ଆମ ଦେହ/ଦେହର ଅନ୍ୟାନ୍ୟ କେତୋଟି ଯନ୍ତ୍ର

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ଦେହର ଅନ୍ୟାନ୍ୟ କେତୋଟି ଯନ୍ତ୍ର


Ama Deha (BB Patnaik 1940) o.pdf

ଦେହର ଅନ୍ୟାନ୍ୟ କେତୋଟି ଯନ୍ତ୍ର ସ୍ୱରଯନ୍ତ୍ର :- ଆମେ ଯେ କଥା କହୁଁ ଏଥିପାଇଁ ଆମ ଦେହରେ ଗୋଟିଏ ଯନ୍ତ୍ର ଅଛି, ଏହାର ନାମ ସ୍ୱରଯନ୍ତ୍ର । ଏହା କେଉଁଠାରେ ଥାଏ, ତାହା ଆଗରୁ ଥରେ କୁହାଯାଇଅଛି । ଗଳକକ୍ଷ ତଳୁ ଶ୍ୱାସନାଳୀ ବାହାରିଅଛି । ଏହି ବାଟେ ନିଃଶ୍ୱାସ ପବନ ଫୁସ୍‌ଫୁସ୍‌କୁ ଯାଏ । ଏହି ଶ୍ୱାସନାଳୀର ପ୍ରଥମ ଭାଗଟା ତଳଭାଗ ଅପେକ୍ଷା ବେଶୀ ଚଉଡ଼ା । ଏଥିରେ ଠିକ ଅଧିଜିହ୍ୱା ମୂଳପାଖକୁ ଲାଗି ସ୍ୱରଯନ୍ତ୍ର ଅଛି । ସପ୍ତସ୍ୱର ବାଜାରେ ଯେପରି କେତେଗୁଡ଼ିଏ ପିତ୍ତଳ ପରଦା (Reed) ଥାଏ ଓ ଉକ୍ତ ବାଜାକୁ ଫୁଙ୍କିଲେ ସେହି ପରଦା ବାଟେ ପବନ ଆସିବାରୁ ତାହା କମ୍ପିଉଠେ ଓ ତହିଁ ସଙ୍ଗେ ସଙ୍ଗେ ସ୍ୱର ବାହାରେ, ସେହିପର ଆମ ସ୍ୱରଯନ୍ତ୍ରରେ ଦୁଇଟି ପରଦା ଅଛି । ଏଥି ସଙ୍ଗେ ମାଂସପେଶୀ ଲାଗି ଅଛି । ଏହି ମାଂସପେଶୀ ଟାଣି ହୋଇଗଲେ ସ୍ୱରଯନ୍ତ୍ରର ପରଦା (Vocal Cord) ଟାଙ୍କି ହୋଇଯାଏ ଓ ସେତେବେଳେ ତ‌ହିଁ ଭିତର ଦେଇ ପବନ ଗଲେ ସ୍ୱର ବାହାରେ । ଭିନ୍ନ ଭିନ୍ନ ମାତ୍ରାରେ ଟାଙ୍କି ହୋଇଗଲେ ଭିନ୍ନ ଭିନ୍ନ ସ୍ୱର ଜାତ ହୁଏ | ହାରମୋନିୟମ୍ କିମ୍ବା ପିଆନୋ ଆଦି ବାଜାରେ ଏତେଗୁଡ଼ିଏ ପରଦା ଥାଇ ସୁଦ୍ଧା ତ‌ହିଁରେ ଯେଉଁ ଯେଉଁ ସ୍ୱର ନ ମିଳେ, ଆମ ଦେହକଲର ସ୍ୱରଯନ୍ତ୍ରରେ ଦୁଇଟି ମାତ୍ର ପରଦା ଥାଇ ଦୁନିଆର ଯାବତୀୟ ସ୍ୱର ତ‌ହିଁରୁ ବାହାରି ପାରେ । ଏହି ଶବ୍ଦ ବାହାରକୁ ଆସିବାବେଳେ ଜିଭ, ତାଳୁ, ଦାନ୍ତ, ଓଠ ପ୍ରଭୃତିଙ୍କ ଦ୍ୱାରା ତାହାର ଅନେକ ପରିବର୍ତ୍ତନ ଘଟିଥାଏ; ତେଣୁ ଦାନ୍ତ ପଡ଼ିଗଲେ କିମ୍ବା ପକ୍ଷାଘାତ ପ୍ରଭୃତି ରୋଗରୁ ଓଠ ନ ଚଳିଲେ ଲୋକ ଖନେଲ ଖନେଇ କଥା କ‌ହେ । ସ୍ୱରଯନ୍ତ୍ର ସାହାଯ୍ୟରେ କଥା କହି ହୁଏ ସତ, କିନ୍ତୁ ଏହା ପାଇଁ ମସ୍ତିଷ୍କରେ ଗୋଟିଏ ନିର୍ଦ୍ଧିଷ୍ଟ କେନ୍ଦ୍ର ଅଛି । ସେହି କେନ୍ଦ୍ର ଦେହରୁ ସ୍ୱରଯନ୍ତ୍ରକୁ ନାଡ଼ୀ ଆସିଅଛି । କୌଣସି କଥା କହିବାକୁ ଇଚ୍ଛା କଲେ କେନ୍ଦ୍ର ଆଦେଶ ଦିଏ, ତେଣୁ ସ୍ୱରଯନ୍ତ୍ର ଟାଙ୍କି ହୁଏ ଓ ତା ମଧ୍ୟ ଦେଇ ପବନ ଯାଏ, ତେଣୁ ଶବ୍ଦ ଉଚ୍ଚାରିତ ହୁଏ । ସେହି ସମୟରେ ଜିଭ, ଓଠ ଆଦି ମଧ୍ୟ ସେମାନଙ୍କ କାର୍ଯ୍ୟ କରିବାରେ ଲାଗନ୍ତି । ସେମାନଙ୍କ ଦ୍ୱାରା ଶବ୍ଦ ଆବଶ୍ୟକମତେ ପରିବର୍ତ୍ତିତ ହୋଇ ଶେଷରେ ଯାହା କହିବାକୁ ଆମର ଇଚ୍ଛା ଥାଏ, ଠିକ୍ ସେହି ଆକାରରେ ବାହାରେ ।

ଆଗର ବୃକ୍କ, ସ୍ୱେଦଗ୍ରନ୍ଥି, ଲାଲ ଓ କ୍ଳୋମଗ୍ରନ୍ଥି ଆଦି ବିଷୟରେ କେତେକ କଥା କୁହାଯାଇଅଛି । ତଳେ ଆଉ କେତୋଟି ଗ୍ରନ୍ଥି ବିଷୟରେ ଦୁଇ ଚାରି କଥା କୁହାଗଲା ।

ଯକୃତ: - ଯକୃତ ସବୁଠାରୁ ବଡ଼ ଗ୍ରନ୍ଥି । ଏହା ପେଟଭିତରେ ଓ ମଧ୍ୟଚ୍ଛଦା ପେଶୀ ତଳକୁ ଅଛି । ଏହାର ବେଶିଭାର ଡାହାଣ ପାଖରେ; ବାମ ପାଖକୁ ସାମାନ୍ୟ କିଛି ମାଡ଼ିଛି । ଯକୃତରେ ପିତ୍ତ ତିଆର ହୁଏ ।

ପିତ୍ତ ଅଗ୍ନ୍ୟାଶୟ ରସ ସଙ୍ଗେ ମିଳି ଅନ୍ତମୂଳରେ ଆସି ପାକମଣ୍ଡ ସଙ୍ଗରେ ମିଶେ ଓ ତଦ୍ୱାରା ଖାଦ୍ୟ ଜୀର୍ଣ୍ଣ ହୁଏ । ଉଦ୍‌ବୃତ୍ତ ପିତ୍ତ ଗୋଟିଏ ଛୋଟ ଥଳୀରେ ଜମା ହୋଇଥାଏ । ଏହି ଥଳୀକୁ ପିତ୍ତକୋଷ (Gall Bladder) କ‌ହନ୍ତି, ଏହା ଯକୃତକୁ ଲାଗି ରହିଅଛି ।

Ama Deha (BB Patnaik 1940) o.pdf

(ଯକୃତ, ପାକସ୍ଥଳୀ, ଗ୍ରହଣୀ ଓ ଅଗ୍ନ୍ୟାଶୟର ଚିତ୍ର । ଯକୃତ ଓ ପାକସ୍ଥଳୀ ଉପରକୁ ଟେକି ଦିଆଯାଇଥିବାରୁ ସେ ଦୁହିଙ୍କର ତଳ ଓ ପଛପଟ ଦେଖାଯାଉ ଅଛି । ପିତ୍ତ ଓ ଅଗ୍ନ୍ୟାଶୟ ରସ ଆସି ଗ୍ରହଣୀଠାରେ କିପରି ପାକମଣ୍ଡ ସଙ୍ଗେ ମିଶନ୍ତି, ତାହା ଏହି ଚିତ୍ରରୁ ଜଣାଯାଏ ।)

ଯକୃତ ମଧ୍ୟ ଦେହ ଭିତରେ ଗୋଟିଏ ବଡ଼ କଳଘର । ଏହା ସାହାଯ୍ୟରେ ରକ୍ତର ଅନେକ ଜିନିଷ ତିଆରି ହୁଏ । ଆଗରେ କୁହାଯାଇଛି ଯେ, ରକ୍ତରୁ କେତେକ ମଇଳା ବୃକ୍କ ଛାଣି ନେଇ ମୂତରୂପେ ଦେହରୁ ବାହାର କରିଦିଏ । ଏହି ମଇଳା ମଧ୍ୟରୁ ଇଉରିଆ ନାମକ ଜିନିଷ ସବୁଠାରୁ ପ୍ରଧାନ । ବୃକ୍କ ରକ୍ତରୁ ଇଉରିଆ ଛାଣି ନିଏ ସତ, କିନ୍ତୁ ଏହା ଯକୃତରେ ତିଆରି ହେଇଥାଏ । ଆମେ ଯେଉଁ ଛେନାଜାତୀୟ ଖାଦ୍ୟ ଖାଉଁ, ତାହାର ସାର ହଜମ ହୋଇ ରକ୍ତରେ ମିଶେ । ରକ୍ତ ଯକୃତ ମଧ୍ୟ ଦେଇ ଯିବାବେଳେ ଏହି ସାର ଭିତରୁ କେତେକ ଯକୃତ ଶୋଷି ନେଇ ଦେହର ଚାରିଆଡ଼କୁ ପଠାଏ ଓ ସେଠାରେ ଏହା ତନ୍ତୁମାନଙ୍କର କ୍ଷତିପୂରଣ କରି ସେମାନଙ୍କୁ ପୁଷ୍ଟ କରେ ଓ ବଢ଼ାଏ; ବାକି କେତେକ ଛେନାଜାତୀୟ ଖାଦ୍ୟସାର ଏବଂ ନଷ୍ଟ ଓ କ୍ଷୟିତ ତନ୍ତୁ ଏକାଠି କରି ଯକୃତ ତ‌ହିଁରୁ ଇଉରିଆ ତିଆରି କରେ; ବୃକ୍କ ଏହି ଛାଣି ପଦାକୁ ବାହାର କରିଦିଏ ।

ଶ୍ୱେତସାର ଜାତୀୟ ଖାଦ୍ୟସାର ରକ୍ତରେ ମିଶି ଯକୃତ ବାଟେ ଗଲାବେଳେ ଯକୃତ ତ‌ହିଁରୁ କେତେକ ଯାକୃତି ଶର୍କରା (Glycogen) ରେ ପରିଣତ କରି ନିଜ ଦେହରେ ରଖିନିଏ । ଦରକାର ବେଳେ ଏହି ସଞ୍ଚିତ ଶର୍କରା ଦେହର କାମରେ ଲାଗେ । କୌଣସି ବିଷାକ୍ତ ଜିନିଷ ଖାଇଦେଲେ ଯକୃତ ତାହାର ବିଷ ଅନେକ ପରିମାଣରେ କମାଇ ଦିଏ । ଏହା ଛଡ଼ା ଯକୃତ ଏପରି ଜିନିଷ ସଂଗ୍ରହ କରି ରଖିଥାଏ, ଯାହା କି ରକ୍ତ ତିଆରି ହେବାପାଇଁ ନିତାନ୍ତ ଦରକାର ।

ମୋଟ ଉପରେ କହିବାକୁ ଗଲେ ଯକୃତ ପିତ୍ତନାମକ ଏକ ପ୍ରକାର ପାଚକ ରସ ତିଆରି କରେ । ନଷ୍ଟ ଓ କ୍ଷୟିତ ତନ୍ତୁସବୁକୁ ଦେହରୁ ବାହାର କରିଦେବା ପାଇଁ, ତ‌ହିଁରୁ ଓ ଅଦରକାତୀ ଛେନାଜାତୀୟ ଖାଦ୍ୟରୁ ଇଉରିଆ ତିଆରି କରେ ଏବଂ ଚିନିଜାତୀୟ ଖାଦ୍ୟକୁ ଦେହର ଭବିଷ୍ୟତ୍ ପ୍ରୟୋଜନ ପାଇଁ ସଞ୍ଚି ରଖେ । ଏହା ଛଡ଼ା ବିଷାକ୍ତ ଜିନିଷ ଦେହକୁ ଗଲେ ତାହାର ବିଷ କମାଇ ଦିଏ ଓ ରକ୍ତ ତିଆରି ହେବାରେ ସାହାଯ୍ୟ କରେ ।

କେତେକ ଗ୍ରନ୍ଥି ଅଛନ୍ତି ଯେ ସେମାନେ ଯେଉଁ ରସ ତିଆରି କରନ୍ତି, ତାହା ଗୋଟିଏ ନଳୀବାଟେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଏ । ସେମାନଙ୍କ ଛଡ଼ା ଆଉ ଏକ ପ୍ରକାର ଗ୍ରନ୍ଥି ଅଛନ୍ତି, ସେମାନଙ୍କ ଦେହରୁ କୌଣସି ରକମର ନଳୀ ବାହାରି ନାହିଁ । ସେମାନେ ଯେଉଁ ରସ ତିଆରି କରନ୍ତି, ତାହା ତିଆରି ହେବା ସଙ୍ଗେ ସଙ୍ଗେ ରକ୍ତରେ ମିଶେ । ଏହିଭଳି ଗ୍ରନ୍ଥିକୁ ନିର୍ବାହୁ ବା ଅନ୍ତଃସ୍ରାବୀ ଗ୍ରଛି (Ductless Gland) କହନ୍ତି । ଏମାନେ ଆମ ଦେହପାଇଁ ବଡ଼ ଦରକାରୀ । ତଳେ ପ୍ରଧାନ କେତୋଟି ଅନ୍ତଃସ୍ରାବୀ ଗ୍ରନ୍ଥିର କଥା କୁହାଗଲା ।

ଅବଟୁ ଗ୍ରନ୍ଥି (Thyroid Gland):—ଗଳନାଳୀର ଦୁଇ ପାଖରେ ଗୋଟିଏ ଲେଖାଏଁ ଦୁଇଟି ଅବଟୁ ଗ୍ରନ୍ଥି ଆମ ଦେହରେ ଅଛି । ଏହା ଏକପ୍ରକାର ଅନ୍ତଃସ୍ରାବ (Internal Secretion) ତିଆରି କରେ । ତାହା ଦେହର କେତେକ ତନ୍ତୁକୁ ପୁଷ୍ଟ କରେ । ଦେହକୁ ସ୍ୱାଭାବିକ ଓ ସମାନଭାବରେ ବଢ଼ାଏ, ନାନାପ୍ରକାର ବିଷଦୋଷ ହରଣ କରେ ଏବଂ ମନୁଷ୍ୟର ବୃଦ୍ଧି ଓ ଚିନ୍ତାଶକ୍ତି ଚଢ଼ାଇବାରେ ସାହାଯ୍ୟ କରେ ।

ପାର୍ଥତୀର୍ଥକ ଗ୍ରନ୍ଥି (Pituitary Gland):—ଏହା ଖପୁରି ଅଭ୍ୟନ୍ତରରେ ଥାଏ । ଏହା ତିନି ଅଂଶରେ ବିଭକ୍ତ ଏବଂ ପ୍ରତ୍ୟେକ ଅଂଶରୁ ଯେଉଁ ଅନ୍ତଃସ୍ରାବ ବାହାରେ, ତାହା ଦେହର ଭିନ୍ନ ଭିନ୍ତ୍ର କାର୍ଯ୍ୟରେ ଲାଗେ । ଏହାର ସାମନା ଅଂଶରୁ ଯେଉଁ ରସ ବାହାରେ, ତହିଁରେ ହାଡ଼, ସ୍ନାୟୁ ଓ ତରୁଣାସ୍ଥି ଆଦି ପୁଷ୍ଟ ହୁଏ ଏବଂ ଏହା ବୁଦ୍ଧିବୃତ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ । ଯେଉଁମାନଙ୍କ ଦେହରେ ଏହା ଅପେକ୍ଷାକୃତ ବଡ଼, ସେମାନେ ଦେଖିବାକୁ ହୃଷ୍ଟପୁଷ୍ଟ, ଲମ୍ବା, ଚୌଡ଼ା ଏବଂ ସୁଢ଼ଳ ଓ ସାହସୀ ହୁଅନ୍ତି । ପାର୍ଥତୀର୍ଥକ ଗ୍ରନ୍ଥିର ପଛ ଅଂଶରୁ ଯେଉଁ ଅନ୍ତଃସ୍ରାବ ବାହାରେ, ତାହା ଧମନୀ, ଜରାୟୁ (Uterus), ମୂତ୍ରସ୍ଥଳୀ (Bladder), ପାକସ୍ଥଳୀ ଆଦିରେ ଥିବା ସ୍ୱାଧୀନ ମାଂସପେଶୀର ସ୍ଥିତିସ୍ଥାପକ ଗୁଣକୁ ସ୍ୱାଭାବିକ ଅବସ୍ଥାରେ ରଖେ । ଏହା ମଧ୍ୟ ରକ୍ତର ଚାପକୁ (Blood Pressure) ସର୍ବଦା ନିର୍ଦ୍ଦିଷ୍ଟ ଅବସ୍ଥାର ରଖିବାରେ ସାହାଯ୍ୟ କରେ ।

ଅଧିବୃକ୍କୀୟ ଗ୍ରନ୍ଥି (Suprarenal Gland):-ଏହା ବୃକ୍କଉପରେ ଠିକ୍ ଟୋପି ପରି ରହିଅଛି । କଷ୍ଟ, ଦୁଃଖ, ରାଗ, ଭୟ କିମ୍ବା ଆନନ୍ଦ ସମୟରେ ମନୁଷ୍ୟର ଏକ ପ୍ରକାର ଉଦ୍‌ବେଗ ଆସେ । ସେତେବେଳେ ଏହି ଗ୍ରନ୍ଥିରୁ ଅନ୍ତଃସ୍ରାବ ବେଶୀ ବାହାରି ରକ୍ତରେ ମିଶେ, ତେଣୁ ହୃଦଯନ୍ତ୍ର ଶୀଘ୍ର ଶୀଘ୍ର ଚାଲେ, ରକ୍ତଚାପ ଓ ଦେହର ଉତ୍ତାପ ବଢ଼େ, ଜ୍ଞାନେନ୍ଦ୍ରିୟବୃତ୍ତି ତୀକ୍ଷ୍ଣତର ହୁଏ ଏବଂ ଦେହ ଭିତରେ ଗୋଟାଏ ଜୋର ଆସେ । ରାଗିଗଲେ ମୁହଁ ଲାଲ ପଡ଼ିଯାଏ ଏବଂ ଦେହ ଥରେ । ଏହାର କାରଣ ଏହି ଯେ, ସେତେବେଳେ ଏହି ରସ ବେଶୀ ବାହାରିବାରୁ ରକ୍ତଚାପ, ବଢ଼ିଯାଏ ।

କୈଶୋର ଗ୍ରନ୍ଥି (Pineal Gland):-ଏହି ଗ୍ରନ୍ଥି ମସ୍ତିଷ୍କର ମୂଳରେ ଅଛି । ପିଲାଙ୍କର ବୟସ ଲାଗିଲାବେଳେ ଏହା ଆକାରରେ ବଢ଼ିଯାଏ; କିନ୍ତୁ ତେଣିକି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହାର ଆକାର କମିବାକୁ ଲାଗେ । ବୟସ ଲାଗିଲାବେଳେ ଦେହ, ମନ ଓ ଜନନେନ୍ଦ୍ରିୟର ଯେଉଁ ସବୁ ପରିବର୍ତ୍ତନ ଘଟିଥାଏ, ତାହା ଏହାରିଦ୍ୱାରା ହୋଇଥାଏ । ଅଗ୍ନ୍ୟାଶୟ (Pancreas):- ଅଗ୍ନ୍ୟାଶୟ ଅଗ୍ନ୍ୟାଶୟ-ରସ ତିଆରି କରିବା ଛଡ଼ା ଆଉ ଏକ ପ୍ରକାର ଅନ୍ତଃସ୍ରାବ ତିଆରି କରେ । ତାହା ରକ୍ତରେ ମିଶି ଯକୃତକୁ ଯାଏ ଏବଂ ଦେହର କାନରେ ଲାଗିବାଭଳି ଯେତିକି ଚିନି ଦରକାର, ତା'ଠାରୁ ବେଶୀ ଚିନି ରକ୍ତରେ ରଖାଇ ଦିଏ ନାହିଁ । ଅଗ୍ନ୍ୟାଶୟରେ କୌଣସି ପୀଡ଼ା ହେଲେ ତାହାର ଏହି ରସ କମିଯାଏ; ତେଣୁ ରକ୍ତରେ ଚିନି ଅଂଶ ବଳି ପଡ଼ିବାରୁ ତାହା ମୃତବାଟେ ବାହାରିବାକୁ ଲାଗେ ଓ ଫଳରେ ବହୁମୂତ୍ର ରୋଗ ହୁଏ ।

ଭୋକ:- ପାକସ୍ଥଳୀରୁ ଖାଦ୍ୟ ଶେଷ ହୋଇଗଲା ପରେ ଆସ୍ତେ ଆସ୍ତେ ତ‌ହିଁରେ ଥିବା ନାଡ଼ୀ ସବୁ ଉତ୍ତେଜିତ ହୁଅନ୍ତି; ତେଣୁ ଭୋକ କରେ । ପାକସ୍ଥଳୀକୁ ପୂରାଇ ଦେଲେ ଭୋକ ବନ୍ଦ ହୋଇଯାଏ ।

ଶୋଷ:- ଦେହର ଜଳଭାଗ କମି ଆସିଲେ ଗଳକକ୍ଷର ଉପର ଶୁଖିଯାଏ, ତେଣୁ ସେଠା ନାଡ଼ୀ ସବୁ ଉତ୍ତେଜିତ ହୁଅନ୍ତି, ଫଳରେ ଶୋଷ କରେ ।

ଦେହର ଗଠନ, ତ‌ହିଁରେ ଥିବା ଭିନ୍ନ ଭିନ୍ନ ଯନ୍ତ୍ର ଏବଂ ସେମାନଙ୍କ କାର୍ଯ୍ୟ ବିଷୟରେ କିଛି କିଛି କୁହାଗଲା । ବର୍ତ୍ତମାନ ଜନନେନ୍ଦ୍ରିୟ ଏବଂ ମନୁଷ୍ୟର ଜନ୍ମ ଓ ମରଣ ବିଷୟରେ ଦୁଇ ଚାରି କଥା କହି ଏହି ଅଦ୍ଭୁତ କଳଘରଟିର କଥା ଶେଷ କରାଯିବ ।