ଆଶା ତମସା/କବି ପରିଚୟ
Appearance
< ଆଶା ତମସା
←ମୁରବି | ଆଶା ତମସା ଲେଖକ/କବି: କବି ପରିଚୟ |
ମଣିଙ୍ଗ୍ୱାକ୍→ |
କବି ଶ୍ରୀ ଦର୍ପଦମନ ଅଭିଷେକ । ସାହିତ୍ୟଜଗତରେ ଏକ ସୁପରିଚିତ ନାଁ । ଆଧୁନିକ ଓଡ଼ିଆ କବିତାର ରୋମାନ୍ସ ଆଲୋଚନା ହେଲେ ତାଙ୍କ ନାଁ ଉଠୁଥିବା ଚାନ୍ସ ଏକଦମ୍ ଅଶି ନବେ ପର୍ସେଣ୍ଟ । ତାଙ୍କ କବିତାର ଆୟତନ ମାନିବାକୁ ପଡିବ । ଶବ୍ଦ କହୁଥିବ ଧର୍ମ କିନ୍ତୁ ବକ୍ତବ୍ୟ ଧର୍ମ ନୁହେଁ । ଶବ୍ଦ କହୁଥିବ ପ୍ରେମ କିନ୍ତୁ ବକ୍ତବ୍ୟ ପ୍ରେମ ନୁହେଁ । ପାଠକ ଭାବୁଥିବ – ଏକଦମ୍ ଠିକ କଥା ମ । ମୁହଁରେ ମାନବିନି ସିନା, ମନ କହୁଥିବ – ହଁ । ମଣିଷ ଜୀବନର ସବୁଠୁଁ ବିପଦ୍ଜନକ ଦୁଇଟି ଛଳନା - ପ୍ରେମ ଓ ଦାୟିତ୍ୱବୋଧ । ଏ ସଂପର୍କରେ ତାଙ୍କ କବିତାର ବାଖ୍ୟା ଏକଦମ୍ ନିଆରା । ନୋ ଗଡ୍ଫାଦର, ନୋ ଲିଭର୍ - ନିଜ ଶିଘଂରେ ମାଟି ତାଡିଛନ୍ତି । ଛାଁକୁ ଛାଁ ଓଡ଼ିଆ ସାହିତ୍ୟରେ ତାଙ୍କୁ ଏ ଆସନ ମିଳିଛି । ୟୁନିଭରସିଟିଗୁଡାକ ବୁଝୁଛନ୍ତି, ହେଲେ ପୁରସ୍କାର ଦଉଥିବା ସଂସ୍ଥାଗୁଡା ବୁଝି ପାରୁ ନାହାଁନ୍ତି । ଚମକ୍ରାର ଛାତ୍ର ଜୀବନ ସତ୍ତ୍ୱେ ସିଏ ଆଇଏଏସ୍ ବା ସେମିତି କିଛି ହୋଇ ପାରିଲା ନାହାନ୍ତି । ତାଙ୍କର କେବଳ ଏତିକି ଅବସୋସ୍ । ତାଙ୍କୁ ଦେଖିଲେ ଲାଗେ, ଯେମିତି ସିଏ ଜଣେ ଟୋଣ୍ଟିଫୋର ଆୱାର କବି । ନିଶ୍ୱାସରେ ବି କବିତା । ତାଙ୍କ ଭାଗ୍ୟ, ଭଲ ପତ୍ଣୀଟିଏ ପାଇଛନ୍ତି । ମ୍ୟାଡମ ନିଜକୁ ନିଜେ ବୁଝେଇ ଦେଲେ – ହ୍ୟାତ୍ ନିହାତି ପାଗଳଟେ, ହେଲେ ଭଲ ଲୋକଟିଏ ମ! ତା’ପରଠାରୁ ଘର ଚଳିବାରେ ଖାସ୍ କିଛି ଅସୁବିଧା ନ ଥାଏ । ତଥାପି, କିଛି ଗାଳିଗୁଲଜ ଶୁଣି ସହିଯିବା ବା ବିଭିନ୍ନ ବିନୟ-ମୁଦ୍ରାରେ ଘୋର ଘୋର ସମସ୍ୟାର ମୁକାବିଲା କୌଶଳ ସେ ଜାଣି ସାରିଥା’ନ୍ତି । ତାଙ୍କ ବିଷୟରେ ପଦେ କୋଉଠି ବାହାରିଲେ ପତ୍ଣୀଙ୍କ ମନରେ ବେଶ୍ କିଛି ଗୌରବବୋଧ ଆସୁଥିବା କଥା ସେ ଯେତେବେଳେ ଠିକ୍ଠିକ୍ ଅନୁଭବ କରି ପାରିଲେ, ତା’ପରେ - ଅସହାୟତାରେ ନୁହେଁ – ଉଦାରଭାବେ ସେ ସ୍ତ୍ରୀଙ୍କ ବଶମ୍ବଦ ହୋି ପଡିଲେ । ଏସବୁ ଅଲିଖିତ ବୁଝାମଣା ବାହାଘରର କିଛି ବର୍ଷ ଭିତରେ ସରି ଯାଇଥିଲା । ଦର୍ପଦମନ ଅଭିଷେକ । ଏପରିକା ନାମକରଣ ସେତେବେଳେ ଅସମ୍ଭବ ଥିଲା । ଏହା ସେ ନିଜେ ନିଜ ପାଇଁ ସୃଷ୍ଟି କରିଥିବା ଏକ କବି-ନାମ । ଅନ୍ତତଃ ସାହିତ୍ୟ ଜଗତରେ ;ବଶ ପପୁଲାର । ତାଙ୍କ ଅସଲ ନାଁ - ଦଇତାରି ପରିଡା – ଖାଲି ବ୍ୟାଙ୍କ, ସରକାରୀ, ଜମିଜମା, ଚାକିରି ଆଦି ରେକର୍ଡ ପାଇଁ । କଲେଜ ସାମ୍ନାରେ ସେ ରିକ୍ସାରୁ ଓହ୍ଳାଇଲେ । ଟ୍ରାଉଜର ସଜାଡି ପଞ୍ଜାବିର ହାତ ଆଉ ଟିକେଟିକେ ଉପରକୁ ମୋଡି ଦେଲେ । ଆନମନା ଢ଼ଙ୍ଗରେ ସୁନା ଚେନ୍କୁ ଅଳ୍ପ ଦେଖେଇଲା ପରି ପଞ୍ଜାବି ବାହାରକୁ ଅଧା କାଢ଼ିଦେଲେ । କ୍ୟାମ୍ପସ ଭିତରକୁ ଯାଇ ଦେଖନ୍ତି ଯେ ଆଡମିସନ କାଉଣ୍ଟରରେ ଶହେଲାଖି ପୁଅ ଝିଅଙ୍କ ଧାଡି । ଉଞ୍ଚା ଉଞ୍ଚା ପାଚିରି ଭିତରେ ଥାଇ ବି ଯୁଗ କେଡ଼େ ବେଗରେ ବଦଳି ଯାଉଚି ହେ । ମନେ ପଡିଗଲା – ସିଏ ବି ରେଭେନ୍ସା ପିଲା । କ୍ଷରକର ବ୍ୟବଧାନ ପାଇଁ ସେ କେମିତି ରଷ୍ଟିକେଟ୍ ହେବାରୁ ରକ୍ଷା ପାଇଥିଲେ । ସେତେବେଳେ କେତେଟା ବି ଝିଅ? ଫି’ ଦେବେ । ଶୃଙ୍ଖଳା ନାଁରେ କି ଅସମ୍ଭବ ଅଙ୍କୁଶ । ମନ ହେବ, ତଥାପି ତୁମେ ସୁନ୍ଦର ଦେଖିବନି । ହାନୀ ହୋଇଯିବ ଶିଷ୍ଟତା । କାୟାରେ ମାୟା ପଶୁ କି ନା ଦେହ ଭିତରକୁ ପଶିଯିବ ପାପ । ଆତ୍ମାର ସର୍ବନାଶ କରି ଦବ । ତେଣୁ ଅସୁନ୍ଦରକୁ ସୁନ୍ଦର ଭାବି ପୁଣ୍ୟବାନ ହୁଅ । ଏ ଅଭ୍ୟାସ ଛାତ୍ରକାଳରୁ କର । ଏଇଟା ହଲି ଯିବାର ବୟସ ତ । ତେଣୁ ଥିଲା ପୁଅ ଓ ଝିଅଙ୍କ ଲାଇନ ପାଇଁ ଅଲଗା ଅଲଗା ଝର୍କା । ଗୋଟେ ପୂର୍ବ ପଟେ ତ ଆଉ ଗୋଟେ ଏକଦମ୍ ଦକ୍ଷିଣରେ । ଫି’ ଆଦାୟ ପାଇଁ କିନ୍ତୁ ଗୋଟିଏ ଟେବୁଲ । କୌଶଳରେ ଝିଅଙ୍କଠୁଁ ଫି’ ନିଆଯାଏ । ଭିତରୁ ଅଧାବୁଢ଼ା ପିଅନ କିରାଣିପଲ ମନ ପୁରେଇ ଦେଖିଥିବେ, ଅଥଚ ତାଙ୍କ ଅପରାଧ ଥିଲା – କେହି ଜଣେ ସିନିଅର ଝିଅ ଅତି ଭଲ ଲାଗିଲା ବୋଲି ତାକୁ ଆଉଥରେ ଦେଖିବାକୁ ସେ ଟିକେ କଣ ଆଡକୁ ପଳେଇ ଯାଇଥିଲେ । ବିକ୍ରମ ସାର୍ଙ୍କୁ ଦେଖି ସେ ଚଟ୍କରି ଫେରି ଆସିଥିଲେ । କିନ୍ତୁ ଯେଉଁ ଲୀଳା ଲାଗିବା କଥା, ତାହା ହିଁ ହେଲା । ମନା କରିବାକୁ ତ ବାଟ ନ ଥିଲା । ସେ ସେତେବେଳେ କାହାରିକି ବୁଝେଇ ପାରି ନ ଥିଲେ – କିଛି ଭଲ ଲାଗିବା କି କାହାକୁ ଟିକେ ଭଲ ପାଇବାର ଏକମାତ୍ର କାବ୍ୟରୂପ ରେପ୍ ନୁହେଁ । ଯାହାହେଉ, ପ୍ରଫେସର ନନ୍ଦୀଙ୍କ ଦୟାରୁ ରଷ୍ଟିକେଟ ଦଣ୍ଡ ଦଶ ଟଙ୍କା ଜୋରିମାନାରେ ପରିଣତ ହେଇଥିଲା । ଇଏ କି ଅଦ୍ଭୁତ । ଆଜିକାଲି ପୁଅ ଝିଅଙ୍କ ଲାଗି ଅଲଗା ଅଲଗା ଧାଡି ହଉନି କି? ମନେମନେ ଗୁଣ୍ଗୁଣେଇ ସିନା, କାହାକୁ ପଚାରିବେ? କୁ୍ୟର ସର୍ବଜ୍ଞାତା ମହିମା । ଦେହରେ ଦେହ ଳାଗିଲେ, ଝାଳ ସହିତ ଯେମିତି ଅହଂ ବି ଘଷି ହୋଇଯାଏ । ଜାତିମାରା ହେଲା ପରି ଦୂରଛଡା ବରଂ ଭଲ ଲାଗେ । ସେଠି କିନ୍ତୁ ବ୍ୟତିକ୍ରମ ଜଣାପଡୁଥିଲା । ଝିଅ ପୁଅ ମିଶି ଠିଆ ହୋଇଛନ୍ତି । କିଏ ଆଉ କାହାକୁ ଛୁଇଁ ଦେଉଛି ତ ସାଙ୍ଗମାନେ ସମ୍ମ ତିରେ ହସୁଛନ୍ତି । କ୍ୟାମ୍ପସ୍ଟା ସାରା ବିଶ୍ୱ ମାନଚିତ୍ର ପରି ମେଳାମେଳା ରୋମାଞ୍ଚ ରଞ୍ଜିତ ଯୌବନ । ସାତ ରଙ୍ଗକୁ ସାତ ସହସ୍ରରେ ପରିଣତ କରି ପାରୁଥିବା ଅସଂଖ୍ୟ ପ୍ରଜାପତି । ଟିକେ ଫୁ କରିଦେଲେ ଉଡିଯିବା ପରି ସମସ୍ତେ ତରତର । ତାଙ୍କର ସେଇ ଚିତ୍ର ଦେଖିବାକୁ ଭାରି ମନ ହେଉଥାଏ । ସତରେ ଏକା, ଏହା ହିଁ ବୟସର ବିଶ୍ୱମେଳା । ଏତେ ବିଚଳିତ ଭାବନା ପାଇଁ ନିଜ ବୟସ ବାଧା ଦେଲା । ସରୋଜିନୀକୁ ଚିଠି ଖଣ୍ଡେ ଦେବେ ଦେବେ ବୋଲି ଅଷ୍ଟମ ଶ୍ରେଣୀରୁ ମନାସି ଥିଲେ ଯେ ସେଥିପାଇଁ କେତେ ଅନିଦ୍ରାର ରାତି ବିତେଇଲେ । କେତେଥର ନିଶ୍ୱାସ ଜାକି ଯୋଜନା ପରେ ଯୋଜନାମାନ ତିଆରି କରୁଥିଲେ । ଅତି ସୁରକ୍ଷିତ ଓ ଅନ୍ତିମ ଭାବୁଥିବା ଯୋଜନା ଥରେ ବି ମନରୁ ପଦାକୁ ବାହାରି ପାରି ନ ଥିଲା । ଏମିତି ଏମିତି ସ୍କୁଲ କଲେଜ ଏବଂ ଆଉ ସବୁ ପାଠ ଟପି ସମୟ ଓ ମଣିଷମାନେ ଆଗକୁ ପଳାଇଗଲେ । କିଛି ହେଲାନି । ଚିହ୍ନା ପରିଚୟ ବି ହୋଇ ପାରିଲାନି । ସରୋଜିନୀ ବାହା ହୋଇଗଲା । ଏକ ଚମତ୍କାର ସୂର୍ଯେ୍ୟାଦୟ । କୌଣସି ପତ୍ରିକାରେ କବିତାଟେ ପଢ଼ି ଯେଉଁ ଦିନ ସେ ପ୍ରଶଂସାର ଚିଠିଖଣ୍ଡେ ଦେଇ ଲେଖୁଲେଖୁ ସେଥିରେ ଲେଖି ଦେଇଥିଲା ଯେ - ତୁମେ ଆମ ସ୍କୁଲର । ନୁହଁ? ତୁମେ ସିନା ମତେ ଚିହ୍ନିନା, ମୁଁ ତୁମକୁ ଚିହ୍ନିଛି । ଏବେ ଏବେ ପ୍ରଶଂସା କରୁଥିବା ସରୋଜିନୀ ଟିକେ ଖଞ୍ଜ କରି ଏଇ କଥାଟା କ’ଣ ସେତେବେଳେ କହି ପାରି ନଥା’ନ୍ତା? ନାଇଁ, କାଳର ସବୁଠୁଁ ଗୋଟେ ବଡ ଦୋଷ । ଆଗେ ରାମଙ୍କୁ ଦେଖେଇବ ଓ ତା’ପରେ ଦଶରଥଙ୍କୁ ଦେଖିବାକୁ ବାଧ୍ୟ କରିବ । ଦର୍ପଦମନ ଅଭିଷେକ କଲେଜ ଆସିଥା’ନ୍ତି । ଝିଅର ଆଡମିସନ । ସେ ନିଜେ ଆସିଥା’ନ୍ତା ଯେ ହେଲେ ବିଚାରୀକୁ କାଲି ଠାରୁ ଭାଇରାଲ୍ ଫିଭର୍ । ଆଜି ଆଡମିସନ୍ ନ କଲେ ନ ଚଳେ ବୋଲି କହି ମା’ଝିଅ ଘରେ କାଲି ରାତିରେ ମହାଭାରତ ଆରମ୍ଭ କରିଦେଲେ । ଅପେକ୍ଷାକୃତ ଖରାପ କଲେଜବାଲାଙ୍କର ଇଏ ଗୋଟେ ଫିକ୍କର । ଆଡମିସନ ପାଇଁ ଭଲ କଲେଜ ଠାରୁ ଦିନେ ଦି ଦିନ ଆଗରୁ ତାରିଖ ପକେଇଦେବେ । ପିଲାଟା ଯେମିତି ହେଲେ ସେଇଠି ଆଡମିସନ କରିବାକୁ ବାଧ୍ୟ ହେବ । ପଛରେ ଭଳ ଭଲ କଲେଜରୁ ଇଣ୍ଟିମେସନ ଆସିପାରେ । ହେଲେ ଅଭିଭାବକ ସେତେବେଳକୁ ବଦଖର୍ଚ୍ଚ କରି ସାରିଥିବ ନା । କବି ଦର୍ପଦମନଙ୍କୁ ପିଲାଙ୍କ ସାଙ୍ଗରେ ଠିଆ ହେବାକୁ ଲାଜ ମାଡିଲା । ସେ ଦେଖିଲେ ଯେ କାଉଣ୍ଟର ଭିତରପଟ ଅଫିସରେ ମଧ୍ୟ କମ ଭିଡ ନ ଥାଏ । ବଡବାବୁଙ୍କ ଟେବୁଲ ପାଖରେ ଭିଡ । ପଛପଟୁ ଯାଇ ରୁମ୍ ଭିତରକୁ ପଶିଗଲେ ସିନା, ମାତ୍ର ଯେତେ ଚେଷ୍ଟା କଲେ ବି ସେ ତାଙ୍କ ପାଖରେ ପହଞ୍ଛି ପାରିଲେ ନାହିଁ । ସେତେବେଳେ ବଡବାବୁ ତାଙ୍କୁ ଦେବତା ପରି ଲାଗୁଥିଲେ । “ଆରେ ଆରେ ଆସନ୍ତୁ । ନମସ୍କାର । ନମସ୍କାର ।” ବହବାବୁ ପାଛୋଟିବାକୁ ଠିଆ ହୋଇଗଲେ । କବି ଦର୍ପଦମନଙ୍କ ମନ ଦିବ୍ୟାନନ୍ଦରେ ପୂରିଗଲା । ସେ ପାହୁଣ୍ଡେ ଆଗକୁ ଯାଇଛନ୍ତି କି ନା, ଜାଣି ପାରିଲେ ଯେ ବଡବାବୁଙ୍କ ଅଭ୍ୟର୍ଥନା ତାଙ୍କ ପାଇଁ ନ ଥିଲା । ସେ ଆଗନ୍ତୁକ ଥିଲେ, ଘୋଷଣା ଅନୁଯାୟୀ - ପ୍ରଗତିଶୀଳ ଚେତନାଧର୍ମୀ ଦିନ ଏଗାରଟା ବେଳେ ପ୍ରକାଶ ପାଉଥିବା ରାଜ୍ୟର ସର୍ବାଧିକ ପ୍ରସାରିତ ଦୈନିକ ସମ୍ବାଦପତ୍ର – “ଖବର ଆପଣଙ୍କର ଇଚ୍ଛା”ର ସାମ୍ବାଦିକ ଗଲୁ ରାମ ଦାସ । ସେଇ ଖବରକାଗଜକୁ ଲୋକେ “ଇଚ୍ଛା” ବୋଲି ହିଁ ଜାଣନ୍ତି । କାରଣ, ଅତି ନଗଣ୍ୟ ଭାବେ ଛୋଟ ଅକ୍ଷରରେ “ଖବର ଆପଣଙ୍କର” ଏବଂ ବହୁତ ବଡ ମାଷ୍ଟ୍ ହେଡ୍ରେ ଛପା ହୋଇଥାଏ “ଇଚ୍ଛା” । ନିଜ ମନକୁ ଧକ୍କା ଲାଗିଥାଉ ପଛେ, ବଡବାବୁ ସାମ୍ବାଦିକଙ୍କୁ ଦେଖେଇଥିବା ବ୍ୟବହାର ଯୋଗୁ ଦର୍ପଦମନ ଖୁସି ହୋଇଗଲେ । କାରଣ ଜଣେ ସମ୍ବାଦିକ ଯଦି ଏତିକି ସମ୍ମାନ ପାଏ, ତା’ହେଲେ ଖୋଦ ତାଙ୍କ ସମ୍ପାଦକ ୟାଙ୍କ ପାଖକୁ ଲେଖା ମାଗିବାକୁ ଚିଠି ପରେ ଚିଠି ପଠାନ୍ତି । ଗତ ବର୍ଷ ଏକାଡେମି ପୁରସ୍କାର ପାଇବାବେଳେ ସବୁ କାଗଜ ତାଙ୍କର କଲମ ଦି କଲମ ପ୍ରଶସ୍ତି ଛାପି ଥିଲେ । ତେଣୁ ଦର୍ପଦମନ ନିଶ୍ଚିତ ହୋଇଗଲେ ଯେ ତାଙ୍କ ସମ୍ମାନ ବହୁ ଉପରେ ଥିବ । ହଉ ଦେଖିବା । ମାତ୍ର ସେ ବହବାବୁଙ୍କ ପାଖ ପହଞ୍ଚô ପାରୁ ନ ଥା’ନ୍ତି । ଗଲୁବାବୁ କାହା ଆଡମିସନ ପାଇଁ ଆସିଥିଲେ । ବଡବାବୁ ତାଙ୍କ ହାତରୁ ସବୁ କାଗଜପତ୍ର ନେଇ ବାଁ ହାତରେ କାଉଣ୍ଟର ମିରିଣିକୁ ବଢ଼େଇଦେଲେ । “ଜାଣିଛନ୍ତି ନା, ଆପଣଙ୍କ କଳେଜ ନାଁରେ ବହୁତ କମ୍ପ୍ଳେନ୍ । ପିଲାଙ୍କଠୁଁ ପଇସା ନେଇ କଲେଜ ମାଗାଜିନ୍ ତିନି ବର୍ଷହେଲା ଛପା ହେଇନି । ଅଡିଟ୍ରେ ଖର୍ଚ୍ଚ ଦେଖେଇ ଦିଆଯାଇଛି । ୟୁଜିସି ଗ୍ରାଣ୍ଟର ସିଭିଲ୍ ହେଡ୍ ଟଙ୍କା ତୋଷରପାତ ହେଇଚି । ଆମ ପାଖରେ କାଗଜ ପହଞ୍ଚି ଗଲାଣି ଯେ କ’ଣ କରିବା? ଆପଣଙ୍କ କଥା ମୋର ମନେ ପଡିଲା ।” ବଡବାବୁ ମୁଣ୍ଡ ନୁଆଁଇଁ ଇଷତ୍ ଲଘୁ ସ୍ୱରରେ କହିଲେ, “ହଁ ମ, ସତ କଥା । ଆମର ଆଜ୍ଞା ସେଥିରେ କ’ଣ ଅଛି? କେମେଷ୍ଟ୍ରି ରସାନନ୍ଦ ସାହୁ ମାଗାଜିନ ଚାର୍ଜରେ । ବହୁତ ବଡ କବିଟେତ । ସବୁ ଖବର କ’ଣ ଆପଣ ପାଇଥିବେ କି? ଡିସିପ୍ଳିନାରି ଟ୍ରାନ୍ସଫରରେ ଆସିଥିବା ପ୍ରଳୟ ମହାନ୍ତିକି ତ ପ୍ରିନ୍ସିପାଲ ମୁଣ୍ଡରେ ଟେକି ବୁଲୁଛନ୍ତି । ଛାଡନ୍ତୁ ଆଜ୍ଞା, ଆମର ସେଥିରେ ଯାଏଆସେ କେତେ? ଢ଼ିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ ।” କଥାବାର୍ତ୍ତା ଭିତରେ ଆଡମିସନ କାମ ସରିଗଲା । ଆପଣ ଟିକେ ଘରକୁ ଆସିବେ କହି, ରସିଦ ଖଣ୍ଡିକ ଧରି ଗଲୁବାବୁ ଚାଲିଗଲେ । ୟା ଭିତରେ ଦର୍ପଦମନ ଦୁଇ ଥର ବଡବାବୁଙ୍କ ଟେବୁଲ ପାଖାପାଖି ପହଞ୍ଚôଛନ୍ତି । ତାଙ୍କୁ ନମସ୍କାର କରିଛନ୍ତି । ବୋଧହୁଏ ଭିଡ ଯୋଗୁ ତାଙ୍କ ଠାରୁ ସେ ପ୍ରତିନମସ୍କାର ପାଇ ନାହାଁନ୍ତି । ସେତେବେଳକୁ ଦି ଘଣ୍ଟା ପାର୍ ହୋଇ ଗଲାଣି । ମନରେ ପୁଳେ ଆଶା ବାନ୍ଧି ସେ ଭିତରପଟ ବାରଣ୍ଡାରେ ଲକ୍ଷ୍ୟହୀନଭାବେ ବୁଲୁଥା’ନ୍ତି । ଦେଖିଲେ ସେଇ କଲେଜରେ ପିଅନ ଥିବା ତାଙ୍କ ପାଖ ଗାଁର ହରି ବେଜ ଆଉ ଗୋଟେ ବାରଣ୍ଡାରେ କୁଆଡୁ କୁଆଡକୁ ଯାଉଚି । ଅତି ଆତ୍ମିୟତା ସହକାରେ ତାକୁ ସେ ଉଚ୍ଚ ସ୍ୱରରେ ହରିଆ ହରିଆ ଡାକି ତା ସାହାଯ୍ୟ ଟିକେ ଆଶା କରୁଥିଲେ । କଳେଜରେ ତାକୁ ଏପରି କେହି ଡାକନ୍ତି ନାହିଁ । ସାର୍ ବା ହରିବାବୁ ପରି ଶୁଣିବା ଅଭ୍ୟାସ ଯୋଗୁ ଏମିତିକା ଉଦ୍ଧତ ଭାବେ କିଏ ଡାକିଲା, ହରି ବେଜ ବୋଧେ ଅପ୍ରତିଭ ହେଲା । ନ ଚିହ୍ନିଲା ପରି ସେ ସେଇଠି ଠିଆ ହୋଇ ୟାଙ୍କୁ ଅପେକ୍ଷା କଲା । ଦର୍ପଦମନ ତା ପାଖରେ ପହଞ୍ଚôଲେ । ଗାଁ ପରିଚୟ ଶୁଣି ସୁଦ୍ଧା ହରି ଅତି ଖାମଖିଆଲ ଢ଼ଙ୍ଗରେ ତାଙ୍କୁ ଚିହ୍ନିଲା । ତାହା ତାଙ୍କୁ ମୋଟେ ଭଲ ଲାଗୁ ନ ଥିଲା । ତଥାପି, ଅନନ୍ୟୋପାୟ ହୋଇ ଚାରି ପାଞ୍ଚ ବାକ୍ୟରେ ନିଜ ପରିଚୟ, କବି ପ୍ରସିଦ୍ଧି, ସମସ୍ୟା ଓ ନିବେଦନ କହି ଝିଅର ଆଡମିସନ ସକାଶେ ତାଙ୍କୁ ଅନ୍ତତଃ ବଡବାବୁଙ୍କ ପାଖ ପର୍ଯ୍ୟନ୍ତ ପହଞ୍ଚେଇ ଦେବାଲାଗି ସେ ହରିଠାରୁ ସାହାଯ୍ୟ ଲୋଡିଲେ । ସେ ମୁହଁ ଛିଞ୍ଚାଡି କହିଲା, “ମୋର ତ କେମେଷ୍ଟ୍ରି ଡିପାର୍ଟମେଣ୍ଟର । ମୁଁ କ’ଣ କରିବି?” “ତୁ ଏ କଲେଜରେ ପିଅନ ଅଛୁ ପରା?” ମୁଁ ଆଟେଣ୍ଡାଣ୍ଟ । ପିଅନ କାହିଁକି ହେବି?” ଅପ୍ରକାରିଆ ମୁହଁ କରି ସେ ସେଠୁ ଚାଲିଗଲା । କବି ଦର୍ପଦମନ ହରିର ବ୍ୟବହାରରେ ରାଗି ନ ଥିଲେ । ଯୋଉ ସୁଖ ଯାହା ମନକୁ ଯେତିକି କୂଳେଇବ ସେଇଥିରେ ସୁଖୀ ହଉ ସିଏ । ଆଟେଣ୍ଡାଣ୍ଟଟା ବଡ ପଦ - ଏମିତି ଯଦି ସେ ଭାବୁଚି, ଭାବୁଥାଉ । ମନକୁ ମନ କହିଲେ, ମୂଢ଼ରେ ତୁ କାହୁଁ ମୋତେ ଚିହ୍ନିବୁ? ନହେଲେ ପ୍ରଫେସର ନହୋଇ ତୁ କି ପିଅନ ହୋଇଥାନ୍ତୁ? ସେ ପୁଣି ପଶିଲେ ବଡବାବୁଙ୍କ ଅଫିସ ଭିତରେ । ସେଠାକାର ଭିଡ ଟିକେ ପତଳା ହୋଇ ଯାଇଥାଏ । ତାଙ୍କ ସାଙ୍ଗରେ ଭିତରକୁ ପଶିଲେ ଜଣେ ପୁଲିସ ସବ୍ – ଇନିସ୍ପେକ୍ଟର । ଏଥର ବଡବାବୁ ସିଧା ନିଜ ସିଟ୍ରୁ ଉଠିଗଲେ । କାଉଣ୍ଟର କିରାଣି ପାଖରେ ନଇଁ ପଡି ପୁଲିସ ବାବୁଙ୍କ କାମ କରାଇଲେ । ତାଙ୍କୁ ବାଟେଇ ଦେବାକୁ ବାହାରକୁ ଯାଇ ଫେରିଲା ବେଳକୁ ଦର୍ପଦମନ ତାଙ୍କୁ ବାରଣ୍ଡାରେ ନମସ୍କାର କଲେ । “କ’ଣ ହେଲା?” “ଆପଣ ବୋଧେ ମୋତେ ଚିହ୍ନି ନାହାନ୍ତି । ମୁଁ କବି ଦର୍ପଦମନ ଅଭିଷେକ । ମୋ କବିତା ବି.ଏ. ଅନର୍ସ ଆଉ ଓଡ଼ିଆ ଏମ.ଏରେ ପଢ଼ାହୁଏ ।” “ଆଚ୍ଛା ଆଚ୍ଛା, ଆପଣ ପ୍ରିନ୍ସିପାଲ୍ଙ୍କୁ ଦେଖା କରନ୍ତୁ ।”ବିନୀତଭାବେ ଏତିକି କହି ସେ ଭିତରକୁ ପଶିଗଲେ । “ନାଇଁ ମୋର ଆପଣଙ୍କ ପାଖରେ କାମ ଅଛି ।” ନିଜ ସିଟ୍ରେ ବସୁବସୁ ସେ ପଚାରିଲେ “କଣ?” ଦର୍ପଦମନ କହିବାକୁ ଯାଉଛନ୍ତି, ସେତିକିବେଳେ ରୁମ୍ ଦୁଆରମୁହଁରେ ଠିଆ ହୋଇ ସାତ ନମ୍ବର ୱାର୍ଡ କଣ୍ଟ୍ରୋଲ ଡିଲର ମଙ୍ଗୁଳି ଜେନା ବିକୃତ ଢ଼ଙ୍ଗରେ ଅଭିବାଦନ ଜଣେଇ ବଡବାବୁଙ୍କୁ କହିଲା, “ସାଆରେ ନମସ୍କାଆରେ । ୟେ ଆମ ସପ୍ଲେ ସୁପ୍ରେଜର୍ଙ୍କ ଝୁଅର ନାଁ ଲେଖା ହବ ପରା । ଟିକେ କରେଇ ଦିଅନ୍ତୁ । ବାବୁ ବାହାରେ ଠିଆ ହେଇଚିନି । ଡାକିବି?” “ସବୁ ସାର୍ଟିଫିକେଟ କାଗଜପତ୍ର ଆଣିଚ ଟି? ଆଉ, କିରାସିନି ଫିରାସିନି ଆଇଲାଣି?” ମଙ୍ଗୁଳି ଜେନା କାଗଜପତ୍ର ଓ ଟଙ୍କା ସହ ପ୍ରସ୍ତୁତ ହୋଇ ଆସିଥିଲା । ସୁପରଭାଇଜର ବାବୁଙ୍କୁ ଡାକିବା ଦରକାର ହେଲା ନାହିଁ । ସେ ସବୁ ବଢ଼େଇଦେଲା । କହିଲା, “ଆଜି ସନ୍ଧ୍ୟା ବେଳକୁ ଦେକାନ ଆଡ଼େ ଆସୁନାହାନ୍ତି, ନେଇଯିବେ । ବଢ଼ିଆ ଆମେରିକା ରିଫେନ୍ ଆସିଚି । ଅଳ୍ପ ଆଉ ଅଛି । ନେବେ କହିବେ ତ, ରଖି ଥେବି ।” ଦର୍ପଦମନ ଉପରେ ପଡିଲା ପରି କହିଲେ, “ଆଜ୍ଞା ମୋ କଥା ଟିକେ ବୁଝିଲେନି?” “କ’ଣ?” ହରି ବେଜକୁ ପୂର୍ବରୁ କହିଥିବା ପରି କବି ଦର୍ପଦମନ ଚାରି ପାଞ୍ଚ ବାକ୍ୟରେ ନିଜ ପରିଚୟ, କବି ପ୍ରସିଦ୍ଧି, ତାଙ୍କ ସମସ୍ୟା ଓ ନିବେଦନ କହି ଝିଅର ଆଡମିସନ ପାଇଁ ତାଙ୍କ ଠାରୁ ସାହାଯ୍ୟ ଲୋଡିଲେ । “ମଲା, କାଉଣ୍ଟରରେ ଦେଇ ଦେଉ ନାହାନ୍ତି ।” “ଲାଜ ମାଡିବ । ପିଲାଗୁଡାଙ୍କ ସାଙ୍ଗରେ ଠିଆ ହେବି? ଆପଣା ଟିକେ ଏଇଠି କରେଇ ଦଉ ନାହାଁନ୍ତି?” “ଲୋକଗୁଡାକ ଭିତରକୁ ଆସି ଏମିତି ଯୋଉ ଅଯଥା କଥା କହନ୍ତି, ଆମର ଯେମିତି ଆଉ କିଛି କାମ ନାହିଁ । ଦୟାକରି ବାହାରକୁ ଯାଆନ୍ତୁ । ଅଫିସ୍ର ତ ପୁଣି ଗୋଟେ ଶୃଙ୍ଖଳା ଅଛି ।” ଏତିକି କହି ସିଏ ଆଉ ୟାଙ୍କ ମୁହଁକୁ ଅନେଇଲେ ନାହିଁ । ଦର୍ପଦମନଙ୍କୁ ଭାରି ବାଧିଲା । କ’ଣ କରିବେ? ସେତେବେଳକୁ ତିନିଟା ବାଜି ସାରିଲାଣି । ବାହାର କାଉଣ୍ଟରରେ ଯାଇ ଦେଖନ୍ତି, ଅଛନ୍ତି ଆଉରି ତିନ । ସେ ପଛରେ ଲାଇନ୍ ଦେଲେ । ଠିକ୍ ତାଙ୍କ ପାଳି ପଡିଲା ବେଳକୁ ସମୟ ହୋଇଗଲାଣି କହି କାଉଣ୍ଟର କିରାଣି ଖୋପ ବନ୍ଦ କରିବାକୁ ବସିଲା । ଇଏ ଯାହା କହିଲେ ସିଏ ମୋଟେ ଶୁଣିବାକୁ ରାଜି ହେଲାନି । ଏଣ୍ଡୁଅ ପରି ଖୋପର ଅଳ୍ପ ପରିଧି ଭିତରୁ ସେ ବଡବାବୁଙ୍କ ଆଡକୁ ଆତୁର ଭାବେ ଅନେଇଲେ । ସ୍ୱୟମ୍ବରରେ ଦ୍ରୌପଦୀ ଲାଭ ପାଇଁ ଅର୍ଜୁନ ଜଳଛାଇ ବାଟେ ମୀନ ନୟନକୁ ବି ଏତେ ଲୟ କି ଏତେ ତନ୍ମୟ ହୋଇ ଅନେଇ ନ ଥିଲା । ଭାଗ୍ୟ ଭଲ, ବଡବାବୁଙ୍କ ନଜର ତାଙ୍କ ଉପରେ ପଡିଗଲା । ସେ କିରାଣିକୁ କହିଲେ, “ଆରେ ମାହାନ୍ତି, ଏଇ ଗୋଟାକ କରି ଦେ । ସେ ବାବୁ ପରା ଜଣେ କବି ଲୋକ । ଦେ ଦେ ଏଇ ଗୋଟାକ କରି ଦେ ।” ଯୋଜନା ଅନୁଯାୟୀ ଫେରିଲାବେଳେ ଝିଅ ପାଇଁ କିଛି ଓøଷଧପତ୍ର ନେବାର ଥିଲା । ଦୋକାନସବୁ ବନ୍ଦ ହୋଇ ଯାଇଥିଲା । ପତ୍ଣୀଙ୍କର ସ୍ୱାଗତ ଅଭିଭାଷଣ ଥିଲା, “କ’ଣ ଆଜିକାଲି ଦିନବେଳା କବି ସମ୍ମିଳନୀ ହେଲାଣି କି?” ସବୁ ଦୁଃଖ ବାକ୍ୟଯୋଗ୍ୟ ହୋଇ ନ ପାରେ । ଝିଅ ଆଡ଼ମିସନ୍ରେ ଗୋଟିଏ ବି ସୁଖ କଥା ନ ଥିଲା । କ’ଣ କହିଥା’ନ୍ତେ? “ନାଇଁ ମ, ମଇଁନାଙ୍କ ପ୍ରିନ୍ସିପାଲ ନା ଅତି ଭଦ୍ରଲୋକ । ସେଇ ପରା ମତେ ଏତେ ସମୟ ବସେଇ ରଖିଲେ । ମୋ କବିତା କଥା ଗପୁଥିଲେ । ସେଇଠିକି କାମ ନେଇ ଯାଇଚି, ଆଉ କ’ଣ କରିଥା’ନ୍ତି?” “ବାପା, ତମେ ମୋ ଆଡ଼ମିସନ୍ କରିନା କି? ଆମ ପ୍ରିନ୍ସିପାଲ ତ, ଡକ୍ଟର ଶୋଭାରାଣୀ ଶତପଥୀ । ତମକୁ ସେ କେମିତି ଭଦ୍ରଲୋକ ପରି ଲାଗିଲେ? କଣ୍ଠ ପଡିଯାଇଥିବା ଜରୁଆ ସ୍ୱରରେ ବୋଉ ବୋଉ ରାବି ସେ ରୋଷେଇଘର ଆଡ଼େ ମା ପାଖକୁ ଦଉଡିଲା ।” “ହେ ଭଗବାନ ।” ତାଙ୍କ ଦେହରୁ ପଟାଏ ଝାଳ ବୋହିଗଲା । ତତ୍କ୍ଷଣାତ୍ କବି ଦର୍ପଦମନ ପକେଟରୁ ଝିଅର ଆଡମିସନ୍ ରସିଦ ଓ ସବୁ କାଗଜପତ୍ର କାଢ଼ି ସେଣ୍ଟରଟେବୁଲ ଉପରେ ଥୋଇ ବାଥ୍ରୁମ୍ ଭିତରକୁ ପଶି ଗଲେ । ସାୱାର ପାଣି ଝୁମ୍ଝୁମ୍ ଶବ୍ଦ ଭିତରୁ ସେ ପତ୍ଣୀଙ୍କ କଣ୍ଠସ୍ୱର ଶୁଣୁଥିଲେ – କେତେ ଗାଧୋଉଚ ମ, ଜଲଦି ଆସ । ଦି’ ଖଣ୍ଡ ପୁରି ସକାଳେ ଖାଇ ଯାଇଥିଲ । ଭୋକ ଲାଗିବଣି ।