Jump to content

ଆଶା ତମସା/ମଣିଙ୍ଗ୍‌ୱାକ୍‌

ଉଇକିପାଠାଗାର‌ରୁ
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ମଣିଙ୍ଗ୍‌ୱାକ୍
  ଅଛେଦ୍ୟ, ଅଭେଦ୍ୟ, ଅଦୃଶ୍ୟ, ଅଗମ୍ୟ – ତଥାପି ଅଲଭ୍ୟ – ବ୍ରହ୍ମ ପରି, ଇଦାନାଂ ମଣିଙ୍ଗ୍‌ୱାକ ବା ପ୍ରାତଃଭ୍ରମଣ ସହରୀ ମଣିଷଙ୍କ ପାଇଁ ଢ଼େର ସମ୍ଭାବନାମୟ । ବ୍ରହ୍ମ ଅନ୍ୱେଷଣ କଲେ କେତେ ପ୍ରକାର ସିଦ୍ଧି ମିଳେ ତାହା କଳନା କରିବା ଯେମିତି ମୁସ୍କିଲ ମଣିଙ୍ଗ୍ୱାକରୁ କେତେ ଉପକାର ମିଳେ ତହିଁର ଏକ ଚୂଡାନ୍ତ ତାଲିକା ବାହାର କରିବା ତତୋଽଧିକ ମୁସ୍କିଲ କହିଲେ ଚଳିବ ।
  ଯାହାହେଉ, ବିଶେଷଜ୍ଞମାନେ ଉଣ୍ଡାଳି ଯେତିକି ପାଇଛନ୍ତି ତାହା ବି କମ୍ ନୁହେଁ । ଏହା କୁଆଡ଼େ ଶରୀରକୁ ଯଥେଷ୍ଟ ଅମ୍ଳଜାନ ଯୋଗାଏ । ରକ୍ତଚାପ ସ୍ଥିର ରଖେ । ହୃତ୍‌ପିଣ୍ଡ ନିଦ୍ୱର୍ନ୍ଦ୍ୱରେ କାମ କରେ । ଫୁସଫୁସ ସଂପ୍ରସାରିତ ହୁଏ । ଅସ୍ଥି, ଖଞ୍ଜା, ଲିଗାମେଣ୍ଟ ଓ ମାଂସପେଶୀ ସତେଜ ରହେ । ରକ୍ତରେ ଇନ୍ସୁଲିନ ମାତ୍ରା ବାଲାନ୍ସ ହୋଇଯାଏ । ଅଜୀର୍ଣ୍ଣ, ଅଗ୍ନିମାଦ୍ୟ, ଗ୍ୟାସଟ୍ରିକ ଇତ୍ୟାଦି ହୁଏନାହିଁ । ବଡି ଫ୍ଲେକ୍ସିବଲ୍ ଏବଂ ଫିଟ୍ ରହେ । ଅଳ୍ପ ବୟସ୍କଙ୍କ ଆଇକୁ୍ୟ ବଢ଼େ । ପାକଳମାନଙ୍କ ବୁଦ୍ଧି ବଢ଼େ । ନାଳ ଝାଡା ବନ୍ଦ ହେବା ତ ଏକଦମ୍ ଗ୍ୟାରେଣ୍ଟେଡ୍ । କେତେକ କ୍ଷେତ୍ରରେ ଚନ୍ଦାମୁଣ୍ଡରେ କଳା ବାଳ ଗଜୁରେ । ବୟସ ଯେତେ ବଢ଼ିଲେ ବି ବ୍ୟକ୍ତି ସତେଜ ଦେଖାଯାଏ । ବାର୍ଦ୍ଧକ୍ୟର ବିକୃତ ଛାପ ଦେହସାରା ଲେସି ହୁଏନି । ‘ପ୍ରମାଥି ବଳବଦ୍ଧୃଢ଼ମ୍’ ବୋଲି ଗୀତାରେ କୁହାଯାଇଥିବା ମଣିଷର ବିଚଳିତ ମନ ନିଜ ବଶକୁ ଆସି ଯାଏ । ପୁନଶ୍ଚ, ବୟସ ସିନା ଦୈବାଧୀନ, ସ୍ୱାସ୍ଥ୍ୟ ତ ଆମ ଆୟତରେ । ହୁଗୁଳା ଯୌବନ ଠାରୁ ତେଜୋମୟ ବାର୍ଦ୍ଧକ୍ୟ ଲୋଭନୀୟ ଓ ସୁନ୍ଦର । ଶାସ୍ତ୍ରପୁରାଣ ବା ମୁନିଋଷିମାନେ କେଉଁ ଯୁଗରୁ ଏକଥା କହିଛନ୍ତି ।
  ହେ ଛ୍ୟା, ଇଂଲିଶକି ସବୁଠୁଁ ପଣ୍ଡିତ ଭାଷା ବୋଲି ଭାବି ତା ଜରିଆରେ ଶିଖିଥିବା ପୁଳାଏ ଅଜ୍ଞତାକୁ ଜ୍ଞାନ କହି ଅଯଥାରେ ବାହାଦୁରି ଦେଖେଇ ଭାରତୀୟମାନେ ଆମ ସ୍ୱଦେଶୀ ଜ୍ଞାନ ବୁଝିବାକୁ ଯାହା ଏତିକି ଡେରି କଲେ ସିନା ।
  ଉପରଗୁଡିକ ହେଲା ସାଧୁ ମତ । ଝାବଡା ମତରେ, ମଣିଙ୍ଗ୍ୱାକର ଆହୁରି କେତେକ ମିସ୍ଲେନିଅସ୍ ଉପକାର ମଧ୍ୟ ଅଛି । ଯଥା, ନିଜ ଘରେ ଠାକୁର ପୂଜା ସକାଶେ ପର ବାରିରୁ ଫୁଲ ସଂଗ୍ରହ କରା ଯାଇପାରେ । ସୁଯୋଗ ପାଇ, କଦଳୀ କାକୁଡିରେ ହାତ ବାଜିଗଲେ ମନ୍ଦ ନୁହେଁ । ମୋଟେ ଖବରକାଗଜ ନ କିଣୁଥିଲେ ବି ସକାଳୁ ବିତରଣ ଜାଗାରେ କେଇ ମିନିଟ ଠିଆଠିଆ ସବୁ କାଗଜର ହେଡ୍ଲାଇନରେ ଆଖି ବୁଲେଇ ଦେଲେ କାମ ଫତେ । ସବ୍ଜାନତା ପରି ଅଫିସ କି ବଜାରରେ ବାତ୍ଫୁରସି ମାରିବା କାମ ଚଳିଯାଏ । ବୁଥ୍ରୁ କ୍ଷୀର ପ୍ୟାକେଟ ଆଣିବା ବା ଘରର ଛୋଟମୋଟ ବରାଦ ମେଣ୍ଟେଇବା ଇତ୍ୟାଦି ସେହି ଉପକାର ତାଲିକାରେ ଅନ୍ତର୍ଭୁକ୍ତ ।
  ଅଧିକନ୍ତୁ ସବୁ ଟି.ଭି. ଚ୍ୟାନେଲ୍ରେ ବାଆଜୀ ମାତାଜୀମାନେ ଆମ ପ୍ରତ୍ୟେକଙ୍କୁ ଗୋଟିଏଲେଖା ନିରାମୟ କାୟା ଧରେଇ ଦେବା ପାଇଁ ଏବଂ ଆତ୍ମାକୁ ଘଷିମାଜି ପବିତ୍ର କରିବାକୁ ଦିନ୍ ଘଣ୍ଟାଘଣ୍ଟା ଧରି କେତେ ସୁନ୍ଦର ସୁନ୍ଦର ଉପଦେଶ ନ ଦେଉଛନ୍ତିଟି । ଯୋଗ, ପ୍ରାଣାୟମ, ଆୟୁର୍ବେଦ, ଜ୍ୟୋତିଷାଦିର ସ୍ୱାଦିଷ୍ଟ କକ୍ଟେଲ୍ । ମାନବ ଜାତିର ଯାବତ୍ ଦୁଃଖ ବିମୋଚନ ପାଇଁ କିଳୁଛି ସବୁ ରକମ ମେଡ୍-ଇଜି କ୍ୟାପସୁଲ୍ । ଦେହ ଟିକେ ବି ହଳେଇବା ଦରକାର ନାହିଁ । ସବୁ ଟେଲି-ଟ୍ରେଡରେ ଘରେ ପହଞ୍ଚô ପାରିବ । ଏଥିପାଇଁ ଲୋକଙ୍କ ଭିତରେ ଆଗ୍ରହ ମଧ୍ୟ ବାରି ହୋଇ ଯାଉଛି ।
  ଖ୍ରୀଷ୍ଟ ଧର୍ମର ଗୁରୁ ମୋଜେସ୍, ମାଉଣ୍ଟ ସିନାଇରେ ଇଶ୍ୱରଙ୍କ ଠାରୁ ପାଇଥିବା ‘ଟେନ୍ କମାଣ୍ଡମେଣ୍ଡ୍ସ’ ପରି, କୌଣସି ଜଣେ ଗୁରୁଜୀଙ୍କଦ୍ୱାରା ପ୍ରଣୀତ ‘ପ୍ରାତଃଭ୍ରମଣ ଆଚରଣ ସହିଂତା’ ନାମକ ଖଣ୍ଡିଏ ପୁସ୍ତକ ଆମ ସିନିଅର୍ କଲିଗ୍ ଶ୍ରୀଯୁକ୍ତ ପୋଗଣ୍ଡ କୃଷ୍ଣ ମିଶ୍ରଙ୍କ ହାତ ଚଢ଼ନ୍ତେ, ସେ ଖୁସିରେ ଫାଟି ପଡ଼ୁଥିଲେ । ପୋଗଣ୍ଡ ବାବୁ କହିଲେ, “ଦିବ୍ୟଦୃଷ୍ଟି ନ ଥିଲେ ଏତେ ଗହନ କଥା ବୁଝିବା ଶକ୍ତି କାହାର ଅଛି ହୋ?”
  କରଣୀୟ - ଅକରଣୀୟ ବା ଡୁ’ଜ୍ ଏଣ୍ଡ ଡୋଣ୍ଟସ୍ ପରି ପୁସ୍କକରେ ରହିଛି ନାନା ଉପଦେଶ । ନିଷ୍ଠାରେ ପାଳନ କଲେ, ବ୍ୟକ୍ତି ପ୍ରାତଃଭ୍ରମଣ କାଳରେ ହିଁ ଏକାସାଙ୍ଗରେ କେତେକ ବ୍ୟାୟାମ କରି ପାରିବ, ପବିତ୍ରତା ହାସଲ କରି ପାରିବ ଓ ବଡି ବି ଫିଟ୍ ରଖି ପାରିବ । ଫଳତଃ ବହୁ ରୋଗରୁ ସେ ଦୂରେଇ ରହି ପାରିବ । ସେଥିପାଇଁ ନିଆରା ସମୟ ଦରକାର ନାହିଁ । ଆଜି ସମୟର ମୁଲ୍ୟ କିଏ ବା ହିସାବ କରି ପାରିବ? ଆଗେ ବୋହୂ ଭୂଆସୁଣୀ ଦି’ ଚାରି କୋଶ ଯିବାକୁ ହେଲେ ବଳଦଙ୍କୁ କୁଣ୍ଡା େତାରାଣି ପିଆଇ ଶଗଡରେ ଯୋଚିବାକୁ ଲାଗି ଯାଉଥିଲା ଓଳିଏ । ଏବେ କଲିକତାରୁ ଦିଲ୍ଲୀ ମୋଟେ ତିନି ଚାରି ଘଣ୍ଟାର ବାଟ । ହରଣ ଗୁଣନ ମିଶାଣ ଫେଡାଣରୁ ବହୁ ଉଦ୍ଧ୍ୱରେ ଏ ସମୟ-ମୂଲ୍ୟର ହିସାବ ।
  ତଥାପି ଆମେ ଏକ ବିଚିତ୍ର ଯୁଗରେ ବାସ କରୁଛୁ । ଏହି ଯୁଗର ସ୍ପଷ୍ଟ ଲକ୍ଷଣ ହେଲା – କାମ ନାହିଁ କି ଫୁରସତ୍ ନାହିଁ । ସମସ୍ତଙ୍କର ସମୟ ଅଭାବ । ତା ବିରୁଦ୍ଧରେ ପ୍ରାତଃଭ୍ରମଣ ସତେ ଯେମିତି ଅନନ୍ୟ ଏକ ଯୁଗପତ୍ ଆନେ୍ଦାଳନ । ପୁସ୍ତକଖଣ୍ଡିକ ତେଣୁ ଅମୂଲ୍ୟ ଜ୍ଞାନ-ସରଣୀ ।
  ତତ୍ର ଲିଖିତଂ ଉପଦେଶରୁ କେତୋଟି ହେଲା ; ପ୍ରାତଃଭ୍ରମଣରେ ଏକା ଏକା ଚାଲ । କାହାରି ସହିତ ଗପସପ ହୁଅନାହିଁ । ବୈଦିକ ସ୍ୱରରେ ଓଁ ଉଚ୍ଚାରଣ ସହ ବାଟସାରା ଗାୟତ୍ରୀ ଜପ କର । ଏହା କଲେ ଶରୀରର ଷଢ଼ଚକ୍ର ଜାଗ୍ରତ ହେଉଥିବା ଅନୁଭବ କରି ପାରିବ । ଦୀର୍ଘ ନିଶ୍ୱାସ ନିଅ ଏବଂ ଛାଡ଼ । ଇତ୍ୟାଦି । ସେଥିରେ ଆଉ ଗୋଟିଏ ମଜା କଥା ଥିଲା – “ପ୍ରାତଃଭ୍ରମଣରେ ଥିବା ଯୁବତୀ ବା ବାଳିକାମାନଙ୍କୁ ଦେଖି ମନ୍ଦ କିଛି ଭାବ ନାହିଁ । ତା’ହେଲେ ଯେତିକି ଓଜଃ ଅର୍ଜନ କରିଥିବ ତହିଁର ପଚାଶ ଶତାଂଶ କ୍ଷୟ ହୋଇଯିବ ।”
  ଆମର ଆଖି ଓ ମନ ସେଇଠି ଅଟକି ଗଲା । ହେ ଭଗବାନ, ଏପରି ଓଜଃର ଆମଦାନୀ ଓ ବରବାଦି କେଉଁ ଯନ୍ତ୍ରରେ ମପାଯାଏ? କେଉଁ ଦୋକାନରେ ମିଳେ ସେ ଯନ୍ତ୍ର କେଜାଣି?
  ସମସ୍ତେ ଯଦି ସ୍ୱାସ୍ଥ୍ୟବାନ ହୁଅନ୍ତି, ପରତେ ହେଉଛି ଯେ ଆଉ କେତେ କାଳ ପରେ ଡାକ୍ତରୀ ନାମକ ବିଦ୍ୟାଟି ଇତିହାସରେ ପରିଣତ ହୋଇଯିବ । ସେମାନଙ୍କର ସବୁ ଯନ୍ତ୍ରପାତି ମିଉଜିଅମରେ ସଜା ହୋଇ ରହିବ । ସେତେବେଳେ ମଣିଷମାନେ କେବଳ ଜନ୍ମ ହେବେ, ଜ୍ଞାନ ଆହରଣ କରିବେ, ବଢ଼ିବେ ଏବଂ ବୟସ ସରିଲେ ହିଁ ମରିବେ । ଇଏ ହେଲା ସ୍ୱାସ୍ଥ୍ୟ କଥା । ଚରିତ୍ର ବ୍ୟାପାରରେ, ସମସ୍ତେ ଯଦି ଚରିତ୍ରବାନ ହୋଇ ପଡନ୍ତି, ତା ହେଲେ ପୁଲିସ ବିଭାଗ ରହିବବା କହିଁକି? ତଥାପି ଯଦି ରହେ, ସେମାନେ ବୋଧେ ଖରାଦିନେ ଗଛବୃଚ୍ଛରେ ପାଣି ଦେବେ ।
  ଗାଳ୍ପିକ ବନ୍ଧୁ ଡାକ୍ତର ସଂଜୟ ଶତପଥୀ ଏହାର ପ୍ରତିବାଦରେ ଅବଶ୍ୟ ଅଲଗା କଥାଟେ କହିଲେ । “ମଣିଷ ଉପରେ ଆମର ଅଖଣ୍ଡ ବିଶ୍ୱାସ । ଲୋକସଂଖ୍ୟା ବଢୁଚି, ବଢ଼ିବ । ଆମ ଭିତରୁ ଅଳ୍ପ ସୁଧୁରିବେ । ବେଶି ବିଗିଡିବେ । ତେଣୁ ଆମ ଡାକ୍ତର ବୃତ୍ତି ବୁଡିବା ସମ୍ଭବ ଲାଗୁନାହିଁ । ପୁଲିସଙ୍କ କଥା ବି ସେଇ ମର୍ମରେ ବିଚାର କରାଯାଇ ପାରେ । ଆରେ ବାବୁ, ତୁମେ ବୁଝୁନା କହିଁକି? ଏତେ ସଂଖ୍ୟକ ସଚ୍ଚରିତ୍ର ଲୋକଙ୍କୁ ଧାରଣ କରିବାକୁ ଧରିତ୍ରୀ ମା’ର କ୍ଷମତା ବି ନାହିଁ ।”
  ଏପରି ବାଦବିସମ୍ବାଦ ଅନବରତ ଚାଲିବ । ଯିଏ ସଜ ମାଛରେ ପୋକ ପକେଇବା ବିଦ୍ୟା ସାଧିଛି ସିଏ ନିଶ୍ଚେ ସେଇ କାମ କରିବ । ପୋଗଣ୍ଡ ମିଶ୍ରଙ୍କ ପରି ଲୋକ ଏମିତିକା ବାଜେ କଥାରେ ବିଶ୍ୱାସ କରନ୍ତି ନାହିଁ ।
  ତାଙ୍କୁ ଯେଉଁ ଦିନ ‘ପ୍ରାତଃଭ୍ରମଣ ଆଚରଣ ସଂହିତା’ ପ୍ରାପ୍ତ ହେଲା ସେଦିନ ଆମ ଛୋଟିଆ ଅଫିସଟିରେ ସବୁ କାମ କେତେ ଘଣ୍ଟା ପାଇଁ ବନ୍ଦ ହୋଇଗଲା । ଜଣଙ୍କ ପରେ ଆଉ ଜଣଙ୍କ ପାଖକୁ ଯାଇ ସେ ଖାଲି ବ୍ୟାୟାମ ଏବଂ ସ୍ୱାସ୍ଥ୍ୟଚର୍ଚ୍ଚା କଲେ । ଅସଲରେ ସେ ଆମ ଅଫିସ୍ରେ ଶହେ ଘରିଆ ଛୋଟ କଲୋନିରୁ ଜଣେ ସାଙ୍ଗ ଖୋଜୁଥିଲେ ଯିଏ ଦିନ୍ ସକାଳୁ ତାଙ୍କ ସହିତ ମଣିଙ୍ଗ୍ୱାକରେ ଯିବ । ଶୁଖିଲା ପ୍ରତିଶ୍ରୁତି ଦେଇ ହଁ ମାରିବାରେ ଧୁରନ୍ଧର ଗୌରାଙ୍ଗ ସାହୁ ବି ମନା କରି ଦେଲା । ନାଇଁ କଲା ତ କଲା, ପୁଣି ଗୋଟେ ଅଖବା ଅବର୍ଜ୍ୟା କାରଣ କହି ନାହିଁ କଲା । କହିଲା କ’ଣ ନା, “ଆଜ୍ଞା, ହବନି । ଛୁଆ ଟିକେ ବଡ଼ ହେଇ ଗଲେଣି ତ । ସବୁ ଜଞାଳ । ତେଣୁ ବଡିଭୋରଟା ସୁବର୍ଣ୍ଣବେଳା । ସେମାନେ ସେତିକିବେଳେ ଗାଢ଼ ନିଦରେ ଶୋଇଥିବେ ।”
  ‘ଦୁରାଚାର ଦୁରାଚାର’ କହି ପୋଗଣ୍ଡ ବାବୁ ସେ ଜାଗା ଛାଡିଲେ । ‘ଯଦି ତୋର୍ କେଉ ସାଥ୍ ନା ମିଲେ ତୋ ଏକଲା ଚଲରେ ଏକଲା ଚଲ’ – ସାରା କରିଡର୍ଟା ଏମିତି ଗୁଣଗୁଣେଇ ସେ ନିଜ ରୁମ୍ ଭିତରକୁ ପଶିଗଲେ । ସକାଳ ସାଢ଼େ ଚାରିଟାରେ ଉଠିଲେ ର୍ହି ଠିକ୍ ହେବ । ଦା ପନ୍ଦର ମିନିଟରେ ଡ୍ରେସ ପିନ୍ଧି, ଚା କପେ ପିଇ ସେ ବାହାରିଯିବେ ସମ୍ବଲପୁର-ରାଉରକେଲା ରାସ୍ତାର ରାଜଗାଙ୍ଗପୁର ବାଇପାଶ୍ ଛକ ଯାଏ । କଲୋନି ଠାରୁ ମଣିଙ୍ଗ୍ୱାକରେ ଯିବାକୁ ସେଇ ଗୋଟିଏ ବାଟ । ଘରଠୁଁ ଠିକ୍ ଦୁଇ କିଲୋମିଟର । ଯିବା ଫେରିବା ଚାରି । କିଛି ବାଟ ଜଗିଙ୍ଗ୍ କରିବେ । କିଛି ବାଓ ୱାକିଂ କରିବେ । ହବ ହବ । ସଫିସିଏଣ୍ଟ । କେହି ସାଙ୍ଗରେ ଆସିବାକୁ ରାଜି ହୋଇ ନାହାନ୍ତି, ଭଲ ହେଲା । ଗାୟତ୍ରୀ ଜପି ଜପି ଚାଲିବେ ସେ । ଫେରିଲା ବେଳକୁ ବାଇପାଶ୍ ସୁମା ଦୋକାନରୁ ଓମ୍ଫେଡ୍ କ୍ଷୀର ପ୍ୟାକେଟ୍ଟା ଧରି ଆସି ଯିବେ । ହ୍ୟାପ ଦିନେ ବି ସିଏ ନଅଟା ଆଗରୁ ପହଞ୍ଚାଇ ପାରୁନି । ସେଥିରେ ପୁଣି ମାସକୁ ପନ୍ଦର ଟଙ୍କା ଅଧିକ ନବ । ଇଏ ଗୋଟେ ତଅଖର୍ଚ୍ଚ ନୁହେଁ କି? ସେଥିରୁ ତ ମଣିଷ ରକ୍ଷା ପାଇବ । ଏପରି ନାନାଦି ସୂକ୍ଷ୍ମାତିସୂକ୍ଷ୍ମ ଯୋଜନା ଓ କାର୍ଯ୍ୟନିର୍ଘଣ୍ଟ ସେ ମନେମନେ ତିଆରି କଲେ ।
  ତେବେ ବି ଆଉ ସପ୍ତାହେ ପର୍ଯ୍ୟନ୍ତ ପୋଗଣ୍ଡ ବାବୁ ପ୍ରାତଃ ଭ୍ରମର ଆରମ୍ଭ କରି ପାରିଲେ ନାହିଁ । ତାଙ୍କର ଟ୍ରାକ୍ ସୁଟ୍, ଗଞ୍ଜି, କାନ୍ଭାସ-ଜୋତା ଇତ୍ୟାଦି ନ ଥିଲା । କିଣୁ କିଣୁ କିଛି ଦିନ ଡେରି ହୋଇଗଲା । ଶ୍ରୀମତି ମିଶ୍ର ଆମ ଆଗରେ ସ୍ୱାମୀଙ୍କ ମଣିଙ୍ଗ୍ୱାକ ପ୍ରସ୍ତୁତି ବିଷୟରେ ନାନା ରୋଚକ କଥାଗୁଡିଏ କହି ଯଥେଷ୍ଟ ମଜା ଉଡାଉ ଥିଲେ । ତଥାପି ପୋଗଣ୍ଡ ବାବୁ ପ୍ରାତଃଭ୍ରମଣ ପ୍ରତିଜ୍ଞାରେ ଥିଲେ ଅଟଳ ମହାମେରୁ ।
  ଟ୍ରାକ୍‌ସୁତଟ୍ ଆଦି ଯୋଗାଡ ପରେ ବି ଆହୁରି କେତେ ଦିନ ଡେରି ହେଲା । ଦି ଫୁଟିଆ ପିତ୍ତଳ ଗୋବ ଲଗା ବେତ ବାଡିଟେ ଦରକାର । ସେଥିପାଇଁ ତାଙ୍କ ଯୁକ୍ତି ଥିଲା ୱାକିବ୍ । “ବାଇଚାନ୍ସ କୁକୁରଟେ ଯଦି ଦୌଡି ଆସିଲା, ତମେ କରିବ କ’ଣ? ଶ୍ୟା...ସହରୀ କୁକୁର, ମୁନିସିପାଲିଟି ସ୍କୁଆଡ୍ବାଲାଙ୍କ ଛଡା ଇନ୍ଦ୍ର ଚନ୍ଦ୍ର ଆଉ କାହାରିକି ଚିହ୍ନନ୍ତିନି କି ମାନନ୍ତିନି ।”
  ଡି-ଡେ’ ଆସିଲା । ସ୍ୱାମୀଙ୍କର ଏତେ ବଡ ସ୍ୱାସ୍ଥ୍ୟାଭିଯାନରେ ପତ୍ଣୀ ସାଂଘାତିକ ଭାବେ ଅମନଯୋଗୀ ହୋଇ ଚା କପେ ଦେବା ଛଡା ଅଧିକ କିଛି ସହଯୋଗ କଲେ ନାହିଁ । ଇଏ ଘରୁ ଆଉ ବାହାରି ନାହାଁନ୍ତି, ସିଏ ଦାଣ୍ଡ କବାଟ ବନ୍ଦ କରିବାକୁ ଉହୁଙ୍କି ଆସିଲେ ଓ ମନେ ପକେଇଲା ପରି କହିଲେ, “ବୁଝିଲ ନା, ସୁମା ଦୋକାନରୁ କ୍ଷୀର ପକେଟ ନେଇ ଆସିବ । ଆଜିଠୁଁ ଦିନକୁ ଆଠଣା ଦିଆ ଯିବନି ବୋଲି ବି ତାକୁ କହିଦବ ।”
  ସିଓର୍ ସିଓର୍ । ମୋ ମଣିଙ୍ଗ୍ୱାକର ସିଏ ତ ଆଉ ଗୋଟେ ପର୍ପସ । ବର୍ଷେ ଖଟିଲେ ଆମକୁ ଶହେଟା ଟଙ୍କା ଇନ୍କ୍ରିମେଣ୍ଟ ମିଳେ ଯେ ସେଥିରେ ପୁଣି କେତେ ବାବୁଙ୍କୁ କେତେ ରକମ ଖୁସାମତି । ହିସାବ କଲେ ମାସକୁ ଆଠ ଟଙ୍କା ତେଇଶି ପଇସା । କିଛି ନ କରି ଇଏ ନେବ ମାସକୁ ଏକାଥରେ ପନ୍ଦର ଟଙ୍କା । କ’ଣ କୋଉଠି ପଡିଚି କି?”
  “ହେଇ, ଟର୍ଚ୍ଚଟା ନେଇ ଯା । ଅନ୍ଧାରରେ ତମର ଚମକିବା ଦୋଷ ଅଛି । ନବ?”
  “ତମେ ମତେ କ’ଣ ଭାବିଛ କି? ମୁଁ କ’ଣ ଆଉ ଡରୁଚି? ଆଜି କହୁଚ, ଟର୍ଚ୍ଚ ନିଅ । କାଲି କହିବ, ବ୍ୟାଗ ନିଅ । ତା’ପରେ କହିବ....” ।
  ସ୍ୱାମୀଙ୍କ କଥାକୁ ଟୋକି ଶ୍ରୀମତୀ ମିଶ୍ର କହିଲେ, “କାଇଁ ଏମିତି ଗରଗର ହଉଚ ମ? ଅନ୍ଧାରଟା ହେଇଚି ତ, କାଳେ କୋଉଠି ଝୁଣ୍ଟିଝାଣ୍ଟି ପଡିବ । ଲହୁଲୁହାଣ ହେଇ ଆସିବ । ସେଥିପାଇଁ କହିଥିଲି । ତମେ ଗଲ । ଯା । ମୁଁ ଆଉ ଟିକେ ଶୋଇବି ।”ଭିତରପଟୁ କବାଟ ବନ୍ଦ କରି ସେ ଦାଣ୍ଡ ଲାଇଟ୍ ଅଫ୍ କରିଦେଲେ ।
  ଆହୁରି ପାଞ୍ଚଠା ବାଜି ନ ଥିଲା । ଜାଙ୍ଗୁଲୁଜାଙ୍ଗୁଲୁ ଅନ୍ଧାର । ଘନ କୁହୁଡି । ପୋଗଣ୍ଡ ବାବୁ କାଲାନି ଏରିଆ ପାରି ହୋଇଗଲା ପରେ ପଛରୁ ଦେଖା ଯାଉଥିବା ଇଲେକ୍ଟ୍ରି ଆଲୁୃମାନଙ୍କ ଯତ୍‌କିଞ୍ଚିତ୍ ପ୍ରଭା ହଜିଗଲା । ଆଗକୁ ସବୁ ଅନ୍ଧାର । ଆକାଶରେ ଦେଖା ଯାଉଥିବା ତାରାମାନଙ୍କୁ ଛାଡି ପୃଥିବୀ ଓ ଶୂନ୍ୟ ମଣ୍ଡଳ – ସବୁ ଏକାକାର । କେବଳ ଅଭ୍ୟାସ ଯୋଗୁ ରାସ୍ତା ଜାଣି ହେଉଥାଏ । ଆଉ ଜଣା ପଡୁଥାଏ କେତେବେଳେ କେମିତି ହାଇୱେରେ ଗାଡିଟେ ପାଶ୍ କଲେ । ଚଲେିଥା’ନ୍ତି ଶ୍ରୀ ପୋଗଣ୍ଡ କୃଷ୍ଣ ମିଶ୍ର ପ୍ରାତଃଭ୍ରମଣରେ । ସେ ଅନ୍ଧାରକୁ ଭୃକ୍ଷେପ କରୁ ନ ଥିଲେ ।
  ଜଣେ ତୃପ୍ତ ମଣିଷର ପ୍ରଚଣ୍ଡ ପରାକ୍ରମୀ ମନ ନେଇ ସେ ଜାଣିଥିଲେ ଯେ ଆଉ କିଛି ସମୟ ପରେ ସୂର୍ଯ୍ୟ ନିଶ୍ଚୟ ଉଇଁବ । ମଣିଷ ତ ଅନ୍ଧାରରୁ ବାହାରିଛି । ଆଲୋକ ଭିତର ଦେଇ ପୁଣି ଥରେ ଅନ୍ଧାରରେ ହିଁ ପଶିବ । ଆରମ୍ଭ ଓ ଶେଷ ଅନ୍ଧାର ଠାରୁ ଆଉ ବଡ ଅନ୍ଧାର ଆସିବ କୋଉଠୁ? ଆଲୋକକୁ ପ୍ରତୀକ୍ଷା କରାଯାଉ । ଉପଭୋଗ କରାଯାଉ । ଆଲୋକ ହିଁ ଜୀବନର ପ୍ରତୀକ । ତା’ରି ଭିତରେ ଆଶା ଅଛି ଅନ୍ୱେଷା ଅଛି । ସବୁ ପ୍ରତିବନ୍ଧକ ଅତିକ୍ରମ କରିବା ଦମ୍ଭ ବି ଆଲୋକରୁ ମିଳେ । ମଣିଷର ସବୁଠୁଁ ବଡ ଦୋଷ ହେଲା ସେ ମୋଟେ ନିଜ ନାକ ଆଗଠୁଁ ଅଧିକ କିଛି ଦେଖିବାକୁ ଇଚ୍ଛା କରେନି । ବହୁ କଥାରେ ଭରି ରହିଛିଜୀବନର କେତେ ସମ୍ଭାବନା । ଅଥଚ ସେ ଦେଖିବ କେମିତି? ନାକ ଆଗରୁ ମାଛି ହୁରୁଡ଼େଇ ହୁରୁଡ଼େଇ ତେଣୁ ସିଏ ଜିବନ କାଟେ । ଆଦୌ ପରଖି ନ ଥିବା ନିଜ ଆନନ୍ଦିତ ପରମାୟୁକୁ ତେଣୁ ବିଚରାଟା ଅସଫଳ ଅସଫଳ ବୋଲି ହୁରି କରି ବିତେଇ ଦିଏ । ନିଜେ କୁହାଟ ଶୁଣି ନିଜେ ଡର । ଅନ୍ୟମାନଙ୍କୁ ବି ଡରାଏ । ଏତିକି ଲୋକେ ବୁଝୁ ନାହାନ୍ତି କେଜାଣି?
  ପୋଗଣ୍ଡ ବାବୁ ବାଇପାଶ୍‌ରେ ପହଞ୍ଚି ଗଲେ । ଚାଲିବାର ଅଭ୍ୟାସ ନାହିଁ । ଗୋଡ ପେଣ୍ଡା ଦି’ଟା ଭିଡି ହେଲା ପରି ଲାଗୁଥାଏ । ପ୍ରଥମ ଦିନ ତ । ମନକୁ ବୁଝେଇ ଦେଲେ । ଦିନେ ଦି ଦିନ ପରେ ସବୁ ଠଡିକ୍ ହୋଇଯିବ । ସେତିକିବେଳେ ଫ୍ରି ଅକ୍ସିଜେନ୍କୁ ଅପାନ ଓ ପ୍ରାଣବାୟୁ କହି ଯେତେ ସମ୍ଭବ ଦୀର୍ଘ ନିଶ୍ୱାସରେ ସେ ଢୋକିବାକୁ ଏବଂ ଟକ୍ସିନ୍ କାଢ଼ିବାକୁ ଲାଗିଲେ । ଏମିତି ଓ ଆଉ କିଛି ବ୍ୟାୟାମ କରି ସେ ପୁଣି ଦୁଇ କିଲୋକିଯର ଫେରିବେ । ମନ ଓ ଦେହ ତାଙ୍କର ବେଶ୍ ଫୁର୍ତ୍ତି ଲାଗୁଥିଲା ।
  ଅଳ୍ପ ଦୂରରେ ଭୁବନେଶ୍ୱର-ରାଉରକେଲା ଷ୍ଟାଇଲିଷ୍ଟ ଭଲ୍ଭୋ ବସ୍ ଅଟକିଲା । ସେଥିରୁ ଓହ୍ଳାଇଲେ ଇ.ଡି. ପାଣିଗ୍ରାହୀ ସାହେବ । ବସ୍ ଆଲୁଅରେ ସେ ତାଙ୍କୁ ଠିକ୍ ଚିହ୍ନି ପାରିଛନ୍ତି । ବସ୍ ଚାଲିଗଲା । ଯେମିତି ଥିଲା ପୁଣି ସେମିତି ଘୋଟିଗଲା ଅନ୍ଧାର । ପ୍ରାତଃଭ୍ରମଣରେ ଇ.ଡି. ଦର୍ଶନର ଏ ସୁଯୋଗ ତାଙ୍କ ସମ୍ଭାବିତ ତାଲିକାରେ ନ ଥିଲା । ଆଉ ମାସଟେ ଭିତରେ ସିସିଆର ।
  ମ୍ୟାନେଜର ରାମପ୍ୟାରା ଯାଦବ କାହିଁକି କେଜାଣି ଚନ୍ଦ୍ରମଣି ସାହୁକୁ ଅଧିକ ଭଲ ପାଏ । ଜୁଲାଇରେ ହେବ ପ୍ରମୋସନ । ସେ ପାଣିଗ୍ରାହୀ ସାହେବଙ୍କ ନିକଟକୁ ଯାଇ ଷାଠିଏ ଡିଗ୍ରିଆ ନମସ୍କାରଟିଏ ପକେଇଲେ । ଅନ୍ଧାର ଭିତରେ ନିଠେଇ ନିଠେଇ ସାହେବ ୟାଙ୍କ ଆଡ଼େ ଅନେଇଲେ ଓ କହିଲେ, “ତମେ ଆମ କର୍ମସିଆଲ ସେକ୍ସନରେ କାମ କର ନା?
  “ସାର୍ ।”
  “ନାଁ କ’ଣ?”
  “ପୋଗଣ୍ଡ କୃଷ୍ଣ ମିଶ୍ର ।”
  “ଏଠି ରିକ୍ସା ମିଳିବ?”
  “ନାଇ ସାର୍, ଏଠି କିଛି ମିଳେନି । ଖବର ଦେଇଥିଲେ ଅଫିସ ଗାଡି ତ ଆସିଥା’ନ୍ତା ।” ପାଣିଗ୍ରାହୀ ସାହେବ ପୋଗଣ୍ଡ ବାବୁଙ୍କ କଥାର କୌଣସି ଉତ୍ତର ଦେଲେ ନାହିଁ ।
  ପୋଗଣ୍ଡ ବାବୁ ଭାବୁଥିଲେ, ସୁଯୋଗ ପାଇଁ ଭଗବାନ ସଂଯୋଗ ବି ସୃଷ୍ଟି କରନ୍ତି । ଅଫିସରେ ଅଷ୍ଟେରିଟି କଡାକଡି ଚାଲିଚି । ପ୍ରାଇଭେଟ୍ କାମ ସକାଶେ ଆଉ ଗାଡି ମିଳିବ ନାହିଁ । ନହେଲେ ସାହେବ କ’ଣ ଯୋଗାଡ କରି ନଥା’ନ୍ତେ କି? ଇ.ଡି.ଙ୍କ ସହିତ ମୋର ଭାବ ହବାର ହିଁ ଭବିତବ୍ୟ ଥୟ । ଏହା ନ ହୋଇ ଆଉ କ’ଣ ବା ହୋଇଥାନ୍ତା? “ସାର୍, ଆଉ କିଛି ଜିନିଷ ଅଛି କି? ଏ ବ୍ରିଫ୍‌କେସ୍ ମୁଁ ଧରି ଦଉଚି, ଆପଣ ଚାଲି ଚାଲି ଆସନ୍ତୁ ।”
  ବ୍ରିଫ୍‌କେସ୍ ବଡ ଥିଲା । କିନ୍ତୁ ବେଶି ଓଜନ ନ ଥିଲା । ପୋଗଣ୍ଡ ବାବୁ ହାତ ବଦଳେଇ ବଦଳେଇ ତାହା ଧରି ଚାଲିଲେ । ସାହେବ ଆଗେଆଗେ ଚାଲି ଥା’ନ୍ତି । କଲୋନିରେ ପଶୁ ପଶୁ ଇ.ଡି. ବଙ୍ଗଳା । ଗେଟ୍ର ପହରା ଚଉକିଦାର ସାହେବଙ୍କୁ ସଲାମ ମାରି ପୋଗର୍ଡ ବାବୁଙ୍କ ହାତରୁ ବ୍ରିଫ୍‌କେସ୍ ନେଲା ଏବଂ ଅର୍ଥପୂର୍ଣ୍ଣ ଭାବେ ତାଙ୍କୁ ଚହେିଁ ଟିକେ ହସିଦେଲା । ସାହେବ ଚଉକିଦାରକୁ କହିଲେ, “ଚା, କରାିବାକୁ ଆୟାକୁ କହ । ମୁଁ ବାଥ୍‌ରୁମ୍ ଯାଉଚି । ମିଶ୍ର ବାବୁ ଚା ପିଇ ଯିବେ ।”
  “ମୋର ପାନ, ଚା, କି ସିଗ୍ରେଟ କିଛି ଅଭଞାସ ନାଇଁ, ସାର ।”
  “ଆଚ୍ଛା । ଭେରି ଗୁଡ୍ । ନାଇସ୍ ହାବିଟ୍ ।” ସାହେବଙ୍କ ତୁଣ୍ଡରୁ ବାହାରିଥିବା ପ୍ରଶଂସାର ଏହି କଥା ଦି’ପଦ ପୋଗଣ୍ଡ ବାବୁଙ୍କ ଆଶାକଚ ଅଣାୟତ୍ତ କରି ପକେଇଲା । ତାଙ୍କ ମନ ଭିତରର ସୈତାନ ଘୁମୁରି ଘୁମୁରି ଯେମିତି କହୁଥିଲା – ହଉରେ ସାହୁପୁଅ, ଏଥର କେମିତି ତେଲ ମାରି ପ୍ରମୋସନ୍ ନବୁ, ଦେଖିବା । ସାହେବ ଭିତରକୁ ଯାଉଯାଉ ଫେରି ଆସି କହିଲେ, “ତମେ ବୋଧେ ପ୍ରତିଦିନ ମଣିଙ୍ଗ୍‌ୱାକ କର?”
  “ହଁ, ସାର୍ ।” “କାଲି ଏଇ ବସ୍‌ରେ ମ୍ୟାଡମ୍ ଆସିବେ । ତାଙ୍କୁ ଟିକେ ହେଲ୍‌ପ କରିବ?”
  “ସାର୍ ।” ମୁଣ୍ଡକୁ ପେଣ୍ଡୁଲମ୍ ପରି ବାଁ ଡାହାଣ ହଲେଇ ସେ ଇ.ଡି. ବଙ୍ଗଳା ଛାଡିଲେ ।
  ଘରେ ପହଞ୍ଚି ପତ୍ଣୀ ପଚାରିଲେ, “କ୍ଷୀର ଆଣିନା କି?”
  ସତରେ ଭୁଲି ଯାଇଥିବା ପରି ସେ ଆକାଶରୁ ଛିଣ୍ଡି ପଡିଲେ, ଯେମିତି ।
  ପରଦିନ ମ୍ୟାଡମ୍ ଆସିଲେ । ତାଙ୍କ ସାଙ୍ଗରେ ଥିଲା ବନ୍ଧା ବନ୍ଧି ହୋଇଥିବା ବେଶ୍ ଓଜନିଆ ଗୋଟେ କାର୍ଟୁନ, ବ୍ରିଫ୍କେଶ୍ ଓ ବ୍ୟାଗ୍ । ବ୍ୟାଗ୍ଟିକୁ ମ୍ୟାଡାମ୍ ଧରିଲେ । ନଡିଆକତା ଦଉଡିରେ ବନ୍ଧା କାର୍ଟୁନ ହାତରେ ଧରି ଏତେ ବାଟ ବୋହି ନେବା ସମ୍ଭବ ନୁହେଁ । ପୋଗଣ୍ଡ ବାବୁ ତାହା ମୁଣ୍ଡରେ ଥୋଇଲେ । ରକ୍ଷା, କିଟିମିଟି ଅନ୍ଧାର । କେହି ଦେଖି ପାରିବେନି । ମ୍ୟାଡମ୍ ବାକି ଦି’ଟା ଜିନିଷ ଧରି ମୋଟେ ଚାଲିପାରୁ ନ ଥା’ନ୍ତି । ତେଣୁ ଇଏ ବାଧ୍ୟ କରି ତାଙ୍କ ଠାରୁ ବ୍ରିଫ୍‌କେସ୍ ନେଲେ ।
  ବଙ୍ଗଳାରେ ପହଞ୍ଚି ମ୍ୟାଡମ୍ କହିଲେ, “ଆପଣଙ୍କ ନାଁ କ’ଣ ଟି?”
  “ପୋଗଣ୍ଡ କୃଷ୍ଣ ମିଶ୍ର । ମୁଁ କମର୍ସିଆଲ ସେକ୍ସନ-ୱାନ୍‌ରେ ହେଡ୍ ଆସିଷ୍ଟାଣ୍ଡ ଅଛି ମ୍ୟାଡମ୍ ।”
  “ସାହୁ ବାବୁ ଯୋଉ ଡିପାର୍ଟମେଣ୍ଟ, ସେଇଠି ତ?”
   “କୋଉ ସାହୁ ମ୍ୟାଡମ୍? ଆମର ସେଠି ତିନି ଜଣ ସାହୁ ଅଛନ୍ତି ।”
   “ଟିକେ ସାବନା ବର୍ଣ୍ଣ । ଡେଙ୍ଗା, ଚନ୍ଦା ଲୋକ । କଲୋନିର ପୂଜାପର୍ବ ଅର୍ଗାନାଇଜ୍ କରନ୍ତିନି ।”
   ପୋଗଣ୍ଡ ବାବୁଙ୍କ ଛାତି ଭିତରେ ଢ଼ିଙ୍କି ପାହାର । କହିଲେ, “ଚନ୍ଦ୍ରମଣି ସାହୁ ।”
   “ହଁ ହଁ । ସେଇ । ଭଲ ଲୋକଟିଏ । ଯେତେବେଳେ ଖବର ଦେଲେ ସାହାଯ୍ୟ କରିବାକୁ ଅଣ୍ଟା ଭିଡି ହାଜର ହୋଇଯାଏ । ହଁ, କ’ଣ କହୁଥିଲି କି, କାଲି ଆମ ମିଲି ଏଇ ବସ୍ରେ ଆସିବ । ଆପଣ ଟିକେ ତାକୁ ସାଙ୍ଗରେ ନେଇ ଆସିବେ? ବମ୍ବେରୁ ଆସି ଭୁବନେଶ୍ୱର ପହଞ୍ଚିଲା । ଏବେ ତା ବାହାଘର ହବ । ଆମେ କାଇଁ ଆଉ ତା ଚାକିରି କଥାରେ ମୁଣ୍ଡ ପୂରେଇବା? ସେ ମୋ ସାଙ୍ଗରେ ଆସିଥା’ନ୍ତା ଯେ ହେଲେ ତା ମାମୁଁ ମାଇଁ ଆଉ ଦିନେ ରହିବାକୁ ବାଧ୍ୟ କଲେ । ଏ ମା, ବସ୍ ପହଞ୍ଚିଲା ବେଳକୁ ଯେକିତି କିଟିମିଟିଆ ଅନ୍ଧାର ରହୁଛି ନା ଯିଏ ନାହିଁ ସିଏ ଡରିଯିବ । ଏ ଜାଗା ଏମିତି ଜାଣିଥିଲେ ଆମେ ମୋଟେ କଲିକତା ଛାଡି ଆସି ନ ଥା’ନ୍ତୁ । ତାକୁ ଆଣିବାକୁ ୟଙ୍କର କହନ୍ତି ଯେ, ହେଲେ ଆପଣ ତ ଆମ ନିଜ ଲୋକ,ସେ କାହିଁ ଯିବେ? ତାଙ୍କୁ ଆପଣଙ୍କ କଥା କହି ଦଉଚି ।”
  “ହଁ ମ୍ୟାଡମ୍, ଆଉ କାହାର ଯିବା ଦରକାର ନାଇଁ । ମୁଁ ତ ସେଇଠିକି ଯାଉଚି । ଝିଅଟା ଆମର ଆସିବ । ଏତିକି କାମ କ’ଣ ମୁଁ କରି ପାରିବିନି?”
  ମିଲିଙ୍କ ବାହାଘର ଯଦି ଏଇଠି ହୁଏ? ଅନ୍ତତଃ ସାର୍‌ଙ୍କ ଗାଁଗଣ୍ଡାର ଯେତେ ବନ୍ଧୁବାନ୍ଧବ ସମସ୍ତେ ତ ଏମିତିକା ସକାଳୁଆ ବସ୍ରେ ହିଁ ଆସିବେ । କଟକ ଆଡୁ ଆସିବାକୁ ଆଉ କେତେବେଳେ ଏଠିକି ବସ୍ ନ ଥାଏ । ଅଥବା ଏ ସ୍ଥାନରେ କଦାପି ଏତେ ସକାଳୁ ରିକ୍ସା ମିଳିବାର ନାହିଁ ।
  ଜାଇରଗଡା ଆଗେ ହୁଏ କି ମଙ୍ଗନହାଣ୍ଡି ଆଗେ ବସେ, ପୋଗଣ୍ଡ ବାବୁଙ୍କ ମୁଣ୍ଡ ଭିତରେ କ୍ରମସବୁ ଓଲମବିଲମ ହୋଇଗଲା । ଯାହାହେଉ, ଆସନ୍ତା କାଲି ମିସ୍ ମିଲି ପାଣିଗ୍ରାହୀଙ୍କୁ ସାଙ୍ଗରେ ଆଣି ସଇସଲାମତ ତାଙ୍କ ବଙ୍ଗଳାରେ ପହଞ୍ଚାଇବା ପରେ ସେ ଆଉ ମଣିଙ୍ଗ୍ୱାକ କରିବେ କି ନା ସେଥିପାଇଁ ଏକ ଦୃଢ଼ ନିଷ୍ପତ୍ତି ନେବା ସକାଶେନିଜ ଘର ସୋଫା ଉପରେ ଫାଁ ଗାଳି ବସି ପଡିଲେ ।
  ପତ୍ଣୀ କହିଲେ, “ଆଜି ବି କ୍ଷୀର ଆଣିନ ନା? ଗୋଟାଏ କଥା ବାରମ୍ବାର କେମିତି ଭୁଲିଯାଉଛ କେଜାଣି? ତମକୁ ନେଇ ମୁଁ ଘର ସଂସାର କେମିତି ଚଳେଇବି, ପ୍ରଭୁ ଜାଣନ୍ତି ।”
  “ବୁଝିଲ, ଖରା ହେଲେ ଜଣା ପଡ଼େନି ସିନା, ଏଠି ସିମେଣ୍ଟ ଡଷ୍ଟ୍ ଯେମିତି ଉଡୁଚି – ଭାବୁଚି ଏଠି ମଣିଙ୍ଗ୍ୱାକ କରିବା ମୋଟ ଭଲ ନୁହେଁ । ସକାଳ ଉଠି ଏଇ ଆମ ବାରିପଟେ ଭେରାଏ ନାଚି କୁଦି ପକେଇଲେ ଚଳିବ । ଦେଲ, କନେ ଚା ଦିଅ ।"
 
       “ମଲା କ୍ଷୀର ନାହିଁ ପରା ।”