ଆମ ଦେବଦେବୀ/ବିଷ୍ଣୁ
ହିନ୍ଦୁ ଧର୍ମର ପୁରାଣମାନଙ୍କରେ ଯେତେ ଯେତେ ଦେବଦେବୀଙ୍କ କଥା ଲେଖା ଅଛି, ସେମାନଙ୍କ ମୂଳରେ ରହିଛନ୍ତି ତିନି ଦେବତା- ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହେଶ୍ୱର ବା ଶିବ ସଂହାରକର୍ତ୍ତା । ମାତ୍ର ଏହି ତିନି ଦେବତାଙ୍କ ମଧ୍ୟରେ ବି ଯିଏ ମୂଳ, ସିଏ ହେଉଛନ୍ତି ଭଗବାନ ବିଷ୍ଣୁ ।
ପୁରାଣମାନଙ୍କରେ ବ୍ରହ୍ମା, ବିଷ୍ଣୁ ଓ ଶିବ- ପ୍ରତ୍ୟେକଙ୍କର ସମୟ ବା ଆୟୁଷ ସମ୍ପର୍କରେ ଉଲ୍ଲେଖ ଅଛି । ସେଥିରେ କୁହାଯାଇଛି, ସମୟକ୍ରମେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ମଧ୍ୟ ବିଲୟ ହୁଏ । ଯେତେବେଳେ ସମଗ୍ର ସୃଷ୍ଟି ଧ୍ୱଂସ ପାଏ, ସେତେବେଳେ ମହାପ୍ରଳୟ ସଂଘଟିତ ହୁଏ । ୧୨୦ ବ୍ରହ୍ମବର୍ଷ ପର୍ଯ୍ୟନ୍ତ ସମଗ୍ର ସୃଷ୍ଟି ପ୍ରଳୟଜଳରେ ବୁଡ଼ିଯାଏ । ସେତେବେଳେ ଚାରିଆଡେ଼ ଅଖଣ୍ଡ ନୀରବତା ବିରାଜମାନ କରେ । ତା'ପରେ ବିଷ୍ଣୁ ଏକ ଶିଶୁ ରୂପରେ ବଟପତ୍ର ଉପରେ ଶୋଇରହି ପ୍ରଳୟ ଜଳ ଉପରେ ଭାସନ୍ତି । ତାହା ଏକ ମହାଯୁଗର ଆରମ୍ଭ । ସେହି ଶିଶୁରୂପୀ ବିଷ୍ଣୁଙ୍କର ନାଆଁ ହେଉଛି ବାଳମୁକୁନ୍ଦ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବେଢ଼ାରେ ଏହି ବାଳମୁକୁନ୍ଦଙ୍କର ଗୋଟିଏ ମନ୍ଦିର ଅଛି ।
ବିଷ୍ଣୁ ନାଆଁର ଅର୍ଥ ହେଉଛି, ଯେ ବ୍ୟାପନ ବା ନିଜକୁ ବିସ୍ତାରିତ କରନ୍ତି । ତେଣୁ ପ୍ରଳୟ ପରେ ଯେଉଁ ନୂଆ ସୃଷ୍ଟି ହୁଏ- ସେଥିରେ ବିଷ୍ଣୁ ହିଁ ନିଜକୁ ବିସ୍ତୃତ କରିଥାଆନ୍ତି । ସେତେବେଳେ ତାଙ୍କର ନାଭିରୁ ଗୋଟିଏ ପଦ୍ମନାଡ଼ ବାହାରେ । ତାହାର ଶେଷ ଭାଗରେ ଗୋଟିଏ ପଦ୍ମଫୁଲ ଫୁଟେ । ସେଥିରୁ ବ୍ରହ୍ମା ଜାତ ହୁଅନ୍ତି ଏବଂ ବିଷ୍ଣୁଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରନ୍ତି । ସେହି ବ୍ରହ୍ମା ପ୍ରଳୟ ବେଳେ ଧ୍ୱଂସ ପାଆନ୍ତି ଏବଂ ଅନ୍ୟ ଏକ ବ୍ରହ୍ମା ସୃଷ୍ଟି ହୁଅନ୍ତି । ଏହିପରି ଦୁଇଜଣ ବ୍ରହ୍ମାଙ୍କ ଧ୍ୱଂସ ପରେ ବିଷ୍ଣୁଙ୍କର ଆୟୁଷ ଶେଷ ହୁଏ । ପୁନର୍ବାର ମହାପ୍ରଳୟ ହୁଏ ।
ପ୍ରଳୟ ପରବର୍ତ୍ତୀ ସୃଷ୍ଟିର ସେହି ଆରମ୍ଭ କାହାଣୀ ପୁରାଣମାନଙ୍କରେ ଖୁବ୍ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି । ସେ ସବୁରେ କୁହାଯାଇଛି, ମହାପ୍ରଳୟ ପରେ ଯେତେବେଳେ ବିଷ୍ଣୁ ବଟପତ୍ର ଉପରେ, ବାଳମୁକୁନ୍ଦ ରୂପରେ ଦେଖାଦେଲେ, ସେତେବେଳେ ସେ ଭାବିଲେ, ମୁଁ କିଏ? କିଏ ମତେ ସୃଷ୍ଟି କଲା? ଏବେ ମୋର କର୍ତ୍ତବ୍ୟ କ'ଣ?
ସେତେବେଳେ ମହାଶୂନ୍ୟରୁ ଏକ ସ୍ୱର ଶୁଭିଲା । ସେ ସ୍ୱର ଥିଲା ମହାଦେବୀଙ୍କର । ସେ କହିଲେ- ସର୍ଜନା, ସ୍ଥିତି ଓ ଧ୍ୱଂସ- ଏ ତିନିଟି ହେଉଛି ସୃଷ୍ଟିର ମୁଖ୍ୟ ଅଙ୍ଗ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତୁମେ ସତ୍ତ୍ୱ ଗୁଣର ଆଧାର । ତୁମେ ସୃଷ୍ଟିର ପାଳନ କରିବ । ବ୍ରହ୍ମା ତୁମ ନାଭିରୁ ଜାତ ହେବେ । ସେ ରଜ ଗୁଣର ଆଧାର । ଏଣୁ ସେ ସୃଷ୍ଟି ସର୍ଜନା କରିବେ । ବ୍ରହ୍ମାଙ୍କ ଭ୍ରୂ-ମଧ୍ୟରୁ ଶିବ ଜାତ ହେବେ । ସେ ତମ ଗୁଣର ଆଧାର । ଏଣୁ ସେ ସୃଷ୍ଟିର ସଂହାର ବା ଧ୍ୱଂସ କରିବେ । ଏଣୁ ତୁମେ ତୁମର ନାଭିରୁ ପଦ୍ମ ଓ ପଦ୍ମରୁ ବ୍ରହ୍ମାଙ୍କୁ ସୃଷ୍ଟିକରି ସୃଷ୍ଟି ସର୍ଜନାରେ ନିୟୋଜିତ କରାଅ ।
ମହାଦେବୀଙ୍କଠାରୁ ତାହା ଶୁଣି ବିଷ୍ଣୁ ଧ୍ୟାନସ୍ଥ ହେଲେ ଏବଂ ତାଙ୍କ ନାଭିରୁ ପଦ୍ମଟିଏ ବିକଶିତ ହେଲା । ସେଥିରୁ ବ୍ରହ୍ମା ଜାତ ହେଲେ ଏବଂ ବିଷ୍ଣୁଙ୍କ ନିର୍ଦ୍ଦେଶରେ ସୃଷ୍ଟି ସର୍ଜନା ଆରମ୍ଭ କଲେ ।
ପୁରାଣମାନଙ୍କରେ ଭଗବାନ ବିଷ୍ଣୁଙ୍କ ରୂପ, ଗୁଣ ଓ କାର୍ଯ୍ୟର ଏତେ ବିସ୍ତୃତ ଓ ଚମତ୍କାର ବର୍ଣ୍ଣନା ଅଛି ଯେ, ତାହା ସଂକ୍ଷେପରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଆଦି ଧାରଣ କରିଥାନ୍ତି । କିରୀଟ, କୁଣ୍ଡଳ ଆଦି ଦ୍ୱାରା ବିଭୂଷିତ ହୋଇଥାଆନ୍ତି । ତାଙ୍କର ଦେହରେ ପୀତାମ୍ବର ଶୋଭା ପାଉଥାଏ । ସୁନ୍ଦର ପଦ୍ମପରି ତାଙ୍କର ନେତ୍ର । ସେ ବନମାଳା ଓ କୌସ୍ତୁଭ ଆଦି ମଣି ଧାରଣ କରିଥାନ୍ତି । ଶ୍ରୀ-ଦେବୀ ଓ ଭୂ-ଦେବୀ ଆଦିଙ୍କ ସହିତ ତାଙ୍କର ନିତ୍ୟ ନିବାସ । ବିଭିନ୍ନ ସମୟରେ ପୃଥିବୀକୁ ପାପର ଭାରରୁ ଓ ଦୁଷ୍ଟ ଦୁରାଚାରମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେ ଅବତାର ରୂପେ ଆବିର୍ଭୂତ ହୋଇଥାଆନ୍ତି ।
ଭଗବାନ ବିଷ୍ଣୁଙ୍କର ଯେଉଁସବୁ ଅବତାର ରହିଛି, ସେହିସବୁ ଅବତାର ମଧ୍ୟରୁ ଦଶଟି ଅବତାର ମୁଖ୍ୟ ଓ ପ୍ରସିଦ୍ଧ । ବିଭିନ୍ନ ପୁରାଣରେ ବିଷ୍ଣୁଙ୍କର ୨୪ଟି ଅବତାର ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ସେହି ୨୪ଟି ଅବତାର ମଧ୍ୟରୁ ୨୨ଟି ହେଉଛି, ଶ୍ରୀ ବରାହ, ସନକାଦି, ନାରଦ, ନରନାରାୟଣ, କପିଳ, ଦତ୍ତାତ୍ରେୟ, ଯଜ୍ଞ, ରୁଷଭ, ପୃଥୁ, ମତ୍ସ୍ୟ, କୂର୍ମ, ଧନ୍ୱନ୍ତରୀ, ମୋହିନୀ, ନୃସିଂହ, ବାମନ, ପରଶୁରାମ, ବେଦବ୍ୟାସ, ରାମ, ବଳରାମ, ବୁଦ୍ଧ, କୃଷ୍ଣ ଓ କଳ୍କୀ । ହଂସ ଓ ହୟଗ୍ରୀବଙ୍କୁ ମିଶାଇଲେ ବିଷ୍ଣୁଙ୍କର ଅବତାର ସଂଖ୍ୟା ୨୪ । ମାତ୍ର ପ୍ରକୃତରେ ବିଷ୍ଣୁଙ୍କର ଅବତାର ସଂଖ୍ୟା ଅସଂଖ୍ୟ । ଋଷି ମନୁ, ଦେବତା, ମନୁୁପୁତ୍ର, ପ୍ରଜାପତି ଏ ସମସ୍ତେ ମଧ୍ୟ ବିଷ୍ଣୁଙ୍କର ଅଂଶାବତାର ।
ଏହି ୨୪ଟି ଅବତାର ମଧ୍ୟରୁ ୧୦ଟି ଅବତାର ଖୁବ୍ ପ୍ରସିଦ୍ଧ। ସେହି ଦଶଟି ହେଉଛି, ମତ୍ସ୍ୟ, କୂର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀ । ଏଥିରୁ ନଅଟି ଅବତାର ହୋଇ ସାରିଛନ୍ତି । ଶେଷ ଅବତାର କଳ୍କୀ କଳିଯୁଗ ଶେଷ ବେଳକୁ ଅବତାର ଗ୍ରହଣ କରିବେ । ଉତ୍କଳୀୟ କବି ଶ୍ରୀ ଜୟଦେବ ତାଙ୍କ ଦଶାବତାର ସ୍ତୋତ୍ରରେ ଏହି ଦଶଟି ଅବତାରକୁ ଖୁବ୍ ଲୋକପ୍ରିୟ କରିଦେଇଛନ୍ତି । ଶ୍ରୀକ୍ଷେତ୍ର ପୁରୀ ବା ନୀଳାଚଳ ଧାମରେ ଦାରୁବ୍ରହ୍ମ ରୂପେ ବିରାଜମାନ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି ସବୁ ଅବତାରର ମୂଳ ବା ସର୍ବାବତାରର ପ୍ରତିଭୂ ।
ବୈକୁଣ୍ଠ ହେଉଛି ବିଷ୍ଣୁଙ୍କର ନିବାସ ସ୍ଥାନ । ମହାଲକ୍ଷ୍ମୀ ତାଙ୍କର ପତ୍ନୀମାନଙ୍କ ମଧ୍ୟରେ ମୁଖ୍ୟ । ଗଙ୍ଗା ଓ ସରସ୍ୱତୀ ମଧ୍ୟ ବିଷ୍ଣୁଙ୍କର ପତ୍ନୀ ବୋଲି ଦେବୀ ଭାଗବତରେ ଉଲ୍ଲେଖ ଅଛି । ଲକ୍ଷ୍ମୀଙ୍କର ମଧ୍ୟ ବିଭିନ୍ନ ଅବତାର ରହିଛି ।
ପ୍ରକୃତରେ ଦେଖିଲେ, ବିଷ୍ଣୁଙ୍କର କେହି ପୁତ୍ର ନାହାନ୍ତି । ମାତ୍ର ବ୍ରହ୍ମାଙ୍କୁ ତାଙ୍କର ପ୍ରଥମ ପୁତ୍ର ରୂପେ କଳ୍ପନା କରାଯାଏ । ଏହା ବ୍ୟତୀତ ବିଷ୍ଣୁ ତାଙ୍କର ମାନସରୁ ବିରାଜ ନାମରେ ଏକ ପୁତ୍ର ଜାତ କରିଥିଲେ । ଶାସ୍ତା ମଧ୍ୟ ତାଙ୍କର ଅନ୍ୟ ଏକ ମାନସ ପୁତ୍ର ବୋଲି ପୁରାଣରେ ବର୍ଣ୍ଣନା ଅଛି ।
ବିଷ୍ଣୁଙ୍କର ଅନେକ ଆଭୂଷଣ ଓ ଆୟୁଧ ରହିଛି । ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ସେଥିମଧ୍ୟରେ ମୁଖ୍ୟ । ସେହିସବୁ ଆଭୂଷଣ ଓ ଆୟୁଧ ବିଷ୍ଣୁ ଧାରଣ କରିବା ପଛରେ ନିର୍ଦ୍ଧିଷ୍ଟ କାହାଣୀମାନ ଅଛି । ଶ୍ରୀକୃଷ୍ଣ ଓ ବଳରାମ ଯେତେବେଳେ ସାନ୍ଦିପନୀ ମୁନିଙ୍କ ଆଶ୍ରମରେ ପଢ଼ୁଥିଲେ, ସେତେବେଳେ ହୟଗ୍ରୀବ ନାମକ ଏକ ଅସୁର ସାନ୍ଦିପନୀଙ୍କ ପୁଅକୁ ଚୋରାଇ ନେଇଥିଲା । ସେ ଏକ ବିରାଟ ଶଙ୍ଖ ମଧ୍ୟରେ ସମୁଦ୍ର ଗର୍ଭରେ ଯାଇ ଲୁଚି ରହିଥିଲା । ତେଣୁ ହୟଗ୍ରୀବର
ନାଆଁ ହୋଇଥିଲା ଶଙ୍ଖାସୁର । ଚାରି ବେଦକୁ ମଧ୍ୟ ସେ ହରଣ କରିନେଇ ନିଜ ପାଖରେ ଲୁଚାଇ ରଖିଥିଲା । ବିଷ୍ଣୁ ମତ୍ସ୍ୟ ଅବତାରରେ ଯାଇ ତାହାକୁ ମାରି ବେଦ ଉଦ୍ଧାର କରିଥିଲେ । ଶ୍ରୀକୃଷ୍ଣ ହେଉଛନ୍ତି ସାକ୍ଷାତ ବିଷ୍ଣୁ । ତେଣୁ ଶଙ୍ଖାସୁରର ମୃତ୍ୟୁ ପରେ ସେ ସାନ୍ଦିପନୀଙ୍କ ପୁତ୍ରକୁ ଉଦ୍ଧାର କରି ସାନ୍ଦିପନୀଙ୍କୁ ଗୁରୁ ଦକ୍ଷିଣା ରୂପେ ଦେଇଥିଲେ । ଶଙ୍ଖାସୁରକୁ ମାରିଥିବାରୁ ସେହି ଦିନରୁ ବିଷ୍ଣୁଙ୍କର ଆଉ ଗୋଟିଏ ନାଆଁ ହେଲା ଶଙ୍ଖାରି । ଅନେକ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ, ଶ୍ୱେତଶଙ୍ଖ ମଧ୍ୟରେ ବାସ କରୁଥିବା ସେହି ଅସୁରର ନାଆଁ ଥିଲା ପଞ୍ଚଜ । ତାହାକୁ ମାରି ବିଷ୍ଣୁ ସେହି ଶ୍ୱେତ ଶଙ୍ଖଟିକୁ ଧାରଣ କଲେ । ତେଣୁ ସେହି ଶଙ୍ଖର ନାଆଁ ହେଲା ପାଞ୍ଚଜନ୍ୟ ।
ବିଷ୍ଣୁ ଚାରି ହାତରୁ ଗୋଟିଏ ହାତରେ ପଞ୍ଚଜନ୍ୟ ଶଙ୍ଖ ଧାରଣ କରିଥାନ୍ତି । ତାଙ୍କର ଅନ୍ୟ ତିନି ହାତରେ ଥାଏ ସୁଦର୍ଶନ ଚକ୍ର, କୌମୋଦକୀ ଗଦା ଓ ଲୀଳା ପଦ୍ମ । ସୁଦର୍ଶନ ଚକ୍ରର ଆଉ ଗୋଟିଏ ନାଆଁ ବଜ୍ରନାଭ । ଘୋର ଶତ୍ରୁମାନଙ୍କୁ ନିପାତ କରିବା ପାଇଁ ବା ଭକ୍ତ ଓ ସାଧୁସନ୍ଥଙ୍କୁ ରକ୍ଷା କରିବା ପାଇଁ ବିଷ୍ଣୁ ତାହାକୁ ବ୍ୟବହାର କରିଥାନ୍ତି । ସେହି ଚକ୍ର ଦେଖିବାକୁ ଖୁବ୍ ସୁନ୍ଦର । ତେଣୁ ତାହାର ନାମ ସୁଦର୍ଶନ । ତାହାର ବାହାର ଧାର ତୀକ୍ଷ୍ଣ ଓ ମଧ୍ୟ ଭାଗରେ ଗୋଟିଏ ଗର୍ତ୍ତ ଥାଏ । ବିଶ୍ୱକର୍ମାଙ୍କ ଦ୍ୱାରା ତାହା ସୂର୍ଯ୍ୟଙ୍କ ଚୂର୍ଣ୍ଣରେ ତିଆରି ବୋଲି କେତେକ ପୁରାଣରେ ଲେଖାଅଛି ।
ବିଷ୍ଣୁ କାହିଁକି କୌମୋଦକୀ ଗଦା ଧାରଣ କରିଥାଆନ୍ତି, ସେ ସଂପର୍କରେ ପୁରାଣମାନଙ୍କରେ ବର୍ଣ୍ଣନା ଅଛି । କୌମୋଦକୀକୁ କୁ-ମୋଦକୀ ବୋଲି ମଧ୍ୟ କେତେକ ପୁରାଣରେ ବର୍ଣ୍ଣନା କରାଯାଇଛି । କୁ- ଅର୍ଥାତ୍ ପୃଥିବୀ, ମୋଦ- ଅର୍ଥାତ୍ ଆନନ୍ଦ । ମୋଦକ ବା ମୋଦକୀ- ଅର୍ଥାତ୍ ଯେ ଆନନ୍ଦ ଦିଏ । ପାଳନକର୍ତ୍ତା ଭାବେ ପୃଥିବୀକୁ ଆନନ୍ଦ ଦେବା ଭଗବାନ ବିଷ୍ଣୁଙ୍କର କାର୍ଯ୍ୟ । ତେଣୁ ସେ କୁମୋଦକୀ ବା କୌମୋଦକୀ ଗଦା ଧାରଣ କରିଥାଆନ୍ତି । ସମଗ୍ର ସୃଷ୍ଟି ତାଙ୍କର ଲୀଳା । ତେଣୁ ସେ ଅନ୍ୟ ଏକ ହାତରେ ଲୀଳାପଦ୍ମ ଧାରଣ କରିଥାଆନ୍ତି ବୋଲି ମଧ୍ୟ ପୁରାଣମାନଙ୍କରେ ଉଲ୍ଲେଖ ଅଛି ।
ବିଷ୍ଣୁଙ୍କର ଆଉ କେତେକ ଆୟୁଧ ଓ ଆଭୂଷଣ ମଧ୍ୟରେ କୌସ୍ତୁଭମଣି, ନନ୍ଦକ ଖଡ୍ଗ, ଶାର୍ଙ୍ଗ ଧନୁ, ବୈଜୟନ୍ତୀ ମାଳା ବା ବନମାଳା ପ୍ରଧାନ । କୌସ୍ତୁଭମଣି ସମୁଦ୍ର ମନ୍ଥନ କାଳରେ କ୍ଷୀରସମୁଦ୍ରରୁ ବାହାରିଥିଲା । ନନ୍ଦକ ଖଡ୍ଗଟି ଦେବରାଜ ଇନ୍ଦ୍ର ବିଷ୍ଣୁଙ୍କୁ ଦେଇଥିଲେ ବୋଲି ମହାଭାରତର ଶାନ୍ତିପର୍ବରେ ଉଲ୍ଲେଖ ଅଛି । ଶାର୍ଙ୍ଗ ଧନୁ ବୈଷ୍ଣବ ଚାପ ନାମରେ କଥିତ । ବିଷ୍ଣୁ ରାମ ଅବତାରରେ ମଧ୍ୟ ସେହି ଧନୁ ଧାରଣ କରିଥିଲେ । ସେଇଥିାଇଁ ବିଷ୍ଣୁଙ୍କର ଆଉ ଗୋଟିଏ ନାଆଁ ଶାର୍ଙ୍ଗପାଣି ବା ଶାରଙ୍ଗ ପାଣି ।
କଣ୍ଠରେ କୌସ୍ତୁଭମଣି ପରି ବିଷ୍ଣୁଙ୍କର ଗଳାରେ ବୈଜୟନ୍ତୀ ବା ବନମାଳା ଶୋଭା ପାଉଥାଏ । ସେହି ମାଳାରେ ପାଞ୍ଚଟି ଦୁର୍ଲଭ ରତ୍ନ ଖଚିତ ହୋଇଥାଏ । ପୁଣି ବନମାଳାରେ ଥାଏ ସବୁ ଋତୁର ଫୁଲ । ତାହାର ମଝିରେ ଥାଏ କଦମ୍ବ ଫୁଲର ପଦକ ।
ବିଷ୍ଣୁଙ୍କର ଦ୍ୱାରପାଳ ଓ ପାରିଷଦମାନଙ୍କର ସଂଖ୍ୟା ଅନେକ । ଅଷ୍ଟକୁଳ ନାଗ ତାଙ୍କର ଦ୍ୱାରପାଳ ରୂପେ ପରିଗଣିତ । ସେହି ଅଷ୍ଟକୁଳ ନାଗ ହେଉଛନ୍ତି- ଇଳାପତ୍ର, ଅନନ୍ତ, ମହାପଦ୍ମ, ଶଙ୍କୁ, ଅଂଶୁକମ୍ବଳ, ତକ୍ଷକ, କର୍କୋଟକ ଓ ବାସୁକୀ । ବିଷ୍ଣୁ ଯେତେବେଳେ କ୍ଷୀର ସମୁଦ୍ରରେ ଅନନ୍ତଶୟନରେ ଶୁଅନ୍ତି, ସେତେବେଳେ ଶେଷନାଗ ବା ଅନନ୍ତ ହିଁ ତାଙ୍କର ପଲଙ୍କ ହୁଅନ୍ତି ।
ଭଗବାନ ବିଷ୍ଣୁଙ୍କର ପାରିଷଦ ଅସଂଖ୍ୟ । ସେମାନଙ୍କ ମଧ୍ୟରେ ୧୬ ଜଣ ପାରିଷଦ ପ୍ରଧାନ । ସେମାନଙ୍କର ନାମ ହେଉଛି- ବିଷ୍ୱକ୍ସେନ, ସୁଷେଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ । ବିଷ୍ୱକ୍ସେନ ପାରିଷଦମାନଙ୍କ ମଧ୍ୟରେ ମୁଖ୍ୟ । ପାରିଷଦମାନେ ମଧ୍ୟ ବିଷ୍ଣୁଙ୍କ ପରି ଚାରିହାତ ବିଶିଷ୍ଟ ।
ସୁପର୍ଣ୍ଣ ଗରୁଡ ବିଷ୍ଣୁଙ୍କର ମୁଖ୍ୟ ବାହନ । ସେ ଖୁବ୍ ଜ୍ଞାନୀ ଓ ବେଦ ବିଦ୍ୟାରେ ପ୍ରବୀଣ । ତେଣୁ ତାଙ୍କୁ ସର୍ବବେଦମୟ ବିଗ୍ରହ କୁହାଯାଏ । ଶ୍ରୀମଦ୍ଭାଗବତରେ ଲେଖା ଅଛି- ଏହି ଗରୁଡ଼ ଯେତେବେଳେ ଡେଣା ମେଲି ଆକାଶରେ ଉଡନ୍ତି, ସେତେବେଳେ ତାଙ୍କ ଡେଣାରୁ ସାମବେଦ ଗାନର ଧ୍ୱନି ଶୁଣାଯାଏ । କଶ୍ୟପ ଓ ବିନତାଙ୍କର ପୁତ୍ର ଏହି ଗରୁଡ଼ ‘ବୈନତେୟ’ ନାମରେ ପ୍ରସିଦ୍ଧ । ବିଷ୍ଣୁଙ୍କ ବାହନ ହୋଇଥିବାରୁ ତାଙ୍କୁ ବିଷ୍ଣୁରଥ ମଧ୍ୟ କୁହାଯାଏ ।
ତ୍ରିଲୋକର କର୍ତ୍ତା ବିଷ୍ଣୁ ଯେଉଁ ସିଂହାସନରେ ବସି ସୃଷ୍ଟି ପାଳନ କରନ୍ତି, ସେହି ସିଂହାସନ ଅତ୍ୟନ୍ତ ଅଲୌକିକ । ସେହି ସିଂହାସନର ସ୍ୱରୂପ ପଦ୍ମପୁରାଣ ଉତ୍ତରଖଣ୍ଡରେ ବର୍ଣ୍ଣନା କରାଯାଇଛି । ସେଥିରେ ଲେଖାଅଛି- ବୈକୁଣ୍ଠ ଧାମରେ ରହିଛି ଅଯୋଧ୍ୟାପୁରୀ । ତାହାର ଅନ୍ତଃପୁରରେ ଏକ ବିଦ୍ୟା ମଣ୍ଡପ ଅଛି । ସେହି ମଣ୍ଡପଟି ରତ୍ନରେ ତିଆରି । ମଣ୍ଡପର ମଧ୍ୟ ଭାଗରେ ରହିଛି ରମଣୀୟ ସିଂହାସନ । ସମସ୍ତ ବେଦର ଜ୍ଞାନ ଓ ଗୁଣ ସେହି ସିଂହାସନରେ ଠୁଳ ହୋଇଛି । ଧର୍ମାଦି ଦେବତା ସିଂହାସନକୁ ଘେରି ରହିଛନ୍ତି । ଧର୍ମ, ଜ୍ଞାନ, ଐଶ୍ୱର୍ଯ୍ୟ, ବୈରାଗ୍ୟ ଆଦି ସମସ୍ତ ଗୁଣ ସେଠାରେ ପରିପୂର୍ଣ୍ଣ । ସିଂହାସନର ମଧ୍ୟ ଭାଗରେ ରହିଛନ୍ତି ଅଗ୍ନି, ସୂର୍ଯ୍ୟ ଓ ଚନ୍ଦ୍ରମା । କୂର୍ମ, ନାଗରାଜ ଅନନ୍ତ, ଗରୁଡ ଆଦି ସିଂହାସନର ପୀଠରେ ରହିଛନ୍ତି । ସେ ସବୁର ମଝିରେ ଅଛି ଏକ ଅଷ୍ଟଦଳ ପଦ୍ମ । ସେହି ପଦ୍ମ ଦେଖିବାକୁ ଉଦୟ
କାଳର ସୂର୍ଯ୍ୟପରି । ତାହାର ମଝିରେ ରହିଛି ସାବିତ୍ରୀ ନାମକ କେଶର । ସେହି କେଶରରେ ଭଗବାନ ବିଷ୍ଣୁ, ଲକ୍ଷ୍ମୀଙ୍କ ସହିତ ବିରାଜମାନ କରିଥାଆନ୍ତି । ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ବିରାଜମାନ କରିଥିବା ସିଂହାସନକୁ ମଧ୍ୟ ରତ୍ନମଣ୍ଡପ ବା ରତ୍ନ ସିଂହାସନ କୁହାଯାଏ ।
ଦେବତାମାନଙ୍କ ଭିତରେ ବିଷ୍ଣୁ ଶ୍ରେଷ୍ଠ । ସେ ସମ୍ପର୍କରେ ପୁରାଣମାନଙ୍କରେ ବହୁ କାହାଣୀ ଅଛି । ସେହିସବୁ କାହାଣୀ ମଧ୍ୟରୁ ଗୋଟିଏ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । କାହାଣୀଟି ହେଉଛି-
ଥରେ ମୁନିଋଷିମାନେ ମିଶି ପବିତ୍ର ସରସ୍ୱତୀ ନଦୀ କୂଳରେ ଗୋଟିଏ ଯଜ୍ଞ କରୁଥିଲେ । ବ୍ରହ୍ମା, ବିଷ୍ଣୁ ଓ ଶିବ- ଏ ତିନି ଦେବତାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ନେଇ ତର୍କ ହେଲା । କିଏ ବଡ, କିଛି ସିଦ୍ଧାନ୍ତ ହୋଇପାରିଲା ନାହିଁ । ସମାଧାନ ପାଇଁ ବ୍ରହ୍ମାଙ୍କ ପୁତ୍ର ଭୃଗୁଙ୍କୁ ଦାୟିତ୍ୱ ଦିଆଗଲା ।
ବ୍ରହ୍ମା, ବିଷ୍ଣୁ ଓ ଶିବ- ଏ ତିନିଙ୍କ ମଧ୍ୟରୁ କିଏ ବଡ଼ ତାହା ଜାଣିବା ପାଇଁ ଭୃଗୁ ପ୍ରଥମେ ବ୍ରହ୍ମାଙ୍କ ପାଖକୁ ଗଲେ । ବ୍ରହ୍ମା ସେତେବେଳକୁ ବହୁ ମୁନି, ଋଷିଙ୍କ ଗହଣରେ ବସିଥିଲେ । ଭୃଗୁ ଆସନଟିଏ ଟାଣି ନେଇ ସେଠାରେ ବସିଯିବାରୁ ବ୍ରହ୍ମା ତାଙ୍କ ଉପରେ ବିରକ୍ତ ହେଲେ । ଫଳରେ ଭୃଗୁ ତତ୍କ୍ଷଣାତ୍ ସେ ସ୍ଥାନ ଛାଡ଼ି ଚାଲି ଆସିଲେ ।
ତା’ ପରେ ଭୃଗୁ ଗଲେ ଶିବଙ୍କ ପାଖକୁ । ଭୃଗୁଙ୍କୁ ଦେଖି ଶିବ ଖୁସି ହେଲେ ଏବଂ ଆଦରରେ ତାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟତ ହେଲେ । ମାତ୍ର ଭୃଗୁ ତାଙ୍କୁ ବାରଣ କଲେ । କହିଲେ, ମୋତେ ସ୍ପର୍ଶ କର ନାହିଁ । ତାହା ଶୁଣି ଶିବ ଖୁବ୍ ରାଗିଗଲେ । ଶିବଙ୍କର ରାଗ ଓ ଅସହିଷ୍ଣୁ ଭାବ ଦେଖି ଭୃଗୁ କାଳବିଳମ୍ବ ନକରି ସେଠାରୁ ଚାଲିଆସିଲେ।
ସେଠାରୁ ଭୃଗୁ ଆସିଲେ ବୈକୁଣ୍ଠପୁରକୁ । ସେତେବେଳକୁ ବିଷ୍ଣୁ ନିଦରେ ଶୋଇ ପଡ଼ିଥିଲେ। ଭୃଗୁ ଭାବିଲେ, ସୃ୍ଷ୍ଟିର ପାଳନ ଯେଉଁ ବିଷ୍ଣୁଙ୍କର କାର୍ଯ୍ୟ, ସେ ଯଦି ଏପରି ବେଳ, ଅବେଳରେ ନିଦରେ ଶୋଇପଡ଼ନ୍ତି, ତା’ହେଲେ ସୃଷ୍ଟିର ଅବସ୍ଥା କ’ଣ ହେବ? ତେଣୁ ଭୃଗୁ ରାଗିଯାଇ ବିଷ୍ଣୁଙ୍କୁ ଗୋଇଠାଟିଏ ପକାଇଲେ । ସେହି ଗୋଇଠା ବିଷ୍ଣୁଙ୍କର ଛାତିରେ ବାଜିଲା । ବିଷ୍ଣୁଙ୍କର ନିଦ ଭାଙ୍ଗିଗଲା । ନିଦ ଭାଙ୍ଗିବା ପରେ ସେ ପ୍ରକୃତ କଥା ବୁଝି ଖୁବ୍ ଲଜ୍ଜିତ ହେଲେ । ସେ ବୁଝିପାରିଲେ ଯେ ଭୃଗୁ ଗୋଇଠା ମାରି ହେଉ ପଛେ, ତାଙ୍କୁ ତାଙ୍କର ଦୋଷ ଦର୍ଶାଇ ଦେଇଛନ୍ତି । ତେଣୁ ଗୋଇଠା ମାରିଥିବାରୁ ଭୃଗୁଙ୍କ ଉପରେ ସେ ବିରକ୍ତ ହେଲେ ନାହିଁ । କହିଲେ, ମୋର ଭୁଲ୍ ମତେ ଦର୍ଶାଇ ଦେଇଥିବାରୁ ମୁଁ ଆପଣଙ୍କ ପ୍ରତି କୃତଜ୍ଞ । ମୁଁ ମୋର ଭୁଲ୍ ନିମନ୍ତେ ଅନୁତପ୍ତ । ମୋର ଏହି ଭୁଲ୍ କାମଟିକୁ ମୁଁ ସବୁଦିନେ ମନେ ରଖିବି । କାଳେ କେବେ ଭୁଲିଯିବି, ସେଥିପାଇଁ ଆପଣଙ୍କର ପାଦ
ପୁରାଣମାନଙ୍କରେ ବିଷ୍ଣୁଙ୍କର ବିଭିନ୍ନ ନାମର ଉଲ୍ଲେଖ ଅଛି । ପଦ୍ମପୁରାଣର ଉତ୍ତରଖଣ୍ଡ ଓ ମହାଭାରତ ଅନୁଶାସନ ପର୍ବରେ ବିଷ୍ଣୁଙ୍କର ସହସ୍ର ନାମର ଉଲ୍ଲେଖ ଅଛି । ତେବେ ସଂସ୍କୃତ ଅଭିଧାନ ‘ଅମରକୋଷ’ରେ ବିଷ୍ଣୁଙ୍କର ମୁଖ୍ୟ କେତୋଟି ନାମର ଉଲ୍ଲେଖ ମିଳେ । ସେହି ନାମଗୁଡ଼ିକ ହେଉଛି, ବିଷ୍ଣୁ, ନାରାୟଣ, କୃଷ୍ଣ, ବୈକୁଣ୍ଠ, ବିଷ୍ଟରଶ୍ରବା, ଦାମୋଦର, ହୃଷୀକେଶ, କେଶବ, ମାଧବ, ସ୍ୱଭୂ, ଦୈତ୍ୟାରି, ପୁଣ୍ଡରୀକାକ୍ଷ, ଗୋବିନ୍ଦ, ଗରୁଡ଼ଧ୍ୱଜ, ପୀତାମ୍ବର, ଅଚ୍ୟୁତ, ଶାର୍ଙ୍ଗୀ , ବିଷ୍ୱକ୍ସେନ, ଜନାର୍ଦ୍ଧନ, ଉପେନ୍ଦ୍ର, ଇନ୍ଦ୍ରାବରଜ, ଚକ୍ରପାଣି, ଚତୁର୍ଭୁଜ, ପଦ୍ମନାଭ, ମଧୁରିପୁ, ବାସୁଦେବ, ତ୍ରିବିକମ, ଦେବକୀନନ୍ଦନ, ସୌରୀ, ଶ୍ରୀପତି, ପୁରୁଷୋତ୍ତମ, ବନମାଳି, ବଳିଧ୍ୱଂସୀ, କଂସାରାତି, ଅଧୋକ୍ଷଜ, ବିଶ୍ୱମ୍ଭର, କୈଟଭଜିତ୍, ବିଧୂ, ଶ୍ରୀବତ୍ସଲାଞ୍ଛନ, ପୁରାଣପୁରୁଷ, ଯଜ୍ଞପୁରୁଷ, ନରକାନ୍ତକ, ଜଳଶାୟୀ, ବିଶ୍ୱରୂପ, ମୁରମର୍ଦ୍ଦନ ଓ ମୁକୁନ୍ଦ । ବିଷ୍ଣୁଙ୍କର ଏହି ବିଭିନ୍ନ ନାମର ନିର୍ଦ୍ଧିଷ୍ଟ ଅର୍ଥ ଓ ବିଶେଷତ୍ୱ ରହିଛି । ତାଙ୍କର ସେସବୁ ନାମ କାହିଁକି ହୋଇଛି ତା' ପଛରେ ମଧ୍ୟ ସ୍ୱତନ୍ତ୍ର ଅର୍ଥ ଓ କାହାଣୀ ରହିଛି ।
ମସ୍ତକରେ କିରୀଟ, କର୍ଣ୍ଣରେ ମକର କୁଣ୍ଡଳ, ବାହୁରେ କେୟୂର, ମଣିବନ୍ଧରେ ରତ୍ନ ଖଚିତ କଙ୍କଣ, ଗ୍ରୀବାରେ ପଦ୍ମରାଗ ମାଣିକ୍ୟ ଓ କୌସ୍ତୁଭ, ଶରୀରରେ କୋମଳ ପୀତାମ୍ବର ଓ ପୀତ ଉତ୍ତରୀୟ, ଚରଣରେ ସୁବର୍ଣ୍ଣ ମଣିଜଡ଼ିତ ନୂପୁର ଧାରଣ କରିଥିବା ଏହି ଭଗବାନ ବିଷ୍ଣୁ କେବଳ ମାନବମାନଙ୍କର ନୁହନ୍ତି, ତ୍ରିଲୋକରେ ସମସ୍ତଙ୍କର ପୂଜା ଓ ଭକ୍ତି ପାଇଥାଆନ୍ତି । କାରଣ ସେ ହିଁ ସୃଷ୍ଟିରେ ସମସ୍ତଙ୍କର ପାଳନକର୍ତ୍ତା ।
ଏଣୁ ପରାତ୍ପର ଭଗବାନ ବିଷ୍ଣୁଙ୍କ ସମ୍ପର୍କରେ ନୃସିଂହ ପୁରାଣରେ କୁହାଯାଇଛି-
ଯସ୍ତଂ ବିଶ୍ୱମନାଦ୍ୟନ୍ତ- ମାଦ୍ୟଂସ୍ୱାତ୍ମନି ସଂସ୍ଥିତମ୍
ସର୍ବଜ୍ଞଂ ମଙ୍ଗଳଂ ବିଷ୍ଣୁଂ ସଦାଧ୍ୟାୟମ୍ ବିମୁଚ୍ୟତେ ।
ଅର୍ଥାତ୍, ଯେ ସର୍ବଦା ସେହି ବିଶ୍ୱରୂପ, ଆଦିଅନ୍ତରହିତ, ସମସ୍ତଙ୍କର ଆଦିକାରଣ, ସ୍ୱରୂପନିଷ୍ଠ, ଅମଳ ଓ ସର୍ବଜ୍ଞ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତି, ସେ ମୁକ୍ତିଲାଭ କରନ୍ତି ।
![]() |
![]() |
![]() |
![]() |
![]() |
![]() |
![]() |