ଆମ ଦେହ/ହୃତ୍‌ଯନ୍ତ୍ର ଓ ରକ୍ତସଞ୍ଚାଳନ

ଉଇକିପାଠାଗାର‌ରୁ
ଆମ ଦେହ ଲେଖକ/କବି: ବନବିହାରୀ ପଟ୍ଟନାୟକ
ହୃତ୍‌ଯନ୍ତ୍ର ଓ ରକ୍ତସଞ୍ଚାଳନ


ହୃଦ‌ଯନ୍ତ୍ର ଓ ରକ୍ତସଞ୍ଚାଳନ

ଆମ ଛାତି ଭିତରେ ଗୋଟିଏ ଦମକଳ ଅଛି । ଦମକଳ ଯେପରି କୂଅ ଭିତରୁ ପାଣି ଓଟାରି ପୁଣି ତାକୁ କିଅରିବାରିକି ପଠାଏ ସେହିପରି ଆମ ଦେହର ଦମକଳ ଚାରିଆଡ଼ୁ ରକ୍ତ ଟାଣି ଆଣି ପୁଣି ତାକୁ ଚାରିଆଡ଼କୁ ପଠାଏ । ଏହି ଦମକଳକୁ ହୃଦ‌ଯନ୍ତ୍ର (Heart) କହନ୍ତି । ଏଥିରେ ସାଧାରଣ ଦମକଳଠାରୁ ବେଶି ବାହାଦୁରୀ ଅଛି । ଏକା ଗୋଟିଏ ଯନ୍ତ୍ରରେ ଦେହ‌ଯାକର ମଇଳା ରକ୍ତ ଟାଣି ହୋଇ ଆସି ସଫା ହେବା ନିମନ୍ତେ ଫୁସ୍‌ଫୁସ୍‌କୁ ପଠାଯାଉଛି ଓ ପୁଣି ଫୁସ୍‌ଫୁସ୍‌ରୁ ସଫା ରକ୍ତ ଟାଣି ହୋଇ ଆସି ଦେହଯାକକୁ ପଠାଯାଉଛି । ଗୋଟାଏ ଯନ୍ତ୍ର ଦୁଇଟା ଯନ୍ତ୍ରର କାମ କରୁଛି ଅଥଚ କେବେହେଲେ ମଇଳା ରକ୍ତ ସଫା ସଙ୍ଗେ ଭୁଲରେ ସୁଦ୍ଧା ମିଶିଯାଉ ନାହିଁ କି ମୁହୂର୍ତ୍ତକ ପାଇଁ ତାର ବିଶ୍ରାମ ନାହଁ । ଏହା ମୁହୂର୍ତ୍ତକ ପାଇଁ ବନ୍ଦ ହୋଇଗଲେ ସଙ୍ଗେ ସଙ୍ଗେ ମଣିଷ ମରିଯିବ । ହୃଦ୍‌ଯନ୍ତ୍ର ବନ୍ଦ ହୋଇଯିବାରୁ ଅନେକ ଲୋକ ଠୋ କରି ମରିଯିବାର ଦେଖାଯାନ୍ତି ।

ମୁଠା ବନ୍ଦ କଲେ ହାତ ଯେପରି ଦେଖାଯାଏ ହୃଦୟ ଦେଖିବାକୁ ଅନେକ ଅଂଶରେ ସେହିପରି, ଆକାରରେ ମଧ୍ୟ ପ୍ରାୟ ସେଡ଼ିକି ।

ରକ୍ତ ଦେହଯାକ ଖେଳେ ଏବଂ ଦେହରେ ଯେତେ ତନ୍ତୁ ଅଛି ଓ ତନ୍ତୁମାନଙ୍କରେ ଯେତେ କୋଷ ଅଛି ସେ ସବୁକୁ ଖାଦ୍ୟ ଓ ଅମ୍ଳଜାନ ଯୋଗାଇ ସେଠାରେ ଥିବା ମଇଳାତକ ଧୋଇଧାଇ ନେଇ ଆସେ । ଏହି ମଇଳା ରକ୍ତ କାଳିଆ
(ହୃଦ୍‌ଯନ୍ତ୍ର)
ଦେଖାଯାଏ । ଆମ ଦେହରେ ଯେଉଁ ସବୁ କାଳିଆ ଶିରା ଦେଖାଯାଏ, ସେହି ଶିରା (Vein) ବାଟେ ଏହି ମଇଳା ରକ୍ତ ଫେରି ଆସେ ଓ ଆସି ହୃଦ୍‌ଯନ୍ତ୍ରରେ ପହଞ୍ଚେ । ହୃଦ୍‌ଯନ୍ତ୍ର ଗୋଟିଏ ହେଲେ କଣ ହେବ ତ‌ହିଁରେ ଚାରୋଟି କୋଠରୀ ଅଛି - ବାଁପଟେ ତଳ ଉପର ହୋଇ ଦୁଇଟି ଓ ଠିକ୍ ସେହିପରି ଡାହାଣ ପଟେ ତଳ ଉପର ହୋଇ ଦୁଇଟି । ଡାହାଣ ପଟର ଉପର କୋଠରୀକୁ ଦକ୍ଷିଣ ଅଳିନ୍ଦ (Right Auricle), ଡ଼ାହାଣ ପଟର ତଳ କୋଠରୀକୁ ଦକ୍ଷିଣ ନିଳୟ (Right Ventricle), ବାଁ ପଟର କୋଠରୀକୁ ବାମ ଅଳିନ୍ଦ (Left Auricle) ଓ ସେ ପଟର ତଳ କୋଠରୀକୁ ବାମନିଳୟ (Left Ventricle) କହନ୍ତି । ଅଳିନ୍ଦର ଆସ୍ତର (Wall of Auricles) ନିଳୟର ଆସ୍ତର (Wall of Ventricle) ଅପେକ୍ଷା ପତଳା । ଦେହଯାକର ମଇଳା ରକ୍ତ ଆସି ଦୁଇଟି ଖୁବ ମୋଟା ମୋଟା ବଡ଼ ଶିରାରେ ପହଞ୍ଚେ । ଏ ଦୁଇଟି ଶିରାର ନାମ ହେଉଛି ଉତ୍ତରା ମହାଶିରା (Superior Vena Cava) ଓ ଅଧରା ମହାଶିରା (Inferior Vena Cava) । ଏ ଦୁହେଁ ହୃଦଯନ୍ତ୍ରର ଡାହାଣ ପାଖର ଉପର କୋଠରୀ (ଦକ୍ଷିଣ ଆଳିନ୍ଦ) ରେ ମିଳିଛନ୍ତି; ତେଣୁ ମଇଳା ରକ୍ତ ସର୍ବ ପ୍ରଥମେ ହୃଦଯନ୍ତ୍ରର ଦକ୍ଷିଣ ଅଳିନ୍ଦରେ ପହଞ୍ଚେ । ଦକ୍ଷିଣ ଅଳିନ୍ଦ ସଙ୍କୁଚିତ ହୋଇ ଯିବାରୁ ମଇଳା ରକ୍ତ ସେଠାରୁ ଦକ୍ଷିଣ ନିଳୟକୁ ଆସେ । ଦକ୍ଷିଣ ନିଳୟ ରକ୍ତରେ ଭରିଗଲେ ତାହା ସଙ୍କୁଚିତ ହୁଏ; ତେଣୁ ରକ୍ତ ତହିଁରୁ ବାହାରିଥିବା ଏକ ନଳୀ ଦେଇ ସଫା ହେବା ନିମନ୍ତେ ଫୁସ୍‌ଫୁସ୍‌କୁ ଯାଏ । ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ମଧ୍ୟରେ ଗୋଟିଏ କବାଟ ଅଛି, ଦକ୍ଷିଣ ନିଳୟ ଚିପି ହେଲା ବେଳେ ଏହି କବାଟ ପଡ଼ିଯାଏ ତେଣୁ ରକ୍ତ ଦକ୍ଷିଣ ଅଳିନ୍ଦକୁ ଫେରି ଯାଇ ପାରେ ନାହିଁ – କେବଳ ଫୁସ୍‌ଫୁସ୍‌କୁ ଯାଏ । ଫୁସ୍‌ଫୁସ୍‌କୁ ଯାଇଥିବା ନଳୀ ଓ ଦକ୍ଷିଣ ନିଲୟ ମଧ୍ୟରେ ଆଉ ଗୋଟିଏ କବାଟ ଅଛି । ଏହି ନଳୀ ଭିତରକୁ ମଇଲା ରକ୍ତ ଚାଲିଗଲା ପରେ ଯେତେବେଳେ ଦକ୍ଷିଣ ନିଲୟ ପ୍ରସାରିତ ହେବାକୁ ଲାଗେ ସେତେବେଳେ ରକ୍ତ କବାଟ ପଡ଼ିଯାଏ, ତେଣୁ ଦକ୍ଷିଣ ନିଳୟକୁ ରକ୍ତ ଫେରି ଅସିପାରେ ନାହିଁ, କେବଳ ସେହି ଫୁସ୍‌ଫୁସ୍‌କୁ ଯାଏ । ଫୁସ୍‌‌ଫୁସ୍ରୁ ସଫା ରକ୍ତ ବାମ ଅଳିନ୍ଦକୁ ଆସେ । ବାମ ଅଲିନ୍ଦ ରକ୍ତରେ ଭରି ଗଲେ ତାହା ଚିପି ହେବାକୁ ଲାଗେ । ତେଣୁ ସଫା ରକ୍ତ ଫୁସ୍‌‌ଫୁସ୍‌ଙ୍କୁ ଫେରି ନ ଯାଇ ବାମ ନିଳୟକୁ ଆସେ । ବାମ ଅଳିନ୍ଦ ଓ ବାମନିଳୟ ମଧ୍ୟରେ ମଧ୍ୟ ଗୋଟିଏ କବାଟ ଅଛି । ବାମ ନିଳୟ ରକ୍ତରେ ପୂରିଗଲେ ତାହା ଚିପି ହେବାକୁ ଲାଗେ ଓ ଉକ୍ତ କବାଟ ପଡ଼ିଯାଏ । ତେଣୁ ସଫା ରକ୍ତ ବାମ ଅଳିନ୍ଦକୁ ଫେରି ନ ଯାଇ ବାମ ନିଳୟରୁ ବାହାରି ଥିବା ବୃହଦ୍ଧମନୀ (Aorta) ନାମକ ଧମନୀକୁ ଯାଏ । ବୃହଦ୍ଧମନୀ
(ହୃଦ୍‌ଯନ୍ତ୍ର, ଧମନୀ ଓ ଶରୀର ଚିତ୍ର)


ଶିରା ଓ ଧମନୀ କିପରି ଦେହର ଚାରିଆଡ଼କୁ ଯାଇଅଛି ତାହା ଏହି ଚିତ୍ରରୁ ଜଣାଯାଏ । ଓ ବାମ ନିଳୟ ମଧ୍ୟରେ ଗୋଟିଏ କବାଟ ଅଛି । ଚିପି ହେବା ପରେ ବାମନିଳୟ ଯେତେବେଳେ ମେଲା ହୋଇଥାଏ, ସେତେବେଳେ ଉକ୍ତ କବାଟ ପଡ଼ିଯାଏ; ତେଣୁ ବୃହଦ୍ଧମନୀରୁ ସଫା ରକ୍ତ ହୃଦ୍‌ଯନ୍ତ୍ରକୁ ଫେରି ଆସି ପାରେ ନାହିଁ । ବୃହଦ୍ଧମନୀରୁ ସଫା ରକ୍ତ ଦେହର ଚାରିଆଡ଼କୁ ଯାଏ ।

ଉପରେ ଯାହା କୁହାଗଲା ସେଥିରୁ ଜଣାଯାଏ ଯେ ରକ୍ତ ବରାବର ଗୋଟାଏ ଆଡ଼କୁ ଗତି କରେ, କେବେ ଫେରେ ନାହିଁ । ରକ୍ତର ଏହି ଗତିକୁ ରକ୍ତସଞ୍ଚାଳନ କ‌ହନ୍ତି । ମୋଟ ଉପରେ କହିବାକୁ ଗଲେ ଦେହର ଚାରିଆଡ଼ୁ ମଇଳା ରକ୍ତ ଶିରା ବାଟେ ହୃଦ୍‌‌ଯନ୍ତ୍ରର ଦକ୍ଷିଣଭାଗର ଉପର କୋଠରୀକୁ ଆସେ । ସେଠାରୁ ଦକ୍ଷିଣଭାଗର ତଳ କୋଠରୀକୁ ଯାଏ । ଦକ୍ଷିଣ ଭାଗର ତଳ କୋଠରୀରୁ ମଇଳା ରକ୍ତ ସଫା ହେବାପାଇଁ ଫୁସ୍‌ଫୁସ୍‌କୁ ଯାଏ । ଫୁସ୍‌ଫୁସ୍‌ରେ ରକ୍ତ ସଫା ହୋଇ ହୃଦ୍‌ଯନ୍ତ୍ରର ବାମ‌ଭାଗର ଉପର କୋଠରୀକୁ ଆସେ । ସେଠାରୁ ସଫା ରକ୍ତ ବାମ‌ଭାଗର ତଳ କୋଠରୀ ବାଟ ଦେଇ ଧମନୀବାଟେ ଦେହଯାକ ଖେଳେ । ରକ୍ତ କିପରିଭାବରେ ଗତି କରେ, ତାହା ପରବର୍ତ୍ତୀ ଚିତ୍ରରୁ ଜଣାଯାଏ ।

ହୃଦ୍‌ଯନ୍ତ୍ର ଭିତରେ ଏହି ଯେଉଁ ରକ୍ତ ସଞ୍ଚାଳନ ହୁଏ, ତାହା କେବଳ ତ‌ହିଁର କୋଠରୀମାନଙ୍କର ସଙ୍କୋଚନ ଓ ପ୍ରସାରଣ ଯୋଗେ ହୋଇଥାଏ । ଏକ ସମୟରେ ଦୁଇଟିଯାକ ଅଳିନ୍ଦ ସଙ୍କୁଚିତ ହୁଅନ୍ତି ଏବଂ ଏକ ସମୟରେ ସେମାନେ ଖୋଲନ୍ତି । ସେହିପରି ଏକ ସମୟରେ ଦୁଇଟିଯାକ ନିଳୟ ସଙ୍କୁଚିତ ହୋଇ ଏକ ସମୟରେ ଖୋଲନ୍ତି । ଏହେତୁରୁ ଯେତେବେଳେ ମଇଳା ରକ୍ତ ଦକ୍ଷିଣ ଅଳିନ୍ଦରେ ପଶୁଥାଏ, ଠିକ ସେହି ସମୟରେ ସଫା ରକ୍ତ

ସଫା ରକ୍ତ ହୃଦ୍‌ଯନ୍ତ୍ରରୁ ଦେହର ଚାରିଆଡ଼କୁ କିପରି ଯାଏ ଏବଂ ଶିରାବାଟେ ମଇଳା ରକ୍ତ ପୁଣି ହୃଦ୍‌ଯନ୍ତ୍ରକୁ କିପରି ଫେରି ଆସେ ତାହା ଏହି ଚିତ୍ରରୁ ଜଣାଯାଏ । ରକ୍ତର ଗତି ତୀର ଚିହ୍ନ‌ଦ୍ୱାରା ଚିହ୍ନିତ ହୋଇଅଛି । ଅପରିଷ୍କୃତ ରକ୍ତ ଅଧରାମହାଶିରା (୬) ଓ ଉତ୍ତରା ମହାଶିରା (୭) ବାଟେ ଦେହର ସମସ୍ତ ଅଂଶରୁ ଆସି ଦକ୍ଷିଣ ଅଳିନ୍ଦ (୧) ରେ ପହଞ୍ଚେ । ସେଠାରୁ ଦକ୍ଷିଣ ନିଳୟ (୨) କୁ, ଯାଏ । ସେଠାରୁ ସଫା ହେବା ନିମନ୍ତେ ଫୁସ୍‌ଫୁସ୍‌କୁ ଯାଏ । ପରିଷ୍କୃତ ରକ୍ତ ପୁସ୍‌ଫୁସ୍‌ରୁ ବାମ ଅଳିନ୍ଦ (୪) ଓ ସେଠାରୁ ବାମ ନିଳୟ (୫) କୁ ଯାଇ ସେଠାରୁ ସମସ୍ତ ଶରୀରକୁ ଯାଏ । ଖାଦ୍ୟ ସାର ଅନ୍ତ (୧୦) ଦେହରୁ ଯକୃତ (୯) ବାଟେ ଯାଇ ରକ୍ତ ସଙ୍ଗେ ମିଶୁଥିବାର ଏବଂ ଅନ୍ତ ଓ ଯକୃତ ପରିଷ୍ଖୃତ ରକ୍ତ ବୃହଧମନୀରୁ ପାଉଥିବାର ମଧ୍ୟ ଏହି ଚିତ୍ରରୁ ଜଣାଯାଏ ।

୧। ଦକ୍ଷିଣ ଅଳିନ୍ଦ (Right Auricle)
୨। ଦକ୍ଷିଣ ନିଳନ୍ଦ (Right Ventricle)
୩। ଫୁସ୍‌ଫୁସ୍ (Lungs)
୪। ବାମ ଅଳିନ୍ଦ (Left Auricle)
୫। ବାମ ନିଳନ୍ଦ (Left Ventricle)
୬। ଅଧରା ମହାଶିରା (Inferior Vena Cava)
୭। ଉତ୍ତରା ମହାଶିରା (Superior Vena Cava)
୮। ବୃହଦ୍ଧମନୀଠାର ଯକୃତ ପର୍ଯ୍ୟନ୍ତ ଯାଇଥିବା ଧମନୀ (Hepatic Artery)
୯। ଯକୃତ (Liver)
୧୦। ଅନ୍ତ୍ର (Intestines) ବାମ ଅଳିନ୍ଦରେ ପଶେ ଓ ଯେତେବେଳେ ମଇଳା ରକ୍ତ ଦକ୍ଷିଣ ନିଳୟରେ ପଶେ, ଠିକ୍ ସେହି ସମୟରେ ସଫା ରକ୍ତ ବାମ ନିଳୟରେ ପଶେ । ଆଉ ଯେତେବେଳେ ମଇଳା ରକ୍ତ ଫୁସ୍‌ଫୁସ୍‌କୁ ଯାଇଥିବା ନଳୀ ଭିତରେ ପଶୁଥାଏ, ସେହି ସମୟରେ ସଫାରକ୍ତ ବୃହଦ୍ଧମନୀରେ ପଶେ । ଏହିପରି ଭାବରେ ମଇଳା ଓ ସଫା ରକ୍ତ ଏକ ସମୟରେ ସଞ୍ଚାଳିତ ହୁଏ । ହୃଦ୍‌ଯନ୍ତ୍ରର ଏହି ସଙ୍କୋଚନ ଅଳିନ୍ଦରୁ ଆରମ୍ଭ ହୋଇ ଆସ୍ତେ ଆସ୍ତେ ନିଳୟ ଆଡ଼କୁ ଗତି କରେ, ଅର୍ଥାତ୍ ହୃଦ୍‌ଯନ୍ତ ମୂଳରୁ ଆଗ ଆଡ଼କୁ ଚିପି ହୋଇ ଆସେ, ତେଣୁ ଅଳିନ୍ଦ ଯେତେବେଳେ ଚିପି ହେଉଥାଏ ସେତେବେଳେ ନିଳୟ ଖୋଲାଥାଏ, ତେଣୁ ରକ୍ତ ସହଜରେ ଅଳିନ୍ଦରୁ ନିଳୟକୁ ଯାଇ ପାରେ । ହୁଦ୍‌ଯନ୍ତ୍ରର ଏହି ସଙ୍କୋଚନ ଓ ପ୍ରସାରଣ ସଦାବେଳେ ଲାଗିଛି । ମିନିଟକରେ ଏହା ୭୦/୮୦ ଥର ମେଲା ହୋଇ ଚିପି ହୁଏ । ଛାତିର ବାଆଁ ପଟେ ହାତ ଦେଲେ ଯେଉଁ ଧୁକ୍‌ଧୁକି ଜଣାଯାଏ ହୃଦ୍‌ଯନ୍ତ୍ରର ଏହି ସଙ୍କୋଚନ ପ୍ରସାରଣ ହେଉଛି ତା’ର କାରଣ ।

ଧମନୀ(Artery):- ସଫା ରକ୍ତ ହୃଦ୍‌‌ଯନ୍ତ୍ରରୁ ବୃହଦ୍ଧମନୀକୁ ଯାଏ । ବୃହଦ୍ଧମନୀରୁ ଅନେକ ଶାଖା ପ୍ରଶାଖା ବାହାରିଅଛି । ଏମାନଙ୍କୁ ଧମନୀ କହନ୍ତି । ଏହି ଶାଖା ପ୍ରଶାଖା ବାଟେ ସଫା ରକ୍ତ ଦେହର ସବୁଆଡ଼କୁ ଯାଏ । ଶାଖା ଦେହରୁ ପ୍ରଶାଖା, ପ୍ରଶାଖା ଦେହରୁ ଉପଶାଖା ଆଦି ବାହାରି ଶେଷରେ ଧମନୀସବୁ ଆସ୍ତେ ଆସ୍ତେ ଏତେ ଛୋଟ ହୋଇ ଯାଇଛନ୍ତି ଯେ, ତାହା ଖାଲି ଆଖିରେ ଦେଖିବା କଷ୍ଟ । ଏହି ସୂକ୍ଷ୍ମ ଧମନୀରୁ ଶେଷରେ ଜାଲକ (Capillary)ରେ ପରିଣତ ହୋଇଛନ୍ତି । ଧମନୀ ସରୁ ସରୁ ରବର ନଳୀ ପରି ସ୍ଥିତିସ୍ଥାପକ ଗୁଣବଶିଷ୍ଟ, ତେଣୁ ତାହା ସଦାବେଳେ ମେଲା ରହିଥାଏ ଏବଂ ରକ୍ତ ଟିକିଏ ବେଶି ହୋଇଗଲେ ତାହା ମଧ୍ୟ ଟିକିଏ ମୋଟା ହୋଇଯାଏ ଏବଂ ରକ୍ତ କମିଗଲେ ପୁଣି ପୂର୍ବାବସ୍ଥା ଧରେ । ଡାକ୍ତର ବୈଦ୍ୟମାନେ ଯେ ନାଡ଼ୀ ଦେଖନ୍ତି, ଏହା ହେଉଛି ହାତର କଚୋଟି ପାଖର ଧମନୀ । ଏହି ନାଡ଼ୀ ଦେଖି ସେମାନେ ହୃଦ୍‌ଯନ୍ତ୍ରର ଅବସ୍ଥା, ନାଡ଼ୀର ଅବସ୍ଥା ଓ ରକ୍ତର ପରିମାଣ ଆଦି ଜାଣି ପାରନ୍ତି । ହୃଦ୍‌‌ଯନ୍ତ୍ରର ପ୍ରତି ସଙ୍କୋଚନ ସଙ୍ଗେ କିଛି କିଛି ରକ୍ତ ବୃହଦ୍ଧମନୀ ଭିତରକୁ ଚାଲିଆସେ, ଏଣୁ ବୃହଦ୍ଧମନୀ ଫୁଲି ଉଠେ, ତା ପରକ୍ଷଣରେ ଧମନୀର ଫୁଲା କମିଯାଏ ଏବଂ ତାହା ପୂର୍ବାବସ୍ଥା ଧରେ । ବୃହଦ୍ଧମନୀର ଏହି ସଙ୍କୋଚନ ଓ ପ୍ରସାରଣ ଧମନୀମାନଙ୍କରେ ଗୋଟାଏ ଢେଉ ସୃଷ୍ଟି କରେ । ଏଥିଯୋଗୁଁ କଚୋଟି ନିକଟ ଧମନୀ ଧପ୍ ଧପ୍ ହୋଇ ଚାଲୁଥିବାର ଜଣାଯାଏ ।

ଜାଲକ (Capillary) :- ଧମନୀ ଖୁବ୍ ସୂକ୍ଷ୍ମ ହୋଇଗଲେ ତାହା ଜାଲକରେ ପରିଣତ ହୋଇଯାଏ । ଦେହର ଚାରିଆଡ଼ ଜାଲକରେ ପରିଣତ ରହିଛି । ଏହା ଏତେ ସରୁ ଯେ, କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଏ, ଖାଲି ଆଖିରେ ମୋଟେ ଦିଶେ ନାହିଁ । ଜାଲକରେ ଆସ୍ତରଣ ଖୁବ୍ ପତଳା । ଏହି ଆସ୍ତରଣ ମଧ୍ୟରେ ରକ୍ତର ପାଣିଭାଗ ଝରି କୋଷଭିତରକୁ ଯାଏ ଓ କୋଷକୁ ଖାଦ୍ୟ ଯୋଗାଏ । ରକ୍ତ-ଶୋଣିମାରେ ଥିବା ଅମ୍ଳଯାନକୁ ମଧ୍ୟ କୋଷ ଟାଣିନିଏ ଓ ତାହା ବଦଳରେ ଅଙ୍ଗାରକାମ୍ଳ ଛାଡ଼ିଦିଏ । ଏହି ଅଙ୍ଗାରକାମ୍ଳ ଶୋଣିମାରେ ମିଶିଯାଏ । ତେଣୁ ରକ୍ତ ଦୂଷିତ ହୋଇଯାଏ । ରକ୍ତ ଜାଲକରେ ଯାଉଥିବା ବେଳେ ଏହି ଆଦାନ ପ୍ରଦାନ ହୋଇଥାଏ । ତେଣୁ ଜାଲକର ପ୍ରଥମ ଭାଗରେ ସଫା ରକ୍ତ ଓ ଶେଷ ଭାଗରେ ମଇଳା ରକ୍ତ ମିଳେ । ଏହି ଜାଲକର ଆସ୍ତରଣ ଯେଉଁସବୁ କୋଷରେ ଗଢ଼ା ସେହି କୋଷମାନଙ୍କ ସନ୍ଧି ସ୍ଥାନରେ ଅତି ସୂଷ୍ମ ସୂକ୍ଷ୍ମ ରନ୍ଧ୍ର (Stomata) ଅଛି । ଏହି ରନ୍ଧ ବାଟ ଦେଇ ଶ୍ୱେତ ରକ୍ତକଣିକାମାନେ ଅନାୟାସରେ ଗଳିଯାଇ ପାରନ୍ତି ।

ଶିରା (Veins):- ଜାଲକର ଶେଷଭାଗ ଆସ୍ତେ ଆସ୍ତେ ମିଶି ଛୋଟ ଛୋଟ ଶିରା ହୁଅନ୍ତି ଓ ଛୋଟ ଛୋଟ ଶିରା ମିଶି ବଡ଼ ବଡ଼ ଶିରା ହୁଅନ୍ତି । ଏହି ଶିରାସବୁ ଆସ୍ତେ ଆସ୍ତେ ମିଶି ଶେଷରେ ଉତ୍ତରା ଓ ଅଧରା ମହାଶିରା ହୋଇ ହୃଦ୍‌ଯନ୍ତ୍ରର ଦକ୍ଷିଣ ଅଳିନ୍ଦରେ ମିଳନ୍ତି । ମଇଳା ରକ୍ତ ଏହି ଶିରାବାଟେ ହୃହ୍‌ଯନ୍ତ୍ରକୁ ଆସେ ଏବଂ ସେଠାରୁ ସଫା ହେବା ପାଇଁ ଫୁସ୍‌ଫୁସ୍‌କୁ ଯାଏ ।

ଲସିକା (Lymph) :- ଜାଲକ ମଧ୍ୟରୁ ରକ୍ତର କେତେକ ପାଣି ଭାଗ ଝରି କିପରି କୋଷମାନଙ୍କୁ ଖାଦ୍ୟ ଓ ଅମ୍ଳଯାନ ଯୋଗାଏ ଏହା ଆଗରୁ କୁହାଯାଇ ଅଛି । ରକ୍ତର ଏହି ପାଣି ଭାଗକୁ ଲସିକା କହ‌ନ୍ତି । ଅଙ୍ଗାରକାମ୍ଳ ଆଦି ଦୂଷିତ ଜିନିଷମାନ କୋଷମାନଙ୍କରୁ ଆସି ଏହି ଲସିକା ସଙ୍ଗେ ମିଶେ ଏବଂ ତାହା ଲସିକାୟନୀ ( Lymph Channel ) ବାଟେ ପ୍ରବାହିତ ହୋଇ ରକ୍ତ ସଙ୍ଗେ ମିଶେ । ଛୋଟ ଛୋଟ ଲସିକାୟନୀ ମିଶି ବଡ଼ ବଡ଼ ଲସିକାୟନୀ ହୋଇଛନ୍ତି । ଶେଷରେ ଏହି ଲସିକାୟନୀମାନେ ରସକୁଲ୍ୟା (Thoracic Duct) ରେ ମିଳିଅଛି । ରସକୁଲ୍ୟା ବାମ ତରଫର ଅକ୍ଷାଧାରା ଶିର୍ ସଙ୍ଗେ ମିଳିଅଛି । ଅନ୍ତ୍ର ଦେହରୁ ଆସିଥିବା ଲସିକାୟନୀକୁ ପୟଃସ୍ୱିନୀ ପ୍ରଣାଳୀକା (Lacteals) କହନ୍ତି । ଖାଦ୍ୟ ଜୀର୍ଣ୍ଣ ହେବାବେଳେ ଖାଦ୍ୟସାର ଏହା ମଧ୍ୟ ଦେଇ ଯାଇ ରକ୍ତ ସଙ୍ଗେ ମିଶେ ।

ଲସିକାୟନୀ ଦେହରେ ରସଗ୍ରନ୍ଥିମାନ (Lymph Glands) ଦେଖାଯୀଏ । ରକ୍ତ ସଙ୍ଗେ ମିଳିବା ଆଗରୁ ଲସିକା ଏହି ଗ୍ରନ୍ଥି ମଧ୍ୟ ଦେଇ ଯାଏ । ଋସଗ୍ରନ୍ଥି ହେଲା କେତେକ ଶ୍ୱେତ-ରକ୍ତ-କଣିକାଙ୍କର ଜନ୍ମସ୍ଥାନ ।