Jump to content

ଆମ ଦେହ/ମାଂସପେଶୀ ଓ ଚର୍ବି

ଉଇକିପାଠାଗାର‌ରୁ
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ମାଂସପେଶୀ ଓ ଚର୍ବି


ମାଂସପେଶୀ ଓ ଚର୍ବି
ମାଂସପେଶୀର ଚିତ୍ର
ହାଡ଼ ଉପରେ ମାଂସପେଶୀ ଥିବାରୁ ଦେହ ଏହିପରି ସୁନ୍ଦର ଓ ସୁଢ଼ଳ ଦେଖାଯାଏ

ଦେହର ଛାଞ୍ଚ କିପରି ଗଢ଼ା ହୋଇଛି ଏବଂ ତାହାର ପ୍ରତି ତାଲାରେ କି କି ଅଛି, ଏହା ମୋଟ ଉପରେ କୁହାଗଲା । ଚିତ୍ରକର ପିତୁଳା ଗଢ଼ିଲା ବେଳେ ଯେପରି ଛାଞ୍ଚ ଉପରେ ମାଟି ଛାଟି ତାକୁ ଗୋଟିଏ ଆକୃତି ଦିଏ, ସେହିପରି ଆମ ଛାଞ୍ଚ ଉପରେ ମାଂସ ଅଛି । ପିତୁଳା ଦେହରେ ବିଣ୍ଡା ବିଣ୍ତା ହୋଇ ମାଟି ଛଟା ଯାଇଥାଏ, କିନ୍ତୁ ଆମ ଦେହରେ ମାଂସ ବିଣ୍ଡା ବିଣ୍ଡା ଛଟା ନ ହୋଇ ଭିନ୍ନ ଭିନ୍ନ ଆକାର ଓ ପ୍ରକାରରେ ପରସ୍ତ ପରସ୍ତ ହୋଇ ଖଞ୍ଜା ହୋଇଛି । ଏହାଦ୍ୱାରା ଦେହର ଯେ ଖାଲି ଗୋଟାଏ ଆକୃତି ହୁଏ ତାହା ନୁହେ, ବହୁତ ବଡ଼ ବଡ଼ କାର୍ଯ୍ୟ ମଧ୍ୟ ସାଧିତ ହୁଏ । ଏହିପରି ଖଞ୍ଜା ହୋଇଥିବା ମାଂସକୁ ମାଂସପେଶୀ (Muscles) କହନ୍ତି । ଆମ ଦେହରେ ୪୦୦।୫୦୦ ପର୍ଯ୍ୟନ୍ତ ମାଂସପେଶୀ ଗଣାଯାଇ ପାରେ । ତାହା ଛଡ଼ା ଧମନୀ (Artery), ଅନ୍ତ (Intestines), ପାକସ୍ଥଳୀ ଆଦୀଋଏ ଯେଉଁ ମାଂସପେଶୀ ଅଛି, ତାହା ଗଣିବା ଅସମ୍ଭବ ।

ମାଂସପେଶୀ । ମାଂସପେଶୀର ଆକାର ଅନେକ ପ୍ରକାର । କିଏ ଦଉଡ଼ି ପରି ଲମ୍ବା, କିଏ ଚେପ୍ଟା, କିଏ ଗୋଲ, କିଏ ପତ୍ର ପରି, କିଏ ମୁଦି ପରି ଇତ୍ୟାଦି । ସାଧାରଣତଃ ମାଂସପେଶୀ ହାଡ଼ ସଙ୍ଗେ ଲାଗିଥାଏ । କିଏ ସେହପରି ଲାଗିଥାଏ, କିଏ ବା ଦଉଡ଼ିଭଳି ହୋଇ ଲାଗିଥାଏ । କେତେକ ମାଂସପେଶୀ ଗୋଟାଏ ପ୍ରାନ୍ତରେ ଖଣ୍ଡେ ହାଡ଼ ସଙ୍ଗେ ଲାଗି ଅନ୍ୟ ପ୍ରାନ୍ତରେ ଆଉ ଖଣ୍ଡେ ବା ଦୁଇଖଣ୍ଡ ହାଡ଼ ସଙ୍ଗେ ଲାଗିଥାନ୍ତି । ଅନେକ ମାଂସପେଶୀ ହାଡ଼ ଦେହରେ ନ ଲାଗି ଅନ୍ୟ ମାଂସପେଶୀ କିମ୍ବା ଚମ ଆଦିରେ ଲାଗିଥାନ୍ତି ।

ରନ୍ଧା ମାଂସ ଖଣ୍ଡେ ଟିପରେ ଦଳି ଦେଲେ ତାହା ସୂତାପରି କେରା କେରା ହୋଇଯାଏ । ଏଥିରୁ ଜଣାଯାଉଛି ଯେ, ମାଂସପେଶୀ ବିଣ୍ଡାଏ ମାଂସ ନୁହେଁ । ମାଂସର ସୂତା ପରି ଅସଂଖ୍ୟ ଖିଅ ଏକାଠି ମିଶି ମାଂସପେଶୀ ଗଢ଼ା ହୋଇଅଛି । ଏହି ଖିଅକୁ ପେଶୀସୂତ୍ର (Muscle-fibre) କ‌ହନ୍ତି । ଗୋଟିଏ ଗୋଟିଏ ଖିଅ ପେଶୀତନ୍ତୁର ଗୋଟିଏ ଗୋଟିଏ କୋଷ ।

ପେଶୀ ଭିତରକୁ ଧମନୀ ଯାଇ ଶେଷକୁ କୈଶିକାରେ (Capillary) ପରିଣତ ହୋଇଅଛି । ଏହି କୈଶିକା ପେଶୀସୂତ୍ରର ପାଖେ ପାଖେ ରହିଥାଏ, ଅଥଚ ତାହା ଭିତରକୁ ଯାଏ ନାହଁ । କୈଶିକା ଦେହରୁ ରକ୍ତର ଜଳୀୟ ଅଂଶ ଝରି ପେଶୀସୂତ୍ରକୁ ଖାଦ୍ୟ ଯୋଗାଏ । ଏହି ଖାଦ୍ୟ ପାଇ ତାହା ପୃଷ୍ଟ ହୁଏ ଓ ତ‌ହିଁରୁ ପ୍ରୟୋଜନାନୁସାରେ କାର୍ଯ୍ୟ କରିବା ପାଇଁ ବଳ ପାଏ । ମାଂସପେଶୀ ଭିତରକୁ ମଧ୍ୟ ନାଡ଼ୀ ଯାଇଅଛି । ନାଡ଼ୀ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ପ୍ରତ୍ୟେକ ପେଶୀସୂତ୍ରରେ ପହଞ୍ଚିଅଛି ।

ଆମେ ଯେତେ ଯାହା କରି ପାରୁଁ, ତାହା ଏହି ମାଂସପେଶୀର କାମ । ଦଉଡ଼ିବା, ଚାଲିବା, ଧରିବା ହାତ ଗୋଡ଼ ଉଠାଇବା, ଚୋବାଇବା, ହସିବା, ଖତେଇ ହେବା, କାଶିବା, ଛିଙ୍କିବା ଓ କହିବା ଆଦି ସବୁ ଏହି ମାଂସପେଶୀଦ୍ୱାରା ହୁଏ । ଏହା ଛଡ଼ା ଏହି ମାଂସପେଶୀ ଦ୍ୱାରା ହୃଦ୍‌ଯନ୍ତ୍ର ଚଳୁଛି, ଫୁସ୍‌ଫୁସ୍ କାମ କରୁଛି, ଖାଦ୍ୟ ଜୀର୍ଣ୍ଣ ହେଉଛି ଇତ୍ୟାଦି । କାର୍ଯ୍ୟ ଅନୁସାରେ ପେଶୀ ଦୁଇ ପ୍ରକାର । ହାତ ଉଠାଇବା, କଥା କହିବା ଇତ୍ୟାଦି ଯେତେ ଯେତେ କାମ ଅମେ ଜାଣି ଶୁଣି କରୁଁ, ସେଥିପାଇଁ ଯେଉଁ ଯେଉଁ ପେଶୀ ଦରକାର, ସେମାନଙ୍କୁ ଇଚ୍ଛାନୁଗ ବା ଐଚ୍ଛିକ (Voluntary Muscles) ପେଶୀ କହନ୍ତି । ଏମାନେ ଅମ ଇଛାନୁସାରେ କାମ କରନ୍ତି । ପ୍ରାୟ ସମସ୍ତ ଇଚ୍ଛାନୁଗ ପେଶୀ କୌଣସି ନା କୌଣସି ହାଡ଼ ସଙ୍ଗେ ଲାଗିଥିବାର ଦେଖାଯାଏ । ଏହି ପେଶୀ ଛଡ଼ା ଯେଉଁମାନେ ଅମେ ଇଚ୍ଛାରେ ଚଳନ୍ତି ନାହିଁ, ସେମାନଙ୍କୁ ସ୍ୱାଧିନ ପେଶୀ (Involuntary Muscles) କହନ୍ତି । ହୃଦଯନ୍ତ୍ର ଚଳିବା, ରକ୍ତ ଚଳିବା, ଖାଦ୍ୟ ଜୀର୍ଣ୍ଣ ହେବା ଆଦି ଆମ ଇଚ୍ଛାଧୀନ ନୁହେ । ଏଥିପାଇଁ ଯେଉଁ ଯେଉଁ ମାଂସପେଶୀ ଲୋଡ଼ା, ତାହା ସ୍ୱାଧୀନ ପେଶୀ ।

କୌଣସି ଗୋଟାଏ କାମ କରିବାକୁ ଇଚ୍ଛା ହେଲେ ମସ୍ତିଷ୍କ ନାଡ଼ୀଦ୍ୱାରା ଆଦେଶ ପଠାଏ ଏବଂ ସେହି ଆଦେଶ ଅନୁସାରେ ମାଂସପେଶୀ ସଙ୍କୁଚିତ କିମ୍ବା ପ୍ରସାରିତ ହୋଇ ନିର୍ଦ୍ଦିଷ୍ଟ କାମ କରେ । ମାଂସପେଶୀର ପ୍ରତ୍ୟେକ ପେଶୀସୂତ୍ର ସଙ୍କୁଚିତ ହେବାରୁ ସମସ୍ତ ପେଶୀ ସଙ୍କୁଚିତ ହୋଇଯାଏ । ଗୋଟାଏ କୌଣସି ଜିନିଷ, ଉଠାଇଲା
[ମାଂସପେଶୀ ସଙ୍କୁଚିତ ହେବାରୁ ହାତ କିପରି ବଙ୍କାଇ ହୁଏ ତାହା ଏହି ଚିତ୍ରରୁ ଜଣାଯାଏ]

ବେଳେ ହାତର ମାଂସପେଶୀ ସଙ୍କୁଚିତ ହୋଇ କିପରି ଟାଣ ଓ ମୋଟା ହୋଇଯାଏ ଏହା ସମସ୍ତେ ଦେଖିଅଛନ୍ତି । ଜିନିଷ ଉଠାଇବାରୁ ଯେ ମାଂସପେଶୀ ସଙ୍କୁଚିତ ହୁଏ, ଏହା ନୁହେ । ଏହା ଆଗ ସଙ୍କୁଚିତ ହେବାରୁ ପରେ ହାତ ଉଠେ ଏବଂ ହାତ ଉଠିବା ସଙ୍ଗେ ସଙ୍ଗେ ଜିନିଷ ଉଠାଇ ହୁଏ । ସେହିପରି ଦାନ୍ତ ଚିପିଲା ବେଳକୁ ଯେ ଗାଲ ଟାଣ ହୋଇଯାଏ କିମ୍ବା କ‌ହୁଣୀଠାରୁ ହାତ ଭାଙ୍ଗିଲା ବେଳକୁ ବାହୁର ମାଂସପେଶୀ ଯେ ମୋଟା ହୋଇଯାଏ, ଏକଥା ସହଜରେ ଦେଖି ହେବ । ଦେହର ଭିନ୍ନ ଭିନ୍ନ ସ୍ଥାନରେ ଯେ ସଦାବେଳେ ସମାନଭାବରେ ରକ୍ତ ବହେ, ଏହା ନୁହେ । ଦରକାର ଅନୁସାରେ ବେଳେ ବେଳେ ବେଶି ବହେ ଆଉ ବେଳେ ବେଳେ ପୁଣି କମ ବ‌ହେ । ପ୍ରୟୋଜନାନୁସାରେ ଧମନୀରେ ଥିବା ସ୍ୱାଧୀନ ମାଂସପେଶୀ ଏହି କାର୍ଯ୍ୟ ଆମ - ଅଜାଣତାରେ କରିଥାନ୍ତି । ସେହିପରି ଅନ୍ତ୍ରରେ ଥିବା ସ୍ୱାଧୀନ : ମାଂସପେଶୀ ସଙ୍କୁଚିତ ଓ ପ୍ରସାରିତ ହୋଇ ଖାଦ୍ୟକୁ ଆସ୍ତେ ଆସ୍ତେ ଠେଲି ନିଏ । ମାଂସପେଶୀ ଆମର କେତେଦୂର ଉପକାରୀ, ତାହା ଏହିସବୁ କଥାରୁ ବେଶ୍ ଜଣାଯାଏ । ଏହା ଯେତେ ପୁଷ୍ଟ ହେବ,ଦେହ ସେତିକି ସୁନ୍ଦର ଓ ସୂଢ଼ଳ ହେବ,ବଳ ମଧ୍ୟ ସେତିକି ବଢ଼ିବ । ଏହାକୁ ଭଲ ରଖିବା ନିମନ୍ତେ ଉପଯୁକ୍ତ ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରିବା ଉଚିତ । ଏ ଦୁଇଟିରୁ ଗୋଟିକର ଅଭାବରେ ସୁଦ୍ଧା ମାଂସଶେଶୀ ଭଲ ରହି ପାରିବ ନାହିଁ । ମାଦକ ଦ୍ରବ୍ୟ ସେବନ କଲେ ମାଂସପେଶୀ ନଷ୍ଟ ହୋଇଯାଏ ଏବଂ ଇଚ୍ଛାନୁସାରେ କାମ କରେ ନାହଁ । ଏ ହେତୁରୁ ମାଂସପେଶୀ ଭଲ ରଖିବାକୁ ଗଲେ ମାଦକ ଦ୍ରବ୍ୟ ଖାଇବା ଉଚିତ ନୁହେ ।

ଚର୍ବି ବା ବସା:- ମାଂସପେଶୀ ଉପରେ ଗୋଟାଏ ଖୁବ୍ ପତଳା ଆବରକ ଝିଲ୍ଲି (Fascia) ଓ ତାହା ଊପରେ ଚର୍ବିର ଗୋଟାଏ ଆବରଣ ସମସ୍ତ ଦେହକୁ ଘୋଡ଼ାଇ ରଖିଛି । ଆମେ ଯେଉଁ ତୈଳଜାତୀୟ ଖାଦ୍ୟ ଖାଉଁ, ତାହା ଭିତରକୁ ଯାଇ ଦରକାର ଅନୁସାରେ ଖର୍ଚ୍ଚ ହୁଏ, ବାକି ଯେତେକ ବଳିପଡ଼େ ତ‌ହିଁରୁ ଅଧିକାଂଶ ଭବିଷ୍ୟତ୍ ବ୍ୟବହାର ପାଇଁ ଏହିଠାରେ ଜମା ହୋଇ ରହେ । ମାଂସପେଶୀ ଉପର ଛଡ଼ା ଦେହର ଅନ୍ୟାନ୍ୟ ଖାଲି ସ୍ଥାନରେ ଓ ସୂଷ୍ମ ସୂକ୍ଷ୍ମ ଯନ୍ତ୍ର ଚାରିପଟେ ମଧ୍ୟ ଅଳ୍ପ ବେଶି ଚର୍ବି ଦେଖାଯାଏ । ଚାରିପଟେ ଚର୍ବି ଥିବାରୁ ଯନ୍ତ୍ରସବୁ ଏଣେ ତେଣେ ହଲଚଲ ହୋଇ ପାରନ୍ତି ନାହିଁ କିମ୍ବା ସହଜରେ ସେମାନଙ୍କ ଦେହରେ କୌଣସି ଆଘାତ ଲାଗି ପାରେ ନାହିଁ । ଚର୍ବି ଭିତର ଦେଇ ଥଣ୍ଡା ଏବଂ ତାତି ସହଜରେ ଭେଦି ପାରେ ନାହଁ, ତେଣୁ ଦେହରେ ଏଥିରୁ ଗୋଟାଏ ଆବରଣ ଥିବାରୁ ଜଳବାୟୁର ପରିବର୍ତ୍ତନ ସହଜରେ କିଛି କ୍ଷତି - କରି ପାରେ ନାହିଁ କିମ୍ବା ଦେହ ଭିତର ତବତି ସହଜରେ ବାହାରିଯାଇ ପାରେ ନାହିଁ ।

ଦେହ ପାଇଁ ଚର୍ବି ଯେତିକି ଉପକାରୀ ବେଶିଗୁଡ଼ାଏ ହୋଇଗଲେ ତେତିକି ମଧ୍ୟ ଅପକାରୀ ହୋଇଥାଏ । ଚର୍ବି ବେଶି ହୋଇଗଲେ ମଣିଷ ବଧୁଆ ଓ ଅଳସୁଆ ହୋଇଯାଏ, ତାର ସ୍ଫୁର୍ତ୍ତି ରହେ ନାହିଁ ଏବଂ ନାନାପ୍ରକାର ରୋଗ ହୁଏ । ନିୟମିତରୂପେ ବ୍ୟାୟାମ କଲେ ଏବଂ ଚିନି ଓ ତୈଳଜାତୀୟ ଖାଦ୍ୟ କମାଇଦେଲେ ବଳକା ଚର୍ବି କମିଯାଏ ।

ଚର୍ବିର ଏହି ଆବରଣ ଉପରେ ଚମ ଥାଏ । ଚମ ବିଷୟରେ ପରେ କୁହାଯିବ ।

ଦେହର ଛାଞ୍ଚ, ମାଂସପେଶୀ, ଚର୍ବି ଆଦି ବିଷୟରେ କିଛି କିଛି କୁହାଗଲା । ଏବେ ତ‌ହିଁରେ କି କି ଯନ୍ତ୍ର ଅଛି ଓ ସେମାନେ କିପରି କଣ କରନ୍ତି, ଏକଥା ଦେଖାଯାଉ ।