ଆମ ମଧୁସୁଦନ/ସ୍ୱତନ୍ତ୍ର ବ୍ୟକ୍ତିତ୍ୱ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ମଧୁସୁଦନ ଲେଖକ/କବି: ସୁରସିଂହ ପଟ୍ଟନାୟକ
ସ୍ୱତନ୍ତ୍ର ବ୍ୟକ୍ତିତ୍ୱ



ଓଡ଼ିଶାରେ ସମଗ୍ର ଊନବିଂଶ ଶତାବ୍ଦୀକୁ ଆବରିତ କରି ବିଂଶ ଶତାବ୍ଦୀର ପ୍ରଥମ ଭାଗ ପର୍ଯ୍ୟନ୍ତ, ଯେଉଁ ପ୍ରଚଣ୍ଡ ବୀର୍ଯ୍ୟଶାଳିନୀ ମହିୟସୀ ନାରୀ, ପ୍ରାୟ ଏକ ଶତାବ୍ଦୀ ଧରି ଓଡ଼ିଶାର ରାଜନୈତିକ, ସାମାଜିକ, ସାଂସ୍କୃତିକ ତଥା ଧର୍ମୀୟ ଆକାଶକୁ ଉଦ୍‍ଭାସିତ କରି ରଖିଥିଲେ, ସେ ହେଉଛନ୍ତି ପରମ ବିପ୍ଳବିଣୀ ରାଣୀ ସୂର୍ଯ୍ୟମଣି ପାଟମହାଦେଈ । ବୋଧହୁଏ ଓଡ଼ିଶାର ସମଗ୍ର ଇତିହାସରେ, ସେ ହେଉଛନ୍ତି ଅତ୍ୟନ୍ତ ଅଦ୍‍ଭୁତଭାବେ ସ୍ଫୂର୍ତ୍ତିିଶାଳିନୀ, ଅମୀତ ତେଜସ୍ୱିନୀ, ପ୍ରଖର ଦ୍ୟୁତିମୟୀ ନାରୀ, ଯାହାଙ୍କ ସମକକ୍ଷ ଅନ୍ୟ କୌଣସି ନାରୀ ନେତ୍ରୀ ଅବତୀର୍ଣ୍ଣା ହୋଇ ନାହାନ୍ତି । ଗଜପତି ବଂଶର ସାମ୍ରାଜ୍ଞୀ ରୂପରେ,ସେ କେବଳ ଓଡିଶାର ଅଧିଶ୍ୱରୀ ନ ଥିଲେ, ଓଡ଼ିଆ ଜାତିର ସ୍ନାୟୁକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ଲାଗି ପରମ ବିକ୍ରମର ସହିତ ସଂଗ୍ରାମରେ ସେ ଅତ୍ୟନ୍ତ ନିପୁଣତାର ସହିତ ଅବତୀର୍ଣ୍ଣା ହୋଇଥିଲେ । ଅଥଚ ସେ ଆଜି ଓଡ଼ିଶାର ଇତିହାସ ପୃଷ୍ଠାରୁ ବିସ୍ମୃତା ଓ ନିର୍ବାସିତା । ଏହି ଜାତି କିଭଳି ଅକୃତଜ୍ଞ ଓ ସ୍ୱାର୍ଥସର୍ବସ୍ୱ ତାହାର କଳନା କରାଯାଇପାରେ ନାହିଁ । ସୂର୍ଯ୍ୟମଣି ପାଟମହାଦେଈ ୧୮୧୮ ମସିହାରେ ଜନ୍ମଲାଭ କରି ୧୮୩୦ ମସିହାରେ ପୁରୀ ଗଜପତି ବଂଶର ପୁତ୍ରବଧୂ ରୂପେ ଶ୍ରୀକ୍ଷେତ୍ରକୁ ଆସିଥିଲେ । ତାହାଙ୍କର ମହାପ୍ରୟାଣ ଘଟିଥିଲା ୧୯୨୬ ମସିହା ନଭେମ୍ବର ୨୪ ତାରିଖରେ । ମଧ୍ୟବର୍ତ୍ତୀ ସମୟଟି ଥିଲା ଓଡ଼ିଶା ଇତିହାସର ଏକ ଦୁଃଖଦପୂର୍ଣ୍ଣ ଯୁଗ, ଯେଉଁଥିରେ କି ସେ ତିଳତିଳ କରି ନିଜର ଜୀବନକୁ ଜାତୀୟତାର ହୋମାଗ୍ନିରେ ନିଃଶେଷ କରିଦେଇଥିଲେ ।
ରାଣୀ ସୂର୍ଯ୍ୟମଣି ସୋନପୁର ରାଜବଂଶର ଦୈତାରୀ ସିଂହଙ୍କ କନ୍ୟାରୂପେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ଅଶ୍ୱାରୋହଣ ସହିତ ଖଡ଼୍‍ଗ, ବର୍ଚ୍ଛା ଓ ବନ୍ଧୁକ ଚାଳନାରେ କେବଳ ନୁହେଁ, ଯୁଦ୍ଧବିଦ୍ୟାର ସମସ୍ତ କ୍ଷେତ୍ରରେ ସେ ଅସାଧାରଣ ନିପୁଣତା ଲାଭ କରିଥିଲେ । ଏଣୁ

ବୀରା, 'ଓଡ଼ିଆ ବାଳିକା' ନାମରେ ପରିଚିତା ହୋଇ ଅଶେଷ ଖ୍ୟାତି ଅର୍ଜନ କରିଥିଲେ । ସେ ମଧ୍ୟ ଅପୂର୍ବ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ । ତେଣୁ ପୁରୀ ଗଜପତି ବଂଶର ରାଜା ରାମଚନ୍ଦ୍ର ଦେବ (ତୃତୀୟ)ଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ । ପରିଣାମରେ, ସୂର୍ଯ୍ୟମଣି ପୁରୀ ଗଜପତି ବଂଶର ପୁତ୍ରବଧୂ ତଥା ଯୁବରାଣୀ ରୂପେ ବରିତା ହୋଇଥିଲେ । ଏହା ବୋଧହୁଏ ବିଧି ନିର୍ଦ୍ଦିଷ୍ଟ ଥିଲା, ଯାହା ପରବର୍ତ୍ତୀ କାଳରେ ଓଡ଼ିଶା ଇତିହାସର ଗତିପଥକୁ ବଦଳାଇ ଦେଇଥିଲା ।
ହଁ, ରାଜବଧୂ ରୂପେ ନିର୍ବାଚିତ ହେବା ପରେ କୁମାରୀ ସୂର୍ଯ୍ୟମଣି, ପିତା ଦୈତାରୀ ସିଂହଙ୍କ ସହିତ ସେ ବେଳର ପରମ୍ପରା ଅନୁସାରେ ୧୮୩୦ ମସିହାରେ ଦ୍ୱାଦଶ ବର୍ଷ ବୟସରେ ପୁରୀକୁ ଆସିଲେ । ପଥ ଅତି ଦୁର୍ଗମ ଓ ବିପଦ ସଂକୁଳ ଥିଲା । ପଥ ମଧ୍ୟରେ ନଦୀତୀରରେ ତମ୍ବୁ ପକାଇ ବିଶ୍ରାମ ନେବାକୁ ପଡ଼ିଲା । ନିଶାର୍ଦ୍ଧରେ ସମସ୍ତେ ନିଦ୍ରା ଯାଇଥିଲେ , ମାତ୍ର ସୂର୍ଯ୍ୟମଣି ଅନିଦ୍ରା ରହି ତମ୍ବୁକୁ ଜଗି ବସିଥିଲେ । ରାତିର ଘନ ଅନ୍ଧକାରରେ ନଦୀ ଗର୍ଭରୁ ଏକ ଭୟଙ୍କର କୁମ୍ଭୀର ତମ୍ବୁ ନିକଟକୁ ଆସି ଆକ୍ରମଣପାଇଁ ଉଦ୍ୟତ ରହିଥିଲା । ମାତ୍ର ସୂର୍ଯ୍ୟମଣି ବନ୍ଧୁକ ଖଡ଼୍‍ଗରେ ତାକୁ କାଟି ପକାଇଥିଲେ । ସମସ୍ତ ଅଞ୍ଚଳଟି ରକ୍ତରଂଜିତ ହୋଇଯାଇଥିଲା । ନିଦ୍ରାରୁ ଉଠି ସମସ୍ତେ ହତ ଚକିତ ହୋଇଯାଇଥିଲେ ।
ପୁରୀରେ ପହଞ୍ଚିବା ପରେ, ପାରମ୍ପରିକ ପ୍ରଥା ଅନୁସାରେ ଗଜପତି ବଂଶର ଯୁବରାଜ, ରାଜା ରାମଚନ୍ଦ୍ରଦେବ (ତୃତୀୟ)ଙ୍କର ପୁତ୍ର ବୀରକିଶୋର ଦେବଙ୍କ ସହିତ ସୂର୍ଯ୍ୟମଣିଙ୍କର ଶୁଭ ପରିଣୟ ଜଗନ୍ନାଥ ବଲ୍ଲଭ ମଠରେ ସମାହିତ ହୋଇଥିଲା । ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜଗୁରୁ କାଶୀ ମିଶ୍ରଙ୍କର ବଂଶଧର ପଣ୍ଡିତ ଗଂଗାଧର ପାଟ୍ଟଯୋଷୀ ବାଚସ୍ପତି ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଗୃହଲକ୍ଷ୍ମୀ ରୂପେ ସୂର୍ଯ୍ୟମଣି ପାଟମହାଦେଈ ଆସିବା ପରେ ନାନା ଶୁଭଚିହ୍ନ ଦେଖାଯାଇଥିଲା । ପୁରୀରୁ ନିଷ୍ଠୁର ଯାତ୍ରୀକର ଉଠାଇ ଦିଆଗଲା । ଇଂରେଜ ସରକାର ବାହାଦୂର ରାଜା ରାମଚନ୍ଦ୍ର ଦେବଙ୍କୁ ମନ୍ଦିର ପରିଚାଳନାର ଭାର ଅର୍ପଣ କରି ବାର୍ଷିକ ୫୩ ହଜାର ଟଙ୍କା ପ୍ରଦାନ କରିବାକୁ ସ୍ଥିର କଲେ । ବିବାଦୀୟ ୨୭ ହଜାର ମାଇଲ ରାଜାଙ୍କର ଅଧୀନକୁ ଆସିଲା । ବାଲି ସାହି ନଅର ପରିତ୍ୟକ୍ତ ହୋଇଥିବାରୁ ବଡ଼ଦାଣ୍ଡରେ ଉଆସ ଓ ନଗର ନିର୍ମିିତ ହେଲା । ସୂର୍ଯ୍ୟମଣି ପାଟମହାଦେଈ ନୂତନ ଉଆସରେ ପ୍ରବେଶ କେବଳ କଲେ ନାହିଁ, ବହୁ କାଳ ଧରି ଓଡ଼ିଆ ଜାତିର ଅଧିଶ୍ୱରୀ ରୂପେ ଅଧିଷ୍ଠିତା ହୋଇଥିଲେ । ମାତ୍ର ଏହା ପରେ ବିଧିର ବିଧାନ ଅନ୍ୟଥା ଥିଲା । ବିଷାଦ ଓ ବିପଦର ଘନଘଟା ଶ୍ରୀମନ୍ଦିରକୁ ଗ୍ରାସ କରିବାକୁ ବସିଥିଲା । ୧୮୮୭ ବେଳକୁ ଶ୍ରୀମନ୍ଦିର ଅଧିକାର କରିବାପାଇଁ ବ୍ରିଟିଶ ଉପନିବେଶବାଦର ପ୍ରତାରଣାମୂଳକ ଚକ୍ରାନ୍ତ ଉଗ୍ର ରୂପରେ ସଂଯୋଜିତ ହୋଇଥିଲା । ଯାହାକୁ ବୀରଦର୍ପରେ ସମ୍ମୁଖୀନ ହୋଇଥିଲେ ଶ୍ରୀମନ୍ଦିର ତତ୍ତ୍ୱାବଧାରିକା ବିଧବା ରାଣୀ ସୂର୍ଯ୍ୟମଣି ।
୧୮୮୬ ଡିସେମ୍ବର ମାସର ମଧ୍ୟଭାଗ । ପୁରୀର କଲେକ୍ଟର ମିଷ୍ଟର ସାଭାଜ ୧୫.୧୦.୧୮୮୬ରେ କଟକର ଜିଲ୍ଲା ଜଜ୍‍ ମିଷ୍ଟର ଡ୍ରାଗନ୍‍ଙ୍କ କୋର୍ଟରେ ଶ୍ରୀମନ୍ଦିର ପରିଚାଳନାର ଅଧିକାର ଗଜପତି ବଂଶରୁ ଉଚ୍ଛେଦ କରି ଏକ କମିଟି ହସ୍ତରେ ନ୍ୟସ୍ତ କରିବାପାଇଁ ଚକ୍ରାନ୍ତମୂଳକ

ମୋକଦ୍ଦମା ଦାଏର୍‍ କରି ଶ୍ରୀମନ୍ଦିରର କିଛି ଭାଗକୁ ଜଉମୁଦ କରିଥିଲେ । ଏହି ଚରମ ଦୁର୍ଦ୍ଦିନରେ ରାଣୀ ସୂର୍ଯ୍ୟମଣି ପାଟମହାଦେଈ, କଟକର ପ୍ରଖ୍ୟାତ ଓକିଲ ମଧୁସୂଦନ ଦାସଙ୍କୁ ଆହ୍ୱାନ କରିଥିଲେ । ପର୍ଦ୍ଦା ଆଢ଼ୁଆଳରେ ରହି ରାଣୀ, ସମସ୍ତ ତଥ୍ୟ ମଧୁସୂଦନଙ୍କୁ କହିସାରିବା ପରେ, ଏକ ଭାବବିହ୍ୱଳ ଅଥଚ ଦୃପ୍ତ କଣ୍ଠରେ କହିଥିଲେ, "ହେ ପୁତ୍ର ! ତୁମେ ସବୁକଥା ଅବଗତ ହେଲ । କଲିକିତା ହାଇକୋର୍ଟରେ ଅପିଲ ଦାଖଲ କର । ଏହି ସମସ୍ତ ବିରୁଦ୍ଧରେ ମୋର ଏକମାତ୍ର ଉତ୍ତର ଅଛି । ଏହି କ୍ଷେତ୍ରରେ ଯଦି ମୋର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଯାଏ, ତାହାହେଲେ ବର୍ତ୍ତମାନଠାରୁ ଏହି କଥାକୁ ମଧ୍ୟ ସ୍ମରଣ ରଖିଥାଅ, ମୁଁ ଜଣେ କ୍ଷତ୍ରିୟା ରମଣୀ, ଅଶ୍ୱାରୋହଣରେ ପାରଦର୍ଶୀ । ଅତିକ୍ରାନ୍ତ ବୟସ ସତ୍ତ୍ୱେ ମୋର ଅବସନ୍ନ ହାତ ଦୁଇଟି ମଧ୍ୟ ଖଡ୍ଗ ପରିଚାଳନାରେ ସୁଦକ୍ଷ ଅଛନ୍ତି । ବଂଶର ପବିତ୍ର ପରଂପରାସିଦ୍ଧ ଅଧିକାରକୁ ରକ୍ଷା କରିବାପାଇଁ ମୁଁ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣା ହୋଇ ଖଡ୍ଗ ପରିଚାଳନାକରି ଚରମ ମୃତ୍ୟୁବରଣ କରିବାକୁ ପ୍ରସ୍ତୁତ ଅଛି ।"
ସେତେବେଳେ ଚାରିଆଡେ଼ ଛାଇଯାଇଥିଲା ସ୍ତବ୍ଧ ନୀରବତା । ହତଚକିତ ମଧୁସୂଦନ ନିର୍ବାକ୍‍ ଆଉ ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ମାତ୍ର କ୍ଷଣକ ମଧ୍ୟରେ ସେ ଜାଗ୍ରତ ହୋଇ ପାଟମହାଦେଈଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଏବଂ କଲିକତାର ସମସ୍ତ ପ୍ରଖ୍ୟାତ ଆଇନଜୀବୀଙ୍କର ନାସ୍ତିବଚନ ଓ ବାରଣ ସତ୍ତ୍ୱେ ମଧୁସୂଦନ କଲିକତା ହାଇକୋର୍ଟରେ ରାଣୀଙ୍କ ପକ୍ଷରୁ ରିଟ୍‍ ଆବେଦନ ଦାଖଲ କରିଥିଲେ । କେବଳ ଏହି ଗୋଟିଏ ଘଟଣା ନୁହେଁ, ୧୮୦୩ ସାଲରୁ ୧୯୨୬ ସାଲ ପର୍ଯ୍ୟନ୍ତ ପ୍ରାୟ ଏକ ଶତାବ୍ଦୀ ଧରି ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କ ଜୀବନ ବୃତ୍ତାନ୍ତ ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ସହିତ ଅଂଗାଗୀଭାବେ ଜଡ଼ିତ ହୋଇ ରହିଥିଲା । ରାଜମହଲର ପର୍ଦ୍ଦା ଆଢ଼ୁଆଳରେ ସେ ପ୍ରକୃତରେ ଖଡ଼୍‍ଗହସ୍ତା ହୋଇ ମନ୍ଦିର ତଥା ଓଡ଼ିଆ ଜାତୀୟତାର ରକ୍ଷାଲାଗି ନିଜର ଜୀବନକୁ କେବଳ ସମର୍ପିତ କରିନଥିଲେ, ଦାରୁଣ ନିର୍ଯ୍ୟାତନା ଓ ଲାଞ୍ଛନା ମଧ୍ୟରେ ନିଜ ଜୀବନକୁ ଜାତୀୟତାର ଯଜ୍ଞବେଦୀରେ ନିଃଶେଷ କରିଦେଇଥିଲେ । ଅନ୍ୟ ଅର୍ଥରେ ଏକ ଶତାବ୍ଦୀ ଧରି ସେ ଥିଲେ ଓଡ଼ିଶାର ତଥା ଗଜପତି ବଂଶର ସିଂହାସନରେ ଆରୂଢ଼ା ତଥା ଅପରାଜେୟା ଚକ୍ରବର୍ତ୍ତିିନୀ । ସେ ବ୍ରିଟିଶ ଶାସନର କୂଟ ଚକ୍ରାନ୍ତକୁ ପ୍ରତିହତ କରିବାପାଇଁ କ୍ରମାଗତ ଭାବେ ଅମୋଘ ବଜ୍ର ତୁଲ୍ୟ ଯେଉଁ ପ୍ରତିବାଦ ପତ୍ରମାନ ପ୍ରେରଣ କରିଥିଲେ, ତାହାର ସଂକଳନ ପ୍ରାୟ ଏକ ହଜାର ପୃଷ୍ଠାରୁ ଅଧିକ ହେବ । ତାର ଇତିହାସ ଏହାର ଚରମ ସାକ୍ଷ୍ୟ ବହନ କରେ ।
ହେ ପାଠକ ବର୍ଗ ! ଆମେ ପୁଣି ୧୮୫୪ ମସିହାର ଘଟଣା ପ୍ରବାହ ମଧ୍ୟକୁ ଫେରିଆସିବା । ୧୮୫୪ ମସିହାରେ ରାଜା ରାମଚନ୍ଦ୍ର ଦେବ (ତୃତୀୟ)ଙ୍କ ପରଲୋକହେଲା । ଗଜପତି ବଂଶର ସୁବର୍ଣ୍ଣ ଯୁଗର ପରିସମାପ୍ତି ଘଟିଲା । ରାମଚନ୍ଦ୍ର ଦେବଙ୍କ ପରଲୋକ ପରେ, ସେତେବେଳକୁ ଅତୀବ ରୁଗ୍‍ଣ ହୋଇଯାଇଥିବା ବୀରକିଶୋର ଦେବ ସିଂହାସନ ଆରୋହଣ କଲେ । ରାଣୀ ପାଟମହାଦେଈଙ୍କର ଅକ୍ଲାନ୍ତ ସେବା ସତ୍ତ୍ୱେ ବୀରକିଶୋର ଦେବ ୧୨.୧୨.୧୮୫୯ରେ ପରଲୋକ ଗମନ କଲେ । ମାତ୍ର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ରାଣୀ ସୂର୍ଯ୍ୟମଣିଙ୍କର ସୁଚିନ୍ତିତ ପରାମର୍ଶ କ୍ରମେ, ରାଜା ବୀରକିଶୋର ବଡ଼ଖେମୁଣ୍ଡିର ଦ୍ୱିତୀୟ ରାଜପୁତ୍ର ଦିବ୍ୟସିଂହ ଦେବଙ୍କୁ

ଯୁବରାଜ ପଦରେ କେବଳ ଅଧିଷ୍ଠିତ କରି ନଥିଲେ ଏକ ଉଇଲ୍‍ର ସମ୍ପାଦନରେ ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କୁ ଯୁବରାଜଙ୍କର ନାବାଳକତ୍ୱ ଅବସ୍ଥାରେ ତତ୍ତ୍ୱାବଧାରକ ରୂପେ ଶ୍ରୀମନ୍ଦିର ତଥା ଜମିଦାରିର ପରିଚାଳନା ଭାର ଅର୍ପଣ କରିଥିଲେ । ଏହା ରାଣୀ ସୂର୍ଯ୍ୟମଣିଙ୍କର ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ପ୍ରଦାନ କରେ, ଯାହା ଶ୍ରୀମନ୍ଦିରକୁ ଏକ ନିଶ୍ଚିତ ବିପଦରୁ ରକ୍ଷା କରିପାରିଥିଲା । ଏହାପରେ ବ୍ରିଟିଶ ସରକାର ବହୁ ଚକ୍ରାନ୍ତ ମଧ୍ୟରେ 'କୋର୍ଟ ଅଫ୍‍ ଓ୍ୱାର୍ୱସ୍' ପ୍ରଥା ମାଧ୍ୟମରେ ଶ୍ରୀମନ୍ଦିରର ପରିଚାଳନାକୁ ନିଜ ହସ୍ତକୁ ନେବାପାଇଁ ପ୍ରଯତ୍ନ କରିଥିଲେ । ମାତ୍ର ସୂର୍ଯ୍ୟମଣିଙ୍କର ଅସୀମ ସାହସ ଓ ସତର୍କତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ତଥା କ୍ରମାଗତ ଆବେଦନ ଫଳରେ ସମସ୍ତ ଚକ୍ରାନ୍ତ ବ୍ୟର୍ଥ ହୋଇ ଯାଇଥିଲା ଓ ଅବଶେଷରେ ଓଡ଼ିଶାର କମିଶନର କକ୍‍ବର୍ଣ୍ଣ ସାହେବ ରାଣୀ ସୂର୍ଯ୍ୟମଣିଙ୍କୁ ନାବାଳକ ରାଜା ଦିବ୍ୟସିଂହଙ୍କର ତତ୍ତ୍ୱାବଧାରକ ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ । ମାତ୍ର ପୁରୀ ଗଜପତି ବଂଶର ସେ ଯୁଗର ପ୍ରଥା ଅନୁସାରେ ରାଣୀ ସୂର୍ଯ୍ୟମଣିଙ୍କୁ ପର୍ଦ୍ଦାର ଅନ୍ତରାଳରେ ରହି ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥିଲା ।
ନାବାଳକ ରାଜା ଦିବ୍ୟସିଂହଙ୍କ ଶାସନର 'ନଅ ଅଙ୍କ' କାଳରେ ଯେଉଁ 'ନଅଙ୍କ ଦୁର୍ଭିକ୍ଷ' ହେଲା, ଆର୍ଥିିକ ଅନାଟନ ମଧ୍ୟରେ ସୂର୍ଯ୍ୟମଣି ମନ୍ଦିରକୁ କେବଳ ସୁପରିଚାଳିତ କରିନଥିଲେ, ରାଜପରିବାରକୁ ଅର୍ଦ୍ଧଭୁକ୍ତ ରଖି ମଧ୍ୟ ପ୍ରତ୍ୟହ ବହୁପରିମାଣରେ ମହାପ୍ରସାଦ ରନ୍ଧନକରି ବୁଭୁକ୍ଷୁ ଜନତା ମଧ୍ୟରେ ବିତରଣ କରି ସରକାରଙ୍କ ପକ୍ଷରୁ ପରମ ସୁଖ୍ୟାତି ଲାଭ କରିଥିଲେ ।
ଦିବ୍ୟସିଂହ ଦେବ ବୟଃପ୍ରାପ୍ତ ହୋଇ ୧୮୭୫ ସାଲରେ ଗାଦିନସୀନ ହେଲେ ଏବଂ ଖଡ଼ିଆଳ ରାଜବଂଶର କୁମାରୀ ନୀଳାଦ୍ରିର ପାଟଦେଈଙ୍କ ସହିତ ପରିଣୟସୂତ୍ରରେ ଆବଦ୍ଧ ହୋଇଥିଲେ । ତାଙ୍କର ଜଗନ୍ନାଥ ଜେନାମଣି ନାମରେ ଏକ ପୁତ୍ର ସନ୍ତାନ ଜାତ ହେଲା । ଦିବ୍ୟସିଂହ ଦେବ ସଂସ୍କୃତଜ୍ଞ ତଥା ମଲ୍ଲବିଦ୍ୟାରେ ପାରଦର୍ଶୀ ଥିଲେ । ମାତ୍ର ମନ୍ଦିର ପରଚାଳନାରେ ଦକ୍ଷ ନଥିଲେ । ଅବଶେଷରେ ସେ ନରହତ୍ୟା ଅପରାଧରେ ୧୮୭୮ ସାଲରେ ଦ୍ୱୀପାନ୍ତରିତ ହେଲେ । ଏହା ଓଡ଼ିଶା ଇତିହାସର ଏକ ମର୍ମନ୍ତୁଦ ଓ ପ୍ରବଞ୍ଚନାପୂର୍ଣ୍ଣ ଅଧ୍ୟାୟ ।
ଏହା ପରେ ପୁରୀ କଲେକ୍ଟର, ଶ୍ରୀମନ୍ଦିର ପରିଚାଳନାକୁ କୋର୍ଟ ଅଫ୍‍ ଓ୍ୱାଡ଼ର୍ସ ପରିସରକୁ ଆଣି ମନ୍ଦିରର ପରିଚାଳନାକୁ ସରକାର କର୍ତ୍ତୃତ୍ୱାଧୀନ କରିବାପାଇଁ ଚକ୍ରାନ୍ତ କରିଥିଲେ, ଯାହା ବ୍ରିଟିଶ ପ୍ରଶାସନ କ୍ଷେତ୍ରରେ ଘନୀଭୂତ ବାଦବିବାଦର ଝଡ଼ଝଞ୍ଜା ସୃଷ୍ଟି କରିଥିଲା । ମାତ୍ର ୧୮୭୯ ଜୁଲାଇ ମାସରେ ରାଣୀ ସୂର୍ଯ୍ୟମଣି, ଜଗନ୍ନାଥ ଜେନାମଣିଙ୍କ ତରଫରୁ ମନ୍ଦିର ପରିଚାଳନାପାଇଁ ଆବେଦନ କରିଥିଲେ ଯାହା କଟକ ଜିଲ୍ଲା ଜଜ୍‍ଙ୍କ ପକ୍ଷରୁ ୧୨.୮.୧୮୭୯ରେ ମଞ୍ଜୁରୀ ପ୍ରାପ୍ତ ହୋଇଥିଲା । ରାଣୀ ପର୍ଦ୍ଦା ଆଢ଼ୁଆଳରେ ଅବସ୍ଥାନ କରୁଥିବାରୁ, ବେଳେବେଳେ ଶ୍ରୀଜଗନ୍ନାଥଙ୍କ ଯାତ୍ରାବେଳେ କିଛି ସମସ୍ୟାର ଉଦ୍‍ଭବ ହେଉଥିଲା । ଏହାକୁ ଘେନି ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିଚାଳନାକୁ ହସ୍ତାନ୍ତର କରିବାପାଇଁ କ୍ରମାଗତ ଭାବେ ବାଦବିବାଦପୂର୍ଣ୍ଣ ଚକ୍ରାନ୍ତମାନ ସୃଷ୍ଟି ହେଉଥିଲା । ମାତ୍ର ରାଣୀ ସୂର୍ଯ୍ୟମଣି ତାଙ୍କର ପ୍ରତ୍ୟୁତ୍ପନ୍ନମତି ପୁରୋଦୃଷ୍ଟି ମାଧ୍ୟମରେ ଏ ସମସ୍ତର ଆଶୁ ସମାଧାନ କରିପାରୁଥିଲେ ।

ଅଧିକାରକୁ ଅଧିକ ସୁଦୃଢ଼ କରିବାକୁ ଯାଇ, ୧୮୮୨ ସାଲରେ ଜଗନ୍ନାଥ ଜେନାମଣିଙ୍କୁ "ରାଜା ମୁକୁନ୍ଦଦେବ' ପଦବୀରେ ରାଣୀ ସୂର୍ଯ୍ୟମଣି ଅଭିଷିକ୍ତ କରିଥିଲେ । କଳାପାଣିରେ ଗାଦିଚ୍ୟୁତ ରାଜା ଜୀବିତ ଥିବାରୁ ସରକାର ଏହି ପଦବୀକୁ ସ୍ୱୀକୃତି ପ୍ରଦାନ କରିନଥିଲେ । ମାତ୍ର ଅଦ୍‍ଭୁତ ପାରଦର୍ଶିତା ଏବଂ ବିଚକ୍ଷଣତା ସହ ମଧୁସୂଦନ ଦାସଙ୍କ ଦ୍ୱାରା ଲିଖିତ ତଥା ରାଣୀଙ୍କ ଦ୍ୱାରା ପ୍ରଦତ୍ତ ଏହି ଦରଖାସ୍ତକୁ ବିଚାରକୁ ନେଇ ବ୍ରିଟିଶ ସରକାର କେବଳ ସ୍ୱୀକୃତି ପ୍ରଦାନ କରିନଥିଲେ, ୧୮୮୫ ସାଲ ନଭେମ୍ବର ମାସରେ କଟକରେ ବଙ୍ଗର ଗଭର୍ଣ୍ଣର ରିଉସ୍‍ ଥମ୍ପସନ୍‍ଙ୍କର ଆୟୋଜିତ ଏକ ଦରବାରରେ ମୁକୁନ୍ଦଦେବଙ୍କୁ ସ୍ୱତନ୍ତ୍ର ମାନ୍ୟତାପୂର୍ଣ୍ଣ ସନନ୍ଦ ପ୍ରଦାନ କରିଥିଲେ । ମାତ୍ର ଉକ୍ତ ସମ୍ମାନନୀୟ ଦରବାରରେ ଗଭର୍ଣ୍ଣରଙ୍କ ଅପେକ୍ଷା, ଠାକୁର ରାଜା ମୁକୁନ୍ଦଦେବଙ୍କ ପ୍ରତି ଜନତାର ବିହ୍ୱଳିତ ତଥା ଅକୁଣ୍ଠ ଶ୍ରଦ୍ଧା ନିବେଦନରେ ଗଭର୍ଣ୍ଣର ଅପମାନିତ ବୋଧ କରି ଶ୍ରୀମନ୍ଦିରର ପରିଚାଳନାକୁ ସ୍ୱହସ୍ତକୁ ନେବାପାଇଁ ଉଦ୍ୟମ ଅବ୍ୟାହତ ରଖିଥିଲେ । ଏହି ଉଦ୍ୟମର ଏକ ଅଂଶସ୍ୱରୂପ ୧୮୮୬ ସାଲ ଡିସେମ୍ବର ମାସରେ କଟକ ଜିଲ୍ଲାକୋର୍ଟରୁ ଆଦେଶ ଆଣି ଦେଉଳର କିଛି ଅଂଶକୁ ଜଉମୁଦ କରିଥିଲେ ।
ସମସ୍ତ ପ୍ରଖ୍ୟାତ ଓକିଲଙ୍କ ନାସ୍ତିବଚନ ସତ୍ତ୍ୱେ ମଧୁସୂଦନ ଦିନେ ପ୍ରଭାତରେ ସ୍ନାନ ଓ ପ୍ରାତରାଶ ସମାପ୍ତ କରି ସମାହିତ ଚିତ୍ତରେ ସମସ୍ତ ବିଷୟର ଆଇନଗତ ବ୍ୟାଖ୍ୟାନ ଓ ତର୍ଜମା ସହିତ ଗୋଟିଏ ସ୍ୱତନ୍ତ୍ର ନୋଟ୍‍ ମୁଦ୍ରଣ କରିଥିଲେ, ଯାହାକୁ ଆଧାର କରି ବାରିଷ୍ଟରଗଣ, ଜନ୍‍ ଉଡ଼୍‍ରଫ୍‍, ଇଭାନସ୍‍ ଓ ସାଣ୍ଡେଲ କଲିକତା ହାଇକୋର୍ଟରେ ଲଢ଼ିଥିଲେ । ଏହି ଅପିଲ କେଶ ମାର୍ଚ୍ଚ ୧୮୮୭ରେ ଦାଖଲ ହୋଇଥିଲା ।
ଏହି ଅପିଲ୍‍ କେସ୍‍ର ଜବାବ ସୁଆଲପାଇଁ ତିନିଦିନ ଧାର୍ଯ୍ୟ ହୋଇଥିଲା । ଏହା ଥିଲା ସମଗ୍ର ଭାରତରେ ଏକ ବହୁଚର୍ଚ୍ଚିତ କେସ୍‍, ଯାହା ଉପରେ ଜନତାର ଦୃଷ୍ଟି ନିବଦ୍ଧ ରହିଥିଲା । ଏହାର ବିବରଣୀ ଶୁଣିବାପାଇଁ କୋର୍ଟ ପରିସର ଲୋକାରଣ୍ୟ ହୋଇଯାଇଥିଲା । ଦୂରଦୂରାନ୍ତରରୁ ଆଇନଜୀବୀମାନେ ଆସି ଉପସ୍ଥିତ ଥିଲେ । ମାତ୍ର ମଧୁସୂଦନ ଦାସଙ୍କର ପ୍ରସ୍ତୁତ ତଥ୍ୟାବଳୀ ଏଭଳି ଯୁକ୍ତିନିଷ୍ଠ ଓ ଶାଣିତ ଥିଲା ଯେ, ତାହାକୁ ଆଧାରକରି ବିଦ୍‍ବତ୍ତାସମ୍ପନ୍ନ ପ୍ରଖ୍ୟାତ ବାରିଷ୍ଟରଗଣ ତିନିଘଣ୍ଟା ମଧ୍ୟରେ ତାଙ୍କର ଉପସ୍ଥାପନା ସାରି ଦେଇଥିଲେ । ରାଣୀ ସୂର୍ଯ୍ୟମଣି ପାଟମହାଦେଈ ବିଜୟୀ ଘୋଷିତ ହେଲେ । ଏହି ବିଜୟ ଲାଗି ବାରିଷ୍ଟର ବର୍ଗ ସମସ୍ତ କୃତିତ୍ୱ ମଧୁସୂଦନ ଦାସଙ୍କୁ ସମର୍ପି ଥିଲେ । ମଧୁସୂଦନ ଦାସ ସମସ୍ତଙ୍କର ଦୃଷ୍ଟିର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଥିଲେ । ଏକ ନୈଶ ଭୋଜିସଭାରେ ମଧୁସୂଦନ ଦାସଙ୍କୁ ବଂଗର ନବନିଯୁକ୍ତ ଗଭର୍ଣ୍ଣର ସାର୍‍ ଷ୍ଟୁଆର୍ଟ ବେଲି ସମ୍ଭ୍ରମର ସହ ରାଜଭବନକୁ ନିମନ୍ତ୍ରଣ କରି ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ ଗଜପତି ବଂଶର ଅଧିକାରକୁ ସ୍ୱୀକୃତି ପ୍ରଦାନ କରିଥିଲେ । ସୂର୍ଯ୍ୟମଣି ପାଟମହାଦେଈଙ୍କ ପକ୍ଷରୁ ମଧୁସୂଦନ ଦାସ ରାଜିନାମାରେ ଦସ୍ତଖତ କରିଥିଲେ ।
ବିଜୟ ପ୍ରତ୍ୟାବର୍ତ୍ତନର ମହୋତ୍ସବ ଅକଳ୍ପନୀୟ ଥିଲା । ହାଇକୋର୍ଟର ଆଦେଶନାମାକୁ ସଂଗରେ ଧରି ମଧୁସୂଦନ ଦାସ ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କୁ ଭେଟିବା ପାଇଁ ପାଲିଙ୍କିରେ କଟକରୁ ଯାତ୍ରା କରିଥିଲେ ।

ସରକାରଙ୍କ ସହିତ ଆପୋଷ ଆଲୋଚନା ମଧ୍ୟରେ ସ୍ଥିରୀକୃତ ହେଲା ଯେ, ରାଣୀ ସୂର୍ଯ୍ୟମଣି ସ୍ୱନିଯୁକ୍ତ ମ୍ୟାନେଜରଙ୍କ ଜରିଆରେ ମନ୍ଦିରର ପରିଚାଳନାକୁ ନିଜର କର୍ତ୍ତୃତ୍ୱ ମଧ୍ୟରେ ରଖିପାରିବେ । ରାଣୀ ସୂର୍ଯ୍ୟମଣିଙ୍କୁ ମନ୍ଦିର ପରିଚାଳନାରେ ସହାୟତା କରିବାପାଇଁ ମଧୁସୂଦନ ଦାସ ରାଣୀଙ୍କ ଅନୁମୋଦନ କ୍ରମେ ଏକ କମିଟି ଗଠନ କରିଥିଲେ, ଯେଉଁ କମିଟି ରାଣୀଙ୍କର ନିର୍ଦ୍ଦେଶନାରେ ମନ୍ଦିରର ପରିଚାଳନାର ତଦାରଖ କରୁଥିଲେ । ପ୍ରକୃତରେ ମଧୁସୂଦନ ଦାସ ୧୯୩୪ ସାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ତଥା ଗଜପତି ବଂଶର ସୁରକ୍ଷାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ।
ରାଜା ମୁକୁନ୍ଦଦେବ ବୟଃପ୍ରାପ୍ତ ହୋଇ ୧୮୯୭ ସାଲରେ ଗାଦିନସିନ ହେଲେ ଓ ସୋନପୁର ରାଜବଂଶରେ ବିବାହ କରିଥିଲେ । ମାତ୍ର ଶେଷ ପର୍ଯ୍ୟନ୍ତ ଅପୁତ୍ରିକ ଥିଲେ । ତାଙ୍କ ପ୍ରଶାସନ ମଧ୍ୟ ତ୍ରୁଟିଶୂନ୍ୟ ନଥିଲା । ତେଣୁ ପର୍ଦ୍ଦା ଅନ୍ତରାଳରେ ରାଣୀ ସୂର୍ଯ୍ୟମଣିଙ୍କୁ ବହୁ ସମସ୍ୟାର ସମାଧାନ କରିବାକୁ ପଡ଼ୁଥିଲା ଏବଂ ନାଟ୍ୟକାର ରାମଶଙ୍କର ରାୟଙ୍କର ସହାୟତାରେ ମଧୁସୂଦନ ଶ୍ରୀମନ୍ଦିର ପରିଚାଳନା ଶୃଙ୍ଖଳିତ କରି ରଖିଥିଲେ । ପରବର୍ତ୍ତୀକାଳରେ ରାଣୀ ସୂର୍ଯ୍ୟମଣିଙ୍କ ପରାମର୍ଶ କ୍ରମେ ଭୂତପୂର୍ବ ବୃଦ୍ଧ ମ୍ୟାନେଜର ରାୟ ବାହାଦୂର ରାଜକିଶୋର ଦାସଙ୍କୁ ପୂର୍ବ ଦସ୍ତୁର ମତେ ଦେବାନ ଭ୍ରମରବର ରାୟ ଶାଢ଼ି ଦେଇ ନଜର ଦେବାନ ରୂପେ ନିଯୁକ୍ତି ପ୍ରଦାନ କରାଗଲା । ଶ୍ରୀମନ୍ଦିରର କାର୍ଯ୍ୟଧାରା ସୁପରିଚାଳିତ ହେଲା ।
ରାଜା ମୁକୁନ୍ଦଦେବ ପୁତ୍ରହୀନ ଥିଲେ । ମାତ୍ର ସୂର୍ଯ୍ୟମଣି ପାଟମହାଦେଈଙ୍କ ଦୂରଦର୍ଶିତା ଆଉ ପୁରୋଦୃଷ୍ଟି ବଳରେ ବାମଣ୍ଡା ରାଜା ସୁଢ଼ଳ ଦେବଙ୍କ ପୌତ୍ର ଲାଲ୍‍ମୋହନ ଦେବ, ଯୁବରାଜ ରୂପେ ଗୃହୀତ ହେଲେ ଏବଂ ୧୪.୨.୧୯୨୬ରେ ରାଜା ମୁକୁନ୍ଦ ଦେବଙ୍କର ପରଲୋକ ପ୍ରାପ୍ତିପରେ, ଯୁବରାଜ ରାମଚନ୍ଦ୍ର ଦେବ (୪ର୍ଥ) ନାମରେ ନାମିତ ହୋଇ ସିଂହାସନ ଆରୋହଣ କରିଥିଲେ । ଏହାପରେ ସୁଦୀର୍ଘ ଶହେ ବର୍ଷ ଧରି ଗଜପତି ବଂଶ ତଥା ଶ୍ରୀମନ୍ଦିର ପରିଚାଳନାରେ ଉପୁଜିଥିବା ବିକ୍ଷୁବ୍ଧ ଘନଘଟା ଓ ଝଡ଼ଝଞ୍ଜାର ଅବସାନ ଘଟିଥିଲା । ଏକ ଶହ ବର୍ଷବ୍ୟାପୀ ବ୍ରିଟିଶ ସାମ୍ରାଜ୍ୟବାଦର ଦୂରଭିସନ୍ଧିମୂଳକ ସମସ୍ତ ଘୃଣ୍ୟ ଚକ୍ରାନ୍ତକୁ ପ୍ରତିହତ କରି ବିପଦସଂକୁଳ ସମୟଧାରାକୁ ଅତୀବ ସାହସିକତାର ସହ ଅତିକ୍ରମ କରି ଅବଶେଷରେ ୨୪-୧୧-୧୯୨୬ର ପୁଣ୍ୟତିଥିରେ ମହା କାର୍ତ୍ତିିକ ମାସର ପଞ୍ଚତୀର୍ଥ କ୍ଷେତ୍ର ପରିକ୍ରମା ଦିବସରେ ରାଣୀ ସୂର୍ଯ୍ୟମଣି ପରଲୋକ ଗମନ କରିଥିଲେ । ଊନବିଂଶ ତଥା ବିଂଶ ଶତାବ୍ଦୀର ପୂର୍ବ ଭାଗର ପ୍ରେକ୍ଷାପଟ୍ଟରେ, ଓଡ଼ିଶାର କୌଣସି ନାରୀନେତ୍ରୀଙ୍କର ଭୂମିକା ସମଗ୍ର ଓଡ଼ିଆ ଜାତୀୟତା, ଓଡ଼ିଆ ସଂସ୍କୃତି ତଥା ଶ୍ରୀମନ୍ଦିରର ସୁରକ୍ଷା ଲାଗି ସମର୍ପିତା ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କର ଅବିସ୍ମରଣୀୟ ଅବଦାନକୁ ଅତିକ୍ରମ କରିପାରିନାହିଁ । ଅଥଚ ଓଡ଼ିଆ ଜାତିର ଦୁର୍ଭାଗ୍ୟ ଯେ ଏହି କୀର୍ତ୍ତିିଶାଳିନୀ ମହିୟସୀ ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କର ଗରିମାମୟ ତଥା ମହିମାଦୀପ୍ତ ସ୍ମୃତି ସମ୍ଭାର ଆଜି ବିସ୍ମୃତି ଗର୍ଭରେ ବିଲୁପ୍ତ । ଏହା ହିଁ ଏ ଜାତିର ଚରମ ଦୁର୍ଭାଗ୍ୟ ।