ଆମ ଦେହ/କଙ୍କାଳ

ଉଇକିପାଠାଗାର‌ରୁ
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
କଙ୍କାଳ


କଙ୍କାଳ
( Skeleton )

ଦେହର ଛାଞ୍ଚକୁ କଙ୍କାଳ କହନ୍ତି । ଏହା ୨୦୬ ଖଣ୍ଡି ହାଡ଼ରେ ଗଢ଼ା । ଏହା ଖଣ୍ଡେ ହାଡ଼ରେ ଗଢ଼ା ହୋଇଥିଲେ ଆମେ ଚାଲବୁଲ କରି ପାରନ୍ତୁ ନାହିଁ, ହାତ ଗୋଡ଼ ବଙ୍କେଇ ପାରନ୍ତୁ ନାହିଁ କିମ୍ବା କୌଣସି ଜିନିଷ ଧରି ପାରନ୍ତୁ ନାହିଁ । ଏଥିରେ ଏତେଗୁଡ଼ିଏ ହାଡ଼ ଥିବାରୁ ଏବଂ ତାହା ସବୁ ଭିନ୍ନ ଭିନ୍ନ ଆକାର ଓ ପ୍ରକାରର ହୋଇଥିବାରୁ ଆମେ ଆମ ସୁବିଧା ଅନୁସାରେ ହାତ, ଗୋଡ଼, ଦେହ ବଙ୍କେଇ ଯାହା ଇଚ୍ଛା ତାହା କରି ପାରୁଥାଇଁ । ଦେହ ଭିତରର ସୂକ୍ଷ୍ମ ସୂକ୍ଷ୍ମ ଯନ୍ତ୍ର ଉପରେ ମଧ୍ୟ କୌଣସି ଆଘାତ ଲାଗି ପାରୁ ନାହିଁ ।

ଘରର କବାଟରେ କବଜା ଲଗିଥିବାରୁ ତାହା ମେଲା ହୋଇ ପାରେ କିମ୍ବା ବନ୍ଦ ହୋଇ ପାରେ; ଅଥଚ ଦୁଆର ବନ୍ଧରୁ ଖସିପଡ଼େ ନାହିଁ । ସେହିପରି ଆମ ଦେହର ହାଡ଼ସବୁ ଖଣ୍ଡକୁ ଖଣ୍ଡ ଯୋଡ଼ା ହୋଇଅଛି ଏବଂ ଖଣ୍ଡକ ସଙ୍ଗେ ଆରଖଣ୍ଡ -ଏପରି ବନ୍ଧା ହୋଇଅଛି ଯେ ତାହା ଖସିପଡ଼ୁ ନାହିଁ । ଏହି ଯୋଡ଼ା ଜାଗାକୁ ଗଣ୍ଠି ବା ସନ୍ଧି (Joints) କହନ୍ତି । ଆଉ ଯେଉଁଥିରେ ହାଡ଼ସବୁ ବନ୍ଧା ହୋଇଥାଏ ତାକୁ ବନ୍ଧନୀ (Ligaments) କହନ୍ତି । ଏହି ବନ୍ଧନୀସବୁ ଦଉଡ଼ି ପରି ଭାରି ଟାଣ ।

ଏହି ସବୁ ଯୋଡ଼ା ଜାଗା ଏପରି ଭାବରେ ଗଢ଼ା ଯେ, ଯେଉଁଠାରେ ଯେତିକି ଭାଙ୍ଗିଲେ ସୁବିଧା ହେବ, ସେଠାରେ
ସନ୍ଧି ଓ ବନ୍ଧନୀର ଚିତ୍ର
(ହାଡ଼ ସଙ୍ଗେ ହାଡ଼ ବନ୍ଧନୀଦ୍ୱାରା ବନ୍ଧା ହୋଇଅଛି)

ସେତିକି ଭାଙ୍ଗି ପାରେ : ଏ ହେତୁରୁ କେଉଁଟା କବାଟର କବଜା ପରି, କେଉଁଟା ଝରକାର ଝିଲ୍‌ମିଲ୍ ପରି, ପୁଣି କେଉଁଟା ଘଣାର ମୁଷଳ ପରି ହୋଇଅଛି । ହାତ ଖୁଆ ପାଖରେ ଆଗ ପଛ, ତଳ ଉପର, ଏପାଖ ସେପାଖ ସବୁ ଆଡ଼କୁ ବଙ୍କେଇ ପାରେ, ତେଣୁ ସେଠାର ଯୋଡ଼ାଟା ଘଣାର ମୁଷଳ ପରି, କିନ୍ତୁ କ‌ହୁଣି କମ୍ବା ଆଙ୍ଗୁଠି ପବ ପଛକୁ ବଙ୍କେଇ ହୁଏ ନାହିଁ, ତେଣୁ ସେ ସବୁ ଜାଗାର ଜୋଡ଼ା କବଜା ପରି । ଏହା ଛଡ଼ା ଖଣ୍ଡ ଖଣ୍ଡ ରେଳଗାଡ଼ିଡ଼ବା ଯୋଡ଼ି ହେଲା ପରି ଯୋଡ଼ା ଜାଗା ବି ଆମ ଦେହରେ ଅଛି । ଏଥିରେ ହାଡ଼ ଏକାବେଳକେ ଭାଙ୍ଗି ନ ଯାଇ ଯେତିକି ଦରକାର ସେତିକି ମୋଡ଼ି ହୋଇ ପାରେ । ମେରୁଦଣ୍ତ (Vertebral Column) ର ହାଡ଼ସବୁ ଏହିପରି ଯୋଡ଼ା ହୋଇଥିବାରୁ ଆମେ ନଇଁ ପାରୁଁ । ଯେଉଁଠାରେ ନଇଁବା କିମ୍ବା ଭାଙ୍ଗିବା ଦରକାର ନାହିଁ, ସେଠାର ଯୋଡ଼ା ଖାପ ଖାଇ ରହିଥାଏ । ମଶାଣିପଦାରେ ମଲା ମଣିଷ ଖପୁରି ତ ଦେଖିଛ, ସେଥିରେ ଷଠୀ ମାଆ ଯେଉଁ ଅଢ଼େଇ ଧାଡି ଲେଖିଛନ୍ତି ବୋଲି ଲୋକେ କ‌ହନ୍ତି, ତାହା ପ୍ରକୃତରେ ଷଠୀ ମାଆଙ୍କର ଲେଖା ନୁହେ, ହାଡ଼କୁ ହାଡ଼ ଖାପ ଖାଇ ଯୋଡ଼ା ହୋଇଥିବାରୁ ତାହା ଲେଖାପରି ଦେଖାଯାଏ । ଏହି ସନ୍ଧିମାନଙ୍କ ମଧ୍ୟରୁ ଅନେକ ସନ୍ଧି ସଦାବେଳେ ଚଳ ବିଚଳ ହୁଅନ୍ତି । ଚକ ଭଲଭାବରେ ଗଡ଼ିବା ପାଇଁ ଏବଂ ଅଖ ଘୋରି ନ ହେବା ପାଇଁ ଅଖରେ ଯେପରି ତେଲ ଦିଆଯାଏ, ସେହିପରି ଏହିସବୁ ଚଳନ୍ତି ସନ୍ଧିମାନଙ୍କରେ ଆପେ ଆପେ ତେଲ ଲାଗିବାର ବନ୍ଦୋବସ୍ତ ଅଛି । ଗଣ୍ଠି ଜାଗାରେ ଗୋଟିଏ ଗୋଟିଏ ଛୋଟ ଥଳି ଅଛି । ତା ଭିତରେ ଏକପ୍ରକାର ତେଲିଆ ଜିନିଷ ଥାଏ । ତାହା ଗଣ୍ଠିରେ ଲାଗେ ।

ହାଡ଼ ଭାରି ଜିନିଷ, ସହଜରେ ଭାଙ୍ଗେ ନାହିଁ । ପଡ଼ିଆରେ ପଡ଼ିଥିବା ହାଡ଼ ଦେଖି ମନେ ହୁଏ ଯେ, ତାହା ସଙ୍ଗେ ମାଂସର କିଛି ସମ୍ପର୍କ ନାହିଁ; କିନ୍ତୁ ପ୍ରକୃତରେ ତାହା ନୁହେଁ । ଦେହ ବଢ଼ିବା ସଙ୍ଗେ ସଙ୍ଗେ ଏହା ବଢ଼େ । ଏଥି ଭିତରକୁ ରକ୍ତ ଯିବା ଆସିବା କରେ । ସେହି ରକ୍ତରୁ ସାର ନେଇ ହାଡ଼ ବଡ଼େ । ପିଲାଦିନ ହାଡ଼ ବଢ଼ିବା ବେଳ ।

ପିଲାଦିନେ ହାଡ଼ସକୁ ଅପେକ୍ଷାକୃତ ନରମ ଥାଏ, କିନ୍ତୁ ବଡ଼ ହେବା ସଙ୍ଗେ ସଙ୍ଗେ ତାହା ଟାଣ ହୁଏ; ଏ ହେତୁରୁ ପିଲାଏ ଥରକୁ ଥର ପଡ଼ିଗଲେ ସୁଦ୍ଧା ହାଡ଼ ସହଜରେ ଭାଙ୍ଗେ ନାହିଁ, କିନ୍ତୁ ବଡ଼ଦିନେ ଏହା ସହଜରେ ଭାଙ୍ଗିଯାଏ । ପିଲାଦିନେ ହାଡ଼ ନରମ ଥିବାରୁ ତାକୁ ଯେପରି ଆକାର ଦିଆଯାଏ, ତାହା ପରେ ସେହିପରି ହୁଏ । ଲୋକେ ଯେ କୁଜା ହୋଇଯାନ୍ତି ତାର କାରଣ ହେଉଛି ସେମାନଙ୍କର ପିଲାଦିନେ ବରାବର କୁଜା ହୋଇ ବସିବାର ବଦଖୋଇ ଥାଏ । ଏହି ହେତୁରୁ କେବେ ହେଲେ କୁଜା ହୋଇ ବସିବ ନାହିଁ । ବେଞ୍ଚରେ ହେଉ କିମ୍ବା ତଳେ ହେଉ, ସିଧା ସଳଖ ହୋଇ ବସିବ । ପିଲାମାନେ ନିଜେ ନିଜେ ଚାଲି ପାରିବା ଆଗରୁ ଆମ ଦେଶର ମାଆମାନେ ‘ଚାଲି’ ‘ଚାଲି’ କହି ଚାଲିବା ଶିଖାନ୍ତି । ଏହା ଉଚିତ ନୁହେ । ପିଲାର ହାଡ଼ ଭାରି ନରମ ଥାଏ, ତେଣୁ ସେ ନିଜେ ନିଜେ ଚାଲି ପାରିବା ଭଳି ହେବା ଆଗରୁ ତାକୁ ଚାଲି ଶିଖାଇଲେ ତା ଦେହର ଭାର ଗୋଡ଼ ଉପରେ ପଡ଼ି ଗୋଡ଼ ହାଡ଼କୁ ବଙ୍କା କରିଦିଏ । ପିଲାମାନଙ୍କୁ ମଧ୍ୟ ସଦାବେଳେ ଯୋତା ପିନ୍ଧାଇବା ଉଚିତ ନୁହେ । ଏଥିରେ ଗୋଡ଼ ହାଡ଼ ବଢ଼ି ପାରେ ନାହିଁ । ସେମାନଙ୍କ ପୋଷାକ ମଧ୍ୟ ଢ଼ିଲା ହେବା ଉଚିତ ।

ଦେହରେ ଅନେକ ଆକୃତିର ହାଡ଼ ଅଛି; କିଏ ଲମ୍ବା, କିଏ ଚେପ୍ଟା, କିଏ ପଟାପରି, କିଏ ସମ, କିଏ ଅସମ ଇତ୍ୟାଦି । ହାଡ଼ ଉପରୁ ଦେଖିବାକୁ ବେଶ୍ ଚିକ୍କଣ ଦେଖାଯାଏ, କିନ୍ତୁ ଏହାରଭିତର ସେପରି ନୁହେ । ଲମ୍ବା ହାଡ଼ ଭିତରଟା ପୋଲା । ପଟାପରି ହାଡ଼ର

ମୁଣ୍ଡର ଚିତ୍ର
ଭିତର ଦେଖିବାକୁ ସ୍ପଞ୍ଜ ପରି ଫୋଡ଼ ଫୋଡ଼ । ଏହି ଫମ୍ପା ଜାଗାରେ ଏକପ୍ରକାର ଶସ ଥାଏ, ତାକୁ ମଜ୍ଜା ( Marrow ) କହନ୍ତି ।

ବୁଝାଇବାକୁ ସୁବିଧା ହେବ ବୋଲି ପଣ୍ତିତମାନେ କଙ୍କାଳକୁ ଚାରି ଭାଗରେ ଭାଗ କରିଅଛନ୍ତି । ଯଥା ମୁଣ୍ତ, ଗଣ୍ଡି, ହାତ, ଗୋଡ଼ ।

ମୁଣ୍ଡ—ମୁଣ୍ଡ ପୁଣି ଦୁଇ ଭାଗରେ ବିଭକ୍ତ; ଯଥା-କରୋଟି ଓ ମୁଖମଣ୍ଡଳ ।

କରୋଟି—ମୁଣ୍ଡର ଉପର ଓ ପଛଭାଗକୁ କରୋଟି କ‌ହନ୍ତି । ଏହା ଠିକ୍ ଗୋଟିଏ ବାକ୍ସପରି । ପନ୍ଦର ଖଣ୍ଡ ହାଡ଼ରେ ଏହା ଗଢ଼ା ହୋଇଅଛି । ଫମ୍ପା ହେଲେ କଣ ହେବ, ଏହା ଭାରି ଟାଣ । ଏହା ଭିତରେ ମସ୍ତିଷ୍କ (Brain) ଥାଏ । ଏହି ମସ୍ତିଷ୍କ ହେଲା ଦେହ ଭିତରେ ସାର ଜିନିଷ; ତେଣୁ ଏହାକୁ ରକ୍ଷା କରିବା ପାଇଁ ଏଡ଼େ ଟାଣ ହାଡ଼ର ବାକ୍‌ସ ଦରକାର ହୋଇଅଛି । ଆଖ୍ ଓ କାନ ଆଦି ରହିବା ପାଇଁ କରୋଟିରେ ଖୋପସବୁ ରହିଅଛି ।

ମୁଖମଣ୍ଡଳ—ମୁଣ୍ଡର ତଳ ଓ ଆଗ ଅଂଶକୁ ମୁଖମଣ୍ଡଳ କହନ୍ତି । ଏହା ୭ ଖଣ୍ଡି ହାଡ଼ରେ ଗଢ଼ା । ଏଥିରେ ପାଟି ଓ କାନ ରହିଛି ।

ଗଣ୍ଡି—ଦେହଘରର ତଳତାଲା, ମଝିତାଲା ଓ ବେକ ଏ ତିନିଙ୍କୁ ଏକତ୍ର ଗଣ୍ଡି କହନ୍ତି । ଗଣ୍ତିର ତଳୁ ଗୋଡ଼ ଓ ଉପର ପାଖ ଦୁଇ କଡ଼ରୁ ହାତ ବାହାରଅଛି । ମୁଣ୍ଡ ଓ ଗଣ୍ତି ମଝିରେ ବେକ ।

ମେରୁଦଣ୍ଡ—(Vertebral Column) ମଝି ପିଠିରେ ହାତ ଦେଲେ ଯେଉଁ ହାଡ଼ ଜଣାଯାଏ, ତାକୁ ମେରୁଦଣ୍ଡ କହନ୍ତି । ଏହା ହେଲା ଗଣ୍ତିର ପ୍ରଧାନ ଅବଲମ୍ବନ । ଏହା ମୁଣ୍ଡଠାରୁ ପିଚାଯାଏ ଲମ୍ବିଛି । ଏହା ଖଣ୍ଡେ ହାଡ଼ ନୁହେ, ଏଥିରେ ୨୬ ଖଣ୍ଡ ଛୋଟ ଛୋଟ ହାଡ଼ ଗୁନ୍ଥା ହେଲା ପରି ରହିଅଛି । ଏହି ଛୋଟ ଛୋଟ ହାଡ଼ଖଣ୍ଡକୁ କଶେରୁକା ବା ମେରୁହାଡ଼ (Vertebra) କହନ୍ତି । କଶେରୁକାଗୁଡ଼ିକ ଦେଖିବାକୁ ମୁଦି ପରି; ତେଣୁ, ଯେତେବେଳେ ସମସ୍ତ କଶେରୁକା ଏକାଠି ଗୁନ୍ଥା ହୋଇଥାନ୍ତି, ସେତେବେଳେ ମେରୁଦଣ୍ଡର ମଝି ଭିତରଟା ନଳ ପରି ଦେଖାଯାଏ । ଏହି ନଳ ଭିତରେ ସୁସୁମ୍ନା-କାଣ୍ଡ (Spinal cord) ରହିଥାଏ । ମେରୁଦଣ୍ଡ ଠିକ୍ ସଳଖ ନୁହେ । ଏହା ଆରକୁ ପଛକୁ ବଙ୍କାଇ ଏପରି ଭାବରେ ରହିଥାଏ ଯେ, ଗଣ୍ଡିର ଭାରକେଦ୍ର ଠିକ୍ ରହେ । ଏହାର ଆକୃତି କିପରି, ତାହା ଚିତ୍ରରୁ ଜଣାଯିବ ।

ସ୍ଥାନ ଅନୁସାରେ ମେରୁଦଣ୍ଡ ୫ ଭାଗରେ ବିଭକ୍ତ; ଯଥା—ଗ୍ରୀବା ବା ବେକ (Cervical Vertebra), ପୃଷ୍ଠ (Thoracic Vertebra), ଉଦର (Lumbar Vertebra), ତ୍ରିକ (Sacrum) ଏବଂ ଅନୁତ୍ରିକ (Coccyx) । ଗ୍ରୀବାରେ ୭ ଖଣ୍ଡ,ପୃଷ୍ଠରେ ୧୨ ଖଣ୍ଡ, ଉଦରରେ ୫ ଖଣ୍ଡ, ତ୍ରିକରେ ଏକଖଣ୍ଡ ଓ ଅନୁତ୍ରିକରେ ଏକଖଣ୍ଡ ଲେଖାଏଁ ହାଡ଼ ଅଛି ।

ଗଣ୍ଡି ତିନି ଭାଗରେ ବିଭକ୍ତ । ଯଥା—ବେକ, ବକ୍ଷ ଓ ଉଦର । ବକ୍ଷ ହେଲା ଦେହଘରର ମଝିତାଲା ଓ ଉଦର ତଳତାଲା । ଏ ଦୁହିଙ୍କ ମଝିରେ ଗୋଟିଏ ମାଂସଳ ପର୍ଦା ଅଛି । ଏହାକୁ ମଧ୍ୟଚ୍ଛଦା ପେଶୀ (Diaphragm) କହନ୍ତି ।

ଗ୍ରୀବା ବା ବେକ—ଦେହର ଏହି ଅଂଶରେ ମେରୁଦଣ୍ଡର ୭ ଖଣ୍ଡ କଶେରୁକା ଅଛି । ଏହା ମୁଣ୍ତ ଓ ଗଣ୍ଡିକୁ ଯୋଗ କରିଅଛି । ଏହା ଖୁବ୍ ସରୁ ହେଲେ କଣ ହେବ, ଏହାରି ଭିତରେ ମୁଣ୍ଡକୁ ଯାଇଥିବା ଧମନୀ ଓ ଶିରାତକ ଓ ସେଠାରୁ ଆସିଥିବା ନାଡ଼ୀତକ ରହିଅଛି । ଏ ହେତୁରୁ ବେକରୁ ହାଣିଦେଲେ ସଙ୍ଗେ ସଙ୍ଗେ ମୃତ୍ୟୁ ଘଟେ ।

ବକ୍ଷ:— ଏହାର ପଛକୁ ପିଠି ବା ପୃଷ୍ଠ କହନ୍ତି ଏବଂ ମେରୁଦଣ୍ଡରେ ଥିବା ପୃଷ୍ଠ ଅଂଶର ୧୨ ଖଣ୍ଡଯାକ କଶେରୁକା ଏଠାରେ ଅଛି । ପ୍ରତି କଶେରୁକା ସଙ୍ଗେ ଦୁଇ ପାଖକୁ ଦୁଇଖଣ୍ଡ କରି ପଞ୍ଜରାହାଡ଼ ଲାଗିଛି । ଏହିପରି ୧୨ ଯୋଡ଼ା ପଞ୍ଜରାହାଡ଼ ଆମ ବକ୍ଷଦେଶରେ ଅଛି । ଛାତି କଡ଼ରେ ହାତ ଦେଲେ ଜାଗାଏ ଜାଗାଏ ଯାହା ଟାଣ ଲାଗେ, ସେହି ହେଲା ପଞ୍ଜରାହାଡ଼ । ପଞ୍ଜରାହାଡ଼ ଭିତରୁ ଉପର ୧୦ ଯୋଡ଼ା ଛାତିର ଆଗପଟେ ଥିବା ଛାତିପଟା (Sternum) ବା ବକ୍ଷାସ୍ଥି ସହିତ ଲାଗିଅଛି । ବାକି ଦୁଇଯୋଡ଼ା ସେହିପରି ଝୁଲି ପଡ଼ିଛି । ଏହିପରି ଭାବରେ ଆମ ବକ୍ଷଟି ଗଢ଼ା ହୋଇଥିବାରୁ ତାହା ଗୋଟିଏ ସିନ୍ଧୁକ ପରି ହୋଇଅଛି । ଏହି ହେତୁରୁ ବକ୍ଷକୁ ଇଂରାଜୀରେ Chest ବା ସିନ୍ଧୁକ କହନ୍ତି । ଏହି ସିନ୍ଧୁକର ଆଗପଟେ ବକ୍ଷାସ୍ଥି, କଡ଼ପଟେ ପଞ୍ଜରା, ପଛରେ ପୃଷ୍ଠଦେଶର କଶେରୁକା ଏବଂ ତଳେ ମଧ୍ୟଚ୍ଛଦା ପେଶୀ ଏପରି ଭାବରେ ରହିଅଛି ଯେ, ଆମେ ନିଶ୍ୱାସ ନେଲାବେଳେ ଛାତି ଫୁଲି ଉଠେ, ତେଣୁ ତା ଭିତରେ ବେଶି ପବନ ଧରେ, ପୁଣି ନିଶ୍ୱାସ ଛାଡ଼ିଲାବେଳେ ଛାତି ଛୋଟ ହୋଇଯାଏ ।

ଉଦର:— ଏହା ହେଲା ଦେହର ତଳତାଲା । ଏହା ଦୁଇ ଭାଗରେ ବିଭକ୍ତ – ପେଟ ଓ ତଳି ପେଟ । ତଳି ପେଟକୁ ବସ୍ତି (Pelvis) କହନ୍ତି ।

ପେଟ:— ଏହାର ଆଗ ପଟେ କିମ୍ବା କଡ଼ ପଟ କୌଣସି ହାଡ଼ ନାହିଁ, କେବଳ ପଛରେ ମେରୁଦଣ୍ଡର ୫ଖଣ୍ଡ କଶେରୁକା ଅଛି । ପେଟ ହେଲା ଆମର ରୋଷାଇଘର ଓ ସରଘର । ଏଥିରେ

ସ୍ତ୍ରୀଲୋକର ବସ୍ତିଦେଶ ଯଦି କରତଦ୍ୱାରା ମଝିରୁ ଲମ୍ବମାର୍ଗରେ ଦୁଇଭାଗ କରି ଦିଆଯିବ, ତେବେ ତାହା ଏହିପରି ଦେଖାଯିବ ।

୧। ଜରାୟୁ ଓ ମଳକୋଷ୍ଠ ମଧ୍ୟବର୍ତ୍ତୀ ସ୍ଥାନ । ୨। ମଳଦ୍ୱାର । ୩। ଜରାୟୁଗ୍ରୀବା ଆଗର ଥିବା ରନ୍ଧ୍ର । ୪। ତ୍ରିବାସ୍ଥି (Sacrum) । ୫। ଅନୁତ୍ରିକାସ୍ଥି (Coccyx) । ୬। ଜରାୟୁ ଓ ମୂତ୍ରାଶୟ ମଧ୍ୟବର୍ତ୍ତୀ ସ୍ଥାନ । ୭। ମୂତ୍ରନଳୀ ।
ବକ୍ଷାସ୍ଥି ଓ ପଞ୍ଜରାସ୍ଥିର ସମ୍ମୁଖ ଅଂଶ କାଟିଦେଲେ ବକ୍ଷ ଓ ଉଦରର ଭିତର ଏହିପରି ଦେଖାଯାଏ
୧। ପଞ୍ଜରାସ୍ଥିର ସମ୍ମୁଖ ଅଂଶ କଟା ହୋଇଅଛି; ଏହା ତ‌ହିଁର ଅବଶିଷ୍ଟାଂଶ ।

୨। ନିର୍ଜାମାସ୍ଥି ।

୩। ମଧ୍ୟଛଦା ପେଶୀ (Diaphragam) । ଏହା ବକ୍ଷ ଓ ଉଦର ମଧ୍ୟରେ ରହିଅଛି ।

୪। ପାକସ୍ଥଳୀ (Stomach).

୫। ଯକୃତ ବା କାଳିଞ୍ଜ(Liver)

୬। ଉଦର ଓ ଯକୃତ ତଳେ ଥିବା (୬) ଭୁଲକ୍ରମେ (୭) ହୋଇ ଯାଇଅଛି । ଏହା ପ୍ରକୃତରେ ୬ ହେବ । ଏହା ହେଲା ଅଗ୍ନ୍ୟାଶୟ ।

୭। ଫୁସ୍‌ଫୁସ୍(Lungs).

୮। ହୃଦ୍‌ଯନ୍ତ୍ର (Heart)

୯। ବୃହଦନ୍ତ୍ର (Large Intestine)

୧୦। କ୍ଷୁଦ୍ରାନ୍ତ୍ର (Small Intestine)

୧୧। ମଳକୋଷ (Rectum) ଥିବା ପାକସ୍ଥଳୀ ଓ ଅନ୍ତ୍ରଦ୍ୱାରା ଖାଦ୍ୟ ଜୀର୍ଣ୍ଣ ହୁଏ । ଜୀର୍ଣ୍ଣ ହେବା ପାଇଁ ଯେଉଁ ସବୁ ପାଚକ ରସ ଲେଡ଼ା, ତାହା ତିଆରି ହେବା ପାଇଁ ଯକୃତ୍ ବା କାଳିଞ୍ଜ (Liver), ଅଗ୍ନ୍ୟାଶୟ (Pancreas) ଆଦି କେତେଗୁଡ଼ିଏ ଯନ୍ତ୍ର ଏଠାରେ ଅଛି । ଯକୃତ ଏକ ପ୍ରକାର ସରଘର । ତାହା କଥା ପରେ କୁହାଯିବ । ମୂତ ତିଆରି ହେବା ପାଇଁ ଦୁଇ ପାଖରେ ଦୁଇଟି ବୃକ୍ନ (Kidney) ଅଛି ।

ତଳିପେଟ ବା ବସ୍ତିଦେଶ :- ଦେହର ନର୍ଦ୍ଦମା ଏହିଠାରେ ଅଛି । ଏହିଠାରେ ମୂତ ଓ ଗୁହ ତିଆରି ହୋଇ ବାହାର କରି ଦିଆଯାଏ । ସ୍ତ୍ରୀମାନଙ୍କର ଜରାୟୁ (Uterus, ଯାହା, ଭିତରେ କି ଛୁଆ ହୁଏ) ଏହିଠାରେ ଥାଏ ।

ହାତ :- ଆମର ଦୁଇଟି ହାତ ଅଛି । ପ୍ରତି ହାତରେ ୨୬ ଖଣ୍ଡ ଲେଖାଏଁ ୫୨ ଖଣ୍ଡ ହାଡ଼ ଅଛି । ଏହା ତିନି ଭାଗରେ ବିଭକ୍ତ । କାନ୍ଧଠାରୁ କହୁଣି ପର୍ଯ୍ୟନ୍ତ ଅଂଶକୁ ବାହୁ, କ‌ହୁଣିଠାରୁ ମଣିବନ୍ଧ ପର୍ଯ୍ୟନ୍ତ ଅଂଶକୁ ଅଗ୍ରବାହୁ ବା ପ୍ରକୋଷ୍ଠ ଏବଂ ମଣିବନ୍ଧଠାରୁ ତଳକୁ କରପତ୍ର କ‌ହ‌ନ୍ତି । ଆମର ଯେଉଁ ଆଙ୍ଗୁଠି ପବ ଅଛି, ତାହା ଖଣ୍ଡିଏ ଖଣ୍ଡିଏ ଛୋଟ ହାଡ଼ । ଏହା ସବୁ ଏପରି ଭାବରେ ଖଞ୍ଜା ହୋଇଅଛି ଯେ, ଆମେ ମୁଠା କରି ପାରୁଁ ।

ଗୋଡ଼ :- ହାତପରି ଆମର ଦୁଇଟି ଗୋଡ଼ ଅଛି । ଏହା ମଧ୍ୟ ତିନି ଭାଗରେ ବିଭକ୍ତ । ପିଚାଠାରୁ ଆଣ୍ଠୁପର୍ଯ୍ୟନ୍ତ ଅଂଶକୁ ଊରୁ, ଆଣ୍ଠୁଠାରୁ ଗୋଇଠି ପର୍ଯ୍ୟନ୍ତ ଅଂଶକୁ ଜଙ୍ଘା ବା ନଳୀଗୋଡ଼ ଏବଂ ଗୋଲଠିଠାରୁ ତଳ ଅଂଶକୁ ପାଦ କହନ୍ତି । ଏଥିରେ ସମୁଦାୟ ୩୨ ଖଣ୍ଡ ଲେଖାଏଁ ୬୪ ଖଣ୍ଡ ହାଡ଼ ଅଛି । ଗୋଇଠି ତଲେ ଗୋଟାଏ ଚର୍ବି ଓ ମାଂସନିର୍ମିତ ପିଣ୍ଡୁଳା(Pad) ଅଛି । ଏହି ହେତୁରୁ ସୁବିଧାରେ ଚାଲି ହୁଏ ଏବଂ ଚାଲିଲା ବେଳେ କାଟେ ନାହିଁ । ଚାଲିବାପାଇଁ ମଧ୍ୟ ପାଦତଳର ଚମ ଖୁବ୍ ମୋଟା ହୋଇଅଛି ।