ଆମ ଦେହ/ନାଡ଼ୀ ତନ୍ତ୍ର

ଉଇକିପାଠାଗାର‌ରୁ
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ନାଡ଼ୀ ତନ୍ତ୍ର


ନାଡ଼ୀ ତନ୍ତ୍ର
(Nervous System)

ଦେହଘରେ ଥିବା ବଡ଼ ବଡ଼ କେତେକ କଳକବ୍ଜା ଓ ସେମାନଙ୍କ କାର୍ଯ୍ୟ ବିଷୟରେ କେତେକ କଥା କୁହାଗଲା । ଦେହରେ ଏହିପରି ଯେତେ ଯେତେ କଳକବ୍ଜା ଅଛି, ସେ ସବୁ ଯେ ଆପେ ଆପେ ଚଳେ, ତାହା ନୁହେ । ଏହା ଚଳାଇବାକୁ ଆଉ ଗୋଟାଏ ଅତି ବଡ଼ ଜଟିଳ କଳ ଅଛି । ଏହା ଦେହର ପ୍ରତ୍ୟେକ ଅଂଶକୁ ନିଜ ଆୟତ୍ତରେ ରଖି କେଉଁଠା କିପରି ଭାବରେ ଚଳିବ, ତାହାର ବନ୍ଦୋବସ୍ତ କରି ତାକୁ ଚଳାଉଅଛି । ଏହି ଜଟିଳ କଳର ନାମ ନାଡ଼ୀତନ୍ତ୍ର (Nervous System) । ଆମ ଦେହରେ ଟେଲିଗ୍ରାଫ ପରି ଯେଉଁ ତାର ଥିବା କଥା ଆଗରୁ କୁହାଯାଇଅଛି, ତାହା ଏହି କଳର ଅନ୍ତର୍ଗତ । ଏହି କଳ ସାହାଯ୍ୟରେ ଦେହ‌ର କେଉଁଠାରେ କଣ ହେଉଅଛି, ତା ଆମେ ଜାଣି ପାରୁଁ, ଚିନ୍ତା କରି ପାରୁଁ, ବିଚାର କରି ପାରୁଁ, ଭାବି ପାରୁଁ, ମନେ ରଖି ପାରୁଁ, କେତେବେଳେ କଣ କରିବାକୁ ହେବ ତାହା ଠିକ୍ କରି ପାରୁଁ । ଏହିପରି ପ୍ରତ୍ୟେକ କଥା ଏହାରି ଦ୍ୱାରା ହୁଏ । କ‌ହିବାକୁ ଗଲେ ଏ ହେଲା ଦେହର କେନ୍ଦ୍ର ।

ନାଡ଼ୀତନ୍ତ୍ର ଦୁଇଭାଗରେ ଭାଗ କରାଯାଇ ପାରେ -ମସ୍ତିଷ୍କ (Brain) ଓ ନାଡ଼ୀ (Nerves) ।

ମସ୍ତିଷ୍କ (Brain)-ମସ୍ତିଷ୍କକୁ କଥାରେ ମୁଣ୍ଡଭିତର ଦହି କହନ୍ତି । ଏହା ଦେଖିବାକୁ ଗୋଟିଏ ବେଲପରି ସତ, କିନ୍ତୁ

ଏଥିରେ ଯେ କଣ ନ ହେଉଛି ତାହା ନୁହେ । ଯାହା ଆମେ କରୁଁ, ଭାବୁଁ, ମନେ ରଖୁଁ ଓ ଅନୁଭବ କରୁଁ, ଏସବୁ ଏହାରି କାର୍ଯ୍ୟ । ମୁଣ୍ଡର ଖପୁରି ଭିତରେ ମସ୍ତିଷ୍କ (Brain) ରହିଅଛି । ମସ୍ତିଷ୍କ ଦୁଇଭାଗରେ ବିଭକ୍ତ । ଉପର ଓ ଆଗପଟ ଭାଗଟା ବଡ଼;

୧। ମସ୍ତିଷ୍କ‌କୁ ଘୋଡ଼ାଇ ରଖିଥିବା ଝିଲ୍ଲି ନିର୍ମିତ ପଦ ।
୨। ଅନୁ ମସ୍ତିଷ୍କ ।
୩। କଶେରୋକାର ପଶ୍ଚାତ୍ ଭାଗ ।
୪। କଶେରୁକାର ପିଣ୍ଡ (Body of Vertebra)
୫। ସୁଷୁମ୍ନା କାଣ୍ତର ଆରମ୍ଭ ।
୬। ସୁଷୁମ୍ନା କାଣ୍ଡ ।
ଏହାକୁ ସ‌ହ‌ସ୍ରାର (Cerebrum) କହନ୍ତି । ଏହି ସ‌ହ‌‌ସ୍ରାରର ତଳକୁ ଓ ପଛପଟକୁ ଅନୁମସ୍ତିଷ୍କ (Cerebellum) ରହିଅଛି । ଏ ଦୁହିଙ୍କ ମଝି ଜାଗାକୁ ମଧ୍ୟ-ମସ୍ତିଷ୍କ (Mesencephalon) କହନ୍ତି । ଟିକିଏ ଭଲ କରି ଦେଖିଲେ ସମସ୍ତ ମସ୍ତିଷ୍କଟା ଠିକ ମଝିରେ ଡାହାଣ ଓ ବାଆଁ ସମାନ ଦୁଇ ଭାଗରେ ଫଡ଼ା ହେଲା ପରି ଜଣାଯାଏ । ଖପୁରି ଓ ମସ୍ତିଷ୍କ ମଧ୍ୟରେ ଓ ମସ୍ତିଷ୍କକୁ ଘୋଡ଼ାଇ ତିନିଗୋଟି ସୂକ୍ଷ୍ମ ଝିଲ୍ଲିନିର୍ମିତ ପର୍ଦ୍ଦା ଅଛି । ଉପର ପରଦାଟି ଟାଣ, କିନ୍ତୁ ବେଶ୍ ଚିକ୍କଣ । ମଝି ପରଦାରେ ରକ୍ତାଧାର ରହିଥାଏ । ମଝି ଓ ତଳ ପରଦା ମଧ୍ୟରେ ରକ୍ତର ପାଣିଆ ଅଂଶ (Serum) ପରି ଏକପ୍ରକାର ଜିନିଷ ଥାଏ । ଏହାକୁ ବ୍ରହ୍ମବାରି (Cerebro-spinal Fluid ) କହନ୍ତି । ସବା ତଳ ପରଦାଟି ଠିକ ମସ୍ତିଷ୍କକୁ ଲାଗି କରି ଥାଏ । ଏହା ଭାରି ପତଳା । ମସ୍ତିଷ୍କ ଉପର ସମତଳ ନୁହେ । ନାନା ପ୍ରକାର ଆଙ୍କ ବାଙ୍କର ଗାଡ଼ ଥିବାରୁ ଏହା ଆବଡ଼ା ଖାବଡ଼ା ଦେଖାଯାଏ; ମନେ ହୁଏ ଯେପରିକି ଅନେକ ଗୁଡ଼ାଏ ନାଡ଼ୀଭୁଡ଼ି ଏକ ସଙ୍ଗେ ମେଞ୍ଚା ହୋଇ ରଖା ହୋଇଛି । ଉଚ୍ଚ ଉଚ୍ଚ ଜାଗାକୁ ଦଳ (Convolution) କହନ୍ତି । ଏହି ହେତୁରୁ ସହସ୍ରାରର ଅନ୍ୟ ନାମ ହେଉଛି ସ‌ହସ୍ରଦଳ ପଦ୍ମ ।

ମସ୍ତିଷ୍କର ବାହାର ଦେଖିବାକୁ ଟିକିଏ ଧୂସରବର୍ଣ୍ଣ, କିନ୍ତୁ ଭିତର କାଟି ଦେଲେ ଧଳା ଦେଖାଯାଏ । ଏହା ଭାରି ନରମ ଓ କୋମଳ । ଟିକିଏ ଅଘାତ ପାଇଲେ ଦହି ବାହାରିପଡ଼େ । ଏଥିରୁ ଟିକିଏ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅସଂଖ୍ୟ ଅସଂଖ୍ୟ କୋଷରେ ଏହା ତିଆରି ହୋଇଥିବାର ଦେଖାଯାଏ । ପ୍ରତ୍ୟେକ କୋଷରୁ ଗୋଟିଏ କମ୍ବା ତ‌ହିଁରୁ ବେଶି ତାରି ପରି ଶାଖା ବାହାରିଅଛି । ଏହି ଶାଖା ଭିତରୁ କେତେକ ଅନ୍ୟାନ୍ୟ କୋଷର ଶାଖା ସଙ୍ଗେ ମିଳିଛି । ବାକି ଶାଖାତକ ଦେଖିବାକୁ ଖୁବ୍ ଲମ୍ବ ସରୁ ସୂତା ପରି-ଏତେ ସରୁ ଯେ ଏଥିରୁ ଶହେ ଖଣ୍ଡେ ଏକାଠି କଲେ ଖୁବ୍ ସରୁ ପାଟଖିଅ - ଠାରୁ ବି ସରୁ ଜଣାଯିବ । ଏହିସବୁ ସରୁ ସରୁ ଶାଖା ଏକାଠି ମିଳି ଗୋଟିଏ ଗୋଟିଏ ସୂତାଖିଅ ପରି ହୋଇଅଛନ୍ତି । ଏହା ଦେଖିବାକୁ ଧୋବଲା । ଏହାକୁ ନାଡ଼ୀ (Nerves) କହନ୍ତି । ଖପୁରି ଦେହରେ ଅନେକଗୁଡ଼ିଏ ଫୋଡ଼ ଅଛି । ଏହି ପୋଡ଼ ବାଟେ କେତେକ ନାଡ଼ୀ ବାହାରି ଦେହର ଭିନ୍ନ ଭିନ୍ନ ସ୍ଥାନକୁ ଯାଇଛନ୍ତି । ତା ଛଡ଼ା ବେଶୀ ଭାଗ ନାଡୀ ଏକାଠି ମିଶି ଗୋଟାଏ ମୋଟ ଦଉଡ଼ିପରି ହୋଇ ଖପୁରି ତଳେ ଥିବା ବଡ଼ ଜଳା ବାଟେ ବାହାରି କଶେରୁକା ଭିତରେ ଥିବା ଫୋଡ଼ ବାଟେ ତଳକୁ ଯାଇଛନ୍ତି । ନାଡ଼ୀମାନଙ୍କର ଦଉଡ଼ିଭଳି ଏ ସମଷ୍ଟିକୁ ସୁଷୁମ୍ନା କାଣ୍ତ କହନ୍ତି । ସୁଷୁମ୍ନା ଓ ମସ୍ତିଷ୍କ ଯଦି ଏକାଠି ଦେହରୁ ବାହାର କରି ନିଆଯାଏ, ତେବେ ସୁଷୁମ୍ନା କାଣ୍ଡ ମସ୍ତିଷ୍କର ଲାଞ୍ଜପରି ଦେଖାଯିବ । ଖଣ୍ତେ କଶେରୁକା ପାଖ-କଶେରୁକା ସଙ୍ଗେ ଯୋଡ଼ି ହେଲାବେଳେ ଦୁଇକଡ଼କୁ ଦୁଇଟି ଫାଙ୍କ ରହିଯାଇଛି । ଏହା ଦେଖିବାକୁ ଦୁଇଟି ଫୋଡ଼ ପରି । ଏହି ବାଟେ ସୁଷୁମ୍ନାକାଣ୍ଡରୁ ଗୋଟିଏ ଗୋଟିଏ ନାଡ଼ୀ ବାହାରିଅଛି । ଏହି ନାଡ଼ୀକୁ କଶେରୁ-ନାଡ଼ୀ (Spinal Nerves ) କହନ୍ତି । ଏହା ଦେଖିଲେ ସୁଷୁମ୍ନାକାଣ୍ଡର ଶାଖା ପରି ମନେ ହୁଏ । ଆମ ଦେହରେ ମୋଟ ୫୨ଟି କଶେରୁ ନାଡ଼ୀ ଅଛି । ଏହିପରି ନାଡ଼ୀସବୁ ସୁଷୁମ୍ନା

ଦେହରୁ ବାହାରିଯିବାରୁ ତାହା କ୍ରମଶଃ ତଳଆଡ଼କୁ ସରୁ ହୋଇ ଯାଇଛି । ମସ୍ତିସ୍କ ଓ ସୁଷୁମ୍ନା ଦେହରୁ ଏହିପରି ନାଡ଼ୀସବୁ ବାହାରି ଦେହର ଯେତେ ଯେତେ ତନ୍ତୁ ଓ ତନ୍ତୁରେ ଯେତେ ଯେତେ
ମସ୍ତିଷ୍ମ, ଅନୁମସ୍ତିଷ୍କ ସୁଷୁମ୍ନାକାଣ୍ତାଆଦିର ଚିତ୍ର । ସୁଷୁମ୍ନାକାଣ୍ତରୁ କଶେରୁନାଡ଼ୀ କିପରି ବାହାରି ଅଛି ତାହା ଏହି ଚିତ୍ରରୁ ଜଣା ଯାଉଅଛି ।

୧। ମସ୍ତିଷ୍ମ ।
୨। ଅନୁମସ୍ତିଷ୍କ ।
୩। ସୁଷୁମ୍ନା କାଣ୍ତର ଆରମ୍ଭ ।
୪। ଅନୁତ୍ରିକାସ୍ଥି ।
୫। ତ୍ରିକାସ୍ଥି ।
୬। ପୃଷ୍ଠଦେଶର ପ୍ରଥମ କଶେରୁକା ।
୭। ସୁଷୁମ୍ନାକାଣ୍ତର ଶେଷ ।
୮। କଟିଦେଶର ପ୍ରଥମ କଶେରୁକା ।
୯। କଶେରୁକାର ପୃଷ୍ଠ ପ୍ରବର୍ଦ୍ଧନ ।
୧୦। କଶେରୁ ନାଡ଼ୀ (Spinal Nerves) । କୋଷ ଅଛି ସେସବୁକୁ ଯାଇଛନ୍ତି । କେବଳ ଏହିପରି ଗୋଟିଏ ଗୋଟିଏ ଝିଅ ଯେ କୋଷକୁ ଯାଇଛି ତାହା ନୁହେ । ପ୍ରତି କୋଷକୁ ଦୁଇ ତିନୋଟି କରି ଖିଅ ଯାଇଅଛି । ଆମ ଦେହରେ ଯେତେ କୋଷ ଅଛି ତାହା ଆଜିଯାଏ କେହି ହେଲେ ଗଣି ପାରି ନାହିଁ—ସମୁଦ୍ରର ବାଲିପରି ଏହା ଅସଂଖ୍ୟ । ଏତେ କୋଷ ଦେହକୁ କେତେ ଯେ ନାଡ଼ୀ ଖିଅ ଯାଇଛ ତା ପୁଣି କଳିବ କିଏ ? ତଥାପି ଏତେ ନାଡ଼ୀ ଆମ ଦେହରେ ଅଛି ।

ଆମ ଦେହର କୌଣସି ଜାଗାରେ ଯଦି ପିମ୍ପୁଡ଼ିଟାଏ କାମୁଡ଼ି ଦିଏ, ତେବେ ଆମେ ତାହା ସଙ୍ଗେ ସଙ୍ଗେ ଜାଣି ପାରୁଥାଇଁ । ଏହାର କାରଣ ଏହି ଯେ ଯେଉଁଠାରେ ପିମ୍ପୁଡ଼ି କାମୁଡ଼ିଲା, ସେଠାରୁ ନାଡ଼ୀ-ତାର ମସ୍ତିଷ୍କକୁ ଯାଇଛି । କାମୁଡ଼ିଲା କ୍ଷଣି ନାଡ଼ୀ ଊପରେ ଆଘାତ ପଡ଼େ ଆଉ ସେ ସମ୍ବାଦଟା ସଙ୍ଗେ ସଙ୍ଗେ ଉକ୍ତ ତାରଦ୍ୱାରା ମସ୍ତିଷ୍କକୁ ଚାଲିଯାଏ, ତେଣୁ ଆମକୁ ଗୋଟାଏ କଣ କାମୁଡ଼ିଲା ବୋଲି ଆମେ ଜାଣି ପାରୁଁ । ଦେହର ଏପରି କୌଣସି ଜାଗା ନାହିଁ, ଯହିଁରେ କି ନାଡ଼ୀ-ତାର ନାହିଁ । ଦେହକୁ ଚୁମୁଟିଲେ କି ଦେହରେ କଣ୍ଟାଟିଏ ବାଜିଗଲେ ଆମକୁ ଯେ,କାଟେ, ଏହା କଣ ଆମର ଉପକାରରେ ଆସେ ନାହିଁ ? ଏହା ଆମକୁ ସତର୍କ କରାଇ ଦିଏ, ତେଣୁ ଆମେ ଦେହକୁ ରକ୍ଷା କରି ପାରୁଁ । ଏହା ନ ଥିଲେ ଆମେ କେତେବେଳେ ସେ କଟି ଯାଆନ୍ତେ ବା କେତେବେଳେ ପୋଡ଼ି ଜଳିଯାଆନ୍ତେ ତାହା କହି ହୁଅନ୍ତା ନାହିଁ ।

ଚିମୁଟିଲେ କାଟେ ଓ ଆମେ ତାହା ଜାଣିପାରୁଁ, ସେହିପରି ମଧ୍ୟ ଆମେ ଥଣ୍ଡା କି ଗରମ, କଠିନ କି ନରମ, ଭାରି କି ହାଲୁକା, ଗୋଲ କି ଚେପ୍ଟା ଆଦି ବାରି ପାରୁଁ । ଏ ପ୍ରତ୍ୟେକ କାର୍ଯ୍ୟ ସେହି ନାଡ଼ୀଦ୍ୱାରା ସାଧିତ ହୁଏ । ଗୋଟିଏ ନାଡ଼ୀଖିଅରେ ଯେ ଏସବୁ ହୁଏ ତା ନୁହେ । ଏସବୁ ପାଇଁ ପ୍ରକାରେ ପ୍ରକାରେ ନାଡ଼ୀଖିଅ ରହିଅଛି । ଏ ହେତୁରୁ ପ୍ରତି କୋଷକୁ ଅନେକ ଗୁଡ଼ିଏ ନାଡ଼ୀଖିଅ ଆସିଅଛି ଏବଂ ଗୋଟିଏ ଗୋଟିଏ ଖିଅରେ ଗୋଟିଏ ଗୋଟିଏ କଥା ହେଉଅଛି । ଏ ତ ଗଲା ଆମ ନିଜର ଅନୁଭବ ପାଇଁ; କିନ୍ତୁ ଏହା ଛଡ଼ା ଆଉ ପ୍ରକାରେ ନାଡ଼ୀ ଅଛି, ଯାହା କି ସେହିପରି ପ୍ରତ୍ୟେକ କୋଷକୁ ଯାଇଛି । ଏହାଦ୍ୱାରା ମସ୍ତିଷ୍କରୁ ଆଦେଶ ଆସେ ଓ ସେହି ଆଦେଶ ଅନୁସାରେ କୋଷ କାମ କରେ । ମନେ କର, ଆମର ଗୋଟାଏ ଆଙ୍ଗୁଠି ବଙ୍କାଇବା ଦରକାର । ଏଥିପାଇଁ ମସ୍ତିଷ୍କରୁ ଆଦେଶ ଆସିବା ଦରକାର ଆଉ ସେହି ଆଦେଶ ଯେଉଁ ଯେଉଁ ପେଶୀଦ୍ୱାରା ଆମେ ଆଙ୍ଗୁଠି ବଙ୍କେଇ ପାରିବା, ସେହି ସେହି ପେଶୀର ସମସ୍ତ କୋଷକୁ ଆସିବା ଦରକାର । ମସ୍ତିଷ୍କରୁ ଆସିଥିବା ଏକପ୍ରକାର ନାଡ଼ୀଖିଅ ବାଟେ ଏହି ଆଦେଶ ଆସେ । ଏହିପରି ନାଡ଼ୀଖିଅ ମଧ୍ୟ ଦେହର ପ୍ରତ୍ୟେକ ସ୍ଥାନକୁ ଯାଇଅଛି । ଏହି ନାଡ଼ୀଖିଆସବୁ କିଛି ଅନୁଭବ କରି ପାରନ୍ତି ନାହିଁ । ଏମାନେ ମସ୍ତିଷ୍କର ଯେଉଁ ସ୍ଥାନରୁ ବାହାରିଅଛନ୍ତି ସେଠା ମଧ୍ୟ କିଛି ଅନୁଭବ କରି ପାରେ ନାହିଁ । ଆଗରୁ କୁହାଯାଇଛି ଯେ, ମସ୍ତିଷ୍କର କୋଷରୁ ଯେଉଁ ସବୁ ଶାଖା ବାହାରିଅଛି, ସେଥିମଧ୍ୟରୁ ଛୋଟ ଛୋଟ ଶାଖାଗୁଡ଼ିକ ସେହି ମସ୍ତିଷ୍କର ଅନ୍ୟାନ୍ୟ କେତେକ କୋଷର ଶାଖା ସଙ୍ଗେ ମିଳିଅଛି । ଏପରି ହେବାଦ୍ୱାରା ଅନୁଭବ କରି ପାରିବା ନାଡ଼ୀ ଓ କାର୍ଯ୍ୟ କରିବା ନାଡ଼ୀ ମଧ୍ୟରେ ସମ୍ପର୍କ ରହିଅଛି, ତେଣୁ ଆମେ ଅନୁଭବ କରିପାରୁଁ ଏବଂ ସେହି ସମୟରେ କଣ କରିବାକୁ ହେବ, ତାହା ଜାଣି ପାରି ତଦନୁସାରେ କାର୍ଯ୍ୟ କରି ପାରୁଁ । ଉପରେ ଯାହା ସବୁ କୁହାଗଲା ସେଥିରୁ ଜଣାଯାଏ ଯେ, ଆମ ଦେହରେ ଦୁଇପ୍ରକାର ନାଡ଼ୀ ଅଛି । ଏକପ୍ରକାର ନାଡ଼ୀଦ୍ୱାରା ଆମେ ଅନୁଭବ କରି ପାରୁଁ, ଏହାକୁ ସଂଜ୍ଞାଭା ନାଡ଼ୀ (Sensory Nerve) କହନ୍ତି । ଅନ୍ୟ ପ୍ରକାର ନାଡ଼ୀଦ୍ୱାରା ନାନାବିଧ କାର୍ଯ୍ୟ କରାଯାଏ । ଏମାନଙ୍କୁ ଚେଷ୍ଟାଭା ନାଡ଼ୀ (Motor Nerve) କହନ୍ତି । ଏ ଦୁଇ ପ୍ରକାର ନାଡ଼ୀ ଛଡ଼ା ଆଉ କେତେକ ପ୍ରକାର ନାଡ଼ୀ ମଧ୍ୟ ଅଛି । ଦେହର ପ୍ରତ୍ୟେକ ସ୍ଥାନ ପାଇଁ ସ‌ହସ୍ରାରରେ ଗୋଟିଏ ଗୋଟିଏ କେନ୍ଦ୍ର ଅଛି । ସେହି କେନ୍ଦ୍ର ସେଠିକାର ସମ୍ବାଦ ସବୁ ବୁଝେ ଏବଂ ସେଠାରେ କଣ କରିବାକୁ ହେବ, ତାହାର ବନ୍ଦୋବସ୍ତ କରେ । ଏହା ଛଡ଼ା ଭାବିବା, ଚିନ୍ତିବା, ମନେ ରଖିବା, ବିଚାର କରିବା ଆଦିର ଭାର ଏହି ସହସ୍ରାର ଉପରେ ନ୍ୟସ୍ତ । ଏହା ଦେହରେ ଯେପରି ଗୋଟିଏ ବଡ଼ ବିଚରାଳୟ ଅଛି ସେହିପରି ମଧ୍ୟ ଏଥିରେ ବାଇ ମହାନ୍ତିଙ୍କର ଗୋଏ ବଡ଼ 'ମାଦଳା ପାଞ୍ଜି’ ରହିଛି । କେଉଁଠାରେ କଣ କରିବାରୁ ହେବ, ତାହା ଏହି ବିଚାରାଳୟରେ ସ୍ଥିର ହୋଇ ତଦନୁସାରେ ଆଦେଶ ଦିଆଯାଏ । ଆମେ ଯେତେ ଯାହା ଶୁଣୁଁ, ଦେଖୁଁ, ପଢ଼ୁଁ, ତାହା ସବୁ ଏଠାରେ ଥିବା ମାଦଳା ପାଞ୍ଜିରେ ସଙ୍ଗେ ସଙ୍ଗେ ଲେଖି ହୋଇଯାଏ; ତେଣୁ ଆମେ ଏତେ କଥା ମନେ ରଖି ପାରୁଁ । ଅନେକ ସମୟରେ ଦେଖାଶୁଣା ନ କଲେ ପାଞ୍ଜି ନ ହୋଇଯାଏ । ଏଠାରେ ମଧ୍ୟ ସେହିପରି ଅନୁଶୀଳନ ଅଭାବରେ ଅନେକ କଥା ନଷ୍ଟ ହୋଇଯାଏ; ତେଣୁ ଆମେ ବେଳେ ବେଳେ କଥାସବୁ ପାସୋରି ପକାଉଁ । ଏହିପରି ସହସ୍ରାର ସମସ୍ତ ଦେହର କେନ୍ଦ୍ର ଏବଂ ସମସ୍ତ ଦେହ ଉପରେ ତାହାର ଅଧିକାର ରହିଅଛି । ଆମେ ନିଜେ ଜାଣି ଶୁଣି ଅନେକ କାମ ତ କରୁଁ , ତା ଛଡ଼ା ଆମ ଅଜଣାରେ ମଧ୍ୟ ଅନେକ କାମ ହୁଏ । ହୃଦ୍‌ଯନ୍ତ୍ର ଚଳୁଛି, ନିଶ୍ୱାସ ବହୁଛି, ଏସକୁ ହେଲା ଆମ ଅଜଣା କାମ । ଏଥିଭିତରୁ କେତେକଙ୍କ ଉପରେ ଆମର କିଛି ଅଧିକାର ନାହିଁ; ଆମେ ଇଚ୍ଛା କଲେ ବି ବନ୍ଦ କରି ପାରିବା ନାହିଁ । ହୃଦ୍‌ଯନ୍ତ୍ରକୁ ବଳେ ବଳେ କେହି ବନ୍ଦ କରି ପାରିବା କି ? ଏହିପରି ଯେତେ ଯେତେ ଆମ ଅଧିକାର ବାହାର ସ୍ଥାନ ଅଛି, ସେଠାରେ ଏକ ପ୍ରକାର ନାଡ଼ୀ ଅଛି, ତାକୁ ସ୍ୱତନ୍ତ୍ର ନାଡ଼ୀ (Automatic Nerves) କହନ୍ତି । ମେରୁଦଣ୍ଡର ଦୁଇ ପାଖରେ ଏହି ନାଡ଼ୀତନ୍ତୁରୁ ଦୁଇ ଗୋଟି ରହି ଦେହର ଭିନ୍ନ ଭିନ୍ନ ପ୍ରକାର ସ୍ୱତନ୍ତ୍ର କାର୍ଯ୍ୟ କଥା ଦୁଝେ । ଏଥିରେ ମଧ୍ୟ ଦୁଇ ପ୍ରକାର ଖିଅ ଅଛି -ସଂଜ୍ଞାଭା ଓ ଚେଷ୍ଟାବ‌ହା ଖିଅ । ସଂଜ୍ଞାବହା ନାଡ଼ୀ ସେଠାର ଅଭାବ ଅସୁବିଧା ଆଦିର ଖବର ଆଣୁଅଛି ଓ ଚେଷ୍ଟାବହା ନାଡ଼ୀ ସେ ସବୁକୁ ଆୟତ୍ତରେ ରଖି ତ‌ହିଁର କାର୍ଯ୍ୟ ଚଲାଉଅଛି ।

ହୃଦ୍‌ଯନ୍ତ୍ର, ପାକ‌ଯନ୍ତ୍ର, କୁକ୍ଷିଯନ୍ତ୍ର ଓ ପେଟ ଦୁଇପାଖରେ ଥିବା ଯନ୍ତ୍ର ଆଦିର କଥା ବୁଝିବାପାଇଁ ଏହି ସ୍ୱତନ୍ତ୍ର ନାଡ଼ୀ ତନ୍ତ୍ରରୁ ନାଡ଼ୀ ଯାଇ ତିନି ଗୋଟି ନାଡ଼ୀପଦ୍ମ (Nerve Plexus) ଗଢ଼ା ହୋଇଅଛି; ଯଥା-ହୁଦ୍‌ଯନ୍ତ୍ର ପାଇଁ ଅନାହତ ପଦ୍ମ (Cardiae Plexus) । ଏହା ଯୋଗେ ହୃଦ୍‌ଯନ୍ତ୍ର ଠିକ ଭାବରେ ଚଳେ । ପାକଯନ୍ତ୍ର ପାଇଁ ମଣିପୁର ପଦ୍ମ ( Solar Plexus ) । ଏହା ପାକସ୍ଥଳୀର ପଛପଟେ ଅଛି । ଏହାଦ୍ୱାରା ପାକଯନ୍ତ୍ର ଚାଳିତ ହୁଏ । ମୂତ୍ରସ୍ଥଳୀ, ମଳଦ୍ୱାର, ଜରାୟୁ ଏବଂ ଅନ୍ୟାନ୍ୟ କୁକ୍ଷିଯନ୍ତ୍ର ପାଇଁ ସ୍ୱାଧିଷ୍ଠାନ ପଦ (Pelvic Plexus) ଅଛି । ଏହି ସ୍ୱତନ୍ତ୍ର ନାଡ଼ୀତନ୍ତ୍ରର କେନ୍ଦ୍ର ଅନୁମସ୍ତିଷ୍କରେ ରହିଅଛି । ସହସ୍ରାରର ବିଶ୍ରାମ ଅଛି, କିନ୍ତୁ ଅନୁମସ୍ତିଷ୍ମର ବିଶ୍ରାମ ନାହିଁ, କାରଣ ଏହା ଯେଉଁ ସବୁ ଯନ୍ତ୍ରକଥା ବୁଝେ, ସେମାନଙ୍କର କେତେବେଳେ ହେଲେ ବିଶ୍ରାମ ନାହିଁ ।

ଆମେ ଦଉଡ଼ିଲା ବେଳେ ଆମ ଗୋଡ଼ର ସମୁଦାୟ ମାଂସପେଶୀ ସଂଯତ ଭାବରେ ପଡୁଥିବାରୁ ଗୋଡ଼ ଯଥା ସ୍ଥାନରେ ପଡ଼ୁଅଛି ଏବଂ ଆମେ ପଡ଼ିଯାଉ ନାହିଁ । ଚାଲିବା, ବୁଲିବା, ଦୌଡିବା ଆଦି ସବୁ କାର୍ଯ୍ୟରେ ଏହିପରି ସଂଯମ ଓ ଶୃଙ୍ଖଳା ଦେଖାଯାଏ । ସଂଯତଭାବରେ କାର୍ଯ୍ୟ କରାଇବା ମଧ୍ୟ ଅନୁମସ୍ତିଷ୍କର କାର୍ଯ୍ୟ ।

ସୁଷୁମ୍ନା କାଣ୍ଡ ଦେହରେ ନାଡ଼ୀଖିଅ ଛଡ଼ା କେତେକ ନାଡ଼ୀକୋଷ ମଧ୍ୟ ରହିଅଛି । ଏହି କୋଷରୁ ଚାରି ଆଡ଼କୁ ନାଡ଼ୀ ଯାଇଅଛି । ଏହା ଦ୍ୱାରା ଦେହର କେତେକ ଛୋଟ ଛୋଟ କାର୍ଯ୍ୟ ସାଧିତ ହୁଏ । ନିଦରେ ଶୋଇଥିବା ବେଳେ ଯଦି କେହି କଣ୍ଟାଟାଏ ନେଇ ତଳିପାରେ ସଲ ସଲ କରେ, ତାହା ଜଣାଯାଏ ନାହଁ ସତ, କିନ୍ତୁ ଗୋଡ଼ଟା ଆପେ ଆପେ ଘୁଞ୍ଚିଆସେ । ଏହା ସେହି ନାଡ଼ୀକୋଷର କାର୍ଯ୍ୟ ।

ସୁଷୁମ୍ନା ନାଡ଼ୀକାଣ୍ଡ ମଧ୍ୟରେ ଥିବା ଆଉ କେତେକ ନାଡ଼ୀକୋଷ ହଗିବା, ମୂତିବା ଆଦି କଥା ବୁଝନ୍ତି । ଏହି ସବୁ କାର୍ଯ୍ୟ ଉପରେ ମସ୍ତିଷ୍କର ଯେ ଏକାବେଳକେ ଅଧିକାର ନାହିଁ ତାହା ନୁହେ, ଆମେ ଇଚ୍ଛା କରି ମଧ୍ୟ ହଗିବା ମୂତିବା କିଛି ସମୟ ବନ୍ଦ କରି ପାରୁଁ । ଏହି କାର୍ଯ୍ୟ ମସ୍ତିଷ୍କଦ୍ୱାରା ହୁଏ । ସମସ୍ତ ନାଡ଼ୀତନ୍ତ୍ର ଉପରେ ମସ୍ତିଷ୍କର ଅଧିକାର ଅଛି । ପ୍ରତ୍ୟେକ ସ୍ଥାନର ଅଭାବ ବୁଝି ଖାଦ୍ୟାଦି ଯୋଗାଇବା ନିମନ୍ତେ ଏକପ୍ରକାର ନାଡ଼ୀ (Trophic Nerve) ଅଛି । ଏହି ନାଡ଼ୀମାନଙ୍କର କେନ୍ଦ୍ର ସ୍ୱତନ୍ତ୍ର ନାଡ଼ୀତନ୍ତ୍ରରେ ରହିଅଛି । ଏହି ନାଡ଼ୀସବୁ ଆମ ଇଚ୍ଛାଧୀନ ନ ହେଲେ ସୁଦ୍ଧା ଏମାନଙ୍କର ମସ୍ତିଷ୍କ ସହିତ ସମ୍ପର୍କ ରହିଅଛି ।

ଦେହର ଚାରିଆଡ଼େ ନାଡ଼ୀ ପୂରି ରହିଅଛି, ତେଣୁ ସମସ୍ତ କାର୍ଯ୍ୟ ଖୁବ୍ ଭଲଭାବରେ ଅଥଚ ଠିକ୍ ସମୟରେ ଓ ସଂଯତରୂପେ ସାଧିତ ହେଉଅଛି । କେଉଁଠାରେ କାହାରି କିଛି ଗୋଳମାଳ ହେଉ ନାହିଁ କିମ୍ବା କୌଣସି ତ୍ରୁଟୀ ଦେଖାଯାଉ ନାହିଁ ।