ଆମ ଦେବଦେବୀ/ବାସୁକୀ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଦେବଦେବୀ (୨୦୧୧)  ଲେଖକ/କବି: ଅସିତ ମହାନ୍ତି
ବାସୁକୀ
ବାସୁକୀ

ଆମ ପୁରାଣରେ ଯେତେଗୁଡ଼ିଏ ସର୍ପଙ୍କର ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ସବୁଠୁ ଜଣାଶୁଣା ହେଉଛି କାଳୀୟ । ଦୁଷ୍ଟ ସ୍ୱଭାବ ଯୋଗୁଁ ଶ୍ରୀକୃଷ୍ଣ ତାହାକୁ ଦଳନ କରିଥିଲେ । କିନ୍ତୁ ସର୍ପ ମାତ୍ରେ ଦୁଷ୍ଟ ଓ ଦୁରାଚାରୀ ନୁହନ୍ତି । ଭଲ ସ୍ୱଭାବର ସର୍ପଙ୍କୁ ଦେବତା ରୂପେ ପୂଜା ମଧ୍ୟ କରାଯାଏ । ସେହି ସର୍ପମାନଙ୍କ ମଧ୍ୟରୁ ଗୋଟିଏ ହେଉଛନ୍ତି ବାସୁକୀ ।

ଆମେ ଜାଣୁ ଯେ କଶ୍ୟପ ଋଷିଙ୍କର ଦୁଇ ପତ୍ନୀ ହେଉଛନ୍ତି ବିନତା ଓ କଦ୍ରୁ । ବିନତାଙ୍କ ଗର୍ଭରୁ ଅରୁଣ ଓ ଗରୁଡ଼ ନାମରେ ଦୁଇ ପୁତ୍ର ଏବଂ କଦ୍ରୁଙ୍କ ଗର୍ଭରୁ ସହସ୍ର ଉରଗ ଓ ନାଗ ଜାତ ହୋଇଥିଲେ । ସେହି ସହସ୍ର ସର୍ପଙ୍କ ମଧ୍ୟରୁ ଦୁଇ ପ୍ରମୁଖ ସର୍ପ ହେଉଛନ୍ତି ଅନନ୍ତ ଓ ବାସୁକୀ ।

କିନ୍ତୁ ନିଜର ଅନ୍ୟ ଭାଇମାନଙ୍କ ପରି ଅନନ୍ତ ଓ ବାସୁକୀ ଦୁଷ୍ଟ ନଥିଲେ । ଦୁହେଁ ଥିଲେ ଭଲ ସ୍ୱଭାବର । ସେମାନେ କାହାର ଅନିଷ୍ଟ କରୁ ନଥିଲେ । କେହି ଜାଣିଶୁଣି କାହାର ଅନିଷ୍ଟ କରିବା ସେମାନେ ସହି ବି ପାରୁ ନଥିଲେ ।

ଥରେ କଶ୍ୟପଙ୍କ ଦୁଇ ପତ୍ନୀ ବିନତା ଓ କଦ୍ରୁଙ୍କ ମଧ୍ୟରେ ଜିଦାଜିଦି ପଡ଼ିଲା । କଦ୍ରୁ କହିଲେ, ଇନ୍ଦ୍ରଙ୍କ ଅଶ୍ୱ ଉଚ୍ଚୈଶ୍ରବାର ଲାଞ୍ଜ କଳା । ମାତ୍ର ବିନତା କହିଲେ ଉଚ୍ଚୈଶ୍ରବା ଦେଖିବାକୁ ଶଙ୍ଖ ପରି ଧଳା; ତେଣୁ ତାହାର ଲାଞ୍ଜ ମଧ୍ୟ ଧଳା । କେହି କାହା କଥାରେ ରାଜି ହେଲେ ନାହିଁ । ତେଣୁ ସ୍ଥିର କରାହେଲା, ପରଦିନ ସକାଳେ ଦୁହେଁ ନିଜେ ଯାଇ ଦେଖିବେ, ଉଚ୍ଚୈଶ୍ରବାର ଲାଞ୍ଜ କଳା ନା ଧଳା । ତା’ ପରେ ଦୁହେଁ ଯେ ଯାହା ଘରକୁ ଶୋଇବାକୁ ଗଲେ । କଦ୍ରୁଙ୍କ ଆଖିକୁ କିନ୍ତୁ ନିଦ ଆସିଲା ନାହିଁ । କାରଣ ସେ ଜାଣିଥିଲେ ଉଚ୍ଚୈଶ୍ରବା ଧଳା, ତେଣୁ ତା’ର ଲାଞ୍ଜ ମଧ୍ୟ ଧଳା । ବିନତାଙ୍କ କଥା ସତ ହେଲେ କଦ୍ରୁ ତାଙ୍କର ଦାସୀ ହେବାକୁ ବାଧ୍ୟ ହେବେ । ତେଣୁ ଭାବିଚିନ୍ତି ସେ ଗୋଟିଏ ଉପାୟ ପାଞ୍ଚିଲେ । ନିଜର ପୁଅମାନଙ୍କୁ ଡାକି କହିଲେ, ତୁମେମାନେ ଯାଇ ଉଚ୍ଚୈଶ୍ରବାର ଲାଞ୍ଜରେ ଏପରି ଭାବରେ ଝୁଲି ରହ, ଯେମିତିକି ଉଚ୍ଚୈଶ୍ରବାର ଲାଞ୍ଜ କଳା ଦେଖାଯିବ । ମାଆ କଦ୍ରୁଙ୍କ କଥା ଅନ୍ୟ ପୁଅମାନେ ମାନିଲେ; ମାତ୍ର ଅନନ୍ତ ଓ ବାସୁକୀଙ୍କ ପରି ସାଧୁ ସ୍ୱଭାବର ପୁଅ ମାନିଲେ ନାହିଁ । କହିଲେ, ଯାହା ସତ, ଛଳନା କରି ତାହାକୁ ମିଛ ବୋଲି କହିବା ଠିକ୍ ନୁହେଁ । ପୁଣି ସେହି ମିଛ ଦ୍ୱାରା ଅନ୍ୟକୁ ଠକିବା ଆହୁରି ଅନ୍ୟାୟ ।

ଅନନ୍ତ ଓ ବାସୁକୀଙ୍କ କଥା ଶୁଣି କଦ୍ରୁ ରାଗିଗଲେ । କହିଲେ, ମୁଁ ମାଆ । ମାଆର କଥା ପୁଅ ମାନିବା ଉଚିତ । କିନ୍ତୁ ଅନନ୍ତ ଓ ବାସୁକୀ କହିଲେ, ଯେଉଁ ମାଆ ପୁଅକୁ ମିଛ କହିବା ଶିଖାଏ, ଅନ୍ୟକୁ ଠକିବାକୁ କହେ, ସେ ମାଆ ମାଆ ନୁହେଁ । ଆମେ ତୁମ ପାଖରେ ଆଉ ରହିବୁ ନାହିଁ । ଏହା କହି ଦୁହେଁ କଦ୍ରୁଙ୍କୁ ଛାଡ଼ି ଚାଲିଗଲେ । ଅନନ୍ତ ଯାଇ ପାତାଳରେ ଏକ ସ୍ୱତନ୍ତ୍ର ରାଜ୍ୟ କରି ରହିଲେ ।

ଏଥିରୁ ଗୋଟିଏ କଥା ଜଣାଯାଏ ଯେ, ସର୍ପରେ ଜାତ ହେଲେ ମଧ୍ୟ ଅନନ୍ତ ଓ ବାସୁକୀ ସ୍ୱଭାବରେ ଥିଲେ ସତ୍ । ବହୁ ମହତ୍ କାର୍ଯ୍ୟରେ ସେମାନେ ସହଯୋଗ କରିଥିଲେ । ବାସୁକୀଙ୍କ ମହତ୍ କାର୍ଯ୍ୟ ମଧ୍ୟରେ ସମୁଦ୍ର ମନ୍ଥନ ଓ ତ୍ରିପୁର ଦହନ ଅନ୍ୟତମ ।

ଦୁର୍ବାସାଙ୍କ ଅଭିଶାପରେ ଥରେ ସ୍ୱର୍ଗରୁ ଲକ୍ଷ୍ମୀ ଛାଡ଼ି ଚାଲିଗଲେ । ସ୍ୱର୍ଗ ରାଜ୍ୟ ଶ୍ରୀହୀନ ହୋଇଗଲା । ଦେବତାମାନଙ୍କର ମହତ୍ତ୍ୱ ରହିଲା ନାହିଁ । ତେଣୁ ସମୁଦ୍ର ମନ୍ଥନ କରି ଅମୃତ ଆଣିବା ଦରକାର ପଡ଼ିଲା । ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରିବା କଥା ସ୍ଥିର ହେଲା । ମନ୍ଦର ପର୍ବତ ହେଲା ଖୁଆଦଣ୍ଡ । ମନ୍ଥନରଜ୍ଜୁ ପାଇଁ ବାସୁକୀଙ୍କର ଦରକାର ପଡ଼ିଲା । ଦେବତା ଓ ଗନ୍ଧର୍ବମାନେ ବାସୁକୀଙ୍କୁ ଆଣିବା ପାଇଁ ଚେଷ୍ଟା କରି ବିଫଳ ହେଲେ । ଶେଷକୁ ଗରୁଡ଼ ବାହାରିଲେ । ପୂର୍ବରୁ ସମସ୍ତଙ୍କର ଚେଷ୍ଟା ବିଫଳ ହେଲା ପରେ ସେ ମନ୍ଦର ପର୍ବତକୁ ମଧ୍ୟ ଶୂନ୍ୟେ ଶୂନ୍ୟେ ଟେକି ଆଣିଥିଲେ । ଫଳରେ ତାଙ୍କ ଉପରେ ସମସ୍ତଙ୍କର ଭରସା ଥିଲା । ତେଣୁ ବାସୁକୀଙ୍କୁ ଆଣିବା ପାଇଁ ଗରୁଡ଼ ଚାଲିଳେ ନାଗ ଲୋକକୁ । ସମ୍ପର୍କରେ ପୁଣି ବାସୁକୀ ଥିଲେ ତାଙ୍କର ବଡ଼ ଭାଇ । ତେଣୁ ନାଗଲୋକକୁ ଯାଇ ସେ ବାସୁକୀଙ୍କୁ ପ୍ରାର୍ଥନା କଲେ । ମାତ୍ର ବାସୁକୀ କହିଲେ, ମୋ ଯିବା ଯଦି ଜରୁରୀ, ତେବେ ସେଠାକୁ ଯିବା ପାଇଁ ମୋର ଆପତ୍ତି ନାହିଁ । ମାତ୍ର ମୁଁ ନିଜେ ସେଠାକୁ ଯିବିନାହିଁ । ମତେ ସେଠାକୁ ନେବାକୁ ପଡ଼ିବ । ତାହା ଶୁଣି ଗରୁଡ଼ କହିଲେ, ଏଇ ସାମାନ୍ୟ କଥା ତ! ଦେଖ, ଆଖି ପିଛୁଳାକେ ମୁଁ ତୁମକୁ ଶୂନ୍ୟେ ଶୂନ୍ୟେ ଟେକିନେଇ ଚାଲିଯିବି ।

ଏହା କହି ଗରୁଡ଼ ନିଜ ଥଣ୍ଟରେ ବାସୁକୀଙ୍କୁ ମଝିରୁ ଧରି ଆକାଶକୁ ଉଠିଲେ । ଉଡ଼ି ଉଡ଼ି ଆଖି ଯୋଉଯାଏ ପାଇବ ସେ ଯାଏ ଉଡିଲେ; ମାତ୍ର ବାସୁକୀ ଏତେ ଲମ୍ବା ଥିଲେ ଯେ ମୁଣ୍ଡପଟ ଓ ଲାଞ୍ଜପଟ ମାଟି ଭିତରୁ ଉଠିଲା ନାହିଁ । ମୋଟା ଦି’ ସରିଆ ଦଉଡି ପରି ବାସୁକୀଙ୍କର ଲମ୍ବା ଶରୀରର ମଝିଭାଗ ଗରୁଡ଼ଙ୍କ ଥଣ୍ଟରୁ ଝୁଲୁଥାଏ । ତେଣୁ ହତାଶ ହୋଇ ଗରୁଡ ତଳକୁ ଓହ୍ଲାଇ ଆସିଲେ । ବାସୁକୀଙ୍କୁ ଚାରିସରି କରି ଥଣ୍ଟରେ ଧରି ପୁଣି ଆକାଶକୁ ଉଠିଲେ । ମାତ୍ର ଯେତେ ଉପରକୁ ଗଲେ ବି ବାସୁକୀଙ୍କର ମୁଣ୍ଡପଟ ଓ ଲାଞ୍ଜପଟ ଭୂଇଁ ଛାଡ଼ିଲା ନାହିଁ । ବାସୁକୀ ଯେ ଏତେ ଲମ୍ବା ତାହା ଗରୁଡ଼ଙ୍କର କଳ୍ପନା ବାହାରେ ଥିଲା । ବାସୁକୀ କେତେ ଲମ୍ବା ତାହା ସେ କଳନା ମଧ୍ୟ କରିପାରିଲେ ନାହିଁ । ଗରୁଡ଼ଙ୍କର ଗର୍ବ ଚୂନା ହେଲା । ସେ ବୁଝିପାରିଲେ ଯେ ବାସୁକୀଙ୍କୁ ଥଣ୍ଟରେ ଟେକି ନେବାକୁ ଆସ୍ଫାଳନ କରିବା ବୃଥା । ବିଷ୍ଣୁ ସେ କଥା ଜାଣି ଗରୁଡ଼ଙ୍କ ଉପରେ ଅସନ୍ତୁଷ୍ଟ ହେଲେ । କହିଲେ, ନିଜର ଶକ୍ତି ବା କ୍ଷମତାକୁ ନେଇ ଏତେ ଅହଂକାର କରିବା ଉଚିତ ନୁହେଁ । ସବୁବେଳେ ଭାବିବା ଉଚିତ ଯେ, ମୁଁ ସବୁଠୁ ବଡ଼ ଜ୍ଞାନୀ, ଗୁଣୀ ଓ ପରାକ୍ରମୀ ନୁହେଁ; ମୋ ଠାରୁ ଆହୁରି ବଡ଼ ଜ୍ଞାନୀ, ଗୁଣୀ ଓ ପରାକ୍ରମୀ ଅଛନ୍ତି । ବିଷ୍ଣୁଙ୍କ କଥାର ମର୍ମ ବୁଝି ଗରୁଡ଼ ନିଜର ବୃଥା ଆସ୍ଫାଳନ ପାଇଁ ଲଜ୍ଜିତ ହେଲେ ।

କିନ୍ତୁ ଯେପରି ହେଉ, ବାସୁକୀଙ୍କୁ ତ ସମୁଦ୍ର ମନ୍ଥନ ପାଇଁ ଆଣିବାକୁ ପଡ଼ିବ! ନ ହେଲେ ସ୍ୱର୍ଗରାଜ୍ୟର ଶ୍ରୀ ଫେରିବ ନାହିଁ । ତେଣୁ ଶେଷରେ ଶିବଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ।

ଶିବ ସାଙ୍ଗେସାଙ୍ଗେ ହାତ ବଢ଼ାଇ ବାସୁକୀଙ୍କୁ ଟେକି ନେଇ ଆସିଲେ । ବାସୁକୀ ତାଙ୍କର ବାହୁର ଏକ ଭୂଷଣ ରୂପେ ଶୋଭା ପାଇଲେ । ତା’ପରେ ବିଷ୍ଣୁ ତାଙ୍କୁ ଆଣି କ୍ଷୀରସାଗର ତୀରରେ ଛାଡ଼ିଦେଲେ । ତା’ପରେ ତାଙ୍କୁ ଦଉଡ଼ି ରୂପେ ବ୍ୟବହାର କରାଯାଇ, ମନ୍ଦର ପର୍ବତର ଖୁଆଦଣ୍ଡରେ ସମୁଦ୍ର ମନ୍ଥନ ହେଲା । ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ପାନ କରି ଦେବତାମାନେ ଅମର ହେଲେ । ସ୍ୱର୍ଗରାଜ୍ୟର ଶ୍ରୀ ପୁଣି ଫେରି ଆସିଲା । ଦେବତାମାନେ ମଧ୍ୟ ସେମାନଙ୍କର ପୂର୍ବ ମହତ୍ତ୍ୱ ଫେରି ପାଇଲେ ।

ଆଉ ଗୋଟିଏ ମହତ୍ କାର୍ଯ୍ୟରେ ମଧ୍ୟ ବାସୁକୀ ରଜ୍ଜୁ ପରି ବ୍ୟବହୃତ ହୋଇଥିଲେ । ସେହି କାର୍ଯ୍ୟଟି ହେଉଛି ତ୍ରିପୁର ସଂହାର । ସେହି କାହାଣୀଟି ଏହିପରି-

ପ୍ରାଚୀନ କାଳରେ ତାରକ ନାମରେ ଏକ ଅସୁର ଥିଲା । ତା’ର ଥିଲେ ତିନି ପୁଅ- କମଳାକ୍ଷ, ତାରକାକ୍ଷ ଓ ବିଦ୍ୟୁନ୍ମାଳୀ । ବ୍ରହ୍ମାଙ୍କ ଠାରୁ ବର ପାଇବା ପାଇଁ ସେମାନେ କଠୋର ତପସ୍ୟା କଲେ । ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ବର ଯାଚିବାରୁ ସେମାନେ କହିଲେ, ଆମେ ତିନି ଭାଇ ତିନିଟି ଅଲଗା ଅଲଗା ପୁରରେ ରହିବାକୁ ଚାହୁଁ । ସେଇ ତିନିଟି ପୁର ତ୍ରିପୁର ନାମରେ ଖ୍ୟାତ ହେବ । ଆକାଶ ମାର୍ଗରେ ସେହି ପୁର ଯେତେବେଳେ ଯୁଆଡେ଼ ଚାହିଁବ ଉଡ଼ି ଯାଇପାରିବ । ପ୍ରତି ହଜାରେ ବର୍ଷରେ ଥରେ ତିନିଟିଯାକ ପୁର ଅଳ୍ପ ସମୟ ପାଇଁ ଏକାଠି ହେବେ । ସେତିକିବେଳେ ଗୋଟିଏ ତୀରରେ ଯଦି ତିନିଟିଯାକ ପୁର ଧ୍ୱଂସ ହେବ, ତା’ ହେଲେ ସେମାନେ ମରିବେ, ନ ହେଲେ ନାହିଁ ।

ବ୍ରହ୍ମା ସେମାନଙ୍କୁ ସେହି ବର ଦେଲେ ।

ବ୍ରହ୍ମାଙ୍କଠାରୁ ବର ପାଇବା ପରେ ମାୟ ଦ୍ୱାରା ସେହି ତିନିପୁରର ନିର୍ମାଣ କରାଗଲା । ଗୋଟିଏ ସୁନାରେ, ଆରଟି ରୂପାରେ ଓ ଶେଷଟି ଲୁହାରେ ତିଆରି ହେଲା । ପୁର ତିନିଟି କେତେବେଳେ କୁଆଡେ଼ ବୁଲିବେ, ତାହାର ନିୟନ୍ତ୍ରଣ ଭାର ରହିଲା ବିରୋଚନଙ୍କ ପୁଅ ବାଣ ହାତରେ ।

ମାତ୍ର ସେତିକିରେ ସେମାନେ ସନ୍ତୁଷ୍ଟ ହେଲେ ନାହିଁ । ତାରକାସୁରର ପୁଅ ହରି ମଧ୍ୟ ବ୍ରହ୍ମାଙ୍କୁ ତପସ୍ୟା କରି ସନ୍ତୁଷ୍ଟ କଲା ଓ ତାଙ୍କଠାରୁ ଏକ ଅମୃତକୁଣ୍ଡ ବର ରୂପେ ପାଇଲା । ସେହି ଅମୃତକୁଣ୍ଡଟି ସେହି ତ୍ରିପୁର ମଧ୍ୟରୁ ଗୋଟିକରେ ରହିଲା । ଫଳରେ ଯେଉଁସବୁ ଅସୁରଙ୍କର ମୃତ୍ୟୁ ହେଉଥିଲା, ସେମାନଙ୍କୁ ସେହି ଅମୃତ କୁଣ୍ଡରେ ପକାଇ ସେମାନେ ଜୀଆଇ ଦେଉଥିଲେ । ଏପରି ହେବା ଫଳରେ ଆଉ ଜଣେ ହେଲେ ଅସୁର ମଲେ ନାହିଁ । ଅସୁର ବଂଶ ଦିନକୁ ଦିନ ବଢ଼ି ବଢ଼ି ଚାଲିଲା । ପୁଣି ଅମୃତ ପାନ କରି ସେମାନେ ପ୍ରମତ୍ତ ହେଲେ । ଦେବତାମାନଙ୍କ ପ୍ରତି ମଧ୍ୟ ଖାତର କଲେ ନାହିଁ । ଦେବତାମାନଙ୍କୁ ଟିଟ୍ଟିକାର ମାରିଲେ । ଫଳରେ ଦେବତାମାନେ କ୍ଷୁବ୍ଧ ହୋଇ ଶିବଙ୍କ ଆଗରେ ଯାଇ ଗୁହାରି କଲେ ।

ଅସୁରମାନେ ଦେବତାମାନଙ୍କୁ ଥଟ୍ଟା ପରିହାସ କରୁଥିବା ଜାଣି ଶିବ ଚିନ୍ତିତ ହେଲେ । କାହିଁ କେଉଁ ହଜାରେ ବର୍ଷରେ ଥରେ ତିନିଟି ଯାକ ପୁର କ୍ଷଣକ ପାଇଁ ଏକା ଧାଡ଼ିରେ ରହିବେ ଏବଂ ସେତିକିବେଳେ ହିଁ ସେ ତିନି ପୁରକୁ ଗୋଟିଏ ତୀରରେ ସଂହାର କରିବାକୁ ପଡ଼ିବ । ସେଥିପାଇଁ ସେହିଭଳି ଶକ୍ତିଶାଳୀ ଧନୁ ଓ ତୀର ଆବଶ୍ୟକ ।

ବହୁ ଚିନ୍ତା କଲା ପରେ ଶିବ ଠିକ୍ କଲେ, ମନ୍ଦର ପର୍ବତକୁ ଧନୁ କରିବେ । ସେହି ଧନୁର ଗୁଣ ହେବା ପାଇଁ ସେହିପରି ଶକ୍ତ ଓ ଦୀର୍ଘ ଦଉଡି ଆବଶ୍ୟକ । ତେଣୁ ବାସୁକୀଙ୍କୁ ହିଁ ସେ ସେହି ଧନୁର ଗୁଣ ପାଇଁ ବାଛିଲେ । ବିଷ୍ଣୁ ହେଲେ ଧନୁର ତୀର । ଅଗ୍ନି ରହିଲେ ତୀରର ଅଗ୍ର ଭାଗରେ । ବାୟୁ ରହିଲେ ତୀରର ପଶ୍ଚାତ୍ ଭାଗରେ । ପୃଥିବୀ ହେଲା ତାଙ୍କର ରଥ, ରଥର ଅଖ ମଧ୍ୟ ବାସୁକୀ ହେଲେ । ଚାରିବେଦ ହେଲେ ରଥର ଚାରି ଅଶ୍ୱ । ଏ ସବୁକୁ ସଜ କରି ରଖି ଶିବ ତିନିଟିଯାକ ପୁର ଏକା ଧାଡ଼ିରେ ରହିବାର ସୁଯୋଗକୁ ଅପେକ୍ଷା କଲେ । ସହସ୍ର ବର୍ଷ ପରେ ଯେତେବେଳେ ତିନିଟିଯାକ ପୁର ଏକାଠି ହେଲେ, ସେତେବେଳେ ସେହି ତୀର ମାରି ସେ ଏକାବେଳକେ ତ୍ରିପୁରକୁ ଧ୍ୱଂସ କରିଦେଲେ । ସେହିଦିନୁ ତାଙ୍କର ଗୋଟିଏ ନାଆଁ ହେଲା ତ୍ରିପୁରାରି ।

ବାସୁକୀଙ୍କ ସମ୍ପର୍କରେ ପୁରାଣରେ ଆହୁରି ଅନେକ କାହାଣୀ ଲେଖା ଅଛି । ସେ ସବୁ ମଧ୍ୟରୁ ଗୋଟିଏ କାହାଣୀ ଖୁବ୍ ମଜାଦାର । ସେହି କାହାଣୀଟି ହେଉଛି- ଥରେ ବାସୁକୀ ଓ ବାୟୁଙ୍କ ମଧ୍ୟରେ ବିବାଦ ହେଲା । ବାସୁକୀ କହିଲେ ମୋର ବଳ ବେଶି ଓ ବାୟୁ କହିଲେ ମୋର ବଳ ବେଶି । କୌଣସି ସମାଧାନ ହୋଇ ନପାରି ଉଭୟଙ୍କ ମଧ୍ୟରେ ବଳ କଷାକଷି ହେବାକୁ ସ୍ଥିର ହେଲା । କଥା ହେଲା, ବାସୁକୀ ଯାଇ ମହାମେରୁ ପର୍ବତର ଚାରିପାଖରେ ଗୁଡେ଼ଇ ହୋଇଯିବେ । ବାୟୁ ତୀବ୍ର ବେଗରେ ବହି ତାଙ୍କୁ ଉଡ଼ାଇ ନେବାକୁ ଚେଷ୍ଟା କରିବେ । ତେଣୁ ବାସୁକୀ ଯାଇ ମହାମେରୁ ପର୍ବତ ଦେହରେ ଏପରି ଗୁଡେ଼ଇ ହୋଇଗଲେ, ଯେମିତିକି ବାୟୁ ସେଠାରେ ପଶି ପାରିବେ ନାହିଁ । ତାହା ଦେଖି ବାୟୁ ଉତ୍‌କ୍ଷିପ୍ତ ହୋଇ ପ୍ରଖର ବେଗରେ ବହିଲେ । ପ୍ରବଳ ଝଞ୍ଜାରେ ପୃଥିବୀ ଥରହର ହେଲା । ମନେହେଲା, ମହାମେରୁ ଭୁଶୁଡି ପଡ଼ିବ । ମହାମେରୁର ଚାରିପଟରେ ରହିଥାଏ କୋଡ଼ିଏଟି ପର୍ବତ । ବାସୁକୀ ସେଥିରେ ଏପରି ଗୁଡେଇ ହୋଇ ରହି ଥାଆନ୍ତି ଯେ ସବୁଗୁଡ଼ିକ ଏକାକାର ମନେ ହେଉଥାଏ । ପ୍ରଖର ଝଞ୍ଜା ସତ୍ତ୍ୱେ କେହି ଟିକିଏ ହେଲେ ଚଙ୍କୁ ନଥାନ୍ତି । ବେଳକୁ ବେଳ ପବନ ପ୍ରବଳ ହେଉଥାଏ । ଅବସ୍ଥା ଏପରି ହେଲା ଯେ ପୃଥିବୀ ଥରଥର ହୋଇ କମ୍ପିଲା । ଦେବତାମାନେ ଭୟ ପାଇଗଲେ । ସାଙ୍ଗରେ ବ୍ରହ୍ମା ଓ ଶିବଙ୍କୁ ଧରି ଯାଇ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ । ସବୁ ଶୁଣି ବିଷ୍ଣୁ ବୈକୁଣ୍ଠ ପୁରରୁ ଆସି ପହଞ୍ଚିଲେ ଏବଂ ସେହି ବଳ କଷାକଷି ବନ୍ଦ କରିବାକୁ କହିଲେ । ତାଙ୍କ କଥା ମାନି ବାସୁକୀ ନିଜକୁ କ୍ରମେ ହୁଗୁଳା ଖରି ଆସ୍ତେ ଆସ୍ତେ କୁଣ୍ଡଳୀ ଫିଟାଇଦେଲେ ।

କିନ୍ତୁ ବାୟୁଙ୍କର ତ ରାଗ ଥାଏ । ଯେମିତି ଗୋଟାଏ ପଟ ଖୋଲା ଦେଖିଛନ୍ତି ହୁ’ କରି ପ୍ରବଳ ବେଗରେ ପଶି ଆସିଲେ । ସେହି ବେଗରେ ମେରୁ ପର୍ବତକୁ ବେଢ଼ି ରହିଥିବା ପର୍ବତଗୁଡ଼ିକ ମଧ୍ୟରୁ ଗୋଟିଏ ପର୍ବତ ଭାଙ୍ଗି ଦକ୍ଷିଣକୁ ଉଡିଗଲା । ଯାଇ ଭାରତ ମହାସାଗରରେ ପଡ଼ିଲା । ସେଇଟି ଥିଲା ତ୍ରିକୂଟ ପର୍ବତ । ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ ରାବଣର ଲଙ୍କାପୁର ପ୍ରଥମେ ଉତ୍ତରରେ- ମହାମେରୁର ତ୍ରିକୂଟ ପର୍ବତ ଉପରେ ଥିଲା । ସେହି ଦିନଠୁ ତାହା ଦକ୍ଷିଣକୁ ଉଡି ଆସି ଭାରତ ମହାସାଗରରେ ପଡ଼ିଲା । ଫଳରେ ତାହା ଦକ୍ଷିଣର ଗୋଟିଏ ଦ୍ୱୀପରେ ପରିଣତ ହୋଇଗଲା ।

ବାସୁକୀଙ୍କ କୃତିତ୍ୱ ଓ ପରାକ୍ରମର ଆହୁରି ବହୁ ଉଦାହରଣ ପୁରାଣରେ ରହିଛି । ଭୀମ ଛୋଟ ଥିବାବେଳେ ତାଙ୍କୁ ଥରେ ବିଷ ଖୁଆଇ ଗଙ୍ଗାରେ ପିଙ୍ଗି ଦିଆଯାଇଥିଲା । ଭୀମ ପାଣିରେ ବୁଡ଼ି ନାଗଲୋକକୁ ଚାଲି ଯାଇଥିଲେ । ସେ ନାଗଲୋକରେ ପହଞ୍ଚିବା ମାତ୍ରେ ନାଗମାନେ ଧାଇଁ ଆସି ତାଙ୍କୁ ଦଂଶନ କଲେ । ଫଳରେ ବିଷକୁ ବିଷ କାଟିଲା । ଭୀମଙ୍କ ଚେତା ଫେରିଲା । ଅର୍ଯ୍ୟକ ନାମକ ଏକ ନାଗ ସହିତ ତାଙ୍କର ପରିଚୟ ହେଲା । ସେ ଭୀମଙ୍କୁ ବାସୁକୀଙ୍କ ସହିତ ସାକ୍ଷାତ କରାଇଲେ । ବାସୁକୀ ଭୀମଙ୍କୁ ଅମୃତ ପାନ କରିବାକୁ ଦେଲେ; ଫଳରେ ଭୀମ ପ୍ରବଳ ପରାକ୍ରମୀ ହୋଇପାରିଲେ । କେବଳ ଭୀମଙ୍କ ପ୍ରତି ନୁହେଁ, ପାଣ୍ଡବଙ୍କ ପ୍ରତି ମଧ୍ୟ ବାସୁକୀଙ୍କର ପ୍ରଚୁର ଶ୍ରଦ୍ଧା ଥିଲା । କର୍ଣ୍ଣ ଓ ଅର୍ଜୁନଙ୍କ ପ୍ରତି ସେ ଶୁଭେଚ୍ଛୁ ଥିଲେ । କାର୍ତ୍ତିକଙ୍କୁ ସେ ଜୟ ଓ ମହାଜୟ ନାମକ ଦୁଇଟି ଫୁଲ ଉପହାର ଦେଇଥିଲେ । ବଳରାମଙ୍କ ଦେହତ୍ୟାଗ ପରେ ତାଙ୍କର ପ୍ରାଣ ଯେତେବେଳେ ସର୍ପ ରୂପରେ ପାତାଳକୁ ଗଲା, ସେତେବେଳେ ବାସୁକୀ ତାଙ୍କୁ ସ୍ୱାଗତ କରିଥିଲେ ।

ମାତ୍ର ବାସୁକୀଙ୍କର ଆଉ ଗୋଟିଏ ଗୁରୁତ୍ୱୂର୍ଣ୍ଣ ଭୂମିକା ରହିଛି । ପୃଥିବୀକୁ ନିଜର ଫଣା ଉପରେ ଧରିଥିବା ସପ୍ତନାଗଙ୍କ ମଧ୍ୟରୁ ସେ ଜଣେ ।

ନିଜର ସଦ୍‌ଗୁଣ ଯୋଗୁଁ ବାସୁକୀ ନାଗମାନଙ୍କର ରାଜା ହୋଇଥିଲେ । ସେଥିାଇଁ ସେ ନାଗରାଟ, ନାଗରାଜ, ନାଗେନ୍ଦ୍ର, ପନ୍ନଗ, ପନ୍ନଗରାଟ, ସର୍ପରାଜ ଆଦି ଅନେକଗୁଡ଼ିଏ ନାମରେ ପରଚିତ । ସର୍ପରେ ଜାତ ହେଲେ ହେଁ ମହତ୍ ସ୍ୱଭାବ ଯୋଗୁଁ ତାଙ୍କୁ ଦେବତା ରୂପେ ମାନ୍ୟତା ଦିଆଯାଇଥାଏ । ସେଥିପାଇଁ ନାଗରାଜ ବାସୁକୀଙ୍କ ଏକ ଧ୍ୟାନଶ୍ଳୋକରେ କୁହାଯାଇଛି-

ପ୍ରସୀଦ ନାଗେନ୍ଦ୍ର ଧରାଧରେଶ ସର୍ବାମରୈର୍ବନ୍ଦିତ ପାଦପଦ୍ମ
ନାନା ଫଣାମଣ୍ଡଳ ରାଜମାନ ଗୃହାଣ ଭକ୍ତିଂ ଭଗବନ୍ମମସ୍ତେ ।