ଆମ ମଧୁସୁଦନ/ସ୍ୱତନ୍ତ୍ର ଓଡ଼ିଶାର ସଂସ୍ଥାପକ
← ସହସ୍ର ରୂପରେ ସହସ୍ର କ୍ଷେତ୍ରରେ ମଧୁସୂଦନ | ଆମ ମଧୁସୁଦନ ଲେଖକ/କବି: ସ୍ୱତନ୍ତ୍ର ଓଡ଼ିଶାର ସଂସ୍ଥାପକ |
ଗାନ୍ଧି ଓ ମଧୁସୁଦନ→ |
ସମଗ୍ର ଭାରତରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପରେ ଯେଉଁ ମାନ୍ୟତା ଲାଭ କରିଛି ତାହାର ପଶ୍ଚାତରେ ରହିଛି ବହୁ ସଂଗ୍ରାମର ଗାଥା । ଓଡ଼ିଶା ମାଟିରେ ବିଦେଶୀ ଉପନିବେଶବାଦୀ ଚକ୍ରାନ୍ତରେ ଓଡ଼ିଆ ଭାଷା ବିପର୍ଯ୍ୟସ୍ତ ହୋଇଥିଲା । ଏଥିପାଇଁ ବହୁବାର ଯେଉଁ ଓଡ଼ିଆ ଭାଷାସୁରକ୍ଷା ସଂଗ୍ରାମ ସଂଚାଳିତ ହୋଇଥିଲା ତାହା ପ୍ରକୃତରେ ଥିଲା ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଏକ ଆହ୍ୱାନ । ଏହି ପର୍ଯ୍ୟାୟରେ ୧୮୬୭ ସାଲରୁ ୧୮୭୦ ସାଲ ମଧ୍ୟରେ ରାଜେନ୍ଦ୍ର ଲାଲ ମିତ୍ର, ଉମାଚରଣ ହାଲ୍ଦାର, ଅଧ୍ୟାପକ ରାଜକୃଷ୍ଣ ମୁଖୋପାଧ୍ୟାୟ କଟକରେ ଏବଂ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ବାଲେଶ୍ୱରରେ ଓଡ଼ିଆ ଭାଷା ଉପରେ ଆକ୍ରମଣର ଯେଉଁ ଅଭିଯାନ ଆରମ୍ଭ କରିଥିଲେ, ତା' ବିରୋଧରେ ସଂଗ୍ରାମର ମୁଖ୍ୟ ସେନାପତି ଦ୍ୱୟ ଥିଲେ ଗୌରୀଶଙ୍କର ଆଉ ଫକୀରମୋହନ । ମାତ୍ର ଏହି ବିକ୍ଷୁବ୍ଧ ଅବସ୍ଥାର ପରିସମାପ୍ତି ଘଟିଥିଲା ଭାଷାବିତ୍ କଲେକ୍ଟର ବିମ୍ସ ସାହେବ ଓ ଓଡ଼ିଆ ପ୍ରାଣ କମିଶନର ରେଭେନ୍ସା ସାହେବଙ୍କ ଦୃଢ଼ ପଦକ୍ଷେପ ଫଳରେ । ତେବେ ଭାଷା ସଂଗ୍ରାମର ଯେଉଁ ତୁରନ୍ତ ଓ ତୁମୁଳ ଯୁଦ୍ଧଟି ଯୁଝାଯାଇଥିଲା ପଶ୍ଚିମାଞ୍ଚଳର ମାଟିରେ, ତାହାର ପଟାନ୍ତର ନାହିଁ ।
ସମ୍ବଲପୁର ଅଂଚଳ ଖାସ୍ ବି୍ରଟିଶ ଶାସନକୁ ଆସିଲା ୧୮୪୯ ସାଲରେ । ଏବଂ କାଳକ୍ରମେ ଏହି ଜିଲ୍ଲାଟି ଓଡ଼ିଶା ଡିଭିଜନକୁ ଆସିଥିଲା ୧୮୬୦ ସାଲରେ । ମାତ୍ର ବର୍ଷକ ପରେ ୧୮୬୧ ସାଲରେ ଏହା ନୂତନ ଭାବରେ ଗଠିତ ମଧ୍ୟପ୍ରଦେଶର ଶାସନାଧୀନ ହୋଇଥିଲେ ମଧ୍ୟ ଜନଗଣଙ୍କର ବଳିଷ୍ଠ ଆବେଦନ ଫଳରେ, ଏ ଜିଲ୍ଲାର ଏକମାତ୍ର ସରକାରୀ ଭାଷାଥିଲା "ଓଡ଼ିଆ' । ଏଣେ ମଧ୍ୟପ୍ରଦେଶର ଅନ୍ୟ ସମସ୍ତ ଜିଲ୍ଲାରେ ପ୍ରାଶାସନିକ ଭାଷା ଥିଲା ହିନ୍ଦୀ । ସମ୍ବଲପୁର ସହର ୧୮୯୩ ସାଲରେ ଝାରସୁଗୁଡ଼ା ସହିତ ରେଳପଥଦ୍ୱାରା ସଂଯୁକ୍ତ ହେବାପରେ, ମଧ୍ୟପ୍ରଦେଶ ସରକାର ସମ୍ବଲପୁର ଜିଲ୍ଲାରେ ହିନ୍ଦୀ ଭାଷାର ପ୍ରଚଳନ ସହିତ ପ୍ରାଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ଉଚ୍ଛେଦପାଇଁ ସଂକଳ୍ପବଦ୍ଧ ଥିଲେ । ଏଥିରେ ଗଭୀରଭାବେ ମର୍ମାହତ ହୋଇ ତୀବ୍ର ଅନ୍ତର୍ଦାହର ତାଡ଼ନାରେ "ଭାରତୀ ରୋଦନ' ଶୀର୍ଷକ ଏକ କବିତାରେ ଗଂଗାଧର ମେହେର ୩୦.୧୦.୧୮୯୪ରେ "ସମ୍ବଲପୁର ହିତୈଷିଣୀ'ରେ ଲେଖିଥିଲେ-
"ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି
କରିବ ପରା ରାଜତ୍ୱ
ମୋ ଆଶା କାନନ ଭସ୍ମରାଶି ହେବ
ତା ନବ ଉଦ୍ୟାନେ ଖତ ।"
ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀକୁ ପ୍ରାଶାସନିକ ଭାଷାର ମର୍ଯ୍ୟାଦା ଦିଆ ଯାଇଥିଲା ୧୮୯୫ଜାନୁଆରି ୧୫ତାରିଖର ୨୩୭ ନମ୍ବର ଆଦେଶରେ ।ଏହି ଆଦେଶ ଦେଇଥିଲେ ମଧ୍ୟପ୍ରଦେଶର ଚିଫ୍ କମିଶନର ଉଡ଼ବର୍ଣ୍ଣ । ୨୫ ଜାନୁଆରି ୧୮୯୫ରେ ଚିଫ୍ ସେକ୍ରେଟେରୀଙ୍କଦ୍ୱାରା ଏହା ପ୍ରଚାରିତ ହୋଇଥିଲା । ଏହି ନିଦାରୁଣ ଆଦେଶଟି ପ୍ରକାଶିତ ହେବା ପରେ ଜନମାନସରେ ବିସ୍ଫୋରଣ ସୃଷ୍ଟି ହୋଇଥିଲା ଏବଂ କ୍ରମାଗତ ଭାବେ "ସମ୍ବଲପୁର ହିତୈଷିଣୀ'ର ପୃଷ୍ଠାମାନଙ୍କରେ ପ୍ରତିବାଦ ପତ୍ର, ବିଦ୍ରୋହମୂଳକ କବିତା ତଥା ନିବନ୍ଧମାନ ବହୁ ସଂଖ୍ୟାରେ ପ୍ରକାଶିତ ହେବାକୁ ଲାଗିଲା । ଏହା ଥିଲା ସ୍ୱତଃସ୍ଫୂର୍ତ୍ତ ସାରସ୍ୱତ ପ୍ରତିବାଦ , ଯାହାର ପଶ୍ଚାତରେ ଉଭା ରହିଥିଲେ ବାମଣ୍ଡାର ନରେଶ ସୁଢ଼ଳ ଦେବ ଏବଂ ପତ୍ରିକାର ସମ୍ପାଦକ ନୀଳମଣି ବିଦ୍ୟାରତ୍ନ । ଏଣେ କଟକରୁ ପ୍ରକାଶିତ "ଉତ୍କଳ ଦୀପିକା'ର ପୃଷ୍ଠାମାନଙ୍କରେ ପ୍ରକାଶିତ ହୋଇଥିଲା ମଧୁସୂଦନ ଦାସଙ୍କର ଭାବଗର୍ଭକ ନିବନ୍ଧମାନ କ୍ରମାଗତ ଭାବେ ୭୦ ପୃଷ୍ଠାର ରଚନାରେ, ଯାହା ଅଚିନ୍ତନୀୟ ଥିଲା ।
ସେହି ୧୮୯୫ ସାଲରେ ଯେଉଁ ଘୋଷଣାନାମାଟି ପ୍ରଚାରିତ ହୋଇ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା, ସେଥିମଧ୍ୟରୁ ଦୁଇଟି ବିଷୟର ଏ ପର୍ଯ୍ୟନ୍ତ ପ୍ରାସଙ୍ଗିକତା ରହିଛି । ପ୍ରଥମଟି ହେଲା, ସମ୍ବଲପୁର ଅଞ୍ଚଳରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପରମ୍ପରା ଅନୁସାରେ ବିଭିନ୍ନ ଗୋଷ୍ଠୀ ଓ ବର୍ଗଙ୍କ ମଧ୍ୟରେ ମହାପ୍ରସାଦ ବସିବା ସହିତ ବନ୍ଧୁତ୍ୱର ଅକାଟ୍ୟ ବନ୍ଧନରେ ଆବଦ୍ଧ ହେବା, ପୋଲିସ୍ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା । କାରଣ ମହାପ୍ରସାଦ ପରମ୍ପରାରେ ଆବଦ୍ଧ ନିବିଷ୍ଟ ସମାଜ ମଧ୍ୟରେ କୌଣସି ଗୋପନୀୟ ତଥ୍ୟ ଆହରଣ କରି ସେମାନଙ୍କୁ ପ୍ରଶାସନର ଡୋରି ମଧ୍ୟରେ ବାନ୍ଧିବା ସମ୍ଭବପର ହେଉନଥିଲା ବୋଲି ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଗେଜେଟରେ ତାଙ୍କର ସ୍ୱତନ୍ତ୍ର ଲେଖା ପ୍ରକାଶିତ କରିଥିଲେ । ଓଡ଼ିଆ ଭାଷା ସହିତ ଜଗନ୍ନାଥ ପରମ୍ପରା ଓ ମହାପ୍ରସାଦ ବସିବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ସମ୍ବଲପୁରରୁ ଓଡ଼ିଆ ଭାଷାର ଉଚ୍ଛେଦ ଲାଗି ପ୍ରଶାସନ ଆଗଭର ହୋଇଥିଲା । ସେହି ଓଡ଼ିଆ ଭାଷା ଉଚ୍ଛେଦ ସଂପର୍କୀୟ ଘୋଷଣାନାମାରେ ଉଲ୍ଲେଖ ରହିଥିଲା ଯେ, ସମ୍ବଲପୁରରେ ବ୍ୟବହୃତ ଓଡ଼ିଆ, ମୂଳଓଡ଼ିଆ ଭାଷାର ଅନୁରୂପ ନୁହେଁ । ଏହା ଏକ ପ୍ରକାର ସ୍ଥାନୀୟ ଭାଷା ଯହିଁରେ ହିନ୍ଦୀ ଓ ଛତିଶିଗଡ଼ୀ ଭାଷାର ସବିଶେଷ ମିଶ୍ରଣ ଘଟିଛି । ଲୋକମାନେ ଏହି ଶେଷୋକ୍ତ ଛତିଶିଗଡ଼ୀ ଭାଷା ବୁଝିବାପାଇଁ ବିଶେଷ କଷ୍ଟବୋଧ କରନ୍ତି ନାହିଁ । ତେଣୁ ହିନ୍ଦୀ ଭାଷାର ପ୍ରଚଳନ ସହଜରେ ଆଦୃତ ହେବ । ଅବଶେଷରେ ପ୍ରତ୍ୟେକ କର୍ମଚାରୀଙ୍କର ହିନ୍ଦୀ ଶିଖିବା ବାଧ୍ୟତାମୂଳକ ଥିଲା । ଏହି ଆଦେଶ ବିରୋଧରେ ତୀବ୍ର ଜନଆନ୍ଦୋଳନ କେବଳ ଦେଖା ଦେଇନଥିଲା, ସମ୍ବଲପୁର ଜିଲ୍ଲାରେ, ସଂଲଗ୍ନ ଗଡ଼ଜାତମାନଙ୍କରେ ଏହର ପ୍ରତିକ୍ରିୟା ପରିଲକ୍ଷିତ ହୋଇଥିଲା । ସମ୍ବଲପୁରର ଅଦାଲତ ବିଭାଗର କର୍ମଚାରୀ ବୈକୁଣ୍ଠନାଥ ପାଢ଼ୀ ତତ୍କ୍ଷଣାତ୍ ଇସ୍ତଫା ପ୍ରଦାନ
କରିଥିଲେ । ପ୍ରଥମ ପ୍ରତିବାଦ ସଭା ୧୧.୨.୧୮୯୫ରେ ବ୍ରହ୍ମପୁର ମନ୍ଦିରରେ ଅନୁଷ୍ଠିତ ହୋଇଥିଲା, ସମ୍ବଲପୁର ଜିଲ୍ଲାର ପ୍ରଥମ ମାଟି୍ରକୁଲେଟ୍ ଧରଣୀଧର ମିଶ୍ରଙ୍କ ନେତୃତ୍ୱରେ । ୧୩.୬.୧୮୯୫ରେ ସୋମନାଥ ମନ୍ଦିରରେ ସୋମନାଥ ବାବୁଙ୍କର ଅଧ୍ୟକ୍ଷତାରେ ଏକ ବିରାଟ ଜନସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଭାଷା ସଂକଟ ସଂପର୍କରେ ପ୍ରତିବାଦ ପତ୍ର ମେମୋରାଣ୍ଡମ୍ ଆକାରରେ ଉପସ୍ଥାପିତ କରାଯାଇଥିଲା । ସହର ତଥା ଗ୍ରାମାଞ୍ଚଳମାନଙ୍କରେ କ୍ରମାଗତ ସଭା ହୋଇ ପ୍ରାୟ ୨୩୬୪ ଜଣଙ୍କର ଦସ୍ତଖତ ସଂଗ୍ରହ କରାଯାଇ ୫.୭.୧୮୯୫ରେ ଭାରତର ବଡ଼ଲାଟ ଲଡର଼୍ ଏଲଗିନ୍ଙ୍କର ଉଦ୍ଦେଶ୍ୟରେ ପ୍ରେରିତ ହୋଇଥିଲା । ଏହି ମେମୋରାଣ୍ଡମ୍ରେ ଯେଉଁ ପ୍ରଧାନ ବ୍ୟକ୍ତିମାନେ ଦସ୍ତଖତ କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଗୋକୁଳ ଚନ୍ଦ୍ର ପାଢ଼ୀ, ବାଳମୁକୁନ୍ଦ ପରିଚ୍ଛା, ଗୋପୀନାଥ ସୁଦ, ଗଙ୍ଗାଧର ମିଶ୍ର, କୃପାସିନ୍ଧୁ ସାହୁ, ବାସୁଦେବ ନନ୍ଦ, ଗୋବିନ୍ଦ ନନ୍ଦ, ଲକ୍ଷ୍ମଣ ସାହାନୀ ପ୍ରମୁଖ । ଏହି ମେମୋରାଣ୍ଡମ୍ରେ ଉଲ୍ଲେଖ କରାଯାଇଥିଲା ଯେ ମହାପ୍ରସାଦ ଭଳି ଏକ ପବିତ୍ର ପ୍ରଥାର ବିରୋଧରେ ଅଭିଯୋଗ
ଆଣିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ, ଯାହା ଓଡ଼ିଆମାନଙ୍କର ନିଜସ୍ୱ ସ୍ଥିତିକୁ ବିପନ୍ନ କରୁଛି । ଏହି ଅଭିଯୋଗ ଜଣେ ଅଫିସରଙ୍କର ଉପର ଠାଉରିଆ ମତ, ଯାହା କୌଣସି ଦୃଷ୍ଟାନ୍ତ ବା ତଥ୍ୟଦ୍ୱାରା ପ୍ରମାଣିତ କରାଯାଇନାହିଁ ।
ସମ୍ବଲପୁରର ଭାଷା ସମସ୍ୟା ସଂପର୍କରେ ନିମ୍ନଲିଖିତ ମତେ ଉକ୍ତ ମେମୋରାଣ୍ଡାରେ ବିଶଦ ଭାବେ ଲେଖାଯାଇଥିଲା ।
"ସମ୍ବଲପୁରର ଭାଷା ଓଡ଼ିଶାର ଓଡ଼ିଆ ନୁହେଁ, ଏକଥା ସତ୍ୟ ନୁହେଁ । ଓଡ଼ିଶାର ସ୍କୁଲ୍ ଇନିସ୍ପେକ୍ଟର କିମ୍ବା ଓଡ଼ିଆ ଉଚ୍ଚ ପଦସ୍ଥ ବିଦ୍ୱାନ ବ୍ୟକ୍ତିମାନଙ୍କ ନିକଟରେ ଜିଜ୍ଞାସା କଲେ ସରକାର ଏହାର ପ୍ରକୃତ ଭାବ ଜାଣିପାରିବେ । ଦୂରତ୍ୱଯୋଗୁଁ ପ୍ରତ୍ୟେକ ଭାଷାର ପ୍ରାଦେଶିକ ଭେଦ ଦେଖାଯାଏ । କଲିକତାର ବଂଗଳା ସହିତ ନଦିଆର ବଂଗଳା ଭାଷାର ପ୍ରଭେଦ ଅଛି । ଢାକାର
ବଙ୍ଗ ଭାଷାରେ ମଧ୍ୟ ଅଧିକ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଇଂଲଣ୍ଡର ୟାର୍କସାୟାରରେ ପ୍ରଚଳିତ ଭାଷା ଲଣ୍ଡନରୁ ଭିନ୍ନ ହେଲେ ମଧ୍ୟ ତାହା ଇଂରାଜୀ ଅଟେ । ଗତ ଜୁଲାଇ ମାସରେ ଚିଫ୍ କମିଶନର ସାହେବ ବାହାଦୂର ହିନ୍ଦୀ ପ୍ରଚଳିତ ହେବା ବିରୋଧରେ ଯେଉଁ ଦରଖାସ୍ତ ପ୍ରାପ୍ତ ହୋଇଥିଲେ ତାହା ଭାବୋଛ୍ୱାସ ପ୍ରଣୋଦିତ ବୋଲି ଅଗ୍ରାହ୍ୟ କରିଥିବା ଜାଣି ଆବେଦନକାରୀମାନେ ଦୁଃଖିଃତ ।
ଶ୍ରୀଯୁକ୍ତ ଚାଲ୍ର୍ସ ଗ୍ରାଣ୍ଟ ସାହେବ ମଧ୍ୟପ୍ରଦେଶ ଗେଜେଟିଅରର ଭୂମିକାରେ ଲେଖିଅଛନ୍ତି ଯେ "ସମ୍ବଲପୁର ଏବଂ ତାହାର ଗଡ଼ଜାତ ମାହାଲ ସହିତ ଛତିଶିଗଡ଼ ଅନ୍ୟାଂଶର କୌଣସି ଭୌଗୋଳିକ ବା ଐତିହାସିକ ସଂପର୍କ ନାହିଁ ।
ଆବେଦନକାରୀମାନେ ସ୍ପଷ୍ଟ ରୂପେ ପ୍ରଦର୍ଶନ କରୁଅଛନ୍ତି ଯେ, ଭାଷାଦି ଶିକ୍ଷାର ସୁବିଧାନିମିତ୍ତ ହେଉ ଅଥବା, "ଐତିହାସିକ କାରଣରୁ ହେଉ, ସମ୍ବଲପୁରରେ ଓଡ଼ିଆଭାଷା ଅକ୍ଷୁଣ୍ଣ ରହିବା ଉଚିତ । କିନ୍ତୁ ଏହା ମଧ୍ୟ ପ୍ରଦର୍ଶିତ ହୋଇଛି, ଶାସନ କାର୍ଯ୍ୟରେ ସେପରି କିଛି ବ୍ୟଥା ଉପୁଜିବ ନାହିଁ । ତଥାପି କାର୍ଯ୍ୟର ସୁକରଣ ନିମନ୍ତେ ଭାଷା ପରିବର୍ତ୍ତନ ବାଞ୍ଛନୀୟ ହୁଏ । ତେବେ ସମ୍ବଲପୁର ଏବଂ ତାହାର ଗଡ଼ଜାତ ମାହାଲମାନଙ୍କୁ ବଂଗ ଗଭର୍ଣ୍ଣମେଣ୍ଟଙ୍କ ହସ୍ତରେ ସମର୍ପଣ କରି ଦିଆଯାଉ, କାରଣ ଓଡ଼ିଶାର ଲୋକଙ୍କ ସହିତ ଏହି ଲୋକମାନଙ୍କର ଭୌଗୋଳିକ, ଐତିହାସିକ ଓ ସାମାଜିକ ସଂପର୍କ ଥିବାରୁ, ଏହି ପ୍ରକାର ପରିବର୍ତ୍ତନ ସମ୍ବଲପୁରବାସୀଙ୍କ ପକ୍ଷେ ମଙ୍ଗଳକର ହେବ ।
ସମ୍ବଲପୁର କଟକର ଦୂରତ୍ୱ ରାୟପୁର ଦୂରତ୍ୱଠାରୁ ଅଧିକ ନୁହେଁ ।
(ଉକ୍ତ ମେମୋରାଣ୍ଡମ୍ର ଶେଷୋକ୍ତ ଅଂଶର ମୂଳ ଇଂରାଜୀ) From Linguistic, educational and historical stand point Odiya must be allowed to remain unmolested in the country. But if for the administrative difficulties, which too it is feared, have been greatly magnified and misrepresented the district can not be allowed to possess an official language district from that of any other district of the province, your memorialistic beg respectfully to suggest that Sambalpur, with the Garajata mahals. May be made over to Bengal as the part of the Odisha Division with which this portion of the province is geographically, historically and socially connected.
ଏହା ଥିଲା ସଂବଲପୁରର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରୁ ୨୩୫୪ ଜଣ ଆବେଦନକାରୀଙ୍କର ସ୍ୱାକ୍ଷର ପ୍ରଦତ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମେମୋରାଣ୍ଡମ୍ର କିଛି ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶ ।
ଏଣେ କଟକରେ ଜାତୀୟ ଗୌରବ ମଧୁସୂଦନ ଦାସ ଓଡ଼ିଆ ଭାଷା ବିଲୁପ୍ତି ବିରୁଦ୍ଧରେ ତୀବ୍ର ସ୍ୱର ଉତ୍ତୋଳନ କରିଥିଲେ । ଉତ୍କଳ ସଭାର ସଭାପତି ରୂପେ ମଧୁବାବୁ ତା'ର ପ୍ରତିବାଦ ସଭାମାନ ଆହ୍ୱାନ କରିଥିଲେ ।
ମଧୁସୂଦନ ଏଥିପାଇଁ କେବଳ ପ୍ରତିବାଦ ସଭାମାନ ଆୟୋଜନ କରି ନ ଥିଲେ,ଉତ୍କଳଦୀପିକାର ପୃଷ୍ଠାମାନଙ୍କରେ ସାତଗୋଟି ସୁଦୀର୍ଘ ପାଣ୍ଡିତ୍ୱପୂର୍ଣ୍ଣ ଭାଷାତାତ୍ତ୍ୱିକ ପ୍ରବନ୍ଧ "ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷାର ବହିଷ୍କାର' ନାମରେ ଇଂରାଜୀରେ ପ୍ରକାଶ କରିଥିଲେ । ଏହାଛଡ଼ା ମଧୁସୂଦନ ଭାରତର ତତ୍କାଳୀନ ବଡ଼ଲାଟ ଲଡର଼୍ ଏଲଗିନ୍ଙ୍କ ନିକଟକୁ ଯେଉଁ ପ୍ରତିବାଦର ପତ୍ରଟି ପଠାଇଥିଲେ, ତହିଁରେ ବ୍ରିଟିଶ ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ୱର କିପରି ଉଗ୍ର ଥିଲା ତାହା ନିମ୍ନ ଲିଖିତ ଉଦ୍ଧୃତିରୁ ଜଣାଯାଏ ।
"Daniel to the people of the use of their mother-tongue is the worst form of gaging, unknown ever in the most despotic form of government." ମାତୃଭାଷାକୁ ନିଷିଦ୍ଧ କରିବା ହେଉଛି ସବୁଠାରୁ ବୀଭତ୍ସ ଧରଣର କଣ୍ଠରୋଧର ବ୍ୟବସ୍ଥା । ଯାହା ସବୁଠାରୁ ଅତ୍ୟାଚାରୀ ଶାସନରେ ମଧ୍ୟ ଦେଖାଯାଏ ନାହିଁ । ଏହି ଉଦ୍ଧୃତି ସହିତ ସୁଦୀର୍ଘ ପ୍ରତିବାଦ ପତ୍ରଟି ଉତ୍କଳ ସଭା ପକ୍ଷରୁ କଟକରୁ ମଧୁସୂଦନ ଦାସଙ୍କଦ୍ୱାରା ବଡ଼ଲାଟ ଏଲିଗିନ୍ଙ୍କ ପାଖକୁ ୨୦.୬.୧୮୯୫ରେ ପଠାଯାଇଥିଲା ।
ଏହାପରେ ସମ୍ବଲପୁରବାସୀଙ୍କର ମେମୋରାଣ୍ଡମ୍ ୫.୭.୧୮୯୫ରେ ପଠାଯାଇଥିଲା । ୧୮୯୭ରେ ମଧୁସୂଦନ ଇଂଲଣ୍ଡ ଯାତ୍ରାକରି ତତ୍କାଳୀନ ଭାରତର ସଚିବ ଲଡର଼୍ ହାମିଲ୍ଟନ୍ଙ୍କୁ ଲଣ୍ଡନରେ ସମ୍ବଲପୁରରେ ଓଡ଼ିଆ ଭାଷା ଉଚ୍ଛେଦ ସଂପର୍କରେ ପ୍ରତିବାଦପତ୍ର ଦେଇଥିଲେ, ଯହିଁରେ ମରାଠୀ ଭାଷାର ଅତ୍ୟାଚାର ସଂପର୍କରେ ସବିଶେଷ ଭାବେ ଉଲ୍ଲେଖ ହୋଇଥିଲା । ଇତି ମଧ୍ୟରେ ଲର୍ଡ କର୍ଜନ ଭାରତର ବଡଲାଟ୍ ହେଲେ ୧୮୯୯ ମସିହାରେ ।
କ୍ରମାଗତ ଭାବେ ମଧୁସୂଦନ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ଆବେଦନ ପତ୍ରମାନ ପ୍ରେରଣ କରୁଥିଲେ । ଏହିପରି ଏକ ପତ୍ର ପାଇ ଲଡର଼୍ କର୍ଜନ ମଧୁସୂଦନଙ୍କୁ ଆମନ୍ତ୍ରଣ ଜଣାଇଲେ ଏବଂ ମଧୁସୂଦନ ୧୯୦୦ ସାଲ ଅକ୍ଟୋବର ତୃତୀୟ ସପ୍ତାହରେ ତାଙ୍କୁ ସିମିଲାଠାରେ ଭେଟି ଓଡ଼ିଆ ଜାତିର ମର୍ମବେଦନା ଓ ବିଖଣ୍ଡିତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣଲାଗି ଯେଉଁ ଭାବବିହ୍ୱଳ ଆବେଦନ ଜଣାଇଥିଲେ, ତାହା ତାଙ୍କୁ ଅଭିଭୂତ କରିଥିଲା । ମଧୁସୂଦନ ଲଡର଼୍ କର୍ଜନଙ୍କୁ ଓଡ଼ିଶାର ଭବ୍ୟ କୀର୍ତ୍ତିରାଜି ପରିଦର୍ଶନ କରିବାକୁ ଆମନ୍ତ୍ରଣ ଜଣାଇଥିଲେ । ମଧୁସୂଦନଙ୍କ ଆମନ୍ତ୍ରଣ ରକ୍ଷାକରି ୧୬.୧୨.୧୯୦୦ରେ ଲଡର଼୍ କର୍ଜନ ପୁରୀ, ଭୁବନେଶ୍ୱରର ଅପୂର୍ବ ଭାସ୍କର୍ଯ୍ୟ କଳା ବିମଣ୍ଡିତ ମନ୍ଦିରରାଜି ପରିଦର୍ଶନ ପରେ, ସମଗ୍ର ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ପ୍ରତିଶ୍ରୁତିବଦ୍ଧ ହେଲେ ।
୧୮୯୮ ସାଲରେ ୮୨ଟି ଓଡ଼ିଆଭାଷୀ ସ୍କୁଲ୍ର ଉଚ୍ଛେଦ ସହ ତୃତୀୟ ଶ୍ରେଣୀରେ ହିନ୍ଦୀଭାଷା ପ୍ରଚଳନ କରାଯାଇଥିଲା । ଅତ୍ୟନ୍ତ ସୌଭାଗ୍ୟର କଥା ଯେ, ୧୯୦୧ରେ ସମ୍ବଲପୁରରେ ମଦନ ମୋହନ ମିଶ୍ରଙ୍କର ଅଧିନାୟକତ୍ୱରେ ଏକ ନୂତନ ନେତୃତ୍ୱର ସୃଷ୍ଟିହେଲା । କ୍ରମ ପରିବର୍ତ୍ତିିତ ଓଡ଼ିଆ ଭାଷାର ଦୟନୀୟ ସ୍ଥିତି ସଂପର୍କରେ ତାଙ୍କରି ନେତୃତ୍ୱରେ ଏକ ନୂତନ ସ୍ମାରକପତ୍ର ଲର୍ଡ଼ କର୍ଜନଙ୍କ ନିକଟକୁ ପ୍ରେରିତ ହେଲା । ଏହାର ଏକକିତା ନକଲ ମଧ୍ୟପ୍ରଦେଶର ଚିଫ୍ କମିଶନର
ଏଣ୍ଡ୍ରୁ ଫେଜରଙ୍କ ନିକଟରେ ଦାଖଲ କରାଗଲା । ମଧୁସୂଦନଙ୍କର ସଂପର୍କ ଯୋଗୁଁ ଓଡ଼ିଆମାନଙ୍କର ଏହି ଦାବି ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ ଲଡର଼୍ କର୍ଜନ ଏହି ସ୍ମାରକ ପତ୍ରରେ ଉଲ୍ଲିଖିତ ଥିବା ୮୨
ଗୋଟି ଓଡ଼ିଆ ସ୍କୁଲ୍ର ଉଚ୍ଛେଦ ସଂପର୍କରେ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାର
ଅନୁସନ୍ଧାନର ଭାର ସମ୍ବଲପୁରର ରାଜସ୍ୱ ଅଧିକାରୀ ବୈକୁଣ୍ଠ ନାଥ ପୂଜାରୀଙ୍କ ଉପରେ ନ୍ୟସ୍ତ
ଥିଲା । ଶ୍ରୀ ପୂଜାରୀ ଏହାର ରିପୋର୍ଟ ପ୍ରଦାନ ସହିତ ସମ୍ବଲପୁରର ଜନସଂଖ୍ୟା ଗଣନାବେଳେ
ଓଡ଼ିଆମାନଙ୍କର ସଂଖ୍ୟା ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂଜାରୀ ଥିଲେ
ଦେଶସେବାର ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ , ଯାହାଙ୍କର ଅକାଳ ବିୟୋଗ ଏକ ବିରାଟ ଶୂନ୍ୟତା
ସୃଷ୍ଟି କରିଥିଲା ।
ମଧୁସୂଦନ ଏହିଭଳି ସ୍ଥିତିରେ,ବଡ଼ଲାଟ ଲଡର଼୍ କର୍ଜନଙ୍କୁ ଭାଷା ଆନ୍ଦୋଳନର ସ୍ଥିତି ଜଣାଇବା
ସକାଶେ, ସେ ଦାଖଲ କରିଥିବା ସ୍ମାରକପତ୍ରର ନକଲ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇ ସମସ୍ୟାର
ଆଶୁ ସମାଧାନ ପାଇଁ ନିବେଦନ କରିଥିଲେ ।
ଏ ମଧ୍ୟରେ ୧୯୦୧ ସାଲର ଜୁଲାଇ ମାସରେ ବ୍ରଜମୋହନ ପଟ୍ଟନାୟକ ନାଗପୁରଠାରେ
ଚିଫ୍ କମିଶନର (ମଧ୍ୟପ୍ରଦେଶ) ଏଣ୍ଡ୍ରୁ ଫେଜରଙ୍କୁ ଭେଟି ଭାଷା ସମସ୍ୟାର ମର୍ମନ୍ତୁଦ ସ୍ଥିତି
ସଂପର୍କରେ ଅବଗତ କରାଇଥିଲେ । ଏହାର ଏକ ମାସ ପରେ ମଧ୍ୟପ୍ରଦେଶର କମିଶନର ଏଣ୍ଡ୍ରୁ
ଫେଜର ସେପ୍ଟେମ୍ବର ପହିଲା ବେଳକୁ ଶିକ୍ଷା ସମ୍ବନ୍ଧୀୟ ଏକ ଅଧିବେଶନରେ ଯୋଗଦେବା ପାଇଁ
ସିମଳାରେ ପହଞ୍ଚିଲେ । ଏଭଳି ଏକ ସୁଯୋଗର ଅପେକ୍ଷାରେ ଥିଲେ ମଧୁସୂଦନ । ମଧ୍ୟପ୍ରଦେଶର
ଚିଫ୍ କମିଶନର ସିମ୍ଲାଠାରେ ପହଞ୍ଚିବା ବିଷୟ ଅବଗତ ହେବା ପୂର୍ବରୁ ମଧୁସୂଦନ ତାଙ୍କର
ପରମ ବନ୍ଧୁ ବଡ଼ଲାଟଙ୍କ ସେକ୍ରେଟେରୀ ଓ୍ୱାଲ୍ଟର୍ ଲରେନ୍ସଙ୍କ ନିକଟକୁ କ୍ରମାଗତ ଭାବେ ଚିଠି
ଓ ଟେଲିଗ୍ରାମମାନ ପଠାଇ ବଡ଼ଲାଟ ଓ କମିଶନରଙ୍କ ମଧ୍ୟରେ ଏକ ସାକ୍ଷାତକାର ଆୟୋଜନ
କରି ସମ୍ବଲପୁରର ଓଡ଼ିଆ ଭାଷା ସଂପର୍କୀୟ ସମାଧାନର ସୂତ୍ର ବାହାର କରିବାପାଇଁ ନିବେଦନ
କରିଥିଲେ ।
ବଡ଼ଲାଟଙ୍କ ପ୍ରାଇଭେଟ ସେକ୍ରେଟେରୀ ଓ୍ୱାଲ୍ଟର ଲରେନ୍ସଙ୍କ ଉଦ୍ୟମରେ ବଡ଼ଲାଟ ଓ
ଚିଫ୍ କମିଶନରଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ସମ୍ଭବ ହୋଇଥିଲା ।ଏଥିରେ ସମ୍ବଲପୁରର
ଭାଷା ସମସ୍ୟା ମୁଖ୍ୟସ୍ଥାନ ଅଧିକାର କରିଥିଲା ।
୧୯୦୧ ସେପ୍ଟେମ୍ବର ୧୨ ତାରିଖରେ ମଧୁସୂଦନଙ୍କ ଚିଠିର ଉତ୍ତର ଦେଇ ଓ୍ୱାଲ୍ଟର
ଲରେନ୍ସ ଲେଖିଥିଲେ-
"ମୁଁ ଆପଣଙ୍କଠାରୁ ଗତ ଚାରି ତାରିଖରେ ପାଇଥିବା ପତ୍ରଟି ସମସ୍ତ ଅନୁଲିପି ସହ
ବଡ଼ଲାଟଙ୍କ ପାଖରେ ଉପସ୍ଥାପନ କରିଥିଲି । ଏହାଛଡ଼ା ଆପଣଙ୍କଠାରୁ ଆସିଥିବା ସମସ୍ତ ଟେଲିଗ୍ରାମ
ମଧ୍ୟ ଉପସ୍ଥାପନ କରିଥିଲି । ଜଣାଯାଏ ମିଷ୍ଟର ଫ୍ରେଜରଙ୍କ ପାଖରେ ସମ୍ବଲପୁରରେ ଓଡ଼ିଆ
ଭାଷା ପ୍ରଚଳନ ସଂପର୍କରେ ଏକ ଆବେଦନ ପତ୍ର ବିଚାରପାଇଁ ରହିଛି । ଯେତେବେଳେ ମିଷ୍ଟର
ଫ୍ରେଜରଙ୍କ ପାଖରୁ ଏ ସଂପର୍କୀୟ ରିପୋର୍ଟ ଆସିବ, ତାହା ତାଙ୍କ ସରକାରଙ୍କ ପାଖରେ ଉପସ୍ଥାପିତ
କରାଯିବ, ସେତେବେଳେ ମହାମାନ୍ୟ ବଡ଼ଲାଟ ଏ ସଂପର୍କରେ ଦୃଷ୍ଟି ଦେବେ ।"
ଅଧିକ କାଳ ବିଳମ୍ବ ନକରି ଏହି ସମସ୍ୟାର ସମାଧାନ କରିବାପାଇଁ ପ୍ରକୃତରେ ବଡ଼ଲାଟଙ୍କର
ସାର୍ ଏଣ୍ଡ୍ରୁ ଫେଜରଙ୍କ ପ୍ରତି ଜରୁରୀ ନିର୍ଦ୍ଦେଶ ଥିଲା । ତେଣୁ ସିମ୍ଲାରୁ ଫେରିବା ବାଟରେ ନାଗପୁର
ନଯାଇ ସମ୍ବଲପୁରରେ ଏଣ୍ଡ୍ରୁ ଫେଜର ସେହି ସେପ୍ଟେମ୍ବର ମାସ ୨୬ ତାରିଖରୁ ଏହି ଅନୁଧ୍ୟାନ
କାର୍ଯ୍ୟ କରିବାପାଇଁ ସ୍ଥିର କରିଥିଲେ ।
ଏହି ସମୟରେ ସମ୍ବଲପୁରରୁ ପଞ୍ଚସଖା ମଦନମୋହନ ମିଶ୍ର, ବଳଭଦ୍ର ସୂପକାର, ଶ୍ରୀପତି
ମିଶ୍ର, ବ୍ରଜମୋହନ ପଟ୍ଟନାୟକ ଓ ମଦନ ବିହାରୀ ଦାସ, ସମ୍ବଲପୁରର ଭାଷା ସମସ୍ୟା ସଂପର୍କରେ
ବଡ଼ଲାଟଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସିମ୍ଲାରେ ପହଞ୍ଚିଲେ । ଏ ଦିଗରେ ଯଥେଷ୍ଟ ଅଗ୍ରଗତି
କରିଥିବାରୁ ସାର୍ ଏଣ୍ଡ୍ରୁ ଫେଜରଙ୍କ ସେକ୍ରେଟେରୀ ଏହି ପଞ୍ଚସଖାଙ୍କୁ ତୁରନ୍ତ ଫେରିଯାଇ ଚିଫ୍
କମିଶନରଙ୍କ ଭାଷା ସଂକ୍ରାନ୍ତ ଅନୁଧ୍ୟାନ ଓ ଅନୁସନ୍ଧାନରେ ସହଯୋଗିତା କରିବାପାଇଁ ନିବେଦନ
କଲେ । ୧୯୦୧ସେପ୍ଟେମ୍ବର ୨୬ ତାରିଖରେ ସାର୍ ଏଣ୍ଡ୍ରୁ ଫେଜର ସମ୍ବଲପୁରରେ ପହଞ୍ଚି ୩୦
ତାରିଖ ପର୍ଯ୍ୟନ୍ତ ସ୍ୱୟଂ ଅନୁସନ୍ଧାନ କରିବା ସହିତ ସମ୍ବଲପୁରବାସୀଙ୍କ ମର୍ମବେଦନା ଅନୁଭବ
କଲେ । ଓଡ଼ିଆ ଭାଷାର ପୁନଃ ପ୍ରଚଳନପାଇଁ ସେ ବଡ଼ଲାଟଙ୍କୁ ସୁପାରିଶ କଲେ ।
ଭାରତୀୟ ସଂସ୍କୃତିର ମହନୀୟ ଧାରାକୁ ଚିହ୍ନିବାଲାଗି ପ୍ରୟାସ କରୁଥିଲେ ଲଡର଼୍ କର୍ଜନ ।
ମଧୁସୂଦନଙ୍କ ଆମନ୍ତ୍ରଣରେ ଓଡ଼ିଶା ପରିଦର୍ଶନ ପରେ ତାଙ୍କର ଓଡ଼ିଆ ଜାତି ପ୍ରତି ଜାଗରିତ
ହୋଇଥିଲା ଏକ ସମ୍ମାନବୋଧ । ତେଣୁ ସମ୍ବଲପୁରରେ ସୁଦୀର୍ଘ ଭାଷା ଆନ୍ଦୋଳନର ସମାପ୍ତି
ଘଟାଇ ସେ ୧୯୦୨ ସାଲର ମଧ୍ୟ ଭାଗରେ ପୁଣି ଓଡ଼ିଆ ଭାଷାର ପୁନଃ ପ୍ରଚଳନ ଲାଗି
ନିର୍ଦ୍ଦେଶନାମା ଜାରି କଲେ, ଯାହା ୧.୧.୧୯୦୩ରେ କାର୍ଯ୍ୟକାରୀ ହୋଇଥିଲା । ତାଙ୍କର
ଦୀର୍ଘକାଳର ନିଜସ୍ୱ ପରିକଳ୍ପନାର ଫଳଶ୍ରୁତି- ରିସ୍ଲେ ସର୍କୁଲାର ପ୍ରକାଶିତ ହୋଇଥିଲା
୧୯୦୩ଡିସେମ୍ବର ତିନି ତାରିଖରେ, ଯହିଁରେ ସୁବିଶାଳ ବଂଗ ପ୍ରେସିଡେନ୍ସିକୁ ଦ୍ୱିଖଣ୍ଡିତ କରିବା
ସହିତ ପଶ୍ଚିମାଞ୍ଚଳରେ ସମସ୍ତ ଓଡ଼ିଆ ଭାଷା ଅଂଚଳର ମିଶ୍ରଣ ସ୍ଥାନ ପାଇଥିଲା । ଏହି ସଂଯୋଜନାରେ
ମଧୁସୂଦନଙ୍କର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ୧୯୦୪
ସାଲର ପୂର୍ବ ଭାଗରେ ଲଡର଼୍ କର୍ଜନଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟହାନି ଯୋଗୁଁ ଦୀର୍ଘକାଳ ଲାଗି ତାଙ୍କୁ
ଛୁଟିରେ ଯିବାକୁ ପଡ଼ିଲା । ଓଡ଼ିଶା ସହିତ ମାଡ଼୍ରାସର ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣକୁ ତୀବ୍ର ଭାବରେ
ବିରୋଧ କରୁଥିବା ମାଡ଼୍ରାସର ଗଭର୍ଣ୍ଣର ଏମ୍ପଥିଲ କିଛିକାଳ ବଡ଼ଲାଟ ରୂପେ କାର୍ଯ୍ୟ କରୁଥିବା
ସମୟରେ ତାଙ୍କର ସ୍ୱତନ୍ତ୍ର ନିର୍ଦ୍ଦେଶ ବଳରେ ଦକ୍ଷିଣ ଓଡ଼ିଶା ମିଶ୍ରଣ ସଂପର୍କୀୟ ପ୍ରଶ୍ନ ଉପରେ
ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲା । ଛୁଟିରୁ ଫେରି ଲଡର଼୍ କର୍ଜନ ୧୯୦୫ ସାଲର ଜୁଲାଇ ୧୯ ତାରିଖରେ
ରିସ୍ଲେ ସର୍କୁଲାର ସଂଯୋଜନାକୁ ବିଧିବଦ୍ଧ ଭାବେ ସରକାରୀ ପ୍ରସ୍ତାବ ରୂପେ ଗୃହୀତ କରି
ଘୋଷଣାନାମା ଜାରି କରିଥିଲେ । ମାତ୍ର ତାଙ୍କର ସୌଭାଗ୍ୟର ଦିନଗୁଡ଼ିକ ସରି ଆସୁଥିଲା । ଏକଦା
ତାଙ୍କର ଅନ୍ତରଙ୍ଗ ଥିବା ଭାରତର ସାମରିକ ମୁଖ୍ୟଙ୍କ ସହିତ ତାଙ୍କର ମନୋମାଳିନ୍ୟ ପରିପ୍ରେକ୍ଷୀରେ
ଲଡର଼୍ କର୍ଜନ ଇସ୍ତଫା ପତ୍ର ଦାଖଲ କରିଥିଲେ । ଏହାକୁ ସପ୍ତମ ଏଡ଼ଓ୍ୱାଡର଼୍ (ବ୍ରିଟେନର ରାଜା)
ଗ୍ରହଣ କରି ଅଗଷ୍ଟ ଷୋହଳ ତାରିଖରେ ଜଣାଇ ଦେଇଥିଲେ । ହେଲେ ଅପ୍ରତିହତ ଥିଲା ଲର୍ଡ଼
କର୍ଜନଙ୍କ ମନୋବଳ ଓ ରିସ୍ଲେ ସର୍କୁଲାରକୁ କାର୍ଯ୍ୟକାରୀ କରାଇବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ଥିଲେ ।
ତେଣୁ ତାଙ୍କର ସରି ଆସୁଥିବା କାର୍ଯ୍ୟକାଳ ମଧ୍ୟରେ ସେ ରିସ୍ଲେ ସର୍କୁଲାରକୁ କାର୍ଯ୍ୟକାରୀ
କରିବାପାଇଁ ନିର୍ଦ୍ଦେଶନାମା ସେପ୍ଟେମ୍ବର ୧୬ ତାରିଖରେ ଜାରି କରିଥିଲେ, ଯହିଁରେ ନିର୍ଦ୍ଦେଶ
ଥିଲା, ମାତ୍ର ମାସକ ପରେ ଅକ୍ଟୋବର ୧୬ ତାରିଖରେ ଏ ସମସ୍ତ ବ୍ୟବସ୍ଥା ବାସ୍ତବ କ୍ଷେତ୍ରରେ
ରୂପାୟିତ କରିବାକୁ । କାର୍ଯ୍ୟ ସମ୍ପାଦନ କରାଇବାର ଅଦ୍ଭୁତ କ୍ଷମତା ଥିଲା ଲଡର଼୍ କର୍ଜନଙ୍କର ।
ଏହି ନୂତନ ସଂଯୋଜନା ଅନୁସାରେ ବଂଗ ପ୍ରଦେଶର ଚଟ୍ଟଗ୍ରାମ ,ଢାକା, ରାଜାସାହି ଅଞ୍ଚଳ
ଆସାମ ସହିତ ସଂଯୁକ୍ତ ହୋଇ ହେବ ପୂର୍ବ ବଙ୍ଗ ଓ ଆସାମ ପ୍ରଦେଶ । ପଶ୍ଚିମ ବଂଗ ପ୍ରଦେଶର
ଛୋଟନାଗପୁର ଡିଭିଜନର ଅପେକ୍ଷାକୃତ ହିନ୍ଦୀ ସଂସ୍କୃତିସମ୍ପନ୍ନ ସରପୂଜା, ଯଶପୁର, ଉଦୟପୁର,
କୋରିଆ ଆଉ ଚଙ୍ଗଭରକର ଅଞ୍ଚଳଟି ମଧ୍ୟପ୍ରଦେଶ ଛତିଶିଗଡ଼ ଡିଭିଜନରେ ମିଶିବ ।
ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନରୁ ସମ୍ବଲପୁର ଜିଲ୍ଲା, କଳାହାଣ୍ଡି, ପାଟନା, ସୋନପୁର,
ବାମଣ୍ଡା, ରେଢ଼ାଖୋଲ ଏବଂ ଛୋଟନାଗପୁର ଡିଭିଜନର ଗାଂଗପୁର ଆଉ ବଣାଇ ଗଡ଼ଜାତ
ଅଂଚଳ ଆସି ଓଡ଼ିଶା ଡିଭିଜନରେ ସାମିଲ ହେବ ।
ଏହି ପ୍ରଦେଶ ପୁନର୍ଗଠନର ନିର୍ଦ୍ଦେଶନାମାକୁ ଅକ୍ଟୋବର ୧୬ ତାରିଖରେ କାର୍ଯ୍ୟକାରୀ
କରିବାପାଇଁ ସମ୍ବଲପୁରରେ ଏକ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଗଲା । ଏହି
ସମାରୋହରେ ଅଧ୍ୟକ୍ଷତା କରିବାପାଇଁ ବଂଗ ପ୍ରଦେଶର ଗଭର୍ଣ୍ଣର ସାର୍ ଏଣ୍ଡ୍ରୁ ଫେଜର ୧୫
ତାରିଖ ସକାଳ ୯ଟାରେ ସସ୍ତ୍ରୀକ ସମ୍ବଲପୁରରେ ପହଞ୍ଚିଲେ । ସମ୍ବଲପୁର ଷ୍ଟେସନଠାରେ
ଛତିଶଗଡ଼ର କମିଶନର ମିଷ୍ଟର ଲାରି ସାହେବ, ସମ୍ବଲପୁରର ଡେପୁଟି କମିଶନର, ଗଡ଼ଜାତର
ରାଜାସମୂହ, ପଦସ୍ଥ କର୍ମଚାରୀ ଓ ଜନତା ତାଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଚାରିବର୍ଷ
ପୂର୍ବେ ଭାଷା ଆନ୍ଦୋଳନ ସଂକ୍ରାନ୍ତରେ ଅନୁସନ୍ଧାନ କରିବାପାଇଁ ଆସିବାବେଳେ ଫ୍ରେଜର ସାହେବଙ୍କୁ
ଯେଉଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା, ତାହାର ପୁନରାବୃତ୍ତି ହେଲା । ସେ ଓହ୍ଲାଇବା
ସଂଗେସଂଗେ ଦଶଟି ବୋମା ଫୁଟାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଗଲା । ମଧ୍ୟପ୍ରଦେଶ ଆଉ
ଛୋଟନାଗପୁରରୁ ସମଗ୍ର ଓଡ଼ିଆଭାଷୀ ପଶ୍ଚିମାଞ୍ଚଳ ଓଡ଼ିଶାରେ ସାମିଲ ହେବା ଅବକାଶରେ
ଆନନ୍ଦର ଉଦ୍ଦୀପନା ଖେଳି ଯାଇଥିଲା ସର୍ବତ୍ର । ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁସୂଦନଙ୍କ
ନିର୍ଦ୍ଦେଶରେ ପ୍ରତିନିଧି ଭାବରେ ଦାମୋଦର କର, ଚନ୍ଦ୍ରଶେଖର ନନ୍ଦ ଓ ବ୍ରହ୍ମାନନ୍ଦ ଷଡ଼ଙ୍ଗୀ ଆସି
ସମ୍ବଲପୁରରେ ଚଉଦ ତାରିଖ ଦିନ ପହଞ୍ଚି ସମ୍ବଲପୁରର ବନ୍ଧୁମାନଙ୍କୁ ଆନ୍ତରିକ ଅଭିନନ୍ଦନ
ଜ୍ଞାପନ କରିଥିଲେ ।
ସ୍ମରଣୀୟ ଅକ୍ଟୋବର ୧୬ ତାରିଖ ପହଞ୍ଚିଲା । ଏହି ଉପଲକ୍ଷେ ରାସ୍ତାଘାଟ ସବୁ ସୁସଜ୍ଜିତ
ହେଲା । ସାରା ପରିବେଶରେ ଆନନ୍ଦ ଉଚ୍ଛ୍ୱାସ ଯେପରି ଲହରି ଭାଙ୍ଗିଲା । ପୂର୍ବାହ୍ମରେ ଏକ
ସ୍ୱତନ୍ତ୍ର ସନନ୍ଦ ପ୍ରଦାନ କରାଯାଇଥିଲା । ଏଥିରେ ଗଡ଼ଜାତ ରାଜାମାନଙ୍କୁ ଅପେକ୍ଷାକୃତ
ତଳସ୍ତରରେ ପ୍ରତିଷ୍ଠିତ କରାଯାଇଥିଲା ଏବଂ ଗଭର୍ଣ୍ଣର ଫ୍ରେଜର ସାହେବ ଏହି ସନନ୍ଦର
ପରିସୀମାରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
ସେହିଦିନ ଅପରାହଣରେ ସମ୍ବଲପୁରର ନବନିର୍ମିତ ସଭାଗୃହ ଭିକ୍ଟୋରିଆ ହଲରେ ଗଭଣ୍ଠିରଙ୍କୁ ମ୍ୟୁନିସିପାଲିଟି ପକ୍ଷରୁ ଅଭ୍ୟର୍ଥନା ଦିଆଯାଇଥିଲା । ସଭାଗୃହର ବାରଣ୍ଡା ଫୁଲକୁଣ୍ଡ ଆଉ ସଭା ଗୃହ ରଂଗୀନ କାଗଜ ଓ ପତାକା ରେ ସୁସଜ୍ଜିତ ଥିଲା । ଗଭର ସସ୍ତ୍ରୀକ ପହଞ୍ଚିବା ପରେ ୧୧ଟି ବୋମା ଫୁଟାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମ୍ୟୁନ୍ସିପାଲିଟି ଚେୟାରମ୍ୟାନ୍ ଶ୍ରୀ ଯୋଗେନ୍ଦ୍ର ନାଥ ମିତ୍ର ଅଭିନନ୍ଦନ ପତ୍ର ପାଠ କରିଥୁଲେ । ମୁଖ୍ୟ ଅତିଥୁ ଫେଜର ଗଡ଼ଜାତର ମହାରାଜାମାନଙ୍କୁ ଓଡ଼ିଶା ଡ଼ିଭିଜନରେ ସାମିଲ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ । ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ୱପ୍ନେଶ୍ୱର ଦାସ ଏହି ସ୍ମରଣୀୟ ଦିବସ ଉପଲକ୍ଷେ ‘ଅପୂର୍ବ ଯୋଗ' ନାମକ ପୁସ୍ତକ ବାଣ୍ଟି ଥିଲେ । ରାତିରେ ଗଭର୍ଣ୍ଣର ମହୋଦୟ ସ୍ୱତନ୍ତ୍ର ଭୋଜିର ଆୟୋଜନ କରିଲେ । ୧୭ ତାରିଖ ଦିନ ଗଭର ଗଡ଼ଜାତ ରାଜାମାନଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା କରି ୧୮ ତାରିଖ ଦିନ ବାମଣ୍ଡା ଭ୍ରମଣରେ ଯାଇଥିଲେ ।
ଏ ସମସ୍ତ ସରକାରୀ ତଥା ଅସରକାରୀ ଉତ୍ସବର ସମାରୋହ ପରେ ୧୯ ତାରିଖରେ ଆୟୋଜିତ ହୋଇଥିଲା, ସମ୍ବଲପୁର ଅବାସୀଙ୍କ ପକ୍ଷରୁ ଏକ ବଣ୍ଡିଳ ସମାରୋହ । ସମ୍ବଲପୁର ଭାଷା ଆନ୍ଦୋଳନର ବିଜୟ ଲାଭ ପରେ, ଏହାର ଅନ୍ତିମ ପରିଣତି ସ୍ୱରୂପ ପଶ୍ଚିମାଞ୍ଚଳର ମିଶ୍ରଣ ସମ୍ଭବପର ହୋଇପାରିଥିଲା । ଭାଷା ଆନ୍ଦୋଳନରେ ସମ୍ବଲପୁରବାସୀଙ୍କୁ ବିଜୟ ଟୀକା ପିନ୍ଧାଇଥୁବା ଫେଜର ସାହେବଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଜଣାଇ ଫ୍ରିଜର କ୍ଲବ୍ ସଂସ୍ଥାପିତ ହୋଇ ତା’ର ନବନିର୍ମିତ ଗୃହକୁ ଅପରାହ୍ନ ୫ଟାରେ ସମ୍ବଲପୁରବାସୀଙ୍କ ଗହଣରେ ପାର୍ବଣର ଅପୂର୍ବ ଉଚ୍ଛାସ ମଧ୍ୟରେ ଉଦ୍ଘାଟନ କରିଥିଲେ ଗଭର୍ଣ୍ଣର ଏଣ୍ଡୁ ଫେଜର । ଏହା ପରେ ସେ ମହାନଦୀର ଟିଟନବିସ ଘାଟକୁ ସସ୍ତ୍ରୀକ ଯାଇଥଲେ । ପରବର୍ତ୍ତୀ ବି ବରଣୀଟି ସମ୍ବଲପୁର ହିତୈଷିଣୀରୁ (୨୮.୧୦.୧୯୦୫) ଗୃହୀତ ।
‘ଟିଟନବିସ’ ଘାଟରେ ତିନିଗୋଟି ଚୌକାର ଚାପ ବନ୍ଧାହୋଇ ରଖାଯାଇଥିଲା । ଚତୁର୍ଦ୍ଦିଗ ପତାକା, ତୋରଣ, କଦଳୀ ବୃକ୍ଷ ଓ ଫାନୁସ ଦ୍ୱାରା ସୁଶୋଭିତ ଥିଲା । ଉପରେ ଚନ୍ଦ୍ରାତପ ଆଉ ଗାଲିଚା ବିଛେଇ ଚୌକି, ଟେବୁଲ୍ ପକେଇ ଆସନର ସୁବନ୍ଦୋବସ୍ତ କରାଯାଇଥିଲା । ପ୍ରତ୍ୟେକ ଚାପ ଏହିପରି ସୁସଜ୍ଜିତ ଥିଲା । ପ୍ରକୃତରେ ଗଭର୍ଣ୍ଣର ସେଦିନ ମହାନଦୀରେ ଭ୍ରମଣକରି ଯେଉଁ ଅପାର ଆନନ୍ଦ ଲାଭ କରିଥିଲେ ତାହା ବର୍ଣ୍ଣନାତୀତ ।
ସସ୍ତ୍ରୀକ ଛୋଟଲାଟ, ଅନ୍ୟାନ୍ୟ ୟୁରୋପୀୟ କର୍ମଚାରୀ ଓ ମହିଳା ଭଦ୍ରବ୍ୟକ୍ତିବୃନ୍ଦ ଗୋଟିଏ ଚାପରେ ଉଠିଲେ । ନିମନ୍ତ୍ରିତ ରାଜା ଆଉ ରାଜଭାତା ମହୋଦୟମାନେ ଅନ୍ୟ ଏକ ଚାପରେ ଉଠିଲେ । ଅପରାହ୍ନ ୫ଟା ସମୟରେ ଛୋଟଲାଟ ବାହାଦୂର ନୌକାରେ ବସି ତା’ ତଳେ ଚାପସବୁ କ୍ରମାନ୍ସୟରେ ଉପରକୁ ଉଠିବାକୁ ଲାଗିଲେ । ଏହାପରେ ଏକ ମାଇଲ କି ଦୁଇ ମାଇଲ ଯାଇ ପୁଣି ଟିଟନବିସ ଘାଟକୁ ଫେରି ଆସିଲେ । ଛୋଟଲାଟ ଫେରିବା ପୂର୍ବରୁ ଘଟଟିକୁ ଆଲୋକରେ ସଜାଇ ଦିଆଯାଇଥିଲା ।
ଛୋଟଲାଟ ଚାପ ପରିତ୍ୟାଗ କରି ଘାଟରେ ଉପବେଶନ କରନ୍ତେ ମହାନଦୀର ମଧ୍ୟବର୍ତ୍ତୀ ସ୍ଥଳରେ ଅଗ୍ନିକ୍ରୀଡ଼ା ଆରମ୍ଭ ହେଲା । ସମ୍ବଲପୁରରେ ବାଣୁଆ ହାତୀ ମସ୍ତାନ ପ୍ରାୟ ଏକଶତ ଟଙ୍କାର ବାଣ ପ୍ରସ୍ତୁତ କରିଥିଲେ । ବାଣଗୁଡ଼ିକ ଉତ୍କୃଷ୍ଟ ଥିଲା । ତତ୍ପରେ ଲୋକମାନଙ୍କର ମଙ୍ଗଳ ନୃତ୍ୟ ଓ ଯାତ୍ରା ଦଳର ନୃତ୍ୟ ହୋଇଥିଲା । ଟିଟନବିସ ଘାଟ ସଙ୍ଗେ ସହରର ପ୍ରତ୍ୟେକ ଘାଟ ଆଲୋକିତ ହୋଇଥିଲା । ଦୀପାବଳୀ ଅମାବାସ୍ୟା ପରି ଗୃହପାର୍ଶ୍ୱରେ ଦୀପ ଜଳା ଯାଇଥିଲା ।
କେହି କେହି ଗୃହର ଦ୍ୱାରରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରିଥିଲେ । ଏ ଥିଲା ସମ୍ବଲପୁର ହିତୈଷିଣୀର ମାର୍ମିକ ବିବରଣୀ ।
ପରିପୂର୍ଣ୍ଣତାର ନିବିଡ଼ ଆଶ୍ୱାସ ମଧ୍ୟରେ ଉତ୍ସବର ଏକ ଭାବବିହ୍ୱଳତା ବିଭୋର କରିଥିଲା ସମସ୍ତଙ୍କୁ । ଏଥିରେ ସମ୍ମିଳିତ ହୋଇଥିଲେ ସମ୍ବଲପୁର ଅଧିବାସୀଙ୍କର ସହ ପଶ୍ଚିମାଞ୍ଚଳର ଗଡ଼ଜାତ ରାଜ ପ୍ରତିନିଧିବୃନ୍ଦ । ଉତ୍କଳ ସମ୍ମିଳନୀର ପ୍ରତିନିଧିଙ୍କ ଯୋଗଦାନ ଅତ୍ୟନ୍ତ ମାର୍ମିକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା । ପଶ୍ଚିମାଞ୍ଚଳର ଏହି ମିଶ୍ରଣ ପରେ ଓଡ଼ିଶା ପ୍ରକୃତରେ ଏକ ସବ୍-ପ୍ରଭିନସ୍ ପଦବୀକୁ ଉନ୍ନୀତ ହୋଇଥିଲା । ତାହା ସ୍ୱତନ୍ତ୍ର ଓଡ଼ିଶା ଗଠନର ଭିତ୍ତିଭୂମି ସ୍ଥାପନ କରିଥିଲା । ଏଣୁ ୧୬.୧୦.୧୯୦୫ ତାରିଖଟି ହେଉଛି ନବ ଓଡ଼ିଶାର ଆଦ୍ୟ ଜନ୍ମୋତ୍ସବ, ଯାହାର ଶତାବ୍ଦୀ ସମାରୋହ, ୨୦୦୪-୨୦୦୫ ସାଲରେ ପାଳିତ ହୋଇଛି ।
ଏହାର ଏକ ମାସ ପରେ, ସେହି ବର୍ଷ ନଭେମ୍ବର ସତର ତାରିଖରେ, ଲର୍ଡ଼ କର୍ଜନଙ୍କୁ ଦେଖିବାକୁ ମିଳିଥିଲା ବମ୍ବେ ବନ୍ଦରରେ, ଲଣ୍ଡନଗାମୀ ଏକ ଜାହାଜରେ ଆରୋହଣ କରିବା ଅବସ୍ଥାରେ ସୂର୍ଯ୍ୟାସ୍ତର ବେଳାରେ । ମାତ୍ର ଖଣ୍ଡିଏ ଦୂରରେ ଅସ୍ତମିତ ସୂର୍ଯ୍ୟର ଆଲୋକରେ ବିଦାୟ ସମ୍ବର୍ଦ୍ଧନା ଜଣାଉଥାନ୍ତି ନବନିଯୁକ୍ତ ଗଭର୍ଣ୍ଣର ଜେନେରାଲ୍ ଲଡର଼୍ ମିଣ୍ଟୋ । ସୂର୍ଯ୍ୟାସ୍ତର ସେହି ବର୍ଣ୍ଣିଳ ଆଲୋକରେ ଲଡର଼୍ କର୍ଜନ ହୋଇଗଲେ ଅସ୍ତମିତ । ମାତ୍ର ସେ ସଦା ବର୍ଣ୍ଣାଢ଼୍ୟ ଆଲୋକରେ ଓଡ଼ିଶାର ଅନ୍ତରରେ ଚିର ଭାସ୍ୱର । ବ୍ରିଟିଶ ସାମ୍ରାଜ୍ୟବାଦର ତୁଚ୍ଛ ଅହମିକା ଓ ଚକ୍ରାନ୍ତ ମଧ୍ୟରେ, ସେ ଓଡ଼ିଆମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ଓ ଅବହେଳା ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି ।
୧୬.୧୦.୧୯୦୫ରେ ନୂତନ ଓଡ଼ିଶାର ପ୍ରଥମ ଜନ୍ମୋତ୍ସବ ପରେ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଲାଗି ଅବିରାମ ଭାବରେ ତିରିଶି ବର୍ଷ ସଂଗ୍ରାମ କରିବାକୁ ପଡ଼ିଥିଲା । ପ୍ରକୃତରେ ସମ୍ବଲପୁର ଭାଷା ଆନ୍ଦୋଳନର ମୁଖ୍ୟ କର୍ତ୍ତା ହେଉଛନ୍ତି କବି ଗଂଗାଧର ମେହେର, ଧରଣୀଧର ମିଶ୍ର, ସୋମନାଥ ବାବୁ, ପଞ୍ଚସଖା ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ବଳଭଦ୍ର ସୂପକାର, ମଦନ ବିହାରୀ ଦାସ, ଶ୍ରୀପତି ମିଶ୍ର ଏବଂ ବୈକୁଣ୍ଠନାଥ ପୂଜାରୀ ଓ ଚନ୍ଦ୍ରଶେଖର ବେହେରା । ଏମାନେ ସମସ୍ତେ ଗୌରବର ପାତ୍ର, ଯାହାଙ୍କର ଅପରାଜେୟ ଭୂମିକା ଚିର ସ୍ମରଣୀୟ ।
ବହିରାଗତ ପ୍ରଶାସକ ଓ ଜମିଦାର ଗୋଷ୍ଠୀଙ୍କର ନିଷ୍ପେଷଣରେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା କ୍ରମଶଃ ତା'ର ସତ୍ତା ହରାଇବାକୁ ବସିଥାଏ । ପ୍ରତିବାଦର ସ୍ୱର ଓଡ଼ିଶାର ଠାଏଠାଏ ଶୁଣାଯାଉଥିଲେ ମଧ୍ୟ ତାହା ଥିଲା କ୍ଷୀଣ, ଅସଂଗଠିତ ଓ ଅସମାହିତ ।
ଏହି ଅସଂହତ ସ୍ୱରକୁ ଐକତାନିକ କଲେ ମଧୁସୂଦନ, ଗଣ ଆନ୍ଦୋଳନ ମାଧ୍ୟମରେ । ଫଳରେ ପ୍ରାକୃତିକ ଓଡ଼ିଶା ନିଜର ସଂହତି ଓ ଏକତ୍ୱର ପରିଚୟ ଫେରିପାଇଲା । ଦିଶାହରା ଓଡ଼ିଆ ଜାତିକୁ ଦିଗ୍ଦର୍ଶନ ପ୍ରଦାନରଏହି ପ୍ରକି୍ରୟା ଆରମ୍ଭ ହେଲା ଊନବିଂଶ ଶତାବ୍ଦୀର ଶେଷ ପାଦରେ ।
ଦକ୍ଷିଣ ଓଡ଼ିଶା ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ ହୋଇ ତା'ର ଭାଷା ସଂସ୍କୃତି ହରାଇଥାଏ । ଓଡ଼ିଆ ଭାଷା କୋର୍ଟ କଚେରିରୁ ଅବଲୁପ୍ତ । ଏହା ବିରୋଧରେ; ଖଲ୍ଲିକୋଟଠାରୁ ଆରମ୍ଭ କରି ଧରାକୋଟ, ସୋରଡ଼ା, ଜଳନ୍ତର, ସୁରଙ୍ଗୀ, ଟିକିଲି ଏବଂ ପାରଳା ଜମିଦାରି ଅଞ୍ଚଳର ପ୍ରତିନିଧିମାନେ ୧୮୭୦ ସେପ୍ଟେମ୍ବର ମାସରେ ଭଞ୍ଜନଗରଠାରେ ଦୀନବନ୍ଧୁ ମହାନ୍ତିଙ୍କ ଆହ୍ୱାନରେ ସଂଗଠିତ ହୋଇଥିଲେ । ଏଥିରେ ସହାୟତା ଦେଇଥିଲେ ଜନାର୍ଦ୍ଦନ ଦାସ । ଓଡ଼ିଆ ଭାଷାର ପ୍ରଚଳନପାଇଁ ସେମାନେ ନିବେଦନ ଜଣାଇଥିଲେ, ମାନ୍ଦ୍ରାଜ ସରକାର ଓ ବଡ଼ଲାଟଙ୍କୁ । ଏହାପରେ ୧୯୭୩ ଜୁଲାଇ ୨୯ ତାରିଖରେ ବ୍ରହ୍ମପୁରରେ ଉତ୍କଳ ସମାଜ ଗଠିତ ହେଲା । ଉଇଲିୟମ୍ ମହାନ୍ତି ଓଡ଼ିଆ ଭାଷା ପ୍ରଚଳନ ଲାଗି ସଂଗ୍ରାମ ଚଳାଇଲେ । ପାରଳା ମହାରାଜା ପଦ୍ମନାଭ ଦେବ ସାଂସ୍କୃତିକ ଜାଗରଣର କେନ୍ଦ୍ରବିନ୍ଦୁ ଥିଲେ । ଶ୍ୟାମସୁନ୍ଦର ରାଜଗୁରୁ ଓ ଗୋପୀନାଥ ନନ୍ଦଙ୍କର ସମ୍ମିଳିତ ରାଜକାର୍ଯ୍ୟ ବହୁ ପରିମାଣରେ ତେଲୁଗୁ ପ୍ରଭାବକୁ ପ୍ରତିହତ କରିଥିଲା । ଏ ସମସ୍ତ ସତ୍ତ୍ୱେ ୧୯୦୦ ସାଲ ବେଳକୁ ବ୍ରହ୍ମପୁରର କଲେକ୍ଟରଙ୍କ କାର୍ଯ୍ୟାଳୟରେ ଦେଢ଼ଶହ କର୍ମଚାରୀଙ୍କ ମଧ୍ୟରେ ମାତ୍ର ବାର ଜଣ ଓଡ଼ିଆ ନିମ୍ନ ସ୍ତରରେ ଅବସ୍ଥାପିତ ଥିଲେ । ସମସ୍ତ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାକୁ ଆବରିତ କରି କୌଣସି ସଂଗଠିତ ସଂସ୍ଥା ଗଢ଼ି ଉଠି ନଥିଲା । ଏହି ବିକ୍ଷିପ୍ତ ଆନ୍ଦୋଳନକୁ ସାମଗ୍ରିକ
ରୂପ ଦେବାପାଇଁ ୧୮୯୫ରେ ଖଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କର ମୟୂରଭଞ୍ଜ ରାଜଜେମା ତଥା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଭଗିନୀଙ୍କୁ ବିବାହ ପରେ ଉତ୍ତର ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶା ମଧ୍ୟରେ ଏକ ସାଂସ୍କୃତିକ ଯୋଗସୂତ୍ର ପ୍ରତିଷ୍ଠିତ ହେଲା । ଏହା ସହିତ ଦକ୍ଷିଣ ଓଡ଼ିଶାର ରାଜା ଜମିଦାରମାନେ ବୈବାହିକ ସମ୍ବନ୍ଧରେ ପରସ୍ପର ମଧ୍ୟରେ କେବଳ ସଂପର୍କିତ ନଥିଲେ, ବହୁ ଉତ୍ତର ଓଡ଼ିଶାର ରାଜା ଓ ଜମିଦାରଙ୍କ ସହିତ ଜ୍ଞାତି ତଥା ପାରିବାରିକ ବନ୍ଧନରେ ଆବଦ୍ଧ ଥିଲେ । ମାତ୍ର ୧୯୦୦ ସାଲରେ ସମଗ୍ର ଉପକୂଳ ସଂଯୁକ୍ତ ହେଲା ରେଳମାର୍ଗରେ ପରପସ୍ପରକୁ ନିକଟତର କରି ।
ଜାତିପ୍ରାଣ ମଧୁସୂଦନ ଏହି ସଂପର୍କକୁ ଓଡ଼ିଆ ଜାଗରଣର ଏକ ମାଧ୍ୟମ ରୂପେ ଗ୍ରହଣ କରିଥିଲେ । ତେଣୁ ୧୯୦୦ ସାଲ ବେଳକୁ ଲାଟ ବା ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ପରିଦର୍ଶନ ଅଥବା ଦରବାର କଟକରେ ଅନୁଷ୍ଠିତ ହେଲାବେଳେ ଯେଉଁ ରାଜା ଓ ଜମିଦାର ଗୋଷ୍ଠୀଙ୍କର ସମାବେଶ ହୋଇଥିଲା, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରି ମଧୁବାବୁ ନିଜ କୋଠିରେ ଏକ କ୍ଷୁଦ୍ର ସମ୍ମିଳନୀର ଆୟୋଜନ କରି ଓଡ଼ିଶାର ସମସ୍ୟା ସେମାନଙ୍କ ଆଗରେ ଉପସ୍ଥାପିତ କରିଥିଲେ । ଏହି ସମ୍ମିଳନୀକୁ ସେ ସ୍ୱତନ୍ତ୍ର ଭାବେ ଖଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କୁ ନିମନ୍ତ୍ରଣ କରିଥିଲେ ।
ନିବିଡ଼ ପରିଚୟ ଓ ସଂପର୍କର ସୂତ୍ର ନେଇ ଏହି ରାଜା ଓ ଜମିଦାରଙ୍କ ମାଧ୍ୟମରେ ଗଞ୍ଜାମରେ ସାମୂହିକ ଜାଗରଣ ସୃଷ୍ଟି କରିବାପାଇଁ ମଧୁବାବୁ ୧୯୦୧ରେ ସ୍ୱତନ୍ତ୍ର ଭାବେ ଚିଠି ଲେଖା, ରାଜା ହରିହରଙ୍କୁ ହାର୍ଦ୍ଦିକ ଅନୁରୋଧ ଜଣାଇଥିଲେ । ସଙ୍ଗେସଙ୍ଗେ ପ୍ରତ୍ୟୁତ୍ତର ଦେଇ ହରିହର ମର୍ଦ୍ଦରାଜ ଅକୁଣ୍ଠ ସହଯୋଗର ପ୍ରତିଶ୍ରୁତି ଜଣାଇଥିଲେ । ରାଜା ହରିହରଙ୍କୁ ଏ କ୍ଷେତ୍ରରେ ପ୍ରୋତ୍ସାହନ ଦେବାପାଇଁ ଉପସ୍ଥିତ ଥିଲେ ଆପଣାର ପ୍ରମୁଖ ଉପଦେଷ୍ଟା ନରସିଂହ ଦାସ ଓ ନୀଳମଣି ବିଦ୍ୟାରତ୍ନ । ମଧୁସୂଦନଙ୍କ ପ୍ରସ୍ତାବର ପ୍ରାରମ୍ଭିକ ରୂପରେଖ ଲାଗି,ଯୁବରାଜ ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ଦ୍ୱିତୀୟ ବାର୍ଷିକୀ ଜନ୍ମ ସମାରୋହ ପାଳନ ଉପଲକ୍ଷେ ହରିହର ୧୯୦୨ ଜାନୁଆରି ମାସରେ ଏକ କ୍ଷୁଦ୍ର ସମ୍ମିଳନୀ ଇମା ପ୍ରାସାଦଠାରେ ଆୟୋଜନ କଲେ । ଏହି ସମାବେଶରେ ମଧୁସୂଦନଙ୍କ ଛଡ଼ା ମୟୂରଭଞ୍ଜର ମହାରାଜା, ଫକୀରମୋହନ ସେନାପତି, ପର୍ଶୁରାମ ପାତ୍ର, ଗଦାଧର ବିଦ୍ୟାଭୂଷଣ, ବଳରାମ ମହାରଣା, ନରସିଂହ ଦାସ, ନୀଳମଣି ବିଦ୍ୟାରତ୍ନ ପ୍ରଭୃତି ଯୋଗ ଦେଇଥିଲେ । ଏଥିରେ ଉତ୍କଳ ଜନନୀଙ୍କର ଖଣ୍ଡିତ ରୂପ ସମସ୍ତଙ୍କ ଆଖù ଆଗରେ ନାଚିଗଲା ଓ "ଜୟ ଉତ୍କଳ ଜନନୀ' ଧ୍ୱନିର ଅବତାରଣା କରାଗଲା । ଏହାର ପରବର୍ତ୍ତୀ ଅଧିବେଶନ ଗଞ୍ଜାମଠାରେ କରିବାପାଇଁ ମଧୁବାବୁ ସର୍ବସମକ୍ଷରେ ପ୍ରସ୍ତାବ ରଖିଲେ ।
ଏହି ପ୍ରସ୍ତାବକୁ ଆଧାର କରି ୧୯୦୩ ଏପ୍ରିଲ୍ ୧୧ ତାରିଖରେ ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍ ଶ୍ୟାମସୁନ୍ଦର ରାଜଗୁରୁଙ୍କର ସଭାପତିତ୍ୱରେ ବ୍ରହ୍ମପୁରଠାରେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା ।
ଏହି ସମ୍ମିଳନୀରେ ମଧୁବାବୁ ଉଦ୍ବୋଧନ ଦେଇ କହିଲେ ଯେ, ପ୍ରାକୃତିକ ଦେଶର ସବୁ ଅଞ୍ଚଳରୁ ପ୍ରତିନିଧି ଆସିଛନ୍ତି । ତେଣୁ ଏହା ଉତ୍କଳ ସମ୍ମିଳନୀ ବୋଲାଇବ । ସମସ୍ତଙ୍କ ମନକୁ ଏକଥା ପାଇଲା । ସ୍ଥିର ହେଲା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକରେ ଅନୁଷ୍ଠିତ ହେବ । ସମ୍ମିଳନୀର ପ୍ରତିନିଧିମାନେ ଗୋଲାପୀ ରଂଗର ପାଗ ଧାରଣ କରିବେ ବୋଲି ସ୍ଥିର ହେଲା । ଗଞ୍ଜାମ
ସମ୍ମିଳନୀ ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ ହେଲା । (ପଣ୍ଡିତ ବାଇକୋଳି ମହାପାତ୍ରଙ୍କର ଓଡ଼ିଆ ଆନ୍ଦୋଳନର ଇତିହାସ, ପୃଷ୍ଠା-୫୮)
କଟକରେ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ଗଞ୍ଜାମରୁ ୧୨୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ମଧୁସୂଦନଙ୍କ ଅଭିଳାଷ ବହୁ ପରିମାଣରେ ସାକାର ହେଲା । ପ୍ରକୃତରେ ଉତ୍କଳ ସମ୍ମିଳନୀର ପରବର୍ତ୍ତୀ ପର୍ଯ୍ୟାୟରେ ଗଞ୍ଜାମର ରାଜା, ଜମିଦାର ତଥା ନେତୃସ୍ଥାନୀୟ ବ୍ୟକ୍ତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜା ହରିହରଙ୍କର ତୃତୀୟ ଭଗିନୀପତି ମଦନମୋହନ ସିଂହଦେଓ ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ (୧୯୦୪)ରେ ଓ ଦ୍ୱିତୀୟ ଭଗିନୀପତି ସୁରଙ୍ଗୀର ରାଜା ଚନ୍ଦ୍ର ଚୂଡ଼ାମଣି ହରିଚନ୍ଦନ ପଞ୍ଚମ ଅଧିବେଶନ (୧୯୦୮) ଓ ଅଷ୍ଟମ ଅଧିବେଶନ (୧୯୧୪)ରେ ଅଧ୍ୟକ୍ଷତା କରିଥିଲେ । ଏହାଛଡ଼ା ଦଶମ ଅଧିବେଶନ (୧୯୧୧)ରେ ମହାରାଜା ବିକ୍ରମ ଦେବ ବର୍ମା ଓ ଦ୍ୱାଦଶ ଅଧିବେଶନ (୧୯୧୬)ରେ ମଞ୍ଜୁଷା ରାଜା ରାଜମଣି ଅଧ୍ୟକ୍ଷତା କରିଥିଲେ । ୧୯୩୩ରେ ଅନୁଷ୍ଠିତ ବ୍ରହ୍ମପୁର ଅଧିବେଶନରେ ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଅଧ୍ୟକ୍ଷତା କରିଥିଲେ ।
୧୯୦୫ ସାଲରୁ ଦକ୍ଷିଣ ଓଡ଼ିଶାର ମିଶ୍ରଣ ହିଁ ମଧୁସୂଦନଙ୍କର ଚିନ୍ତା ଓ ଚେତନାରେ ଅଗ୍ରାଧିକାର ଲାଭ କରିଥିଲା । ୧୯୦୬ ସାଲରେ ଉତ୍କଳ ସମ୍ମିଳନୀର ୪ର୍ଥ ଅଧିବେଶନ ବ୍ରହ୍ମପୁରରେ ଅନୁଷ୍ଠିତ ହେଲା । ମାତ୍ର ଏହା ପୂର୍ବରୁ ୧୯୦୫ ସାଲରେ ମଧୁବାବୁଙ୍କ ପ୍ରେରଣାରେ ସେହିବର୍ଷ ଏପ୍ରିଲ୍ ୨୯, ୩୦ ତାରିଖରେ ଖଲିକୋଟ ଜମିଦାରିର ରମ୍ଭାଠାରେ ଉତ୍କଳ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକୃତିକ ଉତ୍କଳର ବହୁ ପ୍ରତିନିଧି ଯୋଗ ଦେବା ସଙ୍ଗେ ସଙ୍ଗେ ଶ୍ରୀରାମଚନ୍ଦ୍ର ଭଞ୍ଜ(ମୟୂରଭଞ୍ଜ) ସଭାପତି ଓ ମଧୁବାବୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମିଳନୀ ପରେ ମଧୁବାବୁ ଆହୁରି ୨ ଦିନ ରମ୍ଭାଠାରେ ଉପସ୍ଥିତ ରହି ଭବିଷ୍ୟତ କାର୍ଯ୍ୟପନ୍ଥାର ରୂପରେଖ ପ୍ରସ୍ତୁତ କରିଥିଲେ ।
୧୯୦୬ ସାଲରେ ବ୍ରହ୍ମପୁରଠାରେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମଧୁବାବୁ ଯୋଗ ଦେଇ ଏହି ସମ୍ମିଳନୀର ପରିଚାଳନା ପାଇଁ ନଅଶହ ଟଙ୍କା ଦାନ କରିଥିଲେ । କଟକରେ ଅନୁଷ୍ଠିତ ପ୍ରଥମ ଦୁଇ ଅଧିବେଶନର ପ୍ରାୟ ସମସ୍ତ ଖର୍ଚ୍ଚ ମଧୁବାବୁ ବହନ କରିଥିଲେଏବଂ ପରବର୍ତ୍ତୀ ବହୁ ଅଧିବେଶନ ଲାଗି ଖର୍ଚ୍ଚର ସିଂହଭାଗ ମଧୁବାବୁ ସ୍ୱୟଂ ବହନ କରିଚାଲିଥିଲେ । ଜୀବନର ସାୟାହ୍ନରେ ୧୯୨୮ ସାଲ ନଭେମ୍ବର ମାସରେ ଅନୁଷ୍ଠିତ ଏକ ସଭାରେ କହିଥିଲେ," ମୁଁ ଉତ୍କଳ ଜନନୀଙ୍କର ସେବାଲାଗି ବିଦୂରର ଖୁଦ ମାତ୍ର ଦାନ କରିଛି ସତ, ମାତ୍ର ମୁଁ ପରଠାରୁ ମାଗିକରି ଦେଶସେବା କରିବା ଜାଣେ ନାହିଁ ।" ଏହାଥିଲା ମଧୁବାବୁଙ୍କର ପ୍ରାଣବନ୍ତ ବକ୍ତବ୍ୟର ଉଜ୍ଜ୍ୱଳ ବିଭବ,ଯାହା ଥିଲା ସମର୍ପିତ ଭାବେ ଦେଶମାତୃକାର ସେବା ଲାଗି ଉତ୍ସର୍ଗୀକୃତ ଆତ୍ମଦାନର ଏକ ଜ୍ୱଳନ୍ତ ନିଦର୍ଶନ । ରାଜନ୍ୟ ମଣ୍ଡଳୀଙ୍କ ଛଡ଼ା, ମଧୁବାବୁଙ୍କର ସମ୍ପର୍କ ଗଢ଼ି ଉଠିଥିଲା ସବ୍ରେଜିଷ୍ଟ୍ରାର୍ ନରସିଂହ ଦାସ (କାନକୁଟୁରୁ)ଓ ଆସିକାର ହରିହର ପଣ୍ଡାଙ୍କ ସହିତ । ପରବର୍ତ୍ତୀ ସ୍ତରରେ ଏହି ବଳୟ ମଧ୍ୟକୁ ଆସିଥିଲେ ଶଶିଭୂଷଣ ରଥ
ଓ ବିଶ୍ୱନାଥ ଦାଶ (ପୂର୍ବତନ ପ୍ରଧାନମନ୍ତ୍ରୀ) । ଏମାନେ ମଧୁସୂଦନ ଦାସଙ୍କୁ ରାଜନୈତିକ ଗୁରୁ ରୂପେ ଗ୍ରହଣ କରିଥିଲେ । ମଧୁବାବୁ ଉତ୍କଳ ଜାତୀୟତାର ପ୍ରତୀକ ରୂପେ ଗ୍ରହଣ କରିଥିଲେ, ଶ୍ରୀ ଜଗନ୍ନାଥ, ଉତ୍କଳ ଜନନୀ ଏବଂ ଉପେନ୍ଦ୍ର ଭଞ୍ଜଙ୍କୁ । ସେ ବହୁବାର କହୁଥିଲେ, ଉପେନ୍ଦ୍ର ଭଞ୍ଜଙ୍କ ଜାତିମନ୍ତ୍ରରେ ଉତ୍କଳ ଜନନୀଙ୍କର ଅବରୁଦ୍ଧ କଣ୍ଠ ଖୋଲିଯିବ । ୧୯୧୨ ରେ ବ୍ରହ୍ମପୁରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ମଧୁବାବୁ କହିଥିଲେ, "ଉପେନ୍ଦ୍ର ଭଞ୍ଜ ଏହିଠାରେ ଜନ୍ମଗ୍ରହଣ କରିଥିଲେ । କୋଟି କୋଟି ଓଡ଼ିଆ ତାଙ୍କୁ ଆମ ଜାତିର କବି କହୁଛନ୍ତି । ମୁଁ ପ୍ରଶ୍ନ କରେ ତୁମ୍ଭର କିପରି ହେଲେ? ଜାତି କହିଲା, ଜାତିର ସୁସନ୍ତାନ ଜାତିର ଏବଂ କୁସନ୍ତାନ ବାପା ଓ ମାଆର ।" ୧୯୧୩ ସାଲରେ ପୁରୀ ଅଧିବେଶନରେ ସଭାପତିତ୍ୱ କରି ମଧୁବାବୁ କହିଥିଲେ, ଯେଉଁ ପ୍ରଦେଶରୁ ଉପେନ୍ଦ୍ର ଭଞ୍ଜଙ୍କର କଣ୍ଠଧ୍ୱନି ଉଠି ଏକ ସମୟରେ ଉତ୍କଳ ଜାତିର ହୃଦୟକୁ ଆହ୍ଲାଦରେ ନଚାଇ ଥିଲା, ସେ ପ୍ରଦେଶ ଉତ୍କଳ ଜନନୀର ଶରୀରରୁ ବିଚ୍ଛିନ୍ନ । ପୁନର୍ବାର ସେ କହିଥିଲେ,"ଉପେନ୍ଦ୍ର ଭଞ୍ଜଙ୍କ ମସ୍ତିଷ୍କ ଗଞ୍ଜାମରେ ଯାହା ଉତ୍କଳ ମାତାଙ୍କର ଗଣ୍ଡିରୁ ବିଚ୍ଛିନ୍ନ ।" ପ୍ରକୃତରେ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମଭୂମିକୁ ଉତ୍କଳମାତାଙ୍କ ମସ୍ତିଷ୍କ ରୂପେ ଚିହ୍ନିତ କରି, ଗଞ୍ଜାମକୁ ଓଡ଼ିଶାରେ ମିଶାଇବାଲାଗି ଜାଗରଣ ସୃଷ୍ଟି କରିବାପାଇଁ ମଧୁସୂଦନ ଛିନ୍ନମସ୍ତା ଦିବସ ପାଳନ କରିଥିଲେ ଏବଂ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ନେତୃତ୍ୱ ନେଇ ପରିଣତ ବୟସରେ ୧୯୨୮ ସାଲରେ ପଦବ୍ରଜରେ ବୁଲି ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ । ଉପେନ୍ଦ୍ର ଭଞ୍ଜଙ୍କୁ ଜନମାନସରେ ପ୍ରତିଷ୍ଠିତ କରିବାପାଇଁ ତାଙ୍କରି ପ୍ରେରଣାରେ ନିଜର କନିଷ୍ଠ ଭ୍ରାତା ଗୋପାଳ ବଲ୍ଲଭ 'ଇନ୍ଦ୍ରଧନୁ' ପତ୍ରିକା ସଂପାଦନ କରିଥିଲେ । ତିରିଶି ବର୍ଷର ପ୍ରତୀକ୍ଷା ପରେ ୧୯୨୮ ସାଲ ଡିସେମ୍ବର ୧୨ ତାରିଖରେ ମଧୁବାବୁଙ୍କ ଦ୍ୱାରା ପ୍ରେରିତ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ପାଟଣାଠାରେ ସାଇମନ କମିଶନଙ୍କୁ ସ୍ୱାଗତ ଜଣାଇଥିଲେ । କନିକା ରାଜା ଲକ୍ଷ୍ମୀଧର ମହାନ୍ତିଙ୍କ ଦ୍ୱାରା ବିହାର ଓଡ଼ିଶା ଆସେମ୍ବ୍ଲି ପକ୍ଷରୁ ସାଇମନ କମିଶନଙ୍କୁ ସାକ୍ଷ୍ୟ ପ୍ରଦାନ, କମିଶନଙ୍କୁ ପାରଳା ମହାରାଜାଙ୍କ ନେତୃତ୍ୱରେ ମାନ୍ଦ୍ରାଜଠାରେ ଦାବିପତ୍ର ପ୍ରଦାନ ସାଙ୍ଗକୁ ଅଟ୍ଲି ସବ୍କମିଟିର ଅନୁମୋଦନ ଫଳରେ, ଦୀର୍ଘକାଳ ଧରି ଅବରୁଦ୍ଧ ରହିଥିବା ଦ୍ୱାର ଉନ୍ମୋଚିତ ହୋଇଥିଲା ଓ ସାଇମନ୍ କମିଶନ୍ ଓଡ଼ିଶା ପ୍ରଦେଶ ଗଠନର ଦାବିକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବାପାଇଁ ପାରଳା ମହାରାଜା, ମଧୁସୂଦନଙ୍କ ପ୍ରେରଣାରେ ୧୬.୧.୧୯୩୧ରେ ପ୍ରଥମ ଗୋଲଟେବୁଲ୍ ବୈଠକରେ ଦାବିପତ୍ର ଉପସ୍ଥାପନ କଲେ । ଏହା ପରେ ସୀମାନିର୍ଦ୍ଧାରଣପାଇଁ ଓଡ଼ନେଲ୍ କମିଟି ଗଠନ କରାଗଲା । ୭.୧୨.୧୯୩୨ରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଖଲିକୋଟ ରାଜାଙ୍କର ଯୋଗଦାନ ପରେ, ଓଡ଼ିଶା ପ୍ରଦେଶର ଗଠନର ଐତିହାସିକ ଘୋଷଣାନାମା ୨୪.୧୨.୧୯୩୨ରେ ପ୍ରକାଶ ପାଇଥିଲା । ମାତ୍ର ୧୭.୩.୧୯୩୩ରେ ପ୍ରକାଶିତ ଶ୍ୱେତପତ୍ରରେ ପାରଳା ଓ ଜୟପୁର ଜମିଦାରିକୁ ପ୍ରସ୍ତାବିତ ସୀମା ମଧ୍ୟରୁ ବାଦ ଦିଆଯିବାଯୋଗୁ ନୈରାଶ୍ୟ ସୃଷ୍ଟି ହୋଇଥିଲା । ମାତ୍ର ମଧୁସୂଦନଙ୍କ ଦୃଢ଼ ଓ ଦିଗ୍ଦର୍ଶୀ ନିର୍ଦ୍ଦେଶରେ ଅନୁପ୍ରେରିତ ହୋଇ ପାରଳା ମହାରାଜାଙ୍କ ନେତୃତ୍ୱରେ ୩.୭.୧୯୩୩ରେ ଜଏଣ୍ଟ ପାର୍ଲାମେଣ୍ଟ କମିଟିରେ ଲଣ୍ଡନଠାରେ
ଦାବିପତ୍ର ଉପସ୍ଥାପନା ପରେ ଓଡ଼ିଶା ପ୍ରଦେଶର ବର୍ତ୍ତମାନର ରୂପରେଖ ସ୍ଥିରୀକୃତ ହୋଇଥିଲା ।
ଏହି ସମୟରେ ବି୍ରଟେନ୍ର ପ୍ରଧାନମନ୍ତ୍ରୀ ରାମ୍ସେ ମ୍ୟାକ୍ ଡୋନାଲ୍ଡ଼ଙ୍କ ସହିତ ମଧୁସୂଦନଙ୍କ ପୂର୍ବ
ପରିଚୟ ଥିଲା । ସେ ମଧୁବାବୁଙ୍କୁ ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ ବୋଲି ଆଖ୍ୟାୟିତ କରୁଥିଲେ । ବ୍ରିଟିଶ ପ୍ରଶାସନର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ ନେତୃବର୍ଗଙ୍କ ସହିତ ମଧୁସୂଦନଙ୍କ ଘନିଷ୍ଠ ପରିଚୟ, ଓଡ଼ିଶା ଗଠନ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିଥିଲା । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସେ ଓଡ଼ନେଲ କମିଟିକୁ କଟକଠାରେ ନିଜ କୋଠରିରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି, ବହୁ ଉପାନ୍ତ ଅଞ୍ଚଳରେ ବୁଲି ସାକ୍ଷ୍ୟ ପ୍ରଦାନ କରିଥିଲେ ।
ଜୁନ୍ ୧୯୩୩ରେ ଗଠିତ ଓଡ଼ିଶା ପ୍ରାଶାସନିକ କମିଟିର ବରିଷ୍ଠ ସଦସ୍ୟ ରୂପେ ମଧୁସୂଦନ, କିଛି ଉପାନ୍ତ ଅଞ୍ଚଳ ଭ୍ରମଣ କରି ଓଡ଼ିଶା ପ୍ରଦେଶର ପ୍ରାଶାସନିକ ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ସେ ୧୯୩୩ ଅକ୍ଟୋବର ମାସରେ ଆପଣାର ପ୍ରିୟ ସହର ବ୍ରହ୍ମପୁରକୁ ଶେଷ ଥରପାଇଁ ଆସି ଆପଣାର ଏକାନ୍ତ ଅନୁଗାମୀ ଶଶିଭୂଷଣ ରଥଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ସବୁଠାରୁ ଉଦ୍ର୍ଧ୍ୱରେ ମଧୁସୂଦନ ପ୍ରାକୃତିକ ଓଡ଼ିଶାକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ଯେଉଁ ଅବିରାମ ସଂଗ୍ରାମ ଚଳାଇଥିଲେ, ତାହାର ଶେଷ ଯୁଦ୍ଧଟି ସଂଚାଳିତ ହୋଇଥିଲା ବ୍ରହ୍ମପୁର ମାଟିରେ, ଯହିଁରେ ସେନାପତି ରୂପେ ଉଭା ହୋଇଥିଲେ କୃଷ୍ଣଚନ୍ଦ୍ର ଗଜପତି ଆଉ ମାର୍ଗଦର୍ଶନ କରିଥିଲେ ଜାତିପ୍ରାଣ ମଧୁସୂଦନ । ଦକ୍ଷିଣ ଓଡ଼ିଶା ମଧୁସୂଦନଙ୍କର ଚିନ୍ତା ଚେତନାର କେନ୍ଦ୍ରବିନ୍ଦୁ ଥିଲା ଆଉ ମଧୁବାବୁଙ୍କ ପାଇଁ ଏଇ ମାଟିରେ ଆବିର୍ଭୂତ ଉପେନ୍ଦ୍ର ଭଞ୍ଜ ଥିଲେ ଓଡ଼ିଆ ଜାତୀୟତାର ମହାନ ପ୍ରତୀକ । ମଧୁସୂଦନଙ୍କର ପ୍ରଖର ପୁରୋଦୃଷ୍ଟି, କ୍ରାନ୍ତିକାରୀ ଅନୁପ୍ରେରଣା ଓ ଗଜପତିଙ୍କର ଦେଶମାତୃକା ପ୍ରତି ଅଚଳା ଭକ୍ତି ପ୍ରରୋଚିତ କାର୍ଯ୍ୟଧାରା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।
ଦକ୍ଷିଣ ଓଡିଶାର ବ୍ୟକ୍ତିତ୍ୱ ଓ ମଧୁବାବୁ-
ମଧୁସୂଦନଙ୍କର ଚେତନାର ଦିଗ୍ବଳୟ ମଧ୍ୟକୁ ଆସିଛନ୍ତି ଗଞ୍ଜାମ ବ୍ୟାଘ୍ର ଶଶି ଭୂଷଣ ରଥ । ତାଙ୍କର ଅନୁପ୍ରେରଣାରୁ ଜୋତା ଶିଳ୍ପର ପରିସରକୁ ଘଟିଛି ତାଙ୍କର ପ୍ରବେଶ । ୧୯୦୫ରୁ ୧୯୦୮ ମଧ୍ୟରେ ବମ୍ବେଠାରେ ଜୋତା ଶିଳ୍ପରେ ବ୍ୟବସାୟ କରିବା ପରେ ୧୯୦୮ରେ ମଧୁବାବୁଙ୍କ ଟ୍ୟାନେରିରେ ମ୍ୟାନେଜର ରୂପେ କିଛିକାଳ ଅବସ୍ଥାପିତ ହୋଇଛନ୍ତି । ଏହି ସମୟରେ ମଧୁବାବୁଙ୍କ ହରିଜନ ତଥା ସମାଜର ଦଳିତ ବର୍ଗ ପ୍ରତି ଅନୁକମ୍ପାମୂଳକ ସୌହାର୍ଦ୍ଦ୍ୟ ଓ ସହୃଦୟତା, ଶଶିବାବୁଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦେଶ ମିଶ୍ରଣ ଆନ୍ଦୋଳନର ମହନୀୟତା, ଓଡ଼ିଆମାନଙ୍କ ସ୍ୱାଭିମାନ ସଂପର୍କୀୟ ଦୃଷ୍ଟିଭଙ୍ଗୀ ଓ ଉଦ୍ଦାମ ଜାତୀୟତା ତାଙ୍କୁ ଆକୃଷ୍ଟ କରିଛି ।
ମଧୁବାବୁଙ୍କ ଅନୁପ୍ରେରଣାରେ ଶଶିଭୂଷଣ ହରିଜନ ଶ୍ରେଣୀକୁ ଉପଯୁକ୍ତ ମାନ୍ୟତା ଦେବାପାଇଁ ଆଗୁସାର ହୋଇଛନ୍ତି । ସରକାର ୧୯୨୩ରେ ଦଣ୍ଡାସୀ ଜାତିକୁ ଦାଗୀ ସଂପ୍ରଦାୟ ରୂପେ ଅଭିହିତ କରିଥିଲେ । ଏହାର ପ୍ରତିବାଦ ଜଣାଇ ଶଶିବାବୁ ୧୯୨୩ ମାର୍ଚ୍ଚ ୨୧ ତାରିଖ ଦିନ
ପୁରୁଷୋତ୍ତମପୁର ନିକଟସ୍ଥ ତାରାତାରିଣୀ ପୀଠରେ ଦଣ୍ଡାସୀ କୁଳର ମହାସଭା ଆହ୍ୱାନ କରି ଦଣ୍ଡାସି କୁଳ ମହାସଂଘ ପ୍ରତିଷ୍ଠା କରିଥିଲେ । କ୍ରମେ ସେମାନଙ୍କର ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଅଣାଇ ସେମାନଙ୍କୁ ସାମାଜିକ ମାନ୍ୟତା ପ୍ରଦାନ କରିଥିଲେ । ଶଶିବାବୁଙ୍କ ପ୍ରଚେଷ୍ଟା ଫଳରେ ଦଣ୍ଡାସିମାନେ ବିଭିନ୍ନ ରାଜକର୍ମରେ ନିଯୁକ୍ତି ପାଇଥିଲେ । ସରକାରୀ ସ୍ତରରେ ନୁଯୁକ୍ତି ମଧ୍ୟ ମିଳିଥିଲା ।
ଏହଛଡ଼ା ମଧୁସୂଦନଙ୍କ ପ୍ରତି ମହାତ୍ମାଗାନ୍ଧୀଙ୍କର ଯେଉଁ ଶ୍ରଦ୍ଧାଞ୍ଜଳି ବିଭିନ୍ନ ପତ୍ରିକା (ହରିଜନ ଓ ୟଙ୍ଗ ଇଣ୍ଡିଆ)ରେ ପ୍ରକାଶ ପାଇଥିଲା, ତାହାକୁ ଆପଣାର "ଆଶା' ପତ୍ରିକାରେ ମୁଦ୍ରିତ କରାଇ ମଧୁସୂଦନଙ୍କୁ ଏ ଯୁଗର ଜଣେ ଶ୍ରେଷ୍ଠ ଦିଗ୍ଦର୍ଶୀ ପୁରୁଷ ରୂପେ ତାଙ୍କର ଉଚ୍ଛ୍ୱସିତ ଶ୍ରଦ୍ଧା ଜ୍ଞାପନ କରିଥିଲେ ।
୧୯୩୪ ସାଲ ଫେବୃଆରି ୪ ତାରିଖରେ, ମଧୁସୂଦନଙ୍କର ମହାପ୍ରୟାଣରେ ଶଶିଭୂଷଣ ରଥ ନ୍ୟୁ ଓଡ଼ିଶା ପତ୍ରିକାରେ ୬.୨.୧୯୩୪ରେ ଯେଉଁ ଶୋକୋଚ୍ଛ୍ୱାସ ସମ୍ବଳିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାହା ପ୍ରଣିଧାନଯୋଗ୍ୟ-
"ପୂଜ୍ୟ ମଧୁସୂଦନ ଦାସଙ୍କର ମହାପ୍ରୟାଣରେ ସମଗ୍ର ଓଡ଼ିଶା ମର୍ମାହତ । ମାତ୍ର ମୋ'ପାଇଁ ଏହି ଦୁଃଖ ଅତ୍ୟନ୍ତ ମର୍ମନ୍ତୁଦ । ମୋର ସୌଭାଗ୍ୟ ଯେ ମୋତେ ସେ ତାଙ୍କର ଚେଲା (ଶିଷ୍ୟ) ରୂପେ ଗ୍ରହଣ କରିଥିଲେ । ବହୁତ ଦିନ ଆଗେ ତେଜୋଦୀପ୍ତ ତାଙ୍କର ପ୍ରଭାବର ବଳୟ ମଧ୍ୟକୁ ଆସିଥିଲି । ମୋ ପାଇଁ ସେ ସଖା, ଦିଗ୍ଦର୍ଶକ ଓ ଦାର୍ଶନିକ ଥିଲେ । ସେ ସାରଲ୍ୟ ଓ ଉତ୍ସର୍ଗର ପ୍ରତୀକ ଥିଲେ । ଯେତେବେଳେ ସର୍ବତ୍ର ଅବସାଦ ଓ ନୈରାଶ୍ୟର ଛାୟା ଘେରି ଆସିଥିଲା, ସେ ସେତେବେଳେ ଆଶାର କିରଣ ସଂପାତରେ ଦିଗ୍ବଳୟକୁ ପ୍ରଭାନ୍ୱିତ ଓ ଆଲୋକିତ କରିଥିଲେ ।
ମୁଁ ସର୍ବସାଧାରଣଙ୍କ ପାଇଁ ସେବାଦାନର ଶିକ୍ଷା ତାଙ୍କଠାରୁ ଗ୍ରହଣ କରିଥିଲି । ସେ ହିଁ, ମୋାତେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ଅନୁପ୍ରାଣିତ କରିଥିଲେ, ଯାହାଙ୍କ ଯୋଗୁ ବିଧିର ନିର୍ଦ୍ଦେଶରେ ମୋତେ ଏହି ପରମ କର୍ତ୍ତବ୍ୟ ପ୍ରାପ୍ତ ହୋଇପାରିଛି । ଜୀବନର ବହୁ ଦୁଃଖଦ ପରିସ୍ଥିତିରେ ତାଙ୍କର ଚେତନା ମୋତେ ନିରନ୍ତର ଉତ୍ସାହ ପ୍ରଦାନ କରିଛି । ଏହା ମୋପାଇଁ ଏକ ସାନ୍ତ୍ୱନାର ବିଷୟ ଯେ ସେ ଯେତେବେଳେ ହବାକ୍ କମିଟିର ସଦସ୍ୟ ରୂପେ ବ୍ରହ୍ମପୁର ଆସିଥିଲେ, ସେ ଆଶା ଅଫିସ୍କୁ ଆସି ଉଭୟ ଆଶା ଓ ନୁ୍ୟ ଓଡ଼ିଶା ପତ୍ରିକା ପ୍ରତି ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ ।"
ପ୍ରକୃତରେ ମଧୁସୂଦନ ଶଶିଭୂଷଣଙ୍କ ଜୀବନ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟର କାର୍ଯ୍ୟକଳାପ ପ୍ରତି ସଶ୍ରଦ୍ଧ ଦୃଷ୍ଟି ରଖୁଥିଲେ । ଯେତେବେଳେ କିଛି ଶିଥିଳତା ଦେଖାଦେଉଥିଲା ସେ କହୁଥିଲେ, "ମୁଁ ତୁମକୁ ଦେଶ ସେବାରେ ଏକ କାର୍ଯ୍ୟବ୍ୟସ୍ତ ଜୀବନ ମଧ୍ୟରେ ସର୍ବଦା ଦେଖିବାକୁ ଚାହେଁ । ତୁମେ କ'ଣ ମୁନିଋଷିଙ୍କ ପରି ନୀରବତା ଅବଲମ୍ବନ କରୁଛ?" ଏ ଥିଲା ଅନୁଗତ ଶିଷ୍ୟଙ୍କପାଇଁ ସ୍ୱାଭିମାନୀ ଗୁରୁଙ୍କ ନିର୍ଦ୍ଦେଶ, ଯାହା ପଥ ହୁଡ଼ିଥିବା ବିଶ୍ୱସ୍ତ ଶିଷ୍ୟଙ୍କ ପ୍ରତି ମାର୍ଗଦର୍ଶନର ନିର୍ଦ୍ଦେଶନାମା ।
ଦକ୍ଷିଣ ଓଡ଼ିଶା ସହିତ ଉତ୍ତର ଓଡ଼ିଶାର ସାଂସ୍କୃତିକ ସମ୍ବନ୍ଧକୁ ଅଧିକ ରସାଣିତ, ମାର୍ମିକ, ଆଉ ସମ୍ବେଦନଶୀଳ କରିବାପାଇଁ, ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବିବାହ ସଂଯୋଜିତ ହୋଇଥିଲା ୧୯୨୫ ସାଲରେ । ତାହାଥିଲା ଦେଶ ମିଶ୍ରଣ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଭୁବନାନନ୍ଦ ଦାସଙ୍କ ସହିତ ଆସିକାର ସତ୍ୟାଗ୍ରହୀ ନିରଞ୍ଜନ ପଟ୍ଟନାୟକଙ୍କର ଭଗିନୀ ଋକ୍ମିଣୀ ଦେବୀଙ୍କର ଶୁଭ ପରିଣୟ ।
ଏହି ପରିଣୟ ମାଧ୍ୟମରେ, ନିରଞ୍ଜନ ପଟ୍ଟନାୟକ କଟକର ସାଂସ୍କୃତିକ ପରିବେଶରେ ଉଦ୍ଭାସିତ ହୋଇ ଉଠିଥିଲେ ଏକ ଜ୍ଞାନଦୀପ୍ତ ଯୁବ ପ୍ରତିଭା ରୂପେ ଆଉ ଆସି ପାରିଥିଲେ ମଧୁସୂଦନଙ୍କର ପ୍ରଭାମୟ ବଳୟ ମଧ୍ୟରେ । ସ୍ୱାମୀ ବିଚିତ୍ରାନନ୍ଦ ଓ ଭୁବନାନନ୍ଦ ଦାସ ଥିଲେ ମଧୁସୂଦନଙ୍କ ଅନ୍ତରଙ୍ଗ ପରିଧି ମଧ୍ୟରେ ଯେଉଁମାନଙ୍କ ପାଇଁ ଦେଶସେବା ଥିଲା ଏକ ସମର୍ପିତ
ପ୍ରାଣର ନୈବେଦ୍ୟ । ଆଉ ନିରଞ୍ଜନ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ମାତ୍ର ଏକୋଇଶି ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କଲାବେଳକୁ ଲେଖି ସାରିଥିଲେ ଭଞ୍ଜନଗର ଚକ୍ରପାଣି ପ୍ରଧାନଙ୍କ ସହଯୋଗିତାରେ ଓଡ଼ିଆ ଜାତିପାଇଁ "ଓଡ଼ିଆ ମୁଭ୍ମେଣ୍ଟ' ନାମକ ତଥ୍ୟଭିତ୍ତିକ ପ୍ରାମାଣିକ ଗ୍ରନ୍ଥ ଅନବଦ୍ୟ ଇଂରାଜୀ ଶୈଳୀରେ, ଯାହାର ପଟ୍ଟାନ୍ତର ନାହିଁ । ଏହି ପୁସ୍ତକର ପ୍ରକାଶନ ଅତ୍ୟନ୍ତ ଅପରିହାର୍ଯ୍ୟ ଥିଲା, ଓଡ଼ିଶା ପ୍ରଦେଶ ଗଠନର ପ୍ରକି୍ରୟା ମଧ୍ୟରେ, ସୀମାନିର୍ଦ୍ଧାରଣର ସୂଚୀ ମଧ୍ୟରେ ।
ତେଣୁ ମଧୁସୂଦନ ପୁସ୍ତକ ପ୍ରକାଶନର ସମସ୍ତ ଖର୍ଚ୍ଚ ଅକାତରେ ଯୋଗାଇ ଦେଇଥିଲେ, ଯେଉଁ ପୁସ୍ତକ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନ ଲାଗି ସଂସ୍ଥାପିତ ସମସ୍ତ କମିଟି, କମିଶନ ଅଥବା ଅନୁସନ୍ଧାନ ଲାଗି ଗଠିତ ସଂସ୍ଥାର ସମକ୍ଷରେ ଉପସ୍ଥାପନ କରାଯାଇଥିଲା ।
ନିରଞ୍ଜନ ପଟ୍ଟନାୟକ କିଛିକାଳ ସତ୍ୟାଗ୍ରହୀର ଜୀବନ ବିତାଇଥିଲେ ମଧ୍ୟ ସେ ଥିଲେ ମୁଖ୍ୟତଃ ଓଡ଼ିଶା ପ୍ରଦେଶ ଗଠନର ଏକ ସୁଦକ୍ଷ ସେନାପତି, ଯେ ସମସ୍ତ ସଂକଟ ସମୟରେ ଆଗୁସାର ଥିଲେ ଓଡ଼ିଶାର ସ୍ୱାଭିମାନ ରକ୍ଷା କରିବାପାଇଁ । ଏ ଦିଗରେ ୧୯୨୮ ସାଲ ଜାତୀୟ କଂଗ୍ରେସର ଅଧିବେଶନରେ ତାଙ୍କର ବକ୍ତବ୍ୟ ଅବିସ୍ମରଣୀୟ । ମଧୁବାବୁଙ୍କ ସହିତ ତାଙ୍କର ସଂପର୍କ ଥିଲା ଅତ୍ୟନ୍ତ ଅନ୍ତରଂଗ ଆଉ ଘନିଷ୍ଠ ।
ତାଙ୍କର ଅନୁଗାମୀ ମଧ୍ୟ ଥିଲେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିବା ପ୍ରଥମ କଂଗ୍ରେସ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ । ବିଶ୍ୱନାସ ଦାଶ କଟକରେ କଲେଜ ଶିକ୍ଷା, କଲିକତାରେ ଆଇନ ଅଧ୍ୟୟନ କଲାପରେ ମଧୁବାବୁଙ୍କ ଜୁନିଅର ଥିଲେ । ସେ ମଧୁବାବୁଙ୍କୁ ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଯେଉଁ ସୁଦୀର୍ଘ ନିବନ୍ଧଟି ଲେଖିଥିଲେ, ତହିଁର କିଛି ଅଂଶ ଏଠାରେ ପ୍ରଦାନ କରାଯାଇଛି -
"ପରଲୋକଗତ ମହାନ ମଧୁସୂଦନ ଦାସ ଇତିହାସର ପୃଷ୍ଠାରେ ଚିରକାଳ ଲାଗି ଓଡ଼ିଶାର ଉଦ୍ଧାରକର୍ତ୍ତା ରୂପେ ବିଦିତ ରହିବେ । ସେ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଥିଲେ । ସେ ସର୍ବପ୍ରଥମେ ପ୍ରଜା ସଭା (କୃଷକ ସଂଗଠନ)ଆହୂତ କରିଥିଲେ ଯାହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଶକ୍ତିଶାଳୀ ସଂସ୍ଥା
ରୂପେ ପରିଚିତ । ମଧୁସୂଦନ ଇତିହାସରେ ବ୍ରିଟିଶ ସାମ୍ରାଜ୍ୟବାଦର ଜଣେ ସର୍ବଶ୍ରେଷ୍ଠ ଅନମନୀୟ ସମାଲୋଚକ ଭାବେ ପ୍ରତିଷ୍ଠିତ ରହିବେ ।
ମୁଁ ତାଙ୍କର ମହିମାଦୀପ୍ତ ଜୀବନରୁ ଅନୁପ୍ରେରଣା ଲାଭ କରିଛି । ମୁଁ ସେହିଦିନକୁ ସ୍ମରଣରେ ରଖିଛି, ଯେଉଁଦିନ ମଧୁବାବୁ ମୋତେ ରାଜନୀତିକୁ ଆଶ୍ରୟକରି ଦେଶସେବାରେ ନିଜକୁ ସଂପୂର୍ଣ୍ଣରୂପେ ଉତ୍ସର୍ଗୀକୃତ କରିବା ପାଇଁ ଅନୁପ୍ରେରିତ କରିଥିଲେ । ମୁଁ ଆଜି ଯଦି କିଛି ହୋଇଥାଏ, ସେହି ଦିଗ୍ଦର୍ଶୀ ପୁରୁଷଙ୍କର ମୁଲାୟମ ସ୍ପର୍ଶ ମାଧ୍ୟମରେ ହୋଇଛି ।"
ବିଶ୍ୱନାଥ ଦାସ ମଧୁବାବୁଙ୍କର ସ୍ମୃତିରକ୍ଷାଲାଗି ମଧୁସ୍ମୃତିକୁ ସ୍ମାରକୀ ରୂପେ ପ୍ରତିଷ୍ଠା କରିବାପାଇଁ ପ୍ରଥମ ପ୍ରଚେଷ୍ଟା କରିଥିଲେ । ଏହି ଉଦ୍ଦେଶ୍ୟରେ ମଧୁସୂଦନ ଗ୍ରାମୋଦ୍ୟଗ ସଂସ୍ଥା ପ୍ରତିଷ୍ଠା କରିଥିଲେ । ମଧୁସୂଦନଙ୍କ ଅନୁପ୍ରେରଣାରେ ମହାତ୍ମାଗାନ୍ଧୀ ଯେଉଁ ମୌଳିକ ଶିକ୍ଷାର ପରିକଳ୍ପନା କରିଥିଲେ ବିଶ୍ୱନାଥ ଦାସ ତାହାର ପ୍ରୟୋଗ ଓ ପ୍ରସାର ଓଡ଼ିଶାରେ ପ୍ରଥମେ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ପଣ୍ଡା, ଗୌରଚନ୍ଦ୍ର ଦେବ, ରାଜା ବିକ୍ରମ ବର୍ମା, ଦିବାକର ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଲାଲ୍ମୋହନ ପଟ୍ଟନାୟକ, ମଦନ ମୋହନ ସିଂହଦେବ, ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, ମଧୁସୂଦନ ପାଣିଗ୍ରାହୀ, କୃପାମୟ ଦେବ ପ୍ରମୁଖ ମଧୁସୂଦନଙ୍କ ତେଜୋଦୀପ୍ତ ପ୍ରେରଣାରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ।
"ଯେତେ କାଳ ଥିବ ଓଡ଼ିଆ ଜାତି ଇତିହାସରେ
ଥିବ ତୁମ୍ଭ ନାମ ଅର୍ଚ୍ଚିତ ହେମମୟ ଅକ୍ଷରେ
ଚାଲିଯିବେ ସର୍ବେ ରହିବେ ନାହିଁ କେହି ମହୀରେ
ଯଶୋଦେହେ ବଞ୍ଚି ରହିବେ ମାତ୍ର ନିସ୍ୱାର୍ଥବୀରେ"
-ପଲ୍ଲୀକବି ନନ୍ଦକିଶୋର
ଓଡ଼ିଆ-ଭାଷୀ ଅଞ୍ଚଳର ମିଶ୍ରଣ ତଥା ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିଲା ୧୯୦୦ ସାଲର ଶରତ ଋତୁରେ ସିମଲାଠାରେ । ବଡ଼ଲାଟ ଲଡର଼୍ କର୍ଜନଙ୍କ ସହିତ ମଧୁସୂଦନଙ୍କ ସାକ୍ଷାତକାର ଥିଲା ଏହାର ଭିତ୍ତିଭୂମି । ଏହା ପରେ ୧୯୦୩ରେ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିଲା ବିଧିବଦ୍ଧ ଘୋଷଣାନାମା 'ରିସ୍ଲେ ସର୍କୁଲାର' ନାମରେ । ଏହି ସର୍କୁଲାରକୁ ଆଧାର କରି ୧୯୦୫ ସାଲ ଅକ୍ଟୋବର ୧୬ ତାରିଖରେ । ପଶ୍ଚିମାଞ୍ଚଳ ସହିତ ପୂର୍ବାଞ୍ଚଳର ମିଶ୍ରଣ ହେଲା । ହେଲେ ଦକ୍ଷିଣ ଓଡ଼ିଶାର ମିଶ୍ରଣ ଲାଗି ଆହୁରି ତିରିଶି ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ମାନ୍ଦ୍ରାଜ ସରକାରଙ୍କର ତୀବ୍ର ପ୍ରତିରୋଧଯୋଗୁଁ । ଭାରତ ଶାସନର ସଂସ୍କାର ଲାଗି ସାଇମନ୍ କମିଶନ ୧୯୨୭ ନଭେମ୍ବର ୨୭ ତାରିଖରେ ଗଠିତ ହୋଇଥିଲା । ମାତ୍ର ଏଥିରେ କୌଣସି ଭାରତୀୟ ସଭ୍ୟ ନଥିବାଯୋଗୁଁ ଭାରତୀୟ ଜାତୀୟ କଂଗ୍ରେସ ଏହାର ତୀବ୍ର ବିରୋଧ କରିଥିଲା । ତେବେ ଏହି କମିଶନର ସୁପାରିଶ କ୍ରମେ ଯେଉଁ ପ୍ରାଦେଶିକ ସ୍ତରର ସ୍ୱାତନ୍ତ୍ର୍ୟ ଓ ମନ୍ତ୍ରିମଣ୍ଡଳର ଗଠନ ବ୍ୟବସ୍ଥା ୧୯୩୬ ସାଲରୁ ପ୍ରବର୍ତ୍ତନ କରାଗଲା ,ତହିଁରେ ସହଯୋଗ କରିଥିଲା ଭାରତୀୟ ଜାତୀୟ କଂଗ୍ରେସ ।
୧୯୨୮ ସାଲ ଫେବ୍ରୁଆରି ମାସରେ ଜାତୀୟ କଂଗ୍ରେସର ନିର୍ଦ୍ଧାରିତ ରୀତି ଅନୁସାରେ ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁଙ୍କ ନେତୃତ୍ୱରେ ସାଇମନ କମିଶନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୧୯୨୮ ସାଲରେ ବିହାର ଓଡ଼ିଶା କାଉନ୍ସିଲ୍ର ପଣ୍ଡିତ ଲିଙ୍ଗରାଜ ଚରଣ ମିଶ୍ରଙ୍କର ନେତୃତ୍ୱରେ କଂଗ୍ରେସର ସଦସ୍ୟବୃନ୍ଦ ସାଇମନ କମିଶନକୁ ବିରୋଧ କରି ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ଓଡ଼ିଶା ପ୍ରଦେଶର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନଙ୍କର ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଭଂଗୀ ଥିଲା । ସେ ଏ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ । ବୋଧହୁଏ ବିଧିର ନିର୍ଦ୍ଦେଶରେ ଏହା ଥିଲା ଓଡ଼ିଆଭାଷୀଙ୍କ ପାଇଁ ଶେଷ ସୁଯୋଗ । ଅନ୍ୟଥା ଓଡ଼ିଶା ପ୍ରଦେଶ ଗଠନ ବିସ୍ମୃତିର ଗର୍ଭରେ ଲୀନ ହୋଇଯାଇଥା'ନ୍ତା । ମଧୁସୂଦନଙ୍କର ନିର୍ଦ୍ଦେଶରେ ବିହାର ଓଡ଼ିଶା
କାଉନ୍ସିଲ୍ ପକ୍ଷରୁ ରାୟ ବାହାଦୂର, ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା ରାଜେନ୍ଦ୍ର ନାରାୟଣ
ଭଞ୍ଜଦେଓ, ସାଇମନ କମିଶନଙ୍କୁ ସାକ୍ଷ୍ୟ ପ୍ରଦାନ ପାଇଁ ନିର୍ବାଚିତ ହୋଇଥିଲେ ।
୧୯୨୮ ସାଲ ଡିସେମ୍ବର ୧୨ ତାରିଖରେ ସାଇମନ କମିଶନ ପାଟନା ରେଳଷ୍ଟେସନ୍ଠାରେ
ପହଞ୍ଚିଲାବେଳେ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଓଡ଼ିଶା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
କରାଯାଇଥିଲା । ଏହାଥିଲା ମଧୁସୂଦନଙ୍କର ନିର୍ଦ୍ଦେଶ । ଗୋପାଳ ଚନ୍ଦ୍ର ପ୍ରହରାଜ, କନିକା ରାଜା,
ବାରିଷ୍ଟର ବିଶ୍ୱନାଥ ମିଶ୍ର, ଭିକାରୀ ଚରଣ ପଟ୍ଟନାୟକ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଏଥିରେ ସହଯୋଗ
କରିଥିଲେ ।
ଏହାଛଡ଼ା ୧୯୨୮ ମଇ ୩୦ ତାରିଖରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ
ନେତୃତ୍ୱରେ ମାନ୍ଦ୍ରାଜ ପ୍ରଦେଶ ଓଡ଼ିଆ ଏସୋସିଏସନ୍ ପକ୍ଷରୁ ମାଡ଼୍ରାସଠାରେ ଏକ ଦାବିପତ୍ର
ସାଇମନ କମିଶନଙ୍କୁ ପ୍ରଦାନ କରାଯାଇଥିଲା । ଫଳରେ ବହୁ ପ୍ରତୀକ୍ଷିତ ଆକାଙ୍କ୍ଷା ପୂରଣର
ପ୍ରତିଶ୍ରୁତି ମଧ୍ୟ ମିଳିଲା ଓ ରୁଦ୍ଧଦ୍ୱାର ଉନ୍ମୋଚିତ ହେଲା । ସାଇମନ୍ କମିଶନ୍ ଓଡ଼ିଶା ପ୍ରଦେଶ
ଗଠନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବାପାଇଁ ଅଟ୍ଲିଙ୍କ ନେତୃତ୍ୱରେ ଗୋଟିଏ ସବ୍
କମିଟି ଗଠନ କଲେ । ସୁର ବୁଦ୍ଧି, କନିକା ରାଜା ଓ ଲକ୍ଷ୍ମୀଧର ମହାନ୍ତି ସଭ୍ୟରୂପେ ଗୃହୀତ
ହୋଇଥିଲେ । ଏହି ସବ୍ କମିଟିର ପରାମର୍ଶ କ୍ରମେ ସାଇମନ୍ କମିଶନ୍ ଓଡ଼ିଶା ପ୍ରଦେଶ ଗଠନ
ଲାଗି ସୁପାରଶ କରିଥିଲେ ।
ସାଇମନ୍ କମିଶନ୍ ୧୯୩୦ ମଇ ମାସରେ ତାଙ୍କର ରିପୋର୍ଟ ଦାଖଲ କଲେ ଓ ଭାରତ
ସରକାରଙ୍କର ଶାସନ ସଂସ୍କାର ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଲାଗି ଲଣ୍ଡନଠାରେ ୧୯୩୦
ସାଲରୁ ୧୯୩୨ ସାଲ ମଧ୍ୟରେ ତିନୋଟି ଗୋଲ୍ଟେବୁଲ୍ ବୈଠକ ବସିଲା । ଏହି ଶାସନ ସଂସ୍କାର
ମଧ୍ୟରେ ଓଡ଼ିଶା ପ୍ରଦେଶ ଗଠନଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିଲା । ଏହି ପ୍ରସ୍ତାବକୁ ତ୍ୱରାନ୍ୱିତ
କରିବାପାଇଁ ଗୋଲ୍ଟେବୁଲ୍ ବୈଠକରେ ଯୋଗଦାନ ଜରୁରୀ ଥିଲା ।
ଲଣ୍ଡନଠାରେ ପ୍ରଥମ ଗୋଲ୍ଟେବୁଲ୍ ବୈଠକ ୧୬.୧୧.୧୯୩୦ରୁ ୧୯.୧.୧୯୩୧
ପର୍ଯ୍ୟନ୍ତ ବସିଥିଲା । ଏହି ବୈଠକରେ ବିହାର ଓଡ଼ିଶା ଜମିଦାର ସଂଘର ପ୍ରତିନିଧି ରୂପେ ପାରଳା
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୧ ମସିହାର ଜାନୁଆରି ୧୬ ତାରିଖରେ ଓଡ଼ିଶା ପ୍ରଦେଶ
ଗଠନ ଲାଗି ବିଧିବଦ୍ଧ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଆଧାର କରି ୧୮.୯.୧୯୩୧ରେ
ଓଡ଼ନେଲ୍ କମିଟି ତାଙ୍କର ପ୍ରଥମ ବୈଠକ ପାଟନାଠାରେ ଆହ୍ୱାନ କରିଥିଲେ । ସମସ୍ତ ଉପାନ୍ତ
ଅଞ୍ଚଳରେ ବୁଲି ସାକ୍ଷ୍ୟ ଗ୍ରହଣକରି ଓଡ଼ନେଲ୍ କମିଟି ୧୯୩୨ ମସିହା ଏପ୍ରିଲ୍ ମାସରେ ତାଙ୍କର
ରିପୋର୍ଟ ଦାଖଲ କରିଥିଲେ । ଏହି ସମୟ କାଳ ମଧ୍ୟରେ ୭.୯.୧୯୩୧ରୁ ୭.୧୨.୧୯୩୧
ପର୍ଯ୍ୟନ୍ତ ଦ୍ୱିତୀୟ ଗୋଲ୍ଟେବୁଲ୍ ବୈଠକରେ ମହାତ୍ମାଗାନ୍ଧୀ ଯୋଗଦାନ କରିଥିଲେ ।
ଭାରତୀୟ ଶାସନବିଧିର ସଂସ୍କାରପାଇଁ ଯେଉଁ ବ୍ୟବସ୍ଥା ରହିଥିଲା, ତାହାରି ଏକ ଅଂଶ
ଥିଲା ଓଡ଼ିଶା ପ୍ରଦେଶ ଗଠନ । ତୃତୀୟ ଗୋଲ୍ଟେବୁଲ୍ ବୈଠକ ଆହୂତ
ହୋଇଥିଲା ୧୯.୧୧.୩୨ରୁ ୨୪.୧୨.୩୨ ମଧ୍ୟରେ । ଏହି ବୈଠକ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ପାଇଁ ପ୍ରେରିତ ହୋଇଥିଲେ ଖଲିକୋଟର ରାଜା ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜ ଓ ଇଂଲଣ୍ଡରେ ଇଞ୍ଜିନିୟରିଂ ଶିକ୍ଷାପ୍ରାପ୍ତ ଭୁୂବନାନନ୍ଦ ଦାସ । ଏ ଦୁହିଁଙ୍କ ଉପରେ ଓଡ଼ିଆ ଜାତିର ଗୁରୁ ଦାୟିତ୍ୱ ଅର୍ପିତ ହୋଇଥିଲା ।
ଲଣ୍ଡନରେ ଏହି ଗୋଲ୍ଟେବୁଲ୍ ବୈଠକ ଆରମ୍ଭ ହେବା ପୂର୍ବରୁ ଖଲିକୋଟର ରାଜା ରାମଚନ୍ଦ୍ର ଓ ଭୁବନାନନ୍ଦ ଦାସ ପହଞ୍ଚିଥିଲେ । ଭାରତ ସଚିବଙ୍କ ଅଫିସ୍ରେ ପ୍ରସ୍ତାବର ଉପସ୍ଥାପନା, ବିଧିବଦ୍ଧ ବିଶ୍ଳେଷଣ ତଥା ତଦାରଖ ସଂପର୍କୀୟ କାର୍ଯ୍ୟସୂଚୀର ପରିଧି ମଧ୍ୟରେ ସମ୍ଭାବ୍ୟ ଆଲୋଚନା ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡ଼ିଥିଲା । ଏ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି ପରେ ୭.୧୨.୧୯୩୨ ତାରିଖ ଦିନ ଗୋଲ୍ଟେବୁଲ୍ ବୈଠକରେ ରାମଚନ୍ଦ୍ର ମର୍ଦ୍ଦରାଜ ଓଡ଼ିଆ ଜାତି ପକ୍ଷରୁ ତାଙ୍କର ସାମଗ୍ରିକ ଦାବି ଉପସ୍ଥାପନ କରିଥିଲେ ଯାହା ତାତ୍ତ୍ୱିକ ଦୃଷ୍ଟିରୁ ଖୁବ୍ ପ୍ରଭାବଶାଳୀ ଥିଲା ।
ତୃତୀୟ ଗୋଲ୍ଟେବୁଲ୍ ବୈଠକର ଅନ୍ତିମ ପର୍ଯ୍ୟାୟରେ ୨୪.୧୨.୧୯୩୨ରେ ଲର୍ଡ଼ ସାଙ୍କିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭାରତର ସଚିବ ସାର୍ ସାମୁଏଲ୍ ହୋର୍ଙ୍କର ବକ୍ତବ୍ୟର କିଛି ଅଂଶ ଏହିପରି ଥିଲା -
"ଆମ୍ଭେମାନେ ଦୁଇ ବର୍ଷ ପୂର୍ବେ ଗୋଲ୍ଟେବୁଲ୍ ବୈଠକରେ ପ୍ରାରମ୍ଭିକ ଆଲୋଚନା ସମୟରୁ ସିନ୍ଧ୍ ପ୍ରଦେଶ ଗଠନ ବିଷୟରେ ବିଚାର କରିଅଛୁ । ଗଲାବର୍ଷଠାରୁ ପ୍ରଥମ କରି ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଉପସ୍ଥାପନା କରିଥିଲୁ । ଏ ମଧ୍ୟରେ ଉଭୟ ପ୍ରଦେଶ ସଂପର୍କରେ ବିଶେଷଜ୍ଞମାନଙ୍କ ଦ୍ୱାରା ତଦନ୍ତ ଓ ନିରୀକ୍ଷଣ ରିପୋର୍ଟମାନ ଆସି ପହଞ୍ଚି ସାରିଛି । ଏହି ରିପୋର୍ଟମାନଙ୍କୁ ଭିତ୍ତିକରି ମୁଁ ଏଠାରେ ଜଣାଇବାକୁ ଚାହେଁ ଯେ, ସିନ୍ଧ୍ ଓ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପରେ ଗଠିତ ହେବେ ।"
ଏହାଥିଲା ଓଡ଼ିଆ ଜାତିର ସ୍ଥିତିଲାଗି ଗୌରବମୟ ଐତିହାସିକ ଉଦ୍ଘୋଷଣା । ପ୍ରାୟ ଚାରିଶହ ବର୍ଷର ଅନ୍ତରାଳରେ ଓଡ଼ିଶା ଦାସତ୍ୱ ଶୃଙ୍ଖଳରୁ ମୁକ୍ତିଲାଭ କରିବାଲାଗି ଯେଉଁ ସଂଭାବନା ଆସି ପହଞ୍ଚି ଥିଲା, ତାହା ସମଗ୍ର ଓଡ଼ିଶାରେ ସୃଷ୍ଟି କରିଥିଲା ଏକ ଅଫୁରନ୍ତ ଆଉ ଉଲ୍ଲସିତ ଆଲୋଡ଼ନ । କିଭଳି ମହତ୍ୱପୂର୍ଣ୍ଣ ଥିଲା ଏହି ଉଦ୍ଘୋଷଣା, ତାହାର ମୂଲ୍ୟାୟନ କରିବା ଏଠାରେ ସମ୍ଭବ ନୁହେଁ । ଆନନ୍ଦ ଆଉ ଉଲ୍ଲାସର ଉଦ୍ବେଳନ ଛାଇଯାଇଥିଲା ସର୍ବତ୍ର ।
ଏହି ଉଦ୍ଘୋଷଣାର ମାତ୍ର ତିନୋଟି ଦିନ ପରେ୨୭.୧୨.୧୯୩୨ରେ ଲଣ୍ଡନଠାରୁ ଖଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଯେଉଁ ଇଂରାଜୀ ଚିଠିଟି "ଆଶା'ର ସମ୍ପାଦକ ଶଶିଭୂଷଣ ରଥଙ୍କ ନିକଟକୁ ଲେଖିଥିଲେ, ତାହାର ଅନୁବାଦ ଏଠାରେ ଉପସ୍ଥାପନ କରାଗଲା । କିଭଳି ମାର୍ମିକ ଆଉ ହୃଦୟର ଆବେଗରେ ରସାଣିତ ଥିଲା ସେହି ତାତ୍ପର୍ଯ୍ୟପୂର୍ଣ୍ଣ ଚିଠିର ବିଷୟବସ୍ତୁ, ଯାହା କିଛିକାଳ ଲାଗି ପାଠକକୁ ସ୍ତବ୍ଧ କରିଦିଏ । ସଂକଳ୍ପପୂର୍ଣ୍ଣ ସିଦ୍ଧାନ୍ତର ଭାବଗାମ୍ଭୀର୍ଯ୍ୟ ଆବେଦନ ଘେନି ଯୁଝାଯାଇଥିଲା ଏହି ପ୍ରଦେଶ ଗଠନର ସଂଗ୍ରାମ ।
ଲଣ୍ତନ
୨୭.୧୨.୧୯୩୨
ପ୍ରିୟ ଶଶିବାବୁ,
ମୁଁ ଏତେ ଉତ୍ତେଜିତ ହୋଇପଡ଼ିଛି ଯେ ଚିଠି ଖଣ୍ଡେ ଲେଖିପାରୁ ନାହିଁ । ଏହା ହେଉଛି
ଗୋଲ୍ଟେବୁଲ୍ ବୈଠକର ସର୍ବଶ୍ରେଷ୍ଠ ଜୟ ସମ୍ଭାର । ଉଦ୍ବେଗ ଆଉ ଉତ୍କଣ୍ଠା ମଧ୍ୟ ଶେଷ
ସୀମାରେ ପହଞ୍ଚିଥିଲା । ଏ ସମସ୍ତ ଶ୍ରମ ଓ କ୍ଲାନ୍ତି ମଧ୍ୟରେ ମୁଁ ଦଶବର୍ଷ ବୁଢ଼ା ହୋଇଗଲା ପରି
ଲାଗୁଛି । ସୀମା ବିଷୟ ଭାରତ ସରକାର ସ୍ଥିର କରିବେ । ଏ ବିଷୟ ମଧ୍ୟ ଏଠାରେ ଉଠାଇଥିଲି ।
କିନ୍ତୁ ଏଠାରେ ଏମାନେ ମାନଚିତ୍ର ନେଇ ବ୍ୟସ୍ତ ହେବାକୁ ରାଜି ନୁହଁନ୍ତି ।
ଏ ଦେଶର ଲୋକାଲ୍ ବୋଡର଼୍ ବିଷୟ ବୁଝିବାପାଇଁ ଅନେକଠାରୁ ନିମନ୍ତ୍ରଣ ଆସୁଛି । ଖ୍ରୀଷ୍ଟମାସ
ପରେ ଏସବୁ ସ୍ଥାନକୁ ଯାଇ ଏଠାରେ ଲୋକାଲ୍ ବୋଡର଼୍ ପରିଚାଳନା ଦେଖିବି । ଜାନୁଆରି ଶେଷ
ବେଳକୁ ୟୁରୋପ ଭ୍ରମଣରେ ବାହାରିବି । ଫେବ୍ରୁଆରି ଶେଷ ବେଳକୁ ଦେଶ ଫେରିବି ।
ଏସବୁ ମୋତେ ସ୍ୱପ୍ନ ପରି ଲାଗୁଛି । ମୁଁ ଲଣ୍ଡନରେ ପହଞ୍ଚିବା ବେଳେ ସେମାନେ ସମସ୍ତେ
ମତେ ଦେଖି ହସୁଥିଲେ । ଓଡ଼ିଶାପାଇଁ ସ୍ୱତନ୍ତ୍ର ପ୍ରଦେଶ ହେବ ବୋଲି ହାସ୍ୟ କରିଥିଲେ । ଏଠାରେ
ଅନେକ ହିଡ଼ହଣା କାର୍ଯ୍ୟ କରିବାକୁ ପଡ଼ିଲା । ତରୁଣ ଓଡ଼ିଶାକୁ ମୋର ଅଭିନନ୍ଦନ ଜଣାଇବେ ।
ତମର ବିଶ୍ୱସ୍ତ
ରାମଚନ୍ଦ୍ର ମର୍ଦ୍ଦରାଜ ଦେବ
(୧୭.୧.୩୩ ସାପ୍ତାହିକ ଆଶାରୁ ଗୃହୀତ)
୧୯୩୨ ସାଲର ଶେଷ ଭାଗରେ ଓଡ଼ିଶା ପ୍ରଦେଶ ଗଠନ ସମ୍ବାଦ କେବଲ୍ ଯୋଗେ ଗୃହୀତ
ହୋଇ "ଆଶା' ଓ "ସମାଜ'ରେ ପ୍ରକାଶିତ ହୋଇଥିଲା । ଏହି ଉଦ୍ଘୋଷଣାକୁ ସ୍ୱାଗତ କରିବାପାଇଁ
ପୁରପଲ୍ଲୀରେ ସଭାମାନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସଭାଗୁଡ଼ିକ କଟକ, ବ୍ରହ୍ମପୁର, ପାଟଣା,
କଲିକତା ଆଦି ସ୍ଥାନରେ ସଂଯୋଜିତ ହୋଇଥିଲା ।
ଏହି ପ୍ରଦେଶ ଗଠନର ଉଦ୍ଘୋଷଣା ସଂପ୍ରସାରିତ ହେବା ବେଳେ ଓଡ଼ିଆ ଜାତିର
ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ଦାସ କଲିକତାର ଏକ ନିଭୃତ ନର୍ସିଂହୋମ୍ରେ ତାଙ୍କର
ଦୁରାରୋଗ୍ୟ ଉଦର ଶୂଳବ୍ୟଥାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଦାରୁଣ ଓ
ଭୀତିପ୍ରଦ ବ୍ୟଥାରେ ତାଙ୍କର ଅନ୍ତଃସ୍ଥଳ ଯେପରି ଦୁହିଁ ହୋଇ ଯାଉଥିଲା ଓ ଉତ୍କଟ ବ୍ୟଥା
ସହନ ସୀମା ଅତିକ୍ରମ କରିଥିଲା । ଆଉ ମଧୁବାବୁ ଯେପରି ମରଣାନ୍ତକ ପୀଡ଼ା ସହିତ ଯୁଝି
ଚାଲିଥିଲେ । ଠିକ୍ ଏହି ଅବସ୍ଥାରେ ଆସି ପହଞ୍ଚିଲା ସେହି ନର୍ସିଂହୋମ୍ରେ ଦୈନିକ "ଆଶା'ରେ
ପ୍ରକାଶିତ ସେହି ତାତ୍ପର୍ଯ୍ୟପୂର୍ଣ୍ଣ ଘୋଷଣାନାମା "ଓଡ଼ିଶା ପ୍ରଦେଶ ଗଠନର ଉଦ୍ଘୋଷଣା
ଆଜି ପ୍ରକାଶିତ ହେଲା ।"
ମଧୁସୂଦନଙ୍କର ସେହି ସମ୍ବାଦଟି ହଠାତ୍ ଦୃଷ୍ଟିଗୋଚର ହେଲା ! ଏ କ'ଣ ଯେ ହେଲା ।
ସେହି ସମ୍ବାଦଟି ଅବଗତ ହେବା ସଙ୍ଗେସଙ୍ଗେ ଆନନ୍ଦର ତରଙ୍ଗିତ ପ୍ଳାବନ ଯେପରି ତାଙ୍କର
ହୃଦୟର ଅନ୍ତଃସ୍ଥଳକୁ ଆଚ୍ଛନ୍ନ କରି ରଖିଥିଲା । ଯେପରି ଏକ ଆଶ୍ୱସ୍ତିକର ମଦିରାର ଉତ୍ଫୁଲ୍ଲିତ
ସମ୍ମୋହନ ପରିବ୍ୟାପ୍ତ ହୋଇଥିଲା ତାଙ୍କର ସମଗ୍ର ଶରୀରରେ ।
ହଁ,ସେ କିଛିକାଳ ଲାଗି ଉଦରକୁ ଛିନ୍ଭିନ୍ କରୁଥିବା ଦାରୁଣ ପୀଡ଼ାକୁ ଭୁଲି ଯାଇଥିଲେ
ଆନନ୍ଦର ଆତିଶଯ୍ୟ ମଧ୍ୟରେ । ସମଗ୍ର ଜୀବନବ୍ୟାପୀ ସଂଗ୍ରାମର ଲକ୍ଷ୍ୟସ୍ଥଳ ଯେ ନିକଟବର୍ତ୍ତୀ
ହୋଇପାରିଛି !
ଏହି ପର୍ଯ୍ୟାୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା । ଲଣ୍ଡନରେ ଅବସ୍ଥାନ କରୁଥିବା
କାଳରେ ଖଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ପୁନର୍ବାର ଗଞ୍ଜାମ ଜିଲ୍ଲାବୋଡର଼୍ର ସଭାପତି
ରୂପେ ନିର୍ବାଚିତ ହେଲେ । ସେ ୧୯୨୨ ସାଲରୁ ନିରବଚ୍ଛିନ୍ନ ଭାବେ ଏହି ପଦବୀ ମଣ୍ଡନ କରି
ଆସୁଥିଲେ । ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ ଡକ୍ଟର ରବର୍ଟ ସାହୁ ।
୧୯୩୩ ସାଲ ଜାନୁଆରି ୧୨ ତାରିଖରେ ରାମଚନ୍ଦ୍ର ମର୍ଦ୍ଦରାଜ, ଭାରତ ସଚିବ ସାର୍
ସାମୁଏଲ୍ ହୋର୍ଙ୍କୁ ସମ୍ବର୍ଦ୍ଧନା ଜଣାଇବାପାଇଁ ଲଣ୍ଡନର କ୍ଲାରିଜ୍ ହୋଟେଲ୍ରେ ଏକ ଭବ୍ୟ
ଭୋଜିସଭାର ଆୟୋଜନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ ସାମୁଏଲ୍ ହୋର୍ କହିଲେ-
"ପ୍ରଥମେ ଦୁଇବର୍ଷ ପୂର୍ବେ ପାରଳାଖେମୁଣ୍ଡି ରାଜା ଓଡ଼ିଆଙ୍କ ବିଷୟ ଗୋଲ୍ଟେବୁଲ୍
ବୈଠକରେ ଉଠାଇଥିଲେ । ମାତ୍ର ଅତ୍ୟଳ୍ପ ଲୋକେ ତାହାର ଗୁରୁତ୍ୱ ବୁଝିଲେ । ସେ ଆମ ଉପରେ
ଯାହା ପ୍ରଭାବ ପକାଇଲେ, ଖଲିକୋଟ ରାଜା ତାହାକୁ ବହୁଗୁଣିତ କଲେ । ଆମର ହୃଦ୍ବୋଧ ହେଲା
ଯେ ଷୋଡ଼ଶ ଶତାବ୍ଦୀରୁ ଓଡ଼ିଆ ଜାତିକୁ ଯେପରି ଅଲଗା ଶାସନାଧୀନ କରାଯାଇଛି, ତାହା
ଅସୁବିଧା ସୃଷ୍ଟି କରିଛି । ଏମାନଙ୍କୁ ଏକତ୍ରିତ କରିବାକୁ ହେବ ।
"ଯଦି କୋଟିଏ ଓଡ଼ିଆ ଏକତ୍ରିତ ହେବାରେ ପରମ ସନ୍ତୋଷ ଲାଭକଲେ, ତେବେ ତ
ଆମେ ସଫଳତାର ସହିତ ସମ୍ମିଳନୀ (ଗୋଲ୍ଟେବୁଲ୍ ବୈଠକ) କାର୍ଯ୍ୟ କଲୁ ବୋଲି ଭାବିବୁ ।
ମୋର ଅନୁଭୂତିରୁ କହିପାରେ ,ଏହା ହିଁ ଗତ ପନ୍ଦର ବର୍ଷର ସନ୍ତୋଷପ୍ରଦ ଘଟଣା ।" ଏହି
ସମ୍ବର୍ଦ୍ଧନା ସଭା ପରେ ୧୯୩୩ ସାଲ୍ ଜାନୁଆରି ୧୫ ତାରିଖରେ ଖଲିକୋଟ ରାଜା ବିଲାତ
ଭ୍ରମଣରେ ଚାଲିଗଲେ ।
ମାତ୍ର ଭୁବନାନନ୍ଦ ଦାସ ଏକମାସରୁ ଅଧିକ କାଳ ଲଣ୍ଡନରେ ରହି ଓଡ଼ିଶା ପ୍ରଦେଶ ଗଠନର
ପରବର୍ତ୍ତୀ ପର୍ଯ୍ୟାୟର ତଦାରଖ କରିଥିଲେ । ସେ ଫେବ୍ରୁଆରି ୧୦ ତାରିଖରେ କଟକ ଫେରି
ପାରଳା ମହାରାଜାଙ୍କର ନିମନ୍ତ୍ରଣରେ ବ୍ରହ୍ମପୁର ଆସି ପରବର୍ତ୍ତୀ ପର୍ଯ୍ୟାୟର କାର୍ଯ୍ୟକ୍ରମର ଆଲୋଚନା
କରିଥିଲେ । ଫେବ୍ରୁଆରି ୩ ତାରିଖରେ ଖଲିକୋଟ ରାଜା ୟୁରୋପ ଗସ୍ତରୁ ଫେରିଲେ ।
ଏହା ଯେପରି ଥିଲା ଝଡ଼ ପୂର୍ବର ନିସ୍ତବ୍ଧତା । ଏହି ସଂଗ୍ରାମ ଚାଲିଥିଲା ନିରବଚ୍ଛିନ୍ନ ଭାବରେ ୧୯୩୬ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ । କିଛି ଦେଶପ୍ରାଣ ରାଜନ୍ୟ ମଣ୍ଡଳୀ ତଥା ନେତୃବର୍ଗ ଜୀବନକୁ ବାଜି ଲଗାଇ ଏହି ସଂଗ୍ରାମକୁ ଓହ୍ଲାଇ ପଡ଼ିଥିଲେ । ଓଡ଼ିଶା ପ୍ରଦେଶ ଗଠନର ପରବର୍ତ୍ତୀ ପର୍ଯ୍ୟାୟର ସଂଗ୍ରାମ ଥିଲା ଆହୁରି ବିପଦସଂକୁଳ ଆଉ ଆଶଙ୍କା ବିଜଡ଼ିତ ଏବଂ କିଛିପରିମାଣରେ ଭୀତିପ୍ରଦ ମଧ୍ୟ । ସମକାଳୀନ ପରିସ୍ଥିତିରେ ଭାରତର ଅଗ୍ରଗଣ୍ୟ ଆନ୍ଧ୍ରଭାଷୀ ନେତୃବର୍ଗ ମଧ୍ୟ ଆନ୍ଧ୍ରପ୍ରଦେଶ ଗଠନ ଲାଗି ଆପ୍ରାଣ ସଂଗ୍ରାମ ଚଳାଇଥିଲେ । ମାତ୍ର ନିର୍ଦ୍ଧାରିତ ସୀମା ମଧ୍ୟରେ ସଫଳତା ହାସଲ କରିପାରି ନଥିଲେ ।
ମାତ୍ର ମଧୁସୂଦନଙ୍କ ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ୍ଦର୍ଶନ, ପାରଳା ଓ ଖଲିକୋଟ ରାଜାଙ୍କର କାର୍ଯ୍ୟନିର୍ବାହ, କନିକା ରାଜା, ଭୁବନାନନ୍ଦ ଦାସଙ୍କର କର୍ମ ତତ୍ପରତା, ବ୍ରଜ ସୁନ୍ଦର ଦାସ, ଶଶିଭୂଷଣ ରଥ, ନୀଳକଣ୍ଠ ଦାସ ପ୍ରମୁଖଙ୍କର ସହଯୋଗିତା ଆଉ ଅସଂଖ୍ୟ ନେତୃବର୍ଗଙ୍କର ଉତ୍ସର୍ଗୀକୃତ କର୍ମ ସଂପାଦନ ଫଳରେ ଓଡ଼ିଶା ପ୍ରଦେଶ ଗଠନ ସଂଭବ ହୋଇପାରିଥିଲା ଭାରତ ସଂସ୍କାରର ଏକ ଅଂଗୀଭୂତ କାର୍ଯ୍ୟକ୍ରମ ରୂପରେ ।
ଏକଥା ନିର୍ବିବାଦରେ ସତ୍ୟ ଯେ, ସ୍ୱାଧୀନତା ପୂର୍ବରୁ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶ ଗଠିତ ହୋଇନଥିଲେ, ଏହାର ସଂଭାବନା ବିସ୍ମୃତିର ଗର୍ଭରେ ବିଲୀନ ହୋଇଯାଇଥାଆନ୍ତା । ଏହି ଦୃଷ୍ଟିରୁ ଓଡ଼ିଶାର ଅଧିବାସୀଙ୍କପାଇଁ ସ୍ୱାଧୀନତା ସଂଗ୍ରାମ ଅପେକ୍ଷା ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର କ୍ରାନ୍ତିକାରୀ ଆନ୍ଦୋଳନ ଥିଲା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ, ଯାହା ଯୁଗାନ୍ତକାରୀ ଆବେଦନରେ ଥିଲା ମହିମାନ୍ୱିତ ଓ ଆବେଗ ବିଜଡ଼ିତ ।
ଅନ୍ତର୍ଦାହର ଜ୍ୱାଳାରେ
ଷଢେ଼ଇକଳା-ଖରସୁଆଁ
ଷଢେ଼ଇକଳା ଓ ଖରସୁଆଁ- ଓଡ଼ିଶାର ଥିଲା ଅବିଚ୍ଛେଦ୍ୟ ଅଂଗ । ଓଡିଶାର ମହନୀୟ ପରମ୍ପରା, ସଂସ୍କୃତି ଓ ଜନଜୀବନର ଏହା ଏକ ଅବିଛିନ୍ନ ଧାରା । ନିଜସ୍ୱ ଐତିହ୍ୟ, କଳା ଓ ସଂସ୍କୃତିରେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ । ମାତ୍ର ବର୍ତ୍ତମାନ ଏହାର ସ୍ଥିତି ଉପରେ ପ୍ରଶ୍ନବାଚୀର ଚିହ୍ନ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ତୀବ୍ର ଅନ୍ତର୍ଦାହର ଜ୍ୱାଳାରେ ଏହା ଯେପରି ମୂର୍ଚ୍ଛିତ ।
ବିଗତ ୨୦୦୦ ଜୁଲାଇ ୨୫ ତାରିଖରେ ପାର୍ଲାମେଣ୍ଟରେ ଝାଡ଼ଖଣ୍ଡ ବିଲ୍ ଉପସ୍ଥାପିତ ହେଲା, ଏହାକୁ ସେହି ରାଜ୍ୟର ସୀମା ମଧ୍ୟରେ ଅନ୍ତର୍ଭୁକ୍ତ କରି । ବିଗତ ୧୦.୭.୨୦୦୦ରେ ଓଡ଼ିଶାର ବିଧାନସଭାରେ ଦଳମତ ନିର୍ବିଶେଷରେ ଏକ ସ୍ୱରରେ ପ୍ରସ୍ତାବ ଗୃହୀତ ହୋଇଥିଲା ଷଢେ଼ଇକଳା-ଖରସୁଆଁର ଓଡ଼ିଶାରେ ପୁନଃମିଶ୍ରଣପାଇଁ । ମାତ୍ର ପାର୍ଲାମେଣ୍ଟରେ ଜୁଲାଇ ୨୫ ତାରିଖରେ ଓଡ଼ିଶାର ସାଂସଦମାନଙ୍କ ମଧ୍ୟରେ ଏ ପ୍ରକାର ସହମତି ଓ ଏକତା ପ୍ରଦର୍ଶିତ ହୋଇ ନଥିଲା । ସମସ୍ତେ ଯେପରି ଥିଲେ ସଂଶୟ ଆଉ ଦ୍ୱିଧାଚ୍ଛନ୍ନ । ତାହାହିଁ ପୁନର୍ବାର ଅଭିନୀତ ହୋଇଥିଲା ପରବର୍ତ୍ତୀ ଅଗଷ୍ଟ ୨ ତାରିଖରେ, ଝାଡ଼ଖଣ୍ଡ ରାଜ୍ୟ ବିଲ୍ ପାର୍ଲାମେଣ୍ଟରେ ଗୃହୀତ ହେବା ବେଳେ । ଅବଶ୍ୟ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତାବ ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଓଡ଼ିଶା ସହିତ କରିବା ଲାଗି ଉପସ୍ଥାପିତ ହୋଇଥିଲା, ଯାହା କାଟ ଖାଇବା ପରେ ସେହି ଦଳର ସାଂସଦମାନେ ପାର୍ଲିିଆମେଣ୍ଟ କକ୍ଷତ୍ୟାଗ କରି ଚାଲିଯାଇଥିଲେ ।
ଏକ ବିବରଣୀରୁ ପ୍ରକାଶ ଯେ ଗୃହମନ୍ତ୍ରୀ ଲାଲ୍କୃଷ୍ଣ ଆଡ଼୍ଭାନି ସୂଚାଇଥିଲେ ଯେ, ଝାଡ଼ଖଣ୍ଡ ରାଜ୍ୟର ଗଠନ ପରେ, ଓଡ଼ିଶା ଓ ଝାଡ଼ଖଣ୍ଡର ରାଜ୍ୟ ଆପୋଷ ବୁଝାମଣାରେ ଏହି ସୀମାରେ ପରିବର୍ତ୍ତନ ଆଣି ପାରିବେ । ମାନ୍ୟବର ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ଏକ କମିଟି,
ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ ଦାବି ଉପସ୍ଥାପନା କରିଥିଲେ । ମାତ୍ର କେନ୍ଦ୍ରର ଅଭିଭାବକତ୍ୱରେ ଚିରକାଳ ଲାଗି ଓଡ଼ିଶାର ଭାଗ୍ୟ ଯେପରି ପଥର ତଳେ ଚାପି ହୋଇରହିଛି । ଖରସୁଆଁ ଓ ଷଢେ଼ଇକଳା ଅନ୍ୟ ଗଡ଼ଜାତ ରାଜ୍ୟ ପରି ଓଡ଼ିଶା ଗଜପତିଙ୍କର ଏକ କରଦ ରାଜ୍ୟ ଥିଲା, ଯାହା ଜଗନ୍ନାଥ ସଂସ୍କୃତି ଓ ଗଜପତି ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପରମ୍ପରା ଓଡ଼ିଶାରେ ପ୍ରତିଷ୍ଠିତ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶକୁ ମଧ୍ୟ ସଂପ୍ରସାରିତ । ବହୁ ଭାବରେ ଏହା ଥିଲା ଓଡ଼ିଶାର ସ୍ୱକୀୟ ପରମ୍ପରା । ମୂଳରୁ ଷଢେ଼ଇକଳା ଗୋଟିଏ କରଦ ରାଜ୍ୟ ଥିଲା । ପରବର୍ତ୍ତୀକାଳରେ ଖରସୁଆଁର ସୃଷ୍ଟି, ଷଢେ଼ଇକଳା ବିଭାଜିତ ହେବା ପରେ ।
ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଯେ ମୁସଲମାନ, ମୋଗଲ ଓ ମରହଟ୍ଟା ଶାସନ କାଳରେ ବିନା ବାଧାରେ ଓଡ଼ିଶାର ମଧ୍ୟ ଓ ପଶ୍ଚିମାଞ୍ଚଳରେ ଏହି ଗଡ଼ଜାତ ରାଜ୍ୟମାନ ପ୍ରତିଷ୍ଠିତ ରହିଥିଲେ । ଅବଶ୍ୟ ମରହଟ୍ଟାମାନେ ଏମାନଙ୍କଠାରୁ କର ଆଦାୟ କରୁଥିଲେ । ଉତ୍ତର- ଓଡ଼ିଶା ୧୮୦୩ ସାଲରେ ଏବଂ ପଶ୍ଚିମ-ଓଡ଼ିଶା ୧୮୨୬ରେ ଗଡ଼ଜାତ ସହ ଇଂରେଜ ଶାସନର କର୍ତ୍ତୃତ୍ୱାଧୀନ ହେଲା । ଓଡ଼ିଶା ଡିଭିଜନର ଶାସକୀୟ ପରିସୀମାର ପରିବର୍ତ୍ତନ ପ୍ରକି୍ରୟା ମଧ୍ୟରେ ୧୮୬୦ ବେଳକୁ ୧୯୪୭ରେ ଓଡ଼ିଶା ପ୍ରଶାସନ ମଧ୍ୟରେ ଥିବା ୨୬ଗୋଟି ଗଡ଼ଜାତ ଓଡ଼ିଶା ଡିଭିଜନର ଶାସକୀୟ ପରିସରରେ ଥିଲା । ଏ ମଧ୍ୟରେ ଥିଲା ଉଭୟ ଷଢେ଼ଇକଳା ଓ ଖରସୁଆଁ । ମାତ୍ର ୧୮୬୨ ସାଲରେ ଭାଗ୍ୟଚକ୍ରର ଆବର୍ତ୍ତନରେ ପାଟଣା, କଳାହାଣ୍ଡି, ସୋନପୁର, ବାମଣ୍ଡା, ରେଢ଼ାଖୋଲ, ମଧ୍ୟପ୍ରଦେଶରେ ଅବସ୍ଥାପିତ ହେଲେ । ସେହି ବର୍ଷ ଗାଙ୍ଗପୁର, ବଣେଇ, ଷଢେ଼ଇକଳା ଏବଂ ଖରସୁଆଁ ବିହାରର ଛୋଟନାଗପୁର ଡିଭିଜନ ସହିତ ସାମିଲ୍ ହେଲା । ତେଣୁ ବଳକା ୧୭ଟି ଗଡ଼ଜାତ ଓଡ଼ିଶା ଡିଭିଜନର ଅଧୀନରେ ରହିଥିଲା । ଏ ଥିଲା ୧୮୬୩ର ସ୍ଥିତି । ମାତ୍ର ୧୯୦୫ ଅକ୍ଟୋବର ୧୬ ତାରିଖରେ ମଧ୍ୟପ୍ରଦେଶରୁ କଳାହାଣ୍ଡି, ସୋନପୁର, ପାଟଣା, ରେଢ଼ାଖୋଲ ଓ ବାମଣ୍ଡା ଏବଂ ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣେଇ ଆସି ଓଡ଼ିଶା ଡିଭିଜନ୍ ସହିତ ମିଶିଲା ।
ଛୋଟନାଗପୁରର ଅନ୍ୟ ଗଡ଼ଜାତଗୁଡିକ ହେଲେ: ସରଗୁଜା, ଯଶପୁର, ଉଦୟପୁର, କୋରିଆ, ଚଙ୍ଗଭରକର । ମଧ୍ୟପ୍ରଦେଶକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ, ଭ୍ରମବଶତଃ ଷଢେ଼ଇକଳା-ଖରସୁଆଁ ଛୋଟନାଗପୁରରେ ରହିଯାଇଥିଲା । ମୂଳତଃ ଛୋଟନାଗପୁର କିମ୍ବା ବିହାରରେ ଗଡ଼ଜାତ ପରମ୍ପରା ନଥିବାରୁ; ଗଡ଼ଜାତସମୂହକୁ ଲଡର଼୍ କର୍ଜନ ଓଡ଼ିଶା ଓ ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନ ମଧ୍ୟରେ ସୀମିତ କରି ରଖିଥିଲେ । ୧୯୧୬ରେ ଏହି ଦୁଇ ଗଡ଼ଜାତକୁ ଓଡ଼ିଶା ଡିଭିଜନକୁ ହସ୍ତାନ୍ତରିତ କରି ସମ୍ବଲପୁର ପଲିଟିକାଲ୍ ଏଜେଣ୍ଟଙ୍କ ତଦାରଖରେ ରଖିବାପାଇଁ ଆଦେଶପ୍ରାପ୍ତ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ଅନ୍ୟସମସ୍ତ ଅଞ୍ଚଳର ମିଶ୍ରଣ ପରି ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ମଧୁସୂଦନ ଦାସଙ୍କର ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇଥିଲା ।
ଭାରତୀୟ ଶାସନବିଧିରେ ସଂସ୍କାର ଆଣିବାପାଇଁ ବ୍ରିଟିଶ ସରକାର ୧୯୨୭ରେ ସାଇମନ କମିଶନ ବ୍ରିଟିଶ ଶାସିତ ଅଞ୍ଚଳପାଇଁ ଏବଂ ଦେଶୀୟ ରାଜ୍ୟ ତଥା ଗଡ଼ଜାତମାନଙ୍କୁ ଶାସନ ପ୍ରକ୍ରିୟାରେ ସମ୍ପର୍କିତ କରି ଏକ ଫେଡେରାଲ୍ ରାଜ୍ୟ ଗଠନ କରିବା ଉଦ୍ଦେଶ୍ୟରେ ୧୯୨୭ରେ ବାଟଲାର କମିଟି ବସାଇଥିଲେ ।
ବ୍ରିଟିଶ ସରକାରଙ୍କ ଦ୍ୱାରା ଗଠିତ ବାଟଲାର କମିଟି ସମକ୍ଷରେ ଖରସୁଆଁ ଓ ଷଢେ଼ଇକଳା ରାଜାଙ୍କ ପକ୍ଷରୁ ସାକ୍ଷ୍ୟ ଦେବାକୁ ମଧୁସୂଦନ ଦାସ ୧୯୨୮ ଏପ୍ରିଲ୍ ୧୫ ତାରିଖରେ ବମ୍ବେରେ ପହଞ୍ଚିଥିଲେ । ସାକ୍ଷ୍ୟ ପ୍ରଦାନ ସମୟରେ ମଧୁସୂଦନ ଦାସ ଷଢେ଼ଇକଳା ଓ ଖରସୁଆଁକୁ ଓଡ଼ିଶା ଡିଭିଜନରେ ମିଶ୍ରଣ କରିବାକୁ ଦାବି ଉପସ୍ଥାପନ କରିଥିଲେ, ଯାହାକୁ ବାଟ୍ଲାର୍ କମିଟି ସ୍ୱୀକୃତି ପ୍ରଦାନ କରି ତାଙ୍କର ପ୍ରସ୍ତାବ ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲେ । ବାଟଲାର କମିଟିର ରିପୋର୍ଟ ୧୯୩୧ରେ ପ୍ରକାଶ ପାଇବା ପରେ ସରକାର ଓଡ଼ିଶା ସହିତ ଷଢେ଼ଇକଳା-ଖରସୁଆଁର ମିଶ୍ରଣ କାର୍ଯ୍ୟକାରୀ କରିବା ପୂର୍ବରୁ ସାର୍ ଆର୍ଥର ଲୋଥିଏନିଙ୍କ ଦ୍ୱାରା ପୁନଃ ଅନୁସନ୍ଧାନ କରାଯାଇ ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ । ଏହିପରି ବହୁ କମିଟି, ସାକ୍ଷ୍ୟ ପ୍ରଦାନ ମଧ୍ୟରେ ବହୁବାର ଷଢେ଼ଇକଳା ଓ ଖରସୁଆଁ ଓଡ଼ିଆ ସଂସ୍କୃତିର ଅଂଚଳ, ଯାହା ଓଡ଼ିଶା ସହିତ ମିଶ୍ରଣ ହେବାର ଉପଯୁକ୍ତ ବୋଲି ପ୍ରମାଣିତ ହୋଇଛି । ଓଡ଼ିଶା ପ୍ରଦେଶ ନିର୍ମାଣର ଅନ୍ୟତମ ବିନ୍ଧାଣୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଖରସୁଆଁରେ ଓ ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ଷଢେ଼ଇକଳା ରାଜବଂଶରେ ବିବାହ କରିଥିଲେ । ଏ ସମସ୍ତ ମଧ୍ୟରେ ଷଢେ଼ଇକଳା, ଖରସୁଆଁରେ ଓଡ଼ିଆଭାଷୀ ଜନସଂଖ୍ୟା ଶତକଡ଼ା ୨୫ ଭାଗରୁ ଊର୍ଦ୍ଧ୍ୱ । ଏଠାର ମୁଖ୍ୟ ଅଧିବାସୀ ଆଦିବାସୀ ସଂପ୍ରଦାୟର । ସୁନ୍ଦରଗଡ଼ ଓ ବଣେଇ ଅଂଚଳ ତଥା କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ ଅଞ୍ଚଳ ପରି ଏଠାରେ ଓଡ଼ିଆ ସଂସ୍କୃତି, ଆଦିବାସୀ ସଂସ୍କୃତି ସହିତ ମିଶ୍ରିତ ହୋଇ ଏକ ସମନ୍ୱିତ ସଂସ୍କୃତି ସୃଷ୍ଟି ହୋଇଛି, ଯାହା ମୁଖ୍ୟ ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଗ । ଏ ସମସ୍ତ ମଧ୍ୟରେ ବାଟ୍ଲାର କମିଟିର ସୁପାରିଶ ଓ ସାର ଅର୍ଥର ଲୋଥିଏନଙ୍କର ଅନୁସନ୍ଧାନ ପରେ ୧୯୩୩ ସାଲରେ ଷଢେ଼ଇକଳା ଓ ଖରସୁଆଁ ଓଡ଼ିଶା ଡିଭିଜନ ସହିତ ମିଶ୍ରିତ ହୋଇଥିଲା, ଯାହା ୧୯୩୫ ସାଲର ଭାରତ ଆଇନ ମଧ୍ୟରେ ସାମ୍ବିଧାନିକ ମାନ୍ୟତା ପାଇଥିଲା । ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ଷଢେ଼ଇକଳା ଓ ଖରସୁଆଁ ।
ସ୍ୱାଧୀନତା ପ୍ରାପ୍ତି ପରେ ୧୯୪୭ ଡିସେମ୍ବର ୧୪ ତାରିଖରେ ଷଢେ଼ଇକଳା ଓ ଖରସୁଆଁକୁ ଶାସନ କରୁଥିବା ଦୁଇଜଣଯାକ ରାଜା, ସେମାନଙ୍କର ଗଡ଼ଜାତ ରାଜ୍ୟକୁ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ କରିଥିଲେ । ମାତ୍ର ମୟୂରଭଞ୍ଜ ମିଶି ନଥିବାରୁ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତିର ଅଭାବ ଦେଖାଇ ୧୮.୫.୧୯୪୮ରେ ଏହି ଦୁଇଟି ରାଜ୍ୟକୁ ବିହାର ପ୍ରଦେଶ ସହିତ ମିଶାଇ ଦିଆଗଲା । ଏହାର କିଛିକାଳ ପରେ ୧.୧.୧୯୪୯ରେ ମୟୂରଭଞ୍ଜ ରାଜ୍ୟର ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହେବା ପରେ ମଧ୍ୟ ସ୍ଥିତି ଅପରିବର୍ତ୍ତିିତ ରହିଲା । ୧୯୫୩ ସାଲର ଡିସେମ୍ବର ମାସରେ ରାଜ୍ୟ
ପୁନର୍ଗଠନ କମିଶନ ନିଯୁକ୍ତ ହେଲା । ଷଢେ଼ଇକଳା ଓ ଖରସୁଆଁର ପୁନଃ ମିଶ୍ରଣ ଲାଗି ସବୁ ଦଳ ପକ୍ଷରୁ ଦାବି ଉପସ୍ଥାପନ ପରେ ମଧ୍ୟ ୧୦.୧୦.୧୯୫୫ରେ ରାଜ୍ୟ ପୁନର୍ଗଠନ କମିଶନ ଏହାକୁ ପ୍ରତ୍ୟାଖ୍ୟାନ କଲେ । ଫଳରେ ଏକ ବିସ୍ଫୋରକ ଅବସ୍ଥା ସୃଷ୍ଟି ହେଲା । ଏ ଥିଲା ମୁଖ୍ୟ ଘଟଣା ପ୍ରବାହ । ଏ ସମସ୍ୟାର ସମାଧାନ ଲାଗି ଆବଶ୍ୟକ ରାଜନୈତିକ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ସମୟୋପଯୋଗୀ କାର୍ଯ୍ୟ ନିର୍ଦ୍ଧାରଣ ଆଉ ଜନଗଣଙ୍କ ପକ୍ଷରୁ ବିଧିବଦ୍ଧ ଦାବି ଉପସ୍ଥାପନ ଓ ଆନ୍ଦୋଳନ ।
"ଓଡ଼ିଶା ଯାହା ଆଜି ଚିନ୍ତା କରେ; ସମଗ୍ର ଦେଶ ପରଦିନ ହିଁ ତାହା ଚିନ୍ତା କରେ"-ଏହା
ଥିଲା ମଧୁବାବୁଙ୍କ ଦୃଢୋକ୍ତି । ଅନ୍ୟ ଅର୍ଥରେ କହିଲେ,ଓଡ଼ିଶାର ହିଁ ଥିଲା ଏକ ଦିଗ୍ଦର୍ଶକର
ଭୂମିକା ।
ଭାଷା-ଆଧାରରେ ପ୍ରଥମ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନକାଳରେ ଏବଂ ତାହାର
ଅବ୍ୟବହିତ ପରେ, ବିଭିନ୍ନ ଭାଷାଭାଷୀ ଅଧିବାସୀମାନଙ୍କ ମନରେ ଏ ପ୍ରକାର ରାଜ୍ୟଗଠନଲାଗି
ତୀବ୍ର ଅଭିଳାଷ ଓ ପ୍ରଚଣ୍ଡ ଜନ ଆନ୍ଦୋଳନ ଦେଖାଦେଲା । ଆନ୍ଧ୍ରର ପୋଟ୍ଟି ଶ୍ରୀ ରାମୁଲଙ୍କର
୧୫.୧୧.୧୯୫୨ରେ ଆତ୍ମୋତ୍ସର୍ଗ ଫଳରେ ହିଁ ୧.୧୦.୧୯୫୩ରେ ଆନ୍ଧ୍ରପ୍ରଦେଶ ଗଠିତ
ହୋଇଥିଲା । ଏହା ସହିତ ରାଜ୍ୟ ପୁନର୍ଗଠନ କମିଶନ ମଧ୍ୟ ସଂସ୍ଥାପିତ ହୋଇଥିଲା ।
ଭୌଗୋଳିକ କାରଣରୁ ୧୮୭୪ ସାଲରେ ଆସାମ ପ୍ରଦେଶର ସୃଷ୍ଟି ପରେ ସମଗ୍ର ବି୍ରଟିଶ
ଶାସନ କାଳରେ ଏକମାତ୍ର ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲା, ଯାହାର ପଶ୍ଚାତରେ ରହିଥିଲା
ସୁଦୀର୍ଘ ସତୁରୀ ବର୍ଷ (୧୮୬୬-୧୯୩୬)ର ଅବିରାମ ସଂଗ୍ରାମ । ଲବଣ ଶିଳ୍ପର ଧ୍ୱଂସ, ସୂର୍ଯ୍ୟାସ୍ତ
ଆଇନ, ବି୍ରଟିଶ ପ୍ରଣୋଦିତ ଜମିଦାରି ପ୍ରଥାର ଧ୍ୱଂସକାରିତା, ନଅଙ୍କ ଦୁର୍ଭିିକ୍ଷ (୧୮୬୬)ର କରାଳ
ଗ୍ରାସ, ଓଡ଼ିଆ ଭାଷାର ବିଲୋପ ଲାଗି ଚକ୍ରାନ୍ତ (୧୮୬୬-୧୮୭୦), ଗଜପତି ଦିବ୍ୟସିଂହ
ଦେବଙ୍କର ଦ୍ୱୀପାନ୍ତର (୧୮୭୭), ଶ୍ରୀମନ୍ଦିର ଅଧିଗ୍ରହଣ ପ୍ରଚେଷ୍ଟା (୧୮୮୭), ସମ୍ବଲପୁରରେ
ଓଡ଼ିଆ ଭାଷାର ଉଚ୍ଛେଦ (୧୮୯୬-୧୯୦୨) ମଧ୍ୟରେ ଜାତୀୟବାଦୀ ସାହିତ୍ୟର ପ୍ରସ୍ତୁତି
ମାଧ୍ୟମରେ ଓଡ଼ିଆ ଜାତୀୟତାର ଉଦ୍ରେକ ଘଟିଥିଲା । ଏହାର ପ୍ରସାର ଓ ବିସ୍ତାର ଥିଲା
ଅଚିନ୍ତନୀୟ ।
୧୯୦୫ରେ ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାର ମିଶ୍ରଣ ଘଟିଥିଲେ ମଧ୍ୟ ମାନ୍ଦ୍ରାଜ ସରକାର ଏବଂ ତାହାର ଗଭର୍ଣ୍ଣର ଲଡର଼୍ ଏମ୍ପଥିଲଙ୍କର ପ୍ରତିରୋଧଯୋଗୁଁ ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧୀନରେ ଥିବା ଦକ୍ଷିଣ ଓଡ଼ିଶା ର ମିଶ୍ରଣ ସମ୍ଭବପର ହୋଇନଥିଲା । ମାନ୍ଦ୍ରାଜ ପ୍ରେସିଡେନ୍ସିରେ ଓଡ଼ିଆମାନଙ୍କ ବ୍ୟତୀତ, ତେଲୁଗୁ, ତାମିଲ୍, କନ୍ନଡ଼ ଓ ମାଲାୟଲମ୍ଭାଷୀ ଜନସାଧାରଣ ବାସ କରୁଥିବାରୁ ଓଡ଼ିଆଭାଷୀଙ୍କ ମିଶ୍ରଣଯୋଗୁଁ ଅନ୍ୟଭାଷାଭାଷୀଙ୍କ ମଧ୍ୟରେ ସେମାନଙ୍କର ସ୍ୱତନ୍ତ୍ର ପ୍ରଦେଶ ପ୍ରତିଷ୍ଠା ଲାଗି ଆକାଙ୍କ୍ଷା ଜାଗରିତ କରିବ ଓ ପରିଣାମରେ ମାନ୍ଦ୍ରାଜ ପ୍ରେସିଡେନ୍ସି ବିଭାଜିତ ହୋଇଯିବ ବୋଲି କାରଣ ଦର୍ଶା ଯାଇଥିଲା ।
ମଧୁସୂଦନ ଦାସ ପୁନର୍ବାର ୧୯୦୭ରେ ଲଣ୍ଡନ ଯାତ୍ରାକଲେ । ଭାରତ ସଚିବ ତଥା ତାଙ୍କର ବିଶାରଦଗଣଙ୍କ ସହିତ ଭେଟି ଓଡ଼ିଶା ପ୍ରଦେଶ ଗଠନର ପ୍ରକି୍ରୟାକୁ ସେ ତ୍ୱରାନ୍ୱିତ କରିଥିଲେ । ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୧.୧୨.୧୯୧୭ରେ ଏକ ଓଡ଼ିଆ ପ୍ରତିନିଧି ଦଳ ମଣ୍ଟେଗୁ- ଚେମ୍ସଫୋଡର଼୍ ସଂସ୍କାର କମିଟିକୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନଥିଲେ ।
୧୯୨୧ରେ ଅସହଯୋଗର ଯୁଗ ଆରମ୍ଭ ହେଲା । ମାତ୍ର ଏହାର କର୍ଣ୍ଣଧାର ମହାତ୍ମାଗାନ୍ଧୀ ଗୁଜୁରାଟୀଭାଷୀ ଅଞ୍ଚଳରୁ ଆସିଥିବାରୁ ପରାଧୀନ ଭାରତରେ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳ ଗଠନ ଲାଗି କେବଳ ଅକୁଣ୍ଠ ସମର୍ଥନ ଜଣାଇ ନଥିଲେ, ସ୍ୱଦେଶୀ ଶିଳ୍ପର ଆଦ୍ୟ ପ୍ରବକ୍ତା ମଧୁସୂଦନ ଦାସଙ୍କୁ ନିଜର ଅନ୍ୟତମ ମାର୍ଗଦର୍ଶକ ରୂପେ ମାନ୍ୟତା ପ୍ରଦାନ କରିଥିଲେ । ମାତ୍ର ହିନ୍ଦୀ ଭାଷୀ ଅଞ୍ଚଳରୁ ଆସିଥିବା କଂଗ୍ରେସ ନେତୃବର୍ଗ ଓଡ଼ିଶା ପ୍ରଦେଶ ସ୍ଥାପନାର ତୀବ୍ର ବିରୋଧୀ ଥିଲେ । ଦକ୍ଷିଣ ଓଡ଼ିଶାରେ ୧୯୨୪ ଡିସେମ୍ବରରେ ଫଲିଫ୍ ଡଫ୍ କମିଶନର ସାକ୍ଷ୍ୟ ଗ୍ରହଣ ଆନ୍ଧ୍ରମାନଙ୍କୁ ବିବ୍ରତ କରିଥିଲା । ଏହାପରେ ମଧୁସୂଦନ ଦାସ ୧୫.୪.୧୯୨୮ରେ ବମ୍ବେଠାରେ ବଟଲାର୍ କମିଟିକୁ ଭେଟି ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଲାଗି ଦାବି ଉପସ୍ଥାପନ କରିଥିଲେ ।
୪.୨.୧୯୩୪ରେ ମଧୁସୂଦନ ଦାସଙ୍କର ପରଲୋକ ଘଟିଲା । ମାତ୍ର ତାଙ୍କର ଏକନିଷ୍ଠ ଦାୟାଦ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୪ ସାଲର ମଇମାସରୁ ସୁଦୀର୍ଘକାଳ ଲଣ୍ଡନରେ ଅବସ୍ଥାନ କରି ଓଡ଼ିଶାର ସୀମା ନିର୍ଦ୍ଧାରଣ ସଂପର୍କରେ ଭାରତ ତଥା ମାନ୍ଦ୍ରାଜ ସରକାରଙ୍କ ତୀବ୍ର ପ୍ରତିରୋଧ ସତ୍ତ୍ୱେ ସନ୍ତୋଷଜନକ ଭାବେ ସୀମା ସ୍ଥିରୀକୃତ କରିବାରେ ସଫଳ ହୋଇଥିଲେ । ଇତି ମଧ୍ୟରେ ଜୟପୁର ଜମିଦାରି ଓ ପାରଳାଖେମୁଣ୍ଡି ଜମିଦାରିର ଏକ ଅଂଶ ଓଡ଼ିଶା ସୀମାର ଅନ୍ତର୍ଭୁକ୍ତ ହୋଇସାରିଥଲା । ଏହାପରେ ୩.୩.୧୯୩୬ରେ ବ୍ରିଟିଶ ପାର୍ଲାମେଣ୍ଟ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶା ପ୍ରଦେଶ ୧.୪.୧୯୩୬ରେ ସ୍ଥାପିତ ହେଲା । ବହୁକାଳର ଆଶା ପରିପୂର୍ଣ୍ଣ ହେଲା । ଏହାର ପ୍ରଭାବ ସମଗ୍ର ଭାରତରେ ସୁଦୂରପ୍ରସାରୀ ଥିଲା । ଓଡ଼ିଶା ସ୍ଥାପନାର ପରିପ୍ରେକ୍ଷୀରେ ୨୧.୪.୧୯୩୮ରେ ମାନ୍ଦ୍ରାଜ ବିଧାନ ସଭାରେ ଆନ୍ଧ୍ର ତାମିଲ୍, କେରଳ, କର୍ଣ୍ଣାଟକ ନାମରେ ଚାରିଗୋଟି ସ୍ୱୟଂ ସଂପୂର୍ଣ୍ଣ ପ୍ରଦେଶ ଗଠନଲାଗି ପ୍ରସ୍ତାବ ଗ୍ରହଣ କରାଗଲା । ମାତ୍ର ଏହି ପ୍ରସ୍ତାବକୁ ଧରାଶାୟୀ କରିବାପାଇଁ ୨.୫.୧୯୩୮ରେ ବ୍ରିଟିଶ ପାର୍ଲାମେଣ୍ଟ (ହାଉସ୍ ଅଫ୍ କମନସ୍)ରେ, ନୂତନ ପ୍ରଦେଶ ସୃଷ୍ଟି ହେବ ନାହିଁ ବୋଲି ଘୋଷଣା କରାଗଲା । ଏଥିରୁ ଓଡ଼ିଆ ଜାତିର ସଂଗ୍ରାମର ଦୂରଦର୍ଶିତା ଅନୁମେୟ । ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଭାରତଛାଡ଼ ଆନ୍ଦୋଳନର ଘନଘଟା
ମଧ୍ୟରେ ବ୍ରିଟିଶ ଶାସନକାଳରେ ଆଉ କୌଣସି ଅଗ୍ରଗତି ହୋଇ ନଥିଲା । ମାତ୍ର ଭାରତର ସ୍ୱାଧୀନତା ପ୍ରାପ୍ତି ବେଳକୁ ନିରାଶାଗ୍ରସ୍ତ ଆନ୍ଧ୍ରପ୍ରଦେଶ ସମେତ ଭାରତର ବହୁ ଅଂଚଳରେ ଭାଷାଭିତ୍ତିରେ ପ୍ରଦେଶ ଗଠନର ଆଲୋଡ଼ନ, ଉଦ୍ବେଳନ ଆଉ ଚାପା ଉତ୍ତେଜନା ମଧ୍ୟରେ ବିସ୍ଫୋରକ ଅବସ୍ଥାକୁ ଚାଲି ଆସିଥିଲା । ଏହି ଅତୀବ ସ୍ପର୍ଶକାତର ପରିସ୍ଥିତିକୁ ଅନୁଧ୍ୟାନ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଭାଷାଭିତ୍ତିରେ ପ୍ରଦେଶ ଗଠନର ସିଦ୍ଧାନ୍ତର ଉଦ୍ଘୋଷଣା କରି ଏହି ଉଦ୍ଦେଶ୍ୟରେ କମିଶନ ଗଠନ କରିଥିଲେ । ମାତ୍ର ଏହି କମିଶନର ପ୍ରତିଶ୍ରୁତିରେ ନିରାଶାଜନକ ପ୍ରତିଫଳନ, ପରିସ୍ଥିତିକୁ ଅତ୍ୟନ୍ତ ବିଭ୍ରାନ୍ତ ଅବସ୍ଥାରେ ପହଞ୍ଚାଇଥିଲା । ପରିଣାମରେ ପଟ୍ଟି ଶ୍ରୀରାମୁଲଙ୍କର ଆତ୍ମୋତ୍ସର୍ଗ ଫଳରେ ୧.୧୦.୧୯୫୩ରେ ଆନ୍ଧ୍ର ପ୍ରଦେଶର ଗଠନ, ଆଉ ସେହି ବର୍ଷ ଅନ୍ତକାଳରେ ରାଜ୍ୟ ପୁନର୍ଗଠନ କମିଶନର ସ୍ଥାପନା ଓ ନିର୍ଦ୍ଧାରଣ କ୍ରମେ ୧.୧୧.୧୯୫୬ରେ ଭାରତର ଭାଷାଭିତ୍ତିକ ପ୍ରଦେଶମାନ ସ୍ଥାପନା ହେଲା । ପ୍ରକୃତରେ ମଧୁସୂଦନ ଦାସ ଯେଉଁ ହୋମାଗ୍ନି ପ୍ରଜ୍ୱଳନ କରିଥିଲେ ସେଥିରେ ମୁଖ୍ୟ ଆହୁତି ପ୍ରଦାନ କରିଥିଲେ ରାଜ୍ୟ ପୁନର୍ଗଠନ କମିଶନ ୧୯୫୬ ସାଲରେ ।
ଶତାବ୍ଦୀର ନିଦ୍ରାଭଙ୍ଗ
ସ୍ମରଣୀୟ ୧୯୯୮ ଅଗଷ୍ଟ ପନ୍ଦର ତାରିଖରେ ଶୁଭାରଂଭ ହୋଇଛି ବହୁ ପ୍ରତୀକ୍ଷିତ "ତପସ୍ୱିନୀ ଏକ୍ସପ୍ରେସ୍'ର ଯୁଗାଂତକାରୀ ଯାତ୍ରା ,ଓଡ଼ିଶାର ପଶ୍ଚିମାଞ୍ଚଳକୁ ପୂର୍ବାଞ୍ଚଳ ସହିତ କେବଳ ସଂଯୁକ୍ତ କରି ନୁହେଁ, ଭାବଗତ ଆଦାନ ପ୍ରଦାନ କ୍ଷେତ୍ରରେ ଗଭୀର ଭାବେ ସମନ୍ୱିତ କରି । ହେଲେ ଏହା ଥିଲା, ଓଡ଼ିଶାରେ ପ୍ରଥମ ରେଳଯାତ୍ରାର ଦୀର୍ଘ ଏକଶହ ବର୍ଷ ପରେ ଶତାବ୍ଦୀର ନିଦ୍ରାଭଙ୍ଗ ପରି ।
ଓଡ଼ିଶାର ମୁଖ୍ୟ ରେଳପଥ, କଲିକତା ସହିତ ମାନ୍ଦ୍ରାଜକୁ ସଂଯୋଗ କରି ,ଗତ ଏକଶହ ବର୍ଷ ଧରି ଓଡ଼ିଶାକୁ ଭାରତର ମାନଚିତ୍ରରେ କାହିଁକି ଭାରତୀୟ, ଜନମାନସରେ ଚିହ୍ନିତ କରି ଆସିଛି । ପ୍ରାୟ ଷୋଳ ଶହ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଏହି ରେଳପଥର କାର୍ଯ୍ୟ ଅତ୍ୟନ୍ତ କ୍ଷିପ୍ରତାର ସହ ଆରମ୍ଭ ହୋଇ ୧୮୯୫ଠାରୁ ୧୯୦୦ ସାଲ ମଧ୍ୟରେ ସମାପ୍ତ ହୋଇଥିଲା । କ୍ରିଷ୍ଣା, ଗୋଦାବରୀ, ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଆଦି ନଦୀଗୁଡିକୁ ଅତିକ୍ରମ କରିବାଲାଗି ଏଥିପାଇଁ ବ୍ୟୟବହୁଳ ବୈଜ୍ଞାନିକ କୌଶଳସଂବଳିତ ସେତୁନିର୍ମାଣର ଆବଶ୍ୟକତା ରହିଥିଲା । ୧୯୨୬ ସାଲରେ ନିର୍ଗୁଣ୍ଡିରୁ ଢେଙ୍କାନାଳ ଓ ତାଳଚେର ଗଡ଼ଜାତ ମଧ୍ୟ ଦେଇ ରେଳପଥ ତାଳଚେର ସହିତ ସଂଯୋଜିତ ହୋଇଥିଲା,ମୁଖ୍ୟତଃ କୋଇଲା ତଥା ଯାତ୍ରୀ ପରିବହନ ଲାଗି । ଏ କ୍ଷେତ୍ରରେ ମଧ୍ୟ ମଧୁସୂଦନଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ମାତ୍ର କୌଣସି ପ୍ରାକୃତିକ ପ୍ରତିବଂଧକ ନଥାଇ, ଅତ୍ୟାଧୁନିକ ବିଜ୍ଞାନଯୁଗରେ ତାଳଚେରରୁ ସଂବଲପୁର ପର୍ଯ୍ୟନ୍ତ ମାତ୍ର ୧୭୫ କିଲୋମିଟର ରେଳରାସ୍ତା ନିର୍ମାଣ କରିବାକୁ ଲାଗିଛି ସୁଦୀର୍ଘ ୧୫ ବର୍ଷରୁ ଅଧିକକାଳ । ବୋଧହୁଏ ରେଳପଥ ନିର୍ମାଣ କ୍ଷେତ୍ରରେ ଏହା ଶିଥିଳତାର ସର୍ବୋତ୍ତମ ରେକଡର଼୍ । ଏହି ରେଳପଥ ନିର୍ମାଣର ଶୁଭାରଂଭ ହୋଇଥିଲା ୧୯୮୩-୮୪ ସାଲରେ ।
ଓଡ଼ିଶାରେ ରେଳପଥ ନିର୍ମାଣ କ୍ଷେତ୍ରରେ ଯାହାଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ, ସେ ହେଉଛନ୍ତି ମଧୁସୂଦନ ଦାସ । ତାଙ୍କର କ୍ରମାଗତ ଅବିରାମ ପ୍ରଚେଷ୍ଟା ଆଉ ଅକ୍ଲାନ୍ତ ଉଦ୍ୟମରେ ଊନବିଂଶ
ଶତାବ୍ଦୀର ଶେଷପାଦରେ ଓଡ଼ିଶାର ମୁଖ୍ୟ ରେଳରାସ୍ତା ନିର୍ମିତ ହୋଇପାରିଥିଲା । ଅନ୍ୟଥା ଏହାର ପ୍ରତିଷ୍ଠା ପାଇଁ ଆହୁରି ଅନେକ କାଳ ଆମକୁ ଅପେକ୍ଷା କରିବାକୁ ପଡିଥା'ନ୍ତା ।
ଭାରତରେ ରେଳପଥର ସାମଗ୍ରିକ ନିର୍ମାଣ ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳ ଉପରେ କୌଣସି ପ୍ରାଧାନ୍ୟ ଆରୋପିତ ହୋଇ ନଥିଲା । ଗୁରୁତ୍ୱ ଦୃଷ୍ଟିରୁ ପ୍ରଥମେ କଲିକତାଠାରୁ ସମଗ୍ର ଉତ୍ତର ଭାରତରେ ସିମ୍ଲା, କଲିକତା, ମେଦିନୀପୁର, ନାଗପୁର ଦେଇ ରେଳପଥ ଯାଇଥିଲା । ମାନ୍ଦ୍ରାଜ, ବମ୍ବେ, ପୁନା, ହାଇଦ୍ରାବାଦ ଆଦି ବାଣିଜ୍ୟିକ ତଥା ପ୍ରାଶାସନିକ କେନ୍ଦଗୁଡିକୁ ସଂଯୁକ୍ତ କରିବାଲାଗି ରେଳପଥ ନିର୍ମାଣର ପରିକଳ୍ପନା କରାଯାଉଥିବାବେଳେ ଓଡ଼ିଶା ଉପକୂଳପାଇଁ ଯୋଜନା କାହାରି ଚିନ୍ତାକୁ ସ୍ପର୍ଶ କରି ନଥିଲା । ତୀର୍ଥସ୍ଥାନଗୁଡ଼ିକୁ ରେଳରାସ୍ତାଦ୍ୱାରା ସଂଯୁକ୍ତ ଯୋଜନା ଲାଭଦାୟକ ବିବେଚିତ ହେଉଥିବା ପରିପ୍ରେକ୍ଷୀରେ ମଧୁସୂଦନ ୧୮୮୭-୮୮ ସାଲରେ ଉତ୍କଳସଭା (ଓଡ଼ିଶା ଆସୋସିଏସନ୍)ର ଅଧିବେଶନ ବାରମ୍ବାର ଆହ୍ୱାନ କରି କ୍ରମାଗତ ଭାବେ ବନାରସ-ପୁରୀ ରେଳପଥ ନିର୍ମାଣପାଇଁ ରେଳକର୍ତ୍ତୃପକ୍ଷ ତଥା ଭାରତ ସରକାରଙ୍କ ପାଖରେ ଦାବୀପତ୍ର ଉପସ୍ଥାପନ କରିଥିଲେ । ସେ ସୂଚାଇ ଥିଲେ ଯେ, ଜାହାଜଦ୍ୱାରା ଉପକୂଳ ବାଟେ ରେଳ ସଂରଜାମ ପରିବହନର ସୁବିଧା ଥିବା ଦୃଷ୍ଟିରୁ, ପୁରୀ-କଟକ ରେଳରାସ୍ତାର ନିର୍ମାଣ ପ୍ରଥମେ ହାତକୁ ନିଆଯାଉ । ଏହାର ତାତ୍ପର୍ଯ୍ୟ ହେଲା, ୧୮୮୦ ବେଳକୁ କଟକରୁ ପଟାମୁଣ୍ଡାଇ କେନାଲ ଓ ଚାନ୍ଦବାଲି ଦେଇ ଷ୍ଟିମର ଓ ଜାହାଜ ଦ୍ୱାରା କଲିକତାକୁ ଯିବାଲାଗି ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଥିଲା । କଟକ- ପୁରୀ ରେଳପଥ ନିର୍ମାଣ ପରେ ପୁରୀକୁ ଯାତ୍ରୀମାନେ ଅନାୟାସରେ ଯିବା ଆସିବା ସଂଭବ ହୋଇ ପାରିବବୋଲି ସେ ଦର୍ଶାଇଥିଲେ ।
ସେତେବେଳର ଗାଂଗପୁର (ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଂଗପୁର) ରାଜ୍ୟ ଓ ବାମଣ୍ଡା ରାଜ୍ୟ ମଧ୍ୟ ଦେଇ ନିର୍ମିତ ହୋଇଥିବା ମେଦିନୀପୁର-ନାଗପୁର ରେଳପଥଦ୍ୱାରା ଓଡ଼ିଶା ଭୂଇଁକୁ ପ୍ରଥମେ ରେଳରାସ୍ତା ସ୍ପର୍ଶ କରିଥିଲା ୧୯୮୦ ରେ । ରାଜା ସୁଢ଼ଳ ଦେବ, ବାମଣ୍ଡାର ରାଜଧାନୀ ଦେବଗଡ଼ଠାରୁ ରେଳରାସ୍ତାକୁ ସଂଯୁକ୍ତ କରିବାପାଇଁ ସଡ଼କ ପଥ ନିର୍ମାଣ କରିଥିଲେ । ଏହାପରେ ଝାରସୁଗୁଡ଼ା- ସଂବଲପୁର ରେଳରାସ୍ତା ନିର୍ମାଣ ହୋଇ ରେଳ ଚଳାଚଳ ଆରଂଭ ହୋଇଥିଲା ୧୮୯୩ ସାଲ ଜାନୁଆରି୨୮ ତାରିଖରେ । ନାଗପୁର ସହିତ ସଂବଲପୁର ରେଳରାସ୍ତା ଦ୍ୱାରା ସଂଯୁକ୍ତ ହୋଇଥିବାଯୋଗୁଁ ସଂବଲପୁରରେ ହିନ୍ଦୀ ଶିକ୍ଷା ଓ ଭାଷାର ପ୍ରସାର ପାଇଁ ମଧ୍ୟପ୍ରଦେଶ ସରକାର ସେତେବେଳେ ଯୁକ୍ତିବାଢିଥିଲେ ।ସେ ଯାହାହେଉ ସଂବଲପୁରଠାରୁ କଟକକୁ ରେଳରାସ୍ତା ନିର୍ମାଣର ପରିକଳ୍ପନା କରାଯାଇଥିଲେ ମଧ୍ୟ, ମଧ୍ୟବର୍ତ୍ତୀ ଅଂଚଳରେ ଥିବା ଗଡ଼ଜାତ ରାଜାଂକର ପ୍ରତିରୋଧ ଫଳରେ ବୋଧହୁଏ ଏହା ସଂଭବ ହୋଇ ନଥିଲା । ଏଥିଲାଗି ଏକ ଶହ ବର୍ଷରୁ ଅଧିକ କାଳ ଅପେକ୍ଷା କରିବାକୁ ପଡ଼ିଛି । ଊନବିଂଶ ଶତାବ୍ଦୀରେ ପୂର୍ବାଞ୍ଚଳରେ ରେଳପଥ ନିର୍ମାଣର ଇତିହାସ ସଂପର୍କରେ ଅରୂପ ସୋମଙ୍କ ବିବରଣୀରେ ମଧୁସୂଦନଙ୍କ ଭୂମିକା ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ମକଦ୍ଦମାରେ ୧୮୮୭ ସାଲରେ ମଧୁସୂଦନଙ୍କ ଅଭୂତପୂର୍ବ ସାଫଲ୍ୟ ପରେ, କଲିକତା ହାଇକୋର୍ଟରେ ଉପସ୍ଥାପିତ ଓଡ଼ିଶାର ମୁଖ୍ୟ କେଶ୍ଗୁଡ଼ିକ ମଧୁସୂଦନଙ୍କ
ହାତକୁ ଆସିଲା । ଏଥିପାଇଁ ମଧୁସୂଦନଙ୍କୁ ମାସକୁ ଅନ୍ତତଃ ଥରେ କଲିକତା ଯିବାକୁ ପଡ଼ୁଥିଲା । କାଳକ୍ରମେ ସେ ରେଳବାଇ କଂପାନିର ଅନ୍ୟତମ ଆଇନ ପରାମର୍ଶଦାତା ରୂପେ ଗୃହୀତ ହୋଇଥିଲେ । କଲିକତାରେ ମଧୁସୂଦନଙ୍କର ବୁଦ୍ଧିଜୀବୀ ତଥା ଏଭଳି ଅଭିଜାତ ସଂପ୍ରଦାୟ ସହିତ ଆନ୍ତରିକ ସଂପର୍କ ଥିଲା, ଯେଉଁମାନଙ୍କର ପୁରୀ ଓ ଭୁବନେଶ୍ୱର ପରିଦର୍ଶନ ଲାଗି ଏକ ଅହେତୁକ ଆକର୍ଷଣ ଥିଲା । ସେମାନଙ୍କ ଦ୍ୱାରା କଲିକତା-ପୁରୀ ରେଳରାସ୍ତା ନିର୍ମାଣପାଇଁ ମଧୁସୂଦନ ଚାପ ପ୍ରୟୋଗ କରିଥିଲେ । ଫଳରେ କଲିକତା-ପୁରୀ ରେଳପଥ ନିର୍ମାଣ ମଂଜୁରୀପ୍ରାପ୍ତ ହୋଇ ନିର୍ମାଣ କାର୍ଯ୍ୟ ୧୮୯୩-୯୪ ସାଲରୁ ଆରମ୍ଭ ହୋଇଥିଲା । ମଧୁସୂଦନ ୧୮୯୬ରେ ବଂଗଳା ବ୍ୟବସ୍ଥାପକ ସଭାର ସଦସ୍ୟ ଭାବରେ ଓଡ଼ିଶାର ରେଳପଥପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ ।
ମଧୁସୂଦନଙ୍କ ପୂର୍ବରୁ ଉପସ୍ଥାପିତ ଯୋଜନା ଅନୁସାରେ ପ୍ରଥମେ ପୁରୀ-ବାରଂଗ ରେଳପଥ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇ ୧୮୮୬-୮୭ ବେଳକୁ ରେଳ ଚଳାଚଳ ଆରମ୍ଭ ହୋଇଥିଲା । ଏହା ସହିତ କଲିକତା ପଟୁ ରେଳନିର୍ମାଣ ଲାଗି କଲିକତା ଓ ଖଡ଼ଗପୁର ମଧ୍ୟରେ ରୂପନାରାୟଣ ନଦୀରେ ପୋଲ ନିର୍ମିତ ହୋଇ ନଥିବାରୁ ସେହି ନଦୀର ଅପରପାର୍ଶ୍ୱରେ ଥିବା କୋଲାଘାଟଠାରୁ କଟକ ପର୍ଯ୍ୟନ୍ତ ରେଳରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୮୯୭ ସାଲ ବେଳକୁ କୋଲାଘାଟଠାରୁ ଭଦ୍ରକ ଡେଇଁ ଯାଜପୁର ରୋଡ଼ ସନ୍ନିକଟ ବୈତରଣୀ ନଦୀ ଅପରପାର୍ଶ୍ୱ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ହୋଇ ରେଳ ଚଳାଚଳ ଆରମ୍ଭ ହୋଇ ଯାଇଥିଲା । ସେ ସମୟରେ ମଧୁସୂଦନଙ୍କର ଯାତ୍ରା ବିବରଣୀରୁ ଜଣାଯାଏ ଯେ, କଲିକତାଠାରୁ ଯାତ୍ରୀମାନେ ଷ୍ଟିମରରେ କୋଲାଘାଟ ଆସି ସେଠାରୁ ଟ୍ରେନ୍ ଧରି ଯାଜପୁର ରୋଡ଼ ପର୍ଯ୍ୟନ୍ତ ଆସୁଥିଲେ । ସେଠାରୁ ବୈତରଣୀ କେନାଲ୍ ଦେଇ ହାଇଲେବଲ୍ କେନାଲ୍ ମଧ୍ୟରେ ଷ୍ଟିମ୍ ଲଂଚ୍ (ଅଗ୍ନି ବୋଟ୍) ଦ୍ୱାରା କଟକ ଆସୁଥିଲେ । ଏ ମଧ୍ୟରେ ଯାଜପୁର ରୋଡ଼ଠାରୁ ବାରଙ୍ଗ ପର୍ଯ୍ୟନ୍ତ ସମସ୍ତ ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏ ଦିଗରେ ମାଡ଼୍ରାସ ଓ ବିଶାଖା ପାଟଣାକୁ କଟକ ସହିତ ସଂଯୁକ୍ତ କରିବାପାଇଁ କୌଣସି ଯୋଜନା ନଥିଲେ ମଧ୍ୟ କଲିକତା-ପୁରୀ ରେଳପଥ ନିର୍ମାଣର ଅଗ୍ରଗତି ତଥା ମଧୁସୂଦନ ଆଦି ଜନନେତାଙ୍କର କ୍ରମାଗତ ଦାବି ଫଳରେ ଏହା ମଂଜୁରି ପ୍ରାପ୍ତ ହୋଇଥିଲା । ଦକ୍ଷିଣ ଦିଗରେ ୧୭.୫.୧୮୯୩ରେ କ୍ରିଷ୍ଣାନଦୀ ଉପରେ ପୋଲ ନିର୍ମାଣ ହୋଇ ପ୍ରଥମେ ମାଡ଼୍ରାସ ବେଜଓ୍ୱାଡ଼ା ରେଳ ଚଳାଚଳ ଆରମ୍ଭ ହୋଇଥିଲା । ୧୮୯୪ ସାଲ ସେପ୍ଟେମ୍ବର ବେଳକୁ ରେଳ ରାଜମହେନ୍ଦ୍ରୀରୁ ବିଶାଖାପାଟଣା, ବିଜୟନଗର ଦେଇ ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଚାଲୁଥିଲା ଓ ଆଗକୁ ରେଳପଥ ନିର୍ମାଣ ସଂପ୍ରସାରିତ ହୋଇଥିଲା । ଏହାର ସୁଯୋଗ ନେଇ ସେହି ବର୍ଷ ସେପ୍ଟେମ୍ବର ଆଠ ତାରିଖରେ ମାନ୍ଦ୍ରାଜର ଗଭର୍ଣ୍ଣର ବେଲେର୍କ ସାହେବ ରେଳପଥରେ ସେତେବେଳର ଅବିଭକ୍ତ ଗଞ୍ଜାମ ଜିଲ୍ଲାକୁ ଆସି ଋଷିକୂଲ୍ୟା ପୟଃ ପ୍ରଣାଳୀର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହାପରେ ୧୮୯୬ ସାଲ ଜୁନ୍ ୬ ତାରିଖରେ ଖୋରଧା ରୋଡ଼ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ।
ଏ ଦିଗରେ ଯାଜପୁର ରୋଡ଼ ଓ ବାରଙ୍ଗ ମଧ୍ୟରେ ପ୍ରଥମେ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ସରିଥିଲା । କାଠଯୋଡ଼ି କୁଆଖାଇରେ ଡିସେମ୍ବର ୧୮୯୭ ସାଲରେ ପୋଲ ନିର୍ମାଣ ଆରମ୍ଭ ହୋଇ୧୯୦୦ ସାଲ ମାର୍ଚ୍ଚ ମାସରେ ସମାପ୍ତ ହୋଇଥିଲା । ମହାନଦୀର ପୋଲ ନିର୍ମାଣ ୧୮୯୮ ସାଲ ଫେବ୍ରୁଆରି ମାସରେ ଆରଂଭ ହୋଇ ୧୯୦୦ସାଲ ମାର୍ଚ୍ଚ ଆଠ ତାରିଖରେ ଉଦ୍ଘାଟନ ହୋଇଥିଲା । ଏ ମଧ୍ୟରେ କୋଲାଘାଟ ସନ୍ନିକଟ ରୂପନାରାୟଣ ନଦୀରେ ପୋଲ ନିର୍ମାଣ ହୋଇ ୧୯୦୦ ସାଲ ଏପ୍ରିଲ ମାସ ସୁଦ୍ଧା ଶେଷ ହୋଇଥିବାରୁ ସେହି ବର୍ଷ ମେ ମାସରେ ପୁରୀ-ହାଓ୍ୱଡ଼ା ରେଳ ଚଳାଚଳ କରିଥିଲା ।
୧୯୦୦ ସାଲ ଜୁନ୍ ବେଳକୁ ଖୋର୍ଦ୍ଧାରୋଡ଼ ଓ କଟକ ବାଟଦେଇ ମାନ୍ଦ୍ରାଜ- ହାଓଡ଼ା ରେଳ ଚଳାଚଳ କଲା । ମାତ୍ର ଗୋଦାବରୀ ପୋଲ ନିର୍ମାଣ ସରି ନଥିବାରୁ ଯାତ୍ରୀମାନଙ୍କୁ ଗୋଦାବରୀ ନଦୀ ଷ୍ଟିମ୍ ଲଂଚ୍ଦ୍ୱାରା ପାରିହେବାକୁ ପଡ଼ୁଥିଲା । ଏହି ପୋଲ ୧୪.୧୨.୧୯୦୦ରେ ଲଡର଼୍ କର୍ଜନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ।
ହାଓ୍ୱଡ଼ା-ମାନ୍ଦ୍ରାଜ ରେଳରାସ୍ତାର ସୁଯୋଗ ନେଇ ମୟୂରଭଂଜ ମହାରାଜା ଓ ପାରଳାଖେମୁଣ୍ଡିର ରାଜା(ଜମିଦାର)ମାନେ ସେମାନଙ୍କ ଅଂଚଳକୁ ରେଳରାସ୍ତା ନିର୍ମାଣର ପ୍ରସ୍ତାବ ଦେଇଥିଲେ । ତାହା ମଂଜୁର ହୋଇ ରେଳରାସ୍ତା ନିର୍ମାଣ ଆରମ୍ଭ ହୋଇଯାଇଥିଲା । ପାରଳାଖେମୁଣ୍ଡି ରେଳରାସ୍ତା ୧୯୦୧ ସାଲରେ ସମାପ୍ତ ହୋଇଥିଲା ଓ ରୂପ୍ସା-ବାରିପଦା ରେଳପଥ ଖୋଲିଲା ୧୯୦୫ ସାଲରେ, ଯହିଁରେ ବଙ୍ଗଳାର ଗଭର୍ଣ୍ଣର ଏଣ୍ଡ୍ରୁ ଫ୍ରେଜର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଜୟନଗର-ରାୟପୁର ରେଳରାସ୍ତା ମଧ୍ୟ ୧୮୯୭ ସାଲ ଅକ୍ଟୋବର ୧୩ ତାରିଖରେ ପାର୍ଲାମେଣ୍ଟର ମଂଜୁରିପ୍ରାପ୍ତ ହୋଇଥିଲା । ଏ ସମସ୍ତ ବିବରଣୀରୁ ଜଣାଯାଏ, ଊନବିଂଶ ଶତାବ୍ଦୀର ଶେଷ ଦଶକରେ ଓଡ଼ିଶାର ମୁଖ୍ୟ ରେଳପଥ ନିର୍ମାଣ କରାଯାଇ ତିମିରାଚ୍ଛନ୍ନ ଓଡ଼ିଶାକୁ ଆଧୁନିକ ଯୁଗରେ ପ୍ରବେଶ କରିବାପାଇଁ ପରମ ସୁଯୋଗ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ଶହେ ବର୍ଷରେ, ଏହି ବିଂଶ ଶତାବ୍ଦୀରେ, ଓଡ଼ିଶା ରେଳନିର୍ମାଣ କ୍ଷେତ୍ରରେ କିପରି ବିଡ଼ମ୍ବିତ ହୋଇଛି, ତାହା ଚିନ୍ତା କଲେ କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳା ହିଁ ପୁରୋଭାଗରେ ପ୍ରତିଫଳିତ ହୁଏ ।
ସଂବଲପୁରକୁ ଉପକୂଳ ଅଂଚଳ ସହିତ ରେଳପଥଦ୍ୱାରା ସଂଯୁକ୍ତ କରିବା ମଧୁସୂଦନଙ୍କର ଏକ ସ୍ୱପ୍ନ ଥିଲା , ଯେଉଁଥିପାଇଁ ୧୯୧୫ ସାଲରେ ଇମ୍ପରିଆଲ୍ କାଉନ୍ସିଲ୍ରେ ସେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ଯାହାହେଉ ପ୍ରାୟ ଶହେ ବର୍ଷର ଅଂତରାଳରେ ମଧୁସୂଦନଙ୍କର ସେହି ସ୍ୱପ୍ନ ସାକାର ହୋଇଛି, ତାଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ଅବସରରେ ।
ନୂତନ ଓଡ଼ିଶାର ଇତିହାସ ଓ
ଲେଖନୀକାର
ସ୍ୱାଧୀନତା ସଂଗ୍ରାମ ଅପେକ୍ଷା, ଓଡ଼ିଶାର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଗଠନର ପ୍ରକ୍ରିୟା ସମଗ୍ର ଭାରତକୁ ମାର୍ଗଦର୍ଶନ କରିଥିଲା । ଏହାର ରୋମାଞ୍ଚକର ଇତିହାସ ସଂକଳନ କରିବା ହେଉଛି ଓଡ଼ିଶା ସରକାରଙ୍କର ପ୍ରଥମ କର୍ତ୍ତବ୍ୟ । ମାତ୍ର ସେ ଦିଗରେ ସାମାନ୍ୟତମ ପ୍ରଚେଷ୍ଟା ମଧ୍ୟ ଆରମ୍ଭ ହୋଇ ନାହିଁ । ପରିଣାମରେ ଏ କ୍ଷେତ୍ରରେ ଥିବା ସମସ୍ତ ତଥ୍ୟାବଳୀ ତଥା ବିବରଣୀ ବର୍ତ୍ତମାନ ଅବଲୁପ୍ତ । ମାତ୍ର ସେ ଯୁଗର କର୍ତ୍ତବ୍ୟବୋଧର ଆହ୍ୱାନରେ ସେ କାଳର ଦୂରଦର୍ଶୀ ଲେଖନୀକାରମାନେ ସେମାନଙ୍କର ମହତ୍ତର ଅବଦାନମାନ ଛାଡ଼ିଯାଇଛନ୍ତି । ଏହାହିଁ ପରମ ଆଶ୍ୱାସନା ଓ ଆଶ୍ୱସ୍ତିର ବିଷୟ । ୧୮୬୬ ନଅଙ୍କ ଦୁର୍ଭିିକ୍ଷର କରାଳ ଗ୍ରାସ ସମୟରୁ ନିରସ୍ତ୍ର ଓଡ଼ିଆ ଜାତି, ଓଡ଼ିଆ ଭାଷା ସଂରକ୍ଷଣର ସଂଗ୍ରାମ ଏବଂ ୧୯୩୬ ସାଲ ପର୍ଯ୍ୟନ୍ତ ଦୀର୍ଘ ସତୁରୀବର୍ଷ ଧରି ଓଡ଼ିଶା ପ୍ରଦେଶ ସ୍ଥାପନାଲାଗି ଯେଉଁ ବିରାମହୀନ ସଂଘର୍ଷ କରିଥିଲା, ତାହାର ସମଗ୍ର ବିସ୍ତାରିତ ବିବରଣୀ, ଓଡ଼ିଆ ଜାତିର ମହାନ ଭାଷ୍ୟକାର ଗୌରୀଶଙ୍କର ରାୟ ତାଙ୍କର ସଂପାଦିତ ଉତ୍କଳଦୀପିକା ପତ୍ରିକାରେ୧୮୬୬ ସାଲରେ ଅତ୍ୟନ୍ତ ପ୍ରାଣବନ୍ତ ଓ ମାର୍ମିକ ଭାବରେ ଲିପିବଦ୍ଧ କରିଯାଇଛନ୍ତି ।୧୯୧୭ରେ ଗୌରୀଶଙ୍କର ରାୟଙ୍କର ତିରୋଧାନ ପରେ, ଏହାକୁ ପରବର୍ତ୍ତୀ ସଂପାଦକମାନେ ୧୯୩୬ ସାଲ ପର୍ଯ୍ୟନ୍ତ ପ୍ରକାଶିତ କରି ଏକ ମହାନ ଐତିହାସିକ କର୍ତ୍ତବ୍ୟ ସଂପାଦନ କରିଯାଇଛନ୍ତି । ଏ ସଂପର୍କରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ବଲପୁର ହିତୈଷିଣୀ ଏବଂ ଶଶିଭୂଷଣ ରଥଙ୍କ ସଂପାଦିତ ସାପ୍ତାହିକ ଆଶାରେ ଏ ସଂପର୍କୀୟ ବିବରଣୀମାନ ପ୍ରକାଶିତ ହୋଇଛି ।
ଓଡ଼ିଶାର ପଶ୍ଚିମାଞ୍ଚଳରେ "ସମ୍ବଲପୁର ହିତୈଷିଣୀ', ବାମଣ୍ଡାର ମହାରାଜା ସୁଢ଼ଳ ଦେବଙ୍କର ପୃଷ୍ଠପୋଷକତାରେ ୧୮୮୯ ସାଲରୁ ସାପ୍ତାହିକ ପତ୍ରିକାରୂପେ ଦେବଗଡ଼ଠାରୁ କ୍ରମାନ୍ୱୟରେ ୧୯୨୩ ସାଲ ପର୍ଯ୍ୟନ୍ତ ମୁଦ୍ରିତ ହୋଇଥିଲା । ସେହିପରି ଦକ୍ଷିଣ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ କେନ୍ଦ୍ର ବ୍ରହ୍ମପୁରଠାରୁ ଶଶିଭୂଷଣ ରଥଙ୍କଦ୍ୱାରା ଆଶା ପତ୍ରିକା ସାପ୍ତାହିକ ରୂପେ ୧୯୧୩ରୁ ୧୯୩୬ ସାଲ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା । ଏହି ସମସ୍ତ ପତ୍ରିକାର ପୁରାତନ ସଂଖ୍ୟାମାନ ( ଅଳ୍ପ କିଛ
ସଂଖ୍ୟା ବାଦ୍ ଦେଲେ) ଯହିଁରେ ଓଡ଼ିଶା ପ୍ରଦେଶ ସ୍ଥାପନାର ସବିଶେଷ ବିବରଣୀମାନ ସଂକଳିତ ହୋଇଥିଲା, ସେ ସମସ୍ତ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଭୁବନେଶ୍ୱରରେ ସଂରକ୍ଷିତ ରହିଛି ।
ସେହିପରି ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରୁ ପ୍ରକାଶିତ ହେଉଥିଲା ସାପ୍ତାହିକ 'ସମ୍ବାଦ ବାହିକା' । ଏହା ବ୍ୟାସକବି ଫକୀରମୋହନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥିଲା । ଏହାର ପୁରାତନ ସଂଖ୍ୟାଗୁଡ଼ିକ ୧୮୮୮ ସାଲରୁ ୧୯୨୩ ପର୍ଯ୍ୟନ୍ତ ଉତ୍କଳ ସାହିତ୍ୟ ସମାଜର ମଧୁସୂଦନ ପାଠାଗାରରେ ସଂରକ୍ଷିତ ରହିଛି । ସେହିପରି ମଧ୍ୟ ସଂରକ୍ଷିତ ରହିଛି ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ "ଓଡ଼ିଆ ଓ ନବସଂବାଦ'ର ପୁରାତନ ସଂଖ୍ୟାଗୁଡ଼ିକ ।
ଏହି ସମସ୍ତ ପତ୍ରିକା ତଥା ଉତ୍କଳ ସାହିତ୍ୟ, ସହକାର, ଓ ନବୀନ ଆଦି ସାହିତ୍ୟଭିତ୍ତିକ ପତ୍ରିକାରେ ଓଡ଼ିଶା ପ୍ରଦେଶ ଗଠନଲାଗି ହୋଇଥିବା ସଂଗ୍ରାମର ବିସ୍ତୃତ ବିବରଣୀ ରହିଛି । ଏଗୁଡିକ ସଙ୍କଳିତ ହେବା ଏ ଯୁଗର ଚରମ ଆବଶ୍ୟକତା । ଏଥିପାଇଁ ସରକାରୀ ପ୍ରୋତ୍ସାହନ ଓ ପ୍ରଚେଷ୍ଟା ଏକାନ୍ତ ଆବଶ୍ୟକ । ଏହା ଜାତୀୟ ଜାଗରଣରେ ସହାୟକ ହୋଇ ପାରିବ ।
ଓଡ଼ିଶା ସରକାରଙ୍କର ପକ୍ଷରୁ ଏ ଦିଗରେ କୌଣସି ଉଦ୍ୟମ ଆରମ୍ଭ ହୋଇ ନଥିଲେ ମଧ୍ୟ ଓଡ଼ିଶା ଆଧାରରେ, ପରେ ଗଠିତ ହୋଇଥିବା ଆନ୍ଧ୍ର, ତାମିଲ୍ନାଡ଼ୁ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରର ଭାଷାଭିତ୍ତିକ ପ୍ରଦେଶ ଗଠନର ଇତିହାସ ବହୁ ଖଣ୍ଡରେ କେବଳ ସଂକଳିତ ହୋଇ ନାହିଁ,ସଂଗ୍ରାମର ସାରଥିମାନଙ୍କ କର୍ମ କ୍ଷେତ୍ରକୁ ସ୍ମାରକୀରେ ପରିଣତ କରାଯାଇ ବିଭିନ୍ନ ପ୍ରତିଷ୍ଠାନମାନ ଗଠିତ ହୋଇଛି ଓ ସେମାନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିିମାନ ପ୍ରତିଷ୍ଠା କରାଯାଇଛି ।
ବାସ୍ତବିକ୍ ବର୍ତ୍ତମାନର ଓଡ଼ିଆ ଜାତୀୟତା ଅବଲୁପ୍ତିର ଶେଷ ପର୍ଯ୍ୟାୟରେ । ଲୁଣ୍ଠନଯୋଗୁଁ ଓଡିଶା ଦରିଦ୍ରରୁ ଦରିଦ୍ରତର ହେବାରେ ଲାଗିଛି । ବିପୁଳ ପ୍ରାକୃତିକ ବିଭବ ଓ ଖଣିଜ ସଂପଦରେ ସମନ୍ୱିତ ଦେଶ ନିରାଭରଣ ହେବାର ତ୍ୱରିତ ପର୍ଯ୍ୟାୟରେ । ଏଣୁ ଓଡ଼ିଆ ଜାତୀୟତାର ଆଧାରରେ ସମନ୍ୱିତ ଏହି ମହାନ ଗ୍ରନ୍ଥମାନଙ୍କର ଆଶୁ ସଂକଳନ ଓ ପ୍ରକାଶନ ଅପରିହାର୍ଯ୍ୟ ହୋଇପଡ଼ିଛି ।
ଦୁଃଖ ବିଷ ଜର୍ଜରିତ ଉତ୍କଳ ଦେହରେ
ସମ୍ମିଳନୀ ତୁହି ସିନା ଢାଳୁଛୁ ଅମୀୟ
ନୈରାଶ୍ୟ ସମୀର ଘୋର ଦୁର୍ଭେଦ୍ୟ ରାଜ୍ୟରେ
ତୁହି ସିନା ସଞ୍ଚାରିଲୁ ଉଜ୍ଜ୍ୱଳ ଆଲୁଅ ।
ଲକ୍ଷଲକ୍ଷ ଉତ୍କଳୀୟ ପଥଭ୍ରାନ୍ତ ହୋଇ
ଭ୍ରମୁଥିଲେ ଇତସ୍ତତଃ ଶୂନ୍ୟମନେ ଦିନେ
ତୋର ଆବିର୍ଭାବେ ସଭା ଚଇତନ୍ୟ ପାଇ
ଧାଇଁଲେଣି ସର୍ବେ ଆଜି କରମ ପ୍ରାଙ୍ଗଣେ ।"
-ରତ୍ନରେଣୁ ବାଳକୃଷ୍ଣ ପଟ୍ଟନାୟକ
ରାଷ୍ଟ୍ରପତିଙ୍କ ସନ୍ଦେଶରେ ଓଡ଼ିଶା ଦିବସ
୨୦୦୨ ସାଲର ଏପ୍ରିଲ ପହିଲାରେ 'ଓଡ଼ିଶା ଦିବସ' କିଛି ଉଦ୍ଦୀପନା ମଧ୍ୟରେ, ଓଡ଼ିଶାର ପ୍ରଶାସନ, କେତେକ ସାଂସ୍କୃତିକ ଅନୁଷ୍ଠାନ, ଶିକ୍ଷାୟତନ, ଅନେକ ରାଜନୈତିକ ଦଳମାନଙ୍କ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବିସ୍ମରଣୀୟ ଦିବସ ଉପଲକ୍ଷେ, ଦକ୍ଷିଣ ଭାରତରୁ ଆଗତ ମହାନ ପ୍ରଶାସନବିତ୍ ତଥା ପ୍ରଖାତ ସଂବିଧାନ ବିଶାରଦ, ଭାରତର ବିଦ୍ୱାନ ରାଷ୍ଟ୍ରପତି ଶ୍ରୀଯୁକ୍ତ କେ.ଆର୍.ନାରାୟଣନ୍ଙ୍କ ପକ୍ଷରୁ ଓଡ଼ିଶା ଦିବସ ଉପଲକ୍ଷେ ଯେଉଁ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ପ୍ରସାରିତ ହୋଇଥିଲା, ତାହାର ପ୍ରଥମ କିଛି ପଙ୍କ୍ତି ଏହିପରି ଥିଲା -
Messag of Sj. K.R. Narayan
Hon'ble president of India
on the occasion of Odisha Day 2002
Odisha had had the distinction of many first to its credit. It was the first state in our country to have been created on basis of language. It constitured the fruition of a long cherished dream of our nationalist leaders for linguistic reoragnisation of state. X X X
ସମ୍ମାନୀୟ ରାଷ୍ଟ୍ରପତି କେ.ଆର୍.ନାରାୟଣନ୍ଙ୍କର "ଓଡ଼ିଶା ଦିବସ' ୨୦୦୨ ଉପଲକ୍ଷେ ପ୍ରେରିତ ସନ୍ଦେଶ ।
"ଓଡ଼ିଶା ବହୁ କ୍ଷେତ୍ରରେ ପ୍ରଥମ ସ୍ଥାନ ଲାଭ କରିବାର ଗୌରବ ଅର୍ଜନ କରିପାରିଛି । ଏହା ଆମ ଦେଶର ପ୍ରଥମ ରାଜ୍ୟ ଯାହା ଭାଷାଭିତ୍ତିରେ ଗଠିତ ହୋଇଥିଲା । ଏହା ଆମ୍ଭମାନଙ୍କ ଜାତୀୟ ନେତାମାନଙ୍କର ଭାଷାଭିତ୍ତିରେ ପ୍ରଦେଶ ଗଠନ କରିବାପାଇଁ ଦୀର୍ଘକାଳର ଆକାଙ୍କ୍ଷିତ ସ୍ୱପ୍ନକୁ ସାକାର କରିପାରିଥିଲା ।
କେ.ଆର୍. ନାରାୟଣନ୍ (ମହାମହିମ ଭାରତର ରାଷ୍ଟ୍ରପତି), ମାର୍ଚ୍ଚ ୨୮,୨୦୦୨, ନୂଆଦିଲ୍ଲୀ
କିନ୍ତୁ ହେ ପାଠକ ବର୍ଗ ! ଆପଣମାନେ ଜାଣନ୍ତି କି ?ଓଡ଼ିଶାର କିଛି ତରୁଣ ଉଦୀୟମାନ
କଂଗ୍ରେସ ନେତୃବର୍ଗ ସ୍ୱାଧୀନତା ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନକୁ କେବଳ ବିରୋଧ କରୁନଥିଲେ,
ପ୍ରଦେଶ ଗଠନର ଘୋଷଣାପରେ ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାପାଇଁ ଦୃଢ଼ ସ୍ୱରରେ
ନିବେଦନ କରିଥିଲେ । ଏହି ତଥ୍ୟ -'ଦଶବର୍ଷର ଓଡ଼ିଶା' ପୁସ୍ତକରେ ସବିଶେଷ ଭାବେ ଲିପିବଦ୍ଧ
ରହିଛି । ତେଣୁ ୧.୪.୧୯୩୬ରେ ଯେଉଁ ଓଡ଼ିଶା ପ୍ରଦେଶ ସ୍ଥାପନର ସମାରୋହ ହେଲା, ତହିଁରୁ
ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ନିଜକୁ ଦୂରେଇ ରଖିଥିଲା । କେବଳ ସେହି ଦିନ ପାରଳା
ମହାରାଜା ବାରବାଟୀ ଦୁର୍ଗରେ ଏକ ଭୋଜି ସଭାର ଆୟୋଜନ କରିଥିଲେ । ୧୫୬୮ ସାଲରେ
ଓଡ଼ିଶାର ସ୍ୱାଧୀନତା ରବି ଅସ୍ତମିତ ହେବାପରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଓଡ଼ିଶାର ଏକମାତ୍ର
ଉପଲବ୍ଧି ଥିଲା । ମାତ୍ର ସମଗ୍ର ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ଏହା ସଂଶୟ
ବିଜଡ଼ିତ ତଥା ତିମିରାଚ୍ଛାଦିତ ଥିଲା । ଏ ସଂପର୍କରେ ତତ୍କାଳୀନ ରାଷ୍ଟ୍ରପତି , ଦକ୍ଷିଣ ଭାରତୀୟ
କେ.ଆର୍.ନାରାୟଣନ୍ଙ୍କୁ ସ୍ୱତନ୍ତ୍ର ନିବେଦନ କରିବାରୁ, ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟଟି ୨୦୦୨ ସାଲର
'ଓଡ଼ିଶା ଦିବସ' ସନ୍ଦେଶରେ ସଂଯୋଜିତ ହୋଇଥିଲା ।
୧୯୩୬ ସାଲର ଏପ୍ରିଲ୍ ପହିଲାରେ ଓଡ଼ିଶା ପ୍ରଦେଶ ସ୍ଥାପନାର ସ୍ମୃତି, ପରବର୍ତ୍ତୀ ବର୍ଷମାନଙ୍କରେ ଲୋପ ପାଇ ଯାଇଥିଲା । ତେଣୁ "ଓଡ଼ିଶା ଦିବସ' ପାଳନର ସ୍ମୃତି, ବିସ୍ମୃତିର ଗର୍ଭରେ କେବଳ ଲୋପ ପାଇ ଯାଇ ନଥିଲା, ଓଡ଼ିଆ ଜାତୀୟତାର ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ଟଣାଯାଇଥିଲା, ଯାହା ଏବେ ମଧ୍ୟ ବଳବତ୍ତର ରହିଛି ।
ସ୍ୱାଧୀନତାର ପ୍ରାପ୍ତିପରେ, କ୍ଷମତାପୁଷ୍ଟ ରାଜନୈତିକ ନେତୃବର୍ଗ ଓଡ଼ିଆ ଜାତୀୟତାର ମୂଳୋତ୍ପାଟନ କରିଦେଲେ । ଦୀର୍ଘ କାଳ ଧରି ତୁଙ୍ଗ ଶିଖରୀ ଚୂଳ, କିମ୍ବା ବନ୍ଦେ ଉତ୍କଳ ଜନନୀର ଉଚ୍ଚାରିତ ସ୍ୱର ନୀରବ ହୋଇଗଲା । ସ୍ୱାଧୀନତାର ପରବର୍ତ୍ତୀ ବର୍ଷରେ ୧୯୪୮ ସାଲରେ, ନୂତନ ଓଡ଼ିଶାର ପ୍ରତିଷ୍ଠାତା ଜାତୀୟ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଶତାବ୍ଦୀ ପାଳନର ଅବସର ଉପନୀତ ହୋଇଥିଲା । ଏହି ଉପଲକ୍ଷେ କିଛି ନିବେଦନ ପତ୍ର ଆମେ କିଛି ବନ୍ଧୁ, ସର୍ବତ୍ର ପ୍ରସାରିତ କରିଥିଲୁ । କେବଳ 'ସମାଜ' ପତ୍ରିକାରେ 'ମଧୁ ଶତାବ୍ଦୀ' ନାମକ ଏକ ସମ୍ପାଦକୀୟ ବ୍ୟତୀତ
ନୀରବତା ମଧ୍ୟରେ ସମସ୍ତେ ଯେପରି ଶୋଇଯାଇଥିଲେ । ଜାତୀୟ ଅକୃତଜ୍ଞତା ଏଭଳି ଚରମ
ବିପର୍ଯ୍ୟସ୍ତ ସ୍ଥିତିରେ ପହଞ୍ଚିପାରେ, ତାହା କେବଳ ଅକଳ୍ପନୀୟ ନଥିଲା, ଅଚିନ୍ତନୀୟ ମଧ୍ୟ ଥିଲା ।
ଜାତୀୟ ସ୍ଥାଣୁତାର ଏହି ପର୍ଯ୍ୟାୟରେ ୧୯୫୧ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ମର୍ଯ୍ୟାଦାବାନ
'ଉତ୍କଳ ଗୌରବ' ବୋଲି ପ୍ରକାଶିତ ହୋଇଥିଲା, ମଧୁସୂଦନଙ୍କ ପ୍ରତି ଏକ ନିବେଦିତ ଅର୍ଘ୍ୟ ରୂପରେ
ନବକିଶୋର ଦାସଙ୍କ 'ଉତ୍କଳ ଗୌରବ ମଧୁସୂଦନ' । ପରବର୍ତ୍ତୀ ବର୍ଷ ଓଡ଼ିଆ ଜାତୀୟତା ଜାଗରଣର
ପବିତ୍ର ପୀଠ, ୧୯୫୨ ସାଲରେ ମଧୁସୂଦନଙ୍କର ଉଦ୍ଦାମ କର୍ମଗୀତ ଓଡ଼ିଶାର ଦ୍ୱିତୀୟ ବାରବାଟୀ
'ମଧୁସ୍ମୃତି' ଶୈଳବାଳାଙ୍କ ଦତ୍ତ ପତ୍ର ଅନୁସାରେ ରହିଗଲା, ମହିଳା କଲେଜର ନିଷିଦ୍ଧାଞ୍ଚଳରେ । ଏହି
ଦତ୍ତ ପତ୍ରର ସର୍ତ୍ତାବଳୀରେ ଏହାକୁ ଜାତୀୟ ସ୍ମାରକୀ କରିବାପାଇଁ ସମସ୍ତ ସୁଯୋଗ ଥିବା ସତ୍ତ୍ୱେ ସରକାରୀ କଳର ନିଷ୍କ୍ରିୟତା ତଥା ଅନୁଦାରତା ଯୋଗୁଁ ଏହି ସ୍ମୃତିପୀଠ ଏବେ ବିପର୍ଯ୍ୟସ୍ତ ।
ପରବର୍ତ୍ତୀ କାଳରେ ୧୯୭୦ ଦଶକରେ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କର 'ଦେଶପ୍ରାଣ ମଧୁସୂଦନ' ତଥା ସୁରେନ୍ଦ୍ର ମହାନ୍ତିଙ୍କର ଓଡ଼ିଆ ଜାତିର ମହାକାବ୍ୟ 'ଶତାବ୍ଦୀର ସୂର୍ଯ୍ୟ' ୧୯୭୧ ଓ ୧୯୭୦ ସାଲରେ ପ୍ରକାଶ ପାଇ ପ୍ରଚଣ୍ଡ ଉଦ୍ବେଳନ ସୃଷ୍ଟିକରିଥିଲା ଓ ଓଡ଼ିଆ ଚେତନାକୁ ଅଭିମନ୍ତ୍ରିତ କରିଥିଲା । ହେଲେ ରାଜନୈତିକ ଚେତନା ରହିଯାଇଥିଲା ସୁଷୁପ୍ତିର ପ୍ରଚଣ୍ଡ ଗ୍ରାସରେ । ୧୯୭୮ ସାଲରେ ସୁରେନ୍ଦ୍ର ମହାନ୍ତିଙ୍କ 'କୁଳବୃଦ୍ଧ' ମଧ୍ୟ ପ୍ରକାଶିତ ହୋଇଥିଲା ।
ରାଜ୍ୟ ପୁନର୍ଗଠନ କମିଶନଙ୍କର ସିଦ୍ଧାନ୍ତ ୧୯୫୬ ସାଲରେ ପ୍ରକାଶିତ ହେବାପରେ ଆନ୍ଧ୍ର, ତାମିଲ୍ନାଡ଼ୁ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ପ୍ରଦେଶମାନଙ୍କରେ ସେହି ଭାଷାଭିତ୍ତିକ ପ୍ରଦେଶ ସ୍ଥାପନାର ଦିବସ ପ୍ରତିବର୍ଷ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଉଥିବା ବେଳେ ଓଡ଼ିଶା ପାଇଁ ଏହା ରହିଯାଇଥିଲା ଅଶ୍ରୁତପୂର୍ବ ଏବଂ ଅଜ୍ଞାତ ହୋଇ । କେବଳ ରାଉରକେଲାରେ ସ୍ଥାପିତ 'ପ୍ରଗତି ଉତ୍କଳ ସଂଘ' ଯାହା ମଧୁସୂଦନଙ୍କର ସ୍ମୃତି ପୁନଃ ଜାଗରିତ କରିବାପାଇଁ ସମର୍ପିତ ଥିଲା, ତାହା ପ୍ରାୟ ୧୯୬୯ ସାଲରୁ 'ଓଡ଼ିଶା ଦିବସ ତଥା ମଧୁସୂଦନ ଜୟନ୍ତୀ'କୁ ଏପ୍ରିଲ ପହିଲା ଦିନ ନିରବଛିନ୍ନ ଭାବରେ ପାଳନ କରିଆସୁଛନ୍ତି । ଏଥିପାଇଁ ଯନ୍ତ୍ରୀ ଯଶସ୍ୱୀ ନରେଶ ଚନ୍ଦ୍ର ନାୟକଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଅବିସ୍ମରଣୀୟ ।
୧୯୭୫ ସାଲ ସମଗ୍ର ଭାରତ ପାଇଁ ଥିଲା ଏକ ଉଚ୍ଚାଟ ଆଉ ଉଦ୍ବେଳନର ବର୍ଷ । ଜୟପ୍ରକାଶଙ୍କର ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଶାସନ ପ୍ରତି ଏକ ଦୁର୍ନିବାର ଶକ୍ତିରୂପେ ମଥା ଉତ୍ତୋଳନ କରି ପ୍ରଚଣ୍ଡ ବିଦ୍ରୋହୀ ଭୂମିକାରେ ଆବିର୍ଭାବ ହୋଇଥାଏ । ଜୟପ୍ରକାଶ ନାରାୟଣ ତାହାଙ୍କର ଓଡ଼ିଶା ଗସ୍ତସୂଚୀ ଅନୁସାରେ ୧.୪.୧୯୭୫ରେ ସଚିବାଳୟ ସମ୍ମୁଖ ପଡ଼ିଆ (ବର୍ତ୍ତମାନ ଇନ୍ଦିରାଗାନ୍ଧୀ ଉଦ୍ୟାନ)ରେ ଏକ ବିପୁଳ କ୍ରାନ୍ତିକାରୀ ଜନସମାବେଶର କାର୍ଯ୍ୟକ୍ରମ ଆହ୍ୱାନ କରିଥାନ୍ତି । ଏହା ସେ ବେଳର ଶ୍ରୀମତୀ ନନ୍ଦିନୀ ଶତପଥୀ ସରକାରଙ୍କ ପ୍ରତି ଏକ ସମ୍ଭାବ୍ୟ ବିପତ୍ତି ରୂପେ ଉଭା ହୋଇଥାଏ । ଏଣୁ ଏହା ଶ୍ରୀମତୀ ଶତପଥୀଙ୍କୁ ଗଭୀର ଆଶଙ୍କା ମଧ୍ୟକୁ ଟାଣି ନେଇଥାଏ । ଏହି ସ୍ଥିତିରେ ତାହାଙ୍କର କିଛି ପରାମର୍ଶଦାତା ଏହିପରି ଭାବରେ ମନ୍ତ୍ରଣା ପ୍ରଦାନ କଲେ, 'ମ୍ୟାଡ଼ାମ୍' ଆପଣ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ଦୁଇଦିନ ପରେ ଏପ୍ରିଲ ପହିଲା, ଯେଉଁ ଦିବସରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପିତ ହୋଇଥିଲା । ରାଜ୍ୟ ସରକାରଙ୍କର ପକ୍ଷରୁ ସେହିଦିନ ପରେଡ଼ ପଡ଼ିଆରେ ଓଡ଼ିଶା ଦିବସ ପାଳନ କରନ୍ତୁ ଓ ଜୟପ୍ରକାଶଙ୍କର ସଭାକୁ ସ୍ଥାନାନ୍ତର କରିଦିଅନ୍ତୁ ।' ଶ୍ରୀମତୀ ଶତପଥୀ ଏହି ପରାମର୍ଶ ଗ୍ରହଣକରି ୧.୪.୧୯୭୫ର ଅପରାହ୍ଣ ତଥା ସାୟଂକାଳରେ ପ୍ରଥମକରି ଆତସବାଜି ଓ ନୃତ୍ୟଗୀତ କାର୍ଯ୍ୟକ୍ରମ ମଧ୍ୟରେ 'ଓଡ଼ିଶା ଦିବସ' ପାଳନ କଲେ ଓ ଜୟପ୍ରକାଶଙ୍କ ସଭାକୁ ସ୍ଥାନାନ୍ତର କଲେ ।
ବିଧିର ଏହି ଆଶ୍ଚର୍ଯ୍ୟଜନକ ବିଧାନ କ୍ରମେ ୧.୪.୧୯୭୫ରେ ଓଡ଼ିଶା ପ୍ରଦେଶ ସ୍ଥାପନାର ସୁଦୀର୍ଘ ୪୦ ବର୍ଷ ପରେ ଦ୍ୱିତୀୟ ଓଡ଼ିଶା ଦିବସ ପାଳିତ ହେଲା, ଯାହା ପରବର୍ତ୍ତୀ ବର୍ଷମାନଙ୍କରେ ତଥା ବର୍ତ୍ତମାନ ମଧ୍ୟ ପାଳିତ ହେଉଛି । ଅନ୍ୟଥା ତୁଚ୍ଛା ସଂକୀର୍ଣ୍ଣ ପ୍ରାଦେଶିକତାର ଆଳରେ ଆଜି
ମଧ୍ୟ ଏହାର ପାଳନର କୌଣସି ଆବଶ୍ୟକତା ନଥିଲା । ଏଥିରୁ ଓଡ଼ିଆ ପ୍ରାଦେଶିକତା କିପରି ଦୁର୍ବଳ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ, ସହଜେ ତାହା ଅନୁମେୟ ।
'ଓଡ଼ିଶା ଦିବସ' ବର୍ତ୍ତମାନ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାମାନଙ୍କରେ ପାଳନ କରାଯାଉଛି । ଅଥଚ ଗୋଟିଏ କିମ୍ବା ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ, ସଦର ମହକୁମାରେ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠାତାଙ୍କର ପ୍ରତିମୂର୍ତ୍ତିି ନାହିଁ । ଏହା ହିଁ ଓଡ଼ିଶା ଦିବସ ପାଳନର ତୀବ୍ର ବିରୋଧାଭାସ । ବହୁ ଆକୁଳ ନିବେଦନ, ବିକଳ ଆବେଦନ ତଥା ପଦାଙ୍କ ଅନୁସରଣ ପରେ ୧୯୯୮ ସାଲରେ ନୁହେଁ, ପରବର୍ତ୍ତୀ ବର୍ଷ ୧୯୯୯ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ବିନା ଅର୍ଥ ସଂଯୋଜନାରେ ପାଳନ କରାଗଲା । ଅଥଚ ଓଡ଼ିଶା ପ୍ରଦେଶର ଅର୍ଦ୍ଧେକ ଭୂମିଭାଗ, ମଧୁସୂଦନଙ୍କର, ଓଡ଼ିଶାର ଜନସାଧାରଣଙ୍କ ଲାଗି ପ୍ରତିଶ୍ରୁତିବଦ୍ଧତାର ଦାନ । ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶାର ତିରିଶି ଗୋଟି ଜିଲ୍ଲାରେ ୩୦ ଗୋଟି ପୂର୍ଣ୍ଣାଙ୍ଗ ଅଥବା ଆବକ୍ଷ ପ୍ରତିମୂର୍ତ୍ତିି ପାଇଁ ୩୫ ଲକ୍ଷ ଟଙ୍କାର ନିର୍ମାଣ ବ୍ୟବସ୍ଥା ରହିଥିଲା, ତାହା ପ୍ରଶାସନର ତୁଙ୍ଗ ଅଧିକାରୀଙ୍କ ଅନାଗ୍ରହତାଯୋଗୁଁ ରୂପାୟିତ ହୋଇ ପାରିଲା ନାହିଁ କି ମଧୁସୂଦନଙ୍କର ବାସଭବନ 'ମଧୁସ୍ମୃତି' ଜାତୀୟ ସ୍ମାରକୀରେ ପରିଣତ ହୋଇ ପାରିଲା ନାହିଁ । ତେଣୁ ଓଡ଼ିଶାର ପ୍ରଶାସନପାଇଁ ମଧୁସୂଦନ ଚିରକାଳ ଲାଗି ରହିଗଲେ ଅପାଙ୍କ୍ତେୟ, ଅବାଞ୍ଛିତ ଆଉ ଅନନୁଗ୍ରହୀତ ଅଥଚ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପାଇଁ ମଧୁସୂଦନ ଥିଲେ ଟଲଷ୍ଟୟଙ୍କ ପରି ଅନ୍ୟତମ ମହାନ ମାର୍ଗଦର୍ଶକ ।
ମଧୁସୂଦନ ଏବଂ ଶ୍ୱେତ ଆଉ ମାଟିଆ
ସାମ୍ରାଜ୍ୟବାଦ
ନବ ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏ ପର୍ଯ୍ୟନ୍ତ ଯେପରି ଅସଂକଳିତ, ସେହିପରି ରହିଯାଇଛି ସଂଶୟ ବିଜଡ଼ିତ ଆଉ ରହସ୍ୟାବୃତ । ସ୍ୱତନ୍ତ୍ର ଓଡ଼ିଶାର ସ୍ଥାପନା କ୍ଷେତ୍ରରେ ଓଡ଼ିଆମାନଙ୍କୁ ବି୍ରଟିଶ ପ୍ରଶାସନର ନିର୍ଯ୍ୟାତନା ଆଉ ଶୋଷଣ ବିରୁଦ୍ଧରେ ଯେଉଁପରି ସଂଗ୍ରାମ ସଂଚାଳିତ କରିବାକୁ ପଡ଼ୁଥିଲା, ତାହାଠାରୁ ଅଧିକ ପରିମାଣରେ ସଂଘର୍ଷ ସଂଯୋଜିତ କରିବାକୁ ପଡୁଥିଲା, ପଡେ଼ାଶୀ ପ୍ରଦେଶର ନେତୃବର୍ଗଙ୍କ ବିପକ୍ଷରେ । ଏହି ନେତୃବର୍ଗଙ୍କ ଅଧୀନରେ ଥିବା ବିଭାଜିତ ଓଡ଼ିଆଭାଷୀ ଅଂଚଳକୁ ସେମାନେ ଉପନିବେଶରେ ପରିଣତ କରି ଦାସତ୍ୱର ବନ୍ଧନରେ ନିବଦ୍ଧ କରିଥିଲେ । ନବ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ଭୁବନାନନ୍ଦ ଦାସ ଏମ୍.ପିଙ୍କ ଅନୁଶୀଳନ ହେଉଛି: ଜାତୀୟ ଗୌରବ ମଧୁସୂଦନ ଦାସ, ଭାରତୀୟମାନଙ୍କୁ ଅର୍ଥନୈତିକ ଓ ରାଜନୈତିକ ଶୋଷଣରୁ ଉଦ୍ଧାର କରିବାପାଇଁ, ଶ୍ୱେତ ସାମ୍ରାଜ୍ୟବାଦ(ଶ୍ୱେତ ବର୍ଣ୍ଣର ଇଂରେଜ ପ୍ରଶାସକ) ବିପକ୍ଷରେ ଯେପରି ସଂଗ୍ରାମ କରୁଥିଲେ, ସେହିପରି ମାଟିଆ ସାମ୍ରାଜ୍ୟବାଦର ଚକ୍ରାନ୍ତ (ପଡେ଼ାଶୀ ପ୍ରଦେଶର ମାଟିଆ ରଂଗର ଭାରତୀୟ ନେତୃବର୍ଗଙ୍କ ଓଡ଼ିଆଭାଷୀ ଅଂଚଳକୁ ବିଖଣ୍ଡିତ ରଖିବାପାଇଁ ଉଦ୍ୟମ) ବିରୁଦ୍ଧରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ସଂଘର୍ଷ ଜାରି ରଖିଥିଲେ ।
ମଧୁସୂଦନ ଦାସ ୧୮୯୮ ସାଲରେ ଶ୍ୱେତ ସାମ୍ରାଜ୍ୟବାଦର ନିଷ୍ପେଷଣ ବିରୋଧରେ ବଂଗୀୟ ଯୁବକମାନଙ୍କୁ ସରଳା ଦେବୀ ଚୌଧୁରୀ, ବିଭୂତି ଭୂଷଣ ଦତ୍ତରାୟ ଆଦିଙ୍କ ମାଧ୍ୟମରେ ଉଗ୍ରବାଦୀ ଭୂମିକାରେ ଅବତୀର୍ଣ୍ଣ କରାଇଥିଲେ । ଏମାନଙ୍କ ସହିତ ଋଷି ଅରବିନ୍ଦ ପରବର୍ତ୍ତୀ କାଳରେ ବୈପ୍ଳବିକ ଭୂମିକା ଗ୍ରହଣ କରିଥିଲେ । ସେହିପରି ମଧୁସୂଦନ, ସମଗ୍ର ଭାରତରେ ସର୍ବ ପ୍ରଥମେ ୧୯୦୦ ସାଲଠାରୁ ବିଦେଶୀ ବର୍ଜନ ଓ ସ୍ୱଦେଶୀ ନିୟୋଜନ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ପଣ୍ଡିତ ନୀଳକଣ୍ଠ ଦାସଙ୍କର ବକ୍ତବ୍ୟ ଅନୁସାରେ ଉଦଗ୍ର ଶପଥ ପାଠ ମାଧ୍ୟମରେ ଦେଶକୁ
ଅଭିମନ୍ତ୍ରିତ କରିଥିଲେ । ଏତଦ୍ବ୍ୟତୀତ ୧୯୧୩ରୁ ୧୯୧୬ ସାଲ ମଧ୍ୟରେ ମଧୁସୂଦନ, କେନ୍ଦ୍ର ଇମ୍ପିରିଆଲ୍ କାଉନ୍ସିଲ୍ର ସଦସ୍ୟ ରୂପେ ବ୍ରିଟିଶ୍ ତଥା ୟୁରୋପୀୟ ଶିଳ୍ପାୟନ କାର୍ଯ୍ୟକ୍ରମକୁ ଭାରତର "ରକ୍ତ ଶୋଷଣ' ପ୍ରକ୍ରିୟା ବୋଲି ବଜ୍ର କଣ୍ଠରେ ଆଖ୍ୟାୟିତ କରଥିଲେ । ବହୁ ହଜାର ମାଇଲ୍ ଦୂରରେ କାର୍ଯ୍ୟରତ ୟୁରୋପୀୟ ଶିଳ୍ପ, ଭାରତକୁ ନିଃଶେଷିତ କରୁଥିଲା ବୋଲି ଉଗ୍ର କଟୂକ୍ତି ମାଧ୍ୟମରେ ସେ ତିରସ୍କାର କରୁଥିଲେ । ଆଜି ଏକବିଂଶ ଶତାବ୍ଦୀରେ ଅନ୍ୟ ପ୍ରକ୍ରିୟା ମାଧ୍ୟମରେ ବୋଧହୁଏ ଏହାର ପୁନାରବୃତ୍ତି ଆରମ୍ଭ ହୋଇଛି ।
ଅନ୍ୟ ପକ୍ଷରେ ୧୮୬୬ ସାଲର ନଅଙ୍କ ଦୁର୍ଭିିକ୍ଷର କରାଳ ଗ୍ରାସ ପରେ ଇଂଲଣ୍ଡରେ ଭାରତ ସଚିବ ସାର୍ ଷ୍ଟାଫୋଡର଼୍ ନର୍ଥ କୋଟ ୨.୮.୧୮୬୭ରେ ବିଖଣ୍ଡିତ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ୧୮୭୪ ସାଲରେ ଆସାମ ଏବଂ ପରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ନିରପତ୍ତାର ସୁରକ୍ଷା ଦୃଷ୍ଟିରୁ ଗଠିତ ହୋଇଥିଲେ ମଧ୍ୟ ପଡେ଼ାଶୀ ପ୍ରଦେଶମାନଙ୍କର ନେତୃବର୍ଗଙ୍କର ତୀବ୍ର ମାଟିଆ ସାମ୍ରାଜ୍ୟବାଦ ବିରୋଧ ଯୋଗୁଁ ଓଡ଼ିଶା ପ୍ରଦେଶର ସ୍ଥାପନା ଆକାଶ କୁସୁମରେ ପରିଣତ ହୋଇଥିଲା । ଏଥିଲାଗି ମଧୁସୂଦନ ୧୮୯୭ ସାଲରେ ଲଣ୍ଡନରେ ଭାରତର ସଚିବ ଜର୍ଜ ହାମିଲ୍ଟନ୍ଙ୍କ ସହିତ ସାକ୍ଷାତ କରିଥିଲେ । ପରେ ୧୯୦୦ ସାଲ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଭାରତର ବଡ଼ଲାଟ ଲଡର଼୍ କର୍ଜନଙ୍କୁ ସାକ୍ଷାତ ପରେ ରିସ୍ଲେ ସର୍କୁଲାର ପ୍ରକାଶ ପାଇଥିଲା ଓ ପଶ୍ଚିମାଞ୍ଚଳର ମିଶ୍ରଣ ସମ୍ଭବପର ହୋଇଥିଲା ୧୬.୧୦.୧୯୦୫ରେ । ମାତ୍ର ମାଡ଼୍ରାସ ପ୍ରଦେଶର ଭାରତୀୟ ନେତୃବର୍ଗଙ୍କର ତୀବ୍ର ମାଟିଆ ସାମ୍ରାଜ୍ୟବାଦର ପ୍ରବର୍ତ୍ତନ ଫଳରେ ନାଗାବଳୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ବୃହତ ଗଂଜାମ ଜିଲ୍ଲା ଓ ଜୟପୁର ଜମିଦାରୀର ମିଶ୍ରଣ, ଓଡ଼ିଶା ଡିଭିଜନ ସହିତ ସମ୍ଭବପର ହୋଇନଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ, ୧୮.୯.୧୯୩୧ରେ ସାମୁଏଲ୍ ଓଡ଼ନେଲ୍ଙ୍କ ନେତୃତ୍ୱରେଯେଉଁ ଓଡ଼ିଶା ପ୍ରଦେଶ ସୀମା ନିର୍ଦ୍ଧାରଣ କମିଟି ଗଠିତ ହେଲା ସେଥିରେ ଓଡ଼ନେଲ୍ଙ୍କ ଛଡ଼ା ଏଚ୍.ଏମ୍.ମେହେଟା, ଟି.ଆର୍ ଫୁକନ୍ ସଦସ୍ୟ ଆଉ ବିହାର ପକ୍ଷରୁ ସଚ୍ଚିଦାନନ୍ଦ ସିହ୍ନା, ମାଡ଼୍ରାସ ପକ୍ଷରୁ ସି.ଭି.ଏସ୍ ନାରାୟଣ ରାଜୁ, ଓଡ଼ିଶା ପକ୍ଷରୁ ପାରଳା ମହାରାଜା ପ୍ରତିନିଧିତ୍ୱ କରିଥିଲେ । ଏହି କମିଟି ୭.୧୧.୧୯୩୧ରେ ପାଟନାଠାରେ କାର୍ଯ୍ୟ ଆରମ୍ଭ କରି କ୍ରମାନ୍ୱୟରେ ଜାମସେଦପୁର, ଚାଇଁବସା, ସମ୍ବଲପୁର, ରାୟପୁର, ମେଦିନୀପୁର, ଗୋପାଳପୁର, ଓ୍ୱାଲ୍ଟିଆର୍, କୋକନାଡ଼ା ଓ ଶେଷରେ କଟକ ପରିଦର୍ଶନ କରି ୪୧୦ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରି ତାହାଙ୍କର ଅନୁସନ୍ଧାନ ୧୮.୧.୧୯୩୨ରେ ସମାପ୍ତ କରିଥିଲେ ।
ଏହି ଅନୁସନ୍ଧାନରେ ଭାଗ ନେଇଥିବା ଭୁବନାନନ୍ଦ ଦାସ ପାର୍ଲାମେଣ୍ଟ ସଦସ୍ୟ ୩୦.୧୨.୧୯୩୧ରେ ନବୀନ ପତ୍ରିକାରେ ପ୍ରକାଶିତ ସ୍ୱତନ୍ତ୍ର ନିବନ୍ଧରେ ଦର୍ଶାଇଛନ୍ତି ଯେ, "ସୀମା କମିଶନରଙ୍କ ଅନୁସନ୍ଧାନ ବେଳେ ଓଡ଼ିଆଙ୍କ ବିପକ୍ଷରେ ପଡେ଼ାଶୀ ପ୍ରଦେଶର ନେତୃବର୍ଗ ଉଗ୍ର ମାଟିଆ ସାମ୍ରାଜ୍ୟବାଦ ପ୍ରଦର୍ଶନ କରିଥିଲେ । ଏପରିକି ବିହାର କଂଗ୍ରେସର ନିଷେଧାତ୍ମକ ଆଦେଶ
ପରେ ପଣ୍ଡିତ ନୀଳକଣ୍ଠ ଦାସ ୧୦.୧.୧୯୩୨ରେ ରାଞ୍ଚିଠାରେ ଓଡ଼ନେଲ୍ କମିଟି ସମ୍ମୁଖରେ ତାହାଙ୍କର ସାକ୍ଷ୍ୟ ପ୍ରଦାନ କରିପାରି ନଥିଲେ ।"
ଏପରିକି ମହାତ୍ମାଗାନ୍ଧୀଙ୍କର ଅକୁଣ୍ଠ ସମର୍ଥନ ସତ୍ତ୍ୱେ ୧୯୨୮ ଡିସେମ୍ବରରେ ଅନୁଷ୍ଠିତ କଲିକତା କଂଗ୍ରେସରେ ସିନ୍ଧ ଓ କର୍ଣ୍ଣାଟକ ପ୍ରଦେଶ ଗଠନକୁ ସମର୍ଥନ ଦିଆଯାଇଥିଲେ ମଧ୍ୟ ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏଣୁ ସମଗ୍ର ଭାରତୀୟ ନେତୃବର୍ଗଙ୍କର ତୀବ୍ର ବିରୋଧ ଯୋଗୁଁ ଓଡ଼ିଆମାନଙ୍କୁ ଓଡ଼ିଶା ପ୍ରଦେଶ ଗଠନ ଲାଗି ନିଜ ଶିଙ୍ଗରେ ନିଜେ ମାଟି ଖୋଳିବାକୁ ପଡ଼ିଥିଲା ।
ଭୁବନାନନ୍ଦ ଦାସ ତାହାଙ୍କର ନିବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ମାଡ଼୍ରାସ ପ୍ରଦେଶର ନେତୃବର୍ଗ ଏହି ପରିଦର୍ଶନ ବେଳେ ଦାବି କରିଥିଲେ ଯେ "ଆମେ ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରୁ, ଏହାକୁ ପ୍ରତ୍ୟାଖାନ କରାଯାଉ ।" ପୁଣି ସେମାନେ ସୂଚାଇ ଥିଲେ ଯେ, "ଗଂଜାମ ଜିଲ୍ଲା ଓ ଜୟପୁର ଜମିଦାରି ନିଅଣ୍ଟିଆ ଥିବାରୁ ତାହାକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତ କରାନଯାଉ ।" ଉପସଂହାରରେ ଭୁବନାନନ୍ଦ ଦାସ ଲେଖିଥିଲେ, "ମେଦିନୀପୁରର ବିରେନ ସାସମଲମାନେ, ମାଡ଼୍ରାସ ପ୍ରଦେଶର ନରସିଂହ ରାଜୁମାନେ ଓ ବିହାର ପ୍ରଦେଶର ପ୍ରସାଦମାନେ ଏକ ପକ୍ଷରେ ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦ ବିରୋଧରେ ଉଗ୍ର ସଂଗ୍ରାମ ସଂଚାଳିତ କରୁଥିବାବେଳେ, ସେମାନେ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ମାଟିଆ ସାମ୍ରାଜ୍ୟବାଦର ଉଗ୍ର ଶୋଷଣ ପ୍ରକ୍ରିୟାକୁ ଜାରି ରଖି ଦାସତ୍ୱ ବନ୍ଧନରେ ଆବଦ୍ଧ କରିଛନ୍ତି ।"
ସୀମା ନିର୍ଦ୍ଧାରଣ କମିଟି, ତାହାଙ୍କର ପରିଦର୍ଶନର ଶେଷ ପର୍ଯ୍ୟାୟରେ ୧୯୩୨ ସାଲର ପ୍ରଥମ ସପ୍ତାହରେ କଟକରେ ଅବସ୍ଥାନ କରି, ମଧୁସୂଦନ ଦାସ ପ୍ରମୁଖ ଓଡ଼ିଆ ଜାତୀୟବାଦୀ ନେତୃବର୍ଗଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲେ ଏବଂ ବିଦାୟର ଶେଷ ବେଳରେ ମଧୁସୂଦନ ଦାସ ଓଡ଼ନେଲ୍ କମିଟିକୁ ନିଜର ବାସ ଭବନରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଓଡ଼ନେଲ୍ କମିଟି ରିପୋର୍ଟ ୧୯୩୨ ସାଲର ଜୁନ ପ୍ରଥମ ସପ୍ତାହରେ ପ୍ରକାଶ ପାଇଲା, ଯହିଁରେ ଗଂଜାମର ପାରଳାଖେମୁଣ୍ଡି ସମେତ ବହୁ ଅଞ୍ଚଳକୁ ବାଦ୍ଦେଇ ଜୟପୁର ଜମିଦାରି ସଂଯୁକ୍ତ ରହିଥିଲା । ପରିଣାମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଆୟତନ ୩୩୦୦୦ ବର୍ଗ ମାଇଲ ଆଉ ଜନସଂଖ୍ୟା ୮୨,୦୦,୦୦୦ରେ ସ୍ଥିରୀକୃତ ହୋଇଥିଲା । ଏଥିରେ ସିଂହଭୂମି, ମଞ୍ଜୁଷା, ଟିକାଲୀ
ଆଦି ବହୁ ଅଞ୍ଚଳ ବାଦ ପଡ଼ିଥିଲା ।
ଭୁବନାନନ୍ଦ ଦାସ ଇଂଲଣ୍ଡର ଗ୍ଲାସ୍ଗୋଠାରେ ଇଂଜିନିୟରିଂ ଅଧ୍ୟୟନ କରିବା ସହିତ ଇଂଲଣ୍ଡର ବିଭିନ୍ନ ଅଞ୍ଚଳ ସହିତ ପରିଚିତ ଥିଲେ । ଏଣୁ ତୃତୀୟ ଗୋଲ୍ଟେବୁଲ୍ ବୈଠକରେ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସହ ଭୁବନାନନ୍ଦ ଦାସ ୭.୧୨.୧୯୩୨ରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପରିଣାମରେ ୨୪.୧୨.୧୯୩୨ରେ ଗୋଲ୍ଟେବୁଲ୍ ବୈଠକର ଶେଷ ଦିବସରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ଘୋଷିତ ହେଲା । ମାତ୍ର ଓଡ଼ିଶା ପ୍ରଦେଶ ଗଠନର ଶେଷ ପର୍ଯ୍ୟାୟଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଓ ଦୁଃଖଦ ଥିଲା ।
ଓଡ଼ିଆ ନେତୃବର୍ଗଙ୍କ ସହିତ ଆନ୍ଧ୍ର ନେତୃବର୍ଗ ତିନିଗୋଟି ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠନର ଦାବି ଉଠାଇଥିଲେ । ଏହାପରେ ୧୮.୩.୩୩ରେ ବ୍ରିଟିଶ ସରକାରଙ୍କ ପକ୍ଷରୁ ଯେଉଁ ଶ୍ୱେତପତ୍ର ପ୍ରକାଶ ପାଇଲା, ସେଥିରେ ସମ୍ଭାବ୍ୟ ଓଡ଼ିଶା ପ୍ରଦେଶରୁ ଜୟପୁର ଜମିଦାରି ଓ ପାରଳାଖେମୁଣ୍ଡି ଜମିଦାରି ବାଦ୍ ଦିଆଯାଇଥିଲା । ଏବଂ ଓଡ଼ିଶା ପ୍ରଦେଶର ଆୟତନ ୩୩,୦୦୦ ବର୍ଗମାଇଲରୁ ହ୍ରାସପାଇ ମାତ୍ର ୨୧,୫୪୫ ବର୍ଗମାଇଲରେ ସୀମିତ ରହିଲା । ଅନ୍ୟ ଅର୍ଥରେ ଏକ ତୃତୀୟାଂଶ ସମୃଦ୍ଧ ଅଂଶ ବାଦ୍ ପଡ଼ିଗଲା, ଯାହା ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ ଓ ମର୍ମନ୍ତୁଦ ଥିଲା । ଏହି ବିଷାଦାଚ୍ଛନ୍ନ ଓ ଶୋକଗ୍ରସ୍ତ ମୁହୂର୍ତ୍ତରେ ଜାତିର ଅନନ୍ୟ ସାରଥି ମଧୁସୂଦନ, ପାରଳା ମହାରାଜାଙ୍କ ଅଧିନାୟକତ୍ୱରେ ଏକ ଓଡ଼ିଆ ପ୍ରତିନିଧି ଦଳ ଯାଇ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ସାକ୍ଷ୍ୟପ୍ରଦାନ ପାଇଁ ଅନୁରୋଧ କରିଥିଲେ । ପରିଣାମରେ ୭.୪.୧୯୩୩ରେ ପାରଳା ମହାରାଜଙ୍କ ନିକଟରେ ଖଲ୍ଲିକୋଟ ରାଜା, ଭୁବନାନନ୍ଦ ଦାସ, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଲଣ୍ଡନ ଯାତ୍ରା କରି ୩.୭.୧୯୩୩ରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହାପରେ ଆନ୍ଧ୍ର ପ୍ରତିନିଧି ଦଳ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହି ପର୍ଯ୍ୟାୟ ପରେ କମିଟି ଓଡେ଼ନେଲଙ୍କଠାରୁ ୭.୧୧.୧୯୩୩ରେ ତାହାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟକୁ ଅନୁଶୀଳନ କରିଥିଲେ । ପାରଳା ମହାରାଜା ୧୨.୮.୧୯୩୩ରେ ଓଡ଼ିଶା ଫେରିଥିଲେ ମଧ୍ୟ ତାହାଙ୍କର ଦାବି ଉପସ୍ଥାପନା ପାଇଁ ପୁନରାୟ ୨୨.୫.୧୯୩୪ରେ ଲଣ୍ଡନ ଯାଇ ଦୀର୍ଘ ଛଅମାସ ଅବସ୍ଥାନ କରି ୮.୧୧.୧୯୩୪ରେ ଓଡ଼ିଶା ଫେରିଥିଲେ ।
ସେହି ଗୁରୁତ୍ୱପୂର୍ଣ୍ଣ ବେଳାରେ ମାଡ଼୍ରାସ ସରକାର ତଥା ବଡ଼ଲାଟଙ୍କର ପ୍ରବଳ ପ୍ରତିରୋଧ ସତ୍ତ୍ୱେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ତାତ୍ପର୍ଯ୍ୟପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟରେ ଇଂଲଣ୍ଡନର ମଧୁସୂଦନଙ୍କର ଇଂରେଜୀ ସୁହୃଦ୍ବର୍ଗ ତଥା ବିହାର ବିଧାନସଭାରେ ମଧୁସୂଦନଙ୍କର ଅନ୍ତରଙ୍ଗ ବନ୍ଧୁ ସଚ୍ଚିଦାନନ୍ଦ ସିହ୍ନା ପ୍ରମୁଖ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନା ଲାଗି ଅନୁକୂଳ ପ୍ରସ୍ତାବ ଗ୍ରହଣ କରି ଶ୍ୱେତ ଓ ମାଟିଆ ସାମ୍ରାଜ୍ୟବାଦର ବିଭେଦ ଭୁଲି ଅଯାଚିତ ସାହାଯ୍ୟ ପ୍ରଦାନ କରିଥିଲେ ।
ଅବଶେଷରେ ୨୨.୧୧.୧୯୩୪ରେ ପ୍ରକାଶିତ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିର ସର୍ବଶେଷ ସିଦ୍ଧାନ୍ତ ଅନୁସାରେ ଜୟପୁର ଜମିଦାରି ଓ ପାରଳା ଜମିଦାରରିର ଏକ ତୃତୀୟାଂଶ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତ ହେବାପରେ ଶ୍ୱେତପତ୍ରରେ ଉଲ୍ଲିଖିତ ଆୟତନ ତୁଳନାରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ଆୟତନ ଅର୍ଦ୍ଧାଧିକ ବୃଦ୍ଧି ପାଇଥିଲା । ଅବଶେଷରେ ଓଡ଼ିଶା ପ୍ରଦେଶର ଆୟତନ ୩୨,୬୯୫ ବର୍ଗ ମାଇଲକୁ ବୃଦ୍ଧି ପାଇଥିଲା ଆଉ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୮୦ ଲକ୍ଷଥିଲା । ଏହାଥିଲା ସମଗ୍ର ଓଡ଼ିଶା ଇତିହାସର ସବୁଠାରୁ ଗୌରବୋଜ୍ଜ୍ୱଳ ଅଧ୍ୟାୟ ।
ପାରଳା ମହାରାଜ ୧୨.୮.୧୯୩୩ରେ ଇଂଲଣ୍ଡରୁ ଫେରି ସିଂହଭୂମିର ନେତୃପୁରୁଷ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଲେଖିଥିଲେ, ""ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶ୍ରେୟ, ରିସ୍ଲେ ସାର୍କୁଲାର, ଯାହା ମଧୁସୂଦନଙ୍କର ପ୍ରଚେଷ୍ଟାରେ କର୍ଜନଙ୍କ ଦ୍ୱାରା ପ୍ରଚାରିତ ହୋଇଥିଲା, ତାହାଙ୍କୁ ପ୍ରାପ୍ୟ । ଏହା ହିଁ ଅବଶେଷରେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା ।
ପ୍ରକୃତରେ ୧୯୦୦ ସାଲର ଶୀର୍ଣ୍ଣ ଓଡ଼ିଶା ଡିଭିଜନ ତୁଳନାରେ ୧୬.୧୦.୧୯୦୫ରେ ଆଉ ୧.୪.୧୯୩୬ରେ ଯେଉଁସବୁ ଅଞ୍ଚଳ ଓଡ଼ିଶା ସହିତ ସଂଯୁକ୍ତ ହୋଇଥିଲା, ତାହା ଏହି ପ୍ରଦେଶକୁ ଅକଳନ ପ୍ରାକୃତିକ ବିଭବ, ଅମାପ ଜଳ, ଅରଣ୍ୟ ଆଉ ଖଣିଜ ସଂପଦରେ ଭରିଦେଇ ଓଡ଼ିଶାକୁ ସମୃଦ୍ଧିଶାଳୀ ଆଉ ପ୍ରାଥମିକ ଭାଷାଭିତ୍ତିକ ପ୍ରଦେଶରେ ପ୍ରମାଣିତ କରିଛି । ମାତ୍ର ଓଡ଼ିଆ ଜାତିର ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ଆଜି ରହିଯାଇଛି, ବିସ୍ମୃତ ଆଉ ଅକୁତୋଭୟ ସଂଗ୍ରାମୀ ନେତୃବର୍ଗ ରହିଯାଇଛନ୍ତି ଅଜ୍ଞାତ ଆଉ ଅପାଂକ୍ତେୟ । ଏହା ହିଁ ଏହି ଜାତିର ଚରମ ଦୁର୍ଦ୍ଦଶା ଓ ଅଭିସଂପାତ ।
ସଂଗ୍ରାମରତ ମଧୁସୂଦନ
ଜାତୀୟ ଗୌରବ ମଧୁସୂଦନ ଦାସଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନିୟୋଜିତ ହୋଇଥିଲା ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଏକ ଅଘୋଷିତ ସଂଗ୍ରାମ ମଧ୍ୟରେ । ବାହ୍ୟ ଆବରଣରୁ ସେହି ସଂଗ୍ରାମର ତୀବ୍ରତା ଉପଲବ୍ଧ ହେଉନଥିଲେ ମଧ୍ୟ, ତାହାର ପ୍ରଖରତା କମ୍ ନଥିଲା । ତାହା ଥିଲା ବ୍ରିଟିଶ ସାମ୍ରାଜ୍ୟବାଦକୁ ମୂଳରୁ ଉଖାଡ଼ି ଦେବା ପାଇଁ ଏକ ଅବଦମିତ ସଂକଳ୍ପବଦ୍ଧ ଦୁର୍ଦମନୀୟ ପ୍ରଚେଷ୍ଟା ।
ପରାଧୀନତାର ନିଷ୍ପେଷଣ ମଧ୍ୟରେ ଓଡ଼ିଆ ଜାତୀୟତା ବହୁ ପରିମାଣରେ ବାଧା ପ୍ରାପ୍ତ ହୋଇଥିଲେ ମଧ୍ୟ ବହୁକାଳ ଧରି ତା'ର ନିଜସ୍ୱ ସଂସ୍କୃତି ଅକ୍ଷୁଣ୍ଣ ରଖି ପାରିଥିଲା । ଅନ୍ତଃସ୍ରୋତା ଫଲ୍ଗୁ ପରି ଓଡ଼ିଆ ସାହିତ୍ୟଧାରା ବହି ଚାଲିଥିଲା ଅପ୍ରତିହତ ଭାବରେ ଓ କେବେକେବେ ତାହା ଉତ୍ତାଳ ବନ୍ୟାର ରୂପ ନେଇଥିଲା । ମାତ୍ର ବ୍ରିଟିଶ ଉପନିବେଶବାଦର ପ୍ରଚଣ୍ଡ ଆଘାତ ଓଡ଼ିଆ ଜାତୀୟତାକୁ ଭୂଲୁଣ୍ଠିତ କରି ନିଶ୍ଚିହ୍ନ କରି ଦେଇଥିଲା । ତାହାର ଅର୍ଥନୀତି ହୋଇ ଯାଇଥିଲା ବିପନ୍ନ । ଗ୍ରାମ୍ୟ ଶିଳ୍ପ, ବାଣିଜ୍ୟ ଓ କୃଷିଠାରୁ ଆରମ୍ଭ କରି ବସ୍ତ୍ରଶିଳ୍ପ, ଲବଣ ଶିଳ୍ପ ଆଦି ସମସ୍ତ ଶିଳ୍ପ ହୋଇଥିଲା ଧୂଳିସାତ୍ । କୃଷକ ହୋଇଥିଲା ନିରନ୍ନ ଆଉ ବାସ୍ତୁହରା । ଅର୍ଥନୈତିକ ଦିଗଠାରୁ ଆରମ୍ଭ କରି ସାଂସ୍କୃତିକ କ୍ଷେତ୍ର ପର୍ଯ୍ୟନ୍ତ, ଭାଷାର ସୌଷ୍ଠବତାଠାରୁ ଆରମ୍ଭ କରି ସାମାଜିକ ଚଳଣିର ଗଭୀରତମ ପର୍ଯ୍ୟାୟ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଓଡ଼ିଆ ଜାତୀୟତା କେବଳ ବିପନ୍ନ ହୋଇ ନଥିଲା, ହୋଇଥିଲା ବିଦୀର୍ଣ୍ଣ ଆଉ ବିପର୍ଯ୍ୟସ୍ତ । ସମସ୍ତ କ୍ଷେତ୍ରରେ ଏକ ବିରାଟ ଶୂନ୍ୟତା ହିଁ ରାଜୁତି କରୁଥିଲା ।
ଏହି ସମଗ୍ର କ୍ଷେତ୍ରରେ ମଧୁସୂଦନଙ୍କର ସଂଗ୍ରାମ ଥିଲା ଭୂମିଲଗ୍ନ, ତୀବ୍ର ଆଉ ଅବଦମିତ । ଜୀବନର ସାୟାହ୍ନରେ ଆପଣାର କାର୍ଯ୍ୟାବଳୀର ସାମଗ୍ରିକ ମୂଲ୍ୟାୟନ କରି ଜାତି ପ୍ରତି ଅନ୍ତ
ଭାଷଣରେ ୧୯୩୩ ସାଲ ଫେବ୍ରୁଆରି ୧୨ ତାରିଖରେ ଶ୍ରୀରାମଚନ୍ଦ୍ର ଭବନରେ ମଧୁସୂଦନ ବଜ୍ର ନିର୍ଘୋଷ କଣ୍ଠରେ କହିଥିଲେ-
"ଏହି ଆନ୍ଦୋଳନ ଆରମ୍ଭ କରିବା ଦିନୁ ଆମକୁ ବହୁ ଦୁଃସମୟ ମଧ୍ୟରେ ଗତି କରିବାପାଇଁ ପଡ଼ିଛି । ଧନବଳ ଓ ବୁଦ୍ଧିବଳରେ ମୋ'ଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ସହିତ ମୋତେ ଏଥିପାଇଁ ମୁକାବିଲା କରିବାକୁ ପଡ଼ିଛି । କିନ୍ତୁ ଅନ୍ତରରେ ବିବେକ ଓ ଉପରେ ଭଗବାନଙ୍କୁ ସାକ୍ଷୀ ରଖି ମୁଁ ଏକାକୀ ସବୁ ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ସଂଗ୍ରାମ କରି ଆସିଛି । ଦିନେ ମୋର ମନରେ ଏହି ଭାବ ଜାଗ୍ରତ ହେଲା ଯେ, ମୁଁ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ହୋଇଥିବାରୁ ଏ ଜାତିକୁ ଏକତ୍ର କରିବାପାଇଁ ଭାବନା, ଭଗବାନ ମୋ ହୃଦୟରେ ଜାଗ୍ରତ କରାଇଛନ୍ତି । ମୁଁ ଏ ସଂପର୍କରେ ଚିନ୍ତାକଲି ଓ ଆଲୋଚନା କଲି । ସେଥିରୁ ମୋର ଦୃଢ଼ ପ୍ରତ୍ୟୟ ଜନ୍ମିଲା, ଓଡ଼ିଆ ଜାତିର ଇତିହାସ ଘେନି ଯେ କୌଣସି ଜାତି ଯଥାର୍ଥରେ ଗର୍ବିତ ହୋଇପାରେ । ମୋ ଜାତିପାଇଁ ମୋତେ କିଛି କରିବାକୁ ପଡ଼ିବ, ମାତ୍ର ମୁଁ ଯେ ଏକାକୀ ।"
ଏ ଥିଲା ବ୍ରିଟିଶ ଉପନିବେଶବାଦ ବିରୋଧରେ ସଂଗ୍ରାମ କରିବାର ମାନସିକ ପ୍ରସ୍ତୁତି । ହଁ ସମଗ୍ର ବିଶ୍ୱରେ ଉପନିବେଶବାଦର ସ୍ୱରୂପ କ'ଣ? ତାହାର ଚକ୍ରାନ୍ତ କିଭଳି କାର୍ଯ୍ୟକାରୀ ହୁଏ ?
ଜଣେ ଆନ୍ତର୍ଜାତିକ ଖାତିସଂପନ୍ନ ଦକ୍ଷିଣ ଆଫ୍ରିକୀୟ ନେତା ଆକ୍ସିଲେନ୍ କାବରାଇ, ୟୁନେସ୍କାର "ପରାଜିତ' ନାମକ ଗ୍ରନ୍ଥରେ ତାହାର ବିଶଦ ବ୍ୟାଖା କରିଛନ୍ତି ।
ସାମ୍ରାଜ୍ୟବାଦ, ପରାଧୀନ ସଂସ୍କୃତିକୁ ନିଷ୍ପେଷିତ କରିବାପାଇଁ ଚକ୍ରାନ୍ତ ଆରମ୍ଭ କରେ, ମାତ୍ର ପରାଧୀନ ଜନଗୋଷ୍ଠୀ, ଅନ୍ୟ ଦିଗରେ ମୁକ୍ତି ସଂଗ୍ରାମକୁ ବଞ୍ଚାଇ ରଖିବାପାଇଁ ନିଷ୍ପେଷଣ ବିରୋଧରେ ସଂସ୍କୃତିର ଆଶ୍ରା ନିଏ । ପରାଧୀନ ଜନଗୋଷ୍ଠୀ ସାମରିକ ଶକ୍ତିବିହୀନ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସାମ୍ରାଜ୍ୟବାଦ ବିରୁଦ୍ଧରେ ତାହାର ସଂଗ୍ରାମ ଜାରି ରଖେ ,ଯେଉଁ ସଂଗ୍ରାମ ତାହାର ସାଂସ୍କୃତିକ ଜୀବନ ଧାରା ମଧ୍ୟରେ ପ୍ରତିଫଳିତ ହୁଏ ।
ଏ ସମସ୍ତ ତଥ୍ୟର ପରିପ୍ରେକ୍ଷୀରେ ମଧୁସୂଦନଙ୍କର ବକ୍ତବ୍ୟ ଓ କାର୍ଯ୍ୟଧାରା ମୂଲ୍ୟାୟନ କରାଯାଇପାରେ ।
୧୮୫୭ ସାଲର ସିପାହୀ ବିଦ୍ରୋହ ପରେ, ଅସ୍ତ୍ର ଉତ୍ତୋଳନ କରି ସଂଗ୍ରାମ ବା ବିଦ୍ରୋହ କରିବାର ଶକ୍ତି ଭାରତୀୟମାନଙ୍କଠାରୁ ଲୋପ ପାଇଯାଇଥିଲା । ସୁରେନ୍ଦ୍ର ସାଏ, ଚକରା ବିଶୋୟୀ ଅଥବା ବକ୍ସି ଜଗବନ୍ଧୁଙ୍କ ପରି ଦୁର୍ଦ୍ଧର୍ଷ ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ଓ ବଳିଦାନ ଯାହାପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବିତ ତାହାର ଆଉ ଆବଶ୍ୟକତା ନଥିଲା । ଅସ୍ତ୍ରର ରଣଝଙ୍କାର ଅପେକ୍ଷା, ପ୍ରଚଣ୍ଡ ବିଦ୍ବତ୍ତା, ଶାଣିତ ଓ ପ୍ରଖର ବୁଦ୍ଧିମତ୍ତା, ଗଭୀର ପୁରୋଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ, ନିଜର ଜାତିର ମହିମାନ୍ୱିତ ଗାଥାରେ ଉଦ୍ବୁଦ୍ଧ, ମଧୁସୂଦନଙ୍କ ପରି ଏକ ଦିଗ୍ଦର୍ଶୀ ଜନନାୟକଙ୍କ ଅପେକ୍ଷାରେ ଓଡ଼ିଆ ଜାତି ଉଦ୍ଗ୍ରୀବ ହୋଇ ବସି ରହିଥିଲା
"ମଧୁସୂଦନ ଦେଶର ପରିସ୍ଥିତି, ପ୍ରତିରୋଧ, ବିକେନ୍ଦ୍ରୀକରଣ, ଶକ୍ତିର ତାଡ଼ନା ଯାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଥିଲା, ସେ ପ୍ରତି ଗଭୀର ଭାବେ ସଚେତନ ଥିଲେ । ସେ ଜନଗୋଷ୍ଠୀର ଦୁର୍ବଳତା ତଥା ସେମାନଙ୍କର ଅନ୍ତର୍ନିହିତ ଶକ୍ତିକୁ ଭଲଭାବେ ଉପଲବ୍ଧି କରିଥିଲେ ।
ସେ ତାଙ୍କର କାର୍ଯ୍ୟଧାରା ଅତ୍ୟନ୍ତ ଦକ୍ଷତାର ସହିତ ସଞ୍ଚାଳିତ କରିଥିଲେ ଆଉ କାହା ପ୍ରତି ଆଘାତ ନପହଞ୍ଚାଇ, ସମସ୍ତଙ୍କ ସହିତ ମିତ୍ରତା ସ୍ଥାପନା କରିଥିଲେ । ମାତ୍ର ଗୋଟିଏ ମୁହୂର୍ତ୍ତପାଇଁ ନିଜ କର୍ତ୍ତବ୍ୟକୁ ଭୁଲି ଯାଇ ନଥିଲେ କିମ୍ବା କର୍ତ୍ତବ୍ୟରୁ ବିଚ୍ୟୁତ ହୋଇ ନଥିଲେ । ସେହି କର୍ତ୍ତବ୍ୟଟି ଥିଲା ବିଚ୍ୟୁତ ହୋଇଯାଇଥିବା ଓଡ଼ିଆ ଜାତିର ପରିଚୟକୁ ପୁନରୁଦ୍ଧାର କରି ପୁନଃ ସଂସ୍ଥାପିତ କରିବା । ସେହି ଓଡ଼ିଆ ପରିଚୟର ଦିଗନ୍ତ ହେଉଛି, ତାହାର ସାଂସ୍କୃତିକ ପରମ୍ପରା, ତାହାର ପୁରାଣ, ଚାରୁକଳା, ତାହାର ହସ୍ତଶିଳ୍ପ, ଲୋକଗୀତି ଓ କାହାଣୀର ଅନବଦ୍ୟ ସମ୍ଭାର ଆଉ ତାହାର ଯାତ୍ରା ଏବଂ ଉତ୍ସବ । ସେ ବିରୋଧୀ ଶକ୍ତିକୁ ଭୀତତ୍ରସ୍ତ ନକରି ଓଡ଼ିଆ ସଂସ୍କୃତି ଏବଂ ଭାଷାର ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ପାଇଁ କାର୍ଯ୍ୟକରି ଚାଲିଥିଲେ ।" କିଭଳି ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ପାଲ୍ଙ୍କର ଏହି ଉକ୍ତି । ସେ ପ୍ରକୃତରେ ସ୍ଥିତିଶୂନ୍ୟତାର ଘନ ଅନ୍ଧକାରରୁ ଓଡ଼ିଆ ଜାତିର ପୁନରୁଦ୍ଧାର କରିଥିଲେ ।
ବ୍ରିଟିଶ ସାମ୍ରାଜ୍ୟବାଦ ସହିତ ତାହାଙ୍କର ସିଧାସଳଖ ମୁକାବିଲା ହୋଇଥିଲା ସ୍ୱଦେଶୀ ଶିଳ୍ପ ମାଧ୍ୟମରେ । ସେ ସମଗ୍ର ଭାରତର ସ୍ୱଦେଶୀ ଶିଳ୍ପ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ କେବଳ ନଥିଲେ, ସେ ଅବାରିତ ଭାବେ ଗ୍ରାମ ଗ୍ରାମ, ସହର ସହର ବୁଲି ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ଏଇଥିପାଇଁ ସ୍ୱତନ୍ତ୍ର ଭାବେ ସମସ୍ତ ନାଗରିକଙ୍କଠାରୁ ସାରା ଜୀବନ ଧରି କେବଳ ସ୍ୱଦେଶୀ ଉତ୍ପାଦିତ ଦ୍ରବ୍ୟର ବ୍ୟବହାର ପାଇଁ ଶପଥ ପାଠ କରାଉଥିଲେ ।
ଏଣୁ ଏ ସମସ୍ତ ନିଃସନ୍ଦେହରେ ଥିଲା ଅର୍ଥନୈତିକ କ୍ଷେତ୍ରରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ତାତ୍ପର୍ଯ୍ୟପୂର୍ଣ୍ଣ ସଂଗ୍ରାମ । ଏ ସଂଗ୍ରାମର ବହୁ ଦିଗନ୍ତରେ ମଧୁସୂଦନ ତାଙ୍କର ସଂଗ୍ରାମ ଅପ୍ରତିହତ ରଖିଥିଲେ । ଏ ସମସ୍ତର ପୁରୋଭାଗରେ ଥିଲା ଓଡ଼ିଆ ଜାତୀୟତାର ପୁନରୁଦ୍ଧାର ଆଉ ପୁନଃ ସଂସ୍ଥାପନ । ଅନ୍ୟଥା ଏକ ସମୃଦ୍ଧ ସାହିତ୍ୟ ପରମ୍ପରା ଘେନି ଗର୍ବିତ ମୈଥିଳୀ ସଂପ୍ରଦାୟ ବିହାର ଭୂମିରେ ବିସ୍ଥାପିତ ହେଲାପରି ଓଡ଼ିଶାର ସ୍ଥିତି ଓ ପରମ୍ପରା ବିସ୍ମୃତିର ଗର୍ଭରେ ଲୀନ ହୋଇଯାଇଥାନ୍ତା ।
ଏହିଠାରେ ହିଁ ମଧୁସୂଦନଙ୍କର କାଳଜୟୀ ବ୍ୟକ୍ତିତ୍ୱର ପରାକାଷ୍ଠା ଓ ଗରିମାମୟ ପ୍ରଖରତାର ଦୀପ୍ତି ଉଦ୍ଭାସିତ ହୁଏ ।
ଓଡ଼ିଶା ପ୍ରଦେଶର ସ୍ଥାପନା:
ଏକ ବିସ୍ମୟକର ଉପଲବ୍ଧି
କ୍ରମଶଃ ତ୍ୱରିତ ଗତିରେ ଅବଲୁପ୍ତ ହୋଇଯାଉଥିବା ଓଡ଼ିଆଭାଷୀ ଗୋଷ୍ଠୀ ଚାରିଗୋଟି ବୃହତ ରାଜ୍ୟରେ ଉପହସିତ ଆଉ ନିର୍ଯ୍ୟାତିତ ହୋଇ ନୂ୍ୟନତମ ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଯାଇଥିଲା । ବିହାର ଓ ଓଡ଼ିଶା ପ୍ରଦେଶର ଅବହେଳିତ ପଞ୍ଚମ ଡିଭିଜନ ଥିଲା ଓଡ଼ିଶା ଡିଭିଜନ, ଯାହା ଓଡ଼ିଶାର ଏକମାତ୍ର ପରିଚୟ ଥିଲା । ସେହି ଓଡ଼ିଶା ମଧ୍ୟ ବ୍ରିଟିଶ ଶାସିତ (ମୋଗଲ ବନ୍ଦୀ) ଆଉ ସଂଲଗ୍ନ ୨୬ଟି ଗଡ଼ଜାତ ରାଜ୍ୟ ମଧ୍ୟରେ ବହୁଧା ବିଭାଜିତ ହୋଇଥିଲା । ଏଠାରେ ସୂଚାଇ ଦିଆଯାଉଛି ଯେ ଓଡ଼ିଶା ଡିଭିଜନ ଛଡ଼ା ବିହାରରେ ଅପେକ୍ଷାକୃତ ଚାରିଗୋଟି ବୃହତ ସମୃଦ୍ଧିଶାଳୀ ହିନ୍ଦୀଭାଷୀ ଡିଭିଜନଗୁଡ଼ିକ ହେଲା ତିରହୁତ, ଭାଗଲପୁର, ପାଟନା ଆଉ ଛୋଟନାଗପୁର । ୧୯୩୧ସାଲର ଭାଷାଭିତ୍ତିକ ଜନଗଣନା ଆଧାରରେ ସମଗ୍ର ଭାରତରେ ଓଡ଼ିଆ ଭାଷାଗୋଷ୍ଠୀ ନବମ ସ୍ଥାନରେ ରହି ମାତ୍ର ୧.୧୦କୋଟି ଜନସଂଖ୍ୟା ମଧ୍ୟରେ ସୀମିତ ରହିଥିବାବେଳେ ସେହି ବର୍ଷର ଜନଗଣନା ପରିସଂଖ୍ୟାନର ଆଧାରରେ କ୍ରମିକ ରୀତିରେ ଅନ୍ୟ ଆଠଗୋଟି ବୃହତ ଭାଷାଭାଷୀ ଗୋଷ୍ଠୀଙ୍କର ସଂଖ୍ୟା ନିମ୍ନରେ ପ୍ରଦତ୍ତ ହେଲା ।
ହିନ୍ଦୀଭାଷୀ- ୪୧.୪୨ କୋଟି, ବଂଗଭାଷୀ-୫,୩୪ କୋଟି, ତେଲୁଗୁଭାଷୀ- ୨.୬୩ କୋଟି, ମରାଠୀ--୨.୦୮ କୋଟି, ପଞ୍ଜାବୀ ୧.୫୮କୋଟି, ଗୁଜୁରାଟୀ-୧.୧୩ କୋଟି, ଆଉ କନ୍ନଡ଼ଭାଷୀ ୧.୧୬କୋଟି, ପରିଶେଷରେ ଓଡ଼ିଆ ମାତ୍ର ୧.୧୦ କୋଟି ।
ପଶ୍ଚିମରେ ସୁବିସ୍ତାରିତ ହିନ୍ଦୀଭାଷୀ ଅଞ୍ଚଳ, ଆଉ ଉତ୍ତର ଏବଂ ଦକ୍ଷିଣରେ ଦୁଇଟି ସର୍ବ ବୃହତ ଭାଷୀ ବଂଗଳା ଓ ତେଲୁଗୁଭାଷୀଙ୍କ ମଧ୍ୟରେ ସଂକୁଚିତ ରହି ନବମ ସ୍ଥାନରେ ସ୍ଥିତ ଓଡ଼ିଆ ଜାତି ନିଜର ସତ୍ତା ହରାଇବାକୁ ବସିଥିବାବେଳେ କେଉଁ ପ୍ରଚଣ୍ଡ ଅବଦମିତ ଆସ୍ପର୍ଦ୍ଧା ଘେନି ସର୍ବପ୍ରଥମ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶର ସ୍ଥାପନା ଲାଗି କ୍ରମାଗତ ଭାବେ ୧୮୬୬ ସାଲରୁ
ସତୁରି ବର୍ଷ କାଳର ସୁଦୀର୍ଘ ବିରାମହୀନ ସଂଗ୍ରାମର ଧାରା ସଂଚାଳିତ କରି ରଖିଥିଲା, ତାହା ବର୍ତ୍ତମାନ ସମୟରେ ଅଚିନ୍ତନୀୟ ।
ପରାଧୀନ ଭାରତରେ ସବୁଠାରୁ ଦୟନୀୟ ଆଉ ପରିତାପର ବିଷୟ ହେଲା ଯେ, ମହାତ୍ମାଗାନ୍ଧୀଙ୍କ ବ୍ୟତିରେକେ, ପ୍ରାୟ ସମସ୍ତ ସର୍ବଭାରତୀୟ ନେତୃବର୍ଗ ଆଉ ରାଜନୈତିକ ଦଳ, ଓଡ଼ିଶା ପ୍ରଦେଶ ଗଠନର ପ୍ରକିୟାକୁ ତୀବ୍ର ଭାବରେ ପ୍ରତିରୋଧ କରୁଥିଲେ ।
ଭାରତୀୟ କେନ୍ଦ୍ରୀୟ ବିଧାନ କାଉନ୍ସିଲରେ, ମଧୁସୂଦନ ଦାସ, ସଚ୍ଚିଦାନନ୍ଦ ସିହ୍ନା, ନୀଳକଣ୍ଠ ଦାସ ଆଉ କନିକା ରାଜା ପ୍ରମୁଖ ଓଡ଼ିଶା ପ୍ରଦେଶର ଆଶୁ ଗଠନ ଲାଗି ଉଦାତ୍ତ ଆଉ ଓଜସ୍ୱିନୀ ସ୍ୱରରେ ପ୍ରଖର ଭାବରେ ସେମାନଙ୍କର ଦାବିକୁ ଉତ୍ତୋଳିତ କରିଥିଲେ । ଏହି କାଉନସିଲ୍ରେ ଜଣେ ପ୍ରଭାବଶାଳୀ ସଦସ୍ୟରୂପେ ୧୯୨୪ ସାଲରେ ଭୁବନାନନ୍ଦ ଦାସଙ୍କର ଭୂମିକା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ଏହି ସମସ୍ତ ଦେଶ ହିତୈଷୀ ନେତୃବର୍ଗଙ୍କର ସମନ୍ୱିତ ଉଦ୍ୟମ ଆଉ ସମ୍ମିଳିତ ପ୍ରଚେଷ୍ଟାରେ ବିଭିନ୍ନ ପ୍ରଦେଶରେ ସ୍ଥିତ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣରେ ନିମ୍ନଲିଖିତ ଭାବରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ତାହାର ହିସାବ ଏହିପରି କରାଯାଉଛି ।
ଓଡ଼ିଶା ପ୍ରଦେଶ ସ୍ଥାପନାର ବର୍ଷ ୧୯୩୬ ସାଲର ପ୍ରାରମ୍ଭରେ ବିହାର ଓ ଓଡ଼ିଶା ପ୍ରଦେଶର ଓଡ଼ିଶା ଡିଭିଜନର ଆୟତନ (ଗଡ଼ଜାତ ବ୍ୟତୀତ) ଥିଲା ୧୩,୭୦୬ ବର୍ଗମାଇଲ । ମାଡ଼୍ରାସ ପ୍ରଦେଶରୁ ଆସିଲା ୧୭,୪୦୦ ବର୍ଗମାଇଲ, ମଧ୍ୟପ୍ରଦେଶରୁ ଆସିଲା ୧,୫୮୯ ବର୍ଗମାଇଲ । ତେଣୁ ୧୯୩୬ ସାଲ ଏପ୍ରିଲ୍ ପହିଲାରେ ନୂତନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଆୟତନ (ଗଡ଼ଜାତ ବ୍ୟତୀତ)ହେଲା, ୩୨,୬୯୫ ବର୍ଗମାଇଲ ଆଉ ଜନସଂଖ୍ୟା ୮୦,୪୩,୬୮୬ । ନିମ୍ନୋକ୍ତ ବିବରଣୀ ଦ୍ରଷ୍ଟବ୍ୟ ।
କ୍ରନଂ | ପ୍ରଦେଶ | ଆୟତନ (ବର୍ଗ.ମା) | ଜନସଂଖ୍ୟା |
---|---|---|---|
୧ | ମାଡ୍ରାସ | ୧୭,୪୦୦ | ୨୫,୫୨,୮୭୪ |
୨ | ମଧ୍ୟପ୍ରଦେଶ | ୧,୫୮୯ | ୧,୮୪,୬୬୫ |
୩ | ବିହାର ଓ ଓଡ଼ିଶା | ୧୩,୭୦୬ | ୫୩,୦୬,୧୪୭ |
ମୋଟ | ୩୨,୬୯୫ | ୮୦,୪୩,୬୮୬ |
କବଳିତ କରି ରଖାଯାଇପାରିଥାନ୍ତା । ଏହି କ୍ଷେତ୍ରରେ ବିହାରର କିଛି ନେତୃବର୍ଗଙ୍କର ଚକ୍ରାନ୍ତର ବହୁଳ ପ୍ରମାଣ ରହିଛି । ସେହିପରି ସ୍ୱାଧୀନତା ପ୍ରାପ୍ତିବେଳକୁ ଓଡ଼ିଶା ଓ ଛତିଶିଗଡ଼ର ଗଡ଼ଜାତମାନେ ମିଶି ପୂର୍ବାଞ୍ଚଳ ଦେଶୀୟ ଗଡ଼ଜାତ ସଂଘ ଗଠିତ କରିଥିବାରୁ ଅବଶେଷରେ ତାହା କିଭଳି ପରିସ୍ଥିତିରେ ପହଞ୍ଚିଥାନ୍ତା ତାହା ମଧ୍ୟ ଅଚିନ୍ତନୀୟ । ଶେଷରେ ଓଡ଼ିଆଭାଷୀ ଅଞ୍ଚଳ ସବୁ ବିଘଟନ ଆଉ ବିଭାଜନ ପରିସ୍ଥିତି ମଧ୍ୟରେ କ୍ରମଶଃ ନିଶ୍ଚିହ୍ନ ସ୍ଥିତିକୁ ପ୍ରାପ୍ତ ହୋଇଥାନ୍ତା ।
ବିଂଶ ଶତାବ୍ଦୀର ଶେଷ ବେଳକୁ ୨୦୦୧ ସାଲରେ ଓଡ଼ିଆଭାଷୀ ବ୍ୟକ୍ତିମାନଙ୍କର ସଂଖ୍ୟା ଶତକଡ଼ା ହାରରେ, ୧୯୩୧ ସାଲର ତୁଳନାରେ ପ୍ରାୟ ରହିଛି ଅପରିବର୍ତ୍ତିତ । ନୂତନ ଓଡ଼ିଶା ପ୍ରଦେଶ ସ୍ଥାପନାବେଳକୁ ଓଡ଼ିଆଭାଷୀ ଜନସଂଖ୍ୟା ନବମ ସ୍ଥାନରେ ରହିଥିଲା ବେଳେ, ବିଂଶ ଶତାବ୍ଦୀ ଶେଷବେଳକୁ ଦେଶର ଓଡ଼ିଆଭାଷୀ ଜନସଂଖ୍ୟା ପ୍ରାୟ ଦଶମ ସ୍ଥାନରେ ରହିଛି । ତାହା ଶତକଡ଼ା ହିସାବରେ ପ୍ରଦତ୍ତ କରାଯାଉଛି ।
(୧) ହିନ୍ଦୀ-୪୦.୨୨%, (୨)ବଂଗାଳୀ-୮.୩୦%, (୩)ତେଲ୍ଗୁ-୭.୮୭%, (୪) ମରାଠୀ- ୪.୮୫%, (୫) ତାମିଲ୍-୬.୩୨%, (୬) ଉର୍ଦ୍ଧୁ-୬.୧୮%, (୭) ଗୁଜୁରାଟୀ-୪.୮୫%, (୮) କନ୍ନଡ଼- ୩.୯୧%, (୯) ମାଲାୟଲମ୍-୩.୬୨%, (୧୦) ଓଡ଼ିଆ ୩.୩୫%, (୧୧) ପଞ୍ଜାବୀ-୨.୭୯%
ଏହା ସମସ୍ତ ବିସ୍ମୟ ମଧ୍ୟରେ ସବୁଠାରୁ ବିସ୍ମୟାତୀତ ବିସ୍ମୟ ଯେ ପରାଧୀନ ଭାରତରେ, ଓଡ଼ିଆଭାଷୀ ଜନସଂଖ୍ୟା, ଅନ୍ୟଭାଷୀ ସଂଖ୍ୟାଙ୍କ ତୁଳନାରେ ଦଶମ ସ୍ଥାନରେ ରହିଥିଲା ବେଳେ ୧୯୩୬ ସାଲରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଆଭାଷୀ ସଂଖ୍ୟାଠାରୁ ତେଲୁଗୁ, ମରାଠୀ, ତାମିଲ, ଗୁଜୁରାଟୀ, କନ୍ନଡ଼ ଆଉ ମାଲାୟଲମ୍ଭାଷୀ ଜନସଂଖ୍ୟା ବହୁପରିମାଣରେ ଅଧିକ ହୋଇଥିଲେ ମଧ୍ୟ, ସେମାନଙ୍କଦ୍ୱାରା ଅଧ୍ୟୁଷିତ ରାଜ୍ୟ ଆନ୍ଧ୍ର, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, କର୍ଣ୍ଣାଟକ ଆଉ କେରଳ ଏପରିକି ପଞ୍ଜାବ ରାଜ୍ୟ ମଧ୍ୟ ସ୍ୱାଧୀନତା ପ୍ରାପ୍ତିର ବହୁ ବର୍ଷ ପରେ ସ୍ଥାପିତ ହୋଇଥିଲା । ଏହାହିଁ ଦେଶ ମିଶ୍ରଣ ନେତୃବର୍ଗଙ୍କର ଅଦ୍ଭୁତ ପରାକାଷ୍ଠା, ଯୁଗୋପଯୋଗୀ ସାମର୍ଥ୍ୟ, ଗରିମାଦୀପ୍ତ ନେତୃତ୍ୱକୁ ପ୍ରତିପାଦନ କରେ ।
ମୁଖ୍ୟତଃ ମଧୁସୂଦନ ଦାସ, ପାରଳା ମହାରାଜା, ଧରଣୀଧର ମିଶ୍ର ଆଦି ବହୁ ଉତ୍ସର୍ଗୀକୃତ ଗରିମାମୟ ନେତୃପୁରୁଷଙ୍କର ସମନ୍ୱିତ ଉଦ୍ୟମ ଯୋଗୁଁ ବିଭିନ୍ନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣରେ ୧୯୩୬ ସାଲରେ ଯେଉଁ ଓଡ଼ିଶା ପ୍ରଦେଶ ସୃଷ୍ଟିହେଲା, ତାହାରି ଫଳରେ ଏହି ପ୍ରଦେଶ ବିପୁଳ ଖଣି, ଜଳ, ଅରଣ୍ୟ ଆଦି ପ୍ରାକୃତିକ ସମ୍ପଦର ଅଧିକାରୀ ହୋଇପାରିଲା । ସେହି ଉଦୀପ୍ତ ନେତୃବର୍ଗଙ୍କର ଅଧିନାୟକତ୍ୱରେ ସଂଚାଳିତ ତାପùର୍ଯ୍ୟପୂର୍ଣ୍ଣ ଦେଶ ମିଶ୍ରଣର ପ୍ରକ୍ରିୟା ଯୋଗୁଁ ରତ୍ନଗର୍ଭା ଓଡ଼ିଶାର ଭୂମିତଳେ ଭାରତର ସର୍ବାଧିକ ପରିମାଣର ବକ୍ସାଇଟ୍, ମାଙ୍ଗାନିଜ୍, କୋଇଲା ଆଉ ଲୁହାପଥର ଗଚ୍ଛିତ ହୋଇ ରହିଛି ।
ନୂତନ ସହସ୍ରାବ୍ଦର ପ୍ରାରମ୍ଭ ବର୍ଷରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି ଜାତିସଂଘର ଆବାହକତ୍ୱରେ ସାରା ବିଶ୍ୱରେ "ମାତୃଭାଷା' ଦିବସ ୨୦୦୦ ସାଲର ଫେବ୍ରୁଆରି ୨୧ ତାରିଖରେ ।
ଏହି ଉପଲକ୍ଷେ, ଆମର ପ୍ରତିବେଶୀ ରାଜ୍ୟ ପଶ୍ଚିମ ବଙ୍ଗ ଆଉ ଆନ୍ତର୍ଜାତିକ ସୀମାରେଖା ସେପାରିର ସମଗ୍ର ବାଂଲା ଦେଶକୁ ଆବରିତ କରି କଲିକତା ଆଉ ଢ଼ାକାରେ ଏକ ସମୟରେ ବାଜି ଉଠିଥିଲା ଐକ୍ୟତାନିକ ମୂର୍ଚ୍ଛନା, ଭ୍ରାତୃତ୍ୱବୋଧର ଉଦ୍ଘୋଷଣାକରି, ଦୁଇଟି ଅଂଚଳ ମଧ୍ୟରେ ବହୁ ବିଭେଦ, ପ୍ରତିବନ୍ଧକ ଆଉ ଅନ୍ତରାୟ ମଧ୍ୟରେ । ଏହି ସମୟକୁ ଅତିକ୍ରମ କରି, ଆନ୍ତର୍ଜାତିକ ସୀମାରେଖାର ଉଭୟ ପାର୍ଶ୍ୱରେ ସେଦିନ ଏହି ଆହ୍ୱାନରେ ସମ୍ମିଳିତ ହୋଇଥିଲେ ୨୨କୋଟି ବଙ୍ଗଳାଭାଷୀ ଜନସଂପ୍ରଦାୟ, ମାନସିକ ସମନ୍ୱୟତାର ନିବିଡ଼ ବନ୍ଧନରେ- ଯେପରି ମାତୃଭାଷା ହିଁ ଥିଲା ସେମାନଙ୍କର ଏକମାତ୍ର ପରିଚୟ । ସେହି ମାତୃଭାଷାର ସମସ୍ତ ଆଞ୍ଚଳିକତା ଓ ତାରତମ୍ୟ ସତ୍ତ୍ୱେ ସବୁରି ଊର୍ଦ୍ଧ୍ୱରେ ଗୌରବର ଦୀପ୍ତିରେ ଯେପରି ଦଣ୍ଡାୟମାନ ହୋଇ ରହିଥିଲା ବଙ୍ଗଳା ଭାଷା । ୧୯୫୨ ସାଲର ଫେବ୍ରୁଆରି ୨୧ ତାରିଖଟି ଥିଲା, ବଳିଦାନର ରକ୍ତମୁଖା ଦିବସ ଯେଉଁଦିନ ମାତୃଭାଷାର ସୁରକ୍ଷା ଲାଗି ଯୁଝାଯାଇଥିଲା ଦୁର୍ଦ୍ଦମନୀୟ ସଂଗ୍ରାମ ବାଂଲାଦେଶରେ । ଏହି ଅବିସ୍ମରଣୀୟ ଦିବସର ସ୍ମୃତିକୁ ଉଜାଗର ରଖିବାପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହିୟସୀ ହାସିନାଙ୍କର ଆବେଦନରେ ପାଳିତ ହୋଇଥିଲା ମାତୃଭାଷାର ଦିବସ ସମଗ୍ର ବିଶ୍ୱରେ ଜାତିସଂଘର ଆହ୍ୱାନରେ ।
ସ୍ୱାଧୀନତାର ବହୁ ପରବର୍ତ୍ତୀ କାଳରେ ୧୯୭୧ ସାଲରେ ବାଂଲାଦେଶ ଜନ୍ମଲାଭ କରିଥିଲା, ମାତ୍ର ଏହାର ସଂଯୋଜନାର ଭ୍ରୂଣ ସଂସ୍ଥାପିତ ହୋଇଥିଲା ୧୯୫୨ ସାଲର ଫେବ୍ରୁଆରି ୨୧ ତାରିଖରେ । ତାହାରି ସାକ୍ଷ୍ୟ ବହନ କରେ ଇତିହାସର ବହୁ ବିରଳ ପୃଷ୍ଠା ।
୧୯୪୭ ସାଲର ଅଗଷ୍ଟ ୧୪ ତାରିଖରେ ଭାରତର ବିଭାଜନ ପରେ ସୃଷ୍ଟି ହୋଇଥିଲା ପାକିସ୍ତାନ । ସ୍ୱାଧୀନତା ପ୍ରାପ୍ତିର ଅବ୍ୟବହିତ ପରେ ପାକିସ୍ତାନର ଉର୍ଦ୍ଦୁ ଆଉ ଇଂରାଜୀକୁ ରାଷ୍ଟ୍ରଭାଷା
ରୂପେ ଗ୍ରହଣ କରାଯାଇଥିଲା । ମାତ୍ର ୧୯୪୮ ସାଲରେ ଜଣେ ବଂଗଳାଭାଷୀ ହିନ୍ଦୁ ରାଷ୍ଟ୍ରୀୟ ବିଧାନ ସଭାରେ ଇଂରାଜୀ ଆଉ ଉର୍ଦ୍ଦୁ ସହିତ ବଂଗଳା ଭାଷାକୁ ରାଷ୍ଟ୍ରୀୟଭାଷା ରୂପେ ଗ୍ରହଣ କରିବାପାଇଁ ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ଏହାର ପ୍ରତିକ୍ରିୟା ଥିଲା କି ଭୟାବହ, ସେ ଯୁଗରେ ପାକିସ୍ତାନର ପରିପ୍ରେକ୍ଷୀରେ ।
୧୯୪୮ ସାଲର ଫେବୃଆରି ମାସରେ ଏହି ପ୍ରସ୍ତାବ ଆଗତ ହେବା ସଂଗେ ସଂଗେ ଦୃଢ଼ ପ୍ରତିବାଦ ଜଣାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାଁ ତୀବ୍ର ବିଦ୍ୱେଷଭରା କଣ୍ଠରେ କହିଲେ, "ପାକିସ୍ତାନର ସୃଷ୍ଟି ଲାଗି ଯେଉଁ ଶହଶହ ବର୍ଷ ଲାଗିଥିଲା, ସେହି ସଂଗ୍ରମୀମାନଙ୍କର ଭାଷା ଉର୍ଦ୍ଦୁ । ଏହି ପାକିସ୍ତାନରେ ଗୋଟିଏ ମାତ୍ର ରାଷ୍ଟ୍ର ଭାଷା ରହିବ । ତାହା ଉର୍ଦ୍ଦୁ ବିନା କିଛି ହୋଇ ନପାରେ ।"
ଠିକ୍ ଏହାର ଅବ୍ୟବହିତ ପରେ ପାକିସ୍ତାନର ନିର୍ମାତା ତଥା ରାଷ୍ଟ୍ରପତି, କ୍ୟୁଆଦ ଆଜଦ୍ ଜିନ୍ନା ତୀବ୍ର ମନ୍ତବ୍ୟ ପ୍ରକାଶ କରି କହିଥିଲେ, "ମୁଁ ଏ କ୍ଷେତ୍ରରେ ପରିଷ୍କାର କରି କହିଦେବାକୁ ଚାହେଁ ଯେ, ପାକିସ୍ତାନର ରାଷ୍ଟ୍ର ଭାଷା କେବଳ ଉର୍ଦ୍ଦୁ । ଯେଉଁମାନେ ଏ କ୍ଷେତ୍ରରେ ସଂଶୟ ସୃଷ୍ଟି କରୁଛନ୍ତି, ସେମାନେ ଏ ଦେଶର ଶତ୍ରୁ ।"
ଏହି ସମସ୍ତ ବକ୍ତବ୍ୟରେ ସତ୍ୟର ଅପଳାପ ହିଁ କରାଯାଇଥିଲା । ସେତେବେଳେ ଧରି ନିଆଯାଇଥିଲା, ପ୍ରତ୍ୟେକ ପାକିସ୍ତାନୀ ମୁସଲମାନଙ୍କର ଭାଷା ହେଉଛି ଉର୍ଦ୍ଦୁ । ବାସ୍ତବ କ୍ଷେତ୍ରରେ ଏହାର ସ୍ଥିତି ସଂପୂର୍ଣ୍ଣ ଅଲଗା ଥିଲା । ପୂର୍ବ ପାକିସ୍ତାନରେ ସଂଖ୍ୟାଧିକ ମୁସଲମାନମାନଙ୍କର ମାତୃଭାଷା ଉର୍ଦ୍ଦୁ ନୁହେଁ । ତାହା ଥିଲା ମାତୃ ସ୍ତନ୍ୟରୁ ଉତ୍ତରିତ ଦୁଗ୍ଧ ଭଳି ମାଆ କଣ୍ଠର ଭାଷା-ବଂଗଳା । ଢାକାରେ ଉଚ୍ଚାରିତ ବଙ୍ଗଳା ଆଉ କଲିକତାରେ କୁହାଯାଉଥିବା ବଙ୍ଗଳା ମଧ୍ୟରେ ଆଙ୍ଗିକରେ ବହୁ ବିଭେଦତା, ଉଚ୍ଚାରଣ ଆଉ ପ୍ରକାଶଭଂଗୀରେ ତାରତମ୍ୟ ସତ୍ତ୍ୱେ ପୂର୍ବ ପାକିସ୍ତାନ ଜନଗୋଷ୍ଠୀର ଭାଷା ଥିଲା ବଂଗଳା ।
ସେତେବେଳେ ସମଗ୍ର ପୂର୍ବ ଆଉ ପଶ୍ଚିମ ପାକିସ୍ତାନରେ ପରିସଂଖ୍ୟାନ ଅନୁଯାୟୀ ମାତୃଭାଷାର ଭିତ୍ତି ଉପରେ ଜନ ସଂଖ୍ୟାର ବିନ୍ୟାସ ଥିଲା ଏହିଭଳି । ବଙ୍ଗଳାଭାଷୀ- ୫୪.୮ଞ୍ଝ, ପଞ୍ଜାବୀ-୨୮.୪ଞ୍ଝ, ଉର୍ଦ୍ଦୁ-୭.୨୧ଞ୍ଝ, ସିନ୍ଧୀ-୫.୮ଞ୍ଝ, ଆଉ ଇଂରାଜୀ ୧.୧ଞ୍ଝ ।
ସମଗ୍ର ପାକିସ୍ତାନରେ ଏହି ପରିସଂଖ୍ୟାନ ଭିତ୍ତିରେ ସର୍ବବୃହତ୍ ଗୋଷ୍ଠୀ ବଙ୍ଗଳା ଭାଷା କହୁଥିଲେ ମଧ୍ୟ ତାହା ରାଜ ଦରବାରର ସ୍ୱୀକୃତି ପାଇପାରି ନଥିଲା । ବଂଗଳା ଭାଷାକୁ ସଂସ୍ଥାପିତ କରିବା ପାଇଁ ଏକ ଚାପା ବିଦ୍ରୋହ ଯେପରି ସର୍ବତ୍ର ଗୁଞ୍ଜରିତ ହେଉଥିଲା, ଚାରିଆଡେ଼ ଛାଇ ଯାଇଥିଲା ଏକ ଅସନ୍ତୋଷ । ଏକ ବିଷାଦଗ୍ରସ୍ତ ଅନ୍ତର୍ଦାହର ଶାଣିତ ଜ୍ୱାଳା ଯେପରି ଆକ୍ରାନ୍ତ କରି ରଖିଥିଲା ପୂର୍ବ ପାକିସ୍ତାନକୁ । ଏହିଭଳି କଣ୍ଠାଗ୍ରତ ପରିସ୍ଥିତିରେ ସୁଦୀର୍ଘ ଚାରୋଟି ବର୍ଷର ଭାରାକ୍ରାନ୍ତ ସମୟ ବିତିଗଲା ।
ସ୍ୱାଧୀନତା ପ୍ରାପ୍ତି ପରେ ପୂର୍ବ ପାକିସ୍ତାନର ପ୍ରଥମ ବଂଗଳାଭାଷୀ ମୁଖ୍ୟମନ୍ତ୍ରୀ ଖ୍ୱାଜା ନିଜାମୁଦ୍ଦିନ୍, ୧୯୫୨ ସାଲରେ ସମଗ୍ର ପାକିସ୍ତାନର ପ୍ରଧାନ ମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ । ୧୯୫୨ ସାଲର
ମାତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଘୋଷଣାର ଅନ୍ତିମ ପଙ୍କ୍ତି ଥିଲା, ""ଚିରକାଳ ଲାଗି ସମସ୍ତ ପାକିସ୍ତାନରେ ଉର୍ଦ୍ଦୁଭାଷା ହିଁ ଏକମାତ୍ର ରାଷ୍ଟ୍ର ଭାଷା ରୂପେ ବ୍ୟବସ୍ଥିତ ରହିବ, ଯାହା ସବୁକାଳ ଲାଗି ରହିବ ଅପରିବର୍ତ୍ତନୀୟ ।"
ଉଦ୍ଘୋଷଣାର ସମାପ୍ତି ପୂର୍ବରୁ ପରିସ୍ଥିତି ଥିଲା ଅଗ୍ନିଗର୍ଭ ଆଉ ଜ୍ଜ୍ୱଳନଶୀଳ । ସେଥିରେ ଯେପରି ଅଗ୍ନି ସଂଯୋଗ ହେଲା ତତ୍କ୍ଷଣାତ୍ । ଏକ ବିରାଟ ଶୋଭାଯାତ୍ରା ସ୍ୱତଃ ଆୟୋଜିତ ହୋଇଗଲା ଢାକା ବିଶ୍ୱବିଦ୍ୟାଳୟରେ, ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ତୀବ୍ର ପ୍ରତିକ୍ରିୟା ଜଣାଇ । ଢାକା ବିଶ୍ୱବିଦ୍ୟାଳୟ ପରିସର ଡେଇଁ ଛାତ୍ରସମାଜ ପହଞ୍ଚିଲେ ଜନପଦରେ ଆଉ ସମ୍ମୁଖୀନ ହେଲେ ପୁଲିସ୍ର ସଂଗିନ ଗୁଳିମାଡ଼ରେ । ରକ୍ତରଂଜିତ ହୋଇଗଲା ରାଜପଥ । ଅଗଣିତ ଛାତ୍ର ସହିଦ ହୋଇଗଲେ । ଇତିହାସର ପୃଷ୍ଠା ଲେଖାଗଲା ରକ୍ତରେ । ଜୀବନ୍ୟାସ ଦିଆଗଲା ଏକ ଗଣ ସଂଗ୍ରାମକୁ । ସେହି ୧୯୫୨ ସାଲ ଫେବ୍ରୁଆରି ୨୧ ତାରିଖରେ, ଯାହାର ଅନ୍ତିମ ପରିଣତିରେ ସୃଷ୍ଟି ହେଲା ବାଂଲାଦେଶ । ଭାଷାଭିତ୍ତିରେ ଆନ୍ତର୍ଜାତିକ କ୍ଷେତ୍ରରେ ଏହି ନୂତନ ଦେଶ ସୃଷ୍ଟି ହେଲା ।
ମୁସଲମାନ ଧର୍ମର ଭ୍ରାତୃତ୍ୱବୋଧ ଓ ସାଂପ୍ରଦାୟିକ ଆବେଦନ ସତ୍ତ୍ୱେ, ଭାଷାର ଆକର୍ଷଣ ଓ ଆହ୍ୱାନରେ ଗଢ଼ାଯାଇଥିଲା ବାଂଲାଦେଶ ।
ସ୍ୱଧୀନତାର ପୂର୍ବବର୍ତ୍ତୀ ଭାରତରେ ଓଡ଼ିଆ ଭାଷାର ଆହ୍ୱାନକୁ ଆଧାର କରି ସୃଷ୍ଟି ହୋଇଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା । ଏହି ଓଡ଼ିଆ ଭାଷା ମଧ୍ୟ ଚକ୍ରାନ୍ତର ସମ୍ମୁଖୀନ ହୋଇଥିଲା ୧୮୯୫ ସାଲରେ ଯେତେବେଳେ ସମ୍ବଲପୁର ଅଞ୍ଚଳରେ ହିନ୍ଦୀଭାଷାକୁ ଲଦି ଦିଆଯାଇଥିଲା । ସେତେବେଳେ ଏହି ଭାଷା ସଂଗ୍ରାମର ଅନ୍ୟତମ ରଥୀ ସ୍ୱଭାବ କବି ଗଂଗାଧର ମେହେର ଲେଖିଥିଲେ-
"ନିଜ ଘରେ ବସି ନିର୍ବାସନ ଦୁଃଖ,
ଏ ଆମ କପାଳ ଲିଖନ"
ଅଥବା ପରବର୍ତ୍ତୀ କାଳରେ ଲେଖିଥିଲେ-
"ମାତୃଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।"
ତେଣୁ ବିଭାଜିତ ବିଖଣ୍ଡିତ ଓଡ଼ିଶା, ଯାହା ଚାରୋଟି ପ୍ରାନ୍ତରେ ଅବହେଳିତ ଉପାଙ୍ଗ ଭଳି ଝୁଲି ରହିଥିଲା ଅପାଙ୍କ୍ତେୟ ଭାବରେ, ସେହି ଓଡ଼ିଆଭାଷୀ ଜନସଂପ୍ରଦାୟପାଇଁ ସ୍ୱାଧୀନତାର ବହୁ ପୂର୍ବବର୍ତ୍ତୀ ଯୁଗରେ ସ୍ୱାଧୀନତା ଆନ୍ଦୋଳନ ଅପେକ୍ଷା ଭାଷାପାଇଁ ସଂଗ୍ରାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଅନ୍ୟଥା ଓଡ଼ିଆଭାଷୀ ଅଂଚଳରେ, ସ୍ୱାଧୀନତା ପୂର୍ବବର୍ତ୍ତୀ ଯୁଗରେ ଭାଷାର ସଂଗ୍ରାମ ବିନା, ସମସ୍ତ ଉଦ୍ୟମ ଯଦି ସ୍ୱାଧୀନତା ଆନ୍ଦୋଳନ ମଧ୍ୟରେ ସୀମିତ ରହିଥା'ନ୍ତା, ତା' ହେଲେ ଓଡ଼ିଶାର ସ୍ଥିତି ଓ ପରିଚୟ କେବଳ ହତାଶଭରା ପ୍ରଶ୍ନବାଚୀ ଚିହ୍ନରେ ପରିଣତ ହୋଇଥାନ୍ତା । ନିର୍ବିବାଦରେ ଓଡ଼ିଶାପାଇଁ ସ୍ୱାଧୀନତା ଆନ୍ଦୋଳନ ଅପେକ୍ଷା ଭାଷା ଆନ୍ଦୋଳନ ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ ।
ଓଡ଼ିଶା ସୀମାନ୍ତର ମେଦିନୀପୁରଠାରୁ ଆରମ୍ଭ କରି ଉତ୍ତରର ହିମାଳୟ ସୀମାନ୍ତର ସିଲିଗୁଡ଼ି, ଦାର୍ଜିଲିଂ ଆଦି ନେଇ ପଶ୍ଚିମବଂଗର ସମସ୍ତ ଅଞ୍ଚଳ ଆଉ ବାଂଲଦେଶର ପରିବ୍ୟାପ୍ତ ସୀମା ଘେନି, ଏହି ସୁବିଶାଳ ଭୂଖଣ୍ଡରେ ବାସ କରୁଥିବା ୨୨ କୋଟି ଅଧିବାସୀ ନିଜକୁ ବଂଗାଳୀ ବୋଲି ଅଭିହିତ କରି ଏକ ଭାବଗତ ଏକତ୍ୱର ବନ୍ଧନରେ ବାନ୍ଧିହୋଇ ରହିଥିବା ବେଳେ ଓଡ଼ିଶାର ସାଢେ଼ ତିନିକୋଟି ଅଧିବାସୀଙ୍କ ମଧ୍ୟରେ ବିଭେଦର ସ୍ୱର ଗୁଞ୍ଜରିତ ହେବାକୁ ଲାଗିଲାଣି । ଏଥିପାଇଁ ବଂଗଳାଭାଷୀ ଅଧିବାସୀଙ୍କର ଆଦର୍ଶ କ'ଣ ସ୍ମରଣଯୋଗ୍ୟ ନୁହେଁ । କେବଳ ଏବେକାର ବାଂଲାଦେଶ ନୁହେଁ, ଧର୍ମ ସଂପ୍ରଦାୟ ଆଉ ବଂଗାଳୀ ଭାଷାର ତାରତମ୍ୟର ଆଧାରରେ ୧୯୦୫ ସାଲରେ ଯେଉଁ ବଂଗ ପ୍ରଦେଶର ବିଭାଜନ ହୋଇଥିଲା, ତାହାରି ବିରୁଦ୍ଧରେ ଶ୍ରୀଅରବିନ୍ଦଙ୍କର "ବନ୍ଦେ ମାତରମ୍" ଆଉ ସୁରେନ୍ଦ୍ରନାଥଙ୍କର ସ୍ୱଦେଶୀ ଆନ୍ଦୋଳନ ଫଳରେ ବଂଗ ପ୍ରଦେଶ ପୁଣି ଏକତ୍ର ହୋଇ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା ।
ତେଣୁ ଅବଲୁପ୍ତିର ଚରମ ମୁହୂର୍ତ୍ତରେ ମାତୃଭାଷା ଆଉ ମାତୃଭୂମିର ପରମ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ମଧୁସୂଦନ ଓଡ଼ିଶାର ନୂତନ ପରିଚୟ ପ୍ରଦାନ କରି ଏହାକୁ ଏକ ସଂସ୍କୃତି ସମ୍ପନ୍ନ ପ୍ରଦେଶରେ ପରିଣତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଏବେ ସ୍ମରଣରେ ଆସେ ଫକୀରମୋହନଙ୍କର ଆପ୍ତ ବଚନ-
"ମାତୃଭୂମି ମାତୃଭାଷା ଉଭୟେ ଜନନୀ
ଭକ୍ତିଭରେ ସେବ ତାଙ୍କୁ ଦିବସ ରଜନୀ ।"