Jump to content

ଓଡ଼ିଶା ଇତିହାସ/ଉତ୍ତର ଗଙ୍ଗବଂଶ ଓ ଗଙ୍ଗ ସାମ୍ରାଜ୍ୟ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଉତ୍ତର ଗଙ୍ଗବଂଶ ଓ ଗଙ୍ଗ ସାମ୍ରାଜ୍ୟ

ଉତ୍ତର ଗଙ୍ଗବଂଶ ଓ ଗଙ୍ଗ ସାମ୍ରାଜ୍ୟ

ଉତ୍ତର ବା ପରବର୍ତ୍ତୀ ଗଙ୍ଗବଂଶ ହେଲେ ପୂର୍ବ ଗଙ୍ଗବଂଶର ଦାୟାଦ। ପଞ୍ଚମ ଶତାବ୍ଦୀର ଶେଷ ଭାଗରୁ (୪୯୬ ଖ୍ରୀଷ୍ଟାବ୍ଦ) ଆରମ୍ଭ କରି ଅଷ୍ଟମ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ କ୍ଷେତ୍ର ଓ ଆନ୍ଧ୍ରର ଶ୍ରୀକାକୁଲମ୍‍ କ୍ଷେତ୍ରରେ ପୂର୍ବ ବା ଆଦ୍ୟ ଗଙ୍ଗବଂଶ କଳିଙ୍ଗ ରାଜ୍ୟ ସ୍ଥାପନ କରିଥିଲେ। କଳିଙ୍ଗନଗର (ମୁଖଲିଙ୍ଗମ) ସେମାନଙ୍କ ରାଜଧାନୀ ଥିଲା। ଅଷ୍ଟମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ପୂର୍ବ ଗଙ୍ଗବଂଶର ପତନ ହେଲା। ଗଙ୍ଗମାନେ ଅନେକ ଭାଗରେ ବିଭକ୍ତ ହେଲେ। ଧୀରେ ଧୀରେ ସେମାନଙ୍କର ଓଡ଼ିଶା ସହିତ ସମ୍ବନ୍ଧ ତୁଟିଲା ଏବଂ ଆନ୍ଧ୍ରରେ ଏକ ଅଖ୍ୟାତ ବଂଶ ଭାବରେ ସେମାନେ ରହିଲେ। ଏକାଦଶ ଶତାବ୍ଦୀର ପ୍ରମାର୍ଦ୍ଧରେ (୧୦୩୮ ଖ୍ରୀଷ୍ଟାବ୍ଦ) ବଜ୍ରହସ୍ତ ଦେବ ସିଂହାସନ ଆରୋହଣ କଲେ। ତାଙ୍କ ସମୟ ପରଠାରୁ ପଞ୍ଚଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ ମଧ୍ୟରେ (୧୪୩୪ ଖ୍ରୀ.) ଗଙ୍ଗମାନେ ପୁଣି ଥରେ ଗୌରବ ଅର୍ଜନ କଲେ। ଏହି ସମୟରେ ସେମାନେ ଏକ ବୃହତ୍‍ ରାଜ୍ୟ ଗଠନ କରିବାରେ ସଫଳ ହେଲେ। ସେମାନେ ଆନ୍ଧ୍ର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲେ ହେଁ ଓଡ଼ିଶା-ସଂସ୍କୃତିର ସଂରକ୍ଷକ ରୂପେ ପ୍ରସିଦ୍ଧି ଅର୍ଜନ କଲେ। ସେମାନଙ୍କ ସମୟରେ (ଉତ୍ତର ଗଙ୍ଗବଂଶର ରାଜତ୍ୱ କାଳରେ) ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ତ‌ଥା ଆହୁରି ଅନେକ ମନ୍ଦିର ନିର୍ମିତ ହେଲା। ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ସେହି ପ୍ରକ୍ରିୟାରେ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଉତ୍ତର ଗଙ୍ଗବଂଶ ପ୍ରମୁଖତା ଲାଭ କଲା। ଏହା ସହିତ ଓଡ଼ିଶା ରାଜ୍ୟଗଠନର ଭିତ୍ତି ମଧ୍ୟ ସୁଦୃଢ଼ ହେଲା। ଦୀର୍ଘ ଚାରି ଶହ ବର୍ଷର ଗଙ୍ଗରାଜତ୍ୱ କାଳ ମଧ୍ୟରେ ୧୭ଜଣ ରାଜା ଶାସନ କରିିଲେ। ରାଜ୍ୟର ବିସ୍ତାର ହେବା ସହିତ ରାଜଧାନୀକୁ ସେମାନେ କଳିଙ୍ଗନଗର (ମୁଖଲିଙ୍ଗମ) ଠାରୁ ବାରାଣସୀ କଟକକୁ (ଆଧୁନିକ କଟକ) ସ୍ଥାନାନ୍ତର କରିିଥିଲେ। ଓଡ଼ିଶାରେ ସ୍ଥାୟୀ ଭାବେ ରହିଗଲା ପରେ ଗଙ୍ଗମାନେ ଓଡ଼ିଶାର ଚାଲିଚଳଣି ଓ ଓଡ଼ିଆ ଭାଷାକୁ ଆପଣେଇ ନେଲେ। ସେମାନଙ୍କ ସମୟରେ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ଉତ୍‍‌ଥାନ ହେଲା ଏବଂ ଜଗନ୍ନାଥ ଓଡ଼ିଶା ସଂସ୍କୃତିର ପ୍ରତୀକ ହେଲେ। ଏଥିରେ ଗଙ୍ଗମାନଙ୍କ ଅନେକ ଐତିହାସିକ ଭୂମିକା ରହିଥିଲା। ଐତିହାସିକ ଆର. ସୁବ୍ବାରାଓଙ୍କଦ୍ୱାରା ପ୍ରସ୍ତୁତ ଉତ୍ତର ଗଙ୍ଗବଂଶାବଳୀ ନିମ୍ନରେ ଦିଆଗଲା ।

ଉତ୍ତର ଗଙ୍ଗ ବଂଶାବଳୀ

 
 
ଅନନ୍ତ ବର୍ମା ବଜ୍ରହସ୍ତ (୧୦୩୮-୧୦୬୯ ଖ୍ରୀ.)
 
 
 
 
 
 
ଦେବେନ୍ଦ୍ର ବର୍ମା ପ୍ରଥମ ରାଜରାଜ (୧୦୬୯-୧୦୭୬ ଖ୍ରୀ.)
 
 
 
 
 
 
 
 
 
 
 
 
 
 
 
 
 
ଅନନ୍ତ ବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭)ଉଦୟଗଣ୍ଡ ପରମାଦ୍ରିଦେବ ବା
ଦ୍ୱିତୀୟ ଚୋଡ଼ଗଙ୍ଗ ବା
ରାଜେନ୍ଦ୍ର ଚୋଡ଼ଗଙ୍ଗ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ସପ୍ତମ କାମାର୍ଣ୍ଣବ (୧୧୪୭-୫୬)ରାଘବ (୧୧୫୬-୭୦)ଦ୍ୱିତୀୟ ରାଜରାଜ (୧୧୭୦-୯୦)ଦ୍ୱିତୀୟ ଅଙ୍ଗଙ୍ଗଭୀମ (୧୧୯୦-୯୮)
 
 
 
 
 
 
 
 
 
 
 
 
 
 
 
 
 
 
 
ତୃତୀୟ ରାଜରାଜ (୧୧୯୮-୧୨୧୧)
 
 
 
 
 
 
 
 
ତୃତୀୟ ଅନଙ୍ଗଭୀମ (୧୨୧୧-୧୨୩୮)
 
 
 
 
 
 
 
 
ପ୍ରଥମ ନରସିଂହଦେବ (୧୨୩୮-୧୨୬୪)
 
 
 
 
 
 
 
 
ପ୍ରଥମ ଭାନୁଦେବ (୧୨୬୪-୧୨୭୯)
 
 
 
 
 
 
 
 
ଦ୍ୱିତୀୟ ନରସିଂହଦେବ (୧୨୭୯-୧୩୦୬)
 
 
 
 
 
 
 
 
ଦ୍ୱିତୀୟ ଭାନୁଦେବ (୧୩୦୬-୧୩୨୮)
 
 
 
 
 
 
 
 
ତୃତୀୟ ନରସିଂହଦେବ (୧୩୨୮-୧୩୫୨)
 
 
 
 
 
 
 
 
ଚତୁର୍ଥ ନରସିଂହଦେବ (୧୩୭୮-୧୪୧୪)
 
 
 
 
 
 
 
 
ଚତୁର୍ଥ ଭାନୁଦେବ (୧୪୧୪-୧୪୩୪)
 
ଉତ୍ତର ଗଙ୍ଗବଂଶର ପ୍ରଥମ ରାଜା ଥିଲେ ବଜ୍ରହସ୍ତ ଦେବ । ତାଙ୍କ ସମୟରେ ତ‌ଥା ତାଙ୍କ ଉତ୍ତରାଧିକାରୀ ଦେବେନ୍ଦ୍ର ବର୍ମା ପ୍ରଥମ ରାଜରାଜ ଦେବଙ୍କ ସମୟରେ ସୋମମାନଙ୍କର ରାଜ୍ୟକୁ ଗଙ୍ଗମାନେ ଅଧିକାର କରିନେଲେ । ଉତ୍ତର ଗଙ୍ଗ ବଂଶର ମହାରାଜ, ମହାରାଜାଧିରାଜ, ପରମ ମାହେଶ୍ୱର, ପରମ ଭଟ୍ଟାରକ ଏବଂ ତ୍ରିକଳିଙ୍ଗାଧିପତି ଆଦି ପଦବୀରୁ ମନେହୁଏ ଯେ, ସେମାନେ ସ୍ୱାଧୀନ ଥିଲେ, ରାଜ୍ୟଜୟକୁ ପ୍ରମୁଖତା ଦେଉଥିଲେ ତ‌ଥା ଖୁବ୍‍ ଅଧିକ ମାତ୍ରାରେ ଧର୍ମାଶ୍ରିତ ଥିଲେ । ପରବର୍ତ୍ତୀ ସମୟରେ ଯୁଦ୍ଧ ଜୟ ସହିତ ଧର୍ମ ଓ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ଦେଇ ରାଜ୍ୟରେ ଆଭ୍ୟନ୍ତରୀଣ ଶାନ୍ତି ରକ୍ଷା କରିବାରେ ସଫଳ ହୋଇଥିଲେ । ପ୍ରଥମ ରାଜରାଜ ସମ୍ଭବତଃ ଚୋଳ ରାଜା କୁଳୋତ୍ତୁଙ୍ଗ ଚୋଳଙ୍କୁ ପରାସ୍ତ କରି ତାଙ୍କ କନ୍ୟାଙ୍କ ସହିତ ବିବାହ କରିଥିଲେ । ଏହି ବୈବାହିକ ସମ୍ପର୍କ ପରେ ଗଙ୍ଗ ରାଜ୍ୟ ଚୋଳମାନଙ୍କର ସାହାଯ୍ୟ-ସମର୍ଥନ ଲାଭ କଲା । ଚୋଳ ପରିବାର ସହିତ ସମ୍ବନ୍ଧ ପରେ ରାଜରାଜଙ୍କ ପୁତ୍ର ଅନନ୍ତବର୍ମା "ଚୋଳଗଙ୍ଗ' (ଚୋଡ଼ଗଙ୍ଗ) ନାମ ବହନ କଲେ । ପ୍ରକୃତରେ ଦେଖିଲେ, ସେ ହେଉଛନ୍ତି ଗଙ୍ଗବଂଶର ସର୍ବଶ୍ରେଷ୍ଠ ରାଜା । ତାଙ୍କ ସମୟରୁ ହିଁ ଗଙ୍ଗସାମ୍ରାଜ୍ୟର ପ୍ରକୃତ ଶୁଭାରମ୍ଭ ହେଲା ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ପ୍ରଥମ ରାଜରାଜଙ୍କ ଜନୈକ ପୁତ୍ର କୁହାଯାଉିବା ଉଦୟଗଣ୍ଡ ପରମାଦ୍ରିଦେବଙ୍କ ସଂପର୍କରେ ବିଶେଷ ଐତିହାସିକ ତ‌ଥ୍ୟ ନାହିଁ ।

ଅନନ୍ତବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭ ଖ୍ରୀଷ୍ଟାବ୍ଦ)

ଜଣେ ସାମ୍ରାଜ୍ୟ ନିର୍ମାତା ଭାବରେ ଚୋଡ଼ଗଙ୍ଗ ଦେବ ଓଡ଼ିଶା ଇତିହାସରେ ଖୁବ୍‍ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କ ସମୟରେ ପାଳରାଜା ରାମପାଳ ସୋମବଂଶୀମାନଙ୍କ ଉପରେ ଆକ୍ରମଣ କଲେ । ଏହାକୁ ରାଜ୍ୟ ବିସ୍ତାରପାଇଁ ଏକ ସୁଯୋଗ ମନେ କରି ଚୋଡ଼ଗଙ୍ଗ ପ୍ରଥମେ ସୋମବଂଶୀ ରାଜା କର୍ଣ୍ଣଦେବଙ୍କୁ ସହାୟତା କରି ପାଳମାନଙ୍କ ଦାଉରୁ ରକ୍ଷା କଲେ ଏବଂ ପରେ ସମଗ୍ର ସୋମବଂଶ ରାଜ୍ୟକୁ ନିଜ ଅଧିକାରଭୁକ୍ତ କରିନେଲେ । ଏହା ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୧୧୦ର ଘଟଣା । ପ୍ରକୃତରେ ଦେଖିବାକୁ ଗଲେ, ଏକାଦଶ ଶତାବ୍ଦୀର ଶେଷବେଳକୁ ସୋମବଂଶୀମାନେ ଏତେ ଦୁର୍ବଳ ହୋଇପଡ଼ିଥିଲେ ଯେ, କୌଣସି ନା କୌଣସି ପରାକ୍ରମୀ ରାଜ୍ୟ ସହ ବିଲୟ ହେବା ସେମାନଙ୍କ ନିୟତି ଥିଲା । ଏହା ଉତ୍ତାରୁ ଗଙ୍ଗ ରାଜଧାନୀ କଳିଙ୍ଗନଗର (ମୁଖଲିଙ୍ଗମ୍‍)ରୁ ସ୍ଥାନାନ୍ତରିତ ହୋଇ କଟକରେ ସ୍ଥାପିତ ହେଲା, କାରଣ ଏହା ଥିଲା ବର୍ଦ୍ଧିତ ଗଙ୍ଗରାଜ୍ୟର ମଧ୍ୟବର୍ତ୍ତୀ ସ୍ଥାନ ।

ଚୋଡ଼ଗଙ୍ଗଦେବ ଉପକୂଳ ଓଡ଼ିଶାରେ ନିଜ କର୍ତ୍ତୃତ୍ୱ ସୁଦୃଢ଼ କରିବା ସମୟରେ ପଶ୍ଚିମ ଅଞ୍ଚଳ ଆର୍ଥାତ୍ ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର କ୍ଷେତ୍ରକୁ କାଳାଚୁରୀ ରାଜା ଦ୍ୱିତୀୟ ରତ୍ନଦେବ (୧୧୨୦-୧୧୩୫ ଖ୍ରୀଷ୍ଟାବ୍ଦ) ଅଧିକାର କରିନେଲେ । ଚୋଡ଼ଗଙ୍ଗ ଉକ୍ତ କ୍ଷେତ୍ରକୁ ଫେରି ପାଇବା ସକାଶେ କାଳାଚୁରୀମାନଙ୍କ ସହ ଯୁଦ୍ଧ କଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ ଏଥିରେ ତାଙ୍କୁ ସଫଳତା ମିଳିନଥିଲା । ପ୍ରାୟ ଶହେ ବର୍ଷ ଧରି ଏହା କାଳାଚୁରୀମାନଙ୍କ ଅଧିକାରଭୁକ୍ତ ହୋଇ ରହିଲା । ଗଙ୍ଗବଂଶର ଅନ୍ୟତମ ଶ୍ରେଷ୍ଠ ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ଯାଇ କୋଶଳ କ୍ଷେତ୍ର ପୁଣି ଥରେ ଗଙ୍ଗସାମ୍ରାଜ୍ୟରେ ଅର୍ଥାତ ପ୍ରାକୃତିକ ଓଡ଼ିଶା ରାଜ୍ୟରେ ସଂଯୁକ୍ତ ହେଲା । ଚୋଡ଼ଗଙ୍ଗ ଦେବ ଗଙ୍ଗ ରାଜ୍ୟକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଅନେକଗୁଡ଼ିଏ ଦୁର୍ଗ ନିର୍ମାଣ କରିଥିଲେ । ଏହି ଦୁର୍ଗଗୁଡ଼ିକ ଯାଜପୁର, ଅମରାବତୀ (ଛତିଆ) ଚୌଦ୍ୱାର, କଟକ ଓ ସାରଙ୍ଗଗଡ଼ (ବାରଙ୍ଗ)ରେ ଅବସ୍ଥିତ ଥିଲା । ସମ୍ଭବତଃ ଦୁର୍ଗଗୁଡ଼ିକୁ ଗଙ୍ଗରାଜା ଅସ୍ଥାୟୀ ସୈନ୍ୟ ଛାଉଣି ରୂପେ ବ୍ୟବହାର କରୁଥିଲେ । ଯୁଦ୍ଧ ପୂର୍ବରୁ ସାମୟିକ ସୈନ୍ୟ ପ୍ରଶିକ୍ଷଣପାଇଁ ମଧ୍ୟ ଦୁର୍ଗକୁ ବ୍ୟବହାର କରାଯାଉଥିଲା । ଏଥିରୁ ସାବ୍ୟସ୍ତ ହୁଏ ଯେ, ଗଙ୍ଗମାନେ ଚୋଡ଼ଗଙ୍ଗଙ୍କ ସମୟରୁ ହିଁ ଆକ୍ରମଣାତ୍ମକ ନୀତି ଅବଲମ୍ବନ କରି ରାଜ୍ୟକୁ ପ୍ରତିଷ୍ଠା ଦେବାକୁ ତ‌ଥା ରାଜ୍ୟ ବିିସ୍ତାର କରିବାକୁ ଉଦ୍ୟମ କରିଥିଲେ । ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ନାଗରୀ ତାମ୍ରଶାସନରୁ ଜଣାଯାଏ ଯେ ବେଙ୍ଗୀ, ଉତ୍କଳ, ମନ୍ଦାର ଓ ଦକ୍ଷିଣ କୋଣରୁ ଚୋଡ଼ଗଙ୍ଗ କର ଆଦାୟ କରୁଥିଲେ, ଯାହା ରାଜ୍ୟକୁ ସମୃଦ୍ଧି ପ୍ରଦାନ କରିଥିଲା ।

ପୁରୀର ଚୁଡ଼ଙ୍ଗ ସାହି, ଭୁବନେଶ୍ୱର ନିକଟସ୍ଥ ଧଉଳି ପାର୍ଶ୍ୱରେ କୌଶଲ୍ୟା ଗଙ୍ଗ ହ୍ରଦ ଓ ଗଙ୍ଗେଶ୍ୱରପୁର ଗ୍ରାମ ଚୋଡ଼ଗଙ୍ଗ ଦେବଙ୍କ କୃତି ବୋଲି ବିଶ୍ୱାସ କରାଯାଏ ।

ନିଜ ପୂର୍ବପୁରୁଷଙ୍କ ପରି ଚୋଡ଼ଗଙ୍ଗ ଦେବ ଆରମ୍ଭରେ ଶୈବ ଥିଲେ । ମାତ୍ର ଓଡ଼ିଶା ଅଧିକାର ପରେ ସେ ଜଗନ୍ନାଥଭକ୍ତ ପାଲଟିଗଲେ । ଆଞ୍ଚଳିକ ସ୍ତରରେ ଖୁବ୍‍ ପ୍ରସିଦ୍ଧି ପାଇଥିବା ଜଗନ୍ନାଙ୍କୁ ରାଜ୍ୟର ଆରାଧ୍ୟ ଦେବତା ବା ରାଷ୍ଟ୍ରୀୟ ଦେବତା କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ମାଦଳାପାଞ୍ଜି ଅନୁଯାୟୀ, ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ବିଶାଳ ଜଗନ୍ନାଥ ମନ୍ଦିର ପୁରୀଠାରେ ନିର୍ମିତ ହୋଇଥିଲା । ମାତ୍ର ଗଙ୍ଗମାନଙ୍କଦ୍ୱାରା ପ୍ରଦତ୍ତ ତାମ୍ର ଶାସନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଚୋଡ଼ଗଙ୍ଗଦେବଙ୍କ ସମୟରେ ହିଁ ମନ୍ଦିରର ନିର୍ମାଣ ହୋଇଥିଲା । ସମ୍ଭବତଃ ଚୋଡ଼ଗଙ୍ଗ ହିଁ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଯାହାହେଉ, ଗଙ୍ଗମାନଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଏତେ ଅଧିକ ପ୍ରାଧାନ୍ୟ ଦେବା ପଛରେ କିଛି ରାଜନୈତିକ କାରଣ ରହିଥିବ ବୋଲି ଅନୁମାନ କରାଯାଏ । ଆନ୍ଧ୍ର ଅଞ୍ଚଳରୁ ଆର୍ଥାତ୍ ଓଡ଼ିଶା ବାହାରୁ ଆସିଥିବା ଗଙ୍ଗମାନେ ଓଡ଼ିଶାରେ ସାମାଜିକ ସ୍ୱୀକୃତି ପାଇବାଲାଗି ଜଗନ୍ନାଥଙ୍କର ଉପଯୋଗ କରୁଥିଲେ । ଜଗନ୍ନାଥଙ୍କ ନାମରେ ଶାସନ କରିବାଦ୍ୱାରା ଗଙ୍ଗମାନଙ୍କୁ ପ୍ରଭୂତ କର୍ତ୍ତୃତ୍ୱ ହାସଲ ହେଲା । ପଡ଼ୋଶୀ ରାଜ୍ୟର ଆକ୍ରମଣର ସମ୍ମୁଖୀନ ହେବାପାଇଁ ଆବଶ୍ୟକ ଜନସର୍ମଥନ ପାଇବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଫଳରେ ଜଗନ୍ନାଥଙ୍କ ନାମକୁ ସେମାନେ ବିଧର୍ମୀ ଓ ବିଜାତୀୟ (ଅଣ-ଓଡ଼ିଆ) ଆକ୍ରମଣ ବିରୁଦ୍ଧରେ ଉପଯୋଗ କରିପାରିଲେ । ଏଥିପାଇଁ ସେମାନେ ଆବଶ୍ୟକ ମାତ୍ରାରେ ବ୍ରାହ୍ମଣମାନଙ୍କର ମଧ୍ୟ ପୃଷ୍ଠପୋଷକତା କଲେ । ବହିରାକ୍ରମଣରୁ ଲବ୍ଧ ଧନସଂପତ୍ତିର ଅନେକାଂଶ ବ୍ରାହ୍ମଣମାନଙ୍କ ହିତ ସାଧନରେ ଏବଂ ମନ୍ଦିର ନିର୍ମାଣରେ ବ୍ୟବହୃତ ହେଲା । ବ୍ୟୟ ବହୁଳ ମନ୍ଦିରମାନ ନିର୍ମାଣ କରି ଗଙ୍ଗମାନେ ସମଗ୍ର ଭାରତରେ ନିଜର ପ୍ରଭୁତ୍ୱ ପ୍ରଦର୍ଶନ କଲେ । ଚୋଡ଼ଗଙ୍ଗଦେବଙ୍କ ପରେ ମଧ୍ୟ ଏହି ନୀତିକୁ ଗଙ୍ଗମାନେ ଅବ୍ୟାହତ ରଖିଥିଲେ । ଦୀର୍ଘ ପ୍ରାୟ ସତୁରି ବର୍ଷ (୧୦୭୬-୧୧୪୭) ରାଜତ୍ୱ କରି ଚୋଡ଼ଗଙ୍ଗ ଦେବ ଗଙ୍ଗସାମ୍ରାଜ୍ୟକୁ କେବଳ ରାଜ୍ୟ ବିସ୍ତାର କରି ନୁହେଁ; ବରଂ ଧର୍ମ, କଳା, ସଂସ୍କୃତି ଓ ସ୍ଥାପତ୍ୟ କ୍ଷେତ୍ରରେ ମଧ୍ୟ ଏକ ଦୃଢ଼ ଭିତ୍ତି ପ୍ରଦାନ କଲେ । ଫଳରେ ଓଡ଼ିଶାରେ ପୂର୍ବରୁ ଆରମ୍ଭ ହୋଇଥିବା ରାଷ୍ଟ୍ରଗଠନ ପ୍ରକ୍ରିୟା ଏଣିକି ଦୃଢ଼ରୁ ଦୃଢ଼ତର ହେଲା ।

ଚୋଡ଼ଗଙ୍ଗ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସପ୍ତମ କାମାର୍ଣ୍ଣବ ଦେବ ଗଙ୍ଗବଂଶର ରାଜା ହେଲେ । ସେ ଦଶବର୍ଷ କାଳ (୧୧୪୭-୧୧୫୬) ଶାସନ କରିଥିଲେ । ପିତାଙ୍କ ପରି ସେ ମଧ୍ୟ କୋଶଳ ଫେରି ପାଇବା ସକାଶେ କାଳାଚୁରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ, ଅଥଚ ସଫଳତା ପାଇନଥିଲେ । ଚୋଳମାନଙ୍କ ଆକ୍ରମଣଯୋଗୁଁ କଳିଙ୍ଗର ଦକ୍ଷିଣାଞ୍ଚଳ ମଧ୍ୟ ତାଙ୍କୁ ହରାଇବାକୁ ପଡ଼ିଥିଲା । ସମ୍ଭବତଃ ଏହି ପରାଜୟଜନିତ ଲୋକଲଜ୍ଜାରୁ ରକ୍ଷା ପାଇବାପାଇଁ ସେ ତୁଳାଭରମ ଯଜ୍ଞର ଆୟୋଜନ କରିଥିଲେ । ଆୟୋଜନ ଅନୁଯାୟୀ ରାଜାଙ୍କ ଓଜନର ଧନରତ୍ନ (ସୁନା) ବ୍ରାହ୍ମଣ ଓ ପାରିଷଦବର୍ଗଙ୍କୁ ଦାନ କରାଯାଇଥିଲା ।

କାମାର୍ଣ୍ଣବ ଦେବ ଅପୁତ୍ରକ ଥିଲେ । ତାଙ୍କ ପରେ ତାଙ୍କ ଭାଇ ରାଘବ (୧୧୫୬-୧୧୭୦) ଗଙ୍ଗ ରାଜା ହେଲେ । ସେ ମଧ୍ୟ ଅପୁତ୍ରକ ଥିବାରୁ ଚୋଡ଼ଗଙ୍ଗଙ୍କ ଅନ୍ୟ ଦୁଇ ପୁତ୍ର ଦ୍ୱିତୀୟ ରାଜରାଜ ଓ ଦ୍ୱିତୀୟ ଅନଙ୍ଗଭୀମଦେବ କ୍ରମାନ୍ୱୟରେ ସିଂହାସନ ଆରୋହଣ କଲେ । ଏହି ସମୟରେ ଗଙ୍ଗସେନାପତି ସ୍ୱପ୍ନେଶ୍ୱର ଭୁବନେଶ୍ୱରରେ ମେଘେଶ୍ୱର ଶିବମନ୍ଦିର ନିର୍ମାଣ କରିଥିବାର ପ୍ରମାଣ ମିଳେ । ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ସମୟରେ ନିଆଳିଠାରେ ଶୋଭନେଶ୍ୱର ଶିବ ମନ୍ଦିରର ନିର୍ମାଣ ହୋଇଥିଲା । ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥା ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ।

ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ଉତ୍ତାରୁ ତାଙ୍କ ପୁତ୍ର ତୃତୀୟ ରାଜରାଜ (୧୧୯୮-୧୨୧୧) ସିଂହାସନ ଆରୋହଣ କଲେ । ରାଜତ୍ୱର ପ୍ରଥମ ବର୍ଷରେ ସେ ଦାସଗୋବା ତାମ୍ର ଶାସନ ପ୍ରଦାନ କରିଥିଲେ । ଏଥିରେ ଚୋଡ଼ଗଙ୍ଗଦେବ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିିବା କଥା ଉଲ୍ଲେଖ ଅଛି । ଦକ୍ଷିଣ ଭାରତର ଶ୍ରୀକୂର୍ମନାଥ ମନ୍ଦିର ଶିଳାଳେଖରେ ତୃତୀୟ ରାଜରାଜଙ୍କ ବିଷୟରେ କିଛି ସୂଚନା ରହିଛି । ତୃତୀୟ ରାଜରାଜଙ୍କ ରାଜତ୍ୱ ସମୟର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଘଟଣା ହେଲା, ଏହି ସମୟରେ (୧୧୯୨ରେ) ତୁର୍କମାନେ ଦିଲ୍ଲୀ ସିଂହାସନ ଅଧିକାର କରିସାରିିଥିଲେ । ଏହା ପରେ କାଳାଚୁରୀ, ପାଳ ଓ ଚୋଳମାନଙ୍କ ପରି ମୁସଲମାନ ଶାସକମାନେ ମଧ୍ୟ ଓଡ଼ିଶା ଆକ୍ରମଣ କରିବାକୁ ଆରମ୍ଭ କଲେ । ଐତିହାସିକ ମିନ୍‍ହାବୁଦ୍ଦିନଙ୍କଦ୍ୱାରା ଲିଖିତ 'ତବାକତ-ଇ-ନାସିରୀ' ପୁସ୍ତକରୁ ଜଣାଯାଏ ଯେ ୧୨୦୫ ଖ୍ରୀଷ୍ଟାବ୍ଦରେ ବଙ୍ଗର ଶାସକ ମହମ୍ମଦ ବକ୍‍ତିଆର ଖିଲିଜୀ ଓଡ଼ିଶାର ଯାଜନଗର (ଯାଜପୁର) ଆକ୍ରମଣ କରିବାକୁ ସୈନ୍ୟ ପ୍ରେରଣ କରିଥିଲେ । ମାତ୍ର ନିଜେ ବକ୍‍ତିଆର ତାଙ୍କ ସେନାପତି ଅଲିମର୍ଦ୍ଦନଙ୍କ ହାତରେ କାମରୂପ ଓ ତିବ୍ବତ ଯୁଦ୍ଧ ଅଭିଯାନ ସମୟରେ ନିହତ ହେଲେ । ଫଳରେ ଖିଲିଜୀ ସେନା ଓଡ଼ିଶା ଆକ୍ରମଣ ନ କରି ପ୍ରତ୍ୟାବର୍ତ୍ତନ କଲେ । ଯଦିଓ ଖିଲିଜୀମାନଙ୍କର ପ୍ରଥମ ଓଡ଼ିଶା ଆକ୍ରମଣ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ, ପରବର୍ତ୍ତୀ ସମୟରେ ଉଭୟ ଗଙ୍ଗ ଓ ବଙ୍ଗର ଖିଲିଜୀମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଲା । ତୃତୀୟ ରାଜରାଜଙ୍କ ପରେ ତୃତୀୟ ଅନଙ୍ଗଭୀମଦେବ (୧୨୧୧-୧୨୩୮) ସିଂହାସନ ଆରୋହଣ କଲେ । ତୃତୀୟ ଅନଙ୍ଗଭୀମଦେବ କାଳାଚୁରୀମାନଙ୍କୁ ପରାସ୍ତ କରି କୋଶଳକୁ ଗଙ୍ଗସାମ୍ରାଜ୍ୟ ଅଧୀନକୁ ଫେରାଇ ଆଣିେଥିଲେ । ସେତେବେଳକୁ କାଳାଚୁରୀମାନେ ଅନେକ ଦୁର୍ବଳ ହୋଇ ସାରିଥିଲେ । ସେମାନଙ୍କର ଗଙ୍ଗମାନଙ୍କ ହାତରେ ପରାସ୍ତ ହେବା ଏବଂ କୋଶଳର ଗଙ୍ଗ ସାମ୍ରାଜ୍ୟରେ ସାମିଲ ହେବା ଅସ୍ୱାଭାବିକ ମନେହୁଏ ନାହିଁ । ମାଦଳା ପାଞ୍ଜି ଅନୁଯାୟୀ କୋଶଳ ପୁନଃ ଅଧିକୃତ ହେବା ପରେ ତୃତୀୟ ଅନଙ୍ଗଭୀମଙ୍କ ରାଜକୋଷ ଅଧିକ ଆୟ କରିବାକୁ ସମର୍ଥ ହେଲା ।

କାଳାଚୁରୀ ରାଜା ତୁମ୍ମାଣଙ୍କୁୁ ଯୁଦ୍ଧରେ ପରାସ୍ତ କଲେ ଗଙ୍ଗ ସେନାପତି ବ୍ରାହ୍ମଣ ବିଷ୍ଣୁ । ଏହା ପରେ ଗଙ୍ଗ ଓ କାଳାଚୁରୀଙ୍କ ମଧ୍ୟରେ ବିବାହ ବନ୍ଧନ ସ୍ଥାପିତ ହେଲା । କାଳାଚୁରୀ ରାଜକୁମାର ପରମାର୍ଦୀଦେବଙ୍କ ସହିତ ତୃତୀୟ ଅନଙ୍ଗଭୀମଦେବଙ୍କ କନ୍ୟା ଚନ୍ଦ୍ରିକାଙ୍କର ବିବାହ ହେଲା । ଏହା ପରେ ପରମାର୍ଦୀଦେବ ଗଙ୍ଗସେନାର ସେନାପତି ଭାବେ କାର୍ଯ୍ୟ ତୁଲାଇଲେ । ସମ୍ଭବତଃ କାଳାଚୁରୀମାନେ ତ୍ରୟୋଦଶ ଶତାବ୍ଦୀର ଆରମ୍ଭ ବେଳକୁ ପତନର ସମ୍ମୁଖୀନ ହୋଇ ରାଜ୍ୟ ହରାଇଥିଲେ, ଯାହା ଫଳରେ ରାଜକୁମାର ପରମାର୍ଦୀଦେବଙ୍କୁ ଗଙ୍ଗ ରାଜାଙ୍କ ଅଧୀନରେ କାମ କରିବାକୁ ପଡ଼ିଥିଲା । ଯେତେବେଳେ ବଙ୍ଗର ନବାବ ଗିୟାସୁଦ୍ଦିନ୍‍ ଇଓ୍ୱାଜ ଓଡ଼ିଶା ଆକ୍ରମଣ କଲେ, ଗଙ୍ଗ ସେନାପତି ପରମାର୍ଦୀଦେବ ସଫଳତାର ସହିତ ସେମାନଙ୍କର ପ୍ରତିରୋଧ କରିଥିଲେ । ଗିୟାସୁଦ୍ଦିନ୍‍ଙ୍କ ସେନାପତି ଯୁଜବେକ୍‍ ପରମାର୍ଦୀଦେବଙ୍କ ହାତରେ ପରାସ୍ତ ହୋଇଥିବା କଥା 'ତବାକତ-ଇ-ନାସିରୀ' ପୁସ୍ତକରେ ଉଲ୍ଳେଖ ଅଛି । ପରମାର୍ଦୀଦେବଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଚନ୍ଦ୍ରିକାଦେବୀ ଭୁବନେଶ୍ୱରରେ ପତିଙ୍କ ସ୍ମୃତିରେ ଅନନ୍ତ ବାସୁଦେବ ମନ୍ଦିର ୧୨୭୮ରେ ନିର୍ମାଣ କରିଥିଲେ ।

ଏହି ସମୟରେ ଚୋଳରାଜ୍ୟରେ ଚାଲିଥିବା ଗୃହବିବାଦର ସୁଯୋଗ ନେଇ ଗଙ୍ଗରାଜା କାଞ୍ଚିପୁରମ ପର୍ଯ୍ୟନ୍ତ କୃଷ୍ଣା ଗୋଦାବରୀର ଉର୍ବର ତ୍ରିକୋଣଭୂମି ଅଞ୍ଚଳ ଅଧିକାର କରିନେଲେ । ଦକ୍ଷିଣ ଅଭିଯାନ ସମୟରେ ତାଙ୍କୁ ଓ୍ୱାରଙ୍ଗଲର କାକତୀୟ ରାଜା ଗଣପତିଙ୍କ ହସ୍ତରେ ପରାସ୍ତ ହେବାକୁ ପଡ଼ିଲା ଏବଂ ପରିଣାମ ସ୍ୱରୂପ ପୂର୍ବ ଗୋଦାବରୀ ଜିଲ୍ଲାର କିଛି ଅଂଶ ହରାଇବାକୁ ପଡିଥିଲା ।

ମାଦଳାପାଞ୍ଜି ଅନୁଯାୟୀ ରାଜଧାନୀ କଟକର ବାରବାଟୀ ଦୁର୍ଗ ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ନିର୍ମିତ ହୋଇଥିଲା । ବଙ୍ଗର ମୁସଲମାନ ଓ ଦକ୍ଷିଣର ଚୋଳ, ବେଙ୍ଗୀ ଆଦି ରାଜ୍ୟରୁ ଓଡ଼ିଶାକୁ ସୁରକ୍ଷା ଦେବାପାଇଁ ସେ ଜଗନ୍ନାଥ ଧର୍ମର ରାଜନୀତିକ ବ୍ୟବହାର କଲେ । ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାର ମର୍ଯ୍ୟାଦା ଦେଇ ଗଙ୍ଗରାଜା ତାଙ୍କର ପ୍ରତିନିଧି ଭାବରେ ରାଜ୍ୟଶାସନ କରୁଛନ୍ତି ବୋଲି ସେ ଘୋଷଣା କଲେ । ଏହାଦ୍ୱାରା ତାଙ୍କୁ ସାମନ୍ତରାଜା, ମନ୍ଦିରସେବକ, ବ୍ରାହ୍ମଣ, ପ୍ରଶାସନ ଓ ସେନାସାମନ୍ତଙ୍କର ପ୍ରଭୂତ ସହଯୋଗ ମିଳିଲା । ଅନ୍ୟ ପକ୍ଷରେ ରାଜଶକ୍ତିର ଊର୍ଦ୍ଧ୍ୱରେ ଜଗନ୍ନାଥ ଏକ ଶକ୍ତି ରୂପେ ମର୍ଯ୍ୟାଦା ପାଇଲେ । ଏହା ଗଙ୍ଗମାନଙ୍କ ପରେ ମଧ୍ୟ ଅବ୍ୟାହତ ରହିଲା । ଏହାର ସୁଯୋଗ ନେଇ କେତେବେଳେ ରାଜଶକ୍ତି ଜଗନ୍ନାଙ୍କୁ ଆଳ କରି କର୍ତ୍ତୃତ୍ୱ ଜାହିର କଲା ତ ଅନ୍ୟ କେତେବେଳେ ଜଗନ୍ନାଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ପୂଜକ, ସାମନ୍ତ ଓ ସେବାକାରୀବର୍ଗ ଜଗନ୍ନାଥଙ୍କ ମାଧ୍ୟମରେ ରାଜଶକ୍ତିକୁ ନିୟନ୍ତ୍ରଣ କଲେ । ଅନ୍ୟ ପକ୍ଷରେ ଶିକ୍ଷା, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ସଙ୍ଗୀତ ଓ ସାହିତ୍ୟ ଆଦିର ବିକାଶ ମଧ୍ୟ ଜଗନ୍ନାଥ ଓ ମନ୍ଦିର ମାଧ୍ୟମରେ ଦେଖିବାକୁ ମିଳିଲା । ଅନ୍ୟ ଶବ୍ଦରେ କହିଲେ; ତୃତୀୟ ଅନଙ୍ଗଭୀମଦେବ ତାଙ୍କର ଯୁଦ୍ଧ ଜୟ, ରାଜ୍ୟ ବିସ୍ତାର, ଜଗନ୍ନାଙ୍କର ପୃଷ୍ଠପୋଷକତା ଓ ସ୍ଥାପତ୍ୟ କଳାର ବିକାଶପାଇଁ ଗଙ୍ଗ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କଲେ । ତୃତୀୟ ଅନଙ୍ଗଭୀମଦେବଙ୍କ ପରେ ତାଙ୍କ ପୁତ୍ର ପ୍ରଥମ ନରସିଂହ ଦେବ (୧୨୩୮- ୧୨୪୧) ଗଙ୍ଗରାଜ୍ୟର ଶାସକ ହେଲେ । ତାଙ୍କ ଶାସନ ସମୟରେ ସାମରିକ ବିଜୟ ତ‌ଥା କଳାଭାସ୍କର୍ଯ୍ୟ କ୍ଷେତ୍ରରେ ଗଙ୍ଗବଂଶର ଗୌରବ ବୃଦ୍ଧି ପାଇଥିଲା । ସେ ବଙ୍ଗ ନବାବଙ୍କ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ କରି ବଙ୍ଗର ଦ୍ୱିତୀୟ ରାଜଧାନୀ ଲକ୍ଷନୋର ଓ ରାଢ଼ ଅଞ୍ଚଳ ଅଧିକାର କଲେ । ସେତେବେଳେ ଦିଲ୍ଲୀରେ ତୁର୍କମାନେ ଶାସନ ପ୍ରତିଷ୍ଠା କରିସାରିଥିଲେ । ବଙ୍ଗ ସେମାନଙ୍କର ପ୍ରଦେଶ ଥିଲା । ମାତ୍ର ଦିଲ୍ଲୀ ଶାସକଙ୍କ ଦୁର୍ବଳତା ଏବଂ ଦିଲ୍ଲୀ ଓ ବଙ୍ଗ ମଧ୍ୟରେ ରହିଥିବା ଦୂରତା ତ‌ଥା ଗମନାଗମନର ଅସୁବିଧା ବଙ୍ଗକୁ ଦିଲ୍ଲୀଠାରୁ ଏକ ରକମର ସ୍ୱାଧୀନତା ଦେବାରେ ସାହାଯ୍ୟ କରିଥିଲା । ଫଳରେ ବଙ୍ଗନବାବ ଦିଲ୍ଲୀର ବିନା ସହାୟତାରେ ଗଙ୍ଗମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ ହେଉଥିଲେ । ଅନେକ ଥର ସେ ପରାସ୍ତ ମଧ୍ୟ ହେଉଥିଲେ । ପୁଣି ଯୁଦ୍ଧ ସାହାଯ୍ୟ ପାଇଲା ପରେ କଳିଙ୍ଗ ସେନାକୁ ପରାସ୍ତ ମଧ୍ୟ କରିପାରୁଥିଲେ । ଅନ୍ୟ ପକ୍ଷରେ ପ୍ରଥମ ନରସିଂହଦେବଙ୍କୁ କାଳାଚୁରୀ ରାଜକୁମାର ପରମାର୍ଦୀଦେବଙ୍କ ଅକୁଣ୍ଠ ସହଯୋଗ ମିଳୁଥିଲା । ପରମାର୍ଦୀଦେବ ଗଙ୍ଗ ସାମ୍ରାଜ୍ୟର ସାମନ୍ତ ଥିଲେ ଏବଂ ସେନାପତିର ଦାୟିତ୍ୱ ନିର୍ବାହ କରୁଥିଲେ । ଗଙ୍ଗମାନଙ୍କୁ ତାଙ୍କ ସହଯୋଗ ପଛର ଅନ୍ୟ ଏକ କାରଣ ହେଲା, ସେ ତୃତୀୟ ଅନଙ୍ଗଭୀମଦେବଙ୍କ କନ୍ୟାକୁ ଆର୍ଥାତ୍ ପ୍ରଥମ ନରସିଂହଦେବଙ୍କ ଭଗ୍ନୀକୁ ବିବାହ କରିଥିଲେ । ତେଣୁ ବଙ୍ଗର ମୁସଲମାନ ନବାବଙ୍କ ବିରୁଦ୍ଧରେ ଗଙ୍ଗ ଓ କାଳାଚୁରୀଙ୍କ ମିିଳିତ ସହଯୋଗ ପଛରେ ବିଶେଷ ଧାର୍ମିକ ଆଧାର ରହିଥିଲା ବୋଲି ଅନୁଭବ କରିହୁଏ ନାହିଁ ।

ନରସିଂହଦେବଙ୍କ ଶାସନ କାଳରେ ବଙ୍ଗର ନବାବ ଥିଲେ ତୁଘ୍ରିଲ ଖାଁ । ୧୨୪୩ରେ ଗଙ୍ଗମାନଙ୍କ ସହ ଯୁଦ୍ଧରେ ତାଙ୍କୁ ପରାଜୟ ଭୋଗିବାକୁ ପଡିଥିଲା । ୧୨୪୪ରେ ସଂଘଟିତ ଅନ୍ୟ ଏକ ଯୁଦ୍ଧରେ ନରସିଂହଦେବ ବଙ୍ଗ ନବାବଙ୍କ ଅଧୀନରେ ଥିବା ରାଢ଼ ରାଜ୍ୟ ଅଧିକାର କରିଥିଲେ । ୧୨୪୭ରୁ ୧୨୫୫ ମଧ୍ୟରେ ଆହୁରି ଚାରି ଥର ବଙ୍ଗ ଓ ଓଡ଼ିଶା ମଧ୍ୟରେ ଯୁଦ୍ଧ ହୋଇଥିଲା । ବଙ୍ଗର ନୂତନ ନବାବ ଇଖତୟାରୁଦ୍ଦିନ ଯୁଜବେକ ପ୍ରଥମ ଦୁଇଥର ଯୁଦ୍ଧରେ ବିଜୟୀ ହୋଇଥିଲେ; ମାତ୍ର ତୃତୀୟ ଥର ସେ ପରାସ୍ତ ହୋଇ ଦିଲ୍ଲୀଠାରୁ ସହଯୋଗ ମାଗିଥିଲେ । ୧୨୫୫ରେ ଘଟିଥିବା ଚତୁର୍ଥ ସଂଘର୍ଷରେ ବଙ୍ଗ ଓ ଦିଲ୍ଲୀ ସେନା ମିିଳିତ ଭାବରେ ଗଙ୍ଗ ସେନାଙ୍କୁ ପରାସ୍ତ କଲେ; ଗଙ୍ଗ ସେନାପତି କାଳାଚୁରୀ ରାଜକୁମାର ପରମାର୍ଦୀଦେବ ଯୁଦ୍ଧରେ ନିହତ ହେଲେ । ଏହିଭଳି ଭାବେ ଗଙ୍ଗବଂଶର ପ୍ରଭାବ ନରସିଂହଦେବଙ୍କ ସମୟରେ ବଙ୍ଗର ହୁଗୁଳି ଓ ବାଙ୍କୁଡ଼ା ଜିଲ୍ଲାରେ ପ୍ରଥମେ ରହିିଥିଲା- ଯାହା ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ । ଯୁଜବେକ ୧୨୫୭ରେ କାମରୂପ ଅଭିଯାନ ବେଳେ ହତ୍ୟାର ଶିକାର ହେଲେ । ଫଳରେ ପାଲଟା ଓଡ଼ିଶା ଆକ୍ରମଣପାଇଁ ତାଙ୍କ ସେନାକୁ ସୁବିଧା ମିଳିଲା ନାହିଁ । ଅନ୍ୟ ଶବ୍ଦରେ କହିଲେ, ପ୍ରଥମ ନରସିଂହଦେବଙ୍କ ସମୟରେ ଓଡ଼ିଶା ବଙ୍ଗର ମୁସଲମାନ ଶାସକମାନଙ୍କ ଆକ୍ରମଣରୁ ନିଜକୁ ମୁକ୍ତ ରଖିପାରିିଥିଲା ।

ପ୍ରଥମ ନରସିଂହଦେବ କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ ଓଡ଼ିଶାର ବାର ବର୍ଷର ରାଜସ୍ୱ କୋଣାର୍କ ନିର୍ମାଣରେ ବ୍ୟୟ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ ଧରି ଚାଲିଥିଲା ଏବଂ ୧୨ ଶହ ବଢ଼େଇ ନିର୍ମାଣରେ ନିୟୋଜିତ ଥିଲେ । ପୁଣି, ୧୨ ବର୍ଷର ବାଳକ ଧର୍ମପଦ ଏହି ମନ୍ଦିରର ମୁଣ୍ଡି ମାରିିଲା । ସମ୍ଭବତଃ କିମ୍ବଦନ୍ତୀରେ ୧୨ ଅଙ୍କର ବ୍ୟବହାର ଏକ ପ୍ରତୀକ ମାତ୍ର । ଏହା ବହୁ ଅର୍ଥ ଓ ପରିଶ୍ରମରେ ନିର୍ମିତ କୋଣାର୍କ ମନ୍ଦିରର ମହାନତାକୁ ପ୍ରଦର୍ଶନ କରାଏ । କୋଣାର୍କ ବ୍ୟତୀତ ବାଲେଶ୍ୱରର ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ଓ ଲିଙ୍ଗରାଜ ମନ୍ଦିରର ଭୋଗମଣ୍ଡପ ମଧ୍ୟ ପ୍ରଥମ ନରସିଂହଦେବଙ୍କ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା । ତାଙ୍କ ରାଜକବି ବିଦ୍ୟାଧର "ଏକାବଳୀ' ନାମକ କାବ୍ୟ ରଚନା କରିଥିଲେ । ମୋଟ ଉପରେ ଇତିହାସରେ ପ୍ରଥମ ନରସିଂହ ଦେବଙ୍କୁ ଏକା ସାଙ୍ଗରେ ଜଣେ ଯୋଦ୍ଧା, ସାହିତ୍ୟରସିକ ଓ ସ୍ଥାପତ୍ୟର ପୃଷ୍ଠପୋଷକ ଭାବରେ ଗଣନା କରାଯାଏ । ଚୋଡ଼ଗଙ୍ଗଦେବଙ୍କ ପରେ ଗଜପତି ଉପାଧି ଧାରଣ କରିବାରେ ସେ ହେଉଛନ୍ତି ପ୍ରଥମ ଗଙ୍ଗରାଜା । ତାଙ୍କ ପରେ କେବଳ ଗଙ୍ଗରାଜା ନୁହନ୍ତି, ସୂର୍ଯ୍ୟବଂଶର ରାଜାମାନେ ମଧ୍ୟ ଗଜପତି ଉପାଧି ଗ୍ରହଣ କରି ନିଜକୁ ଗୌରବମଣ୍ଡିତ କରୁଥିଲେ ।

ମାଦଳାପାଞ୍ଜିରେ ପ୍ରଥମ ନରସିଂହଦେବଙ୍କ ବଙ୍ଗ ଆକ୍ରମଣ କଥା ଉଲ୍ଲେଖ ନାହିଁ । ଓଡ଼ିଶା ଇତିହାସର ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଘଟଣାକୁ ମାଦଳାପାଞ୍ଜି ଉଲ୍ଲେଖ କରିନଥିବାରୁ ଐତିହାସିକମାନେ ମନେକରନ୍ତି ଯେ, ମାଦଳାପାଞ୍ଜି ଗଙ୍ଗବଂଶର ରାଜତ୍ୱ ପରେ ଲେଖାଯାଇଥିଲା । ଘଟିତ ଘଟଣାଗୁଡ଼ିକୁ ଏଥିରେ ବର୍ଣ୍ଣନା କରାଯାଇଥିବାରୁ, ଐତିହାସିକ ତଥ୍ୟ ପ୍ରମାଣ ଭାବେ ତାହାକୁ ବ୍ୟବହାର କଲାବେଳେ ଗବେଷକମାନଙ୍କୁ ଯୋଥୋଚିତ ଧ୍ୟାନ ଦେବାକୁ ପଡେ । ଏଥିରେ ଉଲ୍ଲିଖିତ 'ସତ୍ୟ' ଯେ ସର୍ବଦା ସତ୍ୟ ହୋଇନପାରେ- ଏହା ବିଚାର କରିବାକୁ ପଡ଼େ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ମାଦଳାପାଞ୍ଜି ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଲେଖା ଯାଇଥିଲା । ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବ (୧୫୮୦-୧୬୦୯)ଙ୍କୁ ଯେତେବେଳେ ମୋଗଲ ସେନାପତି ମାନସିଂହ ଖୋର୍ଦ୍ଧାରେ ରାଜତ୍ୱ କରିବାପାଇଁ ମନୋନୀତ କଲେ, ସେତେବେଳଠାରୁ ଧାରାବାହିକ ଭାବରେ ମାଦଳାପାଞ୍ଜି ଲେଖା ଆରମ୍ଭ ହେଲା । କୁହାଯାଏ, ଖୋର୍ଦ୍ଧା ଓ ପୁରୀର ରାଜଗାଦିପାଇଁ ନିଜର ଦାବିକୁ ଯୁକ୍ତିସଙ୍ଗତ କରିବା ସକାଶେ ରାମଚନ୍ଦ୍ର ଦେବ ମାଦଳାପାଞ୍ଜିକୁ ଏକ ଦସ୍ତାବିଜ ଭାବେ ମୋଗଲମାନଙ୍କ ଆଗରେ ପ୍ରସ୍ତୁତ କରିଥିଲେ । ଗଙ୍ଗକାଳୀନ ଦସ୍ତାବିଜ ଭାବରେ ଏହାକୁ ଗ୍ରହଣ କରିବା ଉଚିତ୍‍ ହେବ ନାହିଁ । ମାଦଳା ପାଞ୍ଜିରେ ଚୋଡ଼ଗଙ୍ଗଙ୍କୁ ଚୋରଗଙ୍ଗ ଭାବରେ ନାମିତ କରି କୁହାଯାଇଛି ଯେ, ସେ ଜଣେ 'ରାଣ୍ଡୀ'ର ପୁତ୍ର ଥିଲେ ଏବଂ ଗୋକର୍ଣ୍ଣ ଥିଲେ ତାଙ୍କର ଜାରଜ ପିତା । କେଶରୀ ବଂଶର ଅସନ୍ତୁଷ୍ଟ ସେନାପତି ବାସୁଦେବ ବାହିନୀପତି ତାଙ୍କୁ ସାଙ୍ଗମାନଙ୍କ ସହିତ ରାଜା-ରାଜା ଖେଳ ଖେଳୁଥିବାର ଦେଖି 'ଲିଙ୍ଗରାଜ'ଙ୍କ ଆଦେଶ ଶୁଣାଇଲେ ଏବଂ ଏକ ନୂଆ ସାମ୍ରାଜ୍ୟ ଗଠନ କରିବାକୁ ପରାମର୍ଶ ଦେଲେ । ଏହା ପରେ ଚୋଡ଼ଗଙ୍ଗ ଧୋବଣୀ ନିତେଇଠାରୁ 'ଡାଆଣୀ' ଶକ୍ତି ନେଇ ଅଳ୍ପ ଦିନ ଭିତରେ ଓଡ଼ିଶା ଜୟ କଲେ । ସେହିଭଳି ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ ମାଦଳାପାଞ୍ଜିରେ କୁହାଯାଇଛି, ସେ ପୂର୍ବରୁ ଜଣେ ଚୋର ଥିଲେ ଏବଂ ରାଜପଦ ପାଇଲା ପରେ ଜଣେ ପୂର୍ବତନ ଚୋର କାଶୀଦାସଙ୍କୁ ରାଜପୁରୋହିତ ଭାବରେ ନିଯୁକ୍ତ କରିଥିଲେ । ଦରିଦ୍ର ଭିକାରି ରୂପରେ କପିଳେନ୍ଦ୍ର ଜଗନ୍ନାଥ ମନ୍ଦିର ବେଢ଼ାରେ ବୁଲୁଥିବା ବେଳେ ଅପୁତ୍ରକ ଗଙ୍ଗରାଜ ମତ୍ତଭାନୁଦେବ ସ୍ୱପ୍ନାଦେଶ ପାଇ ତାଙ୍କର ଲାଳନପାଳନ କଲେ ଏବଂ ତାଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କଲେ । ମାଦଳାପାଞ୍ଜିର ଏଭଳି କାହାଣୀ ପଛରେ ଯାହା ଉଦ୍ଦେଶ୍ୟ ଥାଉ ନା କାହିଁକି, ଜଣେ ଜୀବିତ ରାଜାଙ୍କ ରାଜତ୍ୱ କାଳରେ, ଜଗନ୍ନାଥ ମନ୍ଦିରର ଏକ ସାର୍ବଜନୀନ ଦସ୍ତାବିଜ ଭାବରେ ରାଜାଙ୍କୁ ନୀଚ କରି ଏମିତି ଲେଖାଯାଇ ନ ପାରେ । ଗଙ୍ଗ ଓ ସୂର୍ଯ୍ୟ ବଂଶର ଶାସନ ପରେ ଉକ୍ତ ରାଜପରିବାରକୁ ଏମିତି ନୀଚ ଦେଖାଇ ଦସ୍ତାବିଜ ପ୍ରସ୍ତୁତ କରାଯାଇଥାଇପାରେ ! ଏତଦ୍‍ ବ୍ୟତୀତ ମାଦଳା ପାଞ୍ଜିରେ ବ୍ୟବହୃତ ଓଡ଼ିଆ ଭାଷା ମଧ୍ୟ ଗଙ୍ଗକାଳୀନ ହୋଇନପାରେ । ଏହି ସବୁ କାରଣରୁ ମାଦଳାପାଞ୍ଜିକୁ ଯଥେଷ୍ଟ ପରବର୍ତ୍ତୀ ସମୟର ରଚନା ବୋଲି ମନେ କରାଯାଏ ।

୧୨୬୪ ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରଥମ ଭାନୁଦେବ ସିଂହାସନ ଆରୋହଣ କଲେ । ତାଙ୍କ ସମୟରେ ଗଙ୍ଗମାନେ ବହିର୍ଯୁଦ୍ଧରେ ଜଡ଼ିତ ଥିବାର ସୂଚନା ନାହିଁ । ତାଙ୍କ ଉପରେ ନରହରି ତୀର୍ଥ ନାମକ ଜଣେ ଦାର୍ଶନିକଙ୍କର ବିଶେଷ ପ୍ରଭାବ ରହିଥିଲା । ନରହରି ତୀର୍ଥ ୧୨୬୪ରୁ ୧୨୯୩ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ରହି ବୈଷ୍ଣବ ଧର୍ମର ପ୍ରଚାର କଲେ ଏବଂ ଏକ ମହତ୍ତ୍ୱପୂର୍ଣ୍ଣ ରାଜାଧିକାରୀ ପଦରେ ମଧ୍ୟ ନିଯୁକ୍ତ ହୋଇଥିଲେ । ପ୍ରଥମ ଭାନୁଦେବଙ୍କ ମୃତ୍ୟୁ ପରେ ଦ୍ୱିତୀୟ ନରସିଂହ ଦେବଙ୍କ ଅଭିଭାବକ ଭାବରେ କିଛି କାଳ ସେ ଶାସନ ଦାୟିତ୍ୱ ମଧ୍ୟ ନେଇଥିଲେ ।

ସୋନପୁରସ୍ଥିତ ସ୍ତମ୍ଭେଶ୍ୱରୀ ମନ୍ଦିରରୁ ପ୍ରାପ୍ତ ଏକ ତାମ୍ର ଶାସନରୁ ଜଣାପଡେ଼ ଯେ କୋଶଳ କ୍ଷେତ୍ର ପ୍ରଥମ ଭାନୁଦେବଙ୍କ ସମୟରେ ମଧ୍ୟ ଗଙ୍ଗ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ପ୍ରଥମ ଭାନୁଦେବଙ୍କ ବିବାହ ପୂର୍ବ ଚାଲୁକ୍ୟ ରାଜକୁମାରୀ ଜାକଲ୍ଲାଦେବୀଙ୍କ ସହିତ ହୋଇଥିଲା । ଏଥିରୁ ଅନୁମିତ ହୁଏ ଯେ, ତ୍ରୟୋଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ପତନର ଶିକାର ହୋଇ ଚାଲୁକ୍ୟମାନେ ଗଙ୍ଗ ରାଜ୍ୟର ସାମନ୍ତ ସ୍ତରକୁ ଆସି ସାରିଥିଲେ । ମଧ୍ୟଯୁଗର ରୀତି ଅନୁଯାୟୀ ରାଜପରିବାରମାନେ ନିଜ କନ୍ୟାମାନଙ୍କୁ ଉପର ସ୍ତରର ରାଜପରିବାରରେ କେବଳ ବିବାହପାଇଁ ପ୍ରଦାନ କରୁଥିଲେ । ଯୁଦ୍ଧ ପରେ ବିଜୟୀ ରାଜା ପରାଜିତ ରାଜପରିବାରର କନ୍ୟା ସହ ବିବାହ କରିବା ପଛରେ ମଧ୍ୟ ଏହି ସାମାଜିକ ରୀତି କାମ କରୁଥିଲା । ପ୍ରଥମ ଭାନୁଦେବଙ୍କ ପରେ ଦ୍ୱିତୀୟ ନରସିଂହ ଦେବ (୧୨୭୯-୧୩୦୬) ଏବଂ ତାଙ୍କ ପରେ ଦ୍ୱିତୀୟ ଭାନୁଦେବ (୧୩୦୬-୧୩୨୮) ରାଜତ୍ୱ କଲେ । ଦ୍ୱିତୀୟ ଭାନୁଦେବଙ୍କ ସମୟରେ ଦିଲ୍ଲୀ ସୁଲତାନ ଗିୟାସୁଦ୍ଦିନ ତୁଘଲକଙ୍କ ପୁତ୍ର ଉଲୁଘ ଖାନ୍‍ ଓ୍ୱାରଙ୍ଗଲ ଯୁଦ୍ଧ ଅଭିଯାନରୁ ଫେରିବା ବାଟରେ ଓଡ଼ିଶା ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଥିଲେ । ରାଜମହେନ୍ଦ୍ରୀରୁ ଓଡ଼ିଶା ଅଭିମୁଖେ ତାଙ୍କ ସୈନ୍ୟ ଆସିବା ପୂର୍ବରୁ ଦ୍ୱିତୀୟ ଭାନୁଦେବଙ୍କ ସେନା ତାଙ୍କୁ ପ୍ରତିରୋଧ କଲେ । ସମକାଳୀନ ମୁସଲିମ ଐତିହାସିକମାନଙ୍କ ବିବରଣୀରେ ଉଲୁଘ ଖାନ୍‍ଙ୍କ ଓଡ଼ିଶା ଆକ୍ରମଣକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇ ନଥିବାରୁ ଉଲୁଘ ଖାନ୍‍ଙ୍କ ଏହି ଯୋଜନା ଅସଫଳ ହୋଇଥିବ ବୋଲି ଅନୁମାନ କରାଯାଏ । ଅନ୍ୟ ପକ୍ଷରେ ଗଙ୍ଗବଂଶର ଅନ୍ୟ ଜଣେ ରାଜା ଚତୁର୍ଥ ନରସିଂହଦେବ, ତାଙ୍କ ପୁରୀ ତାମ୍ର ଶାସନରେ ଉଲୁଘ ଖାନ୍‍ଙ୍କ ବିରୁଦ୍ଧରେ ଦ୍ୱିତୀୟ ଭାନୁଦେବଙ୍କ ସଫଳତାକୁ ଦର୍ଶାଇଛନ୍ତି । ଉଲୁଘ ଖାନ୍‍ ଗିୟାସୁଦ୍ଦିନ ତୁଘଲକଙ୍କ ପରେ ମହମ୍ମଦ ବିନ୍ ତୁଘଲକ ନାମ ବହନ କରି ଦିଲ୍ଲୀର ସୁଲତାନ ପଦରେ ଅଭିଷିକ୍ତ ହୋଇଥିଲେ । ଯୁବରାଜ ଉଲୁଘ ଖାନ ଓ ଗଙ୍ଗ ବାହିନୀ ମଧ୍ୟରେ ଘଟିଥିବା ଯୁଦ୍ଧର ବିବରଣୀ ମିଳି ନାହିଁ । ଏଥିରୁ ଏକଥା ମଧ୍ୟ ଅନୁମାନ କରାଯାଇପାରେ ଯେ, ଆରମ୍ଭରେ ଉଲୁଘ ଖାନ୍‍ ଓଡ଼ିଶା ଆକ୍ରମଣପାଇଁ ପ୍ରସ୍ତୁତି କରି ପରେ ତାକୁ କାର୍ଯ୍ୟକାରୀ କରି ନଥିଲେ । ସୁଲତାନ ହେଲା ପରେ ମହମ୍ମଦ ବିନ୍ ତୁଘଲକ୍‍ ତାଙ୍କର ଅନେକ ଯୋଜନାକୁ ଅଧାପନ୍ତରିଆ କରି ରଖିଦେବାର ଉଦାହରଣ ରହିଛି । ସେ ଯାହାହେଉ, ଓଡ଼ିଶା ସୁଲତାନ ଆକ୍ରମଣରୁ ରକ୍ଷା ପାଇଥିବାରୁ ଗଙ୍ଗବଂଶର ଯେ ଅନେକ ପ୍ରତିଷ୍ଠା ବୃଦ୍ଧି ପାଇଲା- ଏଥିରେ ସନ୍ଦେହ ନାହିଁ ।

ଦ୍ୱିତୀୟ ଭାନୁଦେବଙ୍କ ପରେ କ୍ରମାନ୍ୱୟରେ ତୃତୀୟ ନରସିଂହଦେବ(୧୩୨୮-୧୩୫୨) ଏବଂ ତୃତୀୟ ଭାନୁଦେବ (୧୩୫୨-୧୩୭୮) ରାଜତ୍ୱ କଲେ । ଏହି ସମୟରେ ଗଙ୍ଗରାଜ୍ୟ ଉପରେ ବହିରାକ୍ରମଣର ମାତ୍ରା ବୃଦ୍ଧି ପାଇଲା । ଦକ୍ଷିଣରେ ବିଜୟ ନଗର ରାଜ୍ୟ (୧୩୩୬) ଓ ରେଡ୍ଡି ରାଜ୍ୟର ପ୍ରତିଷ୍ଠା ହେଲା । ଦିଲ୍ଲୀରେ ସୁଲତାନମାନେ ମଧ୍ୟ ରାଜ୍ୟବିସ୍ତାରପାଇଁ ଯୋଜନା କଲେ । ଦିଲ୍ଲୀ ସୁଲତାନଙ୍କ ଅଧୀନରେ ଥିବା ବଙ୍ଗର ନବାବମାନେ ଆରମ୍ଭରୁ ଗଙ୍ଗରାଜ୍ୟ ସହ ଶତ୍ରୁତା ଆଚରଣ କରି ଆସୁଥିଲେ । ତୃତୀୟ ନରସିଂହଦେବଙ୍କ ଶ୍ରୀକାକୁଲମକୁ ନେଇ ରେଡ୍ଡି ବଂଶର ରାଜା ଅନପୋ ରେଡ୍ଡିଙ୍କ ସହ ଯୁଦ୍ଧ ହୋଇଥିଲା ଏବଂ ଏହି ଯୁଦ୍ଧରେ କଳିଙ୍ଗ ସେନା ପଞ୍ଚଘୁଞ୍ଚା ଦେଇଥିଲେ । କୃଷ୍ଣା ଗୋଦାବରୀର ଉର୍ବର ତ୍ରିକୋଣଭୂମିକୁ ଅଧିକାର କରିନେବାପାଇଁ ଗଙ୍ଗ ଓ ରେଡ୍ଡିମାନଙ୍କ ମଧ୍ୟରେ ଆଗକୁ ଆହୁରି କଳହ ବୃଦ୍ଧି ପାଇଲା ।

ତୃତୀୟ ଭାନୁଦେବଙ୍କ ରାଜତ୍ୱ କାଳରେ ଦିଲ୍ଲୀର ସୁଲତାନ ଫିରୋଜଶାହ (ଫିରୁଜଶାହ) ତୁଘଲକ ୧୩୬୧ରେ ଓଡ଼ିଶା ଆକ୍ରମଣ କରି ଗଙ୍ଗସେନାକୁ ପରାସ୍ତ କରିଥିଲେ । ଏହା ପୂର୍ବରୁ ବଙ୍ଗର ସ୍ୱାଧୀନ ଶାସକ ହାଜି ଇଜଲାସ ୧୩୫୩ରେ ଯାଜନଗର ଆକ୍ରମଣ କରି ଅନେକ ଧନରତ୍ନ ଓ କେତେକ ହାତୀ ନେଇଯିବାରେ ସକ୍ଷମ ହୋଇଥିଲେ । ଏହା ଗଙ୍ଗରାଜ୍ୟର ଦୁର୍ବଳତାକୁ ସୁସ୍ପଷ୍ଟ କଲା । 'ତାରିଖ-ଇ-ଫିରୁଜଶାହୀ' ଓ 'ସିରାତ-ଇ-ଫିରୁଜଶାହୀ' ନାମକ ଦୁଇଟି ସମକାଳୀନ ପୁସ୍ତକରେ ଫିରୁଜଶାହଙ୍କ ଓଡ଼ିଶା ଆକ୍ରମଣ କଥା ବିସ୍ତୃତ ଭାବେ ବର୍ଣ୍ଣିିତ ହୋଇଛି । ଏହି ଦୁଇଟି ପୁସ୍ତକ ତଥା ଅନ୍ୟାନ୍ୟ ତଥ୍ୟାବଳୀକୁ ଆଧାର କରି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମାଣ କରିଛନ୍ତି ଯେ, ଦିଲ୍ଲୀ ସୁଲତାନ ବଙ୍ଗ ଅଭିଯାନରୁ ଦିଲ୍ଲୀ ଫେରିବା ବାଟରେ ଓଡ଼ିଶା ଆକ୍ରମଣ କରିବାକୁ ସ୍ଥିର କଲେ । ଆକ୍ରମଣ ପଛରେ ସମ୍ଭବତଃ ବଡ଼ କାରଣ ଥିଲା, ଓଡ଼ିଶାର ଅସଂଖ୍ୟ ମନ୍ଦିରରାଜି ଓ ଧନସମ୍ପଦ । ଜଣେ ନୈଷ୍ଠିକ ମୁସଲମାନ ଭାବରେ ଫିରୁଜଶାହ ସମଗ୍ର ଭାରତରେ ଖ୍ୟାତିଲାଭ କରିଥିବା ହିନ୍ଦୁମନ୍ଦିରଗୁଡ଼ିକୁ ଧ୍ୱଂସ କରିବାକୁ ଚାହୁଁଥିଲେ । 'ତାରିଖ-ଇ-ଫିରୁଜଶାହୀ'ରେ ଯାଜନଗରର ସୁଖ ସମୃଦ୍ଧି କଥା ବିଶଦ ଭାବେ ବର୍ଣ୍ଣିତ ହୋଇଛି । ଉନ୍ନତ କୃଷିଯୋଗୁଁ ଦାରିଦ୍ର୍ୟ ନଥିଲା; ସେନାବାହିୀରେ ବ୍ୟବହୃତ ପଶୁ (ଘୋଡ଼ା ଓ ହାତୀ) ମାନଙ୍କପାଇଁ ମଧ୍ୟ ଭୋଜନର ଅଭାବ ନଥିଲା । ସ୍ଥାନୀୟ ଲୋକେ ଭଲ ଘରେ ରହୁଥିଲେ । ଘର ଆଗରେ ବଗିଚା ଓ ଫଳଗଛ ଲୋକଙ୍କ ସମୃଦ୍ଧିକୁ ସୂଚାଉଥିଲା । ଏହି ସମୃଦ୍ଧିକୁ ମନରେ ରଖି ଫିରୋଜ ଶାହ ଖୁବ୍‍ ଧନ ସମ୍ପତ୍ତି ଲୁଣ୍ଠନ କରିବାର ଯୋଜନା କରି ଓଡ଼ିଶା ଆକ୍ରମଣ କଲେ ।

ଫିରୋଜଶାହଙ୍କ ସେନା ମୟୂରଭଞ୍ଜ ବାଟ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଖିଚିଙ୍ଗର ମନ୍ଦିରଗୁଡ଼ିକୁ ଧ୍ୱଂସ କଲେ । କଟକରେ ପହଞ୍ଚି ସେମାନେ ବାରବାଟୀ ଦୁର୍ଗ ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରଗୁଡ଼ିକୁ ଧ୍ୱଂସ କଲେ । ଏହି କାରଣରୁ ସମ୍ଭବତଃ ଭୁବନେଶ୍ୱରର ଏତେ ନିକଟବର୍ତ୍ତୀ ତଥା ରାଜ୍ୟର ରାଜଧାନୀ ହେବା ସତ୍ତ୍ୱେ କଟକଠାରେ ମଧ୍ୟଯୁଗର କୌଣସି ମନ୍ଦିର ଦୃଷ୍ଟିଗୋଚର ହୁଏ ନାହିଁ । ସୁଲତାନଙ୍କ ଆଦେଶରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ଶେଷରେ କେତେକ ହସ୍ତୀ ଓ ଧନରତ୍ନ ସାଙ୍ଗରେ ନେଇ ସୁଲତାନ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କଲେ ।

ସୁଲତାନ ଫିରୋଜଶାହଙ୍କ ହସ୍ତରେ ପରାଜୟ ପରେ ଗଙ୍ଗମାନଙ୍କର ଯଥେଷ୍ଟ ସମ୍ମାନହାନି ହେଲା । ଗଙ୍ଗ ବଂଶ ପତନର ଏହା ଏକ ପ୍ରମୁଖ କାରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୁଲତାନଙ୍କ ଆକ୍ରମଣର ଅଳ୍ପ କେତେ ବର୍ଷ ପୂର୍ବରୁ ୧୩୫୬ରେ ବିଜୟନଗର ସାମ୍ରାଜ୍ୟର ରାଜକୁମାରଙ୍କ ହାତରେ ସେମାନେ ପରାଜୟ ଭୋଗିଥିଲେ । ଏହା ପରେ ଚତୁର୍ଥ ନରସିଂହଦେବଙ୍କ ଶାସନ ସମୟରେ ୧୩୭୮ରେ ଜୌନପୁରରେ ସର୍କି ସୁଲତାନ ଖ୍ୱାଜା-ଇ-ଜାହାନ ଓ ମାଲିକ-ଇସ୍‍-ସର୍କ ଓଡ଼ିଶା ଆକ୍ରମଣ କରି ଅନେକ ଧନରତ୍ନ ଓ ହାତୀ ନେଇ ଚାଲିଗଲେ । ମନେହୁଏ, ମଧ୍ୟଯୁଗରେ ମୋଗଲ ଆଗମନ ପୂର୍ବରୁ ସେନାବାହିୀରେ ହାତୀର ବ୍ୟବହାର ବୃଦ୍ଧି ପାଇବା ଯୋଗୁଁ ଓଡ଼ିଶା ଜଙ୍ଗଲରେ ମିଳୁଥିବା ଉନ୍ନତ ମାନର ହାତୀର ଚାହିଦା ବଢ଼ିଲା ଓ ପରିଣାମ ସ୍ୱରୂପ ବହିଃ ଶତ୍ରୁମାନେ ଓଡ଼ିଶା ଆକ୍ରମଣ କରି ରାଜାଙ୍କ ପାଖରୁ ଦେୟ ରୂପେ ବହୁ ସଂଖ୍ୟାରେ ହସ୍ତୀ ଦାବି କରିବାକୁ ଲାଗିଲେ । ଜୌନପୁର, ବଙ୍ଗ ଓ ଦିଲ୍ଲୀର ମୁସଲମାନ ଶାସକଙ୍କ ବ୍ୟତୀତ ଆନ୍ଧ୍ରର ରେଡ୍ଡିମାନଙ୍କ ଆକ୍ରମଣ ମଧ୍ୟ ଗଙ୍ଗମାନଙ୍କୁ ସହ୍ୟ କରିବାକୁ ପଡ଼ିଥିଲା । ପୂର୍ବରୁ ଗଙ୍ଗ ସାମ୍ରାଜ୍ୟର ସମୃଦ୍ଧିର ଏକ ବଡ଼ କାରଣ ଥିଲା ଦିଗ୍‍ବିଜୟ । ପରାଜିତ ରାଜ୍ୟର ଧନସମ୍ପତ୍ତି ଲୁଣ୍ଠନ କରି ସେମାନେ ଓଡ଼ିଶାରେ ବ୍ରାହ୍ମଣମାନଙ୍କୁ ଉଦାର ଭାବରେ ପୃଷ୍ଠପୋଷକତା ପ୍ରଦାନ କରିବାକୁ ତଥା ବହୁ ଖର୍ଚ୍ଚ କରି ମନ୍ଦିରମାନ ନିର୍ମାଣ କରିବାକୁ ସମର୍ଥ ହୋଇଥିଲେ । ମାତ୍ର ବହିଃ ଶତ୍ରୁ ଆକ୍ରମଣ ପରେ ଆୟର ଉପରୋକ୍ତ ସ୍ରୋତଟି ବନ୍ଦ ହୋଇଗଲା । ଏହା ସହିତ ପରାଜୟ ପରେ ସନ୍ଧିସ୍ଥାପନ କରିବାକୁ ସେମାନଙ୍କୁ (ଗଙ୍ଗମାନଙ୍କୁ) ରାଜକୋଷରୁ ଧନରତ୍ନ ମଧ୍ୟ ଦେବାକୁ ପଡ଼ିଲା । ଏହା ଗଙ୍ଗମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେଲା । ବାରମ୍ବାର ଯୁଦ୍ଧରେ ପରାଜୟ ଲଭି ଗଙ୍ଗମାନେ ଲୌକିକ ସ୍ତରରେ ମଧ୍ୟ ଲୋକପ୍ରିୟତା ହରାଇଲେ । ଗଙ୍ଗବଂଶର ଶେଷ ସ୍ୱାଧୀନ ରାଜା ଚତୁର୍ଥ ଭାନୁଦେବ ୧୪୧୪ରେ ସିଂହାସନ ଆରୋହଣ କଲେ । ସେ ଏତେ ମାତ୍ରାରେ ଦୁର୍ବଳ ଥିଲେ ଯେ, ମାଳବର ରାଜା ସୁଲତାନ ହୁସାଙ୍ଗ ୧୪୨୧ରେ ଗଙ୍ଗରାଜାଙ୍କୁ ରାଜଧାନୀରେ ବନ୍ଦୀ କରିଦେଲେ । ଏହି ଲଜ୍ଜାଜନକ ସ୍ଥିତିରୁ ମୁକ୍ତି ପାଇବାପାଇଁ ଗଙ୍ଗରାଜା ମାଳବ ରାଜାଙ୍କୁ ୭୫ଟି ଉତ୍କୃଷ୍ଟ ମାନର ଅଶ୍ୱ ଦେବାକୁ ବାଧ୍ୟ ହେଲେ ।

ରାଜତ୍ୱର ଶେଷ ପର୍ଯ୍ୟାୟରେ ଚତୁର୍ଥ ଭାନୁଦେବ ରେଡ୍ଡି ବଂଶର ଗୃହଯୁଦ୍ଧର ସୁଯୋଗ ନେଇ ରେଡ୍ଡିମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହେଲେ । ମାତ୍ର ଏହି ବିଜୟ କ୍ଷଣସ୍ଥାୟୀ ପ୍ରମାଣିତ ହେଲା, କାରଣ ତାଙ୍କୁ ଦକ୍ଷିଣରେ ବିଜୟନଗର ଆକ୍ରମଣର ଶିକାର ହେବାକୁ ପଡ଼ିଲା । ଗଙ୍ଗରାଜା ରାଜଧାନୀ ବାହାରେ ଯୁଦ୍ଧରେ ବ୍ୟସ୍ତ ଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳ ବିଦ୍ରୋହ ଘୋଷଣା କଲେ । ଚତୁର୍ଥ ଭାନୁଦେବ ଦକ୍ଷିଣରୁ ପ୍ରତ୍ୟାବର୍ତ୍ତ କରି ବିଦ୍ରୋହ ଦମନ କରିବା ପୂର୍ବରୁ କପିଳ ରାଜଗାଦିରେ ବସିଲେ ଏବଂ ନିଜକୁ କପିଳେନ୍ଦ୍ରଦେବ ଭାବରେ ନାମିତ କରି ୧୪୩୫ ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶ ନାମରେ ଏକ ରାଜବଂଶ ପ୍ରତିଷ୍ଠା କଲେ । ଏଣିକି ଗଙ୍ଗମାନଙ୍କ ଅଧୀନରେ କାମ କରିଥିବା କପିଳେନ୍ଦ୍ରଦେବ ଗଙ୍ଗରାଜ୍ୟ ଅଧିକାର କରି ଓଡ଼ିଶାକୁ ନୂଆ ନେତୃତ୍ୱ ଦେବାକୁ ଉଦ୍ୟମ କଲେ । ଦୀର୍ଘ ଚାରିଶହ ବର୍ଷର ନିରବଚ୍ଛିନ୍ନ ରାଜତ୍ୱ ପରେ ଗଙ୍ଗବଂଶର ପତନ ହେଲା ।

ଏକାଦଶ ଶତାବ୍ଦୀର ଶେଷଭାଗରେ ଗଙ୍ଗମାନେ ପୂର୍ବଭାରତର ଏକ ପ୍ରମୁଖ ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ଗୌରବ ଲାଭ କରିଥିଲେ । ସେମାନଙ୍କ ସମୟରେ ଆଧୁନିକ ଓଡ଼ିଶାର ବିଭିନ୍ନ କ୍ଷେତ୍ର ଏକଶାସନାଧୀନ ହୋଇଥିଲା । ପୂର୍ବରୁ ଚଳିଆସୁଥିବା ବ୍ରାହ୍ମଣମାନଙ୍କ ପୃଷ୍ଠପୋଷକତା ପ୍ରଦାନ କରିବାର ବିଧିକୁ ଗଙ୍ଗମାନେ ଅଧିକ ତେଜୀୟାନ କରିଥିଲେ, ଯାହା ଫଳରେ ସମଗ୍ର ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ସାମାଜିକ କର୍ତ୍ତୃତ୍ୱ ଅତି ମାତ୍ରାରେ ବୃଦ୍ଧି ପାଇଥିଲା । ଜଗନ୍ନାଥଙ୍କୁ ଓଡ଼ିଶାର ରାଷ୍ଟ୍ରଦେବତା କରି ଗଢ଼ିବାରେ ଗଙ୍ଗମାନେ ପ୍ରମୁଖ ଭୂମିକା ନେଇଥିଲେ । ସେତେବେଳେ ଦକ୍ଷିଣରେ ଏବଂ ମଧ୍ୟ-ଭାରତରେ ମନ୍ଦିରକଳାର ଯେଉଁ ବିକାଶ ସମ୍ଭବ ହୋଇଥିଲା, ତା'ର ଉତ୍କୃଷ୍ଟ ନିଦର୍ଶନ ଓଡ଼ିଶାରେ ଦେଖିବାକୁ ମିଳିଲା । ପୁରୀ ଓ କୋଣାର୍କର ପ୍ରଖ୍ୟାତ ମନ୍ଦିରଗୁଡ଼ିକୁ ବାଦ୍‍ଦେଇ ଆହୁରି ଅନେକ ମନ୍ଦିର ଗଙ୍ଗମାନେ ନିର୍ମାଣ କଲେ । ଅନେକ ଥର ଗଙ୍ଗମାନେ ବିଜୟଲାଭ ମଧ୍ୟ କରିଛନ୍ତି । ରାଜ୍ୟ ଜୟରୁ ଲାଭ ହେଉଥିବା ଧନରତ୍ନକୁ ଗଙ୍ଗମାନେ ନିର୍ମାଣ କାର୍ଯ୍ୟରେ ତଥା ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବାରେ ବ୍ୟୟ କରୁଥିଲେ । ମୋଟ ଉପରେ କହିଲେ, ଓଡ଼ିଶା ରାଜ୍ୟର ଏକତ୍ରୀକରଣ ପାଇଁ ମଧ୍ୟଯୁଗରେ ଯେଉଁ ରାଜଉଦ୍ୟମ ହୋଇଥିଲା, ତହିଁରେ ଗଙ୍ଗମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଦୃଷ୍ଟିରୁ ମଧ୍ୟକାଳୀନ ଓଡ଼ିଶାର ଏକ ପ୍ରଧାନ ରାଜବଂଶ ଭାବରେ ଗଙ୍ଗମାନଙ୍କୁ ଗ୍ରହଣ କରାଯିବାରେ କିଛି ଅତିଶୟୋକ୍ତି ହେବ ନାହିଁ ।

ଗଙ୍ଗବଂଶର ପତନଲାଗି କେତେକ ଐତିହାସିକ ମୁସଲମାନମାନଙ୍କୁ ଦାୟୀ କରିଥାନ୍ତି । ମାତ୍ର ଏହା ଭୁଲ ଧାରଣା । ଗଙ୍ଗମାନେ ଯେତେ ସଂଖ୍ୟକ ମୁସଲମାନ ଆକ୍ରମଣର ସମ୍ମୁଖୀନ ହୋଇଥିଲେ, ବୋଧହୁଏ ତା'ଠାରୁ ଅଧିକ ମାତ୍ରାରେ ବିଜୟନଗର, ରେଡ୍ଡି, ଚୋଳ ଆଦିଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ଦ୍ୱିତୀୟତଃ, ମଧ୍ୟକାଳରେ ରାଜାମାନେ ଧର୍ମ ଆଧାରରେ ଆକ୍ରମଣ କରୁ ନଥିଲେ । ଏକ କୃଷିଭିତ୍ତିକ ସମାଜର ସମୃଦ୍ଧିପାଇଁ ରାଜ୍ୟମାନେ ଯୁଦ୍ଧଜୟ ଏବଂ ଲୁଣ୍ଠନ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଗଙ୍ଗମାନଙ୍କ ଆରମ୍ଭକାଳୀନ ରାଜସମୃଦ୍ଧି ପଛରେ ରାଜ୍ୟଜୟ ପ୍ରମୁଖ ଥିଲା । ସେହି ନ୍ୟାୟରେ ମୁସଲିମ୍‍ ଶାସକମାନେ ମଧ୍ୟ ରାଜ୍ୟଜୟକୁ ପ୍ରାଧାନ୍ୟ ଦେଉଥିଲେ । ଗଙ୍ଗମାନେ ଯେଉଁ ମାତ୍ରାରେ ମନ୍ଦିରକଳାକୁ ପ୍ରୋତ୍ସାହନ ଦେଉଥିଲେ, ତାହା ରାଜ୍ୟ ଜୟ ଓ ଧନସମ୍ପତ୍ତି ଲୁଣ୍ଠନ ବିନା ସମ୍ଭବ ହୋଇ ନଥାନ୍ତା । ତୃତୀୟତଃ, ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ଭାବରେ ସମ୍ମାନ ଦେବା ପଛରେ ମଧ୍ୟ ଗଙ୍ଗମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼େ । ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମପାଇଁ ନୁହେଁ; ବରଂ ଓଡ଼ିଶାର ଆଞ୍ଚଳିକ ସୁରକ୍ଷାପାଇଁ ଆବିଷ୍କାର ଓ ପୁନରାବିଷ୍କାର କରାଯାଇଥିଲା । ଓଡ଼ିଶା ଆକ୍ରମଣ କରୁଥିବା ବଙ୍ଗର ନବାବଙ୍କ ବିରୁଦ୍ଧରେ ଜଗନ୍ନାଥଙ୍କୁ ଯେତେ ମାତ୍ରାରେ ବ୍ୟବହାର କରାଯାଉଥିଲା, ସେତେ ମାତ୍ରାରେ ବିଜୟନଗର ବା ରେଡ୍ଡି ହିନ୍ଦୁ ରାଜାଙ୍କ ବିରୁଦ୍ଧରେ ମଧ୍ୟ ବ୍ୟବହାର କରାଯାଉଥିଲା । ଗଙ୍ଗ ପରବର୍ତ୍ତୀ ସୂର୍ଯ୍ୟବଂଶର ଶାସନ ସମୟରେ ଏହିଭଳି ବ୍ୟବହାରକୁ ଅଧିକ ସ୍ପଷ୍ଟ ଭାବରେ ଦେଖିହୁଏ । ତେଣୁ ହିନ୍ଦୁ, ମୁସଲିମ ଆଦି ସଂକୀର୍ଣ୍ଣ ଧାର୍ମିକ ଆଧାରର ଊର୍ଦ୍ଧ୍ୱରେ ରହି ଏକ ବ୍ୟାପକ ସାମାଜିକ ପୃଷ୍ଠଭୂମିରେ ମଧ୍ୟକାଳୀନ ଇତିହାସକୁ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟଥା ଇତିହାସର ବସ୍ତୁନିଷ୍ଠ ଆଲୋଚନା ସମ୍ଭବ ହେବ ନାହିଁ ।

ଗଙ୍ଗକାଳୀନ ମନ୍ଦିରକଳା ଓ ସ୍ଥାପତ୍ୟ

ଏକାଦଶ ଶତାବ୍ଦୀ ପରଠାରୁ ଅର୍ଥାତ୍‍ ଗଙ୍ଗ ରାଜତ୍ୱ ଆରମ୍ଭରୁ ଓଡ଼ିଶାରେ ମନ୍ଦିରକଳା ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ଦେଖିବାକୁ ମିଳେ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ରାଜାରାଣୀ ମନ୍ଦିର ଆଦି ଅନେକ ମନ୍ଦିରର ନିର୍ମାଣ ଏହି ସମୟରେ ହୋଇଥିଲା । ଏହା ପଛରେ ତିିନିଟି ପ୍ରମୁଖ କାରଣ ଅନୁମାନ କରିହୁଏ । ପ୍ରଥମ, ଗଙ୍ଗରାଜାମାନେ ନିଜ ରାଜ୍ୟର ଆୟତନ ବୃଦ୍ଧି କଲା ପରେ ରାଜସ୍ୱର ପରିମାଣ ବୃଦ୍ଧି ପାଇଲା । ରାଜ୍ୟ ଜୟ କରି ଧନସମ୍ପତ୍ତି ମଧ୍ୟ ଲାଭ କଲେ । ଏହି ଧନର ଉପଯୋଗ କେତେକାଂଶରେ ମନ୍ଦିର ନିର୍ମାଣରେ କରାଗଲା । ମନ୍ଦିର ନିର୍ମାଣପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ରାଜାମାନେ ଆର୍ଥିକ ଦୃଷ୍ଟିରୁ ଅସମର୍ଥ ଥିଲେ, ନିର୍ମାଣ ସ୍ଥାପତ୍ୟ ପ୍ରୋତ୍ସାହନ ପାଇ ପାରିନଥାନ୍ତା । ଦ୍ୱିତୀୟତଃ, ମନ୍ଦିର ନିର୍ମାଣ ଦ୍ୱାରା ରାଜା ନିଜପାଇଁ ପ୍ରତିଷ୍ଠା ଅର୍ଜନ କରୁଥିଲେ । ଅନ୍ୟ ରାଜାମାନେ ମନ୍ଦିର ନିର୍ମାତା ରାଜାଙ୍କ ପ୍ରତି ଭୟ ଓ ସମୟ ବିଶେଷରେ ସମ୍ମାନ କରୁଥିଲେ । ଗଙ୍ଗରାଜାମାନଙ୍କପାଇଁ ଏହି ଧରଣର ସାମାଜିକ ଓ ରାଜନୈତିକ କର୍ତ୍ତୃତ୍ୱର ଅଧିକ ଆବଶ୍ୟକତା ରହିଥିଲା, କାରଣ ମୁଖଲିଙ୍ଗମ୍‍ (ଆନ୍ଧ୍ରର ଅଞ୍ଚଳ)ରୁ ସେମାନେ କଟକକୁ ରାଜଧାନୀ ପରିବର୍ତ୍ତନ କରି ଓଡ଼ିଶାରେ ବ୍ୟାପକ ସ୍ୱୀକୃତିପାଇଁ ଆଗ୍ରହୀ ଥିଲେ । ଜଗନ୍ନାଥଙ୍କ 'ରାଉତ' ଭାବରେ ନିଜକୁ ବର୍ଣ୍ଣନା କରି ସେମାନେ ପ୍ରକାରାନ୍ତରେ ରାଜନୈତିକ ଉଦ୍ଦେଶ୍ୟ ପୂରଣପାଇଁ ଉଦ୍ୟମ କରୁଥିଲେ । ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ଭାବରେ ସ୍ଥାପନ କରି ଏବଂ ନିଜକୁ ଜଗନ୍ନାଥଙ୍କ ପ୍ରତିିନିଧି ଘୋଷଣା କରି ସେମାନେ ଓଡ଼ିଶାର ଅନ୍ୟ ରାଜାମାନଙ୍କଠାରୁ ସୁରକ୍ଷିତ ରହିପାରିଥିଲେ । ଅନ୍ୟ ରାଜାମାନଙ୍କ ସହ କଳହ ବେଳେ ମଧ୍ୟ ଜଗନ୍ନାଥ ଏକ ଆଞ୍ଚଳିକ ପରିଚିତି ସୃଷ୍ଟି କରିବାରେ ସାହାଯ୍ୟ କଲେ, ଯାହାର ସୁଫଳ ପ୍ରଥମେ ଗଙ୍ଗରାଜାମାନେ ଓ ତାଙ୍କ ପରେ ସୂର୍ଯ୍ୟବଂଶୀ ରାଜାମାନେ ଲାଭ କଲେ । ତୃତୀୟତଃ, ଏହି ସମୟରେ ମନ୍ଦିର ନିର୍ମାଣକଳା ବିକାଶ ଲାଭ କଲା । ଏକାଦଶ/ଦ୍ୱାଦଶ ଶତାବ୍ଦୀର ବହୁ ପୂର୍ବରୁ ହୁଏତ ମନ୍ଦିର ନିର୍ମାଣ ଚାଲିଥିଲା । ମାତ୍ର ନିର୍ମାଣଶୈଳୀରେ ତ୍ରୁଟି ରହିଥିବାରୁ ମନ୍ଦିରର ଉପର ଅଂଶ (ଗମ୍ବୁଜ ଅଂଶ) ଦୀର୍ଘସ୍ଥାୟୀ ହୋଇ ପାରୁନଥଲା । ଗଙ୍ଗ ସମୟରେ କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ନିର୍ମାଣ ତ୍ରୁଟି ଆଉ ରହିଲା ନାହିଁ । ଫଳରେ ମନ୍ଦିରଗୁଡ଼ିକ (ଏକାଦଶ ଶତାବ୍ଦୀ ପରଠାରୁ) ଦୀର୍ଘସ୍ଥାୟୀ ହେଲେ । ଏକଥା ମଧ୍ୟ ସତ୍ୟ ଯେ, ମନ୍ଦିରକଳା ଓ ସ୍ଥାପତ୍ୟକୁ ତ୍ରୁଟିଶୂନ୍ୟ କରିବାରେ ସାଧାରଣ ଶିଳ୍ପୀମାନଙ୍କର ହିଁ ଯଥେଷ୍ଟ ଯୋଗଦାନ ରହିଥିଲା । ପୈତୃକ ବୃତ୍ତି ଭାବରେ ସେମାନେ ପିଢ଼ି ପିଢ଼ି ଧରି ନିର୍ମାଣଶୈଳୀ ଓ କଳାକୁ କେବଳ ବଞ୍ଚାଇ ନଥିଲେ, ତହିଁରେ ଉତ୍ତରୋତ୍ତର ଅଭିବୃଦ୍ଧି କରିବାକୁ ମଧ୍ୟ ଉଦ୍ୟମ କରୁଥିଲେ । ଭାରତକୁ ତୁର୍କ ଆଗମନ ପରେ ସ୍ଥାନୀୟ ଓ ବିଦେଶୀ ଶିଳ୍ପୀମାନଙ୍କ ସ୍ତରରେ ଭାବ ବିନିମୟ ହେଲା, ଯାହା ନିର୍ମାଣକଳା ଓ କୌଶଳକୁ ଋଦ୍ଧିମନ୍ତ କଲା । ଗଙ୍ଗରାଜାମାନେ ସମୃଦ୍ଧି ଲାଭ କରିବା ପରେ ମନ୍ଦିର ନିର୍ମାଣ କାମ ହାତକୁ ନେଇ ଏହି ଶିଳ୍ପୀମାନଙ୍କୁ ରୋଜଗାର ଦେଇଥିଲେ । ଶିଳ୍ପୀମାନଙ୍କର ତାଲିମ ଓ ପ୍ରଶିକ୍ଷଣରେ ବା ମନ୍ଦିର ନିର୍ମାଣପାଇଁ ଓଡ଼ିଶା ବାହାରୁ ଅଭିଜ୍ଞ ଶିଳ୍ପୀ ଆଣିବାରେ ରାଜାମାନେ ଉଦ୍ୟମ କରିଥିବାର କୌଣସି ଉଲ୍ଲେଖ ମିଳେ ନାହିଁ । ଅର୍ଥାତ୍‍ ଗଙ୍ଗରାଜାମାନେ କେବଳ ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇ ମନ୍ଦିରକଳା ଓ ସ୍ଥାପତ୍ୟକୁ ପ୍ରୋତ୍ସାହନ ଦେଇଥିଲେ ବୋଲି ବୁଝିବାକୁ ହେବ । ଓଡ଼ିଶାରେ ପଞ୍ଚମ ଶତାବ୍ଦୀଠାରୁ ମନ୍ଦିରକଳା ଓ ସ୍ଥାପତ୍ୟର ଉଲ୍ଲେଖ ମିଳିଥାଏ । ଈଶ୍ୱରଙ୍କୁ ଦେବମାନବ ରୂପେ କଳ୍ପନା କରି ତାଙ୍କପାଇଁ ବାସଗୃହ ବା ମନ୍ଦିର ନିର୍ମାଣ କରାଗଲା । ଯେଉଁ ଦେବତାଙ୍କ ଯେତେ ଅଧିକ ପ୍ରସିଦ୍ଧି, ତାଙ୍କରି ନାଁରେ ସେତେ ଅଧିକ ମନ୍ଦିର ନିର୍ମାଣ ହେଲା । ଏଥିରୁ ବୌଦ୍ଧ ମୂର୍ତ୍ତିି ଓ ବୌଦ୍ଧ ମନ୍ଦିର ମଧ୍ୟ ବାଦ ପଡ଼ିଲା ନାହିଁ, ଯଦିଓ ଆରମ୍ଭରେ ବୌଦ୍ଧଧର୍ମରେ ମୂର୍ତ୍ତିପୂଜାର କୌଣସି ସ୍ଥାନ ନଥିଲା । ପ୍ରାୟ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ନିର୍ମାଣଶୈଳୀ ଉନ୍ନତ ନଥିଲା ବୋଲି ମନ୍ଦିରଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରୁ ନଥିଲା । ଦୃଷ୍ଟାନ୍ତ ସ୍ୱରୂପ, କଳାହାଣ୍ଡି ଜିଲ୍ଲାର ମାରାଗୁଡ଼ା ଉପତ୍ୟକାରେ ଓଡ଼ିଶାର ଦୁଇଟି ସର୍ବ ପୁରାତନ ମନ୍ଦିରର ଅବଶେଷ ଦେଖିବାକୁ ମିଳେ । ଏହା ପଞ୍ଚମ ଶତାବ୍ଦୀରେ ନଳରାଜା ଭବଦତ୍ତ ନିର୍ମାଣ କରିଥିବାର ଅନୁମାନ କରାଯାଏ । ମନ୍ଦିର ଦୁଇଟି ଇଟା ଓ ପଥରଦ୍ୱାରା ନିର୍ମିତ ଏବଂ ଛାତର କୌଣସି ଅବଶେଷ ନାହିଁ । ତହିଁରୁ ଗୋଟିଏ ମନ୍ଦିର ଶିବଙ୍କପାଇଁ ଉତ୍ସର୍ଗୀକୃତ ଓ ଅନ୍ୟଟି ସ୍ଥାନୀୟା ଅଧିଷ୍ଠାତ୍ରୀ ଦେବୀ ମାହେଶ୍ୱରୀଙ୍କପାଇଁ ଉଦ୍ଦିଷ୍ଟ । ଷଷ୍ଠ ଶତାବ୍ଦୀର ଗୋକର୍ଣ୍ଣେଶ୍ୱର ଶିବମନ୍ଦିର ଅନ୍ୟ ଏକ ପ୍ରାଚୀନ ମନ୍ଦିର । ପୂର୍ବ-ଗଙ୍ଗ ରାଜତ୍ୱ କାଳରେ ମହେନ୍ଦ୍ର ପର୍ବତରେ ଏହାର ପ୍ରତିଷ୍ଠା କରାଯାଇଥିଲା । ଏହା ସାତଟି ପଥରରେ ନିର୍ମିତ ଏବଂ ଏହାର ଶୀର୍ଷରେ ଏକ ଅମଳକ ଶିଳା ରହିଛି । କୋରାପୁଟ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଜଗମଣ୍ଡା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ଶିବମନ୍ଦିର ହେଉଛି ଗୋକର୍ଣ୍ଣେଶ୍ୱର ମନ୍ଦିରର ସମସାମୟିକ । ଜଗମଣ୍ଡା ମନ୍ଦିର ନଅଟି ପଥରରେ ନିର୍ମିତ ।

ଏଥିରୁ ଅନୁମିତ ହୁଏ ଯେ, ମନ୍ଦିର ନିର୍ମାଣ କଳା ଓଡ଼ିଶାର ସବୁଆଡେ଼ ବିସ୍ତାରିତ ହୋଇ ରହିଥିଲା । କୋରାପୁଟ ଓ କଳାହାଣ୍ଡି ଭଳି ଅଞ୍ଚଳରେ ମଧ୍ୟ ଏହାର କମ୍‍ ବିସ୍ତାର ନଥିଲା । ନିର୍ମାଣ ଶୈଳୀରେ ତ୍ରୁଟି ରହିଥିବାରୁ ଉପର ଛାତ ଦୀର୍ଘସ୍ଥାୟୀ ହୋଇ ପାରୁନଥିଲା ଏବଂ ମନ୍ଦିର ବିଶାଳ ଆକାରର ହୋଇ ପାରୁନଥିଲା । କାଳକ୍ରମେ ଏକାଦଶ ଶତାବ୍ଦୀ ବେଳକୁ ଏଥିରେ ବିକାଶ ଘଟିଲା । ସମଗ୍ର ଓଡ଼ିଶା ଅଞ୍ଚଳ ଏକଶାସନାଧୀନ ହେବାରୁ ବିଭିନ୍ନ ଅଞ୍ଚଳର ଶିଳ୍ପୀ ଏକ ସ୍ଥାନରେ କାମ କରିବାର ସୁଯୋଗ ପାଇଲେ । ସେମାନଙ୍କର ପାରସ୍ପରିକ ଭାବ ବିିନିମୟ, ଶୈଳୀରେ ରହିଥିବା ତ୍ରୁଟିକୁ ସୁଧାରିବାରେ ସାହାଯ୍ୟ କଲା । ଏହା ଫଳରେ, ବିଶାଳ ଆକାରର ମନ୍ଦିରନିର୍ମାଣ ସମ୍ଭବ ହେଲା ଓ ନିର୍ମାଣ ବେଳେ ବହୁ ସଂଖ୍ୟକ ଶିଳ୍ପୀ ପରସ୍ପର ମଧ୍ୟରେ ଯୋଗାଯୋଗ କରିବାରେ ସମର୍ଥ ହେଲେ । ଏହା ନିର୍ମାଣ ଶୈଳୀକୁ ଅଧିକ ବିକଶିତ କରିବା ତଥା ଶିଳ୍ପୀମାନଙ୍କ ମଧ୍ୟରେ ସାମାଜିକ ସଂପର୍କ ବୃଦ୍ଧି କରିବାରେ ସାହାଯ୍ୟ କଲା । ଅନ୍ୟ ଅର୍ଥରେ କହିଲେ; ରାଜ୍ୟର ସମୃଦ୍ଧି, ବଡ଼ ମନ୍ଦିରର ନିର୍ମାଣ, ବହୁ ସଂଖ୍ୟକ ଶିଳ୍ପୀଙ୍କ ମଧ୍ୟରେ ଯୋଗାଯୋଗ ଓ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ ପରସ୍ପରପାଇଁ ଅନୁପୂରକ ହେଲେ । ଏହି କାରଣରୁ ଗଙ୍ଗଶାସନ କାଳରେ ନିର୍ମିତ ମନ୍ଦିରଗୁଡ଼ିକ ପ୍ରସିଦ୍ଧ ହେଲା ।

କଳିଙ୍ଗ ସ୍ଥାପତ୍ୟର ଉତ୍କର୍ଷ ଓ ସ୍ୱତନ୍ତ୍ରତାକୁ ଭାରତରେ ସେତେବେଳେ ବିଶେଷ ମହତ୍ତ୍ୱ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକରୁ ମିଳିଥିବା ତ୍ରୟୋଦଶ ଶତାବ୍ଦୀର (୧୨୩୫ ଖ୍ରୀଷ୍ଟାବ୍ଦ) ଏକ ଶିଳାଲିପିରେ ଚାରି ପ୍ରକାର ମନ୍ଦିର ନିର୍ମାଣ ଶୈଳୀ କଥା କୁହାଯାଇଛି । ସେଗୁଡ଼ିକ ହେଲା: ନାଗର ଶୈଳୀ, ବେସର ଶୈଳୀ, ଦ୍ରାବିଡ଼ ଶୈଳୀ ଓ କଳିଙ୍ଗ ଶୈଳୀ । ଏଥିରୁ ମନେହୁଏ ଓଡ଼ିଶା ବାହାରେ ମଧ୍ୟ କଳିଙ୍ଗ ଶୈଳୀକୁ ପ୍ରସିଦ୍ଧି ମିଳିଥିଲା ।

କଳିଙ୍ଗର ମନ୍ଦିର ମୁଖ୍ୟତଃ ତିିନି ଅଂଶରେ ବିଭକ୍ତ । ସେଗୁଡିକ ହେଲା ରେଖ, ପୀଢ଼ ଓ ଖାକରା । ମନ୍ଦିର ଶିଖରର ଆକାର ଓ ପୂଜା ଅର୍ଚ୍ଚନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବିଭକ୍ତୀକରଣ କରାଯାଇଥାଏ । ରେଖ ଦେଉଳ, ମୁଖ୍ୟ ଦେବତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏବଂ ଗର୍ଭଗୃହ ଉପରେ ନିର୍ମିତ । ପୀଢ଼ ଦେଉଳ ଗର୍ଭଗୃହ ସମ୍ମୁଖରେ ଥିବା ମୁଖଶାଳା । ଏହାରି ଉପରେ ମନ୍ଦିର ନିର୍ମିତ । ପୀଢ଼ ଦେଉଳ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । ରେଖ ଓ ପୀଢ଼ ମଧ୍ୟରେ ରହିଥିବା ପରିପୂରକତାକୁ ଦୃଷ୍ଟିରେ ରଖି ଉଭୟ ଦେଉଳର ସଂଯୋଗସ୍ଥଳୀକୁ ଶିଳ୍ପଶାସ୍ତ୍ରରେ ବିବାହ ବନ୍ଧନ ରୂପେ ବର୍ଣ୍ଣନା କରାଯାଇଛି । ଖାକରା ଦେଉଳ ଶାକ୍ତଦେବୀଙ୍କପାଇଁ ଉଦ୍ଦିଷ୍ଟ । ଖାକରା ଦେଉଳର ଶିଖର "ଖ' ଆକାରର ବା ଚୈତ୍ୟଗୃହ ଭଳି ଅର୍ଦ୍ଧସିଲିଣ୍ଡର ଆକୃତିର । ଏହା ଓଲଟି ପଡ଼ିଥିବା ବୋଇତ ପରି ଦେଖାଯାଏ । ଦାକ୍ଷିଣାତ୍ୟର ପ୍ରଭାବ ଏଥିରେ ରହିଛି । ଖାକରା ଦେଉଳ ଓଡ଼ିଶାରେ କ୍ୱଚିତ୍‍ ପରିଦୃଷ୍ଟ ହୁଏ । ଭୁବନେଶ୍ୱରର ବୈତାଳ ଦେଉଳ, ଗୌରୀ ଦେଉଳ, ଚୌରାସିର ବରାହୀ ମନ୍ଦିର ଓ ବୟାଳିଶ ବାଟିର ଗଙ୍ଗେଶ୍ୱରୀ ମନ୍ଦିର ଖାକରା ଶୈଳୀରେ ନିର୍ମିତ ମନ୍ଦିରର ନିଦର୍ଶନ । ରେଖ ଓ ପୀଢ଼ ଦେଉଳର ଭିତ୍ତି ବର୍ଗାକାର । ରେଖ ଦେଉଳର ଶିଖର ଆଲମ୍ବ ଭାବେ ଏକ ରେଖା ଭଳି ହୋଇ ବେକ ପାଖରେ ବକ୍ରାକାର ହୋଇଥାଏ । ପୀଢ଼ ଦେଉଳ ହେଲା କ୍ରମକ୍ଷୟିଷ୍ଣୁ ଶିଖରସଂପନ୍ନ ଏକ ପିରାମିଡ ସଦୃଶ । ରେଖ ଦେଉଳର ପ୍ରକୋଷ୍ଠକୁ ଗର୍ଭଗୃହ ବା ବିମାନ କୁହାଯାଏ । ସେଠାରେ ମନ୍ଦିରର ମୁଖ୍ୟ ଦେବତା ଅଧିଷ୍ଠିତ ହୁଅନ୍ତି । ଷଷ୍ଠରୁ ଏକାଦଶ ଶତାବ୍ଦୀ ମଧ୍ୟରେ ରେଖ ଦେଉଳର ଆକାରରେ କ୍ରମ ବିକାଶ ଦେଖାଗଲା । ଗଙ୍ଗ ଶାସନ କାଳରେ ମନ୍ଦିରକୁ ଅଧିକ ବିଶାଳ, ମାର୍ଜିତ ଓ ସୌଷ୍ଠବପୂର୍ଣ୍ଣ କରିବାପାଇଁ ଭିତ୍ତିସ୍ଥଳକୁ ବୃଦ୍ଧି କରାଗଲା । ଏହାଦ୍ୱାରା ମନ୍ଦିରର ବାହ୍ୟ ଆକାର ଅଧିକ ଗୋଲାକାର ହେବା ସହିତ ଗଠନ ବର୍ତ୍ତୁଳାକାର ଦେଖାଗଲା ।

ପ୍ରାରମ୍ଭିକ ସ୍ତରରେ ପୀଢ଼ ଦେଉଳର ଜଗମୋହନ ବା ମୁଖଶାଳା, ଯାହା ରେଖସ୍ଥିତ ଗର୍ଭଗୃହର ସମ୍ମୁଖରେ ରହିଥାଏ, ଏକ ଆୟତାକାର ପ୍ରକୋଷ୍ଠ ଭଳି ରହିଥିଲା । ଛାତକୁ ଟେକି ଧରିବାପାଇଁ ଦୁଇଟି ଧାଡ଼ିରେ ସ୍ତମ୍ଭମାନ ରହିଥିଲା । ମନ୍ଦିରର ଛାତ ଚାଳଘରର ଛାତ ଭଳି ଦୋଚାଳିଆ ଥିଲା । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର ଏହି ଶ୍ରେଣୀଭୁକ୍ତ; ମାତ୍ର ସୋମବଂଶୀ ରାଜତ୍ୱକାଳୀନ ମନ୍ଦିରରେ ପ୍ରଥମ କରି ବର୍ଗାକାରର ମୁଖଶାଳା ଦେଖିବାକୁ ମିଳିଲା । ଫଳରେ ଛାତ ପିରାମିଡ଼ ଭଳି ହେଲା । ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ଏହି ଶ୍ରେଣୀର ମନ୍ଦିର । ପରବର୍ତ୍ତୀ ସମୟରେ ମୁଖଶାଳାରେ ପୂର୍ଣ୍ଣାଙ୍ଗ ପୀଢ଼ ଦେଉଳ ଦେଖିବାକୁ ମିଳିଲା । ଲିଙ୍ଗରାଜ, ବ୍ରହ୍ମେଶ୍ୱର, ପୁରୀ ଜଗନ୍ନାଥ, କୋଣାର୍କର ସୂର୍ଯ୍ୟମନ୍ଦିର ଏହି ଶ୍ରେଣୀର ମନ୍ଦିର । ପୀଢ଼ର ଗଣ୍ଡି ଉପରେ ମସ୍ତକର ରଚନା କରାଯାଇଥାଏ । ଅନ୍ୟ ଉପ-ଅଙ୍ଗ ଗୁଡ଼ିକୁ (ତଳୁ ଉପର ଯାଏ) ବେକି, ଘଣ୍ଟ, ଅଁଳାବେକି, ଅମଳକ, ଖପୁରି ଓ କଳସ କୁହାଯାଏ । କୋଣାର୍କ ସୂର୍ଯ୍ୟ ମନ୍ଦିରର ରେଖ ଦେଉଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ସାରିଛି । କେବଳ ପୀଢ଼ ଦେଉଳର ନିର୍ମାଣ ଶୈଳୀ, ଭାସ୍କର୍ଯ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ରହିଛି । ତାହା ସତ୍ତ୍ୱେ ଏହା ଆଜି ବିଶ୍ୱ ଐତିହ୍ୟର ମାନ୍ୟତା ପାଇଛି ।

ନିର୍ମାଣଶୈଳୀ ପରି କାରୁକାର୍ଯ୍ୟ ମଧ୍ୟ ମନ୍ଦିରକୁ ସ୍ୱାତନ୍ତ୍ର୍ୟ ପ୍ରଦାନ କରେ । ମନ୍ଦିରରେ ବିଭିନ୍ନ ପ୍ରକାର ମୂର୍ତ୍ତିି, ଡ଼ାଳ, ପୁଷ୍ପଲତା ଖୋଦିତ ହୋଇ ମନ୍ଦିରର ଶୋଭା ବର୍ଦ୍ଧନ କରେ । ମୂର୍ତ୍ତିଗୁଡ଼ିକ ମୁଖ୍ୟତଃ ତୋରଣ, ପ୍ରବେଶଦ୍ୱାର, ସ୍ତମ୍ଭ, ଗବାକ୍ଷ, ପାର୍ଶ୍ୱଦେବତା ତଥା ଛାତ ଇତ୍ୟାଦିରେ ଖୋଦିତ ହୋଇଥାନ୍ତି । ମୂର୍ତ୍ତିିଗୁଡ଼ିକ ମଧ୍ୟରେ ନାଗ-ନାଗୀ, ଗଙ୍ଗା-ଯମୁନା, ପାର୍ଶ୍ୱଦେବ-ପାର୍ଶ୍ୱଦେବୀ, ନବଗ୍ରହ, ମିଥୁନ -ମୈଥୁନ, ନାୟିକା, ଦ୍ୱାରପାଳ-ଦ୍ୱାରପାଳିକା, ଦିଗପାଳ- ଦିଗପାଳିକା, ଗଜସିଂହ, ଭାରବାହକ ଆଦି ଅନ୍ୟତମ । ଓଡ଼ିଶାର ମନ୍ଦିରଗୁଡ଼ିକ ମୂଳରୁ ଚୂଳ ପର୍ଯ୍ୟନ୍ତ କାରୁକାର୍ଯ୍ୟପୂର୍ଣ୍ଣ । ମନ୍ଦିରରେ ବ୍ରହ୍ମାଣ୍ଡର କଳ୍ପନା ରହିଥାଏ । ତେଣୁ କାରୁକାର୍ଯ୍ୟରେ ଦେବ-ଦେବୀ, ଗନ୍ଧର୍ବ, କିନ୍ନର, ନର-ନାରୀ, ପଶୁପକ୍ଷୀ ଓ ଗଛଲତା ରହିଥାନ୍ତି । ଏକାଦଶ ଶତାବ୍ଦୀରେ ସୋମବଂଶୀ ରାଜତ୍ୱ କାଳରେ ନିର୍ମିତ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉଛି ଏକ ମହାନ କୃତି । ମନ୍ଦିରରେ ପାର୍ଶ୍ୱ ଦେବତା ଭାବରେ ଗଣେଶ, କାର୍ତ୍ତିିକେୟ ଓ ପାର୍ବତୀ ଯଥାକ୍ରମେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗରେ ଅବସ୍ଥାପିତ । ମୂର୍ତ୍ତିିଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । ମନ୍ଦିରରେ ଅନେକଗୁଡ଼ିଏ ଅଙ୍ଗ ଶିଖର ବା ଶିଖର ମନ୍ଦିର ରହିଛି । ମନ୍ଦିରର ଗର୍ଭଗୃହ ଓ ମୁଖଶାାଳାର ବାହ୍ୟକାନ୍ଥ, କାରୁକାର୍ଯ୍ୟ ଓ ମୂର୍ତ୍ତିିକଳାଦ୍ୱାରା ଅଳଙ୍କୃତ । ମନ୍ଦିର ସମ୍ମୁଖରେ ଏକ ବାହନ ସ୍ତମ୍ଭରେ ଉଭୟ ବୃଷଭ ଓ ଗରୁଡ଼ ଅବସ୍ଥାପିତ । ଏଥିରୁ ଅନୁମାନ କରାଯାଏ ଯେ ଲିଙ୍ଗରାଜ ମନ୍ଦିରକୁ ଉଭୟ ଶୈବ ଓ ବୈଷ୍ଣବ ଧର୍ମର ସମନ୍ୱୟ ଭାବରେ କଳ୍ପନା କରାଯାଇଥିଲା । ପୂଜାବିଧିରେ ଉଭୟ ବେଲପତ୍ର (ଶିବଙ୍କ ପ୍ରିୟ) ଓ ତୁଳସୀ ପତ୍ର (ବିଷ୍ଣୁଙ୍କର ପ୍ରିୟ)ର ବ୍ୟବହାରରୁ ମଧ୍ୟ ଏହା ସୁସ୍ପଷ୍ଟ ହୁଏ ।

ଭୁବନେଶ୍ୱରର ଅନ୍ୟ ଏକ ପ୍ରସିଦ୍ଧ ମନ୍ଦିର ହେଲା ରାଜାରାଣୀ ମନ୍ଦିର । ଏହାର ଅଙ୍ଗଶିଖରର ସାଜସଜ୍ଜା ମଧ୍ୟ-ଭାରତର ସ୍ଥାପତ୍ୟ କଳାଦ୍ୱାରା ପ୍ରଭାବିତ ବୋଲି କୁହାଯାଏ । ଫଳରେ ଉଭୟ କଳିଙ୍ଗ ଓ ମଧ୍ୟ-ଭାରତର ସ୍ଥାପତ୍ୟ କଳା ଏଠାରେ ସମନ୍ୱିତ ହୋଇଥିବା ଅନୁମିତ ହୁଏ ।

ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ମନ୍ଦିର କଳାର ଉତ୍କର୍ଷ ଦେଖିବାକୁ ମିଳିଥାଏ । ଗଙ୍ଗରାଜା ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀର ମଧ୍ୟ ଭାଗରେ ଏହା ନିର୍ମିତ । ଲିଙ୍ଗରାଜ ମନ୍ଦିର ପରି ଏହା ବିମାନ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପକୁ ନେଇ ଗଠିତ । ମନ୍ଦିରର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ରାହାପାଗରେ ବା ଆଧାରଶିଳାରେ ଯଥାକ୍ରମେ ବରାହ, ନରସିଂହ ଓ ତ୍ରିବିକ୍ରମ ପାର୍ଶ୍ୱଦେବତା ରୂପେ ଅବସ୍ଥାପିତ । ମନ୍ଦିର ପ୍ରାଙ୍ଗଣରେ ଅନେକ ଦେବଦେବୀଙ୍କ ମନ୍ଦିର ବିଦ୍ୟମାନ । ମନ୍ଦିର ଚତୁର୍ପାର୍ଶ୍ୱରେ ଏକ ପ୍ରକାଣ୍ଡ ପ୍ରାଚୀର ରହିଛି- ଯାହା ମେଘନାଦ ପ୍ରାଚୀର ରୂପେ ଅଭିହିତ । ପ୍ରାଚୀରର ଚାରି ପାର୍ଶ୍ୱରେ ଚାରିଟି ପ୍ରବେଶଦ୍ୱାର ରହିଛି । ପୂର୍ବଦିଗର ମୁଖ୍ୟ ଦ୍ୱାରକୁ ସିଂହଦ୍ୱାର ଏବଂ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରକୁ ଯଥାକ୍ରମେ ହସ୍ତୀଦ୍ୱାର, ଅଶ୍ୱଦ୍ୱାର ଓ ବ୍ୟାଘ୍ରଦ୍ୱାର କୁହାଯାଏ ।

କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିରର ନିର୍ମାଣ କରିଥିଲେ । ମାତ୍ର ତାହା ଅନେକ କାଳଯାଏ ବାଲିରେ ପୋତି ହୋଇ ରହିଥିଲା । ଶେଷରେ ରାଜା ଗାଲମାଧବ ମନ୍ଦିରର ପୁନରୁଦ୍ଧାର କରିଥିଲେ । ମାତ୍ର ମାଦଳାପାଞ୍ଜି ଅନୁସାରେ ସୋମବଂଶୀ ରାଜା ଯଯାତି କେଶରୀ ଏହାର ନିର୍ମାଣ କରିଥିଲେ । ଏହି ସବୁ କିମ୍ବଦନ୍ତୀ ସମ୍ଭବତଃ ମନ୍ଦିରର ପ୍ରାଚୀନତା ସାବ୍ୟସ୍ତ କରିବାକୁ ସୃଷ୍ଟ । ଅନ୍ୟଥା ଗଙ୍ଗ ରାଜା ଚୋଡ଼ଗଙ୍ଗଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ମନ୍ଦିର ନିର୍ମିତ ବୋଲି ଅନେକ ଐତିହାସିକ ପ୍ରମାଣ ରହିଛି । ଜଗନ୍ନାଥ ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଲା, ନିର୍ମାଣର ବହୁବର୍ଷ ପରେ ଏଥିରେ ଅରୁଣସ୍ତମ୍ଭକୁ ସଂଯୋଜିତ କରାଯାଇଛି । ମନ୍ଦିରର ପ୍ରସିଦ୍ଧି ବୃଦ୍ଧି ପାଇଥିବାରୁ ତାହାର ପୃଷ୍ଠପୋଷକତା କରିବାକୁ ଯାଇ ଅଷ୍ଟାଦଶ ଶତାବ୍ଦୀରେ ମରାଠାମାନେ କୋଣାର୍କରୁ ଏହି ସ୍ତମ୍ଭକୁ ଆଣି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ । ସ୍ତମ୍ଭ ଉପରେ ଅରୁଣ ମୂର୍ତ୍ତିି ସ୍ଥାପିତ ହୋଇଥିବାରୁ ଏହାକୁ ଅରୁଣସ୍ତମ୍ଭ ବୋଲି ମଧ୍ୟ କୁହାଯାଏ । ମନ୍ଦିର ବେଢ଼ା ମଧ୍ୟରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି । ମୁକ୍ତିମଣ୍ଡପ ପାର୍ଶ୍ୱରେ ଥିବା ନୃସିଂହ ମନ୍ଦିର ବର୍ତ୍ତମାନର ମନ୍ଦିର ଅପେକ୍ଷା ବହୁ ପ୍ରାଚୀନ ବୋଲି କୁହାଯାଏ । ବିମଳା, ଭୁବନେଶ୍ୱରୀ ଓ ଲକ୍ଷ୍ମୀ ମନ୍ଦିର ବେଢ଼ାର ଅନ୍ୟ ମନ୍ଦିରମାନଙ୍କ ମଧ୍ୟରେ ପ୍ରମୁଖ । କୋଣାର୍କର ସୂର୍ଯ୍ୟ ମନ୍ଦିର ଗଙ୍ଗରାଜତ୍ୱର ସର୍ବଶ୍ରେଷ୍ଠ କୃତି । ତ୍ରୟୋଦଶ ଶତାବ୍ଦୀର ମଧ୍ୟ ଭାଗରେ ପ୍ରଥମ ନରସିଂହଦେବଙ୍କଦ୍ୱାରା ଏହା ନିର୍ମିତ । ମନ୍ଦିରର ବିମାନ ବା ମୁଖ୍ୟ ଦେଉଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି; ମନ୍ଦିର ବେଢ଼ାରେ ନାଟମନ୍ଦିର ଏବଂ ଜଗମୋହନ ଆଂଶିକ ଭଗ୍ନାବସ୍ଥାରେ ଦଣ୍ଡାୟମାନ । କୋଣାର୍କର ନାଟମନ୍ଦିର ଏକ ଉଚ୍ଚ ପୀଠ ଉପରେ ଅବସ୍ଥିତ ଏବଂ ଏହା ଉପରକୁ ଯିବାପାଇଁ ଚାରି ପାର୍ଶ୍ୱରେ ପାହାଚ ରହିଛି । ନାଟମନ୍ଦିରର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଉଥିବା ତଥା ନୃତ୍ୟ ପରିବେଷଣ କରୁଥିବା ମୂର୍ତ୍ତିି ଖୋଦିତ ।

ନାଟମନ୍ଦିର ପରି କୋର୍ଣାକର ଜଗମୋହନ ବା ମୁଖଶାଳା ମଧ୍ୟ ଏକ ଉଚ୍ଚ ପୀଠ ଉପରେ ନିର୍ମିତ । ଜଗମୋହନକୁ ଅଶ୍ୱଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥର ସ୍ୱରୂପ ଦିଆଯାଇଛି । ରଥରେ ୨୪ଟି ଚକ ଏବଂ ସମ୍ମୁଖ ଭାଗରେ ସାତଟି ଅଶ୍ୱ ଖଚିତ । ଜଗମୋହନର ଉଚ୍ଚତା ପ୍ରାୟ ୧୨୦ ଫୁଟ ଏବଂ ତିନି ଥାକର ପୀଢ଼କୁ ନେଇ ଏହା ଗଠିତ । ଭଗ୍ନ ବିମାନର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ରାହାପାଗରେ ଉଦୀୟମାନ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ପାର୍ଶ୍ୱଦେବତା ରୂପେ ଖୋଦିତ ।

ଗଙ୍ଗବଂଶୀ ରାଜାମାନଙ୍କ ପରେ ସୂର୍ଯ୍ୟବଂଶୀଙ୍କ ରାଜତ୍ୱ କାଳରେ ମଧ୍ୟ କେତେକ ମନ୍ଦିର ନିର୍ମିତ ହୋଇଥିଲା । ମାତ୍ର ଗଙ୍ଗକାଳୀନ ମନ୍ଦିରର ବିଶାଳତା ଓ ସୂକ୍ଷ୍ମ କାରୁକାର୍ଯ୍ୟ ତହିଁରେ ଦେଖିବାକୁ ମିଳେ ନାହିଁ । ତେଣୁ ଗଙ୍ଗକାଳୀନ ଶାସନକୁ ମନ୍ଦିରକଳାର ଶିଖର ବୋଲି କୁହାଯାଏ । ଏହା ପରେ କ୍ରମଶଃ ଓଡ଼ିଶାରେ ମନ୍ଦିରକଳାର ଅବକ୍ଷୟ ଘଟିଲା ବୋଲି କହିଲେ ଭୁଲ ହେବନାହିଁ । ଏହି ଅବକ୍ଷୟର ଏକ ପ୍ରମୁଖ କାରଣ ହେଲା, ରାଜ ପୃଷ୍ଠପୋଷକତାର ଅଭାବ । ସୂର୍ଯ୍ୟବଂଶୀ ରାଜତ୍ୱ କାଳରେ ଶିଳ୍ପୀକୁଳ ଧ୍ୱଂସ ପାଇ ନଥିଲେ, ବରଂ ସେମାନେ ଓଡ଼ିଶାର ଅଭ୍ୟନ୍ତରକୁ ବିସ୍ତାରିତ ହୋଇଥିଲେ ଏବଂ ସ୍ଥାନୀୟ ପ୍ରୋତ୍ସାହନରେ ନାନା ସ୍ଥାନରେ ସେମାନେ ମନ୍ଦିର ଶିଳ୍ପକୁ ଜୀବିତ ରଖିଥିଲେ । ପ୍ରୋତ୍ସାହନ ଯେହେତୁ ସ୍ଥାନୀୟ, ମନ୍ଦିର ନିର୍ମାଣ ମଧ୍ୟ ଗଙ୍ଗକାଳୀନ ମନ୍ଦିର ପରି ଭବ୍ୟ ଓ ବିଶାଳ ହୋଇ ପାରି ନଥିଲା ।


...