ଆମ ଦେବଦେବୀ/ବ୍ରହ୍ମା
ହିନ୍ଦୁ ଧର୍ମମତ ଓ ଶାସ୍ତ୍ର ପୁରାଣରେ ଯେଉଁ ତିନି ଦେବତାଙ୍କୁ ସବୁ ଦେବତାଙ୍କ ମଧ୍ୟରେ ମୁଖ୍ୟ ବୋଲି ଗ୍ରହଣ କରାଯାଇଛି, ସେହି ତ୍ରିଦେବ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହେଶ୍ୱର ବା ଶିବ ସଂହାରକର୍ତ୍ତା । ଏହି ବୃହତ୍ ଦେବତା-ତ୍ରୟୀଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ବ୍ରହ୍ମା । କାରଣ ସେ ଏ ସମଗ୍ର ଜଗତର ପିତା ବା ସ୍ରଷ୍ଟା ।
ମାତ୍ର ବ୍ରହ୍ମା ଦେବତାମାନଙ୍କ ମଧ୍ୟରେ ପ୍ରଥମ ହେଲେ ହେଁ ତାଙ୍କର ସୃଷ୍ଟି, ପରମାତ୍ମା ବା ଭଗବାନ ନାରାୟଣଙ୍କ ନାଭି-ପଦ୍ମରୁ । ଆମ ଭାରତର ପ୍ରାୟ ସବୁ ପୁରାଣରେ ଏହି କାହାଣୀ ଦେଖିବାକୁ ମିଳେ । ଦେବୀ ପୁରାଣରେ ଏ କାହାଣୀକୁ ଅତ୍ୟନ୍ତ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । କାହାଣୀଟି ହେଉଛି, ମହାପ୍ରଳୟ ହୋଇ ସମଗ୍ର ସୃଷ୍ଟି ଧ୍ୱଂସ ହେଲା । ତା’ପରେ ପୁଣି ଯେତେବେଳେ ସୃଷ୍ଟି ଆରମ୍ଭ ହେବାର ସମୟ ହେଲା, ସେତେବେଳେ ଭଗବାନ ବିଷ୍ଣୁ ଏକ ଶିଶୁ ରୂପରେ ପ୍ରଳୟ ଜଳରେ ଭାସୁଥିବା ଏକ ବଟପତ୍ର ଉପରେ ଶୋଇରହିଥିବାର ଦେଖାଗଲା । କ୍ରମେ ଯେତେବେଳେ ତାଙ୍କର ଆଖି ଖୋଲିଲା, ସେ ଭାବିଲେ, ମୁଁ କିଏ? କିଏ ମତେ ସୃଷ୍ଟି କଲା? କାହିଁକି ସୃଷ୍ଟି କଲା? ମୁଁ କରିବି କଣ?
ସେତେବେଳେ ଶୂନ୍ୟରୁ ଏକ ସ୍ୱର ଶୁଣାଗଲା । ସେହି ସ୍ୱର କହୁଥିଲା, ସବୁକିଛି ହେଉଛି ମୁଁ । ମୋ ବିନା କିଛି ନିତ୍ୟ ନୁହେଁ । ସେହି ସ୍ୱର କେଉଁଠୁ ଆସୁଛି, ତାହା ଜାଣିବା ପାଇଁ ଭଗବାନ ନାରାୟଣ ଚାରିଆଡକୁ ଚାହିଁଲେ । ମାତ୍ର କିଛି ଦେଖିପାରିଲେ ନାହିଁ ।
ସେତେବେଳେ ଏକ ବିଚିତ୍ର ଘଟଣା ଘଟିଲା । ମହାଦେବୀ ତାଙ୍କ ଆଗରେ ଆସି ଆବିର୍ଭୂତ ହେଲେ । ତାଙ୍କର ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଥିଲା । ସମ୍ପତ୍ତି ଓ ଶକ୍ତିମାନେ ଦିବ୍ୟ ନାରୀ ରୂରେ ତାଙ୍କ ଚର୍ତୁପାର୍ଶ୍ୱରେ ବେଢ଼ି ରହିଥିଲେ । ସେହି ସମ୍ପତ୍ତି ଓ ଶକ୍ତିମାନେ ହେଉଛିନ୍ତ- ରତି, ଭୂତି, ବୁଦ୍ଧି, ମତି, କୀର୍ତ୍ତି, ଧୃତି, ସ୍ମୃତି, ଶ୍ରଦ୍ଧା, ମେଧା, ସ୍ୱଧା, ସ୍ୱାହା, କ୍ଷୁଧା, ନିଦ୍ରା, ଦୟା, ଗତି, ତୁଷ୍ଟି, ପୁଷ୍ଟି, କ୍ଷମା, ଲଜ୍ଜା, ଜୃମ୍ଭା ଓ ତନ୍ଦ୍ରା । ଏ ସମସ୍ତଙ୍କ ଦ୍ୱାରା ପରିବେଷ୍ଟିତା ହୋଇଥିବା ମହାଦେବୀ ଭଗବାନଙ୍କୁ କହିଲେ, ଏ ଜଗତ ବାରମ୍ବାର ସୃଷ୍ଟି ହୁଏ, ବିକାଶ ଲାଭ କରେ ଓ ଶେଷରେ ବିନାଶ ହୁଏ । ତା’ପରେ ତୁମେ ହିଁ ନୂଆ ସୃଷ୍ଟି କରିଥାଅ । ଏଥର ମଧ୍ୟ ତୁମେ ହିଁ ପୁଣି ନୂଆ ସୃଷ୍ଟି କରିବ । ପ୍ରଳୟକାଳ ଶେଷ ହେଲାଣି । ତେଣୁ କାଳାତ୍ମିକା ଶକ୍ତିକୁ ନିଜ ଶରୀରରେ ଧାରଣ କରି ତୁମେ ଯେଉଁ ଯୋଗ ନିଦ୍ରାରେ ଶୋଇ ରହିଥିଲ, ତାହାକୁ ଛାଡି, ନୂଆ ସୃଷ୍ଟିରେ ପ୍ରବୃତ୍ତ ହୁଅ । ତୁମର ନାଭିପଦ୍ମରୁ ବ୍ରହ୍ମା ଜାତ ହେବେ ଓ ନୂଆ ସୃଷ୍ଟି କରିବେ । ମହାଦେବୀଙ୍କର ସେହି କଥା ଶୁଣିବା ପରେ ଭଗବାନ ନାରାୟଣ ନିଜର ସମସ୍ତ ଗୁଣକୁ ଆଶ୍ରୟ କରି ନୂଆ ସୃଷ୍ଟିରେ ପ୍ରବୃତ୍ତ ହେଲେ । ତାପରେ ଭଗବାନ ନାରାୟଣଙ୍କ ନାଭିରୁ ଗୋଟିଏ ପଦ୍ମ ବିକଶିତ ହେଲା । ସେହି ପଦ୍ମର କର୍ଣ୍ଣିକା ବା କେଶର ଉପରେ ଦେଖାଦେଲେ ଆଦି ଦେବତା ବ୍ରହ୍ମା ।
ମନୁସ୍ମୃତି, ବାମନ ପୁରାଣ ଓ ଶ୍ରୀମଦ୍ଭାଗବତରେ ବ୍ରହ୍ମାଙ୍କର ଉଦ୍ଭବ ସମ୍ପର୍କରେ ଚମତ୍କାର ବର୍ଣ୍ଣନା ରହିଛି । ଶ୍ରୀମଦ୍ଭାଗବତରେ ବର୍ଣ୍ଣନା ଅଛି ଯେ ସୃଷ୍ଟି ହେବା ପରେ ବ୍ରହ୍ମା ଚାରିଆଡ଼କୁ ଆଖିବୁଲାଇ ଦେଖିବାକୁ ଚାହିଁଲେ । ଫଳରେ ସେହି ଉତ୍ସୁକ ଭାବରୁ ତାଙ୍କର ଚାରିଟି ମୁଖ ସୃଷ୍ଟି ହେଲା ।
ଶ୍ରୀମଦ୍ଭାଗବତରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଶୂନ୍ୟରେ ଚାରିଆଡ଼କୁ ଚାହିଁଲେ ମଧ୍ୟ ବ୍ରହ୍ମା କିଛି ଦେଖିପାରିଲେ ନାହିଁ । ସେ ନିଜେ କେଉଁଠି ଅଛନ୍ତି, ତାହା ମଧ୍ୟ ଜାଣି ପାରିଲେ ନାହିଁ । ଭାବିଲେ, ମୁଁ କିଏ ? କାହିଁକି ଆସିଲି ? ପୁଣି କେଉଁଠୁ ଆସିଲି? ଏ ଯେଉଁ ପଦ୍ମ, ତାହା କେଉଁଠାରୁ ଫୁଟିଛି? ତାହା ଜାଣିବା ପାଇଁ ସେ ମହାଦେବୀ ଜଗଦମ୍ବା ଓ ଭଗବାନ ନାରାୟଣଙ୍କୁ ତପସ୍ୟା କଲେ ।
ବ୍ରହ୍ମାଙ୍କର ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କୁ ଦର୍ଶନ ଦେଲେ । ଯେଉଁ ରୂପ ପୂର୍ବରୁ କେହି ଦେଖିବାର ସୌଭାଗ୍ୟ ଲାଭ କରିନାହାନ୍ତି, ତାଙ୍କର ଦର୍ଶନ ବ୍ରହ୍ମା ପାଇଲେ । ମହାନୀଳମଣିକୁ ମଳିନ କରିଦେବା ପରି ଜ୍ୟୋତି ତାଙ୍କ ଶରୀରରୁ ନିର୍ଗତ ହେଉଥିଲା ।
ନୀଳମଣି ଠାରୁ ଆହୁରି ଉଜ୍ଜ୍ୱଳ କାନ୍ତି ବିଶିଷ୍ଟ ସେହି ପରମପୁରୁଷଙ୍କ ଦର୍ଶନ ପାଇ ବ୍ରହ୍ମା ତାହାଙ୍କୁ ସମଗ୍ର ସୃଷ୍ଟିର ମୂଳ କାରଣ ଭାବି ସ୍ତୁତି କରିବାକୁ ଲାଗିଲେ । ଭଗବାନ ନାରାୟଣ ତାଙ୍କୁ ଜଗତ୍ ସୃଷ୍ଟି କରିବାକୁ ଆଜ୍ଞା ଦେଲେ । ନାରାୟଣଙ୍କ ଆଜ୍ଞା ପାଇ ବ୍ରହ୍ମା ସୃଷ୍ଟି କାର୍ଯ୍ୟରେ ପ୍ରବୃତ୍ତ ହେଲେ ।
ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ, ସୃଷ୍ଟିର ବିସ୍ତାର ପାଇଁ, ସନକାଦି ଚାରି ମାନସପୁତ୍ରଙ୍କ ବ୍ୟତୀତ ମରୀଚି, ପୁଲସ୍ତ୍ୟ, ପୁଲହ, କ୍ରତୁ, ଅଙ୍ଗିରା, ଭୃଗୁ, ବଶିଷ୍ଠ, ଦକ୍ଷ ଆଦି ମାନସପୁତ୍ରଙ୍କୁ ବ୍ରହ୍ମା ସୃଷ୍ଟି କଲେ । ତା'ପରେ ସ୍ୱାୟମ୍ଭୁବ ମନୁ ଆଦିଙ୍କଠାରୁ ସମସ୍ତ ପ୍ରକାରର ସୃଷ୍ଟି ହେବାରେ ଲାଗିଲା ।
ପୁରାଣ ଓ ସ୍ମୃତିଗ୍ରନ୍ଥମାନଙ୍କରେ ବ୍ରହ୍ମାଙ୍କର ବହୁ ପୁତ୍ର ଥିବା ଉଲ୍ଲେଖ ଅଛି । ଉଲ୍ଲେଖ ଅଛି ଯେ ବ୍ରହ୍ମା ନିଜ ମାନସିକ ସଂକଳ୍ପରୁ ‘ପ୍ରଜାପତି’ମାନଙ୍କୁ ସୃଷ୍ଟି କରିଥିଲେ । ସେମାନଙ୍କ ଠାରୁ ସୃଷ୍ଟିର ସମସ୍ତ ପ୍ରଜା (ଜୀବ) ଉତ୍ପନ୍ନ ହୋଇଥିଲେ । ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ ଓ କର୍ଦ୍ଦମ-ଏହି ଦଶ ଜଣ ହେଉଛନ୍ତି ମୁଖ୍ୟ ପ୍ରଜାପତି । ଏହି ଦଶ ପ୍ରଜାପତିଙ୍କ ମଧ୍ୟରୁ ମରୀଚିଙ୍କର ପୁତ୍ର କଶ୍ୟପ ଓ ଦକ୍ଷଙ୍କ ଠାରୁ ଅନେକ ସନ୍ତାନ ଜାତ ହୋଇ ସମଗ୍ର ତ୍ରିଲୋକରେ ବ୍ୟାପିଯାଇଥିଲେ ।
ପ୍ରଜା-ବିସ୍ତାରରେ ଦକ୍ଷଙ୍କର ଥିଲା ସବୁଠୁ ବେଶି ରୁଚି । ତେଣୁ ବ୍ରହ୍ମା ତାଙ୍କୁ ସମସ୍ତ ପ୍ରଜାପତିଙ୍କ ମଧ୍ୟରେ ମୁଖ୍ୟ କରିଥିଲେ । ଦକ୍ଷଙ୍କର ଥିଲେ ଅନେକ କନ୍ୟା । ସେମାନଙ୍କ ମଧ୍ୟରୁ ଅନେକେ ଚନ୍ଦ୍ର, କଶ୍ୟପ ଓ ଧର୍ମଙ୍କର ପତ୍ନୀ ହୋଇଥିଲେ । ମରୀଚିଙ୍କର ପୁତ୍ର କଶ୍ୟପଙ୍କର ଥିଲେ ଦଶ ପତ୍ନୀ । ସେମାନଙ୍କ ମଧ୍ୟରୁ ଅଦିତିଙ୍କ ଠାରୁ ଦେବତା, ଦିତିଙ୍କ ଠାରୁ ଦୈତ୍ୟ ଓ ଦନୁଙ୍କଠାରୁ ଦାନବଗଣ ଉତ୍ପନ୍ନ ହୋଇଥିଲେ । ଏହିପରି ଭାବରେ ସମସ୍ତ ଦେବତା ଏବଂ ଦେବତାଙ୍କର ଅନ୍ୟ ଶ୍ରେଣୀ, ଯଥା- ବିଦ୍ୟାଧର, ନାଗ, କିନ୍ନର ଆଦିଙ୍କର ଉତ୍ପତ୍ତି ହୋଇଥିଲା ।
ମନୁଷ୍ୟମାନଙ୍କର ଉତ୍ପତ୍ତି ମଧ୍ୟ ଏହିପରି ଭାବରେ ବ୍ରହ୍ମାଙ୍କଠାରୁ ହୋଇଥିଲା । ସ୍ୱାୟମ୍ଭୁବ ମନୁ ଥିଲେ ବ୍ରହ୍ମାଙ୍କ ପୁତ୍ର । ସେ ବ୍ରହ୍ମାଙ୍କ ଶରୀରର ଦକ୍ଷିଣ ଭାଗରୁ ଉତ୍ପନ୍ନ ହୋଇଥିଲେ । ମହାରାଣୀ ଶତରୂପା ଉତ୍ପନ୍ନ ହୋଇଥିଲେ ତାଙ୍କର ବାମ ଭାଗରୁ । ମନୁ ଓ ଶତରୂପାଙ୍କ ଠାରୁ ମାନବ ଜାତିର ସୃଷ୍ଟି ହୋଇଥିଲା । ଏ ଦୃଷ୍ଟିରୁ ସମଗ୍ର ଜଗତ ବ୍ରହ୍ମାଙ୍କର ପୌତ୍ର ବା ନାତି । ବ୍ରହ୍ମା ସମସ୍ତଙ୍କର ଅଜା ବା ପିତାମହ ।
ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁଯାୟୀ, ବ୍ରହ୍ମାଙ୍କର ଏହି ସମଗ୍ର ସୃଷ୍ଟି ମୋଟରେ ଦୁଇପ୍ରକାରର । ଗୋଟିଏ ହେଉଛି ସର୍ଗ ଓ ଅନ୍ୟଟି ପ୍ରତିସର୍ଗ । ସୃଷ୍ଟିର ଆରମ୍ଭରେ ବ୍ରହ୍ମା ଯେତେବେଳେ ପ୍ରଥମେ ସୃଷ୍ଟି ହୋଇ ଜୀବଜଗତ ବିସ୍ତାର କରିବାକୁ ଆଜ୍ଞା ପାଇଲେ, ସେତେବେଳେ ଏପରି କିଛି ସୃଷ୍ଟି ହୋଇଥିଲା, ଯାହା ଅନିତ୍ୟ । ଗୋଟିଏ କଳ୍ପ ଶେଷ ହେବା ସହିତ ତାହା ଧ୍ୱଂସ ହୁଏ ଓ ନୂଆ କଳ୍ପ ଆରମ୍ଭ ହେବାବେଳେ ପୁଣି ନୂଆକରି ଗଢ଼ା ହୁଏ । ଏଗୁଡ଼ିକ ପ୍ରତିସର୍ଗ ବା ଅପ୍ରାକୃତ ସୃଷ୍ଟି । ଏହା ମଧ୍ୟରେ ଭୂଃଲୋକ, ଭୁଭଃଲୋକ ଓ ସ୍ୱଃଲୋକ ତଥା ଖଣିଜ, ବୃକ୍ଷଲତା, ପଶୁପକ୍ଷୀ ଓ ସମଗ୍ର ମାନବ ସମାଜ ଅନ୍ତର୍ଭୁକ୍ତ । ବ୍ରହ୍ମାଙ୍କର ଗୋଟିଏ ଦିନ ବା ଗୋଟିଏ କଳ୍ପର ଶେଷରେ ସମ୍ବର୍ତ୍ତକ ଅଗ୍ନି ଓ ସମ୍ବର୍ତ୍ତକ ବର୍ଷାରେ ଏହି ପ୍ରତିସର୍ଗ ବା ଅନିତ୍ୟ ସୃଷ୍ଟି ଧ୍ୱଂସପାଏ ।
ମାତ୍ର, ସର୍ଗ ବା ପ୍ରକୃତ ସୃଷ୍ଟି, ପ୍ରତି କଳ୍ପର ଶେଷ ସହିତ ଧ୍ୱଂସ ପାଏ ନାହିଁ । ପ୍ରତି କଳ୍ପର ଶେଷ ପରେ ବ୍ରହ୍ମା ଯେତେବେଳେ ପୁଣିଥରେ ନୂଆ କରି ସୃଷ୍ଟି କରନ୍ତି, ସେତେବେଳେ ସନକାଦି ଋଷି, କର୍ଦ୍ଦମ, ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ, ଧର୍ମ, ଅଧର୍ମ, ନିଋତି, ସରସ୍ୱତୀ, କାମ, ଅଥର୍ବ, ଅଗ୍ନି, ସ୍ଥାଣୁ ଓ ସ୍ୱାୟମ୍ଭୁବ, ଆଦି ବ୍ରହ୍ମାଙ୍କୁ ନୂଆ ସୃଷ୍ଟିରେ ସାହାଯ୍ୟ କରନ୍ତି । ଗୋଟିଏ କଳ୍ପର ଶେଷ ସହିତ ଧ୍ୱଂସ ନପାଇ ବ୍ରହ୍ମାଙ୍କ ସହିତ ହିଁ ସେମାନେ ଧ୍ୱଂସ ପାଇଥାନ୍ତି ।
ଜଟିଳ ମନେ ହେଉଥିବା ଏହି ତତ୍ତ୍ୱକୁ ବୁଝିବାକୁ ହେଲେ ବ୍ରହ୍ମାଙ୍କ ସମୟ ବା ଆୟୁଷ ସମ୍ପର୍କରେ ଜାଣିବା ଆବଶ୍ୟକ ।
ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁଯାୟୀ ବ୍ରହ୍ମାଙ୍କର ବୟସ ହେଉଛି ୧୨୦ ବର୍ଷ । ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ଗୋଟିଏ କଳ୍ପ । ଏହି କଳ୍ପ ବା ବ୍ରହ୍ମାଙ୍କର ଗୋଟିଏ ଦିନ ପୁଣି ୧୪ ଭାଗରେ ବିଭକ୍ତ । ପ୍ରତି ଭାଗ ଗୋଟିଏ ଗୋଟିଏ ‘ମନ୍ୱନ୍ତର’ । ଗୋଟିଏ ଗୋଟିଏ ମନ୍ୱନ୍ତରରେ ଜଣେ ଜଣେ ମନୁ ରାଜତ୍ୱ କରନ୍ତି । ପ୍ରତି ମନୁଙ୍କର ରାଜତ୍ୱକାଳ ବା ପ୍ରତି ମନ୍ୱନ୍ତରରେ ୭୧ ଥର ଚାରିଯୁଗ ଆସେ । ଏହି ଚାରିଯୁଗ ହେଉଛି ‘କୃତ୍ୟ (ସତ୍ୟ)ଯୁଗ’, ‘ତ୍ରେତା ଯୁଗ’, ‘ଦ୍ୱାପର ଯୁଗ’ ଓ ‘କଳିଯୁଗ’ । ଏହିପରି ୭୧ଟି ଚାରିଯୁଗ ବା
୭୧*୪=୨୮୪ଟି ଯୁଗ ଶେଷ ହେବା ପରେ, ଜଣେ ମନୁଙ୍କର ରାଜତ୍ୱକାଳ ବା ଗୋଟିଏ ମନ୍ୱନ୍ତର ଶେଷ ହୁଏ । ଏହିପରି ୧୪ଜଣ ମନୁଙ୍କର ରାଜତ୍ୱକାଳ ଶେଷ ହେବା ପରେ ଗୋଟିଏ କଳ୍ପ ବା ବ୍ରହ୍ମାଙ୍କର ଗୋଟିଏ ଦିନ ଶେଷ ହୁଏ । ସେହିରି ୩୬୦ କଳ୍ପରେ ବ୍ରହ୍ମାଙ୍କର ଗୋଟିଏ ବର୍ଷ ଓ ୧୨୦ ବର୍ଷରେ ବ୍ରହ୍ମାଙ୍କର ଆୟୁଷ ଶେଷହୁଏ । ସେଥିସହିତ ଶେଷହୁଏ ଗୋଟିଏ ମହାକଳ୍ପ । ସେତେବେଳେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସପାଏ ବା ମହାପ୍ରଳୟ ସଂଘଟିତ ହୁଏ ।
ଏହିପରି ଭାବରେ ଦେଖିଲେ, ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେବା ଦିନଠାରୁ ବ୍ରହ୍ମାଙ୍କର ମାତ୍ର ଗୋଟିଏ ଦିନ ବି ବିତି ନାହିଁ । ୧୪ଟି ମନ୍ୱନ୍ତର ବା ୧୪ଜଣ ମନୁଙ୍କର ସମୟ ଶେଷ ହେବା ପରେ ଯାଇ ବ୍ରହ୍ମାଙ୍କର ମାତ୍ର ଗୋଟିଏ ଦିନ ଶେଷ ହେବ ।
ଆମ ପୁରାଣମାନଙ୍କରେ ଦିଆଯାଇଥିବା ବିବରଣୀ ଅନୁଯାୟୀ, ଏ ପର୍ଯ୍ୟନ୍ତ ଛଅଜଣ ମନୁଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ସ୍ୱାୟମ୍ଭୁବ, ସ୍ୱାରୋଚିଷ, ଔତ୍ତମ, ତାମସ, ରୈବତ ଓ ଚାକ୍ଷୁଷ ମନୁଙ୍କର କାର୍ଯ୍ୟକାଳ ଶେଷ ହୋଇ ଏବେ ଶ୍ୱେତବରାହ କଳ୍ପର ସପ୍ତମ ବୈବସ୍ୱତ ମନ୍ୱନ୍ତର ଚାଲିଛି । ଏହି ମନ୍ୱନ୍ତରର ୨୭ଟି ଚାରିଯୁଗ ଶେଷ ହୋଇ ୨୮ ତମ ଚାରିଯୁଗ ଚାଲିଛି । ଏହିପରି ମୋଟ ୭୧ଟି ଚାରିଯୁଗ ଶେଷ ହେବା ପରେ ସପ୍ତମ ମନ୍ୱନ୍ତର ଶେଷ ହେବ । ତା’ପରେ ଆହୁରି ୭ଜଣ ମନୁଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଗୋଟିଏ କଳ୍ପ ବା ବ୍ରହ୍ମାଙ୍କର ଗୋଟିଏ ଦିନ ଶେଷ ହେବ । ଏମିତି ଗୋଟିଏ ଗୋଟିଏ ଦିନ ହୋଇ ଗୋଟିଏ ବର୍ଷ ଓ ଗୋଟିଏ ଗୋଟିଏ ବର୍ଷ ହୋଇ ୧୨୦ ବର୍ଷ ଶେଷ ହେଲେ ବ୍ରହ୍ମାଙ୍କର ଆୟୁଷ ଶେଷ ହେବ ଏବଂ ସେ ନାରାୟଣଙ୍କ ଶରୀରରେ ଲୀନ ହେବେ । ତା’ପରେ ହେବ ମହାପ୍ରଳୟ । ତା’ପରେ ପୁଣିଥରେ ନାରାୟଣଙ୍କ ନାଭିରୁ ପଦ୍ମଯୋନି ରୂପେ ବ୍ରହ୍ମା ସୃଷ୍ଟି ହେବେ ଏବଂ ପୁଣି ଥରେ ସମଗ୍ର ସୃଷ୍ଟି ସମ୍ପୂର୍ଣ୍ଣ ନୂଆ କରି ଗଢ଼ାହେବ ।
ରୂପମଣ୍ଡଳ, ପ୍ରତିମା ମଣ୍ଡଳ, ଶିଳ୍ପରତ୍ନ, ଚିତ୍ରମଣ୍ଡନ, କାଶ୍ୟପଶିଳ୍ପମ୍, ମତ୍ସ୍ୟପୁରାଣ ଓ ବିଷ୍ଣୁଧର୍ମୋତ୍ତର ଆଦି ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ, ଭାରତର ବିଭିନ୍ନ ସ୍ଥାନରେ ବ୍ରହ୍ମାଙ୍କର ଚିତ୍ର, ମୂର୍ତ୍ତି ଆଦି ନିର୍ମାଣ କରାଯାଇଛି । ସେ ସବୁରେ ବ୍ରହ୍ମାଙ୍କୁ ଚତୁର୍ମୁଖ ଓ ଚତୁର୍ଭୁଜ ରୂପରେ ଦେଖିବାକୁ ମିଳେ । ତାଙ୍କର ମସ୍ତକରେ ଜଟା, ହସ୍ତରେ ଅକ୍ଷମାଳା, କମଣ୍ଡଳୁ, ବେଦ ଓ ଅଭୟ ମୁଦ୍ରା ଆଦି ଦେଖାଯାଏ । କେତେକରେ ସେ ହଂସ ଉପରେ ତ’ କେତେକରେ ପଦ୍ମଫୁଲର କେଶର ଉପରେ ଉପବେଶନ କରିଥିବା ଦେଖାଯାଏ । କେତେକ ଚିତ୍ର ଓ ମୂର୍ତ୍ତିରେ ତାଙ୍କର ଶରୀରର ରଙ୍ଗ ପଦ୍ମପରି, ଆଖି ସୁନ୍ଦର, ମୁହଁରେ ଦାଢ଼ି ଏବଂ ହାତରେ କମଣ୍ଡଳୁ, ଶ୍ରୁବ, ଦଣ୍ଡ ଓ ଶ୍ରୁଚ ଆଦି ମଧ୍ୟ ଦେଖାଯାଏ । ବ୍ରହ୍ମାଙ୍କର ଏହିସବୁ ରୂପ ମୁଖ୍ୟତଃ ପାଞ୍ଚ ପ୍ରକାରର । ସେହି ପାଞ୍ଚ ରୂପ ହେଉଛି- ଚତୁର୍ମୁଖ ରୂପ, ଚତୁର୍ଭୁଜ ରୂପ, ପଦ୍ମାସନ ରୂପ, ହଂସାରୂଢ଼ ରୂପ ଓ ପ୍ରଜାପତି ରୂପ ।
ବିଷ୍ଣୁଧର୍ମୋତ୍ତର ପୁରାଣରେ ବ୍ରହ୍ମାଙ୍କର ରୂପ ଓ ଆଭୂଷଣ ଆଦିର ରହସ୍ୟ ସମ୍ପର୍କରେ ଚମତ୍କାର ବର୍ଣ୍ଣନା ଅଛି । ସେଥିରେ କୁହାଯାଇଛି, ବ୍ରହ୍ମାଙ୍କର ପୂର୍ବମୁଖରେ ଋକ୍ବେଦ୍, ଦକ୍ଷିଣମୁଖରେ ଯଜୁର୍ବେଦ, ପଶ୍ଚିମମୁଖରେ ସାମବେଦ ଓ ଉତ୍ତରମୁଖରେ ଅଥର୍ବବେଦ ଅବସ୍ଥାନ କରିଥାନ୍ତି । ସେହିପରି ତାଙ୍କର ଚାରିଭୁଜ ଚାରି ଦିଗର ପ୍ରତୀକ । ସଂସାରର ସାରବସ୍ତୁ ହେଉଛି ଜଳ ଏବଂ ଏହି ସମଗ୍ର ସଂସାର ଜଳ ଉପରେ ହିଁ ନିର୍ଭରଶୀଳ । ସ୍ଥାବର ଓ ଜଙ୍ଗମ ସମସ୍ତଙ୍କର ସ୍ଥିତି ପାଇଁ ଜଳ ହିଁ ଏକ ଆଧାର । ସେଥିପାଇଁ ପ୍ରତୀକ ରୂପେ ବ୍ରହ୍ମା ଜଳପୂର୍ଣ୍ଣ କମଣ୍ଡଳୁ ଧାରଣ କରିଥାଆନ୍ତି । ତାଙ୍କର ଡାହାଣ ହାତରେ ଥାଏ ରୁଦ୍ରାକ୍ଷ ମାଳା । ତାହା ମୁହୂର୍ତ୍ତରୁ ଆରମ୍ଭ କରି କଳ୍ପ ପର୍ଯ୍ୟନ୍ତ କାଳ-ଗଣନାର ପ୍ରତୀକ । ସଂସାରରେ ଭୂଃ, ଭୁବଃ, ସ୍ୱଃ, ମହଃ, ଜନଃ, ତପଃ ଓ ସତ୍ୟମ୍ ନାମରେ ଯେଉଁ ସପ୍ତଲୋକ ରହିଛି- ବ୍ରହ୍ମାଙ୍କର ରଥ ବା ତାଙ୍କର ବାହନ ହଂସ ତାହାର ପ୍ରତୀକ ।
ଯେଉଁ ପଦ୍ମ ଉପରେ ବ୍ରହ୍ମା ଉପବେଶନ କରନ୍ତି, ତାହାକୁ ସୁମେରୁ ପର୍ବତ ଓ ତାଙ୍କର ଜଟାକୁ ସଂସାରର ସମସ୍ତ ବନସ୍ପତି ଓ ଔଷଧିର ପ୍ରତୀକ ରୂପେ ମଧ୍ୟ ଗ୍ରହଣ କରାଯାଏ । ତାଙ୍କ ଶରୀରର ବିଭିନ୍ନ ପ୍ରତ୍ୟଙ୍ଗ ଓ ଅଳଙ୍କାରକୁ ସୂର୍ଯ୍ୟ, ଚନ୍ଦ୍ର, ଜ୍ୟୋତିଶ୍ଚକ୍ର ଓ ବୁଦ୍ଧି ଆଦିର ପ୍ରତୀକ ଭାବରେ ବର୍ଣ୍ଣନା କରାଯାଏ । ଏସବୁ ଦୃଷ୍ଟିରୁ ବ୍ରହ୍ମା ସମଗ୍ର ବିଶ୍ୱର ପ୍ରତୀକ ଏବଂ ସମସ୍ତ ଦେବତାଙ୍କ ମଧ୍ୟରେ ପ୍ରଥମ ଓ ପ୍ରଧାନ ।
ଦେବୀ ଭାଗବତର ଅଷ୍ଟମ ସ୍କନ୍ଦରେ ବର୍ଣ୍ଣନା ଅଛି ଯେ ମହାମେରୁ ପର୍ବତର ଶିଖରରେ ବ୍ରହ୍ମା ଅବସ୍ଥାନ କରନ୍ତି । ତାହା ହେଉଛି ବ୍ରହ୍ମଲୋକ । ସେଠାରେ ଅଛି ନଅଟି ନଗର ବା ପୁର । ତାହାର କେନ୍ଦ୍ରସ୍ଥଳରେ ବ୍ରହ୍ମାଙ୍କର ନଗର ବା ମନୋବତୀ ପୁର । ମନୋବତୀ ପୁରର ପୂର୍ବ ଦିଗକୁ ଅମରାବତୀ ପୁର; ତାହା ଇନ୍ଦ୍ରଙ୍କର ନିବାସ । ଦକ୍ଷିଣ-ପୂର୍ବକୁ ରଜୋବତୀ ପୁର; ତାହା ଅଗ୍ନିଙ୍କର ନିବାସ । ଦକ୍ଷିଣରେ ସଂଯାମନୀ ପୁର; ତାହା ଯମଙ୍କର ନିବାସ । ଦକ୍ଷିଣ ପଶ୍ଚିମ ଦିଗକୁ ନିଋତି ପୁର ଓ ପଶ୍ଚିମରେ ଶ୍ରଦ୍ଧାବତୀପୁର । ଶ୍ରଦ୍ଧାବତୀପୁରରେ ବରୁଣଙ୍କର ନିବାସ । ଉତ୍ତର-ପଶ୍ଚିମ କୋଣରେ ଗନ୍ଧବତୀପୁର । ତାହା ବାୟୁଙ୍କର ନିବାସ । ଉତ୍ତରରେ ରହିଛି କୁବେରଙ୍କର ମହୋଦୟପୁର ଏବଂ ଉତ୍ତର-ପୂର୍ବରେ ଶିବଙ୍କର ଯଶୋବତୀପୁର ।
ମହାଭାରତ ଓ ଅନ୍ୟ ପୁରାଣ ଅନୁସାରେ ବ୍ରହ୍ମାଙ୍କ ସଭା ଅତୁଳନୀୟ । ସେହି ‘ବ୍ରହ୍ମସଭା’କୁ ‘ସୁସୁଖା’ ବୋଲି ମଧ୍ୟ କୁହାଯାଏ । କାରଣ ତାହା ସମସ୍ତଙ୍କ ପାଇଁ ‘ସୁ’ ବା ଉତ୍ତମ ‘ସୁଖଦାୟକ’ । ସେହି ସଭା ପଦ୍ମରାଗ, ବୈଦୂର୍ଯ୍ୟ, ମର୍କତ ଆଦି ମଣିରେ ନିର୍ମିତ ।
ବ୍ରହ୍ମାଙ୍କର ତୁଳନା ମଧ୍ୟ ଅନ୍ୟ କୌଣସି ଦେବତାଙ୍କ ସହିତ କରାଯାଇ ପାରିବ ନାହିଁ । ବ୍ରହ୍ମାଙ୍କର ଯେଉଁ ବିଭିନ୍ନ ନାମ ରହିଛି, ତାହା ହିଁ ବ୍ରହ୍ମାଙ୍କର ଏହି ଅଦ୍ୱିତୀୟତାର ପ୍ରମାଣ । ସେ ବୃଦ୍ଧି କରନ୍ତି, ତେଣୁ ତାଙ୍କର ନାମ ବ୍ରହ୍ମା । ସେ ସ୍ୱୟଂ ପରମ ପୁରୁଷ ପରମାତ୍ମାଙ୍କ ଅଙ୍ଗରୁ ଉଦ୍ଭବ, ତେଣୁ ତାଙ୍କର ନାମ ଆତ୍ମଭୂ । ସେ ଦେବତାମାନଙ୍କ ମଧ୍ୟରେ ଜ୍ୟେଷ୍ଠ, ତେଣୁ ତାଙ୍କର ନାମ ସୁରଜ୍ୟେଷ୍ଠ । ସେ ପରମ ବା ସତ୍ୟରେ ବାସ କରନ୍ତି, ତେଣୁ ତାଙ୍କର ନାମ ପରମେଷ୍ଠୀ । ସମଗ୍ର ସୃଷ୍ଟି ତାଙ୍କର ସନ୍ତାନମାନଙ୍କଠାରୁ ଜାତ, ତେଣୁ ସେ ପିତାମହ । ସେ ସୁବର୍ଣ୍ଣ କୋଷରୁ ଉଦ୍ଭବ ହେବାର ବର୍ଣ୍ଣନା ମଧ୍ୟ ଅଛି, ତେଣୁ ତାଙ୍କର ନାମ ହିରଣ୍ୟଗର୍ଭ । ସେ ସମସ୍ତ ଲୋକର ଈଶ୍ୱର, ତେଣୁ ତାଙ୍କର ନାମ ଲୋକେଶ । ସେ ନିଜେ ନିଜଠାରୁ ଉଦ୍ଭୂତ, ତେଣୁ ତାଙ୍କର ନାମ ସ୍ୱୟଂଭୂ । ତାଙ୍କର ଚାରି ମୁଖ, ତେଣୁ ସେ ଚତୁରାନନ ବା ଚତୁର୍ମୁଖ । ସେ ସମସ୍ତଙ୍କୁ ଧାରଣ କରିଛନ୍ତି, ତେଣୁ ତାଙ୍କର ନାମ ଧାତା । ସେ ନାରାୟଣଙ୍କ ନାଭିପଦ୍ମରୁ ଜାତ, ତେଣୁ ତାଙ୍କର ନାମ ପଦ୍ମଯୋନି । ସେ ଅସୁର ବିନାଶକାରୀ, ତେଣୁ ତାଙ୍କର ନାମ ଦ୍ରୁହିଣ । ସେ ସମଗ୍ର ସୃଷ୍ଟିର ରଚୟିତା, ତେଣୁ ତାଙ୍କର ନାମ ବିରଞ୍ଚି । ସେ ବିକଶିତ ପଦ୍ମ ବା କମଳ ଆସନ ଉପରେ ଉପବେଶନ କରିଥାଆନ୍ତି, ତେଣୁ ତାଙ୍କର ନାମ କମଳାସନ । ସେ ସମଗ୍ର ଜଗତର ସୃଷ୍ଟିକର୍ତ୍ତା, ତେଣୁ ତାଙ୍କର ନାମ ସ୍ରଷ୍ଟା ବା ବିଶ୍ୱସୃକ୍ ।
କିନ୍ତୁ ଏତେ ସବୁ ସଦ୍ଗୁଣ ଥାଇ ମଧ୍ୟ ବ୍ରହ୍ମାଙ୍କୁ କେହି ପୂଜା କରନ୍ତି ନାହିଁ । ଏପରିକି ରାଜସ୍ଥାନର ପୁଷ୍କର ହ୍ରଦ ଛଡ଼ା ଭାରତରେ ବା ଭାରତ ବାହାରେ ତାଙ୍କର ଆଉ ଗୋଟିଏ ହେଲେ ମନ୍ଦିର ନାହିଁ । ବ୍ରହ୍ମା କାହିଁକି ପୂଜା ପାଆନ୍ତି ନାହିଁ ସେ ସଂପର୍କରେ ପୁରାଣରେ କାହାଣୀ ଅଛି । ସେହି କାହାଣୀ ଅନୁସାରେ ଥରେ ବ୍ରହ୍ମା ଓ ବିଷ୍ଣୁ ଶିବଙ୍କ ଦର୍ଶନ ପାଇଁ ହିମବାନ୍ ଯାଇଥିଲେ । ଦୁହେଁ ସେଠାରେ ଏକ ବିରାଟ ଜ୍ୟୋତିର୍ଲିଙ୍ଗ ଦେଖିଲେ । ତାହାର ଆରମ୍ଭ କେଉଁଠି ଓ ଶେଷ କେଉଁଠି କଳନା କରି ହେଉ ନଥିଲା । ତେଣୁ ଜଣେ ତା'ର ତଳ ଆଡ଼କୁ ଓ ଅନ୍ୟ ଜଣେ ଉପର ଆଡ଼କୁ ଗଲେ । ମାତ୍ର ତାହାର ଆଦି ବା ଅନ୍ତ ଜାଣି ପାରିଲେ ନାହିଁ । ତା'ପରେ ଦୁହେଁ ଶିବଙ୍କୁ ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିବାରୁ ଶିବ ତାଙ୍କର ପୁଅ ରୂପେ ଜନ୍ମ ହୁଅନ୍ତୁ ବୋଲି ବ୍ରହ୍ମା କହିଲେ । ବ୍ରହ୍ମାଙ୍କର ସେହି ଧୃଷ୍ଟତା ଶିବଙ୍କୁ ରୁଷ୍ଟ କଲା । ଏପରି ଅବାନ୍ତର ଇଚ୍ଛା କରିଥିବାରୁ ତାଙ୍କୁ ଭବିଷ୍ୟତରେ କେହି ପୂଜା କରିବେ ନାହିଁ ବୋଲି ସେ ଅଭିଶାପ ଦେଲେ । ଏହି ପୁରାଣ କାହାଣୀ ସୂଚାଏ ଯେ ଆମେ ଯେତେ ବଡ଼ ହେଲେ ବି ଅବାନ୍ତର ଇଚ୍ଛା କରିବା ଅନୁଚିତ ।
ତେବେ କେଉଁଠାରେ ପୂଜା ନପାଇଲେ ମଧ୍ୟ ବ୍ରହ୍ମା ପିତାମହ ଭାବେ ସମସ୍ତଙ୍କ ଦ୍ୱାରା ମାନ୍ୟ ହୋଇଥା'ନ୍ତି । ସେ ମଧ୍ୟ ପୃଥିବୀକୁ ପାପତାପରୁ ରକ୍ଷା କରିବାର ମାଧ୍ୟମ ହୋଇଥାଆନ୍ତି । ସ୍ୱଭାବରେ ଦୟାଳୁ ହୋଇଥିବାରୁ ତପସ୍ୟା ଓ ଦାନଧ୍ୟାନରେ ସେ ସହଜରେ ସନ୍ତୁଷ୍ଟ ହୋଇ ବର ଦେଇଦିଅନ୍ତି । ଅସୁରମାନେ ତେଣୁ ତାଙ୍କୁ ହିଁ ବେଶି ତପସ୍ୟା କରନ୍ତି ଏବଂ ତାଙ୍କ ବରରେ ବଳୀୟାନ ହୋଇ ତ୍ରିଲୋକରେ ଉତ୍ପାତ କରନ୍ତି । ବେଶି ଉତ୍ପାତ କଲେ, ବ୍ରହ୍ମା ଯାଇ ବିଷ୍ଣୁ ବା ଜଗଦମ୍ବାଙ୍କ ସହାୟତାରେ ସେମାନଙ୍କର ବିନାଶ କରାଇଥାଆନ୍ତି ।
ବ୍ରହ୍ମାଙ୍କ ଉପାସନାର ପରଂପରା ନଥିଲେ ହେଁ ସେ ପିତାମହ ହୋଇଥିବାରୁ ସଂସ୍କୃତ ଶାସ୍ତ୍ରଗ୍ରନ୍ଥମାନଙ୍କରେ ତାଙ୍କର ଧ୍ୟାନଶ୍ଳୋକମାନ ରହିଛି ।
ଏପରି ଗୋଟିଏ ଶ୍ଳୋକରେ କୁହାଯାଇଛି-
ପଦ୍ମଯୋନି ଶ୍ଚତୁର୍ମୂର୍ତ୍ତି ର୍ବେଦାବାସଃ ପିତାମହଃ
ଯଜ୍ଞାଧ୍ୟକ୍ଷ ଶ୍ଚତୁର୍ବକ୍ତ୍ର ସ୍ତସ୍ମୈ ନିତ୍ୟଂ ନମୋ ନମଃ ।
![]() |
![]() |
![]() |
![]() |
![]() |
![]() |
![]() |