ଆମ ମଧୁସୁଦନ/ସ୍ୱତନ୍ତ୍ର ବର୍ଷରେ ଓଡ଼ିଶା

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ମଧୁସୁଦନ ଲେଖକ/କବି: ସୁରସିଂହ ପଟ୍ଟନାୟକ
ସ୍ୱତନ୍ତ୍ର ବର୍ଷରେ ଓଡ଼ିଶା



ଊନବିଂଶ ଶତାବ୍ଦୀର ଶେଷଭାଗ, ଯାହା ଭାରତୀୟ ଜାଗରଣ(ରେନାସାଁସ୍‍)ର ଯୁଗ ରୂପେ ଚିହ୍ନିତ, ତାହାଥିଲା ଓଡ଼ିଶା ଜାତିପାଇଁ ଆପଣାର ଲୁପ୍ତ ସ୍ଥିତିର ପୁନଃସଂସ୍ଥାପନଲାଗି ପ୍ରଚଣ୍ଡ ସଂଗ୍ରାମର ଯୁଗ । ଏଥିରେ ଅସ୍ତ୍ରର ଝଙ୍କାର ଅପେକ୍ଷା ଉଦ୍ଦୀପ୍ତ ଚେତନାର ପରିସ୍ଫୁରଣ ଥିଲା ଚରମ ଆବଶ୍ୟକତା । ହେଲେ ଯେଉଁ ଦୂରନ୍ତ ଶକ୍ତିଟି ଅତି ଅଦ୍‍ଭୁତ ଭାବେ କ୍ରିୟାଶୀଳ ହୋଇ ଏହି ଯୁଗାନ୍ତକାରୀ ପରିବର୍ତ୍ତନ ସଂଘଟିତ କରିଥିଲା, ତାହାରି ଭ୍ରୂଣ ବା ମୂଳ ପିଣ୍ଡଟି ସ୍ଥାପିତ ହୋଇଥିଲା ଏହି ମାଟିରେ ୧୮୪୮ରେ, ଯାହାର ଦେଢ଼ଶହ ବର୍ଷର ଜୟନ୍ତୀ ସମ୍ବତ୍ସର ପାଳିତ ହେଲା ୧୯୯୮ ସାଲରେ ।
ସେହି ଅବିସ୍ମରଣୀୟ କ୍ରାନ୍ତିକାରୀ୧୮୪୮ ସାଲଟି ହେଉଛି, ଏ ଜାତି ଅଭୁ୍ୟଦୟର ଦୁର୍ନିବାର ଅଗ୍ନିଶିଖା ଜାତୀୟ ଗୌରବ ମଧୁସୂଦନ ଆଉ ଦୂରନ୍ତ ଆହ୍ୱାନର ଚାରଣ କବି ରାଧାନାଥଙ୍କ ଜନ୍ମ ସମ୍ବତ୍ସର । ଏହାର ପାଞ୍ଚବର୍ଷ ଆଗରୁ ୧୮୪୩ ସାଲରେ ଆବିର୍ଭାବ ଘଟିଥିଲା ଦିଗ୍‍ଦର୍ଶୀ କଥାକାର ଫକୀର ମୋହନଙ୍କର -ଯେଉଁ ତ୍ରୟୀଙ୍କର ଅନବଦ୍ୟ ସମାହାର, ଏ ପ୍ରଦେଶର ମାଟିକୁ ଦେଇଥିଲା ଆତ୍ମ ପରିଚୟର ସ୍ୱତନ୍ତ୍ର ଭିତ୍ତିଭୂମି ।
ସେହି ୧୮୪୮ ରେ ଓଡ଼ିଶା ମାଟିରେ ସଂସ୍ଥାପିତ ମୂଳ ସତ୍ତାଟି, ୧୮୮୧ସାଲରେ ଦୀର୍ଘ ବତିଶି ବର୍ଷର ପ୍ରସ୍ତୁତି ପରେ, ଡେଣା ମେଲାଇଥିଲା । ସୂର୍ଯେ୍ୟାଦୟ ପୂର୍ବରୁ ରାତିର ଘନ ଅନ୍ଧକାର ଆହୁରି ନିବିଡ଼ ହେଲାପରି, ଏହି ପ୍ରସ୍ତୁତିପର୍ବର ସମୟଟି ଥିଲା ଘନ ତମ୍ରିସାର ରଜନୀ, ଯହିଁରେ ଦୁର୍ଗତିର ଦୁର୍ବିପାକ ମଧ୍ୟରେ ଆଉଟି ହୋଇ ନିଃଶେଷିତ ହେବାକୁ ବସିଥିଲା ଏହି ଜାତି । ବିଦେଶୀ ଇଂରେଜୀ ଶକ୍ତି ବିରୁଦ୍ଧରେ ଫଣା ଟେକି ୧୮୧୭ ସାଲରେ ପାଇକ ବିଦ୍ରୋହ ଅବସରରେ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁ, ଦକ୍ଷିଣାଞ୍ଚଳର ଚକରା ବିଶୋଇଙ୍କ ଗରିଲା ସଂଗ୍ରାମଠାରୁ ଆରମ୍ଭ

କରି ସମ୍ବଲପୁରରେ ସିପାହୀ ବିଦ୍ରୋହ ଅବସରରେ ସୁରେନ୍ଦ୍ର ସାଏଙ୍କର ପ୍ରଚଣ୍ଡ ସଂଘାତ ଭିତରେ ଓଡ଼ିଶା ଭୂଇଁରେ ସଂଗ୍ରାମର ଶେଷ ସ୍ଫୁଲିଙ୍ଗ ନିର୍ବାପିତ ହୋଇଯାଇଥିଲା ।
ହେଲେ ଘଟଣା ପ୍ରବାହର ପ୍ରବଳ ଘୂର୍ଣ୍ଣିି ମଧ୍ୟରେ ୧୮୬୫ ସାଲରେ ଏହି ତ୍ରୟୀଙ୍କର ମିଳନ ଘଟିଥିଲା ବାଲେଶ୍ୱରରେ, ଯାହାର ମାର୍ମିକ ବିବରଣୀ ଉପସ୍ଥାପିତ ହୋଇଛି ଫକୀରମୋହନଙ୍କ ଆତ୍ମଜୀବନୀରେ- "ବାଲେଶ୍ୱରରେ ମୋତିଗଞ୍ଜ ବଜାରର ଦକ୍ଷିଣ ପ୍ରାନ୍ତରେ ଗୋଟିଏ ପୁଷ୍କରିଣୀର ନାମ ଗଡ଼ଗଡ଼ିଆ । ବାବୁ ମଧୁସୂଦନ ସେ ସମୟରେ ବାଲେଶ୍ୱର ଜିଲ୍ଲା ସ୍କୁଲ୍‍ର ତୃତୀୟ ଶିକ୍ଷକ ଥିଲେ । ଗ୍ରୀଷ୍ମ କାଳରେ ଆମ୍ଭେମାନେ ପ୍ରାୟ ପ୍ରତିଦିନ ପରସ୍ପର କଥୋପକଥନ ଓ ବାୟୁ ସେବନ ନିମନ୍ତେ ଉକ୍ତ ପୁଷ୍କରିଣୀର ଘାଟରେ ଏକତ୍ରିତ ହେଉଥିଲୁ । ପିତାଙ୍କ ଭୟରେ ରାଧାନାଥ ଦିବାଲୋକର ପ୍ରକାଶରେ ଆମ୍ଭମାନଙ୍କ ସହିତ ଆସି ବସିପାରନ୍ତି ନାହିଁ । ଦିନେଦିନେ ସନ୍ଧ୍ୟା ଉତ୍ତାରେ ଆସି ପହଞ୍ଚି ଯାଆନ୍ତି । କିନ୍ତୁ ମଧୁସୂଦନ ପ୍ରତ୍ୟହ ଆସି ଆମ ଦଳରେ ମିଶୁଥିଲେ । ସେହି ତରୁଣ ବୟସରେ ମଧ୍ୟ ତାହାଙ୍କର ଉଚ୍ଚାକାଂକ୍ଷା ବିଷୟରେ ଶୁଣି ଆମ୍ଭେମାନେ ସ୍ତମ୍ଭୀତ ହୋଇଯାଇଥିଲୁ । ସେ ସେଠାରୁ କର୍ମ ତ୍ୟାଗ କରି କଲକତା ଚାଲି ଯାଇଥିଲେ ।" ତାହା ଘଟିଥିଲା ୧୮୬୬ ସାଲ ପ୍ରାରମ୍ଭରେ ।
ସେହି ଘଟଣାବଳୀ ମଧୁସୂଦନଙ୍କ ନିଜସ୍ୱ ବକ୍ତବ୍ୟରେ ନିମ୍ନ ଭାବରେ ଉପସ୍ଥାପିତ ହୋଇଛି- "ଆମ୍ଭେମାନେ କଟକ କଲିଜିଏଟ୍‍ ସ୍କୁଲ୍‍‌ରେ ପଢ଼ିଲାବେଳେ ଇଂରାଜୀ ଓ ବଂଗଳା ବହି ପଢ଼ୁଥିଲୁ, କାରଣ ସବୁତକ ମାଷ୍ଟର ବଙ୍ଗାଳୀ । ସେତେବେଳେ ସେମାନେ ଓଡ଼ିଆରେ କଥା କହୁ ନଥିଲେ । ଆମର ଓଡ଼ିଆ ପାଠ୍ୟ ପୁସ୍ତକ ମଧ୍ୟ ନଥିଲା । ତେଣୁ ଆମେ କେତେକ ଓଡ଼ିଆ ପିଲାଙ୍କ ମନରେ ଭାବ ଆସିଲା ଯେ, ଓଡ଼ିଆ ପାଠ୍ୟ ପୁସ୍ତକ ଥାଆନ୍ତା ଓ ଓଡ଼ିଆ ମାଷ୍ଟର ଥାଆନ୍ତେ କି ? ଯାହାହେଉ ମୁଁ ପାଶ୍‍ କରି ଉଚ୍ଚଶିକ୍ଷାପାଇଁ ଇଚ୍ଛା ପ୍ରକାଶ କରି ବାପାଙ୍କୁ କହିଲି । ସେ ମନାକରି କହିଲେ, "ଡେପୁଟି ହୁଅ ।"
ମୁଁ ତାଙ୍କ କଥା ନମାନି ଚାଲିଚାଲି ବାଲେଶ୍ୱର ଗଲି ଓ ଜିଲ୍ଲାସ୍କୁଲ୍‍ ମାଷ୍ଟର ହେଲି । ସେଠି ହେଡ଼୍‍ ପଣ୍ଡିତ କାନ୍ତିଚନ୍ଦ୍ର ବନ୍ଦୋପାଧ୍ୟାୟ ଓଡ଼ିଆ ବିଦ୍ୱେଷୀ ଥିଲେ । ସେ କହୁଥିଲେ, ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ । ଫକୀରମୋହନ ସେନାପତି ଭର୍ଣ୍ଣାକୁଲାର ପଢ଼ି ଗୋଟିଏ ପ୍ରାଇମେରୀ ସ୍କୁଲ୍‍ ଶିକ୍ଷକ ଥିଲେ । ସେ ଓଡ଼ିଆ ଭାଷାପ୍ରେମୀ ଥାଇ ବାଲେଶ୍ୱରରେ ଆନ୍ଦୋଳନ ଚଳାଇଲେ । ସେ ମୋଠାରୁ ପାଞ୍ଚ ବର୍ଷ ବଡ଼ ଥିଲେ ଓ ମୁଁ ତାଙ୍କ ସହିତ ଯୋଗ ଦେବାରୁ କାନ୍ତିଚନ୍ଦ୍ର ମୋ ଉପରେ ବିରକ୍ତ ହେଲେ । ତା'ପରେ ସବ୍‍ ରେଜେଷ୍ଟ୍ରି ଅଫିସ୍‍ରେ ଚାକିରି କଲି । କାନ୍ତିଚନ୍ଦ୍ରଙ୍କ ବନ୍ଧୁ ସେଠି ହେଡ଼୍‍ କିରାଣି ଥାଇ ମୋତେ ବଦନାମରେ ପକାଇବାକୁ ଚେଷ୍ଟା କଲେ । ମୁଁ ତାଙ୍କର ଦୌରାତ୍ମ୍ୟ ଓ ଷଡ଼ଯନ୍ତ୍ର ସହି ନପାରି ଚାକିରି ଛାଡ଼ି କଲିକତା ଗଲି ।
ଆଉ ୧୮୬୬ ସାଲର ଶେଷ ଭାଗରେ ଓଡ଼ିଆ ଜାତି ବଳି ଚଢ଼ିଥିଲା ନଅଙ୍କ ଦୁର୍ଭିିକ୍ଷର ଯୂପକାଠିରେ । ସେହି ପ୍ରାଣଶୋଷା ମଡ଼କର କରାଳ ଗ୍ରାସରେ ଏ ଜାତିର ଏକ ଚତୁର୍ଥାଂଶ ଲୋକ


ମୃତ୍ୟୁ ମୁଖରେ ପଡ଼ିବା ପରେ କଙ୍କାଳସାର ଓଡ଼ିଆ ଜାତିଟି ଅତ୍ୟନ୍ତ ଅସୁରକ୍ଷିତ ଓ ଅସହାୟ ଅବସ୍ଥାରେ ଖସିପଡ଼ିଥିଲା ନିଃସ୍ୱତାର ଅତଳ ଗର୍ଭକୁ ।
ଠିକ୍‍ ଏହାର ଅବ୍ୟବହିତ ପୂର୍ବରୁ ୧୮୬୨ ସାଲରେ ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମାଞ୍ଚଳ ଓଡ଼ିଶାର ସମସ୍ତ ଗଡ଼ଜାତ, ମଧ୍ୟପ୍ରଦେଶର ଛତିଶିଗଡ଼ ଅଂଚଳ ସହିତ ସଂଯୁକ୍ତ ହୋଇ ଆପଣାର ସତ୍ତା ହରାଇବାକୁ ବସିଥିଲା । ଆଉ ଦକ୍ଷିଣ ଓଡ଼ିଶାର କୋର୍ଟକଚେରିରୁ ଦୀର୍ଘକାଳ ଧରି ବିଧିବଦ୍ଧ ଭାବେ ଓଡ଼ିଆ ଭାଷାର ନିର୍ବାସନ ପରେ ୧୮୭୦ ସାଲରେ ଗଞ୍ଜାମର ରସଲକୁଣ୍ଡା (ଭଞ୍ଜନଗର)ଠାରେ ପ୍ରଥମ ପ୍ରତିବାଦର ଗୁଞ୍ଜରଣ ଶୁଭିଥିଲା । ହେଲେ ୧୮୬୭-୬୮ ସାଲରେ ଓଡ଼ିଶାର ମୂଳ ଭୂଖଣ୍ଡ ବାଲେଶ୍ୱରର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଂଗଳା ଭାଷାର ପ୍ରଚଳନ ବିରୋଧରେ ପଂକୀରମୋହନଙ୍କ ଦ୍ୱାରା ସଂଚାଳିତ ଜନଜାଗରଣକୁ କଲେକ୍ଟର ବୀମସ୍‍ ସାହେବଙ୍କର ଅକୁଣ୍ଠ ସମର୍ଥନ ଆଉ କମିଶନର ରେଭେନ୍‍ସା ସାହେବଙ୍କର ସମୟୋପଯୋଗୀ ଦୃଢ଼ ପଦକ୍ଷେପ ଫଳରେ, ଓଡ଼ିଆ ଭାଷା ନିଜର ମାନ୍ୟତା ଫେରିପାଇଲା ୧୮୬୯ରେ । ହେଲେ ବହିରାଗତ କର୍ମଚାରୀଙ୍କ ପକ୍ଷପାତିତାର ଜୁଆ ଖେଳ ମଧ୍ୟରେ ବିଖଣ୍ଡିତ ଓଡ଼ିଆ ଜାତି ପ୍ରତିବାଦ କରିବାର ସ୍ୱରଟି ହରାଇ ବସିଥିଲା, ଏକ ମେରୁଦଣ୍ଡ ବିହୀନ ମୁମୂର୍ଷୁ ଜାତିରେ ପରିଣତ ହୋଇ ।
ଏତିକି ବେଳେ କଲିକତାରେ, ଜାତୀୟ ଜାଗରଣର ମୂଳଉତ୍ସ, ଇଣ୍ଡିଆନ୍‍ ଆସୋସିଏସନ୍‍ର ଜଣେ ସକ୍ରିୟ ସଭ୍ୟ ରୂପେ ସଂଯୁକ୍ତ ରହି, ମଧୁସୂଦନ ଓଡ଼ିଶାକୁ ଫେରିଆସିଥିଲେ ଏକ କ୍ରାନ୍ତିକାରୀ ନୂତନ ଯୁଗର ବାର୍ତ୍ତାବହ ରୂପରେ । ଯେତେବେଳେ ଭାଙ୍ଗି ,ଅଜାଡ଼ି ହୋଇ ପଡ଼ୁଥିବା ପୁରୁଣା ବ୍ୟବସ୍ଥା ଉପରେ ନୂତନ ଯୁଗର ଭିତ୍ତିସ୍ଥାପନ ଅବଶ୍ୟମ୍ଭାବୀ ହୋଇ ପଡିଥିଲା । ଏହି ଐତିହାସିକ କର୍ତ୍ତବ୍ୟଟି ଏକାକୀ ସଂପାଦନ କରିଥିଲେ ମଧୁସୂଦନ । ୧୮୮୨ସାଲରେ ଉତ୍କଳ ସଭା ଗଠନ କରି, ତାହାରି ମାଧ୍ୟମରେ ମଧୁସୂଦନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଦାବି ଉପସ୍ଥାପନ କରିଥିଲେ, ତତ୍‍କାଳୀନ ବଙ୍ଗର ଗଭର୍ଣ୍ଣରଙ୍କ ସମକ୍ଷରେ । କେବଳ ସେତିକି ନୁହେଁ, ୧୮୮୭ ସାଲରେ ଓଡ଼ିଆ ଜାତିର ସ୍ନାୟୁକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନାକୁ ଇଂରେଜୀ ସରକାରଙ୍କୁ ହସ୍ତାନ୍ତର କରିବାର ହୀନ ଚକ୍ରାନ୍ତକୁ ଆଇନଗତ ସଂଗ୍ରାମରେ ପ୍ରତିହତ କରି, ସ୍ମରଣାତୀତ ଯୁଗରୁ ପ୍ରଚଳିତ ଥିବା ଗଜପତି ବଂଶର ପରଂପରାକୁ ଆଉ ଥରେ ସଂସ୍ଥାପିତ କରିଥିଲେ ମଧୁସୂଦନ । ତେଣୁ ମଧୁସୂଦନ ଉଭା ହୋଇଥିଲେ, ଏ ଜାତିର ତ୍ରାଣକର୍ତ୍ତା ଆଉ ବିପଦର ଝଡ଼ଝଞ୍ଜା ମଧ୍ୟରେ ଆଶାଭରସାର ଏକମାତ୍ର ଆଶ୍ରୟସ୍ଥଳ ରୂପେ ।
ଏ ସମସ୍ତ ମଧ୍ୟରେ ବିଖଣ୍ଡିତ ଓଡ଼ିଆ ଜାତିର ନବଜାଗରଣ ଲାଗି ଗ୍ରହଣଶୀଳ ମାନସିକ ପ୍ରସ୍ତୁତିର ଭିତ୍ତିଭୂମି ସଜାଡ଼ିଥିଲେ, କ୍ରାନ୍ତିକାରୀ ଚାରଣ କବି ରାଧାନାଥ, ତାଙ୍କ ରଚନାର ଅନବଦ୍ୟ ଉପସ୍ଥାପନାରେ । ସେତେବେଳେ ଓଡ଼ିଶା ଇତିହାସର ରୁଦ୍ଧଦ୍ୱାରକୁ ଉନ୍ମୋଚିତ କରିଥିବା ମାଦଳା ପାଞ୍ଜିର ଆଖ୍ୟାନକୁ ଭିତ୍ତିକରି ରାଧାନାଥ, ମାତୃଭୂମିର ଆରାଧନା ପୀଠରେ ଗଢ଼ିଥିଲେ ସାରସ୍ୱତ ପୂଜା ସମ୍ଭାର । ଏହାରି ମାଧ୍ୟମରେ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସଂସ୍କୃତିର ବ୍ୟାଖ୍ୟାକାର ସାରଳା

ଦାସଙ୍କର, ଏ ଦେଶ ମାଟିର ଉତ୍ତଳା ଗନ୍ଧରେ ଆମୋଦିତ ଅନନ୍ୟ ରଚନାବଳୀ ପ୍ରଣୟନର ଦୀର୍ଘ ଚାରିଶହ ବର୍ଷ ପରେ ଶୂନ୍ୟାଚାରୀ ଓଡ଼ିଆ ସାହିତ୍ୟ ପୁଣି ଫେରିଥିଲା ଓଡ଼ିଶା ମାଟିକୁ । ଏ କ୍ଷେତ୍ରରେ ରାଧାନାଥଙ୍କର କାଳଜୟୀ ସାହିତ୍ୟକୃତିର କୌଣସି ତୁଳନା ନାହିଁ ।
ବିଖଣ୍ଡିତ ଓଡ଼ିଶାମାଟିକୁ ମମତ୍ୱର ଏକତାସୂତ୍ରରେ ଗୁନ୍ଥି, ସେଦିନ ପୌଷପୂର୍ଣ୍ଣିମାର ଅଭିଷେକ ଉତ୍ସବର ପ୍ରାତଃ ବେଳାରେ, ସମଗ୍ର ଉତ୍କଳ ଭୂଖଣ୍ଡର ଦେବଦେବୀଙ୍କର ସମୁଜ୍ୱଳ ସମାବେଶ ଘଟିଥିଲା, ନୀଳାଚଳଠାରେ, ଚନ୍ଦ୍ରଭାଗା (୧୮୬୬)କାବ୍ୟରେ, ଯାହା ମାଧ୍ୟମରେ ରାଧାନାଥ ସର୍ବ ପ୍ରଥମେ ଉତ୍କଳୀୟ ସଂସ୍କୃତିର ଅନବଦ୍ୟ ଐକତାନରେ ମନ୍ଦ୍ରିତ କରିଥିଲେ ଓଡ଼ିଆ ସାହିତ୍ୟକୁ । ୧୮୮୮ ସାଲରେ ନନ୍ଦୀକେଶ୍ୱରୀ କାବ୍ୟରେ ଉତ୍କଳର ଐତିହ୍ୟକୁ ଉତ୍ତୋଳିତ କରି, ପରେ ପାର୍ବତୀ କାବ୍ୟରେ ସମଗ୍ର ଓଡ଼ିଶାର ପାହାଡ଼ ଓ ଗିରିଶୃଙ୍ଗମାନଙ୍କୁ ଚୁମ୍ବି ଜୈତ୍ର ଯାତ୍ରାର ଆଗ୍ନେୟ ସଂଚାରଣ ମଧ୍ୟରେ ଉତ୍କଳୀୟ ଏକୀଭୂତ ପ୍ରାଣର ଉଚ୍ଛଳ ଓ ମାର୍ମିକ ପରିପ୍ରକାଶ କରିଥିଲେ ।
ଆଉ ଏ ମାଟିର ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା (୧୮୯୧)ର ଅନୁରୂପ ନୈସର୍ଗିକ ଦୃଶ୍ୟାବଳୀର ପ୍ରାଣଛୁଆଁ ଉପସ୍ଥାପନା ପରେ ତାହାରି ଅନୁକରଣରେ ଅସଂଖ୍ୟ ପ୍ରତିଭାଧର କବିଙ୍କ ଲେଖନୀରେ ଆଞ୍ଚଳିକ ଶୋଭା ସଂଭାରମାନ ଜୀବନ୍ୟାସ ପାଇ ଉଦ୍‍ବେଳିତ ହୋଇ ଉଠିଥିଲେ । ପରିଣାମରେ ଉତ୍କଳର ମାଟି ହୋଇଯାଇଥିଲା ମାତୃଶକ୍ତିର ପରିପୂରିତ ଆଧାର, ଯାହାର ବାସ୍ତବ ଅନ୍ୱେଷଣରେ ମଧୁସୂଦନଙ୍କ ଆକୁଳ ଆବାହନରେ ଓଡ଼ିଆ ଜାତି ପାଇଥିଲା, ଏକ ଅଫୁରନ୍ତ ପ୍ରେରଣାର ଉତ୍ସ । ସେହି ଆବାହନୀ ସଂଗୀତର ପଙ୍‍କ୍ତି ଥିଲା ଏହିପରି -


""କୋଟିଏ ସନ୍ତାନ ଗୋଟିଏ ସ୍ୱରରେ ଜନନୀ ଜନନୀ ଡାକ,
ତୃଷାରେ ଆତୁର ଗଗନକୁ ଚାହିଁ ଯେସନେ ଡାକେ ଚାତକ ।

-ମଧୁସୂଦନ

ରାଧାନାଥଙ୍କ ରଚନାବଳୀରେ ସନ୍ନିବେଶିତ ମାତୃ ଆହ୍ୱାନର ପ୍ରତ୍ୟୁତ୍ତର ଦେଇ ଫକୀରମୋହନ ରଚନା କରିଥିଲେ ୧୮୯୨ ସାଲରେ 'ଉତ୍କଳ ଭ୍ରମଣ', ଯହିଁରେ ଛଳଛଳ ପ୍ରକୃତିର ନୈସର୍ଗିକ ବର୍ଣ୍ଣନା ପରିବର୍ତ୍ତେ, ସମଗ୍ର ଉତ୍କଳ ଭୂଖଣ୍ଡରେ ବିଚ୍ଛୁରିତ ଥିବା ଦେଶମାତୃକା ଓ ସାରସ୍ୱତ ପୂଜାରେ ନିବେଦିତ ବହୁ ଉତ୍ସର୍ଗୀକୃତ ସାଧକମ଼ାନଙ୍କ ଅନବଦ୍ୟ କୃତିତ୍ୱ ମୁଖରିତ ହୋଇଥିଲା । ସୁଦୂର ପଶ୍ଚିମାଞ୍ଚଳରୁ ପ୍ରକୃତି କବି ଗଂଗାଧର ମେହେର ୧୮୯୪ ସାଲରେ ରଚନା କରିଥିଲେ 'ଉତ୍କଳ ଲକ୍ଷ୍ମୀ' କାବ୍ୟ, ଯହିଁରେ ଉତ୍କଳର ନୈସର୍ଗିକ ବର୍ଣ୍ଣନା ସହିତ ପ୍ରତିଭାଧରମାନଙ୍କ ଆଲେଖ୍ୟର ଅପୂର୍ବ ସମନ୍ୱୟ ଘଟିଥିଲା ।
ମାତ୍ର ଦଶୋଟି ବର୍ଷରେ ଦେଶପ୍ରେମ ସମ୍ବଳିତ ସାରସ୍ୱତ ରଚନାବଳୀର ଉଚ୍ଛ୍ୱସିତ ପରିପ୍ରକାଶ ମଧ୍ୟରେ ବିଖଣ୍ଡିତ ଓଡ଼ିଆ ଜାତିର ମିଳନ ଆକାଙ୍‍କ୍ଷା ଯେମିତି ଆଉ ଅବଦମିତ ଅବସ୍ଥାରେ ନଥିଲା । ତେଣୁ ୧୮୯୫ରେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାର ଉଚ୍ଛେଦ ପରେ ପ୍ରତିବାଦର ସ୍ୱର ଅତ୍ୟନ୍ତ ତୀବ୍ର ହୋଇ ଉଠିଥିଲା । ସେହି ସ୍ୱରରେ ଦେଶ ମିଶ୍ରଣର ଦୁର୍ବାର କାମନାଟି ରୂପ

ପାଇଥିଲା ୧୮୯୭ ସାଲରେ ଲଣ୍ଡନରେ, ଯେଉଁଠାରେ ଓଡ଼ିଆ ଜାତୀୟତାର ଉଦାତ୍ତ ବକ୍ତବ୍ୟ ସବୁ ଲଣ୍ଡନର ପତ୍ର ପତ୍ରିକାରେ ଉର୍ଜସ୍ୱଳ ରୂପେ କେବଳ ପ୍ରକାଶିତ ହୋଇ ନ ଥିଲା, ମଧୁସୂଦନ ଭାରତ ସଚିବ ଲର୍ଡ ହାମିଲ୍‍ଟନ୍‍ଙ୍କ ପାଖେ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଦାବି ସହିତ ତୀବ୍ରଭାବରେ, ସମ୍ବଲପୁରରେ ଓଡ଼ିଆ ଭାଷା ଉଚ୍ଛେଦ ବିରୋଧରେ ମେମୋରାଣ୍ଡମ୍‍ ପ୍ରଦାନ କରିଥିଲେ । ୧୯୦୦ ସାଲରେ, ମଧୁସୂଦନ ସିମଲାଠାରେ ବଡ଼ଲାଟ ଲର୍ଡ କର୍ଜନଙ୍କ ସମକ୍ଷରେ ଆବେଗଭରା ବକ୍ତବ୍ୟ ପ୍ରକାଶ କରି ତାଙ୍କର ହୃଦୟ ଜୟ କରିପାରିଥିଲେ ।
ଫକୀରମୋହନ ସର୍ବପ୍ରଥମେ ଭାରତୀୟ ସାହିତ୍ୟରେ ଉପସ୍ଥାପନ କରିଥିଲେ ୧୯୦୨ ସାଲରେ 'ଛମାଣ ଆଠଗୁଣ୍ଠ' ଉପନ୍ୟାସର ରଚନା ମାଧ୍ୟମରେ, ଗ୍ରାମ୍ୟ ମହାଜନର ଚକ୍ରାନ୍ତ ଓ ଶୋଷଣର ନଗ୍ନ ରୂପ । ରାଧାନାଥଙ୍କ ମହାଯାତ୍ରା (୧୮୯୬) ଯାହା ପଣ୍ଡିତ ନେହେରୁଙ୍କ 'ଭାରତ ଆବିଷ୍କାର' ଗ୍ରନ୍ଥ ପରି ଦୁର୍ଲ୍ଲଭ ଚେତନାର ଅଧିକାରୀ ଥିଲା, ସେହି ଚିନ୍ତାଧାରାରେ ଅନ୍ୱିତ ହୋଇ ମଧୁସୂଦନ ଉତ୍କଳ ସମ୍ମିଳନୀର ମଣ୍ଡପରେ ପ୍ରଥମେ ପ୍ରଣତି ବାଢ଼ିଥିଲେ ଭାରତ ମାତାର ଚରଣ ପ୍ରାନ୍ତରେ "ସର୍ବେଷାଂ ନୋ ଜନନୀ ଭାରତ' ମାଧ୍ୟମରେ । ମଧୁସୂଦନ ଥିଲେ ଏ ଜାତିର ଯାତ୍ରାପଥରେ ଅଗ୍ର ସାରଥି, ଯାହାଙ୍କର ଅଧିନାୟକତ୍ୱରେ ସ୍ଥିତିଶୂନ୍ୟତାର ପର୍ଯ୍ୟାୟରୁ ଏ ଜାତି ପାଇପାରି ଥିଲା ଆତ୍ମ ପରିଚୟର ସ୍ୱୟଂସତ୍ତା ଓ ଛିଡ଼ାହେବାପାଇଁ ଭୂମିସତ୍ତା । ଏଥିପାଇଁ ସେ ଯୁଗର ଅନ୍ୟତମ ବିନ୍ଧାଣୀ ଫକୀରମୋହନ, ମଧୁସୂଦନଙ୍କ ପ୍ରତି ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି-

"ପତିତ ଉତ୍କଳ ଦେଶ ଉଦ୍ଧାର କାରଣ,
ଅବତାର ରୂପେ ଜନ୍ମିଅଛ ନାରାୟଣ ।'


କୁହାଯାଏ, ଅବତାରମାନେ ଅବତୀର୍ଣ୍ଣ ହେଲାବେଳେ ତାଙ୍କର କାର୍ଯ୍ୟରେ ସହାୟତା କରିବାପାଇଁ ବହୁ ଯୁଗପୁରୁଷଙ୍କର ଆବିର୍ଭାବ ଘଟେ । ସେହି ସାର୍ଥକ ସହଯୋଗ ଲାଗି ବିଦ୍ୟମାନ ଥିଲେ ବହୁ କ୍ରାନ୍ତିପୁରୁଷ ରାଧାନାଥ ଆଉ ଫକୀରମୋହନଙ୍କଠାରୁ ଆରମ୍ଭ କରି ଗଂଗାଧର, ଚନ୍ଦ୍ରଶେଖର, କୃଷ୍ଣଚନ୍ଦ୍ର ଗଜପତି, ଶଶିଭୂଷଣ ପ୍ରମୁଖ ବହୁ ଜନନାୟକଗଣ । ହଁ, ସେହିମାନେ

ହିଁ ଗୌରବୋଜ୍ୱଳ ଉତ୍କଳ ଭୂମିର ଯୋଗ୍ୟ ଦାୟାଦ ,ଯେଉଁମାନେ ବିଖଣ୍ଡିତ ୟୁହୁଦୀ, ଜର୍ମାନୀ ଆଉ ଇତାଲୀୟ ଜାତି ଏକତ୍ରିତ ହେଲା ପରି ଚ୍ଛିନ୍ନ ବିଚ୍ଛିନ୍ନ ଓଡ଼ିଆ ଜାତିପାଇଁ ଆଣି ଦେଇଥିଲେ ନିଜସ୍ୱ ସ୍ୱତନ୍ତ୍ର ଭତ୍ତିଭୂମି ଆଉ ଏକୀଭୂତ ପ୍ରାଣସତ୍ତା । ସେହିମାନେ ହିଁ ଏ ମାଟିର ବିସମାର୍କ, ଗାରିବାଲ୍‍ଡ଼ି, ମାଜିନୀ ଆଉ ମୋଜେସ୍‍ ଏ ପ୍ରାନ୍ତର ମୁକୁଟବିହୀନ ଅଧୀଶ୍ୱର ।


ଦୁଇହଜାର ମସିହାର ପ୍ରାକ୍‍କାଳରେ ପଶ୍ଚାତକୁ ଦୃଷ୍ଟି ନିକ୍ଷେପ କଲେ କେତୋଟି ସ୍ମରଣୀୟ ବର୍ଷ ଝଲସି ଉଠନ୍ତି । ଶୃଙ୍ଖଳିତ ଓ ସୁଦୃଢ଼ ସୈନ୍ୟବାହିନୀର ପରାକାଷ୍ଠା ମଧ୍ୟରେ ଓଡ଼ିଶା ଏକଦା ଏକ ସୁବିଶାଳ ସାମ୍ରାଜ୍ୟରେ ପରିଣତ ହୋଇ ଐତିହ୍ୟର ଶୀର୍ଷସ୍ଥାନରେ ପହଞ୍ଚିଥିଲା । ମାତ୍ର ଆତ୍ମଘାତୀ କାର୍ଯ୍ୟକଳାପ ମଧ୍ୟରେ ୧୫୬୮ରେ ଏହା ସ୍ୱାଧୀନତା ହରାଇ ପରାଧୀନତାର ଶୃଙ୍ଖଳ ମଧ୍ୟରେ ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା । କିନ୍ତୁ ଦୀର୍ଘ ୩୦୦ ବର୍ଷର ସୁଷୁପ୍ତି ପରେ ୧୯୦୦ ମସିହାରେ ଏହା ପୁ'ଣି କଡ଼ ଲେଉଟାଇଲା ।
ଓଡ଼ିଶାର ଋଦ୍ଧିମନ୍ତ ବାଣିଜ୍ୟ ପରମ୍ପରାର ଅବସାନ ପରେ ଓଡ଼ିଶା ସାରା ଭାରତରୁ ଯାତାୟାତ ଓ ଗମନାଗମନ ଦୃଷ୍ଟିରୁ ବିଚ୍ଛିନ୍ନ ହୋଇ ଯାଇଥିଲା । ଏପରିକି ବ୍ରିଟିଶ ସାମ୍ରାଜ୍ୟରେ ବଂଗ ପ୍ରାଦେଶିକ ଶାସନର ଅନ୍ତର୍ଭୁକ୍ତ ହୋଇ ମଧ୍ୟ ଓଡ଼ିଶାରୁ କଲିକତା ଯିବା ସହଜ ସାଧ୍ୟ ନଥିଲା । ସ୍ଥଳପଥରେ ବାଲେଶ୍ୱରର ନରଣଗଡ଼ ପରେ ଦସ୍ୟୁଙ୍କ ଦୌରାତ୍ମ୍ୟ ଅସମ୍ଭବ ଧରଣର ଥିଲା । ତେଣୁ ଫକୀରମୋହନଙ୍କ ଉଦ୍ଧୃତି ଅନୁସାରେ- "ହଳଦୀ ମଖାମଖି, ନରଣଗଡ଼ ପାରିହେଲେ କୁଟୁମ୍ବ ଦେଖାଦେଖି ।"
ପାରାଦ୍ୱୀପ ନିକଟସ୍ଥ ବତୀଘରକୁ ମାସରେ ପ୍ରାୟ ଥରେ କିମ୍ବା ଦୁଇଥର ଆସୁଥିବା ଜାହଜଦ୍ୱାରା କଟକ ସହିତ କଲିକତାର ପ୍ରାସାଶନିକ ସଂପର୍କ ସ୍ଥାପିତ ହୋଇଥିଲା । ପ୍ରାୟ ୧୮୬୮ ସାଲରେ ଚାନ୍ଦବାଲିରୁ କଲିକତା ସହିତ ସଂପର୍କ ସ୍ଥାପିତ ହେଲା । ନଅଙ୍କ ଦୁର୍ଭିିକ୍ଷ ପୂର୍ବରୁ ୧୮୬୨ ବେଳକୁ ଯୋବ୍ରାଠାରେ ଓ ନରାଜଠାରେ ଆନିକଟ ନିର୍ମାଣ ପରେ ଜଳସେଚନପାଇଁ କେନାଲ୍‍ ନିର୍ମାଣ ହେବା ପରେ କେନାଲ୍‍ ଆଉ ନଦୀପଥ ମାଧ୍ୟମରେ ଲଞ୍ଚଦ୍ୱାରା ଯୋବ୍ରାଠାରୁ ଚାନ୍ଦବାଲି

ଯିବା ସମ୍ଭବ ହୋଇଥିଲା । ୧୮୭୮ ବେଳକୁ ବ୍ୟାବସାୟିକ ଲଞ୍ଚ ଚଳାଚଳ ଆରମ୍ଭ ହେଲା । ଇଷ୍ଟକୋଷ୍ଟ କେନାଲ୍‍ ଓଡ଼ିଶା ଉପକୂଳ ଦେଇ ଖୋଳାଯିବା ପରେ ୧୮୮୪ ବେଳକୁ ଯୋବ୍ରାଠାରୁ କଲିକତା ପର୍ଯ୍ୟନ୍ତ କେନାଲ ଜରିଆରେ ଲଞ୍ଚ ଚଳାଚଳ ସମ୍ଭବ ହେଲା । ଏହି ଦୃଷ୍ଟିରୁ ଓଡ଼ିଶା ଉପକୂଳରେ ରେଳଲାଇନ୍‍ ବିଛାଇବାପାଇଁ ସରକାରଙ୍କର କୌଣସି ଯୋଜନା ନଥିଲା । କାରଣ ନଦୀବହୁଳ ଅଞ୍ଚଳରେ ରେଳଲାଇନ୍‍ ନିର୍ମାଣ ବ୍ୟୟବହୁଳ ଥିଲା । ୧୮୮୬ ବେଳକୁ ଇଷ୍ଟକୋଷ୍ଟ ଦ୍ୱାରା କଟକକୁ କଲିକତା ସହିତ କେନାଲ ପଥରେ ସଂଯୁକ୍ତ କରିବାର ଯୋଜନା ପ୍ରାୟ ସମାପ୍ତ ହୋଇ ଆସୁଥିଲା ।
ମାତ୍ର ୧୮୮୮ରୁ ମଧୁସୂଦନଙ୍କ ପକ୍ଷରୁ ଉତ୍କଳ ସଭା ମାଧ୍ୟମରେ କ୍ରମାଗତ ଦାବି ଉପସ୍ଥାପନ ପରେ ୧୮୯୪ ସାଲରେ ରେଳପଥ ନିର୍ମାଣର ଯୋଜନା ଆରମ୍ଭ ହେଲା । ୧୮୯୭ ବେଳକୁ ଧାନମଣ୍ଡଳ ଷ୍ଟେସନ ଓ ପଶ୍ଚିମବଙ୍ଗର ରୂପନାରାୟଣ ନଦୀ କୂଳରେ ଥବା କୋଲାଘାଟ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହେଲା । ୧୮୯୮ରୁ ରେଳ ନିର୍ମାଣ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେଲା । ସେହିବର୍ଷ ଫେବ୍ରୁଆରି ମାସରେ ମହାନଦୀ ସେତୁ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପିତ ହେଲା । ଡିସେମ୍ବର ସୁଦ୍ଧା ବିରୂପା, କୁଆଖାଇ, କାଠଯୋଡ଼ି ନଦୀ ଉପରେ ପୋଲପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହେଲା । ଏଣେ ପ୍ରାୟ ଏପ୍ରିଲ୍‍ ୧୮୯୯ ବେଳକୁ ପୋଲ ନିର୍ମାଣକୁ ବାଦଦେଇ ଖୋର୍ଦ୍ଧା ପର୍ଯ୍ୟନ୍ତ ରେଳଲାଇନ୍‍ ବିଛା ସରିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ମାର୍ଚ୍ଚ ୧୯୦୦ ସାଲ ବେଳକୁ ମହାନଦୀ ସେତୁ (୨୯ସ୍ତମ୍ଭ), କାଠଯୋଡ଼ି ସେତୁ (୧୬ ସ୍ତମ୍ଭ) ଓ କୁଆଖାଇ (୧୮ସ୍ତମ୍ଭ) ସେତୁ ନିର୍ମାଣ ସରିଥିଲା । ରୂପ ନାରାୟଣ ନଦୀ ଉପରେ ପୋଲ ନିର୍ମାଣ ହେବା ପରେ ପ୍ରଥମେ ରେଳଗାଡ଼ି ହାଓଡ଼ାରୁ ୧୯୦୦ ମଇମାସ ୫ ତାରିଖରେ ବାହାରି ପୁରୀରେ ପ୍ରାୟ ୧୮ ଘଣ୍ଟା ମଧ୍ୟରେ ପହଞ୍ଚିଥିଲା । ସେ ବର୍ଷର ରଥଯାତ୍ରାପାଇଁ ପ୍ରଥମ ଥର ଯାତ୍ରୀମାନେ ରେଳପଥରେ ଅତ୍ୟନ୍ତ ଉତ୍ସାହ ସହକାରେ ଆସି ପୁରୀରେ ପହଞ୍ଚିଥିଲେ ।
ଦକ୍ଷିଣରେ ଏଣେ ୧୮୯୪ ସାଲରେ ରାଜମହେନ୍ଦ୍ରୀରୁ ରେଳପଥ ଆରମ୍ଭ ହୋଇ ଖୋର୍ଦ୍ଧାରୋଡ଼କୁ ୧୮୯୭ ସାଲରେ ସଂଯୁକ୍ତ କରି ଦିଆଯାଇଥିଲା ଓ ରେଳ ଚଳାଚଳ ଆରମ୍ଭ ହୋଇଥିଲା । ମାତ୍ର ଗୋଦାବରୀର ପ୍ରଖର ସ୍ରୋତ, ସେତୁ ନିର୍ମାଣରେ ବାଧାପ୍ରଦାନ କରିଥିଲା । ଏଣେ ମହାନଦୀ ସେତୁ ମାତ୍ର ୨ ବର୍ଷରେ ନିର୍ମାଣ ହୋଇଥିଲେ ମଧ୍ୟ , ଗୋଦାବରୀ ସେତୁ ନିର୍ମିତ ହେବାପାଇଁ ପ୍ରାୟ ୧୧ ବର୍ଷରୁ ଅଧିକକାଳ ଲାଗିଥିଲା । ଅବଶେଷରେ ଏହାର ନିର୍ମାଣ ୧୯୦୦ ସାଲ ଶେଷବେଳକୁ ସଂପୂର୍ଣ୍ଣ ହୋଇଥିଲା । ଆଉ ସେହିବର୍ଷ ଡିସେମ୍ବର ୧୪ ତାରିଖରେ ଭାରତର ବଡ଼ଲାଟ୍‍ ଲଡର଼୍ କର୍ଜନ ଏହାକୁ ଉଦ୍‍ଘାଟନ କରିଥିଲେ । ଏଥିପାଇଁ ସେ ମାନ୍ଦ୍ରାଜରୁ ଏକ ଟ୍ରେନ୍‍ରେ ଆସିଥିଲେ । ଏହି ସେତୁ ଉଦ୍‍ଘାଟନ ହେବା ପରେ ଓଡ଼ିଶା ସମଗ୍ର ଭାରତ ସହିତ ସଂପର୍କିତ ହୋଇଗଲା । ମାନ୍ଦ୍ରାଜ ଓ କଲିକତାକୁ ସଂଯୁକ୍ତ କରୁଥିବା ରେଳପଥ ଓଡ଼ିଶାର ଉପକୂଳ ଦେଇ ଯାତାୟାତ କଲା । ଏତେକାଳ ବିଚ୍ଛିନ୍ନ ହୋଇ ରହିଥିବା ଓଡ଼ିଶା ଶେଷରେ ଅନ୍ୟ ରାଜ୍ୟମାନଙ୍କ ସହିତ ସଂଯୁକ୍ତ ହେଲା ।

୧୮୯୭ ସାଲରେ ଯେତେବେଳେ ମଧୁସୂଦନ ଇଂଲଣ୍ଡକୁ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣର ସୂତ୍ର ଖୋଜିବାକୁ ଯାଇଥିଲେ, ସେତେବେଳେ ବହୁ ଶୁଭାକାଙ୍‍କ୍ଷୀ ବନ୍ଧୁଙ୍କଠାରୁ ପରାମର୍ଶ ମିଳିଲା ଯେ ଭାରତରେ ନିଯୁକ୍ତ ହୋଇଥିବା ନୂତନ ବଡ଼ଲାଟଙ୍କ ହାତରେ ଏହି ସମସ୍ୟାର ସମାଧାନର ସୂତ୍ର ରହିଛି । ୧୮୯୯ ସାଲରେ ବଡ଼ଲାଟ ଭାବେ ଯୋଗଦେଲେ, ସଂସ୍କୃତି, ପ୍ରତ୍ନତତ୍ତ୍ୱ ଆଉ ସ୍ଥାପତ୍ୟରେ ଅଭିରୁଚି ରଖିଥିବା ଲର୍ଡ କର୍ଜନ । ମଧୁସୂଦନ ବଡ଼ଲାଟଙ୍କ ପାଖକୁ କ୍ରମାଗତ ଭାବେ ଆବେଦନ ପତ୍ର ପ୍ରେରଣ କରିବାକୁ ଲାଗିଲେ । ଆବେଦନ ପତ୍ରର ଭାଷା ଅତ୍ୟନ୍ତ ମାର୍ମିକ ଆଉ ପ୍ରାଣସ୍ପର୍ଶୀ ଥିଲା ।
ମଧୁସୂଦନ କର୍ଜନଙ୍କୁ ସିମଲାଠାରେ ୧୯୦୦ ସାଲର ଅକ୍ଟୋବର ୨ୟ ସପ୍ତାହରେ ଭେଟି ଦାବୀ ଉପସ୍ଥାପନା ପରେ ପୁରୀ ଓ ଭୁବନେଶ୍ୱରର ମନ୍ଦିରମାଳିନୀ ନଗରୀ ପରିଦର୍ଶନ କରିବାକୁ ଅନୁରୋଧ କଲେ । ନୂତନ ରେଳପଥ ସଂଯୁକ୍ତି ସୁଯୋଗ ନେଇ ୧୬.୧୨.୧୯୦୦ରେ କର୍ଜନ ପୁରୀ ଓ ଭୁବନେଶ୍ୱର ନଗରୀ ପରିଦର୍ଶନ ପରେ ଓଡ଼ିଶାର ଭାଗ୍ୟ ଉନ୍ମୋଚିତ ହେଲା ।
ମଧୁସୂଦନଙ୍କ ସ୍ୱଦେଶୀ ଶିଳ୍ପାୟନର କାର୍ଯ୍ୟକ୍ରମ ୧୯୦୦ ସାଲବେଳକୁ ପୂର୍ଣ୍ଣାଙ୍ଗତା ଲାଭ କରିଥିଲା । ଦଳିତମାନଙ୍କର ଆର୍ଥିକ ଅଭ୍ୟୁତ୍ଥାନ ଜୋତା ତିଆରି ମାଧ୍ୟମରେ ରୂପରେଖ ନେଇ ପାରିଥିଲା ।
ଏ ସମସ୍ତ ଦୃଷ୍ଟିରୁ ୧୯୦୦ ସାଲ ଥିଲା ଓଡ଼ିଶାର ଅଭ୍ୟୁଦୟ ପାଇଁ ଏକ ଗରିମାଦୀପ୍ତ ସମ୍ବତ୍ସର ।

ବିଂଶ ଶତାବ୍ଦୀର ପୃଷ୍ଠଭୂମିରେ ୧୯୦୩ ସାଲଟି ଥିଲା ଏକ ଅବିସ୍ମରଣୀୟ କ୍ରାନ୍ତିକାରୀ ସମ୍ବତ୍ସର । ଉତ୍କଳର ଇତିହାସ ପରିପ୍ରେକ୍ଷୀରେ ଏହା ଥିଲା ଅଭ୍ୟୁଥାନର ମହିମାଦୀପ୍ତ ବର୍ଷ, ଯହିଁରୁ ସ୍ରୋତସ୍ୱିନୀ ଭଳି ଉତ୍ସରିତ ଘଟଣା ପ୍ରବାହ, ପରବର୍ତ୍ତୀ କାଳକୁ ପ୍ରଭାବିତ କରିଥିଲା । ୧୯୩୬ ରେ ନୂତନ ଓଡ଼ିଶା ପ୍ରଦେଶର ଗଠନ ଥିଲା ତାହାର ଏକ ଫଳଶ୍ରୁତି ।
୧୯୦୨ର ଶେଷ ପ୍ରାନ୍ତରେ, ଡିସେମ୍ବର ୨୨ରୁ ୨୪ ତାରିଖ ମଧ୍ୟରେ, ଅହମ୍ମଦାବାଦଠାରେ ଭାରତୀୟ ଜାତୀୟ କଂଗ୍ରେସର ସାମ୍ବତ୍ସରିକ ଅଧିବେଶନରେ ସଭାପତିତ୍ୱ କରିବା ପରେ, ସୁରେନ୍ଦ୍ର ନାଥ ବାନାର୍ଜୀ ସେହି ମାସର ଶେଷ ଭାଗରେ କଲିକତାର ଗ୍ରାଣ୍ଡ ହୋଟେଲ୍‍ରେ ଅବସ୍ଥାନ କରୁଥିବା ମଧୁସୂଦନ ଦାସଙ୍କୁ ଭେଟିଥିଲେ । ୧୯୦୩ ସାଲର ଶେଷ ଦୁଇଦିନ, ଡିସେମ୍ବର ୩୦ ଓ ୩୧ ତାରିଖରେ, ବଂଗ ପ୍ରାଦେଶିକ କନ୍‍ଫରେନ୍‍ସ (ଯାହା କଂଗ୍ରେସ ସହିତ ସଂଯୁକ୍ତ ଥିଲା)ର ଗୋଟିଏ ଅଧିବେଶନ କଟକରେ କରାଇବା ପାଇଁ ସେ ମଧୁବାବୁଙ୍କୁ କହିଥିଲେ । ମାତ୍ର ଏହି ଅଧିବେଶନରେ ସମଗ୍ର ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣଲାଗି ଏକ ପ୍ରସ୍ତାବ ଗୃହୀତ ହେବା ଜରୁରୀ ବୋଲି ପ୍ରତ୍ୟୁତ୍ତରରେ ମଧୁବାବୁ ନିବେଦନ କରିଥିଲେ । ସୁରେନ୍ଦ୍ର ନାଥ ଏଥିରେ ଉତ୍‍କ୍ଷିପ୍ତ ହୋଇ ଉତ୍ତର ଦେଇଥିଲେ- "ଏହା ଅସମ୍ଭବ", ତାଙ୍କର ଅନୁଚ୍ଚାରିତ ଉତ୍ତର ବୋଧହୁଏ ଥିଲା-"ବଂଗଭୂମିର ଅବିଚ୍ଛେଦ୍ୟ ଅଂଗ ଓଡ଼ିଶା ଡ଼ିଭିଜନର କଟକଠାରେ, ଏହିଭଳି ପ୍ରସ୍ତାବ ଗ୍ରହଣର ଆସ୍ପର୍ଦ୍ଧା ଅମାର୍ଜନୀୟ ଧୃଷ୍ଟତା ।" ଏହି ସ୍ପର୍ଶକାତର ମୁହୂର୍ତ୍ତରେ ନବ ଓଡ଼ିଶାର ଯେପରି ଗର୍ଭାଧାନ ଘଟିଥିଲା । ସେହିକ୍ଷଣରେ କଲିକତାର ଗ୍ରାଣ୍ଡ ହୋଟେଲ୍‍ କକ୍ଷରେ ମଧୁସୂଦନ କୃତ ସଂକଳ୍ପ ହେଲେ ଯେ, ବଂଗ ପ୍ରାଦେଶିକ କନ୍‍ଫରେନ୍‍ସ ପରିବର୍ତ୍ତେ ସେହି ସମୟରେ ପ୍ରାକୃତିକ ଉତ୍କଳର ମହା ସମ୍ମେଳନ ବିପୁଳ ଉଦ୍ଦୀପନା ଓ ଉତ୍ସାହ ମଧ୍ୟରେ କଟକଠାରେ ଅନୁଷ୍ଠିତ ହେବ । (ପଣ୍ଡିତ ନୀଳକଣ୍ଠ ଓ ଶୈଳବାଳାଙ୍କ ବକ୍ତବ୍ୟରୁ ଗୃହୀତ) ।
ପ୍ରକୃତରେ ବ୍ରିଟିଶ ସାମ୍ରାଜ୍ୟର ବଂଗ ଉପନିବେଶ ମଧ୍ୟରେ, ଓଡ଼ିଶା ଥିଲା ମଧ୍ୟବର୍ତ୍ତୀ ଶାସକଙ୍କ କରାୟତ୍ତ ଓ ଶୋଷଣର ଗ୍ରାସରେ ଯନ୍ତ୍ରଣାଗ୍ରସ୍ତ ଅନ୍ୟଏକ ଅଧସ୍ତନ ଉପନିବେଶ ।

ମଧୁସୂଦନଙ୍କ ଭାଷାରେ ଓଡ଼ିଶା ଥିଲା "କଲୋନି ଅଫ୍‍ କଲୋନିଜ୍‍" । ଫକୀରମୋହନଙ୍କର ଜୀବନୀକାର ବୋଲଟନ୍‍ଙ୍କ ବକ୍ତବ୍ୟରେ ମୋଗଲ ବନ୍ଦୀ ଓଡ଼ିଶା ଥିଲା ବହିରାଗତ ବଂଗାଳୀମାନଙ୍କ ଦ୍ୱାରା ବନ୍ଧକପ୍ରାପ୍ତ ଏକ ବନ୍ଦୀଶାଳା । ତେଣୁ ସେହି ଯୁଗରେ ଓଡ଼ିଶାର "ମୁକ୍ତି ସଂଗ୍ରାମ", ଏହାର ନିଷ୍ପେଷଣ ବିରୁଦ୍ଧରେ ପ୍ରଧାବିତ ହେବାକୁ ବାଧ୍ୟ ହୋଇଥିଲା, ଯାହାର ଅଧିନାୟକ ଥିଲେ ମଧୁସୂଦନ ଦାସ । ୧୯୨୧ ସାଲ ପରର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଗଠନର ପ୍ରକ୍ରିୟା, ପଡୋଶୀ ପ୍ରଦେଶମାନଙ୍କ ନେତୃବର୍ଗଙ୍କ ଦ୍ୱାରା କେବଳ ପ୍ରତ୍ୟାକ୍ଷ୍ୟାତ ହୋଇନଥିଲା, ସେମାନଙ୍କର ସୁପରିକଳ୍ପିତ ଚକ୍ରାନ୍ତରେ ବହୁବାର ବିଡ଼ମ୍ବିତ ଓ ପ୍ରବଞ୍ଚିତ ହୋଇଥିଲା ।
ସେହିପରି ସେ ସମୟରେ, ମଧ୍ୟ ପ୍ରଦେଶର ନାଗପୁର ସଚିବାଳୟରେ ଅଧିଷ୍ଠିତ ପଦସ୍ଥ ମରାଠୀ ଓ ହିନ୍ଦୀଭାଷୀ ମଧ୍ୟବର୍ତ୍ତୀ ଉପନିବେଶବାଦୀ ପ୍ରଭୁଗଣଙ୍କ ପ୍ରରୋଚନାରେ, ୧୮୯୬ସାଲରୁ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାକୁ କେବଳ ନିଷିଦ୍ଧ କରାଯାଇ ନଥିଲା, ୮୨ ଗୋଟି ଓଡ଼ିଆ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଛେଦ କରାଯାଇଥିଲା । ଏହାରି ବିରୋଧରେ ସ୍ୱଭାବ କବି ଗଂଗାଧର ମେହେର; ଧରଣୀଧର ମିଶ୍ର, ମଦନମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ଶ୍ରୀପତି ମିଶ୍ର, ବଳଭଦ୍ର ସୂପକାର, ମହନ୍ତ ବିହାରୀ ଦାସ ଆଦିପଞ୍ଚସଖା : ପ୍ରାଶାସନିକ ଅଧିକାରୀ ବୈକୁଣ୍ଠନାଥ ପୂଜାରୀ ତଥା ବିଶିଷ୍ଟ ନେତୃପୁରୁଷ ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତଃସ୍ଫୂର୍ତ୍ତ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ନିଷ୍ପେଷଣର ଯନ୍ତ୍ରଣାରେ ଜର୍ଜରିତ ଗଂଗାଧର ମେହେର ଏହି ଭାଷା ସଂଗ୍ରାମରେ ଯୋଗଦାନ କରି ଯେଉଁ ଆବହନୀ ସଂଗୀତଟି ରଚନା କରିଥିଲେ, ତାହାର ପ୍ରଥମ ପଙ୍‍କ୍ତିଟି ଥିଲା- "ନିଜ ଘରେ ବସି ନିର୍ବାସନ ଦୁଃଖ ଏ ଆମ୍ଭ କପାଳ ଲିଖନ" । ପରବର୍ତ୍ତୀ କାଳରେ ଉତ୍କଳ ସଭାର ସଭାପତି ମଧୁସୂଦନ ଦାସଙ୍କର ବଡ଼ଲାଟ ଲର୍ଡ କର୍ଜନଙ୍କ ସହିତ ସଂପର୍କ ସ୍ଥାପନ ପରେ ୧୮.୬.୧୯୦୨ରେ ପ୍ରଚାରିତ ଆଦେଶ କ୍ରମେ ୧.୧.୧୯୦୩ରେ ସମ୍ବଲପୁରରେ ପୁଣି ଓଡ଼ିଆ ଭାଷା ପୁନଃ ସଂସ୍ଥାପିତ ହେଲା । ଏହାକୁ ଆଧାର କରି ୧୯୦୩ ସାଲଟି ଓଡ଼ିଆ ଭାଷା ସଂସ୍ଥାପନ ଶତାବ୍ଦୀ ରୂପେ ପାଳିତ ହେଉଛି ।
୧୯୦୩ ସାଲର ପ୍ରାରମ୍ଭରେ ସପ୍ତମ ଏଡ଼ଓ୍ୱାର୍ଡଙ୍କର ମୁକୁଟ ଉତ୍ସବ ଉପଲକ୍ଷେ କଟକରେ ସମ୍ମିଳିତ ହୋଇଥିବା ରାଜନ୍ୟମଣ୍ଡଳୀ, ଜମିଦାର ବର୍ଗ, ବୁଦ୍ଧିଜୀବୀ ଗୋଷ୍ଠୀ, ଶିକ୍ଷିତ ସଂପ୍ରଦାୟ ତଥା ଜନସାଧାରଣଙ୍କୁ ଆହ୍ୱାନକରି ବିସ୍ମୃତ ଓଡ଼ିଆ ଜାତିକୁ ଜାଗରିତ କରିବାପାଇଁ ମଧୁସୂଦନ ଦାସ ୭.୧.୧୯୦୩ ନିଜସ୍ୱ କୋଠିରେ ବିପୁଳ ଉଦ୍ଦୀପନା ମଧ୍ୟରେ ଏକ ଜାତୀୟ ସମାରୋହର ଆୟୋଜନ କରିଥିଲେ ।
ସମଗ୍ର ଓଡ଼ିଶାର ଉପକୂଳରେ ରେଳ ଚଳାଚଳ ୧୯୦୦ ସାଲରୁ ଆରମ୍ଭ ହେବା ପରେ ମାନ୍ଦ୍ରାଜ ପ୍ରଦେଶ ଅଧୀନରେ ଥିବା ଦକ୍ଷିଣ ଓଡ଼ିଶା ସହିତ, ଓଡ଼ିଶା ମୂଳ ଭୂଖଣ୍ଡର ସଂପର୍କ କ୍ରମଶଃ ନିବିଡ଼ତର ହେଲା । ମଧୁସୂଦନଙ୍କ ଆହ୍ୱାନରେ ଖଲିକୋଟ ନରେଶ ହରିହର ମର୍ଦ୍ଦରାଜ ୧୯୦୨ ସାଲରେ ରମ୍ଭା ସମ୍ମେଳନ ଓ ୧୯୦୩ ସାଲର ଏପ୍ରିଲ୍‍ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରଠାରେ ଗଂଜାମ ଜାତୀୟ ସମ୍ମେଳନର ସଂଯୋଜନା କରିଥିଲେ । ଗଂଜାମର ପ୍ରଥମ ଗ୍ରାଜୁଏଟ୍‍ ଶ୍ୟାମସୁନ୍ଦର

ରାଜଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନ ଜନଜାଗରଣର ପରିପ୍ରେକ୍ଷୀରେ ଅଭୂତପୂର୍ବ ଥିଲା । ମଧୁସୂଦନ ଦାସ ବ୍ରହ୍ମପୁର ରେଳଷ୍ଟେସନଠାରେ ପହଞ୍ଚିବା ପରେ ଉଦ୍‍ବେଳିତ ଜନତା ବିପୁଳ ଉତ୍ସାହ ମଧ୍ୟରେ ତାହାଙ୍କୁ ଖାଲି ଗାଡ଼ିରେ ବସେଇ ବାହିନେବାପାଇଁ ଉତ୍ସୁକ ହୋଇ ଉଠିଥିଲେ । ଏହି ଅଧିବେଶନରେ ଫକୀରମୋହନ ସେନାପତି, ବିଶ୍ୱନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ, ନନ୍ଦ କିଶୋର ବଳ, ପୁରୀରୁ ଗୋପବନ୍ଧୁ ଦାସ ତଥା ପ୍ରାକୃତିକ ଓଡ଼ିଶାର ପ୍ରତିନିଧିମାନେ ଯୋଗଦାନ କରିଥିବାରୁ ଏହା ଏଣିକି ଉତ୍କଳ ସମ୍ମିଳନୀ ବୋଲାଇବ" ବୋଲି ସମ୍ମତି ପ୍ରକାଶ ପାଇଥିଲା । ସେହି ବେଳର ନନ୍ଦ କିଶୋର ବଳଙ୍କ ଦ୍ୱାରା ସ୍ୱତଃସ୍ଫୂର୍ତ୍ତ ଭାବେ ରଚିତ ଅନବଦ୍ୟ ଗୀତିକା" ଉଠଗୋ ଦୁଃଖିନୀ ଉତ୍କଳ ଜନନୀ"କୁ କଟକର ପ୍ରଖ୍ୟାତ ଗାୟକ ଉସ୍ତାଦ ଖାନୁ ମିଆଙ୍କର ମାଦକତା ଭରା ଉଦ୍‍ବେଳିତ କଣ୍ଠରେ ଭାବବିହ୍ୱଳିତ ଗାୟନ, ଅଧିବେଶନକୁ ଅପୂର୍ବ ଉନ୍ମାଦନାରେ ଭରିଦେଇଥିଲା ।
ସେହି ବର୍ଷର ମାର୍ଚ୍ଚ ମାସରେ ମଧୁସୂଦନ ଦାସ, କଟକର ଆଲୋଚନା ସଭା ପକ୍ଷରୁ ମୟୂରଭଞ୍ଜ ନରେଶ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ଆଲୋଚନା ସଭାର ଅଧ୍ୟକ୍ଷ ଭକ୍ତକବି ମଧୁସୂଦନ ରାଓଙ୍କୁ ଭେଟି ଏହି ଆଲୋଚନା ସଭାର କ୍ଷୁଦ୍ର ଅନୁଷ୍ଠାନକୁ "ବଂଗ ସାହିତ୍ୟ ପରିଷଦ" ଭଳି ଏକ ବୃହତ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆବେଦନ ଜଣାଇଥିଲେ, ଯେପରି ଏହା ସମଗ୍ର ଓଡ଼ିଶାର ପରିବ୍ୟାପ୍ତ ପରିସରରେ ଉତ୍କଳ ସମ୍ମିଳନୀର ପରିପୂରକ ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ରୂପେ କାର୍ଯ୍ୟ କରିବ । ଏହି ଅନୁରୋଧ ରକ୍ଷାକରି ୭.୫.୧୯୦୩ର ଏକ ଐତିହାସିକ ଅଧିବେଶନରେ ମଧୁରାଓ ଆଲୋଚନା ସଭାକୁ, ବିପୁଳ ଶ୍ରଦ୍ଧା, ପ୍ରତିଶ୍ରୁତି ଓ ସମ୍ଭାବନା ବହନ କରୁଥିବା "ଉତ୍କଳ ସାହିତ୍ୟ ସମାଜ" ରେ ପରିଣତ କରିଥିଲେ । ଅଧ୍ୟକ୍ଷ ମଧୁରାଓଙ୍କ ଛଡ଼ା ଉତ୍କଳ ସାହିତ୍ୟ ସମାଜର ସହକାରୀ ସଭାପତି ରୂପେ ଫକୀରମୋହନ ସେନାପତି ଓ ରାମଶଙ୍କର ରାୟ ଏବଂ ସଂପାଦକ ରୂପେ ବିଶ୍ୱନାଥ କର ବରିତ ହୋଇଥିଲେ । ଏହାପରେ ଶହେବର୍ଷର ଗୌରବଦୀପ୍ତ ଅଧ୍ୟାୟର ପୂର୍ତ୍ତିି ପରେ ୨୦୦୩ ସାଲରେ ଉତ୍କଳ ସାହିତ୍ୟ ସମାଜର ଗରିମାମୟ ଶତାବ୍ଦୀ ସମାରୋହ ପାଳିତ ହୋଇଛି ।
ସେହି ଐତିହାସିକ ୧୯୦୩ ସାଲର ଡିସେମ୍ବର ମାସର ସ୍ମରଣୀୟ ବେଳାରେ ଦିନେ ସାନ୍ଧ୍ୟ ଭ୍ରମଣ ଅବସରରେ ମଧୁସୂଦନ ଦାସ କାଠଯୋଡ଼ି ନଦୀର ଧାରରେ, ଆପଣାର ପ୍ରାକ୍‍ ଯୌବନର ଅନ୍ତରଂଗ ସୁହୃଦ କବିବର ରାଧାନାଥଙ୍କୁ ଭେଟି ଉତ୍କଳ ସମ୍ମିଳନୀ ମଞ୍ଚରେ ଦେଶମାତୃକା ରୂପୀ ଭାରତ ଜନନୀଙ୍କର ଆବାହନୀ ସଂଗୀତ ସଂସ୍କୃତରେ ରଚନା କରିବାକୁ ସଶ୍ରଦ୍ଧ ଆବେଦନ ଜଣାଇଥିଲେ । ଏହି ସାଗ୍ରହ ନିବେଦନକୁ ମର୍ଯ୍ୟାଦା ପ୍ରଦାନ କରି କାଳଜୟୀ ରଚନା "ସର୍ବେଷାଂ ନୋ ଜନନୀ ଭାରତଧରଣୀ କଳ୍ପଲତେୟଂ" କବିତାଟି କବିବରଙ୍କ ଦ୍ୱାରା ରଚିତ ହୋଇଥିଲା । ଦେଶ ମାତୃକାର ଏହି ଆବାହନ ବେଳରେ ମଧୁ ରାଓଙ୍କର ଅନନ୍ୟ ଗୀତି କବିତାର ମୂର୍ଚ୍ଛନା ସଂବଳିତ "ଉତ୍କଳ ଗାଥା ମଧ୍ୟ ପ୍ରକାଶିତ ହୋଇ ୨୦.୧୨.୧୯୦୩ରେ ମଧୁସୂଦନ ଦାସଙ୍କୁ ଅର୍ପିତ ହୋଇଥିଲା । ଏହି ବିପୁଳ ପ୍ରସ୍ତୁତିର ଆଢ଼ୁଆଳରେ ଏକ କ୍ରାନ୍ତିକାରୀ ତଥା ଯୁଗାନ୍ତକାରୀ

ଘଟଣା ସମସ୍ତଙ୍କର ଅଗୋଚରରେ ଅନୁଷ୍ଠିତ ହୋଇଥିଲା । ତାହା ଥିଲା ସମଗ୍ର ଓଡ଼ିଆ ଜାତିର ଆଶା ଓ ଆକାଙ୍‍କ୍ଷାକୁ ବହନ କରୁଥିବା ଭାରତର ବଡ଼ଲାଟ ଲଡର଼୍ କର୍ଜନଙ୍କର ଆନୁକୂଲ୍ୟରେ ୩.୧୨.୧୯୦୩ରେ ପ୍ରଚାରିତ ହୋଇଥିବା "ରିସ୍‍ଲେ ସାର୍କୁଲାର୍‍"ର ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରକାଶନ ଯହିଁରେ ସମଗ୍ର ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣ ଲାଗି ସ୍ୱୀକୃତି ପ୍ରଦାନ କରାଯାଇଥିଲା ।
ଆଉ ୧୯୦୩ ସାଲର ଡିସେମ୍ବର ମାସରେ ଶେଷ ଦୁଇଟି ୩୦ ଆଉ ୩୧ ତାରିଖ ଓଡ଼ିଆର ହୃଦପଟରେ ଚିରଭାସ୍ୱର ହୋଇ ରହିଆସିଛି । ତାହାଥିଲା କଟକର ଇଦ୍‍ଗା ପଡ଼ିଆରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବହୁ ଆକାଙ୍‍କ୍ଷିତ ପ୍ରଥମ ଅଧିବେଶନ ଯାହା ବହୁ ପ୍ରାଜ୍ଞ ବ୍ୟକ୍ତିଙ୍କର ସମନ୍ୱୟରେ ଓଡ଼ିଶାର ସମସ୍ତ ପ୍ରାନ୍ତରୁ ଆଗତ ବ୍ୟକ୍ତିମାନଙ୍କର ଭାବବିନିମୟରେ ଏବଂ ମାର୍ଗ ଦର୍ଶନକାରୀ ଆଲୋଚନା ମାଧ୍ୟମରେ ସଂଚାଳିତ ହୋଇଥିଲା । ବିପୁଳ ଉତ୍ସାହ, ପରିପୂର୍ଣ୍ଣ ଗାମ୍ଭୀର୍ଯ୍ୟ, ଅପୂର୍ବ ନୈଷ୍ଠିକତା ମଧ୍ୟରେ ଏହି ସମ୍ମିଳନୀର ପରିକଳ୍ପନା ଅଚିନ୍ତନୀୟ ଥିଲା । ଅଦ୍‍ଭୁତ ଗୋଲାପୀ ରଂଗର ଚିତ୍ତାକର୍ଷକ ଶିରସ୍ତ୍ରାଣ ପରିହିତ ଉଦ୍ଦୀପିତ ଜନ ସମାଗମରେ, ସମ୍ମାନନୀୟ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ଅବସରରେ ଉସ୍ତାଦ ଖାନୁ ମିଆଁ ଆଉ ଗୋକୁଳ ବିହାରୀ ଶ୍ରୀଚନ୍ଦନଙ୍କର ଜଳଦ ଗମ୍ଭୀର କଣ୍ଠରେ ସଭାମଞ୍ଚକୁ ଉଲ୍ଲସିତ ଶିହରଣରେ ଭରିଦେଇ ଯେଉଁ ଉନ୍ମାଦନାର ଅନନ୍ୟ ଗୀତିମୂର୍ଚ୍ଛନା ତରଙ୍ଗାୟିତ ହୋଇଥିଲା ତାହାର ପଙ୍‍କ୍ତି ଥିଲା ଏହିପରି-

"ଏତେକାଳେ ସତେ ପରତେ ହେଉଛି ବିହି ଘଟାଇଲା ଆଣି
ନିରାଶା କୁହୁରେ ମୃତ୍ୟୁ ସଂଜୀବନୀ ଆଶା ବୀଣାଜିଣା ବାଣୀ ।"
ଏହାହିଁ ଥିଲା ନବ ଓଡ଼ିଶାର ଜନ୍ମଦାତ୍ରୀ ଉତ୍କଳ ସମ୍ମିଳନୀର ମର୍ଯ୍ୟାଦାବନ୍ତ ପ୍ରଥମ ଅଧିବେଶନ । ଏହି ଅଧିବେଶନ ସମୂହରେ ଓଡ଼ିଆ ଭାଷାରେ ଗୃହୀତ ପ୍ରସ୍ତାବାବଳୀ କେବଳ ନବ ଓଡ଼ିଶା ସୃଷ୍ଟି ଲାଗି ଅଭିପ୍ରେତ ହୋଇ ନ ଥିଲା, ଏହାମଧ୍ୟ ଥିଲା ମହାତ୍ମାଗାନ୍ଧୀଙ୍କୁ ଗଭୀର ଭାବେ ଆଲୋଡ଼ିତ କରିଥିବା ଦେଶ ନିର୍ମାଣ ଲାଗି ଅନନ୍ୟ ପୁରୋଦୃଷ୍ଟିସମ୍ପନ୍ନ ଭୂମିଲଗ୍ନ ପରିକଳ୍ପନା ବା "ବ୍ଲୁ ପ୍ରିଣ୍ଟ" ଯାହା ଏ ଯୁଗରେ ମଧ୍ୟ ଅନତିକ୍ରମ୍ୟ ହୋଇ ରହିଛି ।
ସେ ଯୁଗରେ ତାହାର ଅନବଦ୍ୟ ପରିକଳ୍ପନା କରିଥିଲେ କ୍ରାନ୍ତି ପୁରୁଷ ମଧୁସୂଦନ ।
ତେଣୁ ୧୯୦୩ ସାଲ ପରର, ବିଂଶ ଶତାବ୍ଦୀର ପରବର୍ତ୍ତୀ ସମ୍ବତ୍ସରମାନଙ୍କର ଘଟଣା ପ୍ରବାହ ଥିଲା ମାତ୍ର, ଏହାର ଅନୁକ୍ରମିକ ବିସ୍ତାରିତ ପ୍ରସାରଣ ।
ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁପଡ଼ି ସିନ୍ଧୁ ନୀରେ ।

-ମଧୁସୂଦନ