ଆମ ଦେବଦେବୀ/ଲକ୍ଷ୍ମୀ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଦେବଦେବୀ (୨୦୧୧)  ଲେଖକ/କବି: ଅସିତ ମହାନ୍ତି
ଲକ୍ଷ୍ମୀ
ଲକ୍ଷ୍ମୀ

ସୃଷ୍ଟିର ଆଦିକାଳ କଥା । ସେତେବେଳେ କଶ୍ୟପ ନାମରେ ଜଣେ ଋଷି ଥିଲେ । ତାଙ୍କର ଅନେକ ପତ୍ନୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ଅଦିତି ଓ ଦିତି । ଅଦିତିଙ୍କ ଗର୍ଭରୁ ଆଦିତ୍ୟବା ଦେବତାମାନେ ଏବଂ ଦିତିଙ୍କ ଗର୍ଭରୁ ଦୈତ୍ୟ ବା ଅସୁରମାନେ ଜାତ ହୋଇଥିଲେ । ଗୋଟିଏ ପିତାର ସନ୍ତାନ ହେଲେ ମଧ୍ୟ ଦେବତା ଓ ଦୈତ୍ୟମାନଙ୍କ

ମଧ୍ୟରେ ଅନେକ ପାର୍ଥକ୍ୟ ଥିଲା । ଦେବତାମାନେ ଥିଲେ ଗୁଣ ଓ କର୍ମରେ ମହତ୍ ଓ ଶାନ୍ତିପ୍ରିୟ । ମାତ୍ର ଦୈତ୍ୟମାନେ ଥିଲେ ଗୁଣ ଓ କର୍ମରେ ଦୁରାଚାରୀ ଓ ଯୁଦ୍ଧପ୍ରିୟ । ତେଣୁ ଉଭୟଙ୍କ ମଧ୍ୟରେ ସବୁବେଳେ ବିରୋଧ ଓ ଯୁଦ୍ଧ ଲାଗି ରହୁଥିଲା । ଦେବତାମାନେ ସେମାନଙ୍କ ସଦ୍‌ଗୁଣ ଫଳରୁ ସ୍ୱର୍ଗରେ ବାସ କରୁଥିଲେ । ଇନ୍ଦ୍ର ଥିଲେ ସେମାନଙ୍କର ରାଜା ।

ଦେବତାମାନଙ୍କ ଉତ୍ତମ ସ୍ୱଭାବ ଯୋଗୁଁ ମହାଲକ୍ଷ୍ମୀ ସେମାନଙ୍କ ସହିତ ରହିଥିଲେ । ତେଣୁ ସ୍ୱର୍ଗରେ ଧନ, ଧାନ୍ୟ ଓ ଐଶ୍ୱର୍ଯ୍ୟ ବିରାଜମାନ କରୁଥିଲା ।

ଏହି ସମୟରେ ଥରେ ମହର୍ଷି ଦୁର୍ବାସା ଦେବରାଜ ଇନ୍ଦ୍ରଙ୍କୁ ଦର୍ଶନ କରିବା ପାଇଁ ଦେବଲୋକକୁ ଆସିଲେ । ସେତେବେଳକୁ ଦେବରାଜ ଇନ୍ଦ୍ର ତାଙ୍କର ଐରାବତ ହାତୀରେ ଚଢ଼ି ବୁଲି ବାହାରି ଥାଆନ୍ତି । ଦେବଲୋକରେ ପ୍ରବେଶ କରୁ କରୁ ଇନ୍ଦ୍ରଙ୍କର ଦର୍ଶନ ପାଇ ଦୁର୍ବାସା ଖୁବ୍ ଖୁସି ହୋଇଗଲେ । ତାଙ୍କ ପାଖରେ ପାରିଜାତ ଫୁଲର ଗୋଟିଏ ମାଳା ଥିଲା । ସେହି ମାଳାଟିକୁ ସେ ଜଣେ ସୁନ୍ଦରୀ ବିଦ୍ୟାଧରୀ ଠାରୁ ଉପହାର ରୂପେ ପାଇଥିଲେ । ମାଳାଟି ଏତେ ସୁନ୍ଦର ଓ ସୁବାସିତ ଥିଲା ଯେ, ଯେକେହି ତାହାକୁ ଦେଖିଲେ ଲୋଭ କରିବ ଏବଂ ପାଇଲେ ଖୁସି ହେବ । ତେଣୁ ସେ ସେହି ମାଳାଟିକୁ ଇନ୍ଦ୍ରଙ୍କୁ ଉପହାର ଦେଲେ ।

ଦୁର୍ବାସାଙ୍କ ଠାରୁ ମାଳାଟି ଉପହାର ରୂପେ ପାଇ ଇନ୍ଦ୍ର ସେଇଟିକୁ ଗ୍ରହଣ ଅବଶ୍ୟ କଲେ, ମାତ୍ର ତାହାକୁ ନିଜେ ନ ପିନ୍ଧି ତାଙ୍କର ବାହନ ଐରାବତର ମୁଣ୍ଡ ଉପରେ ପକାଇ ଦେଲେ ।

ପାରିଜାତ ଫୁଲର ସୁବାସ ତ ସବୁ ଫୁଲର ସୁବାସରୁ ବଳି । ତେଣୁ ସେହି ସୁବାସରେ ଐରାବତଟି ଉନ୍ମତ୍ତ ହୋଇଉଠିଲା । ସୁବାସ କେଉଁଠାରୁ ଆସୁଛି ତାହା ଜାଣି ନପାରି ସେ ଶୁଣ୍ଢ ବଢ଼ାଇ ମାଳଟିକୁ ଭିଡ଼ି ଆଣିଲା; ଫଳରେ ମାଳଟି ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିଯାଇ ଫୁଲଗୁଡ଼ିକ ତଳେ ବିଞ୍ଚି ହୋଇଗଲା ।

ସୁନ୍ଦରୀ ବିଦ୍ୟାଧରୀ ଠାରୁ ଉପହାର ପାଇଥିବା ନିଜର ପ୍ରିୟ ଓ ଦୁର୍ଲଭ ପାରିଜାତ ମାଳାଟିର ଏହି ଅବସ୍ଥା ଦେଖି ଦୁର୍ବାସା ଦୁଃଖିତ ହେଲେ । ଉପହାର ମାଳାଟିକୁ ଇନ୍ଦ୍ର ଗ୍ରହଣ କଲେ ମଧ୍ୟ ନିଜର ବାହନକୁ ଦେଇଦେବାରୁ ଏବଂ ବାହନ ମୂଲ୍ୟ ନ ବୁଝି ତାହାକୁ ନଷ୍ଟ କରିଦେବାରୁ ଦୁର୍ବାସା ଖୁବ୍ ଅପମାନିତ ମନେ କରୁଥିଲେ । ସେହି ଦୁଃଖ ଓ ଅପମାନ ତାଙ୍କ ଅନ୍ତରରେ କ୍ରୋଧ ସୃଷ୍ଟି କଲା । କ୍ରୁଦ୍ଧ ହେଲେ ଦୁର୍ବାସା ନିଜ ଆୟତ୍ତରେ ରହି ପାରନ୍ତି ନାହିଁ । ତେଣୁ ସେ ଇନ୍ଦ୍ରଙ୍କୁ ଅଭିଶାପ ଦେଇ କହିଲେ, ହେ ଦେବରାଜ ଇନ୍ଦ୍ର, ମହାଲକ୍ଷ୍ମୀଙ୍କର ଅଂଶ ରାଜଲକ୍ଷ୍ମୀ ରୂପେ ତୁମ୍ଭ ଠାରେ ବିରାଜମାନ କରିଥିବାରୁ ସ୍ୱର୍ଗରାଜ୍ୟ ଧନ, ଧାନ୍ୟ ଓ ଐଶ୍ୱର୍ଯ୍ୟରେ ଭରି ରହିଛି । ତେଣୁ ତୁମର ଖୁବ୍ ଗର୍ବ ହୋଇଯାଇଛି । ସେଥିପାଇଁ ଦୁର୍ଲଭ ପାରିଜାତ ମାଳର ମହତ୍ତ୍ୱ ତୁମେ ବୁଝିପାରୁ ନାହଁ । ପୁଣି ଶ୍ରଦ୍ଧାରେ ତୁମକୁ କେହି କିଛି ଉପହାର ଦେଲେ ତୁମେ

ସେହି ଉପହାରକୁ ଓ ଉପହାରଦାତାକୁ ଅପମାନିତ କରୁଛ । ଏଣୁ ମୁଁ ତୁମକୁ ଅଭିଶାପ ଦେଉଛି, ଆଜିଠାରୁ ତୁମେ ହତଲକ୍ଷ୍ମୀ ହେବ । ରାଜଲକ୍ଷ୍ମୀ ଆଉ ତୁମ ନିକଟରେ ରହିବେ ନାହିଁ ।

ଦୁର୍ବାସାଙ୍କର ଅଭିଶାପ ତ ଅମୋଘ; ତାହା କେବେ ବ୍ୟର୍ଥ ହେବାର ନୁହେଁ । ତେଣୁ ସେହି ଅଭିଶାପ ଫଳରେ ଲକ୍ଷ୍ମୀ ସ୍ୱର୍ଗରାଜ୍ୟ ଛାଡ଼ି, ବୈକୁଣ୍ଠପୁରକୁ ଯାଇ ମହାଲକ୍ଷ୍ମୀଙ୍କଠାରେ ମିଶିଗଲେ । ଦେବତାମାନଙ୍କର ପୂର୍ବ ତେଜ ଆଉ ରହିଲା ନାହିଁ । ସେମାନେ ଜରାଗ୍ରସ୍ତ ହୋଇଗଲେ । ସେମାନଙ୍କ କେଶ ପାଚିଗଲା । ଦୃଷ୍ଟିଶକ୍ତି କ୍ଷୀଣ ହୋଇଗଲା । ଶକ୍ତି ହ୍ରାସ ପାଇଲା ।

ଦୈତ୍ୟଗଣଙ୍କର ତ ଦେବତାମାନଙ୍କ ସହିତ ଆଜନ୍ମ ଶତ୍ରୁତା ଥାଏ । ଏଣୁ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କ ଦୁର୍ଦ୍ଧଶା ଦେଖି ଦୈତ୍ୟଗଣ ସେମାନଙ୍କ ଉପରେ ଦ୍ୱିଗୁଣ ଉତ୍ସାହରେ ଆକ୍ରମଣ ଆରମ୍ଭ କରିଦେଲେ । ସେମାନଙ୍କର ଅତ୍ୟାଚାରରେ ସମଗ୍ର ସ୍ୱର୍ଗରାଜ୍ୟରେ ହାହାକାର ଖେଳିଗଲା ।

ଦିନକୁଦିନ ଦୈତ୍ୟମାନଙ୍କର ଅତ୍ୟାଚାର ଅଧିକ ହେବାରୁ ଦେବଗଣ ଅତିଷ୍ଠ ହୋଇପଡ଼ିଲେ । ସତ୍ୟଲୋକକୁ ଯାଇ ପ୍ରତିକାର ପାଇଁ ବ୍ରହ୍ମାଙ୍କୁ ନିବେଦନ କଲେ ।

ମାତ୍ର ବ୍ରହ୍ମା ସେମାନଙ୍କୁ ସ୍ପଷ୍ଟ ଜଣାଇଦେଲେ ଯେ ଦୁର୍ବାସାଙ୍କ ଅଭିଶାପ ଫଳରେ ଲକ୍ଷ୍ମୀ ସ୍ୱର୍ଗରାଜ୍ୟ ଛାଡ଼ି ଚାଲିଯାଇଛନ୍ତି । ତେଣୁ ସ୍ୱର୍ଗରାଜ୍ୟର ଏପରି ଦୁର୍ଦ୍ଧଶା । ଯଦି ଲକ୍ଷ୍ମୀ ପୁଣି ଆସି ସ୍ୱର୍ଗର ରାଜଲକ୍ଷ୍ମୀ ରୂପେ ରହନ୍ତି, ତେବେ ଯାଇ ଦେବତାମାନଙ୍କର ପୂର୍ବ ତେଜ ଓ ସୌଭାଗ୍ୟ ଫେରିଆସିବ । ଦେବଲୋକର ସମସ୍ତ ଶ୍ରୀ ଓ ଐଶ୍ୱର୍ଯ୍ୟ ସେମାନେ ପାଇ ପାରିବେ । ମାତ୍ର ସ୍ୱର୍ଗରାଜ୍ୟ ଛାଡ଼ି ଚାଲିଯିବା ପରେ ରାଜଲକ୍ଷ୍ମୀ ଯାଇ ନିଜର ମୂଳ ସତ୍ତା ମହାଲକ୍ଷ୍ମୀଙ୍କ ଠାରେ ମିଶି ଯାଇଛନ୍ତି । ମହାଲକ୍ଷ୍ମୀ ଏବେ ବିଷ୍ଣୁଙ୍କ ସହିତ ବୈକୁଣ୍ଠ ଲୋକରେ ଅବସ୍ଥାନ କରୁଛନ୍ତି । ମହାଲକ୍ଷ୍ମୀଙ୍କୁ ସେଠାରୁ ପୁଣି ସ୍ୱର୍ଗରାଜ୍ୟକୁ ଆଣିବାର କ୍ଷମତା କେବଳ ବିଷ୍ଣୁଙ୍କର ରହିଛି । ଏଣୁ ସମସ୍ତେ ବୈକୁଣ୍ଠଲୋକକୁ ଯାଇ, ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ ।

ତାହା ଜାଣି ଇନ୍ଦ୍ରାଦି ଦେବଗଣ ବ୍ରହ୍ମାଙ୍କ ସହିତ ଯାଇ ବୈକୁଣ୍ଠ ଲୋକରେ ପହଞ୍ଚିଲେ । ସେମାନଙ୍କ ସ୍ତୁତି ଓ ପ୍ରାର୍ଥନାରେ ବିଷ୍ଣୁ ସନ୍ତୁଷ୍ଟ ହେଲେ । କହିଲେ, ଯେଉଁ ରାଜଲକ୍ଷ୍ମୀ ଥରେ ସ୍ୱର୍ଗରାଜ୍ୟ ଛାଡ଼ି ଚାଲିଆସିଛନ୍ତି, ସେ ପୁଣି ସ୍ୱଇଚ୍ଛାରେ ଆଉ ସ୍ୱର୍ଗରାଜ୍ୟକୁ ଫେରିଯାଇପାରିବେ ନାହିଁ । ସେଥିାଇଁ ଦେବଗଣଙ୍କୁ ପ୍ରୟାସ କରିବାକୁ ପଡ଼ିବ । ସେ ଏବେ ମୋର ନିର୍ଦ୍ଦେଶରେ ଯାଇ କ୍ଷୀରସାଗରରେ, କ୍ଷୀରାବ୍‌ଧିଙ୍କର କନ୍ୟା ରୂପେ ଜନ୍ମଗ୍ରହଣ କରିବେ । ତୁମ୍ଭେମାନେ ଦୈତ୍ୟମାନଙ୍କ ସହଯୋଗରେ ସେହି ସାଗର ମନ୍ଥନ କଲେ, ଅନ୍ୟାନ୍ୟ ଐଶ୍ୱର୍ଯ୍ୟ ସହିତ ଲକ୍ଷ୍ମୀଙ୍କୁ ମଧ୍ୟ ଲାଭ କରିପାରିବ ।

ସମୁଦ୍ର ମନ୍ଥନ ତ କିଛି ସହଜ କଥା ନୁହେଁ । ସେଥିାଇଁ ଦେବତା ଓ ଦୈତ୍ୟ ସମସ୍ତଙ୍କର ସହଯୋଗ ଆବଶ୍ୟକ । ତେଣୁ ବିଷ୍ଣୁଙ୍କ ପରାମର୍ଶରେ ଦେବତାମାନଙ୍କ ପକ୍ଷରୁ ଇନ୍ଦ୍ର ପ୍ରତିନିଧି ରୂପେ ଯାଇ ଦୈତ୍ୟରାଜ ବଳିଙ୍କୁ ଭେଟିଲେ । କହିଲେ, ଆମର ପରସ୍ପର ମଧ୍ୟରେ ଯେତେ ଶତ୍ରୁତା ଥିଲେ ବି ଆମେ ଗୋଟିଏ ପିତାର ସନ୍ତାନ । ତେଣୁ ଆମେ ଦୁହେଁ ପରସ୍ପରର ଭାଇ । ଏଣୁ ସମୁଦ୍ର ମନ୍ଥନ କରି ସମସ୍ତଙ୍କର ମଙ୍ଗଳ କାର୍ଯ୍ୟରେ ଆମେ ପରସ୍ପରକୁ ସହଯୋଗ କରିବା ଉଚିତ । ତା’ ନ ହେଲେ ଏହି ମହତ୍ କାର୍ଯ୍ୟ ହୋଇପାରିବ ନାହିଁ । ତା’ଛଡ଼ା ସମୁଦ୍ରମନ୍ଥନରୁ ଯେଉଁସବୁ ଦ୍ରବ୍ୟ ମିଳିବ, ତାହା ଆମେ ପରସ୍ପର ମଧ୍ୟରେ ବାଣ୍ଟି ନେଇପାରିବା । ତାହା ଦ୍ୱାରା ନିଜ ନିଜକୁ ସମୃଦ୍ଧ ମଧ୍ୟ କରିପାରିବା ।

ଏକଥା ଶୁଣି ଦୈତ୍ୟରାଜ ବଳି ଇନ୍ଦ୍ରଙ୍କ ପ୍ରସ୍ତାବରେ ରାଜି ହେଲେ । ସମୁଦ୍ର ମନ୍ଥନ ପାଇଁ ଦିନ ଧାର୍ଯ୍ୟ ହେଲା । ମନ୍ଦର ପର୍ବତ ହେଲା ମନ୍ଥନ-ଦଣ୍ଡ । ସର୍ପରାଜ ବାସୁକୀ ହେଲେ ମନ୍ଥନ-ରଜ୍ଜୁ । ସମୁଦ୍ର ମନ୍ଥନ ପାଇଁ ମନ୍ଦର ପର୍ବତଙ୍କୁ ଭଗବାନ ବିଷ୍ଣୁ କଚ୍ଛପ ରୂପରେ ତଳୁ ପିଠି ଲଗାଇ ଟେକି ରଖିଲେ । ଗୋଟିଏ ପଟରେ ଦେବତାମାନେ ଓ ଅନ୍ୟ ପଟରେ ଦୈତ୍ୟମାନେ ରହି ସମୁଦ୍ର ମନ୍ଥନ କରାଗଲା ।

ସେହି ସମୁଦ୍ର ମନ୍ଥନରୁ ଗୋଟିଏ ପରେ ଗୋଟିଏ ହୋଇ କାମଧେନୁ ନାମକ ଦିବ୍ୟ ଗାଭୀ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ, କୌସ୍ତୂଭମଣି, ପାରିଜାତ ଓ କଳ୍ପବୃକ୍ଷ, ରମ୍ଭା ଅପସରା ଆଦି ବାହାରିଲେ । ହଳାହଳ ବିଷ ମଧ୍ୟ ବାହାରିଥିଲା । ମାତ୍ର ସଂସାରର ମଙ୍ଗଳ ପାଇଁ ଶିବ ସେହି ବିଷକୁ ପାନ କଲେ ।

ସମୁଦ୍ର ମନ୍ଥନରୁ ଅଷ୍ଟମବାର ବାହାରିଲେ ଲକ୍ଷ୍ମୀ । ସେ ଥିଲେ ମହାଲକ୍ଷ୍ମୀଙ୍କର ଅଂଶ ସଂଭୂତା ଏବଂ ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟରେ ଅନୁପମା । ତାଙ୍କର ତେଜ ଓ ସୌନ୍ଦର୍ଯ୍ୟ ଦେଖି ଦେବତା ଓ ଦୈତ୍ୟ ସମସ୍ତଙ୍କ ମଧ୍ୟରେ ଚହଳ ପଡ଼ିଗଲା । ସୂର୍ଯ୍ୟଙ୍କର ପ୍ରଭା, ଅଗ୍ନିଙ୍କର ଦାହିକା ଶକ୍ତି, ଚନ୍ଦ୍ରଙ୍କର ଚନ୍ଦ୍ରିକା- ସବୁ ତାଙ୍କ ନିକଟରେ ଏକୀଭୂତ ହୋଇଥିଲା । ସେ ଥିଲେ କାଞ୍ଚନବର୍ଣ୍ଣା, ଚତୁର୍ଭୁଜା, ସର୍ବ ସୌନ୍ଦର୍ଯ୍ୟ ମଣ୍ଡିତା, ସର୍ବଭୂଷଣ ଭୂଷିତା ଓ ପଦ୍ମାରୂଢ଼ା । ସୁବର୍ଣ୍ଣତୁଲ୍ୟ କାନ୍ତିମୟୀ ସେହି ଦେବୀଙ୍କୁ ହିମାଳୟତୁଲ୍ୟ ଶ୍ୱେତହସ୍ତୀ ସୁବର୍ଣ୍ଣକଳସ ଓ ପଦ୍ମ‌ପୁଷ୍ପ ଦ୍ୱାରା ଅର୍ଚ୍ଚିତ କରୁଥିଲେ । ଦେବୀଙ୍କର ଦୁଇ ହାତରେ ଥିଲା ବରଦ ଓ ଅଭୟ ମୁଦ୍ରା । ଅନ୍ୟ ଦୁଇହାତରେ ସେ ପଦ୍ମ‌ପୁଷ୍ପ ଧାରଣ କରିଥିଲେ ।

କ୍ଷୀରସାଗର ଗର୍ଭରୁ ଆବିର୍ଭୂତା ସେହି ଦେବୀଙ୍କର ଦର୍ଶନ ଲାଭକରି ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବଗଣ ତାଙ୍କୁ ଦିବ୍ୟ ସ୍ତୁତି କଲେ । ଇନ୍ଦ୍ର ସ୍ତୁତି କରି କହିଲେ- ହେ ମହିମାମୟୀ ମା’ ଲକ୍ଷ୍ମୀ, ତୁମର ଦର୍ଶନ ଲାଭ ମାତ୍ରେ ବା ତୁମର କୃପା ଦୃଷ୍ଟି ମାତ୍ରେ ନିର୍ଗୁଣ ମନୁଷ୍ୟ ମଧ୍ୟରେ ବି

ଶୀଳ, ବିଦ୍ୟା, ବିନୟ, ଔଦାର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ କାନ୍ତି ଆଦି ସମସ୍ତ ସଦ୍‌ଗୁଣ ଜାତ ହୁଏ । ତାହା ଫଳରେ ମନୁଷ୍ୟ ମଧ୍ୟରେ ବିଶ୍ୱପ୍ରେମ ଜାଗ୍ରତ ହୁଏ । ତାହାର ସମସ୍ତ ସମୃଦ୍ଧି ହୁଏ । ସମସ୍ତେ ତାହାକୁ ଆଦର କରନ୍ତି ।

ତା'ପରେ ଦେବଗଣ କ୍ଷୀରସାଗର ସଂଭୂତା ଲକ୍ଷ୍ମୀଦେବୀଙ୍କର ଅଭିଷେକ କରାଇଲେ । ଲକ୍ଷ୍ମୀଦେବୀ ପ୍ରସନ୍ନା ହୋଇ ପୁନର୍ବାର ରାଜଲକ୍ଷ୍ମୀ ଭାବରେ ସ୍ୱର୍ଗରାଜ୍ୟରେ ଅବସ୍ଥାନ କଲେ । ଏହା ଫଳରେ ସ୍ୱର୍ଗଲୋକର ଶ୍ରୀ ଓ ଐଶ୍ୱର୍ଯ୍ୟ ପୁଣି ଫେରିଆସିଲା । ଦେବତାମାନେ ମଧ୍ୟ ସେମାନଙ୍କର ହୃତ ତେଜ ଓ ଶକ୍ତି ଫେରିପାଇଲେ ।

ମହାଲକ୍ଷ୍ମୀଙ୍କ ମୂଳ ସତ୍ତାର ଅଂଶରୁ ସୃଷ୍ଟି ହୋଇଥିବାରୁ ବିଷ୍ଣୁ ତାଙ୍କୁ ନିଜର ପତ୍ନୀ ରୂପେ ଗ୍ରହଣ କଲେ ।

ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ ଲକ୍ଷ୍ମୀଙ୍କୁ ପୁଣି ଫେରିପାଇବା ପାଇଁ ଇନ୍ଦ୍ରାଦି ଦେବଗଣ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ଲକ୍ଷ୍ମୀ କେଉଁ ସବୁ ସ୍ଥାନରେ ଅବସ୍ଥାନ କରନ୍ତି, ସେ ସମ୍ପର୍କରେ ବିଷ୍ଣୁ ସେମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ । ସେତେବେଳେ ସେ କହିଥିଲେ, ଯେଉଁ ସ୍ଥାନ ଅପରିଷ୍କାର ବା ଅପବିତ୍ର ହୋଇଥାଏ, ସେ ସ୍ଥାନକୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି । ଯେଉଁ ସ୍ଥାନ ରୁଚିବନ୍ତ ଓ ଶୁଚିମନ୍ତ, ସେହି ସ୍ଥାନରେ ହିଁ ଲକ୍ଷ୍ମୀ ଅବସ୍ଥାନ କରନ୍ତି ।

ଏ ସମ୍ପର୍କରେ ଆମ ଓଡ଼ିଶାର ପୁରାଣମାନଙ୍କରେ ଏକ ଚମତ୍କାର କାହାଣୀ ଅଛି । ବଳରାମ ଦାସଙ୍କ 'ଲକ୍ଷ୍ମୀପୁରାଣ'ରେ ହିଁ ଅଧିକ ବିଶଦ ଭାବରେ ସେହି କାହାଣୀ ବର୍ଣ୍ଣିତ ହୋଇଛି । କାହାଣୀଟି ଏହପରି :

ଶ୍ରୀୟା ନାମରେ ଏକ ଚଣ୍ଡାଳୁଣୀ ଥିଲା । ସେ ପ୍ରତି ଗୁରୁବାର ଦିନ, ବିଶେଷକରି ମାର୍ଗଶିର ମାସ ଗୁରୁବାର ଦିନ ଅତ୍ୟନ୍ତ ଶୁଚିମନ୍ତ ହୋଇ ଲକ୍ଷ୍ମୀଙ୍କୁ ପୂଜା କରେ । ଥରେ ଲକ୍ଷ୍ମୀ ତା’ର ଭକ୍ତିରେ ଓ ତା’ ଘରର ଶୁଚିମନ୍ତ ପରିବେଶରେ ମୁଗ୍ଧ ହୋଇ ତା’ ଘରକୁ ଯାଇ ତା’ଠାରୁ ପୂଜା ଗ୍ରହଣ କଲେ । ମାତ୍ର ତାହା ତାଙ୍କର ଦେଢ଼ଶୁର ବଳରାମଙ୍କର ପସନ୍ଦ ହେଲା ନାହିଁ । ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ବାହାର କରିଦେବା ପାଇଁ ସେ ଜଗନ୍ନାଥଙ୍କୁ କହିଲେ । ଜଗନ୍ନାଥ ଯେତେ ବୁଝାଇଲେ ମଧ୍ୟ ଶୁଣିଲେ ନାହିଁ । ଫଳରେ ବାଧ୍ୟ ହୋଇ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ରହିବାକୁ ଜଗନ୍ନାଥ ଅନୁମତି ଦେଲେ ନାହିଁ । ଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ଚାଲିଯିବାରୁ ଶ୍ରୀମନ୍ଦିର ହତଶ୍ରୀ ହୋଇଗଲା । ଜଗନ୍ନାଥ ଓ ବଳଭଦ୍ର, ଖାଇବା ପିନ୍ଧିବା ପାଇଁ କିଛି ପାଇଲେ ନାହିଁ । ଖୁବ୍ ହଇରାଣ ହରକତ ହେଲେ । ସବା ଶେଷରେ ଲକ୍ଷ୍ମୀ ରାନ୍ଧି ଖାଇବାକୁ ଦେବାରୁ ଖାଇଲେ । ସେମାନଙ୍କର ଭ୍ରମ ଦୂର ହେଲା ।

ଶ୍ୱେତଧାନରେ ତିଆରି ମୁକୁଟ ଓ ଅଳଙ୍କାରରେ ଶୋଭିତ ଦେବୀ ଲକ୍ଷ୍ମୀ

ଆମ ଓଡ଼ିଆ ପୁରାଣରେ ବର୍ଣ୍ଣିତ ଏହି କାହାଣୀରେ ଅନେକ ବିଶେଷତ୍ୱ ରହିଛି । ସେହି ବିଶେଷତ୍ୱ ହେଉଛି, ବ୍ରାହ୍ମଣ ହୁଅନ୍ତୁ ବା ଚଣ୍ଡାଳ- ଯିଏ ଶୁଚିମନ୍ତ ହୋଇ, ମନରେ ଭକ୍ତି ରଖି ପୂଜା କରେ, ଦେବୀ ବା ଦେବତା ତା’ ପ୍ରତି ପ୍ରସନ୍ନ ହୁଅନ୍ତି । ଦେବୀ ବା ଦେବତାଙ୍କ ନିକଟରେ ଜାତିଭେଦର କିଛି ମୂଲ୍ୟ ନାହିଁ ।

ଆମ ଦେଶରେ ଗାଈର ଗୋବରକୁ ପବିତ୍ର ବୋଲି ମନେ କରାଯାଏ । ସେଥିରେ ଲକ୍ଷ୍ମୀ ବିରାଜମାନ କରନ୍ତି ବୋଲି ମଧ୍ୟ ପୁରାଣରେ କୁହାଯାଇଛି । ମହାଭାରତ, ଅନୁଶାସନ ପର୍ବର କାହାଣୀ ଅନୁସାରେ, ଥରେ ଗୋଠେ ଗାଈ ଘାସ ଚରୁଥିଲେ । ଶାନ୍ତ, ସୁଶୀଳ ସ୍ୱଭାବର ସେହି ଗାଈମାନଙ୍କୁ ଦେଖି ଲକ୍ଷ୍ମୀ ଖୁବ୍ ଖୁସି ହୋଇ ସେମାନଙ୍କୁ ବର ଯାଚିଲେ । ଗାଈମାନେ ସ୍ୱଭାବତଃ ସମୃଦ୍ଧିମନ୍ତ । ତେଣୁ ସେମାନେ କହିଲେ, ଆମର ଯେତିକି ଅଛି, ସେତିକିରେ ଆମେ ଖୁସି । ଆଉ କିଛି ଆମର ଦରକାର ନାହିଁ । ମାତ୍ର ଲକ୍ଷ୍ମୀ ସେମାନଙ୍କୁ ବର ଦେବା ପାଇଁ ପୁଣି ଅନୁରୋଧ କରିବାରୁ ସେମାନେ କହିଲେ, ଯଦି ଚାହୁଁଛନ୍ତି, ତେବେ ଏହି ବର ଦିଅନ୍ତୁ ଯେ ଆମର ଗୋବର ମଧ୍ୟ ସମୃଦ୍ଧିମନ୍ତ ହେବ । ଲକ୍ଷ୍ମୀ ସେହି ବର ଦେଲେ । ତେଣୁ ଗୋବରରେ ଲିପା ସ୍ଥାନ ପବିତ୍ର ଏବଂ ତାହା ଦ୍ୱାରା ସମୃଦ୍ଧି ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ । କାରଣ ଲକ୍ଷ୍ମୀ ସେଇଠି ବିରାଜମାନ କରନ୍ତି ।

ଲକ୍ଷ୍ମୀ ଶସ୍ୟ ଓ ସମୃଦ୍ଧିର ଦେବୀ । ଆମ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଆମ ରାଜ୍ୟରେ ପାଚିଲା ଧାନକୁ ଲକ୍ଷ୍ମୀଙ୍କର ପ୍ରତୀକ ରୂପେ ଗ୍ରହଣ କରାଯାଇଛି । ସେଥିପାଇଁ ମାର୍ଗଶିର ମାସରେ ଫସଲ ଅମଳ ବେଳେ ନୂଆ ଓ ପାଚିଲା ଧାନ-ମେଣ୍ଟା ଏବଂ ଧାନଭର୍ତ୍ତି ମାଣକୁ ଖଟୁଲିରେ ରଖି ଲକ୍ଷ୍ମୀରୂପେ ପୂଜା କରାଯାଏ । ଏହା ଏକ କୃଷିକାରୀ ସଂସ୍କୃତିର ପ୍ରଥା । ମାର୍ଗଶିର ମାସ ଗୁରୁବାର ଦିନ ଏହି ପୂଜା କରାଯାଏ । ସୁଦଶାବ୍ରତ ମଧ୍ୟ ଲକ୍ଷ୍ମୀଙ୍କର ଉପାସନା ପାଇଁ ଆଉ ଏକ ବ୍ରତ । ବର୍ଷର ଯେ କୌଣସି ମାସ ହେଉ, ପକ୍ଷ ଦଶମୀ ତିଥି ଯଦି ଗୁରୁବାରରେ ପଡେ, ଏହି ବ୍ରତ କରାଯାଏ ।

ଆମ ଭାରତବର୍ଷର ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁଯାୟୀ ଏହି ଲକ୍ଷ୍ମୀ, ମହାଲକ୍ଷ୍ମୀ ରୂପେ ବିଷ୍ଣୁଙ୍କର ପତ୍ନୀ । ତେବେ ରାଜଲକ୍ଷ୍ମୀ ଭାବରେ ସେ ରାଜା ବା ଶାସକଙ୍କ ନିକଟରେ ଅବସ୍ଥାନ କରନ୍ତି । ରାଜା ବା ଶାସକଙ୍କ ନିକଟରେ ଲକ୍ଷ୍ମୀ ଖୁବ୍ ଚଞ୍ଚଳା । ଯେଉଁ ରାଜା ଅନ୍ୟାୟ ଆଚରଣ କରନ୍ତି, ରାଜଲକ୍ଷ୍ମୀ ତାଙ୍କୁ ଛାଡ଼ି ଚାଲିଯାଆନ୍ତି । ଫଳରେ ରାଜ୍ୟରେ ଅନାଚାର ବ୍ୟାପିଯାଏ । ଦୁର୍ବିପାକ ଦେଖାଦିଏ ।

ପୁରାଣମାନଙ୍କରେ ଆହୁରି ମଧ୍ୟ କୁହାଯାଇଛି ଯେ ଭଗବାନ ବିଭିନ୍ନ ଅବତାରରେ ଆବିର୍ଭୂତ ହେଲାବେଳେ ମହାଲକ୍ଷ୍ମୀ ମଧ୍ୟ ବିଭିନ୍ନ ରୂପରେ ସେ ଆବିର୍ଭୂତା ହୋଇଥାନ୍ତି । ଭଗବାନ ବିଷ୍ଣୁଙ୍କ ବାମନ ଅବତାରରେ ସେ ପଦ୍ମରୂପେ, ପରଶୁରାମ ଅବତାରରେ ଧାରଣୀ ରୂପେ, ରାମ ଅବତାରରେ ସୀତା ରୂପେ ଏବଂ କୃଷ୍ଣ ଅବତାରରେ ପ୍ରଥମେ ରାଧା ଓ ପରେ ରୁକ୍ମିଣୀ ରୂପେ ଆବିର୍ଭୂତା ହୋଇଥିଲେ । ବିଭିନ୍ନ ସମୟରେ ସେ ତୁଳସୀ ଓ ବେଦମତୀ ଆଦି ରୂପରେ ମଧ୍ୟ ଜନ୍ମଗ୍ରହଣ କରିଥିଲେ ।

ବିଭିନ୍ନ ପୁରାଣ ଓ ଶାସ୍ତ୍ରଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପର ବର୍ଣ୍ଣନା କରାଯାଇଛି । କେଉଁଠାରେ ସେ ଦ୍ୱିଭୁଜା ତ କେଉଁଠାରେ ଚତୁର୍ଭୁଜା । ପୁଣି କେଉଁଠାରେ ସେ କମଳ ବା ପ୍ରସ୍ଫୁଟିତ ପଦ୍ମ ଉପରେ ଉପବେଶନ କରିଥିବା ଦେଖାଯାଏ ତ କେଉଁଠି ତାଙ୍କୁ ପଦ୍ମ ଉପରେ ବିରାଜମାନ ଥିବା ଦେଖାଯାଏ । ପରବର୍ତ୍ତୀ କାଳର କେତେକ ମୂର୍ତ୍ତିରେ ତାଙ୍କର ମୁକ୍ତ କରତଳରୁ ସ୍ୱର୍ଣ୍ଣମୁଦ୍ରାମାନ ଝରି ପଡ଼ୁଥିବା ଦେଖାଯାଇଛି । ସମଗ୍ର ଭାରତରେ ଲକ୍ଷ୍ମୀ ଓ ନାରାୟଣଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ଅଛି । ସେହିସବୁ ମୂର୍ତ୍ତିରେ ସେ ବିଷ୍ଣୁ ବା ନାରାୟଣଙ୍କ ସହିତ ଗରୁଡ଼ ଉପରେ ଉପବେଶନ କରିଥିବା ବା ବିଷ୍ଣୁଙ୍କର ବକ୍ଷ ସ୍ଥଳରେ ବିରାଜମାନ କରିଥିବା ଦେଖାଯାଏ ।

ଲକ୍ଷ୍ମୀଦେବୀଙ୍କର ଶତନାମ ବା ସହସ୍ର ନାମ ସ୍ତୋତ୍ର ମଧ୍ୟ ଆମର ଶାସ୍ତ୍ର ଗ୍ରନ୍ଥାଦିରୁ ମିଳେ । ତେବେ ଲକ୍ଷ୍ମୀଦେବୀଙ୍କର ଯେଉଁ କେତୋଟି ନାମ ଅତ୍ୟନ୍ତ ଲୋକପ୍ରିୟ, ସେହି ନାମଗୁଡ଼ିକର

ଉଲ୍ଲେଖ 'ଅମରକୋଷ'ରେ ଅଛି । ତାହା ହେଉଛି- ଲକ୍ଷ୍ମୀ, ପଦ୍ମାଳୟା, ପଦ୍ମା, କମଳା,

ଶ୍ରୀହରିପ୍ରିୟା, ଇନ୍ଦିରା, ଲୋକମାତା, ମା, କ୍ଷୀରାବ୍‌ଧିତନୟା ଓ ରମା । ପ୍ରାଚୀନତମ ଗ୍ରନ୍ଥ ଋକ୍‌ବେଦର ଶ୍ରୀ ସୂକ୍ତ ଦେବୀ ଲକ୍ଷ୍ମୀଙ୍କ ସହିତ ସମ୍ବନ୍ଧିତ ।

ବୈଷ୍ଣବମାନଙ୍କର ବିଭିନ୍ନ ସଂପ୍ରଦାୟ ମଧ୍ୟରୁ ଶ୍ରୀସଂପ୍ରଦାୟ ଅନ୍ୟତମ । ଲକ୍ଷ୍ମୀଦେବୀଙ୍କ ନାମାନୁସାରେ ସେହି ସଂପ୍ରଦାୟ ନାମିତ ହୋଇଛି । ଏହାର ଅନୁଗାମୀମାନେ ଲକ୍ଷ୍ମୀ- ନାରାୟଣଙ୍କର ଉପାସକ । ଦାକ୍ଷିଣାତ୍ୟର ବିଶିଷ୍ଟ ବିଦ୍ୱାନ ରାମାନୁଜାଚାର୍ଯ୍ୟ ଏହି ସଂପ୍ରଦାୟର ପ୍ରତିଷ୍ଠାତା । ତାଙ୍କର ସମୟ ଦ୍ୱାଦଶ ଶତାବ୍ଦୀ । ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟ ଏହି ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ନାମ ମଧ୍ୟ ଶ୍ରୀମନ୍ଦିର । ଶ୍ରୀମନ୍ଦିରର ଦଧିନଉତି ଉପର କଳସରେ ଏହି ସଂପ୍ରଦାୟର ଭକ୍ତମାନେ ଧାରଣ କରୁଥିବା ଚିତା ଶୋଭାପାଏ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାରେ ଏବେ ଯେଉଁ ଲକ୍ଷ୍ମୀ ମନ୍ଦିର ଅଛି, ତାହା ରାମାନୁଜାଚାର୍ଯ୍ୟଙ୍କ ଅନୁରୋଧକ୍ରମେ ରାଜା ଚୋଡ଼ଗଙ୍ଗ ଦେବ ପ୍ରତିଷ୍ଠା କରିଥିବା ଜଣାଯାଏ । ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ଉପରେ ମଧ୍ୟ ଲକ୍ଷ୍ମୀଦେବୀଙ୍କର ସୁନ୍ଦର ପ୍ରତିମା ବିରାଜିତା ।

ଲକ୍ଷ୍ମୀଦେବୀଙ୍କୁ ଯେଉଁସବୁ ସ୍ତୋତ୍ର ବା ଶ୍ଳୋକରେ ସ୍ତୁତି କରାଯାଏ ସେସବୁ ମଧ୍ୟରୁ 'ଶାରଦା ତିଳକ'ରେ ଥିବା ଗୋଟିଏ ଧ୍ୟାନ ଶ୍ଳୋକ ଖୁବ୍ ପ୍ରସିଦ୍ଧ । ସେଥିରେ କୁହାଯାଇଛି-

କାନ୍ତ୍ୟା କାଞ୍ଚନସନ୍ନିଭାଂ ହିମଗିରି ପ୍ରଖ୍ୟୈ ଶ୍ଚତୁର୍ଭିର୍ଗଜୈ ।
ହସ୍ତୋତ୍‌କ୍ଷିପ୍ତ ହିରଣ୍ମୟାମୃତ ଘଟୈ ରାସିଚ୍ୟମାନାଂଶ୍ରିୟମ୍ ॥
ବିଭ୍ରାଣାଂ ବରମବ୍‌ଜଯୁଗ୍ମମଭୟାଂ ହସ୍ତୈଃ କିରୀଟୋଜ୍ଜ୍ୱଳାଂ ।
କ୍ଷୋମାବଦ୍ଧ ନିତମ୍ବବିମ୍ବ ଲଳିତାଂ ବନ୍ଦେଽରବିନ୍ଦସ୍ଥିତାମ୍ ॥

ଅର୍ଥାତ୍, ଯାହାଙ୍କର କାନ୍ତି ଶୁଦ୍ଧ ସୁବର୍ଣ୍ଣ ପରି ପ୍ରଭାମୟ ଏବଂ ଯାହାଙ୍କୁ ହିମାଳୟ ପରି ଉଚ୍ଚ ଓ ଶୁଭ୍ର ଚାରିଟି ଶ୍ୱେତ ଗଜରାଜ ନିଜର ଶୁଣ୍ଢରେ ଅମୃତକଳସ ଧାରଣ କରି ଅହରହ ଅଭିଷେକ କରୁଥା’ନ୍ତି; ଯେ ନିଜର ଚତୁର୍ହସ୍ତରେ ଯଥାକ୍ରମେ ବରଦ ଓ ଅଭୟମୁଦ୍ରା ଏବଂ କମଳ ପୁଷ୍ପ ଧାରଣ କରିଥାଆନ୍ତି; ଯାହାଙ୍କର ମସ୍ତକ ଉଜ୍ଜ୍ୱଳ ବର୍ଣ୍ଣର ଭବ୍ୟ କିରୀଟ ଦ୍ୱାରା ଶୋଭିତ; ଯାହାଙ୍କର କଟିଦେଶରେ କୌଶେୟ ବସନ ଶୋଭା ପାଉଥାଏ; ପ୍ରସ୍ଫୁଟିତ ପଦ୍ମ ଉପରେ ଆରୂଢ଼ା, ସେହି ଭଗବତୀ ଲକ୍ଷ୍ମୀଙ୍କୁ ମୁଁ ବନ୍ଦନା କରୁଛି ।