Jump to content

ଆମ ଦେହ/ପଞ୍ଚେନ୍ଦ୍ରିୟ

ଉଇକିପାଠାଗାର‌ରୁ
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ପଞ୍ଚେନ୍ଦ୍ରିୟ


ପଞ୍ଚେନ୍ଦ୍ରୟ
(Sense organs)

ଆମର ପାଞ୍ଚ ପ୍ରକାର ଇନ୍ଦ୍ରିୟ ଅଛି । ଏହାଦ୍ୱାରା ଆମ୍ଭେମାନେ ଦେଖୁଁ, ଶୁଣୁଁ, ଚାଖୁଁ, ଶୁଂଘୁଁ ଓ ଛୁଇଁକରି ବାରି ପାରୁଁ । ତଳେ ଏହି ଇନ୍ଦ୍ରିୟମାନଙ୍କ ବିଷୟରେ ଦୁଇ ଚାରି କଥା କୁହାଗଲା ।

ଦର୍ଶନେନ୍ଦ୍ରିୟ :- ଆଖିକୁ ଦର୍ଶନେନ୍ଦ୍ରିୟ କୁହାଯାଏ । ଆମର ଦୁଇଟି ଆଖି ଅଛି, ଆଖିଠାରୁ ବଳି ଆଉ ମୂଲ୍ୟବାନ ଜିନିଷ କିଛି ନାହିଁ । ଖପୁରୀର ଦୁଇପାଖରେ ଦୁଇଟି ଖୋପ ଅଛି । ତହିଁ ଭିତରେ ଆଖି ରହିଅଛି । ଆଖି ବାହାରେ ତଳ ଉପର ହୋଇ ଦୁଇଟି ପତା ଅଛି ଓ ପତା ଦେହରେ ପକ୍ଷ ବା ଅଖିବାଳ ଅଛି । ଆଖି ବଡ଼ ସୂକ୍ଷ୍ମ ଯନ୍ତ୍ର; ତେଣୁ ପତା ତାକୁ ଆପଦ ବିପଦ ଓ ମଳିଧୂଳିରୁ ରକ୍ଷା କରେ । ଆଖିର କୌଣସି ପ୍ରକାର ଆଶଙ୍କା ଦେଖିଲେ ଆପେ ଆପେ ପତା ପଡ଼ିଯାଏ ଓ ଦୁଇ ପତାର ବାଳ ଜାବ ଖାଇଯାଏ; ତେଣୁ ଆଖିର କିଛି ଅନିଷ୍ଟ ହୁଏ ନାହିଁ ।

ଆମେ ଆଖିଡ଼ୋଳାରେ ଦେଖୁଁ । ଡୋଳା ଗୋଲାକାର, ଗୋଟିଏ ପେଣ୍ଡୁପରି । ଆଖିର ଯେଉଁ ଅ°ଶ ବାହାରକୁ ଦେଖାଯାଏ, ତାହା ହେଉଛି ଏହି ଡ଼ୋଳାର ମୋଟେ ଆଗ ଅଧକ, ବାକୀ ଅଧକ ଦିଶେ ନାହିଁ – ଖୋପ ଭିତରକୁ ଥାଏ ବୋଲି । ଆଖି ମାଂସପେଶୀଦ୍ୱାରା ଖୋପ ସହିତ ଏପରି ଭାବରେ ବନ୍ଧା ହୋଇଛି ଯେ, ଏହା ଖସି ପଡ଼ୁନାହିଁ, ଅଥଚ ତଳଉପର, ଏପାଖ ସେପାଖ, ସବୁ ଆଡ଼କୁ ବୁଲି ପାରୁଛି । ଡୋଳା ବୁଲାଇବାକୁ ଇଚ୍ଛା କଲେ ଯେଉଁଆଡ଼େ ଡ଼ୋଳା ବୁଲାଇବାର କଥା, ସେଆଡ଼ର ମାଂସପେଶୀ

କ । ଆଖି ଡ଼ୋଳାରଚିତ୍ର ।

ଆଖିଡ଼ୋଳା ହାଡ଼ର ଗୋଟିଏ ଖୋପରେ ଥାଏ । ତା ଦେହରେ ମାଂସପେଶୀ ସବୁ ଲାଗିଥାନ୍ତି ଓ ତାହା ଭିତରକୁ ଦୃଷ୍ଟିଗ୍ରାହୀ ନାଡ଼ୀ ଯାଇଥାଏ । ଏ ସବୁ ଏଠାରେ ଦେଖାଇ ଦିଆଯାଇଛି ।

ଖ । ଆଖି ଭିତରେ ଛବି କିପରି ଉଠେ ତାର ଚିତ୍ର ।

୧। ଦୃଷ୍ଟି କାଚ ଆଗରେ ଥିବା ସ୍ୱଚ୍ଛ ଜଳ ।
୨। ଦୃଷ୍ଟିଗ୍ରାହୀ ନାଡ଼ୀ ବା ଦୃଷ୍ଟିବାହୀ ନାଡ଼ୀର ଆରମ୍ଭ ।
୩। ଆଖି ଭିତରେ ଥିବା ଦୃଷ୍ଟିକାଚ ।
୪। ଡ଼ୋଳା ଭିତରେ ଥିବା ସ୍ୱଚ୍ଛ ଜଳ । ସଙ୍କୁଚିତ ହୋଇଯାଏ, ତେଣୁ ଡ଼ୋଳା ସେଆଡ଼କୁ ବୁଲିଯାଏ । ଏପରି ହେବା ଦ୍ୱାରା ଆମେ ସିଧା ଭାବରେ ମୁଣ୍ଡ ରଖି କଣେଇ କରି ଦୁଇ ପାଖରେ ଜିନିଷ ଦେଖି ପାରୁଁ ।

ଅଖିଡୋଳାଟି ଗୋଟିଏ ଅଦ୍ଭୁତ ଗୋଲାକାର ଯନ୍ତ୍ର । ଆଗ ପାଖରୁ ଆରମ୍ଭ କରି ପଛ ପାଖ ଯାଏଁ ଏହା ଭିତରେ ବହୁତ ପ୍ରକାର ଜିନିଷ ଅଛି ।

ଏହାର ଠିକ୍ ଆଗପାଖରେ ଖୁବ ପତଳା ମେଘନାଳ (ଅଭ୍ର, Mica ) ପରି ଗୋଟିଏ ଆବରଣ ଅଛି । ତାହା ଭିତରକୁ ଗୋଟାଏ ପରଦା ଅଛି । ଏହି ପରଦା ଡୋଳାର ଯେଉଁତକରେ ଥାଏ ତାହା ବାହାରକୁ କାଳିଆ ଦେଖାଯାଏ । ଏହି ପରଦା ଏପରି ସେପରି ନୁହେ । ଏହା ଦେହରେ ଗୋଟାଏ ଏପରି ଫୋଡ଼ ଅଛି ଯେ ତାହା ସାନ ବଡ଼ ହୋଇ ପାରେ । ଖୁବ ଆଲୁଅରେ, ଯେତେବେଳେ କି ଅଳ୍ପ ଆଲୁଅରେ କାମ ଚଳିଯିବ, ସେତେବେଳେ ଏହ ଫୋଡ଼ଟି ସାନ ଥାଏ; କିନ୍ତୁ ଟିକିଏ ଅନ୍ଧାରୁଆ ଜାଗାକୁ ଗଲେ ଏହା ବଡ଼ ହୋଇଯାଏ । ଆଖି ଭିତରକୁ ଅନେଇଲେ ଏହି ଫୋଡ଼ରେ ଆମ ନିଜ ମୁହଁର ଗୋଟିଏ ଅତି ସାନ ଛବି ଦେଖାଯାଏ; ତେଣୁ ଏହି ଫୋଡ଼କୁ ଆମେ ଆଖିପୁଅ କହୁଁ । ଏହି ପରଦା ପଛରେ ପାଣି ପରି ଏକ ପ୍ରକାର ଜିନିଷ ଅଛି, ତା ପରେ ଚଷମା କାଚ ପରି ଗୋଟାଏ ଜିନିଷ ଅଛି । ଏହାକୁ ଦୃଷ୍ଟିକାଚ (Lens) କ‌ହନ୍ତି । ଏହା କାଚ ପରି ସ୍ୱଚ୍ଛ । ଏହି ଦୃଷ୍ଟିକାଚ ପରେ ଏକ ପ୍ରକାର ତରଳ ଅଥଚ ସ୍ୱଚ୍ଛ ଲାଳୁଆ ଜିନିଷ ଥାଏ । ଏହା ପରେ ମୁକୁରିକା (Retina) । ଏହି ମୁକୁରିକା ହେଲା ଆଖିଡ଼ୋଳା ଭିତରର ପଛ ଅଂଶ । ମସ୍ତିଷ୍କର ଦୃଷ୍ଟିକେନ୍ଦ୍ରରୁ ଦୃଷ୍ଟିଗ୍ରାହୀ ନାଡ଼ୀ ଆସି ଆଖିଡ଼ୋଳାର ପଛପଟେ ଡୋଳା ଭିତରକୁ ପଶିଅଛି ଓ ତାହା ପରେ ଜାଲ ଭଳି ହୋଇଯାଇ ଡ଼ୋଳା ଭିତରର ପଛଅଂଶକୁ ଛାଇ ଦେଇଛି । ଏହା ହେଲା ମୁକୁରିକା । ଏହି ମୁକୁରିକାର ପ୍ରାୟ କେନ୍ଦ୍ରରେ ଗୋଟିଏ ହଳଦିଆ ରଙ୍ଗର ଚକା ଦାଗ ଅଛି ।

ଆମେ ଗୋଟାଏ ଜିନିଷ ଆଡ଼କୁ ଅନାଇଲେ ତାର ଛବିଟା ଡୋଳା ଭିତରେ ଥିବା ପରଦାର ଫୋଡ଼ ବାଟ ଦେଇ ଓ ପାଣିଭଳି ଜିନିଷ ଭେଦ କରି ଠିକ୍ ଦୃଷ୍ଟିକାଚ ଉପରେ ପଡ଼େ । ଦୃଷ୍ଟିକାଚ ଏପରି ଭାବରେ ଗଢ଼ା ଯେ ଯେଉଁ ଛବି ତା ଉପରେ ପଡ଼ିବ ସେଇଟା ତା ଭିତରେ ଓ ତା’ପରେ ଥିବା ଲାଳୁଆ ଜିନିଷ ଭିତର ବାଟେ ଯାଇ ଠିକ ମୁକୁରିକା ଉପରେ ଥିବା ହଳଦିଆ ଦାଗ ଉପରେ ଓଲ୍ଟା ହୋଇ ପଡ଼ିବ । ଯେଡ଼େ ବଡ଼ ଜିନିଷ ହେଉ ନା କାହିଁକି ତାହାର ଛବିଟି ସେହି ହଳଦିଆ ଦାଗ ଭିତରେ ସମେଇ ଯାଏ । ବଡ଼ ଛବିକୁ ଛୋଟ କରି ଠିକ୍ ସେହି ହଳଦିଆ ଦାଗ ଉପରେ ପକାଇବା ହେଉଛି ଦୃଷ୍ଟିକାଚର କାର୍ଯ୍ୟ । ଛବି ଛୋଟ ହୁଏ ସତ, ଅଥଚ ତାହା ଏଡ଼େ ପରିଷ୍ଫୁଟ ହୁଏ ଯେ, ତାହାର ପ୍ରତ୍ୟେକ ଅଂଶ ଠିକ୍ ଭାବରେ ଦେଖାଯାଏ । ଏହି ହଳଦିଆ ଦାଗର ଗୋଟାଏ ଗୁଣ ଏହି ଯେ, ଯେ କୌଣସି ରଙ୍ଗର ଛବି ତା ଉପରେ ପଡ଼ୁ, ନା କାହିଁକି, ସେ ତାହାର ସେହି ରଙ୍ଗର ଗୋଟାଏ ପ୍ରତିକୃତି ଉଠାଇ ନେବ । ଯେପରି ଫଟୋଗ୍ରାଫ୍ ଉଠାଯାଏ, ଏଠାରେ ଠିକ୍ ସେହିପରି ଗୋଟାଏ ପ୍ରତିକୃତି ଉଠିଯାଏ । ଏହି ପ୍ରତିକୃତି ଉଠିବାକୁ ଖୁବ୍ କମ ସମୟ ଲାଗେ । ପ୍ରତିକୃତି ଉଠିବା ଆଗରୁ ଯେଉଁ ଜିନିଷରେ ସ୍ଥାନ‌ଚ୍ୟୁତି ଘଟେ, ସେ ଜିନିଷ ଆମେ ଷ୍ପଷ୍ଟ କରି ଦେଖିପାରୁ ନାହିଁ । ଏହି କାରଣରୁ ରେଳଗାଡ଼ି ଚାଲିଲାବେଳେ ତା ଚକର ଅର (Spokes) ଦେଖାଯାଏ ନାହିଁ । ଆମେ ଯେତେ ଯାହା ଦେଖୁଥାଇଁ, ସେ ସବୁର ଗୋଟାଏ ଲେଖାଏଁ ଫଟୋ ଆମ ଆଖିଭିତରେ ଉଠି ଯାଏ । ଦିନ ଭିତରେ କେତେ ଲକ୍ଷ ଫଟୋ ଯେ ଆମ ଆଖି ଭିତରେ ଉଠୁଛି, ତାହା କଳିବ କିଏ ? ଏ କଥାରୁ, 'ଆମ ଆଖି ଭିତର ଫଟୋଗ୍ରାଫ ଯନ୍ତ୍ର ବଢ଼ିଆ, ନା ଯେଉଁ ଫଟୋଗ୍ରାଫ ଯନ୍ତ୍ର ବଜାରରେ ବିକ୍ରୀ ହୁଏ ସେ ବଢ଼ିଆ - ଏହା ସହଜରେ ବୁଝିପାରିବ । ଆଖି ଭିତରେ ଏହି ଛବି ବେଶି ସମୟ ରହେ ନାହିଁ । ତାହ ସଙ୍ଗେ ସଙ୍ଗେ ଧୋଇ ହୋଇଯାଏ କିନ୍ତୁ ଛବି ଉଠିଲାକ୍ଷଣି ଦୃଷ୍ଟିଗ୍ରାହୀନାଡ଼ୀ (Optic Nerve) ଯେଉଁ ଛବି ଉଠିଲା, ତାହାର ସନ୍ଦେଶ ଦୃଷ୍ଟି କେନ୍ଦ୍ରକୁ ନେଇଯାଏ । ଆଗରୁ କୁହାଯାଇଛି ଯେ, ଆମେ ଯାହାଦେଖୁଁ, ଆଖି ଭିତରେ ତାହାର ଓଲ୍ଟା ଛବି ହୁଏ । ଦୃଷ୍ଟି କେନ୍ଦ୍ରରେ କିନ୍ତୁ ଏହି ଓଲଟା ଛବି ଓଲଟି ଯାଇ ଠିକ୍ ଅସଲ ଜିନିଷ ପରି ଥମକୁ ଜଣାଯାଏ । କହିବାକୁ ଗଲେ ଏଠାରେ ଦୃଷ୍ଟିଗ୍ରାହୀ ନାଡ଼ୀ ବା ଦୃଷ୍ଟିବାହୀ ନାଡ଼ୀ ସାହାଯ୍ୟରେ ଛବି ବି ଟେଲିଗ୍ରାଫ ହୋଇ ପାରୁଛି; ଅର୍ଥାତ୍ ଆଖିରେ ଛବି ଉଠିଲା ତ ସେ ଛବି ଦୃଷ୍ଟିଗ୍ରାହୀ ନାଡୀ ବାଟେ ଯାଇ ସଙ୍ଗେ ସଙ୍ଗେ ଦୃଷ୍ଟିକେନ୍ଦ୍ରରେ ଉଠିଗଲା ଓ ସେ ସଙ୍ଗେ ସଙ୍ଗେ ଆମେ ତାହା ଜାଣି ପାରିଲେ । ଆମେ ଯେ ଖାଲି ଚାହିଁ ଦେଲେ ଗୋଟାଏ ଜନିଷ ଦିଶିଯାଏ ତା ନୁହେ । ଗୋଟାଏ ଜିନିଷ ଦେଖିବା ସଙ୍ଗେ ସଙ୍ଗେ ଆମ ଦେହରେ ଏତେ ଏତେ କଥା ଆଗ ହୋଇଯାଏ - ତେବେ ଯାଇ ଆମେ ଦେଖି ପାରୁଁ । ଅଥଚ ଏସବୁ କଥା ଏତେ ଶୀଘ୍ର ଶୀଘ୍ର ହୋଇ ପାରେ ଯେ, ଆମେ ଯାହା ଦେଖିବାକୁ ବସୁଁ ଚାହିଁବା ମାତ୍ରେ ତାହା ଆମକୁ ଦିଶିଯାଏ ।
ଶ୍ରବଣେନ୍ଦ୍ରିୟ


  1. କର୍ଣ୍ଣପକ୍ଷ (Pinna) ।
  2. କର୍ଣ୍ଣ ଗ‌ହ୍ୱର ଆରମ୍ଭରେ ଥିବା ହାଡ଼ ।
  3. କର୍ଣ୍ଣ ଗ‌ହ୍ୱରର ପ୍ରଥମ ଭାଗ ।
  4. କର୍ଣ୍ଣପଟ‌ହ (Tympanic memberane) ।
  5. ଶ୍ରୁତିସ୍ରୋତ ବା କର୍ଣ୍ଣନଳୀ(Eustachian Tube) ।
  6. ଶବ୍ଦ‌ଗ୍ରାହୀ ନାଡ଼ୀ (Auditory Nerve) ।
  7. ଅର୍ଦ୍ଧ ଚକ୍ରାକାର ନଳ ।
  8. ଶ୍ରୁତି ଶମ୍ବୁବ୍ଦ ।
  9. ଶବ୍ଦ‌ଗ୍ରାହୀ ନାଡ଼ୀର ଆରମ୍ଭ ।

କ। ମଧ୍ୟକର୍ଣ୍ଣ‌‌ଗ‌ହ୍ୱର ବା କର୍ଣ୍ଣକୁହର ।
ଖ। ଅର୍ଦ୍ଧଚକ୍ରାକାର ନଳର ବ‌ହିର୍ଦ୍ଦେଶ ।
ଗ। ଅର୍ଦ୍ଧଚକ୍ରାକାର ନଳର ଭିତର ।
ଘ। ଶ୍ରୁତି ଶମ୍ବୁକର ଭିତର ।
ଚ। ଶ୍ରୁତି ଶମ୍ବୁକର ଆରମ୍ଭ ।
ଛ। କର୍ଣ୍ଣ କୁହର ମଧ୍ୟରୁ ଶ୍ରୁତିସ୍ରୋତର ଆରମ୍ଭ ।

ଜ। ଶବ୍ଦଗ୍ରାହୀ ନାଡ଼ୀର ଶାଖା ।

ଶ୍ରବଣେନ୍ଦ୍ରିୟ :- ଯେଉଁ ଇନ୍ଦ୍ରିୟଦ୍ୱାରା ଆମ୍ଭେମାନେ ସମସ୍ତ ପ୍ରକାର ଶବ୍ଦ ଶୁଣି ପାରୁଁ, ତାକୁ ଶ୍ରବଣେନ୍ଦ୍ରିୟ କହନ୍ତି । କାନ ଆମ୍ଭମାନଙ୍କର ଏହି କାର୍ଯ୍ୟ କରେ । ମୁଣ୍ଡର ଦୁଇପାଖରେ ଆମର ଦୁଇଟି କାମ ଅଛି । କାନର ଯେଉଁ ଅଂଶ ବାହାରକୁ ଦେଖାଯାଏ, ସେହି ଅଂଶକୁ କର୍ଣ୍ଣପକ୍ଷ (Pinna) କହନ୍ତି ଓ ଏହା ଏକ ପ୍ରକାର ତରୁଣାସ୍ଥିରେ ତିଆରି ହୋଇଅଛି; ତେଣୁ ଏହା ହାଡ଼ପରି ଶକ୍ତ ନୁହେଁ କିମ୍ବା ଚମ ଓ ମାଂସପରି ନରମ ନୁହେଁ । ଏହା ଏପରି ଭାବରେ ଗଢ଼ା ଯେ, ଯେଉଁଆଡ଼ୁ ଶବ୍ଦ ଆସୁ ନା କାହିଁକି, ତାହା ଏଥିରେ ବାଜି ଠିକ୍ କାନଫୋଡ଼ ଭିତରକୁ ଯାଏ । କର୍ଣ୍ଣପକ୍ଷ ଭିତରେ ଯେଉଁ ଫୋଡ଼ ଦେଖାଯାଏ, ତାହା ପ୍ରାୟ ଏକଇଞ୍ଚ ଲମ୍ବର ଗୋଟିଏ ନଳ; ଭିତରକୁ ଯାଇ ଗୋଟାଏ ପରଦାରେ ଶେଷ ହୋଇଛି । ଏହି ନଳକୁ କର୍ଣ୍ଣଗହରର ପ୍ରଥମ ଭାଗ କୁହାଯାଏ । ଯେଉଁ ପରଦାରେ ଏହା ଶେଷ ହୋଇଅଛି, ତାହା ଅନେକଟା ଢୋଲ ଦେହରେ ଥିବା ଚମଡ଼ା ପରି । ଏହି ପରଦାକୁ ଗିରି ବା କର୍ଣ୍ଣପଟୁହ (Tympanic Membrance) କହନ୍ତି । ଏହାର ଭିତର ପାଖରୁ ମଧ୍ୟ-କର୍ଣ୍ଣଗହର ବା କର୍ଣ୍ଣକୁହରର ଆରମ୍ଭ ହୋଇଛି । ଏହି କର୍ଣ୍ଣକୁହର ମଧ୍ୟରେ ଲାଗିଲାଗି ହୋଇ ତିନି ଖଣ୍ଡି ଛୋଟ ଛୋଟ ହାଡ଼ ଅଛି । ଏହି ହାଡ଼ ଭିତରୁ ପ୍ରଥମ ହାଡ଼ଟି ଦେଖିବାକୁ ଅନେକ ଅଂଶରେ ହାତୁଡ଼ି ପରି । ଏହାକୁ ମୁନ୍ଦରିକା (Malleus) କହନ୍ତି । ଏହା ଗୋଟାଏ ମୁଣ୍ଡରେ କର୍ଣ୍ଣପଟହରେ ଓ ଆର ମୁଣ୍ଡରେ ଦ୍ୱିତୀୟ ହାଡ଼ ସଙ୍ଗେ ଲାଗି ଅଛି । ଦ୍ୱିତୀୟ ହାଡ଼ ଖଣ୍ଡି ଦେଖିବାକୁ କମାରଙ୍କ ନିହାଇ ପରି । ଏହାର ନାମ ଅଙ୍କୁଶିକା (Incns) । ଏହି ହାଡ଼ଖଣ୍ଡି ତୃତୀୟ ହାଡ଼ ସଙ୍ଗେ ଲାଗିଅଛି । ଏହି ତୃତୀୟ ହାଡ଼ଟି ଦେଖିବାକୁ ଘୋଡ଼ା ଜିନ୍‌ର ରେକାବ ପରି । ଏହାକୁ ପର୍ଯ୍ୟନିକା (Stapes) କହନ୍ତି୯ । ପର୍ଯ୍ୟନିକାର ଶେଷ ମୁଣ୍ଡ କର୍ଣ୍ଣ‌ଗ‌ହ୍ୱରର ତୃତୀୟ ଅଂଶର ମୁହଁକୁ ଢାଙ୍କି ରହିଅଛି । କର୍ଣ୍ଣକୁହରଠାରୁ ଗୋଟିଏ ସୂକ୍ଷ୍ମନଳୀ ଯାଇ ଗଳକକ୍ଷ ସଙ୍ଗେ ମିଳିଛି । ଏହି ନଳୀକୁ ଶ୍ରୁତିସ୍ରୋତ (Eustacbian Tube) କହନ୍ତି । ଏହି ନଳୀବାଟେ କର୍ଣ୍ଣକୁହରରୁ ବାହାରର ପବନ ଯାତାୟାତ କରେ । କର୍ଣ୍ଣଗହ୍ୱରର ତୃତୀୟ ଅଂଶ ଆରମ୍ଭରେ ଗୋଟିଏ କ୍ଷୁଦ୍ର ଗର୍ତ୍ତ ଅଛି । ଏଠାରେ ଏକପ୍ରକାର ଜଳ ଥାଏ । ଏହାକୁ ଲାଗି ଆଉ ଗୋଟିଏ ଯନ୍ତ୍ର ଅଛି । ତାହା ଦେଖିବାକୁ ତିନୋଟି ଅର୍ଦ୍ଧଚକ୍ରାକାର ନଳ ପରି । ଏହା ଭିତରେ ମଧ୍ୟ ଏକ ପ୍ରକାର ଜଳ ଅଛି । ଏହି ଅର୍ଦ୍ଧଚକ୍ରାକାର ନଳ ତିନୋଟିକୁ ଲାଗି କରି ଶ୍ରୁତିଶମ୍ବୁକ ରହିଅଛି । ଏହା ଦେଖିବାକୁ ଗେଣ୍ଡା ପରି । ଏଇଟି ହେଲା ଶବ୍ଦସଂଗ୍ରହ କରିବାର ଅସଲ ଯନ୍ତ୍ର । ଏହା ଭିତରେ ସେତାରର ତାର ଟଙ୍କା ହେଲା ପରି ଅସଂଖ୍ୟ ଅସଂଖ୍ୟ ଛୋଟ ଛୋଟ ତାରତନ୍ତୁ ଟଙ୍କା ହୋଇ ରହିଅଛି । ଦୁନିଆରେ ଯେତେ ପ୍ରକାର ଶବ୍ଦ ସମ୍ଭବ ହୋଇ ପାରେ, ସେ ସବୁ ପାଇଁ ଗୋଟିଏ ଗୋଟିଏ ତାର ଅଛି । ଏହି ତାରକୁ ଲାଗି ଗୋଟିଏ ନାଡ଼ୀ ରହିଅଛି । ଏହି ନାଡ଼ୀସବୁ ଏକାଠି ମିଳି ଶବ୍ଦଗ୍ରାହୀ ନାଡ଼ୀ (Auditory_Nerve) ହୋଇ ମସ୍ତିଷ୍କ ଭିତରେ ଥିବା ଶ୍ରୁତି କେନ୍ଦ୍ରକୁ ଯାଇଅଛି । ଶବ୍ଦ ଉଚ୍ଚାରିତ ହେଲେ ବାୟୁରେ ଗୋଟିଏ ପ୍ରକାର ତରଙ୍ଗ ଜାତ ହୁଏ । ଏହି ତରଙ୍ଗ କାନଭିତର ଦେଇ କର୍ଣ୍ଣପଟ‌ହକୁ ଅଘାତ କରେ । ଢ଼ୋଲ ବଜାଇଲେ ଯାହା ହୁଏ, ଏହା ଠିକ୍ ସେହିପରି କରେ । ଶବ୍ଦତରଙ୍ଗ କର୍ଣ୍ଣପଟହର ମୁନ୍ଦରିକା, ଅଙ୍କୁଶିକା ଓ ପର୍ଯ୍ୟନିକା ଆଦି ବାଟ ଦେଇ କର୍ଣ୍ଣଗହ୍ୱରର ଶେଷଭାଗରେ ଥିବା ଶ୍ରୁତିଶମ୍ଭୂକରେ ପ‌ହଞ୍ଚେ । ଏଠାରେ ପ୍ରତ୍ୟେକ ଶବ୍ଦ ପାଇଁ ଗୋଟିଏ ଗୋଟିଏ ତାର ରହିଅଛି; ତେଣୁ ଯେଉଁ ଯେଉଁ ଶବ୍ଦ ଉଚ୍ଚାରିତ ହୋଇଥାଏ, ସେହି ସେହି ଶବ୍ଦର ତାରସବୁ ଥରି ଉଠନ୍ତି ଓ ସେହି କମ୍ପନ ଶବ୍ଦଗ୍ରାହୀ ନାଡ଼ୀ ବାଟେ ମସ୍ତିଷ୍କର ଶ୍ରୁତିକେନ୍ଦ୍ରକୁ ଯାଏ; ତେଣୁ କି ଶବ୍ଦ ହେଲା ତାହା ଆମ୍ଭେମାନେ ଜାଣି ପାରୁଁ ।

ଘ୍ରାଣେନ୍ଦ୍ରିୟ :-ଘ୍ରାଣେନ୍ଦ୍ରିୟ ନାକରେ ଅଛି । ନାକ କିପରି ତାହା ଆଗରୁ କୁହାଯାଇଅଛି । ନାକବାଟେ ଆମେ ନିଶ୍ୱାସ ନେଉଁ ଓ ଶୁଙ୍ଘୁ ।

ମସ୍ତିଷ୍କରେ ଗୋଟିଏ ଘ୍ରାଣକେନ୍ଦ୍ର ଅଛି । ଏହି ଘ୍ରାଣକେନ୍ଦ୍ରରୁ ଗନ୍ଧବାହୀ ନାଡ଼ୀ ଆସି ଖୁବ୍ ସୂକ୍ଷ୍ମ ସୂକ୍ଷ୍ମ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ନାକର ଉପର ପଟର ଅଳ୍ପ କେତେକ ଅଂଶରେ ଥିବା ଶ୍ଳୈଶ୍ମିକ ଝିଲ୍ଲିରେ ଶେଷ ହୋଇଅଛି । ଯେ କୌଣସି ଜିନିଷ ହେଉ ନା କାହିଁକି, ତାର ପରମାଣୁ ପବନରେ ଭାସେ । ପରମାଣୁ ଏଡ଼େ ସୂକ୍ଷ୍ମ ଯେ ରାସାୟନିକ ପ୍ରକ୍ରିୟା (Chemical action) ତ ଦୂରର କଥା, ବଢ଼ିଆ ବଢ଼ିଆ ଅଣୁବୀଷଣ ଯନ୍ତ୍ର ସାହାଯ୍ୟରେ ସୁଦ୍ଧା ତାହା ଦେଖାଯାଏ ନାହିଁ । ଏହା ପବନରେ ଭାସି ନିଃଶ୍ୱାସ ବାଟେ ନାକ ଭିତରକୁ ଯାଏ ଏବଂ ସେଠାର ଓଦା ଶ୍ଳୈଶ୍ମିକ ଝିଲ୍ଲି ଦେହରେ ଲାଗି ତ‌ହିଁରେ ମିଳାଇଯାଏ । ନାକର ଶ୍ଳୈଶ୍ମିକ ଝିଲ୍ଲିରେ ରନ୍ଧବାହୀ ନାଡ଼ୀର ଅତି ସୂକ୍ଷ୍ମ ସୂକ୍ଷ୍ମ ଚରମ ଶାଖା ରହିଅଛି । ପରମାଣୁ ମିଳାଇ ଗନ୍ଧବାହୀ ନାଡ଼ୀର ଚରମ ଶାଖାମାନଙ୍କ ଦେହରେ ଲାଗେ, ତେଣୁ ଆମ୍ଭେମାନେ ଗନ୍ଧ ବାରି ପାରୁଁ ।

ଯେଉଁସବୁ ଜିନିଷର ପରମାଣୁ ନାକର ଓଦା ଶ୍ଳୈଶ୍ମିକ ଝିଲ୍ଲିରେ ମିଳାଇ ପାରେ ନାହିଁ ତାହାର ଗନ୍ଧ ଆମେ ବାରିପାରୁ ନାହିଁ । ତେଣୁ ସେ ସବୁ ଜିନିଷକୁ ଗନ୍ଧ‌ହୀନ ଜିନିଷ ବୋଲି କହୁଁ । ନାକ ଭିତରଟାଜାକ ଗନ୍ଧବାରି ପାରେ ନାହିଁ, କେବଳ ତାହାର ଉପରପଟର ଅଳ୍ପ ଟିକିଏ ଜାଗା ଗନ୍ଧ ବାରିପାରେ, କାରଣ ଏହି ଯାଗାରେ ଗନ୍ଧବାହୀ ନାଡ଼ୀର ଚରମ ଶାଖା ଥାଏ । ନାକର ଅନ୍ୟସ୍ଥାନରେ ଏହା ଥାଏ ନାହଁ ।

ରସନେନ୍ଦ୍ରିୟ :—ଜିଭଦ୍ୱାରା ଆମେ ସ୍ୱାଦ ବାରି ପାରୁଁ । ଖଟା, ମିଠା, ପିତା, କଷା ଆଦି ଯେଉଁ ସବୁ ରସ ଅଛି, ତାହା ଜିଭ ଛଡ଼ା ଆଉ କାହିଁରେ ଜାଣି ହୁଏ ନାହିଁ । ଜିଭକୁ ଦେଖିଲେ ଏହା ଉପର ମଖମଲ୍ କନା ପରି ରିବି ରିବି ଦେଖାଯାଏ । ଏହି ଯେଉଁଗୁଡ଼ିକ ରିବି ରିବି ହୋଇ ବାହାରି ଥାଏ, ତାହାରି ଦ୍ୱାରା ଆମେ ଜିନିଷର ସ୍ୱାଦ ବାରି ପାରୁଁ । ଏହି ରିବିରିବିଆ ଭିତରୁ କେତେକ ଖୁବ ଛୋଟ, କେତେକ ଟିକିଏ ଅଳ୍ପ ବଡ଼, ଆଉ କେତେକ ସବୁଠାରୁ ବଡ଼ । ବଡ଼ଙ୍କ ସଂଖ୍ୟା କମ୍ କିନ୍ତୁ ଛୋଟଙ୍କ ସଂଖ୍ୟା ଏତେ ବେଶି ଯେ ଗଣି ହେବ ନାହିଁ । ଏମାନଙ୍କୁ ସ୍ୱାଦଗ୍ରାହୀ କନ୍ଦ (Lingual Papillae) କହନ୍ତି । ମସ୍ତିଷ୍କରେ ସ୍ୱାଦଗ୍ରାହୀ କେନ୍ଦ୍ର ଅଛି ଓ ସେଠାରୁ ସ୍ୱାଦବାହୀ ନାଡୀ ଆସି ଖୁବ ଛୋଟ ଛୋଟ ଶାଖାପ୍ରଶାଖାରେ ବିଭକ୍ତ ହୋଇ ସ୍ୱାଦଗ୍ରାହୀ କନ୍ଦରେ ଶେଷ ହୋଇଅଛି । କୌଣସି ଜିନିଷ ଖାଇଲେ, ତାହା ଏହି ସ୍ୱାଦଗ୍ରାହୀ କନ୍ଦରେ ଲାଗେ । ସ୍ୱାଦଗ୍ରାହୀ କନ୍ଦ ସଦାବେଳେ ଓଦା ଥାଏ, ତେଣୁ ଉକ୍ତ ଜିନିଷ ତହିଁ ଉପରେ ମିଳାଇବାକୁ ଲାଗେ । ସ୍ୱାଦବାହୀ ନାଡ଼ୀ ତାର ସ୍ୱାଦ ଗ୍ରହଣ କରି କେନ୍ଦ୍ରକୁ ପଠାଏ, ଫଳରେ ଆମ୍ଭେମାନେ ସ୍ୱାଦ ବାରି ପାରୁଁ । ଯେଉଁ ଜିନିଷ ଜଳରେ ମିଳାଏ ନାହିଁ, ତାର ସ୍ୱାଦ ଆମେ ଜାଣି ପାରୁ ନାହିଁ ; ତେଣୁ ସେ ସବୁ ଜିନିଷକୁ ସ୍ୱାଦ‌ହୀନ ବୋଲି କ‌ହୁଁ । କେତେକ ଜିନିଷ କଡ଼ୁଆ ଲାଗେ, କେତେକ ଜିନିଷ ଆଇଗିଣିଆ ଲାଗେ । କଡୁଆ କିମ୍ବା ଆଇଗିଣିଆ ସ୍ୱାଦ ନୁହେ । କଡ଼ା ଜିନିଷ ଜିଭରେ ଲାଗି ସେଠାରେ ଥିବା ସାଧାରଣ ନାଡ଼ୀମାନଙ୍କୁ ଉତ୍ତେଜିତ କରେ । ଫଳରେ ସେଠାରେ ଏକ ପ୍ରକାର ଯନ୍ତ୍ରଣା ଜନ୍ମାଏ । ଏହି ଯନ୍ତ୍ରଣାକୁ ଆମେ କଡ଼ୁଆ, ଆଇଗିଣିଆ ଆଦି କହି ଥାଉଁ ।

ଭିନ୍ନ ଭିନ୍ନ ସ୍ୱାଦଗ୍ରାହୀ କନ୍ଦ ଭିନ୍ନ ଭିନ୍ନ ସ୍ୱାଦ ବାରି ପାରେ । ଯେଉଁ କନ୍ଦ ମିଠା ବାରିବ, ସେ ପିତା ବାରିବ ନାହିଁ, ଯେ ପିତା ବାରିବ, ସେ ଖଟା ବାରିବ ନାହିଁ – ଏହିପରି । ଜିଭର ଭିନ୍ନ ଭିନ୍ନ ଅଂଶରେ ବିଭିନ୍ନ ପ୍ରକାର ସ୍ୱାଦଗ୍ରାହୀ କନ୍ଦ ଅଳ୍ପାଧିକ ଅଂଶରେ ଦେଖାଯାଏ, ତେଣୁ ଜିଭ ସମାନଭାବରେ ସବୁ ଜାଗାରେ ସବୁ ସ୍ୱାଦ ବାରି ପାରେ ନାହିଁ । ଜିଭ ମୂଳରେ ପିତା ବାରିବା ରିବି ରିବି ବେର୍ଶା ଥିବାରୁ ସେଠାରେ ଅତି ସହଜରେ ଓ ଅପେକ୍ଷାକୃତ ଭଲ ଭାବରେ ପିତା ଚାଖି ହୁଏ । ଜିଭ କଡ଼ରେ ଖଟା ବାରିବା ରିବି ରିବି ବେଶି ଅଛି । ସେହିପରି ମିଠା ବାରିବା ରିବି ରିବି ଜିଭ ଆଗରେ ବେଶି ଥିବାରୁ ମିଠା ଚାଖିଲାବେଳେ ଆମେ ଆଗକରି ଜିଭ ଆଗ ବଢ଼ାଇ ଦେଉଁ । ସ୍ପର୍ଶେନ୍ଦ୍ରିୟ :-ଚମ ଆମ୍ଭମାନଙ୍କର ସ୍ପର୍ଶେନ୍ଦ୍ରିୟ । କୌଣସି ଜିନିଷ ଆମ୍ଭମାନଙ୍କ ଦେହରେ ବାଜିଲେ କିମ୍ବା କିଛି ଗୋଟାଏ ଫୋଡ଼ି ହୋଇଗଲେ ଆମେ ଯେ ତାହା ଜାଣିପାରୁ ଏଇ ହେଲା ସ୍ପର୍ଶେନ୍ଦ୍ରିୟର କାର୍ଯ୍ୟ । ଏହାଦ୍ୱାରା ମଧ୍ୟ ଆମ୍ଭେମାନେ ଥଣ୍ତା, ଗରମ, ଭାର, ହାଲୁକା, ନରମ କି ଟାଣ ଆଦି ବାରି ପାରୁଁ ଏବଂ କୌଣସି ଜିନିଷ ନ ଦେଖି ସୁଦ୍ଧା ତାହା ଗୋଲ, ଚେଷ୍ଟା କିମ୍ବା ଆଉ କିଛି ଆକାରର ଏବଂ ଚିକ୍କଣ କି ଆବୁଡ଼ା ଖାବୁଡ଼ା ଏହା ହାତ ବୁଲେଇ କହି ପାରୁଁ । ଚମ ଆମ ଦେହକୁ ଏକାବେଳେକେ ଘୋଡ଼େଇ କରି ରଖିଛି, ତେଣୁ ବାହାରର ଯେତେ ଯାହା ଆଘାତ ତାହା ପ୍ରଥମେ ଚମ ଉପରେ ପଡ଼ୁଅଛି । ଚମ ଆଘାତ ନ ପାଇବା ଯାଏ ଦେହ ଭିତରର କିଛି ଅନିଷ୍ଟ ହେବା ଅସମ୍ଭବ । ଚମରେ ସ୍ପର୍ଶେନ୍ଦ୍ରିୟ ଥିବାରୁ ଦେହର ଯେ କୌଣସି ଜାଗାରେ ଆଘାତ ପଡ଼ିଲେ ଆମେ ତାହା ଜାଣି ପାରି ଦେହକୁ ରକ୍ଷା କରିବାର ଚେଷ୍ଟା କରି ପାରୁଅଛୁଁ । ଚମର ଉପର ଅଂଶକୁ ମଳିଚମ (Epidermis) କହନ୍ତି । ସାଧାରଣତଃ ମଳିଚମ ଭାରି ପତଳା, କିନ୍ତୁ ପାପୁଲି ଉପରର କିମ୍ବା ତଳିପାର ମଳିଚମ ମୋଟା । ଆମେ ଗୋଡ଼ରେ ଚାଲୁଁ ଓ ହାତରେ ଧରୁଁ । ଏହି ହେତୁରୁ ଏ ସ୍ଥାନ ସବୁବେଳେ କଠିଣ ଜିନିଷ ସଙ୍ଗେ ଘଷି ହୁଏ; ତେଣୁ ଭିତରର କୋମଳ ଅଂଶକୁ ରକ୍ଷା କରିବା ନିମନ୍ତେ ଏ ସ୍ଥାନର ମଳିଚମ ଭାରି ମୋଟା । ମଳିଚମ ଭିତରେ ରକ୍ତ ଯିବା ଆସିବା ପାଇଁ କୌଣସି ପ୍ରକାର ଧମନୀ କିମ୍ବା ଶିରା ନାହିଁ । ଏହା ବାହାରର ଜଳ,ବାୟୁ ଓ ଅନ୍ୟାନ୍ୟ ଜିନିଷ ସହିତ ଘଷି ହୋଇ ସଦାବେଳେ କ୍ଷୟପ୍ରାପ୍ତ ହେଉଥାଏ ଏବଂ ପୁରୁଣା ମଳିଚମ ବଦଳରେ ନୂଆ ମଳିଚମ ଜାତ ହୋଇ କ୍ଷୟ ହେଉଥିବା ମଳିଚମର ସ୍ଥାନ ପୂରଣ କରୁଥାଏ । ଏହି ମଳିଚମ ତଳେ ଏକ ପ୍ରକାର ରଙ୍ଗ ଅଛି । ତାହା ଯୋଗେ ଲୋକ କଳା, ଗୋରା, ସାବନା ଆଦି ହୋଇଥାଏ । ଯେଉଁ ସ୍ଥାନରେ ସୂର୍ଯ୍ୟକିରଣ ପ୍ରଖର, ସେଠାରେ ଏହି ରଙ୍ଗ ବେଶୀ କଳା ହୁଏ; ତେଣୁ ସେଠାର ଲୋକମାନେ ଦେଖିବାକୁ କଳା ହୁଅନ୍ତି । ଆମର ଯେଉଁ ବାଳ, ନଖ ଆଦି ଅଛି ତାହା ଏହି ମଳିଚମର ରୂପାନ୍ତର ମାତ୍ର ।

ମଳିଚମ ତଳକୁ ଅନ୍ତସ୍ତ୍ୱକ (Dermis) । ଏଠାରେ ରକ୍ତ ଯିବା ଆସିବା ପାଇଁ ଜାଲକ ଆଦି ଅଛି । ଯେଉଁ ଯନ୍ତ୍ର ସାହାଯ୍ୟରେ ଆମେ ସ୍ପର୍ଶ କରି ଜାଣି ପାରୁଁ, ତାହା ଚମର ଏହି ପରସ୍ତରେ ଅଛି । ଏହି ଯନ୍ତ୍ରକୁ ସ୍ପର୍ଶକନ୍ଦ (Tactile Corpuscles) କହନ୍ତି । ଏହା ସଜ୍ଞାବହା ନାଡ଼ୀର ଶେଷ ଅଂଶ । ଏହା ଦେହରେ କୌଣସି ଜିନିଷ ବାଜିଲେ କିମ୍ବା ଏହା କୌଣସି ଜିନିଷରେ ବାଜିଲେ, ସେ ସମ୍ବାଦ ସଂଜ୍ଞାବ‌ହା ନାଡ଼ୀ ସାହାଯ୍ୟରେ କେନ୍ଦ୍ରକୁ ଯାଏ; ତେଣୁ କୌଣସି ଜିନିଷ ବାଜିଲା ବୋଲି ଆମେ ଜାଣି ପାରୁଁ । ଟିପରେ ଓ ଜିଭ ଅଗରେ ଖୁବ୍ ବେଶୀ ସ୍ପର୍ଶକନ୍ଦ ଥିବାରୁ ଏହି ସବୁ ସ୍ଥାନ‌ଦ୍ୱାରା ବେଶୀ ଭଲରୂପେ ବାରି ହୁଏ ।

ଯେଉଁ ଯନ୍ତ୍ରରେ ଝାଳ ତିଆରି ହୁଏ, ତାହା ଚମ ଭିତରେ ରହିଥାଏ ଏବଂ ତାହା ଦେହରୁ ଗୋଟିଏ ଗୋଟିଏ ନଳୀ ଯାଇ ଚମ ଉପରେ ବାହାରକୁ ଫୁଟିଥାଏ । ଏହି ନଳୀବାଟେ ଝାଳ ବାହାରକୁ ବାହାରେ । ଆମ ଦେହରେ ଅସଂଖ୍ୟ ଅସଂଖ୍ୟ ନଳୀ ଝାଳ ବାହାରିବା ପାଇଁ ରହିଅଛି । ବଡ଼ ବଡ଼ ପଣ୍ଡିତମାନେ ହିସାବ କରି ଦେଖିଛନ୍ତି ଯେ, ଯଦି ଦେହରେ ଥିବା ନଳୀତକ ଧାଡ଼ିକରି ଗୋଟିକ ମୁଣ୍ଡକୁ ଗୋଟିଏ ଲଗାଇ ରଖାଯାଏ ତେବେ ତାହା ୨୮ ମାଇଲ ଲମ୍ଭ ହେବ । ଏହ ନଳୀଗୁଡ଼ିକ ଏଡ଼େ ଛୋଟ ଯେ ଏହା ଖାଲି ଆଖିରେ ଦେଖି ପାରିବା ଅସମ୍ଭବ ।

ଚମ ଭିତରେ କେଶମୂଳଗୁଟିକା ( Hair Follicle) ନାମରେ ଏକପ୍ରକାର ମାଂସଳ କୋଷ ଅଛି । ପିଆଜ ଦେହରୁ ପିଆଜ ସଣ୍ଡା ବାହାରିଲା ପରି ଏହା ଦେହରୁ ବାଳ ଉଠିଥାଏ । ବାଳ ମୂଳରେ ଏକପ୍ରକାର ଛୋଟ ଛୋଟ ମାଂସପେଶୀ ଅଛି । ଦରକାରବେଳେ ଏହା ଟାଣିହୋଇ ଯିବାରୁ ଲୋମ ଟାଙ୍କୁରି ଉଠେ ପ୍ରତ୍ୟେକ କେଶମୂଳଗୁଟିକା ଚାରିପାଖେ ଦୁଇ ଚାରୋଟି କରି ବସାବହ ଗ୍ରନ୍ଥି (Sebacious Glands) ଅଛି । ଏଥିରୁ ଏକ ପ୍ରକାର ତେଲିଆ ଜିନିଷ ବାହାରି ମଳିଚମ ଓ ଲୋମକୁ ତେଲିଆ ଓ ଚିକ୍କଣ ରଖେ, ଏଥିପାଇଁ ତେଲ ନ ଲଗାଇଲେ ମଧ୍ୟ ଲୋମ ଚକ ଚକ କରୁଥାଏ ।

ଉପରେ ଯାହା ସବୁ କୁହାଗଲା ସେଥିରୁ ଜଣାଯାଏ, ଚମ ଯେ ଖାଲି ସ୍ପର୍ଶେନ୍ଦ୍ରିୟ ତାହା ନୁହେ । ଏହା ଭିତରେ ସ୍ବେଦ ଗ୍ରନ୍ଥି ଥିବାରୁ ସେଠାରେ ଝାଳ ତିଆର ହୁଏ ଓ ଝାଳବାଟେ ଦେହ ଭିତରୁ ଅନେକ ମଇଳା ବାହାରିଯାଏ । ଏଥିରୁ ବାଳ ଓ ଲୋମ ଉଠିଥାଏ । ଏଥି ମଧ୍ୟରେ ବସାବ‌ହଗ୍ରନ୍ଥି ଥିବାରୁ ଏକପ୍ରକାର

ତେଲିଆ ଜିନିଷ ବାହାରି ଚମ ଓ ଲୋମକୁ ସଦାବେଳେ କୋମଳ

ଦେହର ଚମକୁ ଲମ୍ବ ମାର୍ଗରେ କାଟି ଅଣୁବୀକ୍ଷଣ ଯନ୍ତ୍ରଦ୍ୱାରା ଦେଖିଲେ ତାହା ଏହିପରି ଦେଖାଯାଏ ।

  1. ବସାବ‌ହ ଗ୍ରନ୍ଥି (Sebacious Gland)।
  2. ସ୍ୱେଦବାହୀ ନାଳୀ ।
  3. ସ୍ୱେଦ‌ଗ୍ରନ୍ଥି (Sweat gland) ।
  4. କେଶମୂଳ ଗୁଟିକା (Hair Follicle) ।
  5. ଲୋମମୂଳରେ ଥିବା ମାଂସପେଶୀ । ଏହା ଟାଣିହୋଇ ଗଲେ ଲୋମ ଟାଙ୍କୁରି ଉଠେ ।
  6. ସ୍ୱେଦବାହୀନାଳୀ ଏହିପରି ଚମ ଉପରେ ବାହାରକୁ ଫୁଟି ଅଛି । ଏହିବାଟେ ଝାଳ ବାହାରେ ।
  7. ଲୋମ ।

ଉପର ଥିବା ପରଦା ସବୁକୁ ଛଡ଼ାଇ ସୁଷ୍କକୁ ଲମ୍ବମାଗରେ ଫାଳକରି ହେଲେ ତାହା ଏହିପରି ଦେଖାଯାଏ । ଶୁକ୍ରକୋଷ, ଶୁକ୍ରାନୁପ୍ରଣାଳୀ, ଶୁକ୍ରନଳୀ ଏବଂ ଶୁକ୍ରାଶୟ ଆଦି ଚିତ୍ରରୁ ଦେଖା ଯାଉଅଛି ।

(୧୦୪ ପୃଷ୍ଠାରେ ସୁଷ୍କ କଥା କୁହାଯାଇଅଛି )

ଓ ଚିକ୍କଣ ରଖିଥାଏ । ଚମରେ କୌଣସି ଜିନିଷ ବାଜିଲା

ମାତ୍ରେ ଅମେ ଜାଣିପାରୁଥିବାରୁ ନିଜକୁ ସତର୍କ ରଖିପାରୁ ଏବଂ ଚମ ଆମ ଦେହକୁ ଗୋଟିଏ ଥଳୀରେ ପୁରାଇ ରଖିଲା ଭଳି ରଖି ଥିବାରୁ ନାନା ବିପଦ ଆପଦରୁ ରକ୍ଷା କରେ ।

ଏସବୁ ଛଡ଼ା ଚମଦ୍ୱାରା ଆଉ କେତୋଟି ବଡ଼ ବଡ଼ କାମ ହୁଏ । ଫୁସ୍‌ଫୁସ୍‌ଦ୍ୱାରା ଆମେ ତ ନିଶ୍ୱାସ ନେଉ, ତା ଛଡ଼ା ଚମ ବାଟେ ମଧ୍ୟ ଆମ ଅଜଣାରେ ଦେହ ଭିତରକୁ ପବନ ଯା ଆସ କରେ ଓ ଠିକ୍ ଫୁସ୍‌ଫୁସ୍ ପରି ଏଥିରେ ମଧ୍ୟ ରକ୍ତ ସଫା ହୁଏ; ତେବେ ଫୁସ୍‌ଫୁସ୍ ଯେତେ ପରିମାଣରେ ଦିନାଦି ରକ୍ତ ସଫା କରେ ଏହାଦ୍ୱାରା ତେତେ ହୁଏ ନାହିଁ । ଫୁସ୍‌ଫୁସ୍ ସାହାଯ୍ୟରେ ଆମେ ଯେତେ ନିଃଶ୍ୱାସ ନେଉଁ ଏ ତାହାର ୧/୨୦୦ ଭାଗ ନିଃଶ୍ୱାସ ନିଏ – ଏହା କିଛି କମ୍ କଥା ନୁହେ । ଏହା ଛଡ଼ା ମଧ୍ୟ ଚମରେ ଶୋଷିପାରିବାର ଗୁଣ ଥିବାରୁ ଏହା ଜଳ ଆଦି କେତେକ ଜିନିଷ ଶୋଷିନିଏ । ଏହେତୁରୁ ଖୁବ୍ ଶୋଷ କରୁଥିବା ବେଳେ ଗାଧୋଇ ପଡ଼ିଲେ ଅନେକ ପରିମାଣରେ ଶୋଷ ମରିଯାଏ । ଡ଼ାକ୍ତରମାନେ କେତେକ ଔଷଧ ଖାଇବାକୁ ନ ଦେଇ ଚମ ଉପରେ ମାଲିସ କରିବାକୁ ଦିଅନ୍ତି । ମାଲିସ କରିବାଦ୍ୱାରା ଏହା ଚମ ଭିତର ଦେଇ ଦେହକୁ ଯାଏ, ତେଣୁ ଖାଇବାପରି ତାର ଗୁଣ ମିଳେ । ଦେହରେ ମଳି ବସିଲେ ଭାରି ଖରାପ ବୋଲି ସମସ୍ତେ ଜାଣନ୍ତି । କାରଣ ଚମ ସେହି ମଳିରୁ କେତେକ ପରିମାଣରେ ଶୋଷିନିଏ । ମଳି ବଡ଼ ବିଷାକ୍ତ ଜିନିଷ, ଏହା ଦେହ ଭିତରକୁ ଯାଇ ନାନା ପ୍ରକାର ଅନିଷ୍ଟ କରେ । ଏହେତୁରୁ ଦେହରେ ମଳି ବସିଲେ ସଙ୍ଗେ ସଙ୍ଗେ ପରିଷ୍କାର କରିଦେବା ଉଚିତ । ଲୁଗା, ଜାମା ପ୍ରଭୃତି ପିନ୍ଧି ଆମେ ଯେପରି ଦେହର ଉତ୍ତାପ ରକ୍ଷାକରୁଁ, ଚମଦ୍ୱାରା ମଧ୍ୟ ସେହିପରି ଦେହର ଅନେକ ଉତ୍ତାପ ରକ୍ଷା ହୁଏ । ଏହା ଭଗବାନଙ୍କ ଦିଆ ଆମର ପ୍ରାକୃତିକ ପୋଷାକ ।

ପଞ୍ଚେନ୍ଦ୍ରିୟ କଥା କିଛି କିଛି କୁହାଗଲା । ବର୍ତ୍ତମାନ ଦେହର ଆଉ କେତୋଟି ଯନ୍ତ୍ର ବିଷୟରେ ଦୁଇ ଚାରି କଥା କୁହାଯାଉ ଅଛି ।