ଆମ ଦେହ/ଶ୍ୱାସଯନ୍ତ୍ର
←ହୃତ୍ଯନ୍ତ୍ର ଓ ରକ୍ତସଞ୍ଚାଳନ | ଆମ ଦେହ ଲେଖକ/କବି: ଶ୍ୱାସଯନ୍ତ୍ର |
ଆବର୍ଜ୍ଜନୀ କ୍ରିୟା→ |
ରକ୍ତରେ ଅଙ୍ଗାରକାମ୍ଳ ମିଶିଲେ ରକ୍ତ ଲାଲ ଦେଖା ନ ଯାଇ କଳାଆସିଆ ଦେଖାଯାଏ । ଏହି କଳା ମଇଳା ରକ୍ତ ହୃଦଯନ୍ତ୍ର ବାଟେ ଫୁସ୍ଫୁସ୍କୁ ଆସେ । ଫୁସ୍ଫୁସ୍ଠାରେ ରକ୍ତରୁ ଅଙ୍ଗାରକାମ ବାହାରିଯାଏ ଏବଂ ତହିଁକି ଅମ୍ଳଜାନ ଚାଲିଆସେ । ଅମ୍ଳଜାନ ମିଶିବାରୁ ଶୋଣିମା ପୁଣି ନିଜ ରୂପ ଧରି ରକ୍ତକୁ ଲାଲ କରିଦିଏ ।
ଅମ୍ଳଜାନ କିପରି ରକ୍ତକୁ ଯାଏ ଓ କୋଷରେ ତାହା କଣ କରେ ଏବଂ ଅଙ୍ଗାରକାମ୍ଳ କେଉଁଆଡ଼ୁ କୋଷକୁ ଆସେ, ଏ କଥା ତଳେ କୁହାଗଲା ।
ଆମ୍ଭେମାନେ ପବନରୁ ଅମ୍ଳଜାନ ପାଉଁ । ପବନ ମୌଳିକ ପଦାର୍ଥ ନୁହେ । ଯବକ୍ଷାରଜାନ (Nitrogen) ଏବଂ ଅମ୍ଳଜାନ (Oxygen) ପବନର ପ୍ରଧାନ ଉପାଦାନ । ସଂସାରରେ ଯେତେ ଯେତେ ଜିନିଷ ଅଛି, ସେ ସବୁଠାରୁ ଅମ୍ଳଜାନ ଆମର ବେଶୀ ଦରକାରୀ । ଏହା ବିନା ଅମ୍ଭେମାନେ ମୁହୂର୍ତ୍ତେ ବି ବଞ୍ଚି ପାରିବା ନାହିଁ । ଏଥିପାଇଁ ଆମ ପୂର୍ବ ପୁରୁଷମାନେ ଏହାର ନାମ ବିଷ୍ଣୁ ପଦାମୃତ ଦେଇଅଛନ୍ତି । ନିଃଶ୍ୱାସ ବାଟେ ପବନ ଫୁସ୍ଫୁସ୍ ଭିତରକୁ ଯାଏ । ତହିଁରେ ଥିବା ଅମ୍ଳଜାନ ରକ୍ତରେ ମିଶେ । ପ୍ରତି ମିନିଟରେ ଆମ୍ଭେମାନେ ୧୭|୧୮ ଥର ନିଶ୍ୱାସ ନେଉଁ । ଶ୍ୱାସଯନ୍ତ୍ର ଏହି କାର୍ଯ୍ୟ କରେ ।
ଶ୍ୱାସଯନ୍ତ୍ର (Respiratory Organ) :- ନାକଠାରୁ ଆରମ୍ଭ କରି ଫୁସ୍ଫୁସ୍ ପର୍ଯ୍ୟନ୍ତ ଅଂଶକୁ ଶ୍ୱାସଯନ୍ତ୍ର କୁହାଯାଏ । ଏହା ନାସାରନ୍ଧ୍ର, ଗଳକକ୍ଷ, କଣ୍ଠନାଳୀ, ଶ୍ୱାସନାଳୀ, କ୍ଳୋମନାଳୀ ଏବଂ ଫୁସ୍ଫୁସ୍ ଏହି ଛଅ ଭାଗରେ ବିଭକ୍ତ । ନାସାରନ୍ଧ୍ର (Nasal Cavity):- ଆମର ଗୋଟିଏ ନାକ ଅଛି । ତହିଁରେ ଦୁଇଟି ଫୋଡ଼ । ଏହି ଫୋଡ଼କୁ ନାସାରନ୍ଧ୍ର କହନ୍ତି । ଫୋଡ଼ ଦୁଇଟି ମଝିରେ ଗୋଟିଏ ବାଡ଼ ଅଛି, କିନ୍ତୁ ପଛପଟେ ଦୁଇଟିଯାକ ରନ୍ଧ୍ର ମିଶି ଗୋଟିଏ ହୋଇଅଛି । ନାସାରନ୍ଧ୍ର ଓ ପାଟି ମଝିରେ ରହିଛି ତାଳୁ ।
ନାସାରନ୍ଧ୍ର ଗୋଟିଏ ସିଧା ସଳଖ ନଳୀ ନୁହେ । ଏହା ଆଙ୍କ ବାଙ୍କ ହୋଇ ଯାଇଛି । ଏହେତୁରୁ ଉପରୁ ଦେଖିଲେ ଯେତେ ଦୂର ଲମ୍ବା ବୋଲି ଅନୁମାନ କରାଯାଏ, ଏହା ପ୍ରକୃତରେ ତାହାଠାରୁ ଅନେକ ବେଶୀ ଲମ୍ବା । ଖାଲି ଆଙ୍କ ବାଙ୍କ ନୁହେ, ସେଥିରେ ପୁଣି ଜାଗାଏ ଜାଗାଏ ଖୁବ୍ ସରୁ ହୋଇ ଯାଇଥିଲେ ଆଉ ଜାଗାଏ ଜାଗାଏ ଫୁଲି ବଡ଼ ହୋଇ ଯାଇଛି । ନାସାରନ୍ଧ୍ର ଆରମ୍ଭରେ ଅନେକଗୁଡ଼ାଏ ଲୋମ ଅଛି, ଭିତରକୁ ଆଉ ଲୋମ ନାହିଁ । ତେଣିକି ଏକପ୍ରକାର ଅଠାଳିଆ ଲାଳଦ୍ୱାରା ଗୋଟାକଯାକ ରନ୍ଧ୍ର ଭିଜି ରହିଥାଏ । ନିଃଶ୍ୱାସ ନେଲାବେଳେ ପ୍ରଥମେ ପବନ ଏହି ନାସାରନ୍ଧ୍ର ବାଟେ ପଶେ । ପବନରେ କେତେ ଯେ ଧୂଳି ମଳି ଓ ରୋଗବୀଜାଣୁ ଥାନ୍ତି, ତାର କିଛି ଠିକଣା ନାହିଁ । ନିଃଶ୍ୱାସ ନେଲାବେଳେ ଏହି ମଇଳାରୁ ଅନେକ ନାକବାଳରେ ଛାଣି ହୋଇ ରହିଯାଏ । ବାକି ଯେତେକ ଥାଏ ତାହା ଲାଳରେ ଲାଗି ରହିଯାଏ ଓ ପରେ ଆମେ ଛିଙ୍କି ସେ ସବୁ ମଇଳା ବାହାର କରି ଦେଉଁ । ଏହିପରି ନାସାରନ୍ଧ୍ରରେ ପବନ ଛାଣି ହୋଇ ଭିତରକୁ ଯାଏ । ଏହା ଛଡ଼ା ନାକବାଟେ ପବନ ଯାଉଁ ଯାଉଁ ତାହା ଟିକିଏ ଉଷୁମ ହୋଇଯାଏ ଓ ତହିଁରେ କେତେକ ଜଳୀୟ ବାଷ୍ପ ମିଶିଯିବାରୁ ତାହା ଠିକ୍ ଆମର ଉପଯୋଗୀ ହୋଇଯାଏ । ନାକରେ ଆମେ ଗନ୍ଧ ବାରି ପାରୁଁ, ଆଉ ଦୂଷିତ ପବନ ପ୍ରାୟ ଗନ୍ଧ କରେ; ଏହି ହେତୁରୁ ନାକବାଟେ ନିଃଶ୍ୱାସ ନେଲାବେଳେ ଯଦି ପବନରେ; କିଛି ଖରାପ ଜିନିଷ ଥାଏ, ତାହା ଆମେ ଗନ୍ଧରୁ ଜାଣିପାରୁଁ । ଏହା ଛଡ଼ା ଅନୁନାସିକ ଶବ୍ଦସବୁ ନାକଦ୍ୱାରା ଉଚ୍ଚାରିତ ହୁଅନ୍ତି ।
୧। କଣ୍ଠନାଳୀ (Larynx)
୨। ଶ୍ୱାସନାଳୀ (Trachea)
୩। ଫୁସ୍ଫୁସ୍ (Lungs)
କଣ୍ଠନାଳୀ କିପରି ଶ୍ୱାସନାଳୀରେ, ଶ୍ୱାସନାଳୀ କିପରି କ୍ଳୋମନାଳୀରେ ଏବଂ କ୍ଳୋମନାଳୀ କିପରି ଚରମ କ୍ଳୋମନାଳୀରେ ପରିଣତ ହୋଇଅଛି, ତାହା ଏହି ଚିତ୍ରରୁ ଜଣାଯାଏ ।
୧। ଶ୍ୱାସନାଳୀ (Trachea)
୨। କ୍ଳୋମନାଳୀ (Bronchi)
୩। ଚରମ କ୍ଳୋମନାଳୀ (Bronchiole)
ଚରମ କ୍ଳୋମନାଳୀ କିପରି ବାୟୁକୋଷରେ ପରିଣତ ହୋଇଅଛି ତାହା ଏହି ଚିତ୍ରରୁ ଜଣାଯାଏ ।
୧। ଚରମ କ୍ଳୋମନାଳୀ ।
୨। ବାୟୂକୋଷ ।
୩। ବାୟୂକୋଷର ଭିତର । କଣ୍ଠନାଳୀ (Larynx):- ଗଳକକ୍ଷ ତଳୁ କଣ୍ଠନାଳୀ ବାହାରିଅଛି । ଏହି କଣ୍ଠନାଳୀର ରପରିଭାଗ ତଳଭାଗ ଅପେକ୍ଷା ବେଶୀ ଚଉଡ଼ା ଓ ତହିଁରେ ସ୍ୱରଯନ୍ତ୍ର ଅଛି । ସ୍ୱରଯନ୍ତ୍ରରେ ଥିବା ସ୍ୱରତନ୍ତ୍ର (Vocal Cord) ସାହାଯ୍ୟରେ ଆମେ କଥା କହି ପାରୁଁ ।
ଶ୍ୱାସନାଳୀ (Trachea) :- କଣ୍ଠନାଳୀର ତଳଭାଗରୁ ଶ୍ୱାସନାଳୀ କହନ୍ତି ।
କ୍ଳୋମନାଳୀ (Bronchi):- ଶ୍ୱାସନାଳୀରୁ ଛାତିର ଦୁଲ ପାଖକୁ ଦୁଇଟି ଶାଖା ବାହାରି ଫୁସ୍ଫୁସ୍କୁ ଯାଇଅଛି । ଏହି ଶାଖାକୁ କ୍ଳୋମନାଳୀ (Bronchi) କହନ୍ତି । କ୍ଳୋମନାଳୀ ଫୁସ୍ଫୁସ୍ ଭିତରକୁ ଯାଇ ଅସଂଖ୍ୟ ଅସଂଖ୍ୟ ଶାଖା ପ୍ରଶାଖା ମେଲାଇ ଶେଷରେ ଖୁବ୍ ସୂକ୍ଷ୍ମ ସୂକ୍ଷ୍ମ ନଳୀରେ ପରିଣତ ହୋଇଅଛି । ଏହି ସୂକ୍ଷ୍ମ ସୂକ୍ଷ୍ମ ନଳୀସବୁ ଏଡ଼େ ଛୋଟ ଯେ, ଖାଲି ଆଖିରେ ଦେଖିବା ଅସମ୍ଭବ । ଏହାକୁ ଚରମ କ୍ଳୋମନାଳୀ (Bronchioles) କହନ୍ତି । ଶ୍ୱାସନାଳୀ, କ୍ଳୋମନାଳୀ ଓ ଚରମ-କ୍ଳୋମନାଳୀର ଆସ୍ତରଣରେ ଶ୍ଳୈଷ୍ମିକ ଗ୍ରନ୍ଥି (Mucous Glands) ଅଛି । ଏହା କଫ ତିଆରି କରେ । ଏହି କଫ ଶ୍ୱାସନଳୀକୁ ସର୍ବଦା ଭିଜାଇ ଲାଳୁଆ ରଖିଥାଏ । ନିଃଶ୍ୱାସ ପବନ ନାକରେ ଛାଣି ହେଲା ପରେ ଯଦି ବା ତହିଁରେ କିଛି ଧୂଳି ମଳି ବାକି ରହି ଯାଇଥାଏ, ତାହା ଏହି ଲାଳରେ ଲାଗିଯାଏ । ଶ୍ୱାସନାଳୀ ଆଦିର ଭିତର ଏକପ୍ରକାର ପକ୍ଷ୍ମ (Cillia) ରେ ଆଚ୍ଛାଦିତ । ପବନ ବହିଲେ ଧାନ କିଆରି ଉପର ଯେପରି ଦୋହଲି ଦୋହଲି ଢେଉ ଖେଳିଲା ପରି ଜଣାଯାଏ, ଏହି ପକ୍ଷ୍ମସବୁ ଠିକ୍ ସେହିପରି ସଦାବେଳେ ଦୋହଲି ଏକପ୍ରକାର ଢ଼େଉର ସୃଷ୍ଟି କରିଥାନ୍ତି । ଏ ଢେଉର ଗତି ଉପର ଆଡ଼କୁ । କଫ ଦେହରେ ପବନର ଧୂଳି ମଳି ଲାଗି ଏହି ପକ୍ଷ୍ମ ଉପର ଦେଇ ଆସ୍ତେ ଆସ୍ତେ ଉପରକୁ ଆସେ ଓ ଶେଷରେ ଆମେ କାସି ତାହା ବାହାର କରି ଦେଉଁ ।
ଚରମ କ୍ଳୋମନାଳୀ ଶେଷରେ ଫୁଲି ଗୋଟିଏ ଗୋଟିଏ ଥଳୀ ପରି ହୋଇଅଛି । ଏହି ଥଳୀକୁ ବାୟୁକୋଷ କହନ୍ତି । ଖଜୁରିଗଛରୁ ପ୍ରଥମେ ଗୋଟାଏ କାଣ୍ଡ ବାହାରି ତାହା ଅସ୍ତେ ଆସ୍ତେ ଗୋଟାଏ ଚଅଁର ପରି ଶାଖା ପ୍ରଶାଖାରେ ଭାଗ ହୋଇ ଶେଷରେ ଯେପରି ଡ଼େମ୍ଫ ଦେଇଥାଏ ଓ ସେହି ଡେମ୍ଫରୁ ଖଜୁରି କୋଳି ସବୁ ଝୁଲିଥାଏ, ସେହିପରି ଶ୍ୱାସନାଳୀରୁ କ୍ଳୋମନାଳୀ ବାହାରି ତାହା ଆସ୍ତେ ଆସ୍ତେ ଶାଖା ପ୍ରଶାଖାରେ ଭାଗ ହୋଇ ଶେଷକୁ ବାୟୁକୋଷରେ ପରିଣତ ହୋଇଅଛି । ୫୮ ପୃଷ୍ଠାର ଚିତ୍ର ଦେଖିଲେ ଏହା ବେଶ୍ ବୁଝାଯାଏ । ବାୟୁକୋଷ ଏଡ଼େ ଛୋଟ ଯେ, ଖାଲି ଆଖିରେ ଦେଖଯାଏ ନାହିଁ । ଏହାର ଆସ୍ତରଣ ମଧ୍ୟ ସେହି ଅନୁପାତରେ ପତଳା ।
ଫୁସ୍ଫୁସ୍ (Lungs):- ମୋଟ ଉପରେ କହିବାକୁ ଗଲେ ଫୁସ୍ଫୁସ୍ ଏହି ସବୁ ଚରମ କ୍ଳୋମନାଳୀ ଓ ବାୟୁକୋଷ ଆଦିର ସମଷ୍ଟି । ଆମ ଛାତି ଭିତରେ ଦୁଇ ପାଖରେ ଦୁଇଟି ଫୁସ୍ଫୁସ୍ ଅଛି । ପ୍ରତ୍ୟେକ ଫୁସ୍ଫୁସ୍କୁ ଚାରିଆଡ଼ୁ ଘୋଡ଼ାଇ ଥଳି ପରି ଦୁଇ ପରସ୍ତ ଖୁବ୍ ପତଳା ଝିଲ୍ଲି (Plenra) ଅଛି । ଏହି ଦୁଇ ପରସ୍ତ ଭିତରେ ଗୋଟାଏ ପାଣିଭଳି ଜିନିଷଥାଏ । ଏହି ହେତୁରୁ ଫୁସ୍ଫୁସ୍ ସଙ୍କୁଚିତ ଓ ପ୍ରସାରିତ ହେଲାବେଳେ ତାହା ଘଷି ହୋଇଯାଏ ନାହିଁ । ନିଃଶ୍ୱାସ ପବନ ନାସାରନ୍ଧ୍ର ବାଟେ ଗଳକକ୍ଷକୁ ଯାଏ । ସେଠାରୁ କଣ୍ଠନାଳୀ, ଶ୍ୱାସନାଳୀ, କ୍ଳୋମନାଳୀ ଆଦି ଦେଇ ଚରମ କ୍ଳୋମନାଳୀବାଟେ ବାୟୁକୋଷରେ ପହଞ୍ଚେ । ଅମେ ଯେତେବେଳେ ନିଃଶ୍ୱାସ ନେଉଁ ଛାତି ଫୁଲଉଠିବାରୁ ଏହି ବାୟୁକୋଷ ସଙ୍ଗେ ସମସ୍ତ ଫୁସ୍ଫୁସ୍ ପବନରେ ଫୁଲି ଉଠେ । ନିଃଶ୍ୱାସ ଛାଡ଼ିଦେଲେ ପୁଣି ଛାତି ଛୋଟ ହୋଇଯାଏ । ଫୁସ୍ଫୁସ୍ ଏହିପରି ବାୟୁକୋଷରେ ପୂରିଥିବାରୁ ତା ଭିତରର ଆୟତନ ଖୁବ୍ ବଢ଼ିଯାଇଛି । ସମସ୍ତ ବାୟୁକୋଷ ମେଳାଇ ବିଛାଇଦେଲେ ୪୦ବର୍ଗଫୁଟରୁ ବେଶୀ ହେବ । ନିଃଶ୍ୱାସ ନେଉଥିବା ବେଳେ ଫୁସଫୁସ ଭିତରେ ଏତେ ବଡ଼ ଅୟତନରେ ପବନ ମାଡ଼ି ରହିଥାଏ, ସେ ହେତୁରୁ ଅନେକଗୁଡ଼ାଏ ରକ୍ତ ଏତେ ବେଶୀ ଆୟତନର ପବନ ସମ୍ପର୍କରେ ଅସେ ଓ ତହିଁରୁ ଅମ୍ଳଜାନ ଅତି ସହଜରେ ନେଇ ପାରେ ।
ମଇଳା ରକ୍ତ ନେଇ ଯେଉଁ ଧମନୀ ହୃଦ୍ଯନ୍ତ୍ରରୁ ଫୁସ୍ଫୁସ୍କୁ ଯାଇଅଛି, ତାହା ଅନେକ ଶାଖା ପ୍ରଶାଖାରେ ବିଭକ୍ତ ହୋଇଅଛି । ଶେଷରେ ସେ ସବୁ ଏଡ଼େ ସୂକ୍ଷ୍ମ ହୋଇଛନ୍ତି ଯେ, ଖାଲି ଆଖିରେ ଦେଖି ହେବ ନାହିଁ । ଏହି ସୂକ୍ଷ୍ମ ଧମନୀସବୁରୁ ଜାଲକ (Capillary), ଆରମ୍ଭ ହୋଇ ବାୟୁକୋଷକୁ ଘେରି ରହିଅଛି । ଜାଲକର ଆସ୍ତରଣ ମଧ୍ୟ ଖୁବ ପତଳା । ଜାଲକ ଓ ବାୟୁକୋଷ ଏହିପରି ଲଗାଲଗି ହୋଇ ରହିଥିବାରୁ ଜାଳକ ଭିତରେ ଥିବା ରକ୍ତ ଓ ବାୟୁକୋଷ ମଧ୍ୟରେ ଥିବା ବାୟୁ, ଏ ଦୁହିଙ୍କ ଭିତରେ ବ୍ୟବଧାନ କେବଳ ଜାଲକ ଓ ବାୟୁକୋଷ ଏ ଦୁହିଙ୍କର ଆସ୍ତରଣ । ଏ ଦୁଇ ଆସ୍ତରଣ ଏତେ ପତଳା ଯେ, କହିବାକୁ ଗଲେ ରକ୍ତ ଓ ବାୟୁ ଏକାବେଳକେ ଲଗାଲଗି ହୋଇ ରହିଥାନ୍ତି, କେବଳ ଏହି ପତଳା ଆସ୍ତରଣ ଯୋଗେ ମିଶି ପାରନ୍ତି ନାହିଁ । ବାୟୁ ଓ ରକ୍ତ ଏପରି ରହିବାରୁ ଲୋହିତ ରକ୍ତ କଣିକାର ଶୋଣିମା ବାୟୁ ଦେହରୁ ଅମ୍ଳଜାନ ଟାଣି ଆଣେ ଓ ରକ୍ତରୁ ଅଙ୍ଗାରକାମ୍ଳ ବାୟୁକୋଷ ଭିତରକୁ ଚାଲିଯାଏ । ଏହି ଅଙ୍ଗାରକାମ୍ଳମିଶା ବାୟୁ ନିଃଶ୍ୱାସବାଟେ ବାହାରିଯାଏ । ରକ୍ତ ଫୁସ୍ଫସ୍ ଭିତରେ ଥିବା ଜାଲକ ମଧ୍ୟରେ ଯାଉ ଯାଉ ସମସ୍ତ ଅଙ୍ଗାରକାମ୍ଳ ଛାଡ଼ିଦେଇ ଏବଂ ଅମ୍ଳଜାନ ଟାଣି ଆଣି ସଫା ହୋଇଯାଏ । ଜାଲକସବୁ ମିଳି ଶିରା ହୋଇଛନ୍ତି ଓ ଶିରାସବୁ ମିଳି ଗୋଟାଏ ବଡ଼ ଶିରା ହୋଇଅଛି । ଏହି ଶିରା ହୃଦ୍ଯନ୍ତ୍ରକୁ ଆସିଛି । ସଫା ରକ୍ତ ଜାଲକରୁ ଶିରାକୁ ଆସି ଶେଷରେ ହୃଦ୍ଯନ୍ତ୍ରକୁ ଆସେ । ଏହିପରି ମଇଳା ରକ୍ତ ହୃଦ୍ଯନ୍ତ୍ରରୁ ଫୁସ୍ଫୁସ୍କୁ ଯାଇ ସେଠାରେ ସଫା ହୋଇ ପୁଣି ହୃଦ୍ଯନ୍ତ୍ରକୁ ଆସୁଅଛି ଓ ହୃଦଯନ୍ତ୍ରରୁ ଦେହର ଚାରିଆଡ଼କୁ ଯାଉଅଛି ।
ଖାଦ୍ୟର ସାର କିପରି ରକ୍ତରେ ମିଶେ ଏବଂ ରକ୍ତ କିପରି ତାହାକୁ ତନ୍ତୁମାନଙ୍କର କୋଷକୁ ନେଇଯାଏ, ତାହା ଆଗରୁ କୁହାଯାଇଅଛି । ଏହି ଖାଦ୍ୟସାର କୋଷକୁ ଯାଇ ସେଠାରେ କଣ କରେ ଦେଖାଯାଉ । ଆମ ଜଣାରେ ହେଉ ବା ଅଜଣାରେ ହେଉ ଦେହ ଭିତରେ ସଦାବେଳେ କିଛି ନା କିଛି କାମ ଚାଲିଛି । ନିଃଶ୍ୱାସ ମାରିବା, ଖାଦ୍ୟ ହଜମ ହେବା କିମ୍ବା ରକ୍ତ ଚଳିବା ଆଦି କେବେ ହେଲେ ବନ୍ଦ ନାହିଁ । କାମ କଲେ ତନ୍ତୁମାନଙ୍କ କୋଷର କିଛି ନା କିଛି କ୍ଷୟ ହୁଏ । ଖାଦ୍ୟସାର ଏହି କ୍ଷତିପୂରଣ କରେ ଆଉ ଦେହକୁ ବଢ଼ାଏ । ଏହା ଛଡ଼ା ଆଉ କେତେକ ଦଗ୍ଧ ହୋଇ ଉତ୍ତାପ ଜିନ୍ମାଏ । ଏହି ଉତ୍ତାପ ଆମ ଦେହକୁ ଉଷୁମ ରଖେ ଓ କାମ କରିବାକୁ ବଳ ଦିଏ । ଦେହ ଭିତରେ ଦଗ୍ଧ ହେଉଛି ଅଥଚ ଆମେ ପୋଡ଼ିଯାଉ ନାହୁଁ, ଏ କଥା ବଡ଼ ଆଶ୍ଚର୍ଯ୍ୟ ଲାଗି ପାରେ, କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାଠ ପତରରେ ନିଆଁ ଲାଗିଲେ ତାହା ଯେପରି ପୋଡେ ଦେହ ଭିତରେ ସେପରି କିଛି ହୁଏ ନାହିଁ । ଆସ୍ତେ ଆସ୍ତେ ଦଗ୍ଧ ହୋଇ ଉତ୍ତାପମାତ୍ର ଜନ୍ମେ, ଏ ହେତୁରୁ ଯେତିକି ଉତ୍ତାପ ଦରକାର, ସେତିକି ବାହାରେ । ପୋଡ଼ିଗଲା ଭଳି ଉତ୍ତାପ ବାହାରେ ନାହିଁ । କୌଣସି ଜିନିଷ ଦଗ୍ଧ ହେବାପାଇଁ ଅମ୍ଳଜାନ ନିତାନ୍ତ ଦରକାର । ବିନା ଅମ୍ଳଜାନରେ କିଛି ଜଳିବ ନାହିଁ କି ଯୋଡ଼ିବ ନାହିଁ । ରକ୍ତ ଯେଉଁ ଅମ୍ଳଜାନ ନେଇଯାଏ, ତାହା ଯୋଗେ ଦେହ ଭିତରେ ଦଗ୍ଧ ହୁଏ; ନ ହେଲେ ଦଗ୍ଧ ହୁଅନ୍ତା ନାହିଁ । ଦଗ୍ଧହେବା ପାଇଁ ଅଙ୍ଗାର ଦରକାର । ଚିନି ଓ ତେଲ ଜାତୀୟ ଖାଦ୍ୟରୁ ଦେହ ଅଙ୍ଗାର ପାଏ ଓ ତାହା ଅମ୍ଳଜାନ ସଙ୍ଗେ ମିଶି ଦଗ୍ଧ ହୁଏ । ଫଳରେ ଅଙ୍ଗାରକାମ୍ଳ ଜାତ ହୁଏ । ଏହିପର ରକ୍ତରେ ଥିବା ଅମ୍ଳଜାନ ଓ ଖାଦ୍ୟର ଅଙ୍ଗୀର ଖର୍ଚ୍ଚ ହୋଇଯାଏ ଓ ଅଙ୍ଗାରକାମ୍ଳ ବାହାରି ରକ୍ତକୁ ମଇଳା କରି ଦିଏ । ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବାଷ୍ପ ରକ୍ତରେ ବାଷ୍ପୀୟ ଆକାରରେ ନ ଥାନ୍ତି । ଏମାନେ ରକ୍ତ ଦେହରେ ମିଳି ଯାଇ ରହିଥାନ୍ତି ।
ରେଲଗାଡ଼ିର ଇଞ୍ଜିନ କୋଇଲା ଓ ପାଣିରେ ଚଳେ । କୋଇଲା ଜଳିବାରୁ ତହିଁରୁ ଉତ୍ତାପ ବାହାରେ । ଏହି ଉତ୍ତାପ ଯୋଗେ ପାଣି ଫୁଟି ବାମ୍ଫ ବାହାରେ ଓ ବାମ୍ଫରେ ଇଞ୍ଜିନ୍ ଚଳେ । ସେହିପରି ଆମ ଦେହ ଭିତରେ ଖାଦ୍ୟର ଅଙ୍ଗାରଭାଗ ଅମ୍ଳଜାନ ସଙ୍ଗେ ମିଶି ଦଗ୍ଧ ହେବାରୁ ଫଳରେ ଆମେ ଉତ୍ତାପ ଓ କାର୍ଯ୍ୟ କରିବାକୁ ବଳ ପାଉଁ । ରେଳ ଇଞ୍ଜିନ୍ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଁ, କିନ୍ତୁ ଆମ ଦେହଭିତରେ ପ୍ରତ୍ୟେକ ତନ୍ତୁର ପ୍ରତ୍ୟେକ କୋଷ ଗୋଏ ଗୋଟିଏ ଇଞ୍ଜିନ୍ । ସଦାବେଳେ ସେହି କୋଷ ଭିତରେ ଇଞ୍ଜିନ୍ଠାରୁ ବଳି ସୂକ୍ଷ୍ମ ସୂକ୍ଷ୍ମ କାମ ହେଉଛି । ଆମ ଦେହରେ କେତେ କୋଟି କୋଷ ଯେ ଅଛି ତାହା କିଏ ଗଣି ପାରବି ? ଅଥଚ ପ୍ରତ୍ୟେକ କୋଷ ଗୋଟିଏ ଗୋଟିଏ ଅପୂର୍ବ ଇଞ୍ଜିନ୍ । ଭାବ ଦେଖି, ଯେଉଁ ଇଞ୍ଜିନ୍ ପୁଣି ଏ କୋଟି କୋଟି ମନୁଷ୍ୟକୁ ସୃଷ୍ଟି କରିଛି; ସେ କେତେ ବଡ଼ ଓ କେଡ଼େ ସୂକ୍ଷ୍ମ !
"ତତ୍ତ୍ୱର ଅତୀତ ବିଭୋ ! କି ବୁଝିବ ମୁହିଁ
ଜ୍ଞାନବୁଦ୍ଧି ପରାଜିତ ତୋ ତତ୍ତ୍ୱଚିନ୍ତାରେ ।”