ଆମ ମଧୁସୁଦନ/ଅନ୍ତିମ ପର୍ବ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ମଧୁସୁଦନ ଲେଖକ/କବି: ସୁରସିଂହ ପଟ୍ଟନାୟକ
ଅନ୍ତିମ ପର୍ବ



ଜଣେ ଓଡ଼ିଆ ଅଥବା An Uriya । ଏହା ନିଶ୍ଚିତରେ ଜଣେ ବ୍ୟକ୍ତିତ୍ୱର ପରିଚିତି । ଏହି ପରିଚୟଲାଗି ଏକ ଦୂରନ୍ତ ଅଭିଳାଷ ଆଉ କାହାର ବା ଥିଲା ? ଓଡ଼ିଆ ଜାତିର ଅନ୍ତରତମ ପ୍ରଦେଶରେ ଥିବା ନିର୍ବାପନମୁଖୀ ପ୍ରାଣସତ୍ତାକୁ ସ୍ପର୍ଶ କରି ତା'ର ଅସ୍ତିତ୍ୱକୁ ଯିଏ ଉଦ୍ଦୀପିତ କରିଥିଲେ; ଏହା ତାଙ୍କର ଥିଲା ଏକାନ୍ତ ଗୌରବଦୀପ୍ତ ପରିଚୟ । 'ଏନ୍‍ ଓରିଆ' ବା ଜଣେ ଓଡ଼ିଆ ଥିଲା, ୧୮୮୫ ସାଲରୁ କ୍ରମାନ୍ୱୟରେ ଇଂରାଜୀରେ ଉତ୍କଳ ଦୀପିକାରେ ପ୍ରକାଶିତ ମଧୁସୂଦନ ଦାସଙ୍କର ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ରଚନାରେ ଲେଖକୀୟ ନାମ । ଏହି ନାମ ମଧ୍ୟ ଥିଲା ସ୍ୱୟଂ ତାଙ୍କର ଏକ ସ୍ୱତଃସିଦ୍ଧ ଘୋଷଣାନାମା ।
ତିରୋଧାନର ଦୁଇଦିନ ପୂର୍ବରୁ ଅପେକ୍ଷାରତ ନୀଳକଣ୍ଠ ଦାସଙ୍କ ସମକ୍ଷରେ, ଏକ ଛାତ୍ର ଗୋଷ୍ଠୀର ପରିଦର୍ଶନ ବେଳେ ମଧୁସୂଦନଙ୍କର ବଜ୍ର ନିର୍ଘୋଷ କଣ୍ଠରେ ଘୋଷଣାନାମା ଥିଲା- "ହଁ ମନେରଖିଥିବ ଏହିପରି ଜଣେ ଓଡ଼ିଆ ଥିଲା, ଯେ ଶାସନର ଶକ୍ତିକୁ ଆଦୌ ଭୟ କରିନଥିଲା, ଆଉ କୌଣସି ପ୍ରଲୋଭନର ବଶବର୍ତ୍ତୀ ନହୋଇ ନିଜର ବିବେକାନୁମୋଦିତ ମାର୍ଗରୁ ତିଳେମାତ୍ର ଘୁଞ୍ଚି ନଥିଲା ।" ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଏକମାତ୍ର ପରିଚୟ ଥିଲା ଓଡ଼ିଆ ଆଉ ଓଡ଼ିଆ । ସେ ଥିଲେ ସର୍ବକାଳର ସର୍ବଶ୍ରେଷ୍ଠ ଓଡ଼ିଆ । ଓଡ଼ିଆ ଇତିହାସରେ ଯେଉଁ ଗୌରବଦୀପ୍ତ ପୁରୁଷମାନେ ସ୍ଥାନ ପାଇଛନ୍ତି, ମଧୁସୂଦନଙ୍କ ସୃଷ୍ଟ ଓଡ଼ିଶା ଥିବାରୁ ହିଁ ସେମାନଙ୍କର ଖ୍ୟାତି ଆଜି ଉଦ୍‍ଘୋଷିତ । ହଁ, ମଧୁସୂଦନୀୟ ଯବକାଚର ପୃଷ୍ଠଭୂିମିରେ ସେହିମାନଙ୍କର ଗରିମାମୟ ଚିତ୍ରପଟ ଆଜି ଉତ୍ତୋଳିତ । ଅଥଚ ସ୍ୱୟଂ ମଧୁସୂଦନ ଆଉ ତାଙ୍କର ଗୌରବଦୀପ୍ତ ସ୍ମୃତିପୀଠ ଆଜି ମହିଳା କଲେଜର ପରିସରରେ କାରାରୁଦ୍ଧ, ବିଡ଼ମ୍ବିତ ଆଉ ବିପର୍ଯ୍ୟସ୍ତ । ଏହି ଚରମ କୃତଜ୍ଞତା ଭରା ପ୍ରବଞ୍ଚନାର ଆଉ ତୁଳନା ନାହିଁ ।
ସହରୀୟ ପୃଷ୍ଠଭୂମିରେ ଅସଂଖ୍ୟ ନେତୃପୁରୁଷ ଜନ୍ମଗ୍ରହଣ କରିଥିଲେ । ମାତ୍ର ମଧୁସୂଦନ ଏକାନ୍ତ ଭାବେ ଓଡ଼ିଶାର ପଲ୍ଲୀ ଅର୍ଥନୀତିର ପଟ୍ଟଭୂମିରେ କେବଳ ଜନ୍ମଗ୍ରହଣ କରିନଥିଲେ, ତାଙ୍କର

ପ୍ରତ୍ୟୁତ୍ପନ୍ନମତିତାର ପ୍ରଖର ଦୃଷ୍ଟିଭଂଗୀପୂର୍ଣ୍ଣ ଅନୁସନ୍ଧିତ୍ସା ଘେନି ସେ ବାଲ୍ୟକାଳରୁ ଓଡ଼ିଶୀ କୃଷି ଓ ଗ୍ରାମ୍ୟଶିଳ୍ପର ଉତ୍ପାଦନ ପ୍ରକ୍ରିୟା ସହ ଘନିଷ୍ଠ ଭାବେ ନିବନ୍ଧିତ ଥିଲେ । ଏହାହିଁ ତାଙ୍କୁ ମହାତ୍ମାଗାନ୍ଧୀଙ୍କର ଅନ୍ୟତମ ମାର୍ଗଦର୍ଶକ ରୂପେ ଉପସ୍ଥାପିତ କରିଥିଲା । କେବଳ ସେତିକି ନୁହେଁ ମଧୁସୂଦନ ଶୈଶବ ଅବସ୍ଥାରୁ ଓଡ଼ିଆ ଜାତିର ଅନ୍ତସ୍ଥଳୀର ଆଦ୍ୟ ଉତ୍ସରୁ ପ୍ରବାହିତ ନିବିଡ଼ ପ୍ରାଣ ନିର୍ଯ୍ୟାସକୁ ପାନ କରି ଋଦ୍ଧିମନ୍ତ ହୋଇଥିଲେ । ସେହି ସଂପର୍କରେ ତାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ଥିଲା -
"ପିଲାଦିନେ କୋଇଲି ଗୋପୀଭାଷା ପଢ଼ିଥିଲି । ମୋର ମାଆଙ୍କୁ ଖୁସି କରାଇବାପାଇଁ ବଳରାମ ଦାସଙ୍କ ରାମାୟଣ, ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ପୋଥିରୁ ପଢ଼ି ଶୁଣାଉଥିଲି । ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାସ, ଲାବଣ୍ୟବତୀ, ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି, ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ ଉପର ଠାଉରିଆ ଭାବେ ପଢ଼ିଥିଲି ।" ପ୍ରକୃତରେ ମଧୁସୂଦନ ଏହି ସବୁ ଗ୍ରନ୍ଥ ଅତ୍ୟନ୍ତ ପ୍ରଗାଢ଼ ମନୋନିବେଶ ସହିତ ଏପରି ଅଧ୍ୟୟନ କରିଥିଲେ ଯେ ବହୁ ଛାନ୍ଦ ତାଙ୍କର କଣ୍ଠସ୍ଥ ଥିଲା । ଏ ସଂପର୍କରେ ଭାଷାବିତ୍‍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଗଭୀର ଅନୁସନ୍ଧିତ୍ସା ଥିଲା - "ହେ ମଧୁସୂଦନ ! ତୁମେ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ଆଦିଙ୍କର ବଡ଼ବଡ଼ ଛାନ୍ଦମାନ ମୁହଁରେ ନଝୁଣ୍ଟି ଆବୃତ୍ତି କରିଥିବା ଯେ ଶୁଣିଛନ୍ତି, କବିସୂର୍ଯ୍ୟ, ବନମାଳୀ ଆଦିଙ୍କର ସଂଗୀତ ବୋଲିବାର ଯେ ଶୁଣିଛନ୍ତି, ତୁମ ବକ୍ତୃତା ଯେ ଶୁଣିଅଛି ସେ ଜାଣେ ଯେ, ତୁମେ ଉଚ୍ଚଶ୍ରେଣୀର ସାହିତ୍ୟାନୁରାଗୀ ଓ ସାହିତ୍ୟସେବୀ ଥିଲ ।" ମଧୁସୂଦନଙ୍କର ଓଡ଼ିଆ ପଲ୍ଲୀଗୀତ ଆଉ ଲୋକବାଣୀରେ ଅଗାଧ ପାରଦର୍ଶିତା ରହିଥିଲା । ଏଣୁ ସେ ଓଡ଼ିଆ ସଂସ୍କୃତିର ଆଦି ଉତ୍ସ ଏବଂ ଗହନ ପ୍ରାଣତଂତ୍ରୀଠାରୁ ସତତ ଅନୁପ୍ରେରଣା ଲାଭ କରୁଥିଲେ ।
ସେହି ମହିମାବନ୍ତ କାର୍ଯ୍ୟଧାରାର ଉତ୍‍‌ପ୍ରେକ୍ଷା ଏହିପରି ଥିଲା । ଯେତେବେଳେ ୧୮୮୫ ସାଲରେ ଉପେନ୍ଦ୍ର ଭଞ୍ଜଙ୍କର କିଛି କାବ୍ୟ ଆଉ ବିଶ୍ୱନାଥ ଖୁଣ୍ଟିଆଙ୍କର 'ବିଚିତ୍ର ରାମାୟଣ' ପ୍ରକାଶନ ପରେ ତାହାରି ପରିପ୍ରସାର ବିରୁଦ୍ଧରେ ତୁମୁଳ ବାଧା ଆଉ ପ୍ରତିରୋଧ ସୃଷ୍ଟି ହୋଇଥିଲା, ତେବେଳେ ଓଡ଼ିଶାର ସାହିତ୍ୟାକାଶ ଧୂଳି ପଟଳରେ ଆଚ୍ଛାଦିତ ଥିଲା । ସେହି ସମୟରେ ଏହା ବିରୋଧରେ ତୀବ୍ର ଆଉ ଶାଣିତ ପ୍ରତିବାଦ କରି ୧୫.୮.୧୮୮୫ରେ ଉତ୍କଳ ଦୀପିକାରେ ମଧୁସୂଦନ ଇଂରାଜୀରେ ଯେଉଁ ପତ୍ରଟି ପ୍ରକାଶ କରିଥିଲେ, ତହିଁରେ ତାଙ୍କର ଲେଖକୀୟ ନାମ 'ଏନ୍‍ ଓରିଆ' ବୋଲି ସୂଚିତ କରିଥିଲେ । ଏହାପରେ 'ଏନ୍‍ ଓରିଆ'ର ପ୍ରବାହ ଉତ୍ତାଳ ସ୍ରୋତ ଘେନି ପ୍ରବାହିତ ହୋଇଥିଲା ।
ସମ୍ବଲପୁରରେ ଓଡ଼ିଆ ଭାଷା ଉଚ୍ଛେଦର ଘୋଷଣାନାମା ପରେ ମଧୁସୂଦନ ୧୮୯୫ ର ଫେବ୍ରୁଆରିରୁ ମଇମାସ ମଧ୍ୟରେ ପ୍ରାୟ ପ୍ରତିପକ୍ଷରେ 'ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷାର ନିର୍ବାସନ' ଶୀର୍ଷକ ଆଠଗୋଟି ଭାଷାତାତ୍ତ୍ୱିକ ନିବନ୍ଧ ଇଂରାଜୀ ଭାଷାରେ 'ଏନ୍‍ ଓରିଆ' ଲେଖକୀୟ ନାମରେ ଉତ୍କଳଦୀପିକାରେ ପ୍ରକାଶ କରି ବ୍ରିଟିଶ ପ୍ରସାଶନର ଦୃଷ୍ଟି ଆକର୍ଷଣ କରିବା ସହିତ ଅବଶେଷରେ ଲେଖିଥିଲେ, 'ମାତୃଭାଷାର କଣ୍ଠରୋଧ କରିବା ଭଳି ଜଘନ୍ୟ ଅପରାଧ ବର୍ବରତମ ପ୍ରଶାସନରେ

ମଧ୍ୟ ଦୃଷ୍ଟିଗୋଚର ହୁଏ ନାହିଁ ।' 'ଏନ୍‍ ଓରିଆ'ର ଲେଖକୀୟ ନାମରେ 'ଅଭିନୀତ ନାଟକର ପର୍ଯ୍ୟାଲୋଚନା' 'ୟୁରୋପ ଭ୍ରମଣ ଡାଏରୀ' (ଉଦାତ୍ତ ପର୍ଯ୍ୟଟନ ସାହିତ୍ୟ), 'କର୍ଜନଙ୍କର ଓଡ଼ିଶା ପରିଦର୍ଶନ', 'ଚାଷୀର କଷଣ ଶିଳ୍ପୀର ଦୈନ୍ୟ', ଉତ୍କଳ ସମ୍ମିଳନୀ ଓଡ଼ିଶାର ଅନ୍ତର୍ନିହିତ ସ୍ୱାର୍ଥ ତଥା ପ୍ରଶାସନର ଅତ୍ୟାଚାର ସଂପର୍କରେ ପ୍ରକାଶିତ କରିବା ସହ ଅନ୍ୟକ୍ଷେତ୍ରରେ ଓଡ଼ିଶାର ଔଦାର୍ଯ୍ୟ ଆଉ ଗରିମାମୟ ମହତ୍ତ୍ୱକୁ ମଧ୍ୟ ସଦର୍ପେ ଉଦ୍‍ଘୋଷିତ କରିଥିଲେ ।
ମଧୁସୂଦନ ୧୯୦୩ ସାଲରେ ଉତ୍କଳ ସମ୍ମିଳନୀ ଅଧିବେଶନରେ ଗୃହୀତ ପ୍ରସ୍ତାବବଳୀ ସର୍ବ ପ୍ରଥମେ ଓଡ଼ିଆ ଭାଷାରେ ଗ୍ରହଣ କରି ବଙ୍ଗ ଆଦି ଭାରତର ବହୁ ପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ମଧୁସୂଦନ ପ୍ରଗାଢ଼ ଦେଶବତ୍ସଳତାର ଆଧାରରେ ଯେଉଁ ତୋଜୋଦୀପ୍ତ ଅସଂଖ୍ୟ ଲେଖା, ନିବନ୍ଧ, ବକ୍ତୃତା ଏବଂ ଉଦ୍ଦୀପିତ କବିତାମାନ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି, ତାହା ପ୍ରକୃତରେ ଥିଲା ଉତ୍ତୁଙ୍ଗ ଓଡ଼ିଆ ଜାତୀୟତାର ନିଜସ୍ୱ ସଂପତ୍ତି ।
ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ସ୍ଥାପନା କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ବ୍ୟତୀତ ଭାରତର ସମସ୍ତ ରାଜନୈତିକ ଦଳ ଆଉ ତୁଙ୍ଗ ନେତୃବର୍ଗ ଏହାର ତୀବ୍ର ବିରୋଧ କରିଚାଲିଥିଲେ । ୨୦.୮.୧୯୨୫ର ପ୍ରାତଃକାଳରେ କଟକରେ ମଧୁସୂଦନଙ୍କ ପ୍ରଦତ୍ତ ଅଭ୍ୟର୍ଥନାର ଉତ୍ତର ଦେଇ ମହାତ୍ମାଗାନ୍ଧୀ ଓଜସ୍ୱୀ କଣ୍ଠରେ କହିଥିଲେ, 'ଜଣେ ବ୍ୟକ୍ତି ମାତୃଭାଷାକୁ ପରିତ୍ୟାଗ କରି ଯଦି ଅନ୍ୟ ଏକ ଭାଷାକୁ ଗ୍ରହଣ କରେ, ସେ ନିଶ୍ଚିତରେ ତାହାର ସମାଜ ଆଉ ସଂସ୍କୃତି ପ୍ରତି ବୈର ଭାବଯୋଗୁଁ ଏହା କରିଥାଏ ଆଉ ପରିଣାମରେ ହୋଇଥାଏ ସମାଜରୁ ବିଚ୍ଛିନ୍ନ । ସମାଜରୁ ବିଚ୍ଛିନ୍ନ ହେବା ଏକ ଭାବଗତ ବିରୋଧୀ କାର୍ଯ୍ୟ । ଏଣୁ ଅନ୍ୟ ଅର୍ଥରେ ମାତୃଭାଷାର ନିର୍ବାସନ ପ୍ରକୃତରେ ଏକ ଭାବଗତ ଦ୍ରୋହୀ କାର୍ଯ୍ୟକ୍ରମ ଅଟେ ।"(ଅଭିଲେଖାରୁ ପ୍ରାପ୍ତ) ବୋଧହୁଏ, ଏହାଥିଲା ସର୍ବୋତ୍ତମ ପରିପ୍ରକାଶ ।
ଆଜି ମଧୁସୂଦନଙ୍କର ତିରୋଧାନର ଦୀର୍ଘ ବ୍ୟବଧାନ ପରେ ତାଙ୍କ ଗରିମାମୟ କାର୍ଯ୍ୟଧାରାର ନିରପେକ୍ଷ ମୂଲ୍ୟାୟନ କଲେ ଗର୍ବରେ ଆମର ମଥା ଉନ୍ନତ ହୋଇଯାଏ ।


ତାହା ଥିଲା ୧୯୫୩ ସାଲ ଫେବ୍ରୁଆରି ତେର ତାରିଖ, ଶୀତଳ ସକାଳର ନାତିଉଷ୍ଣ ପତରଝଡ଼ା ସମୟ । ମଧୁସୂଦନଙ୍କ ବାସଭବନ 'ମଧୁସ୍ମୃତି'ରେ ମଳୟର ହାଲୁକା ସ୍ପର୍ଶରେ ଗଛ ଗହଳରୁ ପୀତାଭ ପତ୍ରସବୁ ଝରିପଡ଼ୁଥାଏ ଅବାରତ ଗତିରେ । କେବେକେବେ ଖଣ୍ଡିଆଭୂତର ହାବୁକା, ପତ୍ରସବୁକୁ ଘୂର୍ଣ୍ଣିି ଆକାରରେ ଉତ୍ତୋଳିତ କରି ଧୂଳିଝଡ଼ର ଉତ୍ତାଳ ପବନ ଭିତରେ ଭସେଇ ନେଉଥାଏ । ମଧୁସୂଦନଙ୍କର ଅଷ୍ଟାଦଶ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଥିଲା ୧୯୫୩ ଫେବ୍ରୁଆରି ୪ ତାରିଖରେ , ଯାହାର ଶୋକାଚ୍ଛନ୍ନ ଆକୁଳତା ଏବେ ମଧ୍ୟ ପୀତାଭ ଗଛର କରୁଣ ସ୍ମୃତି ପରି ଗୁମୁରି ଉଠେ ।
ହେଲେ ସେହି ବେଦନାସିକ୍ତ ମର୍ମନ୍ତୁଦ ପାଂଶୁଳ ସ୍ମୃତିସବୁ ସେଦିନ ପରିବର୍ତ୍ତିିତ ହୋଇଯାଇଥାଏ ବିପୁଳ ଆହ୍ଲାଦଭରା ମହୋତ୍ସବରେ । ମଧୁସ୍ମୃତିର ସେହି ଐତିହାସିକ ଅଂଗନରେ ଉନ୍ମୋଚିତ ହେବାକୁ ଯାଉଥାଏ ମଧୁସୂଦନଙ୍କର ପୂର୍ଣ୍ଣାବୟବ ମାର୍ବଲ ପ୍ରତିମୂର୍ତ୍ତିି ଭାରତର ପ୍ରଧାନମଂତ୍ରୀ ପଣ୍ଡିତ ଜବାହର ଲାଲ୍‍ ନେହେରୁଙ୍କରଦ୍ୱାରା । ଏହି ପ୍ରତିମୂର୍ତ୍ତିର ସ୍ଥପତି ହେଉଛନ୍ତି ମଧୁସୂଦନଙ୍କ ଦ୍ୱାରା ପ୍ରଶିକ୍ଷିତ, ତାହାଙ୍କ ଦ୍ୱାରା ସ୍ଥାପିତ କଳା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଏବଂ କଲିକତା ଆର୍ଟ କଲେଜର ସ୍ୱର୍ଣ୍ଣପଦକ ପ୍ରାପ୍ତ ଯଶସ୍ୱୀ ମୂର୍ତ୍ତିକାର ବିପ୍ର ଚରଣ ମହାନ୍ତି ।
ଉନ୍ମୋଚନର ସମୟ ଆଗତ ପ୍ରାୟ । ବହୁ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ଗହଣରେ ଆସି ପହଞ୍ଚିଲେ ପଣ୍ଡିତ ନେହେରୁ, ବିପୁଳ ହର୍ଷଧ୍ୱନି ଏବଂ କରତାଳିର ନିନାଦ ମଧ୍ୟରେ ଉନ୍ମୋଚନ କଲେ ପ୍ରତିମୂର୍ତ୍ତିି । ମାତ୍ର ସେହି ପ୍ରତିମୂର୍ତ୍ତି ସହିତ ମଧୁସୂଦନଙ୍କ ଚେହେରାର ସୌସାଦୃଶ୍ୟ ଦେଖି ବିସ୍ମୟଭରା ନୟନରେ ନିରୀକ୍ଷଣ କଲେ ପଣ୍ଡିତ ନେହେରୁ ଓ ପ୍ରଶ୍ନ କଲେ, "ଏହି ପ୍ରତିମୂର୍ତ୍ତିିର ସ୍ଥପତି କିଏ?" ସ୍ଥପତି ବିପ୍ର ଚରଣ ମହାନ୍ତି ପହଞ୍ଚିଲା ପରେ, ତାଙ୍କୁ କୋଳାଗ୍ରତ କରି ଅଭିନନ୍ଦନ ଜଣାଇଲେ । ଏହା ପରେ ସେ ଉଦ୍‍ବୋଧନ ଦେଇ କହିଲେ---

"ସ୍ୱର୍ଗତଃ ମଧୁସୂଦନ କେବଳ ଓଡ଼ିଶାର ନୁହଁନ୍ତି, ସମଗ୍ର ଭାରତର ମହାନ ଜନନାୟକ ଥିଲେ । ଜଣେ ପ୍ରଖ୍ୟାତ ଦୂରଦୃଷ୍ଟିସମ୍ପନ୍ନ ନେତୃପୁରୁଷ ଭାବରେ, ଭାରତର ଆର୍ଥିକ ଓ ସାମାଜିକ ଅବସ୍ଥାର ଉନ୍ନତି କଳ୍ପେ, ବହୁ ଉଦାର ପ୍ରକଳ୍ପମାନ ସେ ପ୍ରତିଷ୍ଠା କରିଯାଇଛନ୍ତି । ସେହି ପ୍ରକଳ୍ପଗୁଡ଼ିକ ଦେଶର ନିର୍ଦ୍ଦିଷ୍ଟ ଅଂଚଳରେ ସ୍ଥାପନକରି, ଦେଶର ଅନ୍ୟ ଅଂଚଳ ପ୍ରତି ଏକ ଦୁର୍ବାର ଆହ୍ୱାନ ପ୍ରଦାନ କରିଛନ୍ତି, ଯେ ସେହିପରି ଉନ୍ନୟନଭିତ୍ତିକ ପ୍ରକଳ୍ପମାନ ସ୍ଥାପନ କରାଯାଉ, ଅନ୍ୟ ଅଂଚଳମାନଙ୍କର ମଧ୍ୟ ଉନ୍ନତି ବିଧାନ ହେଉ । ତାଙ୍କର ନାମ ମୁଁ ବିଗତ ପଚାଶ ବର୍ଷ ଧରି ଶୁଣି ଆସୁଛି । ସେ ମୋର ପିତାଙ୍କର ଜଣେ ନିବିଡ଼ ଆଉ ଅନ୍ତରଂଗ ବଂଧୁ ଥିଲେ । ଯେତେବେଳେ ଓଡ଼ିଶା ସଂପର୍କରେ କିଛି ଆଲୋଚନା ହୁଏ, ମଧୁସୂଦନଙ୍କର ମହାନ ନାମ ସହିତ, ତାଙ୍କଠାରେ ସନ୍ନିବେଶିତ ପ୍ରଖର ଉଦାତ୍ତ ଗୁଣାବଳୀ ସମୂହ ସ୍ୱତଃ ସ୍ମରଣରେ ଆସିଥାଏ ।
"ନାରୀମାନେ ସମାଜ ଅଗ୍ରଗତିର ଅଭିନ୍ନ ଅଂଗ ଅଟନ୍ତି । ମଧୁସୂଦନ ସର୍ବାଗ୍ରେ ଏହି ମହିଳା କଲେଜ ସ୍ଥାପନ କରି ଓଡ଼ିଶାର ନାରୀ ଜାଗରଣକୁ ଆଗେଇ ନେଇଛନ୍ତି । ମଧୁସୂଦନଙ୍କ ବାସଭବନ ସହିତ ସଂଲଗ୍ନ ଏହି ମହିଳା କଲେଜ, ମଧୁସୂଦନଙ୍କର ଅବିସ୍ମରଣୀୟ ସ୍ମୃତି ପ୍ରତି ନିବେଦିତ ସର୍ବଶ୍ରେଷ୍ଠ ସ୍ମାରକୀ ।"
ଭାଷଣ ସମାପ୍ତି ପରେ ପଣ୍ଡିତ ନେହେରୁ ସଭାମଂଚରୁ ଅବତରଣ କଲେ । ଏହିଠାରେ କଥାବସ୍ତୁର ଅଗ୍ରଗତିକୁ ସ୍ଥଗିତ ରଖି ଯିବା ପ୍ରଖ୍ୟାତ ସ୍ଥପତି ବିପ୍ରଚରଣ ମହାନ୍ତିଙ୍କ ସ୍ମୃତିଚାରଣ ପାଖକୁ । "ମଧୁସୂଦନଙ୍କର ଦୟନୀୟ ଆର୍ଥିକ ଅବସ୍ଥା ସତ୍ତ୍ୱେ ସେ ପ୍ରାୟ ୧୯୩୧ ସାଲ ସମୟରେ ପାଶ୍ଚାତ୍ୟ ଗ୍ରୀକ୍‍ ଆଉ ରୋମାନ ମୂର୍ତ୍ତିିକଳା ଆଧାରରେ 'ପ୍ଲାଷ୍ଟର ଅଫ୍‍ ପ୍ୟାରିସର' ଅପୂର୍ବ କଳା ନୈପୁଣ୍ୟର ସଜୀବ ବିନ୍ୟାସ ମଧ୍ୟରେ ମଧୁସ୍ମୃତିରେ ବଂଗାଳୀ ସୁଦକ୍ଷ ସ୍ଥପତିଙ୍କର ନିୟୋଗରେ ଏକ ଶିଳ୍ପଶାଳା ଖୋଲିଥିଲେ । ସେହି ଶିଳ୍ପାଗାରରେ ବାଳକ ବିପ୍ରଚରଣ ଏହି ଅନନ୍ୟ ରୀତିର ଶିଳ୍ପକଳା ଅଧ୍ୟୟନ କରିଥିଲେ । ପରେ କଲିକତା ଆର୍ଟ କଲେଜରେ ସ୍ନାତକ ଡିଗ୍ରୀ ହାସଲ ପରେ କଲିକତାରେ ନିଜସ୍ୱ ଶିଳ୍ପାଗାର ଖୋଲିଥିଲେ ।"
ପାଳିତା କନ୍ୟା ଶୈଳବାଳା, ମଧୁସୂଦନଙ୍କର ବାସଭବନ 'ମଧୁସ୍ମୃତି'କୁ ଓଡ଼ିଶା ସରକାରଙ୍କୁ ଦାନପତ୍ର ଜରିଆରେ ହସ୍ତାନ୍ତର କରିବା ସମୟରେ ୧୯୫୨ ସାଲରେ ଏହି ସର୍ତ୍ତ ରଖିଥିଲେ ଯେ, ସ୍ମୃତିରେ ମଧୁସୂଦନଙ୍କର ପୂର୍ଣ୍ଣାଙ୍ଗ ମାର୍ବଲ କିମ୍ବା ବ୍ରୋଞ୍ଜମୂର୍ତ୍ତି ସ୍ଥାପିତ ହେବ ଆଉ ମହିଳା କଲେଜର ଅଧିକ ଅଭିବୃଦ୍ଧି ଘଟିଲେ, ସେହି କଲେଜକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସମସ୍ତ ମଧୁସ୍ମୃତି ମଧୁସ୍ମାରକୀ ଏବଂ ସଂଗ୍ରହାଳୟରେ ପରିଣତ ହେବ । ମଧୁସୂଦନ ବାସ କରୁଥିବା ଉପର ତାଲାର ଦୁଇଟି କକ୍ଷ ସେ ଜୀବିତ ଅବସ୍ଥାରେ ଯେଉଁପରି ଭାବରେ ଚଳପ୍ରଚଳ କରୁଥିଲେ, ସେହିପରି ଭାବରେ ଚିରକାଳ ଲାଗି ସଜ୍ଜିତ ହୋଇ ରହିବ । ଏହି ନିର୍ଦ୍ଧାରିତ ସ୍ଥପତି ବିପ୍ରଚରଣ ମହାନ୍ତି ଡକ୍ଟର ମହତାବଙ୍କର ମାର୍ମିକ ଅନୁରୋଧରେ ରାଜସ୍ଥାନରୁ ମାର୍ବଲ ଫଳକ ଆଣି ଏହି ଅତୁଳନୀୟ ଆଉ ଅନନ୍ୟ ପ୍ରଥମ ପ୍ରତିମୂର୍ତ୍ତିିଟି ନିର୍ମାଣ କରିଥିଲେ ।

ପୁଣି ଫେରିଆସିବା ମୂଳ କଥାବସ୍ତୁକୁ । ମଧୁସୂଦନଙ୍କର ପ୍ରତିମୂର୍ତ୍ତିି ଉନ୍ମୋଚନ ପରେ ପଣ୍ଡିତ ଜବାହରଲାଲ୍‍ ନେହେରୁ ଫେରୁଥାନ୍ତି ମଧୁସ୍ମୃତିର ସୁରମ୍ୟ କୋଠିକୁ ଧୀର ପଦପାତରେ । ସାଙ୍ଗରେ ଥାଆନ୍ତି ଶୈଳବାଳା, ବିପ୍ର ଚରଣ ମହାନ୍ତି ଓ ଅନ୍ୟମାନେ । ଅତ୍ୟନ୍ତ ହାଲ୍‍କା ମୁହୂର୍ତ୍ତରେ ମୃଦୁ ବାକ୍ୟାଳାପ ମଧ୍ୟରେ ପଣ୍ଡିତ ନେହେରୁ ବଖାଣି ଚାଲିଥାନ୍ତି ବାଲ୍ୟକାଳରେ ସ୍ମୃତିପଟ୍ଟରେ ଗଭୀର, ନିବିଡ଼ ଭାବରେ ଉତ୍‍କୀର୍ଣ୍ଣ ଏବଂ ରେଖାଙ୍କିତ ହୋଇଥିବା ଦୀପ୍ତ ପ୍ରତିଛବିକୁ ଏହିପରି ଭାବରେ-
"ହଁ, ମୁଁ ବାଲ୍ୟକାଳରେ ମଧୁସୂଦନ ଦାସଙ୍କୁ ବହୁବାର ଦୂରରୁ ଦେଖିଛି । ସେ ଆମ ଘରର ଅତିଥିଶାଳାରେ ପିତାଙ୍କ ସହିତ ବାର୍ତ୍ତାଳାପରେ ନିବିଷ୍ଟ ରହିଥିବା ଅବସ୍ଥାରେ ମୁଁ ତାଙ୍କୁ ବହୁବାର ଆବିଷ୍କାର କରିଛି । ସେହି କଥୋପକଥନ ଅତ୍ୟନ୍ତ ଗମ୍ଭୀର ଆଉ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା, ଯହିଁରେ ଦେଶର ମୁକ୍ତି ସଂଗ୍ରାମ ସଂପର୍କରେ ବୋଧହୁଏ ଆଲୋଚନା ହେଉଥିଲା । ଏହି ମାର୍ମିକ ଅନ୍ତରଂଗ ଆଲୋଚନାକୁ ମୁଁ ଅତିଥିଶାଳା କକ୍ଷରେ ଦୂରରେ ରହି ନିରୀକ୍ଷଣ କରୁଥାଏ । ଯେତେବେଳେ ପିତା ଅତିଥିଶାଳାରୁ ସାମାନ୍ୟ ବିରତି ନେଇ ବାହାରକୁ ଯାଆନ୍ତି, ମଧୁସୂଦନ ସେତେବେଳେ ଅତ୍ୟନ୍ତ ବ୍ୟଗ୍ରତାର ସହିତ ମୋତେ ଧରିବାପାଇଁ ମୋ ପାଖକୁ ଦ୍ରୁତ ପଦପାତରେ ଆସନ୍ତି । ମୁଁ ଧରା ଦେଉଦେଉ ଖସି ଚାଲିଯାଉଥାଏ । କାରଣ ତାଙ୍କର ସ୍ପର୍ଦ୍ଧିତ ପ୍ରଲମ୍ବିତ ନିଶ ଦୁଇପଟ ମୋତେ ଯେତିକି ଆକର୍ଷିତ କରୁଥିଲା, ସେତିକି ରୋମାଞ୍ଚଭରା ଉନ୍ମାଦନାରେ ବିସ୍ମିତ କରୁଥିଲା । ଏହି ସମ୍ମୋହନର ବିସ୍ମୟାବୃତ ଦ୍ୱନ୍ଦ୍ୱ ମଧ୍ୟରେ ମୁଁ ଧରା ଦେଉଦେଉ ଖସି ଚାଲିଯାଉଥାଏ ।" ଏହା ଥିଲା ବିପ୍ରଚରଣଙ୍କର ସ୍ମୃତିଚାରଣରେ ପଣ୍ଡିତ ନେହେରୁଙ୍କ ବକ୍ତବ୍ୟ ।
ପଣ୍ଡିତ ଜବାହରଲାଲ୍‍ ନେହେରୁଙ୍କର ମଧୁସୂଦନଙ୍କ ପ୍ରତି ଆଗ୍ରହ ଆଉ ଆକର୍ଷଣ ଥିଲା ଅପରିସୀମ । ଭାରତର କେନ୍ଦ୍ର ସ୍ଥଳରେ ଆହ୍ଲାବାଦ ଅବସ୍ଥିତ ଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଆହ୍ଳାବାଦରେ ଅନୁଷ୍ଠିତ ହେଉଥିଲା, ଯହିଁରେ ମଧୁସୂଦନଙ୍କର ଯୋଗଦାନ ଥିଲା ଅନିବାର୍ଯ୍ୟ । ମଧୁସୂଦନ କଲିକତା ଓ ପାଟଣା ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଥିବା ସମୟରେ ପରାମର୍ଶ, ସହାୟତା ଆଉ ଆଲୋଚନାପାଇଁ ଆହ୍ଲାବାଦ ହାଇକୋର୍ଟକୁ ଯାଉଥିଲେ । ଏବଂ ମଧୁସୂଦନ ଦ୍ୱୈତଶାସନର ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀପଦରେ ପାଟଣାରେ ଅଧିଷ୍ଠିତ ଥିବାବେଳେ ଅଶେଷ ଖ୍ୟାତିର ଅଧିକାରୀ ହୋଇଥିଲେ । ସେ ମଧ୍ୟ ପଣ୍ଡିତ ମୋତିଲାଲ୍‍ ନେହେରୁ ଓ ଚିତ୍ତରଂଜନ ଦାସଙ୍କର ସମ୍ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ସ୍ୱରାଜ୍ୟ ଦଳର ଅଂତରଂଗ ସମର୍ଥକ ଥିଲେ । ଏହି କାଳରେ ମଧୁସୂଦନ ବିହାରର ସ୍ୱରାଜ୍ୟ ଦଳର ପ୍ରାର୍ଥୀମାନଙ୍କୁ ଅକୁଣ୍ଠ ସମର୍ଥନ ପ୍ରଦାନ କରି ନିର୍ବାଚିତ କରାଇ ପାରିଥିଲେ । ଏହି ଦୃଷ୍ଟିରୁ ମଧୁସୂଦନଙ୍କର ଆହ୍ଲାବାଦ ଆଉ ନେହେରୁ ପରିବାର ସହିତ ନିବିଡ଼ ଓ ଅଚ୍ଛେଦ୍ୟ ସଂପର୍କ ଗଢ଼ିଉଠିଥିଲା । ଏହା ସହିତ ମଧୁସୂଦନ ୧୯୧୨ ସାଲର ପାଟଣା ଅଧିବେଶନରେ ଜାତୀୟ କଂଗ୍ରେସର ଅଭ୍ୟର୍ଥନା ସମିତିର ଉପ-ସଭାପତି ଏବଂ ୧୯୧୬ରେ ଲକ୍ଷ୍ନୌ କଂଗ୍ରେସର କାର୍ଯ୍ୟକାରିଣୀର ସଭ୍ୟରୂପେ ନିର୍ବାଚିତ ହୋଇ ତାଙ୍କର ପ୍ରଚଣ୍ଡ ଭାବମୂର୍ତ୍ତିି ପ୍ରକାଶରେ ଅଜସ୍ର ଗୌରବର ଅଧିକାରୀ ହୋଇଥିଲେ । ଏହାଛଡ଼ା ୧୯୧୩ରୁ ୧୯୧୬ ସାଲ ମଧ୍ୟରେ କେନ୍ଦ୍ରୀୟ ଇମ୍ପେରିଆଲ୍‍ କାଉନ୍‍ସିଲର ସଦସ୍ୟ ରୂପେ ତାଙ୍କର ଜ୍ୱାଳାମୁଖୀ ଉଦ୍ଦୀପ୍ତ

ବକ୍ତବ୍ୟ ମାଧ୍ୟମରେ ପ୍ରତିପକ୍ଷକୁ ଭୂଲୁଣ୍ଠିତ କରୁଥିଲେ, ଯେଉଁ ଆସ୍ପର୍ଦ୍ଧାର ସୀମା କୌଣସି ଓଡି଼ଆ ନେତୃପୁରୁଷ ଏ ପର୍ଯ୍ୟନ୍ତ ସ୍ପର୍ଶ କରିପାରି ନାହାନ୍ତି । ଏହିପରି ତାଙ୍କର ପ୍ରଚଣ୍ଡ ପ୍ରତିଭାର ଉନ୍ମୀଳନରେ ସେ ସର୍ବଭାରତୀୟ ଖ୍ୟାତି ଅର୍ଜନ କରିଥିଲେ ।
ମଧୁସ୍ମୃତିରେ ମଧୁସୂଦନଙ୍କର ପ୍ରତିମୂର୍ତ୍ତିି ଉନ୍ମୋଚନର କିଛି ବର୍ଷ ପରର ଘଟଣା ପ୍ରବାହ । ସେତେବେଳକୁ ଶୈଳବାଳା ରାଜ୍ୟ ସଭାର ସଦସ୍ୟ ରୂପେ ନିର୍ବାଚିତା ହୋଇଥାନ୍ତି । ସାହିତ୍ୟ ଓ ସଂସ୍କୃତିଭିତ୍ତିକ ପ୍ରଖ୍ୟାତ ସର୍ବଭାରତୀୟ ଅନୁଷ୍ଠାନ ପି.ଇ.ଏନ୍‍.ର ସ୍ମାରକୀ ଉତ୍ସବ ଭୁବନେଶ୍ୱରରେ ପାଳନପାଇଁ ପ୍ରଧାନମଂତ୍ରୀ ପଣ୍ଡିତ ନେହେରୁ ଏବଂ ଉପ-ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍‍ ଭୁବନେଶ୍ୱର ଆସିଥାନ୍ତି । ଏହି ଉପଲକ୍ଷେ ଶୈଳବାଳା ପଣ୍ଡିତ ନେହେରୁଙ୍କୁ ପୁନର୍ବାର ମଧୁସ୍ମୃତି ପରିଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି, ଯାହାକୁ ପଣ୍ଡିତ ନେହେରୁ ଅତ୍ୟନ୍ତ ଆବେଗ ମଧ୍ୟରେ ଗ୍ରହଣ କରିଥାନ୍ତି । ଏହି ସମୟରେ ପଣ୍ଡିତ ନେହେରୁ ଓଡ଼ିଶାର ଅନବଦ୍ୟ କାରୁକଳା, ଭାସ୍କର୍ଯ୍ୟର ଗନ୍ତାଘର କୋଣାର୍କକୁ ରାଧାକ୍ରିଷ୍ଣନ୍‍ଙ୍କ ଗହଣରେ ପରିଦର୍ଶନ କରିଥିଲେ । ଉପ-ରାଷ୍ଟ୍ରପତି ଭାରତୀୟ ଶିଳ୍ପଶାସ୍ତ୍ରର ସାଙ୍କେତିକ ବିଧି ଅନୁସାରେ କୋଣାର୍କର କଳା ନୈପୁଣ୍ୟ ଓ ନିର୍ମାଣ ଶୈଳୀ ସଂପର୍କରେ ଏକ ବିଲକ୍ଷଣ ପର୍ଯ୍ୟାଲୋଚନା କରିଥିଲେ ।
ନିର୍ଦ୍ଧାରିତ ଅପରାହ୍‍ଣରେ ପଣ୍ଡିତ ନେହେରୁ 'ମଧୁସ୍ମୃତି'ରେ ଆସି ପହଞ୍ଚିଥିଲେ । ପ୍ରଥମେ ମଧୁସୂଦନଙ୍କର ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ କରି ଅତୀବ ସମ୍ମୋହିତ ଓ ରସାଣିତ କଣ୍ଠରେ ଭାଷଣ ଆରମ୍ଭ କଲେ, ଯହିଁରେ ମଧୁସୂଦନଙ୍କ ପ୍ରତି ତାଙ୍କର ଉଦ୍ଦୀପକ ଭାବ ନିବେଦନ ସମସ୍ତ ହାର୍ଦ୍ଦିକ ଉଦ୍‍ବେଳନର ଉତ୍ତୁଙ୍ଗ ସୀମା ଛୁଇଁଥିଲା । ସେହି ସମୟରେ କର୍ତ୍ତବ୍ୟର ଅନୁରୋଧରେ ପ୍ରଧାନମଂତ୍ରୀଙ୍କ ସହ ଅନୁଗମନ କରିଥିବା ପ୍ରଖ୍ୟାତ ଆଇ.ପି.ଏସ୍‍. ଅଧିକାରୀ (ବର୍ତ୍ତମାନ ଅବସର ପ୍ରାପ୍ତ) ଗୋବିନ୍ଦ ଚନ୍ଦ୍ର ସେନାପତି ଉପସ୍ଥିତ ଥିଲେ । ତାଙ୍କର ସ୍ମୃତି ଗହଳରୁ ପଣ୍ଡିତ ନେହେରୁଙ୍କ ବକ୍ତବ୍ୟ--
"ସମ୍ମାନନୀୟ ମଧୁସୂଦନ ଦାସ ମୋର ପୂଜ୍ୟ ପିତୃଦେବ ମୋତିଲାଲ ନେହେରୁଙ୍କର ଅତ୍ୟନ୍ତ ନିବିଡ଼ ଆଉ ଅନ୍ତରଂଗ ବଂଧୁ ଥିଲେ । ଉଭୟଙ୍କ ମଧ୍ୟରେ ଥିବା ପ୍ରଗାଢ଼ ବନ୍ଧୁତ୍ୱର ପରିସୀମା ଅନ୍ତରର ଗଭୀର ଭାବ ଉଚ୍ଛ୍ୱାସକୁ ସ୍ପର୍ଶ କରୁଥିଲା । ମଧୁସୂଦନ ମୋର ପିତାଙ୍କଠାରୁ କେବଳ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ଅଗ୍ରଜ ଆଉ ବରିଷ୍ଠ ନଥିଲେ, ବୁଦ୍ଧିମତ୍ତାର ପରିପ୍ରକାଶ ମଧ୍ୟରେ ଅତୀବ ପାରଦର୍ଶୀ ଆଉ ପ୍ରବୀଣ ଥିଲେ । ଏଣୁ ମୋର ପିତା ମଧୁସୂଦନଙ୍କ ପ୍ରତି ଯେଉଁପରି ଭାବରେ ହୃଦୟର ଆବେଗ ସହିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରି ଚାଲିଥିଲେ, ତାହା ସଂଦର୍ଶନ କରି ମୁଁ ଏକାଗ୍ର ଭାବେ ବିହ୍ୱଳିତ ଆଉ ଅଭିଭୂତ ହୋଇ ଯାଇଥିଲି । "
"ମଧୁସୂଦନ ତାଙ୍କର ପ୍ରଖର ଔଜଲ୍ୟ, ବିଦ୍‍ବତ୍ତା ଆଉ ଔଦାର୍ଯ୍ୟ ମଧ୍ୟରେ ସାରା ଭାରତର ନେତୃବର୍ଗଙ୍କ ମଧ୍ୟରେ ଅଲିଭା ଛାପ ଆଙ୍କି ପାରିଥିଲେ । ତେଣୁ ବହୁ ସମୟରେ ତାଙ୍କୁ ଜାତୀୟ କଂଗ୍ରେସର ସଭାପତି ପଦ ଅଳଂକୃତ କରିବାପାଇଁ ସୁଚିନ୍ତିତ ପ୍ରସ୍ତାବମାନ ଆସିଥିଲା । ମାତ୍ର ଏହା ପ୍ରତି ସେ ନିସ୍ପୃହ ଥିଲେ ।"

ସେଦିନ ସାୟାହ୍ନରେ ସଭା ଉଦ୍‍ଯାପିତ ହୋଇଥିଲା । ଆଉ ଉତ୍ତରା ପବନ ତୁହାଇ ତୁହାଇ ବହି ଚାଲିଥିଲା । ବୃକ୍ଷରାଜିରେ ଅତୀତ ସ୍ମୃତିକୁ ଉଜାଗର କରି, ପତ୍ରସବୁ ପୀତାଭ ରଂଗରେ ବର୍ଣ୍ଣିିଳ ହୋଇ ଝରି ପଡ଼ୁଥିଲେ । ନିରାଭରଣ ବୃକ୍ଷସବୁ ଦଣ୍ଡାୟମାନ ହୋଇଥିଲେ ବିଗତ ସ୍ମୃତିର ବିଳାପରେ ସ୍ଥାଣୁ ପରି । ଆସନ୍ନ ଅନ୍ଧକାରକୁ ଦୂର କରି ମଧୁସ୍ମୃତି ଆଲୋକମଣ୍ଡିତ ହୋଇଯାଇଥିଲା ।


ଓଡ଼ିଆ ଜାତୀୟତାର ଦ୍ୱିତୀୟ ବାରବାଟୀ ଦୁର୍ଗ- "ମଧୁସ୍ମୃତି', ମଧୁସୂଦନଙ୍କ ବାସଭବନ । ସଂତାପିତ ଓଡ଼ିଶା ଭୂଇଁରୁ ଚିରକାଳ ଲାଗି ଏହା ଅବଲୁପ୍ତହେବା ଜାତୀୟ ଅକୃତଜ୍ଞତାର ଏକ ଚରମ ପରିପ୍ରକାଶ । ସେ ସୃଷ୍ଟି କରିଥିବା ଓଡ଼ିଶା ଅଛି, ମାତ୍ର ତାଙ୍କର ସ୍ମୃତିଚିହ୍ନ ଓ ତାଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ କରିବାର ପୀଠ ଏହି ମାଟିରୁ ନିଶ୍ଚିହ୍ନ ହୋଇଯାଇଛି ।
ଏହି ବାରବାଟୀ ଦୁର୍ଗରେ ପ୍ରାୟ ୧୦୦୦ ସାଲରୁ ଆରମ୍ଭ କରି କେଶରୀ, ଗଂଗ, ସୂର୍ଯ୍ୟବଂଶୀ ଆଉ ଅବଶେଷରେ ମୁକୁନ୍ଦ ଦେବଙ୍କର ପରାଭୂତ ଶାସନପରେ, ୧୫୬୮ ସାଲରେ ଏହି ମାଟିରୁ ଓଡ଼ିଶାର ସ୍ୱାଧୀନତା ରବି ଅସ୍ତମିତ ହୋଇଗଲେ । ଦଶମ ଶତାବ୍ଦୀରେ ଯଯାତି କେଶରୀଙ୍କ ଦ୍ୱାରା ପଶ୍ଚିମାଞ୍ଚଳ ଓ ଦ୍ୱାଦଶ ଶତାବ୍ଦୀରେ ଚୋଡ଼ଗଙ୍ଗଙ୍କ ଦ୍ୱାରା ଦକ୍ଷିଣାଞ୍ଚଳ ମିଶ୍ରଣ ପରେ ମଧୁସୂଦନ, ଦ୍ୱିତୀୟ ଦୁର୍ଗ ବାରବାଟୀ 'ମଧୁସ୍ମୃତି'ରୁ ଏହି ସମସ୍ତ ସାଫଲ୍ୟ ଓ ଅସାମାନ୍ୟ ଉପଲବ୍ଧି ଲାଭ କରିଥିଲେ । ଓଡ଼ିଶାର ପଶ୍ଚିମାଞ୍ଚଳ ଆଉ ଉତ୍ତରାଞ୍ଚଳ ୧୯୦୫ରେ ଏବଂ ଦକ୍ଷିଣାଞ୍ଚଳ ୧୯୩୬ ସାଲରେ ଓଡ଼ିଶା ଡିଭିଜନ ସହିତ ସଂଯୁକ୍ତ କରି ସେ ନବ ସ୍ୱତନ୍ତ୍ର ଓଡ଼ିଶାର ସ୍ଥାପନା କରିଥିଲେ ।
ଏଣୁ ସେ ଥିଲେ ଏ ଜାତିର ଅନ୍ୟତମ ଖାରବେଳ ଯେ ଏକ ବିରାଟ ଶୂନ୍ୟତାର ପରିଧି ମଧ୍ୟରୁ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶାର ସ୍ଥାପନା କରିଥିଲେ । ମଧୁସୂଦନ ଯେଉଁ ଅଂଚଳଗୁଡିକର ମିଶ୍ରଣ କରିଥିଲେ, ତାହାର ଆୟତନ ବର୍ତ୍ତମାନ ତିରିଶିଟି ଜିଲ୍ଲାର ଅର୍ଦ୍ଧାଧିକ ଅର୍ଥାତ୍‍ ସତର ଗୋଟି ଜିଲ୍ଲା ଅଟେ । ଅନ୍ୟ ଅର୍ଥରେ ଅବିଭକ୍ତ ୧୩ଟି ଜିଲ୍ଲାରୁ ୭ ଗୋଟି ଅବିଭକ୍ତ ଜିଲ୍ଲାର ସମସ୍ତ ଭୂଭାଗ, ଜଳ, ଖଣି, ଅରଣ୍ୟ ତଥା ସମସ୍ତ ପ୍ରାକୃତିକ

ସଂପଦକୁ ସେ ସମ୍ମିଳିତ କରିଥିଲେ । ଅନ୍ୟ ଅର୍ଥରେ ଆଜି ଓଡ଼ିଶା ସରକାରଙ୍କର ମୋଟ ରାଜସ୍ୱ ବା ଆୟର ଅର୍ଦ୍ଧେକ ମଧୁସୂଦନ, ଓଡ଼ିଶା ସରକାରଙ୍କୁ ଅର୍ପଣ କରୁଛନ୍ତି । ପୂର୍ବରୁ ଯେଉଁ କୋରାପୁଟ ଜିଲ୍ଲାର ନାଲ୍‍କୋ, ଅଥବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଆଦି ଇସ୍ପାତ କାରଖାନା ଆଜି ପ୍ରତିଷ୍ଠିତ ହୋଇଛି, ଏହି ଜିଲ୍ଲାମାନଙ୍କୁ ମଧୁସୂଦନ ଆଣିଥିବା ଖଣି ଯୋଗୁଁ ତାହା ସମ୍ଭବ ହୋଇଛି । ଏହି ଶିଳ୍ପମାନଙ୍କରୁ ମିଳୁଥିବା ବିପୁଳ ଲାଭାଂଶର କିଛି ଅଂଶ ମଧୁସ୍ମୃତିର ପୁନରୁଦ୍ଧାର ଓ ଜାତୀୟ ସ୍ଥାପନା ପାଇଁ ବିନିଯୋଗ ହେଉ । ବିଗତ ଦୁଇ ତିନି ବର୍ଷରେ ମଧୁସୂଦନ ଆଣିଥିବା ଜମିକୁ ଶିଳ୍ପ ସ୍ଥାପନା ପାଇଁ ବିକ୍ରି ବା ଖଣି ଲିଜ୍‍ ଦେଇ ଯେଉଁ ପ୍ରଚୁର ଅର୍ଥ ସରକାର ପାଉଛନ୍ତି, ତାହାର କିଛି ଅଂଶ ମଧୁସ୍ମୃତିର ସ୍ମାରକୀ ଲାଗି ବିନିଯୋଗ ହେଉ । ମଧୁସୂନଦ ଆଣିଥିବା ସମସ୍ତ ପ୍ରାକୃତିକ ଖଣିଜ ସଂପତ୍ତିକୁ ସେ ପ୍ରତିବଦ୍ଧତାର ଦାନ ହିସାବରେ ଓଡ଼ିଆ ଜାତି ହସ୍ତରେ ଅର୍ପଣ କରି ସୀମିତ ପରିମାଣର ବିନିଯୋଗ କରିବାପାଇଁ ଆହ୍ୱାନ ଦେଇଥିଲେ । ମାତ୍ର ତାହାର ଏକାନ୍ତ ଉଲ୍ଲଙ୍ଘନ ଆଜିର ସ୍ଥିତି ଓ ଅବସ୍ଥା ।
ମଧୁସୂଦନ ନଥିଲେ ଓଡ଼ିଶା ନଥାନ୍ତା । ଅନ୍ୟ ଅର୍ଥରେ ଆଜି ଆମର ଏହି ସମସ୍ତ ଜିଲ୍ଳାର ସହରମାନଙ୍କରେ ୨/୩ ଭାଗ ବା ୩/୪ଭାଗ ଅଣ- ଓଡ଼ିଆମାନେ ବାସ କରୁଥାଆନ୍ତେ ଆଉ ବଳକା ଓଡ଼ିଆମାନେ ବିଚ୍ଛିନ୍ନ ଓଡ଼ିଶାରେ ବାସ କରୁଥିବା ଓଡ଼ିଆଙ୍କ ପରି ଅତ୍ୟନ୍ତ ଶୋଷିତ ଓ ନିର୍ଯ୍ୟାତିତ ହୋଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥା'ନ୍ତେ । ଏତିକି ସଚେତନତା ଓଡ଼ିଶାବାସୀଙ୍କର ତଥା ସରକାରଙ୍କର ମଧୁସୂଦନଙ୍କ ପ୍ରତି ନାହିିଁ । ତେଣୁ ଓଡ଼ିଶାର ଦ୍ୱିତୀୟ ବାରବାଟୀ ଦୁର୍ଗ ମଧୁସ୍ମୃତି ଅବଲୁପ୍ତିର ଚରମ ପର୍ଯ୍ୟାୟରେ ପହଞ୍ଚିଛି ।
ଓଡ଼ିଶାର ସୁବିଶାଳ କଟକ ସହରରେ ସରକାରଙ୍କ ଓଡ଼ିଶାର ଅନ୍ୟ ସହରମାନଙ୍କ ପରି ମହିଳା କଲେଜ ସ୍ଥାପନା ପରମ କର୍ତ୍ତବ୍ୟ ଥିଲା । ଶୈଳବାଳା, ମଧୁବାବୁଙ୍କର ଗୃହ 'ମଧୁସ୍ମୃତି'କୁ ଯେତେବେଳେ ଦାନସୂତ୍ରରେ ୧୯୫୨ ସାଲରେ ଓଡ଼ିଶା ସରକାରଙ୍କୁ ଦେଲେ, ସେତେବେଳେ ଦାନ ପତ୍ରରେ ଲେଖାଯାଇଥିବା ସର୍ତ୍ତର ଚରମ ଉଲ୍ଲଙ୍ଘନ କରାଯାଇଛି । ଏ ସଂପର୍କରେ ୧୯୯୯ ସାଲରେ ମଧୁସୂଦନଙ୍କର ୧୫୦ତମ ଜୟନ୍ତୀ ବର୍ଷରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଗଲା । ୧୯୯୯ ସାଲ ଓ ୨୦୦୨ ସାଲରେ ସିଦ୍ଧାନ୍ତ ନିଆଗଲା ଯେ ଶୈଳବାଳା କଲେଜକୁ ସଂଲଗ୍ନକରି ଏକ ସ୍ୱତନ୍ତ୍ର ପ୍ରାସାଦ ନିର୍ମିତ ହେବ, ଯେଉଁଠାକୁ ମଧୁସୂଦନଙ୍କ ବାସଭବନରେ କାର୍ଯ୍ୟ କରୁଥିବା ମହିଳା କଲେଜର ସମସ୍ତ କାର୍ଯ୍ୟାଳୟ ଓ ଶ୍ରେଣୀମାନ ସ୍ଥାନାନ୍ତରିତ ହୋଇ, ମଧୁସ୍ମୃତି ସଂସ୍କୃତି ବିଭାଗ ଅଧୀନରେ ଜାତୀୟ ସ୍ମାରକୀ ଓ ସଂଗ୍ରହାଳୟରେ ପରିଣତ କରାହେବ । ମାତ୍ର ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଶନୁରୂପ କାର୍ଯ୍ୟ ହୋଇନାହିିଁ ।
ମଧୁସ୍ମୃତିକୁ ଦାନ ସୂତ୍ରରେ ଦିଆଯାଇଥିବାରୁ ୧୯୫୨ ସାଲରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୮ ବର୍ଷ ଧରି ଶୈଳବାଳା କଲେଜ, ଏହିଠାରେ କାର୍ଯ୍ୟ କରୁଅଛି । ଯଦି ଭଡ଼ା ସୂତ୍ରରେ ଏହି କୋଠାକୁ ନିଆଯାଇଥାନ୍ତା, ସରକାରଙ୍କୁ ଅନୂ୍ୟନ ଦଶକୋଟି ଟଂକା ଭଡ଼ାସୂତ୍ରରେ ଦେବାକୁ ପଡ଼ିଥାନ୍ତା । ସରକାର ମଧୁସୂଦନଙ୍କୁ ବୋଧହୁଏ ଓଡ଼ିଶାର ଦଧିଚୀ ବୋଲି ବିବେଚନା କରନ୍ତି । ମଧୁସୂଦନ

ଜାତି ପାଇଁ ସର୍ବସ୍ୱ ଦାନ କରି ମୃତ୍ୟୁ ବେଳକୁ ନିଜେ ନିଃସ୍ୱ ଆଉ ଦେବାଳିଆ ହୋଇଯାଇଥିଲେ ମଧ୍ୟ ମୃତ୍ୟୁ ପରେ ତାଙ୍କର କୋଠାର କାନ୍ଥ, ଛାତ, ପରିସରର ସମସ୍ତ ଭୂମିଭାଗ ଦେଶ ସେବାରେ ନିୟୋଜିତ ହୋଇ ରହିଛି । ଏକ ମହାନ ଜାତିର ତ୍ରାଣକର୍ତ୍ତା ସେ । ମାତ୍ର ତାଙ୍କର ସ୍ମୃତି ରକ୍ଷାପାଇଁ ସୂଚ୍ୟଗ୍ରେ ମେଦିନୀ ମଧ୍ୟ ବିନିଯୋଗ ହୋଇପାରୁନାହିିଁ । ଏହାଠାରୁ ବଳି ଅକୃତଜ୍ଞତାର ସ୍ଥିତି ବା କ'ଣ ହୋଇପାରେ !
ମଧୁସୂଦନ ଥିଲେ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଆ ଜାତିର ଅକଳ୍ପନୀୟ ଉନ୍ମେଷର ମୂର୍ତ୍ତିମନ୍ତ ବିଗ୍ରହ । ଆଉ ଓଡ଼ିଶାର ଦ୍ୱିତୀୟ ବାରବାଟୀ ଦୁର୍ଗ 'ମଧୁସ୍ମୃତି'ର ପ୍ରତି ଭୂମିଖଣ୍ଡ ବହନ କରେ ସ୍ୱତନ୍ତ୍ର ଓଡ଼ିଶା ସ୍ଥାପନାର ପରମ ଆଲେଖ୍ୟ । କୁହାଯାଏ, ତାହାଙ୍କର ଟେନିସ୍‍ କୋର୍ଟ ମଧ୍ୟ ବହୁ ପରିମାଣରେ ଓଡ଼ିଶା ଗଠନ ପାଇଁ ଦାୟୀ । ହେଲେ ଏସବୁ ରହିଯାଇଛି ପ୍ରବେଶାଧିକାର ନିଷିଦ୍ଧାଞ୍ଚଳରେ ।
ଶୈଳବାଳାଙ୍କ ଦାନ ପତ୍ରରେ, ମଧୁସୂଦନ ସାରା ଜୀବନ ଧରି ବ୍ୟବହାର କରୁଥିବା ଉପର ଦୁଇଟି କକ୍ଷରେ ତାଙ୍କର ବ୍ୟବହୃତ ପଦାର୍ଥମାନଙ୍କ ଦ୍ୱାରା ସଜ୍ଜିତ ହୋଇ ଚିରକାଳ ତିଷ୍ଠି ରହିବ ବୋଲି ସୂଚିତ ହୋଇଛି । ମାତ୍ର ଗତ ୧୯୦୭ ସାଲରେ ସ୍ଥାପିତ ମଧୁସୂଦନ ସଂଗ୍ରହାଳାୟ ଏହାର ଅନୁରୂପ ଭାବେ ପ୍ରତିଷ୍ଠିତ ନହୋଇ ତାଙ୍କର ସ୍ମୃତିକୁ ପ୍ରତିହତ କରାଯାଇଛି ଓ ସର୍ତ୍ତର ଚରମ ଉଲ୍ଲଙ୍ଘନ କରାଯାଇଛି ।
ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପଦରଜରେ ପବିତ୍ର ହୋଇଥିଲା ମଧୁସ୍ମୃତି ୧୯୨୫ ଆଉ ୧୯୨୭ ସାଲରେ । ସେହିଠାରେ ସେ ମଧୁସୂଦନଙ୍କଠାରୁ ପରମ ପ୍ରଜ୍ଞାର ବାଣୀ ଗ୍ରହଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ରୂପରେ ଅନେକ ନିବନ୍ଧ ରଚନା କରିଥିଲେ । ମାତ୍ର ଏହି ମହାନ ଜାତୀୟତାର ତୀର୍ଥଭୂମି ରହିଯାଇଛି ନିଷିଦ୍ଧାଞ୍ଚଳରେ ।
ମଧୁସୂଦନ ଥିଲେ ଭାରତୀୟ ପାର୍ଲାମେଣ୍ଟର ୧୯୧୩ରୁ ୧୯୧୬ ସାଲ ମଧ୍ୟରେ ପ୍ରଥମ ଓଡ଼ିଆ ସାଂସଦ, ଯାହାଙ୍କର ଜ୍ୱାଳାମୟୀ ଭାଷଣ ପାର୍ଲାମେଣ୍ଟ ପରିସରକୁ ପ୍ରକ-ିତ କରୁଥିଲା । ତାଙ୍କର ପ୍ରତିକୃତି କିମ୍ବା ପ୍ରତିମୂର୍ତ୍ତି ପାର୍ଲାମେଣ୍ଟରେ ସ୍ଥାପନା ଲାଗି ଓଡ଼ିଶା ସରକାରଙ୍କର ଅନାଗ୍ରହତା କେବଳ ଯନ୍ତ୍ରଣାଦାୟକ ନୁହେଁ, ଅକୃତଜ୍ଞତାର ଏକ ନିଦର୍ଶନ ମଧ୍ୟ ମଧୁସୂଦନଙ୍କର ସମାଧି ହେଉଛି ଓଡ଼ିଶା ପାଇଁ ଦ୍ୱିତୀୟ ରାଜଘାଟ ।
ବିସ୍ତାରିତ ମହାନଦୀର ଧାରରେ ଅବସ୍ଥିତ ମଧୁସୂଦନଙ୍କର ପୁଣ୍ୟ ସମାଧି କଳାତ୍ମକ ନିର୍ମାଣଦ୍ୱାରା ସୁଶୋଭିତ ଆଉ ସୁସଜ୍ଜିତ ହୋଇ ଏକ ଗରିମାମୟ କୀର୍ତ୍ତିଶାଳିନୀ ପୀଠର ମାନ୍ୟତା ଲାଭ କରୁ, ଏହାହିିଁ ଏକାନ୍ତ କାମନା ।
ହେ ପାଠକ ବର୍ଗ !
ଓଡ଼ିଶାର ଦ୍ୱିତୀୟ ବାରବାଟୀ ଦୁର୍ଗ- ମଧୁସ୍ମୃତିରେ ମଧୁସୂଦନଙ୍କର ମହିମାନ୍ୱିତ ଜୀବନର ବିସ୍ତାରିତ ଘଟଣାବହୁଳ ଜୀବନର ଉଦ୍ଦୀପିତ ବିବରଣୀ, ପ୍ରଖ୍ୟାତ ଉତ୍କଳ ଦୀପିକା ପତ୍ରିକାର ପ୍ରାୟ

୩୦୦୦ ପୃଷ୍ଠାର ଆବରଣ ମଧ୍ୟରେ ଉତ୍‍କୀର୍ଣ୍ଣ ହୋଇ ରହିଛି, ଯାହା ନିରବଧି କାଳର ପ୍ରବାହରେ ଓଡ଼ିଆ ଜାତିକୁ ଅନୁପ୍ରେରଣା ଓ ମାର୍ଗଦର୍ଶନ କରିଚାଲିଥିବ ।
କାରାରୁଦ୍ଧ ମଧୁସୂଦନ
ମଧୁସ୍ମୃତିରେ ମଧୁସୂଦନଙ୍କର ସ୍ମୃତି କେବଳ ସ୍ମୃତି ନୁହେଁ, ମଧୁସୂଦନ ସ୍ୱୟଂ ଏଠାରେ କାରାରୁଦ୍ଧ । ମଧୁସୂଦନଙ୍କର ସୁଦୀର୍ଘ ବର୍ଷ ଧରି ସଂଚାଳିତ ସଂଗ୍ରାମର କ୍ଷେତ୍ର, ଯାହାର ରେଣୁ ରେଣୁ ଭୂମି ତାଙ୍କର ପଦପାତରେ ପବିତ୍ରିତ ହୋଇଥିଲା, ଯେଉଁ ଦେଶପାଇଁ ନିଃସ୍ୱ ହୋଇ ତାଙ୍କର ଶେଷଶଯ୍ୟା ଯେଉଁଠାରେ ରଚନା କରିଥିଲେ, ତାହା ଆଜି ମଧ୍ୟ କାରାବାସରେ ବିଡ଼ମ୍ବିତ । ତାହାଙ୍କର ପ୍ରଥମ ମାର୍ବଲ ପ୍ରସ୍ତରର ଅନନ୍ୟ ପ୍ରତିମୂର୍ତ୍ତି, ଯାହା ତାହାଙ୍କର ଜୀବନ୍ତ ଉପସ୍ଥିତିର ଭ୍ରମ ସୃଷ୍ଟିକରେ ତାହା ମଧ୍ୟ ରହିଛି ନିଷିଦ୍ଧ ଅଂଚଳରେ ସଂଗୋପନରେ, ଯାହାକୁ ଅବଲୋକନ କରିବା ଆଉ ଶ୍ରଦ୍ଧା ଜ୍ଞାପନ କରିବା ଆଜି ମଧ୍ୟ ସମ୍ଭବ ନୁହେଁ । ସେଠାରେ ସେ ହୋଇଛନ୍ତି ଅସ୍ପୃଶ୍ୟ ଆଉ କାରାରୁଦ୍ଧ ।
ଏହା ହିଁ ଓଡ଼ିଆ ଜାତିର ଚରମ ବିପର୍ଯ୍ୟୟ ।
ଏଣୁ ମଧୁସ୍ମୃତିରେ ମଧୁସୂଦନ ଜାତୀୟ ସ୍ମାରକୀ ସ୍ଥାପନା ଦେଶ ଓ ଜାତି ମଧ୍ୟରେ ଦୁର୍ବାର ଉନ୍ମାଦନା ଆଉ ଉଦ୍‍ବେଳନ ସୃଷ୍ଟିକରି ଏକ ନୂତନ କ୍ରାନ୍ତିକାରୀ ଯୁଗର ଅୟମାରଂଭରେ ସହାୟକ ହେଉ ।


ସମଗ୍ର ଓଡ଼ିଶା ପ୍ରଦେଶ ହିଁ ହେଉଛି ମଧୁବାବୁଙ୍କର ସିଦ୍ଧି ଆଉ ଉପଲବ୍‍ଧି । ସେ ଥିଲେ ନବ ଓଡ଼ିଶାର ନିର୍ମାତା । ତାଙ୍କର ବିହୁନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା ଥିଲା ଅଚିନ୍ତନୀୟ । ତାଙ୍କ ଅଧିନାୟକତ୍ୱରେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି 'ଓଡ଼ିଶା' ପ୍ରଦେଶ ଗଠନପାଇଁ ବିରାମହୀନ ସଂଗ୍ରାମ ଓ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶର ସ୍ଥାପନା ହେଉଛି ଏକ ଯୁଗାନ୍ତକାରୀ ଘଟଣା ।ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀ ଯୁଗରେ, ତତ୍‍କାଳୀନ ରାଜନୈତିକ ନେତୃବର୍ଗ, ମଧୁସୂଦନ ତଥା ଓଡ଼ିଶା ପ୍ରଦେଶର ସଂଗ୍ରାମର ସ୍ମୃତିକୁ ନିଶ୍ଚିହ୍ନ କରିଦେବାପାଇଁ ଯତ୍‍ପରୋନାସ୍ତି ଉଦ୍ୟମ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ, ୟୁରୋପରେ ବିସ୍‍ମାର୍କଙ୍କର ନେତୃତ୍ୱରେ ବିଖଣ୍ଡିତ ଜର୍ମାନୀ ଭାଷୀ ଅଞ୍ଚଳର ଏକତ୍ରୀକରଣ ଏବଂ ମାଜନୀ ଆଉ ଗାରିବାଲିଡ଼ିଙ୍କ ପ୍ରଚେଷ୍ଟା ବିଭିନ୍ନ ଭାଗରେ ବିଭାଜିତ ଇଟାଲୀଭାଷୀ ଅଞ୍ଚଳରେ ଇଟାଲୀ ଦେଶର ସ୍ଥାପନା ସହ ତୁଳନୀୟ । ପ୍ରାୟ ୧୮୭୦ ବେଳକୁ ସ୍ୱତନ୍ତ୍ର ଇଟାଲୀ ବା ଜର୍ମାନୀ ଦେଶ ପ୍ରତିଷ୍ଠିତ ହୋଇଥିଲା । ମଧୁସୂଦନ ୟୁରୋପ ପରିଭ୍ରମଣ କାଳରେ ୧୮୯୭ ସାଲରେ ଜର୍ମାନୀ ଆଉ ଇଟାଲୀ- ଏହି ଦୁଇ ଦେଶ ପରିଦର୍ଶନ କରି, ସେହି ଦେଶମାନଙ୍କର ସ୍ଥାପନା, ଶାସନ, ଶିଳ୍ପ, ସଂସ୍କୃତି ଆଦି ଅଧ୍ୟୟନ କରି କେବଳ ଅନୁପ୍ରେରଣା ଲାଭ କରିନଥିଲେ , ୟୁରୋପରେ ଏହି ଦେଶମାନଙ୍କ ଭଳି ପୂର୍ଣ୍ଣାଙ୍ଗ ସ୍ୱୟଂସଂପୂର୍ଣ୍ଣ ନେସନ ଭଳି ଓଡ଼ିଶା ପ୍ରଦେଶ ଗଠନପାଇଁ ୨୫.୧୦.୧୯୦୩ରେ ଉତ୍କଳ ସମ୍ମିଳନୀର ଆବାହନୀ ଅଧିବେଶନରେ ଆହ୍ୱାନ ଦେଇଥିଲେ ।
ପରିଣାମରେ ୧୯୦୦ ସାଲର କ୍ଷୁଦ୍ର ଓଡ଼ିଶା ଡିଭିଜନ ସହିତ ୧୯୦୫ ସାଲରେ ବିଭାଜିତ ଓଡ଼ିଆଭାଷୀ ପଶ୍ଚିମ ଓ ଉତ୍ତର ଅଂଚଳର ମିଶ୍ରଣ, ପ୍ରାୟ ୧୯୩୩ ସାଲରେ ଷଢେ଼ଇକଳା ଓ ଖରସୁଆଁର ସଂଯୁକ୍ତି ଆଉ ଅବଶେଷରେ ବିଖଣ୍ଡିତ ଓଡ଼ିଆଭାଷୀ ଦକ୍ଷିଣାଞ୍ଚଳ ଓ ଖଡ଼ିଆଳର ୧୯୩୬ ସାଲରେ ସମ୍ମିଶ୍ରଣରେ ମଧୁସୂଦନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନା କରିଥିଲେ । ଏହା ଯେପରି ଥିଲା ପ୍ରସ୍ତର ଖଣ୍ଡ ସହିତ ପ୍ରସ୍ତର ଖଣ୍ଡ ଯୋଡ଼ି ପ୍ରାସାଦ ନିର୍ମାଣର ଯୋଜନା । ଏହିଭଳି ପରିକଳ୍ପନା ସମଗ୍ର ଦେଶରେ ଅନନ୍ୟ ।

ଏଥିରେ କୃଷିଜୀବୀ, ଶ୍ରମଜୀବୀ, କାରିଗର, ଶିଳ୍ପୀ, ବିଦ୍ୱାନ, ନେତୃବର୍ଗ ତଥା ଜମିଦାର ଏବଂ ରାଜାମାନଙ୍କର ସଂଯୁକ୍ତି ରହିଥିଲା । ଆଉ ଏହା ସହିତ ଜାତି, ଧର୍ମ ନିର୍ବିଶେଷରେ ସାର୍ବଜନୀନ ସୌହାର୍ଦ୍ଦ୍ୟ ସ୍ଥାପିତ ହୋଇଥିଲା । ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଯେପରି ସମଷ୍ଟିଗତ ଭାବରେ ସାର୍ବଜନୀନ ପ୍ରୀତି, ମୈତ୍ରୀ ପ୍ରତିଷ୍ଠିତ ଆଉ ପରିସ୍ଫୁଟ ହୋଇଥିଲା, ତାହା ଏକାନ୍ତ ଭାବେ ଅକଳ୍ପନୀୟ ଥିଲା । ଏହିଭଳି ଗୋଷ୍ଠୀବଦ୍ଧତା ଓଡ଼ିଆମାନଙ୍କ ଜାତୀୟ ଜୀବନରେ ପ୍ରଥମ ବାର ହିଁ ପ୍ରକଟିତ ହୋଇଥିଲା ।
ବିଖଣ୍ଡିତ ଜର୍ମାନୀ ଭାଷୀ ଅଂଚଳର ଅଧିବାସୀ ତଥା ବିଶ୍ୱ ରାଜନୀତିର ଏକ ଅଭ୍ରାନ୍ତ ଦିଗ୍‍ଦର୍ଶକ କାଲମାର୍କ୍ସଙ୍କୁ ଯେତେବେଳେ ପ୍ରଶ୍ନ ପଚରାଗଲା, "ବିଭାଜିତ ଜର୍ମାନୀ ଭାଷୀ ଅଂଚଳର ମିଶ୍ରଣ କିପରି ହେବ ?" ଏଥିରେ ଅଭିଜାତ ଆଉ ବୁର୍ଜୁଆମାନେ ଅଗ୍ରଣୀ ଭୂମିକାରେ ଅଂଶଗ୍ରହଣ କରିବେ, ଯହିଁରେ ସାଧାରଣ ଜନତାଙ୍କ ସ୍ୱତଃସ୍ଫୂର୍ତ୍ତ ସହଯୋଗ ରହିବ । ଅଭିଜାତ ଏବଂ ବୁର୍ଜୁଆ ଶ୍ରେଣୀ ଉଭୟ କାର୍ଯ୍ୟରେ ସଫଳକାମ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କ୍ଷମତା ଆନ୍ଦୋଳନରତ ସାଧାରଣ ଜନତାଙ୍କୁ ହସ୍ତାନ୍ତରିତ ହେବ । କାର୍ଲମାକ୍ସଙ୍କର ଉତ୍ତର ଏହିପରି ଥିଲା, ଯାହା ଅନେକ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଥିଲା ।
ଉତ୍କଳ ସମ୍ମିଳନୀର ସଂଚାଳନ କାଳରେ ମଧୁସୂଦନ ସାଧାରଣ ପ୍ରଜା, କୃଷିଜୀବୀ ଆଉ ଶ୍ରମଜୀବୀଙ୍କ ସହିତ ଜମିଦାର ଓ ରାଜାମାନଙ୍କର ସହଯୋଗ ନେଇଥିଲେ ଯଦିଓ ସେ ଜମିଦାରି ପ୍ରଥାର ଉଗ୍ର ବିରୋଧୀ ଥିଲେ ଏବଂ ଜମିଦାରି ପ୍ରଥା ବିନା କ୍ଷତିପୂରଣରେ ତୁରନ୍ତ ଉଚ୍ଛେଦ ପାଇଁ ବିଧାନ ସଭାରେ ଶାଣିତ ଯୁକ୍ତି ଉପସ୍ଥାପନ କରିଥିଲେ । ଏପରିକି ୧୯୦୯ ସାଲରେ ଉତ୍ତର ଓଡ଼ିଶାର ତିନିଗୋଟି ଜିଲ୍ଲାରେ ଜମିଦାର, ସାହୁକାର, ତଥା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ସଂପୂର୍ଣ୍ଣ ଅଲଗା ରଖି ମଧୁସୂଦନ ନିଚ୍ଛକ ପ୍ରଜା ଆଉ ଭୂମିହୀନ କୃଷକଙ୍କୁ ନେଇ ପ୍ରଜା ପରିଷଦ କେବଳ ଗଢ଼ି ନଥିଲେ ଏହିମାନଙ୍କୁ ନେଇ ସମାନ୍ତରାଳ ନିର୍ବାଚନ ମଣ୍ଡଳୀ ସୃଷ୍ଟିକରି ୧୯୧୨ରେ ଯେଉଁ ପ୍ରଜାପ୍ରତିନିଧି ସଭା ସ୍ଥାପନ କରିଥିଲେ, ତାହା ଥିଲା ସମଗ୍ର ଭାରତରେ ଆଦ୍ୟ ସମାଜବାଦୀ ପ୍ରତିଷ୍ଠାନ, ଯାହା ଅଜସ୍ର ଖ୍ୟାତିର ଅଧିକାରୀ ହୋଇପାରିଥିଲା । ଏଥିରେ ମଧୁସୂଦନ ତାଙ୍କର ଘନିଷ୍ଠ ବଂଧୁ ଗୌରୀଶଙ୍କର ରାୟଙ୍କ ସଶ୍ରଦ୍ଧ ଆବେଦନ ସତ୍ତ୍ୱେ ତାଙ୍କୁ ଅନ୍ତର୍ଭୁକ୍ତ କରିନଥିଲେ । ଏ ସମସ୍ତ ବୈପ୍ଳବିକ, କ୍ରାନ୍ତିକାରୀ, କାର୍ଯ୍ୟକ୍ରମ ସତ୍ତ୍ୱେ ମଧୁସୂଦନଙ୍କୁ ଓଡ଼ିଶା ପ୍ରଦେଶର ସ୍ଥାପନା କ୍ଷେତ୍ରରେ ଜମିଦାର ଆଉ ରାଜାଙ୍କର ସହଯୋଗ ନେବାକୁ ପଡ଼ିଥିଲା, କାରଣ ଏହା ବହୁ ଦୃଷ୍ଟିକୋଣରୁ ଅପରିହାର୍ଯ୍ୟ ଥିଲା ।
ଏହି ଯୁଗାନ୍ତକାରୀ ଦେଶ ମିଶ୍ରଣ ସଂଗ୍ରାମରେ ସାଧାରଣ ବର୍ଗରୁ ଯେଉଁମାନେ ଏକାନ୍ତ ଭାବେ ମଧୁସୂଦନଙ୍କ ସହିତ ରହିଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି; ଗୌରୀଶଙ୍କର ରାୟ, ବ୍ରଜ ସୁନ୍ଦର ଦାସ, ଭୁବନାନନ୍ଦ ଦାସ, ରାମଶଙ୍କର ରାୟ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ବ୍ରଜବଂଧୁ ଦାସ, ଲେଖକ ଗୋଷ୍ଠୀରୁ ରାଧାନାଥ ରାୟ, ଫକୀରମୋହନ, ମଧୁସୂଦନ ରାଓ, ନନ୍ଦକିଶୋର ବଳ, ଗଂଗାଧର ମେହେର, ବିଚ୍ଛନ୍ଦ ପଟ୍ଟନାୟକ, ଆର୍ତ୍ତବଲ୍ଲଭ ମହାନ୍ତି, ପଶ୍ଚିମ ଓଡ଼ିଶାରୁ ଧରଣୀଧର

ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ମଦନ ବିହାରୀ ଦାସ, ଶ୍ରୀପତି ମିଶ୍ର ପ୍ରମୁଖ, ଖରସୁଆଁରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାରୁ ଶଶିଭୂଷଣ ରଥ, ନରସିଂହ ଦାସ, ନିରଞ୍ଜନ ପଟ୍ଟନାୟକ, ହରିହର ପଣ୍ଡା, ଆଉ ସତ୍ୟବାଦୀ ଗୋଷ୍ଠୀରୁ ଗୋପବଂଧୁ ଦାସ, ନୀଳକଣ୍ଠ ଦାସ ଆଉ ଗୋଦାବରୀଶ ମିଶ୍ର ପ୍ରମୁଖ ।
ଏହି ବିବରଣୀ କିଞ୍ଚିତ୍‍ ଛାୟାପାତ ମାତ୍ର । ଏହି ସମୟର ବହୁ ସମର୍ପିତ ବ୍ୟକ୍ତି ତାଙ୍କ ସହିତ ଛାୟାପରି ରହିଥିଲେ । ଜଣେ ଅତ୍ୟନ୍ତ ପୁରୋଦୃଷ୍ଟି ସମ୍ପନ୍ନ, ପ୍ରଖର ବୁଦ୍ଧିମତ୍ତାଯୁକ୍ତ ପ୍ରତିଭାଶାଳୀ ଅଧିନାୟକ ରୂପରେ ମଧୁସୂଦନ ଊନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ପୂର୍ବଭାଗରେ ତତ୍‍କାଳୀନ ତରଳ ରାଜନୈତିକ ପରିସ୍ଥିତି ମଧ୍ୟରେ ସଂଗ୍ରାମରେ କିଭଳି କୌଶଳ ଅବଲମ୍ବନ କରିଥିଲେ, ତାହା ଅକଳ୍ପନୀୟ ଆଉ ଅଚିନ୍ତନୀୟ ଥିଲା । ଆଜିର ଏହି ଏକବିଂଶ ଶତାବ୍ଦୀର ମାନସିକତାରେ ଏହାର ଯଥାର୍ଥ ମୂଲ୍ୟାୟନ କିଭଳି ବା କରାଯାଇପାରିବ ?
ମଧସୂଦନଙ୍କର ୧୮୮୨ ସାଲରେ ଉତ୍କଳ ସଭା, (ଓଡ଼ିଶା ଏସୋସିଏସନ୍‍)ର ସ୍ଥାପନା ପଶ୍ଚାତରେ ଲକ୍ଷ୍ୟ ଥିଲା ଓଡ଼ିଆଭାଷୀ ଅଂଚଳର ସମ୍ମିଶ୍ରଣରେ ଓଡ଼ିଶା ପ୍ରଦେଶ ଗଠନ । ପର୍ଯ୍ୟାୟକ୍ରମେ ସୁନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ ସହିତ, ପ୍ରଥମ ସଂଗ୍ରାମ ସମ୍ବଲପୁର ଜିଲ୍ଲାରେ ହିନ୍ଦୀଭାଷାର ଆକ୍ରମଣରୁ ଓଡ଼ିଆ ଭାଷାର ରକ୍ଷା ପାଇଁ ସଂଚାଳିତ ହୋଇଥିଲା ସମ୍ବଲପୁରବାସୀଙ୍କର ସ୍ୱତଃସ୍ଫୂର୍ତ୍ତ ଆନ୍ଦୋଳନ ସହିତ ମଧୁସୂଦନ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ଏଥିରେ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବହୁ ପ୍ରାଦେଶିକ ସୀମାର ପରିବର୍ତ୍ତନ ପାଇଁ ବଡ଼ଲାଟ ଲର୍ଡ କର୍ଜନ ଯେଉଁ ପରିକଳ୍ପନା କରୁଥିଲେ, ମଧୁସୂଦନଙ୍କ ପ୍ରଦତ୍ତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣପ୍ରସ୍ତାବ ତାହାକୁ ବଳିଷ୍ଠ ଭିତ୍ତିଭୂମି ଯୋଗାଇଥିଲା । ଏହି ପରିପ୍ରେକ୍ଷୀରେ କର୍ଜନ-ରିସ୍‍ଲେ ସାର୍କୁଲାରର ପ୍ରକାଶନ ପାଇଁ ମଧୁସୂଦନ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।
ମାତ୍ର ଏହା ମଧ୍ୟରେ ଯେଉଁ ସ୍ପର୍ଶକାତର ବିଷୟ ଥିଲା, ତାହା ହେଉଛି ୨୮.୧୧.୧୯୦୫ରେ ଆସନ୍ନ ବିଦାୟ ନେଉଥିବା ଲର୍ଡ କର୍ଜନ ବିଚ୍ଛିନ୍ନ ଓଡ଼ିଆ ଭାଷୀ ଅଂଚଳର ମିଶ୍ରଣ ପାଇଁ ଏଭଳି ପ୍ରତିଶ୍ରୁତିବଦ୍ଧ ଥିଲେ ଯେ ୧୬.୧୦.୧୯୦୫ରେ ଏହାକୁ ରୂପାୟିତ କରିବା ସହିତ ନିଜ ଜିଦ୍‍ରେ ଅଟଳ ରହି ସେହିଦିନ ବଂଗଭଂଗ କରିଥିଲେ ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶେଷ ସଂଗ୍ରାମ ଇଂଲଣ୍ଡର ଥେମସ୍‍ ନଦୀ କୂଳବର୍ତ୍ତୀ ଲଣ୍ଡନରେ ସଂଚାଳିତ ହୋଇଥିଲା । ଏଥିରେ ପ୍ରତିପକ୍ଷ ରୂପେ ଆନ୍ଧ୍ରଭାଷୀଙ୍କ ପକ୍ଷରୁ ବୋବଲିର ରାଜା ରାମଚନ୍ଦ୍ର ରାଓଙ୍କ ସହିତ କ୍ଷମତାଶାଳୀ ଧନାଢ଼୍ୟ ଜମିଦାରି ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଏଣୁ ମଧୁସୂଦନଙ୍କୁ ଏହି ଶେଷ ସଂଗ୍ରାମରେ ଯୋଗଦେବାପାଇଁ ପାରଳା ମହାରାଜା ୧୯୩୩ ସାଲରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବୈଠକରୁ ଫେରି ଖରସୁଆଁର କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଲେଖିଥିଲେ ଯେ, ମଧୁସୂଦନଙ୍କ ପ୍ରଚେଷ୍ଟାରେ କର୍ଜନ ଯେଉଁ ରିସ୍‍ଲେ ସର୍କୁଲାର ପ୍ରସାରିତ କରିଥିଲେ, ତାହାହିଁ ଅନ୍ତିମ କାଳରେ ଓଡ଼ିଶା ପ୍ରଦେଶର ଗଠନପାଇଁ ନିଧାର୍ଯ୍ୟ ଆଉ ଐକାନ୍ତିକ ଭାବେ ସହାୟକ ହୋଇଥିଲା ।

ସ୍ୱତନ୍ତ୍ର ଓଡ଼ିଶା ସ୍ଥାପନାର ଶେଷ ପର୍ଯ୍ୟାୟରେ ପ୍ରାୟ ଦଶହଜାର ବର୍ଗମାଇଲ୍‍ରୁ ଊର୍ଦ୍ଧ୍ୱ ଆୟତନ ବିଶିଷ୍ଟ ଜୟପୁର ଜମିଦାରି, ପରବର୍ତ୍ତୀ କାଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମିଶ୍ରଣ ଓଡ଼ିଶା ପ୍ରଦେଶ ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ପାରଳା ମହାରାଜା ୧୬.୧.୧୯୩୧ରେ ପ୍ରଥମ ଗୋଲଟେବୁଲ୍‍ ବୈଠକରେ ଯୋଗଦାନ ପରେ ପ୍ରସ୍ତାବିତ ଓଡ଼ିଶାର ସୀମା ନିର୍ଦ୍ଧାରଣ 'ଓଡନେଲ୍‍' କମିଟି ଯେଉଁ ରିପୋର୍ଟ ୧୯.୪.୧୯୩୨ରେ ବି୍ରଟିଶ ସରକାରଙ୍କ ନିକଟରେ ପେଶ କରିଥିଲେ, ତହିଁରେ ବ୍ରିଟିଶ ଓଡ଼ିଶା (ଗଡ଼ଜାତକୁ ବାଦ ଦେଇ)ର ଆୟତନ ୩୩୦୦ ବର୍ଗ ମାଇଲ ବୋଲି ସୂଚିତ ହୋଇଥିଲା । ଏହି ରିପୋର୍ଟରେ ଜୟପୁର ଜମିଦାରି ସଂଯୁକ୍ତ ହୋଇଥିଲେ ମଧ୍ୟ ପାରଳାଖେମୁଣ୍ଡି ଜମିଦାରିକୁ ବାଦ ଦିଆଯାଇଥିଲା । ତୃତୀୟ ଗୋଲ୍‍ଟେବୁଲ୍‍ ବୈଠକର ସିଦ୍ଧାନ୍ତ ଘେନି ସର୍ବଶେଷ ଶ୍ୱେତପତ୍ର ୧୮.୩.୧୯୩୩ରେ ଯେତେବେଳେ ପ୍ରଚାରିତ ହେଲା, ସେତେବେଳେ ଉଭୟ ଜୟପୁର ଓ ପାରଳାଖେମୁଣ୍ଡି ଜମିଦାରିକୁ ବାଦ ଦିଆଯିବା ପରେ ବ୍ରିଟିଶ ଓଡ଼ିଶା (ଗଡ଼ଜାତକୁ ବାଦ୍‍ ଦେଇ)ର ପ୍ରସ୍ତାବିତ ଆୟତନ ମାତ୍ର୨୧,୫୪୫ ବର୍ଗ ମାଇଲ୍‍କୁ ହ୍ରାସ ପାଇଥିଲା । ଏହା ଓଡ଼ିଶା ପାଇଁ ବଜ୍ରପାତ ସଦୃଶ ଥିଲା । ଏହାକୁ ପ୍ରତିହତ କରିବାପାଇଁ ମଧୁସୂଦନ ପାରଳା ମହାରାଜାଙ୍କୁ ଆହ୍ୱାନ କରି ତାଙ୍କ ଅଧିନାୟକତ୍ୱରେ ଏକ ବଳିଷ୍ଠ ପ୍ରତିନିଧି ଦଳ ପ୍ରେରଣ କରିଥିଲେ, ଯହିଁରେ ଭୁବନାନନ୍ଦ ଦାସ, ଖଲ୍ଲିକୋଟ ରାଜା ସାହେବ ଓ ଲିଂଗରାଜ ପାଣିଗ୍ରାହୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହି ଦଳ ଓଡ଼ିଶା ପକ୍ଷରୁ ୩.୭.୧୯୩୩ରେ ଲଣ୍ଡନଠାରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ସାକ୍ଷ୍ୟ ପ୍ରଦାନ ପରେ ଆନ୍ଧ୍ରଭାଷୀ ପ୍ରତିନିଧି ଦଳ ସେହି କମିଟି ଆଗରେ ୧୦.୭.୧୯୩୩ରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ସଂଗ୍ରାମ କିଭଳି ତୀବ୍ର, ଶାଣିତ ଆଉ ପ୍ରତିଦ୍ୱନ୍ଦିତାମୂଳକ ଥିଲା, ତାହା ବର୍ତ୍ତମାନ ମଧ୍ୟ ରୋମାଞ୍ଚ ସୃଷ୍ଟିକରେ । ଏହାପରେ ସମସ୍ତ ଜୟପୁର ଜମିଦାରି ଓ ପାରଳାଖେମୁଣ୍ଡି ଜମିଦାରିର ଏକ ତୃତୀୟାଂଶ ମିଶିବା ପରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ଆୟତନ ପୁନରାୟ ୩୨୬୯୫ ବର୍ଗ ମାଇଲ୍‍କୁ ବୃଦ୍ଧି ପାଇଲା । ଏହି ପ୍ରାୟ ଦଶ ହଜାର ବର୍ଗ ମାଇଲ୍‍ର ଜୟପୁର ଓ ପାରଳା ଜମିଦାରି ଅତୀବ ଐଶ୍ଚର୍ଯ୍ୟଶାଳୀ ବିପୁଳ ପ୍ରାକୃତିକ ଆଉ ଖଣିଜ ବିଭବ ସହିତ ଅକଳ୍ପନୀୟ ଜଳ ଆଉ ଅରଣ୍ୟ ସଂପଦରେ ଭରପୂର ହୋଇ ରହିଛି ।
ଏହା ଓଡ଼ିଶାର ଗୌରବୋଜ୍ଜ୍ୱଳ ଇତିହାସର କାଞ୍ଚି ବିଜୟଠାରୁ ଅଧିକ ମହିମାନ୍ୱିତ ଆଉ ଐଶ୍ଚର୍ଯ୍ୟଶାଳୀ । କାଞ୍ଚି ବିଜୟର ପ୍ରାୟ ୫୦ ବର୍ଷର ଅନ୍ତରାଳରେ ସେହି ଭୂଖଣ୍ଡ ଓଡ଼ିଶା ସାମ୍ରାଜ୍ୟରୁ ଅବଲୁପ୍ତ ହୋଇଯାଇଥିଲା । ମାତ୍ର ପ୍ରାକୃତିକ ପ୍ରାଚୁର୍ଯ୍ୟ ପରିପୂର୍ଣ୍ଣ ଅବିଭକ୍ତ କୋରାପୁଟ ଜିଲ୍ଲା ଓଡ଼ିଶାକୁ ବିପୁଳ ସମୃଦ୍ଧି ଆଉ ଗରିମାରେ ପରିପୂର୍ଣ୍ଣ କରି ଚିରକାଳ ରହିଥିବ ।
ମଧୁସୂଦନଙ୍କର ଅନେକ ସହଯୋଗୀ ଏଥିଲାଗି ସହଯୋଗର ହସ୍ତ ପ୍ରସାରିତ କରିଥିଲେ । ବ୍ରିଟିଶ ସରକାରଙ୍କର ସଂଶିତ ବେଳର ଭାରତ ସଚିବ ସାର୍‍ ସାମୁଏଲ୍‍ ହେଭ୍‍ ଓଡ଼ିଶା ଉପକୂଳରେ ରେଲବାଇ ସ୍ଥାପନାକାଳରେ ୧୮୮୯୫ରୁ ୧୯୦୦ ସାଲ ମଧ୍ୟରେ ରେଳବାଇ ଅଧିକାରୀ ଥିଲେ ଓ କଟକରେ ଅବସ୍ଥାନ କାଳରେ ମଧୁବାବୁଙ୍କର ବାସଭବନରେ ଟେନିସ୍‍ ଖେଳୁଥିଲେ ।

ଏହି ବେଳର ବ୍ରିଟିଶ ପ୍ରଧାନମନ୍ତ୍ରୀ ସାର୍‍ ରାମ୍‍ସେ ମ୍ୟାକ୍‍ଡୋନାଲ୍‍ଡ଼ ମଧୁସୂଦନଙ୍କର ପୂର୍ବ ପରିଚିତ ଥିଲେ ଆଉ ତାଙ୍କର ଭାରତ ଭ୍ରମଣ କାଳରେ ଭ୍ରମଣ ବୃତ୍ତାନ୍ତରେ ମଧୁସୂଦନଙ୍କୁ ଓଡ଼ିଶାର ମୁକୁଟବିହୀନ ରାଜା ବୋଲି ଆଖ୍ୟାୟିତ କରିଥିଲେ । ମଧୁସୂଦନ ୧୯୯୭ ଓ ୧୯୦୭ ସାଲରେ ଲଣ୍ଡନ ଗଲାବେଳେ ଭାରତ ସଚିବ ଅଫିସ୍‍ରେ ଯେଉଁ ତଥ୍ୟ ଉପସ୍ଥାପନା ସହିତ ହାର୍ଦ୍ଦିକ ସଂପର୍କ ସ୍ଥାପନ କରିଥିଲେ, ତାହା ମଧ୍ୟ ସହାୟକ ହୋଇଥିଲା ।
ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ୧୯୦୦ ସାଲରେ ଓଡ଼ିଶା ଡିଭିଜନର ଶାସକୀୟ ପରିଧି ମଧ୍ୟରେ ୧୭ଗୋଟି ଗଡ଼ଜାତ ରହିଥିଲା । ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ୧୭ଗୋଟି ଗଡ଼ଜାତ ମଧ୍ୟରୁ ମୟୂରଭଂଜ ଆଉ କେନ୍ଦୁଝର ଗଡ଼ଜାତ ଦୁଇଟି, ଦୁଇଗୋଟି ଅବିଭକ୍ତ ଜିଲ୍ଲାରେ ପରିଣତ ହୋଇଥିଲା ବେଳେ ଅନ୍ୟ ପନ୍ଦରଟି ଗଡ଼ଜାତ ବିଭିନ୍ନ ଅବିଭକ୍ତ ଜିଲ୍ଲାମାନଙ୍କ ସହିତ ମିଶ୍ରିତ ହୋଇଥିଲେ । ତାହାର ସୂଚନା ନିମ୍ନଲିଖିତ ସାରଣୀରେ ପ୍ରଦାନ କରାଯାଇଛି ।


କ୍ରନଂ ଅବିଭକ୍ତ ଜିଲ୍ଲା ମିଶିଥିବା ଗଡଜାତର ନାମ
୧. ବାଲେଶ୍ୱର ଜିଲ୍ଲା ୧. ନୀଳଗିରି
୨. ମୟୂରଭଞ୍ଜ ଜିଲ୍ଲା ୨. ମୟୂରଭଞ୍ଜ
୩. କେନ୍ଦୁଝର ଜିଲ୍ଲା ୩. କେନ୍ଦୁଝର
୪. ଢ଼େଙ୍କାନାଳ ଜିଲ୍ଲା ୪. ଢ଼େଙ୍କାନାଳ, ୫. ହିନ୍ଦୋଳ, ୬. ତାଳଚେର, ୭. ଆଠମଲ୍ଲିକ, ୮. ପାଲ‌ଲହଡ଼ା
୫. କଟକ ଜିଲ୍ଲା ୯. ଆଠଗଡ଼, ୧୦. ତିଗିରିଆ, ୧୧. ବଡ଼ମ୍ବା, ୧୨. ନରସିଂହପୁର
୬. ପୁରୀ ଜିଲ୍ଲା ୧୩. ନୟାଗଡ଼, ୧୪. ଦଶପଲ୍ଲା, ୧୫. ଖଣ୍ତପଡ଼ା, ୧୬. ରଣପୁର
୭. ମନ୍ଧମାଳ ଜିଲ୍ଲା ୧୭. ବୌଦ

ସ୍ୱାଧୀନତାର ପରବର୍ତ୍ତୀ କାଳରେ, ଯେଉଁ ଗଡ଼ଜାତ ମାନଙ୍କର ମିଶ୍ରଣ ପାଇଁ ଡିଣ୍ଡିମ ପିଟାଯାଉଛି, ତାହା ସ୍ୱାଧୀନତା ପ୍ରାପ୍ତିପରେ ଗୃହୀତ ରାଜନୈତିକ ସଂସ୍କାରର ବୈପ୍ଳବିକ ପରିବର୍ତ୍ତନ ଆଉ ସିଦ୍ଧାନ୍ତ ଫଳରେ ସମାହିତ ହେଲା । ଏହା ସର୍ବଭାରତୀୟ ସ୍ତରରେ ଗୃହୀତ ନୀତି । ଲଡର଼୍ କର୍ଜନଙ୍କ ଦ୍ୱାରା ପ୍ରସାରିତ ରିସ୍‍ଲେ ସର୍କୁଲାର ୧୬.୧୦.୧୯୦୫ରେ କାର୍ଯ୍ୟକାରୀ ହେଲା । ଏହି ଦିନ ମଧ୍ୟପ୍ରଦେଶର ଛତିଶିଗଡ଼ ଡିଭିଜନରୁ କଳାହାଣ୍ଡି, ପାଟନା, ସୋନପୁର, ରେଢ଼ାଖୋଲ ଆଉ ବାମଣ୍ଡା ଗଡ଼ଜାତମାନ (ସମ୍ବଲପୁର ଜିଲ୍ଲା ସମେତ) ଆସି ଓଡ଼ିଶା ଡିଭିଜନରେ ସାମିଲ୍‍

ହେଲା । ସେହିପରି ଏହିଦିନ ବିହାରର ଛୋଟନାଗପୁର ଡିଭିଜନ ମଧ୍ୟରୁ ଗାଂଗପୁର ଓ ବଣେଇ

ଗଡ଼ଜାତ ଦୁଇଟି ମଧ୍ୟ ଓଡ଼ିଶା ଡିଭିଜନ ସହିତ ସାମିଲ୍‍ ହେଲା । ଏହିଦିନ ମଧ୍ୟ ବଂଗଭଂଗ ନୀତି କାର୍ଯ୍ୟକାରୀ ହେଲା । ସେ ଯାହାହେଉ ଏହିପରି ସାତଗୋଟି ଗଡ଼ଜାତ ସାମିଲ ହେଲା ପରେ ଓଡ଼ିଶା ଡିଭିଜନର ଗଡ଼ଜାତ ସଂଖ୍ୟା ୨୪କୁ ବୃଦ୍ଧିପାଇଲା । ମଧୁସୂଦନଙ୍କର ବଟଲାର୍‍ କମିଟିକୁ ୧୫.୪.୧୯୨୮ରେ ଆବେଦନ ପରେ, ଲୋଥିଆନ କମିଟିର ଅନୁମୋଦନ କ୍ରମେ ପ୍ରାୟ ୧୯୩୩ ବେଳକୁ ଷଢେ଼ଇକଳା ଓ ଖରସୁଆଁ ଗଡ଼ଜାତ ଦ୍ୱୟ ଓଡ଼ିଶା ଡିଭିଜନରେ ମିଶିଲେ । ଏଣୁ ୧.୪.୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲାବେଳେ ଏହାର ଶାସକୀୟ ପରିଧି ମଧ୍ୟରେ ୨୬ ଟି ଗଡ଼ଜାତ ଥିଲା, ଯାହା ୧.୪.୧୯୪୮ରେ (ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀ ପର୍ଯ୍ୟାୟରେ) ଓଡ଼ିଶା ପ୍ରଦେଶ ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ବା ଜିଲ୍ଲା ଆକାରରେ ମିଶିଥିଲେ । ମାତ୍ର ସବୁଠାରୁ ନୈରାଶ୍ୟଜନକ ତଥା ବିଷାଦଗ୍ରସ୍ତ ବିଷୟ ହେଲା ଯେ ୧୮.୫.୧୯୪୮ରେ ଷଢେ଼ଇକଳା ଓ ଖରସୁଆଁ ପୁନରାୟ ବିହାର ପ୍ରଦେଶକୁ ସ୍ଥାନାନ୍ତରିତ ହେଲା ।
ମଧୁବାବୁଙ୍କ ମହାର୍ଘଦାନ:ଦେଶପାଇଁ ନିଃସ୍ୱ ଆଉ କପର୍ଦକ ଶୂନ୍ୟ ହୋଇ ପରଲୋକ ଗମନ କରିଥିବା ମଧୁସୂଦନ ସମଗ୍ର ଓଡ଼ିଶାର ଭୂମିରୂପୀ ସଂପତ୍ତିକୁ ପ୍ରତିଶ୍ରୁତିବଦ୍ଧତାର ଦାନ (trust property) ରୂପେ ପ୍ରଦାନ କରିଯାଇଛନ୍ତି । ଫକୀରମୋହନଙ୍କର ମହତ୍ତର ମୂଲ୍ୟାୟନରେ ମଧୁସୂଦନ ଏହିଭଳି ଏକ ଗରିମାମୟ ଉର୍ଜ୍ଜ୍ୱସ୍ୱଳ ବ୍ୟକ୍ତିତ୍ୱ ରୂପେ ଚିହ୍ନିତ ହୋଇଛନ୍ତି ଯାହାର ପଟ୍ଟାନ୍ତର ନାହିଁ ।

"କେତେ କୋଟିପତି କେତେ ଭୂପତି
କେତେ ଧନ ରଖି ଯାଇ ଅଛନ୍ତି
ତୁମେ ଚାଲିଗଲେ ତୁମରି ଧନ
ବାଣ୍ଟିବୁଣ୍ଟି ନେବେ କୋଟିଏ ଜନ
ତୁମ୍ଭ ଧନବଣ୍ଟା ରୀତି ଦେଖିଛି
ପ୍ରତିଲୋକ ଭାଗେ ପଡ଼ିବ କିଛି ।" -(ଅବସର ବାସରେ)ଲ


ସ୍ୱତନ୍ତ୍ର ଓଡ଼ିଶାର ପ୍ରତିଷ୍ଠାତା ରୂପେ ସମଗ୍ର ଓଡ଼ିଶାର ଭୂଖଣ୍ଡ ହେଉଛି ମଧୁସୂଦନଙ୍କର ଓଡ଼ିଆ ଜାତି ପ୍ରତି ପ୍ରତିଶ୍ରୁତିବଦ୍ଧତାର ଦାନ । ମାତ୍ର ଯେଉଁ ଭୂଖଣ୍ଡମାନ ଦେଶ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶା ଡିଭିଜନ ସହିତ ସେ ସନ୍ନିବେଶିତ କରିଥିଲେ, ସେହି ଅଂଚଳର ସଂପଦ ଆକଳନ କରିବା । ତାହା ହେଉଛି ଓଡ଼ିଶାର ସମଗ୍ର ଅବିଭକ୍ତ ତେରଗୋଟି ଜିଲ୍ଲାରୁ ସାତଗୋଟି ଅବିଭକ୍ତ ଜିଲ୍ଲା ।
ସେସବୁ ହେଉଛି ୧.୪.୧୯୩୬ରେ ମିଶିଥିବା ଦକ୍ଷିଣ ଓଡ଼ିଶାର ତିନିଗୋଟି ଅବିଭକ୍ତ ଜିଲ୍ଲା । ଯଥା: ୧. ଅବିଭକ୍ତ କୋରାପୁଟ, (ରାୟଗଡ଼ା, ନବରଂଗପୁର, ମାଲକାନଗିରି ସମନ୍ୱିତ ଜିଲ୍ଲା)୨. ଅବିଭକ୍ତ ଗଂଜାମ (ଗଜପତି ସମନ୍ୱିତ) ଜିଲ୍ଲା । ୩. କନ୍ଧମାଳ ଜିଲ୍ଲା । ସେହିପରି ୧୬.୧୦.୧୯୦୫ରେ ମିଶିଥିବା (୪) ସୁନ୍ଦରଗଡ଼ (ପୂର୍ବତନ ଗାଂଗପୁର ଓ ବଣେଇ ଗଡ଼ଜାତ)

ଜିଲ୍ଲା (୫) ଅବିଭକ୍ତ ସଂବଲପୁର (ଦେବଗଡ଼, ବରଗଡ଼, ଝାରସୁଗୁଡ଼ା ସମନ୍ୱିତ ) (୬) ଅବିଭକ୍ତ ବଲାଙ୍ଗିର (ସୋନପୁର ସମନ୍ୱିତ) ଜିଲ୍ଲା (୭) ଅବିଭକ୍ତ କଳାହାଣ୍ଡି (ନୂଆପଡ଼ା ସମନ୍ୱିତ) ଜିଲ୍ଲା ।

ଏହିଭଳି ଭାବରେ ଦେଖିବାକୁ ଗଲେ ଓଡ଼ିଶାର ସମୁଦାୟ ଅବିଭକ୍ତ ୧୩ଗୋଟି ଜିଲ୍ଲାରୁ ୭ଗୋଟି ଜିଲ୍ଲା, ବର୍ତ୍ତମାନର ୩୦ଗୋଟି ଜିଲ୍ଲାରୁ ପ୍ରାୟ ୧୭ଗୋଟି ଜିଲ୍ଲା ମଧୁସୂଦନ ଦେଶମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ନୂତନ ଭାବେ ସମ୍ମିଳିତ କରିଥିଲେ । ଏହି ଦୃଷ୍ଟିରୁ ହାରାହାରି ଦେଖିବାକୁ ଗଲେ ମଧୁସୂଦନ କ୍ରମାଗତ ଆଉ ନିରନ୍ତର ଭାବେ ଓଡ଼ିଶା ସରକାରଙ୍କର ମୂଳ ଆୟର ଦୁଇତୃତୀୟାଂଶ ପ୍ରଦାନ କରିଆସୁଛନ୍ତି । ଏହିଭଳି ଉପଲବ୍‍ଧି ବା ଗୌରବ ଓଡ଼ିଶାର ଅନ୍ୟ କୌଣସି ବରପୁତ୍ରଙ୍କ ଭାଗ୍ୟରେ ଘଟିନାହିଁ ।
ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ଗଡ଼ଜାତମାନଙ୍କୁ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଯିବା ପରେ ଓଡ଼ିଶାର ମୋଟ ଅବିଭକ୍ତ ଜିଲ୍ଲାମାନଙ୍କର ସଂଖ୍ୟାହେଲା ୧୩ । ଏହି ୧୩ଟି ଜିଲ୍ଲାର ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ (ଅର୍ଥାତ୍‍ ସମୁଦାୟ ଓଡ଼ିଶାର)ଆୟତନ ରହିଛି ୧,୫୫,୮୪୨ ବର୍ଗ କିଲୋମିଟର । ଏଥି ମଧ୍ୟରୁ ୧୯୦୦ ସାଲରେ ଓଡ଼ିଶା ଡିଭିଜନ ମଧ୍ୟରେ ଥିବା ତିନିଗୋଟି ଜିଲ୍ଲା ଆଉ ସତର ଗୋଟି ଗଡ଼ଜାତ, ପରବର୍ତ୍ତୀ ପର୍ଯ୍ୟାୟରେ ବାଲେଶ୍ୱର, ପୁରୀ, କଟକ, ମୟୂରଭଞ୍ଜ, କେନ୍ଦୁଝର ଆଉ ଢେଙ୍କାନାଳ ନାମରେ ଛଅଗୋଟି ଜିଲ୍ଲାରେ ପରିଣତ ହେଲା । ଏହି ଛଅଗୋଟି ଅବିଭକ୍ତ ଜିଲ୍ଲାର ସମୁଦାୟ ଆୟତନ ନିମ୍ନଲିଖିତ ଜିଲ୍ଲାଓ୍ୱାରୀ ହିସାବ ମତେ ୫୭,୨୪୨ ବର୍ଗ କିଲୋମିଟର । ଏହା ସମଗ୍ର ଓଡ଼ିଶାର ସମୁଦାୟ ଆୟତନ ୧,୫୫,୮୪୨ ବର୍ଗ କିଲୋମିଟରର ମାତ୍ର ଏକ ତୃତୀୟାଂଶ ଆୟତନରୁ ଊର୍ଦ୍ଧ୍ୱ ।

କ୍ର.ନଂ ଜିଲ୍ଲାରନାମ ଆୟତନ (ବର୍ଗ କି.ମି.)
ପୁରୀ ୧୦,୧୫୯
କଟକ ୧୧,୨୧୧
ବାଲେଶ୍ୱର ୬,୩୯୪
ମୟୂରଭଞ୍ଜ ୧୦,୪୧୨
କେଉଁଝର ୮,୨୪୦
ଢ଼େଙ୍କାନାଳ ୧୦,୮୨୬
ମୋଟ ୫୭,୨୪୨

ଏହାପରେ ମଧୁସୂଦନଙ୍କର ଦେଶମିଶ୍ରଣ ପ୍ରକି୍ରୟାରେ ଯେଉଁସବୁ ଅଞ୍ଚଳ ୧୯୩୬ ସାଲ ଆଉ ୧୯୦୫ ସାଲରେ ମିଶିଥିଲେ, ତାହାକୁ ସାତଗୋଟି ଅବିଭକ୍ତ ଜିଲ୍ଲା, ଗଂଜାମ, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର ଆଉ କଳାହାଣ୍ଡି ଅବିଭକ୍ତ ଜିଲ୍ଲାରେ ପରିଣତ କରାଯାଇଥିଲା । ଏହି ସାତଗୋଟି ଅବିଭକ୍ତ ଜିଲ୍ଲାର ନିମ୍ନଲିଖିତ ଜିଲ୍ଲାଓ୍ୱାରୀ ହିସାବ ମତେ ଆୟତନ ପ୍ରାୟ ୯୮,୬୦୦ ବର୍ଗ କିଲୋମିଟର, ଯାହା ସମଗ୍ର ଓଡ଼ିଶା ଆୟତନ ପ୍ରାୟ ଦୁଇ ତୃତୀୟାଂଶ ଭାଗରୁ ସ୍ୱଳ୍ପ କମ୍‍ ।

କ୍ର.ନଂ ଜିଲ୍ଲାର ନାମ ଆୟତନ (ବର୍ଗ କି. ମି.)
ଗଂଜାମ ୧୨,୫୨୭
କୋରାପୁଟ ୨୭,୦୨୦
କନ୍ଧମାଳ ୧୧,୦୭୦
ସୁନ୍ଦରଗଡ଼ ୯,୬୭୫
ସମ୍ବଲପୁର ୧୭,୫୭୦
ବଲାଙ୍ଗିର ୮,୯୦୩
କଳାହାଣ୍ତି ୧୧,୮୩୫
ମୋଟ ୯୮,୬୦୦

୧. ଓଡ଼ିଶା ଡିଭିଜନର ଆୟତନ ୧୯୦୦ ସାଲରେ ଗଡ଼ଜାତ ସହ ୫୭,୨୪୨ ବର୍ଗ କିଲୋମିଟର ।
୨. ମଧୁସୂଦନଙ୍କର ଦେଶମିଶ୍ରଣ ପ୍ରକ୍ରିୟାରେ ମିଶିଥିବା ଅଂଶ ଗଡ଼ଜାତ ସହ ୯୮,୬୦୦ ବର୍ଗ କି.ମି. ।
ଓଡ଼ିଶାର ମୋଟ ଆୟତନ ୧,୫୫,୮୪୨ ବର୍ଗ କି.ମି. ।
ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ମଧୁସୂଦନ ଦେଶମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ, ସମଗ୍ର ଓଡ଼ିଶାର ଆୟତନର ପ୍ରାୟ ଦୁଇ ତୃତୀୟାଂଶ ସମ୍ମିଳିତ କରିଥିଲେ । ଏହି ଐଶ୍ଚର୍ଯ୍ୟଶାଳୀ ଅଞ୍ଚଳ ଅମାପ ପ୍ରାକୃତିକ ଅରଣ୍ୟ ଆଉ ଖଣିଜ ବିଭବ ତଥା ସୁବିସ୍ତାରିତ ଜଳସଂପଦ ଦୃଷ୍ଟିରୁ ପ୍ରାଚୁର୍ଯ୍ୟର ଅକଳ୍ପନୀୟ ପ୍ରସାଦ ରୂପେ ଓଡ଼ିଶାକୁ ଅକଳନ ସମୃଦ୍ଧି ଆଉ ଗାରିମାରେ ଭରି ଦେଇଛି । ଏହି ପରିପ୍ରେକ୍ଷୀରେ ମଧୁସୂଦନ ଓଡ଼ିଶାର ଆୟର ଅର୍ଦ୍ଧେକ ନୁହେଁ, ଦୁଇତୃତୀୟାଂଶ ଆୟ ନିରନ୍ତର ଭାବେ ପ୍ରଦାନ କରିଆସୁଛନ୍ତି ।
ଯେଉଁ ଅବିଭକ୍ତ ସାତଗୋଟି ଜିଲ୍ଲା, ଯଥାକ୍ରମେ ଅବିଭକ୍ତ କୋରାପୁଟ, ଗଂଜାମ, କନ୍ଧମାଳ, ସୁନ୍ଦରଗଡ଼, ସଂବଲପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା, ୧୯୩୬ ଆଉ ୧୯୦୫ରେ ଓଡ଼ିଶା ଡିଭିଜନ ସହିତ ସମ୍ମିଳିତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସ୍ଥାପନା ହୋଇଥିଲା, ତାହାର ନଦୀ ଜଳସଂପଦ, ଜଳସେଚନ ଶକ୍ତି (ଜଳବିଦ୍ୟୁତ୍‍), ଅରଣ୍ୟ ସଂପଦ, ଖଣିଜ ସଂପଦ, ତାପଜ ବିଦ୍ୟୁତ୍‍ ସଂପର୍କରେ କ୍ରମାନ୍ୱୟରେ ଆଲୋଚନା କରାଯିବ ।

ନଦୀ ଓ ଜଳ ସଂପଦ
ଓଡ଼ିଶା ଗୋଟିଏ ନଦୀବହୁଳ ରାଜ୍ୟ । ସର୍ବଭାରତରେ ଓଡ଼ିଶାର ଭୂମିଭାଗ ଶତକଡ଼ା ୪ ଥିଲାବେଳେ, ଜଳ ସଂପଦ ଶତକଡ଼ା ୧୧ ଭାଗ ବୋଲି ଆକଳନ କରାଯାଇଛି । ସମଗ୍ର ଓଡ଼ିଶାର ନଦୀ ଆଉ ଜଳସଂପଦର ଚିତ୍ର ପ୍ରଦାନ କରାଯାଇଛି ।

କ୍ରନଂ ନ‌ଦୀର ନାମ ଓଡ଼ିଶାରେ ଜଳସଂଗ୍ରହ ଭୂଖଣ୍ତର ଆୟତନ (ବ କିମି) ଓଡ଼ିଶାରେ ଜଳସଂଗ୍ରହ ଆୟତନ ଶତକଡ଼ାଭାଗ ଓଡ଼ିଶାରେ ନ‌ଦୀର ଦୈଘ୍ୟ (କି ମି) ନ‌ଦୀଋ ସଂପୂର୍ଣ୍ଣ ଦୈର୍ଘ୍ୟ କି ମି
୧. ମହାନ‌ଦୀ ୬୫,୬୨୮ ୪୨.୧୫ ୪୯୪ ୮୫୧
୨. ବ୍ରାହ୍ମଣୀ ୨୨,୫୧୬ ୧୪.୪୬ ୪୬୧ ୭୬୫
୩. ଋଷିକୁଲ୍ୟା ୮,୯୬୩ ୫.୭୬ ୧୭୫ ୧୭୫
୪. ବାହୁଦୀ ୮୯୦ ୦.୫୭ ୭୪ ୯୬
୫. ଇନ୍ଦ୍ରାବତୀ ୭,୪୦୦ ୪.୭୫ ୧୬୭ ୫୩୦
୬. କୋଲାବ ୧୦,୩୦୦ ୬.୬୧ ୨୭୦ ୩୪୩
୭. ବଂଶଧାରା ୮,୯୬୦ ୫ ୭୫ ୧୭୬ ୨୩୯
୮. ନାଗାବଳୀ ୪,୫୦୦ ୨.୮୯ ୧୨୫ ୨୧୭
୯. ବୈତରଣୀ ୧୩,୪୮୨ ୮.୬୬ ୩୬୦ ୪୪୦
୧୦. ବୁଢ଼ାବଳଂଗ ୨,୯୮୩ ୪.୦୮ ୧୯୯ ୧୯୯
୧୧. ସୁବର୍ଣ୍ଣରେଖା ୨,୯୮୩ ୧.୯୨ ୮୧ ୪୪୬
୧୨. ସମୁଦ୍ରରେମିଶିବା ପାଣି ୩,୭୩୧ ୨.୪୦
ମୋଟ ୧,୫୫,୭୦୭ ୧୦୦

ଏହି ସାରଣୀରେ ପ୍ରଦତ୍ତ ନଦୀମାନଙ୍କ ମଧ୍ୟରୁ ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀମାନେ ୧୯୦୦ ସାଲର ଓଡ଼ିଶା ଡ଼ିଭିଜନର ଅନ୍ତର୍ଭୁକ୍ତ ଆୟତନର ପରିସରରେ ପ୍ରବାହିତ, ଯଦିଓ ସୁବର୍ଣ୍ଣରେଖା ନଦୀର ଉତ୍ସ ଝାଡ଼ଖଣ୍ଡ ଓ ବୈତରଣୀ ଝାଡ଼ଖଣ୍ଡର ୮୦ କିଲୋମିଟର

ଅଞ୍ଚଳରେ ପ୍ରବାହିତ ।
ଏହି ସାରଣୀରେ ନଦୀମାନଙ୍କ ମଧ୍ୟରୁ (ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖାକୁ ବାଦଦେଲେ) ଅନ୍ୟ ସମସ୍ତ ନଦୀର ଉତ୍ସ କିମ୍ବା ଓଡ଼ିଶାରେ ପ୍ରବେଶ କରିଥିବା ସ୍ଥଳ ମଧୁସୂଦନଙ୍କର

ଦେଶ ମିଶ୍ରଣ ପ୍ରକ୍ରିୟାରେ ଆସିଥିବା ଭୂଖଣ୍ଡରେ ଅବସ୍ଥିତ । ଏହି ନଦୀମାନେ ସମଗ୍ର ଓଡ଼ିଶାର ଜଳ ସଂଗହ ଆୟତନର ଶତକଡ଼ା ୮୨.୯୪ ଭୂମିଭାଗ ଅନ୍ତର୍ଭୁକ୍ତ କରୁଥିବା ବେଳେ ଅନ୍ୟ ତିନିଗୋଟି ନଦୀ ବହିଛି ମାତ୍ର ଓଡ଼ିଶାର ଜଳସଂଗ୍ରହ କରୁଥିବା ଆୟତନର ଶତକଡ଼ା ୧୪.୬୬ ଭାଗ ଆୟତନର ଭୂମିଭାଗ ମଧ୍ୟରେ । ବଳକା ଶତକଡ଼ା ୨.୪୦ ସିଧା ସମୁଦ୍ରକୁ ପ୍ରବାହିତ ।
ଏଣୁ ଦେଶ ମିଶ୍ରଣ ପ୍ରକ୍ରିୟା ମଧ୍ୟରେ ଆସିଥିବା ନଦୀମାନେ ଓଡ଼ିଶାର ଜଳସଂପଦର ମୁଖ୍ୟ ଉତ୍ସ ଆଉ ଆଧାର ଏବଂ ଓଡ଼ିଶାକୁ ଜଳ ବିଭବର ପ୍ରାଚୁର୍ଯ୍ୟରେ ଭରିଦେଇ ସମୃଦ୍ଧିର ପଥ ଉନ୍ମୋଚିତ କରିଛନ୍ତି । ଏଣୁ ଦେଶ ମିଶ୍ରଣର ସମସ୍ତ ଅବିସ୍ମରଣୀୟ ନେତୃବର୍ଗଙ୍କର ଚରଣ ପ୍ରାନ୍ତରେ ଭକ୍ତି ପ୍ରଣତ ପୂଜାର୍ଘ୍ୟ ପ୍ରଦାନ କରାଯାଉଛି । ଏହି ସମସ୍ତ ସାମଗ୍ରିକ ସଂପଦ ସେହିମାନଙ୍କର ଓଡ଼ିଶାର ଜନ ସମାଜ ପାଇଁ ପ୍ରତିଶ୍ରୁତିବଦ୍ଧତାର ଦାନ ।
ଜଳସେଚନ
ଏହି ପର୍ଯ୍ୟାୟରେ ମଧୁସୂଦନଙ୍କର ଦେଶ ମିଶ୍ରଣ ପ୍ରକ୍ରିୟାରେ ଆସିଥିବା ନଦୀମାନଙ୍କର ମୁଖ୍ୟତଃ ସେହି ଦେଶ ମିଶ୍ରଣ ଅଂଚଳରେ ଜଳସେଚନ ହେଉଥିବା ବିବରଣୀ ପ୍ରଦାନ କରାଯାଇଛି । ଏଣୁ ୧୯୦୦ ସାଲ ପୂର୍ବରୁ ଓଡ଼ିଶା ଡିଭିଜନର ମହାନଦୀ ଓ ବୈତରଣୀର ତ୍ରିକୋଣ ଭୂମିର ଜଳସେଚନ ବିବରଣୀ ବାଦ୍‍ ଦିଆଯାଇଛି । ଏହି ମହାନଦୀ ଜଳସେଚନ କାର୍ଯ୍ୟ ୧୮୬୦-୭୫ ମଧ୍ୟରେ ହୋଇଥିଲା । ଦେଶ ମିଶ୍ରଣ ପ୍ରକ୍ରିୟାରେ ମଧୁସୂଦନଙ୍କର ପ୍ରଚେଷ୍ଟାରେ ୧.୪.୧୯୩୬ରେ ମାଡ୍ରାସ ପ୍ରେସିଡେନ୍‍ସିରୁ ଗଂଜାମ ଜିଲ୍ଲା ଓଡ଼ିଶା ସହିତ ସାମିଲ ହୋଇଥିଲା । ୧୯୦୧ ସାଲରେ ଏହି ଜିଲ୍ଲାରେ ବ୍ରିଟିଶ ଶାସନ କାଳରେ ଋଷିକୂଲ୍ୟା ନଦୀର ଅବବାହିକା ଉପରେ ଯେଉଁ ଅନନ୍ୟ ପୁରୋଦୃଷ୍ଟି ସଂପନ୍ନ ବିସ୍ମୟକର ଯୋଜନା କାର୍ଯ୍ୟକାରୀ ହେଉଥିଲା ଆଉ ଏହା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ସଂପ୍ରସାରଣ ସହ ବର୍ତ୍ତମାନ ଗଂଜାମ ଜିଲ୍ଲାରେ ପ୍ରାୟ ୬୧,୭୯୦ ହେକ୍ଟର ଜମିରେ ଜଳସେଚିତ ହେଉଛି ।
ମହାନଦୀରେ ଛତିଶିଗଡ଼ ଅଞ୍ଚଳରୁ ବହି ଆସୁଥିବା ଜଳ, ସୁନ୍ଦରଗଡ଼ରୁ ଇବ୍‍ ନଦୀରେ ବହି ଆସୁଥିବା ଜଳ ମହାନଦୀରେ ସମ୍ମିଳିତ ହେବା ସ୍ଥିତିରେ ସମ୍ବଲପୁର ଜିଲ୍ଲାର ହୀରାକୁଦଠାରେ ଯେଉଁ ବହୁମୁଖୀ ଯୋଜନା କାର୍ଯ୍ୟକାରୀ ହେଲା, ତାହା ସେହି ଅଂଚଳରେ ବ୍ୟାପକ ଜଳସେଚନର ସୁଯୋଗ ପ୍ରଦାନ କରିଛି ।
ଏହି ବହୁମୁଖୀ ଯୋଜନା କାର୍ଯ୍ୟକାରୀ ହେବା ପରେ ହୀରାକୁଦ ଜଳବିଦ୍ୟୁତ୍‍ ପ୍ରକଳ୍ପରୁ ନିତ୍ୟ ବହି ଆସୁଥିବା ଉଦ୍‍ବୃତ୍ତ ଜଳ ତଥା ଅଂଗ, ତେଲ ଆଦି ଅବବାହିକାରୁ ଜଳକୁ ମୁଣ୍ଡଳୀଠାରେ ନଦୀବନ୍ଧ ନିର୍ମାଣ କରାଯାଇ ପୁରୀ ଜିଲ୍ଲାରେ ବ୍ୟାପକ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଲା । ଏହାକୁ ମହାନଦୀ ତ୍ରିକୋଣ ଭୂମି ଦ୍ୱିତୀୟ ଯୋଜନା ନାମରେ ନାମିତ କରାଯାଇଛି । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବାଲିମେଳା, ଉପର କୋଲାବ, ଉପରର ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାହୋଇଛି ।

କାର୍ଯ୍ୟକାରୀ ହେଉଥିବା ଜଳ ପ୍ରକଳ୍ପର ନାମ ଓ ଜଳସେଚିତ ଅଞ୍ଚଳର ପରିମାଣ ହେକ୍ଟର

ଆକାରରେ ନିମ୍ନରେ ପ୍ରଦତ୍ତ ହେଲା ।

କ୍ରନଂ ଜଳସେଚିତ ପ୍ରକଳ୍ପର ନାମ ଜଳସେଚିତ ଅଂଚଳ (ହେକ୍ଟରରେ)
୧. ହୀରାକୁଦ ୧୫୯,୦୯୦
୨. ମହାନ‌ଦୀ ତ୍ରିକୋଣ ଭୂମି ୨ୟ ହୀରାକୁଦର ଉଦ୍‌ବୃତ୍ତ ଜଳରେ ପୁରୀ ଜିଲ୍ଲାରେ ଜଳସେଚନ କରାଯାଉଛି ୯୦,୦୪୦
୩. ବାଲିମେଳା ଯୋଜନା ୬୧,୦୩୦
୪. ଉପର ଇନ୍ଦ୍ରାବତୀ ବନ୍ଧ ଯୋଜନା ୧,୨୮,୦୦୦
୫. ଉପର କୋଲାବ ବନ୍ଧ ଯୋଜନା ୪୭,୭୧୦
୬. ଋଷିକୁଲ୍ୟା ଜଳସେଚନ ଯୋଜନା ୬୧,୭୯୦

କାର୍ଯ୍ୟକାରୀ ହେଉଥିବା ଜଳସେଚନ ଯୋଜନା
ଦେଶ ମିଶ୍ରଣ ପ୍ରକି୍ରୟାରେ ଆସିଥିବା ଅଂଚଳରେ ବହିଯାଇଥିବା ନଦୀ ଉପରେ କିଛି ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବା ଅବସ୍ଥାରେ ଅସଂପୂର୍ଣ୍ଣ ରହିଯାଇଛି । ଏଥି ମଧ୍ୟରୁ ମୁଖ୍ୟ ହେଉଛି ବ୍ରାହ୍ମଣୀ ଯାହା ସୁନ୍ଦରଗଡ଼ ଜିଲ୍ଳାର ରାଉରକେଲା, ଶଙ୍ଖ ଓ କୋଏଲ୍‍ ନଦୀର ମିଶ୍ରଣରୁ ବହିଆସିଥିବା ଅବସ୍ଥାରେ ରେଙ୍ଗାଲିଠାରେ ନଦୀବନ୍ଧ ନିର୍ମାଣ କରାଯାଇଥିବା ବେଳେ ଏହା ନଦୀବନ୍ଧର ସମସ୍ତ ଜଳଧାରଣ ଅଂଚଳ ଦେବଗଡ଼ ଜିଲ୍ଲାରେ ଅବସ୍ଥିତ । ଏହି ନଦୀବନ୍ଧର ୨,୧୫,୫୦୦ ହେକ୍ଟର ଜମିରେ ଜଳସେଚନ କରିବା କ୍ଷମତା ଥିବାବେଳେ, ବିଗତ ବହୁବର୍ଷ ମଧ୍ୟରେ ଅତ୍ୟଳ୍ପ ମାତ୍ର ୨୦,୦୦୦ ହେକ୍ଟର ଜମିକୁ କେନାଲ ଖୋଦନ ମାଧ୍ୟମରେ ଜଳସେଚନ କରାହୋଇଛି । ଏହାଠାରୁ ନୈରାଶ୍ୟଜନକ ବିଷୟ ଏହି ରାଜ୍ୟ ପାଇଁ କ'ଣ ବା ହୋଇପାରେ? । ଏହାଛଡ଼ା ନିମ୍ନ ଇନ୍ଦ୍ର ଆଉ ନିମ୍ନ ସୁକତେଲ ପାଇଁ ନଦୀବନ୍ଧ ଯୋଜନାର ପରିକଳ୍ପନା କରାଯାଇଛି । ମାତ୍ର ବିଶେଷ କିଛି ଅଗ୍ରଗତି ହୋଇନାହିଁ । ଏ ସମସ୍ତର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

କ୍ରନଂ କାର୍ଯ୍ୟକାରୀ ହେଉଥିବା ନ‌ଦୀବନ୍ଧ ଯୋଜନା ଜଳସେଚିତ ହେବା କ୍ଷମତା (ହେକ୍ଟର) ଜଳସେଚିତ ପରିମାଣ(ହେକ୍ଟର)
୧. ରେଙ୍ଗାଲି ୨,୩୫,୫୦୦ ୨୦,୦୦୦
୨. ନିମ୍ନ ଇନ୍ଦ୍ର ୨୯,୯୦୦
୩. ନିମ୍ନ ସୁକତେଲ ୩୧,୮୦୦
୪. ବାଗ ୧୮,୫୦୦
ଶକ୍ତି (ଜଳବିଦ୍ୟୁତ୍‍)

ଏହି ବହୁମୁଖୀ ନଦୀବନ୍ଧ ଯୋଜନା ସହିତ, ବିଦୁ୍ୟତ୍‍ ଶକ୍ତି ଉତ୍ପାଦନ, ଏକ ସମନ୍ୱିତ ସହଯାତ ପ୍ରକ୍ରିୟା, ଯାହା ସୁଲଭ ରୀତିରେ ଉପଲବ୍ଧ ହୋଇଥାଏ । ଏଥିରେ ଶକ୍ତି ଉତ୍ପାଦନ ପାଇଁ ସ୍ୱଳ୍ପ ଖର୍ଚ୍ଚ ପଡ଼ିଥାଏ । ଦେଶମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ଯେଉଁ ଅଂଚଳ ସମନ୍ୱିତ ହୋଇଥିଲା, ସେଥିରେ ଜଳବିଦ୍ୟୁତ୍‍ ଶକ୍ତି ଉତ୍ପାଦନ ମେଗାଓ୍ୱାଟ୍‍ ଆକଳନରେ ନିମ୍ନରେ ପ୍ରଦାନ କରାଗଲା ।

କ୍ରନଂ ପ୍ରକଳ୍ପର ନାମ କେତୋଟି ୟୁନିଟ୍ କେତେ ମେଗାୱାଟ ଦୈନିକ ଉତ୍ପାଦନ (ମେଗାୱାଟ)
୧. ହୀରାକୁଦ ୩୪୭.୫
୨. ମାଛକୁଣ୍ତ ୫୭.୫
୩. ବାଲିମେଳା ୬୦ ୩୬୦
୪. ରେଙ୍ଗାଲୀ ୫୦ ୨୫୦
୫. ଉପର କୋଲାବ ୮୦ ୩୨୦
୬. ଉପର ଇନ୍ଦ୍ରାବତୀ ୧୫୦ ୬୦୦
ମୋଟ ୧୯୩୫

ଦୈନିକ ମାଛକୁଣ୍ଡ (ଡୁଡୁମା) ଜଳପ୍ରପାତରେ ୧୮୦ ମେଗାଓ୍ୱାଟ ବିଦ୍ୟୁତ୍‍ ଉତ୍ପାଦନ ହେଉଥିଲାବେଳେ ଓଡ଼ିଶାର ଦୈନିକ ଭାଗ ୫୭.୫ ମେଗାଓ୍ୱାଟ୍‍ । ଏହାଛଡ଼ା ଦେଶ ମିଶ୍ରଣ ପ୍ରକ୍ରିୟାରେ ଯେଉଁ ଜଳବିଦ୍ୟୁତ୍‍ ଶକ୍ତି ଯୋଜନାଗୁଡ଼ିକ ଅଚିରେ କାର୍ଯ୍ୟକାରୀ ହେବାର ପ୍ରସ୍ତାବରହିଛି, ତାହାର ବିବରଣୀ ପ୍ରଦାନ କରାଗଲା ।

କ୍ରନଂ ପ୍ରକଳ୍ପର ନାମ କେତୋଟି ୟୁନିଟ୍ କେତେ ମେଗାୱାଟ ଦୈନିକ ଉତ୍ପାଦନ (ମେଗାୱାଟ)
୧. ହୀରାକୁଦ-ବି ୫୨ ୨୦୮
୨. ଚିପିଲିମା-ବି ୫୦ ୨୦୦
୩. ସିନ୍ଦୋଳ-୧ ୨୦ ୧୦୦
୪. ସିନ୍ଦୋଳ-୨ ୨୦ ୧୦୦
୫. ସିନ୍ଦୋଳ-୩ ୨୦ ୧୨୦
୬. ବାଲିମେଳା ୨୧୦
ମୋଟ ୯୩୮

ହିରାକୁଦ, ଚିପିଲିମା ଆଉ ସିନ୍ଦୋଳ ଯୋଜନାଗୁଡ଼ିକ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ।
ତାପଜ ବିଦ୍ୟୁତ୍‍
ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଝାରସୁଗୁଡ଼ାର ଇବ୍‍ ଉପତ୍ୟକା ଅଞ୍ଚଳରେ ସର୍ବାଧିକ କୋଇଲା ରହିଛି । ଅବଶ୍ୟ ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଓଡ଼ିଶାର ସବୁଠାରୁ ଅଧିକ ୨୬,୫୭୯ ନିୟୁତ ଟନ୍‍ କୋଇଲା ଅଛି । ଏହା ଫଳରେ ନାଲ୍‍କୋର ଆଲୁମିନିୟମ୍‍ର ଶେଷ ପ୍ରକ୍ରିୟାର କାରଖାନା ପ୍ରତିଷ୍ଠିତ ହୋଇଛି ।
ଓଡ଼ିଶାରେ ସମୁଦାୟ ଯେତେ ପରିମାଣର କୋଇଲା ଗଚ୍ଛିତ ଅଛି ସେଥିରେ ୨ୟ ସ୍ଥାନରେ ରହିଛି ଇବ୍‍ ଉପତ୍ୟକା(୨୧,୩୧୦ ନିୟୁତ ଟନ୍‍)ଯାହା ପରିସ୍ଥିତିର ଅନୁକୂଳତାଯୋଗୁଁ ଅଧିକ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିଆଣିଛି । ଏହି ଗଚ୍ଛିତ କୋଇଲା ଓଡ଼ିଶାମୃଦ୍ଧିର ଏକ ମହାନ ବିଭବ । ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନର ଅନିଶ୍ଚିତତା, ଜଳ ଭଣ୍ଡାରର ଜଳଧାରଣର ପରିମାଣ ଉପରେ ନିର୍ଭର କରୁଥିବାରୁ ନୂତନ ଶିଳ୍ପପତିମାନେ ତାପଜ ବିଦ୍ୟୁତ୍‍ ଉପରେ ଅଗ୍ରାଧିକାର ପ୍ରଦାନ କରୁଛନ୍ତି ।
ଜାତୀୟ କରଣ ଅନୁଷ୍ଠାନ- I.T.P.C ବନହରପାଲିରେ ନିଜସ୍ୱ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ପ୍ରତିଦିନ ୪୨୦ ମେଗାଓ୍ୱାଟ୍‍ ବିଦ୍ୟୁତ୍‍ଶକ୍ତି ଉତ୍ପାଦିତ ହେଉଛି, ଯାହା ବିତରଣ କରାଯାଉଛି ଓଡ଼ିଶା ସରକାରଙ୍କର ନିଜସ୍ୱ ପରିଚାଳିତ ଯୋଜନାରେ ।
ଏହାଛଡ଼ା ନିମ୍ନ ଉଦ୍ୟୋଗଗୁଡ଼ିକ ନିଜସ୍ୱ ତାପଜ କେନ୍ଦ୍ର ସୃଷ୍ଟିକରି ଝାରସୁଗୁଡ଼ା ଅଂଚଳରେ କୋଇଲା ନେଇ ନିମ୍ନଲିଖିତ ପରିମାଣ ପ୍ରତିଦିନ ବିଦ୍ୟୁତ୍‍ ଉତ୍ପାଦନ କରି ଚାଲିଛନ୍ତି ।

କ୍ରନଂ ପ୍ରକଳ୍ପର ନାମ ଦୈନିକ ବିଦ୍ୟୁତ ଉତ୍ପାଦନ (ମେଗାୱାଟ୍)
ରାଉରକେଲା ଇସ୍ପାତ କାରଖାନା ୨୦୩
ହିଣ୍ତାଲ କୋ ହୀରାକୁଣ୍ତ ୧୦୦
ଭୂଷଣ ୧୦୦
ବେଦାନ୍ତ ୫୦୦
ମୋଟ ୯୦୩
ଏହି ତାପଜ କେନ୍ଦ୍ର ପ୍ରଚୁର ପରିମାଣର ପାଉଁଶ ଆଉ ସଲ୍‌ଫର ଡାଇଅକ୍‌ସାଇ‌ଡ଼୍ ଉତ୍ପନ୍ନ କରେ ଯାହା ପରିବେଶକୁ ବ‌ହୁ ପରିମାଣରେ ପ୍ରଦୂଷିତ କରେ । ଶିଳ୍ପର କେନ୍ଦ୍ରୀକରଣ ଝାରସୁଗୁଡ଼ାରେ ଏକ ଆଶିର୍ବାଦ ଥିଲାବେଳେ ଝାରସୁଗୁଡ଼ା ଅଂଚଳ ଅଧିକ ପ୍ରଦୂଷିତ ଅଂଚଳ ହେବ ବୋଲି ଭାରତୀୟ ପ୍ରଦୂଷଣ ବୋର୍ଡ଼ ଚେତାବନୀ ପ୍ରଦାନ କରଛନ୍ତି । ଏଣୁ ବିଭିନ୍ନ ପ୍ରତିକାର ବ୍ୟବସ୍ଥା ଗ୍ରହଣ ଅପରିହାର୍ଯ୍ୟ ହୋଇ ପଡ଼ିଛି ।

ଅରଣ୍ୟ ସଂପଦ
ପ୍ରାକୃତିକ ସଂପଦ ମଧ୍ୟରେ ଅରଣ୍ୟ ସଂପଦ ଏକ ମୁଖ୍ୟ ବିଭବ । ଏହି ଅରଣ୍ୟ ସଂପଦ ପରିବେଶକୁ ସମତୁଲ ରଖିବା ସହିତ ଜଳଧାରଣ ସହିତ ବର୍ଷା ପ୍ରଦାନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମିଶିଥିବା ସାତଗୋଟି ଅରଣ୍ୟ ଆଚ୍ଛାଦିତ ଅଂଚଳର ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

କ୍ରନଂ ଅବିଭକ୍ତ ଜିଲ୍ଲାର ନାମ ଜଙ୍ଗଲର ଆୟତନ (ବ.କିମି)
ସମ୍ବଲପୁର ୬,୬୦୮
ବଲାଙ୍ଗିର ୧,୯୮୫
କୋରାପୁଟ ୧୦,୮୭୧
କନ୍ଧମାଳ ୫,୭୦୯
କଳାହାଣ୍ତି ୪,୩୮୭
ସୁନ୍ଦରଗଡ଼ ୪,୯୫୭
ଗଂଜାମ ୫,୬୧୭
ମୋଟ ୪୦,୧୩୪

ସମଗ୍ର ଓଡ଼ିଶାର ଅବିଭକ୍ତ ତେରଗୋଟି ଜିଲ୍ଲାରେ ଅରଣ୍ୟ ସଂପଦ ପ୍ରାୟ ୫୮,୧୩୫ ବର୍ଗ କିଲୋମିଟର ଥିଲାବେଳେ ମଧୁସୂଦନଙ୍କର ଦେଶମିଶ୍ରଣ ପ୍ରକ୍ରିୟାରେ ମିଶିଥିବା ସାତଗୋଟି ଅବିଭକ୍ତ ଜିଲ୍ଲାରେ ଅରଣ୍ୟ ସଂପଦର ବ୍ୟାପ୍ତି ୪୦,୧୩୪ ବର୍ଗ କିଲୋମିଟର । ଏହି ଅରଣ୍ୟର ସଂରକ୍ଷଣ ଏକାନ୍ତ ଆବଶ୍ୟକ ଯାହା କ୍ରମଶଃ ଦ୍ରୁତଗତିରେ ଅବକ୍ଷୟମୁଖୀ ।
ଖଣିଜ ସଂପଦ
ଓଡ଼ିଶା ଖଣିଜ ସଂପଦରେ ସମୃଦ୍ଧ । ଏକ ଆକଳନରୁ ଜଣାଯାଏ ଯେ ସମଗ୍ର ଦେଶର ଖଣିଜ ସଂପଦର ଶତକଡ଼ା ୧୭ ଭାଗ ଓଡ଼ିଶାରେ ଗଚ୍ଛିତ ଅଛି । ଓଡ଼ିଶା ସାରା ଦେଶର କ୍ରୋମାଇଟ୍‍, ନିକେଲ୍‍, ବକ୍‍ସାଇଟ୍‍, ମାଙ୍ଗାନିଜ୍‍ ଆଉ ଗ୍ରାନାଇଟ୍‍ରେ ପ୍ରଥମ ସ୍ଥାନ ଅଧିକାର କରିଛି । ଉକ୍ତ ସାତଗୋଟି ଅବିଭକ୍ତ ଜିଲ୍ଲା ମଧ୍ୟରୁ କ୍ରମାନ୍ୱୟରେ ଅବିଭକ୍ତ କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ଆଉ କଳାହାଣ୍ଡିରେ ପ୍ରଚୁର ଖଣିଜ ସଂପଦମାନ ରହିଛି ।
କୋରାପୁଟ- ଅବିଭକ୍ତ କୋରାପୁଟ ଜିଲ୍ଲା ଖଣିଜ ସଂପଦରେ ବିପୁଳ ଭାବେ ସମୃଦ୍ଧ । ଏହା ୧୯୩୬ ସାଲରେ ଓଡ଼ିଶା ପ୍ରଦେଶକୁ ଆସିଲା । ଏହି ଜିଲ୍ଲାରେ ପ୍ରାୟ ୧୨୦୦ ନିୟୁତ ଟନ୍‍ ବକ୍‍ସାଇଟ୍‍ ରହିଛି । ଏହି ଜିଲ୍ଲାର ପଞ୍ଚପଟମାଳି ଅଞ୍ଚଳର ଖଣିରୁ ବକ୍ସାଇଟ୍‍ ଆହରଣକରି ଆଲୁମିନାରେ ପରିଣତ କରି ନାଲ୍‍କୋ ଦେଶର ସର୍ବବୃହତ୍‍ ଲାଭ ଉତ୍ପାଦନକାରୀ ସଂସ୍ଥା ରୂପେ

ପରିଗଣିତ ହୋଇଛି । ଦେଶ ମିଶ୍ରଣ ପ୍ରକ୍ରିୟାରେ କୋରାପୁଟ ଜିଲ୍ଲା ଆସି ନଥିଲେ ଏହା ଆନ୍ଧ୍ରପ୍ରଦେଶର ରହିଥାନ୍ତା । ଏହି ପଞ୍ଚପଟମାଳି ଛଡ଼ା ବଫଲିମାଳି, କୁଟୁରୁମାଳି, ସିଦାମାଲି ଖଣି ଅଂଚଳରେ ପ୍ରଚୁର ବକ୍‍ସାଇଟ୍‍ ରହିଛି । ଏହି ଖଣି ଉତ୍ପାଦନ ଯୋଗୁଁ ବିସ୍ଥାପନ ଏକ ଅଲଂଘ୍ୟ ସମସ୍ୟା ରୂପେ ଉଭାହୋଇ ରହିଛି । ତାହାର ସୁଲଭ ସମାଧାନ ଆବଶ୍ୟକ । ଏହି ଜିଲ୍ଲାରେ ୧୭ ନିୟୁତ ଟନ୍‍ ମାଙ୍ଗାନିଜ୍‍ ଅଛି ଆଉ ସୁକି ଅଂଚଳରେ ୬୩ ନିୟୁତ ଟନ୍‍ ଚୂନ ପଥର ରହିଛି ।
ସୁନ୍ଦରଗଡ଼- ୧୬.୧୦.୧୯୦୫ରେ ବିହାରର ଛୋଟନାଗପୁର ଡିଭିଜନରୁ ପ୍ରଚୁର ଲୌହ ସଂପଦ ଭରପୂର ଥିବା ବଣାଇ ଆଉ ଗାଂଗପୁର ଗଡ଼ଜାତ ଦୁଇଟି ମିଶିଥିଲେ, ଯେଉଁ ଅଂଚଳ ଆଜି ସୁନ୍ଦରଗଡ଼ ଜିଲ୍ଲା ରୂପେ ପରିଚିତ । ଏହି ଜିଲ୍ଲାର ବରସୁଆଁ, କାଲଟା, ଦୋଲାନି ଖଣିରୁ ଲୁହାପଥର ଉତ୍ତୋଳନ କରି ଓଡ଼ିଶାର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇ ବିପୁଳ ଲାଭ କରୁଅଛି । ସୁନ୍ଦରଗଡ଼ ଜିଲ୍ଲା ବାଦାମଗଡ଼ ପାହାଡ଼, ବାଲିପଥର, ବାସଦା, ତିରିଙ୍ଗିବୁରୁ, ମିଥୁରୁଜା, ପତ୍ରପୋଷି ଖଣ୍ଡାଧାର ସମେତ ଅଞ୍ଚଳରେ ୭୦୦ ନିୟୁତ ଟନ୍‍ ଲୁହାପଥର ଅଛି । ଏଥି ମଧ୍ୟରୁ ଖଣ୍ଡାଧାର ଅଞ୍ଚଳରେ ଥିବା ଅନ୍ୟାନ୍ୟ ଜଳପ୍ରପାତ, ଯାହା ୮୦୦ ଫୁଟ ଉଚ୍ଚତାରୁ ଝରିପଡ଼ି ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ ରୂପେ ପରିଚିତ । ସୁନ୍ଦରଗଡ଼ ଜିଲ୍ଲାରେ ୧୦ ନିୟୁତ ଟନ୍‍ ବକ୍‍ସାଇଟ ଆଉ ୧୨ ନିୟୁତ ଟନ ମାଙ୍ଗାନିଜ୍‍ ଗଚ୍ଛିତ ଅଛି । ବୀରମିତ୍ରପୁରର ୩୬୦ ନିୟୁତ ଟନର ଡୋଲାମାଇଟ୍‍ ଓ ୪୦୦ ନିୟୁତ ଟନ ଚୂନପଥର ରହିଛି ।
ସମ୍ବଲପୁର- ଏହି ଜିଲ୍ଲା ଦେଶ ମିଶ୍ରଣ ଆନ୍ଦୋଳନ ଆଉ ଭାଷା ସଂଗ୍ରାମ ମାଧ୍ୟମରେ ୧୬.୧୦.୧୯୦୫ରେ ଓଡ଼ିଶା ଡିଭିଜନରେ ସମ୍ମିଳିତ ହୋଇଥିଲା ।
ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଝାରସୁଗୁଡ଼ା ଅଞ୍ଚଳରେ ୨୧,୩୧୦ ନିୟୁତ ଟନ କୋଇଲା ଗଚ୍ଛିତ ଅଛି । ତାଳଚେର ପରେ ଏହା ସର୍ବବୃହତ କୋଇଲା ଖଣି ଥିବା ଅଂଚଳ । ଏହି ଅଂଚଳର ଇବ୍‍ ଅବବାହିକାରେ ଆଉ ହୀରାକୁଦ ଅଞ୍ଚଳରେ ପ୍ରଚୁର କୋଇଲା ରହିଛି । ଏହି ଅଂଚଳରୁ ମିଳୁଥିବା କୋଇଲାକୁ ଟାଟା ରିଫ୍ରେକ୍ଟୋରୀ, ହୀରାକୁଦ ଆଲୁମିନିୟମ୍‍ ବ୍ୟତୀତ ବହୁ ଆଲୁମିନିୟମ୍‍ କମ୍ପାନି କୋଇଲାରୁ ଉଦ୍ଭବ ହେଉଥିବା ତାପଜ ଶକ୍ତିକୁ ଆଧାରକରି ଗଢ଼ିଉଠିଛି । ଫଳରେ ଏହା ଦେଶର ସବୁଠାରୁ ପ୍ରଦୂଷିତ ଅଂଚଳ ହେବାର ଆଶଂକା ଦେଖାଦେଇଛି । ସେଥିପାଇଁ ସାମ୍ଭାବ୍ୟ ପ୍ରତିକାର ଆଉ ସମନ୍ୱିତ ଯୋଜନାବଦ୍ଧ ବିନିଯୋଗର ଆବଶ୍ୟକତା ଦେଖାଦେଇଛି ।
ଏହାଛଡ଼ା ବରଗଡ଼ ଅଂଚଳରେ ୫୦ ନିୟୁତ ଟନ ଚୂନପଥର ଆଉ ୬୦ ନିୟୁତ ଟନ ଡୋଲାମାଇଟ୍‍ ଗଚ୍ଛିତ ରହିଛି ।
ସେହିପରି ପାଇକମାଳର ନୃସିଂହ ନାଥ ଆଉ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ସମନ୍ୱିତ ଅଂଚଳରେ ୨୦୦ ନିୟୁତ ଟନ୍‍ ବକ୍‍ସାଇଟ୍‍ ଗଚ୍ଛିତ ଅଛି । ଏହି ବିପୁଳ ଅରଣ୍ୟାନୀ ଭରା କ୍ଷେତ୍ରରେ ମନୋମୁଗ୍ଧକର ଝରଣାରୁ ଉଚ୍ଛ୍ୱସିତ ଜଳଧାରା ଏହି ଅଂଚଳକୁ ଏକ ନୈସର୍ଗିକ ପବିତ୍ର ସୁଷମାଭରା

ଅଂଚଳରେ ପରିଣତ କରିଛି । ସେହି ଅଂଚଳର ଜନତାର ପ୍ରବଳ ପ୍ରତିବାଦ ଯୋଗୁଁ ଏହି ଅଂଚଳରୁ ବକ୍‍ସାଇଟ୍‍ ଉତ୍ତୋଳନ ପ୍ରକ୍ରିୟା ବନ୍ଦ ରହିଛି ।
କନ୍ଧମାଳ- କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଅଂଚଳରେ ଗ୍ରାଫାଇଟ୍‍ ଖଣି ରହିଛି । ଏହି ଅଂଚଳରେ ରତ୍ନପଥର, ସୁନା ଆଦି ମିଳିବାର ସୂଚନା ମିଳେ । ଏହି ଅଂଚଳ୧.୪.୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶାରେ ମିଶିଥିଲା ।
କଳାହାଣ୍ଡି- ଅବିଭକ୍ତ କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ଗଡ଼ଜାତ ୧୬.୧୦.୧୯୦୫ ଆଉ ଖଡ଼ିଆଳ ଜମିଦାରି ୧.୪.୧୯୩୬ରେ ଓଡ଼ିଶାରେ ମିଶିଥିଲା ।
ଏହି ଅବିଭକ୍ତ ଜିଲ୍ଲାର ଖରିଆର ଅଂଚଳରେ ଗ୍ରାଫାଇଟ୍‍, ଚୂନପଥର, ହୀରା, ସୁନା ମିଳିବାର ସୂଚନା ରହିଛି । ଜୁନାଗଡ଼ ଅଂଚଳର ମଧ୍ୟ ସୁଯୋଗ ରହିଛି ।
ପ୍ରାରମ୍ଭିକ ଅଂଚଳରେ ନିୟମଗିରି ପର୍ବତ ଶ୍ରେଣୀରେ ଡଙ୍ଗରିଆ କନ୍ଧ ଅଧ୍ୟୁଷିତ ବହୁ ଘନ ଜଂଗଲ ଆଉ ଅସଂଖ୍ୟ ଉଚ୍ଛ୍ୱସିତ ରୋମାଞ୍ଚକର ଝରଣା ସେବିତ ଏହି ମନୋଜ୍ଞ ପାହାଡ଼ରେ ପ୍ରଚୁର ବକ୍‍ସାଇଟ୍‍ ଖଣି ରହିଛି । ଏହା ବହୁ ବହିରାଗତ କମ୍ପାନିର ଦୃଷ୍ଟି ଆକର୍ଷଣ କରିଛି ।
ଖଣିଜ ପଦାର୍ଥ ପ୍ରକୃତିର ମହନୀୟ ଦାନ, ଯାହା ପୁନର୍ବାର ଭରଣା କରାଯାଇ ପାରେନାହିଁ । ମଧୁସୂଦନଙ୍କ ଉକ୍ତି ଥିଲା, "ଭୂଖଣ୍ଡର ଗର୍ଭରେ ପ୍ରକୃତିର ଦାନ ସଂଚିତ ଖଣିଜ ପଦାର୍ଥ ହେଉଛି ମଣିଷର ଅନ୍ତରରେ ସଂଚାଳିତ ହେଉଥିବା ହୃଦୟ ପରି ଯାହା ଗୋପନୀୟ ଭାବେ ସଂଚିତ ହୋଇ ରହିଥାଏ । ଏହାର ବିନିଯୋଗ ହେବା ଆବଶ୍ୟକ ମାତ୍ର ସୀମିତ ଭାବେ ଯେପରି ଏହାର ବିନିଯୋଗ ହୃଦୟର ଚାଳନା ପରି ଶକ୍ତିପ୍ରଦାୟୀ, ମାତ୍ର ଦୀର୍ଘକାଳ ବ୍ୟାପୀ ହେବା ଆବଶ୍ୟକ । ଜଗତୀକରଣ ପ୍ରଭାବରେ ଖଣିଜ ଶିଳ୍ପପାଇଁ ଯେଉଁ ପରିବ୍ୟାପ୍ତ ଉତ୍ତେଜନା ପରିଲକ୍ଷିତ ହେଉଛି, ତାହା ପ୍ରଣିଧାନଯୋଗ୍ୟ । ଖଣିଜ ପଦାର୍ଥ ମୁଖ୍ୟତଃ ପାହାଡ଼ିଆ ଅଂଚଳରେ ଆଦିବାସୀ ଅଧ୍ୟୁଷିତ ଭୂଭାଗରେ ରହିଛି, ଯହିଁରେ ବିସ୍ଥାପନର ଜ୍ୱାଳା ସହିତ ପ୍ରଦୂଷଣର ମାତ୍ରା ମଧ୍ୟ ରହିଛି ।
ଏହି ଅଂଚଳର ଅକଳନ ଖଣିଜ ସଂପତ୍ତିର ମୂଲ୍ୟ ଅକଳ୍ପନୀୟ । ମଧୁସୂଦନ ଅନ୍ତିମ ଅବସ୍ଥାରେ ନିଃସ୍ୱ ଆଉ କପର୍ଦ୍ଦକ ଶୂନ୍ୟ ହୋଇ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ବିପୁଳ ଖଣିଜ ସଂଭାରକୁ ପ୍ରତିଶ୍ରୁତିବଦ୍ଧତାର ଦାନ ହିସାବରେ ଓଡ଼ିଆ ଜାତି ହସ୍ତରେ ଅର୍ପଣ କରଛନ୍ତି ।
ମଧୁସୂଦନଙ୍କର ଅବଦାନର ଅନ୍ୟକେତେକ ଦିଗ ପ୍ରତି ଦୃଷ୍ଟି ନିକ୍ଷେପ କରିବା ।
କୃଷି- ମଧୁସୂଦନ କୃଷିକୁ ଓଡ଼ିଶାରେ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ । ନିଜେ ଗୋଟିଏ କୃଷି ଫାର୍ମ କରି ଶସ୍ୟ ଉତ୍ପଦନାର ପରୀକ୍ଷା ନିରୀକ୍ଷା କେବଳ କରୁନଥିଲେ, ଉତ୍କଳ ସମ୍ମିଳନୀ ଜରିଆରେ କୃଷକର ଜମିର ମାଟି ପରୀକ୍ଷା କରି, ଉତ୍ପାଦନ ଉପଯୋଗୀ ସାର ପ୍ରୟୋଗର ବ୍ୟବସ୍ଥା କରାଉଥିଲେ । ମଧୁସୂଦନ ବଂଗ ବିଧାନସଭାରେ ୪.୪.୧୮୯୬ରେ ବିଧାୟକ ରୂପେ ପ୍ରଥମ ଭାଷଣ ଦେଇ ପ୍ରାଥମିକ ବିଦ୍ୟାଳୟରେ କୃଷିକୁ ଏକ ବାଧ୍ୟତାମୂଳକ ବିଷୟ ରୂପେ ରଖିବା ସହିତ,

ପ୍ରତି ବିଦ୍ୟାଳୟରେ ୨ ଏକର ଜମି ସଂଲଗ୍ନ କରି ତହିଁରେ କୃଷି ବିଦ୍ୟାର କ୍ଷେତ୍ର ସଂଯୋଜିତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହା ଫଳରେ ଓଡ଼ିଶାର କିଛି ପ୍ରାଥମିକ ବିଦ୍ୟାଳୟରେ କୃଷି ଏକ ଶିକ୍ଷଣୀୟ ବିଷୟ ରୂପେ ଗୃହୀତ ହୋଇଥିଲା । ଗ୍ରାମ୍ୟ ସମବାୟ ସମିତି ମାଧ୍ୟମରେ କୃଷକକୁ ଉନ୍ନତ ପ୍ରଣାଳୀର କୃଷିଶିକ୍ଷା, ଯନ୍ତ୍ରପାତି ଯୋଗାଣ ଆଉ କୃଷି ଋଣ ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସର୍ବୋପରି କୃଷକ ପ୍ରଜାମାନଙ୍କୁ ନେଇ ମଧୁସୂଦନ ଯେଉଁ ପ୍ରଜା ପରିଷଦ ଆଉ ପ୍ରଜା ପ୍ରତିନିଧି ସଭା ଗଠନ କରିଥିଲେ, ତାହା ଥିଲା ପ୍ରଜାର ସ୍ୱତ୍ତ୍ୱ ରକ୍ଷା କ୍ଷେତ୍ରରେ ଦେଶର ପ୍ରଥମ ସାମ୍ୟବାଦୀ ଅନୁଷ୍ଠାନ ।
ଶିଳ୍ପ- ମଧୁସୂଦନଙ୍କର ଶିଳ୍ପ ଚେତନା ଆକାଶ ଭଳି ସର୍ବବ୍ୟାପକ । ସ୍ୱଳ୍ପ ପରିସରରେ ତାହାର ଉପସ୍ଥାପନା ଦୁରୂହ ବ୍ୟାପାର । ମଧୁସୂଦନଙ୍କ ଆହ୍ୱାନ ଥିଲା - ବିଦେଶୀ ବର୍ଜନ ଆଉ ସ୍ୱଦେଶୀ ନିୟୋଜନ । ସେ ସ୍ୱଦେଶୀ ଶିଳ୍ପାୟନର ଆଦର୍ଶରେ ଗଭୀରଭାବେ ଅନୁପ୍ରେରଣା ଲାଭକରି ସମସ୍ତ ଗ୍ରାମ୍ୟଶିଳ୍ପକୁ ଯାନ୍ତ୍ରିକ (ମେକାନିକାଲ୍‍) ବିନ୍ୟାସ ଆଧାରରେ, ଦୁର୍ବହ ଶ୍ରମ ନିୟୋଜନକୁ ହ୍ରାସ କରି ବ୍ୟାପକ ପରିବର୍ତ୍ତନ ସଂଘଟିତ କରିଥିଲେ । ଏହାର ଅକଳ୍ପନୀୟ ବିବରଣୀ, ଗୌରୀଶଙ୍କର ରାୟଙ୍କର ଉପସ୍ଥାପନାରେ, ଆମକୁ ହତଚକିତ କରେ । ମହାତ୍ମାଗାନ୍ଧୀ ୧୯୧୫ ସାଲ ସୁଦ୍ଧା ଚରଖାଟିଏ ସନ୍ଦର୍ଶନ କରି ନଥିଲେ ମଧ୍ୟ ମଧୁସୂଦନ ୧୯୦୦ ସାଲ ବେଳକୁ ଉନ୍ନତ ଚରଖା ଉତ୍ପାଦନ କରି ତାହାରି ମାଧ୍ୟମରେ ସୂତା କାଟି ସ୍ୱଦେଶୀ ବସ୍ତ୍ର ଉତ୍ପାଦନ କରି ନିଜେ ପରିଧାନ କରୁଥିଲେ । ମଧୁସୂଦନ ଓଡ଼ିଶାରେ ସର୍ବପ୍ରଥମେ 'ଫ୍ଲାଇ ସଟଲ୍‍ ଲୁମ୍‍'ର ବୟନଶିଳ୍ପ ପ୍ରକ୍ରିୟାକୁ ବିନିଯୋଗ କରି ୧୯୦୫ ବେଳକୁ ବସ୍ତ୍ର ବୁଣାକୁ କ୍ଷିପ୍ରତର ତଥା ଲାଭଦାୟକ କରିବା ସହିତ ଏହାର ବିନିଯୋଗ ପାଇଁ ନିଜ ଖର୍ଚ୍ଚରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା କରିଥିଲେ ।
ମଧୁସୂଦନଙ୍କର ସମବାୟଭିତ୍ତିକ ଉତ୍କଳ ଟ୍ୟାନେରି ଥିଲା ସର୍ବାଧୁନିକ ଚମଡ଼ା କଷେଇ କାରଖାନା, ଯହିଁରେ ଯନ୍ତ୍ରସବୁ ବିଦ୍ୟୁତ୍‍ ଆଉ ଗ୍ୟାସ୍‍ ଚାଳିତ ଥିଲା । ଏହାର ବହୁ ଯନ୍ତ୍ରପାତି ମଧୁସୂଦନ ଜର୍ମାନୀରୁ ଆମଦାନି କରିଥିଲେ । ମହାତ୍ମାଗାନ୍ଧୀ ଉତ୍କଳ ଟ୍ୟାନେରି ପରିଦର୍ଶନ ପରେ ଏହିପରି କଳକବ୍‍ଜା ଆମଦାନିକୁ ସ୍ୱଦେଶୀ ବୋଲି ଆଖ୍ୟାୟିତ କରିଥିଲେ, କାରଣ ଏହା ଦ୍ୱାରା ଚମଡ଼ା ରପ୍ତାନି ରୋକାଯାଇ, ଦେଶରେ ଏହି କଳକବ୍‍ଜା ଆମଦାନି ହୋଇ ଚମଡ଼ା କଷେଇ ହେବାଦ୍ୱାରା ବହୁ ଦଳିତ ତଥା ପଛୁଆ ବର୍ଗର ଲୋକ, ଜୋତା ଆଦି ବସ୍ତୁ ତିଆରି କରି ବର୍ଷସାରା କର୍ମସଂସ୍ଥାନ ପାଇପାରିବେ । ଏ ସମସ୍ତ କ୍ଷେତ୍ରରେ ମଧୁସୂଦନ ହିଁ ମହାତ୍ମାଗାନ୍ଧୀଙ୍କର ମାର୍ଗଦର୍ଶକ ଥିଲେ ।
ସାକ୍ଷରତା: ମଧୁସୂଦନ ୧୮୮୭ ସାଲରୁ କଟକ ଜିଲ୍ଲା ବୋର୍ଡର ଭାଇସ୍‍ ପ୍ରେସିଡେଣ୍ଟ ରୂପେ କଲେକ୍ଟରଙ୍କ ତରଫରୁ କ୍ଷମତା ପ୍ରାପ୍ତହୋଇ ପ୍ରେସିଡେଣ୍ଟର କାର୍ଯ୍ୟ ସଂଚାଳନ କରିବା ସମୟରେ କଟକ ଜିଲ୍ଲାରେ ବହୁ ପ୍ରାଥମିକ ବିଦ୍ୟାଳୟ ଓ ବାଳିକାମାନଙ୍କ ପାଇଁ ସ୍ୱତନ୍ତ୍ର ବାଳିକା ବିଦ୍ୟାଳୟ ଖୋଲି ସାକ୍ଷରତା ହାର ବଢ଼ାଇଥିଲେ । କେବଳ ସେତିକି ନୁହେଁ, ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ଏହି ପ୍ରାଥମିକ ସ୍କୁଲ୍‍ମାନ ଖୋଲିବା ଦିଗରେ ପ୍ରୋତ୍ସାହନ ପ୍ରଦାନ କରି ବହୁ ସ୍କୁଲ୍‍ ଖୋଲିଥିଲେ ।

ମଧୁସୂଦନଙ୍କର ପ୍ରବଳ ପ୍ରଚେଷ୍ଟାରେ ଓଡ଼ିଆ ପ୍ରାଥମିକ ସ୍କୁଲ୍‍ର ପ୍ରସାର ଫଳରେ ୧୯୦୦ ସାଲର ଜନଗଣନାରେ ସମଗ୍ର ଭାରତରେ ଓଡ଼ିଶା ଡିଭିଜନର ସାକ୍ଷରତା ହାର ସର୍ବାଧିକ ଥିଲା । ଏହି ଜନଗଣନାରେ ପ୍ରତି ଦଶହଜାର ବ୍ୟକ୍ତିଙ୍କ ମଧ୍ୟରେ ସାକ୍ଷରତା ହାର ବଂଗରେ ୯୩୮, ବିହାରରେ ୫୦୩, ଯୁକ୍ତ ପ୍ରଦେଶରେ୪୨୬, ପଞ୍ଜାବରେ ୫୨୮, ମାନ୍ଦ୍ରାଜରେ ୯୦୯, ବମ୍ବେରେ ୮୩୮ ଥିଲାବେଳେ କଟକ, ପୁରୀ ଆଉ ବାଲେଶ୍ୱର ଜିଲ୍ଲା ବିଶିଷ୍ଟ ଓଡ଼ିଶା ଡିଭିଜନରେ ଏହାର ହାର ଥିଲା ୧୦୧୯ । ଏହା କମ୍‍ ଗୌରବର ବିଷୟ ନୁହେଁ । ନାରୀଶିକ୍ଷା କ୍ଷେତ୍ରରେ ମଧୁସୂଦନ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ ଆଉ ୧୯୦୩ ସାଲର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷାରେ ସମସ୍ତ ପ୍ରସ୍ତାବ ଆଉ ନିର୍ଦ୍ଧାରଣମାନ ଲିପିବଦ୍ଧ କରି ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ।
ଆଦିବାସୀ: ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ ସମୟରେ ୧୯୩୧ ସାଲରେ ଗଂଜାମର ପାର୍ବତ୍ୟ ଅଂଚଳରେ ତଥା ଜୟପୁର ଜମିଦାରିର ଆଦିବାସୀ ଅଧ୍ୟୁଷିତ ମାଳ ଅଂଚଳରେ, ଆର୍ଥିକ ଦୃଷ୍ଟିରୁ ସ୍ୱଳ୍ପ ଆୟକାରୀ ଆଦିବାସୀ ବାସ କରୁଥିବାରୁ ଏହି ଅଂଚଳ ରାଜସ୍ୱ ଆଦାୟ ଦୃଷ୍ଟିରୁ ନିଅଣ୍ଟିଆ ଥିଲା । ଏଣୁ ଏହି ଅଂଚଳର ମିଶ୍ରଣ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶକୁ ନିଅଣ୍ଟିଆ ରାଜ୍ୟରେ ପରିଣତ କରିବ ବୋଲି ସୀମା ନିର୍ଦ୍ଧାରଣ କମିଟି ପକ୍ଷରୁ ଦର୍ଶାଯାଇଥିଲା । ମଧୁସୂଦନଙ୍କର ଅଧିନାୟକତ୍ୱରେ ଦେଶ ମିଶ୍ରଣ ଆନ୍ଦୋଳନ ପକ୍ଷରୁ ଓଡନେଲ କମିଟିକୁ ନିମ୍ନ ଭାବରେ ପ୍ରତିଶ୍ରୁତି ଦିଆଯାଇଥିଲା ।
"ଓଡ଼ିଆମାନଙ୍କର ନିଜସ୍ୱ ପ୍ରତିଭା ଏପରି ସମନ୍ୱୟକାରୀ ଯେ ତାହା ବ୍ରାହ୍ମଣ ଓ ବୌଦ୍ଧ ସଂସ୍କୃତିକୁ ସନ୍ତୁଳିତ ଆଉ ସମନ୍ୱିତ କରିଛି ଓ ଜାତିଭେଦକୁ ବିଲୋପ କରିଛି । ତେଣୁ ପଛୁଆ ଜାତିର ଉନ୍ନତି ପାଇଁ ଓଡ଼ିଆମାନେ ପ୍ରତିଶ୍ରୁତିବଦ୍ଧ । ଶ୍ରୀ ଜଗନ୍ନାଥଙ୍କ ଚେତନାରେ ମାନବବାଦର ମୂଳଲକ୍ଷ୍ୟ ସାମ୍ୟ ଓ ମୈତ୍ରୀ ଭାବ ଏପରି ସଂଯୁକ୍ତ ଆଉ ସମ୍ମିଶ୍ରିତ ହୋଇ ରହିଛି ଯେ ଓଡ଼ିଆମାନେ ସମତା ଓ ମୈତ୍ରୀବୋଧର ଆଂଗିକ ବିଭବକୁ ଘେନି ପଛୁଆ ଶ୍ରେଣୀର ଉନ୍ନତି ବିଧାନର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ ।"
ସ୍ୱାଧୀନତା ପ୍ରାପ୍ତିପରେ ଓଡ଼ିଶା ପ୍ରଶାସନ ଏହି ସମସ୍ତ ପ୍ରତିଶ୍ରୁତିକୁ ସଂପୂର୍ଣ୍ଣ ରୂପେ ବିସ୍ମୃତ ହୋଇଯାଇଛି । ସମଗ୍ର ଭାରତରେ ମଧ୍ୟପ୍ରଦେଶକୁ ବାଦ ଦେଲେ ସର୍ବାଧିକ ଆଦିବାସୀ ଓଡ଼ିଶା ଓ ମହାରାଷ୍ଟ୍ରରେ ବାସ କରୁଥିଲେ ମଧ୍ୟ, ଓଡ଼ିଶା ଆଦିବାସୀଙ୍କ କ୍ଷେତ୍ରରେ ଦରିଦ୍ରତା ଶତକଡ଼ା ୭୦ ଭାଗରୁ ଊର୍ଦ୍ଧ୍ୱ ଆଉ ଅପପୁଷ୍ଟି, ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ଦିଗରେ କ୍ଷେତ୍ରରେ ସର୍ବାଧିକ ସ୍ଥାନରେ ରହିଛି ।
ପରିବେଶ: ଆଜିର ଏକବିଂଶ ଶତାବ୍ଦୀରେ ପ୍ରଦୂଷଣ, ବିସ୍ଥାପନ, ସଂତାପିତ ଜଳବାୟୁ, ଅରଣ୍ୟ ହ୍ରାସ, ଆବର୍ଜନାର ପ୍ରାବଲ୍ୟ, ଧୂମ୍ର ବିକ୍ଷୋଭିତ ବାତାବରଣ ଯୋଗୁଁ ପରିବେଶର ସଚେତନତା ପ୍ରଗାଢ଼ ଭାବରେ ବୃଦ୍ଧିପାଇବାରେ ଲାଗିଛି । ମାତ୍ର ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଜନ୍ମଗ୍ରହଣ କରିଥିବା ମଧୁସୂଦନ କିଭଳି ଦୁର୍ଲ୍ଲଭ ଐକାନ୍ତିକ ପରିବେଶପ୍ରେମୀ ଥିଲେ ଆଉ

ଶ୍ୟାମଳିମାମୟ ପ୍ରକୃତିର ଦୂରନ୍ତ ଆକର୍ଷଣୀୟ ଦ୍ୟୁତିରେ ଉଚ୍ଛ୍ୱସିତ ଆଉ ଉତ୍‍ଫୁଲ୍ଲିତ ରହୁଥିଲେ, ଏହା ତାଙ୍କର ଏହି ମାର୍ମିକ ଲେଖାର ଅନୁବାଦରୁ ଆକଳନ କରାଯାଇପାରିବ ।
ଆଉ ପଶ୍ଚିମ: ଗୋଟିଏ ଉକ୍ତି ଅଛି ପୂର୍ବ ହିଁ ପୂର୍ବ ଆଉ ପଶ୍ଚିମ ହିଁ ପଶ୍ଚିମ, ସେମାନେ କେବେ ମଧ୍ୟ ମିଳିତ ହେବେ ନାହିଁ ।
ନା, ସେମାନେ ମିଶିଛନ୍ତି । ବିଶ୍ୱର ପୂର୍ବ ଭାଗର ସଂସ୍କୃତି ଓ ସଭ୍ୟତା ଏକ ପ୍ରକାରର ଆଉ ପଶ୍ଚିମ ଭାଗର ସଂସ୍କୃତି ଓ ସଭ୍ୟତା ଅନ୍ୟ ଧରଣର । ଏହି ଉଭୟଙ୍କର ମଧ୍ୟରେ ବିଭେଦତା ରହିଛି । କାରଣ ସେମାନଙ୍କର ଜୀବନ ଧାରଣର ପରିବେଶ ଆଉ ପ୍ରଗତିର ଚେତନା ଓ ଲକ୍ଷ୍ୟ ମଧ୍ୟ ଭିନ୍ନ, ମାତ୍ର ଉଭୟେ ଉଭୟଙ୍କର ବିପରୀତମୁଖୀ ନୁହନ୍ତି ।
ପୂର୍ବର ସୌମ୍ୟ ପ୍ରକୃତି, ପଶ୍ଚିମରେ ଭିନ୍ନରୂପ ଧାରଣ କରେ, ଯାହା ଜୀବନ ଦୃଷ୍ଟିକୋଣକୁ ବଦଳାଇ ଦିଏ । ପୂର୍ବରେ ଉଦିତ ପ୍ରଶାନ୍ତ ଓ ପ୍ରଗାଢ଼ ସୂର୍ଯ୍ୟକୁ ପଶ୍ଚିମ ଦେଶର କୁହେଳିକା ଆଉ ଘନ ବାଷ୍ପୀୟ ଧୂମର ଆଚ୍ଛାଦନ ଆବରିତ କରେ । ପଶ୍ଚିମରେ ପ୍ରକୃତିର ଉଗ୍ରତା ବୃକ୍ଷମାନଙ୍କରୁ ପତ୍ରସବୁ ଝାଡ଼ିଦିଏ, ଯାହା ଫଳରେ ସେମାନେ ବିଷାଦଗ୍ରସ୍ତା କ୍ରନ୍ଦନରତା ବିଧବା ତରୁଣୀ ପରି ଠିଆ ହୁଅନ୍ତି । ରୁଷ୍ଟ ସାଗର କ୍ରୋଧିତ ଲହରୀମାଳାରେ ପୋତି ପକାଇବା ପାଇଁ କୁପିତ ଦୃଷ୍ଟି ନିକ୍ଷେପ କରେ । ତୁଷାର ଶୀତଳ ଜାଡ଼ୁଆ ପବନ ଦେହକୁ ଛୁଞ୍ଚିଭଳି ଫୋଡ଼ିଦେଇ ରକ୍ତକୁ ଜମାଟ ଭଳି ବାନ୍ଧିପକାଏ ଆଉ ଭୀତତ୍ରସ୍ତ କରେ । ଏହାର ପ୍ରତିକାର ପାଇଁ ମଣିଷ ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଏକମାତ୍ର ବାଟ ବାଛି ନିଏ ।
ମାତ୍ର ପୂର୍ବରେ ପ୍ରକୃତି ଅତ୍ୟନ୍ତ ସମ୍ବେଦନଶୀଳ । ସକାଳର ଉତ୍‍ଥିତ ନବୋଦିତ ସୂର୍ଯ୍ୟ, ନିଦ୍ରିତ ଜଗତକୁ ବିପୁଳ ହର୍ଷ ଆଉ ଉଲ୍ଲାସର ଜାଗ୍ରତ କର୍ମଧାରାରେ ଭରିଦିଏ । ଆଉ ପ୍ରକୃତିର ଉତ୍ତାଳ ସ୍ମିତହାସ୍ୟ ଆକାଶର ଘନ ନୀଳିମାରେ ପ୍ରତିଫଳିତ ହୁଏ । ଶସ୍ୟ କେଦାର ସବୁ ସବୁଜିମାରେ ମଣ୍ଡିତ ହୋଇଯାଏ ଆଉ ପ୍ରକୃତି କରୁଣାମୟୀ ମାତୃରୂପରେ ମଣିଷ ସମାଜକୁ ତାର ମମତାମୟୀ ସ୍ନେହାର୍ଦ୍ର କୋଳକୁ ଟାଣିନିଏ ଓ ମଣିଷ କୃତଜ୍ଞତାର ନିବିଡ଼ ପାଶରେ ଆବଦ୍ଧ ହୋଇ ଆଣ୍ଠୁମାଡ଼ି କବି ମିଲ୍‍ଟନ୍‍ଙ୍କର ଭାଷାରେ ପ୍ରାର୍ଥନା କରେ ।
" ଏ ସମସ୍ତ ଯଦି ବିଶ୍ୱ ପ୍ରକୃତିର ଐଶ୍ଚର୍ଯ୍ୟ ଆଉ ଗାରିମା, ହେ ବିଶ୍ୱପିତା ! ଆପଣ କିଭଳି ବିପୁଳ ଔଦାର୍ଯ୍ୟ ଆଉ ଉଦାତ୍ତ ସମ୍ଭାରରେ ମହିମାବନ୍ତ ହୋଇଛନ୍ତି ସତେ ?"
ମଧୁସୂଦନଙ୍କ ଗରିମାମୟ ଚାରିତ୍ରିକ ଗୁଣର ବିଶେଷତ୍ୱ ହେଲା ଭୀତିହୀନତା । ଏହି ସଂପର୍କରେ ବିହାରର ପୂର୍ବତନ ପ୍ରଧାନମନ୍ତ୍ରୀ ମିଷ୍ଟର ୟୁନୁସ୍‍ଙ୍କର ବାର୍ତ୍ତା ଏହିପରି ଥିଲା-
"ମଧୁସୂଦନଙ୍କର ଗୁଣାବଳୀ ମଧ୍ୟରେ ଭୀତିହୀନତା ସର୍ବପ୍ରଧାନ ଥିଲା । ମଧୁସୂଦନ ଥିଲେ ସମସ୍ତ ଅନୁଗ୍ରହ ଆଉ ସମାଲୋଚନାର ଊର୍ଦ୍ଧ୍ୱରେ ଜଣେ ନୀତିକୁ ଗ୍ରହଣ କରୁଥିବା ସର୍ବୋତ୍ତମ ବ୍ୟକ୍ତିତ୍ୱ ।" ଆଉ ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କର ଭାଷାରେ "ପରିଣତି ଯାହ।

ହେଉନା କାହିଁକି, ମଧୁସୂଦନ ସଠିକ କଥା କହିବା ଆଉ ସେହି ବକ୍ତବ୍ୟକୁ ନିର୍ଦ୍ଧାରିତ ରୀତିରେ କାର୍ଯ୍ୟ କରାଇବାପାଇଁ ତିଳେ ମାତ୍ର ଭୟ କରୁନଥିଲେ ।"
ମଧୁସୂଦନଙ୍କ ନିକଟରେ କାର୍ଯ୍ୟରତ ବିହାରର ପୂର୍ବତନ ମୁଖ୍ୟ ସଚିବ ଓ ପରବର୍ତ୍ତୀ କାଳରେ ବିହାରର ପୂର୍ବତନ ଗଭର୍ଣ୍ଣର ହ୍ୟୁଗ୍‍ ମ୍ୟାକ୍‍ ଫରସନ୍‍, ମଧୁସୂଦନଙ୍କ ଉପରେ ଗଭୀର ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହନ୍ତି, "ମଧୁସୂଦନ ଦାସଙ୍କ ପାଇଁ ଦୁଇଟି ଅତ୍ୟନ୍ତ ମହତ୍ତର ବିଷୟ ଥିଲା । ପ୍ରଥମଟି ଥିଲା କ୍ଷେତରେ ଚାଷ କରୁଥିବା ରୟତଙ୍କର ମଂଗଳ ସାଧନ ଆଉ ଦ୍ୱିତୀୟଟି ହେଲା ଓଡ଼ିଶାର ସ୍ୱତନ୍ତ୍ରତା । ସେ ନିଷ୍ପେଷିତ ଆଉ ଅଧିକାରବିହୀନ ପ୍ରଜାମାନଙ୍କର ଦୁଃଖ-ଦୁର୍ଦ୍ଦଶା ଦୂରକରିବା ପାଇଁ ଅନମନୀୟ ସଂଗ୍ରାମ ଜୁଝି ଚାଲିଥିଲେ । ମୁଁ ୧୯୦୭ରୁ ୧୭ ପର୍ଯ୍ୟନ୍ତ ଜମିଜମା ସ୍ୱତ୍ତ୍ୱ ଓ ଦଲିଲ୍‍ର ନିର୍ଦ୍ଦେଶକ ଥିଲାବେଳେ ସେ ଏ ସଂପର୍କରେ ମୋ' ସହିତ ବହୁବାର ଆଲୋଚନା କରି ତାଙ୍କର ହୃଦୟର ଆବେଗ ପ୍ରଦର୍ଶନ କରିଥିଲେ । ଯେତେବେଳେ ଚାଷୀମାନଙ୍କର ଦାବି ଓ ସ୍ୱତ୍ତ୍ୱ ରକ୍ଷାପାଇଁ ପ୍ରଶ୍ନ ଉତ୍‍ଥାପିତ ହେଉଥିଲା, ମଧୂସୂଦନ ସେହିମାନଙ୍କର ସ୍ୱତ୍ତ୍ୱ ଓ ସ୍ୱାର୍ଥ ରକ୍ଷାପାଇଁ ଅଗ୍ରାଧିକାର ଭିତ୍ତିରେ ସଂଗ୍ରାମ ସଂଚାଳିତ କରିଥାନ୍ତି ।
ଏଥିରୁ ମଧୁସୂଦନଙ୍କର ମହିମାନ୍ୱିତ ଚରିତ୍ରବତ୍ତା ଉପରେ ସମ୍ୟକ ଧାରଣା ହୋଇପାରିବ । ମଧୁସୂଦନ ଓଡ଼ିଶା ଆଉ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଇଂରାଜୀରେ 'ଦି ଓରିଆ' ନାମକ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ, ଯହିଁରେ ମୁଖ୍ୟତଃ ପ୍ରାଶାସନିକ ଦୁରାଚାର ଓ ସରକାରଙ୍କର ଅନିୟମିତତା ଉପରେ ଉଗ୍ର ସମାଲୋଚନା କରିବା ସହିତ ପ୍ରକୃତ ସମସ୍ୟାର ସ୍ୱରୂପ ପ୍ରଦର୍ଶନ କରୁଥିଲେ । ଏଥିରେ ବିଚଳିତ ହୋଇ ସରକାର ମଧୁସୂଦନଙ୍କ ନିକଟକୁ ଏକ ଗୋପନୀୟ ପତ୍ର ଜରିଆରେ ନିବେଦନ କରିଥିଲେ ଯେ, ଏହି ସମସ୍ତ ବିଷୟକୁ ନମ୍ର ଆଉ କୋମଳ ସ୍ୱରରେ ପ୍ରକାଶ କରିବାପାଇଁ । ଏହାର ବିରୋଧରେ ମଧୁସୂଦନଙ୍କର ନିର୍ଭୀକ ପ୍ରତ୍ୟୁତ୍ତର ଥିଲା, 'ମୁଁ ସମସ୍ତ ବକ୍ତବ୍ୟକୁ ପରିସ୍ଥିତିର ଗୁରୁତ୍ୱ ନେଇ ନିରପେକ୍ଷ ଆଉ ଯଥାର୍ଥ ଭାବେ ଉପସ୍ଥାପନ କରିଥାଏ । ମୋର ବକ୍ତବ୍ୟ ଯଦି ଆଇନର କୌଣସି ଧାରାକୁ ଉଲ୍ଲଙ୍ଘନ କରିଥାଏ, ମୁଁ ସେଥିପାଇଁ କାରାବରଣ କରିବାକୁ ପ୍ରସ୍ତୁତ ଅଛି, ମାତ୍ର ମୁଁ କୌଣସି ସ୍ଥିତିରେ ଏ ସମସ୍ତକୁ ନମ୍ର କୋମଳ ଭାବରେ ଉପସ୍ଥାପନ କରି ପାରିବି ନାହିଁ, କାରଣ ତାହା ପ୍ରକୃତ ସତ୍ୟର ଅପଳାପ ହେବ ।" ଏହି ଚିଠି ମଧୁସୂଦନ ସରକାରଙ୍କୁ ଅର୍ପଣ କରି ସମସ୍ତ ବିଷୟରେ ଭୀତିହୀନତା ସହକାରେ ଏହି ଚିଠିକୁ ଉତ୍କଳଦୀପିକାରେ ପ୍ରକାଶ କରିଥିଲେ ।
ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ସ୍ମୃତିଚାରଣରେ ମଧୁସୂଦନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଏହିପରି ଥିଲା - ହେ ମଧୁସୂଦନ ! ଓଡ଼ିଆ ଜାତି ତୁମପାଇଁ ଭୀଷ୍ମ ଶ୍ରାଦ୍ଧ କରୁଛି ଓ କରିବ । ତୁମ୍ଭର ଦ୍ୱିତୀୟ ଓଡ଼ିଶା ମାତା ଜନ୍ମ କରିନାହିଁ, କରୁନାହିଁ ଓ କରିବ ବି ନାହିଁ ।
ନେପୋଲିୟନ କହିଥିଲେ, "ନିଜେ ମହାନ ହେବା ଯଥେଷ୍ଟ ନୁହେଁ । ତାଙ୍କର ନେତୃତ୍ୱ ଦେଇ ପାରିବା ଭଳି ବ୍ୟକ୍ତିଙ୍କୁ ଚିହ୍ନିବାର ଅସାଧାରଣ କ୍ଷମତା ରହିଥିବା ଆବଶ୍ୟକ । ଯେଉଁମାନେ ମୁଖ୍ୟ ନେତୃପୁରୁଷଙ୍କ ଆଦର୍ଶରେ ଅନୁପ୍ରେରଣା ଯୋଗାଇ, ମୂଳଲକ୍ଷ୍ୟକୁ ନେଇ ସିଦ୍ଧିସ୍ଥଳରେ

ପହୁଞ୍ଚାଇ ଦେଇ ପାରବେ ।" ମଧୁସୂଦନଙ୍କର ଏହି ଅସାଧାରଣ କ୍ଷମତା ରହିଥିଲା, ଯେ'କି ଉପଯୁକ୍ତ ସାମର୍ଥ୍ୟ ଦେଇ ପାରିବା ଭଳି ସହକର୍ମୀଙ୍କୁ ନିର୍ବାଚିତ କରି, ସେହିମାନଙ୍କର ସାହଚର୍ଯ୍ୟରେ ଓଡ଼ିଶା ପ୍ରଦେଶର ସ୍ଥାପନା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଅବଶେଷରେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିଥିଲେ । ସମଗ୍ର ଓଡ଼ିଶାରେ ଭିନ୍ନଭିନ୍ନ ସ୍ଥାନରେ ଓଡ଼ିଆ ଜାତୀୟତାର ଯେଉଁ ସ୍ଫୁଲିଂଗ ସୃଷ୍ଟି ହୋଇଥିଲା ସେହି ସମସ୍ତକୁ ଉତ୍କଳ ସମ୍ମିଳନୀ ମଞ୍ଚରେ, ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐକ୍ୟବଦ୍ଧତା ସୃଷ୍ଟିକରି, ସମଗ୍ର ବିଭେଦ ଆଉ ବିରୋଧାଭାସକୁ ସମାହିତ କରି ମଧୁସୂଦନ ଅଂଗୀକାରବଦ୍ଧତାର ସହ ସଂଗ୍ରାମ କରିଥିଲେ ।
ସେହି ସଂପର୍କିତ ଉତ୍କଳ ସମ୍ମିଳନୀର ଜାତୀୟ ମଂଚରେ ଅନୁଷ୍ଠିତ, ଏକ ବିରଳ ସମ୍ବେଦନଶୀଳ ଘଟଣା ଏହିପରି ଥିଲା । ୧୯୧୮ ସାଲର ଅଧିବେଶନର ଦ୍ୱିତୀୟ ଦିବସରେ ମଧୁସୂଦନ ସହସା ମଂଚରେ ଆବିର୍ଭୂତ ହୋଇ ବାଷ୍ପରୁଦ୍ଧ , ବିହ୍ୱଳିତ ଏବଂ ଲୋତକାପ୍ଳୁତ ନୟନରେ କହିଥିଲେ, 'କାଲି ସଭା ଶେଷରେ ଶୁଣିଲି , କେତେ ଜଣ ଭ୍ରାତା ସଭା ମଣ୍ଡପରୁ ଧୂଳିନେଇ ମୁଣ୍ଡରେ ବୋଳିଛନ୍ତି, ଆଉ ତାହାକୁ ନିଜ ଘରକୁ ବାନ୍ଧି ନେଇଛନ୍ତି । ସେହି ଭ୍ରାତାମାନଙ୍କର ପରିଚୟ ପାଇବାପାଇଁ ଚେଷ୍ଟାକଲି, ମାତ୍ର ପାଇପାରିଲି ନାହିଁ । ସେହିମାନେ ହିଁ ଉତ୍କଳମାତାର ଯୋଗ୍ୟତମ ସନ୍ତାନ । ସେହିମାନଙ୍କ ପଦଧୂଳିରେ ପବିତ୍ର ହୋଇଥିବା ଏହି ପୀଠର ଧୂଳିକୁ ମୁଁ ଉନ୍ମାଦପ୍ରାୟ ମଥାରେ ବୋଳିଛି ଆଉ ପରମ ଆଗ୍ରହରେ ସାଇତି ରଖିଛି ।" ମଧୁସୂଦନଙ୍କର ବିକଳ ନୟନରୁ ଅବିରତ ଗତିରେ ଅଶ୍ରୁର ଧାରା ବହି ଚାଲିଥିଲା, ଯାହା ଶ୍ରୋତୃମଣ୍ଡଳୀକୁ ବିପୁଳ ଲୋତକପାତରେ ବିଗଳିତ ଆଉ ପରିପ୍ଳୁତ କରିଦେଇଥିଲା ।
୧୯୩୩ ସାଲର ପ୍ରାୟ ଅକ୍ଟୋବର ମାସରେ ମଧୁସୂଦନ ତାଙ୍କ ତିରୋଧାନର ଚାରିମାସ ପୂବରୁ, ବ୍ରହ୍ମପୁରରେ ଉପନୀତ ହୋଇ ଶଶିଭୂଷଣ ରଥଙ୍କ ମାଧ୍ୟମରେ ଯେଉଁ ଅନ୍ତିମ ବାର୍ତ୍ତା ଓଡ଼ିଆ ଜାତିକୁ ପ୍ରଦାନ କରିଥିଲେ ତାହାଥିଲା -
'ମୁଁ ଚାହେଁ ନାହିଁ ଯେ ଓଡ଼ିଆମାନେ ଋଷି ଆଉ ମୁନିର ଜୀବନ ଯାପନ କରନ୍ତୁ । ମୁଁ ଚାହେଁ ଯେ ସେମାନେ ନିଜସ୍ୱ ପ୍ରାସାଦମାନଙ୍କରେ କଳାପ୍ରାଣତାର ଜୀବନଯାପନ ମଧ୍ୟରେ ଓଡ଼ିଶାର ଉନ୍ନତିକଳ୍ପେ କୃଷି, ଶିଳ୍ପ, ଚାରୁକଳା, ଆଦି ଭିନ୍ନଭିନ୍ନ ଉଦ୍ୟୋଗରେ ବ୍ରତୀ ହୁଅନ୍ତୁ ।
ଏହିଠାରେ ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ, ୧୯୧୮ ସାଲରେ ମଧୁସୂଦନଙ୍କର ପ୍ରଦତ୍ତ କାଳଜୟୀ ମାତୃ ଆବାହନର କିଛି ମହିମାନ୍ୱିତ ଅଂଶ ଉଦ୍ଧାର କରାଯାଉଛି -
"ଉତ୍କଳବାସୀଙ୍କର ସମ୍ମିଳନୀ-ଜନନୀ ଜନ୍ମଭୂମିଙ୍କର ପୂଜାମଣ୍ଡପ । ପୂଜାକାର୍ଯ୍ୟ ଆରମ୍ଭ ପୂର୍ବରୁ ମାତାଙ୍କର ଆବାହନ ଆବଶ୍ୟକ । ତାହାଙ୍କର ପିତୁଳା ହୃଦୟରେ କିପରି ସ୍ଥାପନ କରାଯାଇପାରେ, ତେବେ କେବଳ ଏହି ଉପରେ ଲେଖା ହୋଇଥିବା 'ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ' ପ୍ରତି ଅଂଗୁଳି ନିର୍ଦ୍ଦେଶ କରିବି । ଦେଖନ୍ତୁ ପ୍ରଥମେ ଜନନୀ, ଦ୍ୱିତୀୟରେ ଜନ୍ମଭୂମି, ତୃତୀୟରେ ସ୍ୱର୍ଗ । ମନୁଷ୍ୟ ଜନ୍ମରେ ପ୍ରତ୍ୟେକ ମନୁଷ୍ୟ ଜୀବନକୁ ଗୋଟିଏ ସ୍ରୋତ ମନେକଲେ ଦେଖିବେ

ସେହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି ଏବଂ ଶେଷରେ ସ୍ୱର୍ଗ । ପ୍ରତ୍ୟେକ ଆତ୍ମାର ଏହି ଗତି । ମନୁଷ୍ୟ ଜୀବନର ଆଦ୍ୟ ଜନନୀ, କାର୍ଯ୍ୟ ଜନ୍ମଭୂମି, ପୁରସ୍କାର ମୁକ୍ତି ବା ସ୍ୱର୍ଗ । ଏଥିପାଇଁ ଜନନୀ ଜନ୍ମଭୂମି ସ୍ୱର୍ଗଠାରୁ ଗରୀୟସୀ ।
ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିବା ପାଇଁ ମୋ' ଜନ୍ମଭୂମି ମୋତେ ଶସ୍ୟାଦି ଦେଉଅଛି । ଅତଏବ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ଜନ୍ମଭୂମି । ଆମ୍ଭେମାନେ ପ୍ରଥମେ ପ୍ରସବ ହେଲାବେଳେ ଭୂମିଷ୍ଠ ହେଲୁ ବୋଲି କହନ୍ତି ଅର୍ଥାତ୍‍ ଆମ୍ଭମାନଙ୍କୁ ମାତା ଜନ୍ମଭୂମି କ୍ରୋଡ଼ରେ ଅର୍ପଣ କରି, ସେହି ଜନ୍ମଭୂମିର ପୂଜା କରିବାକୁ ଆଦେଶ ଦିଅନ୍ତି ।"
ଏହା ପରେ ମଧୁସୂଦନଙ୍କର ମହୀୟାନ ପ୍ରେରଣାଦାୟୀ କବିତା 'ଉତ୍କଳ ଜନନୀଙ୍କର ଉକ୍ତି'ର କିଛି ଉଦ୍ଦୀପକ ଉଚ୍ଛ୍ୱସିତ ପଙ୍‍କ୍ତି ପ୍ରଦତ୍ତ ହେଲା-

"ନାହିଁ ମୋର ମାନ ନାହିଁ ମୋର ଧନ
 ବଦନେ ଲାଗିଛି ଧୂଳି
ବୀର ପ୍ରସବିନୀ ଶୋଣିତ ରହିଛି
 ତୋ' ଶିରାରେ ଦେବି ଢାଳି
ସେ ଶୋଣିତ ବଳେ ବୁଦ୍ଧିର କୌଶଳେ
 ହେବୁ ତୁହି କର୍ମ ବୀର ।"


ମଧୁସୂଦନ ଜନ୍ମଭୂମିକୁ ଯେଉଁ ଏଶ୍ଚର୍ଯ୍ୟ, ଗାରିମା, ସମସ୍ତ ପ୍ରାକୃତିକ ବିଭବ ଆଉ ଶସ୍ୟ ସଂଭାରରେ ଯେତେ ସମୃଦ୍ଧି ପ୍ରଦାନ କରିଛନ୍ତି, ତାହାହିଁ ଆମ୍ଭମାନଙ୍କର ଶରୀରରେ ଶୋଣିତ ରୂପରେ ପ୍ରବାହିତ ହୋଇ ବହିଚାଲିଛି । ଅନ୍ୟ ଅର୍ଥରେ ମଧୁସୂଦନଙ୍କର ଏକାନ୍ତ ଦାୟାଦ ରୂପେ ତାଙ୍କର ଅନନ୍ୟ ଚେତନା, ତେଜସ୍ୱିତା ଶୋଣିତ ହୋଇ ଆମ୍ଭମାନଙ୍କର ଶରୀରରେ ପ୍ରବାହିତ ହୋଇ ବହି ଚାଲିଛି ।
ଉତ୍କଳ ଜନନୀ ଆଉ ତାହାଙ୍କର ଏକନିଷ୍ଠ ଦାୟାଦ ଉତ୍ସର୍ଗୀକୃତ ଆଉ ସମର୍ପିତ ସନ୍ତାନ ମଧୁସୂଦନଙ୍କର ମଧ୍ୟରେ କିଭଳି ଅବା ପାର୍ଥକ୍ୟ ରହିଛି ? ଉଭୟେ ଯେ ଏକାତ୍ମା ଶରୀରର ଅଂଶ ବୋଲି ଭାବୁଥିଲେ' (ଉତ୍କଳ ଦୀପିକା) ଏଣୁ ମଧୁସୂଦନ ହିଁ ସମଗ୍ର ଓଡ଼ିଶାର ଭୂଖଣ୍ଡରେ ସର୍ବତ୍ର ସଂପ୍ରସାରିତ ଆଉ ବିସ୍ତାରିତ ହୋଇଛନ୍ତି । ଏତେ ଅକଳ୍ପନୀୟ ବିଭବ ଏତେ ଅନନୁମେୟ ସଂପଦ

ପ୍ରଦାନ କରି କିଏବା ଜନ୍ମଭୂମିକୁ ଏହିଭଳି ଏଶ୍ଚର୍ଯ୍ୟଶାଳିନୀ ଆଉ ମହିମାମଣ୍ଡିତ କରିପାରିଛ ?ଏକ ହିଁ ମଧୁସୂଦନ ଯେପରି ସହସ୍ର ରୂପଧରି ସମଗ୍ର ଜାତିଟାର ସହସ୍ର କ୍ଷେତ୍ରରେ ବିଚରଣ କରୁଥିଲେ ।' ଏହାଥିଲା ମହାନ ବ୍ୟାଖ୍ୟାକାର ବିଶ୍ୱନାଥ କରଙ୍କର ପ୍ରଦତ୍ତ ମଧୁସୂଦନଙ୍କ ପ୍ରତି

ଅବିସ୍ମରଣୀୟ ଶ୍ରଦ୍ଧାଞ୍ଜଳି ।

ମଧୁସୂଦନଙ୍କର ପ୍ରତି ପ୍ରଦତ୍ତ ଶ୍ରଦ୍ଧାଞ୍ଜଳିରେ ଅନ୍ୟଏକ ଅକଳ୍ପନୀୟ ପ୍ରଗାଢ଼ ଉଚ୍ଚାରଣ -
"ଏହି ନିଃସ୍ୱ ଜାତିକୁ ତାହାଙ୍କର ଦାନ ଏତେ ଆକାଶସ୍ପର୍ଶୀ ଥିଲା ଯେ ସେଥିପାଇଁ ତାଙ୍କ ପ୍ରତି ପ୍ରଦତ୍ତ କୃତଜ୍ଞତାଭରା କ୍ଷୁଦ୍ର ଭକ୍ତି ଓ ଶ୍ରଦ୍ଧା କେତେ ତୁଚ୍ଛକର ଥିଲା ସତେ! ମଧୁବାବୁ ଥିଲେ ଏ ଜାତିର ଜୀବନ ଦେବତା ଏବଂ ଜାଗ୍ରତ ଅଭୀଷ୍ଟ ଶିବ; ଅମଙ୍ଗଳର ସମସ୍ତ ହଳାହଳକୁ ସେ ପାନକରି ଦେଇଥିଲେ ଆଉ ଓଡ଼ିଆକୁ ନବଜୀବନର ଅମୃତ ପ୍ରବାହରେ ଭସାଇ ଦେଇଥିଲେ ।"(ଦେଶକଥା)
ହଁ, ଓଡ଼ିଶା ପ୍ରଦେଶ ଗଠନର ସମୁଦ୍ର ମନ୍ଥନରୁ ଜାତ ହଳାହଳକୁ ଆକଣ୍ଠ ପାନକରି ସେ ହୋଇଥିଲେ ନୀଳକଣ୍ଠ । ନୀଳକଣ୍ଠଙ୍କ ପରି ସେ ଥିଲେ ସର୍ବସ୍ୱ ତ୍ୟାଗୀ, ଅନିକେତ ଆଉ ଶ୍ମଶାନବାସୀ । ତାଙ୍କର ଜୀବନରେ ଦୁର୍ବିପାକ ଥିଲା ଅଚିନ୍ତନୀୟ । ଦୁଃଖ ଆଉ ଦୈନ୍ୟ ଏପରି ଦୁର୍ବିସହ ଯେ, ତାହା ଥିଲା ମାନବୀୟ ପରିକଳ୍ପନାର ଊର୍ଦ୍ଧ୍ୱରେ । ପରିଣାମରେ ସେ ହୋଇଥିଲେ ନିଃସ୍ୱ ଆଉ କପର୍ଦ୍ଦକ ଶୂନ୍ୟ । ମାତ୍ର ସମୁଦ୍ର ମନ୍ଥନରୁ ଜାତ ସମସ୍ତ ଐଶ୍ଚର୍ଯ୍ୟଶାଳୀ ବିଭବ ପରି ସେ ବିଚ୍ଛିନ୍ନ ଆଉ ବିଭାଜିତ ଅଂଚଳରେ ସ୍ଥିତ ସମଗ୍ର ଓଡ଼ିଶାର ଦୁଇ ତୃତୀୟାଂଶ ଭୂମିଭାଗ କେବଳ ସଂଯୁକ୍ତ କରି ନଥିଲେ, ଏହା ସହିତ ଅକଳ୍ପନୀୟ ପ୍ରାକୃତିକ ବିଭବକୁ ସମନ୍ୱିତ କରି ସେ ଓଡ଼ିଶାକୁ କରିଥିଲେ ବିତ୍ତଶାଳୀ ଓ ଗୌରବାନ୍ୱିତ, ସଂସ୍କୃତିରେ ଔଦାର୍ଯ୍ୟ ବିମଣ୍ଡିତ, ଭାଷା ଆଉ ପ୍ରକାଶଭଂଗୀରେ ପ୍ରାଣବନ୍ତ, ଅଜସ୍ର ମହନୀୟତା ଓ ସର୍ବୋପରି ସମ୍ବେଦନଶୀଳତାରେ ଅଫୁରନ୍ତ କରୁଣାର ପଟାନ୍ତରହୀନ ବ୍ୟାପକତା ।
ଆହାଃ ! ଏହି ଭଳି ସର୍ବଗୁଣ ଆଧାରରେ ମହିମାମଣ୍ଡିତ କିଏ ଅବା ଥିଲା ?
ହଁ, ସେ ହିଁ ଥିଲେ ଏ ଜାତିର ବିପତ୍ତି କାଳରେ 'ବିପତ୍ତୌ ମଧୁସୂଦନଃ !!'
"ଗୋଟିକ ତବ ଜୀବନ କୋଟିକ କୁବେର ଧନ

ତୁଳନେ ନୁହଁ ସମାନ ଗୁଣି ଗଣରତନ ।"

-ଦାମୋଦର ପଟ୍ଟନାୟକ


ଓଡ଼ିଶା ଠିଆ ହୋଇଥିଲା ଦୋଛକିର ଏକ ସନ୍ଧିକ୍ଷଣରେ, ୧୯୩୨ ସାଲର ଡିସେମ୍ବର ୨୪ ତାରିଖରେ, ତୃତୀୟ ଗୋଲ୍‍ଟେବୁଲ୍‍ ବୈଠକର ଅନ୍ତିମ ଅଧିବେଶନରେ । ଶେଷ ମୁହୂର୍ତ୍ତରେ ଓଡ଼ିଶା ପ୍ରଦେଶର ସ୍ଥାପନା ଉଦ୍‍ଘୋଷିତ ହୋଇଥିଲା । ଏହା ଉଦ୍‍ବେଳିତ କରିଥିଲା ରୁଗ୍‍ଣକାୟ ଜରାଗ୍ରସ୍ତ ମଧୁସୂଦନଙ୍କୁ । ଏହା ତାଙ୍କର ପ୍ରାଜ୍ଞ ଚିଦାକାଶରେ ଭରି ଦେଇଥିଲା ଦୁର୍ବାର ଶକ୍ତି, ପ୍ରବଳ ଉଦ୍ଦୀପନା ଓ ସର୍ବୋପରି ଅବଦମିତ ପ୍ରାଣସତ୍ତା ।
ଆଗରୁ ୧୯୩୨ ସାଲର ଜୁନ୍‍ ମାସରେ ପ୍ରକାଶିତ ହୋଇଥିଲା ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ସୀମାନିର୍ଦ୍ଧାରଣ କମିଟି (ଓଡ଼େନଲ୍‍) ରିପୋର୍ଟ । ଏହା ନୈରାଶ୍ୟଜନକ ହୋଇଥିଲେ ମଧ୍ୟ, ଓଡ଼ିଶା ଡିଭିଜନ ସହିତ ସଂଯୁକ୍ତ ହୋଇଥିଲା ଗଂଜାମ ଜିଲ୍ଲାର ମୁଖ୍ୟଭାଗ ଏବଂ ଜୟପୁର ଆଉ ଖଡ଼ିଆଳ ଜମିଦାରି । ମାତ୍ର ବାଦ୍‍ ପଡ଼ିଯାଇଥିଲା ଗଂଜାମର କିଛି ଅଞ୍ଚଳ, ପାରଳାଖେମୁଣ୍ଡି ସମେତ ବହୁ ଜମିଦାରି ଏବଂ ସିଂହଭୂମି ଆଉ ମେଦିନୀପୁର ସମେତ ଅନେକ ବିଚ୍ଛିନ୍ନ ଅଂଚଳ, ହେଲେ ଆଶା ନିରାଶାର ଦୋଛକିରେ ଠିଆ ହୋଇଥିଲା ଓଡ଼ିଶା । ସଂଶୟ ବିଜଡ଼ିତ ଓଡ଼ିଶାର ଗତିପଥ ଯେପରି ବିଧୂରିତ କରିଥିଲା ସମସ୍ତ ପୃଷ୍ଠଭୂମିକୁ । ଆଗାମୀ ଯାତ୍ରାର ପଥ ଥିଲା ଦୁର୍ଗମ ।
ଲଣ୍ଡନର ଗୋଲ୍‍ଟେବୁଲ୍‍ ବୈଠକରୁ ଫେରି, ଭୁବନାନନ୍ଦ ଦାସଙ୍କର ପ୍ରଚେଷ୍ଟାରେ ଆହୂତ ହୋଇଥିଲା ନେତୃ ସମ୍ମିଳନୀ କଟକର ଶ୍ରୀରାମଚନ୍ଦ୍ର ଭବନରେ । ୧୯୩୩ ସାଲର ଫେବ୍ରୁଆରି ୧୨ ଆଉ ୧୩ ତାରିଖରେ । ସୁଦୀର୍ଘ ଦୁଇମାସ ଧରି ଦାରୁଣ ଜଠର ଯନ୍ତ୍ରଣାରେ ପୀଡ଼ିତ ହୋଇ ମଧୁସୂଦନ ଚିକିତ୍ସିତ ହେଉଥିଲେ କଲିକତାର ଏକ ନର୍ସିଂହୋମ୍‍ରେ ଆଉ ଫେରି ଆସିଥିଲେ କଟକକୁ ଜାନୁଆରି ମାସର ଶେଷ ଭାଗରେ । ଦୀର୍ଘ କାଳ ଧରି ମଧୁସୂଦନ ଯୁଝି ଚାଲିଥିଲେ ମୃତ୍ୟୁ ସହିତ । ମନରେ ଅପରାଜେୟ ଶକ୍ତି ତାଙ୍କୁ ସଂଜୀବିତ କରି ରଖିଥିଲା ସୁଦୀର୍ଘ କାଳଲାଗି । ତାଙ୍କର ତିରୋଧାନ ଲାଗି ମାତ୍ର ବାକି ରହିଥାଏ ଏକ ବର୍ଷରୁ କମ୍‍ ସମୟ । ନିଜର କୃତି ସଂପର୍କରେ ଆକଳନ କରିବା ଦୁଃସାଧ୍ୟ ହୋଇ ପଡ଼ିଥିଲା ଉତ୍ତରଦାୟାଦମାନଙ୍କୁ । ବହୁ ବକ୍ତବ୍ୟ ରହିଯାଇଥିଲା ଗୋପ୍ୟ ଆଉ ଅନୁଚ୍ଚାରିତ ।

ଭୁବନାନନ୍ଦ ଦାସ ସଭାରେ ଅଧ୍ୟକ୍ଷତା କରି, ମଧୁସୂଦନଙ୍କୁ ସ୍ୱାଗତ ଜଣାଇ କହିଥିଲେ, 'ଆମର ପରମ ସୌଭାଗ୍ୟ ଯେ ଦେଶ ମିଶ୍ରଣ ଆନ୍ଦୋଳନର ବହୁ ପ୍ରବୀଣ ନେତୃବର୍ଗ ପରଲୋକଗତ ହୋଇଯାଇଥିଲେ ମଧ୍ୟ , ଏହି ଦୁର୍ଦ୍ଦର୍ଷ ସଂଗ୍ରାମର ଆଦ୍ୟ ପୁରୁଷ ମଧୁସୂଦନ ଦାସ ସତତ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇ ନିରନ୍ତର ମାର୍ଗଦର୍ଶନ ପ୍ରଦାନ କରି ଆସୁଛନ୍ତି । ଏହି ସଂଗ୍ରାମ ଏକ ବିଭ୍ରାନ୍ତି ମଧ୍ୟରେ ଗତି କରୁଅଛି । ତାଙ୍କର ଅନୁପ୍ରେରଣା ଆଜିର ଏକାନ୍ତ ଆବଶ୍ୟକତା ।
ମଧୁସୂଦନ ପହଞ୍ଚିଥିଲେ ସଭାମଞ୍ଚରେ ଏକ ଦୁର୍ନିବାର ଉତ୍ତେଜନାର ବଶବର୍ତ୍ତୀ ହୋଇ । ଏଥିପାଇଁ ତାଙ୍କର ପ୍ରାକ୍‍ ପ୍ରସ୍ତୁତିର କୌଣସି ଆବଶ୍ୟକତା ନଥିଲା । ଯାହାଙ୍କର କପୋଳ ଅସଂଖ୍ୟ ଅନୁଭୂତିର ଜ୍ୱାଳାରେ ରେଖାଙ୍କିତ ଥିଲା, ତାଙ୍କପାଇଁ ପ୍ରସ୍ତୁତି ପର୍ବର କ'ଣ ବା ଥିଲା ପ୍ରୟୋଜନ ? ସେ ସ୍ୱୟଂ ଥିଲେ ଦେଶ ମିଶ୍ରଣ ସଂଗ୍ରାମର ମୂର୍ତ୍ତିମନ୍ତ ଅବତାର । ସେ ନିରବଚ୍ଛିନ୍ନ ଭାବରେ ଦେଢ଼ଘଣ୍ଟାରୁ ଊର୍ଦ୍ଧ୍ୱକାଳ ସ୍ୱତଃସ୍ଫୂର୍ତ୍ତ ଭାବେ ଇଂରାଜୀରେ ବର୍ଜ ନିର୍ଘୋଷ କଣ୍ଠରେ ଭାଷଣ ପ୍ରଦାନ କରି ଚାଲିଥିଲେ-
"ମୁଁ ଯେତେବେଳେ ଏହି ସଂଘର୍ଷପୂର୍ଣ୍ଣ ସଂଗ୍ରାମର ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା କରେ କଅଣ ବା ଦେଖିବାକୁ ପାଏ ? ମୁଁ ଯେତେବେଳେ ଏହି ଆନ୍ଦୋଳନ ଆରମ୍ଭ କଲି ଜାତି (ଓଡ଼ିଆ) ବୋଲି କିଛି ନଥିଲା । ମୁଁ ସେତେବେଳେ ସର୍ବତ୍ର ଶୁଷ୍କ କଙ୍କାଳ ଆଉ ଅସ୍ଥିମାନଙ୍କର ସ୍ତୂପୀକୃତ ପାହାଡ଼ମାନଙ୍କୁ ହିଁ ଦେଖୁଥିଲି, କେବଳ ଅସ୍ଥି, ଅସ୍ଥି, ଅସ୍ଥି, ଆଉ ଅନ୍ୟ କିଛି ନୁହେଁ କେବଳ ହିଁ ଅସ୍ଥି । ମତେ ସେହି ନିର୍ଜୀବ ଶୁଷ୍କ ଅସ୍ଥିକଂକାଳ ମଧ୍ୟରେ ଜୀବନର ସଂଚାର କରିବାକୁ ପଡ଼ିଥିଲା । ଆଉ ସେହି ଅସ୍ଥିସାର କଙ୍କାଳ ମଧ୍ୟରେ ମତେ ମାଂସପେଶୀକୁ ସଂଯୁକ୍ତ କରିବାକୁ ପଡ଼ିଲା । ସେହି ଶୀର୍ଣ୍ଣ ହସ୍ତମାନଙ୍କୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ସହିତ ସେମାନଙ୍କୁ ଘେନି ମୋତେ ଦୁର୍ଦ୍ଦର୍ଷ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡ଼ିଲା । ଊର୍ଦ୍ଧ୍ୱରୁ ଭଗବାନଙ୍କର ବ୍ୟତୀତ ଏହି ଦୁରୂହ କାର୍ଯ୍ୟରେ ମତେ ଆଉ କେହି ସାହାଯ୍ୟ ପ୍ରଦାନ କରି ନଥିଲେ ।
ଏହାଥିଲା ୧୯୩୩ ସାଲର ଫେବ୍ରୁଆରି ତେର ତାରିଖ । ସେ କହିଚାଲିଥିଲେ-
"ମୁଁ ଅନେକ ଦିନର ଅନ୍ତରାଳରେ ଏଠାରେ ଦଣ୍ଡାୟମାନ ହୋଇଛି, ଯେତେବେଳେ ମୋର ସୁଦୀର୍ଘ ଦିନର ଅଭିଳଷିତ ଆକାଙ୍‍କ୍ଷା ପରିପୂର୍ଣ୍ଣତା ଲାଭ କରିବାକୁ ଯାଉଛି । ମୁଁ ଏହି ଦୁଃସାଧ୍ୟ ସଂଗ୍ରାମର ଅୟମାରଂଭ କରିବାପରେ, ଆମ୍ଭମାନଙ୍କୁ ବହୁ କ୍ଲେଶଯୁକ୍ତ ସମୟ ମଧ୍ୟଦେଇ ଗତି କରିବାକୁ ପଡ଼ିଛି । ମତେ ବହୁ ଦୁର୍ଦ୍ଦାନ୍ତ ପୁରୁଷଙ୍କ ସମ୍ମୁଖୀନ କରିବାକୁ ପଡ଼ିଥିଲା, ଯେଉଁମାନେ ଅର୍ଥ, ସଂପତ୍ତି ଓ ବୁଦ୍ଧିମତ୍ତାରେ ମୋଠାରୁ ଅଧିକ ପ୍ରମତ୍ତ ଆଉ ଶକ୍ତିଶାଳୀ ଥିଲେ । ଊର୍ଦ୍ଧ୍ୱରେ ଭଗବାନ ଆଉ ଅନ୍ତରରେ ପ୍ରାଜ୍ଞଚେତନାକୁ ସ୍ଥାପିତ କରି ମତେ ଏକାକୀ ହିଁ ଏହି ନିଦାରୁଣ ଯୁଦ୍ଧ ଯୁଝିବାକୁ ପଡ଼ିଥିଲା । ଥରେ ସହସା ମନର ଅନ୍ତରାଳରେ ଏକ ଦୁର୍ଦମନୀୟ ଭାବ ଉଦିତ ହେଲା ଯେ, ମୋତେ ବିଧାତା ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‍ (ସ୍ନାତକ)ର ଗୌରବ ପ୍ରଦାନ କରିବାର ପଶ୍ଚାତରେ କିଛି ମହତ ଉଦ୍ଦେଶ୍ୟ ନିହିତ ଅଛି । ତାହାଥିଲା ବିଭାଜିତ ଓଡ଼ିଆ ଜାତିର ମିଶ୍ରଣ । ମୁଁ ଏହି ବିଷୟରେ ଚିନ୍ତାକଲି ଆଉ ଉପଲବ୍ଧି କଲି ଯେ ଏହି ଜାତିର ଇତିହାସର ପଶ୍ଚାତରେ ଏହି ଯେଉଁ

ଗୌରବର ଗାଥା ଆଉ ଉତ୍କର୍ଷ ନିହିତ ଅଛି, ଯାହା ବିଶ୍ୱର ଅନ୍ୟ କୌଣସି ଜାତିକୁ ମଧ୍ୟ ଉଦ୍‍ବୁଦ୍ଧ କରିଥାନ୍ତା । ମୋର ଜାତିପାଇଁ ମୋତେ କିଛି କର୍ତ୍ତବ୍ୟ ସଂପାଦନ କରିବାକୁ ପଡ଼ିବ । ମାତ୍ର ମୁଁ ଯେ ଏକାକୀ, ସଂପୂର୍ଣ୍ଣ ଭାବେ ଏକୁଟିଆ । ପ୍ରତ୍ୟେକ ଓଡ଼ିଆ ରାଜା ନିଜକୁ ଓଡ଼ିଆ ରୂପେ ପରିଚିତ କରାଇବାପାଇଁ ନିଜକୁ ଲଜ୍ଜିତବୋଧ କରୁଥିଲେ ଆଉ ସ୍କୁଲ୍‍‌‌ରେ ଓଡ଼ିଆ ଛାତ୍ରମାନେ ନିଜକୁ ବଂଗାଳୀ ବୋଲି ଆଖ୍ୟାୟିତ କରୁଥିଲେ ।"
ମଧୁସୂଦନ ସର୍ବଦା ନିଜସ୍ୱ ସମ୍ବର୍ଦ୍ଧନା ଗ୍ରହଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ ।
ଏହାର ପ୍ରାୟ ଦୁଇବର୍ଷ ପୂର୍ବର ଘଟଣା ପ୍ରବାହ । ମଧୁସୂଦନ ୧୮୮୧ ସାଲରେ କଲିକତାରୁ ଫେରି କଟକରେ ଓକିଲାତି ବୃତ୍ତିର ପ୍ରାରଂଭ କରିଥିଲେ । ଏହାର ଅର୍ଦ୍ଧଶତାବ୍ଦୀ ପୂର୍ତ୍ତିି ହେଉଥିଲା ୧୯୩୧ସାଲରେ । ଏହି ଉପଲକ୍ଷେ କଟକ ବାର୍‍ ଆସୋସିଏସନ୍‍ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଏକ ପ୍ରସ୍ତାବ ଆଗତ ହୋଇଥିଲା । ସେହି ପ୍ରସ୍ତାବକୁ ଦୃଢ଼ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ ମଧୁସୂଦନ । ଏହାର ପ୍ରତ୍ୟୁତ୍ତରରେ ଜଣେ ନେତୃପୁରୁଷଙ୍କର ଜୀବନର ନିରପେକ୍ଷ ମୂଲ୍ୟାୟନପାଇଁ ଏକ ମାପଦଣ୍ଡର ସେ ନିର୍ଦ୍ଧାରଣ କରିଥିଲେ, ଯାହାକୁ ଆଧାର କରି ସର୍ବକାଳୀନ ଭିତ୍ତିରେ ତାହାର ନିରୂପଣ କରାଯାଇପାରେ । ମଧୁସୂଦନଙ୍କ ବକ୍ତବ୍ୟ ଥିଲା- "ଯେଉଁ ଯୁଗରେ ଜଣେ ନେତୃପୁରୁଷ ଜନ୍ମଲାଭ କରିଛି, ସେହି ଯୁଗର ଇତିହାସରେ ତାହାର ସ୍ଥାନ ନିର୍ଣ୍ଣିିତ ହେବା ଉଚିତ ନୁହେଁ । କାରଣ ସେହି ଯୁଗର ବ୍ୟକ୍ତିମାନଙ୍କ କଳୁଷିତ ଦୃଷ୍ଟିଭଂଗୀରେ ତାଙ୍କର ମୂଲ୍ୟାୟନ ସଂଭବ ନୁହେଁ । ମାତ୍ର ପରବର୍ତ୍ତୀ ଯୁଗରେ ଦେଶବାସୀ ବିଚାର କରିଦେଖିବେ ୧. ଏହି ନେତୃପୁରୁଷ ଉପରେ ଜାତି କି ଗୁରୁଦାୟିତ୍ୱ ନ୍ୟସ୍ତ କରିଥିଲା, ତାହାକୁ କି କ୍ଷମତା ଅର୍ପଣ କରିଥିଲା । ୨. ବିପଦ ଓ ଧ୍ୱଂସ ସମ୍ମୁଖରେ ତାହାର ନେତୃତ୍ୱକୁ ଚାହିଁଥିଲା କି ନାହିଁ, ବିଶ୍ୱାସ ରଖିଥିଲା କି ନାହିଁ । ୩. ଏହାଙ୍କର ନିଷ୍ପତ୍ତି ଉପରେ ଜାତିର ଇତିହାସର ଗତି ନିର୍ଭର କରୁଥିଲା କି ନାହିଁ । ଏହି ସମସ୍ତ ବିଷୟ ପରବର୍ତ୍ତୀ ଯୁଗରେ ଲୋକଙ୍କ ଦ୍ୱାରା ନିରୂପିତ ନହେବା ପର୍ଯ୍ୟନ୍ତ କୌଣସି ନେତୃପୁରୁଷଙ୍କର ସ୍ଥାନ ଇତିହାସରେ ନିର୍ଣ୍ଣିିତ ହେବା ଉଚିତ ନୁହେଁ ।" ଏହା ଥିଲା ମଧୁସୂଦନଙ୍କର କାଳୋତୀର୍ଣ୍ଣ ମାପଦଣ୍ଡରେ ନେତୃପୁରୁଷଙ୍କ ଜୀବନର ଯଥାର୍ଥ ମୂଲ୍ୟାୟନ ।
ନିଜ ଜୀବନର ମୂଲ୍ୟାୟନ ପାଇଁ ସତତ ଅନାଗ୍ରହୀ ଥିବା ମଧୁସୂଦନ, ୧୯୩୩ ସାଲର ଫେବ୍ରୁଆରି ତେର ତାରିଖରେ ନିଜର ସଂପୂର୍ଣ୍ଣ ଅଗୋଚରରେ ନିଜ ଜୀବନର ମୂଲ୍ୟାୟନ କରି ଚାଲଥିଲେ ତୀକ୍ଷ୍ଣ କ୍ଷୁରଧାରରେ ପଦଚାଳନା ଭଳି ପରିପୂର୍ଣ୍ଣ ନିରପେକ୍ଷତାର ପରିଧି ମଧ୍ୟରେ । ତାଙ୍କର ପ୍ରଦତ୍ତ ପରବର୍ତ୍ତୀ ବକ୍ତବ୍ୟ ସବୁ ଏହିପରି ଥିଲା, ସେହି ଶୀତଳ ପୂର୍ବାହ୍ନର କାଳଜୟୀ ମୁହୂର୍ତ୍ତରେ, ଯେଉଁ ବେଳାରେ ସମୟ ମଧ୍ୟ ଗତି ହରାଇ ସ୍ଥିର ହୋଇ ଯାଇଥିଲା ।
"ଥରେ ଜଣେ ପ୍ରଖ୍ୟାତ ରାଜା, ଯାହାଙ୍କର ନାମରେ ଏହି ସୁବିଦିତ ସଭାଗୃହଟି ନାମିତ ହୋଇଛି, ସେ ବଂଗ ଦେଶରେ ବଂଗାଳୀ ରୂପେ ପ୍ରସିଦ୍ଧି ଲାଭ କରିଥିଲେ । ହେ ଶ୍ରୋତାବର୍ଗ ! ଆପଣ ମନେରଖନ୍ତୁ ଦିନେ ରାତ୍ର ଆଠଘଟିକାଠାରୁ ରାତ୍ରି ଗୋଟାଏ ପର୍ଯ୍ୟନ୍ତ, ତାଙ୍କ ସହିତ ଗଭୀର ପର୍ଯ୍ୟାଲୋଚନା ସମୟରେ କହିଥିଲି, "ହେ ରାଜନ୍‍ ! ମୁଁ ଆପଣଙ୍କୁ ଆଜି ଓଡ଼ିଆ ରୂପେ ପରିଚିତ

କରାଇବାକୁ କୃତସଂକଳ୍ପ । ସେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତିର ଆସନ ଅଳଂକୃତ କରିଥିଲେ । ମାତ୍ର ଗଡ଼ଜାତର ସୁପରିଟେଣ୍ଡେଣ୍ଟ, ଏହି ଗଡ଼ଜାତ ରାଜ୍ୟର ଓଡ଼ିଆ ରାଜାମାନଙ୍କୁ, ଉତ୍କଳ ସମ୍ମିଳନୀର ସଭାରେ ଯୋଗଦେବାପାଇଁ ନିଷିଦ୍ଧ କରିଥିଲେ, ଯେଉଁଠାରେ ଉତ୍କଳୀୟମାନେ ଏକତ୍ରିତ ହୋଇ ନିଜକୁ ଏକତାର ସୂତ୍ରରେ ନିବଦ୍ଧ ରହିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ "ମିଷ୍ଟର ଦାସଙ୍କର ସଭାରେ କେହି ଯୋଗଦାନ କରନାହିଁ ।"
ବହୁଦିନର ଗହଳ ସ୍ମୃତି ମଧ୍ୟରୁ ଉଜାଣି ବହି ଆସୁଥାଏ କିଛି ଯୁଗାନ୍ତକାରୀ ଘଟଣାବଳୀ । ଊନବିଂଶ ଶତାବ୍ଦୀର ଶେଷ ପାଦରେ ୧୮୯୯ ସାଲରେ ଯୋଗ ଦେଇଥାନ୍ତି ଭାରତର ବଡ଼ଲାଟ ଭାବରେ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ଅଭିରୁଚି ରଖିଥିବା ଅଭିଜାତ ପୁରୁଷ ଲର୍ଡ କର୍ଜନ । ସେହି ବଡ଼ଲାଟଙ୍କ ପାଖକୁ ମଧୁସୂଦନ ଲେଖିଥିଲେ ଯୁକ୍ତିରେ ଶାଣିତ କରି ଏକ ଦୀର୍ଘ ଦାବିପତ୍ର, ଓଡ଼ିଆ ଜାତିର ଅସ୍ତିତ୍ୱ ତଥା ମୁକ୍ତି ପାଇଁ । ମଧୁସୂଦନଙ୍କର କଣ୍ଠ ଉଦ୍‍ବେଳିତ ହୋଇଯାଇଥିଲା ସେହି ଘଟଣାର ବର୍ଣ୍ଣନାରେ-
"ମୁଁ ଲର୍ଡ କର୍ଜନଙ୍କୁ ପ୍ରେରିତ ଏକ ପତ୍ରରେ ଲେଖିଥିଲି, "ଆପଣ ଏହି ଚିଠି ପଢ଼ିବାର ସମ୍ଭାବନା ନାହିଁ ତେଣୁ ଏହା ହୁଏତ ଆପଣଙ୍କର ଜୋତା ତଳେ ସ୍ଥାନ ପାଇପାରେ । ଯେ ଏହି ପତ୍ର ପାଠକରୁ, ସେ ଅବଗତ ହେବ, ମୋର ଓଡ଼ିଆ ଜାତିପ୍ରତି କର୍ତ୍ତବ୍ୟ ରହିଛି । ଏ ଜାତିର ଅନ୍ତର୍ଦାହ ଓ ମର୍ମବେଦନା, ମୁଁ ଆପଣଙ୍କୁ ଜଣାଇବାକୁ ଇଚ୍ଛାକରୁଛି ।" ମୁଁ ବଡ଼ଲାଟଙ୍କର ପ୍ରାଇଭେଟ ସେକ୍ରେଟେରୀଙ୍କଠାରୁ ଗୋଟିଏ ପ୍ରତ୍ୟୁତ୍ତର ପାଇଲି । ସେ ମୋର ପ୍ରେରିତ ଚିଠି ବିଷୟରେ ଲେଖିଥିଲେ ଯେ, "ଆପଣ ଜଣେ ଦକ୍ଷ ଆଉ ସଂସ୍କୃତିସମ୍ପନ୍ନ ପୁରୁଷ, ଏଣୁ ଆପଣ ଆସନ୍ତୁ । ବଡ଼ଲାଟ ଏହି ବିଷୟରେ ଆପଣଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି ।" ବଡ଼ଲାଟ ଜଣେ ପୁରଦୃଷ୍ଟିସମ୍ପନ୍ନ ଦୃଢ଼ ବ୍ୟକ୍ତି ଥିଲେ, ମାତ୍ର ତାଙ୍କଠାରେ କିଛି ଯଥେଚ୍ଛାଚାର ଗୁଣ ରହିଥିଲେ ମଧ୍ୟ, ତାଙ୍କର ଏକ ସମ୍ବେଦନଶୀଳ ହୃଦୟ ଥିଲା ।"
"ହୁଏତ ସେ ପ୍ରଥମ ଦେଖାରେ ଭାବିଥିବେ, ମୁଁ ଜଣେ ବୋକା ବ୍ୟକ୍ତି ବୋଲି । ମାତ୍ର ସେ ମୋ'ଠାରେ ଜଣେ ଗଭୀର ଦେଶବତ୍ସଳ ବ୍ୟକ୍ତିତ୍ୱ ଓ ସ୍ୱଜାତି ପ୍ରାଣ ହୃଦୟ ପାଇଥିଲେ । ମୁଁ ଓଡ଼ିଆ ଜାତିର ମର୍ମନ୍ତୁଦ ସ୍ଥିତି ବିଷୟରେ ଯେତେବେଳେ ଉପସ୍ଥାପନା କଲି, ସେତେବେଳେ ମୋର ନୟନଯୁଗଳ ଲୋତକାପ୍ଲୁତ ହୋଇ ଧାରଧାର ଅଶ୍ରୁ ବହି ଯାଇଥିଲା । ଆଉ କଣ୍ଠ ମଧ୍ୟ ଅତୀବ ବିହ୍ୱଳିତ ହୋଇଥିଲା । ମୁଁ କହିଲି, ମୁଁ ସେତେବେଳେ ବଂଗଳାର ଏକମାତ୍ର ଓଡ଼ିଆ ଛାତ୍ର ଥିଲି, ଆଉ ସମସ୍ତ ଲାଞ୍ଛନା, ତାତ୍ସଲ୍ୟ ଆଉ ଉପହାସ ମୋ' ଉପରେ ଆରୋପିତ ହୋଇଥିଲା । ପ୍ରତି ମୁହୂର୍ତ୍ତରେ ମୋତେ 'ମଧୁ ଉଦେ' ବୋଲି ଉପହାସିତ କରି ସେମାନେ ମତେ ଲାଞ୍ଛନାର ତୀବ୍ର ଜ୍ୱାଳାରେ ସର୍ବଦା ମର୍ମାହତ କରି ଚାଲିଥିଲେ । ବଡ଼ଲାଟ ମହୋଦୟ ମିଲିଟାରୀ ସେକ୍ରେଟାରୀଙ୍କୁ ଆହ୍ୱାନ କଲେ ଆଉ ପଚାରିଲେ ଓଡ଼ିଶାରେ ସର୍ବୋଚ୍ଚ ପ୍ରାଶାସନିକ ଅଧିକାରୀ କିଏ ଅଛନ୍ତି ? ଏହାର ଉତ୍ତର ପାଇଲା ପରେ ଲଡର଼୍ କର୍ଜନ କହିଲେ 'ଓଡ଼ିଶାର କମିଶନରଙ୍କୁ ବାର୍ତ୍ତାପ୍ରେରଣ

କର ଯେ ମୁଁ ଓଡ଼ିଶା ପରିଦର୍ଶନରେ ଆସୁଅଛି ।' ବଡ଼ଲାଟଙ୍କର ପରିଦର୍ଶନ ଉପଲକ୍ଷେ ପୁରୀଠାରେ ଗୋଟିଏ ଭବ୍ୟ ଦରବାରର ଆୟୋଜନ ହୋଇଥିଲା, ମାତ୍ର ମୋ' ପରି ବ୍ୟକ୍ତିଙ୍କପାଇଁ ସେଠାରେ ସ୍ଥାନ ନଥିଲା । ସେ ମୋ' ବିଷୟରେ ଅନୁସନ୍ଧାନ କଲେ ଆଉ ପ୍ରଶ୍ନ କଲେ, 'ମିଷ୍ଟର ଦାସ କାହାନ୍ତି ?'
ହଁ, ମଧୁସୂଦନ ଏଥର ତାଙ୍କର କାଳଜୟୀ ଅଭିଭାଷଣରେ ସେହି ଗୌରବଦୀପ୍ତ ଘଟଣା ପ୍ରବାହକୁ ଉପସ୍ଥାପିତ କରୁଛନ୍ତି ଅତୀବ ବିହ୍ୱଳିତ ଆଉ ବଜ୍ର ନିର୍ଘୋଷ କଣ୍ଠରେ, ଯାହା ଶ୍ରୋତୃମଣ୍ଡଳୀକୁ ନବ ଉଦ୍ଦୀପନାରେ ରସାଣିତ ଆଉ ମନ୍ତ୍ରମୁଗ୍ଧ କରି ଦେଇଥିଲା ।
"ଲର୍ଡ କର୍ଜନଙ୍କର ମହନୀୟ ଉଦ୍ଦେଶ୍ୟ ଥିଲା ଓଡ଼ିଶା ଜାତି ପ୍ରତି ହୋଇଥିବା ସମସ୍ତ ଭୁଲ ସିଦ୍ଧାନ୍ତର ପ୍ରତିବିଧାନ କରିବା । ସେ ଓଡ଼ିଆଭାଷୀ ଅଂଚଳ ସଂପର୍କୀୟ ସମସ୍ତ ଦଲିଲ୍‍ ଆଉ କାଗଜପତ୍ର ଆଣିବା ପାଇଁ ଆହ୍ୱାନ କଲେ ଏବଂ ଏହାର ଆଧାରରେ ଯେଉଁସବୁ ଅଂଚଳରେ ମିଶ୍ରଣ ହେବ ତାହାର ସିଦ୍ଧାନ୍ତ ଗ୍ରହଣ କଲେ । ପାରଳାଖେମୁଣ୍ଡି ପ୍ରଶ୍ନର ଉତ୍ଥାପନ କରିବା ପାଇଁ ସେତେବେଳେ କୌଣସି ଆବଶ୍ୟକତା ନଥିଲା । ଏହାର କିଛିକାଳ ପରେ ମାନ୍ଦ୍ରାଜର ଲାଟ କାର୍ଯ୍ୟକାରୀ ବଡ଼ଲାଟ ହେଲେ । ମୁଁ ତାହାଙ୍କୁ ପ୍ରଶ୍ନ କଲି, ଏହି ମକଦ୍ଦମାରେ ଆପଣ ଜଣେ ପକ୍ଷ । ଏହିଭଳି ସ୍ଥିତିରେ ମୋର ଏହି ମକଦ୍ଦମାରେ ରାୟଦେବା ପାଇଁ ଅଧିକାର ଇଂରେଜୀ ପ୍ରଣୋଦିତ ନ୍ୟାୟବିଧି ଅନୁସାରେ ଆପଣଙ୍କର ନାହିଁ । ମୁଁ କାର୍ଯ୍ୟକାରୀ ବଡ଼ଲାଟଙ୍କୁ ପଚାରିଲି, ଏହା ପ୍ରକୃତରେ କ'ଣ ନ୍ୟାୟ ନୀତି ଉପରେ ପର୍ଯ୍ୟବସିତ ? ତୁମ୍ଭେ ଏବେ କେଉଁଠି ଦଣ୍ଡାୟମାନ ? କର୍ଜ୍ଜନଙ୍କ ସମୟରେ ମୁଁ ଯେଉଁଠାରେ ଦଣ୍ଡାୟମାନ ହୋଇ ରହିଥିଲି, ଏବେ ମଧ୍ୟ ସେହିଠାରେ ଦଣ୍ଡାୟମାନ ହୋଇ ରହିଛି । ସେତେବେଳେ ଆମର ଯେଉଁ ଦାବି ଥିଲା ବର୍ତ୍ତମାନ ମଧ୍ୟ ସେହି ଦାବି ରହିଛି । ସେହିଠାରୁ ପୁଣି ଆମେ ଆନ୍ଦୋଳନ ଆରମ୍ଭ କରୁଛୁ । ପାରଳାଖେମୁଣ୍ଡିର ପ୍ରଶ୍ନ ଆଦୌ ଉଠୁନାହିଁ । ଜାତିର ଦୂରନ୍ତ ଚେତନାକୁ ଉଦ୍‍ବୁଦ୍ଧ କରନ୍ତୁ । ତାହା ଉଦ୍ଦୀପିତ ଜାଗରଣରେ ନିଶ୍ଚୟ ପ୍ରଜ୍ଜ୍ୱଳିତ ହେବ ।
ମୋର କର୍ଣ୍ଣର ଗହ୍ୱରରେ ପ୍ରତିଧ୍ୱନିତ ହେଉଛି ତାହାର ଉଦାତ୍ତ ମହିମାଦୀପ୍ତ ଆହ୍ୱାନ ।
ଯା'ର ଜୟଭେରୀ ଗଂଗା ଗୋଦାବରୀ
ଶୁଣିଥିଲେ ଚକିତେ
ଓଡ଼ିଆ ବୋଲିଣ ଘୃଣିତ ଏତେ ଦିନେ ।
ତୁମ୍ଭର ଜୀବନକୁ ଜାତୀୟ ଯଜ୍ଞବେଦୀରେ ସମର୍ପିତ କର । ପୂର୍ବ ଇତିହାସର ସେହି ଶୌର୍ଯ୍ୟତାର ଗୌରବଦୀପ୍ତ ବେଳାରେ ଜାତି ଯେଉଁଭଳି ଦୁର୍ବାର ସଂଗ୍ରାମ କରିଥିଲା, ସେହି ଗରିମାମୟ ସ୍ଥିତିକୁ ପ୍ରାପ୍ତକର ।"
ମଧୁସୂଦନଙ୍କର ସେହି ବଜ୍ର ନିର୍ଘୋଷ କଣ୍ଠରେ ଏହି ଉଦ୍‍ଘୋଷଣା ପ୍ରତିଧ୍ୱନିତ ହୋଇଥିଲା ପ୍ରମତ୍ତ ଉଦ୍ଦାମତାରେ । ଏକ ବିପୁଳ ଉଦ୍ଦୀପନା ସଭାସ୍ଥଳକୁ ପ୍ରକମ୍ପିତ କରିଥିଲା । ମଧୁସୂଦନ ଭାବର ପ୍ରଖର ଉନ୍ମାଦନାରେ ଯେପରି ନିଜର ସ୍ଥିତି ହରାଇ ବସୁଥାନ୍ତି । କ୍ରମଶଃ ତାହାଙ୍କର ସ୍ୱର ନମ୍ରତା ଆଉ ସ୍ନିଗ୍ଧତା ଲାଭକଲା । ପୁଣି ସେ କହି ଚାଲିଲେ-

"ଇଂରେଜୀମାନେ ବ୍ୟବସାୟୀ ଆଉ ବାଣିଜ୍ୟରେ ଆଗ୍ରହ ପ୍ରକାଶ କରୁଥିବା ଗୋଟିଏ ଜାତି । ସେମାନଙ୍କର ମୂଳଲକ୍ଷ୍ୟ ଥିଲା ଅର୍ଥର ଆହରଣ । ତାହାଙ୍କର ଅଧୀନରେ କାର୍ଯ୍ୟରତ ଇଂରେଜୀ ଅଧିକାରୀଗଣଙ୍କର ଭାରତୀୟ ଭାଷା ସଂପର୍କରେ ବିଶେଷ ଜ୍ଞାନ ନଥିଲା । ବଂଗାଳୀମାନେ ମୁସଲମାନ ରାଜତ୍ୱରେ ସରକାରୀ ପରିଚାଳନାର ବିଧିବ୍ୟବସ୍ଥା ଆଉ ପ୍ରାଶାସନିକ କୌଶଳ ପ୍ରୟୋଗର ଚକ୍ରାନ୍ତ ବିଷୟରେ ଅବଗତ ଥିଲେ । ଏହି ସମୟରେ ବ୍ରିଟିଶମାନେ ଏକ ବିପଦଶଙ୍କୁଳ ବ୍ୟବସ୍ଥାର ପ୍ରଚଳନ କଲେ । ସେମାନେ ବଂଗାଳୀମାନଙ୍କୁ ମଧ୍ୟବର୍ତ୍ତୀ ଶାସକ ଗୋଷ୍ଠୀରୂପେ ନିଯୁକ୍ତ କଲେ । ଓଡ଼ିଆମାନଙ୍କର ଅନ୍ତର୍ନିହିତ ସ୍ୱାର୍ଥର ବିରୋଧୀ ଥିଲେ ବଂଗାଳୀମାନେ । ବର୍ତ୍ତମାନ କେତେ ବର୍ଷ ତଳେ ବ୍ରିଟିଶମାନେ ପ୍ରକୃତ ସ୍ଥିତି ସଂପର୍କରେ ଅବଗତ ହେଲେ । ସେମାନେ ଉପଲବ୍‍ଧି କଲେ ଯେ ଏହି ସମସ୍ତ ବ୍ୟବସ୍ଥା ବିଧିବଦ୍ଧ ଡକାୟତି ଛଡ଼ା ଅନ୍ୟ କିଛି ନୁହେଁ । ସେମାନେ ଏକ ଦିଗରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ଅନ୍ୟ ଦିଗରେ ବଂଗାଳୀମାନେ ଇଂରେଜୀମାନଙ୍କ ମାଧ୍ୟମରେ ଆମ୍ଭମାନଙ୍କୁ ଅବନତ କରି ରଖିଥିଲେ । ମୁଁ ଏହି ବ୍ୟବସ୍ଥାର ପରିବର୍ତ୍ତନ ଆଣିବାକୁ ଚେଷ୍ଟାକଲି । ମାତ୍ର ପ୍ରତ୍ୟେକ ପ୍ରାଶାସନିକ ପରିବର୍ତ୍ତନ ଆମ୍ଭମାନଙ୍କୁ ଅସୁବିଧା ଆଡ଼କୁ ଟାଣି ନେଉଥିଲା । ତାହାର ପ୍ରତିବିଧାନ କରିବାପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ସଂଚାଳିତ କରିଥିଲି ।"
"ନ୍ୟାୟ କଅଣ ଦରକାର କରେ ? କର୍ଜନଙ୍କର ନିକଟରେ ଯଥାଯଥ ଆଉ ଧାର୍ଯ୍ୟ ଦାବି ଉପସ୍ଥାପନା କରାଯାଇଥିଲା । ସେହି ସମୟରେ ରେଳପଥ ନଥିଲା । ବର୍ତ୍ତମାନ ବହୁ ଅଂଚଳ ରେଳପଥଦ୍ୱାରା ସଂଯୁକ୍ତ । କିଛି ସମସ୍ୟାର ଦୂରୀକରଣ ସଂପର୍କରେ ଏହା ସଂକ୍ଷିପ୍ତ ବିବରଣୀ । ମୁଁ ଦେଶଲାଗି ମୋର ନ୍ୟାୟୋଚିତ ଦାବିଗୁଡ଼ିକ ଉପସ୍ଥାପନ କରିଥିଲି । ମୋର ଉଦ୍ୟମ ଗୁଡ଼ିକ ଲଡର଼୍ କର୍ଜନଙ୍କର ଦ୍ୱାରା ଫଳବତୀ ହୋଇଥିଲା । ବ୍ରିଟିଶ ଜାତିର ଚେତନାକୁ ଜାଗରିତ କର ଆଉ ଉଦ୍‍ବୁଦ୍ଧ କର । ସେମାନଙ୍କର ଦ୍ୱାରଦେଶରେ ଠୁକ୍‍ଠୁକ୍‍ କରି ଶବ୍ଦକର, କିନ୍ତୁ ଗୋଇଠା ମାରି ଆଘାତ କରନାହିଁ । ସେମାନଙ୍କର ଦ୍ୱାର ନିଶ୍ଚୟ ଖୋଲିବ ।"
ତାହା ଥିଲା ଫେବ୍ରୁଆରି ମାସର ପ୍ରଥମାର୍ଦ୍ଧ । ପ୍ରବଳ ଶୀତର ପ୍ରଚଣ୍ଡ ଆକ୍ରମଣରେ ଶରୀର ପ୍ରକମ୍ପିତ ହୋଇ ଉଠିଥିଲା । ଆଉ କୋହଲା ଉତ୍ତରା ପବନ ବହି ଚାଲିଥିଲା ଅବିରାମ ଗତିରେ ଆନମନା ହୋଇ ତାହା ପ୍ରବେଶ କରିଥିଲା ଅବାରିତ ଗତିରେ ସଭାକକ୍ଷର ସୁଦୃଶ୍ୟ ଅଳିନ୍ଦମାନଙ୍କରେ, ଉତ୍ତଳା ଶୀତର ଶିହରଣରେ ସଭିଙ୍କୁ ଜଡ଼ୀଭୂତ କରି । ମାତ୍ର ମଧୁସୂଦନଙ୍କର ଜ୍ୱାଳାମୟୀ ବକ୍ତବ୍ୟ ଛୁଟିଚାଲିଥିଲା ଅପ୍ରତିହତ ଭାବରେ ।
"ମୁଁ ଏହି ମହାନ ଜାତୀୟ ସମାବେଶରେ ଅଦ୍‍ଭୁତ ବେଶଭୂଷା ପିନ୍ଧି ଦଣ୍ଡାୟମାନ ରହିଛି । ମୁଁ ସମସ୍ତଙ୍କ ମଧ୍ୟରେ ଅତୀବ ବୃଦ୍ଧ । ଶୀତର ପ୍ରକୋପରୁ ରକ୍ଷାପାଇବା ପାଇଁ ମୋତେ ନିଜକୁ ଉଷ୍ମ ରଖିବାକୁ ପଡ଼ୁଛି । ମତେ ଦିନକୁ ତିନିଥର ଇଲେକ୍‍ଟ୍ରିକ୍‍ ଉତ୍ତାପ ନେବାକୁ ପଡ଼ୁଛି । ଅନ୍ୟଥା ଦଣ୍ଡାୟମାନ ହୋଇ ରହିବା ମୋ ପକ୍ଷରେ ସମ୍ଭବପର ହୋଇନଥାନ୍ତା ।"

ମଧୁସୂଦନଙ୍କର ଲଣ୍ଡନରେ ଅବସ୍ଥାନ କାଳରେ, ଲଣ୍ଡନର ବିଭିନ୍ନ ମଞ୍ଚରେ ଜ୍ୱାଳାମୟୀ ଭାଷଣ, ଯାହା ସେଠାରେ ସମଗ୍ର ସମ୍ବାଦପତ୍ରରେ ପ୍ରକାଶିତ ହୋଇ ଯେଉଁ ଉଦ୍‍ବେଳନ ସୃଷ୍ଟି କରିଥିଲା, ତାହା ଏପର୍ଯ୍ୟନ୍ତ ଓଡ଼ିଆମାନଙ୍କ ପାଇଁ ଦୁଷ୍ପ୍ରାପ୍ୟ ହୋଇ ରହିଛି । ସେହି ଘଟଣାପ୍ରବାହର କିଛି ସ୍ନାୟୁ ଉତ୍ତେଜନାକାରୀ ବିବରଣୀ ମଧୁସୂଦନ ପ୍ରଦାନ କରିଥିଲେ ତାଙ୍କର ଅଗ୍ନିଗର୍ଭ କଣ୍ଠରେ ।
"ମୁଁ ଆଜି କିଛି ବକ୍ତୃତା ଶୁଣିଛି । ଭାରତର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବଳଶାଳୀ ଭୂମିକା ଗ୍ରହଣ କରୁ । ବର୍ତ୍ତମାନ ଆପଣଙ୍କର କାର୍ଯ୍ୟ ଅପେକ୍ଷାକୃତ ସହଜସାଧ୍ୟ ହୋଇଯାଉଛି । ମୁଁ ବ୍ରିଟିଶ ପାର୍ଲାମେଣ୍ଟର ଏକ କକ୍ଷରେ, ହାଉସ୍‍ ଅଫ୍‍ କମନ୍‍ର ୭୦ ଜଣ ସଦସ୍ୟଙ୍କ ସହିତ ଓଡ଼ିଶା ତଥା ଭାରତର ସଚିବ ଲଡର଼୍ ମଲ୍ୱେଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ତାଙ୍କର ପ୍ରାଇଭେଟ ସେକ୍ରେଟେରୀଙ୍କୁ ଭେଟିଲି । ଲର୍ଡ ମଲ୍ୱେ ସର୍ତ୍ତ ରଖିଥିଲେ ଯେ ମଧୁସୂଦନ ଦାସଙ୍କୁ ଓଡ଼ିଆ ଜାତିର ପ୍ରତିନିଧି ଭାବରେ ଭେଟିବାକୁ ଚାହେଁ ନାହିଁ । ମାତ୍ର ମଧୁସୂଦନ ଦାସ ଭାବେ । ସେ ମୋର ସାକ୍ଷାତ କରି ପାରନ୍ତି । ହଁ, ତାହା ହେଲା ,ମୁଁ ଲର୍ଡ ମଲ୍ୱେଙ୍କୁ ପ୍ରଥମ ସାକ୍ଷାତକାରରେ ଭେଟିଲା ପରେ ତାଙ୍କୁ କହିଲି, ଆପଣମାନେ ଯଥେଚ୍ଛାଚାର ରୀତିରେ ଶାସନ କରି ଇଂରେଜୀ ଜାତିର ପ୍ରତିଷ୍ଠିତ ମହାନ ପରମ୍ପରା ଓ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛନ୍ତି । ବିଲାତର ଏହି ଅଧିକାରୀଗଣ ସମ୍ବେଦନଶୀଳ ପ୍ରଶାସନରୀତିରେ ପ୍ରଶିକ୍ଷିତ ହୋଇଥିଲେ ମଧ୍ୟ, ବହୁକ୍ଷେତ୍ରରେ ସ୍ୱେଚ୍ଛାଚାରୀ ଶାସକ ରୂପେ ଭାରତରେ ଅବତୀର୍ଣ୍ଣ ହୋଇ ପ୍ରଶାସନ ଚଳାଉଛନ୍ତି । ରାଣୀ ଭିକ୍ଟୋରିଆଙ୍କୁ ଋଷିଆର ଜାର୍‍ଙ୍କ ସ୍ଥାନରେ ଅବସ୍ଥାପିତ କରନ୍ତୁ । ସେ ନିରର୍ଥକ ଆଉ ଅସଫଳ ହୋଇଯିବେ । ଆଉ ଋଷିଆର ଜାରଙ୍କୁ ଯଦି ବ୍ରିଟିଶ ସିଂହାସନରେ ଅବସ୍ଥାପିତ କରାଯାଏ, ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କର ଶିରଚ୍ଛେଦ ସଂଘଟିତ ହେବ ।"
ଏହାଥିଲା ୧୯୦୭ ସାଲର ମଧୁସୂଦନଙ୍କର ଦ୍ୱିତୀୟବାର ଲଣ୍ଡନ ଯାତ୍ରାର ବିବରଣୀ, ଯାହା ଲଣ୍ଡନରେ ଏକ ଚାଞ୍ଚଲ୍ୟକର ସ୍ଥିତିର ସୂତ୍ରପାତ କରିଥିଲା । ଏହାର ଅବ୍ୟବହିତ ପରେ ଓଡ଼ିଶାରେ ସର୍ବଗ୍ରାସୀ ବନ୍ୟା ସହିତ କରାଳ ଦୁର୍ଭିିକ୍ଷର ଅବସ୍ଥା ସୃଷ୍ଟି ପରେ ବ୍ରିଟିଶ ସାମ୍ବାଦିକ ନାଭିନ୍‍ସନ୍‍ଙ୍କ ସହ ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ । ଦୁର୍ଭିକ୍ଷଗ୍ରସ୍ତ ଅଂଚଳରେ ମଧୁସୂଦନଙ୍କର ସେବା ପ୍ରଦାନର କାଳଜୟୀ ବିବରଣୀ ନାଭିନ୍‍ସନ୍‍ଙ୍କର New Spirit in India ରେ ସଂକଳିତ ହୋଇଛି । ମଧୁସୂଦନ କହିଚାଲିଲେ "ଗୋଟିଏ ଦାରୁଣ ସଂଶୟର ମୁହୂର୍ତ୍ତ ବର୍ତ୍ତମାନ ଓଡ଼ିଆ ଜାତିର ସମ୍ମୁଖରେ ଉପନୀତ । ମୋର ଶତ୍ରୁପକ୍ଷ ବିଚାରାଳୟରେ ଆସି ଉପସ୍ଥିତ ହୋଇଛନ୍ତି । ଏହା ମୋର ମାନସିକତାକୁ ପ୍ରଚଣ୍ଡ ଆଘାତ ପ୍ରଦାନ କରିଛି । ମାତ୍ର ମୋର ଦୃଢ଼ ବିଶ୍ୱାସ ସେହି ଜଗତାଧିପତିଙ୍କ ଉପରେ ସମର୍ପିତ ଭାବରେ ଆବିଷ୍ଟ ଆଉ ନିବଦ୍ଧ ରହିଛି । କୌଣସି ଜାତିର ଅମଙ୍ଗଳ ଚିନ୍ତା କରନାହିଁ । ଭଗବାନ ତୁମକୁ ଆଶୀର୍ବାଦ ପ୍ରଦାନ କରିବେ । ତୁମେ ଯଦି ନେତୃତ୍ୱ ନେବାପାଇଁ ଆଗ୍ରହାନ୍ୱିତ ହୁଅ, ଅଗ୍ରଭାଗରେ ନିଜକୁ ସଂଚାଳିତ କରନାହିଁ । ଯେତେବେଳେ ଦୁର୍ଦ୍ଧର୍ଷ ଯୁଦ୍ଧ ସଂଯୋଜିତ ହୁଏ, କମାଣମାନେ ତୀବ୍ର ଶବ୍ଦରେ ଗର୍ଜନ କରି ଆକ୍ରମଣ ଜାରି ରଖନ୍ତି, ସେତେବେଳେ ସେନାପତି ବହୁଦୂରରେ ଅବସ୍ଥିତ ରହନ୍ତି । ଗୋଟିଏ ବୃକ୍ଷକୁ ନିରୀକ୍ଷଣ କର, ତାହାର ବିସ୍ତାରିତ

ଚେରଗୁଡ଼ିକ ମୃତ୍ତିକାର ଅନ୍ତରଳରେ ଲୁକ୍କାୟିତ ହୋଇ ସୁରକ୍ଷିତ ଭାବରେ ଅବସ୍ଥିତ ରହନ୍ତି । ସେହିପରି ମଣିଷର ହୃଦୟ ତାହା ଯେମିତି ନମନୀୟ ଆଉ ସୁକୁମାର ସେହିପରି ତାତ୍ପର୍ଯ୍ୟପୂର୍ଣ୍ଣ, ତେଣୁ ଅନ୍ତରର ଗହ୍ୱର ମଧ୍ୟରେ ଲୁକ୍କାୟିତ ରହିଥାଏ, ଅନ୍ୟଥା ନାସିକାର ଅଗ୍ରଭାଗରେ ସ୍ଥାପିତ ହୋଇଥାନ୍ତା । ଗୋଟିଏ ଘଡ଼ିକୁ ନିରୀକ୍ଷଣ କର, ତାହାର ଡାଏଲ୍‍ଟି ସମ୍ମୁଖରେ ରହିଥାଏ ମାତ୍ର ଗୁରୁତ୍ୱପୂର୍ଣ୍ଣ ଲିଭର ଯନ୍ତ୍ରଟି ପଶ୍ଚାତରେ ରହିଥାଏ ।"
ଏହାଥିଲା ଜୀବନବ୍ୟାପୀ ସଂଗ୍ରାମ କ୍ଷେତ୍ରରେ, ମଧୁସୂଦନଙ୍କ ନେତୃତ୍ୱର ସଂପାଦନରେ ତାତ୍ପର୍ଯ୍ୟପୂର୍ଣ୍ଣ ମାର୍ଗପ୍ରଦର୍ଶନର ଭୂମିକା, ଯାହାକୁ ସେ ନିର୍ବାହ କରିଥିଲେ ତେଜୋଦୀପ୍ତ ଗରିମାମୟ ରୀତିରେ । ଏଥର ସେ ଉପସ୍ଥାପିତ କରୁଛନ୍ତି ସେ କାଳର ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହେବାପାଇଁ ନିର୍ଦ୍ଦେଶନାମା, ଯହିଁରେ ଓଡ଼ିଶା ଜାତୀୟତାର ପରିପ୍ରକାଶ ଥିଲା ଦେଦୀପ୍ୟମାନ । ଜନସଂଖ୍ୟାର ସମସ୍ୟା ବର୍ତ୍ତମାନ ଉଠୁଛି । କିନ୍ତୁ ପ୍ରକୃତ କଥା ହେଉଛି ଅନ୍ୟ ଜାତିକୁ ଶାସନ କରିବାପାଇଁ କେଉଁ ଜାତିର ଅଧିକ ଜୀବନୀଶକ୍ତି ଅଛି ?
ପଡେ଼ାଶୀ ଜାତିମାନେ ଆମ୍ଭମାନଙ୍କୁ ନିଶ୍ଚେଷ୍ଟ କରିବାପାଇଁ ଚେଷ୍ଟା କରିଥିଲେ । ଆମର ଆତ୍ମା ଓ ଚେତନାକୁ ଲୋପ କରିଦେବାପାଇଁ ଚକ୍ରାନ୍ତ କରିଥିଲେ । କିନ୍ତୁ ସେମାନେ ଏ କ୍ଷେତ୍ରରେ ଜୟଯୁକ୍ତ ହୋଇଛନ୍ତି କି ? ତୁମ୍ଭେମାନେ କେବେ ମଧ୍ୟ ପରାଜିତ ହେବ ନାହିଁ, ନିର୍ମୂଳ ହେବନାହିଁ । ଓଡ଼ିଆ ଜାତିର ଅନ୍ତର୍ନିହିତ ସତ୍ତା ଓ ସାମର୍ଥ୍ୟ କେବେ ମଧ୍ୟ ନିର୍ବାପିତ ହେବନାହିଁ । ଗୋଟିଏ ଜାତିର ଅନ୍ୟ ଜାତିକୁ ପ୍ରଭାବିତ କରିବାପାଇଁ ଯେଉଁ କ୍ଷମତା ଓ ଶକ୍ତି ରହିଥାଏ, ତାହା ହିଁ ଅନ୍ୟ ଜାତି ଉପରେ ଶାସନ କରିବା କ୍ଷମତା ପ୍ରମାଣିତ କରେ । ବଂଗାଳୀଙ୍କ ସଂପର୍କରେ ଆଲୋଚନା କର । ସେମାନେ ଆମ୍ଭମାନଙ୍କୁ ଅବନତ କରି ରଖିବାପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ । ସେମାନେ କ'ଣ ସଫଳ ହୋଇଛନ୍ତି ? ଓଡ଼ିଆ ପରିବାରରେ ବର୍ଦ୍ଧିତ ଜଣେ ବଂଗାଳୀ ମହିଳା ଭାରତର ପ୍ରଥମ ମହିଳା ଓକିଲ ରୂପେ ପ୍ରତିଷ୍ଠିତ ହୋଇ ପାରିଛି । ଓଡ଼ିଆମାନଙ୍କର ପ୍ରବର୍ତ୍ତିିତ ଧର୍ମ ସମଗ୍ର ଭାରତରେ ଗୃହୀତ ହୋଇଛି । କେଉଁ ଜାତି ଶ୍ରୀଜଗନ୍ନାଥଙ୍କର ମହାନୁଭବତା ପ୍ରତି ଆକର୍ଷିତ ହୋଇନାହିଁ । ଓଡ଼ିଆ ଭାଷାର ଅତୀବ ଉର୍ଜ୍ଜସ୍ୱଳ ଶକ୍ତିକୁ ଅନୁଧ୍ୟାନ କର । ବଂଗାଳୀମାନଙ୍କ ଦ୍ୱାରା ସର୍ବତ୍ର ଆରାଧିତ 'ଚୈତନ୍ୟ ଜଣେ ଉତ୍କଳୀୟ' ।
ମଧୁସୂଦନଙ୍କର ଦୃଷ୍ଟିରେ 'ଓଡ଼ିଶା' ୟୁରୋପର ଏକ ନେସନ ଭଳି ପରିବ୍ୟାପ୍ତ । ମଧୁସୂଦନଙ୍କ ବକ୍ତବ୍ୟର ଅନ୍ତରାଳରେ ଜାତି ଜାତି ଆଉ ଦେଶ ଦେଶ ମଧ୍ୟରେ ସମସ୍ତ ସଂକୀର୍ଣ୍ଣତା ଅବଲୁପ୍ତ ଆଉ ବିଶ୍ୱମାନବିକତା ସମସ୍ତ କ୍ଷେତ୍ରରେ ହିଁ ପ୍ରକଟିତ । ସେ ପୁଣି କହୁଛନ୍ତି-
"ଆପଣମାନେ ଅଧିକ ଅନୁଧ୍ୟାନ କରୁଛନ୍ତି । ଏହି ଉତ୍ତୀର୍ଣ୍ଣ ବୟସରେ, ମୁଁ ମୋ ଜୀବନରେ ସଂଘଟିତ ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟାବଳୀର ସଂକ୍ଷିପ୍ତ ରୂପରେଖ ପ୍ରଦାନ କଲି । କେବେ ମଧ୍ୟ ନିଜସ୍ୱ ଅହଂ ବା ବ୍ୟକ୍ତିଗତ ସତ୍ତାକୁ ଉଜ୍ଜୀବିତ କରନାହିଁ । ଆକାଶରୁ ପତିତ ବର୍ଷାବିନ୍ଦୁ ଝରଣାରେ ପ୍ରବାହିତ ଜଳଧାରା ସହିତ ମିଳିତ ହୁଏ । ତାହା ଅନ୍ୟ ଝରଣାର ଜଳସହିତ

ପ୍ରବାହିତ ହୋଇ ସ୍ରୋତସ୍ୱତୀରେ ପରିଣତ ହୁଏ । ଏବଂ ସ୍ୱଳ୍ପ ଦୂରତାରେ ଢାଲୁ ପଥରେ ପ୍ରବାହିତ ହୋଇ ସାଗର ସହିତ ମିଳିତ ହୁଏ । ଏହି ସ୍ରୋତସ୍ୱତୀ ତାହାର ଯାତ୍ରାପଥରେ ଥିବା ଭୂମି, ଜୀବଜନ୍ତୁ ଆଉ ମଣିଷ ସମାଜକୁ ଜଳଧାରା ବିତରଣ କରି ହିଁ ପ୍ରବାହିତ ହୋଇଥାଏ । ଏକ ମହାନଜାତି ଅନ୍ୟ ଜାତିମାନଙ୍କ ପ୍ରତି ଉପକାର ହିଁ ପ୍ରଦାନ କରି ଚାଲିଥାଏ । ମହାସାଗର ନିରନ୍ତର ଆହ୍ୱନ କରେ ଯେ, ସଭିଏଁ ନିଜସ୍ୱ ରଂଗକୁ ବିସର୍ଜନ କରିଦିଅନ୍ତୁ ଆଉ ଏକୀଭୂତ ହୋଇଯାଆନ୍ତୁ ।"
ଓଡ଼ିଶାରୁ ସର୍ବପ୍ରଥମେ ମଧୁସୂଦନ ହିଁ ପ୍ରାୟ ସମସ୍ତ ୟୁରୋପ ଆଉ ଏସିଆର ବହୁ ଭାଗ ପରିଭ୍ରମଣ କରି ସଂପ୍ରସାରିତ ବିଶ୍ୱ ଚେତନାରେ ଅଭିମନ୍ତ୍ରିତ ହୋଇଥିଲେ । ତାଙ୍କର ରଚନାର ପରିଧି ମଧ୍ୟରେ ବିଶ୍ୱମାନବିକତାର ଦୃଷ୍ଟି ସାଗର ପରି ଉତ୍ତାଳ, ଯହିଁରେ ବିଭିନ୍ନ ମାନବଗୋଷ୍ଠୀ, ସେମାନଙ୍କର ବର୍ଣ୍ଣ ଆଉ ଧର୍ମ ବିସୋରି ମହାମାନବୀୟ ମହାସାଗରରେ ବିଲୀନ ହୋଇଯାନ୍ତି । ଏହି ଦୃଷ୍ଟିରୁ ମଧୁସୂଦନ ପ୍ରଥମେ ବିଶ୍ୱମାନବ, ତାହାପରେ ଭାରତୀୟ ଅସଉ ସର୍ବଶେଷରେ ଉତ୍କଳୀୟ । ମାତ୍ର ପ୍ରତିଟି କ୍ଷେତ୍ରରେ ସେମାନଙ୍କର ସ୍ୱତନ୍ତ୍ର ସତ୍ତା ହିଁ ଅକ୍ଷୁଣ୍ଣ ରହିଥାଏ, ଆଉ ପ୍ରୟୋଜନ ବିଧିରେ ମଧ୍ୟ ଅବଲୁପ୍ତ ହୋଇଯାଏ । ଏହାହିଁ ମହାମାନବର ମହାସାଗର ଯାତ୍ରା ।- ବ୍ୟାଖ୍ୟାନ କରି ଚାଲିଛନ୍ତି ମଧୁସୂଦନ ନିଜସ୍ୱ ଭଂଗୀରେ । ବିଶ୍ୱ ମାନବିକତାଠାରୁ ମଧୁସୂଦନଙ୍କର ପୁଣି ଉତ୍ତରଣ ଘଟିଛି ଆଧ୍ୟାତ୍ମିକତାର ଜଗତକୁ । ସେ ସମସ୍ତ ସଂକୀର୍ଣ୍ଣତା ଭୁଲି ଜଗତ ଆଉ ମାନବ ସମାଜକୁ ବିତରଣ କରି ଚାଲିଛନ୍ତି- ସାମ୍ୟ, ମୈତ୍ରୀ ଆଉ ଅଫୁରନ୍ତ କରୁଣା । ତାହାହେଲେ ଯାଇ ଈଶ୍ୱରଙ୍କର ସାମ୍ରାଜ୍ୟ ମଣିଷପାଇଁ ଚିରକାଳ ଲାଗି ଉନ୍ମୁକ୍ତ ରହିବ । ଏହାହିଁ ତାଙ୍କ କାଳଜୟୀ ବକ୍ତବ୍ୟର ସର୍ବୋତ୍ତମ ପରିପ୍ରକାଶ ।
ଏହା ପରେ ସେ ତାଙ୍କର ସୁଦୀର୍ଘ ଦେଢ଼ଘଣ୍ଟା କାଳ ଅବିରାମ ଗତିରେ ପ୍ରଦତ୍ତ ବକ୍ତବ୍ୟର ଚରମ ପର୍ଯ୍ୟାୟରେ ପହଞ୍ଚିଛନ୍ତି, ଯହିଁରେ ଉଦାତ୍ତ ଆଧ୍ୟାତ୍ମିକତା ଆଉ ସଂପ୍ରସାରିତ ମାନବିକତାର ପରିପ୍ରକାଶ ଘଟିଛି ।
"ବୋଧହୁଏ ପ୍ରକୃତରେ ସ୍ୱଳ୍ପ କେତେକ ଦୀର୍ଘଜୀବୀ ଓଡ଼ିଆଙ୍କ ମଧ୍ୟରେ ମୁଁ ଅନ୍ୟତମ । ଜୀବନର ଅନ୍ତିମ ବେଳାରେ ମୁଁ ଗୋଟିଏ ମାତ୍ର ଶ୍ରେୟସ୍କର ବଚନ ଶୁଣାଉଛି-
ଆମ୍ଭେମାନେ ଭାରତରେ ସବୁଠାରୁ ଅଧିକ ଆଇନ ଆଚରଣ କରୁଥିବା ଜାତି ରୂପରେ ସୁପରିଚିତ । ଭଗବାନଙ୍କ ସହିତ ସମନ୍ୱିତ ହୁଅ । କର୍ତ୍ତବ୍ୟର ଆହ୍ୱାନରେ ସଂଗ୍ରାମ କରିଚାଲ । ଅନ୍ୟ ଜାତିମାନଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ତ‌ତ୍ପର ହୁଅ । ପୁଣି ସେହିଦିନ ଆସିବ, ଯେତେବେଳେ ତୁମ୍ଭମାନଙ୍କୁ କର୍ତ୍ତବ୍ୟ ସଂପାଦନର ହିସାବ ପ୍ରଦାନ କରିବାକୁ ପଡ଼ିବ । ତୁମେ ଯଦି ଜଗତର ମଂଗଳ ସାଧନ କରିଥାଅ, ସେହି ବିଧାତା ପୁରୁଷ ଆସି କହିବେ ହେ, ମୋର ସନ୍ତାନ, ମୋର ସମୀପକୁ ଆସ । ମୁଁ ତୁମକୁ ଜୀବନର ମହିମାମଣ୍ଡିତ ମୁକୁଟ ପିନ୍ଧାଇ ଦେବି ।"

ଆହାଃ ! ସମାପ୍ତ ହୋଇଗଲା ସେହି ଯୁଗାନ୍ତକାରୀ ବକ୍ତବ୍ୟର ଅଫୁରନ୍ତ ଅବତରଣ, ଯାହା ଅକ୍ଷୟ ଶିଳାଲିପି ଭଳି ଉତ୍‍କୀର୍ଣ୍ଣ ହୋଇ ରହିବ ଓଡ଼ିଆ ଜାତୀୟତାର ଉଦ୍ଦାମ ଇତିହାସରେ । ବହୁ ଅନନ୍ୟ ଅନାଲୋଚିତ ତଥ୍ୟ ଉନ୍ମୀଳିତ ହୋଇଥିଲା, ସେହି ବକ୍ତବ୍ୟ ମାଧ୍ୟମରେ, ଯାହା ଏହି ପ୍ରଦେଶ ଗଠନର ଗତିପଥକୁ ମାର୍ଗଦର୍ଶନ ଆଉ ଦିଶା ନିର୍ଦ୍ଦେଶ କରିଥିଲା । ଏହାଥିଲା ମଧୁସୂଦନଙ୍କର ଓଡ଼ିଆ ଜାତି ପ୍ରତି ଅନ୍ତିମ ଅଭିଭାଷଣ । ଏହି ଭାଷଣର ଏକ ସମ୍ବତ୍ସର ପୂରଣ ନହେଉଣୁ, ତାଙ୍କର ତିରୋଧାନ ଘଟିଥିଲା ୧୯୩୪ ସାଲର ଫେବ୍ରୁଆରି ୪ ତାରିଖରେ । ସେ ଥିଲେ ସମସ୍ତ ସଂକୀର୍ଣ୍ଣତାର ଉର୍ଦ୍ଧ୍ୱରେ ଏକ ମହିମାନ୍ୱିତ ବିଶ୍ୱମାନବୀୟ ବ୍ୟକ୍ତିତ୍ୱ । ଏହା ହିଁ ତାହାଙ୍କର ନିଜସ୍ୱ ପରିଚୟ ।


ତାହାଥିଲା ଅତ୍ୟନ୍ତ ମେଘମୁକ୍ତ ମଧୁଝରା ଶୁଭ୍ର ତାରକିତ ତିଥି । ଭଗ୍ନ ବାରବାଟୀ ଦୁର୍ଗର ପରିଖା ଡେଇଁ ବିସ୍ତୀର୍ଣ୍ଣ ମହାନଦୀର ଜଳରାଶିର ଅନ୍ତରାଳରୁ ଉଦିତ ହୋଇଛି଼ ପୌଣ୍ଡମାସର ଶଶି । ତା'ର ରକ୍ତିମ ଆଭା ବିଛୁରିତ ହୋଇଛି ବାରବାଟୀ ବକ୍ଷରେ ।

ଐତିହାସିକ ଏ ଦୁର୍ଗ ବାରବାଟୀ
ବୀର ରକ୍ତ ପିଣ୍ଡେ ଗଢ଼ା ଯା'ର ମାଟି
ବାରବାଟୀ ଯହିଁ ମନ ସ୍ମୃତି ପୋତେ
ବହିଯାଏ ପ୍ରତିଲୋମେ କାଳସ୍ରୋତେ ।

(ରାଧାନାଥ)


କ୍ରମେ ଦେବଦାରୁ ବୃକ୍ଷଗୁଡିକ ହୋଇ ଉଠିଛନ୍ତି ଧବଳଐଶ୍ୱର୍ଯ୍ୟରେ ମହିମାମୟ । ଅସଂଖ୍ୟ ପତ୍ରର ରନ୍ଧ୍ର ଦେଇ ଝରିପଡ଼ୁଛି ବିନ୍ଦୁବିନ୍ଦୁ ଜ୍ୟୋତ୍ସ୍ନା ।
ତାହାଥିଲା ୧୯୩୪ର ଶୀତଋତୁ, ଜାନୁଆରି ତିରିଶି ତାରିଖ । ମଧୁସ୍ମୃତିର ୨ୟ ମହଲାରେ ଶାୟିତ ମଧୁସୂଦନ । ନିର୍ନିମେଷ ନୟନରେ ଚାହିଁରହିଛନ୍ତି ସମ୍ମୁଖର ଟେନିସ୍‍ ପଡ଼ିଆକୁ, ଜ୍ୟୋତ୍ସ୍ନାର ଲହରିତ ପ୍ଳାବନକୁ । ସୁନୀଳ ଆକାଶରେ ଖଣ୍ଡିଏ ଖଣ୍ଡିଏ ଚହଲା ମେଘର ଉତ୍ତରୀ ଭାସି ଚାଲିଛି ଜ୍ୟୋତ୍ସ୍ନା ଆଲୁଅରେ ହକାଳି ହୋଇ, ପ୍ରଲମ୍ବିତ ଛାୟାପାତ ଢାଙ୍କି ରଖିଛି ମଧୁସ୍ମୃତିର ଉତ୍ତୁଙ୍ଗ ପ୍ରାସାଦକୁ । ଏହା ସହିତ ଅଚ୍ଛେଦ୍ୟ ଭାବେ ନିବଦ୍ଧ ରହିଥିବା ମଧୁସୂଦନଙ୍କ ସ୍ମୃତିର ଗନ୍ତାଘର କ୍ରମେ ଉନ୍ମୋଚିତ ହେଉଛି । ହଁ ଏହି ମଧୁସ୍ମୃତି ପରିଣତ ହୋଇଯାଇଥିଲା ମହିମାନ୍ୱିତ ତୀର୍ଥ କ୍ଷେତ୍ରରେ ୧୯୨୫ ସାଲର ଅଗଷ୍ଟ ୧୯ ଆଉ ୨୦ ତାରିଖରେ, ଯେଉଁ ଦୁଇଦିନ ମହାତ୍ମାଗାନ୍ଧୀ

ଉତ୍କଳ ଟ୍ୟାନେରି ପରିଦର୍ଶନ ଅବସରରେ ଅବସ୍ଥାନ କରିଥିଲେ ଏଠାରେ । ମାତ୍ର ଠିକ୍‍ ଏହାର ଦୁଇମାସର ବ୍ୟବଧାନରେ ମଧୁସ୍ମୃତି ଉପରେ ଡିଗ୍ରୀ ଜାରି ହୋଇଥିଲା ୨୫.୧୦.୧୯୨୫ରେ

ମାତ୍ର ୨୫,୦୦୦ ଟଙ୍କାର ପାରଳା ମହାରାଜାଙ୍କ ବକେୟା ଦେୟ ବାବଦକୁ । ଓଡ଼ିଶା ଦେଶ ମିଶ୍ରଣ ଆନ୍ଦୋଳନର ଆଦ୍ୟ ଯଜ୍ଞଶାଳା ଆଉ ଓଡ଼ିଶାର ଦ୍ୱିତୀୟ ଦୁର୍ଗ ବାରବାଟୀର ଅଧ୍ୟକ୍ଷ ମଧୁସୂଦନ ସେହିଦିନ ଗୃହବାନ ସ୍ଥିତିରୁ ଗୃହହୀନ ଅନିକେତ ଅବସ୍ଥାକୁ ପ୍ରାପ୍ତ ହୋଇଥିଲେ । ସେହିଦିନ ଶୈଳବାଳାଙ୍କର ମଧ୍ୟମ ଭ୍ରାତା ଚନ୍ଦ୍ର କୁମାର ହାଜରା ଡିଗୀଟାକୁ ୨୫, ୦୦୦ ଟଙ୍କାରେ କିଣି ନେଇଥିଲେ । ଆଉ ନିଦାରୁଣ ଭାଗ୍ୟର କ୍ରୀଡ଼ନକ ମଧୁସୂଦନ ସେହି ଦିନଠାରୁ ବାସ କରୁଥିଲେ ମଧୁସ୍ମୃତିରେ, ଏକମାତ୍ର ଅଲଂଘ୍ୟ ସର୍ତ୍ତରେ, ଭଡ଼ାଦାତା ଭାବରେ ମାସିକ ଅଢେ଼ଇ ଶହ ମୁଦ୍ରା ବିନିମୟରେ ।
କ୍ରମେ ଉତ୍ତରା ପବନଟି ବହିଥିଲା ଉତ୍ତଳା ହୋଇ ଆଉ ତାହାରି ଆଘାତରେ ଭସାମେଘ ସବୁ ନିରୁଦ୍ଦିଷ୍ଟ ହୋଇଗଲେ । କ୍ଷଣକ ମଧ୍ୟରେ ଜ୍ୟୋତ୍ସ୍ନାର ପ୍ଳାବନ ମଧୁସ୍ମୃତିକୁ ରୂପାନ୍ତରିତ କରିଥିଲା ମହୋତ୍ସବରେ । ହେଲେ ତାହା ଥିଲା ସ୍ୱଳ୍ପକାଳ ସ୍ଥାୟୀ । ମଝିରେ ମଝିରେ ଜାଡ଼ୁଆ ପବନ ବହି ଚାଲିଥିଲା ଉଚ୍ଚାଟ ହୋଇ । କୁହେଳିର ଘନ ଆସ୍ତରଣ ଆକ୍ରାନ୍ତ କରିଦେଲା ସମସ୍ତ ପରିବେଶକୁ, ମଧୁସ୍ମୃତିକୁ ନିରୁଦ୍ଦିଷ୍ଟ କରି । ମଧୁସୂଦନ ଚାହିଁ ରହିଛନ୍ତି ସେହି ଝାପ୍‍ସା କୁହେଳି ମଧ୍ୟରେ ଲୁକ୍କାୟିତ ମଧୁସ୍ମୃତିକୁ ଆଉ ତାହାରି ଭିତରେ ସ୍ମୃତିର ପ୍ରବାହ ବହି ଚାଲିଛି ଅତୀତକୁ ରୋମନ୍ଥନ କରି । ତାହାଥିଲା ୨୨.୧୧.୧୯୨୬ ତାରିଖ । ମଧୁସୂଦନଙ୍କ ଜୀବନରେ ସେହି ଦିବସଟି ଥିଲା ଘନକାଳିମାରେ ଆବରିତ ବେଦନାବିଦ୍ଧ ଅଲଂଘ୍ୟ ଦିନ, ଯହିଁରେ କ୍ରମାଗତ କଷଣ ଆଉ ବିଷାଦର ଦୁର୍ନିବାର ଯାତନା ବହି ଚାଲିଥିଲା କୁହେଳିର ଆବର୍ତ୍ତନ ପରି । ତାହାରି ପ୍ରଚ୍ଛଦପଟ୍ଟରେ କ୍ରମଶଃ ଉଦୀପ୍ତ ହୋଇ ଆସୁଥିଲା ତାଙ୍କ ଜୀବନର ସବୁଠାରୁ କ୍ଲେଶଦାୟକ ଶୋକାକୂଳ ମୁହୂର୍ତ୍ତଟି । ସମଗ୍ର ଦେଶରେ ଦଳିତ ଜାତିର ଅର୍ଥନୈତିକ ସଂସ୍ଥାପନ ଲାଗି ପ୍ରତିଷ୍ଠିତ ପ୍ରଥମ ଉଦ୍ୟୋଗ 'ଉତ୍କଳ ଟ୍ୟାନେରି' ଯାହା ମହାତ୍ମାଗାନ୍ଧୀଙ୍କୁ ଦିଗ୍‍ଦର୍ଶନ ଦେଇଥିଲା, ତାହା ଚିରକାଳ ଲାଗି ବିଲୁପ୍ତ ହୋଇଗଲା । ଉତ୍କଳ ଟ୍ୟାନେରିର ପ୍ରକୃତ ମୂଲ୍ୟ୨.୫୦ ଲକ୍ଷ ଟଙ୍କା ଥିଲାବେଳେ, ତାହା ମାତ୍ର ୬୨,୦୦୦ ଟଙ୍କାରେ ନିଲାମ ହୋଇଗଲା ୨୨.୧୧.୧୯୨୬ରେ, ଯାହା ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ଦାରୁଣ ଭାବରେ ମର୍ମାହତ କରିଥିଲା । ଜ୍ୱାଳା ଆଉ ଯନ୍ତ୍ରଣାରେ ମଧୁସୂଦନ ସଂଜ୍ଞାହୀନ ହୋଇ ପଡ଼ି ରହିଲେ ଦୀର୍ଘ ଛଅଘଣ୍ଟା କାଳ । ମାତ୍ର ସଂଜ୍ଞାପ୍ରାପ୍ତ ହେବାବେଳକୁ ବିଷାଦର କାଳିମା ଅନ୍ତର୍ହିତ ହୋଇଯାଇଥିଲା । ସେହି ଉଦାତ୍ତ ମହତ୍ତର ଶକ୍ତି ନିକଟରେ ସମର୍ପିତ ଆବେଦନରେ ସେ ଯେପରି ଫେରିପାଇଥିଲେ ଅସୀମ ତିତିକ୍ଷା ଆଉ ଉତ୍ତରଣର ଅନୁତ୍ତରିତ ଜିଗୀଷା ।
ମଧୁସ୍ମୃତି ଉପରୁ କୁହେଳିର ଆସ୍ତରଣ ହଟିଗଲା, ଆଉ ଜ୍ୟୋତ୍ସ୍ନାର ଆବର୍ତ୍ତନରେ ଉଦ୍‍ବେଳିତ ପବନଟି ବହି ଆଣିଥିଲା ପ୍ରସ୍ଫୁଟିତ ଆମ୍ର ବକୁଳର ଭୁରୁଭୁରୁ ଗନ୍ଧ । ମାତ୍ର କିଛିକ୍ଷଣଲାଗି । ପର ମୁହୂର୍ତ୍ତରେ ପୁଣି ବହି ଆସିଲା କୁହେଳିର ନିବିଡ଼ ଆବରଣ । ଆଉ ତାହାରି ପ୍ରଚ୍ଛଦ ପଟ୍ଟରେ ମଧୁସୂଦନଙ୍କର ସ୍ମୃତିର ଗବାକ୍ଷଟି ଯେପରି ଫିଟିପଡ଼ିଲା ଏକ ମର୍ମନ୍ତୁଦ ବିଷାଦଭରା ଘଟଣାପ୍ରବାହକୁ ରୂପାୟିତ କରି । ତାହା ଥିଲା ୪.୮.୧୯୨୭ର ଶୋକାର୍ତ୍ତ ମୁହୂର୍ତ୍ତଟି । ହଁ, ସେହିଦିନ ମଧୁସୂଦନ ଉଦ୍‍ଘୋଷିତ ହୋଇଥିଲେ ଦେଓ୍ୱାଳିଆ ଭାବରେ । ଆଇନର ପରିପ୍ରେକ୍ଷୀରେ ସେ ଚିହ୍ନିତ

ହୋଇଗଲେ ଅପାଂକ୍ତେୟ ବ୍ୟକ୍ତି ଭାବରେ, ଯାହାଙ୍କର ଆୟର ସମସ୍ତ ପନ୍ଥା ନିରୁଦ୍ଦିଷ୍ଟ ହୋଇଗଲା । ଦାରୁଣ ବିପର୍ଯ୍ୟୟର ମୁହୂର୍ତ୍ତରେ, ସେ ଅତ୍ୟନ୍ତ ବିସ୍ମୟକର ଭାବରେ ଥିଲେ, ସ୍ଥିତପ୍ରଜ୍ଞ । କିଛିଦିନ ପରେ ହାଇକୋର୍ଟକୁ ଆବେଦନ କରି ପୁନରାୟ ଓକିଲାତି କରିବାପାଇଁ ଅନୁମତି ପ୍ରାପ୍ତ ହେଲେ ।
ମହାତ୍ମାଗାନ୍ଧୀ ୧୯୨୭ ସାଲର ଡିସେମ୍ବର ମାସରେ ଖଦୀ କାର୍ଯ୍ୟ ପରିଦର୍ଶନ ପାଇଁ ଓଡ଼ିଶା ଗସ୍ତକାଳରେ ଉଚ୍ଚ ରକ୍ତଚାପଯୋଗୁଁ ଅଠରରୁ ଏକୋଇଶି ତାରିଖ ପର୍ଯ୍ୟନ୍ତ ମଧୁସ୍ମୃତିରେ ଅବସ୍ଥାନ କରିଥିଲେ । ମଧୁସୂଦନଙ୍କ ଶୁଶ୍ରୂଷାରେ ସେ ଅଚିରେ ଆରୋଗ୍ୟ ଲାଭ କରିଥିଲେ ।
ଏହାର ଠିକ୍‍ ବର୍ଷକ ପରେ, ମଧୁସୂଦନଙ୍କର ପରାମର୍ଶରେ ୧୨.୧୨.୧୯୨୮ରେ ପାଟଣାଠାରେ ଓଡ଼ିଶା ପ୍ରତିନିଧି ଦଳ ସାଇମନ୍‍ କମିଶନଙ୍କୁ ସ୍ୱାଗତ ଜଣାଇ ଦାବି ଉପସ୍ଥାପନ କଲେ । ଏହା ପରେ ସୁଦୀର୍ଘ ବାଇଶି ବର୍ଷ ଧରି ନିବୁଜ ରହିଥିବା ଓଡ଼ିଶା ପ୍ରଦେଶ ଗଠନର ଦ୍ୱାର ହଠାତ୍‍ ଉନ୍ମୋଚିତ ହେଲା । ପରବର୍ତ୍ତୀ ବେଳାଟି ଥିଲା ଦୁର୍ବାର ସଂଗ୍ରାମର ସମୟ । ୧୯୩୦ ରେ ଅଟଲି କମିଟିର ରିପୋଟ ଉପସ୍ଥାପନ, ୧୬.୧.୧୯୩୧ରେ ପ୍ରଥମ ଗୋଲଟେବୁଲ୍‍ ବୈଠକରେ ପାରଳା ମହାରାଜାଙ୍କର ଦାବି ସଂସ୍ଥାପନ, ୧୯୩୧-୩୨ରେ ଓଡ଼େନଲ୍‍ ସୀମା ନିର୍ଦ୍ଧାରଣ କମିଟିର ଅନୁସନ୍ଧାନ, ଆଉ ୨୪.୧୨.୧୯୩୨ରେ ତୃତୀୟ ଗୋଲ୍‍ଟେବୁଲ୍‍ ବୈଠକର ଅନ୍ତିମ ଦିବସରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାର ଉଦ୍‍ଘୋଷଣା ଆଉ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ୩.୭.୧୯୩୩ରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିରେ ଓଡ଼ିଶା ପ୍ରତିନିଧି ଦଳର ଦାବି ଉପସ୍ଥାପନା ପରେ ଓଡ଼ିଶା ପ୍ରଦେଶ ଗଠନର ସମ୍ଭାବନା କ୍ରମଶଃ ବାସ୍ତବ ରୂପ ପରିପ୍ରକାଶ କରିବାକୁ ଲାଗିଲା । ଏହି ସମୟଟି ଥିଲା ବିପୁଳ ଖର୍ଚ୍ଚ ଆଉ ଉପଚାରର ପର୍ବ ଯହିଁରେ ଅକୁଳାନ ଖର୍ଚ୍ଚର ପରିପୂରଣ କରିଥିଲେ ମଧୁସୂଦନ ତାଙ୍କର ସୀମିତ ଆୟର ପରିଧି ମଧ୍ୟରେ । ତାଙ୍କର ଅବକ୍ଷୟପ୍ରାପ୍ତ ଦୁର୍ବଳ ସ୍ୱାସ୍ଥ୍ୟ ଘେନି ୨୪.୬.୧୯୩୩ରୁ ୧୬.୧୦.୧୯୩୩ ମଧ୍ୟରେ ମଧୁସୂଦନ ପ୍ରାଶାସନିକ କମିଟିର ସଦସ୍ୟ ରୂପେ ଓଡ଼ିଶାର ସମସ୍ତ ଉପାନ୍ତ ଅଞ୍ଚଳ ପରିଭ୍ରମଣ କରିଥିଲେ । ଏଥିଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅପୂରଣୀୟ କ୍ଷତି ଘଟିଥିଲା । ବହିରାଗତ ସମ୍ଭ୍ରାନ୍ତ ଅତିଥିଙ୍କର ବ୍ୟୟବହୁଳ ଚର୍ଚ୍ଚା ସହିତ ମଧୁସୂଦନ ପ୍ରଦାନ କରିଥିଲେ, ୧୯୩୨ ସାଲର ପ୍ରଥମ ସପ୍ତାହରେ ଓଡ଼ନେଲ୍‍ କମିଟିକୁ ମଧୁସ୍ମୃତିରେ ବିଦାୟ ସମ୍ବର୍ଦ୍ଧନା ଓ ପ୍ରାଶାସନିକ କମିଟିର ଅଭ୍ୟର୍ଥନାରେ ଆବାହନୀ ଉତ୍ସବ । ୧୯୨୮ରୁ ୧୯୩୩ର ମଧ୍ୟଭାଗ ପର୍ଯ୍ୟନ୍ତ ଏହି ସଂଗ୍ରାମ କାଳରେ ସେ ଅକୁଳାନ ଖର୍ଚ୍ଚ କରି ଚାଲିଥିଲେ । ମାତ୍ର ୧୯୩୩ ସାଲର ଅକ୍ଟୋବର ମାସରୁ ଅତ୍ୟନ୍ତ ଶୀର୍ଣ୍ଣ ଶରୀର ଓ ଦୁର୍ବଳ ସ୍ୱାସ୍ଥ୍ୟ ଘେନି ସେ ଆଉ କଚେରିକୁ ଯାତାୟାତ କରିବା ସଂଭବ ହେଲାନାହିଁ । ସେ ବହୁ ସମୟରେ ଶଯ୍ୟାଶାୟୀ ହୋଇ ରହୁଥିଲେ । ଆୟର ସମସ୍ତ ପନ୍ଥା ତିରୋହିତ ହୋଇଗଲା । ପୂର୍ବବେଳର ଅତ୍ୟଧିକ ଖର୍ଚ୍ଚ ତାଙ୍କୁ କିଛିପରିମାଣରେ ଦାୟଗ୍ରସ୍ତ କରିଥିଲା । କଚେରିରୁ ଆଉ ଆୟ ପାଇବା ଅସମ୍ଭବ ଥିଲା ।
ଜ୍ୟୋତ୍ସ୍ନାର ଉତ୍ତାଳ ଲହରୀମାଳା ମଥାପିଟି ଚାଲିଛନ୍ତି ମଧୁସ୍ମୃତିର ପରିସର ମଧ୍ୟରେ । ହଠାତ୍‍ ଆକାଶରେ ଭାସି ଯାଉଥିବା ମେଘମାଳା ସବୁ ଜମାଟ ବାନ୍ଧିଛନ୍ତି ଆଉ ଉନ୍ମାଦ ପବନ ବହି

ଚାଲିଛି ଆନମନା ହୋଇ । ମେଘଛପା ଆକାଶରୁ ଝରିପଡ଼ୁଛି ବାରିପାତ । ଘନ ବରଷାର ମନ୍ଦ୍ରଧ୍ୱନି ଆବରିତ ହୋଇଛି ସର୍ବତ୍ର । ମଧୁସୂଦନଙ୍କର ସ୍ମୃତିର ଫରୁଆରୁ ଉନ୍ମୋଚିତ ହେଉଛି ଅଛିଣ୍ଡା ଘଟଣାର ଖିଅସବୁ , ଯାହା ଛନ୍ଦି ହୋଇ ଯାଇଛି, ସମୟର ବୁଣାଜାଲରେ ।
୧୯୩୪ ସାଲର ଜାନୁଆରି ଆରମ୍ଭରୁ ମଧୁସୂଦନଙ୍କର ସ୍ୱାସ୍ଥ୍ୟ କ୍ରମଶଃ ଅବନତି ଆଡ଼କୁ ଗତିକରିଛି । ପାଖରେ ରହୁଥାନ୍ତି ପୂର୍ବତନ ମହିଳା ଆଇନଜୀବୀ, ପରବର୍ତ୍ତୀ କାଳରେ ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁବାଳା ହାଜରା ଆଉ ରହଥାନ୍ତି ବିଶ୍ୱସ୍ତ ପରିଚାରକ ହାଡ଼ିବନ୍ଧୁ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ । ଏହି ସମୟରେ ଜାନୁଆରି ୧୬ ତାରିଖରେ ବିହାରରେ ହୋଇଥିଲା ମର୍ମନ୍ତୁଦ ଭୂମିକମ୍ପ, ଯାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଏହାର କିଛିଦିନ ପରେ ଶ୍ରୀ ମନ୍ଦିରରେ ବଡ଼ଠାକୁର, ତାଙ୍କ ଆସ୍ଥାନରୁ ଖସି ପଡ଼ିଲେ, ଯାହା ଥିଲା ଏକ ଅଶୁଭ ସଙ୍କେତ । ରୋମ ସାମ୍ରାଜ୍ୟର ଅଧୀଶ୍ୱର ଜୁଲିଏସ୍‍ ସିଜରଙ୍କ ମୃତ୍ୟୁକାଳ ପୂର୍ବରୁ ପ୍ରାକୃତକ ବିତ୍ପାତ ପରି ଏହା ଯେପରି ସୂଚିତ କରୁଥିଲା ଏକ ଦୁର୍ବିପାକ । ମଧୁସୂଦନଙ୍କର ଦ୍ରୁତ ସ୍ୱାସ୍ଥ୍ୟହାନି ପ୍ରଚାରିତ ହେଲା ସର୍ବତ୍ର ସୁଧାଂଶୁବାଳାଙ୍କଠାରୁ ତାର ପାଇ ଶୈଳବାଳା ଜାନୁଆରି ୨୨ ତାରିଖରେ ପାଟଣାରୁ ଆସି କଟକରେ ପହଞ୍ଚିଲେ । ମଧୁସୂଦନ ତାଙ୍କୁ କହିଲେ, "ମୋର ବାହୁଡାଣି ବେଳ ଆସି ଉପସ୍ଥିତ ହେଲାଣି, ତୁମେ ନ ଆସିଥିଲେ ମୋତେ ପାଟଣା ଯାଇ ବିଦାୟ ନେବାକୁ ପଡ଼ିଥାନ୍ତା । ଭୂମିକମ୍ପ କ୍ଷତିଗ୍ରସ୍ତ ଅଞ୍ଚଳରେ କିଛି ସେବା ପ୍ରଦାନ କରିବାକୁ ହୋଇଥାନ୍ତା । ତାହା ଥିଲା ମୋ' ପାଇଁ ଅନିବାର୍ଯ୍ୟ କର୍ତ୍ତବ୍ୟ, ଯାହା ପାଳନ ନ କରିବା ମୋ' ପାଇଁ ହୋଇଥାନ୍ତା ଅକୃତଜ୍ଞତା । ମାତ୍ର ମୋର ଏହି ଅବସ୍ଥାରେ ତାହା ସଂଭବ ହୋଇ ନଥାନ୍ତା । ଏହା ପରେ ଶୈଳବାଳାଙ୍କୁ ମହିଳା ମହଲରୁ କିଛି ଚାନ୍ଦା ସଂଗ୍ରହ କରି ବିହାରକୁ ପଠାଇବାପାଇଁ ନିର୍ଦ୍ଦେଶ ଦେଇ ନିଜର ଆବଶ୍ୟକୀୟ ସାହାଯ୍ୟ ଶୈଳବାଳାଙ୍କୁ ପ୍ରଦାନ କଲେ । ଆପଣାର ଅନ୍ତରଂଗ ବଂଧୁ ସଚ୍ଚିଦାନନ୍ଦ ସିହ୍ନାଙ୍କୁ ବିହାର ଭୂମିକମ୍ପ ଉପଲକ୍ଷେ ସମବେଦନା ଆଉ ସହୃଦୟତାର ବାର୍ତ୍ତା ପ୍ରେରଣ କଲେ । ଏହି ଘଟଣାର ଦୁଇ ତିନିଦିନ ପରେ ଶୈଳବାଳାଙ୍କର ମଧ୍ୟମ ଭ୍ରାତା ଚନ୍ଦ୍ର କୁମାର ହାଜରା ମେଦିନୀପୁର ଆଉ କନିଷ୍ଠ ଭ୍ରାତା ଉଦ୍ୟୋଗପତି ଜିତେନ୍ଦ୍ର କୁମାର କଲିକତାରୁ ଆସି ପହଞ୍ଚିଲେ ।
ହେ ପାଠକ ବର୍ଗ ! ଏହିଠାରେ କ୍ରମାଗତ ଧାରାବାହିକ ବକ୍ତବ୍ୟକୁ ସ୍ଥଗିତ ରଖି ପୁଣି ଯିବା ୧୯୨୭ ସାଲର ବି.ସି. ମୁଖାର୍ଜୀ ଆଇ.ସି.ଏସ୍‍ଙ୍କର ସ୍ମୃତିଚାରଣକୁ-
ନୀଳମଣି ସେନାପତିଙ୍କ ସହ ମୁଁ ୧୯୨୭ ସାଲରେ ଓଡ଼ିଶାର କୁଳବୃଦ୍ଧ ମଧୁସୂଦନ ଦାସଙ୍କୁ ଭେଟିବାକୁ ଯାଇଥିଲି ।
ପ୍ରଥମ ଦର୍ଶନରେ ତାଙ୍କର ବୟସାଧିକ୍ୟ ଆଉ ଦୁର୍ବଳ ଶରୀର ମଧ୍ୟରେ ଅଦ୍‍ଭୁକ୍ତ ଶକ୍ତି ଓ ପ୍ରଖର ମାନସିକ ଜାଗରୁକତାର ପରିଚୟ ପାଇଥିଲି । ତାଙ୍କର ବାଳ ପାଚି ଯାଇଥିଲା, ଶରୀରଟି ଜରାଜୀର୍ଣ୍ଣ ହୋଇଯାଇଥିଲା । ମାତ୍ର ସେ ଯେତେବେଳେ କହିବାକୁ ଆରମ୍ଭକଲେ ତାଙ୍କର

ଆଖିଦୁଇଟି ଜ୍ୱଳନ୍ତ ଅଂଗାରର ପ୍ରଜ୍ୱଳିତ ଦୀପ୍ତିରେ ଉଦ୍‍ଭାସିତ ହୋଇଉଠିଲା । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବାରୁ ସେ କହିଲେ, ମୋର କାନ୍ଧ ତଳଠାରୁ ଶରୀରଟି କେଉଁଦିନୁ ମରିସାରିଛି । ମାତ୍ର କେବଳ ମଥାଟି ଜୀବନ୍ତ ରହିଛି । ହଁ ସେହି ମଥା ଭିତରେ ଥିଲା ଅଦମ୍ୟ ଇଚ୍ଛାଶକ୍ତି ଆଉ ଅଦ୍‍ଭୁତ ମାନସିକତା, ଯାହା ତାହାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଥିଲା ।
ଆମେ ପୁଣି ଫେରିଯିବା ୧୯୩୪ ସାଲ ଜାନୁଆରି ମାସ ତିରିଶି ତାରିଖର ସେହି ଅତିକ୍ରାନ୍ତ ସାୟାହ୍ନକୁ । ସେହି ଉତ୍ଥଳ ବାରିପାତ ଯେପରି ଥମିବାର କୌଣସି ସୂଚନା ନଥିଲା । ମଧୁସୂଦନଙ୍କ ଶୟନ କକ୍ଷରେ ଆଳାପରତ ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ଥିଲେ ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ସ୍ୱାମୀ ବିଚିତ୍ରାନନ୍ଦ ଦାସ ପ୍ରମୁଖ । ଆଲୋଚନା ଚାଲିଥିଲା କିପରି କିଛି ସାହାଯ୍ୟ ସଂଗ୍ରହକରି ବିହାରର ଭୂକମ୍ପ ପୀଡ଼ିତମାନଙ୍କୁ ପ୍ରେରଣ କରିବା ଏବଂ କିଛି ସ୍ୱେଚ୍ଛାସେବକଙ୍କୁ ବିହାର ପଠାଇବା ସଂପର୍କରେ । ସେଥିପାଇଁ କିଛି କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ ହୋଇଥିଲା । କ୍ରମେ ବରଷା ଥମିଗଲା, ଜଣଜଣ ହୋଇ ଭଦ୍ରବ୍ୟକ୍ତିଗଣ ନିର୍ଗତ ହେଲେ । ମଧୁସୂଦନଙ୍କ ଶୟନ କକ୍ଷ - ବିଳାସବ୍ୟସନର ସାମାନ୍ୟ ମାତ୍ର ସଂକେତ ନଥିଲା । ପ୍ରବଳ ଗ୍ରୀଷ୍ମରେ ମଧ୍ୟ ପଙ୍ଖା ଚାଲେ ନାହିଁ । ତାଙ୍କ ଚୌକିରେ ଗଦିର କୌଣସି ବ୍ୟବସ୍ଥା ନଥିଲା । ତାଙ୍କ ବ୍ୟଥାକ୍ଲିଷ୍ଟ ଜୀବନରେ ବିଳାସର କୌଣସି ସଂକେତ ନଥିଲା । ଯଦିଓ ଅତିଥିଶାଳାରେ ସେଥିଲାଗି ସମସ୍ତ ବ୍ୟବସ୍ଥା ଥିଲା । ମଧୁସୂଦନ ପଲଙ୍କ ଛାଡ଼ି ଶୟନ କରୁଥିଲେ ଫିତା ଖଟରେ, ଯହିଁରେ ଜମା ରହିଥିଲା କିଛି ତକିଆ ଆଉ ପ୍ରବଳ ଶୀତକୁ କାଟିବା ପାଇଁ ଖଣ୍ଡିଏ ଅବା ଦୁଇଖଣ୍ଡ କମ୍ବଳ । ମଧୁସୂଦନ ବର୍ଷବର୍ଷ ଧରି ରାତ୍ରିଭୋଜନ ବିରହିତ ଥିଲେ । ଗଲା କିଛିମାସ ଧରି ମଧ୍ୟ ସେ ପୁଷ୍ଟିକର ଖାଦ୍ୟ ନେବାରୁ ବଂଚିତଥିଲେ । ଏହାର ମନ୍ଦ ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ଅଶେଷ କ୍ଷତି ପହୁଞ୍ଚାଇଥିଲା ।
ଶୟନ କକ୍ଷରେ ହାଡ଼ିବନ୍ଧୁ ସେବାରତ ଥିଲେ । ପହଞ୍ଚିଲେ ବାରିଷ୍ଟର ଚନ୍ଦ୍ର କୁମାର ଆଉ କ୍ଷଣକ ପରେ ଆସିଲେ ସୁଧାଂଶୁବାଳା । ଅବଶେଷରେ ଆସି ପହଞ୍ଚିଲେ ଶୈଳବାଳା ଗ୍ଲାସ୍‍ରେ କିଛି ହରଲିକ୍ସ ଆଉ ପ୍ଲେଟ୍‍ରେ ଦୁଇଖଣ୍ଡ ବାଇଗଣ ସିଝା ଧରି । ସମୟ ଅତିକ୍ରାନ୍ତ ହେଲାଣି । ସର୍ବତ୍ର ନୀରବତାର ରାଜୁତି । ସ୍ତବ୍ଧତାର ପରିବେଶରେ ଆଣ୍ଠୁମାଡ଼ି ମଧୁସୂଦନଙ୍କର ଦୀର୍ଘ ଜୀବନ କାମନା କରି ପ୍ରାର୍ଥନା କରୁଥିଲେ ଚନ୍ଦ୍ର କୁମାର ଆଉ ଅନ୍ୟ ପକ୍ଷରେ ସୁଧାଂଶୁବାଳା ।
ଶୈଳବାଳାଙ୍କ ବହୁ ଅନୁନୟ ପରେ କେବଳ ମାତ୍ର ଦୁଇଚାମଚ ହର୍ଲିିକ୍ସ ପିଇଲେ ମଧୁବାବୁ । ମାତ୍ର ବାଇଗଣ ସିଝା ଖଣ୍ଡିଏ ନନେବା ପାଇଁ ଜିଦ୍‍ ଧରି ବସିଲେ । ଶୈଳବାଳା ବହୁ ଅନୁରୋଧ କରି କହିଲେ,"ନଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି କିପରି ହେବ ଆଉ ଆପଣ ସବଳ କିପରି ହେବେ ?
"ହଁ, ମୁଁ ଖାଇବି ଯେ, ମୁଁ କ'ଣ ନିଜ ରୋଜଗାରରେ ଚଳୁଛି ?" ମଧୁସୂଦନ ପ୍ରଶ୍ନକଲେ । ହଁ, ଆପଣ ତ ନିଜ ରୋଜଗାରରେ ଚଳୁଛନ୍ତି ।" ଶୈଳବାଳା କହିଲେ ।

ନା, ମୁଁ ତ ଆଉ ରୋଜଗାର କରିପାରିବି ନାହିଁ । ଆଉ କାହିଁକି କାହା ଉପରେ ବୋଝ ହୋଇ ରହିବି ? ନା, ମୋର ଯିବାର ସମୟ ଆସି ଉପନୀତ ହେଲାଣି ।" ମଧୁଦସୂଦନ କହିଲେ ଧୀର ଆଉ ସମାହିତ କଣ୍ଠରେ, ଯହିଁରେ ଉତ୍କଣ୍ଠାର ସାମାନ୍ୟ ମାତ୍ର ସ୍ପର୍ଶ ନ ଥିଲା । ମଧୁସୂଦନ ପ୍ରକୃତରେ ଥିଲେ ସ୍ଥିତପ୍ରଜ୍ଞ । ପରିବେଶ ହୋଇଗଲା ଶୋକାକୁଳ ଆଉ ଅଶ୍ରୁବିଜଡ଼ିତ । ଅନୁତ୍ତରିତ ରହିଗଲା ସମସ୍ତ ପରିସ୍ଥିତି । ଦୀର୍ଘକାଳ ଧରି ଆଣ୍ଠୁମାଡ଼ି ବସି ପ୍ରାର୍ଥନା କରୁଥିବା ଚନ୍ଦ୍ର କୁମାରଙ୍କର ଆଖିରେ ଆସିଗଲା ଲୁହର ବନ୍ୟା, କଣ୍ଠରେ କୋହଭରା ଦୀର୍ଘଶ୍ୱାସ ।
ଜାନୁଆରି ୩୧ ତାରିଖର ସକାଳ । ରାତ୍ରିର ଜଡ଼ତା କାଟିଦେଇ ସୂର୍ଯ୍ୟ ଉଇଁଲେ । ଆଲୋକର ଝଲସା କିରଣରେ ଗଛଲତାସବୁ ଚହଟି ଉଠଲେ । ହେଲେ ସକାଳର ଶୀତୁଆ ପବନ ଯେପରି ରକ୍ତକୁ ଜଡୀଭୂତ କରିପକାଉଥାଏ । ସତେଜ ଥିଲେ ମଧୁସୂଦନ । ତାଙ୍କ ଅସୁସ୍ଥତାର ଖବର ପାଇ ସତ୍ୟଭାମାପୁର ଅଞ୍ଚଳର କିଛି ମହିଳା ଆସି ପହଞ୍ଚିଲେ ଆଉ ଅତ୍ୟନ୍ତ ଶଙ୍କାଗ୍ରସ୍ତ କଣ୍ଠରେ ପଚାରିଲେ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ । ମଧୁସୂଦନ ଉତ୍ତର ଦେଲେ, "ମୋର ହାତରେ ଆଉ କ'ଣ ବା ଅଛି ?' ସବୁ ତାଙ୍କରି ନିର୍ଦ୍ଦେଶ । ହେଲେ ଉତ୍କଟ ଯଂତ୍ରଣାର ପରିପ୍ରକାଶ କରି କହିଲେ-
ଆଉ ଦିନକାଳ ଆସିବ
ବାଉଁଶ ଗଛରେ ମଳୟ ବହିଲେ
ତାହାକି ଚନ୍ଦନ ହୋଇବ ?
ଦିନ ଏଗାରଟା । ଡାକବାଲା ଆସି ବଢାଇଦେଲା ଗୋଟିଏ ରେଜେଷ୍ଟ୍ରି ଚିଠି । ପାଖରେ ବସିଥାନ୍ତି ଶୈଳବାଳା । ଚିଠିଟି ଖୋଲି ଶୈଳବାଳା ମଧୁସୂଦନଙ୍କ ହାତକୁ ବଢ଼ାଇଦେଲେ । ମଧୁସୂଦନ ତନ୍ନତନ୍ନ କରି ଚିଠିଟି ପଢ଼ିଲେ, ସ୍ମିତହାସ୍ୟର ଲହରୀ ଖେଳିଗଲା । ଉଲ୍ଲାସଭରା କଣ୍ଠରେ କହିଲେ, "ହେ ଶୈଳ ! ତୁମେ ପରା କୁହ ଭଗବାନ ନାହାନ୍ତି ବୋଲି ? ଭଗବାନ ଏକାନ୍ତଭାବେ କରୁଣାମୟ । ମାସେ ତଳେ ସେ କେଉଟ ସାହିରେ ଗୋଟିଏ ଟ୍ୟୁବ୍‍ ଓ୍ୱେଲ୍‍ ବସାଇବାପାଇଁ ସାହିବାଲାକୁ ପ୍ରତିଶ୍ରୁତି ଦେଇଥିଲି ଆଉ ମ୍ୟୁନିସିପାଲିଟି ଚେୟାରମ୍ୟାନ ଭାଗୀରଥି ମହାପାତ୍ରଙ୍କୁ ଜଣାଇଥିଲି । ଦେଖତ ଶୈଳ ! ମୋର କଥା ରକ୍ଷା କରିବାପାଇଁ ପରମ ପିତା ଏହି ଡ୍ରାଫ୍‍ଟଟି ପଠାଇଦେଇଛନ୍ତି ପୁରୁଣା ବକେୟା ଦେୟ ବାବଦରେ । ଏହି ଡ଼୍ରାଫ୍‍ଟଟିକୁ ଉଠାଇବାର ବ୍ୟବସ୍ଥାକର ଆଜି । ଆଉ ମ୍ୟୁନିସ୍‍ପାଲିଟି ଚେୟାରମ୍ୟାନ୍‍ ମହାପାତ୍ର ବାବୁଙ୍କୁ ଖବର ଦିଅ, କାଲି ଆସି, ଏ ଟଙ୍କାଟା ନେଇଯିବେ ।
ସନ୍ଧ୍ୟା ନଇଁଆସିଲା । ଘଡ଼ିକ ପରେ କୃଷ୍ଣ ପ୍ରତିପଦାର ଜହ୍ନ ଉଇଁଲା ରାତି୍ରର ଅନ୍ଧକାରକୁ ବିଦୀର୍ଣ୍ଣ କରି । ଜ୍ୟୋତ୍ସ୍ନାର ଜୁଆର ଆସି ଲହଡ଼ି ଭାଂଗିଲା ମଧୁସ୍ମୃତିକୁ ରଜତ ଶୁଭ୍ର ଆଲୋକରେ ବିଧୌତ କରି । ଦେବଦାରୁ ଗଛର ଶାଖା ପ୍ରଶାଖା ଦେଇ ଝରି ପଡ଼ିଲା ଅଜଡ଼ା ଆଲୋକର କିରଣ ରାଶି । ସର୍ବତ୍ର ତିଳତଣ୍ଡୁଳିତ ଜ୍ୟୋତ୍ସ୍ନା ।

ତଳେ ଅପେକ୍ଷାରତ ଭଦ୍ରବ୍ୟକ୍ତି ସବୁ ଆସିଲେ ମଧୁସୂଦନଙ୍କ କକ୍ଷକୁ । ସେମାନେ ପହଞ୍ଚୁ ପହଞ୍ଚୁ ମଧୁସୂଦନ ସେମାନଙ୍କୁ ସ୍ମିତହାସ୍ୟରେ ସ୍ୱାଗତ ଜଣାଇ ସାରିବା ପରେ କହି ଉଠିଲେ, "ବିଦାୟ ! ମତେ ବିଦାୟ ଦିଅନ୍ତୁ ଆପଣଙ୍କ ପ୍ରତି ଯଦି କିଛି ଭୁଲ ଭ୍ରାନ୍ତି ଅଥବା ଅପରାଧ କରିଥାଏ ମତେ ସର୍ବାନ୍ତଃକରଣରେ କ୍ଷମାପ୍ରଦାନ କରନ୍ତୁ ।"
ଏ କ'ଣ କହୁଛନ୍ତି ମହାଭାଗ ! ଆପଣ ଚିରଞ୍ଜୀବୀ ରହନ୍ତୁ ଦେଶପାଇଁ । ଦେଶ ଆପଣଙ୍କଠାରୁ ବହୁ ପ୍ରତ୍ୟାଶା ରଖିଛି ।" ଭଦ୍ରବ୍ୟକ୍ତିଗଣ ଅତ୍ୟନ୍ତ ଶୋକ ଜର୍ଜରିତ କଣ୍ଠରେ ନିବେଦନ କରି କହିଲେ, "ଆପଣ ଏ ଜାତିର ସାହା ଭରସା । ଭଗବାନ ନୂତନ ଓଡ଼ିଶାକୁ ମାର୍ଗଦର୍ଶନ କରିବାପାଇଁ ଆପଣଙ୍କୁ ଦୀର୍ଘକାଳ ଜୀବିତ କରି ରଖିବେ । ମଧୁସୂଦନ ଉତ୍ତର ଦେଲେ, ଉପରୁତ ନିର୍ଦ୍ଦେଶ ଆସି ଯାଇଛି । ମୁଁ ଯିବାକୁ ପ୍ରସ୍ତୁତ ହୋଇ ରହିଛି । ସବୁ ପରମପିତାଙ୍କର ନିର୍ଦ୍ଦେଶ । ଯଦି ମୋର ରହିବାକୁ ଆପଣମାନେ ଚାହୁଁଛନ୍ତି ତାହାହେଲେ ତାଙ୍କୁ ଆବେଦନ କରନ୍ତୁ ।"
କ୍ରମେ ସମ୍ଭାଷଣ ଆଉ ହାର୍ଦ୍ଦିକ ଆଳାପ ସରିଗଲା ପରେ ଭଦ୍ରବ୍ୟକ୍ତିମାନେ ଜଣ ଜଣ କରି ବିଦାୟ ନେଲେ । ଏହାପରେ ଆସିଲେ ପର୍ଦ୍ଦାନସୀନ ମହିଳାଗଣ । ସେମାନଙ୍କ ହସ୍ତରେ ଶିଶିରସ୍ନାତ ପୁଷ୍ପଭଳି ଶିଶୁପୁତ୍ର ଆଉ କନ୍ୟାଗଣ । ସେମାନେ ଆସିଥିଲେ ପବିତ୍ରତାର ଉର୍ଜ୍ଜସ୍ୱଳ ପ୍ରତୀକ ମଧୁସୂଦନଙ୍କ ସମୀପକୁ । ପବିତ୍ରତା କ'ଣ ଏଭଳି ମହିମାନ୍ୱିତ ବିଗ୍ରହ ଘେନି ଅବତରିତ ହୋଇପାରେ? ତାଙ୍କର ମୁଖମଣ୍ଡଳ ଉଦ୍‍ବେଳିତ ହୋଇଥିଲା ଜ୍ୟୋତିର୍ମୟ ଆଭାରେ । ମଧୁସୂଦନ ଉପବେଶନ କରିଥିଲେ ଖଟ ଉପରେ । ପ୍ରତିଟି ଶିଶୁକୁ ସ୍ପର୍ଶ କରି ଚାଲିଥିଲେ ଆଶିଷର ଅମୃତ ଢାଳି ।
ସେଦିନ ସନ୍ଧ୍ୟାରେ ମଧୁସୂଦନଙ୍କ ଅବସ୍ଥାରେ କ୍ରମଶଃ ଅବନତି ଦେଖାଗଲା । ସ୍ୱାସ୍ଥ୍ୟର ସ୍ଥିତି କ୍ରମଶଃ ଗମ୍ଭୀର ହୋଇ ଉଠିଥିଲା । ଛାତିରେ କଫ ଘଡ଼ଘଡ଼ ହେଉଥିଲା । ସର୍ବତ୍ର ସଂପ୍ରସାରିତ ହୋଇଥିଲା ଘନ ବିଷାଦର ଛାୟା । ସନ୍ଧ୍ୟାର କାଳିମା କ୍ରମଶଃ ଏହାକୁ ପ୍ରଗାଢ଼ କରି ଚାଲିଥିଲା । ସଂଶୟର ଦୋଳାରେ ସମସ୍ତ ପରିବେଶ ବିଧୂରିତ ହେଉଥିଲା । ସ୍ଥିତିର ଗମ୍ଭୀରତା ଦେଖି ସୁଧାଂଶୁବାଳା ଧର୍ମ ସଂଗୀତ ଗାଇବାକୁ ଆରମ୍ଭ କଲେ ଏବଂ ତାହାଥିଲା ଏହିପରି ।

"I heard the voice of Jesus say
come unto me and rest
Lay down thou weary one, lay down
the head upon my breast."


ମୁଁ ଯୀଶୁଙ୍କର ବାଣୀ ଶୁଣିଲି । ସେ କହୁଛନ୍ତି, "ମୋର ସମୀପକୁ ଆସ ଆଉ ବିଶ୍ରାମ ନିଅ । ହେ ଶ୍ରାନ୍ତ ମାନବ ! ତୁମ୍ଭର ଶିର ମୋ ବକ୍ଷସ୍ଥଳରେ ସ୍ଥାପନ କର ।"
ଯେତେବେଳେ ସୁଧାଂଶୁବାଳା ଏହି ସଂଗୀତ ଗାଇବାକୁ ଆରମ୍ଭ କଲେ, ଶ୍ରାନ୍ତ ଆଉ କ୍ଲାନ୍ତ

ହୋଇ ଅର୍ଦ୍ଧ ନିଦ୍ରିତ ଅବସ୍ଥାରେ ଶାୟିତ ମଧୁସୂଦନ ହଠାତ୍‍ ଜାଗ୍ରତ ହୋଇଉଠିଲେ । ସହସା

ତାଙ୍କର ପ୍ରଭାବାନ୍ୱିତ କଣ୍ଠରୁ , ଏହି ଗୀତିକା ବଜ୍ର ନିର୍ଘୋଷ ଅଥଚ ଲୀଳାୟିତ ସ୍ୱରରେ ପ୍ରତିଧ୍ୱନିତ ହୋଇ ଉଠିଲା । ସମସ୍ତେ ସ୍ତମ୍ଭୀଭୂତ ଆଉ ହତଚକିତ ହୋଇ ଏହା ଶୁଣିବାକୁ ଲାଗିଲେ । ସମସ୍ତଙ୍କର ନୟନ ଲୋତକାପ୍ଳୁତ ହୋଇଯାଇଥିଲା ସ୍ତବ୍ଧ ନୀରବତାରେ । କ୍ରମଶଃ ସୁଧାଂଶୁବାଳା ମଧୁସୂଦନଙ୍କ ନିର୍ବାଚିତ ଅନ୍ୟ ଏକ ଗୀତିକା ଗାଇବାକୁ ଆରମ୍ଭ କଲେ ।

"Abide with me, fast falls the even tide
the darkness deepens
Lord with me abide
When other helpers fail and comforts fail
Help of the helpless abide with me."

"ମୋ ପାଖରେ ଆଶ୍ରିତ ହୁଅ । ସଂଧ୍ୟାର ଲହରୀ ତ୍ୱରିତ ଗତିରେ ଭାଙ୍ଗିଭାଙ୍ଗି ଯାଉଛି । ଅନ୍ଧାର ଗାଢ଼ ଆଉ ନିବିଡ଼ ହୋଇ ଉଠୁଛି । ହେ ପ୍ରଭୁ ! ମୋର ସମୀପରେ ଅବସ୍ଥାନ କର । ଯେତେବେଳେ ଅନ୍ୟ ସାହାଯ୍ୟକାରୀମାନେ ହାରି ଯାଆନ୍ତି ଆଉ ଆରାମଦାୟକ ଶାନ୍ତି ଅପସୃତ ହୁଏ । ହେ ପ୍ରଭୁ ! ନିଃସହାୟ ଓ ଆଶ୍ରୟହୀନ ବ୍ୟକ୍ତିମାନଙ୍କୁ ସାହାଯ୍ୟ କର । ଆଉ ମୋର ସମୀପରେ ଅବସ୍ଥାନ କର ।
ସୁଧାଂଶୁବାଳାଙ୍କ ସହିତ ସ୍ୱରମିଳାଇ ମଧୁସୂଦନ ଗାଇଚାଲିଛନ୍ତି ଧର୍ମଗ୍ରନ୍ଥର ପଙ୍‍କ୍ତିସବୁ, ଅବାରିତ ଭାବରେ ଆହ୍ଲାଦିତ ସ୍ୱର ଲହରୀରେ । ପରବର୍ତ୍ତୀ ପଦ୍ୟାଂଶଟି ସୁଧାଂଶୁବାଳା ଗାଇ ଉଠିଲେ ।
ଅବୋଧ ଶିଶୁପରି ମୁଣ୍ଡ ହଲାଇ ମଧୁସୂଦନ କହିଲେ, "ନା ନା", ଶୈଳବାଳା ଉଦ୍‍ବିଗ୍ନ କଣ୍ଠରେ ପଚାରିଲେ "କଅଣ ହେଲା ?' ମଧୁସୂଦନ ଧୀର ଅଥଚ ଉଦାତ୍ତ କଣ୍ଠରେ କହିଲେ, "ଡେଭିଡ଼ଙ୍କର ଏହି ଦୁଃଖପୂର୍ଣ୍ଣ ଗୀତିକା କାହିଁକି ? ତାଙ୍କର ଦୁଃଖ ତ ମୋର ନଥିଲା । ପରମ ପିତା ଈଶ୍ୱରଙ୍କର ଦୟା ମୋ ପ୍ରତି ଅପରିସୀମ" ମଧୁସୂଦନଙ୍କର କଣ୍ଠ ଅତ୍ୟନ୍ତ ହର୍ଷ ଆଉ ଉଲ୍ଲାସରେ ବିଗଳିତ ହୋଇ ଉଠିଲା ।
ସମୟ ରାତ୍ରି ପ୍ରାୟ ନଅଟା । ଫାଲ୍‍ଗୁନ କୃଷ୍ଣ ପ୍ରତିପଦାର ଜହ୍ନ ନିର୍ବାକ ଆଉ ନିସ୍ତବ୍ଧ, ମାତ୍ର ଲହରିତ ଦ୍ୟୁତି ଅକ୍ଷୁଣ୍ଣ । ମଧୁସ୍ମୃତିରେ ପ୍ରାର୍ଥନାର ପୁଲକ । ସାମୂହିକ ଧର୍ମଗ୍ରନ୍ଥର ଆବୃତ୍ତି ପରେ, ବ୍ୟକ୍ତିଗତ ଉପାସନାର ପର୍ଯ୍ୟାୟ । ଶୈଳବାଳାଙ୍କର ଆକୁଳ ଅନୁରୋଧରେ ମଧୁସୂଦନ କେବଳ ଦୁଇ ଚାମଚ ହର୍ଲିିକ୍ସ ଗ୍ରହଣ କରିଛନ୍ତି । ଫିତାଖଟର ଏକ ପାଖରେ ଚନ୍ଦ୍ରକୁମାର ଆଉ ଅନ୍ୟ ପାଖରେ ସୁଧାଂଶୁବାଳା ଆଣ୍ଠୁମାଡ଼ି ପ୍ରାର୍ଥନା କରୁଛନ୍ତି । ଚନ୍ଦ୍ର କୁମାରଙ୍କର ଅଶ୍ରୁ ଛଳଛଳ ଆକୁଳ ପ୍ରାର୍ଥନା ଦେଖି ମଧୁସୂଦନ କହିଲେ , "ହେ ଚନ୍ଦ୍ର ! ଏହି ଦୁଃସାଧ୍ୟ ପ୍ରାର୍ଥନାରେ ବ୍ରତୀ ରହିଛ କାହିଁକି ?' ଚନ୍ଦ୍ରକୁମାର ପ୍ରତ୍ତୁ୍ୟତ୍ତରରେ ପ୍ରଶ୍ନକଲେ, "ହେ ଦାଦା ! ଯଦି ଆମର ପ୍ରାର୍ଥନା

ଆପଣଙ୍କ ପାଇଁ ଗ୍ରହଣଯୋଗ୍ୟ ନୁହେଁ, ତେବେ କାହାପାଇଁ ଆପଣଙ୍କର ଦୀର୍ଘ ଦିନର ଶ୍ରମସାଧନା ଓ ଯାତନା ?"ହଁ, କେବଳ ଓଡ଼ିଆ ଜାତିପାଇଁ, ଆଉ କେବଳ ଓଡ଼ିଆ ଜାତିପାଇଁ' । ହଁ, ଓଡ଼ିଆ ଜାତିକୁ ବିଶ୍ୱ ଦୃଷ୍ଟିକୁ ଆଣିବା ମୋର ଜୀବନର ଏକାନ୍ତ ଆଉ ଅନ୍ତିମ ଲକ୍ଷ୍ୟ ।' ମଧୁସୂଦନ କହିଲେ ପ୍ରତିଶ୍ରୁତିବଦ୍ଧତାର ଦୃଢ଼ ନିର୍ଘୋଷରେ ।
"ହେ ଦାଦା ! ଆପଣ ଦୀର୍ଘ ଜୀବନ ଲାଭ କରି ଓଡ଼ିଶା ପ୍ରଦେଶର ଅୟମାରମ୍ଭ ପର୍ଯ୍ୟନ୍ତ ବଂଚି ରହନ୍ତୁ, ଏହାହିଁ ମୋର ଏକାନ୍ତ ପ୍ରାର୍ଥନା । ହେ ଦାଦା ! ଆପଣ ଏଥିପାଇଁ ପରମପିତାଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁନାହାନ୍ତି କାହିଁକି? ତାହା ଯେ ନିଶ୍ଚୟ ଗୃହୀତ ହେବ ।" ଚନ୍ଦ୍ର କୁମାର କହିଲେ ଅତ୍ୟନ୍ତ ଦରଦଭରା କଣ୍ଠରେ ।
ଟିକିଏ ନୀରବ ରହିଲେ ମଧୁସୂଦନ । ମୁହଁରେ ଦ୍ୟୁତିର ଅଲଂଘ୍ୟ ଉଚ୍ଛ୍ୱାସ । "ହଁ, ଚନ୍ଦ୍ର କୁମାର ! ମୁଁ ପରମ ପିତାଙ୍କ ପାଖରେ ପ୍ରାର୍ଥନା କରିଥିଲି ଓଡ଼ିଶା ପ୍ରଦେଶର ଆଶୁ ସ୍ଥାପନା ପାଇଁ । ଆଉ ଓଡ଼ିଶା ପ୍ରଦେଶର ସ୍ଥାପନା ପରେ ଓଡ଼ିଆ ଜାତିକୁ କିଛିକାଳ ଲାଗି ମାର୍ଗ ଦର୍ଶନ ପ୍ରଦାନ କରିବା ପାଇଁ ।" ମଧୁସୂଦନ ନୀରବିଗଲେ କିଛିକାଳ ପାଇଁ । ଚନ୍ଦ୍ର କୁମାର ରହିଥିଲେ ଉତ୍ତର ଅପେକ୍ଷାରେ ।
ପରମେଶ୍ୱରଙ୍କ ପାଖରେ ମଧୁସୂଦନଙ୍କ ସେହି ବଂଚି ରହିବାର ସର୍ତ୍ତଥିଲା ଅଲଗା ବୋଧହୁଏ । ମହାତ୍ମାଗାନ୍ଧୀଙ୍କ ଆନ୍ଦୋଳନରେ ତାଙ୍କର ସହଯାତ୍ରୀ ଆଉ ଆଶ୍ରମର ସମସ୍ତ ଖର୍ଚ୍ଚ ବହନ କରୁଥିଲେ ଶିଳ୍ପପତି ବିରଳା । ତଥାପି ଯୀଶୁଙ୍କ ପରି ଦାରିଦ୍ର୍ୟର ସୀମା ଭିତରେ ଚଳୁଥିଲେ । ମାତ୍ର ସମସ୍ତ ବ୍ୟୟର ବିସ୍ତାରିତ ଖର୍ଚ୍ଚ ଫର୍ଦ୍ଦ ବିରଳାଙ୍କ ପାଖରେ ଦାଖଲ କରୁଥିଲେ ମହାତ୍ମାଗାନ୍ଧୀ । କିନ୍ତୁ ତାହାର କିଛି ପ୍ରୟୋଜନ ବିରଳାଙ୍କ ପାଇଁ ନଥିଲା । ମାତ୍ର ମଧୁସୂଦନଙ୍କର ଆପ୍ତ ବାକ୍ୟ ଥିଲା, "ଯେଉଁ ହାତରେ ରୁଟି ଖାଉଛି, ସେହି ହାତର ପରିଶ୍ରମରେ ସେହି ରୁଟିକୁ ଉପାର୍ଜନ କରିବାକୁ ପଡ଼ିବ ।" ଏହା ଥିଲା ତାଙ୍କ ଜୀବନଯାପନର ଅଲଂଘ୍ୟ ସର୍ତ୍ତ । ଓଡ଼ିଆ ଜାତିଠାରୁ ମଧୁସୂଦନଙ୍କର ଅନେକ ପ୍ରତ୍ୟାଶା, ଅନେକ ଅଭିଳାଷ ତ ରହିଥିଲା । ମାତ୍ର ଜାତିର ଅକ୍ଷମତା, ଦୁର୍ବଳତା ଆଉ ପ୍ରତିକ୍ରିୟାଶୂନ୍ୟତା ପ୍ରତି ସଚେତନ ଥିବା ତାଙ୍କର ଓଡ଼ିଆ ଜାତି ପ୍ରତି ଆକ୍ଷେପ କେବେ ବି ନଥିଲା । ଜୀବନର ଚରମ ସ୍ଥିତିରେ ଦେବାଳିଆ ଘୋଷିତ ହେବାର ଦୁର୍ବାର ପରିସ୍ଥିତିରେ ସେ ଯେତେବେଳେ ଠିଆ ହୋଇଥିଲେ, ସେତେବେଳେ ସମଗ୍ର ଓଡ଼ିଆ ଜାତି ଠିଆ ହୋଇଥିଲା, ଜଡ଼ ଓ ନିର୍ବେଦତାର ତୁଷାର ଖଣ୍ଡିପରି । ସେ ହାଜରା ପରିବାରକୁ ଗ୍ରହଣ କରିଥଲେ, ସେମାନେ ତାଙ୍କର ଦାରୁଣ ପରିସ୍ଥିତିରେ ସହାୟତାର ହାତ ବଢ଼ାଇଥିଲେ । ଚନ୍ଦ୍ର କୁମାର ହାଜରା ଡିଗ୍ରୀଟି କିଣିଥିଲେ ଆଉ ଅନ୍ତତଃ ମଧୁସୂଦନ ନିଜର ଗୌରବ ଆଉ ସମ୍ମାନ ଅକ୍ଷୁଣ୍ଣ ରଖି ମଧୁସ୍ମୃତିରେ ବାସ କରିପାରିଥିଲେ ଲୋକ ଚକ୍ଷୁର ଅନ୍ତରାଳରେ ଜଣେ ଭଡ଼ାଦାତା ରୂପରେ । ଯେତେବେଳେ ସହଧର୍ମିଣୀ ପ୍ରସନ୍ନମୟୀଙ୍କର ଅକାଳ ବିୟୋଗ ପରେ ଅମ୍ବିକା ପ୍ରସାଦ ହାଜରା ନୂତନ ସ୍ତ୍ରୀ ଗ୍ରହଣ କରି ସିମଳା ଚାଲିଗଲେ, ତାଙ୍କର ଅରକ୍ଷ ସନ୍ତାନଗଣଙ୍କୁ ମଧୁସୂଦନ ଗ୍ରହଣ କରି ଶିକ୍ଷା ପ୍ରଦାନ କରିଥିଲେ । ଚନ୍ଦ୍ରକୁମାର ହାଜରା

ବିଲାତରେ ବାରିଷ୍ଟରୀ ପାଠପଢ଼ି ମେଦିନୀପୁରରେ ସଫଳ ଆଇନଜୀବୀ, ଜିତେନ୍ଦ୍ର କୁମାର ପୂର୍ବତନ ଟ୍ୟାନେରି ମ୍ୟାନେଜର, ଜଣେ ଉଦ୍ୟୋଗପତି ଆଉ ସୁଧାଂଶୁବାଳା ପୂର୍ବତନ ପ୍ରଥମ ମହିଳା ଆଇନଜୀବୀ ଆଉ ପ୍ରଧାନ ଶିକ୍ଷୟିତ୍ରୀ ରହିଥିଲେ । ହେଲେ ମଧୁସୂଦନଙ୍କର ସାହାଯ୍ୟ ଦାନ ଓ ଶିକ୍ଷାଦାନରେ ବହୁ ତରୁଣ ଓଡ଼ିଆ ସମୃଦ୍ଧିଶାଳୀ, ବିଭବଶାଳୀ, ଐଶ୍ଚର୍ଯ୍ୟଶାଳୀ ବ୍ୟକ୍ତିଙ୍କ ସହିତ ଅନେକ ପ୍ରତିଷ୍ଠିତ ସମ୍ଭ୍ରାନ୍ତ ବ୍ୟକ୍ତି ଆଉ ଅଧିବକ୍ତା ଥିଲେ ମଧ୍ୟ ଏହି ବିପଦବେଳାରେ ସେମାନେ ଥିଲେ ନିରୁଦ୍ଦିଷ୍ଟ । ୧୯୦୯ ସାଲରୁ ୧୯୧୮ ସାଲ ପର୍ଯ୍ୟନ୍ତ କଲିକତାରେ ସ୍ନାତକୋତ୍ତର ଡିଗ୍ରୀ ସହ ଆଇନ ଏବଂ ପରେ ପାଟଣାରେ ଅଧ୍ୟୟନ କରୁଥିବା ଛାତ୍ରମାନେ ମଧୁସୂଦନଙ୍କ ଆୟୋଜିତ ବୃତ୍ତିର ଅଧିଭୋକ୍ତା ଥିଲେ । ମାତ୍ର ଏ ବିଷୟରେ ସେମାନେ ଏକାନ୍ତ ଭାବେ ଅନୁତ୍ତରିତ, ତେଣୁ ସେମାନଙ୍କ ପକ୍ଷରେ ସାହାଯ୍ୟଦାନ ତ ଦୁରୂହ କଥା, କୃତଜ୍ଞତା ମଧ୍ୟ ଅଲଭ୍ୟ ଥିଲା ।
ମଧୁସୂଦନଙ୍କର ନିଜସ୍ୱ ଖର୍ଚ୍ଚ ଅବା କେତେ ?ଦିନରେ ଦୁଇଚାରି ଚାମଚ ହର୍ଲିିକ୍ସ, ଦୁଇଚାରି ଖଣ୍ଡ ବାଇଗଣ ବା ଅମୃତଭଣ୍ଡା ସିଝା, ଦୁଇ ତୋଳା ଚାଉଳର ଭାତ, ଆଉ ମେଞ୍ଚାଏ ହିଡ଼ିମିଚା ଶାଗର ଖରଡ଼ା । ଓଡ଼ିଶା ପ୍ରଦେଶ ସ୍ଥାପନାଜନିତ ବ୍ୟୟଭାର ସାଙ୍ଗକୁ ବନ୍ୟା, ବାତ୍ୟା, ମରୁଡ଼ିରେ ତାଙ୍କର ସାହାଯ୍ୟ ଦାନ ଆଉ ସେବା ଦାନ ଅପର୍ଯ୍ୟାପ୍ତ ଦାରୁଣ ଦୁସ୍ଥିତିପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ଦ୍ୱାର ସର୍ବଦା ଉନ୍ମୁକ୍ତ । ଅଭାବୀ ଛାତ୍ରଙ୍କ ପାଇଁ ସାହାଯ୍ୟ ଆଉ ବୃତ୍ତିର ପରିମାଣ ଅସୀମିତ । ଏହାଛଡ଼ା ଓଡ଼ିଶାକୁ ଆଗତ ଅତିଥିଗଣଙ୍କ ସ୍ୱାଗତ ସମ୍ବର୍ଦ୍ଧନାପାଇଁ ମଧୁସ୍ମୃତିରେ ଅପରିସୀମିତ ବ୍ୟବସ୍ଥା । ତାଙ୍କର ଦୈନିକ ଜୀବନଚର୍ଯ୍ୟାରେ ଶିଳ୍ପାଗାରର ସଂଚାଳନ ବ୍ୟବସ୍ଥା, ଶିଳ୍ପୀ ଆଉ କଳାକାରଙ୍କ ସହିତ ଅଲଭ୍ୟ କଳାପ୍ରାଣତା ତାଙ୍କ ଜୀବନରଏକ ଅପରିହାର୍ଯ୍ୟ ଅଂଗ । ଏହା ବାହାରେ ରହିଥାଏ ଥାଟ ପଟାଳି ଭାଙ୍ଗିବା ପରି, ଭିକାରି, ଦୁରାରୋଗ୍ୟ କୁଷ୍ଠରୋଗୀ ଆଉ ସର୍ବୋପରି ମାନସିକ ବିକୃତିଗ୍ରସ୍ତ ରୋଗୀଙ୍କପାଇଁ ଉପଚାର ବ୍ୟବସ୍ଥା ।
କୃଷ୍ଣ ପ୍ରତିପଦା ରାତିର ଅନ୍ତିମ ପର୍ଯ୍ୟାୟ । ସାରା ରାତ୍ରି ଧରି ଉଜାଗର ରହିଥିବା ଚନ୍ଦ୍ରମା ବର୍ତ୍ତମାନ ପଶ୍ଚିମ ଦିଗନ୍ତର କିଛି ଊର୍ଦ୍ଧ୍ୱରେ । ପୂର୍ବାକାଶରେ ସାମାନ୍ୟ ଅରୁଣିମାର ଛଟା । ଏହି ସମୟରେ ଶ୍ୱେତ ବସ୍ତ୍ର ପରିହିତ ଜଣେ ଦୀପ୍ତିମନ୍ତ ଦେବପୁରୁଷ ମଧୁସୂଦନଙ୍କ ଶୟନ କକ୍ଷରେ ଅବତୀର୍ଣ୍ଣ ହେଲେ । ଅର୍ଦ୍ଧ ସୁପ୍ତ ରହିଥିବା ମଧୁସୂଦନ ତ୍ୱରିତ ବେଗରେ ଜାଗରିତ ହୋଇ ଶଯ୍ୟାଧାରରେ ଭକ୍ତିପ୍ରଣତ ମୁଦ୍ରାରେ ଉପବେଶନ କଲେ । ନୟନରୁ ତାଙ୍କର ଧାରଧାର ଅଶ୍ରୁ ବହିଯାଉଥିଲା । ସେହି ଜ୍ୟୋତିର୍ମୟ ପୁରୁଷ ଖଟର ଚାରିପାଖ ପ୍ରଦକ୍ଷିଣ କରି ବହିର୍ଗତ ହେଲେ । ମଧୁସୂଦନ ବିସ୍ମୟାଭିଭୂତ ଓ ଅଶ୍ରୁ ପ୍ଳାବିତ ନୟନରେ ରହିଥିଲେ ଭକ୍ତିପ୍ରଣତ ମୁଦ୍ରାରେ । ତାହାଥିଲା ସ୍ୱପ୍ନାୟିତ ଅର୍ଦ୍ଧ ଜାଗରଣର ଅବସ୍ଥା । ମଧୁସୂଦନଙ୍କ ମୁଖମଣ୍ଡଳରେ ଲାଖି ରହିଥିଲା, ସ୍ୱର୍ଗୀୟ ଜ୍ୟୋତିର ଅନିର୍ବଚନୀୟ ଝଲକ । କ୍ରମେ ରଜନୀର ଅନ୍ତିମ କ୍ଷଣଟି ଅପସରିଗଲା । ପ୍ରଭାତର ଉତ୍ତାଳ ପବନ ବହିଲା ଉଚ୍ଚାଟ ହୋଇ । ପୂର୍ବ ଆକାଶରେ ମୃଦୁ ଆଲୋକର ସଂଚାର ମଧ୍ୟରେ ଫାଟିଲା ସିନ୍ଦୂରା ।

ଖଟ ଉପରେ ମଧୁସୂଦନଙ୍କ ପ୍ରଣତ ମୁଦ୍ରା ଦେଖି ସମସ୍ତେ ହତଚକିତ ହୋଇଗଲେ । ହର୍ଷ ବିହ୍ୱଳିତ ଭାବରେ ସେ ସମସ୍ତଙ୍କୁ ପ୍ରଭାତୀ ସମ୍ଭାଷଣ ଜଣାଇଲେ । କିଛି ସମୟ ପରେ ହାଡ଼ିବନ୍ଧୁ ତାଙ୍କର ପ୍ରାଣପ୍ରିୟ ହୁକାଟି ସଜିଲ କରି ତାଙ୍କୁ ଧରାଇ ଦେଲେ ।
ଏହାଥିଲା ଫେବ୍ରୁଆରି ମାସର ପହିଲା ତାରିଖ , ଫାଲ୍‍ଗୁନ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥି । ବିହାରର ଭୂମିକମ୍ପ ପରେ ଶୀତର ପ୍ରକୋପ ବଢ଼ି ଚାଲିଛି ଅବାରିତ ଭାବରେ । ମୃଦୁ ସୂର୍ଯ୍ୟ କିରଣରେ ଉଷ୍ମତାର ପରଶ ଆଉ ଆଲୋକର ଦୀପ୍ତି ସମୁଜ୍ୱଳ କରିଛି ପ୍ରଗାଢ଼ ସବୁଜିମା ଭରା ପରିବେଶକୁ । ପୂର୍ବାହ୍ନର ଏଗାରଟା ବେଳ । ମ୍ୟୁନିସିପାଲିଟି ଚେୟାରମ୍ୟାନ୍‍ ଭାଗୀରଥି ମହାପାତ୍ର ଆସି ମଧୁସୂଦନଙ୍କୁ ଭକ୍ତିଭରା ପ୍ରଣାମ କରି ସ୍ୱାସ୍ଥ୍ୟ ସଂପର୍କରେ ଆଲୋଚନା କଲେ । ପରେ ଟ୍ୟୁବ୍‌ୱେଲ୍ ଖୋଳିବାପାଇଁ ଆବଶ୍ୟକୀୟ ଅର୍ଥ ନେଇଗଲେ । କେଉଟ ସାହିର ଧୀବରଙ୍କୁ ମିଳିଲା ପ୍ରତିଶ୍ରୁତି ମୁତାବକ ଟ୍ୟୁବ୍‍‌ଓ୍ୱେଲ୍‍ ପରିଚ୍ଛନ୍ନ ପରିବେଶରେ ସ୍ୱାସ୍ଥ୍ୟପ୍ରଦ ଜୀବନଯାପନ ପାଇଁ । ସ୍ୱର୍ଗୀୟ ପିତାଙ୍କର ଅସରନ୍ତି କରୁଣାରୁ ଦାୟମୁକ୍ତ ହୋଇଗଲେ ମଧୁସୂଦନ । ଏହା ସହିତ ବ୍ୟାଙ୍କ୍‍ ପାଶ୍‍ ବହିରୁ ଶେଷ କପର୍ଦ୍ଦକ ମଧ୍ୟ ନିଶ୍ଚିହ୍ନ ହୋଇଗଲା । ଏଣିକି ଶୂନ୍ୟ ହସ୍ତରେ ନିର୍ବାଣ ପଥରେ ଯାତ୍ରା । ସର୍ବତ୍ୟାଗୀ ଗୋପବଂଧୁଙ୍କର କିଛି ସଂପତ୍ତି ରହିଥିଲା, ସେଥିପାଇଁ ତାହାଙ୍କୁ ଇଚ୍ଛାପତ୍ର ସଂପାଦନ କରିବାକୁ ପଡ଼ିଲା । ନବକୃଷ୍ଣ ଚୌଧୁରୀଙ୍କର କିଛି ସଂପତ୍ତି ଏବଂ ଆଶ୍ରୟସ୍ଥଳ ମଧ୍ୟ ଥିଲା । ମାତ୍ର ମଧୁସୂଦନ ଥିଲେ ଅନ୍ତିମ ବେଳାରେ ନିଃସ୍ୱ, ନିରାଧାର ଆଉ ନିରାଲମ୍ବ ପୁରୁଷ ।
ଋଷି ଟଲଷ୍ଟୟ ସୁବିଶାଳ ସମ୍ପତ୍ତି ଦାନରୁ ମୁକ୍ତ ହୋଇ, ଗୃହଦାନ ଅବସ୍ଥାରେ ଶୀତଋତୁରେ, ପ୍ରବଳ ତୁଷାରପାତର ସମ୍ମୁଖୀନ ହୋଇ ରେଳ ଯାତ୍ରାର ଅନ୍ତିମ ଷ୍ଟେସନରରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମାତ୍ର ଦେଶ ପାଇଁ ଛାଡ଼ି ଯାଇଥିଲେ ଅଜସ୍ର ଆଧ୍ୟାତ୍ମିକ ଆଉ ସାଂସ୍କୃତିକ ବିଭବ । ସେହିପରି ମଧୁସୂଦନ ଗୃହହୀନ ଆଉ କପର୍ଦ୍ଦକଶୂନ୍ୟ ହୋଇ ନିଃସ୍ୱ ସ୍ଥିତିରେ ଓଡ଼ିଶାର ଭୂମି ଛାଡ଼ି ଚାଲିଯାଇଥିଲେ ମଧ୍ୟ, ଏହି ଓଡ଼ିଶା ପ୍ରଦେଶର ସୀମାକୁ ଦୁଇ ତୃତୀୟାଂଶ ବୃଦ୍ଧି କରି ଏଥିରେ ଭରି ଦେଇଥିଲେ ଅକୁଳାନ ପ୍ରାକୃତିକ ବିଭବ, ଜଳ, ଅରଣ୍ୟ ଓ ସର୍ବୋପରି ଅଜସ୍ର ଖଣିଜ ସଂପଦ ।
ସେହି ଫେବ୍ରୁଆରି ପହିଲାର ଅପରାହ୍‍ଣ ବେଳ । ସାୟାହ୍ନକୁ ଅଳ୍ପ ସମୟ ବାକିଥାଏ । ପହଞ୍ଚିଲେ ନୀଳକଣ୍ଠ ଦ୍ୱିତୀୟ ବାର । ତାଙ୍କ ସାଥିରେ ଆସିଥାନ୍ତି, ବ୍ରଜସୁନ୍ଦର, ଲକ୍ଷ୍ମୀଧର ମହାନ୍ତି ଆଉ ବିଚିତ୍ରାନନ୍ଦ ଦାସ । ଓଡ଼ିଶା ପ୍ରଦେଶ ସ୍ଥାପନାର ଅନ୍ତିମ ପର୍ଯ୍ୟାୟର ଆଲୋଚନା । ଯହିଁରେ ମଧୁସୂଦନ ଅତ୍ୟନ୍ତ ଉତ୍ସାହପ୍ରଦ ଭାବେ ଅଂଶ ନେଇଥାନ୍ତି ଆଉ ଗଭୀର ସ୍ଥିତପ୍ରଜ୍ଞ ଅବସ୍ଥାରେ ମନୋନିବେଶ କରିଥାନ୍ତି । ପଣ୍ଡିତ ନୀଳକଣ୍ଠ ପ୍ରଶ୍ନକଲେ, ଆଉ କ'ଣ ପାରଳାଖେମୁଣ୍ଡି ଆଉ ଜୟପୁର ଜମିଦାରି ଆସି ପ୍ରସ୍ତାବିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସହିତ ମିଶିବ ନାହିଁ ? ମଧୁସୂଦନଙ୍କ ମୁଖ ମଣ୍ଡଳରେ ବିରାଜୁଥିଲା ଆତ୍ମପ୍ରତ୍ୟୟର ଅମ୍ଳାନଦୀପ୍ତି । ସେ ତତ୍‍କ୍ଷଣାତ୍‍ ଉତ୍ତର ଦେଲେ, ହେ ନୀଳକଣ୍ଠ, ତାହା ତ ନିଶ୍ଚୟ ମିଳିବ ଏଥିରେ ସନ୍ଦେହ ନାହିଁ, ମାତ୍ର ସ୍ୱତନ୍ତ୍ର ଓଡ଼ିଶାକୁ ପରିଚାଳିତ କରିବାପାଇଁ ଆବଶ୍ୟକ ସମର୍ପିତ ଆଉ ଉତ୍ସର୍ଗୀକୃତ ନେତୃପୁରୁଷ ଆଉ ମିଳିପାରିବେ ନାହିଁ ।

କିଛିକ୍ଷଣ ପରେ ନୀଳକଣ୍ଠ ପ୍ରଶ୍ନ କଲେ 'ଆପଣଙ୍କର ଓଡ଼ିଆ ଜାତି ପ୍ରତି ଅନ୍ତିମ ବାର୍ତ୍ତା କଅଣ ? ମଧୁସୂଦନଙ୍କର ମୁଖମଣ୍ଡଳ ଉଦ୍‍ଭାସିତ ହୋଇଗଲା ଅପୂର୍ବ ଦ୍ୟୁତିରେ । ଆଉ ସେ ଉଦ୍ଦୀପିତ କଣ୍ଠସ୍ୱରରେ ଉତ୍ତର ପ୍ରଦାନ କଲେ, ହେ ନୀଳକଣ୍ଠ ! ଦେଶବାସୀଙ୍କୁ ମୋର ବାର୍ତ୍ତା ଶୁଣାଅ, ଯେ ସେମାନେ ନିଜର ଅନ୍ତଃକରଣକୁ ସର୍ବଦା ଶୁଦ୍ଧ ଆଉ ନିର୍ମଳ ରଖନ୍ତୁ । ଅନ୍ତର ନିର୍ମଳ ରହିଲେ ବାହ୍ୟ ପ୍ରକୃତି ମଧ୍ୟ ସ୍ୱତଃ ନିର୍ମଳ ରହିବ ।" ଏହା ଥିଲା ଓଡ଼ିଆ ଜାତି ପ୍ରତି ମଧୁସୂଦନଙ୍କର ଅନ୍ତିମ ବାର୍ତ୍ତା । ତାଙ୍କ କଣ୍ଠ ସ୍ୱରର ପ୍ରଗାଢ଼ ଉଦ୍‍ବେଳନରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଆଲୋଚନା ଦୀର୍ଘ ସମୟ ଧରି ଚାଲିଲା । କ୍ରମେ ଭଦ୍ର ବ୍ୟକ୍ତିଗଣ ପ୍ରଣତି ଜଣାଇ ସେହି ସ୍ଥାନରୁ ଅପସରିଗଲେ ଆଉ ପଣ୍ଡିତ ନୀଳକଣ୍ଠ ଉପର ମହଲାର ମୁକ୍ତ ଛାତରେ ବସି ଗଭୀର ଚିନ୍ତାରେ ନିବିଷ୍ଟ ରହିଥାନ୍ତି ।
ସନ୍ଧ୍ୟା ଆଗତ ପ୍ରାୟ । ମଧୁସୂଦନ ଏକାକୀ ଶୟନ କକ୍ଷରେ ଶାୟିତ ରହିଥିଲେ । କେତେକ ଉଦୀୟମାନ ଛାତ୍ର ସେମାନଙ୍କ ଅଧ୍ୟାପକମାନଙ୍କ ସହିତ ଆସିଲେ । ମଧୁସୂଦନ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କଲେ । ଛାତ୍ରମାନେ ମଧୁସୂଦନଙ୍କ ଦୀର୍ଘ ଜୀବନ କାମନାକରି ଭକ୍ତିପୂର୍ଣ୍ଣ ପ୍ରାର୍ଥନା କଲେ । ପ୍ରାର୍ଥନା ପରେ ସେମାନେ ବିଦାୟ ନେବାପାଇଁ ପ୍ରସ୍ତୁତ ହେଲେ, ମାତ୍ର ଅନୁରୋଧ କଲେ କିଛି ବାର୍ତ୍ତାପାଇଁ । ମଧୁସୂଦନ ହଠାତ୍‍ ବିହ୍ୱଳିତ ହୋଇଉଠିଲେ । ତାଙ୍କ କଣ୍ଠରୁ ଉଚ୍ଚାରିତ ହେଲା, "ହଁ, ଏହିପରି ଜଣେ ଓଡ଼ିଆ ଥିଲା, ଯେ କି ଶାସନ ଶକ୍ତିକୁ ଆଦୌ ଭୟ କରି ନ ଥିଲା । ଆଉ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ନିଜର ନିର୍ଦ୍ଧାରିତ ମାର୍ଗରୁ ତିଳେ ମାତ୍ର ଘୁଞ୍ଚି ନ ଥିଲା । ସେ କେବଳ ନୀରବରେ ଈଶ୍ୱରଙ୍କର ସାହାଯ୍ୟକୁ ପ୍ରାର୍ଥନା କରିଥିଲା ।'
ଏହି ଉଦ୍‍ଘୋଷଣାରେ ଅପେକ୍ଷାରତ ନୀଳକଣ୍ଠଙ୍କ ସମେତ ମଧୁସ୍ମୃତିର ସମସ୍ତ ଅନ୍ତେବାସୀ ସ୍ତମ୍ଭୀଭୂତ ହୋଇଗଲେ । ଏହି ଦୁର୍ବାର ଘଟଣା ପ୍ରବାହ ମଧ୍ୟରେ ଫାଲ୍‍ଗୁନ କୃଷ୍ଣ ଦ୍ୱିତୀୟାର ଲୋହିତାଭ ଜହ୍ନ, ସନ୍ଧ୍ୟାର ଅନ୍ଧକାରକୁ ବିଦୀର୍ଣ୍ଣ କରି ମଧୁସ୍ମୃତିକୁ ବିଧୌତ କରୁଥିଲା । ମଧୁସୂଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଆଶୁ ଉନ୍ନତିର ସୂଚନାମାନ ପରିଲକ୍ଷିତ ହେଲା । ଆଉ ସମସ୍ତ ରାତିଟି ବିତି ଯାଇଥିଲା ଝଲସା ଜହ୍ନର ସ୍ୱନିରୂପିତ ଆବର୍ତ୍ତନ ମଧ୍ୟରେ ।
ଫେବ୍ରୁଆରି ଦୁଇ ତାରିଖ, ଫାଲ୍‍ଗୁନ କୃଷ୍ଣ ତୃତୀୟାର ତିଥି । ବିଳମ୍ବିତ ରାତିରେ ଚକ୍ରବାଳରୁ ଉଇଁ ଆସିଲା ରକ୍ତାଭ ଜହ୍ନ । କ୍ରମେ ତାହାର ପ୍ରଗାଢ଼ ଶୁଭ୍ର ଦ୍ୟୁତି ଅଜାଡ଼ି ହୋଇ ପଡ଼ିଲା ସର୍ବତ୍ର । ମଧୁସ୍ମୃତି ମଧ୍ୟ ଅବର୍ଣ୍ଣନୀୟ ଆଲୋକ ଜ୍ୟୋତିରେ ପଖାଳି ହୋଇଗଲା ଅପରୂପ ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ । ସାରା ରାତି ଆକାଶରେ ବୁଲି ବୁଲି ଶେଷରେ ପଶ୍ଚିମ ଆକାଶରେ ଅସ୍ତ ହୋଇଗଲା । ପାହାନ୍ତି ପ୍ରହରର ଘନ କୁହୁଡକୁ ଭେଦି ଉଇଁଲେ ସୂର୍ଯ୍ୟ । ରକ୍ତିମ ଛଟାରେ ପୂର୍ବ ଆକାଶ ଲାଲ୍‍ ରଙ୍ଗ ଧାରଣ କଲା । ମଧୁସୂଦନ ଉଠିବସିଥିଲେ ଶଯ୍ୟାଧାରରେ । ହାଡ଼ିବନ୍ଧୁ ଆସି ହୁକାଟି ସଜାଡ଼ି ଦେଇ ମଧୁସୂଦନଙ୍କୁ ଧରାଇଦେଲା । ପାଖରେ ବସିରହିଲା ହାଡ଼ିବନ୍ଧୁ । ପାଖ କୋଠରିରେ ଶୈଳବାଳା ବସି ହର୍ଲିକ୍ସ ତିଆରି କରୁଥିଲେ । ଚାମଚ୍‍ର ଶବ୍ଦ ବାରମ୍ବାର ଶୁଣାଯାଉଥିଲା । ମଧୁସୂଦନ କହିଲେ-

"ନେ ରେ ବଳଦ ଟାଣିଟୁଣି,

ଆଉ ନାହିଁରେ ଦୋହରାପାଣି ।"

ହାଡିବନ୍ଧୁ କହିଲେ, ଆପଣ ଚାରି ଚାମଚରୁ ଅଧିକ ହର୍ଲିକ୍ସ ନେଉ ନାହାନ୍ତି । ଆଉ କହୁଛନ୍ତି, ଆଉ ନାହିଁରେ ଦୋହରାପାଣି ।" ମଧୁସୂଦନ ଆଉ ହାଡ଼ିବନ୍ଧୁ ହସି ଉଠିଲେ, ଆନନ୍ଦର ଆତିଶଯ୍ୟରେ । ଶୈଳବାଳା ଆସି ବହୁ କଷ୍ଟରେ ତିନି ଚାମୁଚ ହର୍ଲିିକ୍ସ ପିଆଇଲେ ।
ମଧ୍ୟାହ୍ନର ଯତ୍‍ସାମାନ୍ୟ ଭୋଜନ, ଦୁଇ ଚାମୁଚ ଭାତ ଆଉ ଦୁଇଖଣ୍ଡ ଅମୃତଭଣ୍ଡା ସିଝାରେ ସମାପ୍ତ ହେଲା । ଏହାପରେ ଆସି ପହଞ୍ଚିଲେ ବିଚିତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଚିନ୍ତାମଣି ଆଚାର୍ଯ୍ୟ ଆଉ ନବକିଶୋର ଦାସ ପ୍ରମୁଖ । ଆଲୋଚନା ଚାଲିଥିଲା ଲଣ୍ଡନରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବିଷୟରେ ଆଉ ଏହାର ପ୍ରଭାବରେ ଜୟପୁର, ପାରଳାଖେମୁଣ୍ଡି ସହର ଓ ପାରଳା ଜମିଦାରିର ମାତ୍ର ଏକ ତୃତୀୟାଂଶ ଜମିଦାରି ପ୍ରସ୍ତାବିତ ଓଡ଼ିଶାର ସୀମା ମଧ୍ୟରେ ରଖି ବଳକା ଦୁଇତୃତୀୟାଂଶ ଜମିଦାରି ମାଡ଼୍ରାସ ପ୍ରେସିଡେନ୍‍ସିକୁ ଦେଇଛନ୍ତି । ପରିଣାମରେ ସମାଧାନର ପନ୍ଥା ସହଜ ହୋଇ ଯାଇଛି । ଏଣୁ ଜୟପୁର ଓ ପାରଳାଖେମୁଣ୍ଡି ଜମିଦାରି ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ମିଶିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଏହି ଆଲୋଚନାର ଉପସଂହାରରେ ମଧୁସୂଦନ କହିଲେ, "ଜୟପୁର ଆଉ ପାରଳାଖେମୁଣ୍ଡି ଜମିଦାରି ନିଶ୍ଚୟ ଆସୁଛି । ହେଲେ ଏହି ଓଡ଼ିଶାକୁ ପରିଚାଳିତ କରିବାପାଇଁ ପ୍ରଭାବଶାଳୀ ଉତ୍ସର୍ଗୀକୃତ ନେତୃପୁରୁଷ କାହାନ୍ତି? ହଁ, ଏହାରି ଉପରେ ଓଡ଼ିଶାର ଭାଗ୍ୟ ନିର୍ଭର କରୁଛି । ଏହା ପରେ ଆଲୋଚନା କ୍ରମ ପରିବର୍ତ୍ତନ କରି ମଧୁସୂଦନ ବିହାର ଭୂମିକମ୍ପରେ ପ୍ରପୀଡ଼ିତ ଲୋକଙ୍କର ସାହାଯ୍ୟପାଇଁ ଅର୍ଥ ସଂଗ୍ରହର କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଲେ । ଏଣୁ ବଧିବଦ୍ଧ ତ୍ୱରାନ୍ୱିତ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଲା ।
ଉଜ୍ଜ୍ୱଳ ସୂର୍ଯ୍ୟତାପର ପ୍ରଖରତା ସତ୍ତ୍ୱେ ଶୀତର ପ୍ରକୋପ ବଢ଼ିଚାଲିଛି । ମଧୁସୂଦନଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହି । ଡାକ୍ତର ପରୀକ୍ଷା କରି ରାତିପାଇଁ ନିର୍ଦ୍ଦେଶ ଦେଇ ଗଲେଣି । ସନ୍ଧ୍ୟା ଆଗତ ପ୍ରାୟ । ଏଇ ଶେଷ ଶଯ୍ୟାରେ ଶୋଇ ମଧ୍ୟ ମଧୁସୂଦନ ବେଳେବେଳେ ପରିହାସ ଖେଳୁଥିଲେ । ଡାକ୍ତରବାବୁ ତାଙ୍କ ପରୀକ୍ଷା ଶେଷ କଲାପରେ ସେ ପଚାରିଲେ-
ଦେଖୁଛନ୍ତି ଆଉ କେତେକ୍ଷଣ ବଞ୍ଚିବି? ଡାକ୍ତରବାବୁ କୌଣସି ଉତ୍ତର ଦେବା ପୂର୍ବରୁ ମଧୁବାବୁ ହସିହସି କହିଲେ-
"There is no hope the sick man said
The silent doctor shook his head."
ଅର୍ଥାତ୍‍ ରୋଗୀ କହିଲା ଯେ, ଆଉ ଆଶା ନାହିଁ । ମନ ଭୁଲାଣିଆ ଡାକ୍ତର କେବଳ ମୁଣ୍ଡ ହଲାଇଲେ ।
ବନ୍ଧୁ ହୁକାଟି ସଜାଡ଼ି ଦେଇ କହିଲା, ହଉ ।

 ମଧୁସୂଦନ ସେଇ ପଦର ରାହା ଧରି କହିଲେ,
"ହଉ ହଉ ଆରେ କାଉ
ମଲା ଉପରେ ଶଗଡ଼ ଯାଉ । "
ଟିକେ ପରେ ମଧୁସୂଦନଙ୍କ କଣ୍ଠରୁ ସ୍ୱତଃ ଉଚ୍ଚାରିତ ହେଲା-
"ଚଲୋ ମୁସାଫିର୍‍ ବାନ୍ଦ ଗଠରିଆ
ଦୁନିଆ ଦୌଲତ ରହେଗା ନେହିଁ
ତୁମ୍‍ ଭି ଯାଏଗା ହମ୍‍ଭି ଯାଏଗା
ଯାଏଗା ଦୁନିଆ ସାରା ।"


ସନ୍ଧ୍ୟା ଉତ୍ତୀର୍ଣ୍ଣ ହେଲାଣି । ଫାଲ୍‍ଗୁନ କୃଷ୍ଣ ତୃତୀୟାର ନିରନ୍ଧ୍ର ରଜନୀ । ମଧୁସୂଦନ ନିଜସ୍ୱ ପ୍ରାର୍ଥନାରେ ନିମଗ୍ନ ରହିଛନ୍ତି । ରାତ୍ରି ପ୍ରାୟ ସାଢେ଼ ଆଠଟା । ପୂର୍ବାକାଶର ଦିଗ୍‍ବଳୟରୁ ରକ୍ତାଭ ଜହ୍ନଟି ଉଦିତ ହେଲା । କ୍ରମେ ତାର ଅମ୍ଳାନ ଶୁଭ୍ର ଜ୍ୟୋତିରେ ମଧୁସ୍ମୃତିକୁ ବିଧୌତ କରିଦେଲା ।
ରାତ୍ରିକାଳୀନ ସେବାପାଇଁ ଆସି ପହଞ୍ଚିଛନ୍ତି ବସନ୍ତକୁମାରୀ, ରମାଦେବୀ, ସରଳା ଦେବୀ ପ୍ରମୁଖ ମହିଳା ସେବାଦାତ୍ରୀଙ୍କ ସହିତ ଚିନ୍ତାମଣି ଆଚାର୍ଯ୍ୟ, ଲକ୍ଷ୍ମୀଧର ମହାନ୍ତି, ବ୍ରଜ ସୁନ୍ଦର ଦାସ ପ୍ରମୁଖ ।
ଆଜି ରାତ୍ରି ଭୋଜନର ଦାୟିତ୍ୱ ଅର୍ପିତ ହୋଇଛି ରମାଦେବୀ, ସରଳା ଦେବୀ ଆଉ ବସନ୍ତକୁମାରୀଙ୍କ ଉପରେ । ହେଲେ ମଧୁସୂଦନ ଖାଦ୍ୟ ଗ୍ରହଣ କରିବାକୁ ନଛୋଡ଼ ବନ୍ଧା । ତିନି ଚାମୁଚ ହର୍ଲିକ୍ସ, ଦୁଇଖଣ୍ଡି ଅମୃତଭଣ୍ଡା ସିଝା ନେବାକୁ ପ୍ରାୟ ଘଣ୍ଟାଏ ବିତିଗଲା ।
ତଥାପି ମହିମାବନ୍ତ ରାତ୍ରିରେ ଜହ୍ନ ରାଜୁତି କରୁଛି ବିସ୍ତାରିତ ଆକାଶରେ ।
ଫେବ୍ରୁଆରି ତିନି ତାରିଖ, ଫାଲ୍‍ଗୁନ କୃଷ୍ଣ ଚତୁର୍ଥୀର ପାହାନ୍ତି ପ୍ରହର । ଜହ୍ନ ଆଲୁଅରେ ସୃଷ୍ଟି ହୋଇଥାଏ ଇନ୍ଦ୍ରଜାଲ । ଧୀରେ ଧୀରେ ଜ୍ୟୋତି ହରାଇ ଲୁଚିଗଲା ପଶ୍ଚିମ ଆକାଶରେ । ପୂର୍ବ ଦିଗରେ ନବୋଦିତ ସୂର୍ଯ୍ୟର ରକ୍ତିମ ଛଟା । ସକାଳଟି ଆନନ୍ଦମୟ ଥିଲା । ମଧୁସୂଦନଙ୍କର ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ସମସ୍ତେ ଭାବିନେଲେ ମଧୁସୂଦନ ଏଥର ଘାଟିରୁ ପାରି ହୋଇଗଲେ । ମାତ୍ର ସକାଳୁ ଯେତେବେଳେ ତାଙ୍କର ମୁହଁ ଧୁଆଗଲା ସେ କହିଲେ, "ଏବେ ନୁହେଁ, ମତେ ଯେତେବେଳେ କଫିନରେ ରଖିବ ସେତେବେଳେ ମୁହଁ ଧୋଇଦେବ ।"
ଏହା ସତ୍ତ୍ୱେ ତାଙ୍କର ଦୈନନ୍ଦିନ କର୍ମସୂଚୀ ନିର୍ଦ୍ଧାରିତ ରୀତିରେ ଚାଲିଥିଲା । ପୂର୍ବଭଳି କଣ୍ଡେଲ୍‍ ପାଲିତ୍‍ ମଧ୍ୟେ ମଧ୍ୟେ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିରୀକ୍ଷା କରୁଥାନ୍ତି । ହେଲେ ମଧୁସୂଦନ ମଧ୍ୟେ ମଧ୍ୟେ କହୁଥାନ୍ତି, "ଏତେ କଷ୍ଟରେ ବାପା, ଆଉ ସହିପାରୁ ନାହିଁ ।" ହେଲେ ସେଦିନ ମଧ୍ୟାହ୍ନରେ ୪ ଚାମଚ ଭାତ ଆଉ କିଛି ପରିବା ସିଝା ନେଇଥିଲେ ।

ମଧୁସୂଦନଙ୍କର ଇଚ୍ଛାଶକ୍ତି ଅତ୍ୟନ୍ତ ଦୃଢ଼ ଥିଲା । ସାଂଘାତିକ ଦୁର୍ବଳତା ସତ୍ତ୍ୱେ ସେ ଥିଲେ ଅସୀମ ତିତିକ୍ଷାର ପ୍ରତୀକ । ଜାତି ପ୍ରତି ତାଙ୍କର ଜୀବନ ସମର୍ପିତ ଥିଲା । ତେଣୁ ପ୍ରଶାନ୍ତିର ପ୍ରତିବିମ୍ବ ତାଙ୍କର ମୁଖମଣ୍ଡଳରେ ସଦା ବିରାଜୁ ଥିଲା । ତାଙ୍କର ସେବା ଆଉ ଶୁଶ୍ରୂଷାରେ ନିମଗ୍ନ ଥାଆନ୍ତି ଅସଂଖ୍ୟ ଜ୍ଞାତି ପରିଜନ ଆଉ ଶୁଭେଚ୍ଛୁ । ଗୋପାଳ ବଲ୍ଲଭଙ୍କ ସ୍ତ୍ରୀ ବସନ୍ତ କୁମାରୀ, ରମାଦେବୀ, ସରଳା ଦେବୀ, ବ୍ରଜସୁନ୍ଦର, ଲକ୍ଷ୍ମୀଧର, ବିଚିତ୍ରାନନ୍ଦ, ଚିନ୍ତାମଣି ସମେତ ବହୁବ୍ୟକ୍ତି ମଧ୍ୟେ ମଧ୍ୟେ ପରିଚର୍ଯ୍ୟାରେ ନିଯୁକ୍ତ ରହିଥାନ୍ତି ।
ଅପରାହ୍‍ଣ ଚାରିଟା ସମୟ । କୋହଲା ପାଗର ଜଡ଼ତା ମଧ୍ୟେ ମଧ୍ୟେ ଯେପରି ଶ୍ୱାସରୁଦ୍ଧ କରି ଦେଉଥାଏ । ମାତ୍ର ଖରା ତେଜର ନାତିଶୀତୋଷ୍ଣ ଉଷ୍ମତା ଆଉ ମୁଲାୟମ ସ୍ନିଗ୍ଧତା ପରିବେଶକୁ ଉପଭୋଗ୍ୟ କରିଥାଏ । ସର୍ବତ୍ର ଏକ ଆହ୍ଲାଦର ପ୍ରଫୁଲ୍ଲତା ପରିବ୍ୟାପ୍ତ ହୋଇଥାଏ । ଆସି ପହଞ୍ଚିଲେ ଡାକ୍ତର ପାଲିତ୍‍ । ମଧୁସୂଦନଙ୍କ ସ୍ୱାସ୍ଥ୍ୟରେ ଅକଳ୍ପନୀୟ ଉନ୍ନତି ଦେଖି ସେ ସଂଶୟମୁକ୍ତ ହେଲେ । ତାଙ୍କର ପରାମର୍ଶ କ୍ରମେ ସେବାକାରୀ ଦଳ ଜଣେ ଜଣେ ସେଠାରୁ ବିଦାୟ ନେଲେ । ମଧୁସୂଦନ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ ସ୍ଥିତିରେ ଥିଲେ । ମଧ୍ୟେ ମଧ୍ୟେ ପରିହାସରେ ସମସ୍ତଙ୍କୁ ଆପ୍ୟାୟିତ କରୁଥିଲେ । ସ୍ୱାମୀ ବିଚିତ୍ରାନନ୍ଦଙ୍କୁ ସେ ଆମୋଦିତ ଭାଷାରେ ସମ୍ବୋଧିତ କରୁଥିଲେ, "ଗାନ୍ଧୀଚେଲା" ବୋଲି । ମଧୁସୂଦନ ନିଜେ ଗଭୀର ଭାବେ ଆଶ୍ୱସ୍ତ ହୋଇ କହିଲେ, "ଆଜି ରାତିରେ ମୋ' ପାଖରେ କାହାରି ଉପସ୍ଥିତି ଆବଶ୍ୟକ ନାହିଁ ।" ଦୀର୍ଘ ତିନି ଚାରି ଦିନର ସଂଶୟାବସ୍ଥାର ଅବସାନ ଘଟିଲା । ସର୍ବତ୍ର ଏକ ଆମୋଦପ୍ରମୋଦ ବାତାବରଣ ଯେପରି ଘୂରି ବୁଲୁଥିଲା ।
ସନ୍ଧ୍ୟା ପାଞ୍ଚଟା ବେଳ । ମାତ୍ର ଦିବସର ମୃଦୁ ଆଲୋକ ଯେପରି ବଳବତ୍ତର ରହିଥାଏ । ଏକାକୀ ମଧୁସୂଦନ ଶୟନରତ ରହିଥାନ୍ତି । ହାଡ଼ିବନ୍ଧୁ ସେବା କରୁଥାନ୍ତି । ଏହି ସମୟରେ ମଧୁସୂଦନ ଦୁଇଭଉଣୀ ଶୈଳବାଳା ଆଉ ସୁଧାଂଶୁବାଳାଙ୍କୁ ଆହ୍ୱାନ କଲେ । ତାଙ୍କ ମନର ଗହନକୁ ଆକ୍ରାନ୍ତ କରି ରଖିଥାଏ ବିହାରର ସତ୍ୟାନାଶୀ ଭୂମିକମ୍ପ । ପୀଡ଼ିତ ଜନର ଆର୍ତ୍ତ ଚିତ୍କାର ଆଉ ବୁଭୁକ୍ଷୁ ଜନତାର ଅକଥନୀୟ କଷଣ । ସେ ପ୍ରାୟ ୧୯୧୨ସାଲରୁ ସୁଦୀର୍ଘ ୨୨ବର୍ଷ ଧରି ନିବିଡ ଭାବରେ ଜଡିତ ରହିଥିଲେ ବିହାର ପରିସ୍ଥିତି ସହିତ, କାଉନସିଲର ସଦସ୍ୟ ଓ ମନ୍ତ୍ରୀ ପଦର କର୍ତ୍ତବ୍ୟ ବୋଧରେ ।
୧୯୩୪ ସାଲ । ସେତେବେଳକୁ, ବିହର ଓଡ଼ିଶା ଥାଏ ଏକ ଯୁଗ୍ମ ପ୍ରଦେଶ । ଯହିଁରେ ଓଡ଼ିଶାର ଭାଗ୍ୟ ସଂଯୋଜିତ ରହିଥାଏ ବିହାର ସହିତ । ବିହାରର ପ୍ରଳୟଙ୍କରୀ ଭୂମିକମ୍ପ, କ୍ଷତିର ପରିମାଣ ଓ ମୃତ୍ୟୁହାର ସମସ୍ତ ସମ୍ଭାବ୍ୟ ଆକଳନର ପରିସୀମାକୁ ଯେପରି ଟପି ଯାଇଥାଏ । ସର୍ବତ୍ର ଶୁଣାଯାଉଥାଏ ଅପେକ୍ଷାମାଣ ମୃତ୍ୟୁର କାକୁସ୍ଥ ହାହାକାର । ଏ କ୍ଷେତ୍ରରେ ସେବା ଆଉ ସାହାଯ୍ୟ ଦାନ ଓଡ଼ିଶା ପାଇଁ ଥିଲା ପରମ କର୍ତ୍ତବ୍ୟ । ବିହାରର ଏହି ଭୟାନକ ସ୍ଥିତିକୁ ମୁକାବିଲା କରିବାପାଇଁ ବିହାରର ସର୍ବମାନ୍ୟ କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦଙ୍କୁ ଜେଲରୁ ମୁକ୍ତ କରି ଦୁର୍ଗତଙ୍କ ସେବାର ଭାର ତାଙ୍କୁ ପ୍ରଦାନ କରାଯାଇଥିଲା । ଛାତ୍ରାବସ୍ଥାରୁ ରାଜେନ୍ଦ୍ର ପ୍ରସାଦ

ମଧୁସୂଦନଙ୍କର ପ୍ରିୟପାତ୍ର ଥିଲେ ଓ ତାଙ୍କ ପ୍ରତି ବହୁ ଭାବରେ ସମର୍ପିତ ଥିଲେ । ବିହାର କାଉନ୍‍ସିଲ୍‍ର ଉତ୍ତୁଙ୍ଗ ନେତୃପୁରୁଷ ସଚ୍ଚିଦାନନ୍ଦ ସିହ୍ନାଙ୍କ ସହିତ ମଧୁସୂଦନ ଅତ୍ୟନ୍ତ ନିବିଡ଼ ଭାବେ ସମ୍ବନ୍ଧିତ ଥିଲେ । ମଧୁସୂଦନଙ୍କୁ ସେ ଅଗ୍ରଜର ସମ୍ମାନ ପ୍ରଦର୍ଶନ କରି ଆସୁଥିଲେ । ଭାରତୀୟ ଇମ୍ପରିଆଲ କାଉନ୍‍ସିଲ୍‍ର ପ୍ରମୁଖ ସଦସ୍ୟ ରୂପେ (୧୯୧୩ରୁ ୧୯୧୬) ସେ ତାଙ୍କୁ ନିର୍ବାଚିତ କରାଇଥିଲେ । ଓଡ଼ିଶା ପ୍ରଦେଶର ସ୍ଥାପନା ପାଇଁ ବଙ୍ଗ, ମଧ୍ୟପ୍ରଦେଶ ଅଥବା ମାଡ଼୍ରାସ କାଉନ୍‍ସିଲ୍‍ରୁ ପ୍ରସ୍ତାବ ଗ୍ରହଣ କରାଇବା ଏକାନ୍ତ ଭାବେ ଅକଳ୍ପନୀୟ ଥିଲା । ଏଣୁ ସାମ୍ବିଧାନିକ ପରମ୍ପରାର ମର୍ଯ୍ୟାଦା ରକ୍ଷାପାଇଁ ବିହାର ଓ ଓଡ଼ିଶା ପ୍ରଦେଶ କାଉନ୍‍ସିଲ୍‍ରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିବା ଏକାନ୍ତ ଭାବେ ପ୍ରୟୋଜନୀୟ ଥିଲା । ମଧୁସୂଦନଙ୍କର ବିହାର ଓ ଓଡ଼ିଶା କାଉନ୍‍ସିଲ୍‍ର ସମସ୍ତ ସଦସ୍ୟଙ୍କ ସହିତ ନିବିଡ଼ ଅନ୍ତରଂଗତା ସ୍ଥାପିତ ହୋଇଥିଲା, ଯେଉଁମାନଙ୍କୁ ସେ ବହୁବାର ବିଭିନ୍ନ ଉତ୍ସବରେ ସମ୍ବର୍ଦ୍ଧିତ ଆଉ ଅଭିନନ୍ଦିତ କରିଥିଲେ । ବିହାର ସରକାରଙ୍କ ସର୍ବୋଚ୍ଚ ବରିଷ୍ଠ ସର୍ବଭାରତୀୟ ଅଧିକାରୀଗଣ , ଯେଉଁମାନେ ସେମାନଙ୍କର ପ୍ରାଶାସନିକ ଜୀବନ ଓଡ଼ିଶାରେ ଆରମ୍ଭ କରିଥିଲେ, ସେମାନେ ସର୍ବାନ୍ତକରଣରେ ମଧୁସୂଦନଙ୍କ ପ୍ରତି ସମର୍ପିତ ଥିଲେ । ଏଣୁ ବିହାର ଓଡ଼ିଶା କାଉନ୍‍ସିଲ୍‍ରେ ଓଡ଼ିଶା ପ୍ରଦେଶ ସ୍ଥାପନାପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ ମଧୁସୂଦନଙ୍କ ପ୍ରଭାବଯୋଗୁଁ ଅନୁକୂଳ ଥିଲା । ତେଣୁ ଏହି଼ ସଂପର୍କକୁ ସୁଦୃଢ଼ ଓ ଚିରସ୍ଥାୟୀ କରିବା ପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ ଏକାନ୍ତ ଆବଶ୍ୟକ ଥିଲା ବିହାର ଭୂମିକମ୍ପର ପୀଡ଼ିତ ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋଚ୍ଚ ପରିମାଣର ସାହାଯ୍ୟ ପ୍ରଦାନ ଓ ପୀଡ଼ିତ ବ୍ୟକ୍ତିଙ୍କ ସେବା , ଶୁଶ୍ରୂଷା ।
ସେହି ଫେବ୍ରୁଆରି ତିନି ତାରିଖ ସନ୍ଧ୍ୟା ସାତଘଣ୍ଟା ସମୟରେ ଅନୁଷ୍ଠିତ ହେଉଥିଲା ମହିଳା ସଂଘ ପକ୍ଷରୁ ସାହାଯ୍ୟ ସଂଗ୍ରହ ଅଭିଯାନ ସଭା । ଏଣୁ ମଧୁସୂଦନ ଅତ୍ୟନ୍ତ ଉତ୍‍କଣ୍ଠିତ ହୋଇ ଶୈଳବାଳା ଆଉ ସୁଧାଂଶୁବାଳାଙ୍କୁ ଆହ୍ୱାନ କଲେ, ସେହି ସଭାରେ ଯୋଗଦାନ କରି ସର୍ବୋଚ୍ଚ ପରିମାଣର ସାହାଯ୍ୟ ସଂଗ୍ରହ କରିବାପାଇଁ । ଏହି ଅବସରରେ ମଧୁସୂଦନ ତାଙ୍କର ସମସ୍ତ ସ୍ୱଳ୍ପ ମାତ୍ର ସଂଚିତ ଅର୍ଥ ଯାହା ତକିଆ ତଳେ ଗଚ୍ଛିତ ଥିଲା ,ସେ ସମସ୍ତ ବଢ଼ାଇ ଦେଲେ ଶୈଳବାଳାଙ୍କୁ , ତାଙ୍କର ସମସ୍ତ ପ୍ରତିବାଦ ସତ୍ତ୍ୱେ । ଶୈଳବାଳା ଆଉ ସୁଧାଂଶୁବାଳା ଚାଲିଗଲେ ସେଇ ନିର୍ଦ୍ଧାରିତ ସଭାକୁ ।
ନିଃସ୍ୱ ମଧୁସୂଦନ ଏହାପରେ ହୋଇ ଯାଇଥିଲେ ଏକାନ୍ତ ଭାବେ ନିଃସ୍ୱ ଆଉ କପର୍ଦ୍ଦକ ଶୂନ୍ୟ । ମାତ୍ର ଅନୁଶୋଚନା ନଥିଲା ତାଙ୍କର । ମଧୁସୂଦନଙ୍କର ସଂଚାଳିତ ସମସ୍ତ ପ୍ରକଳ୍ପ ବନ୍ଦ ହୋଇଯାଇଥିଲେ ମଧ୍ୟ ମଧୁସ୍ମୃତିରେ କାର୍ଯ୍ୟ କରୁଥିଲା ଶିଳ୍ପାଗାର; କିଛି ମୋଚି, ବଣିଆ ଆଉ କଳାକାରଙ୍କୁ ଘେନି । ଏହାର ଆୟ ସହିତ ମଧୁସୂଦନ ସଂପର୍କିତ ନ ଥିଲେ ମଧ୍ୟ, ଏହି କଳାକାରଙ୍କ ସହିତ ସର୍ଜନାତ୍ମକ କାର୍ଯ୍ୟରେ ମଧୁସୂଦନଙ୍କର ସଖ୍ୟତା ଥିଲା ଅତ୍ୟନ୍ତ ନିବିଡ । ଜୀବନର ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ମଧୁସୂଦନ, କଳାକାରଙ୍କ ସହିତ ଅତ୍ୟନ୍ତ ଅନ୍ତରଂଗତାର ସହିତ ସଂପର୍କିତ ଥିଲେ । ଏଣୁ ଲକ୍ଷ୍ମୀନାରାୟଣ ସାହୁଙ୍କର ପ୍ରଦତ୍ତ ଶ୍ରଦ୍ଧାଞ୍ଜଳିରେ ଶ୍ରମିକ, ବଣିକ, ମେକାନିକ, ପୁଣି ଜ୍ଞାନୀ, ମାନୀ, ଧ୍ୟାନୀ ମଧୁସୂଦନଙ୍କଠାରେ ଏ ସମସ୍ତ ଏକୀଭୂତ ହୋଇଥିଲା ।

ପ୍ରଖ୍ୟାତ୍‍ ଭାଷାବିତ୍‍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏହିପରି ଥିଲା- "ହେ ମଧୁସୂଦନ !ଜାତି ପାଇଁ ଖରଚ କରି କାଙ୍ଗାଳ ହେଲ, ଓଡ଼ିଆ ଜାତିର ନାମ ଦେଲ । ଓଡ଼ିଆ ଜାତି ଜଗତରେ ବିଶିଷ୍ଟ ସ୍ଥାନ ପାଇ, ଓଡ଼ିଆମାନେ ସ୍ୱଦେଶ ବିଦେଶରେ ସମ୍ମାନ୍ନିତ ଆସନ ପାଆନ୍ତୁ, ଏଥିପାଇଁ ତୁମେ ବାଲି ମାଟି ମୁଠାମୁଠା ଫିଙ୍ଗିଲାଭଳି ଯେତେକ କମେଇଥିଲ ସେତକ ଗମେଇଲ । ପଥର ଭିକାରି ହେଲ, ବେମଗଦୁର ହେଲ, ତଥାପି ମୃତ୍ୟୁ ପର୍ଯ୍ୟନ୍ତ ନିଜର ଅର୍ଜନ ଛଡ଼ା, ନିଜର ଝାଳବୁହା କଉଡ଼ି ଛଡ଼ା ନିଜ ପେଟ ପୋଷିବା ପାଇଁ ଅନ୍ୟର ଖଇରାତି ବା ହାତଟେକା ଧନ କାହାଠାରୁ ଆଶା କରିନାହଁ । କାହାକୁ ମାଗିନାହଁ ଓ କାହାଠାରୁ ଗ୍ରହଣ କରିନାହଁ । ବ୍ୟାଙ୍କରେ ଥିବା ତୁମର ଶେଷ ପୁଞ୍ଜି ଆସି ସେଥିରେ ତୁମର ଅନ୍ତିମ ରୋଗର ଉପଚାରାଦିର ବ୍ୟୟ ଚଳିଅଛି ।"
ଶୈଳବାଳା ଆଉ ସୁଧାଂଶୁବାଳା ଚାଲି ଯାଇଛନ୍ତି ସେହି ନିର୍ଦ୍ଧାରିତ ସଭାକୁ । ପାଖରେ ବସି ରହିଛନ୍ତି ହାଡ଼ିବନ୍ଧୁ । ମଧୁସୂଦନଙ୍କ ମୁଖମଣ୍ଡଳରେ ବିରାଜୁଛି ଦୀର୍ଘ ଦୁଇଦିନ ଧରି ଉଦ୍‍ବେଳିତ ଜ୍ୟୋତିର ନିର୍ଲିପ୍ତ ତରଙ୍ଗ । ହେଲେ ସେଥିରେ ସଂଲଗ୍ନ ରହିଛି ନିବିଡ଼ ସୌମ୍ୟ ଆଉ ସ୍ନିଗ୍ଧତାର ଅପରୂପ ଝଲକ, ଯହିଁରେ ସ୍ତବ୍ଧ ପ୍ରଶାନ୍ତିର ପରିପ୍ରକାଶ ଅବର୍ଣ୍ଣନୀୟ ଥିଲା ।
ସେବା ପ୍ରଦାନ କରୁକରୁ ହାଡ଼ିବନ୍ଧୁ ପଚାରିଲେ, "ହେ, ବାବା ! ମତେ କ'ଣ କିଛି କହିବେ ନାହିଁ । କପର୍ଦ୍ଦକ ଶୂନ୍ୟ ମଧୁସୂଦନଙ୍କ ପାଖେ ଆଉ କଅଣ ବା ସଞ୍ଚିତ ଥିଲା ? ଯାହାକୁ ଅର୍ପଣ କରି ମଧୁସୂଦନ ହାଡ଼ିବନ୍ଧୁଙ୍କୁ କିଛି ଆସ୍ୱସ୍ତି ପ୍ରଦାନ କରିଥାନ୍ତେ! ହାଡ଼ିବନ୍ଧୁ କିନ୍ତୁ ତାହାର ପ୍ରତ୍ୟାଶାରେ ନଥିଲେ । ମଧୁସୂଦନ ନିଜର ହାତଟିକୁ ନେଇ ଆଶୀର୍ବାଦ ଭଂଗୀରେ ହାଡ଼ିବନ୍ଧୁଙ୍କ ମଥାରେ ଥୋଇ ସଂଚାଳିତ କରି ଚାଲିଲେ ଆଶିଷ ପ୍ରଦାନର ଉତ୍ତୁଙ୍ଗ ଅବଧାରଣା ରୂପେ । ସେହି ଧାରାର ପ୍ରବାହ ଅବାରିତ ଥିଲା । ହେଲେ ତାହା କ୍ରମଶଃ ତୀବ୍ରତା ହରାଇ ଶିଥିଳ ହୋଇଗଲା । ମଧୁସୂଦନ ଏହି ଅବକାଶରେ ଆହୁରି ନିର୍ଲିପ୍ତ, ନିରାସକ୍ତ ହୋଇଗଲେ । ପ୍ରଶ୍ନ ପଚାରିଲେ ଉତ୍ତର ପ୍ରଦାନ କରୁନଥିଲେ । ମାତ୍ର ଅଂଗଭଂଗୀରେ ସୂଚିତ କରୁଥିଲେ । ଶ୍ୱାସ ପ୍ରଶ୍ୱାସର ଗତି କ୍ରମେ ଅସ୍ୱାଭାବିକ ଆଉ ଧୀର ହୋଇଗଲା ।
ଏହି ସମୟର ମାତ୍ର ଘଣ୍ଟାକ ମଧ୍ୟରେ ଶୈଳବାଳା ଫେରି ଆସିଲେ ଆଉ ହାଡ଼ିବନ୍ଧୁ ଏହି ଅସ୍ୱାଭାବିକତା ସଂପର୍କରେ ତାଙ୍କୁ ଜଣାଇଲେ । ଶୈଳବାଳା ମଧୁସୂଦନଙ୍କୁ ପଚାରିଲେ,"ହେ ଦାଦା ! କ'ଣ ଭଲ ଲାଗୁନାହିଁ, କଷ୍ଟ ହେଉଛି କି ? ମଧୁସୂଦନ ଧୀର କଣ୍ଠ ସ୍ୱରରେ କହିଲେ, 'ନାହିଁ ।' ଶରୀରରେ ସାମାନ୍ୟ ମାତ୍ର ଯଂତ୍ରଣାର ସୂଚନା ନଥିଲା । ମୁଖମଣ୍ଡଳରେ ଶାନ୍ତିପ୍ରଦ ଆଶ୍ୱାସ ଆଉ ପ୍ରଶାନ୍ତିର ସ୍ନିଗ୍ଧଜ୍ୟୋତି ବିକୀରିତ ହେଉଥିଲା, ଯାହାର ଉଦ୍‍ଭାସ ଥିଲା ଅକଳ୍ପନୀୟ । ସେତେବେଳକୁ ଫାଲ୍‍ଗୁନ କୃଷ୍ଣ ଚତୁର୍ଥୀର ଜହ୍ନ ପ୍ରଗାଢ଼ ତିମିରର ଅବଗୁଣ୍ଠନ ହଟାଇ ରକ୍ତିମ ବର୍ଣ୍ଣର ଲହରୀରେ ଆବିର୍ଭୂତ ହେଲାଣି । କ୍ରମେ ମଧୁସ୍ମୃତିର ପରିସରଟି ବିଧୌତ ହୋଇଗଲା, ଅସରନ୍ତି ଆଲୋକର ପରିପ୍ରକାଶ ମଧ୍ୟରେ । ଏହି ସମୟରେ ଶୀତର ତୀବ୍ରତା ମଧ୍ୟ ଅଲଂଘ୍ୟନୀୟ ଥିଲା ।

ଶୈଳବାଳା ମଧ୍ୟ ମଧୁସୂଦନଙ୍କ ସ୍ୱାସ୍ଥ୍ୟସ୍ଥିତିରେ କିଛିଟା ଅସ୍ୱାଭାବିକତା ଲକ୍ଷ୍ୟ କଲେ । ଏଣୁ ସମସ୍ତଙ୍କୁ ସ୍ଥିତି ସଂପର୍କରେ ଜଣାଇଦେଲେ । ରାତ୍ରି ଦଶଟା ବେଳକୁ ପାୟ ଶହେରୁ ଅଧିକ ଭଦ୍ର ବ୍ୟକ୍ତି ଓ ମହିଳାଗଣ ସମବେତ ହୋଇଥାନ୍ତି । ଆତ୍ମୀୟଙ୍କ ବ୍ୟତୀତ ଥାଆନ୍ତି ଡାକ୍ତର ଜୟନ୍ତ ରାଓ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ, ଡାକ୍ତର ବିଭୂତି ଭୂଷଣ ପଟ୍ଟନାୟକ, ବ୍ରଜସୁନ୍ଦର ଦାସ, ଏନ୍‍. କେ. ରାୟ, ଶ୍ରୀମତୀ ବସନ୍ତ କୁମାରୀ ଦେବୀ, ଶ୍ରୀମତୀ ରମାଦେବୀ, ଶ୍ରୀମତୀ ସରଳା ଦେବୀ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଚିନ୍ତାମଣି ଆଚାର୍ଯ୍ୟ, ପି.ସି. ବୋଷ, ଗୁଣନିଧି ମହାନ୍ତି ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଆଉ ମହିଳାଗଣ । ଶୟନ କକ୍ଷଟି ଲୋକାରଣ୍ୟରେ ପରିପୂର୍ଣ୍ଣ ହୋଇଯାଇଥାଏ । ତଳମହଲାର ବୈଠକଖାନାରେ ଅନେକ ସମ୍ମାନାସ୍ପଦ ବ୍ୟକ୍ତି ଅତ୍ୟନ୍ତ ଆତୁରିତ ହୋଇ ଅପେକ୍ଷା କରିଥାନ୍ତି । ସେହି ରାତିଟି ଥିଲା ବର୍ଷର ସବୁଠାରୁ ଶୀତଳତମ । ସମସ୍ତେ ପରିଧାନ କରିଥାନ୍ତି କୋଟ କିମ୍ବା ଓଭରକୋଟ । କେହିକେହି ଶାଲ୍‍ ବା ଚଦର ଘୋଡ଼ିହୋଇଥାନ୍ତି । ଲୋକଙ୍କର ଅସରନ୍ତି ଉଦ୍‍ବେଗ, ଭୀତିପ୍ରଦ ସଂଶୟ ଆଉ ଉଦ୍‍ବେଳିତ ଉଚ୍ଚାଟର ସୀମା ନଥାଏ । ହଠାତ୍‍ ଡାକ୍ତର ପାଲିତ ପହଞ୍ଚି ଗବାକ୍ଷ ସବୁକୁ ଖୋଲିଦେଲେ । ବାହାରେ ନିବିଡ଼ ହେମାଳ । ଶୁଭ୍ରାଭ ଜହ୍ନ କିରଣର ଢେଉ । ଉତ୍ତଳା ପବନ ବହି ଚାଲିଥାଏ ଅଣାୟତ୍ତ ହୋଇ । ଚାରିଆଡେ କେବଳ କାକୁସ୍ଥତାର ଭାବ ।
ମଧୁସୂଦନଙ୍କ ମୁଖ ମଣ୍ଡଳ ଅପରୂପ ଜ୍ୟୋତିରେ ଉଦ୍‍ଭାସିତ ହୋଇ ଉଠିଥାଏ । ଶରୀରରେ କ୍ରମଶଃ ଶୀତଳତାର ପରିପ୍ରକାଶ । ନାଡ଼ିର ଗତି କ୍ରମଶଃ ଶିଥିଳ ଆଉ ଧୀର ହେଉଥାଏ । ପୁଚ୍ଛା କରନ୍ତେ ମଧୁସୂଦନ ଧର୍ମଗ୍ରନ୍ଥ ପଠନ ପାଇଁ ନିର୍ଦ୍ଦେଶ ଦେଲେ ଆଉ ଧର୍ମଯାଜକ ତାଙ୍କର ଉଦାତ୍ତ କଣ୍ଠରେ ପ୍ରାର୍ଥନାର ପଦଗୁଡ଼ିକ ଆବୃତ୍ତି କରି ଚାଲିଥାନ୍ତି -
"I heard the voice of Jesus say
come unto me and rest,
Lay down thou weary one, lay down
The head upon my breast."
ଗଭୀର ତନ୍ମୟତା ମଧ୍ୟରେ ଉଦ୍‍ଗ୍ରୀବ ଆଉ ଧ୍ୟାନସ୍ଥ ହୋଇ ଶ୍ରବଣ କରୁଥାନ୍ତି ମଧୁସୂଦନ ଧର୍ମର ସେହି ମହିମାମୃତ ଅମୀୟବଚନ । ଗଭୀର ପ୍ରଶାନ୍ତିର ସୀମାହୀନ ଉଚ୍ଛ୍ୱାସ ତାଙ୍କର ଚକ୍ଷୁ ଯୁଗଳକୁ ଜ୍ୟୋତିଷ୍ମାନ୍‍ କରିଥାଏ ।
ରାତ୍ରି ଏଗାରଟା ସମୟରୁ ଶୈଳବାଳା ମଧୁସୂଦନଙ୍କୁ ପ୍ରତି ଦଶମିନିଟ୍‍ରେ ଏକ ଚାମଚ୍‍ ଲେଖାଏଁ ଜଳ ପାଟିରେ ଦେଇ ପାନ କରାଉଥିଲେ । ମଧୁସୂଦନ ତାକୁ ଅତ୍ୟନ୍ତ ଆରାମଦାୟକ ସ୍ଥିତିରେ ଗ୍ରହଣ କରି ଚାଲିଥାନ୍ତି । ସମ୍ମୁଖରେ ଶୟନ କକ୍ଷରେ ସମ୍ମିଳିତ ହୋଇଥାନ୍ତି ତାଙ୍କର ତେଜସ୍ୱୀ ସହଯୋଦ୍ଧାଗଣ ଆଉ ନିରୀକ୍ଷଣ କରୁଥାନ୍ତି ତାଙ୍କର ଦୀପ୍ତିମୟ ଲଲାଟକୁ । ମଧୁସୂଦନ ଏକା, ଓଡ଼ିଶା ଇତିହାସର ଗୋଟିଏ ଶତାବ୍ଦୀ । ତାଙ୍କ ତେଜୋଦୀପ୍ତ ଲଲାଟରେ ଗୋଟିଏ ଶତାବ୍ଦୀର କୋଟିଏ ଅନୁଭୂତିର ମୁଦ୍ରା ଅଂକିତ ହୋଇଥିଲା ।

ଫେବ୍ରୁଆରି ତିନି ତାରିଖର ବାରଟା ସମୟ ଅତିକ୍ରାନ୍ତ ହେଲାଣି । କ୍ରମାନ୍ୱୟରେ ପହଞ୍ଚିଲାଣି ଚାରି ତାରିଖର ରାତି ସାଢେ଼ ଗୋଟାଏ ସମୟ । ମଧ୍ୟ ଆକାଶରୁ ମେଘାଚ୍ଛନ୍ନ କୁହେଳି କେତେବେଳୁ ଅପସରି ଗଲାଣି । ନିର୍ମଳ ଚନ୍ଦ୍ର କିରଣ ଝରି ପଡ଼ୁଛି ଶୁଭ୍ରତାକୁ ବହନ କରି ଅବାରିତ ଭାବରେ ।
ହଁ, ସେହି ରାତ୍ରିର ସାଢେ଼ ଗୋଟାଏ ସମୟ । ସେବାରେ ଥିବା ଶୈଳବାଳା, ଚାମୁଚାଏ ମାତ୍ର ପାଣି ନେଇ ମଧୁସୂଦନଙ୍କ ତୁଣ୍ଡରେ ଦେଲେ, ଯାହା ଅତ୍ୟନ୍ତ ଅକ୍ଲେଶରେ ସେ ଗ୍ରହଣ କରିନେଲେ । ଏକାନ୍ତ ଜାଗରୁକତା ସହ ସହସା ତାଙ୍କର ଜ୍ୟୋତିସ୍ନାତ ମୁଖମଣ୍ଡଳ ପରିପ୍ଳୁତ ଆଉ ଉଦ୍‍ଭାସିତ ହୋଇଗଲା ସ୍ମିତ ହାସରେ । ତାଙ୍କର ଚକ୍ଷୁଯୁଗଳରେ ଦୋଳାୟିତ ହେଉଥିଲା ଅନିର୍ବାଣ ଜ୍ୟୋତି ଶିଖା । ଶୁଚିଶୁଭ୍ର ପବିତ୍ରତା ଆଉ ସ୍ତବ୍ଧ ପ୍ରସନ୍ନତାର ସ୍ୱର୍ଗୀୟ ଆଭାମୟ ଉତ୍ତାଳ ଦୀପ୍ତି ଆବରିତ କରିଥିଲା ସର୍ବାଙ୍ଗ ଶରୀରକୁ । ବାହାରେ ଚନ୍ଦ୍ର କିରଣର ଉଦ୍‍ବେଳିତ ଲହରୀମାଳା ଖେଳୁଥାଏ ମଧୁସ୍ମୃତିର ମହିମାନ୍ୱିତ ପରିସରରେ । ସର୍ବତ୍ର ଆଲୋକର ସମାରୋହ ଆଉ ବିଭାମୟ ଦୀପ୍ତିର ପରିପ୍ରସାର । ଠିକ୍‍ ରାତି ଗୋଟାଏ ପଞ୍ଚତିରିଶି ମିନିଟ୍‍ ସମୟ । ଅତନ୍ଦ୍ର ସଚେତନତା ଆଉ ନିର୍ଲିିପ୍ତ ଜାଗରୁକତା ମଧ୍ୟରେ ମଧୁସୂଦନଙ୍କର ମହାପ୍ରୟାଣ ଯାତ୍ରାର ଆରମ୍ଭହେଲା ଏକ ପର୍ଯ୍ୟାୟରୁ ଅନ୍ୟ ଏକ ପର୍ଯ୍ୟାୟର ଉର୍ଦ୍ଧ୍ୱାୟିତ ସ୍ତରକୁ, ସ୍ୱର୍ଗୀୟ ସାମ୍ରାଜ୍ୟର ଅନିର୍ବଚନୀୟ ସ୍ଥିତିକୁ ।
ମଧୁସୂଦନ କୌଣସି ସମୟରେ ଇଚ୍ଛା ପ୍ରକାଶ କରିଥିଲେ- ତାଙ୍କର ଉତ୍ସର୍ଗୀକୃତ ଜୀବନର ଏକାନ୍ତ ଅନୁପ୍ରେରଣାର ଆଗ୍ନେୟ ଉତ୍ସ-ସତୀପୀଠ (ତାଙ୍କ ପଣଜେଜୀମାଙ୍କର ସ୍ମୃତି କ୍ଷେତ୍ର)ରେ ତାଙ୍କର ସଂସ୍କାର ପାଇଁ । ସେ ବେଳର ସ୍ଥିତି ବଦଳି ଯାଇଥିଲା । ତାଙ୍କର ଭ୍ରାତୃଜାୟା ବସନ୍ତ କୁମାରୀଙ୍କର ଅଭିଳାଷ ଥିଲା ହିନ୍ଦୁରୀତିରେ ମଧୁସୂଦନଙ୍କର ମୃତପିଣ୍ଡକୁ ସତ୍କାର କରିବାପାଇଁ । ବହୁ ଆଲୋଚନା ପରେ ଲୋକାଚାର ପନ୍ଥାରେ ସ୍ଥିର ହେଲା ଯେ ତାଙ୍କର ପୁଣ୍ୟ ଶରୀରକୁ ସନ୍ଥ ସନ୍ନ୍ୟାସୀଙ୍କ ପବିତ୍ର ଶରୀର ପରି ଗୋରା କବରରେ ସମାଧିସ୍ଥ କରିବାପାଇଁ । ଏହାଥିଲା ସର୍ବସମ୍ମତ ଆଉ ସର୍ବଶ୍ରେଷ୍ଠ ସିଦ୍ଧାନ୍ତ ।
ତାହାଥିଲା ୧୯୩୪ ସାଲର ଫେବ୍ରୁଆରି ୪ ତାରିଖ, ଫାଲ୍‍ଗୁନ କୃଷ୍ଣ ପଞ୍ଚମୀର ତିଥି । ସେହି ଶୁଭ୍ରାଭ ଚନ୍ଦ୍ର କିରଣର ପରିପ୍ଳୁତ ରଜନୀରେ ରାତ୍ରି ଅବସାନ ହେବାର ବହୁପୂର୍ବରୁ ପ୍ରାତଃ ତିନିଘଣ୍ଟା ସମୟରେ ମଧୁସୂଦନଙ୍କର ପବିତ୍ର ଶରୀରକୁ ସ୍ନାନ ମାର୍ଜନା କରାଗଲା । ତିରୋଧାନ ପୂର୍ବରୁ ତାଙ୍କର ବାଣୀ ଥିଲା, "ଅନ୍ତରକୁ ପରିଷ୍କାର କର, ସ୍ୱତଃ ବାହାର ମଧ୍ୟ ପରିଷ୍କୃତ ହୋଇଯିବ ।" ଶୁଚିଶୁଭ୍ର ପବିତି୍ରତ ମଧୁସୂଦନଙ୍କ ଶରୀରରେ ହାତକଟା ସୂତାରେ ତିଆରି ଧୋତି ପଞ୍ଜାବୀ, ଆଉ ହାତକଟା ସୂତାରେ ତିଆରି ମୋଟା କୋଟ ପିନ୍ଧାଇ ଦିଆଗଲା ଶୀତକୁ ପ୍ରତିହତ କରିବାପାଇଁ, ଯାହାକୁ ପରିଧାନ କରି ସେ ଶୀତଋତୁରେ ସଭାସ୍ଥଳକୁ ଯାଉଥିଲେ । ଖଣ୍ଡପଡ଼ାର ହାତବୁଣା ଚାଦରକୁ ପରସ୍ତ ପରସ୍ତ ଭାଂଗି ବେକରେ ଥାପି ଦିଆଗଲା । ତାଙ୍କର ସୁକୁମାର କମନୀୟ ଶିଳ୍ପୀର ବୈଚିତ୍ର୍ୟ ବିମଣ୍ଡିତ କଳାପ୍ରାଣ ହସ୍ତ ଦୁଇଟି, ଯାହା ମହାତ୍ମାଗାନ୍ଧୀଙ୍କୁ ବାରମ୍ବାର ଆକର୍ଷିତ କରୁଥିଲା କଳାନୈପୁଣ୍ୟର ପରାକାଷ୍ଠାରେ, ସେହି ହସ୍ତ ଦୁଇଟିର କଳାନୈପୁଣ୍ୟ ସୃଜନଶୀଳ ଅଙ୍ଗୁଳିକୁ ଯୋଡ଼ ହସ୍ତ କରି ରଖାଯାଇଥିଲା ବିଦାୟକାଳୀନ ପ୍ରଣିପାତ ମୁଦ୍ରାରେ ସୁବିସ୍ତାରିତ ବକ୍ଷ

ଉପରେ । ହଁ, ସେହି ବକ୍ଷର ଅନ୍ତରାଳରେ ଯାହା ଗୁଞ୍ଜରଣରେ ଧ୍ୱନିତ ହେଉଥିଲା ଏହି ପଦ୍ୟାଂଶରେ, ""ସ୍ୱାର୍ଥମେଧ ଯଜ୍ଞେ ଚାରିଆଡେ଼ ନାଚ ଛାତିକୁ ମିଶାଇ ଛାତି ।"
ତଳମହଲାର ବୈଠକଖାନା, ଯହିଁରେ ଶ୍ୱେତ ମାର୍ବଲର ଫଳକ ସବୁ ବିଛା ଯାଇଥିଲା, ତାହାର ମଧ୍ୟଭାଗରେ ପଲଙ୍କଟିଏ ରଖି ମଧୁସୂଦନଙ୍କ ପୁଣ୍ୟ ପିଣ୍ଡକୁ ଶୁଆଇ ଦିଆଗଲା । ପୁଷ୍ପ ଓ କର୍ପୂର ମାଳାରେ ଶରୀର ବିମଣ୍ଡିତ ହେଲା । ପ୍ରତ୍ୟୂଷରୁ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନପାଇଁ ଆସିଲେ । ପ୍ରଶାନ୍ତି ଲହରୀ ସର୍ବତ୍ର ପରିବ୍ୟାପ୍ତ ହେଉଥିଲା । ସକାଳ ସୂର୍ଯ୍ୟର ଝଲସା କିରଣ ଶରୀରକୁ ସ୍ୱର୍ଗୀୟ ଆଭାରେ ଭରିଦେଇଥାଏ । ସ୍ମିତହାସ୍ୟ ଯେପରି ଲାଖି ରହିଥାଏ ଓଠରେ । ପର୍ଦାନସୀନ ମହିଳାମାନେ, ପ୍ରଭାତର ଶିଶିରସିକ୍ତ ଅର୍ଦ୍ଧ ପ୍ରସ୍ଫୁଟିତ ଫୁଲପରି ଶିଶୁ ପୁତ୍ର ଆଉ କନ୍ୟାମାନଙ୍କୁ ଆଣି ତାଙ୍କର ଚରଣ ତଳେ ଲୋଟାଇ ଦେଇ ଦୀର୍ଘ ଜୀବନ କାମନା କରୁଥିଲେ । ଏହି ଦୃଶ୍ୟଥିଲା ଅତ୍ୟନ୍ତ ମନୋଜ୍ଞ ଓ ପ୍ରାଣବନ୍ତ । ସକାଳ ନଅଟାରୁ ଭିଡ଼ କ୍ରମଶଃ ବଢ଼ିବାକୁ ଲାଗିଲା । ବିଗତ ରାତ୍ରି ମଧ୍ୟରେ ମଧୁସୂଦନଙ୍କର ତିରୋଧାନ ସଂବାଦ ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଆଉ ବାଣପୁର ପର୍ଯ୍ୟନ୍ତ ପ୍ରଚାରିତ ହୋଇଯାଇଥିଲା । ଏହି ସମସ୍ତ ଅଂଚଳର ଶୋକାକୁଳ ଜନତା କ୍ରମେ ପହଞ୍ଚିବାକୁ ଲାଗିଲେ । ଏହା ସହିତ ଏହି ସମଗ୍ର ଅଞ୍ଚଳରୁ ସଂକୀର୍ତ୍ତନ ଦଳ ମଧ୍ୟ ଆସି ପହଞ୍ଚିଲା ।
ଦିନ ଗୋଟାଏ ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ଦର୍ଶନ ଚାଲିଲା । ଶୀତର ଜଡ଼ତା ମଧ୍ୟରେ ଉଷ୍ମ ସୂର୍ଯ୍ୟାଲୋକ ଏକ ସ୍ୱସ୍ତିପ୍ରଦ ବାତାବରଣ ସୃଷ୍ଟିକରି ଶୋକାକୁଳ ପରିବେଶକୁ ସ୍ନିଗ୍ଧତା ପ୍ରଦାନ କରୁଥିଲା । ତାଙ୍କୁ ବାହାର ପୋର୍ଟିକକୁ ଅଣାଯାଇ ଏକ ପ୍ରଶସ୍ତ ପଲଙ୍କରେ ପୁଷ୍ପାଭରଣରେ ବିମଣ୍ଡିତ କରି ଦିଆଗଲା । ଏହା ପରେ ବିଭିନ୍ନ ସାମାଜିକ ଗୋଷ୍ଠୀମାନଙ୍କୁ ଘେନି ସଂଘବଦ୍ଧ ଫଟୋ ଉତ୍ତୋଳନ କରାଗଲା ।
ଅପରାହ୍‍ଣ ତିନିଟା ସମୟ । ଢଳି ଯାଇଥିବା ସୂର୍ଯ୍ୟଙ୍କ କିରଣରେ ବୃକ୍ଷରାଜିର ଛାୟାସବୁ ଲମ୍ବି ଯାଇଥିଲେ । ଶୀତଳ ପବନ ଉଚ୍ଚାଟ ହୋଇ ବହିବାକୁ ଲାଗିଲା । ବ୍ରଜସୁନ୍ଦର ଦାସଙ୍କ ସଂକ୍ଷିପ୍ତ ଘୋଷଣା ପରେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେଲା । କମନୀୟ ପୁଷ୍ପର ଆଚ୍ଛାଦନରେ ସୁସଜ୍ଜିତ ପଲଙ୍କକୁ ନେଇ ଆରମ୍ଭ ହେଲା ଯାତ୍ରା । ସୂର୍ଯ୍ୟାଲୋକର ପ୍ରଖର ଦୀପ୍ତିରେ ତାଙ୍କ ମୁଖମଣ୍ଡଳ ଅପୂର୍ବ କାନ୍ତିରେ ଝଲସି ଉଠୁଥାଏ । ପ୍ରଥମେ ବ୍ରଜସୁନ୍ଦର ଦାସ, ବିଚିତ୍ରାନନ୍ଦ ଦାସ, ପ୍ରାଣକୃଷ୍ଣ ପରିଜା ଆଉ କଲେଜ ଛାତ୍ରଗଣ ଶବାଧାରକୁ ଧରି ଯାତ୍ରା ଆରମ୍ଭ କଲେ । ଆଗରେ ସୁବିଶାଳ ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ ଗାନ କରି ସମସ୍ତ ପରିବେଶକୁ ପବିତ୍ରତାର ବାତାବରଣରେ ଋଦ୍ଧିମନ୍ତ କରୁଥିଲେ, ଯହିଁରେ ଶୋକଚ୍ଛ୍ୱାସର କାରୁଣ୍ୟ ଅତ୍ୟନ୍ତ ଭାବପ୍ରବଣତାର ସହ ଉକୁଟି ଥିଲା । ଅଶ୍ରୁପ୍ଳାବିତ ନୟନରେ ଚାପା କ୍ରନ୍ଦନର ଗୁଞ୍ଜରଣ ଅତୀବ ହୃଦୟ ବିଦାରକ ହୋଇଥିଲା । ମଝିରେ ମଝିରେ ଶୋଭାଯାତ୍ରାକୁ ସ୍ଥଗିତ ରଖି ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ କରାଯାଉଥିଲା । ରାସ୍ତାର ଦୁଇପାଖରେ କୋଠା ଛାତରୁ ମହିଳାଗଣ ପୁଷ୍ପବୃଷ୍ଟି ସହ ଗଂଗାଜଳ ଆଉ ଅତର ସିଞ୍ଚନ କରି ଚାଲିଥିଲେ । ସଂକୀର୍ତ୍ତନ ଦଳ ପଶ୍ଚାତରେ ଛାତ୍ରଗଣ ମଧୁସୂଦନଙ୍କ ରଚିତ ଦେଶାତ୍ମବୋଧକ ସଂଗୀତ ଐକ୍ୟତାନିକ ସ୍ୱରରେ ଗାନ କରୁଥିଲେ ।

ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୁତି

ସ୍ୱାର୍ଥମେଧ ଯଜ୍ଞେ ଚାରିଆଡେ଼ ନାଚ
ଛାତିକୁ ମିଶାଇ ଛାତି ।
କ୍ଷଣକ ପରେ ପୁଣି ଉଦ୍‍ବେଳିତ କଣ୍ଠରେ ନିନାଦିତ ହେଉଥିଲା ଦେଶମାତୃକାର ମହିମାନ୍ୱିତ ଗାନ ଉଚ୍ଛସିତ ଆବେଗରେ ଆଉ ମନ୍ଦ୍ରିତ ସ୍ୱର ଝଙ୍କାରରେ-
କୋଟିଏ ସନ୍ତାନ ଗୋଟିଏ ସ୍ୱରରେ
ଜନନୀ ଜନନୀ ଡାକ
ତୃଷ୍ଣାରେ କାତର ଜନନୀଙ୍କୁ ଚାହିଁ
ଯେସନେ ଡାକେ ଚାତକ ।
ଏହି ଅମୃତସ୍ରାବୀ ସଂଗୀତ ଗାନ, ପରିବେଶକୁ ଅତ୍ୟନ୍ତ ମହିମାନ୍ୱିତ କରିବା ସହିତ ଶୋକ ବିଧୂରିତ କରିଦେଇଥିଲା । ଶୋଭାଯାତ୍ରାର ଚାକ୍ଷୁଷ ବିବରଣୀ ପ୍ରଦାନ କରିଛନ୍ତି ସାରସ୍ୱତ ପୁରୁଷ ଗୋପାଳ ଚନ୍ଦ୍ର ପ୍ରହରାଜ ଏହିପରି ଭାବରେ-
"ହେ ମଧୁସୂଦନ ! ସେହି ୪.୨.୧୯୩୪ରେ ଦିବା ତିନିଟାଠାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ତୁମ ଶବ ଯେତେବେଳେ ବିମାନରେ ବାହିତ ହୋଇ କଟକର ପ୍ରଧାନ ରାଜଦାଣ୍ଡ ବାଟେ ମିଶନ୍‍ ରୋଡ଼୍‍, ବକ୍ସି ବଜାର, ତିନିକୋଣିଆ ବଗିଚା, ଚଉଧୁରୀ ବଜାର, ନୂଆ ସଡ଼କ, ବାଲୁବଜାର, ଚାନ୍ଦିନୀଚୌକ, ମେହେନ୍ଦୀପୀର, କଟକ ଚଣ୍ଡୀ, କନିକା କୋଠି ଓ ତୁଳସୀପୁର ବାଟେ ଗଲା, ସେ ବିମାନରେ କାନ୍ଧ ଲଗାଇଛନ୍ତି ସମସ୍ତେ । ସେ ବିମାନକୁ ଫୁଲ ପକାଇଛନ୍ତି ସମସ୍ତେ । ପୁରୁଷଙ୍କ ହରିବୋଲ ଏବଂ ମାଇପଙ୍କ ହୁଳହୁଳି ଶବ୍ଦରେ କଟକ ସହର ଉଚ୍ଛୁଳି ପଡ଼ିଲା । ତୁମ ଶବାଧାର ସଂଗେ ପଦବ୍ରଜରେ ଯାଉଥାନ୍ତି ୫ରୁ ୭ହଜାର ସରିକି ଲୋକ । ରାସ୍ତା ଦୁଇପାଖରେ ଚାଳଘର, କୋଠାଛାତ, ପାରାପେଟ, ଗଛଡ଼ାଳ ଉପରେ ଚଢ଼ି ଦେଖୁଥାଆନ୍ତି ଆଉ ପ୍ରାୟ ପାଞ୍ଚ ହଜାର ଜନତା । ଯାହା କହନ୍ତି ଏ ଭିଡ଼ ଭିତରେ ପିମ୍ପୁଡ଼ି ଗଳି ଯିବାକୁ ବାଟ ନଥିଲା । ଶବ ଯାତ୍ରାରେ ଏତେ ଲୋକ ଶବ ସଙ୍ଗେ ପଟୁଆର କରି ଚାଲିବାର କଟକ ସହରର ଇତିହାସରେ ଏହା ହିଁ ଅଭିନବ ଦୃଶ୍ୟ । ସତକୁ ସତ ଦେଖାଗଲା "ତୁମେ ଉତ୍କଳର ମୁକୁଟହୀନ ରାଜ ଚକ୍ରବର୍ତ୍ତୀ ।"
ଏହି ବିବରଣୀ ଏଠାରେ ସ୍ଥଗିତ ରଖି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା । ଏହି ସୁଦୀର୍ଘ ଶୋଭାଯାତ୍ରାରେ ମୁହ୍ୟମାନ ଶୋକାକୁଳ ଜନତାର ସ୍ତବ୍ଧାୟିତ ଯାତ୍ରା । ନୀରବତା ଯେପରି ଆକୂତିରେ ଲୋତକ ପ୍ଳାବିତ ହୋଇ ଚାଲିଥାଏ । ହଠାତ୍‍ ସେହି ନୀରବତାକୁ ବିଦୀର୍ଣ୍ଣ କରି ଗୁଞ୍ଜରି ଉଠିଲା, ଲଳିତ ହେଲେ ମଧ୍ୟ ବଜ୍ର ନିର୍ଘୋଷ କଣ୍ଠରେ ସଂଗୀତର ମୂର୍ଚ୍ଛନା-
"ଭାଇ କାନ୍ଦିବା ହେ ସତ, ଫେରି ଆସେ କି ପୁଷ୍ପକ ରଥ ହେ ।'

ଅତ୍ୟନ୍ତ ବିହ୍ୱଳିତ ଆଉ ଶୋକାଭିଭୂତ ହୋଇ ମଧୁସୂଦନଙ୍କର ଏକାନ୍ତ ଅନୁଗାମୀ, ପ୍ରବୀଣ}}

ବିଧାୟକ ଏବଂ ଅଶୁ କବି ନିକୁଞ୍ଜ କିଶୋର ଦାସ ଏହି ଗୀତର ପଦକୁ ରଚନା କରୁକରୁ, ତାଙ୍କ ସହିତ ଯାତ୍ରା କରୁଥିବା ଉଦୀୟମାନ ତରୁଣ ଗାୟକ ନିମାଇଁ ହରିଚନ୍ଦନ ହାର୍‍ମୋନିୟମ୍‍ରେ ତତ୍କାଳ ସୁରଦେଇ ସଂଗୀତଟିଏ ଗାଇଉଠିଲେ, ଯାହା ଶୋଭାଯାତ୍ରାକୁ ବିପୁଳ ପ୍ରାଣବନ୍ତ କରିଥିଲା -

"ସୁମେରୁର ଶୃଙ୍ଗ ପଡ଼ିଲାରେ ଟଳି
ଲୁଚିଗଲା ଅଂଶୁମାଳି ହେ,
ଗମ୍ଭୀରି ଘରର ସୁନାଦୀପ ଆଜି
ଲିଭିଗଲା ଶେଷେ ଜଳି ହେ
ଭାଇ କାନ୍ଦିବା ହେ ସତ- ଫେରି ଆସେ କି ପୁଷ୍ପକ ରଥ ହେ । ୧ା
ଓଡ଼ିଆ ଜାତିର ମଥାମଣି ଆଜି
ହଜି ଯାଇଛି ଅତଳେ ହେ,
ଅରଚନା ଠୁଳ କୋଣାର୍କ ଦେଉଳ,
ଲୋଟି ପଡ଼ୁଛି ଭୂତଳେ ହେ,
ଭାଇ କାନ୍ଦିବା ହେ ସତ- ଫେରି ଆସେ କି ପୁଷ୍ପକ ରଥ ହେ ।୨ା
ଦେଶସାରା ଆଜି ଅଶ୍ରୁ ହାହାକାରେ
ବୁକୁଫଟା ଦୀର୍ଘଶ୍ୱାସେ ହେ
ଅଶ୍ରୁର ଅତୀତ ଏ ଦାରୁଣ ଖେଦ,
ମରମେ ଦିଏ ପରାଶ ହେ ।
ଭାଇ କାନ୍ଦିବା ହେ ସତ- ଫେରି ଆସେ କି ପୁଷ୍ପକ ରଥ ହେ ।୩ା
ଯାଅ ବୀରମଣି ଫୁଲପରାପଥେ
ପୂର୍ଣ ବଇକୁଣ୍ଠ ଧାମେ ହେ
ଦେଶ ଧୂଳି ମାଟି ମନ୍ତୁରି ଯାଇଛି

ତୁମରି ପବିତ୍ର ନାମେ ହେ

ଭାଇ କାନ୍ଦିବା ହେ ସତ- ଫେରି ଆସେ କି ପୁଷ୍ପକ ରଥ ହେ ।୪ା"
ସେହି ଗୀତି ସର୍ବତ୍ର ବହିଚାଲିଛି ଏକ ଶିହରଣରେ ସଭିଙ୍କର ପ୍ରାଣ ପିଞ୍ଜରାକୁ ଉଦ୍‍ବେଳିତ କରି । ସେହି ସଂଗୀତ ହୃଦୟର ତନ୍ତ୍ରୀରେ ସୃଷ୍ଟି କରିଥିଲା ବିଷାଦର ନିବିଡ଼ ବିହ୍ୱଳତା । ସେହି ଶୋଭାଯାତ୍ରା ଚାଲିଛି ତ୍ୱରିତ ଗତିରେ । ଅବାରିତ ତା'ର ଯାତ୍ରାପଥ । "ତାଙ୍କର ଶବକୁ ଯିଏ ଦେଖିଛି, ସେ ମରିଛନ୍ତି ବୋଲି ବିଶ୍ୱାସ ହୁଏ ନାହିଁ । ସତେ ଯେପରି ପିତାମହ ଭୀଷ୍ମ ଶରଶଯ୍ୟାରେ ଶୋଇ ଇଚ୍ଛାମୃତ୍ୟୁ ବରି ନେଇଛନ୍ତି । ମୁହଁରେ କି ପ୍ରଶାନ୍ତିର ଭାବ । ଆଖି ଦୁଇଟି ବୁଜି ହୋଇ ରହିଛି । ହାତ ଦୁଇଟି ଯୋଡ଼ିହୋଇ ରହିଛି । ସତେଯେପରି କି ମହାଯୋଗୀ ତାଙ୍କର ସର୍ବସ୍ୱ ସେହି

ସ୍ରଷ୍ଟାଙ୍କ ଚରଣରେ ଅର୍ପଣ କରି ଧ୍ୟାନମଗ୍ନ ରହିଛନ୍ତି । ସେହି ଧ୍ୟାନ ହିଁ ତାଙ୍କର ଶେଷଧ୍ୟାନ ହେଲା ।"(ଉତ୍କଳଦୀପିକା)
ମଧୁସୂଦନଙ୍କର ସେହି ମହାଯାତ୍ରା ଚିରକାଳ ଲାଗି ରହିଛି ଅନତିକ୍ରମ୍ୟ । ଜନଶ୍ରୁତି କହେ, ଏହାକୁ ଅତିକ୍ରମ କରିବା ଭଳି ଶୋଭାଯାତ୍ରା, ଏ ପର୍ଯ୍ୟନ୍ତ କଟକ କିମ୍ବା ଓଡ଼ିଶାରେ ସଂଘଟିତ ହୋଇନାହିଁ । ଅଶ୍ରୁପାତର ଅଥଳ ବନ୍ୟା ଓ ହୃଦୟ ଉଦ୍‍ବେଳନର ଅକୁହା କୁହାଟରେ ସତେ ଯେପରି ଏହା ଦଗ୍ଧ କରିଦେଇଥିଲା ସାରା ଓଡ଼ିଶା ଆଉ କଟକ ସହରକୁ । ଯେପରି ସାରା ଭୂଖଣ୍ଡ ଆପ୍ଳୁତ ହୋଇଯାଇଥିଲା ଉତ୍ତାଳ ଜୁଆରରେ । କଟକ, କେଉଁଝର, ମୟୂରଭଞ୍ଜ, ସୋନପୁର କିମ୍ବା ମଣିଆବନ୍ଧ ଶିଳ୍ପୀକୁଳର ଶୋକ କିଭଳି ବେଦନା ବିଧୂରିତ ତାହା ଥିଲା ଅକଳନୀୟ ।
ବୁଦ୍ଧିଜୀବୀଙ୍କ ମହଲରେ ସେ ପରିଚିତ ଥିଲେ ନବ ଓଡ଼ିଶାର ନିର୍ମାତା ରୂପରେ; ଅଥଚ କଟକର ପ୍ରତିଟି ଦରିଦ୍ର, ନିରନ୍ନ କାରିଗରଙ୍କ ମେଳରେ ସେ ଥିଲେ ନିତିଦିନିଆ ସାଥୀ, ନିୟାମକ ଆଉ ଜୀବନପ୍ରଦାୟକ ସଂସ୍ଥାପକ ।
କଟକର ଲୋକସଂଖ୍ୟା ସେତେବେଳେ ପ୍ରାୟ ପଚିଶି ହଜାରରୁ କମ୍‍ ଥିବାବେଳେ ଏହି ଶୋଭାଯାତ୍ରାରେ ସହଯାତ୍ରୀ ଥିଲେ ପ୍ରାୟ ଷୋହଳ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି । ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଚାଲିଥିଲେ । ଏଥିରୁ କେବଳ ବାଦ୍‍ ଯାଇଥିଲେ ଶିଶୁ, କିଛି ବୃଦ୍ଧ ଆଉ କଛି ପର୍ଦାନସୀନା ମହିଳା । ପ୍ରାୟ ପାଞ୍ଚ ହଜାର ପରିବାର ମଧ୍ୟରୁ କେତକ ମୁଷ୍ଟିମେୟ ସମ୍ଭ୍ରାନ୍ତ ପରିବାରକୁ ଛାଡ଼ିଦେଲେ ନିଃସ୍ୱବର୍ଗର ପ୍ରତ୍ୟେକ ପରିବାର ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ଅର୍ଥରେ କଟକର ସମସ୍ତ ପରିବାରଙ୍କ ମଧ୍ୟରୁ ଶତକଡ଼ା ନବେ ଭାଗ ପରିବାର ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।
ଏହି ଶୋଭାଯାତ୍ରାରେ ପ୍ରତିଟି ଶ୍ରମଜୀବୀ, କାରିଗର , ନିରନ୍ନ ଭିକାରୀ, ମାନସିକ ଭାରସାମ୍ୟ ହରାଇଥିବା ପାଗଳ, ଗୀତଗାଇ ଭିକ୍ଷା ଆହରଣ କରୁଥିବା ଅନ୍ଧ ଭିକାରି, କୁଷ୍ଠରୋଗୀ, ଅନାଥାଶ୍ରମର ଅନ୍ତେବାସୀ, ଚମାର ଆଉ ମୋଚି, କୁଶଳୀ ଶିଙ୍ଗ କାରିଗର ଆଉ ଜାତି ଭେଦର ପ୍ରାଚୀରକୁ କାଟିଦେଇ ବ୍ରାହ୍ମଣଠାରୁ ଶୂଦ୍ର ପର୍ଯ୍ୟନ୍ତ, ତାରକସି ଶିଳ୍ପୀ ,ତନ୍ତୀ, ତୈଳିକ ଓ ଦଳିତ ଆଦି ସମସ୍ତେ ଯୋଗ ଦେଇଥିଲେ ।
ଆହାଃ ! ମଧୁସୂଦନ ବ୍ୟକ୍ତିଗତ ଭାବରେ ଏହି ସମସ୍ତ ପରିବାର ସହିତ ଅଚ୍ଛେଦ୍ୟ ଭାବେ ନିବଦ୍ଧିତ ରହିଥିଲେ ଆଉ ପ୍ରତିଟି ପରିବାରର ପ୍ରତିପୋଷଣର ମାର୍ଗଦର୍ଶକ ଭାବରେ ଦଣ୍ଡାୟମାନ ରହି ସେମାନଙ୍କୁ ନିତିଦିନିଆ ରୋଜଗାରର ପନ୍ଥା ଯୋଗାଇ ଚାଲିଥିଲେ ।
ଏହି ମହାଯାତ୍ରାର ବେଳାରେ ବିଳପିତ ହୃଦୟର ଆବେଗରେ ଜଣେ ଓଡ଼ିଆ ଦୀର୍ଘଶ୍ୱାସ ଛାଡ଼ି କହି ଉଠିଥିଲା-"ଆହାଃ ! ଓଡ଼ିଆ ଜାତିର କେଡେ଼ ବଡ଼ ଥାଟ ଆଜି ଚାଲିଗଲା !!"
ଆଉ ଯାହା ରହିଲା, ତାହା କେବଳ ପ୍ରତାରଣାର ଖାଁ ଖାଁ ବିରାଟ ଶୂନ୍ୟତା ।

ସେ ଥିଲେ ଓଡ଼ିଆ ଜାତିର ତ୍ରାଣକର୍ତ୍ତା । ଦୀର୍ଘ ସାଢେ଼ ତିନିଶହ ବର୍ଷର ଅନ୍ତରାଳରେ ହେଲେ ସ୍ୱତନ୍ତ୍ର ପ୍ରଦେଶର ପ୍ରତିଷ୍ଠାତା । ତାଙ୍କ ଜୀବନର ଯାତ୍ରାପଥ ଥିଲା ବାଧା ନିପୀଡ଼ିତ । ଏ ସମସ୍ତ ସତ୍ତ୍ୱେ ସେ ରହିଛନ୍ତି ଅପରାଜେୟ । ତାଙ୍କର ଅପରାଜିତ ପ୍ରାଣସତ୍ତା କଙ୍କାଳ ସାର ଓଡ଼ିଆ ଜାତିର ମର୍ମରେ ଜୀଜୀବିଷା ଆଉ ଜୈତ୍ର ପ୍ରାଣର ଜିଗୀଷା ସୃଷ୍ଟି କରିଥିଲା । ସେ ମୃତପ୍ରାୟ ଜାତିର ପ୍ରାଣରେ ସଂଜୀବନୀ ସିଞ୍ଚି ଜାତିକୁ ଜୀବନ୍ୟାସ ପ୍ରଦାନ କରିଥିଲେ । ଏବେ ତାଙ୍କ ବିଜୟର ବାହୁଡାଯାତ୍ରା ।
ନିମାଇଁ ହରିଚନ୍ଦନଙ୍କର ଗୀତି ମୂର୍ଚ୍ଛନା ନୀରବିତ ହେଲାଣି । ଯାତ୍ରା ପହଞ୍ଚିଛି ତୁଳସୀପୁରରେ । ଶୀର୍ଣ୍ଣ ଦେବଦାରୁ ବୃକ୍ଷଗୁଡିକରେ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା । ଘରବାହୁଡ଼ା ପକ୍ଷୀମାନଙ୍କ କାକଳିରେ ପରିସର ମୁଖରିତ । ଓଡ଼ିଆ ଜାତିର ଦ୍ୱିତୀୟ ବାରବାଟୀ ମଧୁସ୍ମୃତିରୁ ଆରମ୍ଭ ହୋଇଥିବା ଯାତ୍ରା ଆସି ପହଞ୍ଚିଛି, ଐତିହାସିକ ଜୀର୍ଣ୍ଣ ବାରବାଟୀର ପରିଖା ଧାରରେ, ଯାହା ବହୁ ଶହ ବର୍ଷ ଧରି ଓଡ଼ିଶା ସାମ୍ରାଜ୍ୟକୁ ସୁରକ୍ଷା ପ୍ରଦାନ କରି ଆସିଥିଲା । ଏହି ପରିଖା ଧାରର ନିର୍ଦ୍ଧାରିତ ରାସ୍ତା ଥିଲା ମଧୁସୂଦନଙ୍କ ପ୍ରଭାତୀ ଭ୍ରମଣର ଯାତ୍ରାପଥ । ଏହି ପଥରେ ଚାଲିଥିଲା ମଧୁସୂଦନଙ୍କ ବିଜୟ ବାହୁଡ଼ାର ଯାତ୍ରା । କ୍ରମେ ତ୍ୱରିତ ଗତିରେ ସେହି ଶୋଭାଯାତ୍ରା ଯାଇ ପହଞ୍ଚିଲା, ମହାନଦୀ ତୀରସ୍ଥ ଗୋରା କବରରେ । ସନ୍ଧ୍ୟା ପୂର୍ବରୁ ହିଁ ସମସ୍ତ କର୍ମ ସଂପାଦନ କରିବାର ବିଧିବ୍ୟବସ୍ଥା । ପତ୍ର ଗହଳିରେ ଶୀର୍ଣ୍ଣ ସୂର୍ଯ୍ୟାଲୋକ କ୍ରମଶଃ ଅପସାରିତ ହେବାକୁ ଲାଗିଲା । ଏକ ଉଦାସ ଭାବବିହ୍ୱଳିତ ବିଷଣ୍ଣତାର ଛାୟା ସମସ୍ତ ପରିବେଶକୁ ଆକ୍ରାନ୍ତ କରିଥାଏ । ସେହି ସମୟର ବର୍ଣ୍ଣନା 'ସମାଜ' ପୃଷ୍ଠାରେ ଏହିଭଳି ରୂପାୟିତ ହୋଇଛି -
ହଜାର ହଜାର ଜନତା କବର ଭୂମିରେ ଜମା ହୋଇଥାନ୍ତି । ରାଜ ଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବ । ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଦେଶୀ, ବିଦେଶୀ, କଳା, ଗୋରା ସମସ୍ତେ ଯେ ତାଙ୍କର ବନ୍ଧୁ ଥିଲେ ଏହାର ପ୍ରମାଣ ସେହି କବର ଭୂମିରେ ମିଳିଗଲା । ହାଇକୋର୍ଟ ଜଜ୍‍ ମିଷ୍ଟର ଜେମ୍‍ସ, ଜିଲ୍ଲା ଜଜ୍‍ ମିଷ୍ଟର ମେଡ଼ମ୍‍, ପଞ୍ଜାବର ମିଷ୍ଟର ବେରିଲିଙ୍କଠାରୁ ଆରମ୍ଭ କରି କଟକର ସମସ୍ତ ବିଶିଷ୍ଟ ସରକାରୀ ଲୋକ, ଶ୍ରୀଯୁକ୍ତ ଜାନକୀନାଥ ବୋଷଙ୍କଠାରୁ ଆରମ୍ଭ କରି କଟକର ସମସ୍ତ ଓକିଲ, ଅଧ୍ୟାପକ ପରିଜାଙ୍କଠାରୁ ଆରମ୍ଭ କରି କଲେଜର ପ୍ରାୟ ସମସ୍ତ ଅଧ୍ୟାପକ, ବହୁ ସ୍କୁଲ୍‍ କଲେଜର ଛାତ୍ର, କଂଗ୍ରେସ ଏବଂ କଂଗ୍ରେସର ସକଳ କର୍ମୀ, ଖ୍ରୀଷ୍ଟ ସମାଜର ସମସ୍ତ ଲୋକ, ରାଜା, ଜମିଦାର, ଜନସାଧାରଣ, ଖବରକାଗଜର ବହୁ ପ୍ରତିନିଧି, ସ୍କୁଲ୍‍ର ଶିକ୍ଷକ ସମାଜ ସମସ୍ତେ ଉପସ୍ଥିତ ଥିଲେ । ପ୍ରସ୍ତୁତିର ସମୟ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଲା । ଆସନ୍ନ ପ୍ରାୟ ସନ୍ଧ୍ୟାରେ ଗୋଧୂଳିର ଅର୍ଦ୍ଧ ଆଲୋକିତ ରକ୍ତିମ ଛାୟାର ଉଦ୍‍ଭାସ ସମସ୍ତ ପରିବେଶକୁ ସ୍ତବ୍ଧତାର ବିସ୍ମୟରେ ଭରି ଦେଇଥାଏ । ବୃକ୍ଷ ଶାଖାର ନିଶ୍ଚଳ ସମୟ ଯେପରି ସ୍ଥାଣୁତାର ପରିଧି ମଧ୍ୟରେ ସ୍ଥିର ହୋଇ ଶୋଇଯାଇଥାଏ । ଠିକ୍‍ ଏହି ସମୟରେ ପୁରୀ ଶ୍ରୀକ୍ଷେତ୍ରରୁ ଆସି ପହଞ୍ଚିଲେ ଲୋକନାଥ ମିଶ୍ର, ଜଗବନ୍ଧୁ ସିଂହ, ଜଗନ୍ନାଥ ମିଶ୍ର ପ୍ରମୁଖ । ସାଥିରେ ଆଣିଥିଲେ ଶ୍ରୀ ଜଗନ୍ନାଥଙ୍କୁ ଲାଗି ହୋଇଥିବା ଗଜରା ଆଉ କର୍ପୂର ମାଳ । ଏହି ସବୁ ପୁଣ୍ୟ ପ୍ରସାଦ ଗୁଣରେ ଆଧାରିତ ମାଳାସବୁକୁ ମଧୁସୂଦନଙ୍କର ପବିତ୍ର ଶରୀରରେ ଆଚ୍ଛାଦିତ କରିଦିଆଗଲା । ହଁ, ମଧୁସୂଦନ ଥିଲେ

ଶ୍ରୀଜଗନ୍ନାଥଙ୍କର ଏକନିଷ୍ଠ ପୂଜାରୀ । ତାହାଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କର ଶରଣାଗତିର ଭଜନମାନ ବେଳେବେଳେ ଗୁଞ୍ଜରି ଉଠୁଥାଏ ।
କ୍ରମେ ସେହି ସମସ୍ତ ମୃଦୁ କୋଳାହଳ ସ୍ତିମିତ ହୋଇଗଲା । ଏକ ନିସ୍ତବ୍ଧତାର ରାଜୁତି ସବୁଆଡେ଼ ପରିବ୍ୟାପ୍ତ ହୋଇଗଲା । ସେହି ନୀରବତା ମଧ୍ୟରେ ଧର୍ମଯାଜକଙ୍କ ସଂଗୀତର ମୂର୍ଚ୍ଛନା ମଧ୍ୟରେ ଶ୍ଳୋକ ଉଚ୍ଚାରଣ ସମସ୍ତ ପରିବେଶକୁ ବିସ୍ମୟ ଆଉ ତନ୍ମୟତାରେ ଭରି ଦେଇଥିଲା । ସେହି ମାନ୍ତ୍ରିକ ଶ୍ଳୋକ ଉଚ୍ଚାରଣରର ଧ୍ୱନି ମୂର୍ଚ୍ଛନାର ସର୍ବତ୍ର ପ୍ରତିଧ୍ୱନିତ ହେଉଥିଲା ବରାଭୟର ଉଦାତ୍ତ ଆଶୀର୍ବାଦ ଆଉ ନିବିଡ଼ କରୁଣାର ମୈତ୍ରୀଧାରା ବହନ କରି । ତାହାଥିଲା ଏହିପରି-
I came to Jesus as I was
Weary and worn and sad,
I found in Him a resting place
And He has made me glad.
"ଯେଣୁ ଦୁଃଖ ଜଞ୍ଜାଳରେ ଅଥୟ
ଅବସାଦ ଭଜିଲି
ଏ ମର ସଂସାରେ ଯୀଶୁଙ୍କୁ
ଏକା ଆଶା ମଣିଲି
ଦେଖିଲି ସେହିଟି ଅଟନ୍ତି
ମୋର ଆଶ୍ରୟ ସ୍ଥଳୀ
ମୋ ପ୍ରାଣେ ଆନନ୍ଦ ସେ ଏକା
ଦେଇ ଅଛନ୍ତି ଢାଳି । "
ଏହାପରେ ଧୀରେଧୀରେ ସେହି କଫିନ୍‍ଟିକୁ ଗୋରା କବରର ସେହି ଗହ୍ୱର ମଧ୍ୟକୁ ଖସାଇ ଦିଆଗଲା । ତାଙ୍କର ଅନୁଗାମୀଙ୍କର ଧୂଳିପୂର୍ଣ୍ଣ ଆଞ୍ଜୁଳିରେ ଗହ୍ୱରଟି ପରିପୂର୍ଣ୍ଣ ହୋଇଗଲା । ଏଣିକି ଶୋକ ଉଚ୍ଛ୍ୱାସର ବିହ୍ୱଳତା ସମସ୍ତ ସୀମା ଅତିକ୍ରମ କରିଗଲା ।
ଏହି ସମସ୍ତ ବିବରଣୀ ଉପସ୍ଥାପିତ ହୋଇଛି ପ୍ରତ୍ୟକ୍ଷଦର୍ଶୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ମାର୍ମିକ ସ୍ମୃତିଚାରଣରେ ଏହିପରି ଭାବରେ-
ହେ ମଧୁସୂଦନ !
ଗୋରା କବରଠାରେ ତୁମର ସମାଧି ହେଲା । ସେଠାରେ ଲୋକ ୫/୭ ହଜାର ରୁଣ୍ଡ ହେଲେ ଓ ସେ ହତାଟି ଲୋକଙ୍କଦ୍ୱାରା ଭରପୂର ହୋଇଗଲା । ଗୋରାକବର ପ୍ରଥମ ଆରମ୍ଭ ହେବାଠାରୁ ଆଜିଯାକେ ସେଠାରେ ଏତେ ଲୋକ ଜମି ନଥିଲେ କି ଜମିବେ ନାହିଁ । ତୁମ ଶବ ସଂଗେ କି ହିନ୍ଦୁ, କି ମୁସଲମାନ, କି ଜୈନ, କି ଖ୍ରୀଷ୍ଟାନ, କି ବ୍ରାହ୍ମ, କି ପୁରୁଷ, କି ସ୍ତ୍ରୀ, କି ବାଳକ, କି ବାଳିକା, କି ରାଜା, କି ପ୍ରଜା, କି ଧନୀ, କି କାଙ୍ଗାଳ, କି ସାହେବ, କି ଦେଶୀ, କି ଅଶୀତିପର ବୃଦ୍ଧ, କି ସ୍ତନନ୍ଧୟ

ଶିଶୁ ସମସ୍ତେ ନିଜ ନିଜର ଅସ୍ମିତାକୁ ପାସୋରି ଚାଲି ଥାଆନ୍ତି । ଧର୍ମ ବିଶ୍ୱାସରେ ତୁମ୍ଭେ ଖ୍ରୀଷ୍ଟାନ୍‍ ଥିଲ ବୋଲି, ଖ୍ରୀଷ୍ଟାନ ବିଧିରେ ତୁମର କବର ହେଲା । କିନ୍ତୁ ହିନ୍ଦୁ ମତରେ ତୁମେ ଜାତି ଭାଇଙ୍କର କାନ୍ଧରେ ଗଲ । ହିନ୍ଦୁ ମତରେ ହରିବୋଲ ହୁଳହୁଳିରେ ଗଗନ ଉଚ୍ଛୁଳିଲା, ମୁସଲମାନ ମତରେ ତୁମ ଶବ ବିମାନକୁ ବାଟରେ ଯେ ହାବୁଡ଼ିଲା, ସେ ବିମାନ ବାଉଁଶରେ କାନ୍ଧ ଲଗାଇଲା, ବ୍ରାହ୍ମମତରେ ଶବଯାତ୍ରାବେଳେ ସହଯାତ୍ରୀମାନେ ଉପାସନା କରୁଥାଆନ୍ତି ଓ ବୌଦ୍ଧ ମତରେ ତୁମର ସମାଧି ହେଲା ଓ ତୁମେ ନିର୍ବାଣ ଲାଭ କଲ ।
ଯାଅ ମହାତ୍ମା ! ପରାତ୍ପର ତୁମର ସଦ୍‍ଗତି କରନ୍ତୁ । ତୁମ ଆତ୍ମା ମଙ୍ଗଳମୟଙ୍କର ଅମୃତମୟ କ୍ରୋଡ଼ରେ ଅମୃତ ସେବନ କରି ଶାନ୍ତି ଲାଭ କରୁ । ତୁମେ ଓଡ଼ିଆ ଜାତିକୁ ଯେଉଁ ପ୍ରେରଣା, ଯେଉଁ ଉତ୍ସାହ, ଯେଉଁ ବଳ, ଯେଉଁ ସାହସ, ଯେଉଁ ଆଦର୍ଶ, ଯେଉଁ ଉଦ୍ୟମ ଓ ଉଦାହରଣ ଦେଇଯାଇଅଛ ଓଡ଼ିଆ ଜାତି ତାହାରି ବଳରେ ସମଗ୍ର ଜଗତରେ ଆନ୍ତର୍ଜାତିକ ପ୍ରତିଷ୍ଠା ଲାଭ କରୁ ।
ସେତେବେଳେ 'ସମାଜ' ପତ୍ରିକାରେ 'ଶହେ ବର୍ଷର ଶୃଙ୍ଗ ଭାଙ୍ଗିଲା' ଶିରୋନାମାରେ ମଧୁସୂଦନଙ୍କ ପ୍ରତି ଯେଉଁ ଭାବ ଉଚ୍ଛ୍ୱାସଭରା ବିହ୍ୱଳିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, ତାହାର କିଛି ସ୍ମରଣୀୟ ଅଂଶ ନିମ୍ନରେ ପ୍ରଦତ୍ତ ହେଲା ।
'ସମାଜ'ର ଶ୍ରଦ୍ଧାଞ୍ଜଳି-
"ଶହେ ବର୍ଷର ଶୃଙ୍ଗ ଭାଙ୍ଗିଲା"
ଯେ କାଲି କଟକରେ ଥିଲେ ସେ ଆଜି ନାହାନ୍ତି । ଦୁଃଖ ବିପଦରେ ଯାହାଙ୍କ ପରାମର୍ଶ ନେବାପାଇଁ କାଲି ହୁଏତ କେତେ ଲୋକ ବିଚାରୁ ଥିବେ, ସେ ଦେଖିବେ ଆଜି ସେ ନାହାନ୍ତି । ସେ ପ୍ରାୟ ଶହେ ବର୍ଷର ଲୋକ । ହେତୁ ପାଇଲା ଦିନୁ ୬୦/୬୫ ବର୍ଷର ଅଭିଜ୍ଞତା ଯେ ବୁକୁରେ ଧରି ବସିଥିଲେ କେତେ ଦୁଃଖ, କେତେ ବିଘ୍ନ, କେତେ କୌଶଳ ଭିତରେ ସେ ନିଜର ଜୀବନ ଗଢ଼ି ଆସିଥିଲେ, କାର୍ଯ୍ୟ କରି ଆସିଥିଲେ । ତାଙ୍କ ମସ୍ତିଷ୍କରେ, ତାଙ୍କ ଅନ୍ତରରେ, ତାଙ୍କ ଅନୁଭୂତିରେ, ତାଙ୍କ ସ୍ମୃତିରେ କେତେ ସଂପଦ ନଥିଲା ! ରକ୍ତ, ମାଂସ ଦେହ ଶୁଖିଶୁଖି କଳାକାଠ ପଡ଼ିଯାଇଥିଲା, ପ୍ରତ୍ୟେକ ଅଂଗ କ୍ଷୀଣ ହୋଇ ଯାଇଥିଲା; କିନ୍ତୁ ଦୃଷ୍ଟି ଓ ଶ୍ରୁତି ତିଳେମାତ୍ର କ୍ଷୁଣ୍ଣ ହୋଇ ନଥିଲା । ସେ ଗୁରୁ ଗମ୍ଭୀର କଣ୍ଠ ବରାବର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବୀଣାପରି ବାଜୁଥିଲା । ଯାହା ବୁକୁରେ ଯାହା ମନରେ ଏତେ କଥା, ଏତେ ସ୍ମୃତି ସଂଚିତ ହୋଇ ରହିଥିଲା, ତାଙ୍କରି ନିଃଶ୍ୱାସ ଟିକକ ବନ୍ଦ ହେବା ମାତ୍ରେ ସେ ସବୁ କୁଆଡେ଼ ଉଭେଇଗଲା । ସେ ପବନ ଟିକ ରହିଥିଲେ ସବୁ ରହିଥାନ୍ତା ।
ମଧୁସୂଦନଙ୍କର ପବିତ୍ର ଶରୀରର ଅନ୍ତିମ ସମାଧି ପ୍ରଦାନ ପରେ ସେହି ଚରମ ଦୁଃଖର ମୁହ୍ୟମାନତା ଥିଲା ଅତୀବ ସ୍ତବ୍ଧାୟିତ ଆଉ ନିରାଲମ୍ବ । ନିର୍ବାକ୍‍ ଜନତା କବର ଭୂଇଁରୁ ଫେରୁଥାନ୍ତି ଓଡ଼ିଶାର ଶ୍ରେଷ୍ଠ ସମ୍ପଦକୁ ଭୂମିର ଗହ୍ୱରରେ ସଂପାଦି ଦେଇ । ହେଲେ କାଳକାଳ ଲାଗି ସେହି ତେଜୋଦୀପ୍ତ ଶରୀରର ସମାଧି ହୋଇଛି ଅନୁପ୍ରେରଣାର ଉତ୍ସ । ସେହି ଦୁର୍ବାର ଅବସାଦର ନିବିଡ଼ ଗହ୍ୱରରୁ ଯେଉଁ ଜ୍ୟୋତିର୍ମୟ ଆଶାର ଆଲୋକ, ପ୍ରତିଶ୍ରୁତିର ଦୃଢ଼ ନିର୍ଭରତା ଆଉ ଜାଗରଣର

ଉଦ୍ଦାମ ଉଦ୍ଦୀପନା ସୃଷ୍ଟି ହୋଇଥିଲା ତାହା କବି ପ୍ରାଣର ପ୍ରଗାଢ଼ ଅନ୍ତଃସ୍ଥଳୀରେ ବହି ଚାଲିଥିଲା କାଳଜୟୀ ଉଚ୍ଛ୍ୱସିତ କବିତା ରୂପରେ । ସେଥିମଧ୍ୟରୁ ପ୍ରଖ୍ୟାତ କବି ଚନ୍ଦ୍ର ଶେଖର ମିଶ୍ରଙ୍କର ଅମୃତ ଲେଖନୀରୁ ନିସୃତ ପରମ ଅଭ୍ୟୁତ୍‍ଥାନର ବାର୍ତ୍ତା ବହନ କରିଥିବା ଶ୍ରଦ୍ଧାଞ୍ଜଳି 'ବାହୁଡ଼ା ବିଜୟ' ନିମ୍ନରେ ପ୍ରଦତ୍ତ ହେଲା ।



ଚନ୍ଦ୍ରଶେଖର ମିଶ୍ର


(୧) ଜୀବନର ଋଣ ଶୁଝି
ରଣଭୂମେ ଯୁଝିଯୁଝି,
ପଡ଼ିଗଲା ତଳେ ଆଜି ସଂଗ୍ରାମ କେଶରୀ
ତାହାରି ଜନମ ମାଟି
ଯାଇଅଛି ଆଜି ଫାଟି,
ମାଆ କୋଳ ଶେଷେ ବୀର ନେଇଅଛି ବରି ।
(୨) ଶୋଇଗଲା ଐରାବତ
ହିମାଳୟ ପରବତ,
ଶୁଖିଗଲା ଶେଷେ ତାର ଶାଶ୍ୱତ ଝରଣା
ଯାଇଛି ଅସୀମ ଧାମେ,
କୁହ ସିନା ମୃତ୍ୟୁ ନାମେ,
ବାହୁଡ଼ା ବିଜୟ ତାହା ନୁହଁଇ ମରଣ ।
(୩) ଅମର ମରଣ ଯା'ର,
ନାହିଁ, ନାହିଁ ମୃତ୍ୟୁ ତା'ର
ସବୁରି ହୃଦୟେ ଆଜି ରହିଛି ସେ ବସି,
ତା' ଦେଶର ଜଳବାୟୁ,
ରଖିଲା ତା ଅସ୍ଥି-ସ୍ନାୟୁ,
ନ ଛୁଇଁବ କାଳ ତାକୁ, ନ ଛୁଇଁବ ମସି ।

(୪) ଉଠାଇଲା ଗିରିଶୃଙ୍ଗ
ତୋଳିଳା ଦେଉଳ ତୁଙ୍ଗ,
ତୋଳିଗଲା "ପିରାମିଡ଼୍‍', "ତାଜ୍‍' ନିଜ ଦେଶେ ।
ବିଜୟ ନିଶାଣ ହାତେ
ବୁଲିଛି ସେ ବିଶ୍ୱ ସାଥେ,
ଭଜିଛି ବିଶ୍ରାମ ବୀର କରମର ଶେଷେ ।
(୫) ଉଠାଅନା, ତାକୁ ରୋଳେ
ଶୋଇଛି ସେ ମାଆ କୋଳେ,
ଶାନ୍ତି ଏବେ ଲୋଡ଼ା ତା'ର ହୋଇଛି ଜୀବନେ,
ନିଦ୍ରା ଅନ୍ତେ ଆର୍ଯ୍ୟବର
ତୋଳିବ ତା' ମଧୁ ସ୍ୱର,
ବଜାଇବ ଶତ ଭେରୀ ଭୁବନେ ଭୁବନେ ।
(୬) ଆଜି ହେ ପଥିକ ! ତୁମେ
ଯାଉଛ ବିଶ୍ରାମ ଭୂମେ
ଦେଇଆସ ଖାଲି ପ୍ରାଣ-ପୀରତି ଚନ୍ଦନ,
ସିକ୍ତ କରି ଶଯ୍ୟା ତଳ
ନ ଢାଳିବ ଅଶ୍ରୁଜଳ,
ମନେ ରଖ, ଭୀଷ୍ମର ଏ ଶରର ଶୟନ ।
(୭) ଆବେଗେ ଆଗ୍ରହେ ତାକୁ
ଉଠାଇଲ ଉଠିବାକୁ
ଉଠିଥାଏ, ଉଠିବ ସେ ନିଦ୍ରା ପରିହରି ।
ନିଜ ଦେଶ ମାଆ ଭାଇ
ତାଙ୍କରି ଅଭାବ ଚାହିଁ
ଉଠିବ, ଉଠିବ ପୁଣି ଉତକେଶର ହରି ।
(୮) ସେ ନୁହେଁ ବଧିର ଗିରି
ଦେଇପାରେ ହୃଦ ଚିରି,

ପାବକ ତୃଷାରେ ତାର ଗଠିତ ଜୀବନ,
ତେବେ କିଁପା ଦୁଃଖ ଆଉ,
ମହାରଥୀ ଶୋଇଥାଉ,
ନ କର ତା’ ପାଶେ ବସି ଆତୁର କ୍ରନ୍ଦନ ।

(୯) ଆସ ଆର୍ଯ୍ୟ ବଂଶଧରେ,
ପରଶି ତା’ ପଦ ଥରେ
ଅର୍ଘ୍ୟରୂପେ ଦିଅ ତାକୁ ରାଜାର ସମ୍ମାନ,
ଫେରିଯାଅ ଧୀରେଧୀରେ
ବହି ନେଇ ନତ ଶିରେ
"ମୃତ୍ୟୁହୀନ ପ୍ରାଣ" - ତାର ଜୀବନର ଦାନ

ମଧୁସୂଦନଙ୍କ ତିରୋଧାନର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ, ତାଙ୍କର ବଂଶଧରମାନେ ଗୋରା କବରସ୍ଥ ତାଙ୍କର ସମାଧୀପୀଠରେ ଶ୍ୱେତ ମାର୍ବଲ ନର୍ମିତ ଏକ ରମଣୀୟ ସୁରମ୍ୟ କବର ନିର୍ମାଣ କରିଥିଲେ । ମଧୁସୂଦନଙ୍କ ସହିତ ଅନ୍ତରଙ୍ଗ ଭାବେ ସମ୍ବନ୍ଧିତ ଥିବା ଓଡ଼ିଶା ଡିଭିଜନର ଇ.ହସ୍.ହର୍‌ନେଲ୍ କମିଶନର ୪.୨.୧୯୩୫ରେ ଏହି ଐତିହାସିକ ସମାଧୀପୀଠ ଉନ୍ମୋଚନ କରିବା ଅବକାଶରେ ତାଙ୍କ କ୍ରାନ୍ତିକାରୀ ଜୀବନର ଯେପରି ମୂଲ୍ୟାୟନ କରିଥିଲେ ତାହାର ପଟାନ୍ତର ନାହିଁ । ତାହାର କିଛି ଅଂଶ ଏଠାରେ ପ୍ରଦାନ କରାଗଲା ।
ହେ ବନ୍ଧୁଗଣ !
ମାନବ ସମାଜର ଜଣେ ମହତ୍ତର ପ୍ରେମାସ୍ପଦ ନେତୃପୁରୁଷ ତଥା ଏହି ମହାନ ଜନଗୋଷ୍ଠୀର ଅନୁତ୍ତର ଗରିମାମୟ ସେବକଙ୍କର ଅବିସ୍ମରଣୀୟ ସୃତିକୁ ଗୌରବାନ୍ୱିତ କରିବାପାଇଁ ଆମ୍ଭେମାନେ ଜାତି, ଧର୍ମ ଓ ବୃତ୍ତି ନିର୍ବିଶେଷରେ ଏଠାରେ ସମବେତ ହୋଇଛେ । ସେହି ମହାନ ଜନଗୋଷ୍ଠୀର ଉତ୍‌ଥାନ ନିମନ୍ତେ ସମର୍ପିତ ତାଙ୍କର ମହିମାନ୍ୱିତ ଜୀବନ ଘେନି ସେ ଭାରତୀୟ ମହାଦେଶର ମହାସଂଘୀୟ ଦେଶମାନଙ୍କ (ଲିଗ୍ ଅଫ୍ ନେସନ୍) ମଧ୍ୟରେ ତାଙ୍କର ଜାତୀୟ ବର୍ଗର ଲୋକମାନଙ୍କୁ ନେଇ ଏହି ମହାନ ଦେଶ ପ୍ରତିଷ୍ଠା କ୍ଷେତ୍ରରେ ସ୍ବତନ୍ତ୍ର କୀର୍ତ୍ତିଶାଳୀ ପରିଚୟ ପ୍ରଦାନ କରିବାପାଇଁ ଅବିରତ ସଂଗ୍ରାମ କରି ଚାଲିଥିଲେ । ତାଙ୍କର ତିରୋଧାନରେ ସେ ମରଶରୀରରୁ ମୁକ୍ତ ହୋଇ ଅମରତ୍ୱ ଲାଭ କରିଛନ୍ତି । ତାଙ୍କର ସମସ୍ତ ବଳବୀର୍ଯ୍ୟ ଆଉ ଶକ୍ତି ଘେନି ସେ ମନ୍ଦଶକ୍ତି, ଅନ୍ୟାୟ, ବିଦ୍ରୂପ ଆଉ ଅମାନବିକତା ବିରୁଦ୍ଧରେ ସଦର୍ପେ ସଂଗ୍ରାମ କରିଥିଲେ ମଧ୍ୟ ଯେପରି ପିଗା ପର୍ବତର ଶିଖର ଦେଶରେ ଦଣ୍ଡାୟମାନ ହୋଇ ମସେସ୍ ତାଙ୍କର ନିଷ୍ପେଷିତ ବଂଶଧରମାନଙ୍କ ଭବିଷ୍ୟତର ବାସଭୂମିକୁ ଅପଲକ ନେତ୍ରରେ ଦେଖୁ ଦେଖୁ ଏ ସଂସାରରୁ ବିଦାୟ ନେଇଗଲେ, ସେହିପରି ମଧୁସୂଦନ ନିଜର ସମସ୍ତ ମାନବୀୟ ଶକ୍ତିକୁ ଘେନି ତାଙ୍କର ଜାତିର ବାସଭୂମି ସ୍ବୟଂଶାସିତ ଓଡ଼ିଶା

ଦେଶପାଇଁ ସେହି ଅଭିଳଷିତ ଲକ୍ଷ୍ୟସ୍ଥଳରେ ଉପନୀତ ହେବା ନିମନ୍ତେ ସେ ସଂଘର୍ଷପୂର୍ଣ୍ଣ ଅଭିଯାନ ଚଳାଇ ରଖୁଥିଲେ ମଧ୍ୟ ତାହାର ଦ୍ୱାର ଦେଶରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନର ପ୍ରାକ୍ କାଳରେ ଏହି ମରଧାମରୁ ବିଦାୟ ନେଇଗଲେ ।
ଏଣୁ ତାଙ୍କର ଗୌରବାବହ ଐତିହ୍ୟ ଘେନି ତାଙ୍କର ଜନଗୋଷ୍ଠୀ ସଦର୍ପେ ଉଚ୍ଛ୍ୱସିତ କଣ୍ଠରେ ନିନାଦିତ କରି ଗାଇ ଉଠିବେ-

"ହେ ସମାଧି ! କାହିଁ ତୁମର ଆଘାତର ଶକ୍ତି ?
ହେ ମୃତ୍ୟୁ ! କାହିଁ ତୁମର ବିଜୟ ?
ତୁମେ ଯେ ପରାଜିତ ।


ତାଙ୍କର ମୃତ୍ୟୁ ହୋଇନାହିଁ, ସେ କେବଳ ତାଙ୍କର ଖଡ୍‌ଗ ଆଉ କ୍ରୁଶ୍‌କୁ ସମର୍ପି ଦେଇ ବିଜୟର ଐଶ୍ୱର୍ଯ୍ୟଶାଳୀ ମୁକୁଟ ପରିଧାନ କରିବା ପାଇଁ ଚାଲିଯାଇଛନ୍ତି ।"
ମଧୁସୂଦନଙ୍କର ତିରୋଧାନ ଥିଲା ଯେତିକି ବେଦନା ବିଧୂରିତ, ସେହିପରି ଥିଲା ଅପ୍ରତିହତ, ଅମର ପ୍ରେରଣାର ଚିରନ୍ତନ ଅବାରିତ ଉତ୍ସ । କବି ମାୟାଧର ମାନସିଂହଙ୍କ ଶ୍ରଦ୍ଧାଞ୍ଜଳିର ପ୍ରଥମ କେତେକ ପ‌ଙ୍‌କ୍ତି ଏହିପରି ଥିଲା-

ଆର୍ଯ୍ୟ ମଧୁସୂଦନ
ମାୟାଧର ମାନସିଂହ

ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍‌ଧ କି ତବ ତୂର୍ଯ୍ୟ ହେ ?
ଗୋଟି ଗୋଟି କରି ଜଳାଇ ଯାଇଛ
କୋଟିଏ ଜାତୀୟ ସୂର୍ଯ୍ୟ ଯେ !
ମୃତ୍ୟୁଞ୍ଜୟ ମୃତ୍ୟୁ ତୁମର ନାହିଁ ଯେ,
ମରଣ ନଇଁବ ତମର ବିଜୟ ପାଇଁ ଯେ,
ସ୍ୱଭାବ ଛାଡ଼ିବ ଦେଖି ସେ ଅମୋଘ-ଶୌର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ ।

ଭୀଷ୍ମ ହେ ବାଛି ନେଇଥିଲ ନିଜ ଅୟନ
ରଣ-ସଙ୍କୁଳ ପଣ-ପିଛିଳ ଗହନ,
ପରପାଇଁ କେତେ ବରି ଅଛ ଶରଶୟନ

ବଜାଇ ଚାଲିଛି ଏକାଏକା ରଣ ତୂର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍‌ଧ କି ତବ ତୂର୍ଯ୍ୟ ହେ ?
ରୁଦ୍ର ହେ ତବ ଡମ୍ବରୁ ଘନ ଘୋଷରେ
ସୁପ୍ତ ଏ ଜାତି ତେଜିଲା ଜଡ଼ିତା ଶେଷରେ,
ଦେଲ ତୁମେ ନିଜେ ଜୈତ୍ର-କୁସୁମ ଲଗାଇ
ଜନନୀ କେଶରେ
ଯଶଲାଗି ତାର ଝସାଇ ପଶିଲ ଯୁଦ୍ଧେ ପରମ ବୀର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍‌‌ଧ କି ତବ ପୂର୍ଯ୍ୟ ହେ ?
ନରପୁଙ୍ଗବ ମତେ ଦେଖିଲ ଯାହାକୁ
ବର ସନ୍ତାନ ପରି ଚିହ୍ନାଇଲ ମାଆକୁ
ମାଆର ବିପଦେ ଦେଖାଇଲ ନିଜ ବାହାକୁ
ଇତିହାସ ଆଜି ତୁମର ସେ ସବୁ କାର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତଦ୍‌ଧ କି ତବ ତୂର୍ଯ୍ୟ ହେ ?
କାରୁଣ୍ୟର ମୃଦୁ ମୂର୍ଜନା ଓଡ଼ିଆଙ୍କ ଗହନ ପ୍ରାଣର ଅନ୍ତରାଳରେ ଏପରି ଲୋତକାପୁତ ଆଉ ବେଦନାବିଦ୍ଧ ହୋଇପାରେ, ତାହାଥିଲା ଅକଳ୍ପନୀୟ । ସମସ୍ତ ବିଷାଦକାଳିମାର ଉଦ୍ଧିରେ ମଧୁସୂଦନ ଉତ୍ତରିତ ହୋଇଥିଲେ ଭାରତର ଜଣେ ମହିମାଦୀୟ ନେତ୍ର ପୁରୁଷ ରୂପରେ, ଯେ କି ବହୁ କ୍ଷେତ୍ରରେ ଆଦ୍ୟ ଉଦ୍‌ଗାତା ଭାବରେ ଅବତୀର୍ଣ୍ଣ ହୋଇଥିଲେ ।
ସେ ଥିଲେ ଏକାନ୍ତ ଓଡ଼ିଆ ପ୍ରାଣର ଅକୁହା କୁହାଟ, ଯାହାଙ୍କର ଉଦ୍ଦାମ ସ୍ୱର ଲହରୀ ପ୍ରତ୍ୟେକ ଓଡ଼ିଆଙ୍କର ପ୍ରାଣର ସମ୍ବେଦନଶୀଳ ସୂକ୍ଷ୍ମତନ୍ତ୍ରୀରେ ସୃଷ୍ଟି କରିଥିଲା କ୍ରାନ୍ତିକାରୀ ଝଙ୍କର ଓ ବୈପ୍ଳବିକ ଉଦ୍‌ବେଳନ ।

"ହେ ପଥିକ ! ରହକ୍ଷଣେ କର ନମସ୍କାର
ଢାଳିଦିଅ ଅଛି ଯେତେ କ୍ଷୀଣ ଅଶ୍ରୁଧାର ।" (ବୈକୁଣ୍ଠ) ।

ମଧୁବାବୁ !'ଅତୀତ' ହୋଇଥିଲେ ମଧ୍ୟ ଚିରକାଳ ‘ବର୍ଭମାନ' । ଏହି ଦେଶର ସ୍ବତନ୍ତ୍ରତାର ରବି ୧୫୬୮ ସାଲରେ ଅସ୍ତମିତ ହେବା ପରେ ୧୯୩୬ରେ ସ୍ଥାପିତ ହେଲା ସ୍ୱତନ୍ତ୍ର ଓଡ଼ିଶା । ଏହାର ପ୍ରମୁଖ ବିନ୍ଧାଣୀ ଭାବେ ମଧୁସୂଦନ ଦାସ ଚିରକାଳ ଲାଗି ଚିହ୍ନିତ ହୋଇ ରହିବେ ଏକ ଅନିର୍ବାପିତ ଦୀପଶିଖା ଭାବେ । ଜଣେ କୁଶଳୀ ସ୍ଥପତି ରୂପରେ ତାଙ୍କର ଅନବଦ୍ୟ କୃତି ଉତ୍କୀର୍ଣ୍ଣ ହୋଇ ରହିଛି ଏହି ରାଜ୍ୟର ପ୍ରତିଟି ରେଣୁରେ । ତାଙ୍କ ତିରୋଧନରେ, ଶିଳାଲେଖର କାଳଜୟୀ ଖୋଦନ ପରି ଉତ୍କଳଦୀପିକା ଲେଖିଥିଲେ-“ମଧୁସୂଦନ ଓଡ଼ିଶାର ପ୍ରତ୍ୟେକ ଧୂଳିକଣା ଆଉ ପ୍ରତ୍ୟେକ ବାୟୁର ହିଲ୍ଲୋଳକୁ ତାଙ୍କ ଶରୀରର ଅଂଶବୋଲି ଭାବୁଥିଲେ ।" କେତେ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ଏହି ଅଭିବ୍ୟକ୍ତି । ବାସ୍ତବରେ ସ୍ବତନ୍ତ୍ର ଉତ୍କଳ ଗଠନ ହେଉଛି ଏକ ବିସ୍ମୟାତୀତ ବିସ୍ମୟ । ୧୯୩୬ ସାଲରେ ସମଗ୍ର ଦେଶରେ ବିଭିନ୍ନ ଭାଷାଭାଷୀଙ୍କ ସଂଖ୍ୟା ହିସାବକୁ ନେଲେ ଓଡ଼ିଆଙ୍କ ସଂଖ୍ୟା ଥିଲା ନବମ ସ୍ଥାନରେ । ମାତ୍ର ମଧୁସୂଦନଙ୍କ ନେତୃତ୍ବରେ ଓଡ଼ିଶା ହେଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ତେଣୁ ଧନ୍ୟ ସେ ମଧୁସୂଦନ; ଯାହାଙ୍କ କୌଶଳ, ଚାତୁର୍ଯ୍ୟ ଓ ଅପରିମେୟ ବୁଦ୍ଧିମତ୍ତା ଯୋଗୁଁ ଏହା ସମ୍ଭବ ହେଲା । ଅନ୍ୟଥା ଓଡ଼ିଆ ଜାତି ଭୂପୃଷ୍ଠରୁ ତାହାର ସତ୍ତା ହରାଇ ବସିଥାନ୍ତା ।
ମଧୁସୂଦନ ବିଭାଜିତ ଆଉ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣଲାଗି ୧୯୦୩ ସାଲରେ ଯେଉଁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ, ତହିଁରେ ଦେଶ ମିଶ୍ରଣ ମୁଖ୍ୟ ପ୍ରସଙ୍ଗ ଥିଲେ ମଧ୍ୟ ଅର୍ଥନୈତିକ ଭିତ୍ତିରେ କେତେକ କାର୍ଯ୍ୟକ୍ରମ ସେ ଗ୍ରହଣ କରିଥିଲେ । କୃଷକର ଜମିରେ ମୃତ୍ତିକା ପରୀକ୍ଷା ଭିତ୍ତିରେ ନିର୍ଦ୍ଧାରିତ ସାର ପ୍ରୟୋଗ, ଉନ୍ନତ କୃଷିପ୍ରଣାଳୀର ବିନିଯୋଗ ମଧ୍ୟରେ ଲାଭକାରୀ ଫସଲର ଉତ୍ପାଦନ, ଉନ୍ନତ କୃଷି ଯନ୍ତ୍ରପାତିର ପ୍ରୟୋଗ, ଅତ୍ୟାଧୁନିକ ଫ୍ଲାଇ ସଟଲ୍ ଲୁମ୍ ମାଧ୍ୟମରେ ତ୍ୱରିତ ରୀତିରେ ବୟନ ପ୍ରଣାଳୀ, ବସ୍ତ୍ରଶିଳ୍ପରେ ନୂତନ ନକ୍ସା ସହିତ ରାସାୟନିକ ରଂଗର ପ୍ରୟୋଗ, ଗ୍ରାମ୍ୟଶିଳ୍ପରେ ଯାନ୍ତ୍ରିକ ପ୍ରକ୍ରିୟାର ଅନ୍ତର୍ଭୁକ୍ତି, କୃଷିଜାତ ସାମଗ୍ରୀର ସୁଲଭ ମୂଲ୍ୟରେ ବିପଣନ ଓ

ସର୍ବୋପରି ଦଳିତ ଜାତିର ଅର୍ଥନୈତିକ କ୍ଷେତ୍ରରେ ସଂସ୍ଥାପନ ପାଇଁ ଚମଡ଼ାକଷେଇ ସହିତ ଉତ୍କଳ ଟାନେର ସ୍ଥାପନା । ଏହି ସମସ୍ତ ଅର୍ଥନୈତିକ କାର୍ଯ୍ୟକ୍ରମ, ସାରା ଭାରତର ଦୃଷ୍ଟି ଆକର୍ଷଣ କରିବା ସହିତ ମହାତ୍ମାଗାନ୍ଧୀଙ୍କୁ ଗଭୀର ଭାବରେ ଆକର୍ଷିତ କରିଥିଲା ।
ବର୍ତ୍ତମାନ ଓଡ଼ିଶାର ସାମଗ୍ରିକ ଆୟତନ ୧,୫୫,୮୪୨ ବର୍ଗ ମାଇଲ ଥିଲା ବେଳେ ୧୯୩୬ ଆଉ ୧୯୦୫ ସାଲରେ ମଧୁସୂଦନ ଯେଉଁ ଅଞ୍ଚଳମାନ ଦେଶ ମିଶ୍ରଣ ପ୍ରକିୟା ମାଧ୍ୟମରେ ଓଡ଼ିଶାରେ ସନ୍ନିବେଶିତ କରିଲେ, ତାହାର ଆୟତନ ହେଉଛି ୯୮,୬୦୦ ବର୍ଗ କିଲୋମିଟର । ଏହି ଦେଶ ମିଶ୍ରଣର ପରିଧୁ ମଧ୍ୟରେ ଅବସ୍ଥିତ ରହିଛି ଅବିଭକ୍ତ କୋରାପୁଟ, ଜାମ, କନ୍ଧମାଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା । ଆଉ ୧୯୦୦ ସାଲରେ ଓଡ଼ିଶା ମୂଳ ଭୂଖଣ୍ଡରେ ଥିବା କଟକ, ପୁରୀ, ବାଲେଶ୍ବର ଜିଲ୍ଲା ଥିଲା ମଧୁସୂଦନଙ୍କ ମୂଳ କାର୍ଯ୍ୟକ୍ଷେତ୍ର, ଯହିଁରେ ପ୍ରଶାସନ ଓଡ଼ିଆ ଭାଷାର ବିଲୁପ୍ତିପାଇଁ ଏକ ଦିଗରେ କାର୍ଯ୍ୟରତ ଥିଲାବେଳେ ମଧୁସୂଦନ ପ୍ରାଥମିକ ଶିକ୍ଷାର ପ୍ରସାରଲାଗି ଏହିଭଳି ଦୁର୍ଘମନୀୟ ପ୍ରୟାସ କରିଥିଲେ ଯେ, ଏହି ତିନିଗୋଟି ଜିଲ୍ଲା ବିଶିଷ୍ଟ ଓଡ଼ିଶା ଡିଭିଜନ ସମଗ୍ର ଭାରତର ସର୍ବାଧୂକ ସ୍ବାକ୍ଷର ଅଂଚଳ ରୂପେ ୧୯୦୦ ସାଇର ଜନଗଣନାରେ ଚିହ୍ନିତ ହୋଇଥୁଲା । ମୟୁରଇଂଜ ଗଡ଼ଜାତରେ ୧୮୯୨ ସାଲରେ ଯେଉଁ ପ୍ରତିନିଧୂମୂଳକ ଅର୍ଷ ଗଣତନ୍ତ୍ର ବ୍ୟବସ୍ଥା ସମ୍ବଳିତ କାଉନସିଲ ଶାସନ ମଧୁସୂଦନଙ୍କ ପ୍ରଚେଷ୍ଟାରେ ପ୍ରଚଳନ କରାଯାଇଥିଲା, ଏଥୁରେ ରାଜତନ୍ତ୍ରର ଅଙ୍ଗ ଘନୀୟ କ୍ଷମତାକୁ ବହୁ ପରିମାଣରେ ପ୍ରତିହତ କରାଯାଇଥୁଲା । ମଧୁସୂଦନ ୧୮୮୫ ସାଲରୁ ୧୯୦୦ ସାଲ ମଧ୍ୟରେ ଓଡ଼ିଶାର ଉପକୂଳକୁ ରେଳ ଲାଇଦ୍ବାରା ଏବଂ ୧୯୨୭ ସାଲରେ କଟକକୁ ତାଳଚେର ଖଣି ସହିତ ସଂଯୋଜିତ କରିଲେ । ଦେଶ ମିଶ୍ରଣ ପ୍ରକ୍ରିୟା ଯୋଗୁଁ ଓଡ଼ିଶା, ପ୍ରାକୃତିକ ଐଶ୍ଚର୍ଯ୍ୟ ସାଙ୍ଗକୁ ଜଳ ଓ ଖଣିଜସଂପଦର ପ୍ରାଚୁର୍ଯ୍ୟରେ ଯେଭଳି ଋଦ୍ଧିମନ୍ତ ହୋଇଛି ତାହା ପୂର୍ବରୁ ଆଲୋଚିତ ହୋଇଛି ।
ସମ୍ବଲପୁର ଜିଲ୍ଲାର ଉପାନ୍ତରୁ ବହି ଆସୁଥୁବା ମହାନଦୀ ଓ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଅଂଚଳରୁ ଉତ୍ସାରିତ ବ୍ରାହ୍ମଣୀ ନଦୀ ଦ୍ବୟ ଯଥାକ୍ରମେ ଓଡ଼ିଶାର ଶତକଡ଼ା ୪୨.୧୫ ଭୂମିଭାଗ ଓ ୧୪.୫୬ ଭୂମିଭାଗ ଅଂଚଳରୁ ଜଳସଂଗ୍ରହ କରି ମହାନଦୀର ମଧ୍ୟଭାଗରେ ସ୍ଥାପିତ ହୀରାକୁଦ ଜଳଭଣ୍ଡାର ମାଧ୍ୟମରେ ୨,୪୯, ୧୩୦ ହେକ୍ଟର ଜମି ପାଇଁ, ବ୍ରାହ୍ମଣୀ ନଦୀରେ ସ୍ଥାପିତ ରେଙ୍ଗାଲି ବନ୍ଧ ମାଧ୍ୟମରେ ୨,୩୫,୫୦୦ ହେକ୍ଟର ଜମିପାଇଁ ଜଳସେଚନର ଲକ୍ଷ୍ୟ ରଖୁଅଛି । ଗ୍ୟ ଜାମର ଋଷିକୂଲ୍ୟା ନଦୀ ୬୧,୭୯୦ ହେକ୍ଟର ଜମି ଜଳସେଚିତ କରୁଛି । ଏହାଛଡ଼ା କୋରାପୁଟର ପୋଟେରୁ, ଇନ୍ଦ୍ରାବତୀ ଆଉ କୋଲାବ ନଦୀବନ୍ଧ ଯୋଜନାରେ ୨,୩୬,୫୦ ହେକ୍ଟର ଜମି ଜଳସେଚିତ ହେଉଛି । ସେହିପରି ସମସ୍ତ ନଦୀବନ୍ଧ ଯୋଜନା ମାଧ୍ୟମରେ ଏ ରାଜ୍ୟରେ ଦୈନିକ ୧୯୩୫ ମେଗାୱାଟ୍ ବିଦ୍ୟୁଶକ୍ତି ଉତ୍ପାଦିତ ହେଉଛି ।
ଏହାଛଡ଼ା ସମଗ୍ର ରାଜ୍ୟର ୫୮, ୬୩୪ ବର୍ଗକିଲୋମିଟର ଅରଣ୍ୟ ଜମି ମଧ୍ୟରୁ ୪୦, ୧୩୫ ବର୍ଗ କିଲୋମିଟର ଅରଣ୍ୟ ଅଞ୍ଚଳ ରହିଛି, ଯାହା ପରିବେଶକୁ ସନ୍ତୁଳିତ ରଖୁବା ସହିତ ପ୍ରଚୁର ଜଳଧାରଣର ଉତ୍ସରୂପେ ଓଡ଼ିଶାକୁ ଜଳସଂପଦର ପ୍ରାଚୁର୍ଯ୍ୟରେ ବିଭବଶାଳୀ କରିପାରିଛି ।

କୋରାପୁଟ ସଂଲଗ୍ନ ଜିଲ୍ଲାରେ ୧୨୦୦ ନିୟୁତ ଟନ ବକ୍ସାଇଟ୍ ଆଉ ସୁନ୍ଦରଗଡ଼ ଜିଲ୍ଲାରେ ୨୦ ନିୟୁତ ଟନ ଉଚ୍ଚମାନର ଲୁହାପଥର ସଂରକ୍ଷିତ ରହିଛି । ପରିଣାମରେ ଭାରତର ଅନ୍ୟତମ ଲାଭପ୍ରଦାୟୀ ସଂସ୍ଥା ନାଲ୍‌କୋ ଓ ରାଉରକେଲା ଇସ୍ପାତ୍ କରଖାନା ଏହି ଦୁଇ ଅଂଚଳରେ ପ୍ରତିଷ୍ଠିତ ହୋଇପାରିଛି । ସେହିପରି ସମ୍ବଲପୁର ଜିଲ୍ଲାର ଝାରସୁଗୁଡ଼ା ଅଞ୍ଚଳରେ ୨୧,୩୧୦ ନିୟୁତ ଟନ କୋଇଲା ଗଚ୍ଛିତ ହୋଇ ରହିଛି, ଯାହା ଦେଶର ଅନ୍ୟତମ ଘନୀଭୂତ ତାପଜ ଶକ୍ତି ଉତ୍ପାଦନର କେନ୍ଦ୍ରସ୍ଥଳୀ ରୂପେ ବିବେଚିତି ।
ଏତେ ଅକଳ୍ପନୀୟ ବିଭବ ଆଉ ଅନନୁମେୟ ସଂପଦ ପ୍ରଦାନ କରି କିଏ ବା ଜନ୍ମଭୂଇଁକୁ ଏଭଳି ଐଶ୍ଚର୍ଯ୍ୟଶାଳିନୀ ଆଉ ମହିମାମଣ୍ଡିତ କରିଛନ୍ତି । ଦେଶର ସ୍ୱାଧୀନତା ପ୍ରାପ୍ତିର ପରଠାରୁ କ୍ରମାଗତ ଭାବେ ଓଡ଼ିଶାକୁ ତଥା ଓଡ଼ିଶା ସରକାରଙ୍କୁ ଦୁଇ ତୃତୀୟାଂଶ ଆୟ ନିରନ୍ତର ଆଉ ନିରବଚ୍ଛିନ୍ନ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପ୍ରଦାନ କରି ଆସିଛନ୍ତି । ଏହିଠାରେ ଏକ ପକ୍ଷରେ ଓଡ଼ିଶା ରାଜ୍ୟର ପ୍ରତିଷ୍ଠାତା ଆଉ ନିର୍ମାତା ଅନ୍ୟ ପକ୍ଷରେ ଅନ୍ୟାନ୍ୟ ବରପୁତ୍ରମାନଙ୍କର ତାତ୍ପର୍ଯ୍ୟ ସଂପର୍କରେ ଅବହିତ ହେବା ପ୍ରୟୋଜନା ଇତିହାସ ପୃଷ୍ଠାର ବରପୁତ୍ରମାନେ ସେମାନଙ୍କର ବୀରତ୍ୱ ଓ ଦୁର୍ବାର ଦେଶବତ୍ସଳତା ମାଧ୍ୟମରେ ରାଜ୍ୟବାସୀଙ୍କ ମଧ୍ୟରେ ଅପରିସୀମ ପ୍ରେରଣା ଆଉ ଉଦ୍ଦୀପନା ପ୍ରଦାନ କରି ଆସିଛନ୍ତି ।
ମାତ୍ର ଏହା ସତ୍ତ୍ୱେ ଏ ରାଜ୍ୟର ପ୍ରତିଷ୍ଠାତା ବା ନିର୍ମାତା ଚିରକାଳ ଲାଗି ବରପୁତ୍ରମାନଙ୍କଠାରୁ ଉର୍ଦ୍ଦ୍ୱରେ ରହିବେ । ଏ ରାଜ୍ୟର ଭୂମିଭାଗ ଯାହା ପ୍ରତିଷ୍ଠାତାଙ୍କ ଏକାନ୍ତ ଅବଦାନ, ତାହା ରହିବା ଚିରନ୍ତନ ଅପରିବର୍ତ୍ତନୀୟ । ତାହାରି ଭିତ୍ତିଭୂମି ଉପରେ ଏ ରାଜ୍ୟର ଭବିଷ୍ୟତର ସମୃଦ୍ଧି ଏକାନ୍ତ ଭାବେ ନିର୍ଭର କରେ । ରାଜ୍ୟ ସ୍ଥାପନର ପରବର୍ତ୍ତୀ ପର୍ଯ୍ୟାୟରେ ବରପୁତ୍ରମାନେ ରାଜ୍ୟର ନିର୍ଦ୍ଦିଷ୍ଟ ଭିତ୍ତିଭୂମିକୁ କେବଳ ପ୍ରାଚୁର୍ଯ୍ୟ ପ୍ରଦାନ କରିପାରନ୍ତି ମାତ୍ର ରାଜ୍ୟର ଭିତ୍ତିଭୂମିର ଆୟତନ କିଞ୍ଚିତ୍‌ମାତ୍ର ବୃଦ୍ଧି କରିବା ସେମାନଙ୍କ କ୍ଷମତାର ବାହାରେ । ମଧୁସୂଦନ ଜନ୍ମଭୂମିକୁ ଯେଉଁ ଐଶ୍ଚର୍ଯ୍ୟ, ପ୍ରାକୃତିକ ବିଭବ ତଥା ଶସ୍ୟ ସମ୍ଭାରର ପ୍ରାଚୁର୍ଯ୍ୟ ପ୍ରଦାନ କରିଛନ୍ତି, ତାହାହିଁ ଆମ ଶରୀରରେ ଶୋଣିତ ରୂପରେ ପ୍ରବାହିତ ହୋଇ ଚାଲିଛି ।
ତେଣୁ ମଧୁସୂଦନ ହେଉଛନ୍ତି ଓଡ଼ିଶାର ଚିରକାଳର ବର୍ତ୍ତମାନ, ଯାହାଙ୍କର ନିରବଚ୍ଛିନ୍ନ ଅବଦାନ ଆଉ ଅବସ୍ଥିତି ଏ ରାଜ୍ୟକୁ ମହିମାମଣ୍ଡିତ କରିଛି । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟର ସତ୍ତା ତିଷ୍ଠି ରହିବ, ମଧୁସୂଦନ ମୃତ୍ୟୁଞ୍ଜୟୀ ହୋଇ ରହିବେ । ଫକୀରମୋହନଙ୍କର ଶ୍ରଦ୍ଧା ନିବେଦନରେ ଏହା ପ୍ରକଟିତ ହୋଇଛି ଅନନ୍ୟ ପ୍ରାଣବନ୍ତ ଆଲେଖ୍ୟରେ-
"ଯେତେଦିନ ଥିବ ଉତ୍କଳ ଜାତି
ଯାବତେ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।