ଆମ ଦେବଦେବୀ/ସରସ୍ୱତୀ
ଆମ ପୁରାଣମାନଙ୍କରେ ଯେଉଁସବୁ ଦେବଦେବୀଙ୍କର ବର୍ଣ୍ଣନା ରହିଛି, ସେମାନଙ୍କ ମଧ୍ୟରେ ଗଣେଶ ବିଦ୍ୟାଦାତା ଓ ସରସ୍ୱତୀ ବିଦ୍ୟାଦେବୀ ଭାବରେ ପ୍ରସିଦ୍ଧ । ଗଣେଶ ଯେପରି ବିଦ୍ୟାଦାତା, ବିଘ୍ନ ବିନାଶକ ଓ ମଙ୍ଗଳକାରୀ, ସରସ୍ୱତୀ ମଧ୍ୟ ସେହିରି ବିଦ୍ୟା ସହିତ ଅନ୍ୟାନ୍ୟ ବହୁ ଗୁଣର ଅଧିକାରିଣୀ ।
ଆମ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ ସରସ୍ୱତୀ ହେଉଛନ୍ତି ସମସ୍ତ ଜ୍ଞାନ, ବିଜ୍ଞାନ, କଳା, ବୃଦ୍ଧି, ମେଧା, ଧାରଣା, ତର୍କଶକ୍ତି ଆଦିର ଦେବୀ ।
ସରସ୍ୱତୀ ପିତାମହ ବ୍ରହ୍ମାଙ୍କର ପତ୍ନୀ । ମାତ୍ର ବ୍ରହ୍ମାଙ୍କର ମୁଖରୁ ତାଙ୍କର ସୃଷ୍ଟି ହୋଇଥିବାରୁ ସେ ବ୍ରହ୍ମାଙ୍କର କନ୍ୟା ବୋଲି ମଧ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି । ସେଥିରେ କୁହାଯାଇଛି, ବ୍ରହ୍ମାଙ୍କ ହୃଦୟରୁ କାମଦେବ, ଭ୍ରୂଲତାରୁ କ୍ରୋଧ, ଅଧରୋଷ୍ଠରୁ ଲୋଭ ଏବଂ ଅନ୍ୟାନ୍ୟ ଅଙ୍ଗରୁ ସମୁଦ୍ରମାନେ ଓ ନିଋତି ଜାତ ହୋଇଥିଲେ । ସରସ୍ୱତୀ ଜାତ ହୋଇଥିଲେ ବ୍ରହ୍ମାଙ୍କ ମୁଖରୁ । ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣନା ଅଛି, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା ପରମ ରୂପବତୀ କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିଲେ । ତାହା ଶୁଣି କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।
ଯେଉଁଦିନ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା, ସେହିଦିନଟି ଥିଲା ମାଘ ଶୁକ୍ଳ ପଞ୍ଚମୀ । ତାହା ‘ଶ୍ରୀପଞ୍ଚମୀ’ ଭାବରେ ପ୍ରସିଦ୍ଧ । କାରଣ ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ । ପୁଣି ସରସ୍ୱତୀ, ବୁଦ୍ଧି,ଐଶ୍ୱର୍ଯ୍ୟ, ଧର୍ମ ଓ ଅର୍ଥ ଆଦି ପୁରୁଷାର୍ଥ, ଅଣିମା ଓ ଲଘିମା ଆଦି ସିଦ୍ଧି ଏବଂ ସୌନ୍ଦର୍ଯ୍ୟ ଓ ମଙ୍ଗଳକୁ ମଧ୍ୟ ତାହା ବୁଝାଏ । ଏଣୁ ସରସ୍ୱତୀଙ୍କ ଆବିର୍ଭାବ ଦିବସ ମାଘ ଶୁକ୍ଳ ପଞ୍ଚମୀକୁ ‘ଶ୍ରୀପଞ୍ଚମୀ' ରୂପେ ପାଳନ କରାଯାଏ । ସେହିଦିନ ସରସ୍ୱତୀଙ୍କର ବିଶେଷ ପୂଜା କରାଯାଏ ।
ସରସ୍ୱତୀ ଦେବୀ ଭାବରେ ଯେତିକି ପ୍ରସିଦ୍ଧ, ନଦୀ ଭାବରେ ମଧ୍ୟ ସେତିକି ପ୍ରସିଦ୍ଧ । ମର୍ତ୍ତ୍ୟରେ ଏକ ନଦୀ ରୂପେ ପ୍ରବାହିତ ହେବା ପାଇଁ ବ୍ରହ୍ମା ହିଁ ସରସ୍ୱତୀଙ୍କୁ କହିଥିଲେ । ତେବେ ସରସ୍ୱତୀ କାହିଁକି ମର୍ତ୍ତ୍ୟରେ ନଦୀ ହେଲେ, ସେ ସମ୍ପର୍କରେ ଅନ୍ୟ କାହାଣୀ ରହିଛି । ପୁରାଣ ମାନଙ୍କରେ ଉଲ୍ଲେଖ ଅଛି, ଯେତେବେଳେ ଭାର୍ଗବ ଓ ହେହୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ହେଲା, ସେତେବେଳେ ସେହି ଦ୍ୱନ୍ଦ୍ୱରୁ ବାଡ଼ବାଗ୍ନି ନାମକ ଅଗ୍ନି ଜାତ ହେଲେ । ସେହି ଅଗ୍ନି ସର୍ବଭକ୍ଷ । ତାହାଙ୍କର ଜ୍ୱାଳାରେ ସମଗ୍ର ପୃଥିବୀ ଧ୍ୱଂସ ପାଇଯାଇ ଥାଆନ୍ତା । ମାତ୍ର ସରସ୍ୱତୀ ହିଁ ଏକ ନଦୀ ରୂପରେ ପ୍ରବାହିତା ହୋଇ ସେହି ବାଡ଼ବାଗ୍ନିଙ୍କୁ ସମୁଦ୍ରକୁ ବୋହି ନେଇଯାଇଥିଲେ ।
ପଦ୍ମପୁରାଣ, ସୃଷ୍ଟିଖଣ୍ଡରେ ଉଲ୍ଲେଖ ଅଛି ଯେ ବାଡ଼ବାଗ୍ନିଙ୍କୁ ପଶ୍ଚିମ ସମୁଦ୍ରକୁ ବୋହିନେଇ ଯିବାକୁ ଇନ୍ଦ୍ର ହିଁ ସରସ୍ୱତୀଙ୍କୁ ଅନୁରୋଧ କରିଥିଲେ । ମାତ୍ର ସରସ୍ୱତୀ ପ୍ରଥମେ ସେଥିରେ ରାଜି ହୋଇ ନଥିଲେ । ଇନ୍ଦ୍ରଙ୍କୁ ସେ କହିଥିଲେ, ମୁଁ ସ୍ୱେଚ୍ଛାଚାରିଣୀ ନୁହେଁ । ବ୍ରହ୍ମା ମୋର ସୃଷ୍ଟିକର୍ତ୍ତା । ତାଙ୍କର ବିନା ଆଦେଶରେ ମୁଁ କିଛି କରିପାରିବି ନାହିଁ । ତେଣୁ ଇନ୍ଦ୍ରଙ୍କ ସହିତ ଅନ୍ୟ ଦେବଗଣ ଏକାଠି ହୋଇ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ବାଡ଼ବାଗ୍ନିଙ୍କୁ ସମୁଦ୍ରକୁ ବୋହି ନେବାକୁ ବ୍ରହ୍ମା ସରସ୍ୱତୀଙ୍କୁ ଆଦେଶ ଦେଲେ । ସରସ୍ୱତୀ ତାଙ୍କର ଆଦେଶ ପାଳନ କରିଥିଲେ ।
ବାଡ଼ବାଗ୍ନିଙ୍କୁ ଧାରଣ କରି ସରସ୍ୱତୀ ଯେଉଁ ଯେଉଁ ପଥ ଦେଇ ପ୍ରବାହିତ ହୋଇଥିଲେ, ସେହିସବୁ ପଥରେ ଅନେକ ତୀର୍ଥ ସୃଷ୍ଟି ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ତୀର୍ଥ ହେଉଛି ପୁଷ୍କର । ବାଡ଼ବାଗ୍ନି ସହ ସରସ୍ୱତୀ ଉତ୍ତର ଦିଗରେ ଗତିକରି ଏକ ପୁଷ୍କରିଣୀରେ ଅବସ୍ଥାନ କରିଥିଲେ । ସେହି ଦିନରୁ ପୁଷ୍କର ଏକ ପୁଣ୍ୟ ତୀର୍ଥରେ ପରିଣତ ହୋଇଛି । ବିଶ୍ୱାସ ଅଛି ଯେ ସେହି ତୀର୍ଥରୁ ଜଳପାନ କଲେ ବ୍ରହ୍ମଲୋକ ପ୍ରାପ୍ତି ହୁଏ ।
ନଦୀ ରୂପରେ ସରସ୍ୱତୀଙ୍କର ଆଉ ଏକ ପ୍ରସିଦ୍ଧ ନାମ ହେଉଛି ନନ୍ଦା । ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ ପୁଷ୍କରରୁ ପଶ୍ଚିମ ଦିଗରେ ଅଗ୍ରସର ହୋଇ ସରସ୍ୱତୀ ଏକ ଉଦ୍ୟାନ ନିକଟରେ ଆବିର୍ଭୂତ ହୋଇଥିଲେ । ସେଠାରେ ସେ ନନ୍ଦା ନାମରେ ଖ୍ୟାତ ହେଲେ । ଏହି ନନ୍ଦା ନାମ ପଛରେ ଏକ କାହାଣୀ ଅଛି । ସେହି କାହାଣୀଟି ହେଉଛି-
ଏକଦା ପ୍ରଭଞ୍ଜନ ନାମରେ ଜଣେ ରାଜା ଥିଲେ । ଥରେ ସେ ଜଙ୍ଗଲରେ ଶିକାର କଲାବେଳେ ଲତା ଗୁଳ୍ମ ମଧ୍ୟରେ ହରିଣୀଟିଏ ଦେଖି ତାହାକୁ ଶିକାର କରିବାକୁ ତୀର ନିକ୍ଷେପ କଲେ । ସେତେବେଳକୁ ହରିଣୀଟି ତା’ର ଛୁଆକୁ କ୍ଷୀର ପିଆଉଥିଲା । ତୀର ଯାଇ ହରିଣୀ ଦେହରେ ବାଜିଲା । ହରିଣୀଟିକୁ ଖୁବ୍ କଷ୍ଟ ହେଲା । ସେ ଆଉ ତାର ଶିଶୁୁପୁତ୍ରକୁ କ୍ଷୀର ପିଆଇ ପାରିଲା ନାହିଁ । ସେ ରାଜାଙ୍କୁ କହିଲା, ହେ ରାଜା, କୌଣସି ହରିଣ ଜଳପାନ କରୁଥିବା ବେଳେ, ଶୋଇଥିବା ବେଳେ, ଶାବକକୁ କ୍ଷୀର ପିଆଉଥିବା ବେଳେ ବା ତାର ମିଳନ ବେଳେ, ତାହାକୁ ତୀର ନିକ୍ଷେପ କରିବା ରାଜଧର୍ମ ନୁହେଁ । ମୁଁ ମୋର ଶାବକକୁ କ୍ଷୀରପାନ କରାଉଥିବା ବେଳେ ତୁମେ ମୋତେ ତୀର ନିକ୍ଷେପ କରି କଷ୍ଟ ଦେଇଛ । ଏଣୁ ମୁଁ ତୁମକୁ ଅଭିଶାପ ଦେଉଛି, ତୁମେ ବାଘଟିଏରେ ପରିଣତ ହୋଇ କଣ୍ଟାଝଟାପୂର୍ଣ୍ଣ ଜଙ୍ଗଲରେ ଘୂରି ବୁଲିବ । ହରିଣର ଅଭିଶାପ ଶୁଣି ରାଜାଙ୍କ ମୁଣ୍ଡରେ ସତେ ଯେପରି ବଜ୍ରପାତ ହେଲା । ସେହି ଅଭିଶାପରୁ ତାଙ୍କୁ ରକ୍ଷା କରିବା ପାଇଁ ସେ ହରିଣୀଟିକୁ ପ୍ରାର୍ଥନା କଲେ । ମାତ୍ର ଅଭିଶାପ ହେଉ କି ଆଶୀର୍ବାଦ, ତାହା ଯଦି ହୃଦୟ ଭିତରୁ ଆସିଥାଏ, ତାହା କେବେ ବ୍ୟର୍ଥ ହୁଏ ନାହିଁ ।
ହରିଣୀଟିର ସେହି ଅଭିଶାପ ଯୋଗୁଁ ରାଜା ସତକୁ ସତ ଗୋଟିଏ ବାଘରେ ପରିଣତ ହୋଇଗଲେ । କ୍ରମେ ବର୍ଷ ବର୍ଷ ହୋଇ ଶହେ ବର୍ଷ ବିତିଗଲା । ଶହେବର୍ଷ ପରେ ଦିନେ ପହ୍ଲେ ଗାଈ ଚରୁ ଚରୁ ସେଆଡ଼କୁ ଆସିଲେ । ସେମାନଙ୍କର ଆଗରେ ଥାଏ ନନ୍ଦା ନାମକ ଏକ ସୁନ୍ଦର ଗାଈ । ସେ ଗାଈଟି ସବୁ ଗାଈଙ୍କ ଭିତରେ ରାଣୀ ପରି ଦେଖାଯାଉଥାଏ ।
ଚରୁ ଚରୁ ନନ୍ଦା କିଛିବାଟ ଆଗେଇ ଆସି ଏକ ନିକାଞ୍ଚନ ସ୍ଥାନରେ ପହଞ୍ଚିଲା । ସେଠାରେ ରୋହିତ ନାମକ ଗୋଟିଏ ପର୍ବତ ଥାଏ । ପାଖରେ ନଈଟିଏ ବହି ଯାଉଥାଏ । ତା’ କୂଳରେ ଭଲ ଘାସ ହୋଇଥାଏ । ପର୍ବତର ଉତ୍ତର ଦିଗକୁ ଥାଏ ଘଞ୍ଚ ଜଙ୍ଗଲ । ସେହି ଜଙ୍ଗଲରେ ବହୁ ହିଂସ୍ର ବଣଜନ୍ତୁ ଥାଆନ୍ତି ।
ହରିଣଠାରୁ ଅଭିଶାପ ପାଇ ପ୍ରଭଞ୍ଜନ ରାଜା ମଧ୍ୟ ବାଘଟିଏ ହୋଇ ସେହି ଜଙ୍ଗଲରେ ଥାଆନ୍ତି । ସେ ଦେଖା ଯାଉଥାଆନ୍ତି ସବୁ ବାଘଙ୍କ ଠାରୁ ଭିନ୍ନ । ପର୍ବତ ପରି ସେହି ବିଶାଳ ବାଘକୁ ଦେଖି ଅନ୍ୟ ବାଘମାନେ ଡରିଯାଉ ଥାଆନ୍ତି ।
ନଈ କୂଳରେ ବଢ଼ିଥିବା କଅଁଳ ଛନଛନ ଘାସ ଚରୁ ଚରୁ ନନ୍ଦା ସେଆଡ଼କୁ ଏକୁଟିଆ ଚାଲିଗଲା । ତାହା ଦେଖି ବାଘଟି ତାକୁ ମାରି ଖାଇବା ପାଇଁ ଗୋଡାଇଲା । ନନ୍ଦା ଧାଉଁଥାଏ ଓ ପାଟିକରି କହୁଥାଏ, ମୋ ଘରେ ମୋ ପୁଅ ଅଛି, ସେ ମୋ ଫେରିବା ବାଟକୁ ଚାହିଁ ବସିଥିବ । ମୁଁ ଯାଇ ତା’ଠୁ ବିଦାୟ ନେଇ ଆସେ କି ମତେ ଖାଇବ ।
ନନ୍ଦାର ସେହି ବ୍ୟାକୁଳ ଚିତ୍କାର ଶୁଣି ବାଘର ହୃଦୟରେ ଦୟାଭାବ ଜାତ ହେଲା । ଘରକୁ ଯାଇ ନିଜ ପୁଅଠାରୁ ବିଦାୟ ନେଇ ଆସିବା ପାଇଁ ସେ ନନ୍ଦାକୁ ଅନୁମତି ଦେଲା ।
ତାହା ଶୁଣି ନନ୍ଦା ଖୁବ୍ ଖୁସି ହେଲା । ପୁଅଠାରୁ ବିଦାୟ ନେଇ ସନ୍ଧ୍ୟା ହେବା ଆଗରୁ ଫେରି ଆସିବ ବୋଲି ସତ୍ୟ କରି ଘରକୁ ଗଲା । ସତ୍ୟ ରକ୍ଷା କରି ସନ୍ଧ୍ୟା ପୂର୍ବରୁ ଫେରି ବି ଆସିଲା ।
ନନ୍ଦାର ସତ୍ୟନିଷ୍ଠା ଦେଖି ବାଘଟି ଖୁବ୍ ସନ୍ତୁଷ୍ଟ ହେଲା । ତାହାର ନାମ ଓ ଖାଉନ୍ଦର ନାମ କ’ଣ ବୋଲି ପଚାରିଲା । ନନ୍ଦା କହିଲା, ମୋର ଖାଉନ୍ଦଙ୍କର ନାମ ‘ନନ୍ଦ’ । ସେ ମତେ ଗେହ୍ଲାରେ ନିଜ ଝିଅ ପରି ପାଳିଛନ୍ତି । ତାଙ୍କ ନାଆଁ ଅନୁସାରେ ମୋର ନାଆଁ ରଖିଛନ୍ତି ‘ନନ୍ଦା’ ।
‘ନନ୍ଦା’ ନାମଟି କାନରେ ପଡ଼ିବାମାତ୍ରେ ରାଜା ପ୍ରଭଞ୍ଜନ ବାଘ ରୂପରୁ ମୁକ୍ତ ହେଲେ । ସେହି ସମୟରେ ଧର୍ମ ଦେବତା ସେଠାରେ ଆସି ପହଞ୍ଚିଲେ । ନନ୍ଦା ଗାଈଟିଏ ହେଲେ ହେଁ ତାହାର ସତ୍ୟନିଷ୍ଠାରେ ସନ୍ତୁଷ୍ଟ ହୋଇ ତାହାକୁ ବର ଦେବାକୁ ଚାହିଁଲେ । ନନ୍ଦା କହିଲା, ଯଦି ବର ଦେବାକୁ ଚାହୁଁଛନ୍ତି, ତେବେ ଏହି ବର ଦିଅନ୍ତୁ ଯେ ମୁଁ ଓ ମୋର ପୁତ୍ର ସ୍ୱର୍ଗଲୋକରେ ଯାଇ ଅବସ୍ଥାନ କରିବୁ । ଏହି ପୀଠଟି ଆଜିଠାରୁ ମୁନିଋଷିଙ୍କ ପାଇଁ ଏକ ପବିତ୍ର ପୀଠ ହେବ । ଏଠାରେ ଯେଉଁ ସରସ୍ୱତୀ ନଦୀ ପ୍ରବାହିତ ହେଉଛି, ତାହା ଏଠାରେ ନନ୍ଦା ନାମରେ ପରିଚିତ ଓ ପ୍ରସିଦ୍ଧ ହେବ ।
ଧର୍ମଦେବତା ସେହି ବର ଦେଲେ । ଫଳରେ ନନ୍ଦା ଓ ତାହାର ପୁତ୍ର ସ୍ୱର୍ଗଲୋକରେ ଯାଇ ଅବସ୍ଥାନ କଲେ । ଅଭିଶାପ ଫଳରୁ ବାଘ ହୋଇ ବୁଲୁଥିବା ରାଜା ପ୍ରଭଞ୍ଜନ ମଧ୍ୟ ନିଜର ସ୍ୱରୂପ ଫେରିପାଇ ରାଜ୍ୟ ପ୍ରାସାଦକୁ ଫେରିଗଲେ । ସରସ୍ୱତୀ ମଧ୍ୟ ସେହିଦିନୁ ସେଠାରେ ନନ୍ଦା ରୂପେ ପରିଚିତା ହେଲେ ।
ସରସ୍ୱତୀ ତ ବାଡ଼ବାଗ୍ନିଙ୍କୁ ଧରି ସମୁଦ୍ର ଆଡ଼କୁ ଅଗ୍ରସର ହେଉଥାନ୍ତି । ଶେଷରେ ତାଙ୍କୁ ନେଇ ସେ ସମୁଦ୍ରରେ ସ୍ଥାପନ କଲେ । ସମଗ୍ର ସୃଷ୍ଟି ବାଡ଼ବାଗ୍ନିର ଜ୍ୱାଳାମୟୀ ପ୍ରଭାବରୁ ରକ୍ଷା ପାଇଲା । ମାତ୍ର ନଦୀ ଅପେକ୍ଷା ଦେବୀ ଭାବରେ ସରସ୍ୱତୀ ଅଧିକ ପ୍ରସିଦ୍ଧ । ସରସ୍ୱତୀଙ୍କ ଯେଉଁସବୁ ମୂର୍ତ୍ତି ସାଧାରଣରେ ପ୍ରଚଳିତ, ସେହିସବୁ ମୂର୍ତ୍ତିରେ, ସରସ୍ୱତୀ ଶ୍ୱେତପଦ୍ମ ଉପରେ ବିରାଜମାନ କରିଥିବା ଦେଖାଯାଏ । ସେ ହସ୍ତରେ ଅକ୍ଷମାଳା, ବୀଣା ଓ ପୁସ୍ତକ ଧାରଣ କରିଥାନ୍ତି । ଆହୁରି କେତେକ ସରସ୍ୱତୀ ମୂର୍ତ୍ତିରେ ସେ ହଂସ ଉପରେ ଉପବେଶନ କରିଥିବା ଦେଖାଯାଏ । ସରସ୍ୱତୀଙ୍କର ବସିବା, ଠିଆ ହେବା ଓ ନୃତ୍ୟ କରିବା ମୂର୍ତ୍ତି ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୁଏ ।
ବେଦ ଓ ଆଗମ ଗ୍ରନ୍ଥମାନଙ୍କରେ ସରସ୍ୱତୀଙ୍କର ଉପାସନାର ମନ୍ତ୍ର, ଯନ୍ତ୍ର, ସ୍ତୋତ୍ର, ପଟଳ ଓ ପଦ୍ଧତି ଆଦି ରହିଛି । ସରସ୍ୱତୀ ରହସ୍ୟୋପନିଷଦ, ପ୍ରପଞ୍ଚସାର ଓ ଶାରଦା ତିଳକ ଆଦି ଗ୍ରନ୍ଥ ଏ ଦୃଷ୍ଟିରୁ ପ୍ରସିଦ୍ଧ । ଚରିତଗ୍ରନ୍ଥ ଯୋଗବାଶିଷ୍ଠ, ଦେବୀ ଭାଗବତ, ବ୍ରହ୍ମବୈବର୍ତ୍ତ ପୁରାଣ, ବୃହତ୍ ଧର୍ମ ପୁରାଣ ଆଦିରେ ମଧ୍ୟ ସରସ୍ୱତୀଙ୍କ ଉପାସନାର ବହୁ ଉଲ୍ଲେଖ ରହିଛି । ବାଲ୍ମୀକି, ବ୍ୟାସ, ବଶିଷ୍ଠ, ବିଶ୍ୱାମିତ୍ର, ଶୌନକ ଆଦି ତାଙ୍କୁ ଆରାଧନା, ଉପାସନା କରିବାର ଅନେକ କାହାଣୀ ମଧ୍ୟ ବିଭିନ୍ନ ପୁରାଣରେ ବର୍ଣ୍ଣିତ ଅଛି । ସରସ୍ୱତୀ ବିଶ୍ୱାମିତ୍ରଙ୍କ ଉପରେ କୃପା କରି ତାଙ୍କୁ ଅନେକ ଶାସ୍ତ୍ରଜ୍ଞାନ ଦେଇଥିଲେ । ସରସ୍ୱତୀ ହିଁ ତାଙ୍କୁ ଗାୟତ୍ରୀ ମନ୍ତ୍ରରେ ଋଷିତ୍ୱ ପ୍ରଦାନ କରିଥିଲେ । ବାଲ୍ମୀକିଙ୍କୁ ସେ କୃପା କରିବାରୁ ବାଲ୍ମୀକି ରାମାୟଣ ରଚନା କରିପାରିଥିଲେ । ବ୍ୟାସଙ୍କୁ ମଧ୍ୟ ସେ ବେଦ, ପୁରାଣ ଓ ମହାଭାରତ ରଚନା ପାଇଁ ଶକ୍ତି ଦେଇଥିଲେ ।
ଏସବୁ ଦୃଷ୍ଟିରୁ ସରସ୍ୱତୀଙ୍କୁ ଜ୍ଞାନ ଓ ଆନନ୍ଦମୟ ବିଗ୍ରହ ବୋଲି କୁହାଯାଏ । ଏଇଥିପାଇଁ ମଧ୍ୟ ବେଦ, ପୁରାଣ, ରାମାୟଣ, ଗୀତା ଆଦିକୁ ସରସ୍ୱତୀଙ୍କ ସ୍ୱରୂପ ବୋଲି ଗ୍ରହଣ କରାଯାଏ । ତେଣୁ ସରସ୍ୱତୀଙ୍କ ମୂର୍ତ୍ତି ନ ଥାଇ ମଧ୍ୟ ମୂର୍ତ୍ତି ପ୍ରତିବଦଳରେ ଏସବୁ ଗ୍ରନ୍ଥକୁ ସରସ୍ୱତୀ ରୂପେ ପୂଜା କରାଯାଏ । ଏଣୁ ମୂର୍ତ୍ତିକୁ ଯେପରି ଅପବିତ୍ର ସ୍ଥାନରେ ରଖିବା ଅନୁଚିତ, ପୁସ୍ତକକୁ ମଧ୍ୟ ସେପରି ଅପବିତ୍ର ସ୍ଥାନରେ ରଖିବା ବା ଅନାଦର କରିବା ଅନୁଚିତ ।
ସରସ୍ୱତୀଙ୍କୁ ମଧ୍ୟ ସଂଗୀତର ଦେବୀ ଭାବରେ ଅନେକେ ଉପାସନା କରିଥାଆନ୍ତି । ସେ ହସ୍ତରେ ଧାରଣ କରିଥିବା ବୀଣା ତାଙ୍କର ସଂଗୀତପ୍ରିୟତାର ସୂଚକ ।
ସରସ୍ୱତୀଙ୍କ ନାମ ଓ ସ୍ୱରୂପ ସମ୍ପର୍କରେ ପୁରାଣମାନଙ୍କରେ ବହୁ ବର୍ଣ୍ଣନା ରହିଛି । ସେ ପ୍ରଭାମୟୀ ହୋଇଥିବାରୁ ତାହାଙ୍କର ନାମ ସୁପ୍ରଭା । ନୈମିଷାରଣ୍ୟରେ ଶୌନକାଦି ଋଷିଙ୍କ ସମ୍ମୁଖରେ ସେ ଥରେ କାଞ୍ଚନାକ୍ଷି ରୂପରେ ପ୍ରକଟ ହୋଇଥିଲେ । ପ୍ରୟାଗର ସରସ୍ୱତୀ ଖୁବ୍ ପ୍ରସିଦ୍ଧ । ଉତ୍ତରକୋଶଳ, କୁରୁକ୍ଷେତ୍ର, ହିମାଳୟ ଆଦି ସ୍ଥାନରେ ସେ କୃପାକରି ନଦୀ ରୂପରେ ପ୍ରକଟ ହୋଇଥିଲେ । ଏହିସବୁ ସ୍ଥାନରେ ତାଙ୍କର ନାମ ମନୋରମା, ସୁରେଣୁ, ଓଘବତୀ ଓ ବିମଳୋଦକ । ବହୁ ମୂର୍ତ୍ତିରେ ସେ ହଂସ ଉପରେ ବିରାଜିତା ଥିବା ଦେଖାଯାଏ । ସେ ହାର ଓ ଚନ୍ଦ୍ରମା ଆଦିରେ ବିଭୂଷିତା । କୁନ୍ଦଫୁଲ ପରି ତାଙ୍କର ବର୍ଣ୍ଣ ଶୁଭ୍ର ଓ ଉଜ୍ଜ୍ୱଳ । ତାହାଙ୍କ ମୁଖରେ ସର୍ବଦା ମଧୁର ସ୍ମିତହସ ଶୋଭାପାଉଥାଏ । ହସ୍ତରେ ପୁସ୍ତକ, ବୀଣା, ଅମୃତମୟ ଘଟ ଓ ଅକ୍ଷମାଳା ଧାରଣ କରି ସେ ଶ୍ୱେତପଦ୍ମ ଉପରେ ବିରାଜମାନ କରିଥାଆନ୍ତି ଓ ବିଦ୍ୟାଦାନ କରନ୍ତି ।
ମହାକବି କାଳିଦାସ ସରସ୍ୱତୀଙ୍କୁ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି, ତାହା ଖୁବ୍ ପ୍ରସିଦ୍ଧ । ତାହା ସହିତ କିଛି ଅଂଶରେ ସମାନ ଏକ ସରସ୍ୱତୀ ବନ୍ଦନା ଓଡ଼ିଆରେ ପ୍ରଚଳିତ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମାନଙ୍କରେ ସ୍ୱରସ୍ୱତୀ ପୂଜା କଲାବେଳେ ପ୍ରାୟତଃ ସେହି ବନ୍ଦନା ଗାନ କରିଥାଆନ୍ତି । ତାହା ହେଉଛି-
ଅଇଲେ ମା’ ସରସ୍ୱତୀ ନିର୍ମଳ ବର୍ଣ୍ଣେ
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ
ଗଳାରେ ଗଜମୋତି ମୁକୁତାର ହାର
ଦିଅ ମା’ ସରସ୍ୱତୀ ବିଦ୍ୟାଭଣ୍ଡାର ।
![]() |
![]() |
![]() |
![]() |
![]() |
![]() |
![]() |