Jump to content

ଆମ ଦେହ/ରକ୍ତ

ଉଇକିପାଠାଗାର‌ରୁ
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ରକ୍ତ


ରକ୍ତ

ଖାଦ୍ୟର ସାର କିପରି ରକ୍ତରେ ମିଶେ ତାହା କୁହାଗଲା, ଏବେ ରକ୍ତ କି ଜିନିଷ ଏବଂ ତାହା କିପରି ଦେହଯାକ ଖେଳେ, ଏ ବିଷୟ ଦେଖାଯାଉ ।

ଦେହର କୌଣସି ଜାଗା କଟିଗଲେ କିମ୍ବା ଛିଡ଼ିଗଲେ ରକ୍ତ ବାହାରେ । ଏହା ଦେଖିବାକୁ ଲାଲବର୍ଣ୍ଣ ଏବଂ ପାଣିଠାରୁ ଟିକିଏ ବହକିଆ । ପାଣିର ଆପେକ୍ଷିକ ଗୁରୁନ୍ନ ୧୦୦୦ ଧରିଲେ ଏହାର ଆପେକ୍ଷିକ ଗୁରୁନ୍ନ ୧୦୫୦ ରୁ ୧୦୫୬ । ଏହା ଦେହର ଚାରିଆଡ଼େ ଖେଳି ପ୍ରତ୍ୟେକ ତନ୍ତୁର ପ୍ରତ୍ୟେକ କୋଷକୁ ଖାଦ୍ୟ ଯୋଗାଏ ଓ ଯେଉଁଠାରେ ଯେଉଁ ମଇଳା ଜମିଥାଏ, ତାହା ଧୋଇ ଆଣି ଦେହକୁ ସଫା କରି ଦିଏ । ଏହା ଛଡ଼ା ଦେହର ଅନେକ ପ୍ରକାର ଉପକାରୀ ରସ ଏଥିରୁ ତିଆରି ହୁଏ ଏବଂ ଏହା ଦେହର ତବତି ସବୁଆଡ଼େ ସମାନ ରଖେ । ଆମ ଦେହର ଓଜନ ଯେତେ, ତାର ଦଶ ଭାଗରୁ ଭାଗେ ହେଉଛି ରକ୍ତ ।

ରକ୍ତ ଖାଲି ଆଖିରେ ଦେଖିବାକୁ ପାଣି ପରି ସତ କିନ୍ତୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ତ‌ହିଁରେ ଅସଂଖ୍ୟ ଅସଂଖ୍ୟ ଚକା ଚକା ଓ ଗୋଲ ୨ କଣିକା ଥିବାର ଦେଖାଯାଏ । ଏହି କଣିକାକୁ ରକ୍ତକଣିକା କ‌ହନ୍ତି । ଏହି ରକ୍ତକଣିକା ସବୁ ଗୋଟିଏ ପ୍ରକାର ପାଣିଆ ଜିନିଷରେ ଭାସୁଥାନ୍ତି । ରକ୍ତରେ ଦୁଇ ପ୍ରକାର ରକ୍ତକଣିକା ଅଛି–ଶ୍ୱେତ ଓ ଲୋହିତ ରକ୍ତକଣିକା (White and Red Blood Corpuscles) । ଲୋହିତ ରକ୍ତକଣିକା (Red
ରକ୍ତକଣିକା

Blood Corpuscles) ଦେଖିବାକୁ ହଳଦିଆସିଆ କିନ୍ତୁ ଅନେକଗୁଡ଼ିଏ ଏକାଠି ରହିଲେ ଲାଲ ଦେଖାଯାନ୍ତି । ଏମାନେ ରକ୍ତରେ ଏତେ ବେଶି ଥାନ୍ତି ଯେ, ଏମାନଙ୍କ ଯୋଗେ ରକ୍ତ ଲାଲ ଦେଖାଯାଏ ନ‌ଚେତ୍ ରକ୍ତର ଜଳୀୟ ଅଂଶ ପ୍ରକୃତରେ ଲାଲ ନୁହେ । ଶ୍ୱେତରକ୍ତକଣିକା (White Blood Corpuscles) ଦେଖିବାକୁ ସ୍ୱଚ୍ଛ । ରକ୍ତକଣିକା ଓ ଖାଦ୍ୟସାର ଛଡ଼ା ରକ୍ତରେ ଆଉ ମଧ୍ୟ କେତେକ ପ୍ରକାର ଜିନିଷ ଥାଏ ।

ରକ୍ତର ପାଣିଭାଗ ସଙ୍ଗେ ଖାଦ୍ୟସାର ମିଶିଥିବାରୁ ତ‌ହିଁରୁ ଦେହର ସମସ୍ତ ତନ୍ତୁ ଖାଦ୍ୟ ପାଆନ୍ତି । ଦୁଧକୁ ଛିଣ୍ତାଇ ଦେଲେ ଛେନା ଓ ଛେନାପାଣି ହୋଇଯାଏ । ଛେନାପାଣି ଖାଣ୍ଟି ପାଣି ନୁହେ । ଖାଣ୍ଟି ପାଣିରେ ସ୍ୱାଦ ନାହିଁ କି ବର୍ଣ୍ଣ ନାହିଁ, କିନ୍ତୁ ଛେନାପାଣି ମିଠାଳିଆ ଲାଗେ ଓ ହଳଦିଆସିଆ ଦିଶେ, ଏହାର କାରଣ ଛେନାପାଣିରେ ଚିନି ପରି ଗୋଟାକେତେ ଜିନିଷ ମିଶିଥାଏ । ରକ୍ତ ଠିକ ଦୁଧପରି । ରକ୍ତକୁ ଟିକିଏ ରଖି ଦେଲେ ତାହା ବିଣ୍ତା ବାନ୍ଧିଯାଏ ଓ ମୁଣ୍ଡା ରକ୍ତ ଉପରେ ହଳଦିଆସିଆ ପାଣି ନିଗିଡ଼ି ବାହାରେ । ରକ୍ତର ଯେଉଁ ଅଂଶ ମୁଣ୍ଡା ବାନ୍ଧିଯାଏ, ତାହା ହେଲା ଲୋହିତ ଓ ଶ୍ୱେତ ରକ୍ତକଣିକାଆଦିର ସମଷ୍ଟି । ରକ୍ତ ବାହାରକୁ ଆସିଲେ କମ୍ବା ବାହାରର କୌଣସି ଜିନିଷ ତାହା ସଙ୍ଗେ ଲାଗିଲେ ତାହା ସଙ୍ଗେ ସଙ୍ଗେ ବସିଯାଏ । ରକ୍ତର ଏ ଗୁଣ‌ଟି ଆମ ପକ୍ଷରେ ବଡ଼ ଉପକାରୀ । କୌଣସି ଧମନୀ କମ୍ବା ଶିରା କଟିଗଲେ ବା ଛିଡ଼ିଗଲେ ରକ୍ତ ବ‌ହି ବାହାରକୁ ଆସେ ଏବଂ ବାହାରକୁ ଆସିବାରୁ ବିଣ୍ଡା ବାନ୍ଧି ଧମନୀ କିମ୍ବା ଶିରାର ମୁହଁ ବନ୍ଦ କରିଦିଏ; ତେଣୁ ରକ୍ତ ବହିବା ବନ୍ଦ ହୋଇଯାଏ । ରକ୍ତର ଏପରି ଗୁଣ ଯଦି ନ ଥାନ୍ତା, ତେବେ କୌଣସି ଜାଗା କଟିଗଲେ ସେଠାରୁ ରକ୍ତଧାର ବହି ଆଉ ବନ୍ଦ ହୁଅନ୍ତା ନାହିଁ ।

ରକ୍ତର ପାଣିଭାଗ ଖାଦ୍ୟସାର ଓ ପାଣି ମିଶି ତିଆରି ହୁଏ ।

ଲୋହିତ ରକ୍ତ କଣିକା :-

ଲୋହିତ ରକ୍ତକଣିକା ହାଡ଼ ଭିତରେ ଥିବା ମଜ୍ଟା (Marrow)ରୁ ଜନ୍ମ ହୁଏ । ଏହା ଦେଖିବାକୁ ଚକାଚକା । ଏହାର ଚଉଡ଼ା (ବ୍ୟାସ) ୧/୩୨୦୦ ଇଞ୍ଚ । ଏଥିରେ ଡିମ୍ବାଣ୍ୱଷ୍ଠି (Nucleus) ନାହିଁ । ଏଥିରେ ଲାଲବର୍ଣ୍ଣର ଏକ ପ୍ରକାର ଜିନିଷ ଅଛି, ତାହାକୁ ଶୋଣିମା (Haemoglobin) କହନ୍ତି । ଶୋବିମାରେ ଲୌହ ଅଂଶ ଅନେକ ରହିଅଛି । ଶୋଣିମା ଆମ୍ଭମାନଙ୍କ ପ୍ରାଣଧାରଣ ପକ୍ଷରେ ବିଶେଷ ସାହାଯ୍ୟ କରେ । ପବନରେ ଯେଉଁ ଅମ୍ଳଜାନ (Oxygen) ଅଛି, ତାହା ପ୍ରତି ଶୋଣିମାର ଭାରି ଟାଣ । ଫୁସ୍ ଫୁସ୍ ଭିତରେ ରକ୍ତ ଯେତେବେଳେ ପବନ ସମ୍ପର୍କରେ ଆସେ ସେତେବେଳେ ଏହି ଶୋଣିମା ପବନରୁ ଅମ୍ଳଜାନ ଟାଣି ଆଣେ, ତେଣୁ ରକ୍ତ ପରିଷ୍କାର ହୋଇଯାଏ । ଅମ୍ଳଜାନମିଶା ପରିଷ୍କୃତ ରକ୍ତ ଦେହର ଚାରିଆଡ଼କୁ ଯାଇ ତନ୍ତୁମାନଙ୍କର କୋଷକୁ ସେହି ଅମ୍ଳଜାନ ଦେଇ ସେମାନଙ୍କୁ ପୁଷ୍ଟ ଓ ସତେଜ କରେ ଏବଂ ଅମ୍ଳଜାନ ବଦଳରେ ସେଠାରେ ଥିବା ଦୂଷିତ ଅଙ୍ଗାରକାମ୍ଳ (Carbonic Acid) କୁ ଶୋଣିମା ପୁଣି ଟାଣି ଆସି ଫୁସ ଫୁସରେ ଛାଡ଼ିଦିଏ । ଏହି ଦୂଷିତ ଅଙ୍ଗାରକାମ୍ଳ ଆମ୍ଭେମାନେ ପ୍ରଶ୍ୱାସଦ୍ୱାରା ଛାଡ଼ିଦେଉଁ । ଲୋହିତ ରକ୍ତ କଣିକା ଦେହରୁ କମିଗଲେ ନାନା ପ୍ରକାର ଅସାଧ୍ୟ ରୋଗଧରେ ଓ ପ୍ରାଣ ବାହାରି ଯାଏ । କାମ କରି କରି ଲୋହିତ ରକ୍ତ କଣିକା ଯେତେବେଳେ ଶେଷରେ ନିଷ୍ଟ ହୋଇ ଯାନ୍ତି ସେତେବେଳେ ସେମାନେ ଯକୃତ ଏବଂ ପ୍ଲୀହାରେ ଯାଇପହଞ୍ଚି ଓ ସେଠାରେ ଚୂନା ହୋଇ ଯାନ୍ତି । ସେମାନଙ୍କ ଦେହରେ ଥିବା ଶୋଣିମା ଦ୍ୱାରା ଯକୃତ ପିତ୍ତ (Bile) ତିଆରି କରେ । ସୁସ୍ଥ ଦେହରେ ଏକ ଘନ ମିଲିମିଟର (Cubicmillimeter) ରକ୍ତରେ ପ୍ରାୟ ୫, ୦୦୦, ୦୦୦ ଲୋହିତ ରକ୍ତ କଣିକା ଥାନ୍ତି ।

ଶ୍ୱେତ ରକ୍ତ କଣିକା :-

ଶ୍ୱେତ ରକ୍ତ କଣିକା ଦେଖିବାକୁ ଲୋହିତ ରକ୍ତ କଣିକ ଠାରୁ ବଡ଼ । ଏହାର ଚଉଡ଼ା (ବ୍ୟାସ) ପ୍ରାୟ ୧/୨୫୦୦ ଇଞ୍ଚ ହେବ । ଏହାର ଆକୃତିରେ କିଛି ଠିକ ଠିକଣା ଥାଏ ନାହିଁ । କେତେବେଳେ ଏହା ଦେଖିବାକୁ ଗୋଲ, କେତେବେଳେ ଲମ୍ବାଳିଆ ଆଉ କେତେବେଳେ ପୁଣି ଅଷ୍ଟବକ୍ର । ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ସର୍ବଦା ଏହାର ଆକୃତିରେ ପରିବର୍ତ୍ତନ ଲାଗିଥିବାର ଦେଖାଯାଏ । ଏହା ଭିତରେ ଗୋଟିଏ କିମ୍ବା ଦୁଇ ତିନୋଟି ଡ଼ିମ୍ବାଣ୍ୱଷ୍ଠି (Nuclei) ଥାଏ । ଲୋହିତ ରକ୍ତ କଣିକା ଛଡ଼ା ଦେହର ପ୍ରତ୍ୟେକ କୋଷରେ ଡ଼ିମ୍ବାଣ୍ୱଷ୍ଠି ଥିବାର ଦେଖାଯାଏ । ଡିମ୍ବାଣ୍ୱଷ୍ଠି କୋଷର ମୂଳଧାର ଅଟେ । ଶ୍ୱେତ ରକ୍ତ କଣିକାର ଜନ୍ମ ସ୍ଥାନ ହେଉଛି ରସ ଗ୍ରନ୍ଥି (Lymph Gland) । ଏହା ଶରୀର ପକ୍ଷରେ ଭାରି ଉପକାରୀ । ଦେହ ଭିତରୁ କେତେକ ମଇଳା ଏମାନେ ଖାଇ ଦିଅନ୍ତି । ତାଛଡ଼ା ବାହାରର କୌଣସି ରୋଗ-ବୀଜାଣୁ ଦେହକୁ ଆକ୍ରମଣ କଲେ ଏମାନେ ସେମାନଙ୍କ ସଙ୍ଗେ ଲଢ଼େଇ କରନ୍ତି ଓ ସେମାନଙ୍କୁ ଖାଇ ଯାନ୍ତି । ଏମାନେ ଲଢ଼େଇରେ ଜିତିଲେ ରୋଗ ହୁଏ ନାହିଁ; ହାରିଗଲେ ରୋଗ ହୁଏ । ଘା ଘାଉଡ଼ରେ ଯେ ପୂଜ ହୁଏ ତା ଆଉ କିଛି ନୁହେ । ବାହାର ରୋଗ-ବୀଜାଣୁ ଘାରେ ଲାଗିବାରୁ ଘା ମାତି ଉଠେ, ତେଣୁ ସେଠାକୁ ଶ୍ୱେତ ରକ୍ତ-କଣିକା ଆସି ସେମାନଙ୍କ ସଙ୍ଗେ ଲଢ଼େଇ କରନ୍ତି । ଲଢ଼େଇରେ ଏମାନେ ମରିବାକୁ ଲାଗନ୍ତି ଏବଂ ଏମାନଙ୍କ ମୁର୍ଦ୍ଦାର ପୂଜ ହୋଇ ବାହାରେ । ଯେତେ ଦିନ ଯାଏ ଏମାନେ ମରୁଥାନ୍ତି ସେତେ ଦିନ ଯାଏ ପୂଜ ବାହାରୁ ଥାଏ କିନ୍ତୁ ଏମାନେ ଜିଣିବାକୁ ଲାଗିଲେ ପୂଜ କମି ଆସେ । ଶେଷରେ ଯେତେବେଳେ ଏମାନେ ରୋଗବୀଜାଣୁଙ୍କୁ ଖାଇ ଯାନ୍ତି ଘା ଶୁଖିଯାଏ । ରୋଗ ସମୟରେ କିମ୍ବା ଘା ଘାଉଡ଼ ଦେହରେ ବାହାରିଲେ ଏମାନଙ୍କ ସଂଖ୍ୟା ରକ୍ତରେ ବଢ଼ିଯାଏ । ଦେହ ଘରର ଏମାନେ ପହରାବାଲା । ବାହାରର କାହାକୁ ହେଲେ ଏମାନେ ନିଜେ ନମରି ସ‌ହଜରେ ଦେହ ଭିତରକୁ ଛାଡ଼ି ଦିଅନ୍ତି ନାହିଁ । ଏମାନଙ୍କ ସଂଖ୍ୟା ଲୋହିତ ରକ୍ତ କଣିକାଠାରୁ ନିହାତ୍ କମ । ସେଥିରୁ ୫୦୦ କେ ଏଥିରୁ ପ୍ରାୟ ଗୋଟିଏ ରକ୍ତରେ ଥାଏ ।

ରକ୍ତ କିପରି, ତାହା କପରି ତିଆରି ହୁଏ ଓ କଣ କରେ ଏସବୁ କୁହାଗଲା । ଏହା କିପରି ଦେହଯାକ ଖେଳେ ତାହା ଏବେ କୁହାଯିବ ।