ଆମ ମଧୁସୁଦନ/ଗାନ୍ଧି ଓ ମଧୁସୁଦନ
←ସ୍ୱତନ୍ତ୍ର ଓଡ଼ିଶାର ସଂସ୍ଥାପକ | ଆମ ମଧୁସୁଦନ ଲେଖକ/କବି: ଗାନ୍ଧି ଓ ମଧୁସୁଦନ |
ସ୍ୱତନ୍ତ୍ର ବର୍ଷରେ ଓଡ଼ିଶା→ |
୧: ୧୯୨୧ ମାର୍ଚ୍ଚ ୨୩-୨୯
କଟକ, ଭଦ୍ରକ, ସତ୍ୟବାଦୀ, ପୁରୀ, ବ୍ରହ୍ମପୁର
୨: ୧୯୨୫ ଅଗଷ୍ଟ ୧୯-୨୦
କଟକ
୩: ୧୯୨୭ ଡିସେମ୍ବର ୪-୨୧
ବ୍ରହ୍ମପୁର, ଛତ୍ରପୁର, ବୋଲଗଡ଼, ବାଣପୁର, ଖୋର୍ଦ୍ଧା, ଜଟଣୀ, ପୁରୀ, ବାଲେଶ୍ବର, ଭଦ୍ରକ,କଟକ
୪: ୧୯୨୭ ଡିସେମ୍ବର-୩୦
ରମ୍ଭା
୫: ୧୯୨୮ ଡିସେମ୍ବର ୨୨
ଝାରସୁଗୁଡ଼ା, ସମ୍ବଲପୁର ସମ୍ବଲପୁରକୁ ଦିନିକିଆ ଗସ୍ତ
୬: ୧୯୩୪ ମେ ୫ ଜୁନ୍-୬
ଝାରସୁଗୁଡ଼ା, ସମ୍ବଲପୁର, ଆଠମଲ୍ଲିକ, ଅନୁଗୁଳ, ହିନ୍ଦୋଳ, ମେରାମଣ୍ଡଳୀ, ପୁରୀ, ପୁରୀରୁ ପଦଯାତ୍ରା ହରେକୃଷ୍ଣପୁର, ଚନ୍ଦନପୁର, ବୀରଗୋବିନ୍ଦପୁର, ଦାଣ୍ଡମୁକୁନ୍ଦପୁର, ବାଲିଅନ୍ତା, ପିପିଲି, ବାଳକାଟି, ସତ୍ୟଭାମାପୁର, ତେଲେଙ୍ଗାପେଣ୍ଠ, କାଜିପାଟଣା, କଟକ (୧୯୩୪ ମେ ୨୧ ପଦଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ) ବୈରୀ, ଚମ୍ପାପୁର ହାଟ, ଭେଡ଼ା, ଲକ୍ଷ୍ମଣପୁର, ଗୋପୀନାଥପୁର, ସତ୍ୟଭାମାପୁର, ବହୁକୁଦ, ଲକ୍ଷ୍ମୀନାରାୟଣପୁର, ଶିଶୁଆ, ପାଟପୁର, କେନ୍ଦୁପାଟଣା, ନିଶ୍ଚିନ୍ତକୋଇଲି, କାକଡିଆ, ସଲାର, ଭଗବତୀପୁର, କେନ୍ଦ୍ରାପଡ଼ା, ବାରିମୂଳ, ଇନ୍ଦୁପୁର, ଅଙ୍ଗୁଇସପୁର, କଲ୍ୟାଣପୁର, କଳାମାଟିଆ, କାଇପଡ଼ା, ବରି, ସାହସପୁର, ନେଉଳା, ପୁରୁଷୋତ୍ତମପୁର, ବୁଢ଼ାଘାଟ, ଯାଜପୁର, ମଞ୍ଚରୀ, ତୋଡ଼ଙ୍ଗ, ଗରଦପୁର, ଭଦ୍ରକ, ମାର୍କୋଣା, ଖନ୍ତାପଡ଼ା, ସୋର, ବାଲେଶ୍ବର, ହଳଦୀପଡ଼ା, ଅମର୍ଦା, ଜଳେଶ୍ବର (ରେଳରେ)
୭: ୧୯୩୮ ମାର୍ଚ୍ଚ ୨୫-୩୧
ବେରବୋଇ (ଡେଲାଙ୍ଗ)- ଗାନ୍ଧୀ ସେବାସଂଘ ସମିଳନୀ
୮: ୧୯୪୬ ଜାନୁଆରି ୨୦ (ରେଳରେ ଗୌହାଟୀରୁ ମାନ୍ଦ୍ରାଜ ଯିବାବେଳେ)
ବାଲଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର
ମହାତ୍ମାଗାନ୍ଧୀ ଓ ମଧୁସୂଦନ ଦାସଙ୍କ ମଧ୍ୟରେ ନିବିଡ଼ ଆନ୍ତରିକତା ସ୍ଥାପିତ ହୋଇଥିଲା । ଋଷି ଲିଓ ଟଲଷ୍ଟୟ ଅଥବା ଗୋପାଳକୃଷ୍ଣ ଗୋଖଲେଙ୍କ ପରି ଅନ୍ୟ ଏକ ପର୍ଯ୍ୟାୟରେ ଜାତିପ୍ରାଣ ମଧୁସୂଦନ ମହାତ୍ମାଗାନ୍ଧୀଙ୍କ ଜୀବନରେ ପଥପ୍ରଦର୍ଶକର ଭୂମିକାରେ କେବଳ ଅବତୀର୍ଣ୍ଣ ହୋଇ ନଥିଲେ, ୧୯୨୪ ସାଲରୁ ପ୍ରାରମ୍ଭ କରି, ସ୍ବଦେଶୀ ଶିଳ୍ପ ଆନ୍ଦୋଳନ, ହରିଜନ ସଂସ୍ଥାପନ, ଗ୍ରାମ୍ୟ ଉନ୍ନୟନ, ମୌଳିକ ଶିକ୍ଷାର ପ୍ରବର୍ତ୍ତନ ଆଦି କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କର ଚିନ୍ତାଧାରାକୁ ଗଭୀର ଭାବେ ପ୍ରଭାବିତ ଓ ଆଲୋଡ଼ିତ କରି ରଖିଥିଲେ ।
ମହାତ୍ମାଗାନ୍ଧୀଙ୍କ ସହିତ ସ୍ବଳ୍ପକାଳ ଲାଗି ମଧୁସୂଦନଙ୍କ ସାକ୍ଷାତ ଘଟିଥିଲା ୧୯୨୦ ସାଲରେ । ପରବର୍ତ୍ତୀ ସାକ୍ଷାତ୍ କେବେ ଘଟିଥିଲା, ତାହାର ବିବରଣୀ ଜଣାପଡ଼ିନଥିଲେ ମଧ୍ୟ ଶୈଳବାଳାଙ୍କ ଆତ୍ମଚରିତରୁ ଜଣାଯାଏ ଯେ, ୧୯୨୪ ରେ ମଧୁସୂଦନ ସାବରମତୀ ଆଶ୍ରମକୁ ଯାଇ କିଛିକାଳ ଅବସ୍ଥାନ କରି ମହାତ୍ମାଗାନ୍ଧୀଙ୍କୁ ଗ୍ରାମ୍ୟ ତଥା ହରିଜନ ଉନୟନର ବିଭିନ୍ନ ବିଷୟରେ ମାର୍ଗଦର୍ଶନ ଦେବା ସହିତ ଚମଡ଼ା ଓ ଅନ୍ୟାନ୍ୟ ଗ୍ରାମ୍ୟ ଶିଳ୍ପ ସଂପର୍କରେ ଅନୁଧ୍ୟାନ କରିବାପାଇଁ କଟକ ଆସିବା ସକାଶେ ନିମନ୍ତ୍ରଣ କରିଥିଲେ । ମଧୁବାବୁଙ୍କର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା, ମହାତ୍ମାଗାନ୍ଧୀଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ବ ମାଧ୍ୟମରେ ଉତ୍କଳ ଟାନେରିର ପୁନରୁଦ୍ଧାର ଏହି ଅନୁରୋଧ ରକ୍ଷାକରି ମହାତ୍ମାଗାନ୍ଧୀ ୧୯ ଅଗଷ୍ଟ ୧୯୨୫ରେ କଟକ ଆସି ମଧୁସ୍ମତିରେ ଦୁଇଦିନ ଅବସ୍ଥାନ କରି ଉତ୍କଳ ଟାନେରି ପରିଦର୍ଶନ କରିଥିଲେ । ଶୈଳବାଳାଙ୍କର ଆତ୍ମଚରିତରୁ ଜଣାଯାଏ ଯେ ୧୯୨୭ ଡିସେମ୍ବର ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମଧୁସ୍ମତିରେ, ମଧୁସୂଦନଙ୍କ ସାନ୍ନିଧ୍ୟରେ ଅବସ୍ଥାନ କରିଲେ । ଏହି ତଥ୍ୟ ବହୁକାଳ ଧରି ଅଜ୍ଞାତ ରହିଥିଲା ।
କେବଳ ସେତିକି ନୁହେଁ, ୧୯୨୫ରୁ ୧୯୩୮ ମଧ୍ୟରେ ବିଭିନ୍ନ ସଭା ସମେଳନରେ, ଉଦ୍ଘାଟନୀ ମ୍ୟାଚରେ, ସମ୍ବର୍ଦ୍ଧନା ସଭାରେତାଙ୍କର ନିଜସ୍ବ ପତ୍ରିକା ୟଙ୍ଗଇଣ୍ଡିଆ, ହରିଜନ, ନବଜୀବନ ଓ ହରିଜନ ବଂଧୁ ଆଦି ପ୍ରଖ୍ୟାତ ପତ୍ରିକାମାନଙ୍କରେ ପ୍ରକାଶିତ ବିଭିନ୍ନ ନିବନ୍ଧରେ ତଥା ହିନ୍ଦୁ ଆଉ
ବମ୍ବେର କ୍ରନିକାଲରେ ପ୍ରକାଶିତ ବିଭିନ୍ନ ଭାଷଣ ଓ ବକ୍ତବ୍ୟ ମାଧ୍ୟମରେ, ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ପ୍ରତି ଯେଉଁ ଉଲ୍ଲସିତ ଆଉ ଆବେଗ ବିଜଡ଼ିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଚାଲିଲେ, ତାହା ପ୍ରତି ଓଡ଼ିଶାର ପାଠକଶ୍ରେଣୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ନାହିଁ । ଏହା ଏ ପର୍ଯ୍ୟନ୍ତ ରହିଯାଇଛି ଅଜ୍ଞାତ ।
ମଧୁସୂଦନ ପ୍ରଚଳିତ ଶିକ୍ଷାର ଦୃଢ଼ ବିରୋଧୀ ଥିଲେ ଏବଂ କୃଷିଭିତ୍ତିକ ମୌଳିକ ଶିକ୍ଷାର ସମର୍ଥକ ଥିଲେ । ୧୮୯୭ ସାଲରୁ ସେ ପ୍ରାଥମିକ ସ୍କୁଲ୍ମାନଙ୍କରେ କୃଷି ଓ ଗ୍ରାମ୍ୟଶିଳ୍ପକୁ ଏକ ବାଧ୍ୟତାମୂଳକ ବିଷୟ ମଧ୍ୟରେ ଅନ୍ତର୍ଭୁକ୍ତ କରିବାପାଇଁ ବଂଗଳା ବ୍ୟବସ୍ଥାପକ ସଭାରେ ବାବାର ଦାବି ଉପସ୍ଥାପନ କରିଥିଲେ। ଏ ସଂପର୍କରେ ୨ ଏପ୍ରିଲ୍ ୧୯୧୦ ରେ ବଂଗଳା ବ୍ୟବସ୍ଥାପକ ସଭା କକ୍ଷରେ ବିପୁଳ ହର୍ଷଧ୍ବନି ମଧ୍ୟରେ ଏକ ଉଳିତ କଣ୍ଠରେ କହିଥିଲେ-
"ହେ ମହାଭାଗ ! ହେ ବିଶାରଦ ମଣ୍ଡଳି ! କିମ୍ବଦନ୍ତୀ କହେ ଯେ, ଯେତେବେଳେ କଳାପାହାଡ଼ ଧ୍ବଂସଲୀଳା ସଂଗଠିତ କରିବାପାଇଁ ତାର ଅଭିଯାନ ଅବ୍ୟାହତ ରଖିଥିଲା, ତାହର ଭୀତିପ୍ରଦ ଆକ୍ରମଣାତ୍ମକ ଅଗ୍ରଗତିର ସୂଚନାପ୍ରାପ୍ତି ହେବା ମାତ୍ରେ ଓଡ଼ିଶାର ମନ୍ଦିର ଗାତ୍ରରେ ସ୍ଥାପିତ ମୃଉଁମାନଙ୍କରୁ ଆତଙ୍କରେ ଶିହରିତ ହୟ ସବୁ ଖସିପଡ଼ୁଥିଲା । ସେହିପରି ବର୍ତ୍ତମାନର ପ୍ରଚଳିତ ଶିକ୍ଷା ଯେତେବେଳେ ଗ୍ରାମ ମଧ୍ୟରେ ପ୍ରବେଶ କରିବାର ଉପକ୍ରମ କରେ, ସେତେବେଳେ ଗ୍ରାମର କୁଶଳୀ କାରିଗରଙ୍କ ସୂକ୍ଷୁକଳାରେ ପ୍ରଶିକ୍ଷିତ ହସ୍ତସବୁ ଆପେଆପେ ଖସିପଡୁଛି ।” ଏ ଥିଲା ମଧୁସୂଦନର ଦିଗ୍ ଦର୍ଶନ, ଯାହା ଗଭୀର ଭାବେ ଆଛନ୍ନ କରିଥିଲା ମହାତ୍ମାଗାନ୍ଧୀଙ୍କୁ । ଶିକ୍ଷା ବୃତ୍ତିଭିତିକ ହେବା ଆବଶ୍ୟକ, ଯାହା ଛାତ୍ରମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଶିକ୍ଷାଦାନର ଖର୍ଚ୍ଚ ମଧ୍ୟ ସ୍ବୟଂବହନ କରିବାକୁ ସକ୍ଷମ ହୋଇପାରିବ । ନବଜୀବନ ପତ୍ରିକରେ ୨୩ ସେପ୍ଟେମ୍ବର ୧୯୨୮ରେ ଜାତୀୟ ସ୍କୁଲ୍ ସଂପର୍କରେ ମହାତ୍ମାଗାନ୍ଧୀ ଲେଖିଥିଲେ ଯେ, ଯେତେବେଳେ ଜଣେ ଛାତ୍ର କାରିଗରୀ ଶିଳ୍ପ ଶିକ୍ଷାକରେ ତାହାର ସଂଯୋଜନା ମଧ୍ୟରେବିଦ୍ୟାଳୟଟି ତାହାର ପରିଚୟ ପାଇଁ ଆର୍ଥିକ ସଂବଳ ସ୍ବତଃ ସଂଗ୍ରହ କରିଥାଏ । ମଧୁସୂଦନ ଦାସ ଏହିଭଳି ଏକ ପ୍ରକଳ୍ପର ସଂଯୋଜନା କରି କଟକରେ ଗୋଟିଏ ଟାନେରି ସ୍ଥାପନା କରିଥିଲେ । ଏହି ସଂଯୋଜନାର ଭିତ୍ତିଭୂମି ଅତ୍ୟନ୍ତ ଚମତ୍କାର ଥିଲା ।
୧୯୨୫ରେ କଟକଠାରେ ଉତ୍କଳ ଟାନେରି ପରିଦର୍ଶନ ପରେ ମହାତ୍ମାଗାନ୍ଧୀ ଏପରି ଅନୁପ୍ରାଣିତ ହୋଇଥିଲେ ଯେ, ୧୯୨୮ ସାଲରେ ସେ ସାବରମତି ଆଶ୍ରମରେ ଏକ ଟାନେରି ପ୍ରତିଷ୍ଠା କରିବା ପରେ ସବିଶେଷ ମାର୍ଗଦର୍ଶନ ଲାଭ କରିବାପାଇଁ ନିଜର ଗୁରୁ ସ୍ଥାନୀୟ ମଧୁସୂଦନ ଦାସଙ୍କ ପାଖକୁ ଏକ ଚିଠି, ମାର୍ଚ୍ଚ ୧୬ ତାରିଖ ୧୯୨୮ରେ ଲେଖିଥିଲେ । ଏହା ଯେପରି ପତ୍ରମାଧ୍ୟମରେ ଶିକ୍ଷାଲାଭର ଏକ ବିଧିବଦ୍ଧ କାର୍ଯ୍ୟକ୍ରମ ଥିଲା ।
ହଁ, ମହାତ୍ମାଗାନ୍ଧୀଙ୍କ ଜୀବନର ବହୁ ବିଭବ ଓ ବିଭାଗକୁ ପରିବ୍ୟାପ୍ତ କରି ଏକ ଆଲୋକବର୍ତ୍ତିକା ପରି ମାର୍ଗଦର୍ଶନ କରି ଛିଡ଼ା ହୋଇଥିଲେ ପ୍ରଜ୍ଞା ପୁରୁଷ ମଧୁସୂଦନ ଦାସ । ତେଣୁ ଗାନ୍ଧିଜୀଙ୍କର ଚିନ୍ତାଧାରା ଓ କାର୍ଯ୍ୟକ୍ରମରେ ମଧୁସୂଦନଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଜଳି ଅର୍ପଣ କରିଥିଲେ, ବହୁ ନିବନ୍ଧ, ବକ୍ତବ୍ୟ ଓ ରଚନା ମାଧ୍ୟମରେ ।
ମହାତ୍ମାଗାନ୍ଧୀଙ୍କର ହରିଜନ କର୍ମୀଙ୍କୁ ଉପଦେଶ:- “ତୁମେ ଚମଡ଼ା ପଦାର୍ଥ ସବୁ ଉତ୍ପାଦନ କରିବାକୁ ପରିକଳ୍ପନା କରିଅଛ । ମୁଁ ମଧ୍ୟ ଚମଡ଼ା କାର୍ଯ୍ୟ କରିବାକୁ ଖୁବ୍ ଭଲପାଏ । ତୁମେ ଏହାର ସମସ୍ତ କାର୍ଯ୍ୟ ମଧ୍ୟ ଶିଖିନାହିଁ । ତୁମେ କେବଳ ଚପଲ (ଚଟି) ତିଆରି କରି ସନ୍ତୁଷ୍ଟ ହୁଅନାହିଁ । ତୁମକୁ ମଧ୍ୟ ଚମଡ଼ା କଷେଇକାର୍ଯ୍ୟ କରିବାକୁ ହେବ । ତୁମେ ଯଦି ଏହି କାର୍ଯ୍ୟରେ ଦକ୍ଷତା ହାସଲ କର, ତୁମର ଓ ମୋର କାର୍ଯ୍ୟ ସୁଗମ ହୋଇଯିବ । ଆମ୍ଭମାନଙ୍କୁ ବଡ଼ବଡ଼ କାରଖାନା ସବୁ ସ୍ଥାପନା କରିବାକୁ ପଡ଼ିବ ନାହିଁ । ତୁମର ମଧ୍ୟ ଉଦ୍ୟମ କରିବା ଉଚିତ, ଯେପରି ଗାଁ ଗହଳରେ ଉନ୍ନତ ଧରଣର ଚମଡ଼ା- କଷେଇ ଶିଳ୍ପ ସ୍ଥାପନ କରିବା ସଂଭବପର ହୋଇପାରିବ । ମଧୁସୂଦନ ଦାସ କଣ କରୁଥିଲେ ? ସେ ଉତ୍କଳର ସମସ୍ତ ଚମଡ଼ାକଷେଇ କାରିଗରଙ୍କୁ ଏକତ୍ର କରିଥିଲେ । ସେମାନେ କିପରି ଚମଡ଼ାକଷେଇ କାର୍ଯ୍ୟ କରୁଥିଲେ, ତାହା ସେ ଅଧ୍ୟୟନ କରିଲେ । ମାତ୍ର ଏଥିରେ ସେ ସନ୍ତୁଷ୍ଟ ହୋଇ ନଥିଲେ । ତେଣୁ ସେ ଜର୍ମାନ ଗଲେ ଓ ସେଠାରେ ଚମଡ଼ା ଶିଳ୍ପ ବିଷୟରେ ଗଭୀର ଅନୁଧ୍ୟାନ କଲେ । ସେ କ୍ରମେ ଜଣେ ଜର୍ମାନୀ ଚମଡ଼ା ବିଶାରଦଙ୍କୁ ଆଣି ଗୋଟିଏ ଚମଡ଼ା କାରଖାନା ପ୍ରତିଷ୍ଠା କରିଥିଲେ । ମାତ୍ର ଏହି କାରଖାନା ମଧୁସୂଦନ ଦାସଙ୍କର ଅଧୀନରେ ନାହିଁ । ମୁଁ ତାହାର ବର୍ତ୍ତମାନର ସ୍ଥିତି ଜାଣେ ନାହିଁ । ବହୁତ ହରିଜନ ମଧୁସୂଦନ ଦାସଙ୍କର ତତ୍ବାବଧାନରେ ରହି ଏହି ଚମଡ଼ାଶିଳ୍ପର କାର୍ଯ୍ୟ ସଫଳତାର ସହ ଶିକ୍ଷା କରିଥିଲେ । ମଧୁସୂଦନ ଦାସଙ୍କ ପରି ତୁମେ ମଧ୍ୟ ଏହି କାର୍ଯ୍ୟରେ ପାରଦର୍ଶିତା ଲାଭକର ।' (ହରିଜନ ୩.୯.୧୯୩୩) । ମହାତ୍ମାଗାନ୍ଧୀ, ମଧୁସୂଦନ ଦାସଙ୍କ ଜୀବଦ୍ଦଶାରେ, ଓଡ଼ିଶାରେ ହରିଜନ ପଦଯାତ୍ରା ସମାହିତ କରିବାପାଇଁ ମନସ୍ଥ କରିଥିଲେ । ମାତ୍ର ମଧୁସୂଦନ ଦାସଙ୍କର ମହାପ୍ରୟାଣ ଘଟିଥିଲା ତା ୪.୨.୧୯୩୪ରେ । ଏହାର କିଛିକାଳ ପରେ ମହାତ୍ମାଗାନ୍ଧୀ ୧୯୩୪ ମସିହା ମୋ ମାସ ୮ରୁ ଜୁନ୍ ମାସ ୮ ପର୍ଯ୍ୟନ୍ତ ଓଡ଼ିଶାରେ ହରିଜନ ପଦଯାତ୍ରା ସଂଚାଳିତ କରିବା ଅବକାଶରେ ତା ୨୩.୫.୧୯୩୪ ରେ ମଧୁସୂଦନ ଦାସଙ୍କର ଜନ୍ମପୀଠ ସତ୍ୟଭାମାପୁରଠାରେ ଗୋଟିଏ
ସତ୍ୟଭାମାପୁର ଯିବା ରାସ୍ତାରେ ମହାତ୍ମାଗାନ୍ଧୀଙ୍କ ହରିଜନ ବସ୍ତି ପରିଦର୍ଶନ ରାତ୍ରିଯାପନ କରି ସେ ମହାନ ଆତ୍ମାଙ୍କ ପ୍ରତି ତାଙ୍କର ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ । ଏହି ।ଅବିସ୍ମରଣୀୟ ପଦଯାତ୍ରାର ଅବ୍ୟବହିତ ପରେ ତା ୭.୯.୧୯୩୪ରେ ହରିଜନ ପତ୍ରିକାରେ ମଧୁସୂଦନ ଦାସଙ୍କର ଅମ୍ବାନ ସୃତିବହନ କରୁଥିବା ନିମ୍ନଲିଖିତ ପ୍ରବନ୍ଧଟି ଲେଖିଥିଲେ-
"ଗୋଟିଏ ଅତ୍ୟନ୍ତ ମନ୍ଦ ସମୟ ଏହି ଦେଶକୁ ଆଚ୍ଛନ୍ନ କରି ରଖିଥିଲା, ଯେତେବେଳେ ଶ୍ରମକୁ କେବଳ ଘୃଣା କରାଗଲା ନାହିଁ, ଏହାକୁ ମଧ୍ୟ ହତାଦର କରାଗଲା । ଦେଶର କୋଟି କୋଟି ଲୋକ ଯେଉଁମାନେ ଧରିତ୍ରୀ ସ୍ବରୂପ ତାତ୍ପର୍ଯ୍ୟପୂର୍ଣ୍ଣ ଓ ମହୀୟାନ, ଯାହାଙ୍କର ଶ୍ରମ ଉପରେ ଏହି ଦେଶ ତିଷ୍ଠି ରହିଛି, ସେମାନଙ୍କୁ ନିମ୍ନବର୍ଗ ବୋଲି ଚିହ୍ନଟ କରାଗଲା । ଦେଶର କ୍ଷୁଦ୍ରିତିକ୍ଷୁଦ୍ର ବିଳାସୀ ଲୋକମାନେ ସମ୍ରାନ୍ତ ଶ୍ରେଣୀ ରୂପେ ପରିଚିତ ହେଲେ । ଏହାର ଦୁଃଖଦାୟକ ପରିଣତିରେ ଭାରତର ନୈତିକ ତଥା ବୈଷୟିକ ଦିଗସବୁ ବିପର୍ଯ୍ୟସ୍ତ ହୋଇପଡ଼ିଲା । ଏଣୁ ଖଟିଖିଆ କୃଷକ ଓ କାରିଗରମାନେ ଦାରିଦ୍ର୍ୟର ରସାତଳକୁ ଖସିପଡ଼ିଲେ ଏବଂ ନିର୍ବେଦତା ଓ ନିଶ୍ଳେଷ୍ଟତା ସେମାନଙ୍କୁ ଗ୍ରାସ କଲା । ଚମତ୍କାର ସ୍ବାସ୍ଥ୍ୟପ୍ରଦ ଜଳବାୟୁ ଉଭୁଙ୍ଗ ପର୍ବତମାଳା, ଭୂଗର୍ଭକୁ କ୍ଷରିତ କରି ବହିଯାଉଥିବା ମହାନ ନଦୀ ପ୍ରବାହ, କ୍ରମାଗତ ଭାବେ ବିସ୍ତାରିତ ସମୁଦ୍ରର ଉପକୂଳ, ସୀମାହୀନ ସଂପଦରେ ପରିପୂର୍ଣ ଭାରତ ଏହି ସମସ୍ତ ସଂପତ୍ତିର ସମୁଚିତ ବିନିଯୋଗରେ ଦାରିଦ୍ର୍ୟର ଯତ୍ରଣାକୁ ଦୂରୀଭୂତ କରିପାରିଥାନ୍ତା । ମାତ୍ର ଏହି ଦେଶରେ ଚିନ୍ତାଶକ୍ତି ଓ ଶାରୀରିକ ଶ୍ରମର ଅଭାବ ଆମ୍ଭମାନଙ୍କୁ ପୃଥିବୀ ପୃଷ୍ଠରେ ସବୁଠାରୁ ନିର୍ଦ୍ଦନ ଓ ସ୍ୱକ୍ତାୟ ଜାତିରେ ପରିଣତ କରିଛି । ଏହି ଦେଶର ଗ୍ରାମ୍ୟ ଚମଡ଼ାକଷେଇ ଶିଳ୍ପର ଦୟନୀୟ ସ୍ଥିତି ଏହାର ପ୍ରକୃଷ୍ଟ ନିଦର୍ଶନ । ମଣିଷ ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ଅବିଚାର କରିଚାଲିଛି, ସ୍ବର୍ଗତ ମଧୁସୂଦନ ଦାସ ସେ ସଂପର୍କରେ ମୋର ଆଖୁ ଖୋଲି ଦେଇଥୁଲେ ଆଉ ଆମେ ଯେଉଁ ଅପରାଧ କରି ଚାଲିଛି, ତାହାର ପ୍ରାୟଶ୍ଚିତ
ଓ ନିରାକରଣପାଇଁ ସେ ଗୋଟିଏ ଶିକ୍ଷା ମୂଳକ ଟାନେରି (ଚମଡ଼ା କଷେଇ କାରଖାନା) ଖୋଲିଥିଲେ । ତାଙ୍କର ଏହି ଉଦ୍ୟୋଗ ଆଶାତୀତ ସଫଳତା ହାସଲ କରିନଥିଲେ ମଧ୍ୟ ସେ କଟକର ଶହ ଶହ ଜୋତା କାରିଗରଙ୍କୁ ଉନ୍ନତ ଜୀବନ ଧରଣର ପତ୍ସା ଯୋଗାଇବାପାଇଁ ଗୁରୁଦାୟିତ୍ବ ବହନ କରି ଚାଲିଗଲେ ।
ଅନ୍ୟ ଏକ ବକ୍ତବ୍ୟ
ଭାରତର ସହରୀକରଣ, ଗ୍ରାମୀଣ ସମାଜ ତଥା ଗ୍ରାମମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛି । ସହରୀକରଣ ଦେଶର ସତୁରି ହଜାର ଗ୍ରାମରେ ବାସକରୁଥିବା ଶତକଡ଼ା ୯୦ ଭାଗ ଲୋକଙ୍କ ପାଇଁ କର୍ମସଂ ସ୍ନାନ ଯୋଗାଇ ପାରିବ ନାହିଁ । ଗ୍ରାମମାନଙ୍କରୁ ମୁଖ୍ୟତଃ ଚମଡ଼ା କଷେଇ ଶିଳ୍ପ ଓ ଅନ୍ୟ ଶିଳ୍ପ ଗୁଡ଼ିକୁ ବହିଷ୍କାର କରିବା ଫଳରେ ମଣିଷର କଳାତ୍ମକ ହସ୍ତ ଓ ମସ୍ତିଷ୍କର ସମନ୍ୱିତ ସଂଯୋଗରେ ଉପାର୍ଜନ କରିବାପାଇଁ ଯେଉଁ ଅପୂର୍ବ ସୁଯୋଗ ରହିଥିଲା, ତାହା ମଧ୍ୟ ନିର୍ବାସିତ ହୋଇଯାଇଛି । ମଧୁସୂଦନ ଦାସ କହିଥିଲେ ଯେ, " ଗ୍ରାମଗୁଡ଼ିକରୁ ଯେତେବେଳେ ହସ୍ତଶିଳ୍ପ ସବୁ ଲୁପ୍ତ ହେଲା, ଗ୍ରାମବାସୀମାନେ କ୍ଷେତରେ ଗୋରୁମାନଙ୍କ ସହିତ କାର୍ଯ୍ୟ କରିବା ସହିତ ବର୍ଷରେ କେବଳ ଚାରିରୁ ଛଅମାସ ସମୟ ଆଳସ୍ୟ ଓ ନିଶ୍ଳେଷ୍ଟତାରେ ବିତାଉ ଥିବାରୁ ଏବଂ ସେମାନେ ପଶୁମାନଙ୍କ ସହ ଜୀବନଯାପନ କରୁଥୁବାରୁ ପଶୁତ୍ୱର ସ୍ତରକୁ ଖସିପଡ଼ନ୍ତି । ସେମାନଙ୍କର ମନ ଆଉ ଶରୀର ଅର୍ଜଭୁକ୍ତ ଅବସ୍ଥାରେ କେବଳ ଜୀଇଁ ରହେ । ଏଣୁ ସେହିମାନଙ୍କର ଜୀବନରୁ ଆଶା ଓ ଆନନ୍ଦ ବଜ୍ଜିତ ହୋଇଯାଏ ଏବଂ ନିରାଶାର ଘନ ଅଂଧକାର କେବଳ ସେମାନଙ୍କୁ ଛାଇ ରହିଥାଏ ।” (ହରିଜନ ୭.୯.୧୯୩୪)
ଏକ ବକ୍ତୃତା
ଗାନ୍ଧିଜୀଙ୍କ ନେତୃତ୍ବରେ ୧୯୩୪ ମସିହା ମେ ଆଉ ଜୁନ ମାସରେ ସଂଚାଳିତ ହୋଇଥିବା ହରିଜନ ପଦଯାତ୍ରାର ମାତ୍ର ୮ ମାସ ପରେ ତା ୨୩.୨.୧୯୩୫ରେ ମହାତ୍ମାଗାନ୍ଧୀ ନାଗପୁରର ଚିଟନିସ୍ ପାର୍କରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏହି ପଦଯାତ୍ରାର ତାପୂର୍ଯ୍ୟ ଓ ମହତ୍ତ୍ୱ ଉପରେ ନିମ୍ନଲିଖିତ ଭାଷଣଟି ପ୍ରଦାନ କରିଥିଲେ । ଓଡ଼ିଶାରେ ହରିଜନ ପଦଯାତ୍ରା କରିବା ସମୟରେ ମୋର ମନକୁ ଆସିଲା, ଯଦି ଖଦି ପରିଧାନ ସାର୍ବଜନୀନ ହୁଏ, ତାହାହେଲେ ଗ୍ରାମ୍ୟଶିଳ୍ପକୁ ସାର୍ବଜନୀନ କରିବାକୁ ପଡ଼ିବ । ମୁଁ ଏହି ଯାତ୍ରା ରେଳ କିମ୍ବା କାର୍ରେ କରିଥିଲେ ଏହା ଜାଣିପାରି ନଥାନ୍ତି ।
ସ୍ୱର୍ଗତ ମଧୁସୂଦନ ଦାସ କହିଥିଲେ, ଆମର ଗ୍ରାମବାସୀମାନେ ଜନ୍ତୁ କିମ୍ବା ପଶୁର ସ୍ତରକୁ ଖସିପଡ଼ିଛନ୍ତି । ଯେଉଁ ଜନ୍ତୁଙ୍କ ସହିତ ସେମାନେ କେବଳ ଅଂଗାଗୀ ହୋଇ କାର୍ଯ୍ୟ କରୁନାହାନ୍ତି, ବରଂ ଜୀବନର ଦୀର୍ଘ ସମୟ ସେହି ଜନ୍ତୁମାନଙ୍କ ସହ ଅବସ୍ଥାନ କରିବା ଅବସରରେ ଓ ଗାଁ ଗହଳିରେ ଶିଳ୍ପର ବିଲୁପ୍ତି ପରେ ଆଳସ୍ୟ ଓ ନିଶ୍ଳେଷ୍ଟତାରେ ସେମାନଙ୍କ ସମୟ ବିତାଉଛନ୍ତି, ଏହା ଯଦି ଅପରିବର୍ତ୍ତିତ ରହେ, ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ, ଭାରତର କୌଣସି ଉନ୍ନତି ଘଟିବାର ସଂଭାବନା ନାହିଁ । ତେଣୁ ମୋ ଜୀବନର ସାୟାହୁରେ ଗାଁ ଗହଳରେ ଥିବା ନିଶ୍ଳେଷ୍ଟତା ଓ ସ୍ଥାଣୁତା
ଦୂର କରିବାପାଇଁ ସାହସିକତା ଓ ବୀରତ୍ୱ ସହକାରେ ଏହି କାର୍ଯ୍ୟକ୍ରମକୁ ଗ୍ରହଣ କରିବାକୁ ଦୃଢ଼ ସଂକଳ୍ପ କରିଛି । ଏହା ଦୁଃସାହସିକ ଓ ଲୋମହର୍ଷକ ମନେ ହୋଇପାରେ, ମାତ୍ର ମୋର ଦୃଢ଼ ବିଶ୍ୱାସ ଯେ, ଜଣେ ଯଦି ଭଗବାନଙ୍କ ଉପରେ ଦୃଢ଼ ଆସ୍ଥା ସ୍ଥାପନା କରି କାର୍ଯ୍ୟ ଆରମ୍ଭ କରେ, ଜୀବନର ଅନ୍ତିମ ବେଳାରେ ତାହା ବୃଥା ଯିବ ନାହିଁ । ମୁଁ ନିଶ୍ଚିତ ଯେ ମୁଁ ଯେଉଁ କାର୍ଯ୍ୟ ଆରମ୍ଭ କରିଛି ତାହା ମୋର ନୁହେଁ, ଭଗବାନଙ୍କର ।
ଆମ୍ଭେମାନେ ଗ୍ରାମବାସୀମାନଙ୍କ ପ୍ରତି ରକ୍ତସ୍ରାବୀ କ୍ଷତର ଆଘାତ ପ୍ରଦାନ ପରି ମାରାତ୍ମକ ଅନ୍ୟାୟ କରି ଆସିଛେ । ଏହି ଅପରାଧର ପ୍ରାୟଶ୍ଚିତ୍ତ କରିବାପାଇଁ ଏକମାତ୍ର ପଂଥା ରହିଛି । ତାହା ହେଉଛି, ବିଲୁପ୍ତ ହେଉଥିବା ଗ୍ରାମ୍ୟଶିଳ୍ପ ଉଦ୍ୟୋଗମାନଙ୍କର ପୁନରୁତ୍ଥାନ ସହିତ ଏଥିରୁ ପ୍ରସ୍ତୁତ ହେଉଥିବା ସଂପୂର୍ଣ୍ଣ ପଦାର୍ଥମାନଙ୍କର ନିଶ୍ଚିତ ବିପଣନ ବା ବିକ୍ରୟର ବ୍ୟବସ୍ଥା ଗ୍ରହଣ କରିବା । ଭଗବାନଙ୍କଠାରୁ ବଳି ସହିଷ୍ଣୁ ଓ କ୍ଷମାପ୍ରଦାୟୀ ଆଉ କେହି ନୁହଁନ୍ତି । ମାତ୍ର ତାଙ୍କର ମଧ୍ୟ ଧୈର୍ଯ୍ୟର ସୀମା ଅଛି । ଆମ୍ଭେମାନେ ଯଦି ଗ୍ରାମବାସୀଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରୁ ତାହେଲେ ଆମେ ଧ୍ୱଂସର ଗହ୍ୱରକୁ ଖସି ପଡ଼ିବୁ । (ହରିଜନ ୧.୩.୧୯୩୫) ।
ହରିଜନ ପତ୍ରିକାରେ ୧୯୩୩, ୧୯୩୪, ୧୯୩୫ ବର୍ଷରେ ପ୍ରକାଶିତ ତିନୋଟି ସଂଖ୍ୟାରେ ପ୍ରକାଶିତ, ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାଜଳି ରୂପରେ ଲିଖିତ ତିନୋଟି ଲେଖାର ନିର୍ବାଚିତ ଅନୂଦିତ ଅଂଶ ଏଠାରେ ଉପସ୍ଥାପନ କରାଗଲା । ବର୍ତ୍ତମାନ ପ୍ରାୟ ହରିଜନ ଶବ୍ଦଟି ବ୍ୟବହୃତ ହେଉନାହିଁ । ମାତ୍ର ମହାତ୍ମାଗାନ୍ଧୀଙ୍କ ମୂଳ ଲେଖାରେ ଏହି ଶବ୍ଦ ସନ୍ନିବେଶିତ ହୋଇଥିବାରୁ ତାହାକୁ ଗ୍ରହଣ କରିବାକୁ ବାଧ୍ୟ ହେଲୁ ।
୨୨.୧୦.୧୯୩୭ ରେ ସେବାଗ୍ରାମଠାରେ ଅନୁଷ୍ଠିତ ଅଖିଳ ଭାରତ ଶିକ୍ଷା ସମ୍ମିଳନୀରେ ମହାତ୍ମାଗାନ୍ଧୀଙ୍କ ପ୍ରଦତ୍ତ ବକ୍ତୃତା
ମୋର ନିଧାର୍ଯ୍ୟ ଭାବରେ ମତ ହେଉଛି ଯେ, ବର୍ତ୍ତମାନର ପ୍ରଚଳିତ ପ୍ରାଥମିକ ଶିକ୍ଷା କେବଳ ବ୍ୟୟବହୁଳ ନୁହେଁ, ଏହା ମଧ୍ୟ ଅତୀବ ଭାବରେ ହାନିକର । ଏହି ଶିକ୍ଷା ଫଳରେ ବାଳକଗଣ, ପିତାମାତାଙ୍କଠାରୁ କେବଳ ବିଛିନ୍ନ ହୋଇ ଯାଆନ୍ତି ନାହିଁ, ସେମାନଙ୍କର ମୌଳିକ ବ୍ୟବସାୟ, ଯାହା ପରିବାରର ଏକମାତ୍ର ଅବଲମ୍ବନ, ତହିଁରୁ ମଧ୍ୟ ବିଚ୍ୟୁତ ହୋଇଯାଆନ୍ତି । ଏ ସମସ୍ତର ପ୍ରତିକାରଯାଇଁ ଦକ୍ଷିଣ ଆଫ୍ରିକାର ଟଲଷ୍ଟୟ ଆଶ୍ରମ (କୃଷିଫାର୍ମ)ରେ ଅନ୍ୟ ପିଲାମାନଙ୍କ ସହିତ ମୋର ପୁଅମାନଙ୍କୁ ମଧ୍ୟ ବଢ଼େଇ କାମ ତଥା ଯୋତା ତିଆରି ବୃତ୍ତିଭିତ୍ତିକ କାର୍ଯ୍ୟର ଶିକ୍ଷା ପ୍ରଦାନ କରିଥିଲି ।
ବର୍ତ୍ତମାନ କାକାସାହେବ ଦପ୍ତର ଶିକ୍ଷା ସଂପର୍କରେ ଆଲୋଚନା କରିଛନ୍ତି । ଏ ସଂପର୍କରେ ମଧୁସୂଦନ ଦାସଙ୍କର ବକ୍ତବ୍ୟର ଉପସ୍ଥାପନା କରୁଅଛି । ମଧୁସୂଦନ ଦାସ ଜଣେ ଆଇନଜୀବୀ ଥିଲେ । ତାଙ୍କର ଦୃଢ଼ ଆତ୍ମପ୍ରତ୍ୟୟ ଓ ସିଦ୍ଧାନ୍ତ ଥିଲା ଯେ, ଆମ୍ଭମାନଙ୍କର ହାତ ଓ ପାଦ ବିଧିବଦ୍ଧ ଭାବରେ ଯଦି ନିୟୋଜିତ ନହୁଏ, ତାହାହେଲେ ଆମ୍ଭମାନଙ୍କ ମସ୍ତିଷ୍କସବୁ ସ୍ଥାଣୁ ଓ ନିର୍ବେଦ ପାଲଟିଯିବ । ଯଦିବା ଏହି ସ୍ଥିତିରେ ବହିଃମସ୍ତିଷ୍କ କାର୍ଯ୍ୟକରେ, ତାହାହେଲେ ତାହା ସଇତାନର ଆଡ଼୍ଡ଼ାସ୍ଥଳୀରେ ପରିଣତ ହେବ । ଟଲଷ୍ଟୟ ମଧ୍ୟ ଏହି ବାର୍ତ୍ତା ବା ସନ୍ଦେଶକୁ ତାଙ୍କ ରଚିତ ଅସଂଖ୍ୟ ଗଳ୍ପମାନଙ୍କରେ ପ୍ରଚାରିତ କରିଯାଇଛନ୍ତି । (ହରିଜନ ୩୧.୧୦.୧୯୩୭)
ଏହାଥିଲା ୨୨.୧୦.୧୯୩୭ରେ ୱ୍ୱାର୍ଦ୍ଧାର ସେବାଗ୍ରାମଠାରେ ଆହୂତ ସର୍ବଭାରତୀୟ ଶିକ୍ଷା ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ମହାତ୍ମାଗାନ୍ଧୀଙ୍କ ଭାଷଣର ଉପସଂହାର । ଭାରତରେ ୧୯୩୭ ସାଲରେ ଅନୁଷ୍ଠିତ ନିର୍ବାଚନରେ ସାତଗୋଟି ପ୍ରଦେଶରେ କଂଗ୍ରେସ କ୍ଷମତାସୀନ ହେବା ପରେ, ସେହିସବୁ ରାଜ୍ୟରେ ବୃତ୍ତିଭିତ୍ତିକ ମୌଳିକ ଶିକ୍ଷା ପ୍ରଚଳନ କରିବା ନିମିତ୍ତ ମହାତ୍ମାଗାନ୍ଧୀ ଏହି
ଯୁଗାନ୍ତକାରୀ ବକ୍ତବ୍ୟରେ, ମଧୁସୂଦନ ଦାସଙ୍କୁ ନିଜର ଆଦ୍ୟଗୁରୁ ଟଲଷ୍ଟୟଙ୍କର ନାମ ସହିତ କେବଳ ସଂପୃକ୍ତ କରିନାହାନ୍ତି, ତାଙ୍କୁ ସେହି ମହିମାଦୀପ୍ତ ସ୍ତରକୁ ଉନ୍ନୀତ କରି ଯାଇଛନ୍ତି । ଟଲଷ୍ଟୟଙ୍କ ସଂପର୍କରେ ମହାତ୍ମାଗାନ୍ଧୀ କହିଥିଲେ ଯେ, "ଐଶ୍ୱରୀୟ ନିୟମ ହେଉଛି, ଜଣେ ବ୍ୟକ୍ତି ତାହାର ଖାଦ୍ୟ ନିଜର ହସ୍ତର ଶ୍ରମ ମାଧ୍ୟମରେ ଉପାର୍ଜନ କରିବାକୁ ହେବ । ଋଷୀୟ ଲେଖକ ଟି.ଏମ୍ ଜନ୍ ଡର୍ଫି ଏହି ସନ୍ଦେଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ, ଯାହାକୁ ପରବର୍ତ୍ତୀ କାଳରେ ଟଲଷ୍ଟୟ ବହୁତ ଭାବରେ ପ୍ରଚାରିତ କରିଥିଲେ । ମାତ୍ର ମଧୁସୂଦନ ଦାସଙ୍କର ବାର୍ତ୍ତା ଏହିପରି ଥିଲା - "ଜଣେ ବ୍ୟକ୍ତି ଯେଉଁ ହାତରେ ରୁଟି (ଖାଦ୍ୟ) ଖାଏ, ସେହି ହାତରେ ହିଁ ସେହି ରୁଟି (ଖାଦ୍ୟ)କୁ ଉପାର୍ଜନ କରିବାକୁ ପଡ଼ିବ ।”(୧୯୨୪ ରେ ପାଟନାଠାରେ ପ୍ରଦତ୍ତ ଭାଷଣର କିଛି ଅଂଶ) । ଭାରତୀୟ ପରିସ୍ଥିତିରେ, ମଧୁସୂଦନ ଦାସଙ୍କର ସୁବିସ୍ତୃତ ଅଭିଜ୍ଞତାରୁ ଉପଲବ୍ଧ, ଆପ୍ତବଚନ ଭଳି ଏହି ଅବିସ୍ମରଣୀୟ ଉକ୍ତି ଯାହା ମହାତ୍ମାଗାନ୍ଧୀଙ୍କୁ ବାରମ୍ବାର ମଧୁସୂଦନ ଦାସଙ୍କର ନିକଟକୁ ଆକର୍ଷିତ କରି ଆଣିଥିଲା । ମଧୁସୂଦନ ଦାସଙ୍କର ମହାତ୍ମାଗାନ୍ଧୀଙ୍କ ସହିତ ୧୯୨୦ ସାଲରେ ସାକ୍ଷାତ ହେଲା, ୧୯୨୪ରେ ମନ୍ତ୍ରିତ୍ୱ ତ୍ୟାଗ ପରେ ମଧୁସୂଦନ ସାବରମତୀ ଆଶ୍ରମରେ କିଛିଦିନ ଅବସ୍ଥାନ କରି ମହାତ୍ମାଗାନ୍ଧୀଙ୍କୁ ନିଜର ସୃଜନଶୀଳ ଚିନ୍ତାଧାରା ଏବଂ ଅପରୂପ ଦୃଷ୍ଟିଭଂଗୀ ସଂପର୍କରେ ଅବଗତ କରାଇଥିଲେ । ଏହାପରେ ମହାତ୍ମାଗାନ୍ଧୀ କଟକର ମଧୁସୁତିରେ ୧୯୨୫ ଓ ୧୯୨୭ ସାଲରେ ଅବସ୍ଥାନ କରି ମଧୁସୂଦନଙ୍କଠାରୁ ଯେଉଁ ଜ୍ଞାନ ଲାଭ କରିଥିଲେ ତାହାକୁ ସେ ପରବର୍ତ୍ତୀ କାଳରେ ପ୍ରଦତ୍ତ ଅସଂଖ୍ୟ ବକ୍ତବ୍ୟରେ ଉଦ୍ଘୋଷଣା କରିଚାଲିଥିଲେ । ସେଥିରୁ କିଛି ଉଦ୍ଧତି ନିମ୍ନରେ ପ୍ରଦତ୍ତ ହେଲା ।
୩.୨.୧୯୨୬ ରେ ବାଙ୍ଗାଲୋର ଖଦୀ ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଭାଷଣ: ମୋତେ ବାଙ୍ଗାଲୋରର ଏହି ଖଦୀ ପ୍ରଦର୍ଶନକୁ ଉଦ୍ଘାଟନ କରିବାପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି ।
ହଁ, ମଧୁସୂଦନ ଦାସ କଟକର ଜଣେ ତେଜସ୍ୱୀ ଓକିଲ ରୂପେ ପରିଚିତ । ଏ ଦେଶର ଦାରିଦ୍ର୍ୟ ତାହାଙ୍କୁ ସ୍ୱପ୍ନର ସୁଷୁପ୍ତି ମଧ୍ୟରୁ ଜାଗରିତ କରିଥିଲା । ସେ ଉପଲବ୍ଧି କରିଥିଲେ ଯେ, ଆମ୍ଭେମାନେ କେବଳ ଜ୍ଞାତରେ ବଳଦ ଓ ଲଂଗଳ ଧରି କିଛିକାଳ କାର୍ଯ୍ୟ କରିବା ସାଥିରେ ଯଦି ହସ୍ତ କୌଶଳର ଚାତୁର୍ଯ୍ୟ ସମ୍ବଳିତ କୌଣସି କ୍ଷୁଦ୍ର ଓ ହସ୍ତଶିଳ୍ପ କାର୍ଯ୍ୟରେ ବିନିଯୁକ୍ତ ନହେଉ, ତାହାହେଲେ ଆମ୍ଭେମାନେ କାର୍ଯ୍ୟରେ ବ୍ୟବହାର କରୁଥିବା ଗୋରୁମାନଙ୍କ ଭଳି ପଶୁତ୍ୱ ସ୍ତରକୁ ଖସିପଡ଼ିବା । ଏଣୁ ଏହାର ନିରାକରଣପାଇଁ ମଧୁସୂଦନ ଦାସ ହସ୍ତର କମନୀୟ କଳା ବିନ୍ୟାସ ପ୍ରୟୋଗ କ୍ଷେତ୍ରରେ ଏପରି ପାରଦର୍ଶିତା ହାସଲ କରିଥିଲେ ଯେ, ସେ ଜଣେ ନିପୁଣ କଳାପ୍ରାଣ କୁଶଳୀ କାରିଗରରେ ପରିଣତ ହୋଇଯାଇଛନ୍ତି । ଅନୁଧ୍ୟାନ କରିବାର କଥା ଯେ ଭାରତର ସର୍ବଶ୍ରେଷ୍ଠ ବୃଦ୍ଧିଜୀବୀଙ୍କ ଗହଣରେ ଏହି ସମ୍ମିଳନୀରେ ମହାତ୍ମାଗାନ୍ଧୀ କିଭଳି ଭାବରେ ମଧୁସୂଦନ ଦାସଙ୍କର ବକ୍ତବ୍ୟକୁ ମର୍ଯ୍ୟାଦା ପ୍ରଦର୍ଶନ ମଧ୍ୟରେ ଉପସ୍ଥାପନ କରିଥିଲେ ।
ନବଜୀବନ ପତ୍ରିକାରେ ୨୩.୯.୧୯୨୮ରେ ଗାନ୍ଧିଜୀଙ୍କର ରଚନା
ବମ୍ବେର ଜାତୀୟ ବିଦ୍ୟାଳୟ :- ଦେଶର ଯେଉଁ କେତୋଟି ଜାତୀୟ ବିଦ୍ୟାଳୟ ବର୍ତ୍ତମାନ ସୁଦ୍ଧା ତିଷ୍ଠି ରହିଛି, ସେମାନଙ୍କ ମଧ୍ୟରେ ବମ୍ବେଠାରେ ସ୍ଥାପିତ ଜାତୀୟ ବିଦ୍ୟାଳୟ ଅନ୍ୟତମ ।
ଦେଶରେ ଗୋଟିଏ ଶିଳ୍ପସୁଲଭ ଜଳବାୟୁର ଆବଶ୍ୟକତା ରହିଅଛି । ଆମ୍ଭମାନଙ୍କ ଦେଶରେ ଶିକ୍ଷାପ୍ରଣାଳୀ ମଧ୍ୟରେ କୃଷିଭିତ୍ତିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା ପ୍ରମୁଖ ସ୍ଥାନ ଅଧିକାର କରିବାପାଇଁ ସର୍ବଦା ଏକ ଯୁକ୍ତିଯୁକ୍ତ ଆବଶ୍ୟକତା ରହିଆସିଛି । ଯଦି ଏହା ସଂଭବ ହୁଏ, ତାହେଲେ ଛାତ୍ରମାନେ ଗୋଟିଏ ବୃତ୍ତିଗତ କଳାଶିକ୍ଷା କରିବା ସହିତ କ୍ରମଶଃ ଏହି ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟକୁ ମଧ୍ୟ ଅଚିରେ ସ୍ୱାବଲମ୍ବୀ କରିପାରିବେ । ମଧୁସୂଦନ ଦାସ କଟକରେ ତାଙ୍କଦ୍ୱାରା ସ୍ଥାପନ କରିଥିବା ଟ୍ୟାନେରି ମାଧ୍ୟମରେ ଏହିଭଳି ଏକ ବିରଳ ସଂଯୋଜନାର ପରିକଳ୍ପନା କରିଥିଲେ । ସେହି ପରିକଳ୍ପନାଟି ଅତ୍ୟନ୍ତ ଚମତ୍କାର ଥିଲା । ମାତ୍ର ଦେଶର ପ୍ରଚଳିତ ଜଳବାୟୁ ଏଥିପାଇଁ ଉତ୍ସାହପ୍ରଦ ଉଦ୍ଦୀପନା ଯୋଗାଇ ପାରିନଥିଲା । (ନବଜୀବନ-୨୩.୯.୧୯୨୮)
ଏହି ଲେଖାଟିକୁ ମହାତ୍ମାଗାନ୍ଧୀ ଟଲଷ୍ଟୟଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଗୁଜୁରାଟୀ ଭାଷାରେ ରଚନା କରି ନବଜୀବନ ପତ୍ରିକାରେ ପ୍ରକାଶ କରିଥିଲେ ।
ଓଡ଼ିଶାର ଡେଲାଙ୍ଗଠାରେ ଭାଷଣ:- ମଧୁସୂଦନ ଦାସ ଏହିପରି ପ୍ରକାଶ କରୁଥିଲେ ଯେ, ପଶୁ ଓ ମଣିଷମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଭେଦ ହେଉଛି, ସେମାନଙ୍କର ଦେହର ଅବୟବର ଗଠନ ପ୍ରଣାଳୀ । ମଣିଷର ହାତ ଓ ପାଦ ରହିଛି ଓ ତାହା ସହିତ ସଂଯୁକ୍ତ ହୋଇ ରହିଛନ୍ତି ସୃଜନଶୀଳ ନମନୀୟ ଅଂଗୁଳିଗୁଡ଼ିକ । ଆଉ ମଣିଷ ସେହି ଅଂଗୁଳିଗୁଡ଼ିକୁ ବୁଦ୍ଧିମତ୍ତାର ସହ କଳାରେ ସାମଗ୍ରିକ ଭାବରେ ସୃଜନର ନିଦର୍ଶନ ନଦେଇ କେବଳ କୃଷି ଉପରେ ଯଦି ନିର୍ଭର କରି ରହେ, ତାହାହେଲେ ଭଗବାନ ପ୍ରଦତ୍ତ ନିପୁଣତାରେ ପରିପୂର୍ଣ୍ଣ ଅଂଗୁଳିଗୁଡ଼ିକୁ ସଦ୍ବ୍ୟବହାର କରାଗଲା ବୋଲି କୁହାଯାଇପାରିବ କି ? ଆହୁରି ମଧ୍ୟ କୃଷି ଆମ୍ଭମାନଙ୍କୁ ସ୍ୱାବଲମ୍ବୀ କରିପାରିବ ନାହିଁ, ଯଦି ତାହା ସହିତ ହାତର ଅଂଗୁଳିଗୁଡ଼ିକ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ସଂଯୁକ୍ତ ନହୁଏ । ଆମ୍ଭେମାନେ ଏହି ପ୍ରଦର୍ଶନୀରେ ଦେଖିପାରିବା, କିପରି ହାତର ସୃଷ୍ଟିଶୀଳ ଅଂଗୁଳିମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥ ରାଶିର ବିକ୍ରୟଲବ୍ଧ ଅର୍ଥ କୃଷିର ଆୟ ସହିତ ଯୁକ୍ତ ହୋଇପାରିବ । ମୁଁ ଆପଣମାନଙ୍କୁ ଏହି ପ୍ରଦର୍ଶନୀକୁ ବାରମ୍ବାର ପ୍ରଦର୍ଶନ କରିବାପାଇଁ ନିବେଦନ କରୁଛି, ଯେପରି ଆପଣମାନେ ସ୍ୱ ନିର୍ବାଚିତ ଏକ ହସ୍ତଶିଳ୍ପକୁ ଗ୍ରହଣ କରି ଏହି ଭୂମିକୁ ଦାରିଦ୍ର୍ୟର ଶୃଙ୍ଖଳରୁ ମୁକ୍ତ କରିପାରିବେ । (ହରିଜନ- ୨.୪.୧୯୩୮)
ଏହାଥିଲା ତେଲାଙ୍ଗରେ ୧୯୩୮ ସାଲର ମାର୍ଚ୍ଚ ଶେଷ ସପ୍ତାହରେ ଗାନ୍ଧୀ ସେବାସଂଘର ଚତୁର୍ଥବାର୍ଷିକୀ ଅଧିବେଶନରେ ଗାମ୍ୟଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟନ ଅବସରରେ ମହାତ୍ମାଗାନ୍ଧୀଙ୍କ ପ୍ରଦତ୍ତ ଅବିସ୍ମରଣୀୟ ଅଭିଭାଷଣର ଅନ୍ତିମ ଅଂଶ ।
ମହାତ୍ମାଗାନ୍ଧୀଙ୍କ ସହିତ ମଧୁସୂଦନ ଦାସଙ୍କର ବ୍ୟକ୍ତିଗତ ସଂପର୍କ ଗଢ଼ି ଉଠିଥିଲା ୧୯୨୦ ସାଲରୁ ୧୯୨୮ ସାଲ ମଧ୍ୟରେ । ଏହି ସ୍ୱଳ୍ପକାଳ ମଧ୍ୟରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କୁ ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ପତ୍ର ଲେଖିଥିଲେ । ମଧୁସୂଦନ ମନ୍ତ୍ରୀପଦକୁ ଅବୈତନିକ କରିବା ଦାବିରେ ଇସ୍ତଫା ପ୍ରଦାନ ପରେ ୧୭.୨.୧୯୨୪ରେ ପାଟନାରେ ଶ୍ରମର ମର୍ଯ୍ୟାଦା ଉପରେ ଯେଉଁ ବକ୍ତୃତା ପ୍ରଦାନ କରିଥିଲେ, ତାହା ମହାତ୍ମାଗାନ୍ଧୀଙ୍କ ଚେତନାକୁ ବିଶେଷ ଭାବେ ଆକର୍ଷିତ କରିଥିଲା, ଯାହାର ସବିଶେଷ ଉଲ୍ଲେଖ ମହାତ୍ମାଗାନ୍ଧୀ “ୟଙ୍ଗ୍ ଇଣ୍ଡିଆ” ପତ୍ରିକାରେ କରିଥିଲେ । ଜେଲ୍ରୁ ଖଲାସ ହୋଇ ମହାତ୍ମାଗାନ୍ଧୀ ୪.୨.୧୯୨୪ରୁ ସାବରମତୀଠାରେ ଅବସ୍ଥାନ କରୁଥିବାବେଳେ ମଧୁସୂଦନ ସେହି ବର୍ଷ ସାବରମତୀ ଆଶ୍ରମରେ ତାଙ୍କୁ ଭେଟି ନିଜର ମତାଦର୍ଶ ତଥା ଦେଶର ସାମଗ୍ରିକ ଉନ୍ନୟନ ସଂପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ, ଯାହା ଗାନ୍ଧୀଙ୍କ ଚିନ୍ତାରାଜ୍ୟକୁ ଗଭୀର ଭାବେ ଆଲୋଡ଼ିତ କରିଥିଲା । ଗାନ୍ଧିଜୀଙ୍କ ସହିତ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ସ୍ଥାପନାର ଆଲୋଚନା ଅବକାଶରେ ଦଳିତମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଂସ୍ଥାପନ କରିବା ଉଦ୍ଦେଶ୍ୟରେ କଟକରେ ସର୍ବାଧୁନିକ କୌଶଳରେ ପ୍ରତିଷ୍ଠିତ ଉତ୍କଳ ଟାନେରି ପରିଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇଲେ । ଚିତ୍ତରଂଜନ ଦାସଙ୍କର ପରଲୋକ ପରେ କଲିକତା ଆଗମନ ଅବକାଶରେ ମହାତ୍ମାଗାନ୍ଧୀ ଜାମସେଦପୁର ଯାଇ ସିଂହଭୂମିରେ ଓଡ଼ିଆମାନଙ୍କ ସ୍ଥିତି ସଂପର୍କରେ ଅନୁଧ୍ୟାନ କରି ସିଂହଭୂମିକୁ ଓଡ଼ିଶା ସହ ମିଶ୍ରଣ ଲାଗି ଆପାତତଃ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଏହାପରେ କଲିକତାରେ ଅବସ୍ଥାନ କରିବା ସମୟରେ କଟକ ପରିଦର୍ଶନପାଇଁ ମଧୁସୂଦନଙ୍କୁ ଟେଲିଗ୍ରାମ ପ୍ରେରଣ କରିଥିଲେ । ସେହି ଟେଲିଗ୍ରାମର ଉତ୍ତର ପାଇବା ପରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କୁ ନିମ୍ନଲିଖିତ ପତ୍ରଟି ଲେଖିଥିଲେ ।
୧୪୮ ରସାରୋଡ଼, କଲିକତା
୧୨.୮.୧୯୨୫
ପ୍ରିୟବନ୍ଧୁ,
ମୁଁ ଆପଣଙ୍କ ପାଖେ ହିଁ ଆଗ୍ରହର ସହ ରହିବି, ମାତ୍ର ମୋ ସାଥିରେ ରଂଗଲାଲ୍ ଓ ସତୀଶ ଚନ୍ଦ୍ର ଦାସଗୁପ୍ତ ଆସୁଛନ୍ତି । ପ୍ରଥମ ବ୍ୟକ୍ତି ଜଣେ ମାରୁୱାଡ଼ି ଭଦ୍ରବ୍ୟକ୍ତି, ଯାହାଙ୍କୁ ମୁଁ ଗୋରକ୍ଷା ସଂପର୍କରେ ଅନୁପ୍ରେରିତ କରୁଛି । ଦ୍ୱୋତୀୟ ବ୍ୟକ୍ତି ଆପଣ ଜାଣନ୍ତି ଆଉ ତୃତୀୟ ବ୍ୟକ୍ତି ହେଉଛନ୍ତି ମହାଦେବ ଦେଶାଇ, ଯାହାଙ୍କୁ ଆପଣ ମଧ୍ୟ ଜାଣନ୍ତି । ବର୍ତ୍ତମାନ ଆପଣ ମୋତେ ଯେଉଁଠାରେ ରଖିପାରନ୍ତି । ମୁଁ ସେଠାରେ ବଂଗାଳୀ ବଂଧୁମାନଙ୍କଠାରୁ ଦେଶବଂଧୁ ଚିତ୍ତରଞ୍ଜନଙ୍କ ସ୍ମୃତିପାଇଁ କିଛି ଅର୍ଥ ସଂଗ୍ରହ କରିବାକୁ ଚାହେଁ । ହଁ ଆପଣ ମୋତେ ଉତ୍କଳରେ କିପରି ଚରଖାର ବାର୍ତ୍ତା ପ୍ରଚାର କରାଯିବ, ସେ ସଂପର୍କରେ ଶିକ୍ଷା ଦେବେ । ଯଦିଓ କଂଗ୍ରେସ ସେଠାରେ ଏ ଦିଗରେ ପାଣି ଭଳି ଅର୍ଥ ବ୍ୟୟ କରିଛି, ମାତ୍ର ପ୍ରକୃତରେ କିଛି ଅଗ୍ରଗତି ହୋଇନାହିଁ । ଅବଶ୍ୟ ଏଥିଲାଗି ମୁଁ ବ୍ୟଥିତ ନୁହେଁ ।
ଆପଣଙ୍କର ଅନ୍ତରଙ୍ଗ
ଏମ୍.କେ. ଗାନ୍ଧୀ
ମହାତ୍ମାଗାନ୍ଧୀ ୧୯.୮.୧୯୨୫ରେ ମଧୁସୂଦନଙ୍କର ଅତିଥି ରୂପେ ମଧୁସ୍ମୃତିରେ ଅବସ୍ଥାନ କାଳରେ ଉତ୍କଳଟ୍ୟାନେରି ପରିଦର୍ଶନ କରି କେବଳ ଅଭିଭୂତ ହୋଇଯାଇ ନଥିଲେ, ଜାତୀୟ କଂଗ୍ରେସର ରଚନାତ୍ମକ କାର୍ଯ୍ୟକ୍ରମରେ ଦଳିତ ଜାତିର ଉନ୍ନତି ପରିପ୍ରେକ୍ଷୀରେ ଟ୍ୟାନେରିର କାର୍ଯ୍ୟଧାରାକୁ ଅନ୍ତର୍ଭୁକ୍ତ କରିଥିଲେ । ସେହିଦିନ ମଧୁସ୍ମୃତିଠାରେ ଅନୁଷ୍ଠିତ କଂଗ୍ରେସ କର୍ମୀ ଅଧିବେଶନକୁ ସମ୍ବୋଧିତ କରି ମହାତ୍ମାଗାନ୍ଧୀ କହିଥିଲେ- ଓଡ଼ିଶାର କଂଗ୍ରେସ କର୍ମୀମାନେ ଚରଖା ଚଳାଇ ରଚନାତ୍ମକ କାର୍ଯ୍ୟ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସିଂହଭୂମିର ଓଡ଼ିଶା ସହିତ ମିଶ୍ରଣପାଇଁ
ସତ୍ୟାଗ୍ରହ ଆଶ୍ରମ, ସାବରମତୀ
ମାର୍ଚ୍ଚ ୧୬, ୧୯୨୮
ପ୍ରିୟବଂଧୁ,
ଅନେକ ଚିନ୍ତା ଓ ଉଦ୍ବେଗ ପରେ ମୁଁ ଆଶ୍ରମରେ ଗୋଟିଏ ଛୋଟିଆ ନାମମାତ୍ର ଟ୍ୟାନେରି ପ୍ରତିଷ୍ଠା କରିଛି । ଏଥିରେ ଶକ୍ତିଚାଳିତ ଯତ୍ରପାତି ଝଞ୍ଜାଯାଇ ନାହିଁ କି କୌଣସି କୁଶଳୀ କାରିଗର ମଧ୍ୟ ନାହାନ୍ତି । କେବଳ ଆମେରିକାରେ ଏ ସଂପର୍କରେ ସାମାନ୍ୟ ଅଭିଜ୍ଞତା ଲାଭ କରିଥିବା ମୋ ଭଳି ମୋଟାବୁଦ୍ଧିଆ ଜଣେ ବ୍ୟକ୍ତି ଅଛନ୍ତି । ମୁଁ ସେହି ମହାନ ଜାତୀୟ ଉଦ୍ୟୋଗର ଭାର ଆପଣଙ୍କ କାନ୍ଧରୁ ଉତାରି ପାରିଲି ନାହିଁ କି ଆପଣଙ୍କର ଅସୁବିଧାରେ ଭାଗିଦାର ହୋଇପାରିଲି ନାହିଁ । ହେଲେ ଆପଣଙ୍କର ପ୍ରେରଣା ହିଁ ପରୋକ୍ଷରେ ଆଶ୍ରମରେ ଏହି ଚ୍ୟାନେରି ପ୍ରତିଷ୍ଠା ପାଇଁ ଦାୟୀ । ଆପଣ ଏ ବିଷୟରେ ଥିବା ସାହିତ୍ୟର ଏକ ତାଲିକା ଦେଇ ପାରିବେ କି ? ଚମଡ଼ା କଷେଇ ସଂପର୍କରେ କିଛି ପ୍ରବେଶିକା ବହି ଅଛି କି ? ଯଦି ଏ ସଂପର୍କରେ ଇଂରେଜୀରେ କିଛି ଲେଖା ନଥାଏ, ଆପଣଙ୍କର ବିସ୍ତୃତ ଓ ପରିବ୍ୟାପ୍ତ ଅଭିଜ୍ଞତାରୁ କିଛି ଲେଖି ପଠାନ୍ତୁ , ଯାହା ଜ୍ଞାତବ୍ୟ ବିଷୟ ରୂପେ ବ୍ୟବହୃତ ହେବ । କିଛି ଟିପ୍ପଣୀ ହେଲେ ମଧ୍ୟ ଚଳିବ । ଆପଣଙ୍କର ଟାନେରିରେ କଣ ହେଉଛି ? କିଏ ତାହାର ଦାୟିତ୍ବରେ ଅଛନ୍ତି?
ମୁଁ ଚାହେଁ ଯେ ଏହି ଆଶ୍ରମର ଟାନେରି ଏକ ଆଦର୍ଶ ରୂପେ ପ୍ରତିଷ୍ଠିତ ହେବ, ଯେପରି ଗ୍ରାମବାସୀମାନେ ସେମାନଙ୍କ ମଲାଗୋରୁକୁ ଉପଯୋଗ କରି ଚମଡ଼ାକୁ ନିଜେ ବ୍ୟବହାର କରିପାରିବେ । ମଲାଗୋରୁର ଚମଡ଼ା କିପରି ଛିଡ଼ାଯିବ ଏ ସଂପର୍କରେ ଅନେକଙ୍କୁ ପ୍ରଶ୍ନ ପଚାରିଛି, ମାତ୍ର ଉତ୍ତର କିଛି ପାଇନାହିଁ । ସମସ୍ତେ ଚମଡ଼ା କଷେଇ ବିଷୟରେ ସାମାନ୍ୟ କିଛି ଜାଣନ୍ତି । ମୁଁ ଚାହେଁ ମଲା ଗୋରୁର ଚମଡ଼ା କିପରି ଛଡ଼ାଯିବ ଓ ତାହାର ମାଂସ ଅନ୍ତପୁଟା ଆଦି କିଭଳି ସାର ବା ଖତ ରୂପେ ବ୍ୟବହୃତ ହେବ, ସେ ସଂପର୍କରେ ମତେ ଜଣାଇବେ ।
ଆପଣଙ୍କର ଅନ୍ତରଂଗ
ଏମ୍. କେ. ଗାନ୍ଧୀ
ଏ ଥିଲା ମଧୁସୂଦନଙ୍କର ଦିଗ୍ଦର୍ଶନ ଲାଭପାଇଁ ମହାତ୍ମାଗାନ୍ଧୀଙ୍କର ଏକ ବିନମ୍ର ନିବେଦନ । ବହୁ କ୍ଷେତ୍ରରେ ମଧୁସୂଦନ ମହାତ୍ମାଙ୍କୁ ମାର୍ଗପ୍ରଦର୍ଶନ କରିଥିଲେ । ଏଣୁ ମହାତ୍ମାଗାନ୍ଧୀ ୟଙ୍ଗ୍ଇଣ୍ଡିଆ, ହରିଜନ, ହିନ୍ଦୁ, ବମ୍ବେ କ୍ରନିକଲ୍ ପତ୍ରିକାରେ ୧୯୨୫ ସାଲରୁ ୧୯୩୮ ସାଲ ମଧ୍ୟରେ ମଧୁସୂଦନଙ୍କ ପ୍ରତି ତାଙ୍କର ଉଚ୍ଛ୍ୱସିତ ଶ୍ରଦ୍ଧାଂଜଳି କ୍ରମାନ୍ୱୟରେ ପ୍ରକାଶିତ କରିଥିଲେ ।
ମହାତ୍ମାଗାନ୍ଧୀଙ୍କଠାରୁ ତୃତୀୟ ଚିଠିଟି ମଧୁସୂଦନ ଦାସଙ୍କ ତିରୋଧାନର ଅବ୍ୟବହିତ ପରେ ଶ୍ରଦ୍ଧାଂଜଳି ରୂପେ ମଧୁସ୍ମୃତିରେ ପହଞ୍ଚିଥିଲା । ତାହାର କିଛି ଅଂଶ ଏହିପରି ଥିଲା । "ସ୍ୱର୍ଗତ ମଧୁସୂଦନ ଦାସଙ୍କୁ ଭେଟିବାର ପରମ ସୁଯୋଗ ମତେ ମିଳିପାରିଥିଲା । ସେ ଜଣେ ମହାନ ଦେଶବତ୍ସଳ ଜନନାୟକ ଥିଲେ । ଦେଶର ତରୁଣମାନଙ୍କୁ ଶ୍ରମର ମର୍ଯ୍ୟାଦା ସଂପର୍କରେ ଶିକ୍ଷା ଦେବାକୁ ଯାଇ ନିଜକୁ ନିଃଶେଷ କରିଦେଇଥିଲେ । ଶ୍ରମ ମର୍ଯ୍ୟାଦାର ପ୍ରାମାଣିକ ଶିକ୍ଷା ପ୍ରଦାନପାଇଁ ଅସୀମ ସ୍ୱାର୍ଥତ୍ୟାଗ ମଧ୍ୟରେ କଟକଠାରେ ଏକ ଟ୍ୟାନେରି ପ୍ରତିଷ୍ଠା କରିଥିଲେ ।"
୧୯.୮.୧୯୨୫ତାରିଖ, ଭାଦ୍ରବର ଏକ କାନ୍ତ କମନୀୟ ଶୁଭ୍ର ସକାଳ । କଟକ ରେଲ୍ୱେ ଷ୍ଟେସନର ସେପାରିରେ ଉତ୍କଳ ଟ୍ୟାନେରି ସମ୍ମୁଖସ୍ଥ ସୁବିସ୍ତୀର୍ଣ୍ଣ ବନରାଜି ପରିବେଷ୍ଟିତ ପ୍ରାନ୍ତରରେ ସଜ୍ଜିତ ହୋଇ ରହିଛି ମହାତ୍ମାଗାନ୍ଧୀଙ୍କ ପାଇଁ ଭବ୍ୟ ଅଭ୍ୟର୍ଥନା ମଣ୍ଡପ । ଶ୍ୱେତ ଖଦୀ ଆଚ୍ଛାଦିତ ମଣ୍ଡପ ଉପରେ ଶୋଭା ପାଉଛି ଘନ ଉଜ୍ୱଳ ବାଦାମୀ ରଂଗର ମହାବଳ ବାଘର ସୁଦୃଶ୍ୟ ଛାଲ । ଆଉ ମଣ୍ଡପ ପଶ୍ଚାତରେ ରହିଛି ଉତ୍କଳ ଟ୍ୟାନେରିରେ ପ୍ରସ୍ତୁତ ଚମଡ଼ାରେ ତିଆରି ହସ୍ତକଳା ନୈପୁଣ୍ୟର କୃତି ସବୁ । ହଠାତ୍ ଆସି ପହଞ୍ଚିଲେ ମହାତ୍ମାଗାନ୍ଧୀ, ଯାହାଙ୍କୁ ବାଟ କଢ଼େଇ ନେଉଥିଲେ କୁଳବୃଦ୍ଧ ମଧୁସୂଦନ ଦାସ । ସେମାନଙ୍କ ପଛରେ ଅନୁଧାବନ କରୁଥିଲେ ସତୀଶ ଚନ୍ଦ୍ର ଦାସଗୁପ୍ତ, ରଂଗଲାଲ୍ ମୋଦି ଆଉ ମହାଦେବ ଦେଶାଇ । ମହାତ୍ମାଗାନ୍ଧୀ ଆସି ପହଞ୍ଚିଲେ ଅଭ୍ୟର୍ଥନା ମଣ୍ଡପ ସମ୍ମୁଖରେ । ଘନ ଚୁମ୍ବକୀୟ ଆକର୍ଷଣରେ ଟାଣି ହୋଇଗଲା ପରି ତାହାଙ୍କର ଚକ୍ଷୁ ସ୍ୱତଃ ଆକର୍ଷିତ ହୋଇଗଲା ମଣ୍ଡପରେ ସଜ୍ଜିତ ଘନ, ଗାଢ଼ ରଂଗର ବର୍ଣ୍ଣିଳ ବାଘ ଛାଲର ଝଲସା ଆସ୍ତରଣ ଉପରେ । ତାହାଙ୍କର ଆଖି ଉଜ୍ଜଳି ଉଠିଲା । କେଡ଼େ ଜୀବନ୍ତଥିଲା, ସେହି କୃତ୍ରିମ ମୁଣ୍ଡଲଗା ଅନନ୍ୟ ବାଘ ଛାଲଟି । ସତେ ଯେପରି ତାହା ତଡ଼ିତ୍ ବେଗରେ ଲମ୍ଫ ଦେବାକୁ ଉଦ୍ୟତ ହେଉଛି । ଗାନ୍ଧିଜୀ ହତଚକିତ ଆଉ ଆଚମ୍ବିତ ହେଲେ । କିଛିକାଳ ଲାଗି ସମ୍ମୋହିତ ହୋଇ ଚାହିଁ ରହିଲେ । କ୍ଷଣକ ପରେ ପ୍ରକୃତିସ୍ଥ ହେଲେ । ପୁଣି ଥରେ ନିରେଖି ଚାହିଁଲେ । ଏ କଣ ? ତାହାଙ୍କର ସ୍ୱପ୍ନର ଭାରତ ଲାଗି ଏକମାତ୍ର ଅବଲମ୍ବନ, ଖଦୀର ବସ୍ତ୍ର ଉପରେ ରହିଛି ମହାବଳ ବାଘର ଅପରୂପ ଛାଲଟି । ସତେ ଏହା କଣ ଖଦୀ ବସ୍ତ୍ର ପ୍ରତି ଅବମାନନା ନୁହେଁ ? ସେ ହଠାତ୍ କହିପକାଇଲେ, ମିଷ୍ଟର ଦାସ ! ଭାରତର ଜାତୀୟତାର ଏକମାତ୍ର ଆଶ୍ରୟ ଖଦୀ ବସ୍ତ୍ର ଉପରେ ସଜ୍ଜିତ ହୋଇ ରହିଛି ମହାବଳ ବାଘର ଛାଲ । ଏମିତି କାହିଁକି ? ପ୍ରତ୍ୟୁତ୍ପନ୍ନମତି ମଧୁସୂଦନ ତତ୍କ୍ଷଣାତ୍ ବୁଝିନେଲେ ମହାତ୍ମାଗାନ୍ଧୀଙ୍କର ଅଭିମାନଭରା ଛଳଛଳ ଅଭିବ୍ୟକ୍ତିକୁ । ସେ ସଂଗେସଂଗେ କହିଉଠିଲେ- ହଁ, ସମଗ୍ର ଭାରତୀୟ ସମାଜର ମୁକ୍ତିର ଆଧାର ହେଉଛି ଚରଖା ଆଉ ଖଦୀ ବସ୍ତ୍ର । ମାତ୍ର ସ୍ୱଳ୍ପବସ୍ତ୍ର
ସେଦିନ ବାଟ କଢ଼େଇ ନେଉଥିଲେ କୁଳବୃଦ୍ଧ ମଧୁସୂଦନ । ଆଗକୁ ଆଗକୁ ଚାଲିଲେ ମହାତ୍ମାଗାନ୍ଧୀଙ୍କ ସମେତ ପରିଦର୍ଶକ ଦଳ । ସ୍ୱଦେଶୀ ଶିଳ୍ପ ପରିକ୍ଷଣର ଏକ ଅନନ୍ୟ ପୀଠସ୍ଥଳ ହେଉଛି ଉତ୍କଳ ଟ୍ୟାନେରି । ଉତ୍କଳ ଟ୍ୟାନେରି କୋଠାଘରେ ଚମଡ଼ା ଆସି ପହଞ୍ଚିବାଠାରୁ ଉତ୍ପାଦନର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ କ୍ରମାନ୍ୱୟରେ ସମସ୍ତଙ୍କୁ ଦେଖେଇ ଚାଲିଥିଲେ ମଧୁସୂଦନ । ପ୍ରଥମେ ପହଞ୍ଚିଲେ ଚମଡ଼ା କଷେଇ ବିଭାଗରେ ।
ବିଦ୍ୟୁତ୍ ଆଉ ଗ୍ୟାସ୍ରେ ସଂଚାଳିତ ଏହି ବିଭାଗଟି, ସେହି ସମୟର ସର୍ବାଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ସମନ୍ୱିତ ଥିଲା । ସମଗ୍ର ବିଶ୍ୱରେ ଜୀବନ୍ତ ଗୋରୁ କିମ୍ବା ଜନ୍ତୁଙ୍କୁ ହତ୍ୟା କରାଯାଇ ତାହାର ଛାଲକୁ କଷାଯିବା ସହିତ ଚମଡ଼ାକୁ ପାଗ କରାଯାଇ ତହିଁରୁ ଯୋତା ଆଦି ବସ୍ତୁ ସବୁ ପ୍ରସ୍ତୁତ କରାଯାଉଥିଲା ବେଳେ ଉତ୍କଳ ଟ୍ୟାନେରିରେ ପ୍ରାକୃତିକ ପରିସ୍ଥିତିରେ ମରୁଥିବା ଜନ୍ତୁମାନଙ୍କଠାରୁ ସଂଗୃହୀତ ଚମଡ଼ାକୁ କଷାଇ ଜୋତା ଆଦି ବସ୍ତୁ ପ୍ରସ୍ତୁତ କରାଯାଉଥିଲା । ଏହି ପ୍ରକ୍ରିୟାର ଅନ୍ୱେଷଣରେ ସାରା ୟୁରୋପ ପରିଭ୍ରମଣ ପରେ ମଧୁସୂଦନ ଏହାକୁ ଜର୍ମାନୀରେ ଠାବ କରିଥିଲେ । ସେହିଭଳି ପ୍ରକ୍ରିୟାକରଣ ଏବଂ ପ୍ରସ୍ତୁତିର ଶୈଳୀକୁ ଓଡ଼ିଶାକୁ ଆଣି ବିଭିନ୍ନ ଗଛର ଛାଲିର ପ୍ରୟୋଗରେ ମଧୁସୂଦନ ଏକ ସର୍ବଶ୍ରେଷ୍ଠ ଚମଡ଼ା କଷେଇ ଉତ୍ପାଦନ ପ୍ରକ୍ରିୟାର ପଦ୍ଧତି ଆରମ୍ଭ କରିଥିଲେ । ମହାତ୍ମାଗାନ୍ଧୀ ତାହାଙ୍କ ରଚନାରେ ମଧୁସୂଦନଙ୍କ ଜୀବନର ଏହି ଅଂଶଟି ନିମ୍ନଲିଖିତ ଭାବେ ସ୍ଥାନିତ କରିଯାଇଛନ୍ତି ।
ମଧୁସୂଦନ ଦାସ କଣ କଲେ ? ସେ ଉତ୍କଳର ସମସ୍ତ ଚମଡ଼ା କଷେଇ କାରିଗରଙ୍କୁ ସମ୍ମିଳିତ କରି ସେମାନଙ୍କର ଚମଡ଼ା କଷେଇ ପ୍ରଣାଳୀ ଅଧ୍ୟୟନ କଲେ । ମାତ୍ର ସେ ସେଥିରେ ପରିତୃପ୍ତ ହେଲେ ନାହିଁ । ସେ ଜର୍ମାନୀ ଗଲେ ଓ ସେଠାରେ ଚମଡ଼ାଶିଳ୍ପକୁ ନିକଟରୁ ନିରୀକ୍ଷଣ କଲେ । ତାପରେ ସେ ଜର୍ମାନୀର ବିଶେଷଜ୍ଞଙ୍କୁ ଆଣି କଟକରେ କାରଖାନାଟିଏ ସ୍ଥାପନା କଲେ ।
(ହରିଜନ ବଂଧୁ ପତ୍ରିକା ୩.୯.୧୯୩୩)
ଉତ୍କଳଟ୍ୟାନେରିରେ ଉତ୍ପାଦନର ମାନ ବିଶ୍ୱପ୍ରସିଦ୍ଧ ଥିଲା, ଯାହାର ଉତ୍ପାଦିତ ଯୋତାମାନ ପିନ୍ଧି ବ୍ରିଟିଶ୍ ପଦାତିକ ସୈନିକମାନେ ପ୍ରଥମ ବିଶ୍ୱମହାଯୁଦ୍ଧରେ ସଂଗ୍ରାମକୁ ଓହ୍ଲାଇ ଥିଲେ । ମହାତ୍ମାଗାନ୍ଧୀ ଟ୍ୟାନିଂ ବା କଷେଇ ଆଦି ବିଭିନ୍ନ ବିଭାଗର ପରିଦର୍ଶନ ପରେ ଅବଶେଷରେ ପହଞ୍ଚିଲେ ଅନନ୍ୟ କଳାନୈପୁଣ୍ୟର ଅପୂର୍ବ ପାରଦର୍ଶିତା ବହନ କରୁଥିବା ହସ୍ତକଳାଶିଳ୍ପ ବିଭାଗରେ, ଯହିଁରେ ପ୍ରସ୍ତୁତ ହେଉଥିଲା ଯୋତା ବ୍ୟତିରେକେ ମୁଖ୍ୟତଃ ବିଦେଶକୁ ରପ୍ତାନି
କରାଯାଉଥିବା ବ୍ୟବହାର୍ଯ୍ୟ ସାମଗ୍ରୀଯଥା- ଭେନିଟି ବ୍ୟାଗ୍ ସମେତ ବିଭିନ୍ନ ପ୍ରକାର ବ୍ୟାଗ୍, ବେଲ୍ଟ, ଚମଡ଼ା, ଜ୍ୟାକେଟ୍, ଶିରସ୍ତ୍ରାଣ, ଟୋପି, କାନ୍ଥକୁ ସଜାଇବା ପାଇଁ ଚାରୁକଳା ସନ୍ନିବେଶିତ ବିଭିନ୍ନ ସାମଗ୍ରୀ । କାରିଗରଙ୍କ ହସ୍ତ ଅଂଗୁଳିର ଯାଦୁକରୀ ସ୍ପର୍ଶଦ୍ୱାରା ସୃଷ୍ଟ ଏହି ବିସ୍ମୟକର ବସ୍ତୁରାଜି ଦେଖି ଗାନ୍ଧିଜୀ ବିସ୍ମୟାଭିଭୂତ ହୋଇପଡ଼ିଲେ । ତାଙ୍କ ପଛରେ ସମସ୍ତଙ୍କ ଅଲକ୍ଷରେ ଦଣ୍ଡାୟମାନ ହୋଇ ରହିଥିଲେ ମଧୁସୂଦନ, ଯାହାଙ୍କର ଅଲଂଘ୍ୟ ବିଦ୍ବତ୍ତା ଆଉ ରସାଣିତ ପ୍ରଜ୍ଞା ଏହି ଅଦ୍ଭୂତ ଚମତ୍କାରିତା ସଂପାଦନ କରିଥିଲା ।
ଅବଶେଷରେ ମହାତ୍ମାଗାନ୍ଧୀ ପହଞ୍ଚିଲେ ସେହି ବୈଚିତ୍ରୀମୟ ଅଭ୍ୟର୍ଥନା ମଣ୍ଡପରେ । ଏହି ଅଭ୍ୟର୍ଥନା ସଭାରେ ଓଡ଼ିଶାରେ ବୁଦ୍ଧିଜୀବୀ ଗୋଷ୍ଠୀଙ୍କ ସହ ଏକ ଶହ କୁଶଳୀ ମୋଚି କାରିଗର ଆଉ ପାରଦର୍ଶିତା ଅର୍ଜନ କରିଥିବା ତିନିଶହ ମେହନ୍ତର ଯୋଗ ଦେଇଥିଲେ । ସେହି ଶ୍ରମଜୀବୀଙ୍କ ପକ୍ଷରୁ ଜଣେ ଉଦୀୟମାନ ମେହନ୍ତର ତରୁଣ ତାହାର ସୁକୁମାର କଣ୍ଠରେ ମାନପତ୍ର ପାଠକରି ମହାତ୍ମାଗାନ୍ଧୀଙ୍କୁ ସମ୍ବର୍ଧିତ କରିଥିଲା, ତାହାର ପ୍ରଭାବ ବେଶ୍ ଗମ୍ଭୀର ଥିଲା ।
ଏହି ତାତ୍ପର୍ଯ୍ୟପୂର୍ଣ୍ଣ ଐତିହାସିକ ପରିଦର୍ଶନ କାଳରେ ମହାତ୍ମାଗାନ୍ଧୀ ଅନୁଧ୍ୟାନ କରିଥିଲେ ଯେ, ଗୋଟିଏ ଦିଗରେ ସେ ଯୁଗର ସର୍ବାଧୁନିକ ଯାଂତ୍ରିକ ଓ ରାସାୟନିକ ପ୍ରଣାଳୀରେ ପ୍ରସ୍ତୁତ ହୋଇ ରହିଛି ବିଶ୍ୱମାନର ଚମଡ଼ାରେ ପ୍ରସ୍ତୁତ ବିଭିନ୍ନ ବସ୍ତୁ ଓ ଅନ୍ୟଦିଗରେ ରହିଛି ସ୍ୱଦେଶୀ ହସ୍ତଶିଳ୍ପ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ଜୋତା ଆଉ ଭିନ୍ନଭିନ୍ନ କଳାନୈପୁଣ୍ୟବିମଣ୍ଡିତ ରୁଚିପୂର୍ଣ ବସ୍ତୁରାଜି । ଏହାହିଁ ମହାତ୍ମାଗାନ୍ଧୀଙ୍କ ଚିନ୍ତାରାଜ୍ୟକୁ ଗଭୀର ଭାବେ କେବଳ ଆଲୋଡ଼ିତ କରିନଥିଲା, ତାଙ୍କର ସ୍ୱଦେଶୀ ଶିଳ୍ପର ପରିକଳ୍ପନାରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା ।
ଏହିଠାରେ ଅନୁଧ୍ୟାନ କରିବାର କଥା ଯେ ମଧୁସୂଦନଙ୍କ ଯାଦୁକରୀ ଚିନ୍ତା ଓ ପରିକଳ୍ପନା, ବିଦ୍ବତ୍ତା ଓ ବୁଦ୍ଧିମତ୍ତାର ଅପୂର୍ବ ସଂସ୍ପର୍ଶରେ ଆସି ମହାତ୍ମାଗାନ୍ଧୀ ତାଙ୍କ ପ୍ରଣୋଦିତ ସ୍ୱଦେଶୀ ଶିଳ୍ପନୀତିର ଆଭିମୁଖ୍ୟରେ କେବଳ ଏକ ବିରାଟ ପରିବର୍ତ୍ତନ ଆଣି ନଥିଲେ, ଦଳିତ ଜାତିର ଆର୍ଥିକ ସଂସ୍ଥାପନ କ୍ଷେତ୍ରରେ ଟ୍ୟାନିଂ ବା ଚମଡ଼ା କଷେଇବାକୁ ତାଙ୍କ ରଚନାତ୍ମକ କାର୍ଯ୍ୟର ଏକ ବିଧିବଦ୍ଧି ଅଂଶ ରୂପେ ଗ୍ରହଣ କରିଥିଲେ ।
ହଁ, ଏହିଠାରେ ହିଁ ରହିଛି ମଧୁସୂଦନଙ୍କ ଉଦ୍ଦାମ ବ୍ୟକ୍ତିତ୍ୱ ଓ ପ୍ରଖର ବୁଦ୍ଧିମତ୍ତାର ପରିପ୍ରକାଶ, ଯହିଁରେ ସମନ୍ୱିତ ରହିଥିଲା ପରିକଳ୍ପନା, ପର୍ଯ୍ୟବେକ୍ଷଣ ସହିତ ଦୂରଦୃଷ୍ଟିର ଅପୂର୍ବ ସମନ୍ୱୟ ଏବଂ ପ୍ରୟୋଗ । ଯଥାର୍ଥରେ ଗାନ୍ଧିଜୀଙ୍କ ଉପରେ ମଧୁସୂଦନ ଛାଡ଼ିଦେଇଥିଲେ ଏକ ଗଭୀର ପ୍ରଭାବ ।
(ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମହେନ୍ଦ୍ର ମୋହନ ମହାନ୍ତିଙ୍କ ସହିତ ବାର୍ତ୍ତାଳାପ ଓ ମହାତ୍ମାଗାନ୍ଧୀଙ୍କର ରଚନାବଳୀ ଉପରେ ଆଧାରିତ ।)
ମହାତ୍ମାଗାନ୍ଧୀଙ୍କ ଉପରେ ମଧୁସୂଦନଙ୍କର ପ୍ରଭାବ ଅକଳ୍ପନୀୟ ଆଉ ଅଚିନ୍ତନୀୟ ଥିଲା । ସ୍ବଦେଶୀ ଶିଳ୍ପାୟନରେ ମଧୁସୂଦନ ଅଗ୍ରଜ ଆଉ ବରିଷ୍ଠ ଥିଲେ । ମଧୁସୂଦନ, ବ୍ରିଟିଶ ନିଷ୍ପେଷଣର ଦାରୁଣ ବିପର୍ଯ୍ୟସ୍ତ ଭୂମିକା ସଂପର୍କରେ ବାଲ୍ୟକାଳରୁ ସଚେତନ ଥିଲେ । ମାତ୍ର ୧୮୯୪ ସାଲରୁ ସେ ସିଦ୍ଧାନ୍ତ ଗ୍ରହଣ କରିଥିଲେ ଯେ, ତାଙ୍କର ବ୍ୟବହୃତ ସମସ୍ତ ପଦାର୍ଥ ସ୍ୱଦେଶୀ ହେବା ଆବଶ୍ୟକ, କିନ୍ତୁ ଏହା ତ୍ୱରିତ ରୀତିରେ ସମାହିତ ହେବା ସଂଭବ ନୁହେଁ । ତେଣୁ ସେ ପ୍ରଥମେ ତାଙ୍କର ପଦଦେଶରେ ପରିଧାନ ଜୋତାକୁ ସ୍ୱଦେଶୀ କରିବାପାଇଁ ସଂକଳ୍ପ କଲେ ଏବଂ ଅବଶେଷରେ ପହଞ୍ଚିଲେ ଚମଡ଼ା କଷେଇ ଶିଳ୍ପରେ । ସେହି ୧୮୯୫-୯୬ ସାଲ ବେଳକୁ ଓଡ଼ିଶାର ସର୍ବୋଚ୍ଚ ରପ୍ତାନି ଥିଲା ମୃତଜନ୍ତୁର ଚମଡ଼ା ଆଉ ଶିଙ୍ଗ । ମଧୁସୂଦନ କୌଣସି ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଚମଡ଼ା ଶିଳ୍ପକୁ ଆଦରି ନେଇ ନଥିଲେ, ସେ ଓଡ଼ିଶାର ସର୍ବୋଚ୍ଚ ପରିମାଣର ରପ୍ତାନି ଦ୍ରବ୍ୟକୁ ସ୍ୱଦେଶରେ ବିନିଯୋଗପାଇଁ ଚମଡ଼ା କଷେଇ ଶିଳ୍ପକୁ ଗ୍ରହଣ କରିଥିଲେ । ମାତ୍ର ଓଡ଼ିଶାରେ କିମ୍ବା ଭାରତରେ ମୃତ ଜନ୍ତୁର ଚମଡ଼ାରୁ କଷେଇ ଯୋତା ତିଆରି କରିବାର କୌଣସି ପ୍ରକ୍ରିୟା ଉପଲବ୍ଧ ନଥିଲା ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଗଡ଼ଜାତରେ ମୃତ ଗୋରୁ ଓ ଅନ୍ୟ ଗୃହପାଳିତ ବା ମୃତ ବନ୍ୟଜନ୍ତୁ ଆଦିଙ୍କ ଚମଡ଼ା ନୌକାରେ ମହାନଦୀ କିମ୍ବା ବ୍ରାହ୍ମଣୀ ନଦୀରେ ଆଣି ପାରାଦ୍ୱୀପ ଅଥବା ଚାନ୍ଦବାଲିବାଟେ କଲିକତା ଦେଇ ବିଦେଶକୁ ରପ୍ତାନି କରାଯାଉଥିଲା । ମାତ୍ର ଏହି ଚମଡ଼ାକୁ କଷେଇ କରିବାପାଇଁ କୌଣସି କୌଶଳ ଉପଲବ୍ଧ ନଥିଲେ ମଧ୍ୟ ମଧୁସୂଦନ ଏହାର ଅନ୍ୱେଷଣରେ ଲାଗି ପଡ଼ିଥିଲେ । ୧୮୯୭ ସାଲରେ ସେ ୟୁରୋପ ଭ୍ରମଣ କାଳରେ, ଜର୍ମାନୀରେ ଥିବା ବୃହତ ଚମଡ଼ା ଶିଳ୍ପରେ, ଚମଡ଼ା ପ୍ରସ୍ତୁତି କୌଶଳ ସନ୍ଦର୍ଶନ କରି ହତଚକିତ ହୋଇ ଯାଇଥିଲେ । ସେହିଠାରେ ସେହି କୌଶଳର ପ୍ରୟୋଗବିଧି ସଂପର୍କରେ ତଥ୍ୟ ଆହରଣ କରି, ଜର୍ମାନୀରେ ପ୍ରସ୍ତୁତ ସେହି ଅତୀବ ଉନ୍ନତ ପ୍ରକ୍ରିୟାର ଯନ୍ତ୍ରପାତି ଆମଦାନି
କରି ୧୯୦୫ ସାଲରେ ଉତ୍କଳ ଟାନେରିର ସ୍ଥାପନା କରିଥିଲେ । ଏହି କଳ ଆଉ ଯନ୍ତ୍ରପାତି ବିଦ୍ୟୁତ୍ ଆଉ ଗ୍ୟାସ୍ ଶକ୍ତିଦ୍ୱାରା ସଂଚାଳିତ ହେଉଥିଲା । ଏହାକୁ ଚଳାଇବାପାଇଁ ଜର୍ମାନୀରୁ ବିଦେଶୀ ଇଂଜିନିୟର ଆଉ ବିଶେଷଜ୍ଞଙ୍କୁ ଆଣି ନିଯୁକ୍ତି ଦେଇଥିଲେ । ଏହି ଚ୍ୟାନେରିରେ ୧୦୦ ମୋଚି ଆଉ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ମେହେନ୍ତର କାର୍ଯ୍ୟ କରୁଥିଲେ । ଏହା ଦଳିତ ଜାତିର ଆର୍ଥିକ କ୍ଷେତ୍ରରେ ସଂସ୍ଥାପନ ପାଇଁ ସମଗ୍ର ଭାରତର ବୃହତ୍ତମ ପ୍ରକଳ୍ପ ଥିଲା ।
ଏହି ଉତ୍କଳ ଟ୍ୟାନେରି ସ୍ଥାପନାର କୋଡ଼ିଏ ବର୍ଷ ପରେ ମହାତ୍ମାଗାନ୍ଧୀ ୧୯୨୫ ସାଲରେ ଏହାକୁ ପରିଦର୍ଶନ କରି ହତଚକିତ ହୋଇ ଯାଇ ଥିଲେ । ମହାତ୍ମାଗାନ୍ଧୀଙ୍କର ଅଧ୍ୟୟନ କ୍ଷେତ୍ର ଥିଲା ଇଂଲାଣ୍ଡ ଓ ଶିଳ୍ପ ବହୁଳ ନଗର ଲଣ୍ଡନ । ସେ କିଛି ପରିମାଣରେ ଯାନ୍ତ୍ରିକ ଶିଳ୍ପ ପ୍ରକ୍ରିୟା ସଂପର୍କରେ ଅବହିତ ଥିଲେ । ଏହି ଶିଳ୍ପର ପ୍ରକ୍ରିୟା ମଧ୍ୟ ଅବାରିତ ଭାବରେ ପ୍ରୟୋଗ ହୋଇଥିଲା ଦକ୍ଷିଣ ଆଫ୍ରିକାର ବହୁ କଳକାରଖାନାରେ । ଉତ୍କଳ ଟ୍ୟାନେରି ପରିଦର୍ଶନ କରି ମହାତ୍ମାଗାନ୍ଧୀ ଅବହିତ ହେଲେ ଯେ ଦଳିତ ଜାତିକୁ ଆର୍ଥିକ କ୍ଷେତ୍ରରେ ସଂସ୍ଥାପନ ପାଇଁ ଚମଡ଼ା କଷେଇ ବା ଟ୍ୟାନେରି ଗୋଟିଏ ଉପଯୁକ୍ତ ମାଧ୍ୟମ । ଏ କ୍ଷେତ୍ରରେ ମଧୁସୂଦନ ଯେଉଁ ଅଗ୍ରଗାମୀ ଭୂମିକାରେ ଅବତୀର୍ଣ୍ଣ ଥିଲେ ତାହା ଅତୁଳନୀୟ ଥିଲା । ମହାତ୍ମାଗାନ୍ଧୀଙ୍କୁ ଏହା ଗଭୀର ଭାବରେ ସ୍ତମ୍ଭୀଭୂତ କରିଥିଲେ ମଧ୍ୟ ତାଙ୍କୁ ଏକ ଅଲଂଘ୍ୟ ସମସ୍ୟାର ମୁକାବିଲା କରିବାକୁ ପଡ଼ିଥିଲା । ଉତ୍କଳ ଟ୍ୟାନେରି ଉତ୍ପାଦନର ବହୁ ବିଭାଗ ହସ୍ତ ଚାଳନା ପ୍ରକ୍ରିୟାରେ ସମନ୍ୱିତ ଥିଲେ ମଧ୍ୟ ମୂଳ ଟ୍ୟାନିଂ ବା ଚମଡ଼ା କଷେଇ ବିଧି, ଅତ୍ୟନ୍ତ ସୂକ୍ଷ୍ମ ଯାନ୍ତ୍ରିକ କୌଶଳ ପ୍ରକ୍ରିୟାରେ ସମାହିତ ହେଉଥିଲା । ଏହା କ'ଣ ସ୍ବଦେଶୀ ଶିଳ୍ପାୟନ ପ୍ରକ୍ରିୟାର ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇପାରିବ ? ଏହି ଚିନ୍ତା ମହାତ୍ମାଗାନ୍ଧୀଙ୍କୁ ବହୁକାଳ ଧରି ଆକ୍ରାନ୍ତ କରିଥିଲା । ଆଉ ସାବରମତୀ ଆଶ୍ରମରେ ଏହିଭଳି ଏକ କ୍ଷୁଦ୍ର ଟ୍ୟାନେରି ପ୍ରତିଷ୍ଠାପାଇଁ ସେ କୃତ ସଂକଳ୍ପ ଥିଲେ । ମାତ୍ର ଏହି ଟ୍ୟାନିଂ ବା ଚମଡ଼ା କଷେଇ ପ୍ରକ୍ରିୟା ଅତ୍ୟାଧୁନିକ ଯାନ୍ତ୍ରିକ ଶିଳ୍ପୀକରଣର ପ୍ରକ୍ରିୟା ବ୍ୟତୀତ ସ୍ବଦେଶୀ ଶିଳ୍ପାୟନର ପ୍ରକ୍ରିୟାରେ ସହଜ ସାଧ୍ୟ ଆଉ ଲାଭଦାୟକ ବିବେଚିତ ହୋଇଥିଲା । ଏ ସଂପର୍କରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ସହିତ ବ୍ୟାପକ ଆଲୋଚନା ଆଉ ବାର୍ତ୍ତାଳାପ କରିଥିଲେ ।
ଅନ୍ୟ ଦିଗରେ ମଧୁସୂଦନ ମହାତ୍ମାଗାନ୍ଧୀଙ୍କୁ ସୂଚାଇ ଥିଲେ ଯେ ଭାରତରୁ ପ୍ରାୟ ନଅକୋଟି ଟଂକାର ମୃତ ଗାଈ ଗୋରୁଙ୍କ ଛାଲ ସବୁ ବିଦେଶକୁ ରପ୍ତାନି ହେଉଛି । ଏବଂ ସେଥିରୁ ପ୍ରସ୍ତୁତ ବ୍ୟବହାରଯୋଗ୍ୟ ପଦାର୍ଥ ରୂପେ ପୁନରାୟ କିଛି ପରିମାଣରେ ଆମ ଦେଶକୁ ଆମଦାନି ହେଉଛି । ମହାତ୍ମାଗାନ୍ଧୀଙ୍କର ଏ କ୍ଷେତ୍ରରେ ଅନୁସନ୍ଧିତ୍ସା ଆଉ ପର୍ଯ୍ୟାଲୋଚନା କିଛିକାଳ ପର୍ଯ୍ୟନ୍ତ ବ୍ୟାପ୍ତ ରହିଲା । ଅବଶେଷରେ ମହାତ୍ମାଗାନ୍ଧୀ ଏହି ସମସ୍ୟା ସମାଧନର ଅନ୍ବେଷଣରେ ଉତ୍କଳ ଟ୍ୟାନେରି ପରିଦର୍ଶନର ଆଧାରରେ ସେ ସଂପକୀୟ ସ୍ବୟଂସଂପୂର୍ଣ୍ଣ ନିଷ୍ପତ୍ତିରେ ପହଞ୍ଚିଥିଲେ । ଏଥିପାଇଁ ସେ ମଧୁସୂଦନ ଦାସଙ୍କୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି । ମହାତ୍ମାଗାନ୍ଧୀ ଏହି ସଂପର୍କିତ ଲେଖାଟି ୧୯.୭.୧୯୨୭ରେ ନବଜୀବନ ପତ୍ରିକାରେ ସ୍ବଦେଶୀ ଆଉ ବିଦେଶୀ ଶୀର୍ଷକରେ ପ୍ରକାଶ କରିଛନ୍ତି । ସେହିଁ ଲେଖାର ଭାବାନୁବାଦ ନିମ୍ନରେ ପ୍ରଦତ୍ତ ହେଲା ।
ସ୍ୱଦେଶୀ ଆଉ ବିଦେଶୀ
ବହୁ କୋଟି କାର କଞ୍ଚାମାଲ୍ ଆମଦେଶରେ ଉତ୍ପାଦିତ ହେଉଛି । ମାତ୍ର ଗଭୀର ଅବସାଦ ଆଉ ପ୍ରବଞ୍ଚନାର ବିଷୟ ଏହି ଯେ; ଆମ୍ଭମାନଙ୍କର ଅଜ୍ଞତା, ନିଶ୍ଚେଷ୍ଟତା, ଆଳସ୍ୟ ଆଉ ସର୍ବୋପରି ଉଦ୍ଭାବନର ସ୍ଥାଣୁତାଯୋଗୁଁ ବହୁ ପରିମାଣରେ ଏଗୁଡିକ ବିଦେଶକୁ ରପ୍ତାନି ହୋଇ ଯାଉଛି ।
ଶେଷରେ ସେ କହିଛନ୍ତି ଯେ, ଆମେମାନେ ପଶୁମାନଙ୍କ ପରି ଅଜ୍ଞତା ମଧ୍ୟରେ ନିବଦ୍ଧ ରହୁ, ଆମ୍ଭମାନଙ୍କର ହାତଗୁଡ଼ିକ କଳା ନୈପୁଣ୍ୟ ଆଉ କୌଶଳର ପ୍ରୟୋଗ କ୍ଷେତ୍ରରେ ପ୍ରଶିକ୍ଷିତ ହୁଅନ୍ତି ନାହିଁ । ଆଉ ମସ୍ତିଷ୍କ ମଧ୍ୟ ଯେପରି ବିକଶିତ ହେବାର କଥା ସେହିପରି ହୁଏନାହିଁ । ଅବଶେଷରେ ଅତୀବ ପ୍ରାଣବନ୍ତ କଳା ଆଉ ତହିଁର ପାରଦର୍ଶିତା ଆମର ଦେଶରୁ ଲୋପ ପାଇଯାଇଛି । ଆଉ ଆମେ କେବଳ ପାଶ୍ଚାତ୍ୟର ଅନ୍ଧାନୁସରଣ କରି ସନ୍ତୁଷ୍ଟ ହୋଇ ରହିଛୁ ।
ଯେଉଁ ପର୍ଯ୍ୟନ୍ତ ଆମ୍ଭେମାନେ ମୃତ ଗାଈଗୋରୁଙ୍କର ନଅକୋଟି ଟଂକାର ଛାଲକୁ କଷେଇବାପାଇଁ ବ୍ୟବହାରଯୋଗ୍ୟ କଳକବ୍ଜା ଓ ଯନ୍ତ୍ରପାତି ତିଆରି କରିପାରି ନାହୁଁ, ମୁଁ କଳକବ୍ଜା ବା ଯନ୍ତ୍ରପାତି ପୃଥିବୀର ଯେ କୌଣସି ଅଂଚଳରୁ ଆମଦାନି କରିବାକୁ ପ୍ରସ୍ତୁତ ଅଛି । ଆଉ ଏହି ପରି କରିବା ସହିତ ମୁଁ ବିଶ୍ବାସ କରେ ଯେ, ଏହା ସହିତ ମୁଁ ସ୍ବଦେଶୀ ବ୍ରତର ପାଳନ କରିବାପାଇଁ ଯେଉଁ ପ୍ରତିଜ୍ଞା ଗ୍ରହଣ କରିଛି ତାହାର ସାମାନ୍ୟ ମାତ୍ର ବିରୁଦ୍ଧାଚରଣ କରୁନାହିଁ, ଅନ୍ୟ ଦିଗରେ ତାହାକୁ ପରିପୂର୍ଣ୍ଣ ଭାବରେ ପାଳନ କରୁଛି । ଅନ୍ୟ ପକ୍ଷରେ ଏହିପରି କଳକବ୍ଜା ସବୁକୁ ଆମଦାନି କରିବାକୁ ଯଦି ମୁଁ ପ୍ରତ୍ୟାଖ୍ୟାନ କରେ ତେବେ ବୁଝିବି ଯେ, ମୋର ଚରମ ଅବୋଧତା ଯୋଗୁଁ ମୁଁ ଏହିପରି ନିଷେଧାତ୍ମକ କାର୍ଯ୍ୟ କରୁଛି ।
ଏହାଥିଲା ମହାତ୍ମାଗାନ୍ଧୀଙ୍କର ରଚିତ "ସ୍ୱଦେଶୀ ଆଉ ବିଦେଶୀ" ନିବନ୍ଧର କିଛି ନିର୍ବାଚିତ ଅଂଶର ଭାବାନୁବାଦ । ଏହା ଥିଲା ସମସ୍ୟା ସମାଧାନର ଉଦାତ୍ତ ଉତ୍ତର ଯାହା ଗବେଷେଣାର ଆଧାରରେ ଉପଲବ୍ଧ ହୋଇଥିଲେ ମଧ୍ୟ ଏଥିରେ ମଧୁସୂଦନଙ୍କର କ୍ରାନ୍ତିକାରୀ ଭୂମିକା ଥିଲା ଅନସ୍ବୀକାର୍ଯ୍ୟ । ମଧୁସୂଦନ ହିଁ ମହାତ୍ମାଗାନ୍ଧୀଙ୍କର ସ୍ବଦେଶୀ ବ୍ରତ ପାଳନର ସୀମାବଦ୍ଧତା ଆଉ ସଂକୀର୍ଣ୍ଣତାର ଉର୍ଦ୍ଧ୍ୱକୁ ଉତ୍ତୋଳିତ କରି ଆବଶ୍ୟକ କ୍ଷେତ୍ରରେ କୁଶଳୀ କଳକବ୍ଜା ସମନ୍ବିତ ବୃହତ ଶିଳ୍ପକୁ ସ୍ୱଦେଶୀ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିଥିଲେ । ମଧୁସୂଦନଙ୍କର ପ୍ରଖର ବୁଦ୍ଧିମତ୍ତାର ଆଧାରରେ ଏହିପରି ଭାବରେ ଗାନ୍ଧିଜୀ ଏକ ଦୁର୍ବାର ଅସମାହିତ ବିରୋଧାଭାସ ସଂପର୍କିତ ସମସ୍ୟାର ନିଶ୍ଚିତ ସମାଧାନର ଦ୍ବାରଦେଶରେ କେବଳ ଉପନୀତ ହୋଇ ନଥିଲେ, ଆଗାମୀଯୁଗ ଲାଗି ଉଦାତ୍ତ ସମୃଦ୍ଧିର ମାର୍ମିକ ପ୍ରତିଶ୍ରୁତି ବହନ କରୁଥିବା ଏକ ଗରିମାମୟ ଭବିଷ୍ୟତର ପରିକଳ୍ପନା କରି ଚାଲିଥିଲେ ।
ଏହାହିଁ ହେଉଛି ମଧୁସୂଦନଙ୍କର ଗାନ୍ଧିଜୀଙ୍କ ପ୍ରତି ପ୍ରଦର୍ଶିତ ମହିମାନ୍ୱିତ ମାର୍ଗଦର୍ଶନର ମର୍ମଗାଥା ।
ଘଟଣାଟି ଏପରି ଘଟିଥିଲା, ଯାହାଥିଲା ଏକାନ୍ତ ଆକସ୍ମିକ । ଜୀବନର ମଧ୍ୟଭାଗରେ ଥରେ ଏକ ଦୂରନ୍ତ ଆକର୍ଷଣର ବଶବର୍ତ୍ତୀ ହୋଇ ମଧୁସୂଦନଙ୍କର ଜନ୍ମପୀଠ ମଧୁତୀର୍ଥ ସତ୍ୟଭାମାପୁରରେ ପହଞ୍ଚିଲି । ମୁଁ ସେଠାରେ ହଠାତ୍ ଏକ ମଣ୍ଡପରେ ମହାତ୍ମାଗାନ୍ଧୀଙ୍କର ଏକ ପାର୍ଶ୍ୱରେ, ତାହାଙ୍କର ଆଦର୍ଶର ପ୍ରତିପକ୍ଷ ବୋଲି ବିବେଚନା କରୁଥିବା ମଧୁସୂଦନଙ୍କର ପ୍ରତିମୂର୍ତ୍ତି ଦେଖିଲି । କେବଳ ଦେଖିଲି ନାହିଁ ଅତ୍ୟନ୍ତ ଆଚମ୍ବିତ ହୋଇ ରହିଲି । ମୋର ମନରେ ଉତÿିତ ହୋଇଥିବା ଦୁର୍ବାର ପ୍ରଶ୍ନ ପଚାରିବାର ଅବକାଶ ନଥିଲା । ଉତ୍ତର ମିଳିବା ମଧ୍ୟ ଅସମ୍ଭବ ଥିଲା । ଏଣୁ ଅନୁତ୍ତରିତ ହୋଇ ବାହୁଡ଼ି ଆସିଲି । ସେତେବେଳକୁ ଏ ଦିଗରେ ମୋର ଅଧ୍ୟୟନ ସ୍ୱଳ୍ପ ଥିଲା ।
ମାତ୍ର ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ଅବକାଶରେ ୧୯୯୮ ସାଲରେ ଏ ସଂପର୍କରେ କିଛି ପଢ଼ା ପଢ଼ି କଲି । ହଁ, ୧୮୯୭ ସାଲରେ ମଧୁଜୟନ୍ତୀ ଉପଲକ୍ଷ୍ୟେ ପ୍ରଖ୍ୟାତ ସାମ୍ବାଦିକ ସ୍ୱର୍ଗତଃ ବଳରାମ ମହାନ୍ତିଙ୍କର ମଧୁସୂଦନଙ୍କ ଉପରେ ଗୋଟିଏ ଲେଖା ଦୈନିକ ସମାଜରେ ପ୍ରକାଶିତ ହୋଇଥାଏ । ସେଥିରେ ମହାତ୍ମାଗାନ୍ଧୀଙ୍କର ମଧୁସୂଦନଙ୍କ ଉପରେ ପ୍ରଦତ୍ତ ଶ୍ରଦ୍ଧାଞ୍ଜଳିର ଓଡ଼ିଆ ଅନୁବାଦ ବୋଧହୁଏ ଏହିପରି ଥିଲା । "" ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ଅପରାଧ କରିଚାଲିଛେ, ସ୍ୱର୍ଗତ ମଧୁସୂଦନ ଦାସ, ସେହି ସଂପର୍କରେ ମୋର ଆଖି ଖୋଲି ଦେଇଥିଲେ ।" ମୁଁ ଏହି ଲେଖା ପଢ଼ିସାରିଲା ପରେ ସ୍ତମ୍ଭୀଭୂତ ଆଉ ନିର୍ବାକ୍ ହୋଇ ଘଡ଼ିଏ ଚାହିଁ ରହିଲି । ଉତ୍ତର ଆଉ ପ୍ରତ୍ୟୁତ୍ତରର ସେହି ବକ୍ତବ୍ୟ ମଧ୍ୟରେ ବିଲୀନ ହୋଇ ଦିଗହଜା ହୋଇଗଲି । ତେଣିକି କେବଳ ରହିଲା, ସ୍ତବ୍ଧତାର ସୀମାହୀନ ନିବିଡ଼ ପରିପ୍ରକାଶ ମଧ୍ୟରେ ନିମଜ୍ଜମାନ ହୋଇ ରହିବାର ବିରଳ ଅନୁଚ୍ଚାରିତ ଅନୁଭୂତି ।
ତାହାରି ପରବର୍ଷ ମଧ୍ୟ ପାଳିତ ହେଉଥିଲା ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ସମ୍ବତ୍ସର । ମୁଁ ମଧୁସୂଦନଙ୍କ ଉପରେ ଗୋଟିଏ କ୍ଷୁଦ୍ର ନିବନ୍ଧଭିତ୍ତିକ ପୁସ୍ତକ ଇଂରାଜୀରେ ଲେଖିବା ପାଇଁ ବ୍ରତୀ ରହିଲି । ମାତ୍ର ବଳରାମ ମହାନ୍ତିଙ୍କର ରଚନାରେ ଗାନ୍ଧିଜୀଙ୍କର ମଧୁସୂଦନଙ୍କ ଉପରେ ଶ୍ରଦ୍ଧାଞ୍ଜଳି ମତେ ଅହରହ ବିଧୂରିତ କରୁଥାଏ । ଏହା କଣ ସମ୍ଭବ ? ମଧୁସୂଦନ କଣ ଗାନ୍ଧିଜୀଙ୍କର ଚକ୍ଷୁ ଉନ୍ମୀଳନ କରିଥିଲେ ? ସେହି ଉଦ୍ଧୃତିର ପ୍ରକୃତ ଇଂରାଜୀ ବକ୍ତବ୍ୟର ଅନୁସନ୍ଧାନରେ ପହଞ୍ଚିଲି ରାଜ୍ୟ ଅଭିଲେଖାଗାରଠାରେ । ସେଠି ପୁସ୍ତକାଗାରର ଗଚ୍ଛିତ ଭଣ୍ଡାରକୁ ଯାଇ ପୁସ୍ତକ ପରିଦର୍ଶନ କରିବା ପାଇଁ ଅନୁମତି ମିଳିଲା ନାହିଁ । ସେଠାରୁ ଯାଇ ସୂଚନା ଭବନର ପାଠାଗାରରେ ପହଞ୍ଚିଲି । ସେହି ଗ୍ରନ୍ଥାଗାରର ଏକ ଆଲମିରାରେ ସୁରକ୍ଷିତ ହୋଇ ରହିଥାଏ "Collected works of Mahatma Gandhi" । ପ୍ରାୟ ୮୦ ଖଣ୍ଡ ପୁସ୍ତକ । ସବିନୟ ନିବେଦନ ପରେ ସୂଚନାଭବନର ଗ୍ରନ୍ଥାଗାରିକଙ୍କଠାରୁ ସେହି ଆଲମିରାର ଚାବିନେଇ ସେଥିରେ ଗଚ୍ଛିତ ଥିବା ଉକ୍ତ ଗ୍ରନ୍ଥାବଳୀର ୧୯୨୪ ରୁ ୧୯୩୮ ପର୍ଯ୍ୟନ୍ତ ସମସ୍ତ ଗ୍ରନ୍ଥର ପରିଶିଷ୍ଟ ସବୁ ଦେଖିଲି ।ଏଥିରେ ସେହି ଗ୍ରନ୍ଥରେ ସୂଚିତ ଥିବା ସମସ୍ତ ବ୍ୟକ୍ତିଙ୍କର ତାଲିକା ରହିଥାଏ । ୧୯୨୫ ସାଲର ଗ୍ରନ୍ଥଠାରୁ ପରିଶିଷ୍ଟ ସବୁ ଖୋଲି ଦେଖିଲି । ଏହା ଥିଲା ଲିଭିଂଷ୍ଟୋନ୍ଙ୍କର ଆଫି୍ରକା ଆବିଷ୍କାର ପରି ଅତ୍ୟନ୍ତ ରୋମାଂଚକର ଆଉ ହର୍ଷ ଉଲ୍ଲାସ ବିଜଡ଼ିତ ଅଭିଜ୍ଞତା, ଯାହାଥିଲା ଅତୀବ ବିସ୍ମୟକର । ମହାତ୍ମାଗାନ୍ଧୀଙ୍କର ସଂକଳିତ ଗ୍ରନ୍ଥାବଳୀରେ ୧୯୨୫ ସାଲଠାରୁ ପ୍ରତି ବର୍ଷେ ଆଉ ଦୁଇବର୍ଷ ଅନ୍ତରାଳରେ ମହାତ୍ମାଗାନ୍ଧୀଙ୍କର, ପ୍ରାଜ୍ଞ ମଧୁସୂଦନଙ୍କ ଉପରେ ଉଚ୍ଛ୍ୱସିତ ଶ୍ରଦ୍ଧାଂଜଳି ରୂପରେ ନିବନ୍ଧଭିତ୍ତିକ ବକ୍ତବ୍ୟ ସବୁ ସଂକଳିତ ହୋଇଥିଲା, ୧୯୩୮ ସାଲ ପର୍ଯ୍ୟନ୍ତ । ବଳରାମ ମହାନ୍ତି, ଗାନ୍ଧିଜୀଙ୍କ ଯେଉଁ ମନ୍ତବ୍ୟର ସୂଚନା ଦେଇଥିଲେ, ତାହାର ମୂଳ ଇଂରାଜୀ ଲେଖା ଏହିପରିଥିଲା ।
"The divorce of intellect from body labour has made us perhaps,shortest lived, most resourceless and most exploited nation on earth. The state of village tannery is perhaps the best proof of my indictment. It was late Madhusudan Das, who opened my eyes to the great crime against a part of humanity. He sought to make reparation by opening what might be called an educational tannery."
"ମାତ୍ର ଏହି ଦେଶର ଶରୀର ଶ୍ରମରୁ, ଚିନ୍ତାଶକ୍ତିର ବହିଷ୍କାର ଆମ୍ଭମାନଙ୍କୁ ପୃଥିବୀ ପୃଷ୍ଠରେ ସବୁଠାରୁ ସ୍ୱଳ୍ପାୟୁ, ନିର୍ଦ୍ଧନ ଆଉ ନିଷ୍ପେଷିତ ଜାତିରେ ପରିଣତ କରିଛି । ଏହି ଦେଶର ଗ୍ରାମ୍ୟ ଚମଡ଼ା କଷେଇ ଶିଳ୍ପର ଦୟନୀୟ ସ୍ଥିତି ଏହାର ପ୍ରକୃଷ୍ଠ ନିଦର୍ଶନ । ମଣିଷ ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ନିର୍ଘାତ ଅପରାଧ କରିଚାଲିଛେ, ସେ ସଂପର୍କରେ ସ୍ୱର୍ଗତଃ ମଧୁସୂଦନ ଦାସ ମୋର ଚକ୍ଷୁ ଉନ୍ମୀଳନ କରିଦେଇଥିଲେ । ଏ କ୍ଷେତ୍ରରେ ଅବାରିତ ଭାବେ ଆମେ ଯେଉଁ ଅପରାଧ କରିଚାଲିଛେ, ତାହାର ପ୍ରାୟଶ୍ଚିତ୍ତ ଆଉ ନିରାକରଣ କରିବାପାଇଁ ମଧୁସୂଦନ ଦାସ ଗୋଟିଏ ଶିକ୍ଷାମୂଳକ ଟ୍ୟାନେରି ଖୋଲିଥିଲେ ।"
କିଭଳି ସମ୍ବେଦନାପୂର୍ଣ୍ଣ ଉଚ୍ଛ୍ୱସିତ ବିହ୍ୱଳତାର ଉକ୍ତି ଏହାଥିଲା, ମହାତ୍ମାଗାନ୍ଧୀଙ୍କର ମଧୁସୂଦନଙ୍କ ପ୍ରତି ! ପ୍ରାୟ ୧୯୨୫ ସାଲରୁ ୧୯୩୮ ସାଲ ଯାଏ ମହାତ୍ମାଗାନ୍ଧୀଙ୍କ ସଂକଳିତ ଗ୍ରନ୍ଥାବଳୀରେ, କୋଡ଼ିଏରୁ ଊର୍ଦ୍ଧ୍ୱ ବକ୍ତବ୍ୟସଂବଳିତ ନିବନ୍ଧ ଆଉ ପତ୍ରାବଳୀ ସନ୍ଦର୍ଶନ କରି ହତ ଚକିତ ହୋଇଯାଇଥିଲି । ପ୍ରତିଟି ବକ୍ତବ୍ୟରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କୁ ନିଜର ଅନ୍ୟତମ ମାର୍ଗଦର୍ଶକ
ରୂପେ ଶ୍ରଦ୍ଧାଂଜଳି ବାଢ଼ି ଚାଲିଥିଲେ ପ୍ରଗାଢ଼ କୃତଜ୍ଞତା ଭରା ଉଦ୍ଦୀପନାର ବଶବର୍ତ୍ତୀ ହୋଇ ।
ଗାନ୍ଧିଜୀଙ୍କର ଅବିସ୍ମରଣୀୟ ଐତିହାସିକ ପଦଯାତ୍ରା ମଧ୍ୟରେ ୧୯୩୦ ସାଲର ଲବଣ
ସତ୍ୟାଗ୍ରହ ଜନିତ ଦାଣ୍ଡିଯାତ୍ରା, ୧୯୩୪ ସାଲର ହରିଜନ ଶିକ୍ଷାମୂଳକ ପଦଯାତ୍ରା ଆଉ ୧୯୪୭
ସାଲର ସାଂପ୍ରଦାୟିକ ସଦ୍ଭାବ ସମନ୍ୱିତ ନୂଆଖାଲିର ପଦଯାତ୍ରାକୁ ଅତୀବ ମହାନ ରୂପେ ଗଣ୍ୟ
କରାଯାଏ । ଏ ସମଗ୍ର ମଧ୍ୟରେ ମହାତ୍ମାଗାନ୍ଧୀଙ୍କର ଓଡ଼ିଶାରେ ସଂଚାଳିତ ୧୯୩୪ ସାଲର
ପଦଯାତ୍ରା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା, ଯାହା ଗ୍ରାମ ଗହଳରେ ନିଶ୍ଚେଷ୍ଟତାର ସ୍ଥାଣୁତାକୁ ସମାପ୍ତ କରି
ଏକ କର୍ମଚାଞ୍ଚଲ୍ୟ ଭରିଦେବା ସହିତ, ହରିଜନମାନଙ୍କୁ ନିଶ୍ଚେଷ୍ଟତାର ପରିଧି ମଧ୍ୟରୁ ଉଦ୍ଧାର
କରିବା ମୂଳ ଲକ୍ଷ୍ୟ ଥିଲା । ଗାନ୍ଧିଜୀ ପ୍ରଥମେ ଝାରସୁଗୁଡ଼ାରେ ୫.୫.୧୯୩୪ରେ ପହଞ୍ଚିଲେ ।
ଏହାପରେ ମଟରଗାଡ଼ିରେ ପୁରୀ ଆସି ୮.୫.୧୯୩୪ରେ ଉପସ୍ଥିତ ହେଲେ । ପୁରୀଠାରୁ
୯.୫.୧୯୩୪ରେ ପଦଯାତ୍ରା ଆରମ୍ଭକରି ୧୬.୫.୧୯୩୪ରେ କଟକରେ ପ୍ରଥମ ଭାଗର
ପଦଯାତ୍ରା ଶେଷ କଲେ । ଆଉ ଏହି ଦିନ କଟକରୁ ପାଟଣାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ
ଯୋଗଦେବାପାଇଁ ରେଳରେ ଯାତ୍ରାକଲେ ଓ ୨୫.୫.୧୯୩୪ରେ ପାଟଣାରୁ ରେଳ ଯୋଗେ
ପ୍ରତ୍ୟାବର୍ତ୍ତନ କରି ବୈରୀ ଷ୍ଟେସନରେ ଓହ୍ଲାଇଲେ । ମହାତ୍ମାଗାନ୍ଧୀ ଏହିଠାରୁ ଓଡ଼ିଶାରୁ ତାଙ୍କର
ଦ୍ୱିତୀୟ ଭାଗର ପଦଯାତ୍ରା ଆରମ୍ଭ କଲେ ।
ମହାତ୍ମାଗାନ୍ଧୀ ଓଡ଼ିଶାରେ ୧୯୩୪ ସାଲରେ ତାହାଙ୍କର ସମଗ୍ର ପଦଯାତ୍ରା ସମାପ୍ତିର ପ୍ରାୟ
ଆଠମାସ ଅନ୍ତରାଳରେ ୨୩.୨.୧୯୩୫ରେ ନାଗପୁରରେ ପ୍ରଦତ୍ତ ତାହାଙ୍କର ଭାଷଣରେ
ସ୍ୱୀକାରୋକ୍ତି କରିଛନ୍ତି ଯେ, ଓଡ଼ିଶାରେ ଏହି ପଦଯାତ୍ରା ଆପଣାର ଅନ୍ୟତମ ମାର୍ଗଦର୍ଶକ
ମଧୁସୂଦନଙ୍କର ପରାମର୍ଶରେ ହିଁ ଆରମ୍ଭ କରିଥିଲେ । ମାତ୍ର ଏହି ପଦଯାତ୍ରାପାଇଁ ମହାତ୍ମାଗାନ୍ଧୀ
ଓଡ଼ିଶାରେ ୫.୫.୧୯୩୪ରେ ପହଞ୍ଚିଲା ବେଳକୁ ୪.୨.୧୯୩୪ରେ ମଧୁସୂଦନଙ୍କର ମହାପ୍ରୟାଣ
ଘଟିଥିଲା । ଏଣୁ ପାଟଣାରୁ ଫେରି ୨୧.୫.୧୯୩୪ରେ ବୈରୀଠାରେ ରେଳରୁ ଅବତରଣ
କରିବା ପରେ ମହାତ୍ମାଗାନ୍ଧୀଙ୍କର ସ୍ୱତନ୍ତ୍ର ନିର୍ଦ୍ଦେଶ ଥିଲା ଯେ ଏହି ପଦଯାତ୍ରା ଯେପରି ମଧୁସୂଦନଙ୍କର
ମହିମାନ୍ୱିତ ପବିତ୍ର ଜନ୍ମସ୍ଥାନ ସତ୍ୟଭାମାପୁର ଦେଇ ସଂଚାଳିତ ହୁଏ , ତାହାହେଲେ ସେଠାରେ
ସେ ମଧୁସୂଦନଙ୍କ ସ୍ମୃତିରେ ନିମଜ୍ଜମାନ ରହି ସମଗ୍ର ରାତିବାସଟି ବିତାଇବେ । ଏହାହିଁ ହେବ
ତାଙ୍କର ମଧୁସୂଦନଙ୍କ ପ୍ରତି ଗରିମାଦୀପ୍ତ ଶ୍ରଦ୍ଧାଞ୍ଜଳି ।
ବାପୁଜୀ ତାଙ୍କର ଓଡ଼ିଶାରେ ଦ୍ୱିତୀୟ ବାର ପଦଯାତ୍ରାରେ ୨୧.୫.୧୯୩୪ରେ ବୈରୀ
ଷ୍ଟେସନରେ ରେଳରୁ ଅବତରଣ କଲେ । ତାହା ଥିଲା ପ୍ରଭାତର ସ୍ନିଗ୍ଧ ଓ ଶାନ୍ତିପ୍ରଦାୟୀ ସମୟ ।
ସେହି ଦିନଟି ମଧ୍ୟ ଥିଲା ବାପୁଜୀଙ୍କ ମୌନ ଦିବସ । ସେହି ଷ୍ଟେସନ୍ରେ ପ୍ରଶାନ୍ତିର ବାତାବରଣ
ମଧ୍ୟରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା । ପ୍ରାର୍ଥନା ସଭାର ସମାପ୍ତି ପରେ ଚାରିମାଇଲ ଦୂରରେ
ଅବସ୍ଥିତ ଥିବା ଚମ୍ପାପୁର ଆଶ୍ରମରେ ଗୋଟିଏ ସଭା ଅନୁଷ୍ଠିତ ହେଲା । ସେହିଦିନ ବାପୁଜୀ
ଯଶରାଜପୁର ବାଟ ଦେଇ ଭେଦା ଗ୍ରାମକୁ ଗଲେ । ପଥ ମଧ୍ୟରେ ଲେଖନପୁରରେ ହରିଜନ ବସ୍ତିକୁ ଯାଇ ତିନିଜଣ ପାଣ ପରିବାରଙ୍କ କୁଟୀରକୁ ଯାଇ ଆଉ ଅନ୍ତରଂଗତାର ଆବେଦନରେ
ସେମାନଙ୍କୁ ବିହ୍ୱଳିତ କରିଥିଲେ । ମହିଳାମାନଙ୍କ ସହିତ ଅତ୍ୟନ୍ତ ସ୍ୱଚ୍ଛ ଅନ୍ତଃକରଣରେ
କଥାବାର୍ତ୍ତା ହେଲେ । ତେଣୁ ସେମାନେ ନିଭୃତ ଅନ୍ତରର ବେଦନା ଅଜାଡ଼ି
ଦେଇଥିଲେ ଆଶ୍ୱାସନାର ହୃହୟସ୍ରାବୀ ସ୍ପର୍ଶରେ । ଭେଦାଠାରୁ ସତ୍ୟଭାମାପୁର ଥିଲା ମାତ୍ର ଅଳ୍ପ
ଦୂରର ପଥ ।
ତାହା ଥିଲା ମଇମାସର ରୌଦ୍ରଦୀପ୍ତ ତେଇଶି ତାରିଖ । ବାପୁଜୀଙ୍କ ନିବିଡ଼ ହୃଦୟର
ଆବେଗରେ ରସାଣିତ ଥିଲା ସେହି ସ୍ୱର୍ଣ୍ଣିମ ଦିବସଟି । ଆପଣାର ମାର୍ଗଦର୍ଶକଙ୍କ ଜନ୍ମସ୍ଥାନ
ସତ୍ୟଭାମାପୁର ବାପୁଜୀଙ୍କପାଇଁ କିଭଳି ମହିମାନ୍ୱିତ ଥିଲା, ତାହା ପ୍ରକୃତରେ ଅକଳ୍ପନୀୟ । ଭେଦା
ଯାତ୍ରା ପରେ ବାପୁଜୀ ପହଞ୍ଚିଥିଲେ ଅପରାହ୍ଣ ବେଳାରେ ସତ୍ୟଭାମାପୁରଠାରେ । ସୂର୍ଯ୍ୟର
ମାଧୁର୍ଯ୍ୟଭରା ରକ୍ତିମ କିରଣରେ ଛାଇ ସବୁ ଲମ୍ବିଯାଇଥିଲା । ଏଠାରେ ଅନ୍ୟସ୍ଥାନ ପରି ଟଙ୍କା ଥଳି
ମଧ୍ୟ ଭେଟି ଦିଆଗଲା । ମଧୁସୂଦନଙ୍କର ସଂର୍ପକୀୟା ବୋହୂ ଉର୍ମିଳା ଦେବୀ ମଧ୍ୟ ଅଳଂକାର
ପ୍ରଦାନ କରି ବାପୁଜୀଙ୍କୁ ଭୂମିଷ୍ଠ ପ୍ରଣାମ କରିଥିଲେ ।
ସେହିଦିନ ସାୟାହ୍ନରେ ଭଜନ ଅନୁଷ୍ଠିତ ହୋଇଥିଲା । ବାପୁଜୀ ଏହି ସାନ୍ଧ୍ୟ ସମାବେଶର
ପ୍ରାର୍ଥନା ସଭାରେ ବିପୁଳ ଆବେଗରେ ଅତ୍ୟନ୍ତ ଉଚ୍ଛ୍ୱସିତ କଣ୍ଠରେ ଭାଷଣ ପ୍ରଦାନ କରି କହିଥିଲେ,
"" ଆମର ଏହି ଦେଶରେ ପ୍ରତ୍ୟେକ ମଣିଷକୁ ଭଗବାନଙ୍କର ନାମ ପ୍ରଦାନ କରାଯାଏ । ଏଣୁ
ମଣିଷର ନାମ ଯେତିକି ଭଗବାନଙ୍କର ନାମ ସେତିକି । ଏତିକି ନାମ ସ୍ମରଣ କରିବା ଆମ ପକ୍ଷରେ
ସଂଭବ ନୁହେଁ । ଆମକୁ ଭଗବାନଙ୍କର ଯେଉଁନାମ ବିହ୍ୱଳିତ କରୁଛି, ଭକ୍ତିର ଅପାର
ଉଦ୍ବେଳନରେ ମନକୁ ରସାଣିତ କରୁଛି, ସେହି ନାମରେ ଭଗବାନଙ୍କୁ ଡାକିବା । ପ୍ରଭାତରୁ ଉଠି
ଭଗବାନଙ୍କର ନାମ ନେଲେ ଦିନଯାକ ମଣିଷ ସୁରକ୍ଷିତ ରହିଥାଏ । ସାରା ଦିନର ଚବିଶି ଘଣ୍ଟାରେ
ଭଗବାନଙ୍କ ନାମ ଅନ୍ତତଃ ଦୁଇଥର ନେବା ଉଚିତ । ଏହା ଆମକୁ ଭଗବାନଙ୍କ ସହିତ ସଂପର୍କିତ
କରି ରଖିବା ସହିତ ସୁରକ୍ଷା ପ୍ରଦାନ କରି ଚାଲିଥିବ ।
ପ୍ରଖ୍ୟାତ ସମାଜବାଦୀ ନେତା ବାଙ୍କ ବିହାରୀ ଦାସ, ପଦଯା୍ରତାରେ ବାପୁଜୀଙ୍କର
ଅନୁଗମନ କରୁଥିଲେ । ତାହାଙ୍କର ତାପùର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ଅନୁସାରେ ବାପୁଜୀ ସେହିଦିନ
ରାତିରେ ମଧୁବାବୁଙ୍କର ନିବାସସ୍ଥଳୀ କୋଠାର ଛାତରେ ଉନ୍ମୁକ୍ତ ଆକାଶ ତଳେ ରାତ୍ରିଯାପନ
କରିଥିଲେ । ଯେଉଁ ସ୍ଥାନରେ ସେ ଖଟରେ ଶୟନ କରୁଥିଲେ, ତାହା ନୀଳରେଖା ଅଂକନ
କରାଯାଇ ସୂଚିତ କରାଯାଇଛି । ସେଦିନ ରାତିରେ ବାପୁଜୀ ତାରକାଖଚିତ ମୁକ୍ତ ଆକାଶ
ତଳେ ନିରାଭରଣ ପ୍ରକୃତିର ଐଶ୍ଚର୍ଯ୍ୟ ବିମଣ୍ଡିତ ସୁଷମାର ଅପୂର୍ବ ବିନ୍ୟାସ ମଧ୍ୟରେ ଶୟନ
କରିଥିଲେ । ସମ୍ମୁଖରେ ସୁବିଶାଳ ଭରାଜଳର ସରୋବର ରମଣୀୟ ""ରସକୁଣ୍ଡ ।
ଚତୁର୍ଦ୍ଦିଗରେ ବିପୁଳ ନାରିକେଳ ଆଉ ଗୁଆ ଗଛର ଶୋଭାଯାତ୍ରା, ଯାହାକୁ ସ୍ପର୍ଶ କରି ସୁଶୀତଳ
ମନ୍ଦମଳୟ ବହି ଚାଲିଥିଲା ଅବାରିତ ଗତିରେ । ପ୍ରଭାତୀ ଜାଗରଣ ବେଳାରେ କୂଜନର
ସୁମଧୁର ନିଃସ୍ୱନ ଆମୋଦିତ କରିଥିଲା ସମସ୍ତ ପରିବେଶକୁ । ଏହିଠାରେ ଅବସ୍ଥାନ କାଳରେ ବାପୁଜୀଙ୍କର ରମାଦେବୀଙ୍କ ବିଷୟରେ ବୋଧହୁଏ ସ୍ମରଣରେ
ଆସିଲା । ରମାଦେବୀ ଏହି ପ୍ରଥମ ପର୍ଯ୍ୟାୟରେ, ପୁରୀଠାରୁ କଟକ ଯାତ୍ରାପଥରେ ବାପୁଜୀଙ୍କ
ପଦଯାତ୍ରାର ଗୁରୁ ଦାୟିତ୍ୱ ବହନ କରିଥିଲେ । ଏହି ପଦଯାତ୍ରାର ମାତ୍ର ତିନିମାସ ପୂର୍ବରୁ
ରମାଦେବୀଙ୍କ ପରିବାରର ବଡ଼ବାପା ମଧୁସୂଦନଙ୍କର ତିରୋଧାନ ଘଟିଥିଲା, ଯାହା ସାରା ଦେଶକୁ
ଶୋକରେ ଆଚ୍ଛନ୍ନ କରିଥିଲା । ବାପୁଜୀ ପାଟଣା ଯିବା ପରେ ରମାଦେବୀଙ୍କର ତେଜସ୍ୱିନୀ ମାତା
ବସନ୍ତ କୁମାରୀଙ୍କର ପରଲୋକ ଘଟିଲା । ଏହା ତାଙ୍କୁ ଶଲ୍ୟାଘାତ ପରି ଅସୀମ ଯଂତ୍ରଣା ପ୍ରଦାନ
କରିଥିଲା । ଶୋକାଭିଭୂତ ରମାଦେବୀ ଯେପରି ସୀମାହୀନ ଦୁଃଖର ସାଗରରେ ନିମଜ୍ଜମାନା
ହୋଇଯାଇଥିଲେ ।
ଏହା ଅବଗତ ହେବାପରେ, ବାପୁଜୀ ଅନ୍ତରର ଆବେଗରେ, ରମାଦେବୀଙ୍କୁ ସାନ୍ତ୍ୱନାଦାୟୀ
ଅଥଚ ଅନୁପ୍ରେରଣାଭିତ୍ତିକ ଏକ ଚିଠି ଲେଖି ଜଣାଇଥିଲେ । ""ଜଣେ ଦେଶ ସେବିକାର ନିଜସ୍ୱ
ଦୁଃଖ ଆଉ ଅବସାଦ ଭୋଗ କରିବାପାଇଁ ତାହାଙ୍କର ସ୍ୱତନ୍ତ୍ର ସମୟ ମଧ୍ୟ ନାହିଁ । ତାହାଙ୍କର
ସମସ୍ତ ସମୟ ଦେଶ ସେବାରେ ହିଁ ନିବେଦିତ ।
ବାପୁଜୀଙ୍କର ଏହି ଆହ୍ୱାନରେ ରମାଦେବୀ ଆସି ପଦଯାତ୍ରାରେ ଯୋଗ ଦେଇଥିଲେ ।
ପରଦିନ ସକାଳେ ବାପୁଜୀ ସତ୍ୟଭାମାପୁର ଛାଡ଼ି ଆସି ପହଞ୍ଚିଲେ ବହୁକୁଦରେ । ବାପୁଜୀ
ପହଞ୍ଚିବା ପରେ କ୍ଷୌର ହେବାପାଇଁ ଚାହିଁଲେ । ମାତ୍ର ହଠାତ୍ ଏହି ସ୍ଥାନରେ କୌଣସି ନାପିତ
ମିଳିଲେ ନାହିଁ । ସେଠାରେ ଜଣେ ନାପିତୁଣୀ ଉତ୍ତମ କ୍ଷୌର କର୍ମ ଜାଣିଥାଏ । ତାହାକୁ
ଯେତେବେଳେ ଡକାଗଲା ସେ ଗଭୀର ଭାବେ ଚିନ୍ତିତା ହେଲା । ତାହାର ପିନ୍ଧିକରି ଯିବାପାଇଁ
କୌଣସି ମୂଲ୍ୟବାନ ସୁନା ଆଉ ରୂପାର ଅଳଂକାର ନଥିଲା । ଜଣେ ଦେବପୁରଷକୁ ନିରାଭରଣ
ଶରୀରରେ କିପରି ବା ସାକ୍ଷାତ କରିବ ? ତେଣୁ ଗ୍ରାମ ଗହଳରେ କିଛି ଧନାଢ଼୍ୟ ପରିବାରଙ୍କଠାରୁ
ମାଗି ଯାଚି କିଛି ମୂଲ୍ୟବାନ ଅଳଂକାର ଆଣି ସଜ୍ଜିତ ହେଲା । କ୍ଷୁର ମୁଠି ଧରି ସେ ମହାତ୍ମାଙ୍କୁ
କ୍ଷୌର କରିବାପାଇଁ ଆଗେଇ ଗଲା ।
ପରବର୍ତ୍ତୀ ବର୍ଣ୍ଣନାଟି କବି ମାୟାଧର ମାନସିଂହଙ୍କ ଲେଖନୀରେ ପ୍ରକାଶ ପାଇଛି-
ଆସିବେ ମହାତ୍ମାଗାନ୍ଧୀ ପତିତ ଉଦ୍ଧାରେ ା
ଶୁଣେ ଗ୍ରାମ-ନାପିତୁଣୀ, ତା ଗ୍ରାମ ତୋଟାରେ ାା
ବାନ୍ଧୁଛନ୍ତି ସ୍ୱେଚ୍ଛାସେବୀ ତାଳପତ୍ର ବାସ,
ଲାଗିଅଛି ଜନତାରେ ଦ୍ରୁତ ଯାଆ ଆସ ାା
ଦେଖୁଛନ୍ତି ନବଲୀଳା ଗ୍ରାମ ନରନାରୀ,
ହେଉଛନ୍ତି କୁହାକୁହି ପଚରାପଚରି-
କିଦେବେ ଗାନ୍ଧୀରେ ଭେଟି; ଦରିଦ୍ର ସକଳେ-
ହେଲେ କି ଦେବତା ଦେଖା ହେବ ରିକ୍ତ-କରେ ?
ରିକ୍ତ-ହସ୍ତେ କରିବାକୁ ରାଜ-ଦରଶନ,
ଦରିଦ୍ର ହେଲେ ହେଁ, ତାଙ୍କ ମାନୁନାହିଁ ମନ
ଦିନୁଁ ଦିନ ନାପିତୁଣୀ ଭାବେ ମନେମନେ
"" ମୁଁ କିସ ବନ୍ଦିବି ନେଇ ? କିଛି ହେଲେ ଅନେ
ଦେଇ ଅର୍ଚ୍ଚିବେ ସେ ପୁଣ୍ୟ ଚରଣ ଯୁଗଳ,
ମୋର ତ ସେ ଲାଗି ନାହିଁ କିଛି ହିଁ ସମ୍ବଳ
ତେବେ କି ଏ ପୁଣ୍ୟ-ଦଣ୍ଡ ଯିବ ଖାଲିଖାଲି ?
ଦ୍ୱାରେ ମୋ ବାରୁଣୀ ବୁଡ଼; ପାତକ ପଖାଳି
ପାରିବିନି ପାତକିନୀ ? ପତିତ-ପାବନ
ହେ ଦେବତା, ହେ ମହାତ୍ମା, ହେ ଗାନ୍ଧୀ ରାଜନ,
କୋଟି କୋଟି ନରନାରୀ ନମନ୍ତି ପୟରେ,
ଦରିଦ୍ର ମୁଁ ନାହିଁ ବୋଲି ଧନ ମୋହ କରେ
ପାରିବିନି ବନ୍ଦି ତବ ପରମ ଚରଣ
ପାଇବିନି କିଛି ତବ ପୁଣ୍ୟ-ବିତରଣ ?
ଜୀବନେ କରିନି ପୁଣ୍ୟ, ନିରକ୍ଷରା ନାରୀ,
ଆଜି ଏ ବୟସେ, ମାଥେ ବହି ପାପ ଭାରି
ଭାବଇ କରିଲେ ହେଲେ ତୋର ପଦାର୍ଚ୍ଚନ
ହୁଅନ୍ତା ବା କିଛି ହେଲେ ଧର୍ମ ଅରଜନ !
ପ୍ରଭାତିଲା ବିଭାବରୀ, ପଡ଼ିଲା ଚହଳ
ଗ୍ରାମ-ଉପବନେ ଯହିଁ ଗାନ୍ଧୀ, ଗାନ୍ଧୀ ଦଳ
ହେଲେ ଆସି ଉପଗତ । ପଡ଼ିଲା ବିଚାର-
ନାପିତ ନାହିଁ ଏ ଗ୍ରାମେ ? ହୋଇବେ ସଂସ୍କାର
ମହାତ୍ମା ଏ ପ୍ରଭାତରେ !- ସ୍ୱେଚ୍ଛାସେବୀଗଣ
ଧାଇଁଲେ ତୁରିତେ ଗ୍ରାମେ କରି ଅନ୍ୱେଷଣ ।
ଫେରିଲେ ଯେବେ ସେ ପରେ, ପୂର୍ବ ନାପିତୁଣୀ
ପଛେ ତାଙ୍କ, -ଆଖି ଭୂମେ, ମୁଖେ ନାହିଁ ବାଣୀ ।
ସୁସଜ୍ଜିତା ଓଡ଼ିଆଣୀ ଆୟ ଅଳଂକାରେ,
ଭଂଜୀୟ ନାୟିକା ଯେହ୍ନେ ଚଳେ ଅଭିସାରେ !
ସ୍ତବ୍ଧ ସର୍ବ ସଭାଜନେ, ଗାନ୍ଧୀ ସ୍ମିତ ହସେ
ନାପିତୁଣୀ ଆଗମନେ, କୌତୁକ-ରଭସେ ।
ଭାଷନ୍ତି ମହାତ୍ମା ହସି "ଆଚ୍ଛା ଏ ତ କଥା !"
ନାପିତୁଣୀ ଖୁର ଘଷେ କିନ୍ତୁ ପୋତି ମଥା
ଏକ ଯୋଗେ ଏକ ମନେ, ଧୀର ଦେଇ ଜଳ
ମହାତ୍ମା ସହିତେ ସ୍ତବ୍ଧ ସର୍ବ ସଭାସ୍ଥଳ ।
କ୍ରମେ ସେ ପରଖି ଖୁର, ମୁଣ୍ଡେ ଥାପି କର
ନିରକ୍ଷରା ଓଡ଼ିଆଣୀ କରିଲା ଉଜ୍ଜ୍ୱଳ,
ପତିତ-ପାବନ ମହାମାନବ ଗାନ୍ଧୀରେ
ମସ୍ତକେ ବୁଲାଇ ଅସ୍ତ୍ର; ହସ୍ତ ଦେଇ ଧୀରେ
ଦୁଇ ଗଣ୍ଡେ, ଚିବୁକରେ ପରମ ଆଦରେ
ଆଣିଲା ବୁଲାଇ ଖୁର । ଚରଣ ଯୁଗଳେ
ନମି ପୁଣି ନଖପନ୍ତି କରିଲା ନିର୍ମଳ
ଅତି ଯତ୍ନେ ଦେଇ ତାର ସମଗ୍ର କୌଶଳ ।
ପଚାରନ୍ତେ ଗାନ୍ଧୀ ତାରେ "ପିନ୍ଧିଛ ଜନନୀ !
ଏ ଯେଉଁ ଭୂଷଣ ଭାର କି ଲାଭ କହନି -
ହୁଅଇ ଏଥିରେ ତବ !" - ଭାଷଇ ଗଦ୍ଗଦ୍
ନାପିତୁଣୀ ସ୍ନିଗ୍ଧ କଣ୍ଠେ, "ମୋହର ସଂପଦ
କାହିଁ ହେ ମହାଭାଗ, ପାଇବି ଭୂଷଣ"
ଏସବୁ ଆଣିଛି ମାଗି ତୁମର ଦର୍ଶନ
କରିବି ବୋଲି ମୁଁ ଆଜି । ବିନା ଭୂଷଣରେ
କେମନ୍ତେ ଆସନ୍ତି ଦେଖି ଦେବତା ତୁମରେ ?"
ତା'ପରେ ତା କରେ ଯେବେ ଗୁଞ୍ଜିଲେ ତା ମୂଲ
ଗାନ୍ଧିଜୀଙ୍କ ପାର୍ଶ୍ୱଜନେ ତୁରିତେ ତା ଠୁଳ
କରିଧାରେ ମହାତ୍ମାର ଚରଣ କମଳେ
ଜୀବନର ପୁଣ୍ୟ ଘେନି ନାପିତୁଣୀ ଚଳେ ।
ବାପୁଜୀଙ୍କର ପଦଯାତ୍ରା ଚାଲିଥିଲା ଅବାରିତ ଗତିରେ, ପ୍ରାକ୍ ମୌସୁମୀ ବର୍ଷାରେ ଧାରାପାତର ଆଗମନୀ ପର୍ଯ୍ୟନ୍ତ । ନିଦାଘର ପ୍ରଚଣ୍ଡ ଝାଞ୍ଜିରେ ସେହି ପଦଯାତ୍ରା ଥିଲା ଯେପରି କ୍ଲାନ୍ତିହୀନ ସେହିପରି ଉତ୍ସାହପ୍ରଦ । ମହାତ୍ମାଜୀଙ୍କ ଜନ୍ମସ୍ଥାନ ଥିଲା ପୋରବନ୍ଦର ସହର, ସେଠାରେ ସେ ଆବାଲ୍ୟରୁ ପ୍ରତିପାଳିତ ହୋଇଥିଲେ ଏବଂ ଅଧ୍ୟୟନ ଆଉ କର୍ମସଂସ୍ଥାନ ଥିଲା ବିଦେଶରେ,
ମହାନଗରୀ ଆଉ ମେଟ୍ରୋ ସହରମାନଙ୍କରେ । ସେଥିଯୋଗୁଁ ଗ୍ରାମଗହଳର ଅଭିଜ୍ଞତା ଥିଲା ବାପୁଜୀଙ୍କର ସ୍ବଳ୍ପ । ଏଣୁ ମଧୁସୂଦନଙ୍କର ବାପୁଜୀଙ୍କ ପ୍ରତି ଅନୁପ୍ରେରଣା ଥିଲା ଗ୍ରାମ ଗହଳରେ ପରିଭ୍ରମଣ କର, ଅବସ୍ଥାର ଅନୁଧ୍ୟାନ କର ଆଉ ଶତାବ୍ଦୀ ଶତାବ୍ଦୀ ଧରି ଜମାଟ ବାନ୍ଧିଥିବା ନିଶ୍ଳେଷ୍ଟତାକୁ ଦୂରକର । ଏହି ଆହ୍ବାନର ବଶବର୍ତ୍ତୀ ହୋଇ ବାପୁଜୀ ତାଙ୍କର ହରିଜନ ପଦଯାତ୍ରା ଓଡ଼ିଶାରେ ଆରମ୍ଭ କରିଥିଲେ ।
(ୟଙ୍ଗ୍ ଇଣ୍ଡିଆ ୧୦.୫.୧୯୨୮)
ବାପୁଜୀ ଓଡ଼ିଶାରେ ସଂଚାଳିତ ଏହି ପଦଯାତ୍ରାର ସ୍ତରେସ୍ତରେ ମଧୁସୂଦନଙ୍କର ଏହି ଗରିମାମୟ ବକ୍ତବ୍ୟର ତାତ୍ପର୍ଯ୍ୟ ଅନୁଭବ କରିଚାଲିଥିଲେ ଆଉ ପଦଯାତ୍ରାର ଅନ୍ତରାଳରେ ଏହିସବୁ ଗ୍ରାମ ଗହଳରେ ଜମାଟ ବାନ୍ଧିଥିବା ନିଶ୍ଳେଷ୍ଟତାକୁ ଦୂରକରିବାକୁ ପଣ କରିଥିଲେ ।
ଏହି ପଦଯାତ୍ରାରେ ସବୁଠାରୁ ଅତ୍ୟନ୍ତ ଶ୍ରମସାଧ୍ୟ କାର୍ଯ୍ୟମାନ ମହିଳାମାନେ କେବଳ ନିର୍ବାହ କରୁନଥିଲେ, ରନ୍ଧନଶାଳାରୁ ପରିବେଷଣ, ଅତିଥି ଚର୍ଚ୍ଚାଠାରୁ ଆଗାମୀ ଯାତ୍ରାସ୍ଥାନର ପ୍ରାକ୍ପ୍ରସ୍ତୁତି ଆଦି କାର୍ଯ୍ୟ ନିର୍ଘଣ୍ଟ ସଂପାଦନାରେ ବ୍ୟସ୍ତ ରହୁଥିଲେ । ରମାଦେବୀଙ୍କର ବାଲ୍ୟ ଶିକ୍ଷା, ବିହାରର ହିନ୍ଦୀଭାଷୀ ଅଂଚଳରେ ସମାହିତ ହୋଇଥିବାରୁ, ସେ ସାରା ଭାରତରୁ ଆଗନ୍ତୁକଙ୍କର ପରିଚର୍ଯ୍ୟାରେ ମନୋନିବେଶ କରିଥିଲେ । ଆଉ ବିଶେଷତଃ ବାପୁଜୀଙ୍କର ନିଜସ୍ୱ ସ୍ୱାଚ୍ଛନ୍ଦ୍ୟ ପ୍ରତି ଅତ୍ୟନ୍ତ ସହୃଦୟତାର ସହ ଦୃଷ୍ଟି ଦେଇ ସମସ୍ତ କାର୍ଯ୍ୟ ପ୍ରଖର ପୁରୋଦୃଷ୍ଟି ସହ ନିର୍ବାହ କରୁଥିଲେ । ବାପୁଜୀ, ରମାଦେବୀ ତଥା ତାଙ୍କ ସହାୟିକାମାନଙ୍କର ସଂଗଠନ ଶକ୍ତିରେ ଅତୀବ ବିସ୍ମିତ ହୋଇଯାଉଥିଲେ । ବିଦାୟ ବେଳାରେ ଅତ୍ୟନ୍ତ ବିହ୍ୱଳିତ କଣ୍ଠରେ ବାପୁଜୀ କହିଥିଲେ; ଏହି ପଦଯାତ୍ରା କାଳରେ, ମୁଁ ରମାଦେବୀ ଓ ତାଙ୍କ ଅନନ୍ୟା ସହାୟିକାଙ୍କର ଗଭୀର ପ୍ରେମରେ ପଡ଼ିଯାଇଛି ।
ଗ୍ରୀଷ୍ମ ଅବସାନ ପରେ ପ୍ରାକ୍ ମୌସୁମୀ ବର୍ଷା, ହଠାତ୍ ପଦଯାତ୍ରାର ସମାପ୍ତି ଘୋଷଣା
କରିଦେଲା । ବାଲେଶ୍ୱର ଜିଲ୍ଲାର କର୍ଦ୍ଦମାକ୍ତ ପିଚ୍ଛିଳ ପଥରେ ଆଉ ପାଦ ଥାପିବା ଅସମ୍ଭବ
ହୋଇଗଲା । ଯାତ୍ରା ସମାପ୍ତି ସମୟରେ, ଗ୍ରାମର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ମୌଳିକ ଶିକ୍ଷା
କାର୍ଯ୍ୟକ୍ରମର ତାଲିମ ବ୍ୟବସ୍ଥାପାଇଁ ବାପୁଜୀଙ୍କର, ରମାଦେବୀ ଓ ଗୋପବଂଧୁ ଚୌଧୁରୀଙ୍କୁ ସ୍ୱତନ୍ତ୍ର
ନିର୍ଦ୍ଦେଶ ଥିଲା । ଏହା ପରେ ବାପୁଜୀଙ୍କ ପଦଯାତ୍ରାର ସମାପ୍ତି ଘୋଷଣା ହେଲା । ୧୯୩୪ ଜୁନ
ଆଠ ତାରିଖରେ ଭଦ୍ରକରୁ, ବାପୁଜୀ ରେଳଯାତ୍ରାରେ ଓଡ଼ିଶାରୁ ବିଦାୟ ନେଲେ ।
ମଧୁସୂଦନଙ୍କର ନିରବଚ୍ଛିନ୍ନ ଉଦ୍ୟମର ଫଳସ୍ମୃତି ସ୍ୱରୂପ ୧୯୩୬ ସାଲର ଏପ୍ରିଲ ପହିଲାରେ
ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇ ସ୍ଥାପିତ ହେଲା । ସେହି ବର୍ଷ
ନଭେମ୍ବର ମାସରେ ପ୍ରାଦେଶିକ ବିଧାନସଭାମାନଙ୍କପାଇଁ ନିର୍ବାଚନ ହେଲା । ପହିଲା ଏପ୍ରିଲ୍
୧୯୩୭ ସାଲରେ ପାରଳାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ତାଙ୍କର ପ୍ରାରମ୍ଭିକ ମନ୍ତ୍ରିମଣ୍ଡଳ
ଗଠନ କରିଥିଲେ । ମାତ୍ର ସେହି ବର୍ଷ ଊଣେଇଶି ଜୁଲାଇରେ ବିଶ୍ୱନାଥ ଦାସଙ୍କର ପ୍ରଧାନମନ୍ତ୍ରିତ୍ୱରେ
ଓଡ଼ିଶାର ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଏହିପରି ଓଡ଼ିଶାକୁ ମିଶାଇ ସାରା ଭାରତରେ
ସାତଗୋଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଏହି ପ୍ରଦେଶମାନଙ୍କରେ ମୌଳିକ
ଶିକ୍ଷାର ପ୍ରବର୍ତ୍ତନ ୧୯୩୭ ସାଲ ୨୨ ଅବ୍ଧୋବର ସେବାଗ୍ରାମଠାରେ ମହାତ୍ମାଗାନ୍ଧୀ ସର୍ବଭାରତୀୟ
ଶିକ୍ଷା ସମ୍ମିଳନୀ ଆହ୍ୱାନ କଲେ । ଏହି ସମ୍ମିଳନୀରେ କଂଗ୍ରେସ ଶାସିତ ସାତଗୋଟି ପ୍ରଦେଶର
ମୁଖ୍ୟମଂତ୍ରୀ ଓ ଶିକ୍ଷାମନ୍ତ୍ରୀଗଣ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଗଣ, ବିଶିଷ୍ଟ ଶିକ୍ଷାବିତ୍ ମଣ୍ଡଳୀ
ଏବଂ ଏହାଙ୍କ ସହିତ ଡାକ୍ତର ଜାକିର ହୁସେନ, ବିନୋବା ଭାବେ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅଧିବେଶନର ଉଦ୍ଘାଟନୀ ମହୋତ୍ସବରେ ମହାତ୍ମାଗାନ୍ଧୀ, ମୌଳିକ ଶିକ୍ଷାର ତାତ୍ପର୍ଯ୍ୟ ଉପରେ
ପ୍ରାୟ ଦୁଇଘଣ୍ଟା ବ୍ୟାପୀ ଉଦ୍ଭାଷଣର ଉପସଂହାରରେ କହିଥିଲେ-
" ସ୍ୱର୍ଗତଃ ମଧୁସୂଦନ ଦାସ ଜଣେ ଆଇନଜୀବୀ ଥିଲେ । ମାତ୍ର ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଆମ୍ଭମାନଙ୍କର ହସ୍ତ ଆଉ ପଦଗୁଡ଼ିକ ଯଦି ବିଧିବଦ୍ଧଭାବେ ସଂଚାଳିତ ଆଉ ନିୟୋଜିତ ନହୁଏ, ତାହାହେଲେ ଆମ୍ଭମାନଙ୍କର ମସ୍ତିଷ୍କ ସ୍ଥାଣୁ, ନିଶ୍ଚେଷ୍ଟ ପାଲଟିଯିବ ଏବଂ ଯଦିବା ସେହି ମସ୍ତିଷ୍କ କାର୍ଯ୍ୟକରେ, ତାହା ସଇତାନର ଆଡ୍ଡ଼ାସ୍ଥଳୀରେ ପରିଣତ ହେବ । ଋଷି ଟଲଷ୍ଟୟ ମଧ୍ୟ ଏହି ବକ୍ତବ୍ୟକୁ ତାହାଙ୍କର ଅସଂଖ୍ୟ କାହାଣୀ ମଧ୍ୟରେ ପ୍ରଚାରିତ କରିଅଛନ୍ତି ।"
କିଭଳି ଅନବଦ୍ୟ ଆଉ ମହିମାନ୍ୱିତ ଥିଲା ମହାତ୍ମାଗାନ୍ଧୀଙ୍କର ଏହି କାଳଜୟୀ ବକ୍ତବ୍ୟ,
ଯହିଁରେ ମଧୁସୂଦନଙ୍କ ପ୍ରତି ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି, କିଭଳି ଗରିମାମୟ ଆଉ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ।
ଏଥର ଯିବା ମହାତ୍ମାଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମର ଅନ୍ୟ ଏକ ପର୍ଯ୍ୟାୟକୁ । ୧୯୩୭
ସାଲରେ କର୍ଣ୍ଣାଟକର ହୁଗୁଲିଠାରେ ଗାନ୍ଧୀ ସେବାସଂଘର ଏକ ବୈଠକ ବସିଥିଲା । ଏହି
ଅଧିବେଶନରେ ଓଡ଼ିଶା ପକ୍ଷରୁ ଆଚାର୍ଯ୍ୟ ହରିହର, ଗୋପବଂଧୁ ଚୌଧୁରୀ, କୃପାସିନ୍ଧୁ ହୋତା,
ରମାଦେବୀ, ବିନୋଦ କାନୁନ୍ଗୋ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଧିବେଶନରେ ଗାନ୍ଧୀ
ସେବାସଂଘର ଆଗାମୀ ବାର୍ଷିକୀ ସମ୍ମିଳନୀପାଇଁ ସ୍ଥାନ ନିରୂପଣ କରାଯାଉଥାଏ । ଏହି ସମ୍ମିଳନୀ
ଓଡ଼ିଶାରେ କରିବା ନିମନ୍ତେ ଗୋପବଂଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର ନିମନ୍ତ୍ରଣ ଜଣାଇଲେ ।
ଏଥିପାଇଁ ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟସ୍ଥ ବେରବୋଇ ଚିହ୍ନିତ ହେଲା । ଏହି ସମ୍ମିଳନୀ ୧୯୩୮
ସାଲର ମାର୍ଚ୍ଚ ୨୫ ତାରିଖରେ ହେବାପାଇଁ ସ୍ଥିରୀକୃତ ହେଲା । ଏହି ସମୟରେ ବିଶ୍ୱନାଥ ଦାସଙ୍କ
ଅଧିନାୟକତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥାଏ ।
ମହାତ୍ମାଗାନ୍ଧୀ ମାର୍ଚ୍ଚ ୨୫ ତାରିଖ ଦିନ ପ୍ରତ୍ୟୂଷାରେ ରେଳଯୋଗେ ଆସି ଡେଲାଙ୍ଗ ଷ୍ଟେସନରେ ଓହ୍ଲାଇଲେ । ସେଠାରୁ ଆସି ପହଞ୍ଚିଲେ ନିଘଞ୍ଚ ନାରିକେଳ ଉଦ୍ୟାନଭରା ସବୁଜିମାର ନିବିଡ଼ ଆଚ୍ଛାଦନରେ ପରିବେଷ୍ଠିତ ବେରବୋଇଠାରେ । ପରିବେଶ ଦେଖି ଗାନ୍ଧିଜୀ ଏକାନ୍ତଭାବେ ବିସ୍ମୟାଭିଭୂତ ହୋଇଗଲେ । ବିପୁଳ ନାରିକେଳ ଉଦ୍ୟାନର ପ୍ରଗାଢ଼ ଆସ୍ତରଣ ମଧ୍ୟରେ, ମଳୟର ଉତ୍ତାଳତା ଯେପରି ସ୍ତବ୍ଧ ହୋଇଯାଇଥାଏ । କେବଳ କୋଇଲିର ଲହରିତ କୂଜନ ସମସ୍ତ ବାତାବରଣକୁ ମୁଖରିତ କରୁଥାଏ । ଗାନ୍ଧିଜୀ ସମ୍ମିଳନୀ ସ୍ଥଳରେ ପହଞ୍ଚିବା ପରେ ଗୋପବଂଧୁ
ଚୌଧୁରୀଙ୍କ ନେତୃତ୍ୱରେ ପ୍ରଭାତରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା ।
ଏହା ପରେ ଗାନ୍ଧିଜୀ ସ୍ୱଳ୍ପକାଳ ଲାଗି ବିଶ୍ରାମ ନେଲେ । ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀର ଉଦ୍ଘାଟନ ସମୟ ଆଗତ ପ୍ରାୟ । ହେଲେ ଅସରନ୍ତି ଥିଲା ସେହି ପ୍ରତୀକ୍ଷାର ବେଳା । ଶେଷରେ ନିର୍ଦ୍ଧାରିତ ସମୟ ଆସି ପହଞ୍ଚିଲା । ସମୟ ଥିଲା ସକାଳର ଆଠଘଣ୍ଟା ପନ୍ଦର ମିନିଟ୍, ହେଲେ ସୁଦୀର୍ଘ କାଳ ବିଗିଡ଼ିଯିବା ପରି ମନେ ହେଉଥିଲା । ଅପେକ୍ଷାର ସହସା ଅନ୍ତ ଘଟିଲା । ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗାନ୍ଧିଜୀ ପ୍ରଦର୍ଶନୀ ଉଦ୍ଘାଟନ କଲେ । ଏହା ପରେ ଘୂରି ବୁଲୁଥାନ୍ତି ଏକାଦିକ୍ରମେ ପ୍ରଦର୍ଶନୀର ପ୍ରତିଟି କକ୍ଷ, ବିସ୍ମୟ-ବିସ୍ଫାରିତ ନୟନରେ । ଓଡ଼ିଶା ପ୍ରଦେଶର କୋଣ ଆଉ ଅନୁକୋଣରୁ ଆସି ପହଞ୍ଚିଥାଏ ଭଳିକି ଭଳି ବର୍ଣ୍ଣାଢ଼୍ୟ ଆଉ ମନ୍ତ୍ରମୁଗୁଧକର ବସ୍ତୁରାଜିରେ ନିର୍ମିତ
ଚିତ୍ତ ଉଲ୍ଲାସକାରୀ କମନୀୟ ହସ୍ତଶିଳ୍ପ । ଏହା ସହିତ ସଂଯୁକ୍ତ ହୋଇଥାଏ ବିଚିତ୍ର ତନ୍ତଶିଳ୍ପର
ଯାଦୁକରୀ ନକ୍ସା ସମନ୍ୱିତ ବସ୍ତୁରାଜି, ସନ୍ନିବେଶିତ ହୋଇଥାଏ ଜ୍ୟାମିତିକ ରେଖାକୃତିର ଅପରୂପ
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀସବୁ । ଏଥିରୁ କିଛି ବସ୍ତୁରାଜି ମଧ୍ୟ ତିଆରି ହୋଇଥାଏ ମଧୁସୂଦନଙ୍କ
ପ୍ରଖର ମାନସିକତାରେ ପ୍ରସ୍ତୁତ କଳକବ୍ଜା ମାଧ୍ୟମରେ, ଯାହା ଶ୍ରମଜୀବୀ ଓ କାରିଗରଙ୍କର
କ୍ଲେଶଯୁକ୍ତ ଶ୍ରମକୁ ବହୁ ପରିମାଣରେ ଲାଘବ କରିଥାଏ । ମହାତ୍ମାଗାନ୍ଧୀ ଅତ୍ୟନ୍ତ ପୁଲକିତ ଚିତ୍ତରେ
ଆଉ ବିପୁଳ ରୋମାଞ୍ଚିତ ଆଗ୍ରହ ମଧ୍ୟରେ ସମସ୍ତ ସମ୍ମିଳନୀକକ୍ଷ ବୁଲି ସାରିବା ପରେ, ଉପବେଶନ
କଲେ ସଭାମଣ୍ଡପରେ । ସମଗ୍ର ଭାରତରୁ ଆଗତ ପ୍ରତିନିଧିଙ୍କ ଗହଣରେ ବିପୁଳ ଜନ ସମାବେଶରେ
ଉଚ୍ଛ୍ୱସିତ କରତାଳି ମଧ୍ୟରେ ମହାତ୍ମାଗାନ୍ଧୀ ଆରମ୍ଭକଲେ ଅତ୍ୟନ୍ତ ଦରଦଭରା କଣ୍ଠରେ ତାହାଙ୍କର
ଅନବଦ୍ୟ ମାର୍ମିକ ବକ୍ତବ୍ୟ ।
"ଆପଣମାନେ ଜାଣନ୍ତି ସାରା ଦେଶରେ ଓଡ଼ିଶା ହେଉଛି ମୋର ପ୍ରିୟଭୂମି । ମୁଁ ମଧ୍ୟ ଅନୁଭବ କରିଛି, ଯଦି ଓଡ଼ିଶାର କିଛି ସେବା କରିପାରିବି, ତେବେ ଭାବିବି ଭାରତର ହିିଁ ସେବା କରୁଛି । ଓଡ଼ିଶା ମୋ'ପାଇଁ ଏକ ତୀର୍ଥ ଭୂମିରେ ପରିଣତ ହୋଇଛି ।"
ଏହା ପରେ ମଧୁସୂଦନଙ୍କ ସ୍ମୃତି, ତାଙ୍କର ଉଚ୍ଛ୍ୱସିତ ଆବେଗରେ ଉଦ୍ବେଳିତ ହୋଇ
ଉଠିଥିଲା, ସେ ଟିକିଏ ଥମିଗଲେ ଓ ଉଦାତ୍ତ କଣ୍ଠରେ ପୁଣି ବକ୍ତବ୍ୟ ଆରମ୍ଭ କଲେ ।
"ମଣିଷ ପଶୁଠାରୁ ଅନେକ ଗୁଣରେ ଭିନ୍ନ । ମଧୁସୂଦନ ଦାସ ଯେପରି କହନ୍ତି "ଉଭୟଙ୍କ
ମଧ୍ୟରେ ଶରୀରର ଅବୟବର ଆକୃତିରେ ବହୁଭାବରେ ଭିନ୍ନତା ରହିଛି । ମଣିଷର ହସ୍ତ ଓ
ପଦରେ ଅଂଗୁଳିଗୁଡ଼ିକ ରହିଛି, ଯାହାକୁ ସେ ଅତ୍ୟନ୍ତ ବୁଦ୍ଧିମତ୍ତାର ପରିପ୍ରକାଶ ସହ କମନୀୟତାର
କଳାତ୍ମକ ବିନ୍ୟାସ ମଧ୍ୟରେ ବ୍ୟବହାର କରିଥାଏ । ଯଦି ମଣିଷ ପରିପୂର୍ଣ୍ଣ ଆଉ ଏକାନ୍ତ ଭାବେ
କୃଷି ଉପରେ ନିର୍ଭର କରିଥାନ୍ତା, ତା'ହେଲେ ସେ ଈଶ୍ୱରଙ୍କଦ୍ୱାରା ମହିମାନ୍ୱିତ ଭାବରେ ପ୍ରଦତ୍ତ
ଆପଣାର ଅଂଗୁଳିଗୁଡ଼ିକୁ ବ୍ୟବହାର କରି ନଥାନ୍ତା । ସେ ତାହାକୁ ସର୍ବୋତ୍ତମ ଭାବରେ ବ୍ୟବହାର
କରେ ଶିଳ୍ପଭିତ୍ତିକ କାର୍ଯ୍ୟକ୍ରମରେ ।"
କୃଷିକାର୍ଯ୍ୟ ସହିତ ଅଂଗୁଳିର ସଦ୍ବିନିଯୋଗ କରି ଆମେ ଯଦି ହସ୍ତଶିଳ୍ପ ଉତ୍ପାଦନରେ ବ୍ରତୀ ହେଉ ଆମେ ସ୍ୱଚ୍ଛନ୍ଦ ଜୀବନଯାପନ କରିପାରିବା । ଏହି ପ୍ରଦର୍ଶନରେ ବିଭିନ୍ନ ହସ୍ତଶିଳ୍ପର ସାମଗ୍ରୀମାନ ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଘୂରି ବୁଲି ଦେଖନ୍ତୁ ଆଉ ସେଥିମଧ୍ୟରୁ ଗୋଟିଏ
ହସ୍ତଶିଳ୍ପକୁ ଆପଣଙ୍କପାଇଁ ବାଛି ନିଅନ୍ତୁ । ଆଉ ତାହାକୁ ଉତ୍ପାଦନ କରିବାପାଇଁ ବ୍ରତୀ ହୁଅନ୍ତୁ । ତାହା ନିଶ୍ଚୟ ଆପଣଙ୍କର ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହେବ ।"
ଏହି ବେରବୋଇଠାରେ ଅନୁଷ୍ଠିତ ଗାନ୍ଧୀ ସେବାସଂଘର ସମ୍ମିଳନୀରେ ଗାନ୍ଧିଜୀ ୧୯୩୮ ସାଲର ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ ଏହି ନାରିକେଳ ଉଦ୍ୟାନର଼ ସବୁଜ ପରିବେଶ ମଧ୍ୟରେ । ଏହାଥିଲା ଗାନ୍ଧିଜୀଙ୍କର ଓଡ଼ିଶା ସହିତ ଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଗୌରବ ବିମଣ୍ଡିତ ସଂପର୍କ ।
ଅବଶ୍ୟ ୧୯୪୬ ସାଲର ଜାନୁଆରି କୋଡ଼ିଏ ତାରିଖରେ, ରେଳରେ ଗୌହାଟୀରୁ ମାନ୍ଦ୍ରାଜ ଯିବା ବେଳେ ରାତି ସାଢେ଼ ଗୋଟାଏ ବେଳେ, କଟକ ରେଳ ଷ୍ଟେସନରେ ସେ ଆକାଂକ୍ଷିତ ଜନତାକୁ ସାକ୍ଷାତ ଦେଇଥିଲେ । ପ୍ରବଳ ଶୀତରେ ବ୍ରହ୍ମପୁରଠାରେ ପ୍ରାତଃ ୪ ଘଟିକାଠାରେ ରେଳରୁ ଅବତରଣ କରି ରେଳ ଷ୍ଟେସନ ନିକଟ ମଇଦାନରେ ସ୍ୱଳ୍ପ ସମୟପାଇଁ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ଏହା ଥିଲା ମହାତ୍ମାଗାନ୍ଧୀଙ୍କର ଓଡ଼ିଶା ଭୂଖଣ୍ଡକୁ ଅନ୍ତିମ ସ୍ପର୍ଶ ।
କେତେକ ମୁଷ୍ଟିମେୟ ସଂକୀର୍ଣ୍ଣ ଗାନ୍ଧୀପ୍ରେମୀ ଓ ବୁଦ୍ଧିଜୀବୀ ମଧୁସୂଦନଙ୍କୁ ଗାନ୍ଧୀଦ୍ରୋହୀବୋଲି
ଉପସ୍ଥାପନ କରି ତାଙ୍କୁ ଓଡ଼ିଶା ଇତିହାସରୁ ନିଶ୍ଚିହ୍ନ କରିଦେବାକୁ ପ୍ରଯତ୍ନଶୀଳ ଥିଲାବେଳେ,
ସ୍ୱୟଂ ମହାତ୍ମାଗାନ୍ଧୀ ଏହା ବିରୁଦ୍ଧରେ ନିରନ୍ତର ପ୍ରାୟଶ୍ଚିତ୍ତ କରିଛନ୍ତି । ତାଙ୍କ ପ୍ରତି ଉଚ୍ଛ୍ୱସିତ
ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଭାରତର ଜଣେ ମହିମାନ୍ୱିତ ଯୋଗ୍ୟ ପୁରୁଷ ରୂପେ ସେ ଉଦ୍ଘୋଷଣା
କରିଛନ୍ତି ।
ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆଦିଙ୍କ ସହିତ ମହାତ୍ମାଗାନ୍ଧୀ ଓଡ଼ିଶା
ପ୍ରଦେଶର ଅନ୍ୟତମ ସ୍ଥାପୟିତା ରୂପେ ପରିଗଣିତ ହୁଅନ୍ତି । ପାରଳା ମହାରାଜାଙ୍କର ବକ୍ତବ୍ୟ
ଥିଲା - ଏହା ହିଁ ସତ୍ୟ ଯେ ମହାତ୍ମାଗାନ୍ଧୀଙ୍କୁ ବାଦଦେଲେ ସାରା ଭାରତର ଅଧିକାଂଶ ନେତୃବର୍ଗ
ଓଡ଼ିଶା ପ୍ରଦେଶ ଗଠନ ବିରୋଧରେ ମତ ଦେଇଥିଲେ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ
ହିନ୍ଦୀଭାଷା, ଉତ୍ତର ଭାରତର ସଂଖ୍ୟାଧିକ ଭାଷା ଓ ସଂସ୍କୃତିକୁ ଗ୍ରାସକରି ଯେଉଁ ଦିଗ୍ବିଜୟୀ ଯାତ୍ରା
ଚଳାଇଥିଲା, ସେହି ଯାତ୍ରାର ପ୍ରଥମ ଗତିରୋଧ ଘଟିଥିଲା ସମ୍ବଲପୁର ଜିଲ୍ଲା ସମେତ ଓଡ଼ିଶାର
ପଶ୍ଚିମ ଖଣ୍ଡରେ । ଏହି ସଂଗ୍ରାମର ଅନ୍ତିମ ପରିଣତିରେ ୧୬.୧୦.୧୯୦୫ରେ ପଶ୍ଚିମ ଖଣ୍ଡର
ମିଶ୍ରଣରେ ନବ ଓଡ଼ିଶାର ସୃଷ୍ଟି ସମ୍ଭବପର ହୋଇଥିଲା ।
ବହୁଭାଷୀ ଭାରତର ଭବିଷ୍ୟତ ଭାଷା ସଂକ୍ରାନ୍ତ ନୀତିକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କରିବାପାଇଁ ମହାତ୍ମାଗାନ୍ଧୀ ଚେଷ୍ଟିତ ଥିବା ବେଳେ ବୋଧହୁଏ ମଧୁସୂଦନ ଦାସଙ୍କର ପରାମର୍ଶ କ୍ରମେ ବ୍ରଜସୁନ୍ଦର ଦାସ ବିଖଣ୍ଡିତ ଓଡ଼ିଶା ସଂପର୍କରେ ଏକ ତଥ୍ୟ ଭିତ୍ତିକ ପ୍ରଚାର ପତ୍ର
ମହାତ୍ମାଗାନ୍ଧୀଙ୍କ ନିକଟକୁ ପ୍ରେରଣ କରିଥିଲେ । ଏହାଥିଲା ମହାତ୍ମାଗାନ୍ଧୀଙ୍କ ସମ୍ମୁଖରେ ଓଡ଼ିଶା
ସଂପର୍କରେ ପ୍ରଥମ ଉପସ୍ଥାପନା, ଯାହା ତାଙ୍କୁ ହତଚକିତ କରିଥିଲା । ଏହି ପ୍ରଚାର ପତ୍ରର ସାରାଂଶକୁ
ମହାତ୍ମାଗାନ୍ଧୀ ଉଦ୍ଧୃତି ରୂପେ ଉପସ୍ଥାପନ କରି ନିଜର ସ୍ୱତନ୍ତ୍ର ବକ୍ତବ୍ୟକୁ "ଉତ୍କଳର ଚିତ୍କାର'
ଶୀର୍ଷକରେ ୟଙ୍ଗ ଇଣ୍ଡିଆ ପତ୍ରିକାରେ ୧୯୨୦ରେ ପ୍ରକାଶ କରିଥିଲେ । ତାହାର କିଛି ଅଂଶ
ଏହିପରି ଥିଲା । - "ଓଡ଼ିଆମାନଙ୍କୁ ଚାରୋଟି ପ୍ରଶାସନ (ବିହାର, ମାଡ଼୍ରାସ, ବଂଗ ଓ
ମଧ୍ୟପ୍ରଦେଶ)ର ଅଧୀନରେ ରଖାଯାଇଛି; ଯେଉଁସବୁ ଅଞ୍ଚଳରେ ସେମାନେ ସଂଖ୍ୟାଲଘୁ ରୂପେ
ପରିଗଣିତ ହୋଇଛନ୍ତି । ବିଗତ ପନ୍ଦର ବର୍ଷ ଧରି ଏହି ଅଂଚଳର ପ୍ରାଶାସନିକ ମିଶ୍ରଣ ଲାଗି
ସେମାନେ ସଂଗ୍ରାମ କରୁଛନ୍ତି । ମାତ୍ର ସେମାନେ ଅତ୍ୟନ୍ତ ନିରୀହ ଓ ଆନ୍ଦୋଳନପ୍ରବଣ ହୋଇ ନ
ଥିବାରୁ କର୍ତ୍ତୃପକ୍ଷ ସେମାନଙ୍କର ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଭାରତର ପ୍ରଗତି ଏକ ଅଂଶର
ବିଯୁକ୍ତିରେ ହୋଇ ପାରିବ ନାହିଁ । ନୂତନ ଭାରତୀୟ ମହାଜାତି, ଗୋଟିଏ ପ୍ରାଚୀନ ଗୌରବୋଜ୍ଜ୍ୱଳ
ଜାତିର ପାଉଁଶ ବା ଭଗ୍ନାବଶେଷ ଉପରେ ଗଢ଼ାଯାଇନପାରେ ।" ମହାତ୍ମାଗାନ୍ଧୀ ପୁନରାୟ ପ୍ରକାଶ
କରିଥିଲେ - ମାନନୀୟ ବ୍ରଜସୁନ୍ଦର ଦାସଙ୍କ ଭାବବିହ୍ୱଳତା, ଯଥାର୍ଥରେ ଭାଷାଭିତ୍ତିରେ ଅଞ୍ଚଳ
ଆବଣ୍ଟନର ପ୍ରଶ୍ନ ଉତ୍ଥାପିତ କରୁଛି । ଏଣୁ ମୁଁ ବିଶ୍ୱାସ କରୁଛି ଯେ ଓଡ଼ିଆ ଆନ୍ଦୋଳନର ପରମ
ତାତ୍ପର୍ଯ୍ୟକୁ ଗଭୀର ସହାନୁଭୂତିର ସହ ବିଚାର କରାଯିବା ଆବଶ୍ୟକ ।"
ଓଡ଼ିଶା ଓ ଓଡ଼ିଆ ଜାତିର ସମସ୍ୟା ସଂପର୍କରେ ମହାତ୍ମା ଗାନ୍ଧୀଙ୍କର ଏହି ଗଭୀର ତାତ୍ତ୍ୱିକ
ଚିନ୍ତନ ଡିସେମ୍ବର ୧୯୨୦ରେ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ପ୍ରତିଫଳିତ
ହୋଇଥିଲା । ଏହି ଅଧିବେଶନରେ ଗୃହୀତ ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ଭାଷାଭିତ୍ତିକ
ପ୍ରଦେଶ ଗଠନର ପ୍ରସ୍ତାବ ଗ୍ରହଣ କରିବା ଲାଗି ଏହା ଭିତ୍ତିଭୂମି ଯୋଗାଇଥିଲା । ଭାଷାଭିତ୍ତିକ
ଆନ୍ଦୋଳନ ପରିପ୍ରେକ୍ଷୀରେ ମହାତ୍ମାଗାନ୍ଧୀଙ୍କପାଇଁ ଓଡ଼ିଶା ହିଁ ଥିଲା ପ୍ରଥମ ପରୀକ୍ଷାର କ୍ଷେତ୍ର ।
ୟଙ୍ଗ୍ ଇଣ୍ଡିଆରେ ୧୯୨୦ରେ ପ୍ରକାଶିତ 'ଉତ୍କଳର ଚିତ୍କାର'ର ପ୍ରତ୍ୟୁତ୍ତରରେ ଓଡ଼ିଆ ଜାତିର
ପ୍ରତିନିଧି ମଧୁସୂଦନ ମହାତ୍ମାଗାନ୍ଧୀଙ୍କୁ କଲିକତାରେ ଭେଟିଥିଲେ । ମହାତ୍ମାଗାନ୍ଧୀଙ୍କର ମଧୁସୂଦନ
ଦାସଙ୍କ ପ୍ରତି ଅପରିସୀମ ଶ୍ରଦ୍ଧା ଓ ସମ୍ମାନ କେବଳ ନଥିଲା, ତାଙ୍କଦ୍ୱାରା ସଂଚାଳିତ ଓଡ଼ିଆ
ଆନ୍ଦୋଳନ ମଧ୍ୟ ମହାତ୍ମାଗାନ୍ଧୀଙ୍କ ସମର୍ଥନ ପାଇଥିଲା । ଏଣୁ ୧୯୨୧ର ଅସହଯୋଗ ଆନ୍ଦୋଳନ
କାଳରେ, ଓଡ଼ିଆ ଆନ୍ଦୋଳନକୁ ଅଧିକ ତୀବ୍ରତର ତଥା ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇବାପାଇଁ
ମଧୁସୂଦନଙ୍କର ବିହାର ଓ ଓଡ଼ିଶା ସରକାରର ମନ୍ତ୍ରିମଣ୍ଡଳରେ ଯୋଗଦାନକୁ ସମର୍ଥନ କରି
ମହାତ୍ମାଗାନ୍ଧୀ କହିଥିଲେ, "ଭାରତର ପ୍ରାଦେଶିକ ମନ୍ତ୍ରୀମାନେ ଯେବେ ମଧୁସୂଦନ ଦାସ ବା
ଚିନ୍ତାମଣିଙ୍କ ପରି ସ୍ୱାଧୀନଚେତା ହୋଇ ନିଜର କାମ କରନ୍ତି, ତେବେ ଭାରତୀୟ ଲୋକଙ୍କ
ମନ୍ତ୍ରିତ୍ୱ ଗ୍ରହଣରେ ମୋର କୌଣସି ଆପତ୍ତି ନାହିଁ ।"
୧୯୨୧ ମାର୍ଚ୍ଚମାସ ଶେଷ ଭାଗରେ ମହାତ୍ମାଗାନ୍ଧୀ ତାଙ୍କର ପ୍ରଥମ ଓଡଶା ଆଗମନର କିଛିକାଳ ପୂର୍ବରୁ "ଓଡ଼ିଆ ମୁଭ୍ମେଣ୍ଟ" ପୁସ୍ତକ ଅଧ୍ୟୟନ କରି ଓଡ଼ିଶାର ଦୟନୀୟ ସ୍ଥିତି ସଂପର୍କରେ ଆକଳନ କରି ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ଏବଂ ୨୩.୩.୧୯୨୧ରେ କଟକରେ ପହଞ୍ଚି "ଓଡ଼ିଆ ମୁଭ୍ମେଣ୍ଟ" ର ଲେଖକ ନିରଞ୍ଜନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ କରି ସେହି ଦିନ ସଂଧ୍ୟାର ସଭାରେ ବିଭାଜିତ ଓଡ଼ିଶା ସଂପର୍କରେ ତାତ୍ତ୍ୱିକ ଆଲୋଚନା କରିଥିଲେ ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ ସେହି ମାର୍ଚ୍ଚରେ ଗଠିତ ଉତ୍କଳର ଜାତୀୟ କଂଗ୍ରେସର
ପରିସୀମା ମଧ୍ୟରେ ମହାତ୍ମାଗାନ୍ଧୀଙ୍କର ସମ୍ମତିକ୍ରମେ ସିଂହଭୂମି ଓ ମେଦିନୀପୁରକୁ ଅନ୍ତର୍ଭୁକ୍ତ
କରାଯାଇଥିଲା । ଦକ୍ଷିଣ ଓଡ଼ିଶାର ସୀମାବିବାଦ ସଂପର୍କରେ ଉଲ୍ଲେଖ କରି ୨୯.୩.୧୯୨୧ରେ
ବ୍ରହ୍ମପୁରଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଗାନ୍ଧୀ କହିଥିଲେ-
"ଆଗାମୀକାଲି ସୂର୍ଯ୍ୟୋଦୟ ପୂର୍ବରୁ ଓଡ଼ିଆ-ତେଲ୍ଗୁ ବିବାଦର ସମାଧାନ ଘଟିବା ଆବଶ୍ୟକ ଓ
ସବଳ ଆନ୍ଧ୍ରବାସୀ ଦୁର୍ବଳ ଓଡ଼ିଆମାନଙ୍କର ଦାବି ମାନିନେବା ଉଚିତ । ଆନ୍ଧ୍ର ଓ ଓଡ଼ିଆମାନଙ୍କ
ମଧ୍ୟରେ ଥିବା ସୀମା ସମସ୍ୟା ଭାରତୀୟ ପରଂପରା ମତେ ରାଜନୈତିକ ଦୂରଦର୍ଶିତା ମଧ୍ୟରେ
ସମାହିତ ହେବା ଆବଶ୍ୟକ । ମୁଁ ନିଶ୍ଚୟ ଭାଷାଭିତ୍ତିରେ ଅଂଚଳର ଗଠନ ଓ ବିକାଶପାଇଁ
ପ୍ରତିଶ୍ରୁତିବଦ୍ଧ ।" (ମହାତ୍ମାଗାନ୍ଧୀ ରଚନାବଳୀ- ୨୩.୩.୨୧) ଏହାପରେ ୧୩.୪.୧୯୨୧ରେ
ୟଙ୍ଗ୍ ଇଣ୍ଡିଆରେ ମହାତ୍ମାଗାନ୍ଧୀ ଲେଖିଥିଲେ - "ଓଡ଼ିଆ ମୁଭ୍ମେଣ୍ଟ" ରେ ଲେଖକ ପ୍ରକାଶ କରିଛନ୍ତି
ଯେ ମନ୍ଦ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାପାଇଁ ଓଡ଼ିଶାକୁ ବିଭାଜିତ କରାଯାଇଛି ।
ଏହାର ଏକ ଭାଗ ବଂଗରେ, ଅନ୍ୟଭାଗ ବିହାରରେ, ଆଉ କିଛି ଭାଗ ମଧ୍ୟ ପ୍ରଦେଶରେ, ପୁଣି
କିଛି ଭାଗ ଆନ୍ଧ୍ରରେ ରହିଥିବା ବେଳେ ଓଡ଼ିଶାର ନିଜସ୍ୱ ଭୂମି ଖଣ୍ଡେ ମଧ୍ୟ ନାହିଁ । ହେଲେ କଂଗ୍ରେସ
ଓଡ଼ିଶାକୁ ଆଉ ଓଡ଼ିଆ ଲୋକଙ୍କୁ ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରିଛି । ମହାତ୍ମାଗାନ୍ଧୀଙ୍କର ଏହି
ସହୃଦୟତା ସତ୍ତ୍ୱେ ସର୍ବଭାରତୀୟ ସ୍ତରରେ ରାଜନୈତିକ ନେତୃବର୍ଗଙ୍କର ଅନାଗ୍ରହ ଓ ବିରୋଧ
ଯୋଗୁଁ ଓଡ଼ିଶାର ସୀମାନିର୍ଦ୍ଧାରଣ କ୍ଷେତ୍ରରେ ସାମାନ୍ୟତମ ଅଗ୍ରଗତି ଘଟିନଥିଲା ।
ମଧୁସୂଦନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମହାତ୍ମାଗାନ୍ଧୀ କଟକ ଆସି "ମଧୁସ୍ମୃତି" ଠାରେ ୧୯.୮.୧୯୨୫ରେ ଅନୁଷ୍ଠିତ କଂଗ୍ରେସ କର୍ମୀସଭାରେ ଯୋଗ ଦେଇଥିଲେ । କଂଗ୍ରେସର କର୍ମୀମାନେ ଚରଖା ଚଳାଇ ରଚନାତ୍ମକ କାର୍ଯ୍ୟ କରିବା ଯେମିତି ଗୁରୁତ୍ୱପୂର୍ଣ୍ଣ, ସିଂହଭୂମିର ଓଡ଼ିଶା ସହିତ ମିଶ୍ରଣ ପାଇଁ ପ୍ରୟାସ କରିବା ସେହିପରି ଗୁରୁତ୍ୱପୂର୍ଣ୍ଣ । ଏଥିଲାଗି ଉତ୍କଳମଣି ଗୋପବଂଧୁ ଓ ପଣ୍ଡିତ ଗୋଦାବରୀଶ ମଧ୍ୟ ଆଗରୁ ପ୍ରୟାସ କରିଥିଲେ । ଅବଶେଷରେ ୧୫.୪.୧୯୨୮ରେ ମଧୁସୂଦନ ବମ୍ବେଠାରେ ବଟ୍ଲାର କମିଟି ସମ୍ମୁଖରେ ଓଡ଼ିଶା ସହ ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଲାଗି ଦାବି ଉପସ୍ଥାପନ କରିବାରୁ ଲୋଥିୟାନ କମିଟିର ସୁପାରିଶ କ୍ରମେ ୧୯୩୩ରେ
ଏହା ଓଡ଼ିଶାରେ ମିଶିଥିଲା । ମାତ୍ର ଓଡ଼ିଶାର ରାଜନୈତିକ ନେତୃବର୍ଗଙ୍କ ଅପରିଣାମଦର୍ଶିତାଯୋଗୁଁ
ଶେଷରେ ଏହି ଭୂମିଖଣ୍ଡ ଓଡ଼ିଶାରୁ ବିଚ୍ୟୁତ ହୋଇଯାଇଥିଲା ।
କରାଚୀଠାରେ ୧୯୩୧ରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସରଳାଦେବୀ ମହାତ୍ମାଗାନ୍ଧୀଙ୍କୁ ଗୋଲଟେବୁଲ୍ ବୈଠକରେ ଓଡ଼ିଶାର ପ୍ରଶ୍ନ ଉତ୍ଥାପନ କରିବାପାଇଁ ନିବେଦନ ଜଣାଇଥିଲେ । ପ୍ରତ୍ୟୁତ୍ତରରେ ମହାତ୍ମାଗାନ୍ଧୀ କହିଥିଲେ, "ମୁଁ ଗୋଲ୍ଟେବୁଲ୍ ବୈଠକରେ ଓଡ଼ିଶାର ପ୍ରତିନିଧି ଦଳ ସହ ଏହି ଦାବି ଉପସ୍ଥାପନ କରିବି । "
ଓଡ଼ିଶା ଗଠନ ପ୍ରୟାସର ଶେଷ ଦୃଶ୍ୟ ସଂଘଟିତ ହୋଇଥିଲା, ଲଣ୍ଡନର ପଟ୍ଟଭୂମିରେ । ଓଡ଼ିଶାର ୧୫୬୮ ସାଲରେ ସ୍ୱାଧୀନତାର ଅବଲୁପ୍ତି ପରେ ଏହାଥିଲା ବିଦେଶ ମାଟିରେ ଓଡ଼ିଆମାନଙ୍କର ଅନ୍ତିମ ଗରିମାମୟ ନିର୍ଣ୍ଣାୟକ ସଂଗ୍ରାମ । ମଧୁସୂଦନ ୧୮୯୭ ଓ ୧୯୦୭ରେ, ପାରଳା ମହାରାଜା ୧୯୩୧, ୧୯୩୩, ଓ ୧୯୩୪ରେ, ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ଓ ୧୯୩୩ରେ, ଭୁବନାନନ୍ଦ ଦାସ ୧୯୩୨ ଓ ୧୯୩୩ରେ ଓ ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ୧୯୩୪ରେ ଇଂଲଣ୍ଡର ଗୋଲଟେବୁଲ୍ ବୈଠକ ତଥା ଅନ୍ୟ ସମସ୍ତ ନିର୍ଣ୍ଣାୟକ
ଅଧିବେଶନର ଆନ୍ଧ୍ର ଓ କର୍ଣ୍ଣାଟକ ପ୍ରତିନିଧିମାନଙ୍କର ସମାନ୍ତରାଳ ବିପରୀତମୁଖୀ ପ୍ରଚେଷ୍ଟା ସତ୍ତ୍ୱେ
ଓଡ଼ିଶାର ଦାବି ଉପସ୍ଥାପନ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି କରିଥିଲେ । ଏହି ଗରିମାମୟ
ଯୁଗାନ୍ତକାରୀ ସଂଗ୍ରାମ ଭାରତର ସ୍ୱାଧୀନତା ପୂର୍ବରୁ ସଂଚାଳିତ ହୋଇ ନଥିଲେ ଦୂରଦ୍ରଷ୍ଟା ଗାନ୍ଧିଜୀଙ୍କ
ଭାଷାରେ - ଓଡ଼ିଶାର ଅସ୍ତିତ୍ୱ ପାଉଁଶ ସ୍ତୂପରେ ପରିଣତ ହୋଇଯାଇ ଥାଆନ୍ତା । ହେଲେ ଓଡ଼ିଆ
ଜାତିର ଏହି ଶେଷ ଶୌର୍ଯ୍ୟଶାଳୀ ମହିମାମଣ୍ଡିତ ସଂଗ୍ରାମର ଗାଥା ରହିଛି ଅସଂକଳିତ ଓ ଅସଂଗୃହୀତ
ହୋଇ ଏବଂ ଦୁର୍ଦ୍ଦର୍ଷ ସଂଗ୍ରାମୀ ବରପୁତ୍ରମାନେ ରହିଛନ୍ତି ଅସ୍ୱୀକୃତ ହୋଇ- ଏହା ହିଁ ଗଭୀର
ପରିତାପର ବିଷୟ ।
ପ୍ରାୟ ସମସ୍ତ ଭାରତୀୟ ନେତୃବର୍ଗଙ୍କ ଉଗ୍ର ବିରୋଧ ସତ୍ତ୍ୱେ ମହାତ୍ମାଗାନ୍ଧୀ ହୃଦୟର ଉଚ୍ଛ୍ୱସିତ
ଆବେଗ ଘେନି ପରାଧୀନ ଭାରତରେ ସର୍ବାଗ୍ରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶାର ସ୍ଥାପନା
ଲାଗି ସଂକଳ୍ପବଦ୍ଧ ରହିଥିଲେ । ଏଣୁ ଏହି ଅବସରରେ ବିଶ୍ୱବନ୍ଦନୀୟ ମହାତ୍ମାଗାନ୍ଧୀଙ୍କ ପ୍ରତି ,
ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ , କାରଣ ତାଙ୍କର ଭାଷାଭିତ୍ତିକ ପ୍ରଦେଶର ପରିକଳ୍ପନା
ଓଡ଼ିଶାର ମାଟିରେ ହିଁ କଳ୍ପିତ ହୋଇ ପ୍ରଥମେ ରୂପାୟିତ ହୋଇଥିଲା ।
ସ୍ୱାଧୀନତାର ଅଗ୍ରଦୂତ ମହାତ୍ମାଗାନ୍ଧୀଙ୍କର ଜାତୀୟବାଦୀ କାର୍ଯ୍ୟଧାରାର ପଟ୍ଟଭୂମିରେ ପରାଧୀନ ଭାରତରେ ଆମ୍ବେଦକର ଏବଂ ମଧୁସୂଦନ, ଗାନ୍ଧିଜୀଙ୍କ ପ୍ରତି ଉଚ୍ଛ୍ୱସିତ ସମର୍ଥନ ଜଣାଇଥିଲେ ମଧ୍ୟ ନିଜର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, କଲ୍ୟାଣପ୍ରଦ ତଥା ମହତ୍ତର ଲକ୍ଷ୍ୟ ତୁରନ୍ତ ହାସଲ କରିବାର ଆତୁରତା ପାଇଁ ସେମାନଙ୍କୁ ଗାନ୍ଧିଜୀଙ୍କର କିଞ୍ଚିତ୍ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାଛଡ଼ା ସେହି ସମୟର ତୁଂଗ ନେତୃବର୍ଗଙ୍କ ସହିତ ସେମାନଙ୍କୁ ରୀତିମତ ସଂଘର୍ଷ କରିବାକୁ ପଡ଼ିଥିଲା । ଆମ୍ବେଦକର ଆଉ ମଧୁସୂଦନଙ୍କ କାର୍ଯ୍ୟଧାରାକୁ ବିଶ୍ଳେଷଣ କରିବାକୁ ଗଲେ, ସେମାନଙ୍କ ଭିତରେ ଥିବା ସମାନତା ବାରିହୁଏ ।
ଭାରତ ରତ୍ନ ଭୀମରାଓ ଆମ୍ବେଦକର (୧୮୯୧-୧୯୫୬) ନିର୍ଯ୍ୟାତିତ ଆଉ ନିଷ୍ପେଷିତ ଦଳିତ ଜାତିର ମୁକ୍ତି ଓ ଆର୍ଥିକ ବିକାଶ ପାଇଁ ଏବଂ ଜାତୀୟ ଗୌରବ ମଧୁସୂଦନ ଦାସ (୧୮୪୮- ୧୯୩୪) ବିଖଣ୍ଡିତ ଓ ବିଭାଜିତ କଂକାଳସାର ଓଡ଼ିଆ ଜାତିର ନିଜସ୍ୱ ଭାଷାଭିତ୍ତିକ (ଓଡ଼ିଶା) ପ୍ରଦେଶର ସ୍ଥାପନା ପାଇଁ ଜୀବନବ୍ୟାପୀ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ । ଏହି ଲକ୍ଷ୍ୟ ପ୍ରାପ୍ତିପାଇଁ ସେମାନେ ମହାତ୍ମାଗାନ୍ଧୀଙ୍କ ଅକୁଣ୍ଠିତ ସମର୍ଥନ ମଧ୍ୟ ହାସଲ କରିଥିଲେ । ମଧୁସୂଦନ ଏବଂ ଆମ୍ବେଦକରଙ୍କ ପାଇଁ ସ୍ୱାଧୀନତା ପ୍ରାପ୍ତିର ଯଥେଷ୍ଟ ପୂର୍ବରୁ ସେମାନଙ୍କ ଲକ୍ଷ୍ୟ ପୂରଣ ହେବା ଆବଶ୍ୟକ ଥିଲା, କାରଣ ସ୍ୱାଧୀନତା ପରେ ସେହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ ଦୁରୂହ ଓ କଷ୍ଟସାଧ୍ୟ ହୋଇପଡ଼ିଥାନ୍ତା ।
ଦଳିତ ଜାତିମାନଙ୍କ ସମସ୍ୟାର ଆଶୁ ସମାଧାନ କ୍ଷେତ୍ରରେ ଆମ୍ବେଦକରଙ୍କ ବକ୍ତବ୍ୟ ଥିଲା, "ମୁଁ ଅତ୍ୟନ୍ତ ଆତଙ୍କିତ ଯେ ଭାରତ, ବର୍ତ୍ତମାନ ସ୍ଥିତିରେ ଯଦି ସ୍ୱାଧୀନତା ଲାଭକରେ, ତାହାହେଲେ ଉଚ୍ଚ ବର୍ଗର ହିନ୍ଦୁମାନଙ୍କ ଦ୍ୱାରା ଅସ୍ପୃଶ୍ୟମାନେ ଅଧିକ ନିର୍ଯ୍ୟାତିତ ଓ ନିପୀଡ଼ିତ ହେବେ ।" ଏହି କଥାକୁ ତାତ୍ତ୍ୱିକ ସମର୍ଥନ ଜଣାଇ ମହାତ୍ମାଗାନ୍ଧୀ ୧୯୩୨ ସାଲର ମଧ୍ୟ ଭାଗରେ କହିଥିଲେ " ଅସ୍ପୃଶ୍ୟତାକୁ ହ୍ରାସ ନକରି ଯଦି ଆମେ କ୍ଷମତାକୁ ଆସୁ, ତେବେ ମୁଁ ନିଶ୍ଚିତ ଯେ ଅସ୍ପୃଶ୍ୟମାନଙ୍କ ପରିସ୍ଥିତି, ସ୍ୱାଧୀନତା ପ୍ରାପ୍ତି ମାତ୍ରକେ ଅଧିକ ବ୍ୟାପକ ଓ ଗଭୀର ହେବ ।"
ସେହିପରି ମଧୁସୂଦନ ଦାସ ଚାରିଟି ପ୍ରଦେଶରେ ବିଭାଜିତ ଓଡ଼ିଆ ଜାତି ସଂଖ୍ୟାଲଘୁ ଭାବେ ନିର୍ଯ୍ୟାତନାର ଶିକାର ହେବା ସଂପର୍କରେ ୧୯୨୦ ସାଲରେ ଗାନ୍ଧିଜୀଙ୍କୁ (ବ୍ରଜସୁନ୍ଦର ଦାସଙ୍କ ଜରିଆରେ) ଯେଉଁ ଚିଠିଟି ଲେଖିଥିଲେ, ତାହାର କିଛି ଅଂଶ ଏହିପରି ଥିଲା ।
"ହେ ମହାତ୍ମାଗାନ୍ଧୀ ! ଆପଣଙ୍କର ନବନିର୍ମିତ ଭାରତ କଣ ଓଡ଼ିଆ ଜାତିର ଭସ୍ମାବଶେଷ ଉପରେ ପ୍ରତିଷ୍ଠିତ ହେବ? ଏହି ଚିଠିଟିକୁ ମହାତ୍ମାଗାନ୍ଧୀ "ଉତ୍କଳର ଚିତ୍କାର' ନାମରେ ୧୮.୨.୧୯୨୦ "ୟଙ୍ଗ୍ ଇଣ୍ଡିଆ' ପତ୍ରିକାରେ ପ୍ରକାଶ କରିଥିଲେ ଏବଂ ସେହି ବର୍ଷ ଡିସେମ୍ବର ମାସରେ ନାଗପୁରର ଜାତୀୟ କଂଗ୍ରେସ ଅଧିବେଶନରେ ଭାଷାଭିତ୍ତିକ ପ୍ରଦେଶ ଗଠନପାଇଁ ନୀତି ଗ୍ରହଣ କରିଥିଲେ । ସେହିପରି ୨୯.୩. ୧୯୨୧ରେ ବ୍ରହ୍ମପୁରଠାରେ ଏକ ସଭାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ସଂଭବପର କରିବା ସକାଶେ ମାର୍ଗ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ମହାତ୍ମାଗାନ୍ଧୀ ଅଧିକ ବଳଶାଳୀ ଆନ୍ଧ୍ରବାସୀମାନଙ୍କୁ ଦୁର୍ବଳ ଓଡ଼ିଆମାନଙ୍କର ଦାବି ମାନିନେବା ପାଇଁ ଆହ୍ୱାନ ଜଣାଇଥିଲେ ।
ମଧୁସୂଦନ ଦାସ ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନପାଇଁ ଅଗ୍ରାଧିକାର ଭିତ୍ତିରେ ଦାବି କରିଥିଲେ । କାରଣ ତାଙ୍କ ଦୂରଦୃଷ୍ଟି ବଳରେ ସେ ଜାଣି ପାରିଥିଲେ ଯେ, ସ୍ୱାଧୀନତା ପ୍ରାପ୍ତି ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି ଅବହେଳିତ ହେଇଯିବାର ଆଶଙ୍କା ରହିଛି । ସ୍ୱାଧୀନତୋତ୍ତର ଭାରତରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସତ୍ୟ ପ୍ରମାଣିତ ହୋଇଥିଲା । ଏଣୁ ୧୧.୧୨.୧୯୧୭ରେ କଲିକତା ଯାଇ ମଣ୍ଟେଗୁ ଚେମସ୍ଫୋଡର଼୍ କମିଟି ଆଗରେ ମଧୁସୂଦନ ତାଙ୍କର ବଳିଷ୍ଠ ଓଡ଼ିଶା ଗଠନ ଦାବି ଉପସ୍ଥାପନ କରିଥିଲେ । ସେହିପରି ଭାବେ ଆମ୍ବେଦକର ୧୯୧୮ ସାଲରେ ସାଉଥ୍ବରୋ ଓ ଅନ୍ୟାନ୍ୟ କମିଟି ସମ୍ମୁଖରେ ଦଳିତ ଜାତିର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ପ୍ରାପ୍ତିପାଇଁ ବିଭିନ୍ନ ପ୍ରସ୍ତାବମାନ ଦୃଢ଼ ଭାବେ ଆଗତ କରିଥିଲେ ।
ଭାରତୀୟ ପ୍ରଶାସନରେ ପର୍ଯ୍ୟାପ୍ତ ସଂସ୍କର ଆଣିବାପାଇଁ ୧୯୨୭ ସାଲରେ ଜନ୍ ସାଇମନଙ୍କ ଅଧ୍ୟକ୍ଷତାରେ ବି୍ରଟିଶ୍ ସରକାର ଏକ କମିଶନ ଗଠନ କରିଥିଲେ । ମାତ୍ର ସେଥିରେ କୌଣସି ଭାରତୀୟ ସଦସ୍ୟ ନଥିବାରୁ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ମାତ୍ର ବହୁ ଅନ୍ୟ ସଂଖ୍ୟାଲଘୁ ଦଳ, ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଦଳିତ ସମାଜ ଓ ମଧୁସୂଦନଙ୍କ ନେତୃତ୍ୱରେ ଓଡ଼ିଶାର ରାଜନୈତିକ ଦଳ ଏହାକୁ ସ୍ୱାଗତ କରିଥିଲେ ।
ଦଳିତମାନଙ୍କ ସାମଗ୍ରିକ ଉନ୍ନତି କଳ୍ପେ ଆମ୍ବେଦକରଙ୍କୁ, ମଧୁସୂଦନଙ୍କ ପ୍ରଦର୍ଶିତ ସାମ୍ବିଧାନିକ ମାର୍ଗକୁ ଗ୍ରହଣ କରିବାକୁ ପଡ଼ିଥିଲା । ସାଇମନ କମିଶନ ୩.୧୨. ୧୯୨୮ରେ ବମ୍ବେରେ ପହଞ୍ଚିବା ପରେ, ବମ୍ବେ ବିଧାନ କାଉନ୍ସିଲ୍ର ସଦସ୍ୟ ରୂପେ ତଥା ଦଳିତ ଜାତିରଅଧ୍ୟକ୍ଷ ରୂପେ ଆମ୍ବେଦକର ପୁନାଠାରେ ଅକ୍ଟୋବର ୧୯୨୮ରେ ସାଇମନ କମିଶନଙ୍କ
ଆଗରେ ସାକ୍ଷ୍ୟ ପ୍ରଦାନ କରିବା ପରେ ୩.୫.୧୯୨୯ରେ ବମ୍ବେଠାରେ ସୁବିସ୍ତାରିତ ପ୍ରସ୍ତାବମାନ
ସାଇମନ କମିଶନଙ୍କ ନିକଟରେ ଦାଖଲ କରିଥିଲେ । ଏହି ପ୍ରସ୍ତାବ ସବୁର ଆଲୋଚନାପାଇଁ
ଲଣ୍ଡନଠାରେ ୧୯୩୦ ରୁ ୧୯୩୨ ପର୍ଯ୍ୟନ୍ତ ତିନୋଟି ଗୋଲଟେବୁଲ୍ ବୈଠକ ବସିଥିଲା ।
ଆମ୍ବେଦକର ୧୨.୧୧.୧୯୩୦ରେ ପ୍ରଥମ ଗୋଲ ଟେବୁଲ୍ ବୈଠକ ଆଉ
୧୫.୯.୧୯୩୧ରେ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦେଇ ଦଳିତ ଜାତିର
ଉନ୍ନତିପାଇଁ ବିଭିନ୍ନ ପ୍ରସ୍ତାବ ସହିତ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର
ଦାବିପତ୍ର ଉପସ୍ଥାପନ କରିଥିଲେ । ମାତ୍ର ଦ୍ୱିତୀୟ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିବା
ମହାତ୍ମାଗାନ୍ଧୀ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର ପ୍ରସ୍ତାବକୁ ତୀବ୍ର ବିରୋଧ
କରିଥିଲେ । ଭାରତକୁ ଫେରିବା ପରେ ମହାତ୍ମାଗାନ୍ଧୀ ପୁନା ନିକଟସ୍ଥ ୟାରଓ୍ୱାଡ଼ା ଜେଲ୍ରେ
ବନ୍ଦୀ ହୋଇଥିବା ସମୟରେ ବ୍ରିଟିଶ ସରକାର ୧୭.୮.୧୯୩୨ରେ ଦଳିତମାନଙ୍କ ପାଇଁ
ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର ପ୍ରସ୍ତାବକୁ ସ୍ୱୀକୃତି ଦେଲେ । କିନ୍ତୁ ଏହା ଦ୍ୱାରା ଭାରତରେ
ହିନ୍ଦୁ ସମାଜ ସବର୍ଣ୍ଣ ଆଉ ଦଳିତମାନଙ୍କ ମଧ୍ୟରେ ବିଭାଜିତ ହେବାର ଆଶଙ୍କା ଥିବାରୁ
୨୦.୯.୧୯୩୨ରେ ୟାରଓ୍ୱାଡ଼ା ଜେଲର ବଗିଚାର ଏକ ଆମ୍ବଗଛର ଛାଇରେ ମହାତ୍ମାଗାନ୍ଧୀ
ତାଙ୍କର ଅନଶନ ଆରମ୍ଭ କରିଥିଲେ, ଯାହା ଯୁଗାନ୍ତକାରୀ ଅନଶନର ମାନ୍ୟତା ପାଇଥିଲା ।
ଏ କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ସହିତ ଆମ୍ବେଦକରଙ୍କର କିଛି କିଛି ବୁଝାମଣା ହେବାପରେ
୨୬.୯.୧୯୩୨ରେ ମହାତ୍ମାଗାନ୍ଧୀ ଅନଶନ ଭଂଗ କରିଥିଲେ । ଏହିପରି ବିଭିନ୍ନ ସଂଗ୍ରାମରେ
ଅବତୀର୍ଣ୍ଣ ହୋଇ ଆମ୍ବେଦକର ଦଳିତମାନଙ୍କ ପାଇଁ ବହୁ ସାମ୍ବିଧାନିକ ଅଧିକାର ହାସଲ
କରିଥିଲେ ।
ଆମ୍ବେଦକର ଓ ମଧୁସୂଦନ ଯେପରି ଗୋଟିଏ ଉପାଦାନରେ ଗଢ଼ା ହୋଇଥିଲେ ଏବଂ ଏକନିଷ୍ଠ ସଂକଳ୍ପବଦ୍ଧତା ସହ ଆପଣାର ଲକ୍ଷ୍ୟପ୍ରାପ୍ତି ପାଇଁ ଜୀବନବ୍ୟାପି ସଂଗ୍ରାମରେ ଅବତୀର୍ଣ୍ଣ
ହୋଇଥିଲେ । ଆମ୍ବେଦକର ଓ ମଧୁସୂଦନ ଦଳିତ ଜାତିର ଉନ୍ନତି କଳ୍ପେ ନିଜ ଜୀବନକୁ ଉତ୍ସର୍ଗ
କରିଥିଲେ । ଦଳିତମାନଙ୍କ ବିକାଶ ପାଇଁ ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନେକ ପ୍ରକଳ୍ପକୁ
ମହାତ୍ମାଗାନ୍ଧୀ ପରିଦର୍ଶନ କରିଥିଲେ ।
ଆମ୍ବେଦକର ଦଳିତମାନଙ୍କ ଉନ୍ନତି କଳ୍ପେ ସମର୍ପିତ ନିଜ ଜୀବନର ମୂଲ୍ୟାୟନ କରି ଜୀବନର ଅନ୍ତିମ ବର୍ଷରେ ୧୯୫୭ ସାଲରେ ଲେଖିଥିଲେ- "ମୋଜେସ୍ ଯେପରି ତାଙ୍କ ଅନୁଗାମୀ ଜନସଂପ୍ରଦାୟକୁ ପାଲେଷ୍ଟାଇନ୍ରେ ଆଶ୍ରୟ ପ୍ରଦାନ କରିଥିଲେ, ସେହିଭଳି ମୁଁ ଦଳିତମାନଙ୍କୁ
ସ୍ୱାଧୀନତା ପ୍ରଦାନ କରି ସେମାନଙ୍କୁ ନିର୍ଯ୍ୟାତନାରୁ ମୁକ୍ତ କରିବି ।" ମଧୁସୂଦନ ଓଡ଼ିଆମାନଙ୍କ
ପାଇଁ ଏହିଭଳି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ସେ ପ୍ରଚାର ବିମୁଖ ଥିବାରୁ ନିଜ ସଂପର୍କରେ
ନୀରବ ରହିଥିଲେ । ମାତ୍ର ୪.୧୨.୧୯୩୪ରେ ତାଙ୍କର ତିରୋଧାନରେ ଓଡ଼ିଶା ଡିଭିଜନର
କମିଶନର ଇ.ଏସ୍. ହରନେଲ୍ ଏହିଭଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପିଘା ପର୍ବତର ଶିଖର ଦେଶରେ ଠିଆହୋଇ ମୋଜେସ୍ ଯେପରି ତାଙ୍କର ପଦଦଳିତ ଓ
ନିଷ୍ପେଷିତ ବଂଶଧରଙ୍କ ଭବିଷ୍ୟତର ବାସଭୂମିକୁ ଅପଲକ ଦୃଷ୍ଟିରେ ଦେଖୁଦେଖୁ ଏ ସଂସାରରୁ
ବିଦାୟ ନେଇଥିଲେ, ମଧୁସୂଦନ ସେହିପରି ନୂତନ ସଂଭାବନାମୟ ପ୍ରଦେଶ ଗଠନର ପ୍ରାକ୍
କାଳରେ (୪.୨.୧୯୩୫) ସଂସାରରୁ ବିଦାୟ ନେଇ ଚାଲିଗଲେ ।"
ପ୍ରକୃତରେ ଅନବଦ୍ୟ ଏହି ମନୀଷୀମାନଙ୍କ ଅବଦାନ । ନିଜନିଜ ନିଷ୍ପେଷିତ ଜାତିର ବିକାଶପାଇଁ ସେମାନେ କରିଯାଇଥିବା ତ୍ୟାଗ ଆଜି ଦେଶବାସୀଙ୍କୁ ଉଦ୍ବେଳିତ କରେ ।