ଆମ ମଧୁସୁଦନ/ସ୍ୱତନ୍ତ୍ର ଘଟଣା
←ସ୍ୱତନ୍ତ୍ର ବର୍ଷରେ ଓଡ଼ିଶା | ଆମ ମଧୁସୁଦନ ଲେଖକ/କବି: ସ୍ୱତନ୍ତ୍ର ଘଟଣା |
ସ୍ୱତନ୍ତ୍ର ବ୍ୟକ୍ତିତ୍ୱ→ |
ସ୍ଥିତିଶୂନ୍ୟତାର ଘନଅନ୍ଧକାର ମଧ୍ୟରେ ଜନ୍ମଲାଭ କରିଥିଲା ଓଡ଼ିଶା ପ୍ରଦେଶ, ଅଫୁରନ୍ତ
ସଂଗ୍ରାମ ଆଉ ଅବିରାମ ପ୍ରୟାସ ମଧ୍ୟରେ । ସେହି ଅବଦମିତ ପ୍ରଚେଷ୍ଟା ହେଉଛି ଓଡ଼ିଆ ଜାତିର
ମହାନ ଗାଥା । ଆଜି ତାହା ମଧ୍ୟ ବିସ୍ମୃତିର ଗର୍ଭରେ ଲୀନ ହୋଇଯାଇଛି । ଊନବିଂଶ ଶତାବ୍ଦୀର
ମଧ୍ୟଭାଗରେ ସୁବିଶାଳ ବଙ୍ଗପ୍ରଦେଶର ଏକ କୋଣରେ ଝୁଲି ରହିଥିଲା ଓଡ଼ିଶା ଡିଭିଜନ ଦୀନତାର
ନିଷ୍ପେଷଣ ମଧ୍ୟରେ ଆଉ ବିଖଣ୍ଡିତ ଅନ୍ୟ ଓଡ଼ିଆଭାଷୀ ଅଞ୍ଚଳ ସବୁ ଲାଖି ରହିଥିଲେ ବଙ୍ଗ,
ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବିହାର ପ୍ରାନ୍ତରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ।
ମଧୁସୂଦନ ଦାସ ୧୮୮୧ ସାଲରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପରେ ୧୮୮୨ରେ ଉତ୍କଳସଭା (ଓଡ଼ିଶା ଏସୋସିଏସନ୍) ଗଠନ କରିଥିଲେ । ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣଲାଗି କଟକ ପରିଦର୍ଶନବେଳେ ବଙ୍ଗର ଲାଟ୍ ସାର୍ ରିଭର୍ସ ଥମ୍ପ୍ସନ୍ଙ୍କୁ ୧୮୮୫ ସାଲରେ, ସାର୍ ଷ୍ଟିଆର୍ଟ ବେଲିଙ୍କୁ ୧୮୮୮ ସାଲରେ ଏବଂ ଜନ୍ ଉଡ଼ବର୍ଣ୍ଣଙ୍କୁ ୧୮୯୮ ସାଲରେ ଉତ୍କଳ ସଭା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ସେସବୁ ଯେପରି ବଙ୍ଗ ସେକ୍ରେଟେରୀଙ୍କର ଅଳିଆ
ନଥିପତ୍ର ମଧ୍ୟରେ ହଜି ଯାଇଥିଲା । ଓଡ଼ିଶା ସଂପର୍କରେ ଭାରତର ସର୍ବୋଚ୍ଚ ଶାସନକର୍ତ୍ତା ବଡ଼ଲାଟ
ଯେପରି ଅଜ୍ଞତାର ପରିଧି ମଧ୍ୟରେ ରହି ଯାଇଥିଲେ ।
ଓଡ଼ିଶା ମାଟିରେ ଭାରତର ବଡ଼ଲାଟଙ୍କର ପାଦ ପଡ଼ିନଥିଲା । ଆଉ ୧୮୭୨ ସାଲରେ ଭାରତର ବଡ଼ଲାଟ ଲର୍ଡ ମେୟୋ ଆଣ୍ଡାମାନରୁ କଟକ ପରିଦର୍ଶନରେ ଆସିବାପାଇଁ ଯେଉଁ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ, ତାହାରି ଅନୁସାରେ ସେହି ବର୍ଷର ଫେବ୍ରୁଆରି ଆଠ ତାରିଖରେ ଆଣ୍ଡାମାନ ଜେଲ ପରିଦର୍ଶନ ବେଳେ କଏଦୀ ଶେରଖାନ୍ଙ୍କର ଛୁରୀକାଘାତରେ ଲର୍ଡ ମେୟୋ
ପ୍ରାଣତ୍ୟାଗ କରିଥିଲେ । ଆଉ ଭାରତ ସରକାରଙ୍କପାଇଁ ଓଡ଼ିଶା ଏବଂ ଓଡ଼ିଆଭାଷୀ ଅଞ୍ଚଳ ସବୁ
ଯେପରି ଅନ୍ଧକାର ଗର୍ଭରେ ବିସ୍ମୃତ ହୋଇ ଯାଇଥିଲା । କେବଳ ମଧୁସୂଦନଙ୍କର କ୍ରମାଗତ ପ୍ରଚେଷ୍ଟା
ଫଳରେ ୧୮୯୫ ସାଲରୁ ପୁରୀ ଓ କଲିକତା ମଧ୍ୟରେ ରେଳପଥର ସଂଯୋଗୀକରଣ ଆରମ୍ଭ
ହୋଇଥିଲା । ଏହି ଚରମ ଅବହେଳାରୁ ଓଡ଼ିଶାକୁ ମୁକ୍ତ କରିବାପାଇଁ ୧୮୯୭ ସାଲରେ ମଧୁସୂଦନ
ଲଣ୍ଡନଠାରେ ଭାରତ ସଚିବ ଲର୍ଡ ହାମିଲ୍ଟନ୍ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ନିର୍ଦ୍ଦେଶ
ଥିଲା ପରବର୍ତ୍ତୀ ବଡ଼ଲାଟଙ୍କୁ ଭେଟିବା । ୧୮୯୯ ସାଲର ଜାନୁଆରି ପାଞ୍ଚ ତାରିଖରେ ଲର୍ଡ କର୍ଜନ
ଭାରତର ବଡ଼ଲାଟ ରୂପେ ଅଧିଷ୍ଠିତ ହୋଇଥିଲେ ଏବଂ କ୍ରମାଗତ ଭାବେ ମଧୁସୂଦନ ତାଙ୍କ ନିକଟକୁ
ଆବେଦନ ପତ୍ର ପ୍ରେରଣ କରି ଚାଲିଥିଲେ ।
ଏଠାରେ ସୂଚାଇ ଦିଆଯାଉଛି ଯେ, କଲିକତା ସମଗ୍ର ଭାରତ ସାମ୍ରାଜ୍ୟର ରାଜଧାନୀ ହୋଇଥିଲେ ମଧ୍ୟ ୧୮୭୫ ସାଲରେ କଲିକତା ଲାହୋର ଦେଇ ସିମ୍ଲା ସମୀପ ପର୍ଯ୍ୟନ୍ତ ରେଳପଥ ସଂଯୁକ୍ତ ହେବ । ପରେ ପ୍ରକୃତ ପକ୍ଷେ ସିମ୍ଲା ହିଁ ଭାରତର ରାଜଧାନୀ ରୂପେ କାର୍ଯ୍ୟ କରୁଥିଲା, ଯେଉଁଠାରେ ବଡ଼ଲାଟ ବର୍ଷର ଆଠମାସରୁ ଅଧିକ ସମୟ ଅବସ୍ଥାନ କରୁଥିଲେ, ଶୀତଋତୁର ଦୁଇ ତିନିମାସ ବାଦ ଦେଇ ।
ଉତ୍କଳଦୀପିକାରେ ୨୩ ମାର୍ଚ୍ଚ ୧୯୦୦ ସାଲରେ ପ୍ରକାଶିତ ଲର୍ଡ କର୍ଜନଙ୍କ ଗସ୍ତସୂଚୀ ଅନୁସାରେ ସେହି ସପ୍ତାହରେ କଲିକତା ପରିତ୍ୟାଗ କରି ଇକୁଆ ଅମୃତସର, ଇସ୍ମାଇଲ୍ଖାନ୍, ଡେରାଗାଜିଖାନ୍, କୋଟା ଆଦି ସ୍ଥାନ ପରିଦର୍ଶନ କରି ରେଳଯୋଗେ ଅପ୍ରେଲ ମାସ ଶେଷରେ
ସିମଲାଠାରେ ପହଞ୍ଚି, ଗ୍ରୀଷ୍ମ ଓ ବର୍ଷାକାଳ ବିତାଇ ଡିସେମ୍ବର ମାସ ୨ୟ ସପ୍ତାହ ବେଳକୁ କଲିକତା
ଫେରିଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଉତ୍କଳ ଦୀପିକାରେ ୨୨.୯.୧୯୦୦ରେ
ପ୍ରକାଶିତ ବଡ଼ଲାଟଙ୍କର ପରିବର୍ତ୍ତିିତ ଗସ୍ତସୂଚୀ ଅନୁସାରେ ଡିସେମ୍ବର ୨ୟ ସପ୍ତାହରେ
ରାଜମହେନ୍ଦ୍ରୀଠାରେ ଗୋଦାବରୀ ପୋଲ ଉଦ୍ଘାଟନ୍ କରି ରମ୍ଭାରେ କିଛିକାଳ ଅବସ୍ଥାନକରି
କଟକ ବାଟ ଦେଇ କଲିକତା ଫେରି ଆସିବେ । ମାତ୍ର ଏହା ପୂର୍ବରୁ ଲଡର଼୍ କର୍ଜନ ସିମଲାଠାରୁ
ଡେଲ୍ହାଉସୀ ଓ ଚମ୍ବା ସେପ୍ଟେମ୍ବର ମାସରେ ପରିଦର୍ଶନ କରି ସିମଲା ଫେରିଆସି ଅକ୍ଟୋବର
୨୨ ତାରିଖ ମଧ୍ୟରେ ସିମଲାଠାରୁ କଲିକତାକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ
ହୋଇଥିଲା ।
ଏହି କାଳ ମଧ୍ୟରେ ମଧୁସୂଦନଙ୍କର ଆବେଦନ ବଡ଼ଲାଟଙ୍କର ହସ୍ତଗତ ହୋଇଥିଲା ଓ ବଡ଼ଲାଟ ପ୍ରାୟ ଅକ୍ଟୋବର ୨୨ ତାରିଖ ମଧ୍ୟରେ ସିମଲାଠାରେ ବଡ଼ଲାଟଙ୍କୁ
ଭେଟିବାପାଇଁ ନିମନ୍ତ୍ରଣ ଜଣାଇଥିଲେ । ଆବେଦନରେ ମଧୁସୂଦନ ଲଡର଼୍ କର୍ଜନଙ୍କୁ
ଜଣାଇଥିଲେ, "ଏ ଚିଠି ହୁଏତ ଆପଣ ପଢ଼ି ନପାରନ୍ତି, ଏହା ଆପଣଙ୍କ ଜୋତା ତଳେ
ସ୍ଥାନ ପାଇପାରେ, ମାତ୍ର ଜଣେ ଓଡ଼ିଆ ହିସାବରେ ଓଡ଼ିଆ ଜାତିର ମର୍ମବେଦନା ଓ ଅନ୍ତର୍ଦାହ
ଆପଣଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ।"
ଲର୍ଡ କର୍ଜନଙ୍କ ସହିତ ମଧୁସୂଦନଙ୍କ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସାକ୍ଷାତ ହେଲା ।
କର୍ଜନଙ୍କ ସମ୍ମୁଖରେ ମଧୁସୂଦନ ଉପସ୍ଥାପନ କରିଥିଲେ ବିଖଣ୍ଡିତ ଓଡ଼ିଆ ଜାତିର ମର୍ମଭେଦୀ
କଷଣ ଓ ନିବେଦନ କରିଥିଲେ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ସହିତ ସମ୍ବଲପୁରରେ ଓଡ଼ିଆ
ଭାଷାର ପ୍ରଚଳନ ଲାଗି ବ୍ୟଥାଭରା ଆବେଦନ । ପ୍ରାଣୋଚ୍ଛ୍ୱଳ ଭାଷାବିନ୍ୟାସର ନିର୍ଝର ମଧ୍ୟରେ
ସମ୍ମୋହିତ ଲର୍ଡ କର୍ଜନ, ମଧୁସୂଦନଙ୍କ ମାର୍ମିକ କଣ୍ଠର ଭାଷାରେ ଯେପରି ଓଲଟାଇ ଚାଲିଥିଲେ
ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଶାର ଗୌରବମୟ ଅଧ୍ୟାୟ ସବୁ, ଯହିଁରେ ଓଡ଼ିଆ ଜାତିର ଦୁର୍ନିବାର
ଜୈତ୍ର ଅଭିଯାନ, ଅପରୂପ କଳା ଭାସ୍କର୍ଯ୍ୟ ସମ୍ବଳିତ କୀର୍ତ୍ତି ସମ୍ଭାର ଆଉ ଦରିଆପାରି ଉପନିବେଶର
ବର୍ଣ୍ଣାଢ଼୍ୟ ବିପଣୀର ବିବରଣୀ, ବର୍ଣ୍ଣନା ହୋଇଥିଲା ଅତ୍ୟନ୍ତ ପ୍ରାଣବନ୍ତ ଆଉ ମର୍ମସ୍ପର୍ଶୀ ଭାଷାରେ ।
ବିହ୍ୱଳିତ ହୋଇ ଲର୍ଡ କର୍ଜନ ମଧୁସୂଦନଙ୍କୁ କହିଥିଲେ, "ଓଡ଼ିଆ ଜାତି ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ
ମନେ କରିବା ଉଚିତ ଯେ ତାହାକୁ ଆପଣଙ୍କ ଭଳି ଜଣେ ବିଦ୍ବତ୍ତାସମ୍ପନ୍ନ ନେତା ପ୍ରତିନିଧିତ୍ୱ
କରୁଛନ୍ତି ।" ପରିଶେଷରେ ମଧୁସୂଦନ ତାଙ୍କୁ ଆମନ୍ତ୍ରଣ କରିଥିଲେ ଓଡ଼ିଶାର ମନ୍ଦିରମାଳିନୀ ନଗରୀ
ପୁରୀ ଓ ଭୁବନେଶ୍ୱର ପରିଦର୍ଶନ କରିବାପାଇଁ, ଯାହା ସେହିବର୍ଷ ରେଳ ଲାଇନ୍ଦ୍ୱାରା କଲିକତା
ସହିତ ସଂଯୁକ୍ତ ହୋଇଥିଲା । ଲର୍ଡ କର୍ଜନ ମଧୁସୂଦନଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ଆଉ
ନଭେମ୍ବର ମାସରେ ପ୍ରକାଶିତ ପରିବର୍ତ୍ତିତ ବଡ଼ଲାଟଙ୍କ ଗସ୍ତ କାର୍ଯ୍ୟସୂଚୀରେ ରାଜମହେନ୍ଦ୍ରୀଠାରୁ
ପ୍ରତ୍ୟାବର୍ତ୍ତନ ପଥରେ ପୁରୀ ଓ ଭୁବନେଶ୍ୱର ପରିଦର୍ଶନ କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା ।
ଏହି ରେଳ ଲାଇନ ଲାଗି ଜମି ଅଧିଗ୍ରହଣ ଓ ସଂଯୋଜନା କ୍ଷେତ୍ରରେ ମଧୁସୂଦନଙ୍କ ଭୂମିକା ଥିଲା
ଅବିସ୍ମରଣୀୟ ।
ଲର୍ଡ କର୍ଜନ ପ୍ରକୃତରେ ୧୯୦୦ ସାଲ ଡିସେମ୍ବର ୧୩ ତାରିଖରେ ରେଳରେ ମାନ୍ଦ୍ରାଜ ପରିତ୍ୟାଗ କରି ୧୪ ତାରିଖରେ ରାଜମହେନ୍ଦ୍ରୀଠାରେ ଗୋଦାବରୀର ସୁବୃହତ୍ ପୋଲ ଉଦ୍ଘାଟନ କରି ୧୫ ତାରିଖରେ ସୁରୂପା ଚିଲିକା କୂଳସ୍ଥ ରମ୍ଭା ପ୍ରାସାଦ ପରିଦର୍ଶନ କରି ୧୬ ତାରିଖ
ମଧ୍ୟାହ୍ନରେ ପୁରୀଠାରେ ପହଞ୍ଚିଥିଲେ । ଏହି ପରିଦର୍ଶନ ସଂପର୍କରେ ୨୨.୧୨.୧୯୦୦ରେ
ପ୍ରକାଶିତ ଉତ୍କଳ ଦୀପିକାରେ ସୁବିସ୍ତୃତ ବିବରଣୀ ସ୍ଥାନ ପାଇଥିଲା । ସେହି ସଂପୂର୍ଣ୍ଣ ଲେଖାଟି
ପାଠକଙ୍କର ଆଗ୍ରହ ଚରିତାର୍ଥ କରିବାପାଇଁ ଉପସ୍ଥାପନ କରାଗଲା ।
ଏହି ଆଶାତୀତ ସୌଭାଗ୍ୟ ରବିବାର ଶୁଭ ସଂଯୋଗରେ ସଂଘଟିତ ଥିଲା । ଉତ୍କଳବାସୀମାନେ ସ୍ୱଦେଶରେ ଭାରତର ମହାମାନ୍ୟ ଭାରତେଶ୍ୱରୀଙ୍କର ଭାରତ ପ୍ରତିନିଧିଙ୍କୁ ଦର୍ଶନ କରି କୃତାର୍ଥ ହେଲେ । ମହାମାନ୍ୟ ମହୋଦୟଙ୍କର ଯଥୋଚିତ ସମ୍ମାନ କରିବାକୁ ଗରିବ ପୁରୀବାସୀମାନେ ଅକ୍ଷମ ଥିବାର ଅନୁଭବ କରି ସୁଦ୍ଧା ସାଧ୍ୟାନୁସାରେ ରାଜାଙ୍କର ଅଭ୍ୟର୍ଥନା କରିବା କାରଣ ଯତ୍ନବାନ ହୋଇଥିଲେ ଏବଂ ପୁରୀର ରାଜା ଏବଂ ତାହାର ପରାମର୍ଶଦାତାମାନେ ତହିଁରେ ଆଗ୍ରହର ସହିତ
ଯୋଗଦାନ କରିଥିଲେ । ଜିଲ୍ଲାର କଲେକ୍ଟରଙ୍କଠାରୁ ସାମାନ୍ୟ କର୍ମଚାରୀ ପର୍ଯ୍ୟନ୍ତ ସରକାରୀ ଲୋକ,
ଅର୍ଦ୍ଧ ସରକାରୀ ଲୋକ, କମିଶନର ଏବଂ ସେମାନଙ୍କର ଅଧୀନସ୍ଥ କର୍ମଚାରୀମାନେ ଯେ ଯାହାର
କର୍ତ୍ତବ୍ୟ ସାଧନଦ୍ୱାରା ଉପରୋକ୍ତ ସମାରୋହ ସହିତ ଅଭ୍ୟର୍ଥନାର ଆୟୋଜନରେ ମନଯୋଗୀ
ହୋଇଥିଲେ । ଶ୍ରୀମନ୍ଦିର ଦେଖିବା ବଡ଼ଲାଟ କର୍ଜନ ବାହାଦୂରଙ୍କର ଶୁଭାଗମନର ପ୍ରଧାନ
ଅଭିପ୍ରାୟ । ତେଣୁ ମନ୍ଦିରର ସୁପରିଟେଣ୍ଡେଣ୍ଟଙ୍କ ଓ ପୁରୀ ରାଜାଙ୍କ ଉପରେ ଅଭ୍ୟର୍ଥନାର ଭାର
ପଡ଼ିବାରୁ, ସେ ତହିଁର ସମସ୍ତ ବ୍ୟୟ ଯୋଗାଇ ଦେଇଥିଲେ ଏବଂ ତାହାଙ୍କର ପ୍ରଧାନ ବନ୍ଧୁ ମାନ୍ୟବର
ମଧୁସୂଦନ ଦାସଙ୍କର ବିଚକ୍ଷଣ ବୁଦ୍ଧି ଏବଂ ସୁରୁଚି ସାହାଯ୍ୟରେ କାର୍ଯ୍ୟଟି ଅଧିକତର ମନୋହର
ହୋଇଥିଲା । ପୁରୀ ରେଳଷ୍ଟେସନଠାରେ ଏକ ସୁଶୋଭିତ ମଣ୍ଡପ ରଚନା ହୋଇଥିଲା ଏବଂ
ସେଠାରୁ ଏକ ଦିଗରେ ସମୁଦ୍ରକୂଳ କଚେରି ବାଟେ ଏବଂ ଅନ୍ୟ ଦିଗରେ ଗୁଣ୍ଡିଚା ମନ୍ଦିର ବଡ଼ଦାଣ୍ଡ
ବାଟେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଡ଼କମାନଙ୍କର ଦୁଇପାର୍ଶ୍ୱ ନାନା ବର୍ଣ୍ଣର ପତାକା ଏବଂ ପତ୍ରମାଳାଦ୍ୱାରା
ସୁସଜ୍ଜିତ ହୋଇଥିଲା ଏବଂ ଚୌକିଦାର, ଦଫାଦାର ଓ କନେଷ୍ଟବଲ୍ମାନେ ପହରାରେ ଛିଡ଼ାହୋଇ
ଥିଲେ । ମନ୍ଦିର ସମ୍ମୁଖରେ ଗୋଟିଏ ଚାନ୍ଦୁଆ ଟଣାହୋଇ ତାହା ଫୁଲପତ୍ର, ତୋରଣ, ସୁଦୃଶ୍ୟ
ନାନାବର୍ଣ୍ଣର କାଗଜଦ୍ୱାରା ରଞ୍ଜିତ ହୋଇଥିଲା । ତଳେ ବନାତ ବିଛାହୋଇ ତହିଁ ଉପରେ
ମହାମାନ୍ୟଙ୍କ ନିମନ୍ତେ ରୂପାର କୁରସି ଆସନମାନ ପଡ଼ିଥିଲା । ସମ୍ମୁଖରେ ଗୋଟିଏ ମେଜ ଉପରେ
ଖଡ଼ିମାଟିରେ ନିର୍ମିତ ଗୋଟିଏ ମନ୍ଦିରର ପ୍ରତିମୂର୍ତ୍ତିି, ଗୋଟିଏ ଅବିକଳ ସୁସଜ୍ଜିତ ରଥର ଆକୃତି
ଏବଂ ଗୋଟିଏ ରୂପାର ଅଭିନନ୍ଦନପତ୍ରାଧାର ମହାତ୍ମାଙ୍କୁ ଉପଢୌକନ ଦେବା କାରଣ
ରଖାଯାଇଥିଲା । ଏହି ରୌପ୍ୟାଧାର ମାନ୍ୟବର ବାବୁ ମଧୁସୂଦନ ଦାସଙ୍କ ଶିଳ୍ପାଗାରରେ ପ୍ରସ୍ତୁତ
ଏବଂ ଏହା ତାହାଙ୍କର ବିଚକ୍ଷଣ ଉଦ୍ଭାବିକା ଏବଂ ସୁରୁଚିର ପରିଚୟ ଦେଉଥିଲା । ସେହି
ଆଧାରର ତଳ ଖଣ୍ଡିଏ ତାରକସି ବାଦାମୀ ଥାଳି, ତହିଁ ଉପରେ ଦୁଇପାଖରେ ଦୁଇଟି ହାତୀଦାନ୍ତର
ହାତୀ ବସିଛନ୍ତି ଏବଂ ମଧ୍ୟରେ ସୁନାପତ୍ରରେ ଶ୍ରୀମନ୍ଦିରର ପ୍ରତିକୃତି ଅଙ୍କିତ ହୋଇଛି । ହାତୀମାନଙ୍କ
ପୃଷ୍ଠରେ ରୂପାର ଗୋଟିଏ ଲମ୍ବ ବାକ୍ସ ରହିଛି । ଏବଂ ତାହା ଫିଟାଇବା ଓ ବନ୍ଦ କରିବାର କଳ
ଲାଗି ଅଛି । ବାକ୍ସର ଢ଼ାଙ୍କୁଣିର ଏକପାଖରେ ଲକ୍ଷ୍ମୀ ଏବଂ ଅନ୍ୟ ପାଖରେ ସରସ୍ୱତୀଙ୍କ ମୂର୍ତ୍ତି ସୁନା
ପତ୍ରରେ ଅଙ୍କା ହୋଇଛି ଏବଂ ମଧ୍ୟରେ ମହାମାନ୍ୟ କର୍ଜନଙ୍କୁ ପୁରୀର ରାଜା ଏବଂ
ସେବକମାନଙ୍କଦ୍ୱାରା ଉତ୍ସର୍ଗ ହେବାର ଇଂରାଜୀରେ ଲେଖାଅଛି । ବାକ୍ସର ଦୁଇ ପାର୍ଶ୍ୱର ରୂପା
ପଟା ଉପରେ ଜଡ଼ିତ ସୁନା ପତ୍ରରେ ଶ୍ରୀକୃଷ୍ଣଙ୍କ କାଳୀୟଦଳନ ପ୍ରତିମୂର୍ତ୍ତିି ଅଙ୍କିତ ହୋଇଛି । କାର୍ଯ୍ୟଟି ଏମନ୍ତ ଚିକ୍କଣ ଏବଂ ସୁନ୍ଦର ହୋଇଛି ଯେ ଦେଖିଲେ ଚୋଖା ହାତତିଆରି ବୋଲି ଭ୍ରମ ହେବ ।
ମଣ୍ଡପର ଚତୁର୍ଦ୍ଦିଗରେ କଦଳୀ ଗଛ ଓ ନାରିକେଳ ପଲ୍ଲବ ସହିତ ପୂର୍ଣ୍ଣ କଳସମାନ ସ୍ଥାପିତ
ହୋଇଥିଲା । ପୁରୀର କନେଷ୍ଟବଳମାନେ ଅତ୍ୟନ୍ତ ସାବଧାନ ସହିତ ଚାରିଦିଗରେ ଦଣ୍ଡାୟମାନ
ରହି ମନ୍ଦିରର ସମ୍ମୁଖସ୍ଥ ସମସ୍ତ ସ୍ଥାନ ରକ୍ଷା କରିଥିଲେ । ଏବଂ ଏ କାର୍ଯ୍ୟରେ ପୁଲିସ୍ ଇନ୍ସ୍ପେକ୍ଟର
ବାବୁ ନାରାୟଣ ଚନ୍ଦ୍ର ବାନାର୍ଜୀଙ୍କର ବିଶେଷ ସତର୍କତାରେ ବାଟଘାଟମାନ ଯଥା ସମ୍ଭବ ପରିଷ୍କାର
ରୂପେ ସୁରକ୍ଷିତ ହୋଇଥିଲା । ସଡ଼କର ଦୁଇପାଖର ଲୋକମାନେ ଆପଣା ଆପଣା ଘରେ ଚୂନ
ମନୋହର ରୂପେ ସଜ୍ଜିତ ହୋଇଥିଲା । ଫଳତଃ ନଗର ଶୋଭା ବଢ଼ାଇବାପାଇଁ ଯେତେସମ୍ଭବ
ଚେଷ୍ଟା ହୋଇଥିଲା ଏବଂ ତାହା ସଫଳ ହେବାର ଅବଶ୍ୟ ସ୍ୱୀକାର କରିବାକୁ ହେବ ।
ମହାମାନ୍ୟ ମହୋଦୟ ମଧ୍ୟାହ୍ନ ପ୍ରାୟ ଗୋଟାଏରେ ପୁରୀ ରେଳଷ୍ଟେସନ୍ରେ ଉପସ୍ଥିତ ହେଲେ । ତାହାଙ୍କୁ ସମାଦର ପୂର୍ବକ ଆଣିବା କାର୍ଯ୍ୟ ବିଭାଗୀୟ କମିଶନର ପୁରୀର କଲେକ୍ଟର, ପୁଲିସ୍ ସୁପରିଟେଣ୍ଡେଣ୍ଟ ପ୍ରଭୃତି ପୂର୍ବରୁ ରେଳଷ୍ଟେସନଠାରେ ଅପେକ୍ଷା କରିଥିଲେ । ମହୋଦୟ ରେଳରୁ ଅବତରଣ କରି ସେଠା ମଣ୍ଡପରେ କେବଳ ପଦାର୍ପଣ କରି ସଗହଣରେ ବଗିରେ ବସି ମନ୍ଦିରଠାରେ ବିରାଜମାନ ହୋଇ ପ୍ରଥମେ ଅରୁଣ ସ୍ତମ୍ଭ ଓ ସିଂହଦ୍ୱାରଠାରୁ ମନ୍ଦିର ଦର୍ଶନ କରି ତହିଁ ଉତ୍ତାରୁ ସମ୍ମୁଖସ୍ଥ ରାଧାବଲ୍ଲଭ ମଠର ଛାତ ଉପରକୁ ବିଜେକରି ମନ୍ଦିରର ଚାରିପାଖ ବୁଲି ଆସି ସଭାମଣ୍ଡପରେ ବିରାଜମାନ ହେଲେ । ସେଠାରେ ପୁରୀର ରାଜା, ମନ୍ଦିରର ପୁରୋହିତ,
ସେବକ, ପଣ୍ଡିତ, ପୁରୀ ମ୍ୟୁନିସିପାଲ୍ କମିଶନର୍, ରାଜାଙ୍କର ଅମଲା ପ୍ରଭୃତି କେତେଜଣ ସ୍ଥାନୀୟ
ଭଦ୍ରଲୋକ ଏବଂ କଟକର ବାବୁ ମଧୁସୂଦନ ଦାସ, ରାୟ ହରିବଲ୍ଲଭ ବାହାଦୂର ବାବୁ, ସୁଦାମଚନ୍ଦ୍ର
ନାୟକ, ପାଲଲହଡ଼ାର ନାବାଲଗ ଜମିଦାର, ବାଲେଶ୍ୱରର ଜମିଦାର ବାବୁ ରାଜନାରାୟଣ ଦାସ
ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିଙ୍କ ମଧ୍ୟରେ ଉପସ୍ଥିତ ଥିଲେ । ପୁରୀରାଜା ମହାମାନ୍ୟଙ୍କୁ ସମାଦର ସହିତ
ଆସନରେ ବସାଇବା ଉତ୍ତାରୁ ପୁରୋହିତ ପ୍ରଭୃତି ସମ୍ମୁଖୀନ ହୋଇ ଏକକିତା ଅଭିନନ୍ଦନପତ୍ର
ପାଠ କଲେ ଏବଂ ଅନ୍ୟମାନେ ଆଶୀର୍ବାଦ କରିବା ଭଂଗୀରେ ଦଣ୍ଡାୟମାନ ହୋଇଥିଲେ ।
ଅଭିନନ୍ଦନପତ୍ର ଓଡ଼ିଆ ଅକ୍ଷରରେ ତାଳପତ୍ରରେ ଲେଖାହୋଇଥିଲା । ପାଠାନ୍ତେ ରାଜା ଅଭିନନ୍ଦନ
ପତ୍ରକୁ ତହିଁର ଆଧାରରେ ବନ୍ଦ କରି ମହାମାନ୍ୟଙ୍କ ହସ୍ତରେ ଅର୍ପଣ କଲେ । ରବିବାର ଥିବା
ହେତୁ ମହାମାନ୍ୟ କିଛି ଉତ୍ତର ନଦେଇ କେବଳ ଧନ୍ୟବାଦ ଦେଇ ସାଦରେ ତାହା ଗ୍ରହଣ କଲେ
ଏବଂ ଅନ୍ୟ ଦ୍ରବ୍ୟମାନ ଫୁଲ ଓ ମାଳା ମଧ୍ୟ ଗ୍ରହଣ କଲେ । ମାଳାଟି ତାହାଙ୍କ ଗଳାରେ ବଡ଼
ସୁନ୍ଦର ସାଜି ଥିଲା । ତଦନନ୍ତର ରାଜାଙ୍କର କୁଶଳ ବାର୍ତ୍ତା ପଚାରି ଏବଂ ତାହାଙ୍କର ଶୀର୍ଣ୍ଣ ଶରୀର
ଦେଖି ସେ ପୀଡ଼ିତ ଥିବାର ଅବଗତ ହୋଇ କରମର୍ଦ୍ଦନ ପୂର୍ବକ ବିଦାୟ ହୋଇ ବଗିରେ ବସି
ଗୁଣ୍ଡିଚା ମନ୍ଦିର ଦେଖି ସର୍କିଟ୍ ହାଉସ୍କୁ ବିଜେକଲେ । ଏବଂ ସେଠାରେ କିଞ୍ଚିତ୍ ଜଳଯୋଗ କରି
ଅପରାହ୍ଣ ୩ଟାରେ ରେଳଗାଡ଼ିରେ ବସି ଭୁବନେଶ୍ୱରକୁ ପ୍ରସ୍ଥାନ କଲେ । ସଡ଼କର ଦୁଇପାଖରେ
ସହସ୍ର ଲୋକ ଛିଡ଼ାହୋଇ ସଲାମ କରିଥିଲେ ଓ ଲାଟ୍ ସାହେବ ପ୍ରଫୁଲ୍ଲ ହୋଇ ପ୍ରତି ସଲାମ କରିବାକୁ
ତ୍ରୁଟି କରିନଥିଲେ । ଅଭିନନ୍ଦନପତ୍ରର ପ୍ରତିଲିପି ନିମ୍ନରେ ପ୍ରକାଶିତ ହେଲା । ଯଥା:-
ସର୍ବସଦୃଶାଧାର ସମ୍ମାନଭାଜନାଗ୍ରଗଣ୍ୟ ବ୍ୟାରନ୍ କୁର୍ଜନ ଅଫ୍ କୀଡ଼ଲ୍ଷ୍ଟୋନ୍ ପି.ସି,ଜି,ଏମ୍,
ଏସ୍, ଆଇ, ଜି, ଏମ୍, ଆଇ, ଇ, ଶ୍ରୀ ଶ୍ରୀ ଶ୍ରୀ ଭାରତାଧୀଶ୍ୱର ଶ୍ରୀ କରକମଳେଷୁ ।
ଯଥା ବିହିତ ଶ୍ରଦ୍ଧାଭକ୍ତି-ପୁରସରଃ ନିବେଦନମେତତ୍ ।
ଦ୍ୱାର ମୁତ୍କଳ ଦେଶସ୍ୟ ଜଗନ୍ନାଥସ୍ୟ ମନ୍ଦିରଂ
ଐତିହାସିକତତ୍ତ୍ୱସ୍ୟ ଜ୍ଞାପକମ୍ ବିଶେଷତଃ ।।୧ାା
ଶିଳ୍ପସୌଷ୍ଠବହିନାପି ଦାରୁ ମୂର୍ତ୍ତିିର୍ମହାପ୍ରଭୋଃ,
ହିନ୍ଦୁଧର୍ମାଦି ମାବସ୍ତ୍ରାଂ ସୁଚୟ ତେବ୍ୟ ସର୍ବଶଃ ।।୨ାା
ଯଦାସ୍ଥପତିଶିଳ୍ପସ୍ୟ ବଭୁବୋତ୍କର୍ଷଂ ସାଧକମ୍
ତଦାନୀନ୍ତନଧର୍ମସ୍ୟ ପ୍ରକୃତେ ବ୍ବୋର୍ଦ୍ଦକଂ ହି ତତ୍ ।।୩ାା
ଭାରତେ ସର୍ବ ତୀର୍ଥେଷୁ ଜଗନ୍ନାଥସ୍ୟ ମନ୍ଦିରଂ
ବଦନ୍ତି ପରମଂ ପୂତଂ ପ୍ରାଣୀନୋହ୍ୟେ ବାକ୍ୟରଃ ।।୪ାା
ନାପ୍ୟସ୍ମିନ୍ ଜାତିଭେଦସ୍ୟ ନିୟମଃ ପ୍ରତିପାଲ୍ୟତେ
କ୍ରିୟତେ ଶେଷ ରାଜେନ ଦେବ ମନ୍ଦିର ମାର୍ଜ୍ଜନଂ ।।୫ାା
ଅତ୍ୟନ୍ତଂ ବସ୍ତୁଜାତଂ ଯ-ଦମୂଲ୍ୟଂ ସୁମନୋଭମ୍
ଉତ୍ସୁକତେ ସୁମନସା ଧର୍ମାର୍ଥଂ ଧାର୍ମିକୈ ସଦା ।।୬ାା
ପ୍ରାୟଶଃ ସାର୍ଦ୍ଧଦ୍ୱିଶାଜାତ୍ ପୂର୍ବମାସୀନ୍ନହାମଭିଃ
କଶ୍ଚିନ୍ତୁ କୁନ୍ଦଦେବାଖ୍ୟଃ ବଶେଽସ୍ମିନ୍ମୁତ୍କଳେଶ୍ୱରଃ ।।୭ାା
ତଦୋତ୍କଳଂ ସମାନଗ୍ନୁଂ କେଚିଦଂଲଣ୍ଡ ବାସୀନଃ
ଅଭ୍ୟର୍ଥିତାସ୍ତେ ବିଧିନା ମୁକୁନ୍ଦ ଦେବବର୍ହିଣା ।।୮ାା
ଶୈଷ୍ଟେ ଗୁଣ ବ୍ୟୋମଗଜେନ୍ଦୁ ସଂଖ୍ୟେ
ହାର୍କୋର୍ଟ କର୍ଣ୍ଣେଲ୍ ସବଳୋଯଦାବୋ
ପ୍ରାୟାଚି ବିଜେତୁଁ ନିହିତାସ୍ତଦା ସଃ
ମହାବିଭୋର୍ମନ୍ଦିର ରକ୍ଷଣାଦୌ ।।୯ାା
ପ୍ରଥମଂ ସ୍ୱାଗତଂ ପୃଷ୍ଠ୍ୱା ରାଜ୍ଞାଃ ପ୍ରତିନିଧେସ୍ତବ
ଦେବମନ୍ଦିରବେତାରଂଃ କୃତକୃତ୍ୟା ବୟଂମୁଦା ।।୧୦ାା
ନିପୁଣାଃ ସର୍ବକାର୍ଯେ୍ୟଷୁ ସର୍ବପ୍ରକୃତି ରଞ୍ଜକଃ
ସମଦୁଃଖସୁଖଃ ଶ୍ରୀମାନ୍ ପ୍ରଜାଭିଃ ସହ ସର୍ବଦା ।।୧୧ାା
ଭବନ୍ତ ଦମୟଭ୍ୟର୍ଥ୍ୟ ରାଜନୀତି ବିଶାରଦମ୍
ସର୍ବଲୋକ ପ୍ରିୟଂ ଦେବଂ ଧନ୍ୟଧନ୍ୟା ତନ୍ନୋଧିକା ।।୧୨ାା
ଭାରତେଶ୍ୱରରେ କୀର୍ତ୍ତିର୍ବିିଦିତାଽଖିଳ ଭୂମିଷୁ
ଶ୍ରଦ୍ଧୟାନ୍ତରଂ ଭକ୍ତ୍ୟାବ୍ୟାଂ ଗୃହାମୋଜିର୍ଧନା ବୟଂ ।।୧୩।।
ଅସହାୟ ଯଥା ଦୈବଂ ପ୍ରାର୍ଥୟାନ୍ତେ ହିତେକ୍ରିୟା
ରଥାଃନିସ୍ୱା ବୟଂ ସର୍ବେ ସ୍ୱାମୀନସ୍ତେ ହିତୈଷିଣଃ ।।୧୪।।
ଦୟାମୟୀଂ ଗୁଣାବତୀ ମୁଦାର ହୃଦୟାନ୍ୱିତାଂ
ଆୟୁଷ୍ମତୀଂ ସୁସ୍ଥଦେହାଂ ପବିତ୍ର ଭାରତେଶ୍ୱରୀଂ ।।୧୫।।
ସୁଯୋଗ୍ୟ ତପ୍ତତିଂବିଧି ଭବନ୍ତଶ୍ଚ ଗୁଣାକରଂ
ଦୀର୍ଘାୟୁଷଂ ସୁସ୍ଥଦେହଂ କରୋତୁ ପରମେଶ୍ୱରଃ ।।
କୋଷାତ୍ମକେଽସ୍ମୈନ୍ ଭୀତନ୍ଦନସ୍ୟ
ରୌପୌକପାତ୍ରେ ନିହିତା ତବାଖ୍ୟା
ଅଷ୍ଟାଶ୍ଚତୁପାର୍ଶ୍ୱ ଗତାଧିଦେବ୍ୟଃ
ଯଥା ଭିରକ୍ଷନ୍ତି ସଯତ୍ନଶୀଳାଃ ।।୧୭।।
ତଥୈବ ସ୍ୱର୍ଗସ୍ଥିତ ଦେବଦେବ୍ୟଃ
ଭକ୍ଷନ୍ତୁତେ ବୈଭବ କୀର୍ତ୍ତିିଜାତମ୍
ଯାଚାମହେ ସନ୍ତତମେତ ଦେବ
ପୁରୋହିତାଃ ଶ୍ରୀ ପୁରୀ ମନ୍ଦିରସ୍ୟ ।।୧୮।।
ବୟଂହି
ଶ୍ରୀମତଃ ରାଗଭକ୍ତାଃ ଆଜ୍ଞାନୁବର୍ତ୍ତିିନଃ ।
ଶ୍ରୀମଦ୍ଗୁଣଗ୍ରାମବିମୁଗ୍ଧା ପ୍ରଜାଃ ।
ଏହାର ସଂକ୍ଷେପ ମର୍ମ ଏହିକି ପୁରୁଷୋତ୍ତମ କ୍ଷେତ୍ର ଉତ୍କଳପ୍ରଦେଶ ଏବଂ ଉତ୍କଳ ଇତିହାସର ଦ୍ୱାର ସ୍ୱରୂପ ଅଟେ । ଜଗନ୍ନାଥଙ୍କର ମୂର୍ତ୍ତିି ଏହାତ ଆଦିମ କାଳର ଶିଳାହୀନ ଏବଂ ତାହାଙ୍କର ମନ୍ଦିର ପରବର୍ତ୍ତୀକାଳର ସ୍ଥପତି ଶିଳ୍ପୋନ୍ନତିର ପରିଚୟ ଦେଉଅଛି । ମନ୍ଦିରର ସେବା ଏବଂ ତନ୍ନିମିତ୍ତ ଖଞ୍ଜା ହୋଇଥିବା ଓ ଭାରତର ନାନା ଭାବର ଧାର୍ମିକ ଲୋକଙ୍କଦ୍ୱାରା ପ୍ରଦତ୍ତ ଅତୁଳ ସମ୍ପତ୍ତି ବା ଅମୂଲ୍ୟ ରତ୍ନାଦି, ମହାପ୍ରସାଦରେ କାଳ ବିଚାର ନରହିବା ଏବଂ ରାଜା ସ୍ୱୟଂ ମାର୍ଜନ ସେବା ଅର୍ଥାତ୍ ଝାଡ଼ୁ କରିବା କାର୍ଯ୍ୟ ଗ୍ରହଣ କରିବା ଲୋକଙ୍କର ଉଚ୍ଚ ଧର୍ମମତର ସାକ୍ଷ୍ୟ ଦେଉଅଛି । ଅଢେ଼ଇଶତ ବର୍ଷ ପୂର୍ବେ ପୁରୀ ରାଜବଂଶର ମୁକୁନ୍ଦଦେବ ମହାରାଜା ସେହି ଇଂରେଜଙ୍କୁ ଆଦରପୂର୍ବକ ଆପଣା ନିଳୟରେ ଆଶ୍ରୟ ଦେଇଥିଲେ ଏବଂ ସନ୍ ୧୮୦୩ ସାଲରେ କର୍ଣ୍ଣେଲ୍ ହାରବର୍ଟ ସାହେବଙ୍କର ଓଡ଼ିଶା ବିଜୟ କାଳରେ ମନ୍ଦିର ପଣ୍ଡାମାନେ ତାହାଙ୍କ ନିକଟକୁ ଯାଇ
ରାଜ୍ୟ ଏବଂ ମନ୍ଦିରର ରକ୍ଷାଭାର ଗ୍ରହଣ ସକାଶେ ଆମନ୍ତ୍ରଣ କରି ଆଣିଥିଲେ । ରାଜରାଜେଶ୍ୱରୀଙ୍କପ୍ରତିନିଧି ସ୍ୱରୂପ ଓଡ଼ିଶାର ପ୍ରଥମେ ଆପଣଙ୍କର ପଦାର୍ପଣ ହୋଇଅଛି ଏବଂ ଶୁଭ ଘଟଣାକ୍ରମେ
ବର୍ତ୍ତମାନର ରାଜା ମୁକୁନ୍ଦ ଦେବ ନାମ ଧାରଣ କରିଛନ୍ତି । ଆପଣ ସକଳ ଗୁଣରେ ନିପୁଣ, ଶ୍ରୀମାନ୍
ପ୍ରଜାପାଳକ, ସମସ୍ତ ଭାରତରେ ଆପଣଙ୍କର କୀର୍ତ୍ତି ବିରାଜୁ ଅଛି । ଅଦ୍ୟ ଆମ୍ଭେମାନେ ଆପଣଙ୍କର
ଅଭ୍ୟର୍ଥନାକରି ଶ୍ରୀମତୀ ଦୟାମୟୀ ଗୁଣବତୀ ଭାରତେଶ୍ୱରୀଙ୍କର ଏବଂ ଆପଣଙ୍କର ଦୀର୍ଘାୟୁ
ଏବଂ ଯଶ କଲ୍ୟାଣ କାମନା କରୁଅଛୁ । ଆମ୍ଭେମାନେ ଦରିଦ୍ର ଅସହାୟ ପ୍ରଜାକଲ୍ୟାଣ କାମନା
ବିନା ଆମମାନଙ୍କର ଶ୍ରଦ୍ଧା ଓ ଭକ୍ତି ସମୁଚିତ ରୂପେ ପ୍ରକାଶ କରିବାର ଉପାୟାନ୍ତର ନାହିଁ । ଆପଣ
ନିଜ ଉଦାରତାଦ୍ୱାରା ଗ୍ରହଣକରନ୍ତୁ । ଏହି ଅଭିନନ୍ଦନପତ୍ରରେ ଆପଣଙ୍କର ନାମର ଚତୁର୍ଦ୍ଦିଗରେ
ଦେବମୂର୍ତ୍ତିମାନେ ଯେମନ୍ତ ବେଢ଼ି ରହି ସୁରକ୍ଷା ବିଧାନ କରୁଅଛନ୍ତି ତେମନ୍ତ ସ୍ୱର୍ଗର ଦେବତାମାନେ
ଆପଣଙ୍କୁ ରକ୍ଷା କରନ୍ତୁ । ଏହା ହିଁ ପୁରୀ ମନ୍ଦିର ପୁରୋହିତମାନେ ଦେବତାଙ୍କ ନିକଟରେ ପ୍ରାର୍ଥନା
କରୁଛନ୍ତି ।
ବଡ଼ଲାଟ କର୍ଜନ ବାହାଦୂର କମିଶନର ପ୍ରଭୃତି ଚାରିଜଣ ଉଚ୍ଚ କର୍ମଚାରୀଙ୍କ ସହିତ ଏକ ବଗିରେ ସାଧାରଣ ଜାତୀୟ ପରିଚ୍ଛଦରେ ବିଜେ କରିଥିବାରୁ ତାହାଙ୍କୁ ଚିହ୍ନିବାରେ ପ୍ରଥମେ
ଅନେକଙ୍କର ଭ୍ରମ ହେଉଥିଲା ଏବଂ ପଛକୁ ତାହା ଭାଂଗିଗଲା । ତାଙ୍କର କମ୍ର, ଶାନ୍ତ, ପ୍ରସନ୍ନ ମୂର୍ତ୍ତି
ଏବଂ ଅଳ୍ପ ବୟସରେ ଏଡେ଼ ଉଚ୍ଚପଦରେ ଭୂଷିତ ହେବାର ଦେଖି ସମସ୍ତେ ଖୁବ୍ ପ୍ରୀତ
ହୋଇଥିଲେ । ଓଡ଼ିଶା ପରି ଗରିବ ଦେଶର ଏକମାତ୍ର ଗୌରବର ସ୍ଥଳ ପୁରୁଷୋତ୍ତମର ଦେବ
ମନ୍ଦିର ଯାହାକି ଭାରତର ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ପ୍ରଧାନ ଅଟେ, ସର୍ବ ପ୍ରଥମେ ଯାହାଙ୍କର
ଦୃଷ୍ଟି ଆକର୍ଷଣ କରିଅଛି ଏଥିରୁ ଆମେ ଅନେକ ଶୁଭଫଳର ଆଶାକରୁ । ଅନ୍ତତଃ ଏହି ମନ୍ଦିରର
ସୁରକ୍ଷା ଓ ସମୃଦ୍ଧି ବିଷୟରେ କିଛି ସୁବିଧାନ ହେଲେ ଭାରତବାସୀ ସମସ୍ତଙ୍କର ଆନନ୍ଦର ବିଷୟ
ହେବ ।
ରେଳଗାଡ଼ି ଅପରାହ୍ଣ ୪ଘଣ୍ଟା ସମୟରେ ଖଣ୍ଡଗିରି ସଡ଼କ ନିକଟରେ ଲାଗନ୍ତେ ବଡ଼ଲାଟ ମହୋଦୟ ଏଠା କମିଶନର ମୁଖ୍ୟ, କଲେକ୍ଟର ପ୍ରଭୃତିଙ୍କ ସହିତ ଘୋଡ଼ାଗାଡ଼ିରେ ଭୁବନେଶ୍ୱର ମନ୍ଦିରଠାରେ ଅବତୀର୍ଣ୍ଣ ହେଲେ । ଲୋକମାନେ ଜୟଧ୍ୱନିଦେଇ ମେଦିନୀ ପ୍ରକମ୍ପିତ କଲେ । ଏବଂ ମନ୍ଦିରର ପୁରୋହିତ ନିମ୍ନଲିଖିତ ଅଭିନନ୍ଦନ ପତ୍ର ପାଠକଲେ । ଯଥା:-
ଅହୋ ସୁଦବସୋଽସ୍ମାକଂ ରାଜ୍ଞା ପ୍ରତିନିର୍ଦ୍ଧିତବାନ୍
ଆଗତୋଽବ୍ୟମ୍ବୟଂ ଦ୍ରଷ୍ଟାଂ ଲିଙ୍କରାଜସ୍ୟ ମନ୍ଦିରଃ ।।
ସମ୍ରାଜ୍ଞୀ ଭାରତେଶ୍ଚର୍ଯ୍ୟା ବିନୀତା ଦଶଗାଃ
ସଭାଜନାୟଂ ଯୁଷ୍ମାକଂ ପ୍ରଜାଭିର୍ବଭିତା ବୟଂ ।।
ଲିଙ୍ଗରାଜାଳୟାଧ୍ୟକ୍ଷ-ସଭାଜନ ପୁରୋଧସଃ
ସ୍ୱାଗତଂ ପ୍ରଷ୍ଟୁ କାମାଃସଃ ବନ୍ଧ୍ୱେମ ବିନୟାଞ୍ଜନଂ
ଆର୍ଯ୍ୟାଣଂ ସୌଧ ନିର୍ମାଣ-କୌଶଳସ୍ୟ ଦିଦୃଶୟା
ଜାତଂ ତ୍ୱଦର୍ଶକଶ୍ଳାଘ୍ୟଂ ଅବେଦ୍ୟଂ ଭଗ୍ନ ମନ୍ଦିରାଂ ।।
ତ୍ୱୟାବ୍ୟଂ ବର୍ଦ୍ଧିତଂ ସର୍ବ ପ୍ରାଚ୍ୟଶିଳ୍ପସ୍ୟ ଗୌରବଂ
ଦିଷ୍ଟ୍ୟାତାତୋ ମହାଭାଗଃ ପ୍ରତ୍ନଶିଳ୍ପସ୍ୟ ରକ୍ଷକଃ ।।
ଆନନ୍ଦପୂର୍ଣ୍ଣ ସ୍ତର ମନ୍ଦିର ରାଜୟୋ ଯାଃ
ଅଦ୍ଭୂତ ଶିଳ୍ପ ପରିପୂର୍ଣ୍ଣ ବିରାଜିତା ସ୍ତାଃ ।।
ଜାନ୍ତାସ୍ତବା ହୃଦୟତୋଷକରାଶ୍ଚ ସଦ୍ୟ
ତାପଂ ପୁନର୍ଦଦତିତାଶ୍ଚ ହି ଦର୍ଶକାନାମ୍
ସା ନାସ୍ତି ପୂର୍ବ ସୁଷମା ଭୁବନେଶ୍ୱରସ୍ୟ
କଣ୍ଟା ପୁନର୍ବିମଳାତ୍ୱା ଧନଶାଳିତାଚ ।
ଯଃ ପ୍ରାଗ୍ଭୁଦ୍ ବଣିକ-ନନ୍ଦନ-ସନ୍ନିବାସଂ
ପ୍ରତ୍ନ ରାଜନଗରୀ ସମାଗତୈଃ
ମାନନୀୟ ମହନୀୟ ଶାସକଃ ।।୮ାା
ପ୍ରସୀଦତୁ ପ୍ରାର୍ଥୀତ ମେତଦେବ
ପ୍ରକାମ ଭକ୍ତିଂ ତ୍ରିଦଶାକୃତଂ ନଃ
ଗୁହ୍ନାତୁ ସ୍ତତ୍ ଚନ୍ଦନମକ୍ଷରଂ ଚ
ଶଙ୍ଖସ୍ୱନାନନ୍ତର-ପୁଷ୍ପବୃଷ୍ଟିଂ ।।୯ାା
ଆୟୁରାରୋଗ୍ୟମୈଶ୍ଚର୍ଯ୍ୟ ଆତ୍ମୀୟଂ ବିହିତାୟ
ସର୍ବଶକ୍ତ୍ୟାଶ୍ଚୟୋଦେବୋ ଦଦାତୁ ଭୁବନେଶ୍ୱରଃ ।।୧୦ାା
ଏହାର ସଂକ୍ଷେପ ଅର୍ଥ ଏହିକି ଭୁବନେଶ୍ୱର ହିନ୍ଦୁମାନଙ୍କର ପ୍ରମୁଖ କାର୍ଯ୍ୟର ଅବଶିଷ୍ଟ ଶୋଭା ଯାହା ରହିଅଛି ତାହା ଦେଖିବା କାରଣ ଆପଣ ଶୁଭାଗମନ କରିବାରୁ ମନ୍ଦିର କମିଟିର ସଭ୍ୟ ଓ ମନ୍ଦିରର ପୁରୋହିତକୁଳ ଏବଂ ସାଧାରଣ ହିନ୍ଦୁ ସମାଜ ଆପଣଙ୍କୁ ସମାଦର ପୂର୍ବକ ଅଭ୍ୟର୍ଥନା କରୁଛନ୍ତି । ପ୍ରାଚୀନ କୀର୍ତ୍ତି ବିଷୟରେ ଆପଣଙ୍କର ଏତାଦୃଶ ଅନୁରାଗ ଏବଂ ଶ୍ରମ ସ୍ୱୀକାରରେ ଆମ୍ଭେମାନେ ବିମୋହିତ ହୋଇଅଛୁ ଏବଂ ପ୍ରାଚୀନ ହିନ୍ଦୁ ସଭ୍ୟତା ଧନ୍ୟ ହୋଇଅଛି । ଭୁବନେଶ୍ୱର ଏକକାଂଶରେ ହିନ୍ଦୁ ଶାସନକର୍ତ୍ତାର ଆବାସସ୍ଥାନ ଏବଂ ସେଠାର ବିଖ୍ୟାତ ମନ୍ଦିର ଶୈବ ଧର୍ମର କେନ୍ଦ୍ରସ୍ଥଳ ଥିଲା । ଶୈବଧର୍ମର ପତନ ଏବଂ ଅନ୍ୟାନ୍ୟ ବାହ୍ୟ କାରଣରୁ ଏ ସ୍ଥାନର ଯେଉଁ ଦୁରବସ୍ଥା ଘଟିଅଛି ତାହା ଆପଣ ପ୍ରତ୍ୟକ୍ଷ କରୁଛନ୍ତି । ଏ ସ୍ଥାନଟି ଦରିଦ୍ରତାରେ ଆସନ୍ନ ଏବଂ ମନ୍ଦିରର
ସମ୍ପତ୍ତି ଯତ୍ସାମାନ୍ୟ । ଅତଏବ ଆପଣଙ୍କର ସମଯୋଗ୍ୟ ସମ୍ମାନ କରିବାକୁ ଅକ୍ଷମ ହୋଇ ଯେଉଁ
ଫଳ ଓ ପୁଷ୍ପଦ୍ୱାରା ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି ତଦ୍ଦ୍ୱାରା ଆପଣଙ୍କଠାରେ ଭକ୍ତି ଓ ଶ୍ରଦ୍ଧା ପ୍ରକାଶ
କରୁଅଛୁ ।
ତଦନନ୍ତର ପଣ୍ଡାମାନେ ପୁଷ୍ପ ଓ ଚନ୍ଦନ ପ୍ରଦାନ କଲେ । ଲାଟ ମହୋଦୟ ସନ୍ତୋଷ ପ୍ରକାଶ କରି ପ୍ରାଚୀରସଂଲଗ୍ନ ପ୍ରାସାଦୋପରି ଆରୋହଣପୂର୍ବକ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମନ୍ଦିରର କାର୍ଯ୍ୟ ଅବଲୋକନ କରି ପରେ ସିଂହଦ୍ୱାର ଓ ବିନ୍ଦୁସାଗର ପରିଦର୍ଶନ କରିବାକୁ ଗମନ କଲେ ।
ପ୍ରତ୍ୟାଗମନ ସମୟରେ ଭୁବନେଶ୍ୱର ମନ୍ଦିର ସନ୍ନିକଟ ମଣ୍ଡପରେ ଅବସ୍ଥାନ କରି ଓ ତତ୍ରସ୍ଥ ରାୟ,
ରାଧାନାଥ ରାୟବାହାଦୂରଙ୍କ ପୁତ୍ର ଶଶିଭୂଷଣ ରାୟଙ୍କ ପ୍ରଦତ୍ତ ଭିକ୍ଟୋରିଆ ନାମକ ଏକ ଇଂରାଜୀ
ପତ୍ରିକା ପତ୍ର ସହ ଗ୍ରହଣ କରି ଖଣ୍ଡଗିରି ରାସ୍ତାଭିମୁଖେ ଗମନ କଲେ । ସନ୍ଧ୍ୟା ଉପସ୍ଥିତ, ସୁତରାଂ
ରେଳପର୍ଯ୍ୟନ୍ତ ପଥର ଦୁଇପାର୍ଶ୍ୱ ଗିଲାସ ଓ ଥଳ କମଳ ଗଛମାନ ପୋତାହୋଇ ରୋସନାଇ
ହୋଇଥିଲା । ଆଗମନ ଓ ପ୍ରତ୍ୟାଗମନ ସମୟରେ ଅନେକଗୁଡ଼ିଏ ସ୍କୁଲ୍ ବାଳକ ପତାକା ଧରି
ମଣ୍ଡପ ସମ୍ମୁଖରେ ଉପସ୍ଥିତ ଥିଲେ । ଏ ଦୃଶ୍ୟ ଅତି ସୁନ୍ଦର ହୋଇଥିଲା । ଆମ୍ଭେମାନେ ଶୁଣି
ଆନନ୍ଦିତ ହେଲୁ ଯେ ପଥର ଦୁଇପାର୍ଶ୍ୱ ଆଲୋକ ସଜାଇବା ବ୍ୟୟ ବାବୁ ଶଶିଭୂଷଣ ରାୟ ବହନ
କରିଥିଲେ ।
ମନ୍ଦିର ଦେଖିବା କାଳରେ ସରକାରୀ ଇଂଜିନିୟରଙ୍କଦ୍ୱାରା ସଂପ୍ରତି ଯେପର୍ଯ୍ୟନ୍ତ ମରାମତି ହୋଇ ତହିଁକି ଦୋଷଗୁଣ ସଭାରେ ଥିବା ମହାନଦୀ ବିଭାଗର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଲାଟ
ସାହେବଙ୍କୁ ଦେଖେଇ ଦେଇ ଏଣିକି ଯେପରି କାର୍ଯ୍ୟ ହେବ ତାହା କହିଦେଲେ । ସେହି ପ୍ରସଙ୍ଗରେ
ମନ୍ଦିର କମିଟିର ମେମ୍ବର ବାବୁ ପ୍ରିୟନାଥ ଚାଟୁର୍ଯ୍ୟାଙ୍କୁ କହିଲେ, "ତୁମ୍ଭେ କହୁଅଛ ଏହି ହିନ୍ଦୁ
ମନ୍ଦିର ଅତ୍ୟନ୍ତ ସୁନ୍ଦର ଏବଂ ଏହାର ନିର୍ମାଣ ଶିଳ୍ପକୌଶଳ ଏମନ୍ତ ଚମତ୍କାର ଯେ ସମସ୍ତଙ୍କର
ଦେଖିବାର ଯୋଗ୍ୟ । ତୁମ୍ଭେ ଆଶା କର ଯେ ଆମ୍ଭେ ଏହି କୀର୍ତ୍ତିିର ସୁରକ୍ଷା ଓ ସଂସ୍କାର ନିମନ୍ତେ
ସରକାରରୁ ଅର୍ଥ ଯୋଗାଇବୁ ଅଥଚ ସେ ମନ୍ଦିର ଦେଖିବା କାରଣ ଆମ୍ଭଙ୍କୁ ଭିତରକୁ ଛାଡ଼ିବ ନାହିଁ
ଏ କିମିତିକା ବିଚାର ? ପ୍ରିୟନାଥ ବାବୁ ସାଧାରଣ ହିନ୍ଦୁଙ୍କର ମତ ନନେଇ ସହସା ଉତ୍ତର ଦେଇ
ପାରିଲେ ନାହିଁ । ପ୍ରଶ୍ନଟି ଯୁକ୍ତି ସଂଗତ, ସନ୍ଦେହ ନାହିଁ କିନ୍ତୁ ତହିଁର ବିଚାର ଆବଶ୍ୟକ ।
ରେଳଗାଡ଼ି କଟକାଭିମୁଖେ ଯାତ୍ରାକରି ସନ୍ଧ୍ୟା ଘ ୬.୪୫ ମିନିଟ୍ ସମୟରେ କଟକ ଷ୍ଟେସନଠାରେ ଉପସ୍ଥିତ ହେଲା । ଲାଟ୍ସାହେବଙ୍କ ଆଗମନ ପ୍ରତୀକ୍ଷାରେ ଅନେକ ନଗରବାସୀ ଷ୍ଟେସନଠାରେ ଉପସ୍ଥିତ ଥିଲେ ଓ ରେଳଷ୍ଟେସନ ଦୀପାବଳୀଦ୍ୱାରା ଆଲୋକିତ ହୋଇଥିବା ଦୃଶ୍ୟ ଅତି ସୁନ୍ଦର ହୋଇଥିଲା । ଲାଟସାହେବଙ୍କ ଗାଡ଼ି ପହୁଞ୍ଚନ୍ତେ ଉପସ୍ଥିତ ନଗରବାସୀମାନେ କରତାଳି ଦ୍ୱାରା ଶୁଭାଗମନର ସମ୍ଭାଷଣ କରିଥିଲେ କିନ୍ତୁ ଲାଟସାହେବଙ୍କ ସାଙ୍ଗରେ ଅନେକ ସାହେବ ଥିବାରୁ ତାଙ୍କୁ କେହି ଚିହ୍ନି ନପାରି ହର୍ଷ ବିଷାଦରେ ଫେରି ଆସିଲେ । ପ୍ରାୟ ତିନିଘଣ୍ଟା କାଳ ଖାସ୍ ଗାଡି
ଷ୍ଟେସନ୍ରେ ରହି କଲିକତା ଯାତ୍ରାକଲା ଏବଂ ତହିଁ ଆରଦିନ ଅପରାହ୍ଣ ୪ ଘଣ୍ଟାବେଳେ ହାଓ୍ୱାଡ଼ା
ଷ୍ଟେସନରେ ଉପସ୍ଥିତ ହେଲା । ସେଠାର ଏବଂ କଲିକତାର ଗଭର୍ଣ୍ଣମେଣ୍ଟ ପ୍ରାସାଦରେ ବିଧିମତେ
ଅଭ୍ୟର୍ଥନାର ଆୟୋଜନ ହୋଇଥିଲା ଏବଂ ଲାଟ ମହୋଦୟ ଆନନ୍ଦ ଏବଂ କୁଶଳରେ କଲିକତାର
ଲାଟ ଭବନରେ ପ୍ରବେଶ କଲେ ।
ଓଡ଼ିଶାର ଏହି ପରିଦର୍ଶନ କାଳରେ ଲଡର଼୍ କର୍ଜନ ବିସ୍ମୟାଭିଭୂତ ହୋଇ ସନ୍ଦର୍ଶନ କରିଥିଲେ ଏ ଜାତିର ଅପୂର୍ବ କଳା ଭାସ୍କର୍ଯ୍ୟ ବିମଣ୍ଡିତ, ଅତୁଳନୀୟ କାରୁକାର୍ଯ୍ୟ ସମ୍ବଳିତ ମନ୍ଦିର ରାଶି, ଯହିଁରେ ଓଡ଼ିଆ ବିନ୍ଧାଣିର କଳାପ୍ରବଣତାର ଦୀପ୍ତପ୍ରତିଭା ଝଲମଲ କରି ଉଠୁଥିଲା । ସେ ଗଭୀର ଭାବେ ପ୍ରଭାବିତ ହେଲେ ଏବଂ ଓଡ଼ିଆ ଜାତି ପ୍ରତି ତାଙ୍କର ଜାତ ହୋଇଥିଲା ଗଭୀର
ମମତ୍ୱବୋଧ । ସେ ପ୍ରତିଶ୍ରୁତିବଦ୍ଧ ହେଲେ ଓଡ଼ିଆ ଜାତିର ବିଖଣ୍ଡତା ଓ ବିଚ୍ଛିନ୍ନତାର ସମାଧାନ
କରିବାପାଇଁ ।
ବଙ୍ଗଳା ପ୍ରଦେଶର ବ୍ୟବସ୍ଥାପକ ସଭାର ଜଣେ ପ୍ରଭାବଶାଳୀ ସଦସ୍ୟ ରୂପେ ଓଡ଼ିଆ ଜାତିର ସମସ୍ୟାର ସମାଧାନ ଲାଗି ମଧୁସୂଦନ ଲର୍ଡ କର୍ଜନଙ୍କୁ ବହୁବାର ସାକ୍ଷାତ କରିଥିଲେ । ଏ ସମସ୍ତ ଉଦ୍ୟମର ଅବଶେଷରେ ଲର୍ଡ କର୍ଜନ ପ୍ରକାଶ କରିଥିଲେ ସେ ସମୟରେ ସମଗ୍ର ଭାରତ ଲାଗି
ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ରିସ୍ଲେ ସର୍କୁଲାର ୧୯୦୩ ସାଲ ଡିସେମ୍ବର ୩ ତାରିଖରେ, ଉତ୍କଳ
ସମ୍ମିଳନୀର ପ୍ରଥମ ଅଧିବେଶନ ଆହୂତ ହେବାର ପ୍ରାୟ ଏକ ମାସ ପୂର୍ବରୁ । ଏଥିରେ ଓଡ଼ିଆଭାଷୀ
ଅଞ୍ଚଳର ମିଶ୍ରଣ ସହିତ ସଂଯୁକ୍ତ ଥିଲା ବଙ୍ଗଭଙ୍ଗର ପରିକଳ୍ପନା । ଲର୍ଡ କର୍ଜନ ୧୯୦୫ ସାଲ
ନଭେମ୍ବର ୧୬ ତାରିଖରେ ଭାରତ ଛାଡ଼ିବାର ଏକ ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିଥିଲେ
ଅକ୍ଟୋବର ୧୬ ତାରିଖରେ ଏକ ବିଶେଷ ଘୋଷଣାନାମା ମାଧ୍ୟମରେ ।
ଏହାର ପରିଣାମରେ ସମ୍ବଲପୁର ଜିଲ୍ଲା (ପଦ୍ମପୁର ଓ କଳାହାଣ୍ଡି, ପାଟଣା, ସୋନପୁର ବାମଣ୍ଡା, ରେଢ଼ାଖୋଲ, ଗଡ଼ଜାତ ଏବଂ ବିହାର ଛୋଟନାଗପୁର ଡିଭିଜନକୁ ଗାଙ୍ଗପୁର, ବଣେଇ (ପରେ ଷଢେ଼ଇକଳା ଏବଂ ଖରସୁଆଁ) ଗଡ଼ଜାତ ଆଦି ଓଡ଼ିଶା ଡିଭିଜନ ସହିତ ସାମିଲ ହେଲା । ଏହାଥିଲା ପଶ୍ଚିମାଞ୍ଚଳ ଓଡ଼ିଶା ସହିତ ପୂର୍ବ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ମିଶ୍ରଣ । ପରେ ୧୯୩୬ ସାଲରେ ଖଡ଼ିଆଳ ଜମିଦାରି ମଧ୍ୟପ୍ରଦେଶରୁ ଆସି ଓଡ଼ିଶା ସହିତ ସଂଯୁକ୍ତ ହେଲା । ମାତ୍ର ଓଡ଼ିଶାର ଦକ୍ଷିଣାଞ୍ଚଳ ମିଶ୍ରଣ, ମାଡ଼୍ରାସ ସରକାରଙ୍କ ଦୃଢ଼ ପ୍ରତିବାଦ ଯୋଗୁଁ ୧୯୦୫ ସାଲରେ ସଂଘଟିତ ହୋଇ ପାରି ନଥିଲା, ଯାହାପାଇଁ ମଧୁସୂଦନଙ୍କୁ ଆଉ ତିରିଶି ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଥିଲା । ଆଉ ୧୯୩୬ରେ ଏହି ରିସ୍ଲେ ସାର୍କୁଲାର ଆଧାରରେ ମଧ୍ୟ ଦକ୍ଷିଣ ଓଡ଼ିଶାର ମିଶ୍ରଣ ହୋଇଥିଲା ।
ତେଣୁ ଊନବିଂଶ ଶତାବ୍ଦୀର ଶେଷ ପାଦରେ ଲଡର଼୍ କର୍ଜନଙ୍କ ପୁରୀ ଓ ଭୁବନେଶ୍ୱର
ପରିଦର୍ଶନ, ଓଡ଼ିଶା ପ୍ରଦେଶର ଗଠନ ଲାଗି ସୁଦୃଢ଼ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ଏଥିଲାଗି
ମଧୁସୂଦନଙ୍କର ଭୂମିକା ଥିଲା ଅବିସ୍ମରଣୀୟ । ଲଡର଼୍ କର୍ଜନଙ୍କ ପରି ଦୃଢ଼ ଅନମନୀୟ ଅଭିଜାତ ଓ
ବିଦ୍ବତ୍ତାସମ୍ପନ୍ନ ବ୍ୟକ୍ତିତ୍ୱ ସହିତ ଆନ୍ତରିକ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ତାହାଙ୍କୁ ଗଭୀର ଭାବେ
ପ୍ରଭାବିତ କରିବାର ଅଦ୍ଭୁତ କ୍ଷମତା ଥିଲା ମଧୁସୂଦନଙ୍କର । ତେଣୁ ପ୍ରକୃତରେ ଲଡର଼୍ କର୍ଜନ
ଥିଲେ ଓଡ଼ିଶା ପ୍ରଦେଶର ଅନ୍ୟତମ ନିର୍ମାତା ଏବଂ ମଧୁସୂଦନ ଥିଲେ ଏ ଜାତିର ପ୍ରାଣ ପ୍ରତିଷ୍ଠାତା ।
ଏହା ହିଁ ଗରିମାମୟ ଦିବସ ୧୬.୧୨.୧୯୦୦ର ମହତ୍ତ୍ୱ । ପ୍ରକୃତରେ ଶହେ ବର୍ଷ ପୂର୍ବେ
ଏହି ପ୍ରଖର ପ୍ରୋଜ୍ଜ୍ୱଳ ଦିବସରେ ଶ୍ରୀକ୍ଷେତ୍ରରୁ ହିଁ ଶୁଭାରମ୍ଭ ହୋଇଥିଲା, ନବୀନ ଓଡ଼ିଶାର
ସଂଯୋଜନା ଯାହା ବହନ କରିଥିଲା ଏ ଜାତିର ଅନ୍ତରାତ୍ମାର ସ୍ନାୟୁକେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କର କଲ୍ୟାଣ
ପ୍ରଦ ମାଙ୍ଗଳିକ ଆଶୀର୍ବାଦ ।
ଲର୍ଡ କର୍ଜନ ତାଙ୍କର ତାରୁଣ୍ୟର ପ୍ରଖର ଦୀପ୍ତିମନ୍ତ କାଳରେ ଭାରତ ଭ୍ରମଣ କରି ଏ
ଦେଶର ଅତ୍ୟନ୍ତ ସୂକ୍ଷ୍ମାତିସୂକ୍ଷ୍ମ ଅନବଦ୍ୟ କଳାଭାସ୍କର୍ଯ୍ୟ ସମ୍ବଳିତ ସ୍ଥାପତ୍ୟ ଶିଳ୍ପର ପ୍ରଗାଢ଼
ଅନୁଧ୍ୟାନ କରିଥିଲେ । ୧୯୦୦ ସାଲ ଡିସେମ୍ବର ୧୬ ତାରିଖରେ ସେହି ତାର୍ପର୍ଯ୍ୟପୂର୍ଣ୍ଣ
ସାୟାହ୍ନରେ, ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ବଡ଼ଲାଟ ଲର୍ଡ କର୍ଜନଙ୍କର ପରିଭ୍ରମଣ କାଳରେ
ପ୍ରଖ୍ୟାତ ଶିଳ୍ପୀ ଶିରୋମଣି ମହାରଣା ନିଭୃତ ନିକାଞ୍ଚନ ସ୍ଥଳୀରେ ଗୋଟିଏ ଅନନ୍ୟ ମୂର୍ତ୍ତିି
ନିର୍ମାଣରେ ବ୍ରତୀ ରହିଥିଲେ । ବଡ଼ଲାଟ ଲର୍ଡ କର୍ଜନଙ୍କର ପରିଦର୍ଶନର ହୋହାଲ୍ଲାରୁ ଏକାନ୍ତ
ଭାବେ ମୁକ୍ତ ଆଉ ବିରତ ରହି ସ୍ତବ୍ଧାୟିତ ଧ୍ୟାନସ୍ଥ ମୁଦ୍ରାରେ ମୂର୍ତ୍ତିିକୁ ଉତ୍କୀର୍ଣ୍ଣ କରିବା ପାଇଁ
ମଗ୍ନ ରହିଥିଲେ । ତାହାଙ୍କର ମୂର୍ତ୍ତି ନିର୍ମାଣରେ ସେହି ଅନବଦ୍ୟ କଳାନୈପୁଣ୍ୟରେ ଆକର୍ଷିତ
ହୋଇ ଲଡର଼୍ କର୍ଜନ ସେହିସ୍ଥଳରେ ଦଣ୍ଡେ ଅଟକି ରହିଥିଲେ । ମାତ୍ର ଶିଳ୍ପୀ ଶିରୋମଣି ଏହି
ବିଷୟରେ ଅବହିତ ନଥାଇ ତାହାଙ୍କର ମୂର୍ତ୍ତିି ନିର୍ମାଣର ଏକାନ୍ତ ଭାବେ ନିମଗ୍ନ, ନିବିଷ୍ଟ ଆଉ
ନିରୁପଦ୍ରବିତ ରହିଥିଲେ । ତାହାଙ୍କର ଧ୍ୟାନ ଆକର୍ଷଣ କରାଯିବା ପରେ ଲଡର଼୍ କର୍ଜନ ଶିଳ୍ପୀ
ଶିରୋମଣିଙ୍କର ଅନବଦ୍ୟ କଳାକୃତିକୁ ଉଚ୍ଛ୍ୱସିତ ପ୍ରଶଂସା ସହିତ ପ୍ରଶସ୍ତି ଅଜାଡ଼ି ଦେଇ ପ୍ରଶ୍ନ
କଲେ, "ହେ ଶିଳ୍ପୀ !ତୁମ୍ଭର ମାସିକ ଉପାର୍ଜନ କେତେ ?" ଶିଳ୍ପୀଙ୍କର ଉତ୍ତର ଥିଲା, "ମୁଁ
ପୁରୁଷାନୁକ୍ରମିକ ଭାବେ ଏହି ମନ୍ଦିରର ଶିଳ୍ପୀ ରହି ଆସିଛି । ମୁଁ ଏହି ମନ୍ଦିରରୁ ଯାହା ପ୍ରାପ୍ୟ
ପାଏ, ତାହା ମାସିକ ଦଶଟଙ୍କା ମଧ୍ୟରେ, ମାତ୍ର ମୁଁ ଏଥିରେ ପରିତୃପ୍ତ ।"
ସେତେବେଳକୁ କଲିକତାରେ କିଛି ପ୍ରାସାଦର ସୌନ୍ଦର୍ଯୀକରଣ ଯୋଜନା କର୍ଜନଙ୍କର ଚିନ୍ତା ରାଜ୍ୟକୁ ଆନ୍ଦୋଳିତ କରୁଥାଏ । ତେଣୁ କର୍ଜନ କହିଲେ, "ହେ ଶିଳ୍ପୀ !ମୁଁ ତୁମକୁ ମାସିକ ଶହେଟଙ୍କା ଦରମାରେ କଲିକତାରେ ନିଯୁକ୍ତି ପ୍ରଦାନ କରୁଛି । ଶୀଘ୍ର ଯାଇ ଯୋଗଦାନ କର ।"
ଶିଳ୍ପୀଙ୍କର ତତ୍କ୍ଷଣାତ୍ ଉତ୍ତର ଥିଲା, "ହେ ମହାଭାଗ ! ମୁଁ ଚିରକାଳ ଲାଗି ବଂଶାନୁକ୍ରମିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କର ଆଶ୍ରିତ । ଏହା ହିଁ ମୋ ଜୀବନର ତାତ୍ପର୍ଯ୍ୟ ଆଉ ନିବେଦିତ ଲକ୍ଷ୍ୟ । ମୋପାଇଁ ଏକାନ୍ତ ଉଦ୍ଦିଷ୍ଟ ଏହି ମହାନ କାର୍ଯ୍ୟରେ ନିବିଷ୍ଟ ରହିବା ବ୍ୟତୀତ ମୁଁ ଅନ୍ୟତ୍ର ଯାଇ ପାରିବି ନାହିଁ । କ୍ଷମା ପ୍ରଦାନ କରନ୍ତୁ ।"
ଲର୍ଡ କର୍ଜନ ମନ୍ତ୍ରମୁଗ୍ଧ ଆଉ ସମ୍ମୋହିତ ହୋଇ ଶିଳ୍ପୀ ଶିରୋମଣି ମହାରଣାଙ୍କର ପ୍ରଦତ୍ତ
ଏହି ଉତ୍ତର ଶୁଣୁଥିଲେ । (ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଏକ ସାକ୍ଷାତକାର ତଥ୍ୟରୁ ଗୃହୀତ
ଯାହା ଭଞ୍ଜ ପ୍ରଦୀପରେ ପ୍ରକାଶିତ ହୋଇଥିଲା ।)
ଏଥିରୁ ଜଣାଯାଏ, କିଭଳି ଭାବରେ ଲଡର଼୍ କର୍ଜନଙ୍କୁ ପ୍ରଭାବିତ କରିଥିଲା ମନ୍ଦିରମାଳିନୀ ପୁରୀ ଓ ଭୁବନେଶ୍ୱରର କଳାଭାସ୍କର୍ଯ୍ୟ ବିମଣ୍ଡିତ ନଗରର ପରିଦର୍ଶନ । ସେ ଭାଂଗି ଅଜାଡ଼ି ହୋଇ ପଡ଼ୁଥିବା ଅନ୍ୟାନ୍ୟ କୀର୍ତ୍ତିମାନ କୋଣାର୍କ ମନ୍ଦିରର ସଂରକ୍ଷଣପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାକୁ ଜୀବନ୍ୟାସ କେବଳ ଦେଇ ନଥିଲେ, ଭାରତୀୟ ପ୍ରାଚୀନ ସ୍ଥାପତ୍ୟ କଳାର ସଂରକ୍ଷଣପାଇଁ
ମନୁମେଣ୍ଟସ୍ ଏକ୍ଟ ପ୍ରଣୟନ କରିଥିଲେ୧୯୦୪ ସାଲରେ ।
ଏହି ସମସ୍ତର ଊର୍ଦ୍ଧ୍ୱରେ ଓଡ଼ିଶାର ସଂସ୍ଥାପନ ତାଙ୍କ ଜୀବନର ଏକ ମହାନ ବ୍ରତ ଥିଲା । ଅବଶ୍ୟ ପଶ୍ଚାତରେ ରହିଥିଲା ମଧୁସୂଦନଙ୍କର ଏକାନ୍ତ ଉତ୍ପ୍ରେକ୍ଷା ଆଉ ବିରାମହୀନ ପ୍ରୋତ୍ସାହନ ।
ମଧ୍ୟପ୍ରଦେଶର ଚିଫ୍ କମିଶନର ସାର୍ ଏଣ୍ଡ୍ରୁ ଫ୍ରେଜର ଓଡ଼ିଆ ଭାଷା ଉଚ୍ଛେଦ ସଂପର୍କରେ
ଅନୁସନ୍ଧାନ କରିବାଲାଗି ୧୯୦୧ ସେପ୍ଟେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର
ଜିଲ୍ଲା ପରିଦର୍ଶନ କରିଥିଲେ ।
୧୫.୧.୧୮୯୫ରେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ଉଚ୍ଛେଦ କରିବାପାଇଁ ଘୋଷଣାନାମା ପ୍ରକାଶ ପାଇବା ପରେ ୧୧.୨.୧୮୯୫ରେ ଧରଣୀଧର ମିଶ୍ରଙ୍କ ନେତୃତ୍ୱରେ ଓ ୧୩.୬.୧୮୯୫ରେ ସୋମନାଥ ବାବୁଙ୍କ ନେତୃତ୍ୱରେ ପ୍ରତିବାଦ ସଭା ହୋଇ ୫.୭.୧୮୯୫ରେ
ବଡ଼ଲାଟଙ୍କୁ ମେମୋରାଣ୍ଡମ୍ ପ୍ରେରିତ ହୋଇଥିଲା । ସେହିପରି କଟକରେ ଉତ୍କଳ ସଭାର ସଭାପତି
ମଧୁସୂଦନ ଦାସ ଉତ୍କଳଦୀପିକା ପତ୍ରିକାରେ ଫେବ୍ରୁଆରିଠାରୁ ମଇ ମାସ ମଧ୍ୟରେ "ମଧ୍ୟପ୍ରଦେଶରୁ
ଓଡ଼ିଆ ଭାଷା ନିର୍ବାସନ ନାମରେ ସୁଦୀର୍ଘ ସାତଗୋଟି ଦୀର୍ଘ ସତୁରୀ ପୃଷ୍ଠାର ନିବନ୍ଧ ଇଂରାଜୀରେ
ଲେଖି ବ୍ରିଟିଶ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ୨୦.୬.୧୮୯୫ରେ ବଡ଼ଲାଟ ଲଡର଼୍
ଏଲଗିନ୍ଙ୍କ ନିକଟକୁ ମେମୋରାଣ୍ଡମ୍ ପଠାଇଥିଲେ ।
୧୮୯୬ରୁ ସମ୍ବଲପୁରରେ ହିନ୍ଦୀଭାଷା ପ୍ରଚଳିତ ହେବା ପରେ ୧୮୯୯ରେ ୮୨ ଗୋଟିଓଡ଼ିଆ ପ୍ରାଥମିକ ବିଦ୍ୟାଳୟର ଉଚ୍ଛେଦ, ତୃତୀୟ ଶ୍ରେଣୀରୁ ହିନ୍ଦୀ ବାଧ୍ୟତାମୂଳକ ହେବା, ହିନ୍ଦୀ ଭାଷାରେ ସମନ, ଦଲିଲ୍, ଦସ୍ତାବିଜ୍ ଲେଖାଯିବା ପରେ ୧୯୦୧ ସାଲ ଜାନୁଆରି ମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଦ୍ୱିତୀୟ ମେମୋରାଣ୍ଡମ୍ ବଡ଼ଲାଟଙ୍କୁ ପ୍ରେରିତ ହୋଇଥିଲା ।
ମଧୁସୂଦନଙ୍କର ଘନିଷ୍ଠ ସଂପର୍କଯୋଗୁଁ ଲଡର଼୍ କର୍ଜନ ସମ୍ବଲପୁର ଓଡ଼ିଆ ଭାଷା ସମସ୍ୟା ସହିତ
ଏପରି ସଂପର୍କିତ ଥିଲେ ଯେ ମଦନ ମୋହନ ମିଶ୍ରଙ୍କର ଦ୍ୱିତୀୟ ପ୍ରତିବାଦ ପତ୍ର ପାଇବା ପରେ
ତୁରନ୍ତ ଅନୁସନ୍ଧାନପାଇଁ କର୍ଜନ ଆଦେଶ ଦେଇଥିଲେ ।
ଦ୍ୱିତୀୟ ମେମୋରାଣ୍ଡମ ପଠାଇବା ପରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ
୧୯୦୧ରେ ଏକ ଓଡ଼ିଆ ପ୍ରତିନିଧି ଦଳ ନାଗପୁର ଯାଇ ମଧ୍ୟପ୍ରଦେଶର ଚିଫ୍ କମିଶନର ସାର୍
ଏଣ୍ଡ୍ରୁ ଫ୍ରେଜରଙ୍କୁ ଜୁଲାଇ ମାସରେ ଭେଟି ଦାବି ଜଣାଇଥିଲେ । ଏଣ୍ଡ୍ରୁ ଫ୍ରେଜର ସେପ୍ଟେମ୍ବର ମାସରେ
ସିମଲା ଯିବା ପରେ ସେଠାରେ ବଡ଼ଲାଟଙ୍କୁ ଜଣାଇ ପ୍ରତିକାର କରିବେ ବୋଲି ଆଶ୍ୱାସନା ପ୍ରଦାନ
କରିଥିଲେ ।
ଏଣେ ମଧୁସୂଦନ ୧୯୦୧ ସାଲର ସେପ୍ଟେମ୍ବର ମାସରେ ସିମଲାଠାରେ ଅନୁଷ୍ଠିତ ସର୍ବଭାରତୀୟ ସମ୍ମିଳନୀରେ ଲଡର଼୍ କର୍ଜନଙ୍କ ସହିତ ଚିଫ୍ କମିଶନର ଏଣ୍ଡ୍ରୁ ଫ୍ରେଜରଙ୍କର ସାକ୍ଷାତ
ହେବା ଜାଣି ସମ୍ବଲପୁର ଭାଷା ସଂକ୍ରାନ୍ତ ସମସ୍ତ କାଗଜପତ୍ର ଅଗଷ୍ଟ ମାସ ଶେଷରେ ପଠାଇଦେଇ,
ବଡ଼ଲାଟଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଓ୍ୱାଲ୍ଟର ଲରେନ୍ସଙ୍କୁ ଲଡର଼୍ କର୍ଜନ ଓ ଫ୍ରେଜରଙ୍କ
ମଧ୍ୟରେ ଏକ ଆଲୋଚନା ଆରମ୍ଭ କରାଇବାପାଇଁ ଅନୁରୋଧ କରିଥିଲେ । ଏହା ଅଗଷ୍ଟ ଶେଷର
ଘଟଣା । ଏହି ସମୟରେ ସମ୍ବଲପୁରରୁ ପଞ୍ଚସଖା ବଡ଼ଲାଟଙ୍କୁ ଭେଟିବା ପାଇଁ ସିମଲା ଯାତ୍ରା
କରିଥିଲେ ମଧ୍ୟ ଅନ୍ୟ ଏକ ଗୌଣ ଉଦ୍ଦେଶ୍ୟ ଥିଲା ପିଣ୍ଡଦାନ, ଶ୍ରାଦ୍ଧ, ଅସ୍ଥି ବିସର୍ଜନ ଓ ତୀର୍ଥ
ଭ୍ରମଣ । ଏଣୁ ମଧୁସୂଦନଙ୍କର ସେମାନଙ୍କର ସହଯାତ୍ରୀ ହେବା ବୋଧହୁଏ ସମ୍ଭବପର ନଥିଲା ।
ଏମାନେ ସିମଲା ଯିବା ଅବଗତ ହେବା ପରେ ମଧୁସୂଦନ ସାତଟଙ୍କା ଖର୍ଚ୍ଚ କରି ବଡ଼ଲାଟଙ୍କୁ ଏକ
ଟେଲିଗ୍ରାମ ପଠାଇଥିଲେ ।
ସମ୍ବଲପୁର ଭାଷା ଆନ୍ଦୋଳନ ଓଡ଼ିଶା ଇତିହାସର ଏକ ମାର୍ମିକ ଗୌରବୋଜ୍ଜ୍ୱଳ ଅଧ୍ୟାୟ । ମାତୃଭାଷା ବିଚ୍ଛେଦରେ ୧୮୯୫ ସାଲର ସମ୍ବଲପୁର ହିତୈଷିଣୀରେ ଯେଉଁ ଅସଂଖ୍ୟ, ଆର୍ତ୍ତନାଦ ବହନ କରୁଥିବା ବ୍ୟଥା ବିଦଗ୍ଧ କବିତାମାନ ପ୍ରକାଶିତ ହୋଇଥିଲା, ତାହା ଉତ୍ତାଳ ମାନବୀୟ
ମୂଲ୍ୟବୋଧରେ ମହିମାନ୍ୱିତ ଥିଲା । ଏଥିପାଇଁ କବି ଗଙ୍ଗାଧର ମେହେର, ଧରଣୀଧର ମିଶ୍ର,
ସୋମନାଥ ଦାସ, ମଦନ ମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର, ଶ୍ରୀପତି
ମିଶ୍ର, ବୈକୁଣ୍ଠ ନାଥ ପୂଜାରୀ ଓ ଚନ୍ଦ୍ରଶେଖର ବେହେରାଙ୍କର ଭୂମିକା ଅତ୍ୟନ୍ତ ମହିମାଦୀପ୍ତ ଓ
ଗୁରୁତ୍ୱପୂର୍ଣ୍ଣ ।
ଏହି ସମସ୍ତ ବିଷୟ ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଚିଫ୍ କମିଶନର୍ ଏଣ୍ଡ୍ରୁ ଫ୍ରେଜରଙ୍କ ୧୯୦୧ ସାଲର ସେପ୍ଟେମ୍ବର ୨୬ରୁ ୩୦ ତାରିଖ ମଧ୍ୟରେ ସମ୍ବଲପୁର ପରିଦର୍ଶନ ସଂପର୍କରେ
ସମ୍ବଲପୁର ହିତୈଷିଣୀ (୧୬.୧୦.୧୯୦୧)
୨୬ ତାରିଖ ପ୍ରାତଃ ୧୦ ଘଣ୍ଟା ସମୟରେ ଲେଭେଲ୍ କ୍ରସିଙ୍ଗ୍ ନିକଟରୁ ରାଜପୁରୁଷମାନେ
ଏବଂ ସମ୍ବଲପୁରର ସକଳ ଶ୍ରେଣୀର ଲୋକମାନେ ଚିଫ୍ କମିଶନର ସାହେବଙ୍କୁ ଅଭ୍ୟର୍ଥନା କରିବା
ସକାଶେ ଏକତ୍ରିତ ହେଲେ । ପୋଲିସ୍ର ଗର୍ଜନ ତର୍ଜନକୁ ଭ୍ରୂକ୍ଷେପ ନକରି ଲୋକମାନେ ସାହେବ
ମହୋଦୟଙ୍କର ଦର୍ଶନ କରିବା ସକାଶେ ଅଗ୍ରସର ହେଲେ । ରେଳ ସଡ଼କର ଅବ୍ୟବହିତ ପରେ
ରାଜପୁରୁଷ ଏବଂ ଡିଷ୍ଟ୍ରିକ୍ଟ କାଉନ୍ସିଲ୍ ଓ ଲୋକାଲ୍ ବୋର୍ଡ ମେମ୍ବର ଦୁଇଶ୍ରେଣୀରେ ଦଣ୍ଡାୟମାନ
ହେଲେ । ମନୋହର ପୋଷାକ ପରିହିତ ସୈନିକ ଓ ତତ୍ପରେ ସମ୍ବଲପୁରର ଅଧିବାସୀମାନେ
ସଡ଼କର ଉଭୟପାର୍ଶ୍ୱରେ ଦଣ୍ଡାୟମାନ ଥିଲେ ।
ଷ୍ଟେସନଠାରୁ ସାହେବଙ୍କର ନିର୍ଦ୍ଦିଷ୍ଟ ନିବାସ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ପତାକାଯୁକ୍ତ ତୋରଣ ଗ୍ରଥିତ ହୋଇଥିଲା । ତତ୍ପାର୍ଶ୍ୱରେ କନଷ୍ଟେବଲ୍ ସମୂହ ଦଣ୍ଡାୟମାନ ଥିଲେ । ଗାଡ଼ିର ଘର୍ଘର ଶବ୍ଦ ଶ୍ରୁତିଗୋଚର ହେବାକୁ ଲାଗିଲା । ଏବଂ ଅବିଳମ୍ବେ ଗାଡ଼ି ଲେଭେଲ୍ କ୍ରସିଂଠାରେ ଦଣ୍ଡାୟମାନ ହେଲା । ଏଣେ ଆତସବାଜି ସବୁ ଗୁଡ଼ୁମ୍ ଗୁଡ଼ୁମ୍ ଶବ୍ଦକରି ଉତ୍ଥିତ ହେଲା । ଚିଫ୍ କମିଶନର୍ ସାହେବ ଗାଡ଼ିରୁ ଅବତରଣ କରି ସମସ୍ତଙ୍କର ଅଭିବାଦନ ଗ୍ରହଣ କଲେ । ଏଣେ ବିଗୁଲ୍ ବାଜି ଉଠିଲା । ତତ୍ପରେ ଉପସ୍ଥିତ ସଭ୍ୟ ଏବଂ ଅମଲାମାନଙ୍କ ପରିଚୟ ପ୍ରାପ୍ତ ହୋଇ ଚିଫ୍ କମିଶନର୍
ସାହେବ ବସାକୁ ପ୍ରସ୍ଥାନ କରିବାକୁ ଲାଗିଲେ । ଓଡ଼ିଆମାନେ ସେହି ସମୟରେ ଉଚ୍ଚସ୍ୱରରେ
କହିଲେ ଯେ, "ଚିଫ୍ କମିଶନର୍ ସାହେବଙ୍କର ଜୟହେଉ, ସମ୍ବଲପୁର ଓଡ଼ିଆ ହେଉ ।" ସାହେବ
ସଲାମ ପ୍ରତ୍ୟର୍ପଣ କରିକରି ଓଡ଼ିଆମାନଙ୍କର ହର୍ଷ ଓ ବିଷାଦ ରୋଳ ମଧ୍ୟରେ ସାର୍କିଟ୍ ହାଉସ୍
ଅଭିମୁଖେ ଅଗ୍ରସର ହେଲେ ।
ଓଡ଼ିଆ ଭାଷାର ବିଲୋପ ସାଧନ ଜନିତ ଦୁଃଖ ସମସ୍ତଙ୍କୁ ବ୍ୟାକୁଳିତ କରିଥିଲା । ସମସ୍ତଙ୍କର ହୃଦୟ ଯେପରି ଦୁଃଖରେ ଭାରାକ୍ରାନ୍ତ ଥିଲା । ବନ୍ୟାଜଳରେ ବ୍ୟାକୁଳ ପୁଷ୍କରିଣୀ ଯେପରି ସ୍ୱୀୟ ବକ୍ଷରେ ଛିଦ୍ର ଅନ୍ୱେଷଣ କରୁଥାଏ, ତଦ୍ରୂପ ମାତୃଭାଷା ବିତାଡ଼ନ ଜନିତ ଦୁଃଖରେ ଭାରାକ୍ରାନ୍ତ ଓଡ଼ିଆ ସହୃଦୟ ବନ୍ଧୁ ଖୋଜୁଥିଲା । ସହରର ଚତୁର୍ଦ୍ଦିଗରେ ଘରେଘରେ, ବାଟରେ, ହାଟରେ,
ଦୋକାନରେ, ଧନୀ ଦରିଦ୍ର ବାଳକ, ବୃଦ୍ଧ, ସଦ୍ବଂଶଜ ଚଣ୍ଡାଳ ଓଡ଼ିଆ ନିମନ୍ତେ ମର୍ମାନ୍ତିକ ଦୁଃଖ
ପ୍ରକାଶ କରୁଥିଲେ । ଦିବସର ସକାଳ ସମୟରେ, ରାତ୍ରିର ଅଧିକାଂଶ ସମୟରେ ଦଳଦଳ ଓଡ଼ିଆ
ଚିଫ୍ କମିଶନର୍ ସାହେବଙ୍କୁ ଅପେକ୍ଷାକରି ଦଣ୍ଡାୟମାନ ଥିଲେ । ଗ୍ରାମବାସୀମାନଙ୍କର ଦୁଃଖ
ତରଙ୍ଗର ସ୍ରୋତ କୌଣସି ପ୍ରକାର ନ୍ୟୂନ ନଥିଲା ।
ଚିଫ୍ କମିଶନ୍ର ସାହେବ ଅନୁସନ୍ଧାନ ଆରମ୍ଭ କଲେ । ସହରର ଅନେକ ବ୍ୟକ୍ତି ନିମନ୍ତ୍ରିତ ହେଲେ ଓ ସେମାନଙ୍କୁ ଚିଫ୍ କମିଶନର୍ ସାହେବ ଭାଷା ସଂକ୍ରାନ୍ତରେ ଅନେକ ପଶ୍ନ ଜିଜ୍ଞାସା କଲେ । ତତ୍ପରେ ସାହେବ ଅନୁସନ୍ଧାନ ନିମନ୍ତେ ଭ୍ରମଣ କରିବାକୁ ଲାଗିଲେ । କେବେ ମଫସଲରେ, କେବେ ସହରରେ, କେବେ ଅଶ୍ୱପୃଷ୍ଠରେ ତ କେବେ ଗାଡ଼ିରେ, କେବ ପ୍ରାତଃକାଳରେ, କେବେ
ସନ୍ଧ୍ୟା ସମୟରେ, କେବେ ସୁକୋମଳ କ୍ରୋଡ଼ରେ ବର୍ଦ୍ଧିତ ଧନୀ ବ୍ୟକ୍ତିମାନଙ୍କଠାରୁ, କେବେ
ଦାରିଦ୍ର୍ୟର ନିଷ୍ପେଷଣରେ ନିଷ୍ପେଷିତ ଜୀର୍ଣ୍ଣ ବସ୍ତ୍ର ପରିହିତ ଦରିଦ୍ରଙ୍କଠାରୁ, କେବେ ଆଧୁନିକ
ଶିକ୍ଷାପ୍ରାପ୍ତ ଉପାଧିଧାରୀ ଯୁବକଙ୍କଠାରୁ, କେବେ ପ୍ରାଚୀନ ଧର୍ମରେ ଶିକ୍ଷିତ ରକ୍ଷଣଶୀଳ
ପଣ୍ଡିତଙ୍କଠାରୁ, କେବେ ପ୍ରତାରଣାରେ ଆପାତ ମଧୁର ବଚନରେ ମୋହିତ ସରଳମନା
କୃଷକଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ଲାଗିଲେ । ଚିଫ୍ କମିଶନ୍ର ସାହେବ କେତେବେଳେ କି
ଉଦ୍ଦେଶ୍ୟରେ ବହିର୍ଗତ ହେଉଥିଲେ ତାହା ତାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଅଗୋଚର ଥିଲା ।
ମାନନୀୟ ଫ୍ରେଜର ସାହେବ ମହୋଦୟ ଯହିଁ ଯହିଁ ଗଲେ ସେଠାରେ ଓଡ଼ିଆମାନଙ୍କର
ହୃଦୟ ନିହିତ ମର୍ମାନ୍ତିକ ବେଦନାଜନିତ ଆର୍ତ୍ତନାଦ ଶ୍ରବଣ କଲେ । ଓଡ଼ିଆମାନଙ୍କ ଦୁଃଖରେ
ତାଙ୍କ ହୃଦୟ ବିଗଳିତ ହେଲା । ତତ୍କ୍ଷଣାତ୍ ବୁଝିପାରିଲେ ଯେ ଓଡ଼ିଆମାନଙ୍କ ଦୁଃଖ କାଳ୍ପନିକ
ନୁହେଁ । ତାଙ୍କ ଦେବୋଚିତ ନିରପେକ୍ଷତା ବ୍ୟତୀତ ସମ୍ବଲପୁରରେ ଓଡ଼ିଆ ଭାଷାର ଅସ୍ତିତ୍ୱ ଓ
ଓଡ଼ିଆ ଜାତିର ଜାତୀୟତା ଲୋପ ପାଇଯାଇଥାନ୍ତା । ଓଡ଼ିଆମାନେ କେତେବେଳେ ଅବନତିର
ପିଚ୍ଛିଳ ସୋପାନରେ ଅଧଃପତିତ ହୋଇଥାନ୍ତେ ତା ଈଶ୍ୱରଙ୍କୁ ଜଣା । ଫ୍ରେଜର ସାହେବଙ୍କ ନାମ
ସମ୍ବଲପୁର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ସମ୍ବଲପୁରର ସନ୍ତାନମାନେ ସହୃଦୟ ଚିଫ୍ କମିଶନରଙ୍କ ସାକ୍ଷାତ ଲାଭ କରି ସ୍ୱୀୟ ଦୁଃଖ ଜଣାଇବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ । ପ୍ରଥମ ଦିନ ସେମାନଙ୍କର ଉଦ୍ଦେଶ୍ୟ ବିଫଳ ହେଲା । ଏବଂ ପରେ ଚିଫ୍ କମିଶନର୍ ସାହେବ ସମ୍ବଲପୁରର ଭଦ୍ରଲୋକଙ୍କୁ ନିମନ୍ତ୍ରଣ କଲେ । ସମସ୍ତେ ଉପସ୍ଥିତ ହେବାରୁ ସେମାନଙ୍କର ବ୍ୟକ୍ତବ୍ୟ କ'ଣ ତାହା ଜିଜ୍ଞାସା କଲେ । ସାହେବ ମହୋଦୟ ଭ୍ରମଣ କରିକରି ଯେଉଁ ଆର୍ତ୍ତନାଦ ଶ୍ରବଣ କରିଥିଲେ ଏଠାରେ ତାହା ହିଁ ଶ୍ରବଣ କଲେ । ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି କହିଲେ, "ଆମେ ଆପଣଙ୍କ ଦେଶରେ ଉପସ୍ଥିତ ହୋଇ
ଆପଣମାନଙ୍କର ଭାଷା ପରିବର୍ତ୍ତନଜନିତ କଷ୍ଟର ବିଷୟ ଅନୁସନ୍ଧାନ କଲୁ, ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରିଅଛନ୍ତି । ଏବଂ ଏତଦ୍ ଦୃଷ୍ଟିରୁ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃ ପ୍ରଚଳନ କରିବା ନିମନ୍ତେ ଗଭର୍ଣ୍ଣର ଜେନେରାଲଙ୍କ ନିକଟକୁ ଲେଖିଅଛୁ । ସମ୍ବଲପୁର ବାସିନ୍ଦା ଦୁଃଖରେ ଏପରି ଅଭିଭୂତ ହୋଇଥିଲେ ଯେ, ସାହେବଙ୍କର ଅମୃତବାଣୀ ଶ୍ରବଣ କରି ସୁଦ୍ଧା ଟିକିଏ ଅଧୀରତା ପ୍ରକାଶକଲେନାହିଁ । ଚିଫ୍ କମିଶନର ସାହେବ ସେମାନଙ୍କୁ ସମ୍ବୋଧନ କରି ପୁନଶ୍ଚ କହିଲେ, "ଏଥିରେ କିଛି ସନ୍ଦେହ ନାହିଁ, ଆପଣମାନେ ମନେକରନ୍ତୁ ଯେ, ଓଡ଼ିଆ ଆଜି ସମ୍ବଲପୁରରେ ଅଦାଲତ ଭାଷା ହେଲା । ଆଗାମୀ ଜାନୁଆରି ମାସର ପ୍ରଥମ ତାରିଖରୁ କାଗଜ ପତ୍ର ଓଡ଼ିଆରେ ଲିଖିତ ହେବା ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।" ତତ୍ପରେ ଓଡ଼ିଆମାନେ ସହୃଦୟ ଚିଫ୍ କମିଶନରଙ୍କୁ ଧନ୍ୟବାଦ ପ୍ରଦାନ କରି ବିଦାୟ ଗ୍ରହଣ କଲେ ।
ଚିଫ୍ କମିଶନର ସାହେବ ତିରିଶି ତାରିଖ ମଧ୍ୟାହ୍ନରେ ପ୍ରସ୍ଥାନ କରିବା ମାର୍ଗରେ ହାଇସ୍କୁଲ୍ ପରିଦର୍ଶନ କଲେ । ହାଇସ୍କୁଲ୍ର ମେମ୍ବର ଦେଶ ହିତୈଷୀବାବୁ, ବ୍ରଜମୋହନ ପଟ୍ଟନାୟକ, ଚିଫ୍
କମିଶନର ସାହେବଙ୍କ ଦ୍ୱାରା ବିତରଣ ହେବା ନିମନ୍ତେ ପୁସ୍ତକ, ମିଷ୍ଟାନ୍ନ ଏବଂ ଆଗାମୀ ଏନ୍ଟ୍ରାନ୍ସ
ପରୀକ୍ଷାରେ ଉତ୍ତୀର୍ଣ୍ଣ ହାଇସ୍କୁଲ୍ ପ୍ରଥମ ଛାତ୍ର ନିମନ୍ତେ ଗୋଟିଏ ପଦକ ପ୍ରଦାନ କଲେ । ତତ୍ପରେ
ସାହେବ ମହୋଦୟ ଷ୍ଟେସନ୍ ଅଭିମୁଖେ ଅଗ୍ରସର ହେଲେ ।
ଷ୍ଟେସନରେ ସହରର ଭଦ୍ରଲୋକ, କର୍ମଚାରୀ ଏବଂ ଅସଂଖ୍ୟ ଓଡ଼ିଆ ଥିଲେ । ପଲଟନ ସୁଦ୍ଧା ଦୁଇ ପଙ୍କ୍ତିରେ ଦଣ୍ଡାୟମାନ ଥିଲେ । ସାହେବ ମହୋଦୟ ସମସ୍ତଙ୍କଠାରୁ ବିଦାୟ ଗ୍ରହଣ କରି ଗାଡ଼ିରେ ଆରୋହଣ କଲେ । ଗାଡ଼ି ଚାଲିବାକୁ ଲାଗିଲା । ଉପସ୍ଥିତ ଓଡ଼ିଆମାନେ ଚିଫ୍ କମିଶନର ସାହେବଙ୍କର ମଙ୍ଗଳ କାମନା କରି ଜୟଧ୍ୱନି କଲେ । ସାହବ ମହୋଦୟ ସମସ୍ତଙ୍କୁ ସଲାମ କରି ଅଗ୍ରସର ହେଲେ । ଦେଖୁଦେଖୁ ଗାଡ଼ି ଦୃଷ୍ଟିର ଅଗୋଚର ହେଲା । ଗାଡ଼ି ଯାବତ୍ ଓଡ଼ିଆମାନଙ୍କ ଦୃଷ୍ଟିପଥରେ ଥିଲା ତାବତ୍ ସେମାନେ ସତୃଷ୍ଣ ନୟନରେ ଗାଡ଼ି ପ୍ରତି ଚାହିଁ
ରହିଥିଲେ । ଗାଡ଼ି ଯେତିକି ଅଗ୍ରସର ହେଲା, ସେତିକି ଓଡ଼ିଆମାନଙ୍କର କରୁଣ ଧ୍ୱନି ତାହାଙ୍କର
ଶ୍ରୁତିଗୋଚର ହେଲା । ପ୍ରତି ଷ୍ଟେସନରେ ଅସଂଖ୍ୟ ଲୋକ ସେମାନଙ୍କୁ ଅପେକ୍ଷା କରିଥିଲେ । ସେ
ଉପସ୍ଥିତ ହେବାକ୍ଷଣି ଆର୍ତ୍ତନାଦରେ ଷ୍ଟେସନ କମ୍ପିତ କରିଦେଲେ । ସମ୍ବଲପୁରରେ ସାହେବ ଯେଉଁ
ଆଦେଶ ପ୍ରଚାର କରିଥିଲେ, ତାହା ଷ୍ଟେସନମାନଙ୍କରେ ସୁଦ୍ଧା ପ୍ରଚାର କରି ଓଡ଼ିଆମାନଙ୍କର ତାପିତ
ପ୍ରାଣ ଶୀତଳ କଲେ ।
ଛାଞ୍ଚ:'''ସମ୍ବଲପୁର ହିତୈଷିଣୀ ୩୦.୧୦.୧୯୦୧)'''/br>ସମ୍ବଲପୁରର ସଂଭ୍ରାନ୍ତ ଅଧିବାସୀମାନେ ଚିଫ୍ କମିଶନରଙ୍କ ନିବାସରେ ଉପସ୍ଥିତ ହେଲାରୁ
ଚିଫ୍ କମିଶନର୍ ଭଦ୍ରବ୍ୟକ୍ତିମାନଙ୍କୁ ସମ୍ବୋଧନ କରି କହିଲେ, "ଆପଣମାନେ ଯାହା କହିବାର
କୁହନ୍ତୁ ।" ବାବୁ ବ୍ରଜମୋହନ ପଟ୍ଟନାୟକ ଦଣ୍ଡାୟମାନ ହୋଇ କହିଲେ, "ମୁଁ ଜଣେ ଭଦ୍ର
ବଂଶୋଭ୍ଭବ, ସମ୍ବଲପୁର ଅଧିବାସୀ, ଡିଷ୍ଟ୍ରିକ୍ଟ୍ କାଉନ୍ସିଲ୍ ଓ ଲୋକାଲ୍ କାଉନ୍ସିଲ୍ର ମେମ୍ବର
ମନୋନୀତ ହୋଇଛି । ପୂର୍ବେ ଥରେ ସମ୍ବଲପୁରବାସୀମାନେ ସମ୍ବଲପୁରରେ "କଚେରି' ଭାଷା
ହିନ୍ଦୀ ନ ହୋଇ ଓଡ଼ିଆ ଚଳିବା ବିଷୟରେ ଆବେଦନ କରିଥିଲେ । ତାହା ପୁନରାୟ ହେବାରୁ
ସମ୍ବଲପୁର ଅଧିବାସୀମାନେ ସାହେବଙ୍କ ପାଖରେ ପୁନରାୟ ଆବେଦନ କରିଛନ୍ତି । ମୁଁ
ସମ୍ବଲପୁରବାସୀଙ୍କ ଦ୍ୱାରା ନିର୍ବାଚିତ ମେମ୍ବର ଥିବା ସତ୍ତ୍ୱେ ସମସ୍ତେ ଦୁଃଖିତ ହୋଇ ମତେ ତାହାର
ପ୍ରତିକାର ନିମନ୍ତେ ବ୍ୟଗ୍ର ଭାବରେ ପ୍ରାର୍ଥନା କଲେ । ତଦନୁସାରେ ମୁଁ ତିନିଜଣ ଭଦ୍ରବ୍ୟକ୍ତିଙ୍କ
ସହିତ ନାଗପୁର ଯାଇ ଆପଣଙ୍କୁ ସମ୍ବଲପୁରବାସୀଙ୍କର ହିନ୍ଦୀ ପ୍ରଚଳନ ଜନିତ ଅସୁବିଧା ବିଷୟ
ଜଣାଇଥିଲି । ଅଦାଲତରୁ ଯେଉଁ ପତ୍ର ଦିଆଯାଏ ସାଧାରଣ ଲୋକ ତାକୁ ବୁଝି ପାରେ ନାହିଁ ।
ସମନ ଇତ୍ୟାଦି ନୋଟିସ୍ ଯାହା ଅଦାଲତରୁ ପ୍ରେରିତ ହୁଏ ତାହା ଲୋକମାନେ ପଢ଼ି ନପାରିବାରୁ
ଅତିରିକ୍ତ ବ୍ୟୟ କରି କ୍ଷତିଗ୍ରସ୍ତ ହୁଅନ୍ତି । ହିନ୍ଦୀଭାଷୀ ଦସ୍ତାବିଜ୍ କେବଳ ରେଜିଷ୍ଟ୍ରାର୍ ଅଫିସ୍ରେ
ଗୃହୀତ ହେବାରୁ ବିକ୍ରେତା ଓ ଗ୍ରହୀତା ଦସ୍ତାବିଜ୍ର ମର୍ମ ବୁଝିପାରନ୍ତି ନାହିଁ । ସମ୍ବଲପୁର
ଅଦାଲତରୁ ଅମଲାମାନେ ମଧ୍ୟପ୍ରଦେଶର ଅନ୍ୟାନ୍ୟ ଜିଲ୍ଲାକୁ ବଦଳି ହୋଇ କାର୍ଯ୍ୟତ୍ୟାଗ
କରୁଛନ୍ତି । ବିଦେଶ ଗମନ ନ କରି ପାରିବାରୁ କାର୍ଯ୍ୟତ୍ୟାଗ କରୁଅଛନ୍ତି ।
ଓଡ଼ିଆ କେବଳ ସମ୍ବଲପୁରବାସୀଙ୍କର ଭାଷା ନୁହେଁ । ସେମାନଙ୍କର ଆଚାର ବ୍ୟବହାର, ରୀତିନୀତି ସବୁ ଓଡ଼ିଆମାନଙ୍କ ପରି । ଓଡ଼ିଶାବାସୀ ଏବଂ ସେମାନଙ୍କ ମଧ୍ୟରେ ସୌସାଦୃଶ୍ୟ ଅଛି । ଅଳ୍ପ ବେତନ ଭୋଗୀ ଅମଲାମାନେ ବଦଳିହେଲେ ସେମାନଙ୍କର କାର୍ଯ୍ୟ ଚଳିପାରେ ନାହିଁ ।
ଆମ୍ଭେମାନେ ଯେଉଁ ପଦାର୍ଥକୁ ଏକ ଶବ୍ଦରେ ଡାକୁ ସେମାନେ ତାକୁ ଅନ୍ୟ ଶବ୍ଦରେ ଡାକନ୍ତି । ଏଥିପାଇଁ ସେମାନେ ଆମକୁ ଦାୟୀ କରନ୍ତି । ଏହିପରି ବିଭିନ୍ନତା; ପରସ୍ପର ମଧ୍ୟରେ, ଆଚାର ବ୍ୟବହାର ମଧ୍ୟରେ, ଉଭୟ ଗୋଷ୍ଠୀ ମଧ୍ୟରେ ଘୃଣାଜାତ କରାଏ । ସୁତରାଂ ପରିବର୍ତ୍ତନ ପାଇଁ ଆଦେଶପ୍ରାପ୍ତ ଓଡ଼ିଆମାନେ ଅନ୍ୟ ଜିଲ୍ଲାକୁ ଯାଉଥିଲେ ମଧ୍ୟ ଅବିଳମ୍ବେ କାର୍ଯ୍ୟ ତ୍ୟାଗ କରନ୍ତି ଅଥବା ପେନ୍ସନ୍ ପ୍ରାପ୍ତ ହୋଇ ବିଦାୟ ଗ୍ରହଣ କରନ୍ତି । ଏହି ସବୁ ଅସୁବିଧା ପ୍ରଦର୍ଶିତ କରିବାରୁ,
ଆପଣ ପ୍ରତିଜ୍ଞା କରିଥିଲେ ଯେ, ଏ ସବୁକୁ ଗଭର୍ଣ୍ଣର ଜେନେରାଲଙ୍କଠାରେ ସିମଲାରେ କହିବେ ।
ଜଣେ ରୋଗୀପାଇଁ ଫଳପ୍ରଦ ଔଷଧ ଦେଲେ ସୁଦ୍ଧା ଏବଂ ତାହାର ମନରେ ଆରୋଗ୍ୟ
ହେବାର ଆଶା ପ୍ରଦାନ କଲେ ସୁଦ୍ଧା, ତାହାର ମନରେ ଆରୋଗ୍ୟ ହେବାପାଇଁ ଆନନ୍ଦ ଜାତ ହୁଏ
ନାହିଁ । ଇତିପୂର୍ବେ ଓଡ଼ିଆମାନଙ୍କ ପ୍ରଦତ୍ତ ଗୋଟିଏ ଆବେଦନ ନାମଞ୍ଜୁର ହେବ- ଏହି ଆଶଙ୍କାରେ
ଆମେମାନେ ପୂର୍ବୋକ୍ତ ଚାରିଜଣ ଆପଣଙ୍କର ସିମଲା ଯାତ୍ରା ସମ୍ବାଦ ଶୁଣି ବହୁ କଷ୍ଟ ସ୍ୱୀକାର କରି
ସିମଲା ଗଲୁ । ମନେ କରିଥିଲୁ ଏହା ଆପଣଙ୍କର ଅନୁସନ୍ଧାନ ଅନୁସାରେ ଗଭର୍ଣ୍ଣର ଜେନେରାଲଙ୍କ
ପାଖରେ ଦୁଃଖ ଜଣାଇବୁ ଓ ଆମ୍ଭେମାନେ କୃତକାର୍ଯ୍ୟ ହେବୁ । ଆପଣଙ୍କର ପ୍ରଧାନ ସେକ୍ରେଟାରୀ
ମାନ୍ୟବର ଇମ୍ପି ସାହେବଙ୍କ ସହିତ ସାକ୍ଷାତ କଲୁ । ସେ କହିଲେ ଚିଫ୍ କମିଶନର ସାହେବ ଏ
ବିଷୟରେ ଯାଇ ସମ୍ବଲପୁରରେ । ଆଦେଶ ଦେବା ବିଷୟ ପ୍ରକାଶ କରିଥିବା ପକ୍ଷେ
ଆପଣମାନଙ୍କର ଚଞ୍ଚଳ ହେବା ଉଚିତ ନୁହେଁ । ତାହାଙ୍କର ଆଦେଶ ଶିରୋଧାର୍ଯ୍ୟକରି ବାହୁଡ଼ି
ଆସିଲୁ । ଆମ୍ଭେମାନେ ଯେତେବେଳେ ନାଗପୁରରେ ଆପଣଙ୍କ ସହିତ ସାକ୍ଷାତ କରିଥିଲୁ,
ସେତେବେଳେ ଗଭର୍ଣ୍ଣର ଜେନେରାଲଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଅନୁମତି ପ୍ରାର୍ଥନା
କରିବା କଥା । ତାହା ନ କରି ଆମେମାନେ ସିମଲା ଯାଇଥିବାରୁ କ୍ଷମାପ୍ରାର୍ଥନା କରୁଅଛୁ ।
ବର୍ତ୍ତମାନ ଆପଣଙ୍କର ସମ୍ମୁଖରେ,ଡିଷ୍ଟ୍ରିକ୍ଟ କାଉନ୍ସିଲ୍ର ମେମ୍ବର ଓ ଲୋକାଲ ବୋଡର଼୍ ମେମ୍ବର
ଏହି ଦରବାରରେ ଅଛନ୍ତି । ସମସ୍ତଙ୍କୁ ଏହାର ସତ୍ୟତା ବିଷୟରେ ଆପଣମାନେ ପଚାରି ପାରନ୍ତି ।
ଏଥିରେ ସମସ୍ତଙ୍କର ସହାନୁଭୂତି ଅଛି ।
ଆପଣ ଶାସନ ବିଭାଗର ଉଚ୍ଚତମ କର୍ମଚାରୀ ହୋଇ ଗ୍ରାମେ ଗ୍ରାମେ, ସ୍ଥାନେସ୍ଥାନେ,ସହରରେ, ହାଟରେ, ବାଟରେ ହିନ୍ଦୀ ପ୍ରଚଳନର ଅସୁବିଧା ବିଷୟ ଅନୁସନ୍ଧାନ କଲେ , ଯଦି
ପୂର୍ବେ କର୍ତ୍ତୃପକ୍ଷ ଏପରି ଅନୁସନ୍ଧାନ କରିଥାନ୍ତେ ଏବଂ ଏହି ବିଷୟରେ ଦେଶୀୟ ଭଦ୍ରଲୋକ
କମିଟି ମେମ୍ବରମାନଙ୍କୁ ଜିଜ୍ଞାସା କରିଥାନ୍ତେ, ତେବେ ଆମ୍ଭେମାନେ ଏତେ କଷ୍ଟ ଭୋଗିନଥାନ୍ତୁ ।
ଆପଣ ଏହି କାର୍ଯ୍ୟ ନିମନ୍ତେ ସିମଲାରୁ ପ୍ରତ୍ୟକ୍ଷ ଭାବେ ସମ୍ବଲପୁର ଆସି ଅନେକ କଷ୍ଟ ସ୍ୱୀକାର
କଲେ । ଏଣୁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ଏବଂ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଅଛୁ
ଯେ ଆପଣଙ୍କୁ ଗଭର୍ଣ୍ଣର ପଦକୁ ଉନ୍ନୀତ କରନ୍ତୁ । ବର୍ତ୍ତମାନ ଇଂରେଜୀ ରାଜତ୍ୱରେ ଏହି ଦୁଃଖ
ଜଣାଇଲେ କିମ୍ବା ସମ୍ବାଦପତ୍ର ଜରିଆରେ କିମ୍ବା ସରକାରୀ କର୍ମଚାରୀଙ୍କ ସହିତ ସାକ୍ଷାତ ହୋଇ
ଦୁଃଖ ଜଣାଇଲେ ଗଭର୍ଣ୍ଣର ଦୁଃଖ ନିବାରଣ ଲାଗି ଉଦ୍ୟତ ହୁଅନ୍ତି । ଏପରି ଗଭର୍ଣ୍ଣମେଣ୍ଟଙ୍କର
କାର୍ଯ୍ୟର ଗୁଣାବଳୀରେ ଉତ୍ସାହିତ ହୋଇ ଆମ୍ଭେମାନେ ଆପଣଙ୍କ ଛାମୁରେ ଦୁଃଖ ଜଣାଇଲୁ ।
ଚିଫ୍ କମିଶନର ଏଥିରେ ସମସ୍ତଙ୍କର ସହାନୁଭୂତି ଅଛି କି ନାହିଁ ଏବଂ ବ୍ରଜମୋହନ ବାବୁ
ଯାହା କହିଛନ୍ତି ସେଥିରେ ସମସ୍ତଙ୍କର ଏକ ମତ କି ନାହିଁ ପଚାରିଲେ । ସମସ୍ତେ ସମ୍ମତ ହେଲେ ।
ବାବୁ ସତ୍ୟବାଦୀ ପାଢ଼ୀ କହିଲେ ସମ୍ବଲପୁରରେ ହିନ୍ଦୀଭାଷା ପ୍ରଚଳନ ହେବାରୁ ସମ୍ବଲପୁରର
ସକଳ ଓଡ଼ିଆ ଦୁଃଖିତ ଅଛନ୍ତି । ଆପଣ କଷ୍ଟ ସ୍ୱୀକାର କରି ହିନ୍ଦୀ ଭାଷା ପ୍ରଚଳନର ଅସୁବିଧା
ବିଷୟରେ ତଦନ୍ତ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି । ଈଶ୍ୱର ଯଦି ଆପଣଙ୍କୁ
ଗଭର୍ଣ୍ଣର ଓ ଲାଟ୍ କରନ୍ତି ଆମ୍ଭେମାନେ ଆନନ୍ଦିତ ହେବୁ । ଓଡ଼ିଶାରେ ସମ୍ବଲପୁର ଯୁକ୍ତ ହେଲେ,
ସମ୍ବଲପୁରବାସୀମାନେ ଓଡ଼ିଶାରେ ଓଡ଼ିଆ ଭ୍ରାତାମାନଙ୍କ ସହିତ ରହି ଅଧିକ ଉନ୍ନତି ସାଧନ
କରିବେ ।
ତତ୍ପରେ ଚିଫ୍ କମିଶନର ସାହେବ ଉତ୍ତର ଦେଲେ "ଆମ୍ଭେମାନେ ଅନୁସନ୍ଧାନ କରି ଦେଖିଲୁ ଯେ ସମ୍ବଲପୁରରେ ହିନ୍ଦୀ ଭାଷା ପ୍ରଚଳନ ହେବାରୁ ସମ୍ବଲପୁରରେ ଲୋକମାନେ ବିଶେଷ
ଅସୁବିଧା ଭୋଗ କରୁଅଛନ୍ତି । ଏଣୁ ଆସନ୍ତା ଜାନୁଆରି ମାସରୁ ସମ୍ବଲପୁର ଅଦାଲତରେ ଓଡ଼ିଆ
ପ୍ରଚଳନ ହେବା ନିମନ୍ତେ ଆମେ ଗଭର୍ଣ୍ଣର ଜେନେରାଲଙ୍କୁ ରିର୍ପୋଟ କରିବୁ ।