା କହିଲା, ମୋର ଖାଉନ୍ଦଙ୍କର ନାମ ‘ନନ୍ଦ’ । ସେ ମତେ ଗେହ୍ଲାରେ ନିଜ ଝିଅ ପରି ପାଳିଛନ୍ତି । ତାଙ୍କ ନାଆଁ ଅନୁସାରେ ମୋର ନାଆଁ ରଖିଛନ୍ତି ‘ନନ୍ଦା’ ।

‘ନନ୍ଦା’ ନାମଟି କାନରେ ପଡ଼ିବାମାତ୍ରେ ରାଜା ପ୍ରଭଞ୍ଜନ ବାଘ ରୂପରୁ ମୁକ୍ତ ହେଲେ । ସେହି ସମୟରେ ଧର୍ମ ଦେବତା ସେଠାରେ ଆସି ପହଞ୍ଚିଲେ । ନନ୍ଦା ଗାଈଟିଏ ହେଲେ ହେଁ ତାହାର ସତ୍ୟନିଷ୍ଠାରେ ସନ୍ତୁଷ୍ଟ ହୋଇ ତାହାକୁ ବର ଦେବାକୁ ଚାହିଁଲେ । ନନ୍ଦା କହିଲା, ଯଦି ବର ଦେବାକୁ ଚାହୁଁଛନ୍ତି, ତେବେ ଏହି ବର ଦିଅନ୍ତୁ ଯେ ମୁଁ ଓ ମୋର ପୁତ୍ର ସ୍ୱର୍ଗଲୋକରେ ଯାଇ ଅବସ୍ଥାନ କରିବୁ । ଏହି ପୀଠଟି ଆଜିଠାରୁ ମୁନିଋଷିଙ୍କ ପାଇଁ ଏକ ପବିତ୍ର ପୀଠ ହେବ । ଏଠାରେ ଯେଉଁ ସରସ୍ୱତୀ ନଦୀ ପ୍ରବାହିତ ହେଉଛି, ତାହା ଏଠାରେ ନନ୍ଦା ନାମରେ ପରିଚିତ ଓ ପ୍ରସିଦ୍ଧ ହେବ ।

ଧର୍ମଦେବତା ସେହି ବର ଦେଲେ । ଫଳରେ ନନ୍ଦା ଓ ତାହାର ପୁତ୍ର ସ୍ୱର୍ଗଲୋକରେ ଯାଇ ଅବସ୍ଥାନ କଲେ । ଅଭିଶାପ ଫଳରୁ ବାଘ ହୋଇ ବୁଲୁଥିବା ରାଜା ପ୍ରଭଞ୍ଜନ ମଧ୍ୟ ନିଜର ସ୍ୱରୂପ ଫେରିପାଇ ରାଜ୍ୟ ପ୍ରାସାଦକୁ ଫେରିଗଲେ । ସରସ୍ୱତୀ ମଧ୍ୟ ସେହିଦିନୁ ସେଠାରେ ନନ୍ଦା ରୂପେ ପରିଚିତା ହେଲେ ।

ସରସ୍ୱତୀ ତ ବାଡ଼ବାଗ୍ନିଙ୍କୁ ଧରି ସମୁଦ୍ର ଆଡ଼କୁ ଅଗ୍ରସର ହେଉଥାନ୍ତି । ଶେଷରେ ତାଙ୍କୁ ନେଇ ସେ ସମୁଦ୍ରରେ ସ୍ଥାପନ କଲେ । ସମଗ୍ର ସୃଷ୍ଟି ବାଡ଼ବାଗ୍ନିର ଜ୍ୱାଳାମୟୀ ପ୍ରଭାବରୁ ରକ୍ଷା ପାଇଲା । ମାତ୍ର ନଦୀ ଅପେକ୍ଷା ଦେବୀ ଭାବରେ ସରସ୍ୱତୀ ଅଧିକ ପ୍ରସିଦ୍ଧ । ସରସ୍ୱତୀଙ୍କ ଯେଉଁସବୁ ମୂର୍ତ୍ତି ସାଧାରଣରେ ପ୍ରଚଳିତ, ସେହିସବୁ ମୂର୍ତ୍ତିରେ, ସରସ୍ୱତୀ ଶ୍ୱେତପଦ୍ମ ଉପରେ ବିରାଜମାନ କରିଥିବା ଦେଖାଯାଏ । ସେ ହସ୍ତରେ ଅକ୍ଷମାଳା, ବୀଣା ଓ ପୁସ୍ତକ ଧାରଣ କରିଥାନ୍ତି । ଆହୁରି କେତେକ ସରସ୍ୱତୀ ମୂର୍ତ୍ତିରେ ସେ ହଂସ ଉପରେ ଉପବେଶନ କରିଥିବା ଦେଖାଯାଏ । ସରସ୍ୱତୀଙ୍କର ବସିବା, ଠିଆ ହେବା ଓ ନୃତ୍ୟ କରିବା ମୂର୍ତ୍ତି ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୁଏ ।

ବେଦ ଓ ଆଗମ ଗ୍ରନ୍ଥମାନଙ୍କରେ ସରସ୍ୱତୀଙ୍କର ଉପାସନାର ମନ୍ତ୍ର, ଯନ୍ତ୍ର, ସ୍ତୋତ୍ର, ପଟଳ ଓ ପଦ୍ଧତି ଆଦି ରହିଛି । ସରସ୍ୱତୀ ରହସ୍ୟୋପନିଷଦ, ପ୍ରପଞ୍ଚସାର ଓ ଶାରଦା ତିଳକ ଆଦି ଗ୍ରନ୍ଥ ଏ ଦୃଷ୍ଟିରୁ ପ୍ରସିଦ୍ଧ । ଚରିତଗ୍ରନ୍ଥ ଯୋଗବାଶିଷ୍ଠ, ଦେବୀ ଭାଗବତ, ବ୍ରହ୍ମବୈବର୍ତ୍ତ ପୁରାଣ, ବୃହତ୍ ଧର୍ମ ପୁରାଣ ଆଦିରେ ମଧ୍ୟ ସରସ୍ୱତୀଙ୍କ ଉପାସନାର ବହୁ ଉଲ୍ଲେଖ ରହିଛି । ବାଲ୍ମୀକି, ବ୍ୟାସ, ବଶିଷ୍ଠ, ବିଶ୍ୱାମିତ୍ର, ଶୌନକ ଆଦି ତାଙ୍କୁ ଆରାଧନା, ଉପାସନା କରିବାର ଅନେକ କାହାଣୀ ମଧ୍ୟ ବିଭିନ୍ନ ପୁରାଣରେ ବର୍ଣ୍ଣିତ ଅଛି । ସରସ୍ୱତୀ ବିଶ୍ୱାମିତ୍ରଙ୍କ ଉପରେ କୃପା କରି ତାଙ୍କୁ ଅନେକ ଶାସ୍ତ୍ରଜ୍ଞାନ ଦେଇଥିଲେ । ସରସ୍ୱତୀ ହିଁ ତାଙ୍କୁ ଗାୟତ୍ରୀ ମନ୍ତ୍ରରେ ଋଷିତ୍ୱ ପ୍ରଦାନ କରିଥିଲେ । ବାଲ୍ମୀକିଙ୍କୁ ସେ କୃପା କରିବାରୁ ବାଲ୍ମୀକି ରାମାୟଣ ରଚନା କରିପାରିଥିଲେ । ବ୍ୟାସଙ୍କୁ ମଧ୍ୟ ସେ ବେଦ, ପୁରାଣ ଓ ମହାଭାରତ ରଚନା ପାଇଁ ଶକ୍ତି ଦେଇଥିଲେ ।

ଏସବୁ ଦୃଷ୍ଟିରୁ ସରସ୍ୱତୀଙ୍କୁ ଜ୍ଞାନ ଓ ଆନନ୍ଦମୟ ବିଗ୍ରହ ବୋଲି କୁହାଯାଏ । ଏଇଥିପାଇଁ ମଧ୍ୟ ବେଦ, ପୁରାଣ, ରାମାୟଣ, ଗୀତା ଆଦିକୁ ସରସ୍ୱତୀଙ୍କ ସ୍ୱରୂପ ବୋଲି ଗ୍ରହଣ କରାଯାଏ । ତେଣୁ ସରସ୍ୱତୀଙ୍କ ମୂର୍ତ୍ତି ନ ଥାଇ ମଧ୍ୟ ମୂର୍ତ୍ତି ପ୍ରତିବଦଳରେ ଏସବୁ ଗ୍ରନ୍ଥକୁ ସରସ୍ୱତୀ ରୂପେ ପୂଜା କରାଯାଏ । ଏଣୁ ମୂର୍ତ୍ତିକୁ ଯେପରି ଅପବିତ୍ର ସ୍ଥାନରେ ରଖିବା ଅନୁଚିତ, ପୁସ୍ତକକୁ ମଧ୍ୟ ସେପରି ଅପବିତ୍ର ସ୍ଥାନରେ ରଖିବା ବା ଅନାଦର କରିବା ଅନୁଚିତ ।

ସରସ୍ୱତୀଙ୍କୁ ମଧ୍ୟ ସଂଗୀତର ଦେବୀ ଭାବରେ ଅନେକେ ଉପାସନା କରିଥାଆନ୍ତି । ସେ ହସ୍ତରେ ଧାରଣ କରିଥିବା ବୀଣା ତାଙ୍କର ସଂଗୀତପ୍ରିୟତାର ସୂଚକ ।

ସରସ୍ୱତୀଙ୍କ ନାମ ଓ ସ୍ୱରୂପ ସମ୍ପର୍କରେ ପୁରାଣମାନଙ୍କରେ ବହୁ ବର୍ଣ୍ଣନା ରହିଛି । ସେ ପ୍ରଭାମୟୀ ହୋଇଥିବାରୁ ତାହାଙ୍କର ନାମ ସୁପ୍ରଭା । ନୈମିଷାରଣ୍ୟରେ ଶୌନକାଦି ଋଷିଙ୍କ ସମ୍ମୁଖରେ ସେ ଥରେ କାଞ୍ଚନାକ୍ଷି ରୂପରେ ପ୍ରକଟ ହୋଇଥିଲେ । ପ୍ରୟାଗର ସରସ୍ୱତୀ ଖୁବ୍ ପ୍ରସିଦ୍ଧ । ଉତ୍ତରକୋଶଳ, କୁରୁକ୍ଷେତ୍ର, ହିମାଳୟ ଆଦି ସ୍ଥାନରେ ସେ କୃପାକରି ନଦୀ ରୂପରେ ପ୍ରକଟ ହୋଇଥିଲେ । ଏହିସବୁ ସ୍ଥାନରେ ତାଙ୍କର ନାମ ମନୋରମା, ସୁରେଣୁ, ଓଘବତୀ ଓ ବିମଳୋଦକ । ବହୁ ମୂର୍ତ୍ତିରେ ସେ ହଂସ ଉପରେ ବିରାଜିତା ଥିବା ଦେଖାଯାଏ । ସେ ହାର ଓ ଚନ୍ଦ୍ରମା ଆଦିରେ ବିଭୂଷିତା । କୁନ୍ଦଫୁଲ ପରି ତାଙ୍କର ବର୍ଣ୍ଣ ଶୁଭ୍ର ଓ ଉଜ୍ଜ୍ୱଳ । ତାହାଙ୍କ ମୁଖରେ ସର୍ବଦା ମଧୁର ସ୍ମିତହସ ଶୋଭାପାଉଥାଏ । ହସ୍ତରେ ପୁସ୍ତକ, ବୀଣା, ଅମୃତମୟ ଘଟ ଓ ଅକ୍ଷମାଳା ଧାରଣ କରି ସେ ଶ୍ୱେତପଦ୍ମ ଉପରେ ବିରାଜମାନ କରିଥାଆନ୍ତି ଓ ବିଦ୍ୟାଦାନ କରନ୍ତି ।

ମହାକବି କାଳିଦାସ ସରସ୍ୱତୀଙ୍କୁ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି, ତାହା ଖୁବ୍ ପ୍ରସିଦ୍ଧ । ତାହା ସହିତ କିଛି ଅଂଶରେ ସମାନ ଏକ ସରସ୍ୱତୀ ବନ୍ଦନା ଓଡ଼ିଆରେ ପ୍ରଚଳିତ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମାନଙ୍କରେ ସ୍ୱରସ୍ୱତୀ ପୂଜା କଲାବେଳେ ପ୍ରାୟତଃ ସେହି ବନ୍ଦନା ଗାନ କରିଥାଆନ୍ତି । ତାହା ହେଉଛି-

ଅଇଲେ ମା’ ସରସ୍ୱତୀ ନିର୍ମଳ ବର୍ଣ୍ଣେ
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ
ଗଳାରେ ଗଜମୋତି ମୁକୁତାର ହାର
ଦିଅ ମା’ ସରସ୍ୱତୀ ବିଦ୍ୟାଭଣ୍ଡାର ।

Aama Debadebi.pdf
ଶିବ

ଏକ ବିଶ୍ୱାସ ଅଛି ଯେ ଆମର ମୋଟ ଦେବଦେବୀଙ୍କ ସଂଖ୍ୟା ୩୩ କୋଟି । କିନ୍ତୁ ଏହି ୩୩ କୋଟି ଦେବଦେବୀଙ୍କ ମଧ୍ୟରେ ତିନିଜଣ ଦେବତା ମୁଖ୍ୟ । ସେହି ତିନି ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ଶିବ । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଓ ଶିବ ସଂହାର କର୍ତ୍ତା । ଏଣୁ ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ସୃଷ୍ଟି-ସ୍ଥିତି-ପ୍ରଳୟର ପ୍ରତୀକ ଭାବରେ ଗ୍ରହଣ କରାଯାଏ ।

ମାତ୍ର ଏକ ଗୁରୁତ୍ୱ‌ପୂର୍ଣ୍ଣ ବିଷୟ ଏହି ଯେ, ଶିବ ସଂହାର ବା ପ୍ରଳୟର କର୍ତ୍ତା ହେଲେ ହେଁ ସେ ମଙ୍ଗଳମୟ । ଶିବ, ଶମ୍ଭୁ ଓ ଶଙ୍କର ନାମରେ ସେ ପ୍ରସିଦ୍ଧ । ଏହି ତିନିଟି ନାଆଁର ବିଶେଷତ୍ୱ ହେଉଛି, କଲ୍ୟାଣମୟ, କଲ୍ୟାଣର ଜନ୍ମଭୂମି ଓ ପରମ ଶାନ୍ତିମୟ । ତାଙ୍କର ଆଉ ଗୋଟିଏ ନାଆଁ ହେଉଛି ମହେଶ ବା ମହାଦେବ । ଦେବତା ଭାବରେ ତାଙ୍କର ବିରାଟତାକୁ ଏହି ନାଆଁ ସୂଚାଏ ।

ଶିବଙ୍କ ଜନ୍ମ ସମ୍ପର୍କରେ ପୁରାଣମାନଙ୍କରେ ବହୁ କାହାଣୀ ରହିଛି । ତେବେ ଗୋଟିଏ କଥା ପ୍ରାୟ ସବୁ କାହାଣୀରେ ସମାନ ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ଏବଂ ବ୍ରହ୍ମାଙ୍କ ଭ୍ରୂଲତାର ମଧ୍ୟବିନ୍ଦୁରୁ ଶିବ ଜାତ ହୋଇଥିଲେ ।

ଅନ୍ୟ ସବୁ ଦେବତାଙ୍କ ଅପେକ୍ଷା ଶିବଙ୍କର ରୂପ ଓ ଗୁଣର ବିଶେଷତ୍ୱ ରହିଛି । ସେଥିରୁ କେତୋଟି ହେଉଛି, ସେ ବାଘଛାଲ ଉପରେ ବସି ଥାଆନ୍ତି ଓ ବାଘଛାଲ ପିନ୍ଧି ଥାଆନ୍ତି । ତାଙ୍କର ଗଳା, ହାତ, ବାହୁ ଓ ଅଣ୍ଟା ଆଦିରେ ସାପମାନେ ଅଳଙ୍କାର ପରି ରହିଥାଆନ୍ତି । ବୃଷଭ ତାଙ୍କର ବାହନ । ତାଙ୍କର କେଶ ଲମ୍ବା ଓ ମଥାର କେଶରେ ପଞ୍ଚମୀ ତିଥିର ଜହ୍ନ ଶୋଭା ପାଉଥାଏ । ପବିତ୍ର ଗଙ୍ଗାନଦୀର ଜଳଧାରା ସେଥିରୁ ଝରିଡ଼ୁଥାଏ । ସେ ହାତରେ ତ୍ରିଶୂଳ ଧରିଥାଆନ୍ତି । ତାଙ୍କର ଗଳାରେ ନରମୁଣ୍ଡ ମାଳ ଶୋଭା ପାଉଥାଏ ଏବଂ ସେ ସାରା ଦେହରେ ଭସ୍ମ ବୋଳି ହୋଇଥାଆନ୍ତି ଇତ୍ୟାଦି ।

ଏସବୁ ବ୍ୟତୀତ ଶିବଙ୍କର ଆଉ କେତୋଟି ବିଶେଷତ୍ୱ ମଧ୍ୟ ରହିଛି । ସେଥିରୁ ଗୋଟିଏ ହେଉଛି, ତାଙ୍କର କପାଳରେ ଥିବା ତୃତୀୟ ନେତ୍ର । ଶିବଙ୍କର ଏହି ତୃତୀୟ ନେତ୍ରଟି କିପରି ସୃଷ୍ଟି ହେଲା, ସେ ସମ୍ପର୍କରେ ପୁରାଣରେ ଥିବା କାହାଣୀ ଖୁବ୍ କୌତୂହଳ ଉଦ୍ଧୀପକ । ପାର୍ବତୀ ହେଉଛନ୍ତି ଶିବଙ୍କର ପତ୍ନୀ । ଥରେ ସେ ମଜାରେ ଶିବଙ୍କର ଦୁଇ ଆଖି ବୁଜି ଧରିଲେ । ଶିବଙ୍କ ଆଖି ବୁଜି ହୋଇଯିବାରୁ ସମଗ୍ର ପୃଥିବୀରେ ଅନ୍ଧକାର ଛାଇଗଲା । ଚାରିଆଡେ଼ ହାହାକାର ପଡ଼ିଗଲା । ସମସ୍ତେ ଭୟଭୀତ ହୋଇପଡ଼ିଲେ । ସମସ୍ତେ ଭାବିଲେ, ଚରାଚର ସମଗ୍ର ସୃଷ୍ଟି ଏଇଠି ଧ୍ୱଂସ ପାଇଯିବ । ମାତ୍ର ସେତିକିବେଳେ ଏକ ଅଦ୍ଭୁତ ଘଟଣା ଘଟିଲା । ଶିବଙ୍କର କପାଳରୁ ଆକସ୍ମିକ ଭାବରେ ଏକ ଆଲୋକରେଖା ବାହାରିଲା । ତାହା ଥିଲା ତାଙ୍କ ତୃତୀୟ ନେତ୍ରର ଜ୍ୟୋତି । ସମଗ୍ର ପୃଥିବୀକୁ ଆକସ୍ମିକ ବିପତ୍ତିରୁ ରକ୍ଷା କରିବା ପାଇଁ ସେହି ତୃତୀୟ ନେତ୍ରର ସୃଷ୍ଟି ହୋଇଥିଲା ।

ଶିବଙ୍କର ଏହି ତୃତୀୟ ନେତ୍ରର ଶକ୍ତି ଅତି ଅଦ୍ଭୁତ । ତାହାର ଜ୍ୟୋତି ଏତେ ତୀବ୍ର ଯେ, ତାହା କ୍ଷଣକେ ସବୁକିଛି ପୋଡିଜାଳି ଭସ୍ମ କରିଦେଇପାରେ । ଥରେ ଶିବ ତପସ୍ୟା କରୁଥିବା ବେଳେ କାମଦେବ ତାଙ୍କର ତପସ୍ୟା ଭଙ୍ଗ କରିବା ପାଇଁ ଉଦ୍ୟମ କରଥିଲେ । ସେତେବେଳେ ଶିବଙ୍କର ଏହି ତୃତୀୟ ନେତ୍ରର ଜ୍ୟୋତି ତାଙ୍କୁ ଜାଳି ପୋଡି ପାଉଁଶ କରି

ଦେଇଥିଲା । ପରେ କାମଦେବଙ୍କ ପତ୍ନୀ ରତିଙ୍କର କରୁଣ ପ୍ରାର୍ଥନା ଫଳରେ ସେ ଜୀବନ୍ୟାସ ପାଇଲେ ।

ଶିବଙ୍କର ଏହି ତୃତୀୟ ନେତ୍ର ପାଇଁ ହିଁ ଶିବଙ୍କର ନାଆଁ ତ୍ରିଲୋଚନ ବା ତ୍ର୍ୟମ୍ବକ ।

ପୁରାଣମାନଙ୍କରେ ଶିବଙ୍କର ବିବିଧ ରୂପର ବର୍ଣ୍ଣନା ଅଛି । ସେହି ବର୍ଣ୍ଣନା ଅନୁସାରେ ବିଭିନ୍ନ ସ୍ଥାନରେ ଶିବଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ମଧ୍ୟ ଗଢ଼ା ଯାଇଛି । ସେହିସବୁ ମୂର୍ତ୍ତିମାନଙ୍କରେ ଶିବଙ୍କ ମସ୍ତକରେ ଚନ୍ଦ୍ର ଓ ଗଙ୍ଗା, ହସ୍ତରେ ତ୍ରିଶୂଳ ଓ ରୁଦ୍ରାକ୍ଷମାଳା ଏବଂ ବେକ, ବାହୁ ଓ ହାତରେ ସର୍ପ ଆଦି ଦେଖିବାକୁ ମିଳେ । ଆଉ କେତେକ ମୂର୍ତ୍ତିରେ ଶିବ ଦେହସାରା ଭସ୍ମ ବୋଳି ହୋଇ, ବାହନ ନନ୍ଦୀ ଉପରେ ବସିଥିବା ଦେଖାଯାଏ । ନନ୍ଦୀ ଏକ ବୃଷଭ । ତାହାର ଦେହର ରଙ୍ଗ ଶୁଭ୍ର । ଆଖି ନରମ ଓ ବାଦାମୀ ରଙ୍ଗର । ସେ ଧର୍ମରାଜଙ୍କର ପ୍ରତୀକ ବୋଲି ପୁରାଣମାନଙ୍କରେ ବର୍ଣ୍ଣନା ଅଛି ।

ସ୍କନ୍ଦ ପୁରାଣରେ ଲେଖାଅଛି, ଥରେ ଧର୍ମଙ୍କ ମନରେ ଇଚ୍ଛା ହେଲା, ସେ ଦେବାଧିଦେବ ଶିବଙ୍କର ବାହନ ହେବେ । ସେଥିପାଇଁ ସେ ଦୀର୍ଘକାଳ ତପସ୍ୟା କଲେ । ଶେଷରେ ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ନିଜର ବାହନ ରୂପେ ସ୍ୱୀକାର କଲେ । ମାତ୍ର ସ୍ୱୟଂ ଧର୍ମ ତ ବାହନ ହୋଇପାରିବେ ନାହିଁ । ତେଣୁ ସେ ଏକ ବୃଷଭରେ ପରିଣତ ହେଲେ । ଏହି ବୃଷଭ ହିଁ ନନ୍ଦୀ । ଏଣୁ ବୃଷଭଙ୍କୁ ଶିବଙ୍କର ବାହନ ଓ ଧର୍ମଙ୍କର ପ୍ରତୀକ ରୂପେ ପୂଜା କରାଯାଏ ।

ଶିବଙ୍କର ଆଉ ଗୋଟିଏ ନାଆଁ ହେଲା ରୁଦ୍ର । ଶିବଙ୍କର ଏହି ରୁଦ୍ର ନାମ ପଛରେ ଏକ ସୁନ୍ଦର କାହାଣୀ ଅଛି । ସେହି କାହାଣୀରେ କୁହାଯାଇଛି, ଯେତେବେଳେ ଗୋଟିଏ କଳ୍ପ ବା ସୃଷ୍ଟିର ଆରମ୍ଭ ହେଲା, ସେତେବେଳେ ବିଷ୍ଣୁଙ୍କ ନାଭିଦ୍ମରୁ ବ୍ରହ୍ମା ଜନ୍ମହେଲେ । ତା’ ପରେ ସେ ଚାହିଁଲେ, ସୃଷ୍ଟି ସର୍ଜନା ପାଇଁ ଆଉଜଣେ ଦେବତା ସୃଷ୍ଟି ହୁଅନ୍ତୁ । ତେଣୁ ସେ ଧ୍ୟାନରେ ବସିଲେ । ସେହି ଧ୍ୟାନ କରିବା ଅବସ୍ଥାରେ ତାଙ୍କ କୋଳରେ ଗୋଟିଏ ନୀଳ ବର୍ଣ୍ଣର ଶିଶୁୁପୁତ୍ର ଦେଖାଦେଲା । ସେହି ଶିଶୁ ଖୁବ୍ ଜୋରରେ ପାଟିକରି କାନ୍ଦୁଥିଲା । ବ୍ରହ୍ମା ତାକୁ ତା’ର କାନ୍ଦର କାରଣ ପଚାରିବାରୁ ସେ କହିଲା, ମୁଁ କିଏ? ମୋ’ ନାଆଁ କ’ଣ? ତା'ପରେ ବ୍ରହ୍ମା ତାଙ୍କୁ କହିଲେ, ମା’ ରୁଦ- ଅର୍ଥାତ୍ କାନ୍ଦ ନାହିଁ । ମାତ୍ର ସେହି ଶିଶୁର କାନ୍ଦ ବନ୍ଦ ହେଲା ନାହିଁ । ଫଳରେ ବ୍ରହ୍ମା ତାକୁ କହିଲେ, ତୁମ ନାଆଁ ‘ରୁଦ୍ର’ । ତଥାପି ତାହାର କାନ୍ଦ ବନ୍ଦ ହେଲା ନାହିଁ । ଏଣୁ ସେ ଯେତେଥର କାନ୍ଦିଲା, ବ୍ରହ୍ମା ତାକୁ ସେତେଥର ଗୋଟିଏ ଗୋଟିଏ ନୂଆ ନାଆଁ ଦେଲେ । ଉଲ୍ଳେଖ ଅଛି ଯେ, ରୁଦ୍ର ନାଆଁ ପାଇବା ପରେ ବି ଶିଶୁଟି ସାତଥର କାନ୍ଦିଥିଲା । ତେଣୁ ବ୍ରହ୍ମା ତାକୁ ଆଉ ସାତଟି ନାଆଁ ଦେଇଥିଲେ । ସେହି ସାତ ନାଆଁ ହେଉଛି, ଭବ, ସର୍ବ, ଈଶାନ, ପଶୁପତି, ଭୀମ, ଉଗ୍ର ଓ ମହାଦେବ ।

ବାରମ୍ବାର କାନ୍ଦିବାରୁ ବ୍ରହ୍ମା, ଶିବଙ୍କୁ ଏଗାରଟି ନାଆଁ ଦେଇଥିଲେ ବୋଲି ମଧ୍ୟ କେତେକ ପୁରାଣରେ ଲେଖାଅଛି । ସେହି ଏଗାରଟି ନାଆଁ ଅନୁସାରେ ଶିବ ଏକାଦଶ ରୁଦ୍ର ଭାବରେ ପରିଚିତ । କେବଳ ଏହି ଗୋଟିଏ ନୁହେଁ, ଶିବଙ୍କର ଜନ୍ମ ଓ ନାମ ସମ୍ପର୍କରେ ଆହୁରି ବହୁ କାହାଣୀ ରହିଛି । ଗୋଟିଏ କାହାଣୀରେ, ଶିବ ବ୍ରହ୍ମାଙ୍କ କ୍ରୋଧରୁ ଜାତ ହୋଇଥିବାର ଉଲ୍ଲେଖ ଅଛି । ସେଥିରେ କୁହାଯାଇଛି, ବ୍ରହ୍ମା ଯେତେବେଳେ ବିଷ୍ଣୁଙ୍କ ନାଭିଦ୍ମରୁ ପ୍ରକଟ ହେଲେ, ସେତେବେଳେ ମଧୁ ଓ କୈଟଭ ନାମରେ ଦୁଇଜଣ ଅସୁର ତାଙ୍କୁ ମାରିପକାଇବା ପାଇଁ ଧାଇଁ ଆସିଲେ । ତେଣୁ ବ୍ରହ୍ମା ଖୁବ୍ ରାଗିଗଲେ । ଫଳରେ ତାଙ୍କ କ୍ରୋଧରୁ ଶିବ ଜନ୍ମ ହେଲେ । ସେହି ଶିବ ରୁଦ୍ର ବା ଶୂଳପାଣି ନାମରେ ପରିଚିତ ।

ଶିବଙ୍କର ପରିବାର ଖୁବ୍ ବିରାଟ । ଶିବ ମହାମେରୁ ପର୍ବତର ଶିଖରରେ ରହନ୍ତି । ସେଠାରେ ନଅଟି ନଗ୍ର ଅଛି । ସେହି ନଅ ନଗ୍ର ମଧ୍ୟରୁ ଶିବଙ୍କର ଯେଉଁ ନଗ୍ରଟି, ତାହାର ନାଆଁ ଯଶୋବତୀ । ସେହି ଯଶୋବତୀ ପୁରରେ ଶିବ ଓ ତାଙ୍କର ପରିବାର ରହନ୍ତି । ଶିବଙ୍କର ପରିବାର କହିଲେ, ଦୁଇ ପତ୍ନୀ- ଗଙ୍ଗା ଓ ପାର୍ବତୀ । ଶିବଙ୍କର ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକ ।

ଗଣେଶଙ୍କର ସିଦ୍ଧି ଓ ବୁଦ୍ଧି ନାମରେ ଦୁଇ ପତ୍ନୀ ଏବଂ କ୍ଷେମ ଓ ଲୋଭ ନାମରେ ଦୁଇ ପୁତ୍ର । ତାଙ୍କର ବାହନ ମୂଷିକ । କାର୍ତ୍ତିକଙ୍କର ପତ୍ନୀ ଦେବସେନା ଓ ବାହନ ମୟୂର । ଏହା ବ୍ୟତୀତ ପାର୍ବତୀଙ୍କର ବିଜୟା ଆଦି ଅନେକ ସଖୀ, ଏକାଦଶ ରୁଦ୍ର, ରୁଦ୍ରାଣୀ, ଚଉଷଠୀ ଯୋଗିନୀ, ମାତୃକା ଓ ଭୈରବ ଆଦି ବହୁ ସହଚର ଓ ସହଚରୀ ଅଛନ୍ତି । ପାର୍ବତୀଙ୍କର ବାହନ ସିଂହ ଓ ଶିବଙ୍କର ବାହନ ଧର୍ମାବତାର ନନ୍ଦୀ । ଏ ସମସ୍ତଙ୍କୁ ମିଶାଇ ଶିବଙ୍କର ଏକ ବିରାଟ ପରିବାର ।

ଶିବ ଅନେକ ଅବତାର ଗ୍ରହଣ କରିଥିଲେ ବୋଲି ପୁରାଣମାନଙ୍କରେ ବର୍ଣ୍ଣିତ ଅଛି । ତେବେ ସେହି ଅବତାରଗୁଡ଼ିକ ପୂର୍ଣ୍ଣାବତାର ନୁହେଁ, ଅଂଶାବତାର । ସେହି ଅଂଶାବତାର ଗୁଡ଼ିକ ଭିତରୁ ମୁଖ୍ୟ କେତୋଟି ହେଉଛି, ଦୁର୍ବାସା, ବାନର, ଶକ୍ତି ଓ ବରୁଣ । ଅଂଶାବତାର ରୂପେ ସେ ବିଭିନ୍ନ ଦୈତ୍ୟ ଓ ଦାନବଙ୍କୁ ସଂହାର କରିଥିଲେ । ପୁଣି ତପଚାରୀ ମୁନି ଋଷିଙ୍କୁ ମଧ୍ୟ ବହୁ ବର ଦେଇଥିଲେ । ଶିବ ନିଜେ ଓ ନିଜର ଅଂଶାବତାରରେ ଯେଉଁମାନଙ୍କୁ ବର ଦେଇଥିଲେ, ସେମାନଙ୍କର ସଂଖ୍ୟା ଅଗଣନ । ସେମାନଙ୍କ ଭିତରୁ ଅଳ୍ପ କେତେଜଣ ହେଉଛନ୍ତି - ସିଂହବକ୍ତ୍ର, ରୁକ୍ମୀ, ବାଣ, ସୁଦକ୍ଷିଣ, ଶାଲ୍ୱ, ବୃକାସୁର, ରତିଦେବୀ, ଇନ୍ଦ୍ରଜିତ, ଭୃଗୁ, ଗାନ୍ଧାରୀ, ପ୍ରଭଞ୍ଜନ, ଶ୍ୱେତକୀ, ଜରାସନ୍ଧ, ବାଣାସୁର, ସଗର, ଭଗୀରଥ, ଜୟଦ୍ରଥ, ସୋମଦତ୍ତ, ତଣ୍ଡୀ, ସ୍କନ୍ଦ, ଅରୁନ୍ଧତୀ, ଅମ୍ବା ଓ ପରଶୁରାମ ।

ଶିବଙ୍କର ଆୟୁଧ ଭିତରେ ପିନାକ ଧନୁ ଓ ତ୍ରିଶୂଳ ମୁଖ୍ୟ । ଅନ୍ୟାନ୍ୟ ଆୟୁଧ ମଧ୍ୟରୁ କେତୋଟି ହେଉଛି, ଟଙ୍କ (ଛେଣି), କୃପାଣ, ବଜ୍ର, ଅଗ୍ନିଯୁକ୍ତ କପାଳ, ସର୍ପ, ଘଣ୍ଟା, ଅଙ୍କୁଶ ଓ ପାଶ ।

ଶିବଙ୍କର କେତୋଟି ହାତ ସେ ସମ୍ପର୍କରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଉଲ୍ଲେଖ ମିଳେ । ସାଧାରଣତଃ ତାଙ୍କୁ ଦୁଇ ହାତ ବିଶିଷ୍ଟ ରୂପେ ଦେଖିବାକୁ ମିଳିଲେ ମଧ୍ୟ ଚାରିହାତ, ଆଠହାତ ଓ ଦଶହାତ ଥିବା ଶିବଙ୍କର ବର୍ଣ୍ଣନା ମଧ୍ୟ ପୁରାଣମାନଙ୍କରେ ରହିଛି ।

ଶିବଙ୍କର ଅନ୍ୟାନ୍ୟ ବହୁ ସ୍ୱରୂପ ମଧ୍ୟ ଅଛି । ସେହି ବିଭିନ୍ନ ସ୍ୱରୂପ ମଧ୍ୟରେ ଉମାମହେଶ୍ୱର, ଅର୍ଦ୍ଧ-ନାରୀଶ୍ୱର, ମୃତ୍ୟୁଞ୍ଜୟ, ପଞ୍ଚାନନ, ଏକବକ୍ତ୍ର, ପଶୁପତି, କୃତ୍ତିବାସ, ଦକ୍ଷିଣମୂର୍ତ୍ତି ଓ ଯୋଗୀଶ୍ୱର ଆଦି ଅତ୍ୟନ୍ତ ପ୍ରସିଦ୍ଧ । ଶିବଙ୍କର ଏହିସବୁ ସ୍ୱରୂପ ଲିଙ୍ଗରୂପରେ ମଧ୍ୟ ଦେଖାଯାଆନ୍ତି । ଶିବଙ୍କ ମୂର୍ତ୍ତିପୂଜା ଅପେକ୍ଷା ଏହି ଲିଙ୍ଗପୂଜା ଅଧିକ ପ୍ରିୟ । ଏହି ଲିଙ୍ଗ ପୁଣି ମୁଖ୍ୟତଃ ଦୁଇ ପ୍ରକାର । ଗୋଟିଏ ପ୍ରକାରର ଶିବଲିଙ୍ଗ ସ୍ୱୟଂଭୂ । ତାଙ୍କୁ କେହି ନିର୍ମାଣ କରି ନଥାନ୍ତି ବା ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହୁଏ ନାହିଁ । ଆଉ ଗୋଟିଏ ପ୍ରକାରର ଶିବଲିଙ୍ଗ ଧାତୁ, ପ୍ରସ୍ତର ଓ ରତ୍ନାଦିରେ ନିର୍ମାଣ କରାଯାଇଥାଏ । ତାହା ଚଳନ୍ତି ଶିବଲିଙ୍ଗ ।

ଶିବଙ୍କର ଜ୍ୟୋତିର୍ଲିଙ୍ଗମାନ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି । ସେମାନଙ୍କ ମଧ୍ୟରୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଖୁବ୍ ପ୍ରସିଦ୍ଧ । ସେହି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ହେଉଛନ୍ତି, ୧- ଗୁଜୁରାଟ ପ୍ରଭାସତୀର୍ଥର ଶ୍ରୀସୋମନାଥ, ୨- ଗୁଜୁରାଟ ଦ୍ୱାରକା ନିକଟସ୍ଥ ଶ୍ରୀନାଗେଶ୍ୱର, ୩- ମଧ୍ୟପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ଏକ ଦ୍ୱୀପର ଶ୍ରୀଓଁକାରେଶ୍ୱର, ୪- ମହାରାଷ୍ଟ୍ରର ନାସିକ୍ ନିକଟସ୍ଥ ଗୋଦାବରୀ ନଦୀର ଉତ୍ପତ୍ତିସ୍ଥଳର ଶ୍ରୀତ୍ର୍ୟମ୍ବକେଶ୍ୱର, ୫- ମହାରାଷ୍ଟ୍ରର ଅଉରଙ୍ଗାବାଦ-ଦୌଲତାବାଦ-ଏଲୋରା ନିକଟ ଶ୍ରୀଘୃଷ୍ଣେଶ୍ୱର, ୬- ମହାରାଷ୍ଟ୍ରର ପୁନେ ନିକଟସ୍ଥ ସହ୍ୟାଦ୍ରି ପର୍ବତର ଶ୍ରୀଭୀମାଶଙ୍କର, ୭- ତାମିଲ‌ନାଡ଼ୁର ରାମେଶ୍ୱରମ୍‌ର ରାମନାଥ ଶ୍ରୀରାମେଶ୍ୱର, ୮- ଆନ୍ଧ୍ରପ୍ରଦେଶର କୃଷ୍ଣାନଦୀକୂଳସ୍ଥ ଶ୍ରୀଶୈଳମ୍ ପର୍ବତର ଶ୍ରୀମଲ୍ଲିକାର୍ଜୁନମ୍, ୯- ଝାଡ଼ଖଣ୍ଡ ରାଜ୍ୟର ଦେଓଘର ବା ବୈଦ୍ୟନାଥ ଧାମର ଶ୍ରୀବୈଦ୍ୟନାଥ, ୧୦- ଉତ୍ତରପ୍ରଦେଶର କାଶୀ ବନାରସ ବା ବାରାଣସୀର ଶ୍ରୀବିଶ୍ୱନାଥ ଏବଂ ୧୧- ହିମାଳୟ ପର୍ବତ କୋଳସ୍ଥ ଉତ୍ତରାଖଣ୍ଡ ରାଜ୍ୟର ଶ୍ରୀକେଦାରନାଥ ।

ତେବେ ଏ ସଂପର୍କରେ ଗୋଟିଏ ଗୁରୁତ୍ୱ‌ପୂର୍ଣ୍ଣ ବିଷୟ ହେଉଛି, ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ବିରାଜମାନ ଶ୍ରୀଲିଙ୍ଗରାଜ ହେଉଛନ୍ତି ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ଅଧୀଶ୍ୱର । ସବୁ ଜ୍ୟୋତିର୍ଲିଙ୍ଗ ଶ୍ରୀଲିଙ୍ଗରାଜଙ୍କର ଅଂଶବିଶେଷ । ଏ ସଂପର୍କରେ 'ଏକାମ୍ର ଚନ୍ଦ୍ରିକା' ଗ୍ରନ୍ଥରେ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ ଅଛି ।

ଶିବଙ୍କ ସମ୍ପର୍କରେ ଅନେକ କାହାଣୀ ଖୁବ୍ ପ୍ରସିଦ୍ଧ ଓ ଲୋକପ୍ରିୟ । ସେଥିରୁ ଦୁଇଟି କାହାଣୀ ହେଉଛି, ଗଙ୍ଗାଙ୍କର ଅବତରଣ ଓ ଗରଳ ପାନ ପ୍ରସଙ୍ଗ ।

ଗଙ୍ଗା ହେଉଛନ୍ତି ସ୍ୱର୍ଗର ନଦୀ । ପୃଥିବୀକୁ ପବିତ୍ର କରିବା ପାଇଁ ସେ ଧରାପୃଷ୍ଠକୁ ଅବତରଣ କରିଥିଲେ । ସେ ଯେତେବେଳେ ଧରାବତରଣ ପାଇଁ ଇଚ୍ଛା କଲେ, ସେତେବେଳେ ସମସ୍ତେ ଆଶଙ୍କା କଲେ ଯେ ତାଙ୍କର ପ୍ରଖର ଜଳଧାରାରେ ସମଗ୍ର ପୃଥିବୀ ଭାସିଯିବ ବା ଧ୍ୱଂସ ହୋଇଯିବ । ତାହାର ପ୍ରତିକାର ପାଇଁ ସେ ଶିବଙ୍କୁ ପ୍ରାର୍ଥନା କଲେ । ସେହି ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଶିବ ତାଙ୍କର ଜଟା ପାତିଦେଲେ । ଗଙ୍ଗା ସ୍ୱର୍ଗରୁ ପ୍ରଥମେ ତାଙ୍କର ଜଟା ଉପରକୁ ଓହ୍ଲାଇ ସେଠାରୁ ନଦୀ ରୂରେ ବହି ଆସିଲେ । ପୃଥିବୀର କିଛି ଅନିଷ୍ଟ ହେଲା ନାହିଁ ।

ଗରଳ ପାନ ପ୍ରସଙ୍ଗରୁ ଶିବଙ୍କ ଉଦାରତାର ମହତ୍ ପରିଚୟ ମିଳେ । ଯେତେବେଳେ ଦେବତା ଓ ଅସୁର ମିଶି କ୍ଷୀରସମୁଦ୍ର ମନ୍ଥନ କଲେ, ବାସୁକୀସର୍ପ ରଜୁ ଓ ମନ୍ଦର ପର୍ବତ ଖୁଆଦଣ୍ଡ ହୋଇଥିଲେ । ସେହି ମନ୍ଥନରୁ କାଳକୂଟ ବିଷ ବାହାରିଲା । ବାସୁକୀ ମଧ୍ୟ ବିଷ ବାନ୍ତି କଲେ । ସେହି ବିଷ ଏତେ ଭୟାନକ ଥିଲା ଯେ, ସେଥିରେ ସମଗ୍ର ଚରାଚର ଧ୍ୱଂସ ପାଇ ଯିବାର ଆଶଙ୍କା ସୃଷ୍ଟି ହେଲା । ମାତ୍ର ସମସ୍ତଙ୍କୁ ଧ୍ୱଂସ ମୁଖରୁ ବଞ୍ଚାଇବା ପାଇଁ ଶିବ ସେହି ଗରଳତକ ପିଇଦେଲେ । ଫଳରେ ତାଙ୍କର କଣ୍ଠଦେଶ ନୀଳବର୍ଣ୍ଣ ହୋଇଗଲା । ସେହିଦିନଠୁ ସେ ନୀଳକଣ୍ଠ ଭାବରେ ପରିଚିତ ହେଲେ ।

ଶିବ ଦେବାଧିଦେବ ମହାଦେବ ହେଲେ ହେଁ ନିଜେ ଆଡ଼ମ୍ବରରେ ରହନ୍ତି ନାହିଁ । ସରଳ ଓ ସାଧାସିଧା ଭାବରେ ଚଳନ୍ତି । ଶିବଙ୍କର ଏହି ସ୍ୱଭାବର ଚମତ୍କାର ପରିଚୟ ମିଳେ ଜୀମୂତକେତୁ ଉପାଖ୍ୟାନରୁ-

ଥରେ ଖରାଦିନେ ପାର୍ବତୀ ଖୁବ୍ କଷ୍ଟ ପାଇଲେ । ଶିବଙ୍କୁ କହିଲେ, ଦେବାଧିଦେବ ମହାଦେବ ହୋଇ ମଧ୍ୟ ତୁମର ଖଣ୍ଡିଏ ଘର ନାହିଁ । ଯଶୋବତୀପୁର ଓ ସବୁ ଧନସମ୍ପଦ ଅନ୍ୟମାନଙ୍କୁ ଦେଇଦେଇ ତୁମେ ବାହାରେ ବାହାରେ ବୁଲୁଛ । ଚାଲ, ଖରା ତାପରୁ ରକ୍ଷା ପାଇବା ପାଇଁ ଘର ଖଣ୍ଡିଏ କରି ରହିବା । ମାତ୍ର ଶିବ ତାଙ୍କୁ କହିଲେ, ଗଛ ଛାଇ ତ ଆମକୁ ଖରା ତାପରୁ ରକ୍ଷା କରିପାରିବ, ଘର ଖଣ୍ଡିଏ କ’ଣ ବା ଦରକାର? ପାର୍ବତୀ ବୁଝିଗଲେ ।

ଖରାଦିନ ଯାଇ ବର୍ଷା ଦିନ ଆସିଲା । ଆକାଶରେ କଳାହାଣ୍ଡିଆ ମେଘ ଘୋଟିଗଲା । ପାର୍ବତୀ କହିଲେ, ଖରାଦିନେ ସିନା ଆମେ ଗଛ ଛାଇରେ କଟାଇ ଦେଲେ, ଏବେ ବର୍ଷାଦିନ ଆସିଲାଣି । ଏ ଘୋର ବର୍ଷାରେ ବିନା ଘରରେ କିପରି ରହିବା? ଶିବ ତାଙ୍କୁ ପୁଣି ବୁଝାଇ କହିଲେ, ଆମର ଧନ ସମ୍ପଦ ଏତେ କାହିଁ ଯେ ଆମେ ଘର କରି ରହିବା? ଦେଖୁଛ ତ, ମୁଁ ବାଘଛାଲ ଖଣ୍ଡିଏକୁ ଲୁଗା କରି ପିନ୍ଧିଛି । ଶେଷନାଗଙ୍କୁ ପଇତା କରି ପକାଇଛି । ନୀଳ ସର୍ପ

Aama Debadebi.pdf
ଶିବ ଓ ପାର୍ବତୀଙ୍କ ମିଳିତ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି : ଓଡ଼ିଶା

ମୋର କଟିସୂତା । ପଦ୍ମ ଓ ପିଙ୍ଗଳ କାନର କୁଣ୍ଡଳ । ବାହୁର ବାହୁଟି ଓ ହାତର କଙ୍କଣ କରି ତ ମୁଁ କମ୍ବଳ, ନାଗଧନଞ୍ଜୟ, ତକ୍ଷକ ଆଦି ସର୍ପଙ୍କୁ ପିନ୍ଧିଛି । ଦେହରେ ପାଉଁଶ ବୋଳି ହୋଇଛି । ଏଣୁ ବର୍ଷାରୁ ରକ୍ଷା ପାଇବା ପାଇଁ ବରଂ ଚାଲ, ଆମେ ବାଦଲ ଉପରକୁ ଚାଲିଯିବା । ବର୍ଷା ଆମକୁ ହଇରାଣ କରିପାରିବ ନାହିଁ ।

ତା’ପରେ ଶିବ ଓ ପାର୍ବତୀ ବାଦଲ ଉପରକୁ ଚାଲିଗଲେ । ବାଦଲର ଆଉ ଗୋଟିଏ ନାଆଁ ଜୀମୂତ । କେତୁ ଅର୍ଥାତ୍ କେତନ ବା ପତାକା- ଯାହା ଉପରେ ଉଡେ । ତେଣୁ, ସେଇ ଦିନଠୁ ଶିବଙ୍କର ନାଆଁ ହେଲା ଜୀମୂତକେତୁ ।

ଏହିପରି ଶିବଙ୍କର ସରଳତା ଓ ଉଦାରତାର ବହୁ କାହାଣୀ ପୁରାଣମାନଙ୍କରେ ରହିଛି । ସେ ଭାରି ଦୟାଳୁ । କେହି ତାଙ୍କୁ ନିଷ୍ଠାର ସହ ପ୍ରାର୍ଥନା କଲେ ସେ ନିଶ୍ଚୟ ସନ୍ତୁଷ୍ଟ ହୁଅନ୍ତି । ମାତ୍ର ସେ ଅନ୍ୟାୟ ସହନ୍ତି ନାହିଁ । ସେ ରାଗିଲେ ମୁହୂର୍ତ୍ତକରେ ସମଗ୍ର ଚରାଚରକୁ ଧ୍ୱଂସ କରିଦେଇ ପାରନ୍ତି । ଶ୍ୱଶୁର ଦକ୍ଷ ତାଙ୍କର ପତ୍ନୀ ସତୀ (ପାର୍ବତୀ)ଙ୍କୁ ଅପମାନିତ କରିବାରୁ ସତୀ ଦକ୍ଷଙ୍କ ଯଜ୍ଞ କୁଣ୍ଡରେ ଝାସ ଦେଇଥିଲେ । ସେହି ଘଟଣାରେ ଶିବ ରାଗିଯାଇ ଦକ୍ଷଙ୍କ ଯଜ୍ଞକୁ ଧ୍ୱଂସ କରି ଦେଇଥିଲେ । ସତୀଙ୍କ ଶବକୁ ଧରି ତାଣ୍ଡବ ନୃତ୍ୟ କରିଥିଲେ ।

ମାଘ କୃଷ୍ଣ ଚତୁର୍ଦ୍ଧଶୀ ଦିନଟି ଶିବ ଚତୁର୍ଦ୍ଧଶୀ ନାମରେ ପ୍ରସିଦ୍ଧ । ଏହିଦିନ ଭାରତରେ ଚାରିଆଡେ଼ ଶିବ ପୂଜା କରାଯାଏ । ସେଦିନ ସାରାରାତି ଉଜାଗର ରହି ଲୋକମାନେ ଦୀପ ଜାଳି ଶିବଙ୍କୁ ପୂଜା କରନ୍ତି । ଶିବଙ୍କୁ ପୂଜା କଲେ ବହୁ ଶୁଭ ଫଳ ମିଳିଥାଏ । ଶିବ ମଧ୍ୟ ପରମ ଶାନ୍ତ ଓ ଯୋଗୀରାଜ । ତେଣୁ ମନର ଶାନ୍ତି ଓ ଚରିତ୍ରର ସଂଯମ ପାଇଁ ଶିବଙ୍କୁ ପୂଜା କରାଯାଏ ।

ଶିବଙ୍କର ବିଭିନ୍ନ ସ୍ୱରୂପ ପାଇଁ ଭିନ୍ନ ଭିନ୍ନ ଧ୍ୟାନ ଅଛି । ମହାଦେବ ବା ମହେଶ ଭାବରେ ଶିବଙ୍କୁ ଯେଉଁ ଧ୍ୟାନ କରାଯାଇଛି, ତାହା ଖୁବ୍ ଚମତ୍କାର । ସେହି ଧ୍ୟାନଟି ହେଉଛି-

ଧ୍ୟାୟେନ୍ନିତ୍ୟଂ ମହେଶଂ ରଜତଗିରିନିଭଂ ଚାରୁଚନ୍ଦ୍ରାବତଂସଂ
ରତ୍ନକଳ୍ପୋଜ୍ଜ୍ୱଳାଙ୍ଗ ପରଶୁମୃଗବରା ଭୀତିହସ୍ତଂ ପ୍ରସନ୍ନମ୍
ପଦ୍ମାସୀନଂ ସମନ୍ତାତ୍ ସ୍ତୁତମମରଗଣୈ ର୍ବ୍ୟାଘ୍ରକୃତ୍ତିଂ ବସନଂ
ବିଶ୍ୱାଦ୍ୟଂ ବିଶ୍ୱବୀଜଂ ନିଖିଳଭୟହରଂ ପଞ୍ଚବକ୍ତ୍ରଂ ତ୍ରିନେତ୍ରମ୍ ॥

ଅର୍ଥାତ୍- ରୂପା ପର୍ବତ ପରି ଯାହାଙ୍କର ଶରୀରର କାନ୍ତି; ଯେ ସୁନ୍ଦର ଚନ୍ଦ୍ରମାଙ୍କୁ ଅଳଙ୍କାର ରୂପେ ଧାରଣ କରିଥାନ୍ତି; ରତ୍ନାଦି ଆଭରଣରେ ଯାହାଙ୍କର ଶରୀର ଉଜ୍ଜ୍ୱଳ; ଯାହାଙ୍କର ହାତରେ ପରଶୁମୃଗ, ବର ଓ ଅଭୟ ଆଦି ଶୋଭିତ; ଯେ ଚିର ପ୍ରସନ୍ନ, ଶାନ୍ତ ଓ ପଦ୍ମାସନରେ ଆସୀନ; ଦେବତାମାନେ ଯାହାଙ୍କୁ ଚତୁର୍ଦ୍ଦିଗରେ ରହି ସ୍ତୁତି କରୁଥାଆନ୍ତି; ଯେ ବ୍ୟାଘ୍ର ଚର୍ମ ପରିଧାନ କରିଥାନ୍ତି ଏବଂ ଏହି ବିଶ୍ୱର ଆଦି ଓ ସଂସାରସୃଷ୍ଟିର ବୀଜ; ଯେ ସମସ୍ତ ଭୟର ବିନାଶକାରୀ; ଯାହାଙ୍କର ପଞ୍ଚମୁଖ ଓ ତ୍ରିନେତ୍ର- ସେହି ଦେବାଧିଦେବ ମହାଦେବ ଶିବଙ୍କୁ ନିତ୍ୟ ଧ୍ୟାନ କରିବା ଉଚିତ ।

Aama Debadebi.pdf
ବିଷ୍ଣୁ

ହିନ୍ଦୁ ଧର୍ମର ପୁରାଣମାନଙ୍କରେ ଯେତେ ଯେତେ ଦେବଦେବୀଙ୍କ କଥା ଲେଖା ଅଛି, ସେମାନଙ୍କ ମୂଳରେ ରହିଛନ୍ତି ତିନି ଦେବତା- ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହେଶ୍ୱର ବା ଶିବ ସଂହାରକର୍ତ୍ତା । ମାତ୍ର ଏହି ତିନି ଦେବତାଙ୍କ ମଧ୍ୟରେ ବି ଯିଏ ମୂଳ, ସିଏ ହେଉଛନ୍ତି ଭଗବାନ ବିଷ୍ଣୁ ।

ପୁରାଣମାନଙ୍କରେ ବ୍ରହ୍ମା, ବିଷ୍ଣୁ ଓ ଶିବ- ପ୍ରତ୍ୟେକଙ୍କର ସମୟ ବା ଆୟୁଷ ସମ୍ପର୍କରେ ଉଲ୍ଲେଖ ଅଛି । ସେଥିରେ କୁହାଯାଇଛି, ସମୟକ୍ରମେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ମଧ୍ୟ ବିଲୟ ହୁଏ । ଯେତେବେଳେ ସମଗ୍ର ସୃଷ୍ଟି ଧ୍ୱଂସ ପାଏ, ସେତେବେଳେ ମହାପ୍ରଳୟ ସଂଘଟିତ ହୁଏ । ୧୨୦ ବ୍ରହ୍ମବର୍ଷ ପର୍ଯ୍ୟନ୍ତ ସମଗ୍ର ସୃଷ୍ଟି ପ୍ରଳୟଜଳରେ ବୁଡ଼ିଯାଏ । ସେତେବେଳେ ଚାରିଆଡେ଼ ଅଖଣ୍ଡ ନୀରବତା ବିରାଜମାନ କରେ । ତା'ପରେ ବିଷ୍ଣୁ ଏକ ଶିଶୁ ରୂପରେ ବଟପତ୍ର ଉପରେ ଶୋଇରହି ପ୍ରଳୟ ଜଳ ଉପରେ ଭାସନ୍ତି । ତାହା ଏକ ମହାଯୁଗର ଆରମ୍ଭ । ସେହି ଶିଶୁରୂପୀ ବିଷ୍ଣୁଙ୍କର ନାଆଁ ହେଉଛି ବାଳମୁକୁନ୍ଦ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବେଢ଼ାରେ ଏହି ବାଳମୁକୁନ୍ଦଙ୍କର ଗୋଟିଏ ମନ୍ଦିର ଅଛି ।

ବିଷ୍ଣୁ ନାଆଁର ଅର୍ଥ ହେଉଛି, ଯେ ବ୍ୟାପନ ବା ନିଜକୁ ବିସ୍ତାରିତ କରନ୍ତି । ତେଣୁ ପ୍ରଳୟ ପରେ ଯେଉଁ ନୂଆ ସୃଷ୍ଟି ହୁଏ- ସେଥିରେ ବିଷ୍ଣୁ ହିଁ ନିଜକୁ ବିସ୍ତୃତ କରିଥାଆନ୍ତି । ସେତେବେଳେ ତାଙ୍କର ନାଭିରୁ ଗୋଟିଏ ପଦ୍ମନାଡ଼ ବାହାରେ । ତାହାର ଶେଷ ଭାଗରେ ଗୋଟିଏ ପଦ୍ମଫୁଲ ଫୁଟେ । ସେଥିରୁ ବ୍ରହ୍ମା ଜାତ ହୁଅନ୍ତି ଏବଂ ବିଷ୍ଣୁଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରନ୍ତି । ସେହି ବ୍ରହ୍ମା ପ୍ରଳୟ ବେଳେ ଧ୍ୱଂସ ପାଆନ୍ତି ଏବଂ ଅନ୍ୟ ଏକ ବ୍ରହ୍ମା ସୃଷ୍ଟି ହୁଅନ୍ତି । ଏହିପରି ଦୁଇଜଣ ବ୍ରହ୍ମାଙ୍କ ଧ୍ୱଂସ ପରେ ବିଷ୍ଣୁଙ୍କର ଆୟୁଷ ଶେଷ ହୁଏ । ପୁନର୍ବାର ମହାପ୍ରଳୟ ହୁଏ ।

ପ୍ରଳୟ ପରବର୍ତ୍ତୀ ସୃଷ୍ଟିର ସେହି ଆରମ୍ଭ କାହାଣୀ ପୁରାଣମାନଙ୍କରେ ଖୁବ୍ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି । ସେ ସବୁରେ କୁହାଯାଇଛି, ମହାପ୍ରଳୟ ପରେ ଯେତେବେଳେ ବିଷ୍ଣୁ ବଟପତ୍ର ଉପରେ, ବାଳମୁକୁନ୍ଦ ରୂପରେ ଦେଖାଦେଲେ, ସେତେବେଳେ ସେ ଭାବିଲେ, ମୁଁ କିଏ? କିଏ ମତେ ସୃଷ୍ଟି କଲା? ଏବେ ମୋର କର୍ତ୍ତବ୍ୟ କ'ଣ?

ସେତେବେଳେ ମହାଶୂନ୍ୟରୁ ଏକ ସ୍ୱର ଶୁଭିଲା । ସେ ସ୍ୱର ଥିଲା ମହାଦେବୀଙ୍କର । ସେ କହିଲେ- ସର୍ଜନା, ସ୍ଥିତି ଓ ଧ୍ୱଂସ- ଏ ତିନିଟି ହେଉଛି ସୃଷ୍ଟିର ମୁଖ୍ୟ ଅଙ୍ଗ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତୁମେ ସତ୍ତ୍ୱ ଗୁଣର ଆଧାର । ତୁମେ ସୃଷ୍ଟିର ପାଳନ କରିବ । ବ୍ରହ୍ମା ତୁମ ନାଭିରୁ ଜାତ ହେବେ । ସେ ରଜ ଗୁଣର ଆଧାର । ଏଣୁ ସେ ସୃଷ୍ଟି ସର୍ଜନା କରିବେ । ବ୍ରହ୍ମାଙ୍କ ଭ୍ରୂ-ମଧ୍ୟରୁ ଶିବ ଜାତ ହେବେ । ସେ ତମ ଗୁଣର ଆଧାର । ଏଣୁ ସେ ସୃଷ୍ଟିର ସଂହାର ବା ଧ୍ୱଂସ କରିବେ । ଏଣୁ ତୁମେ ତୁମର ନାଭିରୁ ପଦ୍ମ ଓ ପଦ୍ମରୁ ବ୍ରହ୍ମାଙ୍କୁ ସୃଷ୍ଟିକରି ସୃଷ୍ଟି ସର୍ଜନାରେ ନିୟୋଜିତ କରାଅ ।

ମହାଦେବୀଙ୍କଠାରୁ ତାହା ଶୁଣି ବିଷ୍ଣୁ ଧ୍ୟାନସ୍ଥ ହେଲେ ଏବଂ ତାଙ୍କ ନାଭିରୁ ପଦ୍ମଟିଏ ବିକଶିତ ହେଲା । ସେଥିରୁ ବ୍ରହ୍ମା ଜାତ ହେଲେ ଏବଂ ବିଷ୍ଣୁଙ୍କ ନିର୍ଦ୍ଦେଶରେ ସୃଷ୍ଟି ସର୍ଜନା ଆରମ୍ଭ କଲେ ।

ପୁରାଣମାନଙ୍କରେ ଭଗବାନ ବିଷ୍ଣୁଙ୍କ ରୂପ, ଗୁଣ ଓ କାର୍ଯ୍ୟର ଏତେ ବିସ୍ତୃତ ଓ ଚମତ୍କାର ବର୍ଣ୍ଣନା ଅଛି ଯେ, ତାହା ସଂକ୍ଷେପରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଆଦି ଧାରଣ କରିଥାନ୍ତି । କିରୀଟ, କୁଣ୍ଡଳ ଆଦି ଦ୍ୱାରା ବିଭୂଷିତ ହୋଇଥାଆନ୍ତି । ତାଙ୍କର ଦେହରେ ପୀତାମ୍ବର ଶୋଭା ପାଉଥାଏ । ସୁନ୍ଦର ପଦ୍ମ‌ପରି ତାଙ୍କର ନେତ୍ର । ସେ ବନମାଳା ଓ କୌସ୍ତୁଭ ଆଦି ମଣି ଧାରଣ କରିଥାନ୍ତି । ଶ୍ରୀ-ଦେବୀ ଓ ଭୂ-ଦେବୀ ଆଦିଙ୍କ ସହିତ ତାଙ୍କର ନିତ୍ୟ ନିବାସ । ବିଭିନ୍ନ ସମୟରେ ପୃଥିବୀକୁ ପାପର ଭାରରୁ ଓ ଦୁଷ୍ଟ ଦୁରାଚାରମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେ ଅବତାର ରୂପେ ଆବିର୍ଭୂତ ହୋଇଥାଆନ୍ତି ।

ଭଗବାନ ବିଷ୍ଣୁଙ୍କର ଯେଉଁସବୁ ଅବତାର ରହିଛି, ସେହିସବୁ ଅବତାର ମଧ୍ୟରୁ ଦଶଟି ଅବତାର ମୁଖ୍ୟ ଓ ପ୍ରସିଦ୍ଧ । ବିଭିନ୍ନ ପୁରାଣରେ ବିଷ୍ଣୁଙ୍କର ୨୪ଟି ଅବତାର ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ସେହି ୨୪ଟି ଅବତାର ମଧ୍ୟରୁ ୨୨ଟି ହେଉଛି, ଶ୍ରୀ ବରାହ, ସନକାଦି, ନାରଦ, ନରନାରାୟଣ, କପିଳ, ଦତ୍ତାତ୍ରେୟ, ଯଜ୍ଞ, ରୁଷଭ, ପୃଥୁ, ମତ୍ସ୍ୟ, କୂର୍ମ, ଧନ୍ୱନ୍ତରୀ, ମୋହିନୀ, ନୃସିଂହ, ବାମନ, ପରଶୁରାମ, ବେଦବ୍ୟାସ, ରାମ, ବଳରାମ, ବୁଦ୍ଧ, କୃଷ୍ଣ ଓ କଳ୍କୀ । ହଂସ ଓ ହୟଗ୍ରୀବଙ୍କୁ ମିଶାଇଲେ ବିଷ୍ଣୁଙ୍କର ଅବତାର ସଂଖ୍ୟା ୨୪ । ମାତ୍ର ପ୍ରକୃତରେ ବିଷ୍ଣୁଙ୍କର ଅବତାର ସଂଖ୍ୟା ଅସଂଖ୍ୟ । ଋଷି ମନୁ, ଦେବତା, ମନୁୁପୁତ୍ର, ପ୍ରଜାପତି ଏ ସମସ୍ତେ ମଧ୍ୟ ବିଷ୍ଣୁଙ୍କର ଅଂଶାବତାର ।

ଏହି ୨୪ଟି ଅବତାର ମଧ୍ୟରୁ ୧୦ଟି ଅବତାର ଖୁବ୍ ପ୍ରସିଦ୍ଧ। ସେହି ଦଶଟି ହେଉଛି, ମତ୍ସ୍ୟ, କୂର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀ । ଏଥିରୁ ନଅଟି ଅବତାର ହୋଇ ସାରିଛନ୍ତି । ଶେଷ ଅବତାର କଳ୍କୀ କଳିଯୁଗ ଶେଷ ବେଳକୁ ଅବତାର ଗ୍ରହଣ କରିବେ । ଉତ୍କଳୀୟ କବି ଶ୍ରୀ ଜୟଦେବ ତାଙ୍କ ଦଶାବତାର ସ୍ତୋତ୍ରରେ ଏହି ଦଶଟି ଅବତାରକୁ ଖୁବ୍ ଲୋକପ୍ରିୟ କରିଦେଇଛନ୍ତି । ଶ୍ରୀକ୍ଷେତ୍ର ପୁରୀ ବା ନୀଳାଚଳ ଧାମରେ ଦାରୁବ୍ରହ୍ମ ରୂପେ ବିରାଜମାନ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି ସବୁ ଅବତାରର ମୂଳ ବା ସର୍ବାବତାରର ପ୍ରତିଭୂ ।

ବୈକୁଣ୍ଠ ହେଉଛି ବିଷ୍ଣୁଙ୍କର ନିବାସ ସ୍ଥାନ । ମହାଲକ୍ଷ୍ମୀ ତାଙ୍କର ପତ୍ନୀମାନଙ୍କ ମଧ୍ୟରେ ମୁଖ୍ୟ । ଗଙ୍ଗା ଓ ସରସ୍ୱତୀ ମଧ୍ୟ ବିଷ୍ଣୁଙ୍କର ପତ୍ନୀ ବୋଲି ଦେବୀ ଭାଗବତରେ ଉଲ୍ଲେଖ ଅଛି । ଲକ୍ଷ୍ମୀଙ୍କର ମଧ୍ୟ ବିଭିନ୍ନ ଅବତାର ରହିଛି ।

ପ୍ରକୃତରେ ଦେଖିଲେ, ବିଷ୍ଣୁଙ୍କର କେହି ପୁତ୍ର ନାହାନ୍ତି । ମାତ୍ର ବ୍ରହ୍ମାଙ୍କୁ ତାଙ୍କର ପ୍ରଥମ ପୁତ୍ର ରୂପେ କଳ୍ପନା କରାଯାଏ । ଏହା ବ୍ୟତୀତ ବିଷ୍ଣୁ ତାଙ୍କର ମାନସରୁ ବିରାଜ ନାମରେ ଏକ ପୁତ୍ର ଜାତ କରିଥିଲେ । ଶାସ୍ତା ମଧ୍ୟ ତାଙ୍କର ଅନ୍ୟ ଏକ ମାନସ ପୁତ୍ର ବୋଲି ପୁରାଣରେ ବର୍ଣ୍ଣନା ଅଛି ।

Aama Debadebi.pdf
ମତ୍ସ୍ୟାବତାର

ବିଷ୍ଣୁଙ୍କର ଅନେକ ଆଭୂଷଣ ଓ ଆୟୁଧ ରହିଛି । ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ସେଥିମଧ୍ୟରେ ମୁଖ୍ୟ । ସେହିସବୁ ଆଭୂଷଣ ଓ ଆୟୁଧ ବିଷ୍ଣୁ ଧାରଣ କରିବା ପଛରେ ନିର୍ଦ୍ଧିଷ୍ଟ କାହାଣୀମାନ ଅଛି । ଶ୍ରୀକୃଷ୍ଣ ଓ ବଳରାମ ଯେତେବେଳେ ସାନ୍ଦିପନୀ ମୁନିଙ୍କ ଆଶ୍ରମରେ ପଢ଼ୁଥିଲେ, ସେତେବେଳେ ହୟଗ୍ରୀବ ନାମକ ଏକ ଅସୁର ସାନ୍ଦିପନୀଙ୍କ ପୁଅକୁ ଚୋରାଇ ନେଇଥିଲା । ସେ ଏକ ବିରାଟ ଶଙ୍ଖ ମଧ୍ୟରେ ସମୁଦ୍ର ଗର୍ଭରେ ଯାଇ ଲୁଚି ରହିଥିଲା । ତେଣୁ ହୟଗ୍ରୀବର

ନାଆଁ ହୋଇଥିଲା ଶଙ୍ଖାସୁର । ଚାରି ବେଦକୁ ମଧ୍ୟ ସେ ହରଣ କରିନେଇ ନିଜ ପାଖରେ ଲୁଚାଇ ରଖିଥିଲା । ବିଷ୍ଣୁ ମତ୍ସ୍ୟ ଅବତାରରେ ଯାଇ ତାହାକୁ ମାରି ବେଦ ଉଦ୍ଧାର କରିଥିଲେ । ଶ୍ରୀକୃଷ୍ଣ ହେଉଛନ୍ତି ସାକ୍ଷାତ ବିଷ୍ଣୁ । ତେଣୁ ଶଙ୍ଖାସୁରର ମୃତ୍ୟୁ ପରେ ସେ ସାନ୍ଦିପନୀଙ୍କ ପୁତ୍ରକୁ ଉଦ୍ଧାର କରି ସାନ୍ଦିପନୀଙ୍କୁ ଗୁରୁ ଦକ୍ଷିଣା ରୂପେ ଦେଇଥିଲେ । ଶଙ୍ଖାସୁରକୁ ମାରିଥିବାରୁ ସେହି ଦିନରୁ ବିଷ୍ଣୁଙ୍କର ଆଉ ଗୋଟିଏ ନାଆଁ ହେଲା ଶଙ୍ଖାରି । ଅନେକ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ, ଶ୍ୱେତଶଙ୍ଖ ମଧ୍ୟରେ ବାସ କରୁଥିବା ସେହି ଅସୁରର ନାଆଁ ଥିଲା ପଞ୍ଚଜ । ତାହାକୁ ମାରି ବିଷ୍ଣୁ ସେହି ଶ୍ୱେତ ଶଙ୍ଖଟିକୁ ଧାରଣ କଲେ । ତେଣୁ ସେହି ଶଙ୍ଖର ନାଆଁ ହେଲା ପାଞ୍ଚଜନ୍ୟ ।

ବିଷ୍ଣୁ ଚାରି ହାତରୁ ଗୋଟିଏ ହାତରେ ପଞ୍ଚଜନ୍ୟ ଶଙ୍ଖ ଧାରଣ କରିଥାନ୍ତି । ତାଙ୍କର ଅନ୍ୟ ତିନି ହାତରେ ଥାଏ ସୁଦର୍ଶନ ଚକ୍ର, କୌମୋଦକୀ ଗଦା ଓ ଲୀଳା ପଦ୍ମ । ସୁଦର୍ଶନ ଚକ୍ରର ଆଉ ଗୋଟିଏ ନାଆଁ ବଜ୍ରନାଭ । ଘୋର ଶତ୍ରୁମାନଙ୍କୁ ନିପାତ କରିବା ପାଇଁ ବା ଭକ୍ତ ଓ ସାଧୁସନ୍ଥଙ୍କୁ ରକ୍ଷା କରିବା ପାଇଁ ବିଷ୍ଣୁ ତାହାକୁ ବ୍ୟବହାର କରିଥାନ୍ତି । ସେହି ଚକ୍ର ଦେଖିବାକୁ ଖୁବ୍ ସୁନ୍ଦର । ତେଣୁ ତାହାର ନାମ ସୁଦର୍ଶନ । ତାହାର ବାହାର ଧାର ତୀକ୍ଷ୍‌ଣ ଓ ମଧ୍ୟ ଭାଗରେ ଗୋଟିଏ ଗର୍ତ୍ତ ଥାଏ । ବିଶ୍ୱକର୍ମାଙ୍କ ଦ୍ୱାରା ତାହା ସୂର୍ଯ୍ୟଙ୍କ ଚୂର୍ଣ୍ଣରେ ତିଆରି ବୋଲି କେତେକ ପୁରାଣରେ ଲେଖାଅଛି ।

ବିଷ୍ଣୁ କାହିଁକି କୌମୋଦକୀ ଗଦା ଧାରଣ କରିଥାଆନ୍ତି, ସେ ସଂପର୍କରେ ପୁରାଣମାନଙ୍କରେ ବର୍ଣ୍ଣନା ଅଛି । କୌମୋଦକୀକୁ କୁ-ମୋଦକୀ ବୋଲି ମଧ୍ୟ କେତେକ ପୁରାଣରେ ବର୍ଣ୍ଣନା କରାଯାଇଛି । କୁ- ଅର୍ଥାତ୍ ପୃଥିବୀ, ମୋଦ- ଅର୍ଥାତ୍ ଆନନ୍ଦ । ମୋଦକ ବା ମୋଦକୀ- ଅର୍ଥାତ୍ ଯେ ଆନନ୍ଦ ଦିଏ । ପାଳନକର୍ତ୍ତା ଭାବେ ପୃଥିବୀକୁ ଆନନ୍ଦ ଦେବା ଭଗବାନ ବିଷ୍ଣୁଙ୍କର କାର୍ଯ୍ୟ । ତେଣୁ ସେ କୁମୋଦକୀ ବା କୌମୋଦକୀ ଗଦା ଧାରଣ କରିଥାଆନ୍ତି । ସମଗ୍ର ସୃଷ୍ଟି ତାଙ୍କର ଲୀଳା । ତେଣୁ ସେ ଅନ୍ୟ ଏକ ହାତରେ ଲୀଳାପଦ୍ମ ଧାରଣ କରିଥାଆନ୍ତି ବୋଲି ମଧ୍ୟ ପୁରାଣମାନଙ୍କରେ ଉଲ୍ଲେଖ ଅଛି ।

ବିଷ୍ଣୁଙ୍କର ଆଉ କେତେକ ଆୟୁଧ ଓ ଆଭୂଷଣ ମଧ୍ୟରେ କୌସ୍ତୁଭମଣି, ନନ୍ଦକ ଖଡ୍‌ଗ, ଶାର୍ଙ୍ଗ ଧନୁ, ବୈଜୟନ୍ତୀ ମାଳା ବା ବନମାଳା ପ୍ରଧାନ । କୌସ୍ତୁଭମଣି ସମୁଦ୍ର ମନ୍ଥନ କାଳରେ କ୍ଷୀରସମୁଦ୍ରରୁ ବାହାରିଥିଲା । ନନ୍ଦକ ଖଡ୍‌ଗଟି ଦେବରାଜ ଇନ୍ଦ୍ର ବିଷ୍ଣୁଙ୍କୁ ଦେଇଥିଲେ ବୋଲି ମହାଭାରତର ଶାନ୍ତିପର୍ବରେ ଉଲ୍ଲେଖ ଅଛି । ଶାର୍ଙ୍ଗ ଧନୁ ବୈଷ୍ଣବ ଚାପ ନାମରେ କଥିତ । ବିଷ୍ଣୁ ରାମ ଅବତାରରେ ମଧ୍ୟ ସେହି ଧନୁ ଧାରଣ କରିଥିଲେ । ସେଇଥିାଇଁ ବିଷ୍ଣୁଙ୍କର ଆଉ ଗୋଟିଏ ନାଆଁ ଶାର୍ଙ୍ଗପାଣି ବା ଶାରଙ୍ଗ ପାଣି ।

କଣ୍ଠରେ କୌସ୍ତୁଭମଣି ପରି ବିଷ୍ଣୁଙ୍କର ଗଳାରେ ବୈଜୟନ୍ତୀ ବା ବନମାଳା ଶୋଭା ପାଉଥାଏ । ସେହି ମାଳାରେ ପାଞ୍ଚଟି ଦୁର୍ଲଭ ରତ୍ନ ଖଚିତ ହୋଇଥାଏ । ପୁଣି ବନମାଳାରେ ଥାଏ ସବୁ ଋତୁର ଫୁଲ । ତାହାର ମଝିରେ ଥାଏ କଦମ୍ବ ଫୁଲର ପଦକ ।

ବିଷ୍ଣୁଙ୍କର ଦ୍ୱାରପାଳ ଓ ପାରିଷଦମାନଙ୍କର ସଂଖ୍ୟା ଅନେକ । ଅଷ୍ଟକୁଳ ନାଗ ତାଙ୍କର ଦ୍ୱାରପାଳ ରୂପେ ପରିଗଣିତ । ସେହି ଅଷ୍ଟକୁଳ ନାଗ ହେଉଛନ୍ତି- ଇଳାପତ୍ର, ଅନନ୍ତ, ମହାପଦ୍ମ, ଶଙ୍କୁ, ଅଂଶୁକମ୍ବଳ, ତକ୍ଷକ, କର୍କୋଟକ ଓ ବାସୁକୀ । ବିଷ୍ଣୁ ଯେତେବେଳେ କ୍ଷୀର ସମୁଦ୍ରରେ ଅନନ୍ତଶୟନରେ ଶୁଅନ୍ତି, ସେତେବେଳେ ଶେଷନାଗ ବା ଅନନ୍ତ ହିଁ ତାଙ୍କର ପଲଙ୍କ ହୁଅନ୍ତି ।

ଭଗବାନ ବିଷ୍ଣୁଙ୍କର ପାରିଷଦ ଅସଂଖ୍ୟ । ସେମାନଙ୍କ ମଧ୍ୟରେ ୧୬ ଜଣ ପାରିଷଦ ପ୍ରଧାନ । ସେମାନଙ୍କର ନାମ ହେଉଛି- ବିଷ୍ୱକ୍‌ସେନ, ସୁଷେଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ । ବିଷ୍ୱକ୍‌ସେନ ପାରିଷଦମାନଙ୍କ ମଧ୍ୟରେ ମୁଖ୍ୟ । ପାରିଷଦମାନେ ମଧ୍ୟ ବିଷ୍ଣୁଙ୍କ ପରି ଚାରିହାତ ବିଶିଷ୍ଟ ।

ସୁପର୍ଣ୍ଣ ଗରୁଡ ବିଷ୍ଣୁଙ୍କର ମୁଖ୍ୟ ବାହନ । ସେ ଖୁବ୍ ଜ୍ଞାନୀ ଓ ବେଦ ବିଦ୍ୟାରେ ପ୍ରବୀଣ । ତେଣୁ ତାଙ୍କୁ ସର୍ବବେଦମୟ ବିଗ୍ରହ କୁହାଯାଏ । ଶ୍ରୀମଦ୍‌ଭାଗବତରେ ଲେଖା ଅଛି- ଏହି ଗରୁଡ଼ ଯେତେବେଳେ ଡେଣା ମେଲି ଆକାଶରେ ଉଡନ୍ତି, ସେତେବେଳେ ତାଙ୍କ ଡେଣାରୁ ସାମବେଦ ଗାନର ଧ୍ୱନି ଶୁଣାଯାଏ । କଶ୍ୟପ ଓ ବିନତାଙ୍କର ପୁତ୍ର ଏହି ଗରୁଡ଼ ‘ବୈନତେୟ’ ନାମରେ ପ୍ରସିଦ୍ଧ । ବିଷ୍ଣୁଙ୍କ ବାହନ ହୋଇଥିବାରୁ ତାଙ୍କୁ ବିଷ୍ଣୁରଥ ମଧ୍ୟ କୁହାଯାଏ ।

ତ୍ରିଲୋକର କର୍ତ୍ତା ବିଷ୍ଣୁ ଯେଉଁ ସିଂହାସନରେ ବସି ସୃଷ୍ଟି ପାଳନ କରନ୍ତି, ସେହି ସିଂହାସନ ଅତ୍ୟନ୍ତ ଅଲୌକିକ । ସେହି ସିଂହାସନର ସ୍ୱରୂପ ପଦ୍ମପୁରାଣ ଉତ୍ତରଖଣ୍ଡରେ ବର୍ଣ୍ଣନା କରାଯାଇଛି । ସେଥିରେ ଲେଖାଅଛି- ବୈକୁଣ୍ଠ ଧାମରେ ରହିଛି ଅଯୋଧ୍ୟାପୁରୀ । ତାହାର ଅନ୍ତଃପୁରରେ ଏକ ବିଦ୍ୟା ମଣ୍ଡପ ଅଛି । ସେହି ମଣ୍ଡପଟି ରତ୍ନରେ ତିଆରି । ମଣ୍ଡପର ମଧ୍ୟ ଭାଗରେ ରହିଛି ରମଣୀୟ ସିଂହାସନ । ସମସ୍ତ ବେଦର ଜ୍ଞାନ ଓ ଗୁଣ ସେହି ସିଂହାସନରେ ଠୁଳ ହୋଇଛି । ଧର୍ମାଦି ଦେବତା ସିଂହାସନକୁ ଘେରି ରହିଛନ୍ତି । ଧର୍ମ, ଜ୍ଞାନ, ଐଶ୍ୱର୍ଯ୍ୟ, ବୈରାଗ୍ୟ ଆଦି ସମସ୍ତ ଗୁଣ ସେଠାରେ ପରିପୂର୍ଣ୍ଣ । ସିଂହାସନର ମଧ୍ୟ ଭାଗରେ ରହିଛନ୍ତି ଅଗ୍ନି, ସୂର୍ଯ୍ୟ ଓ ଚନ୍ଦ୍ରମା । କୂର୍ମ, ନାଗରାଜ ଅନନ୍ତ, ଗରୁଡ ଆଦି ସିଂହାସନର ପୀଠରେ ରହିଛନ୍ତି । ସେ ସବୁର ମଝିରେ ଅଛି ଏକ ଅଷ୍ଟଦଳ ପଦ୍ମ । ସେହି ପଦ୍ମ ଦେଖିବାକୁ ଉଦୟ

କାଳର ସୂର୍ଯ୍ୟପରି । ତାହାର ମଝିରେ ରହିଛି ସାବିତ୍ରୀ ନାମକ କେଶର । ସେହି କେଶରରେ ଭଗବାନ ବିଷ୍ଣୁ, ଲକ୍ଷ୍ମୀଙ୍କ ସହିତ ବିରାଜମାନ କରିଥାଆନ୍ତି । ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ବିରାଜମାନ କରିଥିବା ସିଂହାସନକୁ ମଧ୍ୟ ରତ୍ନମଣ୍ଡପ ବା ରତ୍ନ ସିଂହାସନ କୁହାଯାଏ ।

ଦେବତାମାନଙ୍କ ଭିତରେ ବିଷ୍ଣୁ ଶ୍ରେଷ୍ଠ । ସେ ସମ୍ପର୍କରେ ପୁରାଣମାନଙ୍କରେ ବହୁ କାହାଣୀ ଅଛି । ସେହିସବୁ କାହାଣୀ ମଧ୍ୟରୁ ଗୋଟିଏ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । କାହାଣୀଟି ହେଉଛି-

ଥରେ ମୁନିଋଷିମାନେ ମିଶି ପବିତ୍ର ସରସ୍ୱତୀ ନଦୀ କୂଳରେ ଗୋଟିଏ ଯଜ୍ଞ କରୁଥିଲେ । ବ୍ରହ୍ମା, ବିଷ୍ଣୁ ଓ ଶିବ- ଏ ତିନି ଦେବତାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ନେଇ ତର୍କ ହେଲା । କିଏ ବଡ, କିଛି ସିଦ୍ଧାନ୍ତ ହୋଇପାରିଲା ନାହିଁ । ସମାଧାନ ପାଇଁ ବ୍ରହ୍ମାଙ୍କ ପୁତ୍ର ଭୃଗୁଙ୍କୁ ଦାୟିତ୍ୱ ଦିଆଗଲା ।

ବ୍ରହ୍ମା, ବିଷ୍ଣୁ ଓ ଶିବ- ଏ ତିନିଙ୍କ ମଧ୍ୟରୁ କିଏ ବଡ଼ ତାହା ଜାଣିବା ପାଇଁ ଭୃଗୁ ପ୍ରଥମେ ବ୍ରହ୍ମାଙ୍କ ପାଖକୁ ଗଲେ । ବ୍ରହ୍ମା ସେତେବେଳକୁ ବହୁ ମୁନି, ଋଷିଙ୍କ ଗହଣରେ ବସିଥିଲେ । ଭୃଗୁ ଆସନଟିଏ ଟାଣି ନେଇ ସେଠାରେ ବସିଯିବାରୁ ବ୍ରହ୍ମା ତାଙ୍କ ଉପରେ ବିରକ୍ତ ହେଲେ । ଫଳରେ ଭୃଗୁ ତତ୍‌କ୍ଷଣାତ୍ ସେ ସ୍ଥାନ ଛାଡ଼ି ଚାଲି ଆସିଲେ ।

ତା’ ପରେ ଭୃଗୁ ଗଲେ ଶିବଙ୍କ ପାଖକୁ । ଭୃଗୁଙ୍କୁ ଦେଖି ଶିବ ଖୁସି ହେଲେ ଏବଂ ଆଦରରେ ତାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟତ ହେଲେ । ମାତ୍ର ଭୃଗୁ ତାଙ୍କୁ ବାରଣ କଲେ । କହିଲେ, ମୋତେ ସ୍ପର୍ଶ କର ନାହିଁ । ତାହା ଶୁଣି ଶିବ ଖୁବ୍ ରାଗିଗଲେ । ଶିବଙ୍କର ରାଗ ଓ ଅସହିଷ୍ଣୁ ଭାବ ଦେଖି ଭୃଗୁ କାଳବିଳମ୍ବ ନକରି ସେଠାରୁ ଚାଲିଆସିଲେ।

ସେଠାରୁ ଭୃଗୁ ଆସିଲେ ବୈକୁଣ୍ଠପୁରକୁ । ସେତେବେଳକୁ ବିଷ୍ଣୁ ନିଦରେ ଶୋଇ ପଡ଼ିଥିଲେ। ଭୃଗୁ ଭାବିଲେ, ସୃ୍ଷ୍ଟିର ପାଳନ ଯେଉଁ ବିଷ୍ଣୁଙ୍କର କାର୍ଯ୍ୟ, ସେ ଯଦି ଏପରି ବେଳ, ଅବେଳରେ ନିଦରେ ଶୋଇପଡ଼ନ୍ତି, ତା’ହେଲେ ସୃଷ୍ଟିର ଅବସ୍ଥା କ’ଣ ହେବ? ତେଣୁ ଭୃଗୁ ରାଗିଯାଇ ବିଷ୍ଣୁଙ୍କୁ ଗୋଇଠାଟିଏ ପକାଇଲେ । ସେହି ଗୋଇଠା ବିଷ୍ଣୁଙ୍କର ଛାତିରେ ବାଜିଲା । ବିଷ୍ଣୁଙ୍କର ନିଦ ଭାଙ୍ଗିଗଲା । ନିଦ ଭାଙ୍ଗିବା ପରେ ସେ ପ୍ରକୃତ କଥା ବୁଝି ଖୁବ୍ ଲଜ୍ଜିତ ହେଲେ । ସେ ବୁଝିପାରିଲେ ଯେ ଭୃଗୁ ଗୋଇଠା ମାରି ହେଉ ପଛେ, ତାଙ୍କୁ ତାଙ୍କର ଦୋଷ ଦର୍ଶାଇ ଦେଇଛନ୍ତି । ତେଣୁ ଗୋଇଠା ମାରିଥିବାରୁ ଭୃଗୁଙ୍କ ଉପରେ ସେ ବିରକ୍ତ ହେଲେ ନାହିଁ । କହିଲେ, ମୋର ଭୁଲ୍ ମତେ ଦର୍ଶାଇ ଦେଇଥିବାରୁ ମୁଁ ଆପଣଙ୍କ ପ୍ରତି କୃତଜ୍ଞ । ମୁଁ ମୋର ଭୁଲ୍ ନିମନ୍ତେ ଅନୁତପ୍ତ । ମୋର ଏହି ଭୁଲ୍ କାମଟିକୁ ମୁଁ ସବୁଦିନେ ମନେ ରଖିବି । କାଳେ କେବେ ଭୁଲିଯିବି, ସେଥିପାଇଁ ଆପଣଙ୍କର ପାଦ

ଚିହ୍ନଟି ମୋର ଛାତିରେ ସବୁଦିନେ ଥାଉ! ତାହା ଦେଖିବା ମାତ୍ରେ ମୁଁ ମୋର ଭୁଲ୍ ବୁଝି ପାରୁଥିବି ଏବଂ ଆଉ କେବେ ସେପରି ଭୁଲ୍ କରିବି ନାହିଁ । ସେହିଦିନଠୁ ବିଷ୍ଣୁଙ୍କର ଛାତିରେ ଭୃଗୁଙ୍କର ପାଦଚିହ୍ନ ଅଙ୍କା ହୋଇ ରହିଲା । ତାହା 'ଶ୍ରୀବତ୍ସ ଲାଞ୍ଛନ' ନାମରେ ଖ୍ୟାତ ।

ପୁରାଣମାନଙ୍କରେ ବିଷ୍ଣୁଙ୍କର ବିଭିନ୍ନ ନାମର ଉଲ୍ଲେଖ ଅଛି । ପଦ୍ମପୁରାଣର ଉତ୍ତରଖଣ୍ଡ ଓ ମହାଭାରତ ଅନୁଶାସନ ପର୍ବରେ ବିଷ୍ଣୁଙ୍କର ସହସ୍ର ନାମର ଉଲ୍ଲେଖ ଅଛି । ତେବେ ସଂସ୍କୃତ ଅଭିଧାନ ‘ଅମରକୋଷ’ରେ ବିଷ୍ଣୁଙ୍କର ମୁଖ୍ୟ କେତୋଟି ନାମର ଉଲ୍ଲେଖ ମିଳେ । ସେହି ନାମଗୁଡ଼ିକ ହେଉଛି, ବିଷ୍ଣୁ, ନାରାୟଣ, କୃଷ୍ଣ, ବୈକୁଣ୍ଠ, ବିଷ୍ଟରଶ୍ରବା, ଦାମୋଦର, ହୃଷୀକେଶ, କେଶବ, ମାଧବ, ସ୍ୱଭୂ, ଦୈତ୍ୟାରି, ପୁଣ୍ଡରୀକାକ୍ଷ, ଗୋବିନ୍ଦ, ଗରୁଡ଼ଧ୍ୱଜ, ପୀତାମ୍ବର, ଅଚ୍ୟୁତ, ଶାର୍ଙ୍ଗୀ , ବିଷ୍ୱକ୍‌ସେନ, ଜନାର୍ଦ୍ଧନ, ଉପେନ୍ଦ୍ର, ଇନ୍ଦ୍ରାବରଜ, ଚକ୍ରପାଣି, ଚତୁର୍ଭୁଜ, ପଦ୍ମନାଭ, ମଧୁରିପୁ, ବାସୁଦେବ, ତ୍ରିବିକମ, ଦେବକୀନନ୍ଦନ, ସୌରୀ, ଶ୍ରୀପତି, ପୁରୁଷୋତ୍ତମ, ବନମାଳି, ବଳିଧ୍ୱଂସୀ, କଂସାରାତି, ଅଧୋକ୍ଷଜ, ବିଶ୍ୱମ୍ଭର, କୈଟଭଜିତ୍, ବିଧୂ, ଶ୍ରୀବତ୍ସଲାଞ୍ଛନ, ପୁରାଣପୁରୁଷ, ଯଜ୍ଞପୁରୁଷ, ନରକାନ୍ତକ, ଜଳଶାୟୀ, ବିଶ୍ୱରୂପ, ମୁରମର୍ଦ୍ଦନ ଓ ମୁକୁନ୍ଦ । ବିଷ୍ଣୁଙ୍କର ଏହି ବିଭିନ୍ନ ନାମର ନିର୍ଦ୍ଧିଷ୍ଟ ଅର୍ଥ ଓ ବିଶେଷତ୍ୱ ରହିଛି । ତାଙ୍କର ସେସବୁ ନାମ କାହିଁକି ହୋଇଛି ତା' ପଛରେ ମଧ୍ୟ ସ୍ୱତନ୍ତ୍ର ଅର୍ଥ ଓ କାହାଣୀ ରହିଛି ।

ମସ୍ତକରେ କିରୀଟ, କର୍ଣ୍ଣରେ ମକର କୁଣ୍ଡଳ, ବାହୁରେ କେୟୂର, ମଣିବନ୍ଧରେ ରତ୍ନ ଖଚିତ କଙ୍କଣ, ଗ୍ରୀବାରେ ପଦ୍ମରାଗ ମାଣିକ୍ୟ ଓ କୌସ୍ତୁଭ, ଶରୀରରେ କୋମଳ ପୀତାମ୍ବର ଓ ପୀତ ଉତ୍ତରୀୟ, ଚରଣରେ ସୁବର୍ଣ୍ଣ ମଣିଜଡ଼ିତ ନୂପୁର ଧାରଣ କରିଥିବା ଏହି ଭଗବାନ ବିଷ୍ଣୁ କେବଳ ମାନବମାନଙ୍କର ନୁହନ୍ତି, ତ୍ରିଲୋକରେ ସମସ୍ତଙ୍କର ପୂଜା ଓ ଭକ୍ତି ପାଇଥାଆନ୍ତି । କାରଣ ସେ ହିଁ ସୃଷ୍ଟିରେ ସମସ୍ତଙ୍କର ପାଳନକର୍ତ୍ତା ।

ଏଣୁ ପରାତ୍ପର ଭଗବାନ ବିଷ୍ଣୁଙ୍କ ସମ୍ପର୍କରେ ନୃସିଂହ ପୁରାଣରେ କୁହାଯାଇଛି-

ଯସ୍ତଂ ବିଶ୍ୱମନାଦ୍ୟନ୍ତ- ମାଦ୍ୟଂସ୍ୱାତ୍ମନି ସଂସ୍ଥିତମ୍
ସର୍ବଜ୍ଞଂ ମଙ୍ଗଳଂ ବିଷ୍ଣୁଂ ସଦାଧ୍ୟାୟମ୍ ବିମୁଚ୍ୟତେ ।

ଅର୍ଥାତ୍, ଯେ ସର୍ବଦା ସେହି ବିଶ୍ୱରୂପ, ଆଦିଅନ୍ତରହିତ, ସମସ୍ତଙ୍କର ଆଦିକାରଣ, ସ୍ୱରୂପନିଷ୍ଠ, ଅମଳ ଓ ସର୍ବଜ୍ଞ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତି, ସେ ମୁକ୍ତିଲାଭ କରନ୍ତି ।

Aama Debadebi.pdf
ଇନ୍ଦ୍ର

ଇନ୍ଦ୍ର ହେଉଛନ୍ତି ଦେବତାମାନଙ୍କର ରାଜା । କାରଣ ଦେବତାମାନଙ୍କର ପିତା କଶ୍ୟପ ଓ ମାତା ଅଦିତିଙ୍କର ଯେତେ ପୁଅ- ସେମାନଙ୍କ ମଧ୍ୟରେ ଇନ୍ଦ୍ର ସବୁଠୁ ବଡ଼ । କଶ୍ୟପ ହେଉଛନ୍ତି ମରୀଚିଙ୍କର ପୁତ୍ର । ମରୀଚି ବ୍ରହ୍ମାଙ୍କ ପୁତ୍ର ଏବଂ ବ୍ରହ୍ମା ବିଷ୍ଣୁଙ୍କ ନାଭିଦ୍ମରୁ ଜାତ । ଏଣୁ ଇନ୍ଦ୍ରଙ୍କର ବିଷ୍ଣୁଙ୍କ ସହିତ ସିଧା ସଳଖ ସମ୍ପର୍କ ରହିଛି । ଦକ୍ଷ ପ୍ରଜାପତିଙ୍କ ଦୁଇଝିଅ ଅଦିତି ଓ

ଦିତିଙ୍କ ସହିତ କଶ୍ୟପଙ୍କର ବିବାହ ହୋଇଥିଲା । ଅଦିତିଙ୍କ ଠାରୁ ଯେଉଁ ପୁତ୍ରମାନେ ଜାତ ହୋଇଥିଲେ ସେମାନେ ଆଦିତ୍ୟ ଓ ଦିତିଙ୍କ ଠାରୁ ଯେଉଁମାନେ ଜାତ ହୋଇଥିଲେ ସେମାନେ ଦୈତ୍ୟ ଭାବରେ ପରିଚିତ । ଆଦିତ୍ୟମାନେ ଦେବତା ଓ ଦୈତ୍ୟମାନେ ଅସୁର । କଶ୍ୟପ ଓ ଅଦିତିଙ୍କ ଠାରୁ ଯେଉଁ ୧୨ଟି ପୁତ୍ର ଜାତ ହୋଇଥିଲେ ସେମାନେ ଦ୍ୱାଦଶ ଆଦିତ୍ୟ ଭାବରେ ପରିଚିତ । ଏହି ଦ୍ୱାଦଶ ଆଦିତ୍ୟ ହେଉଛନ୍ତି ଧାତା, ଅର୍ଯମା, ମିତ୍ର, ରୁଦ୍ର, ବରୁଣ, ସୂର୍ଯ୍ୟ, ଭଗ, ବିବସ୍ୱାନ, ପୂଷା, ସବିତା, ତ୍ୱଷ୍ଟା ଓ ବିଷ୍ଣୁ । ଏମାନଙ୍କ ବ୍ୟତୀତ କଶ୍ୟପ ଓ ଅଦିତିଙ୍କର ଆଉ ୨୧ଟି ସନ୍ତାନ ମଧ୍ୟ ଜାତ ହୋଇଥିଲେ । ୨୧ ଓ ୧୨ ଏମିତି ମୋଟ ୩୩ ସନ୍ତାନଙ୍କ ମଧ୍ୟରେ ଇନ୍ଦ୍ର ବଡ଼ । ଏହି ୩୩ ଗୋଟି ସନ୍ତାନ ହେଉଛନ୍ତି ତେତିଶ ଦେବତା । ଏହାଙ୍କୁ ତେତିଶଗୋଟି ଦେବତା କୁହାଯାଏ । ଲୋକମୁଖରେ ପ୍ରଚଳିତ ତେତିଶ କୋଟି ଦେବତାଙ୍କର ମୂଳ ଏହି ତେତିଶ ଗୋଟି ଦେବତା । ଏ ସମସ୍ତଙ୍କ ମଧ୍ୟରେ ଇନ୍ଦ୍ର ବଡ଼ । ତେଣୁ ସେ ଦେବତାମାନଙ୍କର ରାଜା । ତେଣୁ ତାଙ୍କୁ ଦେବରାଜ କୁହାଯାଏ ।

ଦେବତାମାନଙ୍କ ରାଜା ଭାବରେ ଇନ୍ଦ୍ର ସ୍ୱର୍ଗଲୋକର ଅଧିକାରୀ । ତେଣୁ ନାନା ସୁଖ ସ୍ୱାଚ୍ଛନ୍ଦ୍ୟରେ ସେ ରହି ଥାଆନ୍ତି । ସେଥିପାଇଁ ବିଭିନ୍ନ ସମୟରେ ସ୍ୱର୍ଗରାଜ୍ୟ ଅଧିକାର କରି ଇନ୍ଦ୍ରଙ୍କ ଆସନ ଛଡ଼ାଇ ନେବା ଲାଗି ଅସୁରମାନେ ସ୍ୱର୍ଗପୁର ଆକ୍ରମଣ କରିଥାଆନ୍ତି । ତେଣୁ ଇନ୍ଦ୍ରଙ୍କ ମନରେ ନିଜ ଆସନ ଓ ଜୀବନ ପ୍ରତି ସଦାସର୍ବଦା ଭୟ ଲାଗି ରହିଥାଏ । ଇନ୍ଦ୍ରପଦଲୋଭୀ ଅସୁରମାନଙ୍କୁ କେମିତି ନିପାତ କରି ହେବ, ସେ ଚିନ୍ତା ସେ କରୁଥାଆନ୍ତି ।

ଇନ୍ଦ୍ରଙ୍କର ଗୋଟିଏ ନାଆଁ ବୃତ୍ତ୍ରାରି । କାରଣ ବୃତ୍ତ୍ର ନାମକ ଏକ ଅସୁରକୁ ସେ ସଂହାର କରିଥିଲେ । ବୃତ୍ତ୍ରାସୁର ଏକ ଭୟଙ୍କର ଅସୁର ଥିଲା । ତାହାର ନେତୃତ୍ୱରେ କାଳକେୟ ନାମକ ଏକ ଅସୁର ଅନ୍ୟାନ୍ୟ ଅସୁରଙ୍କ ସହ ମିଶି ସ୍ୱର୍ଗରାଜ୍ୟ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ଦେବତାମାନେ ଭୟଭୀତ ହୋଇ ପଡ଼ିଥିଲେ । ଏହି ଘୋର ଯୁଦ୍ଧରେ ସ୍ୱୟଂ ଦେବରାଜ ଇନ୍ଦ୍ର ମଧ୍ୟ ଅଚେତ ହୋଇ ଯାଇଥିଲେ । ମାତ୍ର ବଶିଷ୍ଠ ତାଙ୍କର ଦିବ୍ୟଶକ୍ତି ବଳରେ ଇନ୍ଦ୍ରଙ୍କୁ ଚେତା କରାଇଥିଲେ ।

ବୃତ୍ତ୍ରାସୁର ଓ କାଳକେୟ ପ୍ରଭୃତି ଦୁର୍ଦ୍ଧାନ୍ତ ଅସୁରଙ୍କୁ ଯୁଦ୍ଧରେ ପାରିହେବ ନାହିଁ ଜାଣି ଦେବତାମାନେ ଚିନ୍ତିତ ହୋଇ ପଡ଼ିଥିଲେ । ବୃତ୍ତ୍ରାସୁର କିପରି ମରିବ ତାହାର ଉପାୟ ବିଷ୍ଣୁଙ୍କୁ ଜଣା ଥିଲା । ତେଣୁ ଇନ୍ଦ୍ରଙ୍କ ସହିତ ଅନ୍ୟ ଦେବତାମାନେ ଯାଇ ବିଷ୍ଣୁଙ୍କୁ ଭେଟିଲେ । ସବୁକଥା ଶୁଣି ବିଷ୍ଣୁ କହିଲେ, ଦଧୀଚି ନାମରେ ଜଣେ ଋଷି ଅଛନ୍ତି । ତାଙ୍କର ଧର୍ମବଳ ଖୁବ୍ ବେଶି । ତାଙ୍କର ଅସ୍ଥିରେ ଯଦି ବଜ୍ର ତିଆରି କରାଯିବ, ତା’ହେଲେ ଯାଇ ସେଥିରେ ବୃତ୍ତ୍ରାସୁର ମରିବ । ତେଣୁ ଇନ୍ଦ୍ର ଓ ଅନ୍ୟ ଦେବତାମାନେ ଯାଇ ଦଧୀଚିଙ୍କୁ ଅସ୍ଥି ଦାନ ପାଇଁ ପ୍ରାର୍ଥନା କଲେ ।

ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କ କଥା ଶୁଣି ଦଧୀଚି କହିଲେ, ମୋର ଅସ୍ଥି ଦ୍ୱାରା ଯଦି ବୃତ୍ତ୍ରାସୁର ମରିବ ଏବଂ ଦେବତାମାନେ ଆଶ୍ୱସ୍ତ ହେବେ, ତା’ହେଲେ ମୁଁ ଆନନ୍ଦରେ ମୋର ଜୀବନ ଦାନ କରିବା ପାଇଁ ପ୍ରସ୍ତୁତ ।

ତା'ପରେ ଦଧୀଚି ତାଙ୍କର ଜୀବନଦାନ କଲେ । ତାଙ୍କର ଅସ୍ଥି ନେଇ ସେଥିରେ ତିଆରି ହୋଇଥିବା ବଜ୍ରରେ ଇନ୍ଦ୍ର ବୃତ୍ତ୍ରାସୁରକୁ ମାରିଲେ । ସେହିଠାରୁ ଇନ୍ଦ୍ରଙ୍କର ଆଉ ଗୋଟିଏ ନାଆଁ ହେଲା ବୃତ୍ତ୍ରାରି ବା ବୃତ୍ତ୍ରହା ।

ଇନ୍ଦ୍ର ବିଭିନ୍ନ ସମୟରେ ବିଭିନ୍ନ ମୁନିଋଷିମାନଙ୍କୁ ପରୀକ୍ଷା ମଧ୍ୟ କରିଥାଆନ୍ତି । ରାଜା ଶିବିଙ୍କ ଧର୍ମ ଓ ତପୋବଳ ମଧ୍ୟ ସେ ଥରେ ପରୀକ୍ଷା କରିଥିଲେ । ଇନ୍ଦ୍ର ନିଜେ ଗୋଟିଏ ଛଞ୍ଚାଣ ହୋଇଥିଲେ । ଅଗ୍ନି ହୋଇଥିଲେ କପୋତ । ଛଞ୍ଚାଣ ବେଶରେ ଇନ୍ଦ୍ର କପୋତରୂପୀ ଅଗ୍ନିଙ୍କୁ ମାରି ଖାଇବାକୁ ଗୋଡ଼ାଇଲେ । ଅଗ୍ନି ଯାଇ ରାଜା ଶିବିଙ୍କର ଶରଣ ପଶିଲେ । ଛଞ୍ଚାଣବେଶୀ ଇନ୍ଦ୍ର ଯାଇ ସେଠି ପହଞ୍ଚି କହିଲେ, ସେହି କପୋତଟିର ମାଂସ ସେ ଖାଇବେ । ଯଦି ଶିବି ତାହାକୁ ଶରଣ ଦେଉଛନ୍ତି, ତା’ହେଲେ କପୋତ ଓଜନର ମାଂସ ନିଜ ଦେହରୁ କାଟି ଦିଅନ୍ତୁ । ଶିବି କହିଲେ, ସେ ବରଂ ନିଜ ଦେହରୁ ମାଂସ କାଟି ଦେବେ, ମାତ୍ର କପୋତଟିକୁ ଦେବେ ନାହିଁ । କାରଣ ଶରଣାଗତକୁ ନିଜ ପ୍ରାଣ ବଦଳରେ ମଧ୍ୟ ରକ୍ଷା କରାଯିବା ଉଚିତ ।

ତେଣୁ ଠିକ୍ ହେଲା, କପୋତଟିକୁ ନିକିତିର ଗୋଟିଏ ପାଶ୍ୱର୍ରେ ରଖାଯିବ ଏବଂ ଆର ପାଶ୍ୱର୍ରେ ଶିବି ନିଜ ଦେହରୁ ମାଂସ କାଟି ପକାଇବେ । କିନ୍ତୁ ଶିବି ନିଜ ଦେହରୁ ଯେତେ ମାଂସ କାଟି ପକାଇଲେ ମଧ୍ୟ କପୋତଟିର ଓଜନ ବେଶି ହେଲା । ତେଣୁ ଶେଷରେ ଶିବି ନିଜେ ଯାଇ ନିକିତିରେ ବସି ପଡ଼ିଲେ । ଏତିକିବେଳେ ଆକାଶରୁ ପୁଷ୍ପବୃଷ୍ଟି ହେଲା । ଇନ୍ଦ୍ର ଓ ଅଗ୍ନି ଉଭୟେ ନିଜ ନିଜ ରୂପରେ ଶିବିଙ୍କ ଆଗରେ ଆବିର୍ଭୂତ ହେଲେ । ଇନ୍ଦ୍ର ଓ ଅଗ୍ନି ଶିବିଙ୍କୁ ଧନ୍ୟଧନ୍ୟ କରିବା ସହିତ ଆଶୀର୍ବାଦ କରି ବର ଦେଲେ ।

ଇନ୍ଦ୍ରଙ୍କ ସମ୍ପର୍କରେ ଆଉ ଗୋଟିଏ ଚମତ୍କାର କାହାଣୀ ରହିଛି । ପ୍ରଳୟ ପରେ ପୁଣି ଥରେ ନୂଆ ସୃଷ୍ଟି ହେବା ପୂର୍ବରୁ ଗୋଟିଏ ଯୁଗ ଥିଲା । ସେହି ଯୁଗର ନାଆଁ କୃତ ଯୁଗ । ତେବେଳେ ପାହାଡମାନଙ୍କର ଚଢେ଼ଇ ପରି ଡେଣା ଥିଲା । ତେଣୁ ପାହାଡମାନେ ଯେତେବେଳେ ଯେଉଁଆଡ଼େ ଇଚ୍ଛା ଉଡ଼ି ଯାଇ ପାରୁଥିଲେ । କୁଆଡେ଼ କିଛି ନଥିବ- ହଠାତ୍ ଗୋଟାଏ ବିରାଟ ପାହାଡ ଉଡ଼ି ଆସି ସାମ୍ନାରେ ହାବୁଡି ଯିବ । ତେଣୁ ମଣିଷଙ୍କ ଠାରୁ ଆରମ୍ଭ କରି ଦେବତାଙ୍କଯାଏ ସମସ୍ତେ ଭୟଭୀତ ହୋଇ ପଡ଼ିଲେ । ସମସ୍ତଙ୍କର ଡର- କାଳେ କେତେବେଳେ କୌଣସି ଏକ ପାହାଡ ମୁଣ୍ଡ ଉପରେ ଆସି ଖସିଡ଼ିବ ! ଦେବତାମାନଙ୍କର ମଧ୍ୟ ସେପରି ଭୟ ହେଲା । ତେଣୁ ଇନ୍ଦ୍ର ବଜ୍ରମାରି ସବୁ ପାହାଡଙ୍କର ଡେଣା କାଟି ଦେଲେ ।

କେଉଁଠି ମାଳ ମାଳ ହୋଇ ପାହାଡମାନେ ଉଡୁଥିଲେ ତ କେଉଁଠି କେଉଁ ପାହାଡ ଏକା ଏକା ଉଡ଼ି ବୁଲୁଥିଲା । ଇନ୍ଦ୍ର ବଜ୍ରମାରି ଡେଣା କାଟି ଦେବାରୁ ଯେଉଁ ପାହାଡ ଯୋଉଠି ଉଡ଼ୁଥିଲେ ସେଇଠି ଖସିଡ଼ି ସ୍ଥିର ହୋଇଗଲେ । ତେଣୁ ଏବେ କେଉଁଠି ମାଳମାଳ ପାହାଡ ତ କେଉଁଠି ଗୋଟିକିଆ ପାହାଡ ଦେଖାଯାଉଛି ।

ତେବେ ଇନ୍ଦ୍ର ଯେତେବେଳେ ବଜ୍ର ମାରି ପାହାଡମାନଙ୍କର ଡେଣା କାଟିଦେଲେ, ସେତେବେଳେ ଗୋଟିଏ ପାହାଡ ରକ୍ଷା ପାଇଯାଇଥିଲା । ସେହି ପାହାଡଟିର ନାଆଁ ମୈନାକ । ମୈନାକ ପାହାଡର ବାୟୁଙ୍କ ସହିତ ଭଲ ପଡ଼ୁଥିଲା । ତେଣୁ ଇନ୍ଦ୍ର ଯେତେବେଳେ ବଜ୍ର ମାରିଲେ ସେତେବେଳେ ବାୟୁ ମୈନାକ ପାହାଡକୁ ଯୋରରେ ଉଡାଇ ନେଇ ସମୁଦ୍ରରେ ଲୁଚାଇ ଦେଲେ । ମୈନାକ ଡେଣାକଟାରୁ ରକ୍ଷା ପାଇଗଲା ।

ଏଣୁ ମୈନାକ ପାହାଡ଼ ବାୟୁଙ୍କ ପ୍ରତି କୃତଜ୍ଞ ରହିଲା । ଅସମୟରେ ଅନ୍ୟକୁ ସାହାଯ୍ୟ କରିଥିଲେ ଦରକାର ବେଳେ ତାଙ୍କଠାରୁ ସାହାଯ୍ୟ ମିଳେ । ତେଣୁ ମୈନାକ ପାହାଡ, ପରେ ବାୟୁଙ୍କର ଋଣ ଶୁଝିଥିଲା । ହନୁମାନ ତ ବାୟୁଙ୍କ ପୁତ୍ର ! ତେଣୁ ତ୍ରେତୟା ଯୁଗରେ ଯେତେବେଳେ ହନୁମାନ ସମୁଦ୍ର ପାର ହୋଇ ସୀତାଙ୍କୁ ଠାବ କରିବାକୁ ଲଙ୍କାକୁ ଗଲେ, ସେତେବେଳେ ଏହି ମୈନାକ ପାହାଡ ସମୁଦ୍ର ମଝିରେ ହନୁମାନଙ୍କୁ ଆଶ୍ରୟ ଦେଇଥିଲା ।

ତେବେ, ମୈନାକ ପାହାଡ ବ୍ୟତୀତ ଅନ୍ୟ ସବୁ ପାହାଡଙ୍କର ଡେଣା କାଟି ଦେଇ ଦେବତା ଓ ମନୁଷ୍ୟ ସମସ୍ତଙ୍କ ମନରୁ ଇନ୍ଦ୍ର ଭୟ ଦୂର କରିଥିଲେ ।

କେବଳ ଏତିକି ନୁହେଁ, ଦରକାର ବେଳେ ଇନ୍ଦ୍ର ନିଜକୁ ନ୍ୟୂନ କରି ମଧ୍ୟ ଅନ୍ୟର ମଙ୍ଗଳ କରିଥାନ୍ତି । କାକୁସ୍ଥ ରାଜାଙ୍କ କାହାଣୀ ତାହାର ଏକ ଉଦାହରଣ ।

ପୁରାକାଳରେ ଥରେ ଦେବତା ଓ ଅସୁରଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ଅସୁରମାନଙ୍କୁ ନିପାତ କରିବାରେ ଦେବତାମାନେ ଅସମର୍ଥ ହେଲେ । ସେମାନେ ଯାଇ ଭଗବାନ ବିଷ୍ଣୁଙ୍କର ଶରଣ ପଶିଲେ । ବିଷ୍ଣୁ କହିଲେ, ଅଯୋଧ୍ୟାର ରାଜା କାକୁସ୍ଥଙ୍କୁ ସାକ୍ଷାତ କର । ସେ ହିଁ ଅସୁରଙ୍କୁ ନିପାତ କରିପାରିବେ ।

ତାହା ଶୁଣି ଇନ୍ଦ୍ର ଓ ଅନ୍ୟ ଦେବତାମାନେ ଯାଇ କାକୁସ୍ଥଙ୍କୁ ସାକ୍ଷାତ କଲେ । କାକୁସ୍ଥ କହିଲେ, ଯଦି ମୋ’ ଦ୍ୱାରା ଦେବତାମାନଙ୍କର କିଛି କାର୍ଯ୍ୟ ସାଧିତ ହେବ, ମୁଁ ସେଥିରେ ରାଜି । ମାତ୍ର ମୋର ଗୋଟିଏ ସର୍ତ୍ତ ଅଛି । ଅସୁରଙ୍କ ସହିତ ମୁଁ ଯେଉଁ ଯୁଦ୍ଧ କରିବି, ସେଥିରେ ଇନ୍ଦ୍ର ହେବେ ମୋର ବାହନ ।

ମହା ବିଷମ କଥା । ଇନ୍ଦ୍ର ତ ଦେବତାମାନଙ୍କର ରାଜା; ସିଏ ପୁଣି ମର୍ତ୍ତ୍ୟର ଜଣେ ରାଜାଙ୍କର ବାହନ ହେବେ? ମାତ୍ର କ’ଣ କରାଯିବ ! ସମସ୍ତଙ୍କର ମଙ୍ଗଳପାଇଁ ରାଜା ଦରକାର

ହେଲେ ନିଜର ଜୀବନ ବି ଦେବା ଉଚିତ । ତେଣୁ ଇନ୍ଦ୍ର ବାଧ୍ୟ ହୋଇ ରାଜି ହେଲେ । ଫଳରେ ଇନ୍ଦ୍ର ହେଲେ ଷଣ୍ଢ । ତାଙ୍କ ଉପରେ ବସି କାକୁସ୍ଥ ଅସୁରଙ୍କ ସହିତ ଯୁଦ୍ଧକରି ସେମାନଙ୍କୁ ପରାସ୍ତ କଲେ । ସେହିଦିନଠୁ କାକୁସ୍ଥଙ୍କ ଆଉ ଗୋଟିଏ ନାଆଁ ହେଲା ଇନ୍ଦ୍ରବାହନ ।

ମାତ୍ର ରାଜାସୁଲଭ ଏହି ସଦ୍‌ଗୁଣ ସହିତ ଇନ୍ଦ୍ରଙ୍କର କେତେକ ମନ୍ଦଗୁଣ କଥା ମଧ୍ୟ ପୁରାଣରେ ଲେଖାଅଛି । ସେଥିରୁ ଗୋଟିଏ ହେଉଛି ଅଣଚାଶ ପବନଙ୍କ ଜନ୍ମବୃତ୍ତାନ୍ତ ।

ପୂର୍ବରୁ କୁହାଯାଇଛି, ଦକ୍ଷଙ୍କ କନ୍ୟା ଅଦିତି ହେଉଛନ୍ତି ଇନ୍ଦ୍ରଙ୍କ ମାଆ । ଦକ୍ଷଙ୍କର ଅନ୍ୟତମା କନ୍ୟା ଦିତିଙ୍କୁ ମଧ୍ୟ ଇନ୍ଦ୍ରଙ୍କ ପିତା କଶ୍ୟପ ବିବାହ କରିଥିଲେ । ଅଦିତିଙ୍କର ପୁଅମାନେ ସ୍ୱଭାବ ଚରିତ୍ରରେ ଭଲ । ସେମାନେ ଦେବତା । ମାତ୍ର ଦିତିଙ୍କ ପୁଅମାନେ ସ୍ୱଭାବ ଚରିତ୍ରରେ ମନ୍ଦ । ସେମାନେ ଦୈତ୍ୟ । ରୂପରେ ମଧ୍ୟ ଅଦିତିଙ୍କ ପୁଅମାନେ ଦେଖିବାକୁ ସୁନ୍ଦର । ତେଣୁ ନିଜ ପୁଅମାନଙ୍କୁ ଦେଖି ଦିତିଙ୍କ ମନ ସବୁବେଳେ ଦୁଃଖ ହେଉଥାଏ ।

ଥରେ ଦିତି କଶ୍ୟପଙ୍କୁ ନିଜ ମନକଥା ଜଣାଇଲେ । କହିଲେ, ଇନ୍ଦ୍ରଙ୍କ ପରି ଗୋଟିଏ ସୁନ୍ଦର ପୁଅ ମତେ ଦିଅ । କଶ୍ୟପ ତାଙ୍କର ନିବେଦନରେ ସନ୍ତୁଷ୍ଟ ହେଲେ । କହିଲେ, ଠିକ୍ ଅଛି, ଇନ୍ଦ୍ରଙ୍କ ପରି ତୁମର ମଧ୍ୟ ଗୋଟିଏ ସୁନ୍ଦର ପୁଅ ହେବ ।

ଏ କଥା ଅଦିତି ଶୁଣିଲେ । ଅନେକ ରୂପର, ଗୁଣର ପୁଅ ଥିଲେ ମଧ୍ୟ ଦିତିଙ୍କର ଏକ ସୁନ୍ଦର ପୁଅ ହେବ- ଏ କଥା ଶୁଣି ତାଙ୍କ ମନରେ ଈର୍ଷା ଜାତ ହେଲା । ସେ ଯାଇ ବଡ଼ପୁଅ ଇନ୍ଦ୍ରକୁ ଭେଟି କହିଲେ, ଯେପରି ହେଉ, ଦିତିଙ୍କର ସେହି ପୁଅଟି ଯେମିତି ଜନ୍ମ ନ ହେଉ । ଇନ୍ଦ୍ର ବଡ଼ପୁଅ- ପୁଣି ଦେବତାମାନଙ୍କ ରାଜା । ମାଆଙ୍କୁ ସେ ବୁଝାଇ ଶୁଝାଇ କହିବା କଥା । ଯେତେହେଲେ, ଦିତି ବି ତାଙ୍କର ମାଆ । ତେଣୁ ଦିତିଙ୍କ ପୁଅମାନେ ତାଙ୍କର ଭାଇ । ମାତ୍ର ମାଆଙ୍କ କଥାରେ ସେ ଭଳିଗଲେ। ଯାଇ ଦିତିଙ୍କ ପାଖରେ ପହଞ୍ଚିଲେ । ଇନ୍ଦ୍ରଙ୍କୁ ଦେଖି ଦିତି ଖୁବ୍ ଆଦର ସ୍ନେହ କଲେ । ଇନ୍ଦ୍ର ନିଜକୁ ତାଙ୍କର ବିଶ୍ୱାସଭାଜନ କରି, ସେ ଶୋଇଥିବା ବେଳେ ବଜ୍ର ମାରି ତାଙ୍କର ଗର୍ଭର ସନ୍ତାନକୁ ସାତଖଣ୍ଡ କରିଦେଲେ । ଗର୍ଭରେ ଥିବା ସନ୍ତାନ ବହୁତ କଷ୍ଟ ପାଇ ବିକଳରେ କାନ୍ଦିଲା । ଇନ୍ଦ୍ର ତାକୁ ବୁଝାଇ କହିଲେ, ‘ମା-ରୁଦ’, ‘ମା-ରୁଦ’ ଅର୍ଥାତ, କାନ୍ଦ ନାହିଁ, କାନ୍ଦ ନାହିଁ । ତା’ପରେ ସେହି ସାତ ଖଣ୍ଡକୁ ଆଉ ସାତ ସାତ ଖଣ୍ଡ କରିଦେଲେ । ଏମିତି ଗର୍ଭସ୍ଥ ସନ୍ତାନ ମୋଟ ୪୯ ଖଣ୍ଡ ହୋଇଗଲା । ଏହି ୪୯ ଖଣ୍ଡ ହେଲେ ୪୯ ‘ମା-ରୁଦ’ ବା ୪୯ ମରୁତ୍ । ତାହାଙ୍କୁ ଆମେ 'ଅଣଚାଶ ପବନ' ବୋଲି ଜାଣୁ ।

ମାତ୍ର ଏ କାହାଣୀଟି ଏତିକିରେ ଶେଷ ନୁହେଁ । ଦିତି ଏହି ଦୁଃଖଦାୟକ ଘଟଣାରେ ଖୁବ୍ ମର୍ମାହତ ହେଲେ । ଇନ୍ଦ୍ରଙ୍କୁ ଅଭିଶାପ ଦେଇ କହିଲେ, ତୋ ଯୋଗୁଁ ମୁଁ ସନ୍ତାନସୁଖ ହରାଇଲି ।

ତେଣୁ ତୁ ଥରେ ହେଲେ ବି ସ୍ୱର୍ଗ ସୁଖ ହରାଇବୁ । ଯେଉଁ ମାଆ ଅଦିତିଙ୍କ କଥାରେ ତୁ ଏ କୁକାର୍ଯ୍ୟ କଲୁ ସେହି ମାଆ ଅଦିତି ବନ୍ଦୀ ହେବେ । ଏହି ଅଭିଶାପର ଫଳ ସ୍ୱରୂପ, ଇନ୍ଦ୍ରଙ୍କୁ ଥରେ ସ୍ୱର୍ଗ ପଦ ହରାଇବାକୁ ପଡ଼ିଥିଲା । ଅଦିତି ମଧ୍ୟ ତାଙ୍କର ପରଜନ୍ମରେ ଦେବକୀ ରୂପେ ଜନ୍ମହୋଇ କଂସ ଦ୍ୱାରା ବନ୍ଦୀ ହୋଇଥିଲେ ।

ଏହିପରି ଇନ୍ଦ୍ରଙ୍କର କେତେକ ମନ୍ଦକାମର ଉଲ୍ଲେଖ ପୁରାଣରେ ଥିଲେ ହେଁ ଦେବତାମାନଙ୍କର ରାଜା ଭାବରେ ଇନ୍ଦ୍ରଙ୍କର ସମ୍ମାନ ରହିଛି । ଦେବୀ ଭାଗବତରେ ଇନ୍ଦ୍ରଙ୍କୁ ଅଷ୍ଟଦିଗପାଳଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଇଛି ।

ଇନ୍ଦ୍ରଙ୍କର ବୟସ ସମ୍ପର୍କରେ ମଧ୍ୟ ଦେବୀ ଭାଗବତର ପଞ୍ଚମ ସ୍କନ୍ଦରେ ଉଲ୍ଲେଖ ଅଛି । ସେଥିରେ କୁହାଯାଇଛି, ଚଉଦଟି ମନ୍ୱନ୍ତର ଶେଷ ହେବା ପରେ ମହାପ୍ରଳୟ ହୁଏ । ଏହି ଚଉଦଟି ମନ୍ୱନ୍ତରରେ ଅଲଗା ଅଲଗା ନାଆଁରେ ଚଉଦ ଜଣ ଇନ୍ଦ୍ର ରାଜତ୍ୱ କରନ୍ତି । ସାତ ଜଣ ଇନ୍ଦ୍ରଙ୍କ ଆୟୁକାଳ ଜଣେ ବ୍ରହ୍ମାଙ୍କ ଆୟୁକାଳ ସହିତ ସମାନ । ଏହିରି ୧୪ ଜଣ ଇନ୍ଦ୍ରଙ୍କ ଆୟୁକାଳ ମଧ୍ୟରେ ଦୁଇଟି ବ୍ରହ୍ମଯୁଗ ଶେଷହୁଏ । ଚଉଦ ମନ୍ୱନ୍ତରର ଏହି ଇନ୍ଦ୍ରମାନେ ହେଉଛନ୍ତି ବିଭୁ, ମନୋଜଭ, ପୁରନ୍ଦର, ଅଦ୍ଭୁତ, ଶାନ୍ତି, ଋତୁଧାମନ, ଦିବସ୍ପତି ଓ ଶୁଚି ଇତ୍ୟାଦି । ଏସବୁ ମଧ୍ୟରୁ ସାବର୍ଣ୍ଣି ମନ୍ୱନ୍ତରକୁ ଇନ୍ଦ୍ର ସାବର୍ଣ୍ଣି ବା ଭୌମୀ ମନ୍ୱନ୍ତର କୁହାଯାଏ ।

ତେବେ, ଇନ୍ଦ୍ରଙ୍କର ଆହୁରି କେତେକ ପ୍ରତିନାମ ମଧ୍ୟ ରହିଛି । ସେହି ନାଆଁଗୁଡ଼ିକ ମଧ୍ୟରୁ କେତୋଟି ହେଉଛି, ଇନ୍ଦ୍ର, ମରୁତବାନ୍, ମଘବାନ୍, ବିଦ୍ୟୁଜ, ପାକଶାସନ, ବୃଦ୍ଧଶ୍ରବା, ସୁନାଶିର, ପୁରୁହୂତି, ପୁରନ୍ଦର, ଜିଷ୍ଣୁ, କେଶର୍ଷଭ, ଶକ୍ର, ଶତମନ୍ୟୁ, ଶ୍ରୁତାମା, ଗୋତ୍ରଭିଜ,ବଜ୍ରୀ, ବାସବ, ବୃତ୍ରହା, ବୃଷା, ବାସ୍ତୋସ୍ପତି, ବଳାରାତି, ଶଚିପତି, ଜମ୍ଭଭେଦିନ୍, ହରିହୟ, ସ୍ୱାତାର, ନମୁଚିସୂଦନ, ସଂକ୍ରନ୍ଦନ, ଦୁଶ୍ଚ୍ୟବନ, ତୁରାସାତ, ମେଘବାହନ, ଆଖଣ୍ଡଳ ଓ ସହସ୍ରାକ୍ଷ ।

ହିନ୍ଦୁଧର୍ମରେ ଇନ୍ଦ୍ରଙ୍କର ଏକ ମୁଖ୍ୟସ୍ଥାନ ରହିଛି । ଆଦିକାଳରେ ମହାବିଷ୍ଣୁ ତାଙ୍କର ସାନଭାଇ ଥିଲେ ଏବଂ ବିଷ୍ଣୁଙ୍କର ନାମ ଉପେନ୍ଦ୍ର, ଇନ୍ଦ୍ର ବରଜ ଥିଲା ବୋଲି 'ଅମରକୋଷ'ରେ ଉଲ୍ଲେଖ ଅଛି । ଋକ୍‌ବେଦରେ ଇନ୍ଦ୍ରଙ୍କୁ ଅତ୍ୟନ୍ତ ଗୁରୁତ୍ୱ‌ପୂର୍ଣ୍ଣ ସ୍ଥାନ ଦିଆଯାଇ ‘ଦେବପ୍ରଭୁ’ ବୋଲି କୁହାଯାଇଛି । ସେଥିରେ ରହିଥିବା ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଙ୍କର ରଥ ହେଉଛି ବାୟୁ । ଇନ୍ଦ୍ର ଅନେକ ସମୟରେ ସୁବର୍ଣ୍ଣ ରଥରେ ଆକାଶ ପରିକ୍ରମା କରନ୍ତି । ସୋମରସ ପାନ କରିବାକୁ ଭଲ ପାଆନ୍ତି ।

ହିରଣ୍ୟସ୍ତୂପ ନାମରେ ପ୍ରାଚୀନ କାଳର ଜଣେ କବି ଇନ୍ଦ୍ରସ୍ତୁତି ରଚନା କରିଛନ୍ତି । ସେଥିରେ ଇନ୍ଦ୍ରଙ୍କର ବହୁ କୃତିତ୍ୱର ଉଲ୍ଲେଖ ରହିଛି । ଇନ୍ଦ୍ର ବଜ୍ରପାଣି । ବଜ୍ର ଦ୍ୱାରା ସେ ଅହି, ତୁଷ୍ଣା,

ସମ୍ବର, ବାଳ, ବୃତ୍ତ୍ର ଆଦି ଅସୁରଙ୍କୁ ନିଧନ କରିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । ଋକ୍‌ବେଦରେ ଇନ୍ଦ୍ରଙ୍କୁ ଦସ୍ୟୁ ବା ଦୁଷ୍ଟମାନଙ୍କର କୃତାନ୍ତ ଏବଂ ଆର୍ଯ୍ୟମାନଙ୍କର ରକ୍ଷାକର୍ତ୍ତା ବୋଲି କୁହାଯାଇଛି ।

ଇନ୍ଦ୍ରଙ୍କର ପତ୍ନୀଙ୍କ ନାମ ଶଚି । ସେ ପୁଲୋମ ଋଷିଙ୍କ କନ୍ୟା । ତେଣୁ ତାଙ୍କୁ ଇନ୍ଦ୍ରାଣୀ ଓ ପୁଲୋମଜା ବୋଲି ମଧ୍ୟ କୁହାଯାଏ । ଇନ୍ଦ୍ରଙ୍କର ପୁତ୍ରଙ୍କର ନାମ ଜୟନ୍ତ । ଜୟନ୍ତଙ୍କର ଆଉ ଏକ ନାମ ପାକଶାସନି । ଇନ୍ଦ୍ରଙ୍କ ନଗରୀର ନାମ ଅମରାବତୀ ଓ ରଥ ବିମାନ ନାମରେ ଖ୍ୟାତ । ସାରଥିଙ୍କର ନାଆଁ ମାତଳି । ଉଦ୍ୟାନର ନାଆଁ ନନ୍ଦନ ବନ । ପୁରର ନାମ ବୈଜୟନ୍ତ । ତାଙ୍କର ଅସ୍ତ୍ର ହେଉଛି ବିଜୁଳି ବା ହ୍ରାଦିନୀ ଓ ବଜ୍ର ବା କୁଳିଶ । ଇନ୍ଦ୍ରଙ୍କ ଅସ୍ତ୍ରର ଅନ୍ୟନାମ ମଧ୍ୟ ଭିଦୁର, ପବି, ଶତକୋଟି, ସ୍ୱରୁ, ଶମ୍ଭ, ଦମ୍ଭୋଳି ବା ଅଶନି । ଇନ୍ଦ୍ରଙ୍କର ଧନୁର ନାମ ଇନ୍ଦ୍ରଧନୁ । ଅସିର ନାମ ପରଞ୍ଜୟ । ଐରାବତ ନାମକ ହସ୍ତୀ ଓ ଉଚ୍ଚୈଶ୍ରବା ନାମକ ଅଶ୍ୱ ମଧ୍ୟ ଇନ୍ଦ୍ରଙ୍କ ଅଧିକାରରେ ଥାଆନ୍ତି ।

ଇନ୍ଦ୍ରଙ୍କ ସଭାର ନାମ ସୁଧର୍ମା ସଭା । ତାହା ଇନ୍ଦ୍ରସଭା ଭାବରେ ମଧ୍ୟ ପୁରାଣମାନଙ୍କରେ ପ୍ରସିଦ୍ଧ । ଏହି ସୁଧର୍ମା ସଭା ‘ମୟ’ ଦାନବ ଦ୍ୱାରା ନିର୍ମିତ । ସବୁବେଳେ ତାହା ଦିବ୍ୟ ଆଲୋକରେ ଉଦ୍‌ଭାସିତ ହେଉଥାଏ । ତାହା ଦୈର୍ଘ୍ୟରେ ୧୫୦ ଯୋଜନ, ପ୍ରସ୍ଥରେ ୧୦୦ ଯୋଜନ ଓ ଉଚ୍ଚତାରେ ୫ ଯୋଜନ । ଦିବ୍ୟ ବୃକ୍ଷ ଲତାରେ ତାହା ଶୋଭାବନ୍ତ ହୋଇଥାଏ ।

ଏପରି ଶୋଭାବନ୍ତ ସୁଧର୍ମା ସଭାରେ ଦିବ୍ୟ ଜ୍ୟୋତିରେ ଉଦ୍ଭାସିତ ହୋଇ ଇନ୍ଦ୍ର ବସନ୍ତି । ଇନ୍ଦ୍ର ଦେଖିବାକୁ ଖୁବ୍ ସୁନ୍ଦର । ତାଙ୍କ ଦେହର ରଙ୍ଗ ସ୍ୱଚ୍ଛ ନୀଳ । ସେଥିପାଇଁ ନୀଳରଂଗର ମଣିକୁ ଇନ୍ଦ୍ରନୀଳମଣି କୁହାଯାଏ । ସେ ସୁନ୍ଦର ମୁକୁଟ ଓ କୁଣ୍ଡଳ, ଉଜ୍ଜ୍ୱଳ ଅମଳିନ ବସ୍ତ୍ର ପିନ୍ଧି ଥାଆନ୍ତି । ତାଙ୍କ କଣ୍ଠରେ ଶୋଭା ପାଉଥାଏ ଦିବ୍ୟମାଳା । ମରୁତ, ସିଦ୍ଧ, ଦେବ, ଋଷି ଓ ଅନ୍ୟମାନେ ତାଙ୍କର ପାରିଷଦ ଭାବରେ ସଭା ଚତୁଃପାର୍ଶ୍ୱରେ ଦଣ୍ଡାୟମାନ ରହିଥାଆନ୍ତି । ସମସ୍ତଙ୍କର ମସ୍ତକ ଚାରିପଟେ ଦିବ୍ୟଜ୍ୟୋତିର ଆଭା ଶୋଭା ପାଉଥାଏ ।

ପରାଶର, ପର୍ବତ, ସାବର୍ଣ୍ଣି, ଗାଲବ, ଶଙ୍ଖ, ଲିଖିତ, ଗୌରଶିର, ଦୁର୍ବାସା, ଅକ୍ରୋଧାନ, ଶ୍ୟେନ, ଦୀର୍ଘତମ, ପବିତ୍ରପାଣି, ଭାଲୁବୀ, ଯାଜ୍ଞବଳ୍‌କ୍ୟ, ଉଦ୍ଦାଳକ, ଶ୍ୱେତକେତୁ, ପାଣ୍ଡ୍ୟ ଓ ଅନ୍ୟ ମୁନିଋଷିମାନେ ମଧ୍ୟ ଇନ୍ଦ୍ରଙ୍କ ସଭାରେ ରହି ସଭାର ମହତ୍ତ୍ୱ ବଢ଼ାଇଥାନ୍ତି ।

ଇନ୍ଦ୍ରଙ୍କ ସଭା ପରି ଇନ୍ଦ୍ରଙ୍କ ଉପବନ ନନ୍ଦନବନରେ ମଧ୍ୟ ବହୁ ଦିବ୍ୟ ବୃକ୍ଷ ରହିଥାଏ । ସେହି ବୃକ୍ଷ ମଧ୍ୟରେ ମନ୍ଦର, ପାରିଜାତ, ସନ୍ତାନ, କଳ୍ପବୃକ୍ଷ, ହରିଚନ୍ଦନ ଆଦି ପ୍ରସିଦ୍ଧ । ରମ୍ଭା, ମେନକା, ତିଳୋତ୍ତମା ଆଦି ସୁନ୍ଦରୀ ଅପସରୀ ମଧ୍ୟ ଇନ୍ଦ୍ରଲୋକରେ ଥାଆନ୍ତି ।

ବୈଦିକ ଯୁଗରେ ଇନ୍ଦ୍ର ହିଁ ଥିଲେ ପ୍ରଧାନ ଦେବତା । ସେଥିାଇଁ ଋଗ୍‌ବେଦରେ ଇନ୍ଦ୍ରଙ୍କର ଗୁରୁତ୍ୱ ଅଧିକ ଦେଖିବାକୁ ମିଳେ । ଆର୍ଯ୍ୟମାନେ ଦସ୍ୟୁଙ୍କ ଦମନପାଇଁ ତାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ । ଏପରିକି ଭଗବାନ ବିଷ୍ଣୁଙ୍କର ଓ ଦେବଦେବ ମହାଦେବଙ୍କର ଗୁରୁତ୍ୱ ତାଙ୍କ ପରେ ଥିଲା । ଏପରିକି ଋଗ୍‌ବେଦରେ ଶିବଙ୍କୁ 'କପର୍ଦ୍ଦିନ୍' ବା ଜଟାଜୁଟମୟ ବୋଲି ବର୍ଣ୍ଣନା କରାଯାଇ ଥିଲେ ହେଁ ତାଙ୍କର ଗୋଟିଏ ହେଲେ ସ୍ତୁତି ନାହିଁ । ପୁରାଣ ଯୁଗ ବେଳକୁ ଇନ୍ଦ୍ରଙ୍କୁ 'ଦେବପ୍ରଭୁ' ବୋଲି ମଧ୍ୟ କୁହାଯାଉଥିଲା ।

ତେବେ ଏତେ ସବୁ ସତ୍ତ୍ୱେ, ମର୍ତ୍ତ୍ୟରେ ଇନ୍ଦ୍ରଙ୍କର ପୂଜା ଏବେ ବିଶେଷ ଦେଖାଯାଏ ନାହିଁ । ଇନ୍ଦ୍ର ବର୍ଷାର ଅଧିକାରୀ । ତେଣୁ ବର୍ଷା ନିମନ୍ତେ ଅନେକେ ଇନ୍ଦ୍ରପୂଜା କରିଥାଆନ୍ତି । ଇନ୍ଦ୍ରଙ୍କର ସମ୍ମାନାର୍ଥେ ଶକ୍ରଧ୍ୱଜୋତ୍‌ଥାନ ଉତ୍ସବ ବା ଇନ୍ଦ୍ରୋତ୍ସବ ଅନୁ‌ଷ୍ଠିତ ହେବାର ଦୃଷ୍ଟାନ୍ତ ରହିଛି । ପ୍ରତିବର୍ଷ ଭାଦ୍ରବ ମାସର ପୂର୍ଣ୍ଣମୀକୁ ଇନ୍ଦ୍ରପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ । ଏହିଦିନ ମଧ୍ୟ ଭାଗବତ ଜନ୍ମ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରଂପରାରେ ଏହି ପୂର୍ଣ୍ଣିମା ନୀତି କୃଷ୍ଣଲୀଳାର ଅନ୍ତର୍ଗତ । ପରଂପରା ଅନୁସାରେ, ପୂର୍ଣ୍ଣିମାର ସାତଦିନ ପୂର୍ବରୁ ଶ୍ରୀକୃଷ୍ଣ ଆବର୍ତ୍ତକ ଓ ସମ୍ବର୍ତ୍ତକ ଆଦି ସାତ ମେଘଙ୍କୁ ବାନ୍ଧି ରଖିଥାନ୍ତି । ଏହିଦିନ ଇନ୍ଦ୍ର ଐରାବତ ହାତୀ ଚଢ଼ି ସିଂହଦ୍ୱାରକୁ ଆସନ୍ତି । ତାଙ୍କୁ ପୂଜା କରାଯାଇ ସାତମେଘକୁ ବନ୍ଧନମୁକ୍ତ କରାଯାଏ ।

ତେବେ ସାଧାରଣରେ ଇନ୍ଦ୍ରପୂଜା ବିଶେଷ ପ୍ରଚଳିତ ନଥିଲେ ହେଁ ଇନ୍ଦ୍ର ଦେବରାଜ ହୋଇଥିବାରୁ ତାଙ୍କର ଧ୍ୟାନଶ୍ଳୋକ ସଂସ୍କୃତ ଗ୍ରନ୍ଥମାନଙ୍କରେ ମିଳେ ।

ଏପରି ଏକ ଧ୍ୟାନ ଶ୍ଳୋକରେ କୁହାଯାଇଛି-

ଇନ୍ଦ୍ରଃ ସୁରପତିଃ ଶ୍ରେଷ୍ଠୋ ବଜ୍ରହସ୍ତୋ ମହାବଳଃ ।
ଶତଯଜ୍ଞାଧିପୋ ଦେବ ସ୍ତସ୍ମୈ ନିତ୍ୟଂ ନମୋ ନମଃ ॥

Aama Debadebi.pdf
ସୂର୍ଯ୍ୟ

ପୁରାଣରେ ଯେଉଁସବୁ ଦେବଦେବୀଙ୍କ କଥା ବର୍ଣ୍ଣନା କରାଯାଇଛି, ସେମାନଙ୍କ ମଧ୍ୟରେ ସୂର୍ଯ୍ୟ ଅନ୍ୟତମ । ଋକ୍‌ବେଦର ଅନ୍ୟତମ ପ୍ରଧାନ ଦେବତା ହେଉଛନ୍ତି ସୂର୍ଯ୍ୟ । ଗୁଣ, କର୍ମ ଓ ଅବସ୍ଥା ଭେଦରେ ସୂର୍ଯ୍ୟଙ୍କର ସବିତା, ବରୁଣ, ବିଷ୍ଣୁ, ପୁଷା, ଅର୍ଯମା, ମାତରିଶ୍ୱା, ଭଗ, ମିତ୍ର, ତ୍ୱଷ୍ଟା ପ୍ରଭୃତି ଭିନ୍ନ ଭିନ୍ନ ନାମ ରହିଛି । ଋକ୍‌ବେଦ ଅନୁଯାୟୀ ସୂର୍ଯ୍ୟ ହେଉଛନ୍ତି ତେଜ

ଓ ପ୍ରାଣଶକ୍ତି ସ୍ୱରୂପ । ସେ ଚରାଚର ସମଗ୍ର ବିଶ୍ୱର ଆତ୍ମା । ତାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ । ସେଥିପାଇଁ ସୂର୍ଯ୍ୟଙ୍କୁ ଦେବତା ଭାବରେ ଗ୍ରହଣ କରାଯାଇଛି । ପୁରାଣମାନଙ୍କରେ ଥିବା ଉଲ୍ଲେଖ ଅନୁଯାୟୀ ସୂର୍ଯ୍ୟଦେବତା ଅଜନ୍ମା, ଅର୍ଥାତ୍ ତାଙ୍କର ଜନ୍ମ କି ମୃତ୍ୟୁ ନାହିଁ । ତଥାପି ବି ଗୋଟିଏ ପ୍ରଶ୍ନ ମନରେ ଉଠେ ଯେ ସେ କିpରି ସୃଷ୍ଟି ହେଲେ?

ସୂର୍ଯ୍ୟ ଯଦି ଭଗବାନ ବିଷ୍ଣୁଙ୍କ ପରି ପରଂବ୍ରହ୍ମ, ତେବେ ଭଗବାନ ବିଷ୍ଣୁଙ୍କର ଯେପରି ବିଭିନ୍ନ ଅବତାର ରହିଛି, ସୂର୍ଯ୍ୟଙ୍କର କ’ଣ ସେପରି ଅବତାର ରହିଛି? ଏ ସମ୍ପର୍କରେ ପୁରାଣରେ ଗୋଟିଏ କାହାଣୀ ମିଳେ । କାହାଣୀଟି ହେଉଛି-

ଥରେ ଦେବତା ଓ ଅସୁରମାନଙ୍କ ଭିତରେ ଘୋର ଯୁଦ୍ଧ ହେଲା । ସେହି ଯୁଦ୍ଧରେ ଦୈତ୍ୟ ଓ ଦାନବମାନେ ମିଶି ଯୁଦ୍ଧ କଲେ । ଫଳରେ ଦେବତାମାନେ ଯୁଦ୍ଧରେ ହାରିଗଲେ । ସେମାନଙ୍କୁ ଭାରି ଅପମାନ ହେଲା । ଲାଜରେ ସେମାନେ ଯାଇ ଯେ ଯେଉଁଠି ପାରିଲେ ଲୁଚିଲେ । ସେହି ଘଟଣାରେ ଦେବତାମାନଙ୍କ ମାତା ଅଦିତି ଖୁବ୍ ଦୁଃଖିତ ହେଲେ । ସେହି ଦୁଃସ୍ଥିତିରୁ ଦେବତାମାନଙ୍କୁ ଉଦ୍ଧାର କରିବା ପାଇଁ ସେ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରି କହିଲେ, ହେ ଭଗବାନ ସୂର୍ଯ୍ୟଦେବ, ଆପଣ ଗୋପ ବା କିରଣମାନଙ୍କର ପ୍ରଭୁ । କେବଳ ମୁଁ ନୁହେଁ, ମୋର ପୁତ୍ର ଦେବତାମାନେ ମଧ୍ୟ ଆପଣଙ୍କର ଭକ୍ତ । ଆପଣଙ୍କର ଶୁଭ ଦୃଷ୍ଟି ନ ହେଲେ ସେମାନଙ୍କର ସୌଭାଗ୍ୟ ଫେରିବ ନାହିଁ । ଦେବତାମାନଙ୍କର ରାଜ୍ୟ ଓ ଯଜ୍ଞଭାଗ ଦୈତ୍ୟ ଓ ଦାନବମାନେ ଛଡ଼ାଇ ନେଇଛନ୍ତି । ଏଣୁ ଆପଣ ମୋର ଗର୍ଭରୁ ମୋର ପୁତ୍ରରୂପେ ପ୍ରକଟ ହୋଇ ଦୈତ୍ୟ ଓ ଦାନବମାନଙ୍କ ପ୍ରକୋପରୁ ଦେବତାମାନଙ୍କୁ ରକ୍ଷା କରନ୍ତୁ ।

ଅଦିତିଙ୍କର ସେହି ପ୍ରାର୍ଥନାରେ ସୂର୍ଯ୍ୟଦେବତା ପ୍ରସନ୍ନ ହେଲେ । କହିଲେ, ‘ହେ ଦେବମାତା ଅଦିତି ! ମୁଁ ସହସ୍ର ଅଂଶରେ ତୁମର ଗର୍ଭରୁ ପ୍ରକଟ ହେବି ଏବଂ ଦେବତାମାନଙ୍କୁ ଏହି ବିପଦରୁ ରକ୍ଷା କରିବି ।’ ଏହା କହି ସୂର୍ଯ୍ୟ ଅନ୍ତର୍ଦ୍ଧାନ ହୋଇଗଲେ ।

ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଅଦିତିଙ୍କ ଗର୍ଭରୁ ପ୍ରକଟ ହେବା ପାଇଁ ସମ୍ମତ ହୋଇଛନ୍ତି, ଏ ଖବର ଜାଣି ଦେବପିତା କଶ୍ୟପ ଆନନ୍ଦିତ ହେଲେ । ଯଥା ସମୟରେ ଅଦିତି ଓ କଶ୍ୟପଙ୍କ ଗର୍ଭରୁ ସୂର୍ଯ୍ୟଦେବ ଜନ୍ମ ହେଲେ । ସୂର୍ଯ୍ୟଙ୍କର ସେହି ଅବତାର ମାର୍ତ୍ତଣ୍ଡ ନାମରେ ପ୍ରସିଦ୍ଧ ।

ସୃଷ୍ଟିର ଆରମ୍ଭ କାଳରେ ବିଷ୍ଣୁଙ୍କ ନାଭିପଦ୍ମରୁ ବ୍ରହ୍ମା ଜାତ ହୋଇଥିଲେ । ସେହି ବ୍ରହ୍ମାଙ୍କ ପୁତ୍ର ହେଉଛନ୍ତି ମରୀଚି । ମରୀଚିଙ୍କ ଠାରୁ ମହର୍ଷି କଶ୍ୟପ ଜାତ ହୋଇଥିଲେ । କଶ୍ୟପ ଓ ଅଦିତିଙ୍କର ପୁତ୍ର ହେଉଛନ୍ତି ଦେବତାମାନେ । ଏଣୁ କଶ୍ୟପ ଓ ଅଦିତିଙ୍କ ଗର୍ଭରୁ ଜାତ ହୋଇଥିବାରୁ ସମ୍ପର୍କରେ ସୂର୍ଯ୍ୟ ଥିଲେ ଦେବତାମାନଙ୍କର ଭାଇ । କଶ୍ୟପଙ୍କ ପୁତ୍ର ହେବାରୁ ସୂର୍ଯ୍ୟଙ୍କର ଆଉ ଗୋଟିଏ ନାଆଁ ମଧ୍ୟ ହେଲା କାଶ୍ୟପେୟ ।

ଏ ସମ୍ପର୍କରେ ଆହୁରି ବହୁ ବିଷୟ ମଧ୍ୟ ପୁରାଣମାନଙ୍କରେ ଉଲ୍ଲେଖ ଅଛି । ତାହା ହେଉଛି, କଶ୍ୟପ ଓ ଅଦିତିଙ୍କ ଠାରୁ ଅନେକ ପୁତ୍ର ଜାତ୍ର ହୋଇଥିଲେ । ସେମାନେ ଆଦିତ୍ୟ, ବସୁ ଓ ରୁଦ୍ର ନାମରେ ପରିଚିତ । ଅଗ୍ନିପୁରାଣ ଓ ମହାଭାରତ ଆଦିରେ ଦ୍ୱାଦଶ ଆଦିତ୍ୟଙ୍କର ନାମ ଅଛି । ଅଗ୍ନି ପୁରାଣ ଅନୁଯାୟୀ ଏହି ଦ୍ୱାଦଶ ଆଦିତ୍ୟ ହେଉଛନ୍ତି ବରୁଣ, ସୂର୍ଯ୍ୟ, ସହସ୍ରାଂଶୁ, ଧାତା, ତପନ, ସବିତା, ଗଭସ୍ତି, ରବି, ପର୍ଜନ୍ୟ, ତ୍ୱଷ୍ଟା, ମିତ୍ର ଓ ବିଷ୍ଣୁ । ମାତ୍ର ମହାଭାରତରେ ଏହି ନାମ ସାମାନ୍ୟ ଭିନ୍ନ ଭାବରେ ଲେଖାଅଛି । ସେହି ନାମଗୁଡ଼ିକ ହେଉଛି- ଧାତା, ଅର୍ଯମା, ମିତ୍ର, ଶକ୍ର, ବରୁଣ, ଅଂଶ, ଭଗ, ବିବସ୍ୱାନ, ପୁଷା, ସବିତା, ତ୍ୱଷ୍ଟା ଓ ବିଷ୍ଣୁ । ଏସବୁ ସୂର୍ଯ୍ୟଙ୍କର ପ୍ରତିନାମ । ଏହି ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରୁ ସୂର୍ଯ୍ୟ ହିଁ ଆଲୋକ ଓ ଉତ୍ତାପ ଦିଅନ୍ତି । ସେମାନଙ୍କ ମଧ୍ୟରୁ ବିବସ୍ୱାନଙ୍କ ଠାରୁ ଈଷ୍ୱାକୁ ଜାତ ହୋଇଥିଲେ । ସେ ସୂର୍ଯ୍ୟବଂଶର ପ୍ରତିଷ୍ଠା କରିଥିଲେ।

ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁଯାୟୀ, ଉତ୍ପତ୍ତିବେଳେ ସୂର୍ଯ୍ୟ ଏକ ଉଜ୍ଜ୍ୱଳ ଗୋଲାକାର ପିଣ୍ଡ ରୂପରେ ଥିଲେ । ତାଙ୍କର ନାମ ମାର୍ତ୍ତଣ୍ଡ । ଦେବଶିଳ୍ପୀ ବିଶ୍ୱକର୍ମା ତାଙ୍କ ସହିତ ନିଜର କନ୍ୟା ସଂଜ୍ଞାଙ୍କୁ ବିବାହ ଦେଇଥିଲେ । ସୁରେଣୁ, ରାଜ୍ଞୀ, ଦୌ, ତ୍ୱାଷ୍ଟ୍ରୀ, ପ୍ରଭା ଆଦି ଅନେକ ନାମରେ ସଂଜ୍ଞା ପରିଚିତା । ମାତ୍ର, ସୂର୍ଯ୍ୟଙ୍କୁ ବିବାହ କଲେ ମଧ୍ୟ ତାଙ୍କର ପ୍ରଖର ତେଜ ସମ୍ଭାଳିବା ସଂଜ୍ଞାଙ୍କ ପକ୍ଷରେ ଖୁବ୍ କଷ୍ଟକର ହେଲା । ସେ ସୂର୍ଯ୍ୟଙ୍କୁ ସିଧା ଚାହିଁପାରିଲେ ନାହିଁ । ଚାହିଁଲେ ତାଙ୍କର ଆଖି ମୁଦି ହୋଇଗଲା । ତଥାପି ସେ ସ୍ୱାମୀଙ୍କ ସେବାଯତ୍ନରେ ହେଳା କରୁ ନଥିଲେ । ତାଙ୍କର ବୈବସ୍ୱତ ମନୁ, ଯମ ଓ ଯମୀ ନାମରେ ତିନିଟି ସନ୍ତାନ ମଧ୍ୟ ଜାତ ହୋଇଥିଲେ ।

ତଥାପି ବି, ସଂଜ୍ଞାଙ୍କ ମନରେ କେତେବେଳେ ହେଲେ ସୁଖ ନଥାଏ । କାରଣ ସୂର୍ଯ୍ୟଙ୍କ ପରି ଏତେ ସୁନ୍ଦର ସ୍ୱାମୀ ପାଇ ମଧ୍ୟ, ସେ ତାଙ୍କୁ ଭଲ ଭାବରେ ଦେଖିପାରୁ ନଥାନ୍ତି । ତେଣୁ ସ୍ୱାମୀଙ୍କୁ ଦେଖି ପାରିବାର ଶକ୍ତି ପାଇବା ପାଇଁ ସେ କଠୋର ତପସ୍ୟା କରିବାକୁ ଚାହିଁ ନିଜର ଶରୀରରୁ ଏକ ଛାୟା ସୃଷ୍ଟି କଲେ । ସେହି ଛାୟାକୁ ସୂର୍ଯ୍ୟଙ୍କର ସେବାରେ ନିଯୁକ୍ତ କରି ତପସ୍ୟା କରିବା ପାଇଁ ସେ ଉତ୍ତର କୁରୁକୁ ଚାଲିଗଲେ ।

ସଂଜ୍ଞା ନିଜ ଶରୀରରୁ ସୃଷ୍ଟି କରିଥିବା ସେହି ଛାୟାଙ୍କର ଆଉ ଗୋଟିଏ ନାମ ବିଷ୍ଣୁଭା । ସଂଜ୍ଞାଙ୍କର ଛାୟା ହୋଇଥିବାରୁ ରୂପରେଖ ଓ ଚାଲିଚଳନରେ ସେ ଠିକ୍ ସଂଜ୍ଞାଙ୍କ ପରି ଥିଲେ । ଫଳରେ ସୂର୍ଯ୍ୟ ତାଙ୍କୁ ଛାୟା ବୋଲି ନ ଜାଣି ପାରି ସଂଜ୍ଞା ବୋଲି ଜାଣୁଥିଲେ । ଏଣୁ ଛାୟା ଓ ସଂଜ୍ଞା ସୂର୍ଯ୍ୟଙ୍କର ଦୁଇ ସ୍ତ୍ରୀ ହେଲେ । ଏହି ଛାୟାଙ୍କଠାରୁ ମଧ୍ୟ ସୂର୍ଯ୍ୟଙ୍କର ସାବର୍ଣ୍ଣ୍ୟମନୁ, ଶନୈଶ୍ଚର, ତପତୀ ଓ ବିଷ୍ଟି ନାମରେ ଚାରି ସନ୍ତାନ ଜାତ ହୋଇଥିଲେ । ବିଷ୍ଟିଙ୍କର ଆଉ ଗୋଟିଏ ନାମ ହେଉଛି ଭଦ୍ରା ।

ସୂର୍ଯ୍ୟଙ୍କର ଦୁଇପତ୍ନୀ ସଂଜ୍ଞା ଓ ଛାୟା ଏବଂ ସେ ଦୁହିଁଙ୍କର ସନ୍ତାନମାନଙ୍କୁ ନେଇ ଗୋଟିଏ ଚମକ୍ରାର କାହାଣୀ ପୁରାଣରେ ଅଛି । କଥିତ ଅଛି ଯେ, ଛାୟା ନିଜର ଚାରି ସନ୍ତାନ- ସାବର୍ଣ୍ଣ୍ୟ ମନୁ, ଶନୈଶ୍ଚର, ତପତୀ ଓ ବିଷ୍ଟି (ଭଦ୍ରା)ଙ୍କୁ ଯେପରି ଭଲ ପାଉଥିଲେ, ସଂଜ୍ଞାଙ୍କର ତିନି ସନ୍ତାନ- ବୈବସ୍ୱତ ମନୁ, ଯମ ଓ ଯମୀଙ୍କୁ ସେପରି ଭଲ ପାଉନଥିଲେ । ସଂଜ୍ଞାଙ୍କର ପୁତ୍ର ଓ କନ୍ୟାଙ୍କୁ ସେ ନାନା ଭାବରେ ହଇରାଣ ହରକତ କରୁଥିଲେ । ଥରେ ତାଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ଯମ ରାଗିଗଲେ । ରାଗିଯାଇ ଛାୟାଙ୍କୁ ଗୋଇଠା ମାରିବାକୁ ଗୋଡ଼ ଉଠାଇଲେ । ତାହା ଛାୟାଙ୍କୁ ଖୁବ୍ ବାଧିଲା । ସେ ଖୁବ୍ ରାଗିଗଲେ । କହିଲେ, ମୁଁ ମାଆ ହୋଇ ମଧ୍ୟ ତୁ ମତେ ଗୋଇଠା ମାରିବା ପାଇଁ ଗୋଡ଼ ଉଠାଇଲୁ ! ଏଣୁ ମୁଁ ଅଭିଶାପ ଦେଉଛି, ତୋର ସେହି ଗୋଡ଼ ଛିଣ୍ଡିଯାଇ ପୃଥିବୀରେ ପଡ଼ିବ ।

ଯମ ଓ ଛାୟାଙ୍କ ମଧ୍ୟରେ ଚାଲିଥିବା ସେହି କଳହ ମଝିରେ ହଠାତ୍ ସୂର୍ଯ୍ୟ ଆସି ପହଞ୍ଚିଗଲେ । ସବୁ ଶୁଣିବା ପରେ ସେ ଛାୟାଙ୍କୁ କହିଲେ, ତୁମେ ମାଆ । ତୁମ ପାଇଁ ସବୁ ସନ୍ତାନ ସମାନ । ଏପରି ପାତରଅନ୍ତର ତୁମ ପକ୍ଷରେ ଉଚିତ ହୋଇ ନାହିଁ । ଏହା କହି ସେ ଯମଙ୍କ ଉପରୁ ଛାୟାଙ୍କର ଅଭିଶାପ ପରିହାର କରିନେଲେ ।

ତା’ପରେ ଯାଇ ସୂର୍ଯ୍ୟ ଜାଣିଲେ ଯେ ଛାୟାଙ୍କୁ ତାଙ୍କ ପାଖରେ ଛାଡ଼ି ସଂଜ୍ଞା, ନିଜେ ଅନ୍ୟଆଡ଼େ ଚାଲିଯାଇଛନ୍ତି । ସେ କୁଆଡେ଼ ଯାଇଛନ୍ତି ତାହା ଜାଣିବା ପାଇଁ ସୂର୍ଯ୍ୟ ତାଙ୍କ ଶ୍ୱଶୁର ବିଶ୍ୱକର୍ମାଙ୍କ ପାଖକୁ ଗଲେ । ତାଙ୍କଠାରୁ ଜାଣିଲେ ଯେ ତାଙ୍କର ପ୍ରଖର ତେଜ ସଂଜ୍ଞା ସହିପାରୁ ନାହାଁନ୍ତି । ତେଣୁ ସେ ଯାଇ ଉତ୍ତରକୁରୁରେ ତପସ୍ୟା କରୁଛନ୍ତି । ବିଶ୍ୱକର୍ମା ତାଙ୍କୁ ଆହୁରି ମଧ୍ୟ କହିଲେ, ସୂର୍ଯ୍ୟ ଯଦି ଚାହାନ୍ତି, ସେ ତାଙ୍କର ତେଜକୁ କାଟି କମ୍ କରିଦେବେ । ଫଳରେ ଆଉ କିଛି ଅସୁବିଧା ହେବ ନାହିଁ । ପତ୍ନୀ ସଂଜ୍ଞାଙ୍କ ପାଇଁ ସୂର୍ଯ୍ୟ ସେଥିରେ ରାଜି ହେଲେ । ଫଳରେ ବିଶ୍ୱକର୍ମା ଶାଣରେ ବସାଇ ତାଙ୍କର ତେଜକୁ କାଟି କମ୍ କରିଦେଲେ । ସେହିଦିନୁ ସୂର୍ଯ୍ୟଙ୍କର ଆଉ ଗୋଟିଏ ନାଆଁ ହେଲା ବିକର୍ତ୍ତନ । ସେଥିାଇଁ ଅସ୍ତାୟମାନ ସୂର୍ଯ୍ୟଙ୍କୁ ‘ବିକର୍ତ୍ତନ’ ବୋଲି କବିବର ରାଧାନାଥ ରାୟ ତାଙ୍କ ‘ଚିଲିକା’ କାବ୍ୟରେ ଲେଖିଛନ୍ତି ।

ବିଶ୍ୱକର୍ମା ଶାଣରେ ବସାଇ ସୂର୍ଯ୍ୟଙ୍କର ତେଜକୁ କାଟି କମ୍ କରିଦେବା ପରେ ସଂଜ୍ଞାଙ୍କ ସହିତ ମିଳିତ ହେବା ପାଇଁ ସୂର୍ଯ୍ୟ ଉତ୍ତର କୁରୁକୁ ଚାଲିଲେ । ସେତେବେଳକୁ ସଂଜ୍ଞା ଏକ ଅଶ୍ୱିନୀ (ଘୋଟକୀ)ର ଛଦ୍ମବେଶ ଧରି ଉତ୍ତର କୁରୁରେ ତପସ୍ୟା କରୁଥାଆନ୍ତି । ତେଣୁ ସୂର୍ଯ୍ୟ ଏକ ଅଶ୍ୱ (ଘୋଟକ) ରୂ ଧରି ଯାଇ ତାଙ୍କ ସହିତ ମିଳିତ ହେଲେ । ସେହି ମିଳନରୁ ଅଶ୍ୱିନୀକୁମାର ଦ୍ୱୟ ଓ ରେବନ୍ତ ଜାତ ହେଲେ । ଏହି ଅଶ୍ୱିନୀକୁମାର ଦ୍ୱୟ ବଡ଼ ହୋଇ ଦେବତାମାନଙ୍କର ବୈଦ୍ୟ ହେଲେ । ରେବନ୍ତ ହେଲେ ଗୁହ୍ୟକ ଓ ଅଶ୍ୱମାନଙ୍କର ଅଧିତି ।

ଯେପରି ଭଗବାନ ବିଷ୍ଣୁଙ୍କ ସ୍ଥାନ ବୈକୁଣ୍ଠ, ଶିବଙ୍କ ସ୍ଥାନ କୈଳାସ ଓ ବ୍ରହ୍ମାଙ୍କ ସ୍ଥାନ ବ୍ରହ୍ମଲୋକ- ସେହିରି ସୂର୍ଯ୍ୟଙ୍କ ସ୍ଥାନ ଆଦିତ୍ୟଲୋକ ବା ସୂର୍ଯ୍ୟମଣ୍ଡଳ । ଏହି ଆଦିତ୍ୟଲୋକରେ ଭଗବାନ ସୂର୍ଯ୍ୟନାରାୟଣ ସାକାର ବିଗ୍ରହରେ ଅବସ୍ଥାନ କରନ୍ତି । ସେ ରକ୍ତପଦ୍ମ ଉପରେ ବିରାଜମାନ ହୋଇଥାଆନ୍ତି । ତାଙ୍କର ଶରୀରର ବର୍ଣ୍ଣ ହିରଣ୍ମୟ । କେତେକ ଶ୍ଳୋକରେ ତାଙ୍କର ବର୍ଣ୍ଣକୁ 'ପଦ୍ମଗର୍ଭ' ବୋଲି ମଧ୍ୟ କୁହାଯାଇଛି । ତାଙ୍କର ଚାରି ହାତରୁ ଦୁଇ ହାତରେ ଶୋଭା ପାଉଥାଏ ଅଭୟ ଓ ବରଦ ମୁଦ୍ରା । ବେଦରେ ଦୁଇହାତ ବିଶିଷ୍ଟ ସୂର୍ଯ୍ୟଙ୍କର ବର୍ଣ୍ଣନା ମଧ୍ୟ ରହିଛି ।

ସୂର୍ଯ୍ୟ ପ୍ରତିଦିନ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି । ଏହା ଫଳରେ ଦିନ ଓ ରାତି ସମ୍ଭବ ହୋଇଥାଏ । ପୁରାଣ କାହାଣୀ ଅନୁସାରେ, ସେ ଏକ ବିରାଟ ରଥରେ ବସି ପ୍ରତିଦିନ ଏହି ଯାତ୍ରା କରନ୍ତି । ତାଙ୍କ ରଥର ଆକାର ନଅ ସହସ୍ର ଯୋଜନ । ସେଥିରେ ଥାଏ ଛଅ ଅର ବିଶିଷ୍ଟ ସମୟଚକ୍ର । ସାତଟି ଛନ୍ଦମୟ ଅଶ୍ୱ ସେହି ରଥରେ ଯୋଚା ହୋଇଥାଆନ୍ତି । ସେହି ସପ୍ତାଶ୍ୱ ହେଉଛନ୍ତି ସାତ ବୈଦିକ ଛନ୍ଦ । ସେମାନଙ୍କର ନାମ ହେଉଛି ଗାୟତ୍ରୀ, ବୃହତ, ଉଷ୍ମକ, ଜଗତି, ତ୍ରିଷ୍ଟୁପ, ଅନୁଷ୍ଟୁ‌ପ୍ ଓ ପଙ୍‌କ୍ତି । ଏହି ସପ୍ତାଶ୍ୱକୁ ସୂର୍ଯ୍ୟଙ୍କ କିରଣରେ ଥିବା ସାତରଙ୍ଗ ବା ବର୍ଣ୍ଣାଳିର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଦଣ୍ଡ, ଲିତା, ଋତୁ, ସମ୍ବତ୍ସର ଇତ୍ୟାଦି କାଳ ବା ସମୟର ବିଭିନ୍ନ ଅଙ୍ଗ ଦ୍ୱାରା ସେହି ରଥ ନିର୍ମିତ । ଆଦିତ୍ୟ, ଋଷି, ଗନ୍ଧର୍ବ, ଦେବଲଳନା, ଯକ୍ଷ, ସର୍ପ ଓ ରାକ୍ଷସ- ଏହିପରି ସାତ ଜଣ ପ୍ରତି ମାସରେ ରଥରେ ଆରୋହଣ କରନ୍ତି । ଅଲଗା ଅଲଗା ମାସରେ ଏହି ସାତ ଜଣ ଅଲଗା ଅଲଗା ହୋଇ ଥାଆନ୍ତି । ଏଇମାନେ ହିଁ ନିଜ ନିଜ ସମୟରେ ଖରା, ବର୍ଷା, ଶୀତ ଆଦି ପାଇଁ ଦାୟୀ ।

ପ୍ରତିଦିନ ସକାଳେ ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି । ପୁରାଣ ବିଶ୍ୱାସ ଯେ, ପ୍ରତିଦିନ ସକାଳେ, ସୂର୍ଯ୍ୟ ତାଙ୍କର ସପ୍ତାଶ୍ୱଯୁକ୍ତ ରଥରେ ଆରୋହଣ କରି ଯାତ୍ରା ଆରମ୍ଭ କରନ୍ତି । ଦିନ ଶେଷରେ ସେ ପଶ୍ଚିମ ସମୁଦ୍ରରେ ପହଞ୍ଚନ୍ତି । ଏହି ପୂର୍ବ ଓ ପଶ୍ଚିମ ଦିଗ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତରୁ ହିଁ ସୃଷ୍ଟି ହୋଇଥାଏ । ପୁରାଣରେ ସୂର୍ଯ୍ୟଙ୍କର ଉଦୟ, ଅସ୍ତ ଓ ଗତି ସମ୍ପର୍କରେ ଆହୁରି ଅନେକ କଥା କୁହାଯାଇଛି । ସେ ସବୁରୁ ଅନେକର ବୈଜ୍ଞାନିକ ଭିତ୍ତି ମଧ୍ୟ ରହିଛି । ତାହା ହେଉଛି, ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି, ସେତେବେଳେ ତାଙ୍କର ତେଜ ସମସ୍ତ ସ୍ଥାନ ବା ବସ୍ତୁକୁ ଆଲୋକିତ କରେ । ମାତ୍ର ତାହା ମହାମେରୁକୁ ଆଲୋକିତ କରିପାରେ ନାହିଁ । ଏହି ମହାମେରୁର ଶୀର୍ଷରେ ବ୍ରହ୍ମାଙ୍କର ପୁର । ପୁରାଣରେ କୁହାଯାଇଛି ଯେ ମହାମେରୁର ଶୀର୍ଷରେ ଥିବା ବ୍ରହ୍ମାଙ୍କ ପୁର ଏତେ ଦୀପ୍ତିମନ୍ତ ଯେ, ସୂର୍ଯ୍ୟଙ୍କ କିରଣ ସେଠାକୁ ପ୍ରବେଶ କରିପାରେ ନାହିଁ । ସମସ୍ତ ଦେଶ ଓ ଦ୍ୱୀପ ଆଦିର ଉତ୍ତରଦିଗରେ ଏହି

ମହାମେରୁ ଅବସ୍ଥିତ । ଏଣୁ ଏହାର ଗୋଟିଏ ପଟରେ ସବୁବେଳେ ଦିନ ତ ଆର ପଟରେ ସବୁବେଳେ ରାତି ହୁଏ ।

ପୁରାଣମାନଙ୍କରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ଯେତେବେଳେ ସୂର୍ଯ୍ୟ ଅସ୍ତ ଯାଆନ୍ତି, ସେତେବେଳେ ତାଙ୍କର ଆଲୋକ ବା ତେଜ ଅଗ୍ନିରେ ପ୍ରବେଶ କରେ । ଏଣୁ ରାତିରେ ଅଗ୍ନି ଶିଖାର ଆଲୋକ ପ୍ରଖର ହୁଏ । ସେହିପରି ଦିନରେ ଅଗ୍ନିଙ୍କ ତେଜ ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରେ । ଏଣୁ ଦିନରେ ସୂର୍ଯ୍ୟଙ୍କ କିରଣ ପ୍ରଖର ହୁଏ । ଏଣୁ ସକାଳେ ବା ସନ୍ଧ୍ୟାରେ ଯେତେବେଳେ ସୂର୍ଯ୍ୟଙ୍କ ତେଜ ଅଗ୍ନିରେ ବା ଅଗ୍ନିଙ୍କ ତେଜ ସୂର୍ଯ୍ୟରେ ପ୍ରବେଶ କରେ ସେତେବେଳେ ଦିନ ଓ ରାତିର ଏକ ଫେଣ୍ଟାଫେଣ୍ଟି ଆଲୋକ ଆମେ ଦେଖୁ । ସକାଳେ ସେହି ଆଲୋକକୁ ଆମେ ସିନ୍ଦୂରା ଓ ସନ୍ଧ୍ୟାରେ ଗୋଧୂଳି ବୋଲି କହୁ ।

କେବଳ ଏତିକି ନୁହେଁ, ପୁରାଣମାନଙ୍କରେ ଏ ସମ୍ପର୍କରେ ଆହୁରି ବିଶଦ ଭାବରେ ବର୍ଣ୍ଣନା କରାଯାଇଛି । ବିଷ୍ଣୁପୂରାଣରେ ବର୍ଣ୍ଣନା ଅଛି, ଯେତେବେଳେ ସୂର୍ଯ୍ୟ ପୁଷ୍କର ଦ୍ୱୀପର ମଧ୍ୟସ୍ଥଳ ଦେଇ ଗତି କରନ୍ତି, ସେତେବେଳେ ପୃଥିବୀର ୩୦ ଡିଗ୍ରୀକୁ ଢଳି ପଡ଼ନ୍ତି । ତାହାକୁ ‘ମୌହୂର୍ତ୍ତିକ ଗତି’ କୁହାଯାଏ । ଏକ ମୁହୂର୍ତ୍ତର ସମୟକୁ ୪୮ ମିନିଟ ବୋଲି ଗଣନା କରାଯାଇଛି । ଏଣୁ ଏହି ମୌହୂର୍ତ୍ତିକ ଗତି ଫଳରେ ସୂର୍ଯ୍ୟ ୪୮ ମିନିଟ ସମୟ ଅଧିକାର କରନ୍ତି । ଏ ସମ୍ପର୍କରେ ଆହୁରି ବିଶଦ ଭାବରେ ପୁରାଣରେ ବୁଝାଇ ଦିଆଯାଇଛି । କୁମ୍ଭାର ଚକର ପରିଧି ଉପରେ ବସିଥିବା ମାଛିଟିଏ ପରି ସୂର୍ଯ୍ୟ ଦିନରାତି ଘୂରୁଛନ୍ତି । ଏହି ଚକଟି ୩୦ ଡିଗ୍ରୀ କୋଣରେ ଢଳିରହି ଘୂରୁଛି । ଫଳରେ ଦିନରାତି ହେଉଛି ଏବଂ ଦିନରାତି ଛୋଟ ବା ବଡ଼ ମଧ୍ୟ ହେଉଛି । କର୍କଟକ୍ରାନ୍ତି ଦିଗରେ ଏହି ଯାତ୍ରାର ଆରମ୍ଭରେ ସୂର୍ଯ୍ୟ ମକର, କୁମ୍ଭ ଓ ମୀନ ରାଶି ଦେଇ ଗତି କରନ୍ତି । ତା’ପରେ ବିଷୁବରେଖାରେ ଅବସ୍ଥାନ କରନ୍ତି । ସେଦିନଟି ଦିନ ଓ ରାତି ସମାନ ହୁଏ । ଉତ୍ତର ଗୋଲାର୍ଦ୍ଧର ଏହି ଯାତ୍ରା ଶେଷ ହେଲେ ସୂର୍ଯ୍ୟ କର୍କଟ ରାଶିକୁ ଯାଆନ୍ତି ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଯାତ୍ରାର ଆରମ୍ଭ ହୁଏ । ବିଜ୍ଞାନରେ ବର୍ଣ୍ଣିତ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ସହିତ ଏହାର ସାମ୍ୟ ଅଛି । ତଫାତ୍ କେବଳ ଏତିକି ଯେ ସୂର୍ଯ୍ୟଙ୍କ ଚାରିପଟରେ ପୃଥିବୀ ଘୂରୁଛି ବୋଲି ବିଜ୍ଞାନ କହିବାବେଳେ ପୁରାଣରେ ସୂର୍ଯ୍ୟଙ୍କୁ ଦେବତା ବୋଲି କୁହାଯାଇଛି ଏବଂ ଏ ସବୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ସମ୍ଭବ ହେଉଛି ବୋଲି କୁହାଯାଇଛି ।

ତେବେ ପୁରାଣ ପରି ବିଜ୍ଞାନ ମଧ୍ୟ ସୂର୍ଯ୍ୟଙ୍କର ଗୁରୁତ୍ୱ ସ୍ୱୀକାର କରି ଆସିଛି । ପୁରାଣ ପରି ବିଜ୍ଞାନରେ ମଧ୍ୟ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାହୋଇଛି ଏବଂ ସୂର୍ଯ୍ୟଙ୍କ ବିନା ସୃଷ୍ଟି ସମ୍ଭବ ନୁହେଁ ବୋଲି ମଧ୍ୟ କୁହାଯାଇଛି । ଭଗବାନ ବିଷ୍ଣୁ ସ୍ୱୟଂ ଋକ୍, ଯଜୁଃ ଓ ସାମ

ରୂପରେ ପୃଥିବୀର ମଙ୍ଗଳ ପାଇଁ ସୂର୍ଯ୍ୟଙ୍କ ଠାରେ ଅବସ୍ଥାନ କରନ୍ତି; ଏଣୁ ସୂର୍ଯ୍ୟ ଅନ୍ଧକାରର ବିନାଶକ । ସୂର୍ଯ୍ୟଙ୍କର ସହସ୍ର ରଶ୍ମି; ଏଣୁ ସୂର୍ଯ୍ୟ ସହସ୍ରାଂଶୁ । ଏଥି ମଧ୍ୟରୁ ୩୦୦ ରଶ୍ମି ପୃଥିବୀକୁ ଆସେ, ୪୦୦ ରଶ୍ମି ଚନ୍ଦ୍ରଙ୍କର ଆଲୋକ ବା ଜ୍ୟୋତ୍ସା ରୂପରେ ପ୍ରକାଶିତ ହୁଏ ଏବଂ ୩୦୦ ରଶ୍ମି ଦେବଲୋକକୁ ଆଲୋକିତ କରେ । ଏଣୁ ସୂର୍ଯ୍ୟ ଅଖିଳ ଜଗତର ଅଧିପତି । ତାଙ୍କର ରଶ୍ମି ଅଧଃ (ତଳ) ଓ ଊର୍ଦ୍ଧ୍ୱ (ଉପର) ସମସ୍ତ ଭାଗକୁ ଆଲୋକିତ କରେ । ସୂର୍ଯ୍ୟଙ୍କର ଏହି ରଶ୍ମି ବା ତେଜ ବିନା ଏହି ଅଖିଳ ସୃଷ୍ଟିର ସ୍ଥିତି ସମ୍ଭବ ନୁହେଁ ।

ଅଖିଳ ସୃଷ୍ଟିର ସ୍ଥିତି ପାଇଁ ସୂର୍ଯ୍ୟଙ୍କର ଏହି ଗୁରୁତ୍ୱ ପୁରାଣର ଗୋଟିଏ କାହାଣୀରେ ଅତି ଚମତ୍କାର ଭାବରେ ବର୍ଣ୍ଣିତ ହୋଇଛି । ସେହି କାହାଣୀଟି ହେଉଛି-

ସୁକେଶ ନାମରେ ଏକ ରାକ୍ଷସ ଥିଲା । ସେ ବିଦ୍ୟୁତ୍‌କେଶ ଓ ଶାଳକଣ୍ଟକଙ୍କର ପୁତ୍ର । ସେ ଅପରାଜେୟ ହେବା ପାଇଁ ଥରେ ଶିବଙ୍କୁ ତପସ୍ୟା କଲା । ତା’ର କଠୋର ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ ତାକୁ ସେହି ବର ଦେଲେ । ଏକ ଭ୍ରାମ୍ୟମାଣ ନଗର ମଧ୍ୟ ତାକୁ ବରରୂପେ ଦେଲେ । ସେହି ନଗର ଆକାଶକୁ ଉଠି ବୁଲି ପାରୁଥିଲା । ସେହି ବର ପାଇ ସୁକେଶ ଖୁବ୍ ଖୁସି ହେଲା ଏବଂ ନିଜର ଜ୍ଞାତି, କୁଟୁମ୍ବ ଓ ପାରିଷଦଙ୍କ ସହିତ ଯାଇ ସେହି ନଗରରେ ରହିଲା ।

ଶିବଙ୍କ ବର ପ୍ରସାଦରୁ ତା’ର ଆସୁରିକ ଗୁଣଗୁଡ଼ିକ ମଧ୍ୟ ଦୂର ହୋଇଗଲା । ସେ ସତ୍ ଓ ଧର୍ମ‌ପ୍ରାଣ ଜୀବନ ବିତାଇଲା । ଏପରିକି ଥରେ ମାଗଧ ଅରଣ୍ୟକୁ ଯାଇ ସେଠାରେ ଥିବା ମୁନି-ଋଷିଙ୍କ ଠାରୁ ସଦ୍‌ଗୁଣମାନ ଶିକ୍ଷା କଲା । ତାଙ୍କର ଜ୍ଞାତି କୁଟୁମ୍ବ, ପାରିଷଦମାନେ ମଧ୍ୟ ଉନ୍ନତ ଜୀବନ ଯାପନ କରିବାକୁ ଲାଗିଲେ । ଫଳରେ ସେମାନଙ୍କର ସଦ୍‌ଗୁଣ ପ୍ରଭାବରୁ ତା’ର ନଗରଟି ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ଦେଖାଗଲା । ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ସେହି ନଗରଟି ଆକାଶ ମାର୍ଗରେ ଭ୍ରମଣ କରୁଥିବାରୁ, ତାହା ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ପରି ଭ୍ରମ ସୃଷ୍ଟିକଲା । ଫଳରେ ସୃଷ୍ଟିରେ ନାନା ବିଭ୍ରାଟ ଦେଖାଦେଲା । ଆକାଶ ମାର୍ଗରେ ତାହା ଭ୍ରମଣ କରୁଥିବାରୁ ସୂର୍ଯ୍ୟ ଠିକ ଭାବରେ ଆତଯାତ ହୋଇ ପାରିଲେ ନାହିଁ । ସୁକେଶର ଉଜ୍ଜ୍ୱଳ ନଗରକୁ ଦେଖି ତାକୁ ସୂର୍ଯ୍ୟ ବୋଲି ଭ୍ରମ କରି ପଦ୍ମଫୁଲ ରାତିରେ ଫୁଟିଲେ । ଅନ୍ୟାନ୍ୟ ବହୁ ବିଭ୍ରାଟ ମଧ୍ୟ ଘଟିଲା । ସେହି ଦୀପ୍ତିମନ୍ତ ନଗର ଯୋଗୁଁ ଏହି ବିଭ୍ରାଟ ହେବା ଜାଣି ସୂର୍ଯ୍ୟଦେବ ଦିନେ ସୁକେଶ-ନଗରକୁ ରାଗି ଚାହିଁ ଦେବାରୁ ସେହି ନଗର ଜଳିପୋଡ଼ି ପାଉଁଶ ହୋଇ ତଳେ ଖସି ପଡ଼ିଲା ।

ଶିବଙ୍କ ଆଶୀର୍ବାଦରୁ ପାଇଥିବା ନଗରର ସେହି ଅବସ୍ଥା ଦେଖି ସୁକେଶ ଦୁଃଖିତ ହୋଇ ପୁଣି ଶିବଙ୍କୁ ପ୍ରାର୍ଥନା କଲା । ସେହି ଘଟଣା ଜାଣି ଶିବ ରାଗିଯାଇ ସୂର୍ଯ୍ୟଙ୍କୁ ଚାହିଁବାରୁ ସୂର୍ଯ୍ୟ

ମଧ୍ୟ ଜଳିଯାଇ ରଥ ଉପରୁ ତଳେ ଖସି ପଡ଼ିଲେ । ଫଳରେ ଅଖିଳ ଜଗତ ଅନ୍ଧକାରରେ ବୁଡ଼ିଗଲା । ସଂସାରରେ ଘୋର ବିଭ୍ରାଟ ଦେଖାଦେଲା । ସମସ୍ତେ ଆଶଙ୍କା କଲେ ଯେ ଅଖିଳ ସୃଷ୍ଟି ଧ୍ୱଂସ ପାଇଯିବ । ତେଣୁ କ୍ରୋଧ ସମ୍ବରଣ କରିବା ପାଇଁ ବ୍ରହ୍ମା ଶିବଙ୍କୁ ପ୍ରାର୍ଥନା କଲେ । ତାଙ୍କର ପ୍ରାର୍ଥନାରେ ଶାନ୍ତ ହୋଇ ଶିବ ସୂର୍ଯ୍ୟଙ୍କୁ ନେଇ ପୁଣି ଥରେ ଆକାଶରେ ସ୍ଥାପନ କଲେ । ଅଖିଳ ସୃଷ୍ଟି ଧ୍ୱଂସ ମୁଖରୁ ରକ୍ଷା ପାଇଲା ।

ଅଖିଳ ସୃଷ୍ଟିର ଆତ୍ମା ସ୍ୱରୂ ଏହି ସୂର୍ଯ୍ୟଦେବଙ୍କର ଅନେକ ନାମ । ମହାଭାରତର ବନପର୍ବରେ ସୂର୍ଯ୍ୟଙ୍କର ଯେଉଁ ଶହେ ଆଠଟି ନାମର ଉଲ୍ଲେଖ ଅଛି, ତାହା ସୂର୍ଯ୍ୟଙ୍କର ଗୁଣ, କର୍ମ ଓ ବଂଶ ପରମ୍ପରା ଅନୁସାରେ ହୋଇଛି । ସେଥିରୁ ଅମରକୋଷରେ ସ୍ଥାନ ପାଇଥିବା ନାମଗୁଡ଼ିକ ପ୍ରଧାନ । ଅମରକୋଷରେ ସୂର୍ଯ୍ୟଙ୍କର ଯେଉଁ ନାମଗୁଡ଼ିକ ଲେଖାଅଛି, ସେଗୁଡ଼ିକ ହେଉଛି- ସୁର, ସୂର୍ଯ୍ୟ, ଅର୍ଯମା, ଆଦିତ୍ୟ, ଦ୍ୱାଦଶାତ୍ମା, ଦିବାକର, ଭାସ୍କର, ଅହସ୍କର, ବ୍ରଧ୍ନ, ପ୍ରଭାକର, ବିଭାକର, ଭାସ୍ୱାନ, ବିବସ୍ୱାନ, ସପ୍ତାଶ୍ୱ, ହରିଦାଶ୍ୱ, ଉଷ୍ମରଶ୍ମି, ବିକର୍ତ୍ତନ, ଅର୍କ, ମାର୍ତ୍ତଣ୍ଡ, ମିହିର, ଅରୁଣ, ପୁଷା, ଦ୍ୟୁମଣି, ତରଣି, ମିତ୍ର, ଚିତ୍ରଭାନୁ, ବିରୋଚନ, ବିଶ୍ୱାବସୁ, ଗ୍ରହପତି, ତ୍ୱିଷାମ୍ପତି, ଅହର୍ପତି, ଭାନୁ, ହଂସ, ସହସ୍ରାଂଶୁ, ସବିତା, ତପନ, ରବି, ପଦ୍ମାକ୍ଷ, ତେଜସ୍ରାଂରାଶି, ଛାୟାନାଥ, ତମିସ୍ରାହା, କର୍ମସାକ୍ଷୀ, ଜଗଚ୍ଚାକ୍ଷୁଷ, ଲୋକବନ୍ଧୁ, ତ୍ରୟୀତନୁ, ପ୍ରଦ୍ୟୋତନ, ଦିନମଣି, ଖଦ୍ୟୋତ, ଲୋକବାନ୍ଧବ, ଇନା, ଭର୍ଗ, ଧାମନିଧି, ଅଂଶୁମାଳି ଓ ଅବ୍‌ଜିନୀପତି ।

ସୂର୍ଯ୍ୟ ଆଲୋକର ଉତ୍ସ । ଆଲୋକ ହେଉଛି ଅନ୍ଧକାରର ବିନାଶକ । ଅନ୍ଧକାର ହେଉଛି ଅଜ୍ଞାନ ବା ପାପ । ଏଣୁ ଆଲୋକ ବା ସୂର୍ଯ୍ୟ ଅଜ୍ଞାନ ବା ପାପ ନାଶ କରି ଜ୍ଞାନର ପ୍ରକାଶ ଓ ବିକାଶ କରନ୍ତି । ଏଣୁ ସୂର୍ଯ୍ୟଦେବଙ୍କୁ ଉପାସନା କଲେ ଶାରୀରିକ, ମାନସିକ ଓ ବାଚ୍ୟିକ ସମସ୍ତ ଦୁଷ୍କୃତି ନାଶ ହୁଏ ଏବଂ ବାଞ୍ଛିତ ଫଳ ଲାଭ ହୁଏ ।

ସୂର୍ଯ୍ୟଙ୍କର ଏକ ଧ୍ୟାନଶ୍ଳୋକରେ ତାଙ୍କୁ ନିଖିଳ ଭୁବନର ନେତ୍ର ବୋଲି ମଧ୍ୟ କୁହାଯାଇଛି । ସେହି ଧ୍ୟାନ ଶ୍ଳୋକଟି ହେଉଛି-

ଉଦୟଗିରି ମୁପେତଂ ଭାସ୍କରଂ ପଦ୍ମହସ୍ତଂ
ନିଖିଳ ଭୁବନ ନେତ୍ରଂ ରତ୍ନରତ୍ନୋପମେୟମ୍
ତିମିର କରି ମୃଗେନ୍ଦ୍ରଂ ବୋଧକଂ ପଦ୍ମିନୀନାଂ
ସୁରବର ମ‌ଭିବନ୍ଦେ ସୁନ୍ଦରଂ ବିଶ୍ୱବନ୍ଦ୍ୟମ୍ ।

Aama Debadebi.pdf
ଚନ୍ଦ୍ର

ଆମ ପୁରାଣରେ ସୂର୍ଯ୍ୟ ଯେପରି ଦେବତା, ଚନ୍ଦ୍ର ମଧ୍ୟ ସେପରି ଦେବତା । ଛୋଟ ପିଲାଙ୍କଠାରୁ ବଡ଼ଙ୍କ ପର୍ଯ୍ୟନ୍ତ, ଚନ୍ଦ୍ର ସମସ୍ତଙ୍କର ପ୍ରିୟ । କାରଣ, ଚନ୍ଦ୍ର ଦେଖିବାକୁ ଖୁବ୍ ସୁନ୍ଦର । ପୁଣି ଛୋଟ ପିଲାଙ୍କ ପାଇଁ ଚନ୍ଦ୍ର ତ ଅତି ଆଦରର ‘ଜହ୍ନମାମୁଁ’ । କାରଣ ଚନ୍ଦ୍ର ମାଆ ଲକ୍ଷ୍ମୀଙ୍କର ଭାଇ ବୋଲି ବିଶ୍ୱାସ ରହିଛି ।

ଚନ୍ଦ୍ର, ଅତ୍ରି ଓ ଅନସୂୟାଙ୍କ ସନ୍ତାନ । ସେ ସମୁଦ୍ରରୁ ଜାତ ହୋଇଥିଲେ ବୋଲି ମଧ୍ୟ କେତେକ ପୁରାଣରେ ଲେଖା ଅଛି । ଦେବୀ ଭାଗବତରେ ଲେଖା ଅଛି, ସ୍ୱୟଂ ବ୍ରହ୍ମା ଚନ୍ଦ୍ର ରୂରେ ଜନ୍ମଗ୍ରହଣ କରିଥିଲେ । ତାଙ୍କଠାରୁ ଚନ୍ଦ୍ରବଂଶର ବିସ୍ତାର ହୋଇଥିଲା । ବୁଧ ସେହି ବଂଶର ପ୍ରଥମ ରାଜା । ପୁରୁରବା ଚନ୍ଦ୍ରବଂଶର ରାଜାମାନଙ୍କ ମଧ୍ୟରେ ପ୍ରସିଦ୍ଧ ।

ଚନ୍ଦ୍ରଙ୍କ ଜନ୍ମ ସମ୍ପର୍କରେ ପୁରାଣରେ ଯେଉଁ କାହାଣୀ ଅଛି, ସେହି କାହାଣୀଟି ଏହିପରି-

ସୃଷ୍ଟି ଆରମ୍ଭ କାଳର କଥା । ଭଗବାନ ବିଷ୍ଣୁ ତାଙ୍କର ନାଭିଦ୍ମରୁ ବ୍ରହ୍ମାଙ୍କୁ ସୃଷ୍ଟି କଲେ । କହିଲେ, ସୃଷ୍ଟିର କିପରି ବିସ୍ତାର ହେବ, ସେ ଦାୟିତ୍ୱ ତୁମର । ବ୍ରହ୍ମା ସେଥିପାଇଁ ଅତ୍ରିଙ୍କୁ ସୃଷ୍ଟି କଲେ ଓ ତାଙ୍କୁ ସୃଷ୍ଟି ସର୍ଜନାର ଦାୟିତ୍ୱ ଦେଲେ । ଅତ୍ରି ଭାବିଲେ, ସାରା ସଂସାର ସୃଷ୍ଟି କରିବା କ’ଣ କିଛି କମ୍ କଥା ! ସେଥିାଇଁ ଶକ୍ତି ଥିବା ଦରକାର । ତେଣୁ ସେହି ଶକ୍ତି ପାଇବା ପାଇଁ ସେ ଯାଇ ଅନୁତ୍ତର ତପସ୍ୟା କଲେ । ବହୁ ବର୍ଷ ତପସ୍ୟା ପରେ, ତାଙ୍କର ନିଷ୍ଠା ଦେଖି ସଚ୍ଚିଦାନନ୍ଦ ବ୍ରହ୍ମ ସନ୍ତୁଷ୍ଟ ହେଲେ । ଏକ ଦିବ୍ୟଜ୍ୟୋତି ରୂପରେ ଆସି ତାଙ୍କ ହୃଦୟରେ ରହିଲେ । ତାହା ଜାଣି ଅତ୍ରିଙ୍କ ଆଖିରୁ ଆନନ୍ଦରେ ଲୁହଧାର ଝରି ପଡ଼ିଲା । ସେହି ଲୁହରୁ କେତେଗୁଡ଼ିଏ ଭ୍ରୂଣ ଜାତ ହେଲେ । ସେହି ଭ୍ରୂଣଗୁଡିକୁ ଏକାଠି କରି ବ୍ରହ୍ମା ଗୋଟିଏ ସୁନ୍ଦର ତରୁଣ ସୃଷ୍ଟି କଲେ । ସେହି ସୁନ୍ଦର ତରୁଣଟି ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଖୁବ୍ ଉଜ୍ଜ୍ୱଳ ହୋଇଥିଲା । ସେହି ତରୁଣ ହିଁ ଆମର ଚନ୍ଦ୍ର ଦେବତା ।

ଚନ୍ଦ୍ରଙ୍କର ସୃଷ୍ଟି ପରେ ବ୍ରହ୍ମା ତାଙ୍କୁ ନିଜ ରଥ ଉପରକୁ ନେଇଗଲେ । ତାହା ଦେଖି ବ୍ରହ୍ମର୍ଷିମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । କହିଲେ, ଏ ସୁନ୍ଦର ତରୁଣଟି ଆମର ଦେବତା ହୁଅନ୍ତୁ । ତା’ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତି କଲେ । ସେହି ସ୍ତୁତି ଫଳରେ ପୃଥିବୀରେ ଔଷଧିମାନ ବିକଶିତ ହେଲା । ତେଣୁ, ସେହିଦିନଠୁ ଚନ୍ଦ୍ରଙ୍କୁ କୁହାଗଲା ଔଷଧିମାନଙ୍କର ରାଜା । ତେବେ କେବଳ ଔଷଧିମାନଙ୍କର ରାଜା ନୁହେଁ, ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜାବୋଲି ମଧ୍ୟ କୁହାଯାଇଛି ।

ଚନ୍ଦ୍ର ତ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ । ପୁଣି ଔଷଧିମାନଙ୍କର ରାଜା ହେବାରୁ ତାଙ୍କର ଖ୍ୟାତି ଚାରିଆଡେ଼ ବ୍ୟାପିଗଲା । ଦକ୍ଷ ମଧ୍ୟ ତାଙ୍କର ଖ୍ୟାତି ଶୁଣିଲେ । ତାଙ୍କର ଥିଲେ ୨୭ଟି ସୁନ୍ଦରୀ କନ୍ୟା । ସେ ସମସ୍ତଙ୍କୁ ସେ ଚନ୍ଦ୍ରଙ୍କ ସହିତ ବିବାହ ଦେଲେ । ସେହି ୨୭ କନ୍ୟାଙ୍କର ନାମ ହେଉଛି- ଅନୁରାଧା,ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରୋଣା, ସ୍ରବିସ୍ଥା, ପ୍ରଚେତସ, ପୂର୍ବପ୍ରସ୍ଥପଦା, ଉତ୍ତରପ୍ରସ୍ଥପଦା, ରେବତୀ, ଅଶ୍ୱିନୀ, ଭରଣୀ, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଆଶ୍ଲେଷା, ଜନକମ୍, ପୂର୍ବା ଫାଲ୍‌ଗୁନୀ, ଉତ୍ତରା ଫାଲ୍‌ଗୁନୀ,

ହସ୍ତା, ଚିତ୍ରା, ସ୍ୱାତୀ ଓ ବିଶାଖା । ଦକ୍ଷଙ୍କର ସେହି ୨୭ କନ୍ୟା, ତାରାରୂପେ ଆକାଶରେ ଦେଖାଯାନ୍ତି । ସେମାନଙ୍କ ସହିତ ଚନ୍ଦ୍ର ମହାମେରୁ ପରିକ୍ରମା କରନ୍ତି । ଜ୍ୟୋତିର୍ବିଜ୍ଞାନ ମଧ୍ୟ ପୁରାଣର ଏହି କାହାଣୀକୁ ସମର୍ଥନ କରେ । ଜ୍ୟୋତିର୍ବିଜ୍ଞାନ ଅନୁସାରେ ଚନ୍ଦ୍ର ନିଜର ଗତି ପଥରେ ଏହି ୨୭ଟି ନକ୍ଷତ୍ରରେ ଅବସ୍ଥାନ କରିଥା'ନ୍ତି ।

ଚନ୍ଦ୍ର ଦେଖିବାକୁ ଖୁବ୍ ସୁନ୍ଦର । ହେଲେ ସେଥିପାଇଁ ବହୁକାଳ ଯାଏ ତାଙ୍କ ମନରେ ଗର୍ବ ନଥିଲା । ବରଂ ଧର୍ମକର୍ମରେ ତାଙ୍କର ମନ ଥିଲା । ଥରେ ସେ ବିଷ୍ଣୁଙ୍କୁ ତପସ୍ୟା କଲେ । ସେହି ତପସ୍ୟା ଦଶ ସହସ୍ର କଳ୍ପ ପର୍ଯ୍ୟନ୍ତ ଚାଲିଲା । ତାଙ୍କର ସେହି ନିଷ୍ଠାପର ତପସ୍ୟାରେ ବିଷ୍ଣୁ ପ୍ରୀତ ହୋଇ ବର ଯାଚିଲେ । ଚନ୍ଦ୍ର କହିଲେ, ଯେତେବେଳେ ମୁଁ ସ୍ୱର୍ଗରେ ଯଜ୍ଞ କରିବି, ସେତେବେଳେ ବ୍ରହ୍ମାଙ୍କ ସହିତ ସମସ୍ତ ଦେବତା ସେଠାରେ ଆସି ଉପସ୍ଥିତ ହେବେ ଏବଂ ଯଜ୍ଞଭାଗ ଗ୍ରହଣ କରିବେ ଓ ଶିବ ତ୍ରିଶୂଳ ଧରି ଯଜ୍ଞ ସ୍ଥଳକୁ ରକ୍ଷା କରିବେ । ମୋତେ ଏହି ବର ଦିଅନ୍ତୁ । ବିଷ୍ଣୁ ତାଙ୍କୁ ସେହି ବର ଦେଲେ ।

ବିଷ୍ଣୁଙ୍କଠାରୁ ବର ପାଇବା ପରେ ଚନ୍ଦ୍ର ଗୋଟିଏ ଯଜ୍ଞ କଲେ । ସେହି ଯଜ୍ଞରେ ଅତ୍ରି, ଭୃଗୁ, ବ୍ରହ୍ମା, ବିଷ୍ଣୁ, ଦେବତା, ବସୁ ଓ ମରୁତଗଣ ଅଂଶ ଗ୍ରହଣ କଲେ । ଶିବ ତ୍ରିଶୂଳ ଧରି ଯଜ୍ଞସ୍ଥଳ ରକ୍ଷା କଲେ । ଯେତେବେଳେ ସେହି ଯଜ୍ଞ ଶେଷ ହେଲା, ସେତେବେଳେ ଚନ୍ଦ୍ରଙ୍କ ରୂପ ଆହୁରି ଝଟକି ଉଠିଲା । ତାଙ୍କର ସେହି ରୂପ ଦେଖି ବିଷ୍ଣୁଙ୍କ ପତ୍ନୀ ଲକ୍ଷ୍ମୀ, କର୍ଦ୍ଦମଙ୍କ ପତ୍ନୀ ସିନୀବାଳୀ, ବିଭାବସୁଙ୍କ ପତ୍ନୀ ଦ୍ୟୁତି, ଧାତାଙ୍କ ପତ୍ନୀ ପୁଷ୍ଟି, ସୂର୍ଯ୍ୟଙ୍କ ପତ୍ନୀ ପ୍ରଭା, ହବିଷ୍ମାନଙ୍କ ପତ୍ନୀ କୁହୂ, ଜୟନ୍ତଙ୍କ ପତ୍ନୀ କୀର୍ତ୍ତି, କଶ୍ୟପଙ୍କ ପତ୍ନୀ ଅଂଶୁମାଳି ଓ ନନ୍ଦାଙ୍କ ପତ୍ନୀ ଧୃତି ମୁଗ୍ଧ ହେଲେ । ତାହା ଦେଖି ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଉଠିଲା । ସେ ଭାବିଲେ, ମୁଁ ସମସ୍ତଙ୍କ ଠାରୁ ସୁନ୍ଦର; ଏଣୁ ମୋ’ ମନ ଯାହା ଇଚ୍ଛା ତାହା କରିବି । ଏହା ଭାବି ଏହି ନବ ଦେବୀଙ୍କୁ ସେ ଖରାପ ବ୍ୟବହାର କରିବାରେ ଲାଗିଲେ ।

କେବଳ ଏତିକି ନୁହେଁ । ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କ ପତ୍ନୀ ତାରା ମଧ୍ୟ ଚନ୍ଦ୍ରଙ୍କ ସୁନ୍ଦର ରୂପରେ ମୁଗ୍ଧ ହେଲେ । ତାଙ୍କ ଦୁର୍ବଳତାର ସୁଯୋଗ ନେଇ ଚନ୍ଦ୍ର ତାଙ୍କୁ ମଧ୍ୟ ଖରାପ ବ୍ୟବହାର କଲେ । ଗୁରୁ ହେଉଛନ୍ତି ପିତା ସମାନ ଓ ଗୁରୁପତ୍ନୀ ମାତା ସମାନ । ମାତ୍ର ଚନ୍ଦ୍ର ତାଙ୍କୁ ନିଜ ସ୍ତ୍ରୀଙ୍କ ଭିତରୁ ଜଣେ ପରି ଦେଖିଲେ । ଚନ୍ଦ୍ରଙ୍କର ସେହି ପାପକର୍ମରେ ତିନିଲୋକର ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ । ସେହି ପାପକର୍ମ ଫଳରୁ ଚନ୍ଦ୍ରଙ୍କର ଦେବତ୍ୱ ମଧ୍ୟ ହ୍ରାସ ପାଇଲା । ଅସୁରଟିଏ ଯେପରି, ଚନ୍ଦ୍ର ମଧ୍ୟ ସେପରି ହୋଇଗଲେ । ଫଳରେ ଅସୁରମାନଙ୍କ ଗୁରୁ ଶୁକ୍ର ଆସି ଚନ୍ଦ୍ରଙ୍କ ସହିତ ବନ୍ଧୁତା କଲେ । କହିଲେ, କିଛି ଭୟ କର ନାହିଁ । ଆମ ଅସୁରଙ୍କ ସାଙ୍ଗେ ମିଶି ରୁହ । ଦେବତାମାନେ ତୁମର କିଛି ଅନିଷ୍ଟ କରିାରିବେ ନାହିଁ ।

ଚନ୍ଦ୍ରଙ୍କର ଏପରି ହାବଭାବରେ ଦେବତାମାନେ କ୍ଷୁବ୍ଧ ହେଲେ । ଯାଇ ଇନ୍ଦ୍ରଙ୍କ ଆଗରେ ଅଭିଯୋଗ କଲେ । ବୃହସ୍ପତି ମଧ୍ୟ ଯାଇ ଇନ୍ଦ୍ରଙ୍କ ଆଗରେ ଅଭିଯୋଗ କଲେ । ଫଳରେ ଚନ୍ଦ୍ରଙ୍କ ବିରୁଦ୍ଧରେ ଦେବରାଜ ଇନ୍ଦ୍ର ଯୁଦ୍ଧ ଘୋଷଣା କଲେ । ଇନ୍ଦ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ସେ ଯୁଦ୍ଧ ପ୍ରକୃତରେ ଦେଖିଲେ ଇନ୍ଦ୍ର-ଚନ୍ଦ୍ର ଯୁଦ୍ଧ ନଥିଲା । ସେ ଯୁଦ୍ଧ ପ୍ରକୃତରେ ଥିଲା ଅସୁର ଓ ଦେବତାମାନଙ୍କର ଯୁଦ୍ଧ । ଶେଷରେ ବ୍ରହ୍ମା ଚନ୍ଦ୍ରଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିବାରୁ ଯୁଦ୍ଧ ବନ୍ଦ ହେଲା । ଚନ୍ଦ୍ର ବାଧ୍ୟ ହୋଇ ବୃହସ୍ପତିଙ୍କ ପତ୍ନୀ ତାରାଙ୍କୁ ଫେରାଇ ଦେଲେ । ମାତ୍ର ଦେବତା ଭାବରେ ଚନ୍ଦ୍ରଙ୍କର ପୂର୍ବ ମହତ୍ତ୍ୱ ଆଉ ରହିଲା ନାହିଁ ।

ଚନ୍ଦ୍ରଙ୍କ କଳାର ହ୍ରାସବୃଦ୍ଧି କଥା ଆମେ ଜାଣୁ । ଶୁକ୍ଳପକ୍ଷରେ ଚନ୍ଦ୍ର ବଢ଼ନ୍ତି ଓ କୃଷ୍ଣ ପକ୍ଷରେ ଛିଡ଼ନ୍ତି । ବିଜ୍ଞାନ ଅବଶ୍ୟ ଭିନ୍ନ କାହାଣୀ କହେ, ମାତ୍ର ଚନ୍ଦ୍ରଙ୍କ କଳାରେ ହ୍ରାସ ଓ ବୃଦ୍ଧି କାହିଁକି ହୁଏ, ସେ ସଂପର୍କରେ ପୁରାଣରେ ଭିନ୍ନ କାହାଣୀ ଅଛି । ସେହି କାହାଣୀ ହେଉଛି, ଦକ୍ଷଙ୍କର ୨୭ କନ୍ୟାଙ୍କୁ ବିବାହ କଲେ ମଧ୍ୟ, ଚନ୍ଦ୍ର ରୋହିଣୀଙ୍କୁ ସବୁଠୁ ବେଶି ଭଲ ପାଉଥିଲେ । ତାଙ୍କୁ ସାଙ୍ଗରେ ଧରି ବେଶି ବୁଲାଚଲା କରୁଥିଲେ । ଫଳରେ ତାଙ୍କର ଅନ୍ୟ ଛବିଶ ସ୍ତ୍ରୀଙ୍କର ମନ ଦୁଃଖ ହେଉଥିଲା ।

ଦିନ ପରେ ଦିନ ଗଡ଼ି ଚାଲିଲା । ମାତ୍ର ଚନ୍ଦ୍ରଙ୍କର ସ୍ୱଭାବ ବଦଳିଲା ନାହିଁ । ତେଣୁ ଅନ୍ୟ ଛବିଶ ସ୍ତ୍ରୀ ଯାଇ ତାଙ୍କ ପିତା ଦକ୍ଷଙ୍କ ଆଗରେ ସେକଥା କହିଲେ । ଦକ୍ଷ ତାଙ୍କର ଜ୍ୱାଇଁ ଚନ୍ଦ୍ରଙ୍କୁ ଡାକି କହିଲେ, ସ୍ୱାମୀ ଭାବରେ ତୁମେ ସବୁ ସ୍ତ୍ରୀଙ୍କୁ ସମାନ ଦୃଷ୍ଟିରେ ଦେଖିବା କଥା । ମାତ୍ର ତୁମେ ତାହା କରୁନାହଁ । ଫଳରେ ମୋର ବାକି ଛବିଶ କନ୍ୟାଙ୍କ ମନ ଦୁଃଖ ହେଉଛି । ମାତ୍ର ଶ୍ୱଶୁରଙ୍କ କଥାକୁ ଚନ୍ଦ୍ର କାନ ଦେଲେ ନାହିଁ । ପୂର୍ବପରି ରୋହିଣୀଙ୍କ ସହିତ ଅଧିକ ସମୟ କଟାଇଲେ । ଫଳରେ ରୋହିଣୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯାଇ ପୁଣି ଥରେ ଦକ୍ଷଙ୍କ ଆଗରେ ଅଭିଯୋଗ କଲେ । ସମସ୍ତଙ୍କୁ ସମାନ ଭାବରେ ଦେଖିବାକୁ ଦକ୍ଷ ପୁଣି ଥରେ ଚନ୍ଦ୍ରଙ୍କୁ କହିଲେ । ମାତ୍ର ଚନ୍ଦ୍ର ଏଥର ମଧ୍ୟ ଶୁଣିଲେ ନାହିଁ । ତୃତୀୟ ଥର ମଧ୍ୟ ସେଇ ଏକା କଥା ହେଲା । ଫଳରେ ଦକ୍ଷ ରାଗିଗଲେ । ରାଗିଯାଇ ଚନ୍ଦ୍ରଙ୍କୁ ଅଭିଶାପ ଦେଲେ ଯେ, ତାଙ୍କୁ କ୍ଷୟ ରୋଗ ହେଉ ।

ଦକ୍ଷଙ୍କ ଅଭିଶାପ ଫଳରେ ଚନ୍ଦ୍ରଙ୍କୁ କ୍ଷୟରୋଧ ଧରିଲା । ଦିନକୁ ଦିନ ସେ କ୍ଷୟ ହୋଇ ହୋଇ ଚାଲିଲେ । ଚନ୍ଦ୍ରଙ୍କର ପ୍ରଭା ଦିନକୁ ଦିନ କମିବାରୁ ପୃଥିବୀରୁ ଔଷଧୀୟ ବୃକ୍ଷଲତାସବୁ ମରିଯିବାକୁ ବସିଲେ । ଚାରିଆଡ଼େ ହାହାକାର ପଡ଼ିଗଲା । ତେଣୁ ଦେବତାମାନେ ଯାଇ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ଏପରି ହେବାର କାରଣ ପଚାରିଲେ । ଚନ୍ଦ୍ର ସେମାନଙ୍କୁ ପ୍ରକୃତ କଥା କହିଲେ । ତାହା ଶୁଣି ଦେବତାମାନେ ଦୁଃଖିତ ହେଲେ । ଏକାଠି ହୋଇ ଯାଇ ଅଭିଶାପ

ଫେରାଇ ନେବାପାଇଁ ଦକ୍ଷଙ୍କୁ ଅନୁରୋଧ କଲେ । କିନ୍ତୁ ଅଭିଶାପକୁ ତ ଆଉ ଫେରାଇ ନେଇ ହେବ ନାହିଁ । କିନ୍ତୁ ପ୍ରାୟଶ୍ଚିତ୍ତ ଓ ଅନୁତାପ ଦ୍ୱାରା ତାହାର ପ୍ରକୋପକୁ ଲାଘବ କରିହେବ । ତେଣୁ ଦକ୍ଷ କହିଲେ, ଚନ୍ଦ୍ର ଯାଇ ସରସ୍ୱତୀ ତୀର୍ଥରେ ସ୍ନାନ କରନ୍ତୁ । ତାଙ୍କ କଥା ମାନି ଚନ୍ଦ୍ର ଯାଇ ସରସ୍ୱତୀ ତୀର୍ଥରେ ସ୍ନାନ କଲେ । ଫଳରେ ଅଧାଦିନ ସେ କ୍ଷୟରୋଗରୁ ମୁକ୍ତ ହେଲେ । ତେଣୁ ଚନ୍ଦ୍ରଙ୍କର ଅଧାଦିନ ବୃଦ୍ଧି ଓ ଅଧାଦିନ କ୍ଷୟ ହୁଏ ।

ପୁରାଣରେ ଚନ୍ଦ୍ରଙ୍କ ସମ୍ପର୍କରେ ଆହୁରି ବହୁ କଥା ଲେଖା ଅଛି । ଭୀଷ୍ମ ପର୍ବରେ ଥିବା ଉଲ୍ଲେଖ ଅନୁଯାୟୀ ଚନ୍ଦ୍ରଙ୍କର ଆକାର ଏଗାର ହଜାର ବର୍ଗ ଯୋଜନ । ପରିଧି ତେତିଶ ହଜାର ଯୋଜନ । ପାଞ୍ଚ ହଜାର ନଅଶହ ଯୋଜନର ଘନ ପଦାର୍ଥରେ ତାଙ୍କ ଦେହ ତିଆରି । ସେ ଅଷ୍ଟବସୁଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ବର୍ଚ୍ଚସ, ଶିଶିର, ପ୍ରାଣ ଓ ରମଣ ନାମରେ ଚାରି ପୁତ୍ର । ବର୍ଚ୍ଚସ ଦ୍ୱାପର ଯୁଗରେ ଅର୍ଜ୍ଜୁନଙ୍କ ପୁତ୍ର ଅଭିମନ୍ୟୁ ରୂପରେ ଜନ୍ମଗ୍ରହଣ କରିଥିଲେ ।

ଚନ୍ଦ୍ରଙ୍କ ସମ୍ପର୍କରେ ବିଭିନ୍ନ ପୁରାଣରେ ବହୁ କାହାଣୀ ବର୍ଣ୍ଣିତ ହୋଇଛି । ଏପରି ଗୋଟିଏ କାହାଣୀ ହେଉଛି- ଚନ୍ଦ୍ର ଥରେ ଗଣେଶଙ୍କ ବିଚିତ୍ର ରୂପ ଦେଖି ପରିହାସ କରିବାରୁ ଗଣେଶ ରାଗିଯାଇ ତାଙ୍କର ଗୋଟିଏ ଦାନ୍ତକୁ ଭାଙ୍ଗି ଚନ୍ଦ୍ରଙ୍କ ଉପରକୁ ଫୋପାଡ଼ିଲେ । ଫଳରେ ଚନ୍ଦ୍ରଙ୍କର ଦେହ କ୍ଷତବିକ୍ଷତ ହୋଇଗଲା । ତାହାରି ଦାଗ ଏବେ ଚନ୍ଦ୍ରଙ୍କ ଦେହରେ ଅଛି ।

ତେବେ ଚନ୍ଦ୍ରଙ୍କର କେତେକ ଭଲଗୁଣର ବର୍ଣ୍ଣନା ମଧ୍ୟ ପୁରାଣରେ ରହିଛି । ରାଜା ପୃଥୁ ଥରେ ଭୂମିଦେବୀଙ୍କୁ ଗାଈଟିଏରେ ପରିଣତ କରିଦେଇଥିଲେ । ସେତେବେଳେ ବ୍ରହ୍ମା ତାଙ୍କର ବାଛୁରୀ ହୋଇଥିଲେ । ପରେ ଚନ୍ଦ୍ର ମଧ୍ୟ ଥରେ ବାଛୁରୀ ହୋଇଥିଲେ । ତେଣୁ ସନ୍ତୁଷ୍ଟ ହୋଇ ବ୍ରହ୍ମା ତାଙ୍କୁ ନକ୍ଷତ୍ର ଓ ଔଷଧିମାନଙ୍କର ରାଜା କରିଥିଲେ । ଚନ୍ଦ୍ରଙ୍କ କିରଣ ପ୍ରଭାବରେ ଔଷଧୀୟ ବୃକ୍ଷମାନଙ୍କର ଔଷଧି ଗୁଣ ବୃଦ୍ଧିପାଏ ବୋଲି ମଧ୍ୟ ଉଦ୍ଭିଦ ବିଜ୍ଞାନୀ କହନ୍ତି । ଏଣୁ କାବ୍ୟମାନଙ୍କରେ ଚନ୍ଦ୍ରଙ୍କୁ 'ଔଷଧୀଶ' ବୋଲି କୁହାଯାଇଛି କାବ୍ୟନାୟିକାମାନଙ୍କର ମୁଖକୁ ଚନ୍ଦ୍ରଙ୍କ ସହ ତୁଳନାକରି 'ଔଷଧୀଶାନନା' ବୋଲି ମଧ୍ୟ କୁହାଯାଇଛି ।

ଚନ୍ଦ୍ରଙ୍କ ସଂପର୍କିତ ଅନ୍ୟ ଏକ କାହାଣୀ ଅଛି ଅମୃତକୁ ନେଇ । ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ବାହାରିଥିଲା, ମାୟାବୀ ନାମକ ଏକ ଅସୁର ଛଦ୍ମବେଶ ଧରି ତାହା ଖାଇ ଅମର ହେବାକୁ ଚେଷ୍ଟା କଲାବେଳେ ସୂର୍ଯ୍ୟ ଓ ଚନ୍ଦ୍ର ତାହାକୁ ଚିହ୍ନାଇ ଦେଇଥିଲେ । ପରେ ବେକ ପାଖରୁ ଦୁଇଗଡ଼ ହୋଇ ସେହି ଅସୁର ହୋଇଥିଲା ରାହୁ ଓ କେତୁ ନାମରେ ଦୁଇଟି ଅସୁର । କିନ୍ତୁ ଅମୃତ ଖାଇ ଥିବାରୁ ଦୁହେଁ ଅମର ରହିଲେ । ଏଣୁ ପ୍ରତିଶୋଧ ନେବାକୁ ସେ ଦୁହେଁ ବେଳେବେଳେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଗିଳି ପକାନ୍ତି ।

ଏହାକୁ ନେଇ ଆହୁରି ଗୋଟିଏ ମଜାଦାର କାହାଣୀ ମଧ୍ୟ ଆମ ପୁରାଣରେ ଅଛି । ସେହି କାହାଣୀ ଅନୁସାରେ, ମାୟାବୀ ଅସୁର ଅମୃତ ଖାଇବା ବେଳେ ବେକ ପାଖରୁ ତାକୁ କାଟି ଗଣ୍ଡି, ମୁଣ୍ଡ ଅଲଗା କରିଦିଆଯାଇଥିଲା । ସେତେବେଳକୁ ଅମୃତ ତା'ର ଗଳା ପାଖରେ ରହିଥିଲା । ବେକ କାଟି ଦିଆଯିବାରୁ ବେକ ପାଖରୁ ଉଭୟ ରକ୍ତ ଓ ଅମୃତ ଝରି ତଳେ ପଡ଼ିଲା । ସେହି ରକ୍ତରୁ ନାଲି ପିଆଜ ଏବଂ ଅମୃତରୁ ଧଳା ପିଆଜ ସୃଷ୍ଟି ହେଲା । ଏଣୁ ନାଲି ପିଆଜକୁ ଅନେକ ଆମିଷ ଭାବି ଖାଉ ନଥିବା ବେଳେ ଧଳା ପିଆଜ ଖାଇବାକୁ କୁଣ୍ଠା ବୋଧ କରନ୍ତି ନାହିଁ ।

ଚନ୍ଦ୍ରଙ୍କ ସଂପର୍କରେ ଥିବା ଅନ୍ୟ କେତୋଟି କାହାଣୀ ହେଉଛି, ଚନ୍ଦ୍ର କାର୍ତ୍ତିକଙ୍କୁ ମଣି ଓ ସୁମତି ନାମରେ ଦୁଇଜଣ ପରିଚାରକଙ୍କୁ ଉପହାର ଦେଇଥିଲେ । ଥରେ ସମ୍ବରାସୁରକୁ ସେ ବ୍ରାହ୍ମଣମାନଙ୍କର ସଦ୍‌ଗୁଣ ସମ୍ପର୍କରେ କହିଥିଲେ । ଚନ୍ଦ୍ରଙ୍କର ଏହିସବୁ ସଦ୍‌ଗୁଣ, ତାଙ୍କର ରୂପଗର୍ବ ଓ ଅସତ୍ କାର୍ଯ୍ୟ ତୁଳନାରେ ଟିକିଏ ଅଧିକ ।

ତଥାପି, ଯେତିକି ସଦ୍‌ଗୁଣ ଅଛି ସେତିକି ଯୋଗୁଁ ଚନ୍ଦ୍ରଙ୍କର ଯାହାକିଛି ସମ୍ମାନ ରହିଛି । ବିଷ୍ଣୁଙ୍କ ଠାରୁ ବର ପାଇ, ଶିବଙ୍କୁ ସେ ନିଜ ଯଜ୍ଞ ସ୍ଥଳରେ ଜଗୁଆଳି କରିବାକୁ କୁଣ୍ଠାବୋଧ କରି ନଥିଲେ । ମାତ୍ର ତାହା ସତ୍ତ୍ୱେ, ଶିବ ଚନ୍ଦ୍ରଙ୍କୁ ନିଜ ମସ୍ତକରେ ଧାରଣ କରିଥାନ୍ତି ।

ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ଅଷ୍ଟବସୁର ଅନ୍ତର୍ଭୁକ୍ତ କରାଯାଇଛି । ସେଠାରେ ତାଙ୍କର ନାମ 'ସୋମ' । ଅନ୍ୟ ସାତବସୁ ହେଉଛନ୍ତି- ଅଖ, ଧର, ଧ୍ରୁବ, ଅନିଳ, ପ୍ରତ୍ୟୁଷ ଓ ପ୍ରଭାସ । ସୋମ କହିଲେ ଶିବଙ୍କୁ ମଧ୍ୟ ବୁଝାଏ । ଶିବ ତାଙ୍କ ମସ୍ତକରେ ଚନ୍ଦ୍ରଙ୍କୁ ଧାରଣ କରିଥିବାରୁ ସୋମବାରକୁ ଶିବ ଓ ଚନ୍ଦ୍ର ଉଭୟଙ୍କ ବାର ଭାବରେ ଗ୍ରହଣ କରାଯାଏ । ସାଧାରଣତଃ ଚନ୍ଦ୍ରଙ୍କର ସ୍ତୁତି କରାଯାଇ କୁହାଯାଏ-

ଯେଉଁ ଚନ୍ଦ୍ରଙ୍କ ରୂପ ଦିବ୍ୟ ଶଙ୍ଖ ବା ତୁଷାର ପରି ଶୁଭ୍ର, ଯେଉଁ ଚନ୍ଦ୍ର ଶିବଙ୍କର ମସ୍ତକରେ ଶୋଭାପାଆନ୍ତି, ଯେଉଁ ଚନ୍ଦ୍ର ଦଶାଶ୍ୱ ବାହନ, ସେହି ଚନ୍ଦ୍ରଙ୍କର ସ୍ତୋତ୍ର ଶ୍ରଦ୍ଧାରେ ପାଠ କଲେ ଶତ୍ରୁ କ୍ଷୟ ହୁଅନ୍ତି ଓ ଆତ୍ମା ବିକଶିତ ହୁଏ ।

ଚନ୍ଦ୍ରଙ୍କର ଗୋଟିଏ ଧ୍ୟାନଶ୍ଳୋକରେ ମଧ୍ୟ ତାଙ୍କୁ ନକ୍ଷତ୍ରପତି ବା ନକ୍ଷତ୍ରଗଣଙ୍କର ରାଜା ବୋଲି କୁହାଯାଇଛି-

ସର୍ବନକ୍ଷତ ମଧ୍ୟେ ତୁ ସୋମୋ ରାଜା ପ୍ରକୀର୍ତ୍ତିତଃ
ତସ୍ମୈ ସୋମାୟ ଦେବାୟ ନକ୍ଷତ୍ରପତୟେ ନମଃ ।

Aama Debadebi.pdf
କାମଧେନୁ

ଦେବଦେବୀମାନଙ୍କ ପରି ପୂଜା ପାଉ ନଥିଲେ ମଧ୍ୟ ଦେବଗୁଣ ଓ ଦେବଶକ୍ତିସଂପନ୍ନ ହୋଇଥିବାରୁ କାମଧେନୁଙ୍କୁ ଦେବୀ ରୂପେ ଗ୍ରହଣ କରାଯାଏ । ସୁରଭି, ନନ୍ଦିନୀ, କାମଧେନୁ ଆଦି ନାମରେ ମଧ୍ୟ ସେ ପରିଚିତା । ସେ ଗୋ' ଜାତି ବା ଗୋରୁବଂଶର ମାତା । ଋଷି, ମୁନି ଓ ଦେବତାମାନଙ୍କର ଯେତେବେଳେ ଦୁଗ୍‌ଧ ଆବଶ୍ୟକ ହୁଏ, ସେ ତାହା ଦେଇ ଥାଆନ୍ତି ।

ତା'ଛଡ଼ା ଯେତେବେଳେ ଯାହା ଚାହିଁଲେ ବି ତତ୍‌କ୍ଷଣାତ୍ ସେ ତାହା ଦେଇପାରନ୍ତି । ସେ ବ୍ରହ୍ମାଙ୍କ ଆଶୀର୍ବାଦରୁ ସେପରି ଗୁଣ ଓ ଶକ୍ତିର ଅଧିକାରିଣୀ ହୋଇଛନ୍ତି ।

ସୁରଭି, ନନ୍ଦିନୀ ଓ କାମଧେନୁ- ତିନିଟି ଅଲଗା ଅଲଗା ନାଆଁ ହୋଇଥିବାରୁ ଧାରଣା ହୁଏ ଯେ ଏ ତିନିହେଁ ଅଲଗା । ମାତ୍ର ପୁରାଣମାନଙ୍କରେ ଥିବା ଲେଖା ଅନୁସାରେ ଅନେକ କାମଧେନୁ ଥିଲେ । ସେମାନେ ସମସ୍ତେ ମୂଳ କାମଧେନୁଙ୍କର ବିଭିନ୍ନ ରୂପ । ତେଣୁ ମୂଳତଃ ସୁରଭି, ନନ୍ଦିନୀ ଓ କାମଧନୁ ଏକ । ଭାସ ଭାରତରେ ଏ ସମ୍ପର୍କରେ ସ୍ପଷ୍ଟ ବର୍ଣ୍ଣନା ଅଛି ।

ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ କାମଧେନୁ କଶ୍ୟପଙ୍କର କନ୍ୟା । ବାଲ୍ମୀକୀ ରାମାୟଣର ଅରଣ୍ୟକାଣ୍ଡରେ ବର୍ଣ୍ଣନା ଅଛି ଯେ କଶ୍ୟପ ହେଉଛନ୍ତି ମରୀଚିଙ୍କ ପୁତ୍ର ତଥା ବ୍ରହ୍ମାଙ୍କ ନାତି । ସେ ଦକ୍ଷପ୍ରଜାପତିଙ୍କ କନ୍ୟା ଅଦିତି, ଦିତି, ଦନୁ, କାଳିକା, ତାମ୍ରା, କ୍ରୋଧବଶା, ମନୁ ଓ ଅନନ୍ଦା ପ୍ରଭୃତିଙ୍କୁ ବିବାହ କରିଥିଲେ । କାମଧେନୁ କଶ୍ୟପଙ୍କ ପତ୍ନୀ କ୍ରୋଧବଶାଙ୍କ ଠାରୁ ଜାତ ହୋଇଥିଲେ । ଏହି କାମଧେନୁଙ୍କ ନାମ ସୁରଭି । ସେଥିରେ ଆହୁରି ମଧ୍ୟ ଲେଖା ଅଛି ଯେ ସୁରଭିଙ୍କ ଠାରୁ ରୋହିଣୀ ଓ ଗାନ୍ଧର୍ବୀ ନାମରେ ଦୁଇ କନ୍ୟା ଜାତ ହୋଇଥିଲେ । ରୋହିଣୀଙ୍କ ଠାରୁ ଗାଭୀ ଓ ଗାନ୍ଧର୍ବୀଙ୍କ ଠାରୁ ଅଶ୍ୱ ବଂଶର ଉତ୍ପତ୍ତି ହୋଇଥିଲା ।

କିନ୍ତୁ କଶ୍ୟପ ଓ କ୍ରୋଧବଶାଙ୍କ ଠାରୁ ଜାତ ହେବାବେଳେ କାମଧେନୁ ଦିବ୍ୟଶକ୍ତିର ଅଧିକାରିଣୀ ହୋଇ ନଥିଲେ । ପରେ ବ୍ରହ୍ମାଙ୍କ ଆଶୀର୍ବାଦରୁ ସେ ଦିବ୍ୟଶକ୍ତି ଲାଭ କରିଥିଲେ । କାମଧେନୁ କିପରି ଦିବ୍ୟଶକ୍ତିର ଅଧିକାରିଣୀ ହେଲେ ସେ ସମ୍ପର୍କରେ ଗୋଟିଏ କାହାଣୀ ପୁରାଣମାନଙ୍କରେ ଅଛି ।

ଏକଦା କଶ୍ୟପଙ୍କ ପତ୍ନୀ ଅଦିତି ମହାବିଷ୍ଣୁଙ୍କୁ ନିଜ ଗର୍ଭରେ ପୁତ୍ର ରୂପେ ଧାରଣ କରିଥିଲେ । ସେଥିାଇଁ ଗୋଟିଏ ପାଦରେ ଠିଆ ହୋଇ ସେ ଘୋର ତପସ୍ୟା କରିଥିଲେ । ସେତେବେଳେ ସୁରଭି କୈଳାସକୁ ଯାଇ ବ୍ରହ୍ମାଙ୍କୁ ଦଶ ସହସ୍ର ବର୍ଷ ଧରି ପୂଜା କରିଥିଲେ । ସୁରଭିଙ୍କର ପୂଜା ଅର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ଦେବତାମାନେ ବ୍ରହ୍ମାଙ୍କ ସହିତ ଆସି ସୁରଭି ନିକଟରେ ଉପସ୍ଥିତ ହୋଇଥିଲେ । ବ୍ରହ୍ମା କହିଥିଲେ, ସୁରଭି, ତୁମର ଏକନିଷ୍ଠ ପୂଜା ଓ ତପସ୍ୟାରେ ମୁଁ ସନ୍ତୁଷ୍ଟ । କେବଳ ମୁଁ କାହିଁକି, ଅନ୍ୟ ଦେବତାମାନେ ମଧ୍ୟ ସନ୍ତୁଷ୍ଟ । ଏଣୁ ମୁଁ ତୁମକୁ ଆର୍ଶୀବାଦ କରୁଛି, ଆଜିଠାରୁ ତୁମେ ଦେବୀ ରୂପେ ପୂଜା ପାଇବ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ- ତିନିଲୋକର ଊର୍ଦ୍ଧ୍ୱରେ, ଗୋଲୋକରେ ତୁମର ନିବାସ ହେବ । ତୁମକୁ ସମସ୍ତେ ପୂଜା କରିବେ । ତୁମଠାରୁ ଜାତ ଗାଭୀମାନେ ମଧ୍ୟ ଗୋମାତା ରୂପେ ପୂଜା ପାଇବେ ।

ବ୍ରହ୍ମାଙ୍କର ସେହି ବର ଫଳରେ ସେହିଦିନଠାରୁ ସୁରଭି ଅଲୌକିକ ଦିବ୍ୟଶକ୍ତିର ଅଧିକାରିଣୀ ହେଲେ । ଯେ କୌଣସି କାମନା ସେ ପୂରଣ କରି ପାରିଲେ । ତେଣୁ ସେ କାମଧେନୁ ରୂପେ ଖ୍ୟାତ ହେଲେ ।

ପୁରାଣମାନଙ୍କରେ ଅନେକ କାମଧେନୁଙ୍କର ଉଲ୍ଲେଖ ଅଛି । ବଶିଷ୍ଠ ଋଷିଙ୍କ ଆଶ୍ରମରେ ଗୋଟିଏ କାମଧେନୁ ଥିଲେ । ବରୁଣଙ୍କ ଯଜ୍ଞରେ ମଧ୍ୟ ଆଉ ଏକ କାମଧେନୁ ଥିବା ବିଷୟ ଲେଖା ଯାଇଛି । ଏଣୁ କାମଧେନୁ ଯେ ଗୋଟିଏ ଥିଲେ ଏବଂ ଯାହାଙ୍କର ଦରକାର ସେ ତାଙ୍କୁ ନେଉଥିଲେ, ଏହା ବିଶ୍ୱାସଯୋଗ୍ୟ ନୁହେଁ । ତେଣୁ ଅନେକେ ବିଶ୍ୱାସ କରନ୍ତି ଯେ କାମଧେନୁ ପରିବାରରେ ଅନେକ କାମଧେନୁ ଥିଲେ । ସେମାନେ ବିଭିନ୍ନ ଦେବତା ବା ବିଶିଷ୍ଟ ଋଷିମାନଙ୍କ ନିକଟରେ ରହିଥିଲେ । ମାତ୍ର ଆହୁରି ଅନେକେ ବିଶ୍ୱାସ କରନ୍ତି ଯେ କାମଧେନୁ ଗୋଟିଏ; କିନ୍ତୁ ବ୍ରହ୍ମାଙ୍କଠାରୁ ପାଇଥିବା ଦିବ୍ୟଶକ୍ତି ବଳରେ ସେ ବହୁ ରୂପରେ ବିଭିନ୍ନ ସ୍ଥାନରେ ରହିଥିଲେ ।

ପୁରାଣମାନଙ୍କରେ କାମଧେନୁଙ୍କ ବିଷୟରେ ଆହୁରି ଅନେକ କଥା ଲେଖା ଅଛି । କେବଳ କଶ୍ୟପଙ୍କ କନ୍ୟା ରୂପେ କାମଧେନୁ ସୃଷ୍ଟି ହୋଇ ନଥିଲେ । ମହାଭାରତ ଆଦିପର୍ବରେ ଥିବା ଲେଖା ଅନୁସାରେ ଯେତେବେଳେ ଦେବତା ଓ ଅସୁରମାନେ ମିଶି କ୍ଷୀରସମୁଦ୍ର ମନ୍ଥନ କଲେ, ସେତେବେଳେ ସେଥିରୁ କାମଧେନୁଙ୍କର ଉଦ୍ଭବ ହୋଇଥିଲା । ଭାସ ଭାରତର ଉଦ୍ୟୋଗ ପର୍ବରେ ଆଉ ଏକ କାମଧେନୁଙ୍କର ଉଲ୍ଲେଖ ଅଛି । ସେହି କାହାଣୀଟି ଖୁବ୍ ମଜାଦାର । ସେଥିରେ ଲେଖା ଅଛି, ଥରେ ବ୍ରହ୍ମା ଲୋଭରେ ପଡ଼ି ଏତେ ଅମୃତ ପିଇଦେଲେ ଯେ ଶେଷରେ ତାଙ୍କର ବାନ୍ତି ହୋଇଗଲା । ସେହି ଅମୃତ ବାନ୍ତି ଭିତରୁ କାମଧେନୁ ସୃଷ୍ଟି ହେଲେ । କାମଧେନୁ ରସାତଳରେ ରହନ୍ତି ବୋଲି ମଧ୍ୟ ସେଥିରେ ଲେଖା ଅଛି । ଆହୁରି ଲେଖାଅଛି ଯେ ରସାତଳରେ ରହିଥିବା କାମଧେନୁଙ୍କ ଚାରି ପାଖରେ ଆହୁରି ଚାରିଟି କାମଧେନୁ ରହିଛନ୍ତି । ତାଙ୍କର ପୂର୍ବରେ ରହିଥିବା କାମଧେନୁଙ୍କର ନାମ ସୌରଭୀ, ଦକ୍ଷିଣରେ ରହିଥିବା କାମଧେନୁଙ୍କର ନାମ ହଂସିକା, ପଶ୍ଚିମରେ ରହିଥିବା କାମଧେନୁଙ୍କର ନାମ ସୁଭଦ୍ରା ଓ ଉତ୍ତରରେ ରହିଥିବା କାମଧେନୁଙ୍କର ନାମ ଧେନୁ ।

କାମଧେନୁଙ୍କ ସଂପର୍କରେ ପୁରାଣରେ ଆହୁରି ଏକ ମଜାଦାର କାହାଣୀ ରହିଛି । ସେଥିରେ ଲେଖା ଅଛି ଯେ ଗୋଟିଏ କାମଧେନୁଙ୍କର କ୍ଷୀରରୁ କ୍ଷୀରସାଗରର ସୃଷ୍ଟି ହୋଇଥିଲା । ସେହି କାହାଣୀରେ କୁହାଯାଇଛି, ଥରେ ରାଧାକୃଷ୍ଣ କୁଞ୍ଜବନରେ ଖେଳୁଥିଲେ । ବହୁ ସମୟ ଖେଳିବା ପରେ କ୍ଲାନ୍ତ ହୋଇପଡ଼ିବାରୁ ଦୁହେଁ କ୍ଷୀର ପିଇବାକୁ ଚାହିଁଲେ । ଫଳରେ ଶ୍ରୀକୃଷ୍ଣଙ୍କର ଇଚ୍ଛାଶକ୍ତି ବଳରେ ତାଙ୍କର ବାମ ଅଙ୍ଗରୁ ସୁରଭି ନାମରେ ଗୋଟିଏ ଧେନୁ ଓ

ମନୋରଥ ନାମରେ ଗୋଟିଏ ବତ୍ସା ଜାତ ହେଲେ । ଶ୍ରୀଦାମନ ସେହି ଧେନୁଙ୍କଠାରୁ କ୍ଷୀର ଦୁହିଁଲେ । ମାଟି ପାତ୍ରରେ ସେହି କ୍ଷୀରକୁ ଧରି ଶ୍ରୀକୃଷ୍ଣ ପିଇବା ବେଳେ ତାଙ୍କ ହାତରୁ ପାତ୍ରଟି ଖସିପଡ଼ି କ୍ଷୀରତକ ଢାଳିଗଲା । ସେହି କ୍ଷୀର ଭୂମିରେ ପଡ଼ି ଶହେ ଯୋଜନ ବ୍ୟାପି ଏକ ସମୁଦ୍ର ସୃଷ୍ଟି ହେଲା । ସେହି ସମୁଦ୍ର ହେଉଛି କ୍ଷୀର ସମୁଦ୍ର । ରାଧା ଓ ତାଙ୍କର ସହଚରୀମାନେ ସେଥିରେ ସ୍ନାନ ଓ ଜଳକେଳି କରିଥିଲେ ।

କେବଳ ଏତିକିରେ ପୁରାଣର ଏହି ଉପାଖ୍ୟାନଟିର ଶେଷ ନୁହେଁ । ସେଥରେ ଆହୁରି ମଧ୍ୟ ବର୍ଣ୍ଣନା ଅଛି ଯେ ସୁରଭିଙ୍କ ଅଂଶରୁ ଅନେକ ଗାଭୀ ସୃଷ୍ଟି ହୋଇଥିଲେ । ସେମାନଙ୍କୁ ଶ୍ରୀକୃଷ୍ଣ ଗୋପବାସୀଙ୍କୁ ଉପହାର ରୂପେ ଦେଇଥିଲେ ।

ଏହିରି ବିଭିନ୍ନ ପୁରାଣରେ ବିଭିନ୍ନ କାମଧେନୁଙ୍କର ବର୍ଣ୍ଣନା ଅଛି । ମାତ୍ର ଗୋଟିଏ କାମଧେନୁ ହିଁ ବ୍ରହ୍ମାଙ୍କ ବର ପାଇ ଅଲୌକିକ ଶକ୍ତିର ଅଧିକାରିଣୀ ହୋଇଥିଲେ । ତେଣୁ ସବୁ କାମଧେନୁ ସେହି ମୂଳ କାମଧେନୁଙ୍କର ରୂପ ବୋଲି ବିଶ୍ୱାସ କରାଯାଏ । ସତ୍ୟବ୍ରତ ସେମାନଙ୍କ ମଧ୍ୟରୁ ଗୋଟିଏ କାମଧେନୁଙ୍କୁ ଅପହରଣ କରିଥିବାର କାହାଣୀ ମଧ୍ୟ ପୁରାଣରେ ଅଛି ।

ସତ୍ୟବ୍ରତଙ୍କର ଆଉ ଗୋଟିଏ ନାଆଁ ହେଉଛି ତ୍ରିଶଙ୍କୁ । ବରଂ ତ୍ରିଶଙ୍କୁ ନାଆଁରେ ସେ ଅଧିକ ପ୍ରସିଦ୍ଧ । ସେ ଈକ୍ଷ୍ୱାକୁ ବଂଶର ରାଜା ଅରୁଣଙ୍କ ପୁତ୍ର । ଖୁବ୍ ଦୁଷ୍ଟ ଓ ଦୁରାଚାରୀ ଭାବରେ ତାଙ୍କର କୁଖ୍ୟାତି ଥିଲା । ଥରେ ଜଣେ ବ୍ରାହ୍ମଣ ଝିଅର ବିବାହ ହେଉଥିଲା । ଝିଅଟି ବୋହୂ ବେଶରେ ବେଦିକୁ ଯାଉଛି, ତ୍ରିଶଙ୍କୁ ଆସି ତାକୁ ଜବରଦସ୍ତ ଟେକିନେଇ ଚାଲିଗଲେ । ତ୍ରିଶଙ୍କୁଙ୍କ ପିତା ଅରୁଣ କିନ୍ତୁ ତ୍ରିଶଙ୍କୁଙ୍କ ପରି ନଥିଲେ । ତେଣୁ ପୁଅର ଏପରି କୁକାର୍ଯ୍ୟରେ ସେ କ୍ରୁଦ୍ଧ ହୋଇ ତାଙ୍କୁ ରାଜପ୍ରସାଦରୁ ବାହାର କରିଦେଲେ । ଫଳରେ ତ୍ରିଶଙ୍କୁ ରହିବାକୁ ଜାଗା ନପାଇ ଅରଣ୍ୟରେ ବୁଲିବାକୁ ଲାଗିଲେ । ପଶୁପକ୍ଷୀ ଶିକାର କରି ମାଂସ ଖାଇଲେ ।

କିଛିକାଳ ପରେ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା । ହଜାର ହଜାର ପଶୁ, ପକ୍ଷୀ, ମଣିଷ ଖାଇବାକୁ ନପାଇ ଭୋକ ବିକଳରେ ମଲେ । ସେତେବେଳକୁ ବିଶ୍ୱାମିତ୍ର ନାମରେ ଜଣେ ବ୍ରାହ୍ମଣ ନିଜ ପୁତ୍ର, ପରିବାରଙ୍କୁ ଛାଡ଼ି ଅରଣ୍ୟରେ ଯାଇ ତପସ୍ୟା କରୁଥିଲେ । ଯେତେବେଳେ ସେ ଜାଣିଲେ ଯେ ନଗ୍ରରେ ଦୁର୍ଭିକ୍ଷ ପଡ଼ିଛି ଏବଂ ଲୋକେ ଖାଇବାକୁ ନପାଇ ପୋକ, ମାଛି ପରି ମରୁଛନ୍ତି, ସେତେବେଳେ ତାଙ୍କର ନିଜ ପରିବାର କଥା ମନେପଡ଼ିଲା । ସେ ଜାଣିଲେ ଯେ ପରିବାରର ଅବସ୍ଥା ଖୁବ୍ ମୁମୂର୍ଷୁ । ପରିବାରର ଲୋକେ ଖାଇବାକୁ ନପାଇ ନିଶ୍ଚେ ମରିଯିବେ । ତେଣୁ ସେ ଠିକ୍ କଲେ, ତାଙ୍କର ପୁଅମାନଙ୍କ ଭିତରୁ ଜଣଙ୍କୁ ବିକ୍ରି କରିଦେବେ ଏବଂ ସେଇ ପଇସାରେ ଅନ୍ତତଃ କିଛିଦିନ ଚଳିବେ ।

ସେହି ଏକା ଅରଣ୍ୟରେ ତ୍ରଶଙ୍କୁ ରହୁଥିଲେ । ତେଣୁ ତ୍ରଶଙ୍କୁ ସେକଥା ଜାଣିପାରିଲେ । କହିଲେ, ଯାହାହେଉ ପଛେ, ନିଜ ପୁଅକୁ ବିକ୍ରି କରନାହିଁ । ପ୍ରତିଦିନ ପଶୁ ଶିକାର କରି ମୁଁ ତୁମକୁ କିଛି କିଛି ମାଂସ ଦେବି। ସେହି ମାଂସ ପ୍ରତିଦିନ ମୁଁ ଗୋଟିଏ ଗଛର ଡାଳରେ ରଖି ଦେଉଥିବି । ଏହା କହି ସେ ବିଶ୍ୱାମିତ୍ରଙ୍କୁ ଗୋଟିଏ ଗଛ ଦେଖାଇ ଦେଲେ ।

ଏହି ବ୍ୟବସ୍ଥା କିଛିଦିନ ଚାଲିଲା । ସବୁଦିନେ ତ୍ରିଶଙ୍କୁ ଜଙ୍ଗଲରୁ ପଶୁ, ପକ୍ଷୀ ଶିକାର କରନ୍ତି । ନିଜ ପାଇଁ ରଖିବା ପରେ, ଅବଶିଷ୍ଟ ମାଂସ ନେଇ ସେଇ ଗଛ ଶାଖାରେ ରଖିଦେଇ ଆସନ୍ତି । ବିଶ୍ୱାମିତ୍ର ଆସି ତାହା ନେଇ ଯାଆନ୍ତି ।

କିନ୍ତୁ ଦିନେ ଗୋଟିଏ ଅସୁବିଧା ହେଲା । ସେଦିନ ବହୁ ଚେଷ୍ଟା କରି ମଧ୍ୟ ତ୍ରିଶଙ୍କୁ ଗୋଟିଏ ହେଲେ ଶିକାର ପାଇଲେ ନାହିଁ । ସେ ସିନା ଉପାସରେ ରହିଯିବେ; ହେଲେ ବିଶ୍ୱାମିତ୍ରଙ୍କ ପରିବାର? ସେମାନଙ୍କୁ ସବୁଦିନେ ମାଂସ ଯୋଗାଇ ଦେବାକୁ ସେ କଥା ଦେଇଛନ୍ତି । ତେଣୁ ଅନ୍ୟ ଉପାୟ ନ ପାଇ ସେଦିନ ରାତିରେ ସେ ଯାଇ ବଶିଷ୍ଠଙ୍କ ଆଶ୍ରମରୁ କାମଧେନୁଙ୍କୁ ଚୋରାଇ ଆଣିଲେ । ତାଙ୍କୁ ମାରି ନିଜ ପାଇଁ କିଛି ମାଂସ ରଖିଲେ । ଅବଶିଷ୍ଟ ମାଂସ ବିଶ୍ୱାମିତ୍ରଙ୍କ ପରିବାର ପାଇଁ ଦେଇ ଆସିଲେ ।

ପରଦିନ ସକାଳେ ବଶିଷ୍ଠ ନିଦରୁ ଉଠି ଦେଖନ୍ତି ତ ଆଶ୍ରମରେ କାମଧେନୁ ନାହାନ୍ତି । ସେ ତତ୍‌କ୍ଷଣାତ୍ ସବୁକଥା ଜାଣିପାରି ତ୍ରିଶଙ୍କୁଙ୍କୁ ଅଭିଶାପ ଦେଲେ । କହିଲେ, ତୁମ ନାଆଁ ସତ୍ୟବ୍ରତ । ମାତ୍ର ତୁମେ ବହୁ ଅସତ୍ କାର୍ଯ୍ୟ କରିଛ । ସେଥିରୁ ପୁଣି ତିନିଟି କାର୍ଯ୍ୟ ଅତ୍ୟନ୍ତ ହୀନ । ପ୍ରଥମ, ଗୋଟିଏ ବ୍ରାହ୍ମଣ କନ୍ୟା ବେଦୀକୁ ବିବାହ ପାଇଁ ଯାଉଥିଲାବେଳେ ତାକୁ ଅପହରଣ କରିଛ; ଦ୍ୱିତୀୟ, ନିଜ ପିତା ଦୁଃଖୀ ଓ ବିରକ୍ତ ହେବା ପରି କାର୍ଯ୍ୟ କରିଛ ଏବଂ ତୃତୀୟ, କାମଧେନୁ ପରି ଗୋଟିଏ ଗାଈକୁ ହତ୍ୟା କରିଛ । ଏଣୁ ତୁମର ନାଆଁ ଆଜିଠାରୁ ତ୍ରିଶଙ୍କୁ ହେବ । ଲୋକେ ତୁମର ଏହି ତିନିଟି ହୀନ କାର୍ଯ୍ୟକୁ ସବୁଦିନେ ମନେ ରଖିବେ । ଏ ତିନିଟି କାର୍ଯ୍ୟ କାଳେ କାଳେ ଘୋର ପାପ ଓ ହୀନ କାର୍ଯ୍ୟ ରୂପେ ପରିଗଣିତ ହେବ ।

ଏହା ପରଠାରୁ ସତ୍ୟବ୍ରତଙ୍କ ନାଆଁ ହେଲା ତ୍ରିଶଙ୍କୁ । ତା’ପରେ ବଶିଷ୍ଠ ନିଜର ତପଶକ୍ତି ବଳରେ କାମଧେନୁଙ୍କୁ ଜୀବନ୍ନ୍ୟାସ ଦେଲେ ।

ଆଉ ଦିନକର କଥା । ସେତେବେଳକୁ ବିଶ୍ୱାମିତ୍ର ରାଜା ଥିଲେ । ଥରେ ସେ ତାଙ୍କର ସୈନ୍ୟସାମନ୍ତ ଧରି ପାରିଧିରେ ଯାଇଥିଲେ । ଜଙ୍ଗଲରେ ବୁଲୁବୁଲୁ ବଶିଷ୍ଠଙ୍କ ଆଶ୍ରମରେ ଯାଇ ପହଞ୍ଚିଲେ । ସେତେବେଳକୁ ବିଶ୍ୱାମିତ୍ର ଓ ତାଙ୍କର ସୈନ୍ୟସାମନ୍ତମାନେ କ୍ଳାନ୍ତ ହୋଇ ପଡ଼ିଥିଲେ । ସେମାନଙ୍କୁ ଭୋକ, ଶୋଷ ବି ଲାଗୁଥିଲା । ବିଶ୍ୱାମିତ୍ର ଭାବିଲେ, ବଶିଷ୍ଠ ତ ଋଷି, ତାଙ୍କ ଆଶ୍ରମରେ ଏତେ ଲୋକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ହେବ କିପରି? ମାତ୍ର

ବଶିଷ୍ଠ କାମଧେନୁଙ୍କୁ ଡାକି ଅତିଥି ଚର୍ଚ୍ଚାର ବ୍ୟବସ୍ଥା କରିବାକୁ କହିଲେ । ଚାହୁଁ ଚାହୁଁ, କାମଧେନୁ ତାଙ୍କର ଶକ୍ତିବଳରେ ସମସ୍ତଙ୍କ ପାଇଁ ଖାଦ୍ୟପେୟ ଆଦିର ସୁବ୍ୟବସ୍ଥା କରିଦେଲେ ।

କାମଧେନୁଙ୍କ ଶକ୍ତିର ଚମତ୍କାରିତା ଦେଖି ବିଶ୍ୱାମିତ୍ର ଆଚମ୍ବିତ ହେଲେ । ବଶିଷ୍ଠ କହିଲେ, ମୁଁ ତୁମକୁ କୋଟି ସଂଖ୍ୟାରେ ଦୁଗ୍ଧବତୀ ଗାଭୀ ଦେଉଛି; ପ୍ରତିବଦଳରେ କାମଧେନୁଟିକୁ ମତେ ଦିଅ । ମାତ୍ର ବଶିଷ୍ଠ କାମଧେନୁକୁ ଦେବାକୁ ରାଜି ହେଲେ ନାହିଁ । ଫଳରେ ବିଶ୍ୱାମିତ୍ର ରାଗିଗଲେ । ଭାବିଲେ, ଛାର ଏକ ଋଷି, ସିଏ ପୁଣି ରାଜାଙ୍କ ଅନୁରୋଧକୁ ଅବଜ୍ଞା କରୁଛି ! ନିଜର ସୈନ୍ୟସାମନ୍ତଙ୍କୁ ଡାକି କହିଲେ, କାମଧେନୁଙ୍କୁ ଜବରଦସ୍ତି ସାଙ୍ଗରେ ବାନ୍ଧିନେଇ ଚାଲ ।

ରାଜାଙ୍କ ଆଦେଶ ପାଇ ସୈନ୍ୟସାମନ୍ତମାନେ ଯାଇ କାମଧେନୁଙ୍କୁ ବାନ୍ଧି ଘୋଷାରି ଆଣିଲେ । ଫଳରେ ଆଉ ବରଦାସ୍ତ ନକରି କାମଧେନୁ ନିଜର ସ୍ୱରୂପ ଓ ଶକ୍ତି ପ୍ରକାଶ କଲେ । କାମଧେନୁଙ୍କର ପ୍ରତି ଲୋମକୂପରୁ ବିରାଟ ବିରାଟ ଯୋଦ୍ଧା ବାହାରିଲେ । ସେମାନେ ବିଶ୍ୱାମିତ୍ରଙ୍କ ସୈନ୍ୟଙ୍କ ସହିତ ଘୋର ଯୁଦ୍ଧ କଲେ । ସେହି ଯୁଦ୍ଧରେ ବିଶ୍ୱାମିତ୍ରଙ୍କ ସୈନ୍ୟମାନେ ଅଳ୍ପସମୟ ମଧ୍ୟରେ ପରାସ୍ତ ହୋଇଗଲେ । ବିଶ୍ୱାମିତ୍ର ଯେତେ ତୀର ମାରିଲେ ମଧ୍ୟ ବଶିଷ୍ଠ ଓ କାମଧେନୁଙ୍କ ଅଲୌକିକ ଶକ୍ତି ଯୋଗୁଁ ବଶିଷ୍ଠଙ୍କର କିଛି କ୍ଷତି ହେଲାନାହିଁ । ବଶିଷ୍ଠ ସବୁ ତୀରକୁ ହାତରେ ଧରି ଅଟକାଇ ଦେଲେ । ଶେଷରେ ବିଶ୍ୱାମିତ୍ର ପରାସ୍ତ ହେଲେ । ସେ ସ୍ୱୀକାର ମଧ୍ୟ କଲେ ଯେ ନିଷ୍ଠାପର ବ୍ରାହ୍ମଣର ଶକ୍ତି ଜଣେ କ୍ଷତ୍ରିୟର ଶକ୍ତିଠାରୁ ମଧ୍ୟ ଅଧିକ ।

ଏହି ଘଟଣା ପରେ ବିଶ୍ୱାମିତ୍ରଙ୍କର ମନ ମଧ୍ୟ ପରିବର୍ତ୍ତନ ହୋଇଗଲା । ସେ ରାଜ୍ୟ ଭାର ଛାଡ଼ି ଘୋର ତପସ୍ୟା ଆରମ୍ଭ କଲେ । ସେହି ତପସ୍ୟା ବଳରେ ସେ ଜଣେ ଋଷି ଭାବରେ ମହତ୍ତ୍ୱ ଲାଭ କଲେ । ସେ ଥିଲେ ରାଜା, ହେଲେ ଋଷି । ତେଣୁ ଏଣିକି ରାଜର୍ଷି ଭାବରେ ସେ ଖ୍ୟାତ ହେଲେ ।

କାମଧେନୁଙ୍କର ଅଲୌକିକ ଶକ୍ତି ଓ ଦେବସୁଲଭ ଗୁଣର ଆହୁରି ବହୁ ଦୃଷ୍ଟାନ୍ତ ପୁରାଣମାନଙ୍କରେ ଅଛି । ତେଣୁ ତାଙ୍କୁ ଦେବୀ ଭାବରେ ପୂଜା କରାହୋଇ ଆସିଛି । ଋଷି ମୁନି ଓ ଦେବତାମାନେ ମଧ୍ୟ ତାଙ୍କୁ ପୂଜା କରିବାର ଦୃଷ୍ଟାନ୍ତ ରହିଛି ।

ଏଣୁ ଗୋଟିଏ ଗୋମାତାଙ୍କ ଧ୍ୟାନ ଶ୍ଳୋକରେ କୁହାଯାଇଛି-

ଗୋମାତା ସର୍ବପୂଜ୍ୟା ସକଳ ସୁରଗଣାନ୍ ସର୍ବଗାତ୍ରେଷୁ ପୂଜ୍ୟା ।
ସେବାୟାଂ ସର୍ବସିଦ୍ଧିର୍ଭବତି ଚ ସତତଂ ସର୍ବକାମା ନରାଣାମ୍ ॥
ଗାତ୍ରସ୍ଥେ ଲୋମକୂପେ ଦଧତି ମୁନିଗଣାନ୍ ମୋକ୍ଷଦାତ୍ରୀ ପୟୋଦା ।
ପୁଚ୍ଛସ୍ଥାଃ ସର୍ବତୀର୍ଥା ଦହତି ଚ ବୃଜିନଂ ପ୍ରାର୍ଥୟେ ତାଂ ସଦାଽହମ୍ ॥

Aama Debadebi.pdf
ଗରୁଡ଼

ଆମ ପୁରାଣରେ ବର୍ଣ୍ଣିତ ଦେବଦେବୀଙ୍କ ମଧ୍ୟରୁ ଗରୁଡ ଅନ୍ୟତମ । ଗରୁଡ ପକ୍ଷୀ କୁଳର ଜାତ ହେଲେ ହେଁ ତାହାଙ୍କୁ ଦେବତା ରୂପେ ଗ୍ରହଣ କରାଯାଏ । କାରଣ ବଳ ଓ ବିକ୍ରମରେ ଗରୁଡ଼ ଅନ୍ୟ ଦେବତାମାନଙ୍କ ଠାରୁ ଉଣା ନୁହଁନ୍ତି । ପୁଣି ଗରୁଡ଼ ପରମ ବିଷ୍ଣୁଭକ୍ତ ଏବଂ ବିଷ୍ଣୁଙ୍କର ବାହନ ।

ପୁରାଣରେ ବର୍ଣ୍ଣନା କରାଯାଇଥିବା ବଂଶ ପରମ୍ପରା ଅନୁସାରେ ଗରୁଡ଼ ବ୍ରହ୍ମାଙ୍କ ଅଂଶରେ ଜାତ । ବ୍ରହ୍ମାଙ୍କଠାରୁ ମରୀଚି, ମରୀଚିଙ୍କ ଠାରୁ କଶ୍ୟପ ଓ କଶ୍ୟପଙ୍କ ଠାରୁ ଗରୁଡ଼ ଜାତ ହୋଇଥିଲେ ।

ଗରୁଡ଼ଙ୍କ ଜନ୍ମ ସମ୍ପର୍କରେ ପୁରାଣରେ ବିଶଦ ବୃତ୍ତାନ୍ତ ଅଛି । ସେଥିରୁ ଜଣାଯାଏ, ମରୀଚିଙ୍କ ପୁଅ ତଥା ବ୍ରହ୍ମାଙ୍କ ନାତି ହେଉଛନ୍ତି କଶ୍ୟପ । ସେ ଦକ୍ଷଙ୍କର ଆଠ କନ୍ୟାଙ୍କୁ ବିବାହ କରିଥିଲେ । ସେହି ଆଠ କନ୍ୟାଙ୍କ ନାଆଁ ହେଉଛି ଅତିତି, ଦିତି, ଦନୁ, କାଳିକା, ତାମ୍ରା, କ୍ରୋଧବଶା, ମନୁ ଓ ଅନନ୍ଦା। ସେମାନଙ୍କ ମଧ୍ୟରୁ ତାମ୍ରାଙ୍କର ଥିଲେ ପାଞ୍ଚ କନ୍ୟା । ସେମାନଙ୍କର ନାଆଁ କୌଞ୍ଚୀ, ଭାଷୀ, ଶ୍ୟେନୀ, ଧୃତରାଷ୍ଟ୍ରୀ ଓ ଶୁକୀ ।

ତାମ୍ରଙ୍କର ଏହି ପାଞ୍ଚ କନ୍ୟାଙ୍କ ମଧ୍ୟରୁ କୌଞ୍ଚୀ ପେଚକମାନଙ୍କର ମାଆ, ଭାଷୀ ଭାଷପକ୍ଷୀମାନଙ୍କର ମାଆ; ଶ୍ୟେନୀ ଚିଲ ଆଦିଙ୍କର ମାଆ; ଧୃତରାଷ୍ଟ୍ରୀ ହଂସ, କଳହଂସ ଓ କୋକ ଆଦିଙ୍କର ମାଆ; ଶୁକୀ ଶୁକ ଆଦି ପକ୍ଷୀଙ୍କର ମାଆ । ହଂସ, କଳହଂସ ଓ କୋକଙ୍କ ମଧ୍ୟରୁ କୋକଙ୍କ ଠାରୁ ନନ୍ଦା ଓ ନନ୍ଦାଙ୍କ ଠାରୁ ବିନତା ନାମରେ ଏକ ଏକ କନ୍ୟା ଜାତ ହୋଇଥିଲେ । ବିନତାଙ୍କର ଥିଲେ ଦୁଇ ପୁଅ- ଅରୁଣ ଓ ଗରୁଡ଼ ।

ଅରୁଣ ଓ ଗରୁଡ଼ଙ୍କ ଜନ୍ମ ସମ୍ପର୍କରେ ମହାଭାରତରେ ଗୋଟିଏ କାହାଣୀ ଅଛି । ସେହି କାହାଣୀଟି ହେଉଛି, ବିନତା ଓ ଅନ୍ୟ ପତ୍ନୀଙ୍କ ଛଡ଼ା କଶ୍ୟପଙ୍କର କଦ୍ରୁ ନାମରେ ଆଉ ଜଣେ ସ୍ତ୍ରୀ ଥିଲେ । ଥରେ ବିନତା ଓ କଦ୍ରୁ କଶ୍ୟପଙ୍କର ବହୁତ ସେବା କଲେ । ସେହି ସେବାରେ ସନ୍ତୁଷ୍ଟ ହୋଇ ଇଚ୍ଛା ଅନୁସାରେ ବର ମାଗିନେବାକୁ କଶ୍ୟପ ସେ ଦୁହିଁଙ୍କୁ କହିଲେ । କଦ୍ରୁ କି ବିନତା, କାହାର କିଛି ପୁଅ ଝିଅ ନଥିଲେ । ତେଣୁ କଦ୍ରୁ କହିଲେ, ମତେ ବର ଦିଅନ୍ତୁ- ଯେପରି ସହସ୍ର ସର୍ପ ମୋର ପୁତ୍ର ରୂପେ ଜାତ ହେବେ । କଶ୍ୟପ ତାଙ୍କୁ ସେହି ବର ଦେଲେ । ବିନତା କିନ୍ତୁ କହିଲେ, ମୋର ସହସ୍ର ପୁତ୍ର ଆବଶ୍ୟକ ନାହିଁ । ମତେ ମାତ୍ର ଦୁଇଟି ପୁତ୍ର ସନ୍ତାନ ପାଇଁ ବର ଦିଅନ୍ତୁ । ସେହି ଦୁଇ ପୁତ୍ର ଯେମିତି କଦ୍ରୁଙ୍କର ସହସ୍ର ପୁତ୍ରଙ୍କଠାରୁ ଅଧିକ ଶକ୍ତିଶାଳୀ ହେବେ । କଶ୍ୟପ ତାଙ୍କୁ ସେହି ବର ଦେଲେ ।

କଶ୍ୟପଙ୍କ ବର ଅନୁଯାୟୀ ଯଥା ସମୟରେ କଦ୍ରୁ ୧୦୦୦ଟି ଅଣ୍ଡା ଦେଲେ । ୫୦୦ ବର୍ଷ ଯାଏ ସେହି ଅଣ୍ଡାକୁ ଉଷୁମାଇବ ପରେ, ସେଥିରୁ ସହସ୍ର ସର୍ପ ବାହାରିଲେ । ସେହି ସହସ୍ର ନାଗଙ୍କୁ ପୁତ୍ରରୂପେ ପାଇ କଦ୍ରୁ ଭାରି ଖୁସି ହେଲେ ।

ବିନତା ତ’ ଦୁଇଟି ପୁତ୍ର ମାଗିଥିଲେ; ତେଣୁ ସେ ମାତ୍ର ଦୁଇଟି ଅଣ୍ଡା ଦେଲେ । ସେ ସେହି ଦୁଇ ଅଣ୍ଡାକୁ ଉଷୁମାଉ ଥାଆନ୍ତି । ଇତି ମଧ୍ୟରେ କଦ୍ରୁଙ୍କର ପୁଅମାନେ ବଡ଼ ହୋଇ ମନ ମଉଜରେ ଖେଳିବୁଲିଲେ । ତାହା ଦେଖି ବିନତାଙ୍କର ଦେହ ସହିଲା ନାହିଁ । ଧୈର୍ଯ୍ୟ ଧରି

ନପାରି, ସେ ଦୁଇଟି ଅଣ୍ଡାରୁ ଗୋଟିଏକୁ ଫଟାଇ ଦେଲେ । ସେତେବେଳେକୁ ସେହି ଅଣ୍ଡା ଭିତରେ ଛୁଆଟି ଅଧାଗଢ଼ା ହୋଇଥାଏ । ତେଣୁ ଛୁଆଟି ସେମିତି ଅଧାଗଢ଼ା ଅବସ୍ଥାରେ ଅଣ୍ଡାରୁ ଫୁଟିଗଲା । ତାହା ଦେଖି ବିନତାଙ୍କ ମନ ବହୁତ ଦୁଃଖ ହେଲା । ତାଙ୍କର ଦୁଃଖ ଦେଖି ଛୁଆଟି ତାଙ୍କୁ ସାନ୍ତ୍ୱନା ଦେଇ କହିଲା, ମୋର ତ’ ଯାହା ହେଲା ହେଲା; ମନ ଦୁଃଖ ନକରି ଧୈର୍ଯ୍ୟ ଧର । ଆହୁରି ୫୦୦ ବର୍ଷ ଉଷୁମାଇଲା ପରେ ଆର ଅଣ୍ଡାଟି ଫୁଟିବ । ତା’ ଭିତରୁ ଏକ ଅଦ୍ଭୁତକର୍ମା ପୁତ୍ର ଜାତ ହେବ । ସେହି ପୁତ୍ରଟି ହେଉଛି ଗରୁଡ଼ । ସେ ତୁମକୁ ଦାସତ୍ୱରୁ ମୁକ୍ତ କରିବ ।

ଏହା କହି ସେହି ଛୁଆ ଆକାଶକୁ ଉଠିଗଲା । ସେହି ଛୁଆର ନାଆଁ ହେଉଛି ଅରୁଣ । ଆକାଶକୁ ଉଡିଯାଇ ସେ ସୂର୍ଯ୍ୟଙ୍କର ସାରଥୀ ହେଲା । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଯେଉଁ ଅରୁଣସ୍ତମ୍ଭ ଅଛି, ତା' ଉପରେ ଏହି ଅରୁଣ ଅଛନ୍ତି ।

ତେବେ ବିନତା କାହିଁକି କଦ୍ରୁଙ୍କର ଦାସୀ ହୋଇ ରହିଥିଲେ ସେ ସମ୍ପର୍କରେ ମଧ୍ୟ ଗୋଟିଏ କାହାଣୀ ଅଛି । କଦ୍ରୁ ଓ ବିନତା କଶ୍ୟପଙ୍କର ଦୁଇ ପତ୍ନୀ ହେଲେ ହେଁ ଦୁହିଁଙ୍କ ଭିତରେ ମନ ମେଳ ନଥାଏ । ତେଣୁ ମଝିରେ ମଝିରେ ଦୁହିଁଙ୍କ ଭିତରେ କଥା କଟାକଟି ହୁଏ । ଜିଦାଜିଦି ପଡ଼େ । ସେହିପରି ଥରେ ଜିଦାଜିଦି ପଡ଼ିଲା ଯେ ଉଚ୍ଚୈଶ୍ରବା ଅଶ୍ୱର ଲାଞ୍ଜ କଳା ନା ଧଳା? କଦ୍ରୁ କହିଲେ, ଉଚ୍ଚୈଶ୍ରବାର ଲାଞ୍ଜ କଳା । ମାତ୍ର ବିନତା କହିଲେ, ନା, ଉଚ୍ଚୈଶ୍ରବାର ରଙ୍ଗ ଧଳା, ତେଣୁ ତା'ର ଲାଞ୍ଜ ମଧ୍ୟ ଧଳା । ଏହିପରି କଥା କଟାକଟିରେ ଜିଦି ପଡ଼ିଲା ଯେ ଯିଏ ହାରିବ ସିଏ ଆର ଜଣଙ୍କର ଦାସୀ ହୋଇ ରହିବ ।

କଥା ରହିଲା, ପରଦିନ ସକାଳେ ଦୁହେଁ ସାଙ୍ଗ ହୋଇ ଯାଇ ଦେଖିବେ ଉଚ୍ଚୈଶ୍ରବାର ଲାଞ୍ଜ କଳା କି ଧଳା । ପରଦିନ ଦୁହେଁ ସାଙ୍ଗ ହୋଇ ଗଲେ । ମାତ୍ର ଯାଇ ଦେଖନ୍ତି ଯେ ଉଚ୍ଚୈଶ୍ରବାର ଲାଞ୍ଜ କଳା । ବିନତା ହାରିଲେ । କିନ୍ତୁ ଅସଲ କଥା ହେଲା, ଉଚ୍ଚୈଶ୍ରବା ଧଳା, ତେଣୁ ତାହାର ଲାଞ୍ଜ ମଧ୍ୟ ଧଳା । ମାତ୍ର କଦ୍ରୁଙ୍କର ହଜାରେ ନାଗ ଛୁଆ ଯାଇ ଉଚ୍ଚୈଶ୍ରବାର ଲାଞ୍ଜରେ ଏପରି ଝୁଲି ରହିଥିଲେ ଯେ ଲାଞ୍ଜ କଳା ଦେଖାଯାଉଥିଲା ।

ମାତ୍ର ସର୍ତ୍ତ ଅନୁସାରେ ବିନତା ହାରିଲେ । ତେଣୁ କଦ୍ରୁ ତାଙ୍କୁ ନିଜର ଦାସୀ କରି ରଖିଲେ । ସେତେବେଳକୁ ଗରୁଡ଼ ଜନ୍ମ ହୋଇ ନଥାନ୍ତି । ଆଉ ପାଞ୍ଚଶହ ବର୍ଷ ବିନତା ଅଣ୍ଡାକୁ ଉଷୁମାଇଲା ପରେ ଅଣ୍ଡାଟି ଫୁଟିଲା । ସେଥିରୁ ବାହାରିଲେ ଗରୁଡ଼ । ଜନ୍ମ ହେବାମାତ୍ରେ ଗରୁଡ଼ଙ୍କର ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସେ ଅଣ୍ଡାରୁ ଫୁଟି ମାଟିରେ ଠିଆ ହେବା ମାତ୍ରେ ମେଦିନୀ କମ୍ପି ଉଠିଲା । ପାହାଡ଼ମାନେ

ଥରହର ହେଲେ । ତାଙ୍କର ଶରୀର ଆକାଶଯାଏଁ ବ୍ୟାପିଥିଲା । ଆଖି ଚମକୁଥିଲା ବିଜୁଳି ପରି । ସେ ସୂର୍ଯ୍ୟଙ୍କ ପରି ତେଜିୟାନ ଦେଖାଯାଉଥିଲେ । ତାଙ୍କର ତେଜରେ ଦେବତାମାନେ ମଧ୍ୟ ମଳିନ ଦେଖାଗଲେ । ତାହା ଦେଖି ଦେବତାମାନେ ତାଙ୍କୁ ଆଶୀର୍ବାଦ କଲେ । ଗରୁଡ଼ ମଧ୍ୟ ଦେଖିଲେ ଯେ ତାଙ୍କର ଆକାର ଓ ରୂପ ଦେଖି ସମସ୍ତେ ଭୟଭୀତ ହୋଇଯାଉଛନ୍ତି । ତେଣୁ ସେ ନିଜର ଜ୍ୟୋତି କମାଇ ଦେଲେ । ନିଜକୁ ଛୋଟ କରିଦେଇ ମାଆଙ୍କ ପାଖକୁ ଫେରି ଆସିଲେ ।

ସେତେବେଳକୁ ବିନତା କଦ୍ରୁଙ୍କର ଦାସୀ ହୋଇ ରହିଥାଆନ୍ତି । କଦ୍ରୁ ଓ ତାଙ୍କର ହଜାରେ ନାଗବଚ୍ଚା ବିନତାଙ୍କୁ ଭାରି ହଇରାଣ ହରକତ କରୁଥାଆନ୍ତି । ତାହା ଦେଖି ଗରୁଡ଼ ଖୁବ୍ ଦୁଃଖୀ ହେଲେ । ଠିକ୍ କଲେ ବିନତାଙ୍କୁ ମୁକ୍ତ କରିଦେବା ପାଇଁ କଦ୍ରୁଙ୍କୁ ଯାଇ ଅନୁରୋଧ କରିବେ । ମାତ୍ର ଗରୁଡଙ୍କ କଥା ଶୁଣି କଦ୍ରୁ କହିଲେ, ସ୍ୱର୍ଗରୁ ଯଦି ମତେ ଅମୃତ ଆଣି ଦେଇପାରିବୁ, ତା’ହେଲେ ଯାଇ ମୁଁ ତୋ’ ମାଆକୁ ଦାସୀ ପଣରୁ ମୁକ୍ତ କରିବି । ନହେଲେ ତୋ’ ମାଆ ପରି ତୁ ବି ମୋର ଦାସ ହୋଇ ରହ ।

ତାହା ଶୁଣି ଗରୁଡ଼ ଠିକ୍ କଲେ, ଯେପରି ହେଉ, ସ୍ୱର୍ଗକୁ ଯାଇ ଅମୃତ ଆଣିବେ ଏବଂ ମାଆଙ୍କୁ ଦାସତ୍ୱରୁ ମୁକ୍ତ କରିବେ । ସେଥିାଇଁ ସେ ଯାଇ ବିନତାଙ୍କ ଠାରୁ ଅନୁମତି ନେଲେ । ତାଙ୍କୁ ଅନୁମତି ଦେଇ ବିନତା କହିଲେ, ମୁଁ ଆଶୀର୍ବାଦ କରୁଛି, ତୋ’ର ଡେଣାକୁ ବାୟୁ, ଶରୀରର ନିମ୍ନଭାଗକୁ ସୂର୍ଯ୍ୟ ଓ ଚନ୍ଦ୍ର, ଅନ୍ୟସବୁ ଅଂଗକୁ ବସୁଗଣ ଓ ମସ୍ତକକୁ ଅଗ୍ନି ରକ୍ଷା କରିବେ ।

ତା’ ପରେ ଗରୁଡ଼ ପିତା କଶ୍ୟପଙ୍କ ଆଶୀର୍ବାଦ ନେଲେ । କଶ୍ୟପ ସେତେବେଳକୁ ଅରଣ୍ୟରେ ଯାଇ ତପସ୍ୟା କରୁଥିଲେ । ତାଙ୍କଠୁ ଆର୍ଶୀବାଦ ନେଇ ଗରୁଡ଼ ଡେଣା ମେଲି ଆକାଶକୁ ଉଡ଼ିଗଲେ । ତାଙ୍କର ଡେଣାର ପବନରେ ବଡ଼ ବଡ଼ ଗଛ ସବୁ ଉପୁଡି ପଡ଼ିଲା ।

ଉଡ଼ି ଯାଉ ଯାଉ ଗରୁଡ଼ ଗୋଟିଏ ବଡ଼ ଗଛ ଦେଖିଲେ । ସେହି ଗଛର ଡାଳମାନ ଶହେ ଯୋଜନ ଲମ୍ବିଥିଲା । ମାତ୍ର ଏତେବଡ଼ ଗଛ ହୋଇ ମଧ୍ୟ ଗରୁଡ଼ ତାର ଡାଳରେ ଆସି ବସିବା ମାତ୍ରେ ଡାଳଟି ତାଙ୍କ ଭାର ସମ୍ଭାଳି ନ ପାରି ମଡ଼ମଡ଼ ହୋଇ ଭାଙ୍ଗି ପଡ଼ିଲା । ସେହି ଡାଳରେ ବାଳଖିଲ୍ୟ ଋଷିମାନେ ତଳକୁ ମୁଣ୍ଡ କରି ଝୁଲି ତପସ୍ୟା କରୁଥିଲେ । ଗରୁଡ଼ ଭାବିଲେ, ଡାଳଟି ତଳେ ପଡ଼ିବାମାତ୍ରେ ଋଷିମାନେ କଚାଡ଼ି ହୋଇ ମରିଯିବେ । ତେଣୁ ତଳେ ପଡ଼ିବା ଆଗରୁ ଡାଳଟିକୁ ସେ ଥଣ୍ଟରେ ଧରି ପକାଇଲେ ।

କିନ୍ତୁ ଡାଳଟିକୁ ରଖିବେ କେଉଁଠି? ଏମିତି ଜାଗାରେ ରଖିବାକୁ ପଡ଼ିବ- ଯେମିତିକି ବାଳଖିଲ୍ୟ ଋଷିମାନଙ୍କର ତପସ୍ୟା ଭାଙ୍ଗିନଯିବ ବା ତାଙ୍କର କିଛି ଅନିଷ୍ଟ ନହେବ । ତେଣୁ

ଡାଳ ସହିତ ଋଷିମାନଙ୍କୁ ନେଇ ସେ ଚାଲିଲେ କଶ୍ୟପଙ୍କ ପାଖକୁ । କଶ୍ୟପ ଗରୁଡ଼ଙ୍କ ପକ୍ଷରୁ ଋଷିମାନଙ୍କୁ କ୍ଷମା ମାଗିଲେ ଏବଂ ଡାଳଟିକୁ ନିରାପଦରେ ନେଇ ସମୁଦ୍ର ମଝିରେ ଗୋଟିଏ ଜାଗାରେ ରଖିବାକୁ କହିଲେ । ଗରୁଡ଼ ଡାଳଟିକୁ ନେଇ ସମୁଦ୍ର ମଝିରେ ଯେଉଁ ଜାଗାରେ ରଖିଲେ, ସେହି ଜାଗାଟି ହେଲା ଲଙ୍କା ଦ୍ୱୀପ । ସେଠାରେ ଗରୁଡ଼ ଭୋଜନ ସାରି ଅମୃତ ପାଇଁ ପୁଣି ଦେବଲୋକ ଆଡ଼କୁ ଉଡ଼ିଗଲେ ।

ଏ ଭିତରେ ସ୍ୱର୍ଗଲୋକରେ ନାନା ଅଶୁଭ ସୂଚନା ଦେଖାଦେବାରେ ଲାଗିଲା । ତାହାର କାରଣ କ’ଣ ଜାଣି ନପାରି ଇନ୍ଦ୍ର ବିଚଳିତ ହେଲେ । ତାଙ୍କର ସେହି ବିଚଳିତ ଅବସ୍ଥା ଦେଖି ଶୁକ୍ରାଚାର୍ଯ୍ୟ କହିଲେ, ଗରୁଡ଼ ଅମୃତ ନେବାପାଇଁ ସ୍ୱର୍ଗଲୋକ ଦିଗରେ ଛୁଟି ଆସୁଛନ୍ତି । ସେ କଶ୍ୟପ ଓ ବାଳଖିଲ୍ୟ ଋଷିମାନଙ୍କ ତପସ୍ୟା ଫଳରୁ ପରମ ଶକ୍ତିଶାଳୀ ହୋଇ ଜନ୍ମ ହୋଇଛନ୍ତି । ତେଣୁ ଅନ୍ୟ ଦେବତାମାନଙ୍କ ସହିତ ତୁମେ ନିଜେ ଅମୃତଭାଣ୍ଡକୁ କଡ଼ା ଜଗୁଆଳିରେ ରଖ । ତାହା ଶୁଣିବା ପରେ ଇନ୍ଦ୍ର ଅମୃତ କଳସ ଚାରିପଟରେ କଡ଼ା ଜଗୁଆଳି ବ୍ୟବସ୍ଥା କରିଦେଲେ ।

ଚାହୁଁ ଚାହୁଁ ଗରୁଡ଼ ଆସି ସେଠାରେ ପହଞ୍ଚିଗଲେ । ପ୍ରଥମେ ବିଶ୍ୱକର୍ମା ତାଙ୍କୁ ଆକ୍ରମଣ କଲେ । ମାତ୍ର ଗରୁଡ଼ଙ୍କ ବଳ, ବିକ୍ରମ ଆଗରେ ସେ ପରାସ୍ତ ହେଲେ । ଆଉ ଯେତେ ଯିଏ ଜଗୁଆଳି ଥିଲେ ସମସ୍ତଙ୍କୁ ପରାସ୍ତ କରି ଗରୁଡ଼ ଯାଇ ଅମୃତ କଳସ ପାଖରେ ପହଞ୍ଚିଲେ । ଅମୃତ କଳସ ଚାରିପାଖରେ ଦୁଇଟି ଚକ୍ର ଏପରି ଭାବରେ ଘୂରୁଥାଏ ଯେ ହାତ ବଢ଼ାଇବା ମାତ୍ରେ ହାତ ଗୁଣ୍ଡ ଗୁଣ୍ଡ ହୋଇ କଟିଯିବ । ଚକ୍ର ତଳେ ଦୁଇଟି ବିରାଟ ସାପ ଜଳନ୍ତା ଆଖିରେ ଚାହିଁ ରହିଥାଆନ୍ତି । ସେମାନଙ୍କର ଆଖି ନିଆଁ ହୁଳାପରି ଜଳୁଥାଏ । ଦୁହେଁ ଜିଭ ଲହଲହ କରୁଥାଆନ୍ତି । ସେହି ଜଳନ୍ତା ଆଖି ଓ ଲହଲହ ଜିଭକୁ ଚାହିଁଦେଲେ ବି ଜଣଙ୍କୁ ବିଷଜ୍ୱାଳା ଘାରିଯିବ ।

ମାତ୍ର ଗରୁଡ଼ ସେଥିରେ ଆଦୌ ବିଚଳିତ ହେଲେ ନାହିଁ । ତଳୁ ଦି’ ଆଞ୍ଜୁଳା ଧୂଳି ଆଣି ସାପଙ୍କ ଆଖିକୁ ଛାଟିଦେଲେ । ସାପ ଦୁହିଁଙ୍କର ଆଖି ଅନ୍ଧ ହୋଇଗଲା । ତା’ପରେ ଦୁହିଁଙ୍କୁ ନିଜର ମୁନିଆ ଥଣ୍ଟରେ ଚିରି ପକାଇଲେ । ନିଜକୁ ଖୁବ୍ ଛୋଟ କରି ଦେଇ ବୁଲନ୍ତା ଚକ୍ରର ଫାଙ୍କ ଦେଇ ଭିତରକୁ ଗଳିଗଲେ । ଯାଇ ଚକକୁ ଚଳାଉଥିବା ଯନ୍ତ୍ରକୁ ବନ୍ଦ କରିଦେଲେ । ତା’ପରେ ଚଞ୍ଚୁରେ ଅମୃତ କଳସଟିକୁ ଧରି ଆକାଶକୁ ଉଠିଗଲେ ।

ଗରୁଡଙ୍କର ସେହି ବୀରତ୍ୱରେ ଭଗବାନ ବିଷ୍ଣୁ ଖୁବ୍ ପ୍ରସନ୍ନ ହେଲେ । ଗରୁଡ଼ଙ୍କୁ ଡାକି କହିଲେ, ମୁଁ ତୁମର ବଳ ବିକ୍ରମ ଦେଖି ପ୍ରୀତ । କି ବର ମାଗୁଛ ମାଗ । ତାହା ଶୁଣି ଗରୁଡ଼ କହିଲେ, ଯଦି ଆପଣ ସତରେ ମୋ ଉପରେ ପ୍ରସନ୍ନ, ତେବେ ମତେ ଆପଣଙ୍କର ବାହନ କରି ରଖନ୍ତୁ । ଭଗବାନ ବିଷ୍ଣୁ କହିଲେ, ‘ତଥାସ୍ତୁ’ ।

ଏଣେ ଗରୁଡ ଅମୃତ କଳସ ଅପହରଣ କରିନେବା ଦେଖି ଇନ୍ଦ୍ର ଗରୁଡ଼ଙ୍କ ଉପରେ ବଜ୍ର ପ୍ରହାର କଲେ । ମାତ୍ର ସେଥିରେ ଗରୁଡ଼ଙ୍କର ପ୍ରାୟ କିଛି କ୍ଷତି ହେଲା ନାହିଁ । କେବଳ ତାଙ୍କ ଡେଣାରୁ ପରଟିଏ ଖସିଡ଼ିଲା । ସେହି ପରଟି ଖୁବ୍ ସୁନ୍ଦର ଥିଲା । ତାହାକୁ ଦେଖି ସମସ୍ତେ ଗରୁଡ଼ଙ୍କୁ କହିଲେ 'ସୁପର୍ଣ୍ଣ' । ଏତେ ଶକ୍ତିଶାଳୀ ବଜ୍ରର ଆଘାତରେ ଗରୁଡ଼ଙ୍କ ଡେଣାରୁ ମାତ୍ର ଗୋଟିଏ ପର ଖସିବା ଦେଖି ଇନ୍ଦ୍ର ବିସ୍ମିତ ହେଲେ । ଭାବିଲେ, ଗରୁଡ଼ଙ୍କୁ ବଳ, ବିକ୍ରମରେ ପାରିହେବ ନାହିଁ । ତେଣୁ ଯାଇ ତାଙ୍କ ସହିତ ବନ୍ଧୁତା କଲେ । ଗରୁଡ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଅମୃତ କଳସ ଫେରାଇବାକୁ ରାଜି । ସେହି ସର୍ତ୍ତଟି ହେଉଛି, ଆଜିଠାରୁ ନାଗମାନେ ହିଁ ମୋର ଆହାର ହେବେ । ଇନ୍ଦ୍ର କହିଲେ, ତାହା ହିଁ ହେଉ ।

ତା’ ପରେ ଗରୁଡ଼ ଇନ୍ଦ୍ରଙ୍କୁ କହିଲେ, ଏ ଅମୃତ ମୁଁ ମୋ’ ପାଇଁ ନେଉ ନାହିଁ । ନାଗମାନେ ମୋ’ ମାଆ ବିନତାଙ୍କୁ ଦାସୀ କରି ରଖିଛନ୍ତି । ଏ ଅମୃତ ନେଇ ନ ଦେଲେ ସେମାନେ ମୋ’ ମାଆଙ୍କୁ ଦାସୀପଣରୁ ମୁକ୍ତ କରିବେ ନାହିଁ । ଏଣୁ ଅମୃତ କଳସଟି ମୁଁ ସେମାନଙ୍କୁ ଦେଇ ଆଗ ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଏ- ଅମୃତ କଳସଟି ସେମାନଙ୍କଠାରୁ ଅପହରଣ କରି ଆଣିବାର ଉପାୟ ତୁମେ କର ।

ଗରୁଡ଼ଙ୍କର ଏ କଥାରେ ଇନ୍ଦ୍ର ରାଜି ହେଲେ । ଗରୁଡ଼ ଏଥର ଅମୃତ କଳସଟି ଧରି କଦ୍ରୁ ଓ ତାଙ୍କର ସହସ୍ର ନାଗବଚ୍ଚାଙ୍କ ପାଖକୁ ଚାଲିଲେ । ସେମାନଙ୍କ ପାଖରେ ପହଞ୍ଚି କହିଲେ, ଏଇ ଅମୃତ କଳସଟି ନିଅ ଏବଂ ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଅ । କଦ୍ରୁ ଓ ଅନ୍ୟ ନାଗମାନେ ଅମୃତ କଳସ ଦେଖି ଭାରି ଖୁସି ହେଲେ । ଭାବିଲେ, ଅମୃତ ଖାଇ ସେମାନେ କାଳକାଳକୁ ଅମର ହୋଇଯିବେ । ତେଣୁ କଳରୋଳ କରି ଅମୃତ ଖାଇବାକୁ ଧାଇଁ ଆସିଲେ । ମାତ୍ର ଗରୁଡ଼ ସେମାନଙ୍କୁ ବାରଣ କରି କହିଲେ, ଅମୃତ ପରି ପବିତ୍ର ଜିନିଷକୁ ଏପରି ଅପରିଷ୍କାର, ଅଶୁଦ୍ଧ ହୋଇ ସ୍ପର୍ଶ କରିବା ଉଚିତ ନୁହେଁ । ଏଇଠି ଏକ ଦର୍ଭ ଘାସ ବା କୁଶ ଉପରେ ତୁମର ଅମୃତ କଳସଟି ରହିଲା । ଏଥର ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଅ । ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ ହୋଇ, ସ୍ନାନ ସାରି ଆସ, ତା’ ପରେ ଅମୃତ ଖାଇବ ।

ଗରୁଡ଼ଙ୍କ କଥା ଅନୁସାରେ କଦ୍ରୁ ଓ ନାଗବଚ୍ଚାମାନେ ଆଗ ବିନତାଙ୍କୁ ମୁକ୍ତ କରିଦେଲେ । ତା’ପରେ ଆନନ୍ଦ ମନରେ ସ୍ନାନ କରିବାକୁ ଚାଲିଗଲେ । ସେମାନଙ୍କ ଅନୁସ୍ଥିତିର ସୁଯୋଗ ନେଇ ଇନ୍ଦ୍ର ଅମୃତ କଳସଟିକୁ ସେଠାରୁ ଅପହରଣ କରି ନେଇ ଆସିଲେ ।

ଏଣେ ନାଗମାନେ ଆନନ୍ଦ ମନରେ ସ୍ନାନ ସାରି ଆସି ଦେଖନ୍ତି ତ ଦର୍ଭ ଘାସ ଉପରେ ଅମୃତ କଳସଟି ନାହିଁ । ଅମୃତ କଳସଟିକୁ କିଏ ନେଲା, କୁଆଡେ଼ ନେଲା ବୋଲି ସେମାନେ ଏଣେତେଣେ ବହୁତ ଖୋଜିଲେ; ମାତ୍ର ପାଇଲେ ନାହିଁ । ଶେଷରେ ବିକଳ ହୋଇ, ଦର୍ଭ

ଘାସ ଉପରେ ଯେଉଁଠି ଅମୃତ କଳସଟି ଥିଲା, ସେ ଜାଗାକୁ ଚାଟି ପକାଇଲେ । ଫଳରେ ସେହି ଘାସର ଦାଢ଼ରେ ସେମାନଙ୍କର ଜିଭ କଟିଯାଇ ଦି’ଫାଳ ହୋଇଗଲା । ସେଇଦିନଠୁ ନାଗମାନେ ହେଲେ ଦ୍ୱିଜିହ୍ୱା ।

ମାଆ ବିନତାଙ୍କୁ ଦାସୀ କରି ରଖିଥିବାରୁ ନାଗମାନଙ୍କ ସହିତ ଗରୁଡ଼ଙ୍କର ଆଜନ୍ମ ଶତ୍ରୁତା ଥାଏ । ଦାଉ ସାଧିବାକୁ ଇନ୍ଦ୍ରଙ୍କ ବର ତାଙ୍କୁ ଆହୁରି ସୁବିଧା କରିଦେଲା । ଏଣିକି ପ୍ରତିଦିନ ସେ କେବଳ ନାଗ ଶିକାର କରି ଖାଇବାକୁ ଲାଗିଲେ । ଫଳରେ ନାଗମାନଙ୍କ ଭିତରେ ଭାଳେଣି ପଡ଼ିଗଲା । ଭାବିଲେ, ଏହିପରି ଯଦି ଗରୁଡ଼ ପ୍ରତିଦିନ ନାଗ ଶିକାର କରି ଖାଆନ୍ତି, ତା’ ହେଲେ ନାଗବଂଶ ଅଚିରେ ନିପାତ ହୋଇଯିବ । ତେଣୁ ସେମାନେ ନିଜ ନିଜ ଭିତରେ କଥା ହୋଇ ଗରୁଡ଼ଙ୍କ ପାଖରେ ଯାଇ ପହଞ୍ଚିଲେ । କହିଲେ, ପ୍ରତିଦିନ ଆମେ ପାଳି କରି ଗୋଟିଏ ଗୋଟିଏ ନାଗକୁ ଆପଣଙ୍କ ପାଖକୁ ପଠାଇବୁ । ଆପଣ ଏମିତି ଅବାଧ ନାଗ ଶିକାର କରନ୍ତୁ ନାହିଁ । ଆହୁରି ମଧ୍ୟ କହିଲେ, ଆମେ ଗୋଟିଏ ସର୍ପବଳି କରୁଛୁ । ତେଣୁ ବଳି ନାଗ ସବୁ ଆପଣଙ୍କ ଭୋଜନ ପାଇଁ ପଠାଇଦେବୁ । ଆପଣଙ୍କୁ ଆଉ ନାଗ ଶିକାର କରିବାକୁ ପଡ଼ିବ ନାହିଁ । ଗରୁଡ଼ ସେଥିରେ ରାଜି ହେଲେ ।

ବ୍ରହ୍ମାଙ୍କ ଅଂଶରେ ଜାତ ହୋଇଥିଲେ ହେଁ, ସୂର୍ଯ୍ୟବଂଶ ସହିତ ଗରୁଡ଼ଙ୍କର ସମ୍ପର୍କ ପ୍ରତିଷ୍ଠା ହୋଇପାରିଥିଲା । ସୂର୍ଯ୍ୟବଂଶୀ ରାଜା ସଗର ଗରୁଡ଼ଙ୍କର ବଡ଼ ଭଉଣୀ ସୁମତିଙ୍କୁ ବିବାହ କରିଥିଲେ । ସଗର ଓ ସୁମତିଙ୍କ ଠାରୁ ଷାଠିଏ ହଜାର ପୁତ୍ର ଜାତ ହୋଇଥିଲେ । ମାତ୍ର, ଥରେ କପିଳ ମୁନିଙ୍କ କ୍ରୋଧରେ ସେମାନେ ପୋଡ଼ି ପାଉଁଶ ହୋଇଗଲେ । ପରେ ସଗରଙ୍କର ନାତି ଅଂଶୁମାନ ସେମାନଙ୍କୁ ଖୋଜିବାକୁ ଯାଇ ଗରୁଡ଼ଙ୍କର ସାକ୍ଷାତ ପାଇଥିଲେ । ଗରୁଡ଼ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ସ୍ୱର୍ଗରୁ ଗଙ୍ଗାଙ୍କୁ ଆଣିପାରିଲେ ହିଁ ସେମାନେ ପୁନର୍ଜୀବନ ଲାଭ କରିାରିବେ । ପରେ ଭଗୀରଥ ତାଙ୍କ ତପସ୍ୟାରେ ଗଙ୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ ।

ଗରୁଡ଼ଙ୍କର ସୁକୃତିର ଆହୁରି ବହୁ ବର୍ଣ୍ଣନା ପୁରାଣରେ ରହିଛି । ସୃଷ୍ଟିର ଆଦି କାଳରେ ଯେତେବେଳେ ସମୁଦ୍ର ମନ୍ଥନ ହେଲା, ସେତେବେଳେ ମନ୍ଦର ପର୍ବତ ଖୁଆଦଣ୍ଡ ରୂପେ ଓ ବାସୁକୀସର୍ପ ରଜ୍ଜୁ ରୂପେ ବ୍ୟବହୃତ ହୋଇଥିଲେ । ଦେବତା ଓ ଅସୁରମାନେ ବହୁ ଚେଷ୍ଟା କରି ମଧ୍ୟ ମନ୍ଦର ପର୍ବତକୁ କ୍ଷୀର ସମୁଦ୍ର ମଧ୍ୟକୁ ଆଣି ପାରି ନଥିଲେ । ତେଣୁ ବିଷ୍ଣୁଙ୍କୁ ସେଥିରେ ସାହାଯ୍ୟ କରିବାକୁ ପଡ଼ିଥିଲା । ବିଷ୍ଣୁଙ୍କ ନିର୍ଦ୍ଦେଶରେ ଗରୁଡ଼ ମନ୍ଦର ପର୍ବତକୁ ଓପାଡି କ୍ଷୀର ସମୁଦ୍ର ମଧ୍ୟକୁ ଟେକିନେଇ ଆସିଥିଲେ । ସେହିପରି ମନ୍ଥନ-ରଜ୍ଜୁ ହେବାପାଇଁ ବାସୁକୀ ପ୍ରଥମେ ରାଜି ହୋଇ ନଥିଲେ । ଫଳରେ ଗରୁଡ଼ ନାଗଲୋକଙ୍କୁ ଯାଇ ବାସୁକୀଙ୍କୁ

ଥଣ୍ଟରେ ଧରି ନେଇ ଆସିବାକୁ ଚେଷ୍ଟା କରିଥିଲେ । ମାତ୍ର ବାସୁକୀ ଏତେ ଲମ୍ବା ଥିଲେ ଯେ, ତାଙ୍କୁ ଆଣିବା ସମ୍ଭବ ହେଲା ନାହିଁ । ଫଳରେ ଶିବଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ।

ଗରୁଡ଼ଙ୍କ ସମ୍ପର୍କରେ ବିଭିନ୍ନ ପୁରାଣରେ ବହୁ କାହାଣୀ ଅଛି । ଏପରିକି ତାଙ୍କ ନାମରେ ‘ଗରୁଡ ପୁରାଣ’ ବୋଲି ଏକ ସ୍ୱତନ୍ତ୍ର ପୁରାଣ ରହିଛି । ତାହା ମୁଖ୍ୟ ପୁରାଣମାନଙ୍କ ମଧ୍ୟରୁ ଅନ୍ୟତମ । ସେଥିରେ ଉଣେଇଶି ହଜାର ଶ୍ଳୋକ ଅଛି । ସେଥିରୁ ଗରୁଡ଼ଙ୍କ ପରିବାର ସମ୍ପର୍କରେ ବିବରଣୀ ମିଳେ । ସେଥିରୁ ଜଣାଯାଏ ଯେ ଦକ୍ଷ ପ୍ରଜାପତିଙ୍କର ଚାରିକନ୍ୟାଙ୍କୁ ଗରୁଡ଼ ବିବାହ କରିଥିଲେ । କପୋତ ନାମରେ ତାଙ୍କର ଏକ ପୁତ୍ର ଜାତ ହୋଇଥିଲେ । ଜଟାୟୁ ମଧ୍ୟ ତାଙ୍କର ପୁତ୍ର ବୋଲି ବିଭିନ୍ନ ପୁରାଣରେ ଉଲ୍ଲେଖ ଅଛି । ତ୍ରେତୟା ଯୁଗରେ, ରାମାବତାର କାଳରେ ଭଗବାନ ବିଷ୍ଣୁ ଯେତେବେଳେ ପିତୃସତ୍ୟ ପାଳନ କରି ବନବାସ କରୁଥିଲେ, ସେତେବେଳେ ରାବଣ ସୀତାଙ୍କୁ ଚୋରାଇ ନେଇଥିଲା । ସେତେବେଳେ ଏହି ଜଟାୟୁ ହିଁ ରାବଣ ସହିତ ଯୁଦ୍ଧ କରି ପ୍ରାଣ ଦେଇଥିଲା ।

ଗରୁଡ଼ ହିନ୍ଦୁ ପୁରାଣମାନଙ୍କରେ ପକ୍ଷୀ ଦେବତା ଭାବରେ ଖ୍ୟାତ ହେଲେ ହେଁ ତାଙ୍କର ସ୍ୱତନ୍ତ୍ର ପୂଜା ପ୍ରାୟ କରାଯାଏ ନାହିଁ । ବିଷ୍ଣୁଙ୍କ ବାହନ ରୂପେ ହିଁ ତାଙ୍କୁ ବିଷ୍ଣୁଙ୍କ ସହିତ ପୂଜା କଯାଯାଇଥାଏ । ସେଥିପାଇଁ ଗରୁଡ଼ଙ୍କର ଗୋଟିଏ ନାଆଁ ବିଷ୍ଣୁରଥ ।

‘ଅମରକୋଷ’ରେ ଗରୁଡ଼ଙ୍କର ଲୋକପ୍ରିୟ ନାମ ଗୁଡ଼ିକର ବିବରଣୀ ରହିଛି । ସେଥିରୁ ତାର୍କ୍ଷ୍ୟ, ବୈନତେୟ, ନାଗାନ୍ତକ, ସୁପର୍ଣ୍ଣ, ପନ୍ନଗାସନ ଆଦି ନାମ ମିଳେ ।

‘ପକ୍ଷୀ ଓଁ ସ୍ୱାହା’ ଗରୁଡ଼ ପୁରାଣର ମୁଖ୍ୟମନ୍ତ୍ର । ସର୍ପ ବିଷ ନାଶ କରିବା ପାଇଁ ସେହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ । ସର୍ପବିଷନାଶକ ବିଦ୍ୟାକୁ ସେଥିପାଇଁ ଗାରୁଡ଼ ବିଦ୍ୟା ବୋଲି ମଧ୍ୟ କୁହାଯାଇଥାଏ । ଗରୁଡ଼ ନାଗାନ୍ତକ ଓ ପନ୍ନଗାସନ । ତେଣୁ ତାଙ୍କ ନାମ ସର୍ପବିଷନାଶକ ବୋଲି ମଧ୍ୟ ବିଶ୍ୱାସ ରହିଛି । ସର୍ପବିଷନାଶକ ଏକ ଗୁଳ୍ମର ନାମ ମଧ୍ୟ ପାତାଳ ଗରୁଡ଼ । ତେଣୁ ଅନେକତ୍ର ସର୍ପଭୟ ଦୂର କରିବା ପାଇଁ ଗରୁଡଙ୍କୁ ହିଁ ପୂଜା କରାଯିବାର ବିଧି ରହିଛି ।

ଗରୁଡ଼ଙ୍କର ଗୋଟିଏ ଧ୍ୟାନଶ୍ଳୋକରେ ତାଙ୍କ ଗୁଣ ଓ କର୍ମର ସୁନ୍ଦର ବର୍ଣ୍ଣନା ଅଛି-

ନିତ୍ୟଂ ପଦ୍ମାଳୟେଶଂ ଦ୍ରୁତଗତିଂ ବପୁଷା ପୃଷ୍ଠଭାଗେ ବହନ୍ତଂ ।
ବୀରଂ ଚକ୍ରୀ କୁଳାନାମବିରତ ସକଳ ଛେଦନେ ବଜ୍ରଦକ୍ଷମ୍ ॥
ପକ୍ଷାଘାତୈ ରିପୂଣାମକଳନଦଳନେ ଧୂରିଣଂ କାଶ୍ୟପେୟଂ ।
ବନ୍ଦେ ଶ୍ରୀକାନ୍ତ ବକ୍ତ୍ରାଭିମୁଖ ମବିରତଂ ଖେଚରଂ ବୈନତେୟମ୍ ॥

Aama Debadebi.pdf
ବାସୁକୀ

ଆମ ପୁରାଣରେ ଯେତେଗୁଡ଼ିଏ ସର୍ପଙ୍କର ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ସବୁଠୁ ଜଣାଶୁଣା ହେଉଛି କାଳୀୟ । ଦୁଷ୍ଟ ସ୍ୱଭାବ ଯୋଗୁଁ ଶ୍ରୀକୃଷ୍ଣ ତାହାକୁ ଦଳନ କରିଥିଲେ । କିନ୍ତୁ ସର୍ପ ମାତ୍ରେ ଦୁଷ୍ଟ ଓ ଦୁରାଚାରୀ ନୁହନ୍ତି । ଭଲ ସ୍ୱଭାବର ସର୍ପଙ୍କୁ ଦେବତା ରୂପେ ପୂଜା ମଧ୍ୟ କରାଯାଏ । ସେହି ସର୍ପମାନଙ୍କ ମଧ୍ୟରୁ ଗୋଟିଏ ହେଉଛନ୍ତି ବାସୁକୀ ।

ଆମେ ଜାଣୁ ଯେ କଶ୍ୟପ ଋଷିଙ୍କର ଦୁଇ ପତ୍ନୀ ହେଉଛନ୍ତି ବିନତା ଓ କଦ୍ରୁ । ବିନତାଙ୍କ ଗର୍ଭରୁ ଅରୁଣ ଓ ଗରୁଡ଼ ନାମରେ ଦୁଇ ପୁତ୍ର ଏବଂ କଦ୍ରୁଙ୍କ ଗର୍ଭରୁ ସହସ୍ର ଉରଗ ଓ ନାଗ ଜାତ ହୋଇଥିଲେ । ସେହି ସହସ୍ର ସର୍ପଙ୍କ ମଧ୍ୟରୁ ଦୁଇ ପ୍ରମୁଖ ସର୍ପ ହେଉଛନ୍ତି ଅନନ୍ତ ଓ ବାସୁକୀ ।

କିନ୍ତୁ ନିଜର ଅନ୍ୟ ଭାଇମାନଙ୍କ ପରି ଅନନ୍ତ ଓ ବାସୁକୀ ଦୁଷ୍ଟ ନଥିଲେ । ଦୁହେଁ ଥିଲେ ଭଲ ସ୍ୱଭାବର । ସେମାନେ କାହାର ଅନିଷ୍ଟ କରୁ ନଥିଲେ । କେହି ଜାଣିଶୁଣି କାହାର ଅନିଷ୍ଟ କରିବା ସେମାନେ ସହି ବି ପାରୁ ନଥିଲେ ।

ଥରେ କଶ୍ୟପଙ୍କ ଦୁଇ ପତ୍ନୀ ବିନତା ଓ କଦ୍ରୁଙ୍କ ମଧ୍ୟରେ ଜିଦାଜିଦି ପଡ଼ିଲା । କଦ୍ରୁ କହିଲେ, ଇନ୍ଦ୍ରଙ୍କ ଅଶ୍ୱ ଉଚ୍ଚୈଶ୍ରବାର ଲାଞ୍ଜ କଳା । ମାତ୍ର ବିନତା କହିଲେ ଉଚ୍ଚୈଶ୍ରବା ଦେଖିବାକୁ ଶଙ୍ଖ ପରି ଧଳା; ତେଣୁ ତାହାର ଲାଞ୍ଜ ମଧ୍ୟ ଧଳା । କେହି କାହା କଥାରେ ରାଜି ହେଲେ ନାହିଁ । ତେଣୁ ସ୍ଥିର କରାହେଲା, ପରଦିନ ସକାଳେ ଦୁହେଁ ନିଜେ ଯାଇ ଦେଖିବେ, ଉଚ୍ଚୈଶ୍ରବାର ଲାଞ୍ଜ କଳା ନା ଧଳା । ତା’ ପରେ ଦୁହେଁ ଯେ ଯାହା ଘରକୁ ଶୋଇବାକୁ ଗଲେ । କଦ୍ରୁଙ୍କ ଆଖିକୁ କିନ୍ତୁ ନିଦ ଆସିଲା ନାହିଁ । କାରଣ ସେ ଜାଣିଥିଲେ ଉଚ୍ଚୈଶ୍ରବା ଧଳା, ତେଣୁ ତା’ର ଲାଞ୍ଜ ମଧ୍ୟ ଧଳା । ବିନତାଙ୍କ କଥା ସତ ହେଲେ କଦ୍ରୁ ତାଙ୍କର ଦାସୀ ହେବାକୁ ବାଧ୍ୟ ହେବେ । ତେଣୁ ଭାବିଚିନ୍ତି ସେ ଗୋଟିଏ ଉପାୟ ପାଞ୍ଚିଲେ । ନିଜର ପୁଅମାନଙ୍କୁ ଡାକି କହିଲେ, ତୁମେମାନେ ଯାଇ ଉଚ୍ଚୈଶ୍ରବାର ଲାଞ୍ଜରେ ଏପରି ଭାବରେ ଝୁଲି ରହ, ଯେମିତିକି ଉଚ୍ଚୈଶ୍ରବାର ଲାଞ୍ଜ କଳା ଦେଖାଯିବ । ମାଆ କଦ୍ରୁଙ୍କ କଥା ଅନ୍ୟ ପୁଅମାନେ ମାନିଲେ; ମାତ୍ର ଅନନ୍ତ ଓ ବାସୁକୀଙ୍କ ପରି ସାଧୁ ସ୍ୱଭାବର ପୁଅ ମାନିଲେ ନାହିଁ । କହିଲେ, ଯାହା ସତ, ଛଳନା କରି ତାହାକୁ ମିଛ ବୋଲି କହିବା ଠିକ୍ ନୁହେଁ । ପୁଣି ସେହି ମିଛ ଦ୍ୱାରା ଅନ୍ୟକୁ ଠକିବା ଆହୁରି ଅନ୍ୟାୟ ।

ଅନନ୍ତ ଓ ବାସୁକୀଙ୍କ କଥା ଶୁଣି କଦ୍ରୁ ରାଗିଗଲେ । କହିଲେ, ମୁଁ ମାଆ । ମାଆର କଥା ପୁଅ ମାନିବା ଉଚିତ । କିନ୍ତୁ ଅନନ୍ତ ଓ ବାସୁକୀ କହିଲେ, ଯେଉଁ ମାଆ ପୁଅକୁ ମିଛ କହିବା ଶିଖାଏ, ଅନ୍ୟକୁ ଠକିବାକୁ କହେ, ସେ ମାଆ ମାଆ ନୁହେଁ । ଆମେ ତୁମ ପାଖରେ ଆଉ ରହିବୁ ନାହିଁ । ଏହା କହି ଦୁହେଁ କଦ୍ରୁଙ୍କୁ ଛାଡ଼ି ଚାଲିଗଲେ । ଅନନ୍ତ ଯାଇ ପାତାଳରେ ଏକ ସ୍ୱତନ୍ତ୍ର ରାଜ୍ୟ କରି ରହିଲେ ।

ଏଥିରୁ ଗୋଟିଏ କଥା ଜଣାଯାଏ ଯେ, ସର୍ପରେ ଜାତ ହେଲେ ମଧ୍ୟ ଅନନ୍ତ ଓ ବାସୁକୀ ସ୍ୱଭାବରେ ଥିଲେ ସତ୍ । ବହୁ ମହତ୍ କାର୍ଯ୍ୟରେ ସେମାନେ ସହଯୋଗ କରିଥିଲେ । ବାସୁକୀଙ୍କ ମହତ୍ କାର୍ଯ୍ୟ ମଧ୍ୟରେ ସମୁଦ୍ର ମନ୍ଥନ ଓ ତ୍ରିପୁର ଦହନ ଅନ୍ୟତମ ।

ଦୁର୍ବାସାଙ୍କ ଅଭିଶାପରେ ଥରେ ସ୍ୱର୍ଗରୁ ଲକ୍ଷ୍ମୀ ଛାଡ଼ି ଚାଲିଗଲେ । ସ୍ୱର୍ଗ ରାଜ୍ୟ ଶ୍ରୀହୀନ ହୋଇଗଲା । ଦେବତାମାନଙ୍କର ମହତ୍ତ୍ୱ ରହିଲା ନାହିଁ । ତେଣୁ ସମୁଦ୍ର ମନ୍ଥନ କରି ଅମୃତ ଆଣିବା ଦରକାର ପଡ଼ିଲା । ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରିବା କଥା ସ୍ଥିର ହେଲା । ମନ୍ଦର ପର୍ବତ ହେଲା ଖୁଆଦଣ୍ଡ । ମନ୍ଥନରଜ୍ଜୁ ପାଇଁ ବାସୁକୀଙ୍କର ଦରକାର ପଡ଼ିଲା । ଦେବତା ଓ ଗନ୍ଧର୍ବମାନେ ବାସୁକୀଙ୍କୁ ଆଣିବା ପାଇଁ ଚେଷ୍ଟା କରି ବିଫଳ ହେଲେ । ଶେଷକୁ ଗରୁଡ଼ ବାହାରିଲେ । ପୂର୍ବରୁ ସମସ୍ତଙ୍କର ଚେଷ୍ଟା ବିଫଳ ହେଲା ପରେ ସେ ମନ୍ଦର ପର୍ବତକୁ ମଧ୍ୟ ଶୂନ୍ୟେ ଶୂନ୍ୟେ ଟେକି ଆଣିଥିଲେ । ଫଳରେ ତାଙ୍କ ଉପରେ ସମସ୍ତଙ୍କର ଭରସା ଥିଲା । ତେଣୁ ବାସୁକୀଙ୍କୁ ଆଣିବା ପାଇଁ ଗରୁଡ଼ ଚାଲିଳେ ନାଗ ଲୋକକୁ । ସମ୍ପର୍କରେ ପୁଣି ବାସୁକୀ ଥିଲେ ତାଙ୍କର ବଡ଼ ଭାଇ । ତେଣୁ ନାଗଲୋକକୁ ଯାଇ ସେ ବାସୁକୀଙ୍କୁ ପ୍ରାର୍ଥନା କଲେ । ମାତ୍ର ବାସୁକୀ କହିଲେ, ମୋ ଯିବା ଯଦି ଜରୁରୀ, ତେବେ ସେଠାକୁ ଯିବା ପାଇଁ ମୋର ଆପତ୍ତି ନାହିଁ । ମାତ୍ର ମୁଁ ନିଜେ ସେଠାକୁ ଯିବିନାହିଁ । ମତେ ସେଠାକୁ ନେବାକୁ ପଡ଼ିବ । ତାହା ଶୁଣି ଗରୁଡ଼ କହିଲେ, ଏଇ ସାମାନ୍ୟ କଥା ତ! ଦେଖ, ଆଖି ପିଛୁଳାକେ ମୁଁ ତୁମକୁ ଶୂନ୍ୟେ ଶୂନ୍ୟେ ଟେକିନେଇ ଚାଲିଯିବି ।

ଏହା କହି ଗରୁଡ଼ ନିଜ ଥଣ୍ଟରେ ବାସୁକୀଙ୍କୁ ମଝିରୁ ଧରି ଆକାଶକୁ ଉଠିଲେ । ଉଡ଼ି ଉଡ଼ି ଆଖି ଯୋଉଯାଏ ପାଇବ ସେ ଯାଏ ଉଡିଲେ; ମାତ୍ର ବାସୁକୀ ଏତେ ଲମ୍ବା ଥିଲେ ଯେ ମୁଣ୍ଡପଟ ଓ ଲାଞ୍ଜପଟ ମାଟି ଭିତରୁ ଉଠିଲା ନାହିଁ । ମୋଟା ଦି’ ସରିଆ ଦଉଡି ପରି ବାସୁକୀଙ୍କର ଲମ୍ବା ଶରୀରର ମଝିଭାଗ ଗରୁଡ଼ଙ୍କ ଥଣ୍ଟରୁ ଝୁଲୁଥାଏ । ତେଣୁ ହତାଶ ହୋଇ ଗରୁଡ ତଳକୁ ଓହ୍ଲାଇ ଆସିଲେ । ବାସୁକୀଙ୍କୁ ଚାରିସରି କରି ଥଣ୍ଟରେ ଧରି ପୁଣି ଆକାଶକୁ ଉଠିଲେ । ମାତ୍ର ଯେତେ ଉପରକୁ ଗଲେ ବି ବାସୁକୀଙ୍କର ମୁଣ୍ଡପଟ ଓ ଲାଞ୍ଜପଟ ଭୂଇଁ ଛାଡ଼ିଲା ନାହିଁ । ବାସୁକୀ ଯେ ଏତେ ଲମ୍ବା ତାହା ଗରୁଡ଼ଙ୍କର କଳ୍ପନା ବାହାରେ ଥିଲା । ବାସୁକୀ କେତେ ଲମ୍ବା ତାହା ସେ କଳନା ମଧ୍ୟ କରିପାରିଲେ ନାହିଁ । ଗରୁଡ଼ଙ୍କର ଗର୍ବ ଚୂନା ହେଲା । ସେ ବୁଝିପାରିଲେ ଯେ ବାସୁକୀଙ୍କୁ ଥଣ୍ଟରେ ଟେକି ନେବାକୁ ଆସ୍ଫାଳନ କରିବା ବୃଥା । ବିଷ୍ଣୁ ସେ କଥା ଜାଣି ଗରୁଡ଼ଙ୍କ ଉପରେ ଅସନ୍ତୁଷ୍ଟ ହେଲେ । କହିଲେ, ନିଜର ଶକ୍ତି ବା କ୍ଷମତାକୁ ନେଇ ଏତେ ଅହଂକାର କରିବା ଉଚିତ ନୁହେଁ । ସବୁବେଳେ ଭାବିବା ଉଚିତ ଯେ, ମୁଁ ସବୁଠୁ ବଡ଼ ଜ୍ଞାନୀ, ଗୁଣୀ ଓ ପରାକ୍ରମୀ ନୁହେଁ; ମୋ ଠାରୁ ଆହୁରି ବଡ଼ ଜ୍ଞାନୀ, ଗୁଣୀ ଓ ପରାକ୍ରମୀ ଅଛନ୍ତି । ବିଷ୍ଣୁଙ୍କ କଥାର ମର୍ମ ବୁଝି ଗରୁଡ଼ ନିଜର ବୃଥା ଆସ୍ଫାଳନ ପାଇଁ ଲଜ୍ଜିତ ହେଲେ ।

କିନ୍ତୁ ଯେପରି ହେଉ, ବାସୁକୀଙ୍କୁ ତ ସମୁଦ୍ର ମନ୍ଥନ ପାଇଁ ଆଣିବାକୁ ପଡ଼ିବ! ନ ହେଲେ ସ୍ୱର୍ଗରାଜ୍ୟର ଶ୍ରୀ ଫେରିବ ନାହିଁ । ତେଣୁ ଶେଷରେ ଶିବଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ।

ଶିବ ସାଙ୍ଗେସାଙ୍ଗେ ହାତ ବଢ଼ାଇ ବାସୁକୀଙ୍କୁ ଟେକି ନେଇ ଆସିଲେ । ବାସୁକୀ ତାଙ୍କର ବାହୁର ଏକ ଭୂଷଣ ରୂପେ ଶୋଭା ପାଇଲେ । ତା’ପରେ ବିଷ୍ଣୁ ତାଙ୍କୁ ଆଣି କ୍ଷୀରସାଗର ତୀରରେ ଛାଡ଼ିଦେଲେ । ତା’ପରେ ତାଙ୍କୁ ଦଉଡ଼ି ରୂପେ ବ୍ୟବହାର କରାଯାଇ, ମନ୍ଦର ପର୍ବତର ଖୁଆଦଣ୍ଡରେ ସମୁଦ୍ର ମନ୍ଥନ ହେଲା । ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ପାନ କରି ଦେବତାମାନେ ଅମର ହେଲେ । ସ୍ୱର୍ଗରାଜ୍ୟର ଶ୍ରୀ ପୁଣି ଫେରି ଆସିଲା । ଦେବତାମାନେ ମଧ୍ୟ ସେମାନଙ୍କର ପୂର୍ବ ମହତ୍ତ୍ୱ ଫେରି ପାଇଲେ ।

ଆଉ ଗୋଟିଏ ମହତ୍ କାର୍ଯ୍ୟରେ ମଧ୍ୟ ବାସୁକୀ ରଜ୍ଜୁ ପରି ବ୍ୟବହୃତ ହୋଇଥିଲେ । ସେହି କାର୍ଯ୍ୟଟି ହେଉଛି ତ୍ରିପୁର ସଂହାର । ସେହି କାହାଣୀଟି ଏହିପରି-

ପ୍ରାଚୀନ କାଳରେ ତାରକ ନାମରେ ଏକ ଅସୁର ଥିଲା । ତା’ର ଥିଲେ ତିନି ପୁଅ- କମଳାକ୍ଷ, ତାରକାକ୍ଷ ଓ ବିଦ୍ୟୁନ୍ମାଳୀ । ବ୍ରହ୍ମାଙ୍କ ଠାରୁ ବର ପାଇବା ପାଇଁ ସେମାନେ କଠୋର ତପସ୍ୟା କଲେ । ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ବର ଯାଚିବାରୁ ସେମାନେ କହିଲେ, ଆମେ ତିନି ଭାଇ ତିନିଟି ଅଲଗା ଅଲଗା ପୁରରେ ରହିବାକୁ ଚାହୁଁ । ସେଇ ତିନିଟି ପୁର ତ୍ରିପୁର ନାମରେ ଖ୍ୟାତ ହେବ । ଆକାଶ ମାର୍ଗରେ ସେହି ପୁର ଯେତେବେଳେ ଯୁଆଡେ଼ ଚାହିଁବ ଉଡ଼ି ଯାଇପାରିବ । ପ୍ରତି ହଜାରେ ବର୍ଷରେ ଥରେ ତିନିଟିଯାକ ପୁର ଅଳ୍ପ ସମୟ ପାଇଁ ଏକାଠି ହେବେ । ସେତିକିବେଳେ ଗୋଟିଏ ତୀରରେ ଯଦି ତିନିଟିଯାକ ପୁର ଧ୍ୱଂସ ହେବ, ତା’ ହେଲେ ସେମାନେ ମରିବେ, ନ ହେଲେ ନାହିଁ ।

ବ୍ରହ୍ମା ସେମାନଙ୍କୁ ସେହି ବର ଦେଲେ ।

ବ୍ରହ୍ମାଙ୍କଠାରୁ ବର ପାଇବା ପରେ ମାୟ ଦ୍ୱାରା ସେହି ତିନିପୁରର ନିର୍ମାଣ କରାଗଲା । ଗୋଟିଏ ସୁନାରେ, ଆରଟି ରୂପାରେ ଓ ଶେଷଟି ଲୁହାରେ ତିଆରି ହେଲା । ପୁର ତିନିଟି କେତେବେଳେ କୁଆଡେ଼ ବୁଲିବେ, ତାହାର ନିୟନ୍ତ୍ରଣ ଭାର ରହିଲା ବିରୋଚନଙ୍କ ପୁଅ ବାଣ ହାତରେ ।

ମାତ୍ର ସେତିକିରେ ସେମାନେ ସନ୍ତୁଷ୍ଟ ହେଲେ ନାହିଁ । ତାରକାସୁରର ପୁଅ ହରି ମଧ୍ୟ ବ୍ରହ୍ମାଙ୍କୁ ତପସ୍ୟା କରି ସନ୍ତୁଷ୍ଟ କଲା ଓ ତାଙ୍କଠାରୁ ଏକ ଅମୃତକୁଣ୍ଡ ବର ରୂପେ ପାଇଲା । ସେହି ଅମୃତକୁଣ୍ଡଟି ସେହି ତ୍ରିପୁର ମଧ୍ୟରୁ ଗୋଟିକରେ ରହିଲା । ଫଳରେ ଯେଉଁସବୁ ଅସୁରଙ୍କର ମୃତ୍ୟୁ ହେଉଥିଲା, ସେମାନଙ୍କୁ ସେହି ଅମୃତ କୁଣ୍ଡରେ ପକାଇ ସେମାନେ ଜୀଆଇ ଦେଉଥିଲେ । ଏପରି ହେବା ଫଳରେ ଆଉ ଜଣେ ହେଲେ ଅସୁର ମଲେ ନାହିଁ । ଅସୁର ବଂଶ ଦିନକୁ ଦିନ ବଢ଼ି ବଢ଼ି ଚାଲିଲା । ପୁଣି ଅମୃତ ପାନ କରି ସେମାନେ ପ୍ରମତ୍ତ ହେଲେ । ଦେବତାମାନଙ୍କ ପ୍ରତି ମଧ୍ୟ ଖାତର କଲେ ନାହିଁ । ଦେବତାମାନଙ୍କୁ ଟିଟ୍ଟିକାର ମାରିଲେ । ଫଳରେ ଦେବତାମାନେ କ୍ଷୁବ୍ଧ ହୋଇ ଶିବଙ୍କ ଆଗରେ ଯାଇ ଗୁହାରି କଲେ ।

ଅସୁରମାନେ ଦେବତାମାନଙ୍କୁ ଥଟ୍ଟା ପରିହାସ କରୁଥିବା ଜାଣି ଶିବ ଚିନ୍ତିତ ହେଲେ । କାହିଁ କେଉଁ ହଜାରେ ବର୍ଷରେ ଥରେ ତିନିଟି ଯାକ ପୁର କ୍ଷଣକ ପାଇଁ ଏକା ଧାଡ଼ିରେ ରହିବେ ଏବଂ ସେତିକିବେଳେ ହିଁ ସେ ତିନି ପୁରକୁ ଗୋଟିଏ ତୀରରେ ସଂହାର କରିବାକୁ ପଡ଼ିବ । ସେଥିପାଇଁ ସେହିଭଳି ଶକ୍ତିଶାଳୀ ଧନୁ ଓ ତୀର ଆବଶ୍ୟକ ।

ବହୁ ଚିନ୍ତା କଲା ପରେ ଶିବ ଠିକ୍ କଲେ, ମନ୍ଦର ପର୍ବତକୁ ଧନୁ କରିବେ । ସେହି ଧନୁର ଗୁଣ ହେବା ପାଇଁ ସେହିପରି ଶକ୍ତ ଓ ଦୀର୍ଘ ଦଉଡି ଆବଶ୍ୟକ । ତେଣୁ ବାସୁକୀଙ୍କୁ ହିଁ ସେ ସେହି ଧନୁର ଗୁଣ ପାଇଁ ବାଛିଲେ । ବିଷ୍ଣୁ ହେଲେ ଧନୁର ତୀର । ଅଗ୍ନି ରହିଲେ ତୀରର ଅଗ୍ର ଭାଗରେ । ବାୟୁ ରହିଲେ ତୀରର ପଶ୍ଚାତ୍ ଭାଗରେ । ପୃଥିବୀ ହେଲା ତାଙ୍କର ରଥ, ରଥର ଅଖ ମଧ୍ୟ ବାସୁକୀ ହେଲେ । ଚାରିବେଦ ହେଲେ ରଥର ଚାରି ଅଶ୍ୱ । ଏ ସବୁକୁ ସଜ କରି ରଖି ଶିବ ତିନିଟିଯାକ ପୁର ଏକା ଧାଡ଼ିରେ ରହିବାର ସୁଯୋଗକୁ ଅପେକ୍ଷା କଲେ । ସହସ୍ର ବର୍ଷ ପରେ ଯେତେବେଳେ ତିନିଟିଯାକ ପୁର ଏକାଠି ହେଲେ, ସେତେବେଳେ ସେହି ତୀର ମାରି ସେ ଏକାବେଳକେ ତ୍ରିପୁରକୁ ଧ୍ୱଂସ କରିଦେଲେ । ସେହିଦିନୁ ତାଙ୍କର ଗୋଟିଏ ନାଆଁ ହେଲା ତ୍ରିପୁରାରି ।

ବାସୁକୀଙ୍କ ସମ୍ପର୍କରେ ପୁରାଣରେ ଆହୁରି ଅନେକ କାହାଣୀ ଲେଖା ଅଛି । ସେ ସବୁ ମଧ୍ୟରୁ ଗୋଟିଏ କାହାଣୀ ଖୁବ୍ ମଜାଦାର । ସେହି କାହାଣୀଟି ହେଉଛି- ଥରେ ବାସୁକୀ ଓ ବାୟୁଙ୍କ ମଧ୍ୟରେ ବିବାଦ ହେଲା । ବାସୁକୀ କହିଲେ ମୋର ବଳ ବେଶି ଓ ବାୟୁ କହିଲେ ମୋର ବଳ ବେଶି । କୌଣସି ସମାଧାନ ହୋଇ ନପାରି ଉଭୟଙ୍କ ମଧ୍ୟରେ ବଳ କଷାକଷି ହେବାକୁ ସ୍ଥିର ହେଲା । କଥା ହେଲା, ବାସୁକୀ ଯାଇ ମହାମେରୁ ପର୍ବତର ଚାରିପାଖରେ ଗୁଡେ଼ଇ ହୋଇଯିବେ । ବାୟୁ ତୀବ୍ର ବେଗରେ ବହି ତାଙ୍କୁ ଉଡ଼ାଇ ନେବାକୁ ଚେଷ୍ଟା କରିବେ । ତେଣୁ ବାସୁକୀ ଯାଇ ମହାମେରୁ ପର୍ବତ ଦେହରେ ଏପରି ଗୁଡେ଼ଇ ହୋଇଗଲେ, ଯେମିତିକି ବାୟୁ ସେଠାରେ ପଶି ପାରିବେ ନାହିଁ । ତାହା ଦେଖି ବାୟୁ ଉତ୍‌କ୍ଷିପ୍ତ ହୋଇ ପ୍ରଖର ବେଗରେ ବହିଲେ । ପ୍ରବଳ ଝଞ୍ଜାରେ ପୃଥିବୀ ଥରହର ହେଲା । ମନେହେଲା, ମହାମେରୁ ଭୁଶୁଡି ପଡ଼ିବ । ମହାମେରୁର ଚାରିପଟରେ ରହିଥାଏ କୋଡ଼ିଏଟି ପର୍ବତ । ବାସୁକୀ ସେଥିରେ ଏପରି ଗୁଡେଇ ହୋଇ ରହି ଥାଆନ୍ତି ଯେ ସବୁଗୁଡ଼ିକ ଏକାକାର ମନେ ହେଉଥାଏ । ପ୍ରଖର ଝଞ୍ଜା ସତ୍ତ୍ୱେ କେହି ଟିକିଏ ହେଲେ ଚଙ୍କୁ ନଥାନ୍ତି । ବେଳକୁ ବେଳ ପବନ ପ୍ରବଳ ହେଉଥାଏ । ଅବସ୍ଥା ଏପରି ହେଲା ଯେ ପୃଥିବୀ ଥରଥର ହୋଇ କମ୍ପିଲା । ଦେବତାମାନେ ଭୟ ପାଇଗଲେ । ସାଙ୍ଗରେ ବ୍ରହ୍ମା ଓ ଶିବଙ୍କୁ ଧରି ଯାଇ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ । ସବୁ ଶୁଣି ବିଷ୍ଣୁ ବୈକୁଣ୍ଠ ପୁରରୁ ଆସି ପହଞ୍ଚିଲେ ଏବଂ ସେହି ବଳ କଷାକଷି ବନ୍ଦ କରିବାକୁ କହିଲେ । ତାଙ୍କ କଥା ମାନି ବାସୁକୀ ନିଜକୁ କ୍ରମେ ହୁଗୁଳା ଖରି ଆସ୍ତେ ଆସ୍ତେ କୁଣ୍ଡଳୀ ଫିଟାଇଦେଲେ ।

କିନ୍ତୁ ବାୟୁଙ୍କର ତ ରାଗ ଥାଏ । ଯେମିତି ଗୋଟାଏ ପଟ ଖୋଲା ଦେଖିଛନ୍ତି ହୁ’ କରି ପ୍ରବଳ ବେଗରେ ପଶି ଆସିଲେ । ସେହି ବେଗରେ ମେରୁ ପର୍ବତକୁ ବେଢ଼ି ରହିଥିବା ପର୍ବତଗୁଡ଼ିକ ମଧ୍ୟରୁ ଗୋଟିଏ ପର୍ବତ ଭାଙ୍ଗି ଦକ୍ଷିଣକୁ ଉଡିଗଲା । ଯାଇ ଭାରତ ମହାସାଗରରେ ପଡ଼ିଲା । ସେଇଟି ଥିଲା ତ୍ରିକୂଟ ପର୍ବତ । ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ ରାବଣର ଲଙ୍କାପୁର ପ୍ରଥମେ ଉତ୍ତରରେ- ମହାମେରୁର ତ୍ରିକୂଟ ପର୍ବତ ଉପରେ ଥିଲା । ସେହି ଦିନଠୁ ତାହା ଦକ୍ଷିଣକୁ ଉଡି ଆସି ଭାରତ ମହାସାଗରରେ ପଡ଼ିଲା । ଫଳରେ ତାହା ଦକ୍ଷିଣର ଗୋଟିଏ ଦ୍ୱୀପରେ ପରିଣତ ହୋଇଗଲା ।

ବାସୁକୀଙ୍କ କୃତିତ୍ୱ ଓ ପରାକ୍ରମର ଆହୁରି ବହୁ ଉଦାହରଣ ପୁରାଣରେ ରହିଛି । ଭୀମ ଛୋଟ ଥିବାବେଳେ ତାଙ୍କୁ ଥରେ ବିଷ ଖୁଆଇ ଗଙ୍ଗାରେ ପିଙ୍ଗି ଦିଆଯାଇଥିଲା । ଭୀମ ପାଣିରେ ବୁଡ଼ି ନାଗଲୋକକୁ ଚାଲି ଯାଇଥିଲେ । ସେ ନାଗଲୋକରେ ପହଞ୍ଚିବା ମାତ୍ରେ ନାଗମାନେ ଧାଇଁ ଆସି ତାଙ୍କୁ ଦଂଶନ କଲେ । ଫଳରେ ବିଷକୁ ବିଷ କାଟିଲା । ଭୀମଙ୍କ ଚେତା ଫେରିଲା । ଅର୍ଯ୍ୟକ ନାମକ ଏକ ନାଗ ସହିତ ତାଙ୍କର ପରିଚୟ ହେଲା । ସେ ଭୀମଙ୍କୁ ବାସୁକୀଙ୍କ ସହିତ ସାକ୍ଷାତ କରାଇଲେ । ବାସୁକୀ ଭୀମଙ୍କୁ ଅମୃତ ପାନ କରିବାକୁ ଦେଲେ; ଫଳରେ ଭୀମ ପ୍ରବଳ ପରାକ୍ରମୀ ହୋଇପାରିଲେ । କେବଳ ଭୀମଙ୍କ ପ୍ରତି ନୁହେଁ, ପାଣ୍ଡବଙ୍କ ପ୍ରତି ମଧ୍ୟ ବାସୁକୀଙ୍କର ପ୍ରଚୁର ଶ୍ରଦ୍ଧା ଥିଲା । କର୍ଣ୍ଣ ଓ ଅର୍ଜୁନଙ୍କ ପ୍ରତି ସେ ଶୁଭେଚ୍ଛୁ ଥିଲେ । କାର୍ତ୍ତିକଙ୍କୁ ସେ ଜୟ ଓ ମହାଜୟ ନାମକ ଦୁଇଟି ଫୁଲ ଉପହାର ଦେଇଥିଲେ । ବଳରାମଙ୍କ ଦେହତ୍ୟାଗ ପରେ ତାଙ୍କର ପ୍ରାଣ ଯେତେବେଳେ ସର୍ପ ରୂପରେ ପାତାଳକୁ ଗଲା, ସେତେବେଳେ ବାସୁକୀ ତାଙ୍କୁ ସ୍ୱାଗତ କରିଥିଲେ ।

ମାତ୍ର ବାସୁକୀଙ୍କର ଆଉ ଗୋଟିଏ ଗୁରୁତ୍ୱୂର୍ଣ୍ଣ ଭୂମିକା ରହିଛି । ପୃଥିବୀକୁ ନିଜର ଫଣା ଉପରେ ଧରିଥିବା ସପ୍ତନାଗଙ୍କ ମଧ୍ୟରୁ ସେ ଜଣେ ।

ନିଜର ସଦ୍‌ଗୁଣ ଯୋଗୁଁ ବାସୁକୀ ନାଗମାନଙ୍କର ରାଜା ହୋଇଥିଲେ । ସେଥିାଇଁ ସେ ନାଗରାଟ, ନାଗରାଜ, ନାଗେନ୍ଦ୍ର, ପନ୍ନଗ, ପନ୍ନଗରାଟ, ସର୍ପରାଜ ଆଦି ଅନେକଗୁଡ଼ିଏ ନାମରେ ପରଚିତ । ସର୍ପରେ ଜାତ ହେଲେ ହେଁ ମହତ୍ ସ୍ୱଭାବ ଯୋଗୁଁ ତାଙ୍କୁ ଦେବତା ରୂପେ ମାନ୍ୟତା ଦିଆଯାଇଥାଏ । ସେଥିପାଇଁ ନାଗରାଜ ବାସୁକୀଙ୍କ ଏକ ଧ୍ୟାନଶ୍ଳୋକରେ କୁହାଯାଇଛି-

ପ୍ରସୀଦ ନାଗେନ୍ଦ୍ର ଧରାଧରେଶ ସର୍ବାମରୈର୍ବନ୍ଦିତ ପାଦପଦ୍ମ
ନାନା ଫଣାମଣ୍ଡଳ ରାଜମାନ ଗୃହାଣ ଭକ୍ତିଂ ଭଗବନ୍ମମସ୍ତେ ।

Aama Debadebi.pdf
ନବଗୁଞ୍ଜର

ଆମ ପୁରାଣମାନଙ୍କରେ ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଅବତାର ସମ୍ପର୍କରେ ବର୍ଣ୍ଣନା ଅଛି । ଯେତେବେଳେ ପୃଥିବୀରେ ପାପର ଭାର ବେଶି ହୋଇଯାଏ, ସେତେବେଳେ ଭଗବାନ୍ ବିଷ୍ଣୁ ପୃଥିବୀରେ ନୂଆ ରୂପରେ ଆବିର୍ଭାବ ହୁଅନ୍ତି । ତାହା ତାଙ୍କର ଅବତାର । ଆମ ପୁରାଣରେ ଭଗବାନ୍ ବିଷ୍ଣୁଙ୍କର ୧୦ଟି ମୁଖ୍ୟ ଅବତାର ସମ୍ପର୍କରେ ବର୍ଣ୍ଣନା ଅଛି । ମାତ୍ର ତାଙ୍କର ୨୪ଟି

ଲୀଳାବତାର ସମ୍ପର୍କରେ ମଧ୍ୟ ପୁରାଣମାନଙ୍କରେ ଉଲ୍ଲେଖ ମିଳେ । କିନ୍ତୁ ଭଗବାନ ବିଷ୍ଣୁ ଆହୁରି ଏକ ବିଚିତ୍ର ରୂପ ଗ୍ରହଣ କରିଥିବାର କୌତୁକପୂର୍ଣ୍ଣ ବିବରଣୀ ମିଳେ ଆମ ଓଡ଼ିଆ ସାରଳା ଦାସଙ୍କ ମହାଭାରତରୁ ।

ଆମେ ସମସ୍ତେ ଜାଣୁ ଯେ, ପାଣ୍ଡବ ପାଞ୍ଚଭାଇଙ୍କ ଭିତରୁ ଅର୍ଜ୍ଜୁନ ଲାଖ ବିନ୍ଧି ଦ୍ରୁପଦ ରାଜାଙ୍କ ଝିଅ ଦ୍ରୌପଦୀଙ୍କୁ ଜିତିଥିଲେ । ମାତ୍ର ଯେତେବେଳେ ମାଆ କୁନ୍ତୀଙ୍କୁ ସେକଥା କହିବାକୁ ଗଲେ, ସେତେବେଳେ କୁନ୍ତୀ କହିଲେ, ଯାହା ଆଣିଛ ତାହାକୁ ପାଞ୍ଚାଭାଇ ବାଣ୍ଟିନିଅ । ମାତ୍ର ଦ୍ରୌପଦୀଙ୍କୁ ପାଞ୍ଚ ଭାଇଙ୍କ ଭିତରେ ବଣ୍ଟାଯିବ କିପରି? ତେଣୁ ପରସ୍ପର ମଧ୍ୟରେ ବିଚାର କରି ସ୍ଥିର ହେଲା ଯେ ଦ୍ରୌପଦୀଙ୍କୁ ପାଞ୍ଚଭାଇଯାକ ବିବାହ କରିବେ ।

ମାତ୍ର, ଗୋଟିଏ କନ୍ୟାକୁ ସିନା ଗୋଟିଏ ବର । ଗୋଟିଏ କନ୍ୟାକୁ ପାଞ୍ଚଟି ବର- ଚଳିବେ କିପରି ? ତେଣୁ ପରସ୍ପର ମଧ୍ୟରେ କଥା ହୋଇ ସମସ୍ତେ ସ୍ଥିର କଲେ, ଦ୍ରୌପଦୀଙ୍କ ସହିତ ଜଣେ ଥିବାବେଳେ ଆଉ କେହି ସେଠାକୁ ଯିବେ ନାହିଁ । ମାତ୍ର ଦ୍ରୌପଦୀଙ୍କ ସହିତ କିଏ ଅଛି କି ନାହିଁ ଜାଣିବେ କିପରି । ତେଣୁ କଥା ହେଲା, ଯେ ଭିତରକୁ ଯିବାବେଳେ, ଘରର ଦ୍ୱାର ମୁହଁରେ ତାଙ୍କର ପାଦୁକାଟିକୁ ରଖିଦେଇଯିବେ । ଫଳରେ ଅନ୍ୟ କୌଣସି ଭାଇ ସେତେବେଳେ ଘର ଭିତରକୁ ଯିବେ ନାହିଁ । ଯିଏ ବାରଣ ସତ୍ତ୍ୱେ ଯିବେ, ସେ ବାରବର୍ଷ ବନବାସ କରିବେ ।

କିନ୍ତୁ ଥରେ ଗୋଟିଏ ବିଭ୍ରାଟ ହେଲା । ସେଦିନ ଯୁଧିଷ୍ଠିର ଓ ଦ୍ରୌପଦୀ ଭିତର ଘରେ ଥିଲେ । ଏତିକିବେଳେ ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ । ସେ ଅର୍ଜୁନଙ୍କୁ କହିଲେ, ଯୁଧିଷ୍ଠିରଙ୍କୁ ତୁରନ୍ତ ଡାକିଦିଅ, ମୁଁ ତାଙ୍କ ସହ କଥା ହେବି । ନ ହେଲେ ରାଗି ସମସ୍ତଙ୍କୁ ଭସ୍ମ କରିଦେବେ ବୋଲି କହିଲେ ।

ଅତିଥିଜଣକ ଥିଲେ ମଧୁପିଙ୍ଗଳ ବ୍ରାହ୍ମଣ । ସେ ଅଭିଶାପ ଦେଲେ ବଂଶ ଦହନ ହୋଇଯିବ । ତେଣୁ ଅର୍ଜୁନ ଭାବିଲେ, ସତ୍ୟ ରକ୍ଷାକରି ବନବାସ ଯିବେ ପଛେ, ଅନ୍ତଃପୁରକୁ ଯାଇ ଯୁଧିଷ୍ଠିରଙ୍କୁ ଡାକିବେ । ସେତେବେଳକୁ ଯୁଧିଷ୍ଠିର ଓ ଦ୍ରୌପଦୀ ଅନ୍ତଃପୁରରେ ଥିଲେ । କିନ୍ତୁ ଦ୍ୱାର ମୁହଁରେ ଯୁଧିଷ୍ଠିରଙ୍କର ପାଦୁକା ନଥିଲା । ତେଣୁ ଭିତରେ ଯୁଧିଷ୍ଠିର ଥିବା କଥା ନଜାଣିପାରି ଅର୍ଜୁନ ଅନ୍ତଃପୁରରେ ପଶିଗଲେ ।

ଅର୍ଜୁନଙ୍କର ସେପରି କାର୍ଯ୍ୟରେ ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହେଲେ । ସେ ସେପରି କାହିଁକି କଲେ ବୋଲି ପଚାରିଲେ । ଅର୍ଜୁନ ତାଙ୍କୁ କହିଲେ, ଜଣେ ମଧୁପିଙ୍ଗଳ ବ୍ରାହ୍ମଣ ଆସି ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି । ସାକ୍ଷାତ ନ ପାଇଲେ ବ୍ରହ୍ମକୋପରେ ବଂଶ ଦହନ କରି ଦେବେ ବୋଲି କହୁଛନ୍ତି । ତେଣୁ ମୁଁ ବାର ବର୍ଷ ବନବାସ ଯାଏ ପଛେ, ବ୍ରହ୍ମକୋପରୁ

ଆମର ବଂଶ ରକ୍ଷାପାଉ । ସେଥିପାଇଁ ମୁଁ ଅନ୍ତଃପୁରକୁ ଏପରି ଭାବରେ ପଶି ଆସିବା ପାଇଁ ବାଧ୍ୟ ହେଲି ।

ଅର୍ଜୁନଙ୍କର କଥାଶୁଣି ଯୁଧିଷ୍ଠିର ବ୍ୟସ୍ତ ହୋଇ ପଡ଼ିଲେ । ସାନ ଭାଇ ବାର ବର୍ଷ ବନବାସରେ ଯିବ, କୋଉ ବଡ଼ଭାଇ ବା ବ୍ୟସ୍ତ ନ ହେବ! ନିଜକୁ ଟିକିଏ ସମ୍ଭାଳି ନେଇ ଯୁଧିଷ୍ଠିର ପଚାରିଲେ, ଦ୍ୱାର ମୁହଁରେ ତ ମୋର ପାଦୁକା ଥିଲା ! ତାହା କ'ଣ ତୁମେ ଦେଖିପାରିଲ ନାହିଁ?

ଅର୍ଜୁନ ଆଶ୍ଚର୍ଯ୍ୟ ହେଲେ । ଯୁଧିଷ୍ଠିରଙ୍କର ପାଦୁକା ତେବେ ଦ୍ୱାର ମୁହଁରୁ ନେଲା କିଏ?

ପ୍ରକୃତ କଥା ହେଉଛି, ବୈଶ୍ୱାନର ଅଗ୍ନି ଗୋଟିଏ ଶ୍ୱାନ ବେଶରେ ଯୁଧିଷ୍ଠିରଙ୍କର ପାଦୁକାକୁ ଦ୍ୱାର ମୁହଁରୁ ନେଇଯାଇଥିଲେ । ସେ ନିଜେ ମଧ୍ୟ ମାୟା ବ୍ରାହ୍ମଣ ବେଶରେ ଆସିଥିଲେ । ତେଣୁ ଯୁଧିଷ୍ଠିର ଓ ଅର୍ଜୁନ ଯାଇ ଦେଖନ୍ତି ତ ବ୍ରାହ୍ମଣ ଜଣକ କୁଆଡେ଼ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ।

ମାତ୍ର ବ୍ରାହ୍ମଣ ଜଣକ ସତ ହୁଅନ୍ତୁ କି ମିଛ, ଅର୍ଜୁନ ସର୍ତ୍ତ ଲଙ୍ଘନ କରିଛନ୍ତି । ତେଣୁ ସେ ବାର ବର୍ଷ ବନବାସରେ ଯିବା କଥା । ତେଣୁ କାଳବିଳମ୍ବ ନ କରି ଅର୍ଜୁନ ବନବାସରେ ଯିବାକୁ ବାହାରିଲେ । ଭାଇ ଯୁଧିଷ୍ଠିର, ପତ୍ନୀ ଦ୍ରୌପଦୀ, ମାଆ କୁନ୍ତୀ- ଯିଏ ଯେତେ ବୁଝାଇଲେ ମଧ୍ୟ କାହା କଥା ଶୁଣିଲେ ନାହିଁ । ଅଗତ୍ୟା ଦ୍ରୌପଦୀ କହିଲେ, ତୁମେ ଯଦି ବାର ବର୍ଷ ବନବାସରେ ଯିବ, ମୁଁ ମଧ୍ୟ ତୁମ ସହିତ ଯିବି । ମାତ୍ର ଅର୍ଜୁନ ତାଙ୍କୁ ମନା କଲେ । କହିଲେ, ସତ୍ୟ ଯୁଗରେ ଯେତେବେଳେ ନଳ ବନବାସରେ ଗଲେ, ଦମୟନ୍ତୀ ତାଙ୍କ ସାଙ୍ଗେ ବନକୁ ଯାଇଥିଲେ । ତ୍ରେତୟା ଯୁଗରେ ରାମଚନ୍ଦ୍ର ଯେତେବେଳେ ବନକୁ ଗଲେ, ସୀତା ତାଙ୍କ ସହିତ ବନକୁ ଯାଇଥିଲେ । ସେତେବେଳେ ସେ ଦୁହେଁ ବିପଦରେ ପଡ଼ିଥିଲେ । ତେଣୁ ତୁମେ ମୋ ସଙ୍ଗେ ବନକୁ ନଯାଇ ରାଜଅନ୍ତଃପୁରରେ ରୁହ ।

ତା’ପରେ ମାଆ କୁନ୍ତୀଙ୍କୁ ବୁଝାଇ ଶୁଝାଇ, ଭୀଷ୍ମ, ଦ୍ରୋଣ, ବିଦୂର, କର୍ଣ୍ଣ, ଭୁରିଶ୍ରବା ପ୍ରମୁଖଙ୍କ ଠାରୁ ବିଦାୟ ନେଇ ଅର୍ଜୁନ ବନବାସରେ ଚାଲିଗଲେ ।

ଅର୍ଜୁନଙ୍କ ବନବାସର କାରଣ ଜାଣି ସମସ୍ତେ ମନ ଦୁଃଖ କଲେ । ସହଦେବଙ୍କୁ ପଚାରିଲେ, ଏପରି କାହିଁକି ହେଲା? ସହଦେବ ତ ସର୍ବଦର୍ଶୀ । ସେ କହିଲେ- ଅଗ୍ନି ଦେବତା ଛଦ୍ମ ବେଶରେ ଆସି ଏହା କରିଛନ୍ତି । କାରଣ, ଅଗ୍ନିଦେବତା ଏବେ ଲୁଦୁବୁଦୁ ବ୍ୟାଧିରେ ପୀଡ଼ିତ । ସେଥିରୁ ମୁକ୍ତି ପାଇବା ପାଇଁ ଖାଣ୍ଡବ ବନ ଦହନ ହେବା ଦରକାର ଏବଂ ସେଥିପାଇଁ ଅର୍ଜୁନ ବନବାସରେ ଯିବା ଦରକାର । ସେଥିପାଇଁ ଗତ ତିନିଯୁଗ ଧରି ଅଗ୍ନିଦେବତା ଆଶାୟୀ ହୋଇ ରହିଛନ୍ତି ।

ସହଦେବଙ୍କର କଥା ଶୁଣି ସମସ୍ତେ ବସି ବିଚାର କଲେ । ସ୍ଥିର ହେଲା, ଅର୍ଜୁନଙ୍କର ବନବାସ ଫଳରେ ଯଦି ଅଗ୍ନିଦେବତା ଲୁଦୁବୁଦୁ ବ୍ୟାଧିରୁ ମୁକ୍ତ ହୋଇପାରିବେ, ତା’ହେଲେ ଅର୍ଜୁନ ବନବାସରେ ଯିବାକୁ କେହି ବାରଣ କରିବା ନାହିଁ ।

ତେଣୁ ସମସ୍ତଙ୍କଠାରୁ ବିଦାୟ ନେଇ ଅର୍ଜୁନ ବନବାସରେ ଗଲେ । କଣ୍ଠରେ ଗୁଞ୍ଜର ମାଳ, ସର୍ବାଙ୍ଗରେ ଗୋପୀଚନ୍ଦନ ଚିତା, ହାତରେ ଧନୁଶର ଇତ୍ୟାଦି ଧରି କିରାତଟିଏ ପରି ସେ ବନରେ ବୁଲିଲେ ।

ଏହି ବନବାସ ସମୟର କଥା । ଦିନେ ଶିବପାର୍ବତୀ ତପସ୍ୱୀ-ତପସ୍ୱିନୀ ରୂପରେ ବନବିହାର କରୁଥାଆନ୍ତି । କ୍ଳାନ୍ତ ହୋଇପଡ଼ିବାରୁ ଶିବ, ପାର୍ବତୀଙ୍କ କୋଳରେ ମୁଣ୍ଡ ରଖି ଶୋଇଲେ । ତାଙ୍କର ଗଣ୍ଡାଟି ପାଖରେ ଥିବା ଜଳାଶୟରୁ ଜଳପାନ କରୁଥାଏ । ଜଳପାନ କରି ଲେଉଟି ଗଲାବେଳେ ଅର୍ଜୁନ ସେହି ବିଚିତ୍ର ଜୀବଟିକୁ ଦେଖି ତାକୁ ତୀର ବିନ୍ଧିଲେ । ତୀରଟି ଗଣ୍ଡାର ବାମ ଅଙ୍ଗରେ ଫୁଟିଗଲା । ସେ ଯାଇ ତପସ୍ୱୀ-ତପସ୍ୱିନୀ ବେଶରେ ଥିବା ଶିବ ପାର୍ବତୀଙ୍କ ପାଖରେ ପଡ଼ି ପ୍ରାଣତ୍ୟାଗ କଲା ।

ତାହା ଦେଖି ପାର୍ବତୀ ବ୍ୟସ୍ତ ହୋଇପଡ଼ିଲେ । ଶିବଙ୍କୁ ନିଦରୁ ଉଠାଇ କହିଲେ, ଆମର ପ୍ରିୟ ଗଣ୍ଡାଟିକୁ କିଏ ମାରିଲା ଯାଇ ଦେଖ । ଶିବ ନିଦରୁ ଉଠି ଗଣ୍ଡାଟିକୁ ମୃତ ଦେଖି କ୍ରୁଦ୍ଧ ହେଲେ । ଅର୍ଜୁନ ତୀର ବିନ୍ଧି ସାରିବା ପରେ ଗଣ୍ଡାକୁ ଅନୁସରଣ କରି ଆସୁ ଆସୁ ତପସ୍ୱୀ ବେଶରେ ଥିବା ଶିବଙ୍କ ସହିତ ତାଙ୍କର ମୁହାମୁହିଁ ହୋଇଗଲା । ଅର୍ଜୁନଙ୍କୁ ଗଣ୍ଡାଟିର ହତ୍ୟାକାରୀ ବୋଲି ଜାଣି ସେ ଗୋଟିଏ ଗଛର ଡାଳ ଧରି ତାଙ୍କ ଆଡ଼କୁ ଝପଟି ଆସିଲେ । ତାହା ଦେଖି ଅର୍ଜୁନ ତାଙ୍କୁ ପରିହାସ କରି କହିଲେ, ତୁ ଗୋଟାଏ ଛାର ତପସ୍ୱୀ, ତୁ କ’ଣ ମୋ ସଙ୍ଗେ ଯୁଦ୍ଧ ରିବୁ ! ତୋର ସ୍ତ୍ରୀକୁ ନେଇ ମୋ’ ଆଖି ଆଗରୁ ଚାଲିଯା’ ।

ଅର୍ଜୁନଙ୍କ କଥା ଶୁଣି ଶିବ ଆହୁରି କ୍ରୁଦ୍ଧ ହେଲେ । ତାହା ଦେଖି ଅର୍ଜୁନ ନିଜର ଧନୁକୁ ତାଙ୍କ ଗଳାରେ ପକାଇ ଚକ୍ରି ପରି ଘିରିଘିରି ବୁଲାଇବାକୁ ଲାଗିଲେ । ଶିବଙ୍କର ନାକ ଓ ପାଟିରୁ ଧାର ଧାର ରକ୍ତ ଝରିବାକୁ ଲାଗିଲା । ତହୁଁ ଅର୍ଜୁନଙ୍କର ବଳବିକ୍ରମରେ ମୁଗ୍ଧ ହୋଇ ଶିବ କହିଲେ, ମୁଁ ତୁମ ଉପରେ ସନ୍ତୁଷ୍ଟ । ଏବେ କି ବର ମାଗିବ ମାଗ ।

ତାଙ୍କର କଥା ଶୁଣି ଅର୍ଜୁନ କହିଲେ, ତୁମେ ଏମିତି କିଏ ଯେ ମତେ ପୁଣି ବର ଦେବ? ତୁମର ସତରେ ଯଦି କିଛି ଅଲୌକିକ ଶକ୍ତି ଅଛି, ତେବେ ମତେ ତୁମର ସ୍ୱରୂପରେ ଦେଖା ଦିଅ । ଏ ଭିତରେ ପାର୍ବତୀ ଯୋଗ ଶକ୍ତି ବଳରେ ଜାଣିସାରିଥା'ନ୍ତି ଯେ ଏହି କିରାତ କୌଣସି ସାଧାରଣ ଶବର ନୁହେଁ; ସେ ସ୍ୱୟଂ ଅର୍ଜୁନ । ତାହା ଜାଣିବାକ୍ଷଣି ସେ ଆନନ୍ଦିତ ହୋଇ କହିଲେ, ବାପ ଅର୍ଜୁନ, ତୁମର ସୌଭାଗ୍ୟ, ତୁମେ ସ୍ୱୟଂ ବିଶ୍ୱନାଥଙ୍କର ସାକ୍ଷାତ ପାଇଲ ।

ପାର୍ବତୀଙ୍କ କଥା ଶୁଣି ଅର୍ଜୁନ ହଠାତ୍ ସଚେତନ ହୋଇଗଲେ । ଅସ୍ତ୍ର ତ୍ୟାଗ କରି ତପସ୍ୱୀ ବେଶରେ ଥିବା ଶିବଙ୍କୁ ପ୍ରଣିପାତ କଲେ । ସ୍ୱୟଂ ମହାଦେବଙ୍କ ସହିତ ଶତ୍ରୁତା କରିଥିବାରୁ ନିଜକୁ ଧିକ୍କାର ମଧ୍ୟ କଲେ । ତାହା ଦେଖି ପାର୍ବତୀ ଅର୍ଜୁନଙ୍କୁ କହିଲେ, ଅଯଥା ଚିନ୍ତା କରି ନିଜ ମନକୁ ବିରସ କରୁଛ କାହିଁକି? ଶତ୍ରୁତା ଦ୍ୱାରା ତୁମେ ମହାଦେବଙ୍କୁ ସନ୍ତୁଷ୍ଟ କରିଛ । ଏବେ କି ବର ମାଗୁଛ ମାଗ ।

ମାତ୍ର ଅର୍ଜୁନ କି ବର ମାଗିବେ ତାହା ବୁଝି ନ ପାରିବାରୁ ପାର୍ବତୀ ଚୁପ୍ କରି ତାଙ୍କୁ ପାଶୁପାତ ଅସ୍ତ୍ର ମାଗିବାକୁ କହିଦେଲେ । ସେହି ଅସ୍ତ୍ରରେ ଶିବ ତ୍ରିପୁର ଦହନ କରିଥିଲେ । ସେହିପରି ପାର୍ବତୀ ମଧ୍ୟ ଅର୍ଜୁନଙ୍କୁ ଏକ ବର ଦେବାକୁ ଚାହିଁଲେ । ଅର୍ଜୁନ କି ବର ମାଗିବେ ବୁଝି ନ ପାରିବାରୁ ଶିବ ତାଙ୍କୁ ଚୁପ୍ କରି ଅକ୍ଷୟ ତୂଣୀର ମାଗିବାକୁ କହିଲେ । ସତ୍ୟ ଯୁଗରେ ଦୁର୍ଗା ଅବତାରବେଳେ ସହସ୍ର ଭୁଜରେ ପାଞ୍ଚ ଶହ ଧନୁ ଧରି ସେ ତୀର ବିନ୍ଧିଥିଲେ । ରାତିଦିନ ଯୁଦ୍ଧ ଚାଲିଲେ ବି, ସେ ତୂଣୀରରୁ ତୀର ସରି ନଥିଲା । ସେହି ଅକ୍ଷୟ ତୂଣୀରରେ ସବୁ ଦେବଦେବୀଙ୍କର ଅସ୍ତ୍ର ରହିଥିଲା ।

ଏହିପରି ଶିବ ଓ ପାର୍ବତୀଙ୍କ ଠାରୁ ଅର୍ଜୁନ ଅକ୍ଷୟ ତୂଣୀର ଓ ପାଶୁପାତ ଅସ୍ତ୍ର ପାଇଗଲେ । ତାହା ପାଇବା ପରେ ନିର୍ଭୟରେ ସେ ଅରଣ୍ୟ ମଧ୍ୟରେ ଦିନ ବିତାଇବାକୁ ଲାଗିଲେ । ଏଣେ ଅର୍ଜୁନଙ୍କର ବନବାସ ବାର୍ତ୍ତା ଶୁଣି ଶ୍ରୀକୃଷ୍ଣ ଦ୍ୱାରକାରୁ ଆସି ହସ୍ତିନାରେ ପହଞ୍ଚିଲେ ।

ସେଠାରେ ସହଦେବଙ୍କଠାରୁ ଅର୍ଜୁନଙ୍କ ବନବାସର କାରଣ ଜାଣିଲେ । ତା’ପରେ ସହଦେବଙ୍କୁ ପଚାରିଲେ, ଅର୍ଜୁନ ଏବେ ବଣରେ କ’ଣ କରୁଛନ୍ତି ମୋତେ କୁହ । ସହଦେବ ନିଜର ଦିବ୍ୟଶକ୍ତି ବଳରେ ଜଣାଇଲେ ଯେ, ହରଉଦ୍ୟାନ ବନରେ ଶିବଙ୍କୁ ଦ୍ୱନ୍ଦ୍ୱ ଯୁଦ୍ଧରେ ଜିଣି ଅର୍ଜୁନ ଅକ୍ଷୟ ତୂଣୀର ଓ ପାଶୁପାତ ଅସ୍ତ୍ର ବର ରୂପେ ପାଇଛନ୍ତି । ଏବେ ସେ ନିର୍ଭୟରେ ବନରେ ଘୂରି ବୁଲୁଛନ୍ତି । ଆଜିକୁ ତାଙ୍କର ବନବାସ ଚାରି ବର୍ଷ ଛଅ ମାସ ହେଲା ।

ସବୁ କଥା ଶୁଣି ଶ୍ରୀକୃଷ୍ଣ ପୁଣି ପଚାରିଲେ, କିନ୍ତୁ କାହିଁକି ବୈଶ୍ୱାନର ଏପରି କପଟ କଲେ? ସହଦେବ କହିଲେ, ଶ୍ୱେତରାଜାଙ୍କ ଯଜ୍ଞ ସମୟରେ ଶହେ ବର୍ଷ ଧରି ଏକ ଅଗ୍ନିହୋମ ହୋଇଥିଲା । ସେହି ଅଗ୍ନିହୋମରେ ବହୁ ସହସ୍ର ମହଣ ଘୃତାହୁତି ହେଲା । ବୈଶ୍ୱାନର ଲୋଭରେ ପଡ଼ି ଅନେକ ଘିଅ ଖାଇ ଦେଇଥିଲେ । ତେଣୁ ତାଙ୍କୁ ଲୁଦୁବୁଦୁ ବ୍ୟାଧି ହୋଇଛି । ଖାଣ୍ଡବ ବନରେ ହିଁ ସେଥିରୁ ମୁକ୍ତି ପାଇଁ ଔଷଧି ରହିଛି । ସେଥିପାଇଁ ଅଗ୍ନିଦେବତା ଇନ୍ଦ୍ରଦେବତାଙ୍କୁ ଖାଣ୍ଡବ ବନରୁ ଔଷଧି ମାଗିଥିଲେ । ମାତ୍ର ଇନ୍ଦ୍ର ତାହା ଦେଲେ ନାହିଁ । ତେଣୁ ଅଗ୍ନିଦେବତା ଏପରି ଚକ୍ରାନ୍ତ କରି ଅର୍ଜୁନଙ୍କୁ ବନକୁ ପଠାଇଛନ୍ତି ।

ଅର୍ଜୁନଙ୍କ ବନବାସ ପଛରେ ଥିବା ଏହି କାହାଣୀ ଶୁଣି ଶ୍ରୀକୃଷ୍ଣ ଚିନ୍ତିତ ହେଲେ । କହିଲେ, ମୋର ପ୍ରିୟସଖା ଅର୍ଜୁନ ନାହିଁ, ତେଣୁ ମତେ ଏଠାରେ ଭଲ ଲାଗୁନାହିଁ । ମୁଁ ଏବେ ଚାଲିଲି । ଏହା କହି ସେ ଯିବାକୁ ବାହାରିଲେ । ତାହା ଦେଖି ଯୁଧିଷ୍ଠିର ତାଙ୍କୁ କହିଲେ, ଆପଣଙ୍କ ସଖା ଏଠାରେ ନାହିଁ, ତେଣୁ ଆପଣଙ୍କୁ ଏଠାରେ ଭଲ ଲାଗୁ ନାହିଁ । ଆମକୁ ମଧ୍ୟ ଅର୍ଜୁନ ବିନା ଭଲ ଲାଗୁନାହିଁ । ତେଣୁ ଆପଣ ଦ୍ୱାରକା ନ ଯାଇ ଅର୍ଜୁନଙ୍କ ପାଖକୁ ଯାଆନ୍ତୁ ଓ ତାଙ୍କୁ ବୁଝାଇ ଶୁଝାଇ ଏଠାକୁ ନେଇ ଆସନ୍ତୁ ।

ତା’ ପରେ ଶ୍ରୀକୃଷ୍ଣ ଯାଇ ଗରୁଡ଼ ପିଠିରେ ବସିଲେ । ସହଦେବଙ୍କ ଠାରୁ ସେ ବୁଝିଲେ ଯେ ଅର୍ଜୁନ ଏବେ ମଣିଭଦ୍ରା ପର୍ବତରେ ଅଛନ୍ତି । ମଣିଭଦ୍ରା ପର୍ବତ ସେଠାରୁ ସତୁରୀ ଯୋଜନ ଦୂର । ସେହି ସତୁରୀ ଯୋଜନ ଦୂରତାକୁ ମାତ୍ର ତିନିଟି ନିଃଶ୍ୱାସରେ ଗରୁଡ଼ ପାରିହୋଇ ଗଲେ । ମଣିଭଦ୍ରାରେ ପହଞ୍ଚିବା ପୂର୍ବରୁ ଶ୍ରୀକୃଷ୍ଣ ଭାବିଲେ, ଏତେକାଳ ପରେ ପ୍ରିୟସଖା ଅର୍ଜୁନ ସହିତ ଦେଖାହେବ । ପୁଣି ସେ ବନରେ ଅଛନ୍ତି । ତାଙ୍କୁ କ’ଣ ଏପରି ରାଜକୀୟ ବେଶରେ ଯାଇ ଦେଖା କରିବା ଉଚିତ ହେବ ! ତେଣୁ ମଣିଭଦ୍ରା ପର୍ବତ ଅଳ୍ପ ଦୂରରେ ଅଛି, ଗରୁଡଙ୍କୁ ସେ ଶୂନ୍ୟରେ ଅଟକାଇ ଏକ ଅଭିନବ ବେଶ ଧରିଲେ ।

ସେହି ବେଶ ଯେପରି ବିଚିତ୍ର, ସେପରି ସୁନ୍ଦର ଓ କୌତୂହଳପୂର୍ଣ୍ଣ । ତାଙ୍କର ଗୋଟିଏ ଶରୀରରେ ନଅଟି ଶରୀରର ସମାହାର ଘଟିଥିଲା । କୁକ୍କୁଟର ମୁଣ୍ଡ, ବୃଷଭର ଚୂଳ, ମୟୂରର କଣ୍ଠ ସହିତ ଲାଞ୍ଜ ରୂପେ ଏକ ସର୍ପ ଶୋଭା ପାଉଥିଲା । ଅଣ୍ଟାଟି ଥିଲା ସିଂହର । ଚାରିପାଦରୁ ତିନିଟି ପାଦ ଥିଲା ବାଘ, ହାତୀ ଓ ଘୋଡାଙ୍କର ଏବଂ ଆଗ ପାଦଟି ଥିଲା ମନୁଷ୍ୟର ହାତ । ସେହି ହାତରେ ଏକ ପଦ୍ମଫୁଲ ଶୋଭା ପାଉଥିଲା ।

ଆଦିକବି ସାରଳା ଦାସ ତାଙ୍କ ମହାଭାରତର ମଧ୍ୟପର୍ବରେ ଶ୍ରୀକୃଷ୍ଣଙ୍କର ଏହି ଅଦ୍ଭୁତ ନବଗୁଞ୍ଜର ରୂପର ସୁନ୍ଦର ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ୟେକଇ ଶରୀରେ ଦେବ ଧଇଲେ ନବମୂର୍ତ୍ତି ।
କୁକୁଡ଼ାର ମୁଣ୍ଡ ଗୋଟି ଅତୀଅ ସୁନ୍ଦର ଦିଶଇ
ବୃଷଭର ଚୂଳ ଯେ ମୟୂରର କଣ୍ଠ ବିରାଜଇ ।
ଅହିବର ପୁଚ୍ଛା ମଝା ସିଂଘକଟି ପ୍ରାୟେ
ବ୍ୟାଘ୍ରର ଚରଣ ଗୋଟି ଅତୀଅ ଶୋଭା ପାୟେ ।
ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର
ଆବର ପାଦ ଗୋଟି ଅଟଇ କରିବର ।

Aama Debadebi.pdf

ଆଗ ପାଦ ଗୋଟିକ ମନୁଷ୍ୟର କର ଯେ ଅଟଇ
ସେ କରେ ପଦ୍ମ‌ପୁଷ୍ୟ ଗୋଟିୟେକ ଘେନିଲେ ଭାବଗ୍ରାହୀ ।

ସେହି ନବଗୁଞ୍ଜର ବେଶରେ ଅର୍ଜୁନ ରହୁଥିବା ମଣିଭଦ୍ରା ପର୍ବତ ସନ୍ନିକଟରେ ସେ ଆବିର୍ଭୂତ ହେଲେ ।

ସେତେବେଳକୁ ଅର୍ଜୁନ ମଣିଭଦ୍ରା ପର୍ବତର ଏକ ମର୍କତ ଶିଳା ଉପରେ ବସି ଧନୁର ଗୁଣକୁ ମାଜୁଥିଲେ । ଶ୍ରୀକୃଷ୍ଣ ‘ନବଗୁଞ୍ଜର’ ବେଶରେ ଯାଇ ତାଙ୍କ ଆଗରେ ଡିଆଁ କୁଦା କଲେ । ଅର୍ଜୁନ ଏପରି ଏକ ବିଚିତ୍ର ଜୀବ ଦେଖି ମୁଗ୍ଧ ହେବା ସଙ୍ଗେ ସଙ୍ଗେ ଚକିତ ମଧ୍ୟ ହେଲେ । ଭାବିଲେ, ଆଗରୁ ଏତେ ଅରଣ୍ୟ ଦେଖିଛି, କାହିଁ କେଉଁଠି ହେଲେ ତ ଏପରି ଜୀବ ଦେଖି ନାହିଁ ! ପରକ୍ଷଣରେ ତାଙ୍କ ମନକୁ ଆସିଲା, ନା, ଏ ଅସାଧାରଣ ଜୀବ ନିଶ୍ଚିତ ଭାବରେ ଏକ ମାୟାରୂପ । ସେ ଜାଣିପାରିଲେ ଯେ, ଏ ନିଶ୍ଚୟ ସ୍ୱୟଂ ଭଗବାନ । ତେଣୁ ସେହି ନବଗୁଞ୍ଜରଙ୍କୁ ପ୍ରଣାମ କରି ସେ ସ୍ତୁତି କରିବାକୁ ଲାଗିଲେ । କହିଲେ, ‘ତୁମେ ଅବ୍ୟୟ, ଅକ୍ଷୟ । ତୁମେ ନିରାକାର ଅଥଚ ଯେକୌଣସି ସାକାର ରୂପ ଧାରଣ କରିପାର । ତୁମେ ଅନାଦି ଅବତାର, ବାଞ୍ଛା କଳ୍ପତରୁ । ସ୍ୱୟଂ ତ୍ରିଲୋଚନ ମଧ୍ୟ ଦିନେ ତୁମ ମାୟାରେ ଭୁଲିଥିଲେ । ମୁଁ ତ ଛାର ମନୁଷ୍ୟ ! ଏଣୁ ମାୟାରୂପ ଛାଡ଼ି ନିଜ ରୂପରେ ପ୍ରକଟ ହୁଅନ୍ତୁ ।’

ଅର୍ଜୁନଙ୍କର ଏହି ସ୍ତୁତି ଫଳରେ ଶ୍ରୀକୃଷ୍ଣ ମାୟା ନବଗୁଞ୍ଜର ରୂପ ଛାଡ଼ି ନିଜ ରୂପରେ ପ୍ରକଟ ହେଲେ । ଅର୍ଜ୍ଜୁନ ନିଜର ପ୍ରିୟସଖା ଶ୍ରୀକୃଷ୍ଣଙ୍କୁ ଦେଖି ଆନନ୍ଦିତ ହେଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର କୁଶଳ ଜିଜ୍ଞାସା କରି କହିଲେ, ଅନେକ ଦିନ ତ ବନବାସ କଲଣି, ଏବେ ଚାଲ ହସ୍ତିନାକୁ । ତୁମ ବିନା ହସ୍ତିନାପୁର ଶୂନ୍ୟ ଶୂନ୍ୟ ଲାଗୁଛି ।

ମାତ୍ର ଅର୍ଜୁନ କହିଲେ, ମୁଁ ସତ୍ୟ ଲଂଘନ କରିପାରିବି ନାହିଁ । ମୋର ବନବାସକୁ ଏବେ ମାତ୍ର ଚାରି ବର୍ଷ ଛଅ ମାସ ତେର ଦିନ ହେଲା । ଆଉ ସାତ ବର୍ଷ ପାଞ୍ଚ ମାସ ସତର ଦିନ ହେଲେ ବାରବର୍ଷ ସମ୍ପୂର୍ଣ୍ଣ ହେବ । ତା’ପରେ ଯାଇ ମୁଁ ହସ୍ତିନାପୁରକୁ ଫେରିବି ।

ଅର୍ଜୁନଙ୍କ କଥା ଶୁଣି ଶ୍ରୀକୃଷ୍ଣଙ୍କର ମନଦୁଃଖ ହେଲା । ମାତ୍ର ଅର୍ଜୁନଙ୍କ ସତ୍ୟନିଷ୍ଠା ଦେଖି ସେ ଆନନ୍ଦିତ ହେଲେ ।

ଅର୍ଜୁନ କହିଲେ, ତୁମର ନବଗୁଞ୍ଜର ରୂପ ମୋତେ ମୁଗ୍ଧ କରିଛି । ଏପରି ରୂପରେ ମୋ ପାଖକୁ ଆସି ତୁମେ ତୁମର ମହାନତା ପ୍ରତିପାଦିତ କରିଛ । ତା’ ସହିତ, ସୃଷ୍ଟିରେ ପ୍ରତ୍ୟେକ ଜୀବଜନ୍ତୁ ଓ ମନୁଷ୍ୟ ପରସ୍ପର ସହିତ ମିଳିମିଶି କିରି ରହିବେ, ସେ ଭାବଟି ମଧ୍ୟ ତା’ ଭିତରେ ଅଛି । ଏଣୁ ଏଣିକି ତୁମର ଏହି ନବଗୁଞ୍ଜର ରୂପ, ଅପୂର୍ବ ସହାବସ୍ଥାନ ଭାବ ଜାଗ୍ରତ କରିବା ପାଇଁ ହିଁ ସମସ୍ତଙ୍କ ଦ୍ୱାରା ପୂଜିତ ହେବ ।

Aama Debadebi.pdf
ହନୁମାନ

ଶ୍ରୀହନୁମାନ ସଂକଟମୋଚନ । ଶ୍ରୀଗଣେଶଙ୍କୁ ଯେପରି ବିଘ୍ନ ବିନାଶ ପାଇଁ ପୂଜା କରାଯାଏ, ଶ୍ରୀହନୁମାନଙ୍କୁ ସେହିପରି ବିପଦରୁ ମୁକ୍ତି ପାଇଁ ପୂଜା କରାଯାଏ । ବାନର ବଂଶରେ ଜାତ ହେଲେ ବି ସେ ଦେବଗୁଣସଂପନ୍ନ । ପୁଣି ସେ ଅତୁଳନୀୟ ଶକ୍ତିର ଅଧିକାରୀ ଏବଂ ପରମଜ୍ଞାନୀ ଓ ଦାର୍ଶନିକ ।

ପୁରାଣମାନଙ୍କରେ ଶ୍ରୀହନୁମାନଙ୍କ ଜନ୍ମ ସଂପର୍କରେ ଅନେକ କାହାଣୀ ଅଛି । ତେବେ ସେହିସବୁ କାହାଣୀରେ ଗୋଟିଏ କଥା ପ୍ରାୟ ସମାନ ଯେ ସେ ଶିବଙ୍କ ଅଂଶରେ ଓ ବାୟୁଙ୍କ ସହଯୋଗରେ ଜାତ । ଶିବପୁରାଣ ଓ ଶତରୁଦ୍ର ସଂହିତା ଅନୁସାରେ, ଭଗବାନ୍ ବିଷ୍ଣୁଙ୍କ ମୋହିନୀ ବେଶରେ ମୁଗ୍ଧ ହୋଇଥିବା ଶିବଙ୍କ ଅଂଶକୁ ସପ୍ତଋଷି ଧାରଣ କରି ଅଞ୍ଜନାଙ୍କ ଗର୍ଭରେ ସ୍ଥାପନ କରିବାରୁ ହନୁମାନ ଜନ୍ମ ହୋଇଥିଲେ । ବାଲ୍ମୀକି ରାମାୟଣର କିସ୍କିନ୍ଧା କାଣ୍ଡ ଅନୁସାରେ, ବାନରରାଜ କୁଞ୍ଜରଙ୍କ କନ୍ୟା ଅଞ୍ଜନା । ସେ କେଶରୀ ନାମକ ଜଣେ ମହତ୍ ସ୍ୱଭାବର ବାନରଙ୍କୁ ବିବାହ କରିଥିଲେ । ମାତ୍ର ଦୀର୍ଘକାଳ ପରେ ମଧ୍ୟ ତାଙ୍କର ସନ୍ତାନ, ସନ୍ତତି ହେଲେ ନାହିଁ । ତେଣୁ ସନ୍ତାନଟିଏ ପାଇବାପାଇଁ ସେ ତପସ୍ୟା କରୁଥିଲେ । ସେହି ସମୟରେ ଦିନେ ଶିବ ଓ ପାର୍ବତୀ ମାଙ୍କଡ଼ ଓ ମାଙ୍କଡ଼ୀ ରୂପରେ ଜଙ୍ଗଲରେ ଖେଳୁଥିଲେ । ସେତିକିବେଳେ ପାର୍ବତୀଙ୍କର ଗର୍ଭ ଉଦୟ ହେଲା । ପାର୍ବତୀ ସେହି ଗର୍ଭକୁ ବାୟୁଙ୍କୁ ପ୍ରଦାନ କଲେ । ବାୟୁ ତାହାକୁ ଆଣି ଅଞ୍ଜନାଙ୍କ ଗର୍ଭରେ ସଂସ୍ଥାପନ କରିବାରୁ ହନୁମାନ ଜନ୍ମ ହେଲେ । ଭବିଷ୍ୟପୁରାଣର ପ୍ରତିସର୍ଗ ପର୍ବରେ ଏହି କାହାଣୀ ଅଳ୍ପ ଭିନ୍ନ ଭାବରେ ଅଛି । ଅନ୍ୟ ଏକ କାହାଣୀରେ ପ୍ରଥମେ ଶିବ ଓ ପାର୍ବତୀ ହାତୀ ଓ ହାତୁଣୀ ବେଶରେ ଏବଂ ପରେ ମାଙ୍କଡ଼ ଓ ମାଙ୍କଡ଼ୀ ବେଶରେ ଜଙ୍ଗଲରେ ଖେଳୁଥିଲେ ବୋଲି ବର୍ଣ୍ଣନା ଅଛି ।

ଆନନ୍ଦ ରାମାୟଣରେ କିନ୍ତୁ ହନୁମାନଙ୍କ ଜନ୍ମ କାହାଣୀ ସଂପୂର୍ଣ୍ଣ ଭିନ୍ନ । ସେହି କାହାଣୀ ଅନୁସାରେ, ଅଯୋଧ୍ୟାର ରାଜା ଦଶରଥଙ୍କର ତିନିରାଣୀ ଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ, ସନ୍ତତି ନହେବାରୁ ସେ ଏକ ପୁତ୍ରକାମେଷ୍ଟି ଯଜ୍ଞ କରିଥିଲେ । ସେହି ଯଜ୍ଞର ଚରୁକୁ ରାଣୀମାନଙ୍କୁ ଖୁଆଇବାକୁ ନେବାବେଳେ ଚିଲଟିଏ ଉଡ଼ିଆସି ସେଥିରୁ କିଛି ଖୁମ୍ପି ନେଇଗଲା । ପୁତ୍ରଟିଏ ପାଇବାପାଇଁ ଜଙ୍ଗଲରେ ତପସ୍ୟା କରୁଥିବା ଅଞ୍ଜନାଙ୍କ ଆଞ୍ଜୁଳିରେ ତାହା ପଡ଼ିଲା ଏବଂ ଅଞ୍ଜନା ତାକୁ ଖାଇବାରୁ ହନୁମାନ ଜନ୍ମହେଲେ ।

ଏହିସବୁ କାହାଣୀରେ ହନୁମାନଙ୍କ ଜନ୍ମ ସହ ବାୟୁ ବା ମରୁତ, କେଶରୀ ଓ ଅଞ୍ଜନାଙ୍କର ସଂପର୍କ ରହିଛି । ତେଣୁ ହନୁମାନଙ୍କୁ ମରୁତନନ୍ଦନ ବା ମାରୁତି, କେଶରୀନନ୍ଦନ ଓ ଅଞ୍ଜନାସୁତ ଆଦି କୁହାଯାଏ ।

ପୁରାଣମାନଙ୍କରେ ଅଞ୍ଜନାଙ୍କର ମଧ୍ୟ ସ୍ୱତନ୍ତ୍ର କାହାଣୀ ଅଛି । ସେହି କାହାଣୀ ଅନୁସାରେ, ଅଞ୍ଜନା ପୂର୍ବ ଜନ୍ମରେ ଥିଲେ ପୁଞ୍ଜିକସ୍ଥଳା ନାମକ ଜଣେ ଦେବୀ । ସେ ଥିଲେ ଦେବଗୁରୁ ବୃହସ୍ପତିଙ୍କର ପରିଚାରିକା । ଦିନେ ଫୁଲ ତୋଳିବାକୁ ଯିବା ବେଳେ ମନ ଉନ୍ମାଦ ହେବାପରି ଏକ ଦୃଶ୍ୟ ଦେଖି ସେ ଫୁଲ ନ ତୋଳି ଫେରି ଆସିଲେ ଏବଂ ବୃହସ୍ପତିଙ୍କୁ କୁଣ୍ଢେଇଧରିଲେ । ସେଥିରେ ବୃହସ୍ପତି ରାଗିଯାଇ ସେ ମର୍ତ୍ତ୍ୟରେ ମାଙ୍କଡ଼ୀ ହେଇ ଜନ୍ମ ହେବେ ବୋଲି ଅଭିଶାପ

ଦେଲେ । ତେବେ ତାଙ୍କୁ କହିଲେ, କିଛି କାଳ ଜଣେ ବାନରଙ୍କୁ ବିବାହ କରିବା ପରେ ଶିବଙ୍କ ଅଂଶରେ ତାଙ୍କର ପୁଅଟିଏ ହେବ ଏବଂ ସେ ଶାପମୁକ୍ତ ହୋଇ ଫେରିଆସିବେ ।

ହନୁମାନ ଜନ୍ମ ହେବା ପୂର୍ବର ଆଉ ଏକ ମଜାଦାର କାହାଣୀ ମଧ୍ୟ କମ୍ବ ରାମାୟଣର ପୂର୍ବକାଣ୍ଡରେ ବର୍ଣ୍ଣିତ । ବାଳୀ ଥିଲା ବାନରମାନଙ୍କର ରାଜା । ଦିନେ ନାରଦ ଯାଇ ବାଳୀ ପାଖରେ ପହଞ୍ଚି କହିଲେ, ଅଞ୍ଜନାଙ୍କ ଗର୍ଭରୁ ଶିବଙ୍କ ଅଂଶରେ ପୁତ୍ରଟିଏ ଜାତ ହେବ । ସେ ମହା ଶକ୍ତିଶାଳୀ ହେବ । ତାହା ଶୁଣି ବାଳୀ ଆଶଙ୍କା କଲା ଯେ ହନୁମାନ ଜନ୍ମ ହେବା ପରେ ସେ ଆଉ ରାଜା ହୋଇ ରହି ପାରିବନି । ତେଣୁ ସେ ହନୁମାନଙ୍କୁ ମାତୃଗର୍ଭରୁ ମାରିଦେବାକୁ ଯୋଜନା କଲା । ସୁନା, ତମ୍ବା, ଲୁହା, ଟିଣ ଓ ଦସ୍ତାକୁ ଘୋରି ଅଞ୍ଜନାଙ୍କୁ ପିଆଇ ଦେଲା । ତା'ର ଧାରଣା ଥିଲା, ଏହି ପଞ୍ଚଧାତୁ ହନୁମାନଙ୍କୁ ମାତୃ ଗର୍ଭରୁ ମାରିଦେବ । କିନ୍ତୁ ତାର ସବୁ ଯୋଜନା ପଣ୍ଡ ହେଲା । ସେହି ପଞ୍ଚଧାତୁ ମିଶ୍ରିତ ଜଳ ଅଞ୍ଜନାଙ୍କ ଗର୍ଭକୁ ଯାଇ ହନୁମାନଙ୍କ କାନର କୁଣ୍ଡଳ ହୋଇଗଲା ।

ହନୁମାନଙ୍କୁ ମହାମେରୁ ପର୍ବତର ଦକ୍ଷିଣ ଦିଗରେ ଥିବା ଉପତ୍ୟକାର ଜଙ୍ଗଲରେ ଅଞ୍ଜନା ଜନ୍ମ ଦେଇଥିଲେ । ଶିବଙ୍କ ଅଂଶରେ ଜନ୍ମ ହୋଇଥିବାରୁ ଜନ୍ମ ପରେ ପରେ ତାଙ୍କର ବାଲ୍ୟାବସ୍ଥା ଆସିଗଲା । ସେ ଅଞ୍ଜନାଙ୍କୁ ପଚାରିଲେ, ତୁମେ ତ ଶାପମୁକ୍ତ ହୋଇ ସ୍ୱର୍ଗକୁ ଯିବାକୁ ବାହାରିଲଣି; କିନ୍ତୁ ମୁଁ ଖାଇବି କ'ଣ ? ଅଞ୍ଜନା କହିଲେ, ପାଚି ଲାଲ୍ ଦେଖାଯାଉଥିବା ଫଳ ବାନରଙ୍କର ପ୍ରିୟ ଖାଦ୍ୟ । ତେଣୁ, ଯେଉଁ ଫଳ ପାଚି ଲାଲ୍ ହୋଇଛି, ସେହି ଫଳ ଖା' ।

ସେତେବେଳକୁ ସୂର୍ଯ୍ୟ ଉଦୟ ହେଉଥାଆନ୍ତି । ତାଙ୍କୁ ଦେଖି ହନୁମାନ ପାଚିଲା ଫଳଟିଏ ବୋଲି ଭାବି ଡିଆଁଟାଏ ମାରି ପହଞ୍ଚିଗଲେ ସୂର୍ଯ୍ୟଙ୍କ ପାଖରେ । ମାତ୍ର ସୂର୍ଯ୍ୟଙ୍କ ପାଖରେ ରାହୁକୁ ଦେଖି ତା' ଉପରକୁ ବି କୁଦି ପଡ଼ିଲେ । ଇନ୍ଦ୍ରଙ୍କ ବାହନ ଐରାବତ ସେଠି ଥିଲା । ତାକୁ ବି ଗିଳିଦେବାକୁ ବାହାରିଲେ । ତାହା ଦେଖି ଇନ୍ଦ୍ର ହନୁମାନଙ୍କୁ ଲକ୍ଷ୍ୟକରି ବଜ୍ର ପେଷିଲେ । ତାହା ସିଧା ଯାଇ ତାଙ୍କ ମୁହଁରେ ବାଜିଲା । ହନୁମାନ ଆହତ ହୋଇ ତଳେ ଖସିଡ଼ିଲେ ।

ପୁତ୍ରର ଏପରି ଅବସ୍ଥା ଦେଖି ବାୟୁଦେବତା ଖୁବ୍ ଦୁଃଖିତ ହେଲେ । ସେ ହନୁମାନଙ୍କୁ ଧରି ପାତାଳଲୋକକୁ ଚାଲିଗଲେ । ବାୟୁ ନ ରହିବାରୁ ପୃଥିବୀରେ ସବୁ ସ୍ଥିର, ନିଶ୍ଚଳ ହୋଇଗଲା । ଜୀବନ୍ତ ପ୍ରାଣୀମାନେ ଶ୍ୱାସରୁଦ୍ଧ ହୋଇ ମରିଯିବାକୁ ବସିଲେ । ତେଣୁ ପୃଥିବୀବାସୀଙ୍କୁ ଏହି ବିପଦରୁ ରକ୍ଷା କରିବାପାଇଁ ବ୍ରହ୍ମା ଓ ଅନ୍ୟ ଦେବତାମାନେ ପାତାଳଲୋକକୁ ଧାଇଁଲେ । ବାୟୁଙ୍କୁ ପୁଣି ମର୍ତ୍ତ୍ୟକୁ ଫେରି ଆସିବାକୁ ଅନୁରୋଧ କଲେ । ହନୁମାନଙ୍କୁ ମଧ୍ୟ ସମସ୍ତେ ଆଶୀର୍ବାଦ କଲେ । ଇନ୍ଦ୍ରଙ୍କ ବଜ୍ର ହନୁମାନଙ୍କ ମୁହଁର ଉପର ଗାଲପାଟି ବା 'ହନୁ'କୁ ଆହତ କରିଥିଲା । ତେଣୁ ସେହିଦିନଠୁଁ ତାଙ୍କର ନାଆଁ ହନୁମାନ ହେଲା ।

ଏହା ଫଳରେ କିନ୍ତୁ ହନୁମାନଙ୍କର ଗୋଟିଏ ବଡ଼ ଲାଭ ହେଲା । ଦେବତାମାନଙ୍କ ଆଶୀର୍ବାଦ ଫଳରେ ସେ ବହୁ ଶକ୍ତିଶାଳୀ ହୋଇଗଲେ ।

ବ୍ରହ୍ମା ତାଙ୍କୁ ଆଶୀର୍ବାଦ କରି କହିଲେ, ଯେତେଦିନ ବ୍ରହ୍ମା ଥିବେ, ହନୁମାନ ସେତେଦିନ ରହିବେ । ବିଷ୍ଣୁ ଆଶୀର୍ବାଦ କଲେ, ହନୁମାନ ସାରାଜୀବନ ତାଙ୍କର ଭକ୍ତ ହେବେ । ଇନ୍ଦ୍ର କହିଲେ, କୌଣସି ଅସ୍ତ୍ରଶସ୍ତ୍ର ତାଙ୍କର ଶରୀର ଭେଦି ପାରିବ ନାହିଁ । ଅଗ୍ନି କହିଲେ, ହନୁମାନଙ୍କୁ ଅଗ୍ନି ବି ଦହନ କରିପାରିବ ନାହିଁ । ଯମ କହିଲେ, ମୃତ୍ୟୁ ହନୁମାନଙ୍କୁ ମାରି ପାରିବ ନାହିଁ । ଅନ୍ୟ ଦେବତାମାନେ କହିଲେ, ବଳ ଓ ବେଗରେ କେହି ହନୁମାନଙ୍କର ସମକକ୍ଷ ହେବେ ନାହିଁ । ପୁଣି ବ୍ରହ୍ମା କହିଲେ, ଗରୁଡ଼ ଅପେକ୍ଷା ହନୁମାନ ଅଧିକ ଶକ୍ତିଶାଳୀ ହେବେ । ବାୟୁ କହିଲେ, ତାଙ୍କ ଅପେକ୍ଷା ହନୁମାନଙ୍କର ବେଗ ଅଧିକ ହେବ । ଏହିପରି ଜନ୍ମ ହେଉହେଉ ହନୁମାନ ବାଳକ ବୟସରେ ପହଞ୍ଚିବା ସହିତ ଅମିତ ଶକ୍ତିଶାଳୀ ହୋଇଗଲେ ।

ଏଥର ହନୁମାନ ଇଚ୍ଛାକଲେ, ସୂର୍ଯ୍ୟଙ୍କୁ ଗୁରୁ ବା ଦିଗ୍‌ଦର୍ଶକ ରୂପେ ଗ୍ରହଣ କରି ଋକ୍, ଯଜୁ, ସାମ ଓ ଅଥର୍ବ ଚାରିବେଦ ଏବଂ ସାଂଖ୍ୟ, ପାତଞ୍ଜଳ, ପୂର୍ବ ମୀମାଂସା (ଜୈମିନୀ ଦର୍ଶନ), ଉତ୍ତର ମୀମାଂସା(ବେଦାନ୍ତ), ନ୍ୟାୟ (ତର୍କ) ଓ ବୈଶେଷିକ ଆଦି ଷଡ୍‌ଶାସ୍ତ୍ର ଶିକ୍ଷା କରିବେ । ସେଥିପାଇଁ ସେ ସୂର୍ଯ୍ୟଙ୍କୁ ଅନୁରୋଧ କଲେ ।

ସୂର୍ଯ୍ୟ ହନୁମାନଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ରାଜି ହେଲେ; କିନ୍ତୁ ସେଥିପାଇଁ ଗୋଟିଏ ସର୍ତ୍ତ ରଖିଲେ । କହିଲେ, ବାଳଖିଲ୍ୟ ଋଷିମାନେ ମୋ' ରଥରେ ବସି ବିଦ୍ୟାଶିକ୍ଷା କରୁଛନ୍ତି । ତେଣୁ ତୁମେ ସେମାନଙ୍କ ସହ ବସି ବିଦ୍ୟାଶିକ୍ଷା କରିପାରିବ ନାହିଁ । ବିଦ୍ୟାଶିକ୍ଷା ପାଇଁ ତୁମକୁ ମୋ' ରଥ ଆଗରେ ଆଗରେ ଚାଲିବାକୁ ପଡ଼ିବ ।

ହନୁମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟାଶିକ୍ଷା। ସେଥିପାଇଁ କଠିନରୁ କଠିନ ସର୍ତ୍ତ ପାଳିବାକୁ ସେ ରାଜି ଥିଲେ । ତେଣୁ ସୂର୍ଯ୍ୟଙ୍କ ସର୍ତ୍ତରେ ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ ।

ସୂର୍ଯ୍ୟଙ୍କ ରଥ ଆକାଶମାର୍ଗରେ ଗତି କରୁଥାଏ । ହନୁମାନ ରଥ ସାମ୍ନାରେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁକରି, ହାତରେ ଗ୍ରନ୍ଥ ଧରି, ପଛୁଆ ଚାଲିଚାଲି ପାଠ ପଢ଼ିଲେ ଏବଂ ମାତ୍ର ୬୦ ଘଣ୍ଟା ମଧ୍ୟରେ ସବୁ ବେଦରେ ପାରଙ୍ଗମ ହୋଇଗଲେ ।

ନିୟମ ଅନୁସାରେ ବିଦ୍ୟାଶିକ୍ଷା ପରେ ଗୁରୁଙ୍କୁ ଦକ୍ଷିଣା ଦେବା କଥା । ତେଣୁ ସୂର୍ଯ୍ୟଦେବ କି ଦକ୍ଷିଣା ଚାହାନ୍ତି ବୋଲି ହନୁମାନ ଜାଣିବାକୁ ଇଚ୍ଛା କଲେ । ସୂର୍ଯ୍ୟ କହିଲେ, ବିଦ୍ୟାଶିକ୍ଷା ପ୍ରତି ତୁମର ଆଗ୍ରହ ଦେଖି ମୁଁ ଖୁସି । ଏହି ଆଗ୍ରହକୁ ମୁଁ ଦକ୍ଷିଣା ଭାବରେ ଗ୍ରହଣ କଲି । କିନ୍ତୁ ହନୁମାନ ଦକ୍ଷିଣା ଦେବାକୁ ତଥାପି ଜିଦ୍ କରିବାରୁ ସୂର୍ଯ୍ୟ କହିଲେ, ଏବେ ମୋର ପୁତ୍ର ସୁଗ୍ରୀବ ମର୍ତ୍ତ୍ୟରେ ଅଛି । ଭାଇ ବାଳୀ ପରି ସେ ବଳବାନ୍ ନୁହେଁ । ତୁମର ଯଦି ଗୁରୁଦକ୍ଷିଣା ଦେବାକୁ

ଏତେ ଆଗ୍ରହ, ତେବେ ସବୁଦିନେ ତାର ସହଯୋଗୀ ହୋଇ ରୁହ, ତାର ମନ୍ତ୍ରୀ ଭାବରେ କାର୍ଯ୍ୟକର । ଏଥିରେ ଖୁସି ହୋଇ ହନୁମାନ ଯାଇ ସୁଗ୍ରୀବଙ୍କର ମନ୍ତ୍ରୀ ରୂପେ କାର୍ଯ୍ୟ କଲେ । ସୀତା ହରଣ ପରଠାରୁ ରାମଚନ୍ଦ୍ରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସୁଗ୍ରୀବ ଓ ହନୁମାନ ଦୁହେଁ ରାମଙ୍କର ଏକନିଷ୍ଠ ସେବକ ରୂପେ ବହୁ କାର୍ଯ୍ୟ କରିଥିଲେ ।

ପିତୃସତ୍ୟ ପାଳି ରାମଚନ୍ଦ୍ର ଚଉଦବର୍ଷ ବନବାସରେ ଥିବାବେଳେ ରାବଣ ସୀତାଙ୍କୁ ଅପହରଣ କରିନେଲା । ସେତେବେଳେ ସୀତାଙ୍କ ସନ୍ଧାନରେ ଯାଇ ଲକ୍ଷ୍ମଣ କିସ୍କିନ୍ଧାଠାରେ ପହଞ୍ଚିଥିଲେ ଏବଂ ଲକ୍ଷ ଲକ୍ଷ ବାନରଙ୍କୁ ନେଇ ଆଠଟି ଆଞ୍ଚଳିକ ସେନାଦଳ ଗଠନ କରିଥିଲେ । ସୁଷେଣଙ୍କୁ ପଶ୍ଚିମ, ଶତବାଳୀଙ୍କୁ ଉତ୍ତର, ବିନତାଙ୍କୁ ପୂର୍ବ ଓ ଅଙ୍ଗଦଙ୍କୁ ଦକ୍ଷିଣ ଦିଗର ଦାୟିତ୍ୱ ଦିଆଯାଇଥିଲା । ଲକ୍ଷ୍ମଣ ଓ ସୁଗ୍ରୀବ ସେମାନଙ୍କର ପରାମର୍ଶଦାତା ଭୂମିକାରେ ଥିଲେ । ହନୁମାନଙ୍କ ନେତୃତ୍ୱରେ ସେମାନେ ସୀତା ସନ୍ଧାନ ପାଇଁ ଯାତ୍ରା କରିଥିଲେ ।

ସୀତା ଦକ୍ଷିଣ ସମୁଦ୍ରର ଲଙ୍କାଦ୍ୱୀପରେ ଅଛନ୍ତି ବୋଲି ସମ୍ପାତି ସେମାନଙ୍କୁ ପ୍ରଥମେ ସୂଚନା ଦେଇଥିଲେ । ତେଣୁ, ମହାଦର୍ପରେ ହନୁମାନ ତାଙ୍କର ଲଙ୍କା ଅଭିଯାନ ଆରମ୍ଭ କଲେ । ମହେନ୍ଦ୍ର ପର୍ବତର ଚୂଡ଼ା ଉପରୁ ସେ ସିଧା ଲଙ୍କା ଅଭିମୁଖେ ଲମ୍ଫ ଦେଲେ । ବାଟରେ ନାଗମାତା ସୁରସା ତାଙ୍କୁ ଗିଳିଦେଲେ; ମାତ୍ର ହନୁମାନ ତାଙ୍କ କାନ ବାଟେ ବାହାରିଗଲେ । କିଛି ବାଟ ଯିବା ପରେ ଛାୟାଗ୍ରାହିଣୀ ନାମକ ଏକ ପ୍ରେତ ତାଙ୍କର ପଥରୋଧ କଲା । ମାତ୍ର ହନୁମାନ ତାକୁ ମାରି ଆଗେଇ ଚାଲିଲେ । ଏହିପରି ଯାଉଯାଉ ସମୁଦ୍ର ମଝିରେ ଟିକିଏ କ୍ଳାନ୍ତ ହୋଇ ପଡ଼ିବାରୁ ସେ ବିଶ୍ରାମ ନେବାକୁ ଚାହିଁଲେ । କିନ୍ତୁ ସମୁଦ୍ରରେ କେଉଁଠି ବା ବିଶ୍ରାମ ନେବେ ? ଏତିକି ବେଳେ ମୈନାକ ପର୍ବତ ସମୁଦ୍ରଗର୍ଭରୁ ଉଠି ତାଙ୍କୁ ବିଶ୍ରାମ ଦେଲା । ତାଙ୍କୁ ଫଳମୂଳ ବି ଖାଇବାକୁ ଦେଲା ।

ଏହି ମୈନାକ ପର୍ବତର ମଧ୍ୟ ଗୋଟିଏ କାହାଣୀ ଅଛି । ପୂର୍ବେ ସବୁ ପର୍ବତଙ୍କର ଚଢ଼େଇ ପରି ଡେଣା ଥିଲା । ସେମାନେ ଯୁଆଡ଼େ ମନ ସିଆଡ଼େ ଉଡ଼ି ବୁଲିବାରୁ ଇନ୍ଦ୍ର ବଜ୍ର ମାରି ତାଙ୍କର ଡେଣା କାଟି ଦେଇଥିଲେ । ବାୟୁଦେବତା ତାହା ଜାଣିପାରି ପୂର୍ବରୁ ମୈନାକ ପର୍ବତକୁ ଉଡେଇ ଆଣି ସମୁଦ୍ରରେ ଲୁଚାଇ ଦେଇଥିଲେ । ଏଣୁ ହନୁମାନ ବାୟୁପୁତ୍ର ହୋଇଥିବାରୁ, ଅତୀତର ସେଇ ଋଣ ଶୁଝିବାକୁ ମୈନାକ ତାଙ୍କୁ ସମୁଦ୍ରରେ ଆଶ୍ରୟ ଦେଇଥିଲା ।

ଅଳ୍ପ ସମୟ ସେଠାରେ ବିଶ୍ରାମ ନେବାପରେ ହନୁମାନ ପୁଣି ତାଙ୍କର ଯାତ୍ରା ଆରମ୍ଭ କରି ସିଧା ଯାଇ ଲଙ୍କାରେ ପହଞ୍ଚିଲେ । ମାତ୍ର ଲଙ୍କାଗଡ଼ର ସୁରକ୍ଷା ଦାୟିତ୍ୱରେ ଥିବା ଲଙ୍କାଲକ୍ଷ୍ମୀ ତାଙ୍କର ପଥରୋଧ କଲେ । ହନୁମାନ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଲେ । ସେହି ଚାପୁଡ଼ା ଫଳରେ ସେ ପରାସ୍ତ ହେବା ସହିତ ଶାପମୁକ୍ତ ମଧ୍ୟ ହୋଇଥିଲେ ।

ଲଙ୍କାଲକ୍ଷ୍ମୀ କାହିଁକି ଅଭିଶାପ ପାଇ ଲଙ୍କାଗଡ଼କୁ ଜଗିରହିଥିଲେ, ସେ ସଂପର୍କରେ ବି ଗୋଟିଏ କାହାଣୀ ଅଛି । ପ୍ରକୃତରେ ଲଙ୍କାଲକ୍ଷ୍ମୀ ହେଉଛନ୍ତି ବିଜୟଲକ୍ଷ୍ମୀ । ସେ ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରୁ ଅନ୍ୟତମା । ବ୍ରହ୍ମାଙ୍କର ଧନସଂପତ୍ତିର ଜଗାରଖା କରିବା ତାଙ୍କର କାମ ଥିଲା । ଥରେ ସେ ନିଜର ଦାୟିତ୍ୱ ଠିକ୍ ରୂପେ ପାଳନ ନ କରିବାରୁ ବ୍ରହ୍ମା କ୍ରୁଦ୍ଧ ହୋଇ ତାଙ୍କୁ ଅଭିଶାପ ଦେଲେ । ସେହି ଅଭିଶାପ ଫଳରେ ସେ ଆସି ଲଙ୍କାଲକ୍ଷ୍ମୀ ରୂପେ ସ୍ୱର୍ଣ୍ଣଲଙ୍କାକୁ ଜଗି ରହିଥିଲେ । ବ୍ରହ୍ମା କହିଥିଲେ, ସୀତାଙ୍କ ସନ୍ଧାନପାଇଁ ଲଙ୍କାକୁ ଆସି ହନୁମାନ ତାଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିବେ । ସେତେବେଳେ ଯାଇ ତାଙ୍କର ମୁକ୍ତି ହେବ । ତାହା ହିଁ ହୋଇଥିଲା ।

ଏଥର ହନୁମାନ ସିଧା ଅଶୋକ ବନକୁ ଯାଇ ସେଠାରେ ବନ୍ଦିନୀ ଥିବା ସୀତାଙ୍କୁ ଭେଟିଲେ । ସୀତାଙ୍କୁ ସେ ସନ୍ତକ ରୂପେ ଶ୍ରୀରାମଙ୍କ ରତ୍ନ ମୁଦ୍ରିକା ଉପହାର ଦେଲେ । ସେ ପ୍ରସ୍ତାବ ଦେଲେ ଯେ ସୀତା ଚାହିଁଲେ ତାଙ୍କୁ ସେ କାନ୍ଧରେ ବସାଇ ଲଙ୍କାରୁ ଉଦ୍ଧାର କରି ନେଇଯିବାକୁ ପ୍ରସ୍ତୁତ । ମାତ୍ର ସୀତା କହିଲେ, ମୋତେ ରାବଣ ଅପହରଣ କରି ଆଣିଲା । ତୁମେ ବି ଯଦି ଅପହରଣ କରି ନେବ, ତେବେ ଶ୍ରୀରାମଚନ୍ଦ୍ରଙ୍କର କି ଯଶ ହେବ ?

ତାହା ଶୁଣି ହନୁମାନ ସୀତାଙ୍କୁ କହିଲେ, ମୁଁ ଫେରିଯାଇ ରାମ ଓ ଲକ୍ଷ୍ମଣଙ୍କୁ ଧରି ଫେରି ଆସିବି ଏବଂ ଆମେ ଯୁଦ୍ଧରେ ରାବଣକୁ ହରାଇ ସୀତାଉଦ୍ଧାର କରିବୁ । ଏହା କହି ସେ ସୀତାଙ୍କୁ ନିଜର ବିଶାଳ ରୂପ ଦେଖାଇଲେ । ତାଙ୍କର ଲାଞ୍ଜ ଯାଇ ନଦୀରେ ପଡ଼ିଲା । ମୁଣ୍ଡ ପର୍ବତର ଚୂଡ଼ା ସହ ସମାନ ଦେଖାଗଲା । ହାତ, ଗୋଡ଼ ବଡ଼ ବଡ଼ ଗଛପରି ହୋଇଗଲା । ସେହି ରୂପରେ ସେ ବିକଟ ଗର୍ଜନ କରି ସାରା ଲଙ୍କା ନଗରୀକୁ ଥରହର କରିଦେଲେ ।

ଏଥର ହନୁମାନ ସୀତାଙ୍କଠାରୁ ବିଦାୟ ନେଇ ଲଙ୍କା ବୁଲି ବାହାରିଲେ । ସେ ଦେଖିଲେ, ରାବଣର ଭାଇ ବିଭୀଷଣ ତାଙ୍କ ପ୍ରାସାଦରେ ବିଷ୍ଣୁ ନାମ ଜପ କରୁଛନ୍ତି । ସେ ଭାବିଲେ, ବିଭୀଷଣଙ୍କ ପ୍ରାସାଦ, ରାଜପ୍ରାସାଦ ହେବା ଦରକାର । ପରେ ତାହା ହିଁ ହୋଇଥିଲା । ରାବଣର ମୃତ୍ୟୁ ପରେ ବିଭୀଷଣ ହେଲେ ଲଙ୍କାର ରାଜା ।

ହନୁମାନଙ୍କର ତ ଡରଭୟ କିଛି ନଥାଏ । ତେଣୁ ସେ ଇଚ୍ଛା କଲେ, ଲଙ୍କା ଛାଡ଼ିବା ଆଗରୁ ଥରେ ଯାଇ ରାବଣକୁ ଭେଟିଲେ କେମିତି ହୁଅନ୍ତା ! ତା' ପରେ ରାବଣକୁ ନିଜର ଉପସ୍ଥିତି ଜଣାଇବାକୁ ସେ ଲଙ୍କା ନଗରୀରେ ଭଙ୍ଗାରୁଜା ଆରମ୍ଭ କରିଦେଲେ । ତାହା ଦେଖି ରାବଣର ପୁଅ ମେଘନାଦ ଆକାଶରୁ ବ୍ରହ୍ମାସ୍ତ୍ର ମାରି ହନୁମାନଙ୍କୁ ଆହତ କରିଦେଲା । ତାଙ୍କୁ ବନ୍ଦୀ କରିନେଇ ରାବଣ ଆଗରେ ହାଜର କରାଇଲା । ମାତ୍ର ହନୁମାନ ସେଠାରେ ଗୋଟିଏ ବିଚିତ୍ର କାଣ୍ଡ କଲେ । ନିଜର ଲାଙ୍ଗୁଡ଼କୁ ମୋଡ଼ି ମୋଡ଼ି ଏତେ ଉଚ୍ଚ କଲେ ଯେ ତାହା ରାବଣର ସିଂହାସନଠାରୁ ବି ଉଚ୍ଚା ହେଇଗଲା । ସେ ଯାଇ ତା' ଉପରେ ବସି ରାବଣକୁ ଚାହିଁ

ବିଚିତ୍ର ଅଙ୍ଗଭଙ୍ଗୀ କଲେ । ତାହା ଦେଖି ରାବଣ ଅପମାନିତ ହେଲା ଓ ରାଗିଯାଇ ଆଦେଶ ଦେଲା, ଏ ହନୁର ଲାଞ୍ଜରେ ନିଆଁ ଲଗାଇ ଦିଅ ।

ତାହାଶୁଣି ଅନ୍ୟ ରାକ୍ଷସମାନେ କନା ଆଣି ତା' ଲାଞ୍ଜରେ ଗୁଡ଼ାଇବାକୁ ଲାଗିଲେ । କିନ୍ତୁ ହନୁମାନ ତାଙ୍କର ଲାଞ୍ଜକୁ ଫୁଲାଇ ଏତେ ମୋଟା କରିଦେଲେ ଯେ ସବୁ କନା ନିଅଣ୍ଟ ପଡ଼ିଲା । ଶେଷରେ ସେମାନେ ସେଥିରେ ତେଲ ଢାଳି ନିଆଁ ଲଗାଇଦେଲେ । ଏଥର ହନୁମାନ ତାଙ୍କର ଅସଲ କାଣ୍ଡ ଆରମ୍ଭ କଲେ । ବନ୍ଧନରୁ ଖସିଯାଇ ସାରା ଲଙ୍କା ନଗରୀରେ ନିଆଁ ଲଗାଇଦେଲେ । ସ୍ୱର୍ଣ୍ଣଲଙ୍କା ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ସେଇଦିନୁ ଭଙ୍ଗାରୁଜା ଓ ଜଳାପୋଡ଼ା ଘଟଣାକୁ 'ଲଙ୍କାକାଣ୍ଡ' ବୋଲି କୁହାଯାଉଛି ।

ତା' ପରେ ହନୁମାନ ଶ୍ରୀରାମଚନ୍ଦ୍ରଙ୍କ ପାଖକୁ ଫେରିଯାଇ ତାଙ୍କୁ ସୀତାଙ୍କ ସମ୍ବାଦ ଦେଲେ । ମାତ୍ର ସମସ୍ୟା ହେଲା, ସୀତାଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ସମୁଦ୍ର ଟପି ଶ୍ରୀଲଙ୍କାକୁ ଯିବେ କେମିତି ?

କଥା ହେଲା, ସମୁଦ୍ରରେ ଏକ ସେତୁବନ୍ଧ ତିଆରି ହେବ । ଏହି ସେତୁବନ୍ଧ ନିର୍ମାଣର ନେତୃତ୍ୱ ନେଲେ ସୁଗ୍ରୀବ । ନିର୍ମାଣର ମୁଖ୍ୟ ଯୋଜନା କଲେ ନଳ ଓ ତାଙ୍କର ସହକାରୀ ଭାବେ ରହିଲେ ନୀଳ । ଜାମ୍ବବାନ ଓ ହନୁମାନ ନିରୀକ୍ଷକ ଦାୟିତ୍ୱ ତୁଲାଇଲେ । ବାନରସେନା ସେତୁବନ୍ଧ ନିର୍ମାଣରେ ଦିନରାତି ଏକ କରି ଲାଗିଗଲେ ।

ସେତୁବନ୍ଧ ନିର୍ମାଣ ହୋଇଗଲା । ସମସ୍ତେ ଲଙ୍କାରେ ଯାଇ ପହଞ୍ଚିବା ପରେ ଘୋର ଯୁଦ୍ଧ ଆରମ୍ଭ ହେଲା । ହନୁମାନଙ୍କ ହାତରେ ପ୍ରଥମେ ମଲା କୁମ୍ଭକୁର୍ଣ୍ଣ । ତାର ବଡ଼କାନକୁ ଅନ୍ୟ ବାନରମାନେ କାମୁଡ଼ି କ୍ଷତବିକ୍ଷତ କରିଦେଇଥିଲେ । ତେଣୁ ମୃତ୍ୟୁ ପୂର୍ବରୁ ସେ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲା, ତାର ମୁଣ୍ଡକୁ ଯେପରି ଅନ୍ୟ ରାକ୍ଷସମାନେ ନଦେଖନ୍ତି । କାରଣ ତାର କ୍ଷତ ବିକ୍ଷତ କାନକୁ ଦେଖି ସେମାନେ ଉପହାସ କରିବେ । ତେଣୁ ରାମଚନ୍ଦ୍ରଙ୍କ ଆଦେଶରେ କୁମ୍ଭକର୍ଣ୍ଣର କଟାମୁଣ୍ଡକୁ ନେଇ ହନୁମାନ ଗଭୀର ସମୁଦ୍ରରେ ଫିଙ୍ଗିଦେଇଥିଲେ ।

ସେହି ଯୁଦ୍ଧରେ ରାବଣର ପୁଅ ଇନ୍ଦ୍ରଜିତ ସହ ଲକ୍ଷ୍ମଣଙ୍କର ଯୁଦ୍ଧ ହେଲା । ମାୟାରେ ଇନ୍ଦ୍ରଜିତ ନିଜକୁ ଇନ୍ଦ୍ର ଓ ସେନାପତି ମହୋଦରଙ୍କୁ ଐରାବତ କରି ଲକ୍ଷ୍ମଣଙ୍କ ଆଗରେ ଯାଇ ଉଭା ହେଲା । ଇନ୍ଦ୍ରଙ୍କୁ ଦେଖି ଲକ୍ଷ୍ମଣ ମଥାନୁଆଁଇ ପ୍ରଣାମ କରିବା ବେଳେ ସେ ବ୍ରହ୍ମାସ୍ତ୍ର ମାରି ତାଙ୍କୁ ମୃତ ପ୍ରାୟ କରିଦେଲା । ହନୁମାନ ଓ ଜାମ୍ବବାନ ମଧ୍ୟ ଅଚେତ ହୋଇଗଲେ । ଇନ୍ଦ୍ର ସେଠାରେ ପହଞ୍ଚି ସୁବର୍ଣ୍ଣକୁମ୍ଭରୁ ଗଙ୍ଗାଜଳ ଦେବାପରେ ହନୁମାନ ଓ ଜାମ୍ବବାନ ଚେତା ଫେରି ପାଇଲେ । ଜାମ୍ବବାନ ହନୁମାନଙ୍କୁ କହିଲେ, ହିମାଳୟରୁ ଯାଇ ମୃତସଂଜୀବନୀ ନଆଣିଲେ ଲକ୍ଷ୍ମଣ ବଞ୍ଚିବେ ନାହିିଁ । କିନ୍ତୁ କାଲି ସଂଧ୍ୟା ପୂର୍ବରୁ ତାହା ଆଣିବାକୁ ପଡ଼ିବ ।

ସେକଥା ଶୁଣି ହନୁମାନ ମୃତସଂଜୀବନୀ ଆଣିବା ପାଇଁ ହିମାଳୟକୁ ଉଡ଼ିଗଲେ । ମାତ୍ର ସେଠାରେ ମୃତସଂଜୀବନୀ କେଉଁଟି ତାହା ଚିହ୍ନି ନପାରି ପୂରା ଶୃଙ୍ଗଟିକୁ ଓପାଡ଼ି ନେଇ ଆସିଲେ । ସେଥିରେ ଥିଲା ଶଲ୍ୟହାରିଣୀ, ବିଶଲ୍ୟକରଣୀ, ସନ୍ଧାନକରଣୀ ଓ ମୃତସଂଜୀବନୀ । ସେହି ଚାରିଟି ଔଷଧି ଭିତରୁ ଜାମ୍ବବାନ ମୃତସଂଜୀବନୀକୁ ଚିହ୍ନି ପାରିଲେ । ସେହି ଚାରିଟି ଔଷଧିର ଗୁଣ ଥିଲା ଅଦ୍ଭୁତ । ବିଶଲ୍ୟକରଣୀ ତୀର ବା ଅନ୍ୟ ଅସ୍ତ୍ରଶସ୍ତ୍ରକୁ କାଢ଼ି ଦିଏ । ଶଲ୍ୟହାରିଣୀ ତାର ଯନ୍ତ୍ରଣା ଦୂର କରିଦିଏ । ସନ୍ଧାନକରଣୀ ସବୁ କ୍ଷତକୁ ଶୁଖାଇଦିଏ ଏବଂ ମୃତସଂଜୀବନୀ ଜୀବନଦାନ କରେ । ତେଣୁ ଏହି ଔଷଧିର ପ୍ରଭାବରେ ଲକ୍ଷ୍ମଣ ଚେତା ଫେରି ପାଇବା ସହିତ ସଂପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ । ଏହା କେବଳ ହନୁମାନଙ୍କ ଯୋଗୁଁ ସମ୍ଭବ ହେଲା । ପରେ ରାମ ବନବାସରୁ ଫେରିବା ପରେ ଯେଉଁ ଅଶ୍ୱମେଧ ଯଜ୍ଞ ହେଲା, ତାହାର ଘୋଡ଼ାକୁ ରାମଙ୍କର ଦୁଇ ପୁଅ ଲବ ଓ କୁଶ ଅଟକାଇବାରୁ ଯୁଦ୍ଧ ହୋଇଥିଲା । ସେଥିରେ ଶତ୍ରୁଘ୍ନ ଆହତ ହେଲେ । ସେତେବେଳେ ମଧ୍ୟ ହନୁମାନ ହିମାଳୟରୁ 'ଦ୍ରୋଣ' ନାମକ ଔଷଧି ଆଣିବାରୁ ଶତ୍ରୁଘ୍ନଙ୍କ ପ୍ରାଣରକ୍ଷା ହୋଇଥିଲା ।

ଲଙ୍କାରେ ରାମ-ରାବଣ ଯୁଦ୍ଧ ଚାଲିଥିବା ବେଳେ ହନୁମାନ ସମସ୍ତଙ୍କୁ ସୁରକ୍ଷାର ବଳୟ ମଧ୍ୟରେ ରଖୁଥିଲେ । ପ୍ରଥମ ଦିନର ଯୁଦ୍ଧରେ ରାବଣ ତାର ଧନୁ ହରାଇଲା । ମାତ୍ର ତା' ହାତରେ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ନଥିବାରୁ ରାମ ତାକୁ ଛାଡ଼ିଦେଲେ । ଦ୍ୱିତୀୟ ଦିନର ଯୁଦ୍ଧରେ ସେ ପାତାଳରାବଣ ଓ କୁମ୍ଭୋଦରକୁ ଆଣି ଯୁଦ୍ଧକ୍ଷେତ୍ରକୁ ଆସିଲା । ସେ ଦୁହେଁ ରାତିରେ ଲୁଚି ଲୁଚି ରାମଙ୍କ ଶିବିରରେ ପ୍ରବେଶ କରିବାକୁ ଚାହିଁଲେ । ମାତ୍ର ହନୁମାନ ତାଙ୍କ ଲାଙ୍ଗୁଡ଼ରେ ଗଡ଼ ନିର୍ମାଣ କରି ସମସ୍ତଙ୍କୁ ରଖିଥିବାରୁ ସେଥିରେ ସଫଳ ହେଲେନାହିଁ । ଅନ୍ୟ ଉପାୟ ନଦେଖି ଦୁହେଁ ପାତାଳକୁ ଚାଲିଯାଇ ସେଠାରୁ ସୁଡ଼ଙ୍ଗ କରି ଶିବିର ଭିତରକୁ ପଶିଲେ ଏବଂ ରାମଚନ୍ଦ୍ର ଓ ଅନ୍ୟମାନଙ୍କୁ ସମ୍ମୋହନ ଦ୍ୱାରା ଅଚେତ କରି ପାତାଳକୁ ନେଇଗଲେ । ପାତାଳର ମହାକାଳୀଙ୍କ ନିକଟରେ ସେମାନଙ୍କୁ ବଳିଦେବାକୁ ଯୋଜନା କଲେ । ତାହା ଜାଣିପାରି ବିଭୀଷଣଙ୍କ ନେତୃତ୍ୱରେ ସୁଗ୍ରୀବ ଓ ଅନ୍ୟମାନେ ସୁଡ଼ଙ୍ଗବାଟେ ଯାଇ ସେଠାରେ ପହଞ୍ଚିଲେ ଓ ସେମାନଙ୍କ ସହ ଯୁଦ୍ଧ କଲେ । ଯୁଦ୍ଧରେ ଅଙ୍ଗଦ ମହୋଦରକୁ ଏବଂ ହନୁମାନ ପାତାଳ ରାବଣକୁ ମାରିଦେଲେ । ରାମଚନ୍ଦ୍ର ଓ ଅନ୍ୟମାନେ ମୁକ୍ତ ହେଲେ । ପାତାଳ ରାବଣର ଏକମାତ୍ର ପୁଅ ସୁମାଳି ପାତାଳର ରାଜା ହେଲା ।

ଏହିପରି ହନୁମାନ ଲଙ୍କାରେ ରାମ-ରାବଣ ଯୁଦ୍ଧରେ ବହୁ ବୀରତ୍ୱ ଓ ପରାକ୍ରମ ପ୍ରଦର୍ଶନ କରିଥିଲେ । ଶେଷରେ ରାବଣ ମଲା । ଲଙ୍କାପୁରୀରୁ ସୀତା ଉଦ୍ଧାର ହେଲେ । ବିଭୀଷଣ ଲଙ୍କାର ରାଜା ହେଲେ ।

ତେବେ ହନୁମାନ କେବଳ ଯେ ଅମିତ ପରାକ୍ରମୀ ବୀର, ତାହା ନୁହେଁ । ହନୁମାନ ମଧ୍ୟ ଖୁବ୍ ସଂଗୀତାନୁରାଗୀ ଥିଲେ । ଅଦ୍ଭୁତ ରାମାୟଣରେ ଏ ସଂପର୍କରେ ଗୋଟିଏ ସୁନ୍ଦର କାହାଣୀ ଅଛି । ଥରେ ନାରଦ ହନୁମାନଙ୍କୁ ସାକ୍ଷାତ୍ କରିବାକୁ ଆସିଲେ । ତାଙ୍କୁ ଦେଖି, ତାଙ୍କର ପ୍ରଶସ୍ତିରେ ହନୁମାନ ଗୋଟିଏ ଗୀତ ଗାଇଲେ । ସେହି ଗୀତ ଶୁଣିବାବେଳେ ନାରଦ ନିଜର ବୀଣାଟିକୁ ଗୋଟିଏ ପଥର ଉପରେ ରଖି ଦେଇଥିଲେ । ହନୁମାନଙ୍କ ଗୀତ ଏତେ ପ୍ରଭାବଶାଳୀ ଥିଲା ଯେ ସେଥିରେ ସେହି ପଥର ତରଳିଗଲା ଏବଂ ବୀଣାଟି ସେଥିରେ ବୁଡ଼ିଗଲା । ହନୁମାନ ଗୀତ ବନ୍ଦ କରିଦେବାରୁ ପଥର ପୁଣି ଟାଣ ହୋଇଯାଇ ବୀଣାଟି ପଥର ଭିତରେ ରହିଗଲା । ନାରଦ ଭାବିଲେ, ସେ ଗୀତ ଗାଇ ପଥରକୁ ତରଳାଇ ଦେବେ ଏବଂ ବୀଣାଟିକୁ ଉଦ୍ଧାର କରିବେ । ମାତ୍ର ସେ ଯେତେ ଗୀତ ଗାଇଲେ ମଧ୍ୟ ପଥର ତରଳିଲା ନାହିଁ । ଫଳରେ ହନୁମାନ ଆଉ ଥରେ ଗୀତ ଗାଇଲେ । ପଥର ପୁଣି ତରଳିଗଲା ଏବଂ ନାରଦ ତାଙ୍କ ବୀଣାଟିକୁ ଫେରିପାଇଲେ । ଏହିପରି ହନୁମାନ ନାରଦଙ୍କୁ ମଧ୍ୟ ସଂଗୀତରେ ପରାସ୍ତ କରିପାରିଥିଲେ ।

ବାଲ୍ୟାବସ୍ଥାରେ ପାଇଥିବା ଆଶୀର୍ବାଦ ଫଳରେ ହନୁମାନ ବ୍ରହ୍ମାଙ୍କ ପରି ଆୟୁଷ ପାଇଥିଲେ । ସାରା ଜୀବନ ବିଷ୍ଣୁଭକ୍ତ ହୋଇ ରହିଥିଲେ । ବିଷ୍ଣୁଙ୍କ ରାମାବତାରର ଶେଷ ଦିନ ପର୍ଯ୍ୟନ୍ତ ସେ ତାଙ୍କର ସେବକ ରୂପେ ଥିଲେ । ଶେଷରେ ପରିଣତ ବୟସରେ ଯାଇ କଦଳୀ ବନରେ ରହିଲେ ।

ଏହି କଦଳୀ ବନରେ ଅବସ୍ଥାନ କଲାବେଳେ ଥରେ ଭୀମଙ୍କ ସହ ତାଙ୍କର ଦ୍ୱନ୍ଦ୍ୱ ହୋଇଥିଲା । ପାଣ୍ଡବମାନଙ୍କ ଅଜ୍ଞାତବାସ କାଳର କଥା । ଥରେ ଭୀମ ସୌଗନ୍ଧିକ ପୁଷ୍ପ ବା ବ୍ରହ୍ମକମଳ ସନ୍ଧାନରେ ଯିବା ବେଳେ, ବାଟରେ ହନୁମାନଙ୍କ ଲାଞ୍ଜ ପଡ଼ିରହିଥିବାର ଦେଖିଲେ । ଭୀମ ତାଙ୍କୁ ବାଟ ଛାଡ଼ି ଦେବାକୁ କହିଲେ । ହନୁମାନ କହିଲେ, ଲାଞ୍ଜକୁ ଆଡେ଼ଇ ଦେଇ ଚାଲିଯାଅ । ମାତ୍ର ଭୀମ ଶତଚେଷ୍ଟା କଲେ ମଧ୍ୟ ତାଙ୍କ ଲାଞ୍ଜଟିକୁ ଟେକି ପାରିଲେ ନାହିିଁ । ଭୀମ ବୁଝିପାରିଲେ, ଏହି ବୃଦ୍ଧ ବାନର ସାଧାରଣ ମାଙ୍କଡ଼ ନୁହଁନ୍ତି । ସେ ତାଙ୍କୁ ପ୍ରଣାମ କରିବା ପରେ ହନୁମାନ ନିଜ ପରିଚୟ ଦେଇ ତାଙ୍କୁ ବ୍ରହ୍ମକମଳ ପାଇବାର ପଥ ବତାଇ ଦେଇଥିଲେ ।

ଅର୍ଜୁନଙ୍କ ରଥର ଧ୍ୱଜାରେ ହନୁମାନ ଅବସ୍ଥାନ କରନ୍ତି । ଏହା ପଛରେ ମଧ୍ୟ ଗୋଟିଏ ସୁନ୍ଦର କାହାଣୀ ଅଛି । ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ ଥରେ ଅର୍ଜୁନ ବୁଲୁବୁଲୁ ସେତୁବନ୍ଧକୁ ଦେଖି ଭାବିଲେ, ଛାର ମାଙ୍କଡ଼ମାନଙ୍କୁ ନେଇ ଶ୍ରୀରାମ ଏତେ କଷ୍ଟକରି ସେତୁବନ୍ଧ ବାନ୍ଧିବା କି ଦରକାର ଥିଲା ? ଗୋଟିଏ ତୀର ମାରି ତ ସେତୁବନ୍ଧ ବାନ୍ଧି ଦେଇ ହୋଇଥାନ୍ତା ! ସେ ସେହି ପ୍ରଶ୍ନଟିକୁ ପାଖରେ ବସି ରାମାୟଣ ପଢ଼ୁଥିବା ଜଣେ ପଣ୍ଡିତଙ୍କୁ ପଚାରିଲେ । ସେ

ତାହାର ଉତ୍ତର ଦେଇ ପାରିଲେନି । ଏତିକିବେଳେ ଗୋଟିଏ ଛୁଆ ମାଙ୍କଡ଼ ଆସି କହିଲା, ତୀର ମାରି ସେତୁବନ୍ଧ ବାନ୍ଧିଦେଇ ହୋଇଥାନ୍ତା ସିନା, କିନ୍ତୁ ମାଙ୍କଡ଼ ଚଢ଼ିଲେ ତାହା ଭାଙ୍ଗିଯାଇଥାନ୍ତା ।

ଅର୍ଜୁନ ସେଥିରେ ରାଜି ହେଲେନି । ଫଳରେ ଜିଦାଜିଦି ପଡ଼ିଲା । ଅର୍ଜୁନ କହିଲେ, ଯଦି ମାଙ୍କଡ଼ ଚଢ଼ିଲେ ମୋ ତିଆରି ତୀରବନ୍ଧ ଭାଙ୍ଗିଯିବ, ତେବେ ଅଗ୍ନି ଜାଳି ମୁଁ ସେଥିରେ ଆତ୍ମାହୁତି ଦେବି । ଆଉ ମାଙ୍କଡ଼ ଚଢ଼ିଲେ ଯଦି ତୀରବନ୍ଧ ନ ଭାଙ୍ଗିବ, ତେବେ ତୁମେ ମୋର ଦାସ ହୋଇ ରହିବ । ଅର୍ଜୁନ ତୀର ମାରି ବନ୍ଧ ତିଆରି କଲେ । ମାତ୍ର ମାଙ୍କଡ଼ ଛୁଆଟି ଚଢ଼ିବା ମାତ୍ରେ ତାହା କଡ଼ମଡ଼ ହୋଇ ଭାଙ୍ଗିଗଲା ।

ତାହା ଦେଖି ଅର୍ଜୁନ ଅଗ୍ନି ଜାଳି ଆତ୍ମାହୁତି ଦେବାକୁ ଯାଉଛନ୍ତି, ସମୁଦ୍ରରେ ସ୍ନାନ କରୁଥିବା ଜଣେ ବ୍ରାହ୍ମଣ ବାଳକ ଆସି କହିଲା, ଦୁଇଜଣଙ୍କ ଜିଦାଜିଦିରେ ଜଣେ ମଧ୍ୟସ୍ଥ ନରହିଲେ ଜିଦାଜିଦିର କିଛି ମୂଲ୍ୟ ନାହିଁ । ଏବେ ମୁଁ ମଧ୍ୟସ୍ଥି ହେଲି, ଆଉଥରେ ପରୀକ୍ଷା ହେଉ ।

ଏଥର ଅର୍ଜୁନ ପୁଣିଥରେ ତୀର ମାରି ବନ୍ଧ ତିଆରି କରିଦେଲେ । ମାତ୍ର ମାଙ୍କଡ଼ଛୁଆଟି ଯେତେ ନାଚକୁଦ କଲେ ବି ସେ ବନ୍ଧ ଭାଙ୍ଗିଲା ନାହିଁ । ସେଇଠୁ ସେ ବିରାଟ ଆକାର ଧାରଣ କରି ତୀରବନ୍ଧ ଉପରେ ନାଚିଲା । ମାତ୍ର ବନ୍ଧର କିଛି ହେଲା ନାହିଁ ।

ସେହି ବ୍ରାହ୍ମଣ ପିଲା ପ୍ରକୃତରେ ଥିଲେ ଶ୍ରୀକୃଷ୍ଣ, ଆଉ ମାଙ୍କଡ଼ ଛୁଆଟି ହନୁମାନ । ଏହି ଦ୍ୱନ୍ଦ୍ୱ ଯୁଦ୍ଧରେ କେହି ହାରିଲେ ନାହିିଁ କି କେହି ଜିତିଲେ ନାହିଁ । ଏଣୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ ହନୁମାନ ଯାଇ ଅର୍ଜୁନଙ୍କ ରଥର ପତାକାରେ ରହିଲେ । ସେହିଦିନୁ ଅର୍ଜୁନଙ୍କ ରଥର ନାଆଁ ହେଲା 'କପିଧ୍ୱଜ' । ପୁରୀ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ରଥଧ୍ୱଜାରେ ମଧ୍ୟ ନୁମାନ ରହନ୍ତି । ତେଣୁ ନନ୍ଦିଘୋଷ ରଥର ପତାକାର ନାଆଁ ବି 'କପିଧ୍ୱଜ' ।

ଏହିପରି ହନୁମାନ ବାନର କୁଳରେ ଜାତ ହେଲେହେଁ ନିଜର ରୂପ, ଗୁଣ, ବଳ, ବୀରତ୍ୱ, ପ୍ରଭୁଭକ୍ତି, ଚରିତ୍ର ଓ ଜ୍ଞାନବଳରେ କାଳକାଳକୁ ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ତାଙ୍କୁ ସ୍ମରଣ କଲେ ସବୁ ସଂକଟ ମୋଚନ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ଏଣୁ ତାଙ୍କର ଗୋଟିଏ ଧ୍ୟାନଶ୍ଳୋକରେ କୁହାଯାଇଛି-

ଅତୁଳିତ ବଳଧାମଂ ହେମ ଶୈଳାଭଦେହଂ ।
ଦନୁଜବନ କୃଶାନୁଂ ଜ୍ଞାନିନାମଗ୍ରଗଣ୍ୟମ୍ ॥
ସକଳ ଗୁଣନିଧାନଂ ବାନରାଣାମଧୀଶଂ ।
ରଘୁପତି ପ୍ରିୟଭକ୍ତଂ ବାତଜାତଂ ନମାମି ॥