ଓଡ଼ିଶା ଇତିହାସ/ସୂର୍ଯ୍ୟବଂଶୀ ଗଜପତି ଶାସନ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ଇତିହାସ (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ସୂର୍ଯ୍ୟବଂଶୀ ଗଜପତି ଶାସନ

ସୂର୍ଯ୍ୟବଂଶୀ ଗଜପତି ଶାସନ

ପଞ୍ଚଦଶ ଶତାବ୍ଦୀର ଆଦ୍ୟ ଭାଗରେ ଗଙ୍ଗ ରାଜବଂଶର ପତନ ହେଲା । ଦୀର୍ଘ ତିିନି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି (୧୧୧୦-୧୪୩୫ ଖ୍ରୀ.) ଗଙ୍ଗମାନେ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ କରି ଓଡ଼ିଶା ସାମ୍ରାଜ୍ୟକୁ ଉତ୍ତରରେ ବଙ୍ଗ ଓ ଦକ୍ଷିଣରେ ରେଡ୍ଡି ଏବଂ ବିଜୟଗର ଆଦି ବହିଃଶତ୍ରୁ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥିଲେ । ଏଥିପାଇଁ ସେମାନେ ସେନା ସଂଗଠନ ପ୍ରତି ଗୁରୁତ୍ୱ ଦେଇ ବହିଃଶତ୍ରୁ ବିରୁଦ୍ଧରେ ଆକ୍ରମଣାତ୍ମକ ନୀତି ମଧ୍ୟ ଅବଲମ୍ବ କରିଥିଲେ । ଯଦିଓ ଗଙ୍ଗମାନେ ଆନ୍ଧ୍ର ଅଞ୍ଚଳରୁ ଆସିଥିଲେ; କଳା, ସ୍ଥାପତ୍ୟ ତଥା ଧର୍ମ ଆଧାରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କ ପୃଷ୍ଠପୋଷକତାରେ ଓଡ଼ିଶାର ଧର୍ମ, ସଂସ୍କୃତି, କଳା, ସ୍ଥାପତ୍ୟ ଏବଂ ସର୍ବୋପରି ରାଜନୀତିର ଏକ ପ୍ରତୀକ ଭାବରେ ଜଗନ୍ନାଥଙ୍କର ଉତ୍‍ଥାନ ହେଲା । ଏକ ସ୍ଥାନୀୟ ସ୍ତରରୁ ରାଜ୍ୟ(ଓଡ଼ିଶା) ସ୍ତରକୁ ଜଗନ୍ନାଥଙ୍କୁ ଉନ୍ନୀତ କରି ଗଙ୍ଗମାନେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କଲେ । ସେମାନଙ୍କ ପତନ ପରେ ସୁଦ୍ଧା ଜଗନ୍ନାଥଙ୍କର ପ୍ରତିଷ୍ଠା ଆଉ ଊଣା ହେଲା ନାହିଁ ।

ଗଙ୍ଗବଂଶର ପତନ ପରେ ଓଡ଼ିଶାରେ ସୂର୍ଯ୍ୟବଂଶୀ ଗଜପତି ନାମରେ ଅନ୍ୟ ଏକ ଗୌରବମୟ ରାଜବଂଶର ଶାସନ ଆରମ୍ଭ ହେଲା । ଗଙ୍ଗ ସାମ୍ରାଜ୍ୟର ଭିତ୍ତି ଉପରେ ପ୍ରତିଷ୍ଠିତ ସୂର୍ଯ୍ୟବଂଶୀ ଶାସନକୁ ଇତିହାସରେ 'ଗଜପତି' ଶାସନ ବୋଲି ମଧ୍ୟ ଉଲ୍ଲେଖ କରାଯାଏ । ପ୍ରଥମେ ଗଙ୍ଗରାଜା ଚୋଡଗଙ୍ଗ ଦେବ 'ଗଜପତି' ଉପାଧି ଗ୍ରହଣ କରିଥିଲେ । ଗଙ୍ଗସେନାରେ ରହିଥିବା ବିଶାଳ ଗଜବାହିନୀକୁ ପରିପୁଷ୍ଟ କରିବା ସକାଶେ ଏହି ଉପାଧି ସହାୟକ ହେଲା । ଯୁଦ୍ଧରେ ବାରୁଦ ଓ କମାଣର ବ୍ୟବହାର ଆରମ୍ଭ ହେବା ପୂର୍ବରୁ ହସ୍ତୀର ବ୍ୟବହାର, ସେନାର ଶକ୍ତି ଓ ପରାକ୍ରମକୁ ପ୍ରଦର୍ଶନ କରୁଥିଲା । ଓଡ଼ିଶାରେ ହସ୍ତୀର ଉପଲବ୍ଧତାଯୋଗୁଁ, ସାମାଜିକ ପ୍ରତିଷ୍ଠାପାଇଁ ରାଜାମାନେ ସେନାରେ ଗଜବାହିନୀ ରଖୁଥିଲେ । ଗଙ୍ଗମାନେ 'ଗଜପତି' ଉପାଧି ଗ୍ରହଣ କରି ନିଜର ଶକ୍ତି ଓ ପ୍ରତିଷ୍ଠାକୁ ପ୍ରଦର୍ଶନ କଲେ । ସେହି ସମୟଠାରୁ ଆରମ୍ଭ ହୋଇଥିବା ଏହି ଉପାଧି ପରବର୍ତ୍ତୀ ସମୟରେ ଅର୍ଥାତ ସୂର୍ଯ୍ୟବଂଶୀ ଶାସନ କାଳରେ ଏବଂ ତା'ପରେ ଏକ ରାଜନୈତିକ ଅର୍ଥରେ ବ୍ୟବହୃତ ହେଲା । ଜଗନ୍ନାଥଙ୍କର ଆସ୍ଥାନ ରୂପେ ପ୍ରତିଷ୍ଠା ଲାଭ କରିଥିବା ପୁରୀ ଉପରେ ଯେଉଁ ରାଜାଙ୍କର ନିୟନ୍ତ୍ରଣ ରହିଲା, କେବଳ ସେହି ରାଜା 'ଗଜପତି' ଉପାଧି ବହନ କଲେ । ଏହାକୁ 'ସମ୍ରାଟ'ର ଏକ ସମାର୍ଥବୋଧକ ଶବ୍ଦ ରୂପେ ରାଜନୈତିକ ସ୍ୱୀକୃତି ମିଳିଲା । ଅନ୍ୟ ଶବ୍ଦରେ କହିଲେ, 'ଗଜପତି' ଉପାଧି ଉକ୍ତ ରାଜାଙ୍କୁ ମୋଟ ଓଡ଼ିଶାର ଶାସକ ତୁଲ୍ୟ ସମ୍ମାନ ପ୍ରଦାନ କଲା । ଯେମିତି ଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା ରୂପେ ପ୍ରତିଷ୍ଠା ଲାଭ କରିଥିଲେ, ସେମିତି 'ଗଜପତି' ଓଡ଼ିଶାର ଶାସକ ଭାବରେ ମର୍ଯ୍ୟାଦା ପାଇଲେ । 'ଜଗନ୍ନାଥ' ଓ 'ଗଜପତି' ପରସ୍ପରପାଇଁ ଅନୁପୂରକ ହେବା ସହିତ ଓଡ଼ିଶାକୁ ଏକ ସାମାଜିକ ତଥା ରାଜନୈତିକ ଅସ୍ମିତା ଦେବାରେ ସହାୟକ ହେଲେ ।

କପିଳେନ୍ଦ୍ର ଦେବ (୧୪୩୫-୧୪୬୭) ଗଜପତି ଶାସନର ପ୍ରତିଷ୍ଠାତା ଥିଲେ କପିଳେନ୍ଦ୍ର ଦେବ । ୧୪୩୫ ଖ୍ରୀଷ୍ଟାବ୍ଦରେ ସେ ଗଙ୍ଗବଂଶର ଚତୁର୍ଥ ଭାନୁଦେବଙ୍କ ପରେ ସିଂହାସନ ଆରୋହଣ କରି ସୂର୍ଯ୍ୟବଂଶର ପ୍ରତିଷ୍ଠା କରିଥିଲେ । ସମ୍ଭବତଃ କପିଳେନ୍ଦ୍ରଦେବ ଏକ ସାଧାରଣ ବଂଶଜ ଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜାଗେଶ୍ୱର ଓ ମାତାଙ୍କ ନାମ ବେଲମା । ତାଙ୍କ ପୂର୍ବପୁରୁଷ ଦକ୍ଷିଣ ଓଡ଼ିଶାରୁ ଆସିଥିଲେ । ଗଙ୍ଗରାଜାଙ୍କ ସେନାବାହିନୀରେ କପିଳେନ୍ଦ୍ର ପ୍ରଥମେ 'ରାଉତ' ଓ ପରେ 'ନାୟକ' ପଦକୁ ଉନ୍ନୀତ ହୋଇଥିଲେ । ସୂର୍ଯ୍ୟବଂଶ ଶାସନ ପରେ ଲିଖିତ ମାଦଳାପାଞ୍ଜି ଅନୁଯାୟୀ, ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ଚତୁର୍ଥ ଭାନୁଦେବ ଦରିଦ୍ର ବାଳକ 'କପିଳ ରାଉତ'ଙ୍କୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରିଥିଲେ । ଗଙ୍ଗରାଜ ଅପୁତ୍ରକ ଥିବାରୁ ଉତ୍ତରାଧିକାରରେ କପିଳେନ୍ଦ୍ରଙ୍କୁ ରାଜସିଂହାସନ ପ୍ରାପ୍ତ ହେଲା ।

କପିଳେନ୍ଦ୍ରଙ୍କ ସିଂହାସନ ଆରୋହଣକୁ ଜଗନ୍ନାଥସମ୍ମତ ଅର୍ଥାତ୍‍ ଯୁକ୍ତିଯୁକ୍ତ ବୋଲି ଗ୍ରହଣ କରିନେବା ସକାଶେ ମାଦଳାପାଞ୍ଜିରେ କିମ୍ବଦନ୍ତୀ ସୃଷ୍ଟି ହୋଇଥିବା ମନେହୁଏ । ଭାନୁଦେବ ଦୁର୍ବଳ ଥିଲେ ଏବଂ ବିଭିନ୍ନ ଯୁଦ୍ଧରେ ପରାଜୟ ବରଣ କଲା ପରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ରାଜା ଭାନୁଦେବ ବିଦ୍ରୋହ ଦମନପାଇଁ ରାଜଧାନୀ ବାହାରକୁ ଯାଇଥିବା ଅବସରରେ ସେନାନାୟକ କପିଳେନ୍ଦ୍ର, ପାତ୍ର ମନ୍ତ୍ରୀଙ୍କ ସହଯୋଗରେ ସିଂହାସନ ଆରୋହଣ କଲେ ଏବଂ ରାଜା ହେବା ପରେ ଭାନୁଦେବଙ୍କୁ ରାଜଧାନୀକୁ ଫେରିବାକୁ ଦେଇ ନଥିଲେ । ଫଳରେ ଗଙ୍ଗବଂଶର ଶେଷ ରାଜା ସିଂହାସନରୁ ବଞ୍ଚିତ ହୋଇ ଗୁଡାରି କଟକ ନାମକ ସ୍ଥାନରେ ଶେଷ ସମୟ ଅତିବାହିତ କରିଥିଲେ । ଗଙ୍ଗବଂଶ ବିରୁଦ୍ଧରେ କପିଳେନ୍ଦ୍ରଙ୍କ ଶାନ୍ତିପୂର୍ଣ୍ଣ ବିଦ୍ରୋହର ପୁଷ୍ଟିପାଇଁ ଅନ୍ୟ ଏକ ତଥ୍ୟ ହେଲା ଯେ, ଗଙ୍ଗରାଜାଙ୍କ ପୋଷ୍ୟପୁତ୍ର ହୋଇଥିଲେ ତାଙ୍କୁ ଏକ ନୂତନ ରାଜବଂଶ ପ୍ରତିଷ୍ଠା କରିବାକୁ ପଡ଼ିନଥାନ୍ତା । କପିଳେନ୍ଦ୍ରଙ୍କୁ ସିଂହାସନ ଆରୋହଣରେ ଗଙ୍ଗଶାସନର କେତେକ ପ୍ରମୁଖ ଅଧିକାରୀ ଯଥା ମହାପାତ୍ର ଗୋପୀନାଥ, ଜଳେଶ୍ୱର ସେନା ନରେନ୍ଦ୍ର ଓ କାଶୀ ବିଦ୍ୟାଧର ସହଯୋଗ କରିଥିଲେ । ଏହା ଫଳରେ ଗଙ୍ଗରାଜାଙ୍କୁ ଗାଦିଚ୍ୟୁତ କରିବା କଷ୍ଟକର ହେଲା ନାହିଁ । ପଞ୍ଚଦଶ ଶତାବ୍ଦୀ ବେଳକୁ ଜଗନ୍ନାଥଙ୍କୁ ଓଡ଼ିଶାର ପ୍ରକୃତ ରାଜା ଓ ଗଙ୍ଗରାଜାଙ୍କୁ ତାଙ୍କ ଚଳନ୍ତି ସ୍ୱରୂପ ଭାବରେ ସ୍ୱୀକୃତି ମିଳିଥିଲା । କପିଳେନ୍ଦ୍ରଙ୍କ ରାଜତ୍ୱ ମଧ୍ୟ ଜଗନ୍ନାଥସମ୍ମତ ବୋଲି ଦର୍ଶାଇବାକୁ କିମ୍ବଦନ୍ତୀମାନ ସୃଷ୍ଟି କରାଗଲା । ମାଦଳାପାଞ୍ଜି ହୁଏତ କପିଳେନ୍ଦ୍ରଙ୍କ ବହୁ ପରେ ଲେଖାହୋଇଥିଲା, ମାତ୍ର ତହିଁରେ ରହିଥିବା କିମ୍ବଦନ୍ତୀଗୁଡ଼ିକ କପିଳେନ୍ଦ୍ରକାଳୀନ ବୋଲି ମନେହୁଏ । କିମ୍ବଦନ୍ତୀ କପିଳେନ୍ଦ୍ରଙ୍କ ସିଂହାସନ ଆରୋହଣକୁ ଜଗନ୍ନାଥସମ୍ମତ ଭାବରେ ପ୍ରସ୍ତୁତ କରି ସୂର୍ଯ୍ୟବଂଶକୁ ଲୋକସମ୍ମତ କରିଦେଲା । ଏହା ସତ୍ତ୍ୱେ, ଆନ୍ତରିକ ବିରୋଧର ଆଶଙ୍କା ଏଡାଇବା ପାଇଁ ସିଂହାସନ ଆରୋହଣ ପରେ କପିଳେନ୍ଦ୍ର ଲୁଣ ଓ କଉଡି ଉପରୁ ଟିକସ ଛାଡ଼ କରିଥିଲେ । ଏହା ସତ୍ତ୍ୱେ କେତେକ ସାମନ୍ତ ରାଜା, ଯଥା-ଆଧୁନିକ କୋରାପୁଟ ଅଞ୍ଚଳରେ ରହିଥିବା ନନ୍ଦପୁର ରାଜା, ବିଶାଖାପାଟଣା ଅଞ୍ଚଳରେ ରହିଥିବା ପଞ୍ଚଧରିଆ ରାଜା ଏବଂ ମାଳ ଅଞ୍ଚଳର କେତେକ ରାଜା, କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣକୁ ସ୍ୱୀକାର କରି ନଥିଲେ । ଏହି ବିରୋଧୀମାନଙ୍କୁ ତାଗିଦ କରି ଲିଙ୍ଗରାଜ ମନ୍ଦିରରେ ଏକ ଶିଳାଲେଖରେ କୁହାଯାଇଥିଲା ଯେ, ବିରୋଧୀ ସାମନ୍ତ ରାଜାମାନେ ରାଜ୍ୟ ଶାସନ ପ୍ରତି ଧ୍ୟାନ ନ ଦେଇ ଯଦି ବିରୋଧ ଅବ୍ୟାହତ ରଖନ୍ତି, ସେମାନଙ୍କୁ ଗଜପତି ରାଜା ଗାଦିଚ୍ୟୁତ କରିବାକୁ ବାଧ୍ୟ ହେବେ । କପିଳେନ୍ଦ୍ରଙ୍କ ମନ୍ତ୍ରୀ ଗୋପୀନାଥ ମହାପାତ୍ର ଗୋପୀନାଥପୁର ଶାସନରେ (ଆଧୁନିକ ସାଲେପୁର ନିକଟରେ ଅବସ୍ଥିତ) ଏକ ଶିଳାଲେଖରେ କପିଳେନ୍ଦ୍ରଙ୍କୁ ମହାନ ସୂର୍ଯ୍ୟବଂଶୋଦ୍ଭବ ଓ ତାଙ୍କ ଶାସନକୁ ଜଗନ୍ନାଥସ୍ୱୀକୃତ ବୋଲି ଉଲ୍ଲେଖ କରିଛନ୍ତି । ଏହି ସବୁ ଦୃଷ୍ଟାନ୍ତରୁ ମନେହୁଏ ଯେ, କପିଳେନ୍ଦ୍ର ଗଙ୍ଗବଂଶକୁ ବିରୋଧ କରି ସିଂହାସନ ଆରୋହଣ କରିଥିଲେ, ଯାହା ଫଳରେ ତାଙ୍କୁ ଆନ୍ତରିକ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

ନିଜର ସ୍ଥିତିକୁ ସୁଦୃଢ଼ କଲା ପରେ କପିଳେନ୍ଦ୍ର ବହିଃଶତ୍ରୁମାନଙ୍କୁ ନିପାତ କରିବାକୁ ଆକ୍ରମଣାତ୍ମକ ନୀତି ଅବଲମ୍ବନ କରିଥିଲେ । ପ୍ରଥମେ ଦକ୍ଷିଣରେ ସେ ସୀମାଞ୍ଚଳମ୍‍ରୁ ରେଡ୍ଡିମାନଙ୍କୁ ବିତାଡ଼ିତ କରିଥିଲେ । ସେହି ସମୟରେ ରାଜମହେନ୍ଦ୍ରୀର ରାଜନୈତିକ ଅବସ୍ଥା ଅନ୍ତରୀଣ ବିବାଦ ଓ ବାହାମନୀର ସୁଲତାନଙ୍କ ଆକ୍ରମଣ ଆଶଙ୍କାଯୋଗୁଁ ସଂକଟାପନ୍ନ ଥିଲା । ଏହାର ସୁଯୋଗ ନେଇ କପିଳେନ୍ଦ୍ର ବିଜୟନଗରର ରାଜା ଦ୍ୱିତୀୟ ଦେବରାୟଙ୍କୁ ପରାଜିତ କରି ରାଜମହେନ୍ଦ୍ରୀ ଅଧିକାର କଲେ । ୧୪୪୬ରେ ଦ୍ୱିତୀୟ ଦେବରାୟଙ୍କ ମୃତ୍ୟୁ ପରେ ବିଜୟନଗର ଅଧିକ ଦୁର୍ବଳ ହୋଇପଡ଼ିଲା । ବିଜୟନଗର ସାମ୍ରାଜ୍ୟର କର୍ତ୍ତୃତ୍ୱରେ ଥିବା ରାଜମହେନ୍ଦ୍ରୀର ରେଡ୍ଡି ରାଜା କପିଳେନ୍ଦ୍ରଙ୍କ ସହ ବିବାଦ ବେଳେ ବିଜୟନଗରରୁ କୌଣସି ସୈନ୍ୟ ସହାୟତା ପାଇଲେ ନାହିଁ । ଫଳରେ ୧୪୪୮ ପୂର୍ବରୁ ରାଜମହେନ୍ଦ୍ରୀ କପିଳେନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଶାସନଭୁକ୍ତ ହେଲା । ଏହି ବିବାଦ ବେଳେ କପିଳେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ପୁତ୍ର ହମ୍ଭିର ଦେବ ସୈନ୍ୟ ପରିଚାଳନା କରିଥିଲେ ।

ସେତେବେଳେ ଦକ୍ଷିଣର ଅନ୍ୟ ଏକ ସାମନ୍ତରାଜ୍ୟ ଥିଲା କୋଣ୍ଡାବିଡୁ । ଏହା ବିଜୟନଗର ସାମ୍ରାଜ୍ୟର କର୍ତ୍ତୃତ୍ୱରେ ରହିଥିଲା । ଦ୍ୱିତୀୟ ଦେବରାଜଙ୍କ ମୃତ୍ୟୁ ପରେ ବିଜୟଗରର କର୍ତ୍ତୃତ୍ୱ କୋଣ୍ଡାବିଡୁ ଉପରୁ ହ୍ରାସ ପାଇଲା । ଏହାର ସୁଯୋଗ ନେଇ କପିଳେନ୍ଦ୍ର କୋଣ୍ଡାବିଡୁ ଅଧିକାର କଲେ । ୧୪୫୪ ମସିହାରେ ଖୋଦିତ ଏକ ଶିଳାଲେଖ ଅନୁଯାୟୀ, କପିଳେନ୍ଦ୍ରଙ୍କଦ୍ୱାରା ନିଯୁକ୍ତ ଗଣଦେବ ନାମକ ଜଣେ ଅଧିକାରୀ ସେଠାରେ ପରୀକ୍ଷ (ରାଜ୍ୟପାଳ) ଭାବରେ ସ୍ଥାପିତ ହୋଇଥିଲେ । କୋଣ୍ଡାବିଡୁକୁ ବାଦଦେଲେ ଆଦାଙ୍କି ଓ ବିନୁକୋଣ୍ଡା ସାମନ୍ତରାଜ୍ୟ ମଧ୍ୟ ତାଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ ଥିଲା । ଅର୍ଥାତ୍‍ କପିଳେନ୍ଦ୍ରଦେବଙ୍କ ରାଜତ୍ୱ କାଳରେ କୃଷ୍ଣା-ଗୋଦାବରୀ ଉପତ୍ୟକା ଗଜପତି ଶାସନର ଅଧିକାରଭୁକ୍ତ ହେଲା ।

ତେଲେଙ୍ଗାନା ଅଧିକାର ରାଜମହେନ୍ଦ୍ରୀ ଓ କୋଣ୍ଡାବିଡୁ ଅଧିକାର ପରେ ଗଜପତି ରାଜା ତେଲେଙ୍ଗାନା ପ୍ରତି ଦୃଷ୍ଟି ନିକ୍ଷେପ କଲେ । ସେତେବେଳେ ତେଲେଙ୍ଗାନା ବେଲ୍ଲମା ରାଜାଙ୍କ ଶାସନାଧୀନ ଥିଲା । ପଡ଼ୋଶୀ ବିଜୟନଗର ଓ ବାହାମନୀ ରାଜ୍ୟ ତୁଳନାରେ ଏହା କ୍ଷୁଦ୍ର ଥିବାରୁ ନିଜର ଅସ୍ତିତ୍ୱ ରକ୍ଷାପାଇଁ ବେଲ୍ଲମାମାନଙ୍କୁ କୂଟନୀତି ପ୍ରୟୋଗ କରିବାକୁ ପଡୁଥିଲା । ବିଜୟନଗରର ସାମନ୍ତ ରେଡ୍ଡି ମାନଙ୍କର ରାଜ୍ୟ ସହିତ ତେଲେଙ୍ଗାନାର ବରାବର ଶତ୍ରୁତା ଲାଗି ରହିଥିଲା । ସୁରକ୍ଷାପାଇଁ ବେଲ୍ଲମା ରାଜା ବାହାମନୀ ସୁଲତାନଙ୍କ ସାହାଯ୍ୟ ଲୋଡୁଥିଲେ । ପାରସ୍ପରିକ ରାଜନୈତିକ ସମ୍ବନ୍ଧ ରକ୍ଷା ବେଳେ ଉଭୟ ରାଜ୍ୟ ମଧ୍ୟରେ ଧର୍ମ କେବେ ବି ବାଧକ ହୋଇନଥିଲା । ମାତ୍ର କିଛିକାଳ ପରେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ହେଲା ଏବଂ ତେଲେଙ୍ଗାନା ରାଜା ବିଜୟନଗରର ସହଯୋଗ ନେଲେ । ପ୍ରତିକ୍ରିୟା ସ୍ୱରୂପ, ପ୍ରଥମେ ୧୪୨୫ରେ ଏବଂ ଦ୍ୱିତୀୟ ଥର ୧୪୩୫ରେ ବାହାମନୀ ସୁଲତାନ ସୈନ୍ୟ ଚାଳନା କରି ତେଲେଙ୍ଗାନା ଅଧିକାର କରିନେଲେ ।

ଓଡ଼ିଶାରେ ଗଜପତି ଶାସନର ଉଦୟ ପରେ ତେଲେଙ୍ଗାନା ରାଜା ବେଲମ୍ମା ମୁଖ୍ୟ ମଦୟଲିଙ୍ଗ କପିଳେନ୍ଦ୍ରଦେବଙ୍କ ସହ ସମ୍ବନ୍ଧ ସ୍ଥାପନ କଲେ । ଏହା ସହିତ ସେ ବାହମନୀ ସୁଲତାନଙ୍କ ଶତ୍ରୁମାନଙ୍କୁ ବିଦ୍ରୋହ କରିବାକୁ ପ୍ରରୋଚିତ କଲେ । ଏଥିରେ ଉତ୍‍କ୍ଷିପ୍ତ ହୋଇ ସୁଲତାନ ମଦୟଲିଙ୍ଗଙ୍କ ଉପରେ ଦେବରକୋଣ୍ଡାଠାରେ ଆକ୍ରମଣ କଲେ । ମାତ୍ର ମଦୟଲିଙ୍ଗଙ୍କ ସମର୍ଥରେ ଗଜପତି ସେନା ପହଞ୍ଚିଯିବାରୁ ୧୪୫୮ରେ ବାହାମନୀ ସୁଲତାନ ଓ ଗଜପତି ସେନା ମଧ୍ୟରେ ଯୁଦ୍ଧହେଲା ଏବଂ ଯୁଦ୍ଧରେ କପିଳେନ୍ଦ୍ରଦେବ ଜୟଯୁକ୍ତ ହେଲେ । କପିଳେନ୍ଦ୍ରଦେବଙ୍କ ଯୁଦ୍ଧ ସଫଳତା ପଛରେ ବଡ଼ କାରଣ ଥିଲା, ତାଙ୍କ ବିଶାଳ ଗଜାରୋହୀ ସେନା । ଗଜପତିଙ୍କ ଜ୍ୟେଷ୍ଠପୁତ୍ର ହମ୍ଭିର ଦେବ ଦକ୍ଷତାର ସହିତ ଏହି ଯୁଦ୍ଧ ପରିଚାଳନା କରିଥିଲେ । ଦେବରକୋଣ୍ଡା ବିଜୟ ପରେ ହମ୍ଭିର ଦେବ ଓ୍ୱାରଙ୍ଗଲ ଦୁର୍ଗ ମଧ୍ୟ ଅଧିକାର କରିନେଲେ । ୧୪୫୮ରେ ଗଜପତି ରାଜା ଗୁଣ୍ଟୁର ଅବସ୍ଥାନ କାଳରେ ବେଲଜାଲାନି ଗ୍ରାମ ବ୍ରାହ୍ମଣମାନଙ୍କୁ ଦାନ କରିଥିଲେ । ଉକ୍ତ ଦାନ ଫଳକରେ ତାଙ୍କୁ 'ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର' ଭାବରେ ଉଲ୍ଲେଖ କରାଯାଇଛି । ଏଥିରୁ ମନେହୁଏ ଯେ, ଗୁଣ୍ଟୁର ବ୍ୟତୀତ ସେ ଆରା, ହାମ୍ପିି, ଦିଲ୍ଲୀ ଓ ଗୁଲବର୍ଗା ରାଜ୍ୟର ରାଜାମାନଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କରିଥିଲେ । ବିଜୟଗର ଅଭିଯାନ

କପିଳେନ୍ଦ୍ରଦେବ ସିଂହାଚଳ, ରାଜମହେନ୍ଦ୍ରୀ ଓ କୋଣ୍ଡାବିଡୁ଼ ଆଦି କ୍ଷୁଦ୍ର ସାମନ୍ତରାଜ୍ୟଗୁଡ଼ିକୁ ନିଜ କର୍ତ୍ତୃତ୍ୱକୁ ଆଣିବା ପ୍ରକ୍ରିୟାରେ ବିଜୟନଗର ସାମ୍ରାଜ୍ୟର ସମ୍ମୁଖୀନ ହୋଇଥିଲେ । କାରଣ ଏହି ରାଜ୍ୟଗୁଡ଼ିକ ବିଜୟଗରର ସାମନ୍ତ ରାଜ୍ୟ ଥିଲେ । ଦ୍ୱିତୀୟ ଦେବରାୟଙ୍କ ମୃତ୍ୟୁ ପରେ ୧୪୪୬ରେ ମଲ୍ଲିକାର୍ଜ୍ଜୁନ ବିଜୟନଗର ସିଂହାସନ ଅଧିକାର କଲେ । ସେ ଜଣେ ଦୁର୍ବଳ ରାଜା ଥିଲେ । ଏହାର ସୁଯୋଗ ନେଇ କପିଳେନ୍ଦ୍ର ବିଜୟଗରର ଅନ୍ୟ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଜିଣିନେବାକୁ ପ୍ରୟାସ କଲେ । ଏଥିପାଇଁ ସମ୍ଭବତଃ ସେ ହୟପତି ନାମରେ ପରିଚିତ ବାହାମନୀ ସୁଲତାନଙ୍କ ସହ ବନ୍ଧୁତା କରିଥିଲେ । ବିଜୟନଗର ବିରୁଦ୍ଧରେ କପିଳେନ୍ଦ୍ରଙ୍କ ପ୍ରତିିନିଧି ଭାବରେ ତାଙ୍କ ପୁତ୍ର ହମ୍ଭିର ଦେବ ସୈନ୍ୟ ଚାଳନା କରି ବିଜୟ ପ୍ରାପ୍ତ ହେଲେ । ବିଜୟନଗରର ରାଜଧାନୀ ହାମ୍ପି ଅଧିକାର କରି ହମ୍ଭିର ଦେବ ବିଜୟନଗର ରାଜ୍ୟରୁ ଯଥୋଚିତ 'ଦେୟ' ଅସୁଲ କଲେ । ମାତ୍ର, ଗଙ୍ଗାଧର ରଚିତ ତତ୍‍କାଳୀନ କୃତି 'ଗଙ୍ଗାଦାସ ବିଳାସ ଚରିତଂ'ରେ ବିଜୟନଗର ହସ୍ତରୁ ହମ୍ଭିରଦେବ ପରାଜିତ ହୋଇଥିବା କଥା କୁହାଯାଇଛି । ସମ୍ଭବତଃ ହମ୍ଭିରଦେବ ପ୍ରଥମେ ଯୁଦ୍ଧ ଜୟ କଲେ ଓ ପରେ ପରାଜିତ ହେଲେ । କପିଳେନ୍ଦ୍ରଙ୍କ ବିଜୟଗର ଅଭିଯାନପାଇଁ ବାହାମନୀ ସୁଲତାନଙ୍କ ସହ ମେଣ୍ଟରୁ ମନେହୁଏ ଯେ ସେ ସମୟରେ ଧାର୍ମିକ ଆଧାରରେ ସାଧାରଣତଃ ଯୁଦ୍ଧ ସଂଘଟିତ ହେଉନଥିଲା । ଗୌରବ ପାଇବାଲାଗି ତଥା ଧନରତ୍ନ ଆହରଣ କରି ସ୍ୱ-ରାଜ୍ୟକୁ ସମୃଦ୍ଧ କରିବାଲାଗି ରାଜାମାନେ ପରସ୍ପର ମଧ୍ୟରେ ବିବାଦ କରୁଥିଲେ । ତେଣୁ ବାହାମନୀ ସୁଲତାନଙ୍କ ବିଜୟ ଅଭିଯାନକୁ ମୁସଲମାନ ଆକ୍ରମଣ ବା ବିଜୟ ନଗର ଉପରେ ଗଜପତିଙ୍କ ଆକ୍ରମଣକୁ ହିନ୍ଦୁ ଆକ୍ରମଣ ବୋଲି କହିବା ଉଚିତ ହେବ ନାହିଁ । ଗଜପତି ରାଜା ବାହାମନୀ ସୁଲତାନଙ୍କ ସହ ଆବଶ୍ୟକ ସ୍ଥଳେ ବନ୍ଧୁତା କରି ତଥା ରେଡ୍ଡି, ବିଜୟନଗର ଆଦି ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରି ଏହା ପ୍ରମାଣିତ କରିଛନ୍ତି । ଦକ୍ଷିଣ-ପୂର୍ବ ଭାରତରେ ଗଜପତି ଶାସନର ଉତ୍‍ଥାନ ପରେ ଦକ୍ଷିଣରେ ବିଜୟନଗର ଓ ବାହାମନୀ ରାଜ୍ୟ ଓ ଉତ୍ତରରେ ବଙ୍ଗର ଶାସନ ଏକାଧିପତ୍ୟ ଜାରି କରି ପାରିଲେ ନାହିଁ । ଅନ୍ୟପକ୍ଷରେ ଏକ ଶକ୍ତିଶାଳୀ ରାଜ୍ୟ ଭାବରେ ଓଡ଼ିଶାର ଉଦୟଯୋଗୁଁ ଓଡ଼ିଶା ସ୍ତରରେ ଏକ ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ପରିଚୟର ବିକାଶ ହେଲା । ଏହି କାଳାଂଶରେ ଏକ ଶକ୍ତିଶାଳୀ ରାଜ୍ୟ ରୂପେ ଓଡ଼ିଶାର ପରିଚୟ ଥିଲା ବୋଲି ପରବର୍ତ୍ତୀ ସମୟରେ ଓଡ଼ିଶାର ଜାତୀୟ ଅସ୍ମିତା ଅନୁସନ୍ଧାନ କଷ୍ଟକର ହେଲା ନାହିଁ ।

ବଙ୍ଗ ବିଜୟ ୧୪୪୭ର ଏକ ଶିଳାଲେଖରେ କପିଳେନ୍ଦ୍ରଙ୍କୁ 'ଗୌଡେ଼ଶ୍ୱର' ବୋଲି ଉଲ୍ଲେଖ କରାଯାଇଛି । ଏହି ଆଧାରରେ କୁହାଯାଏ ଯେ, ସେ ବଙ୍ଗର ସୁଲତାନଙ୍କୁ ମଧ୍ୟ ଯୁଦ୍ଧରେ ପରାଜିତ କରିଥିଲେ । ବଙ୍ଗରେ ସେତେବେଳେ (୧୪୪୨-୧୪୫୯) ସୁଲତାନ ଥିଲେ ନାସିରୁଦ୍ଦିନ । ଜଗନ୍ନାଥ ମନ୍ଦିରର ଏକ ଶିଳାଲେଖରୁ ଜଣାଯାଏ ସେ 'ମାଲିକା ପାରିସା' ବା 'ମାଲିକା ପରିସା' (ମାଲିକ ପାଦଶାହ) ଅର୍ଥାତ୍‍ ଗୌଡ଼ର ନବାବଙ୍କ ସହିତ ଯୁଦ୍ଧ କରିଥିଲେ । ମାତ୍ର କପିଳେନ୍ଦ୍ରଙ୍କ ବଙ୍ଗ ବିଜୟକୁ ପୁଷ୍ଟ କରିବାପାଇଁ ଅନ୍ୟ କୌଣସି ଐତିହାସିକ ତଥ୍ୟ ପ୍ରମାଣ ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ । ଯଦିଓ କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ଗଠନ କରିଥିଲେ ଏବଂ ଅନେକ ଯୁଦ୍ଧ ଜୟ କରିଥିଲେ, ବିଜିତ ରାଜ୍ୟଗୁଡ଼ିକୁ ସେ ଅଧିକ କାଳ ନିଜ କର୍ତ୍ତୃତ୍ୱାଧୀନ ରଖି ପାରିନଥିଲେ । ବିଜିତ ରାଜାମାନେ ବାର୍ଷିକ ଦେୟ ମାତ୍ର ଦେଇ ଗଜପତି ରାଜ୍ୟର ବଶ୍ୟତା ସ୍ୱୀକାର କରିଥିଲେ । କପିଳେନ୍ଦ୍ରଙ୍କ ସେନାର ବଡ଼ ଶକ୍ତି ହେଲା ତାଙ୍କ ବିଶାଳ ଗଜାରୋହୀ ସେନା । ସମ୍ମୁଖ ସମରରେ ବିଶାଳ ଗଜବାହିନୀ ଶତ୍ରୁ ପ୍ରାଣରେ ଭୟ ସୃଷ୍ଟି କରୁଥିଲା । କମାଣ ଓ ବାରୁଦର ବ୍ୟବହାର ପୂର୍ବରୁ ଯୁଦ୍ଧରେ ହସ୍ତୀବାହିନୀ ରାଜାଙ୍କର ପରାକ୍ରମକୁ ଦର୍ଶାଉଥିଲା । ସମ୍ଭବତଃ, ଅନେକ ବିଜିତ ରାଜ୍ୟରେ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନ ନଥିଲା । ଫଳରେ କପିଳେନ୍ଦ୍ରଙ୍କ ବୃଦ୍ଧାବସ୍ଥାରେ ହିଁ ବହୁ ରାଜ୍ୟ ଗଜପତି ନିୟନ୍ତ୍ରଣରୁ ବାହାରି ଯାଇଥିଲେ । କପିଳେନ୍ଦ୍ରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ବିଶାଳ ରାଜ୍ୟ ଅତୁଟ ରହି ପାରି ନଥିଲା । ଶେଷରେ, ୧୪୬୬ରେ ସେ ପୁରୀରେ ଅବସ୍ଥାନ କରିବା ସମୟରେ ରାଜ୍ୟର ତେଲଙ୍ଗା ସାମନ୍ତ ରାଜାମାନେ ଗଜପତି ରାଜ୍ୟରୁ ପୃଥକ ହୋଇ ସ୍ୱାଧୀନତା ଘୋଷଣା କଲେ । ଏଥିରେ ବିଚଳିତ ହୋଇ କପିଳେନ୍ଦ୍ର, ସାନପୁଅ ପୁରୁଷୋତ୍ତମ ଦେବଙ୍କୁ ସାଙ୍ଗରେ ନେଇ ଦାକ୍ଷିଣାତ୍ୟ ଅଭିଯାନରେ ବାହାରିଲେ । ପରିଣତ ବୟସରେ ଭଗ୍ନସ୍ୱାସ୍ଥ୍ୟ ଓ ବିଚଳିତ ମନଯୋଗୁଁ ଶେଷରେ ୧୪୬୭ରେ ସେ କୃଷ୍ଣାନଦୀ କୂଳରେ ପୁରୁଷୋତ୍ତମ ଦେବଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରି ପ୍ରାଣତ୍ୟାଗ କଲେ ।

ମଧ୍ୟକାଳୀନ ଓଡ଼ିଶା ଇତିହାସରେ କପିଳେନ୍ଦ୍ରଦେବ ହେଉଛନ୍ତି ସବୁଠାରୁ ଅଧିକ ପରାକ୍ରମଶାଳୀ ରାଜା । ତତ୍‍କାଳୀନ ପୂର୍ବ ଓ ଦକ୍ଷିଣ ଭାରତର ଶକ୍ତିଶାଳୀ ବାହାମନୀ ସୁଲତାନ ନାସିରଉଦ୍ଦିନ୍ ହୁମାୟୁନ ଶାହ, ସାଲୁଭ ବା ସାଲ୍ୱ ନରସିଂହ ଓ ବିଜୟନଗର ସମ୍ରାଟ ମଲ୍ଲିକାର୍ଜୁନଙ୍କ ତୁଳନାରେ ସେ କମ୍‍ ଶକ୍ତିବାନ ନଥିଲେ । ସେମାନଙ୍କ ସହ ଯୁଦ୍ଧ କରି ସେ ଓଡ଼ିଶାକୁ ଏକ ବିଖ୍ୟାତ ରାଜ୍ୟର ସମ୍ମାନ ଦେଇଥିଲେ । ତାଙ୍କ ସମୟରେ ଓଡ଼ିଶା ସାମ୍ରାଜ୍ୟ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପୂର୍ବରେ ବଙ୍ଗ ଯାଏ ବ୍ୟାପିଥିଲା । ଏକ ସାଧାରଣ ପରିବାରରେ ଜନ୍ମ ହୋଇ ତୀକ୍ଷ୍‍ଣ ବୁଦ୍ଧି, ସାହସ ଓ ନିଷ୍ଠା ବଳରେ ସେ ଏକ ନୂତନ ସାମ୍ରାଜ୍ୟ ଗଠନ କରିବାରେ ସଫଳ ହୋଇଥିଲେ । ଏହି ଗୌରବ ପାଇଁ ତାଙ୍କୁ ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସହ ତୁଳନା କରିହେବ । ରାଜ୍ୟ ବିସ୍ତାରପାଇଁ କେତେବେଳେ ସେ ଧର୍ମ ଆଧାରରେ ପଡ଼ୋଶୀ ରାଜ୍ୟ ସହ ମେଣ୍ଟ କରିଥିଲେ ତ ଆଉ କେବେ ଧାର୍ମିକ ଆଧାରକୁ ଅଣଦେଖା କରି ସୁଲତାନଙ୍କ ସହ ବନ୍ଧୁତା କରିଥିଲେ । ସମ୍ଭବତଃ ଧର୍ମ ଅପେକ୍ଷା ଓଡ଼ିଆଜାତି ପରିଚୟ ତାଙ୍କପାଇଁ ଅଧିକ ମହତ୍ତ୍ୱ ରଖୁଥିଲା । ଗଙ୍ଗସମୟରୁ ଆରମ୍ଭ ହୋଇଥିଲେ ସୁଦ୍ଧା କପିଳେନ୍ଦ୍ରଙ୍କ ସମୟରେ 'ଗଜପତି' ଏକ ରାଜନୈତିକ ଉପାଧିର ସମ୍ମାନ ଲାଭ କଲା ଏବଂ ଗଜପତି ଉପାଧିଧାରୀ ରାଜା ଓଡ଼ିଶାର ଅନ୍ୟ ରାଜାମାନଙ୍କଠାରୁ ଶ୍ରେଷ୍ଠ ମାନ୍ୟତା ପାଇଲେ । କପିଳେନ୍ଦ୍ରଦେବଙ୍କ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଏକ ନବ ଯୁଗ ଆରମ୍ଭ ହେଲା । ସାରଳା ଦାସଙ୍କ ଓଡ଼ିଆ 'ମହାଭାରତ' ଏହି ସମୟର ସୃଷ୍ଟି । ମଧ୍ୟକାଳୀନ ଓଡ଼ିଶାର ସମାଜ ଓ ସାହିତ୍ୟରେ ଯେଉଁ ଭକ୍ତି ଯୁଗର ପ୍ରବର୍ତ୍ତନ ହେଲା ତଥା ସଂସ୍କୃତ ଭାଷା ବଦଳରେ ଓଡ଼ିଆ ଭାଷାର ବିକାଶ ହେଲା, ତାହାର ଭିତ୍ତି କପିଳେନ୍ଦ୍ରଦେବଙ୍କ ସମୟରେ ପଡିଥିଲା ବୋଲି କହିଲେ ବୋଧହୁଏ ଭୁଲ ହେବନାହିଁ ।

ପୁରୁଷୋତ୍ତମ ଦେବ (୧୪୬୭-୧୪୯୭) କପିଳେନ୍ଦ୍ରଦେବଙ୍କ ପରେ ସିଂହାସନ ଆରୋହଣ କରିଥିବା ପୁରୁଷାତ୍ତମଦେବ ସମ୍ଭବତଃ ଜ୍ୟେଷ୍ଠ ରାଜକୁମାର ନ ଥିଲେ । ଜ୍ୟେଷ୍ଠପୁତ୍ର ତଥା ଦକ୍ଷିଣ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ହମ୍ଭିରଦେବଙ୍କ ଦାବିକୁ ଅବହେଳା କରି ସମ୍ଭବତଃ କପିଳେନ୍ଦ୍ରଦେବ ଅନ୍ୟ ପୁତ୍ର ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରିଥିଲେ । ହମ୍ଭିରଦେବ ଏଥିରେ କ୍ଷୁବ୍ଧ ହୋଇ ବିଦ୍ରୋହ କରିଥିଲେ । ବାମଣ୍ଡା ରାଜ୍ୟରୁ ପ୍ରାପ୍ତ 'ରାଜବଂଶାବଳୀ' ଅନୁଯାୟୀ ପୁରୁଷୋତ୍ତମ ଥିଲେ କପିଳେନ୍ଦ୍ରଦେବଙ୍କ ଜଣେ ରକ୍ଷିତାଙ୍କ ପୁତ୍ର । ପୁରୁଷୋତ୍ତମଦେବଙ୍କ ମାତାଙ୍କ ପ୍ରରୋଚନାରେ କପିଳେନ୍ଦ୍ରଦେବ ରୀତି ଭାଙ୍ଗି ଜ୍ୟେଷ୍ଠ ପୁତ୍ର ହମ୍ଭିରଦେବଙ୍କ ସ୍ଥାନରେ ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ମନୋନୀତ କରିଥିଲେ । ଏକ କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥ କପିଳେନ୍ଦ୍ରଦେବଙ୍କୁ ସ୍ୱପ୍ନାଦେଶ ଦେଇ ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ଘୋଷଣା କରିବାକୁ କହିଥିଲେ । ଜ୍ୟେଷ୍ଠପୁତ୍ର ହମ୍ଭିରଦେବଙ୍କ ସ୍ଥାନରେ ପୁରୁଷୋତ୍ତମଦେବଙ୍କ ରାଜପଦ ପ୍ରାପ୍ତିକୁ 'ନ୍ୟାୟ ସଙ୍ଗତ' ବୋଲି ଧାରଣା ଦେବାକୁ କିମ୍ବଦନ୍ତୀର ସୃଷ୍ଟି ହୋଇଥିବା କୁହାଯାଏ । ରାଜପଦ ଲାଭ କରିବା ପରେ ପୁରୁଷୋତ୍ତମଦେବ ବ୍ରାହ୍ମଣମାନଙ୍କ ଉପରୁ ଚୌକିଦାରୀ କର ଛାଡ କରିଥିଲେ ଏବଂ ପୂର୍ବରୁ ପ୍ରଚଳିତ ଭୂମିଦାନ ବ୍ୟବସ୍ଥାକୁ ବଳବତ୍ତର କରିଥିଲେ । ଏହା ଫଳରେ ତାଙ୍କୁ ବିଶେଷ ଅନ୍ତରୀଣ କଳହର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଏହା ତାଙ୍କୁ ରାଜ୍ୟ ଜୟପାଇଁ ସୁଯୋଗ ପ୍ରଦାନ କରିଥିଲା ।

ସିଂହାସନ ଆରୋହଣ କଲା ପରେ ପୁରୁଷୋତ୍ତମଦେବଙ୍କ ପାଇଁ ସବୁଠାରୁ ଅଧିକ କାଳ ହେଲା ହମ୍ଭିରଦେବଙ୍କ ବିଦ୍ରୋହ । ପ୍ରଥମେ ହମ୍ଭିରଦେବ ଦୀର୍ଘ ଦୁଇ ବର୍ଷ କାଳ ପିତା କପିଳେନ୍ଦ୍ରଦେବଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ମାତ୍ର ଏଥିରେ ତାଙ୍କୁ ବିଶେଷ ସଫଳତା ମିଳି ନଥିଲା । ଜଗନ୍ନାଥଙ୍କ ସ୍ୱୀକୃତି ନାଁରେ ପୁରୁଷୋତ୍ତମଦେବ ମଧ୍ୟ ବ୍ରାହ୍ମଣମାନଙ୍କଠାରୁ ନିରନ୍ତର ସହଯୋଗ ଲାଭ କଲେ । ପୁଣି ଗଜପତିମାନଙ୍କ ବିଶାଳ ସେନା ତାଙ୍କ ନିୟନ୍ତ୍ରଣରେ ରହିଥିଲା । ହମ୍ଭିରଦେବ ଶେଷରେ ବାହାମନୀ ସୁଲତାନଙ୍କ ସହଯୋଗ ନେଇ ପୁରୁଷୋତ୍ତମଦେବଙ୍କୁ ପରାସ୍ତ କଲେ । ଫଳରେ ୧୪୭୨ରେ ହମ୍ଭିରଦେବ ରାଜା ହେଲେ । ସୁଲତାନଙ୍କ ସହଯୋଗର ପ୍ରତିଦାନରେ ହମ୍ଭିରଦେବ ବାହାମନୀର ସାମନ୍ତ ପଦବୀ ଗ୍ରହଣ କଲେ ଏବଂ ରାଜମହେନ୍ଦ୍ରୀ ଓ କୋଣ୍ଡାପଲ୍ଲୀ କ୍ଷେତ୍ରକୁ ସୁଲତାନଙ୍କ ହାତରେ ସମର୍ପଣ କଲେ । ସେତେବେଳେ ମାଲିକ ହୁସେନ ଥିଲେ ବାହାମନୀର ସେନାନାୟକ, ଯିଏ ହମ୍ଭିରଙ୍କୁ ଗଜପତି ଆସନରେ ବସାଇବା ଲାଗି ପୁରୁଷୋତ୍ତମଦେବଙ୍କୁ ପରାଜିତ କରିଥିଲେ । ଏହି ଘଟଣାର ଚାରିବର୍ଷ ପରେ ୧୪୭୬ରେ ପୁରୁଷୋତ୍ତମଦେବ ଯୁଦ୍ଧରେ ହମ୍ଭିରଙ୍କୁ ପରାଜିତ କରି ପୁନର୍ବାର ଗଜପତି ସିଂହାସନ ଆରୋହଣ କଲେ । ପୁରୁଷୋତ୍ତମଙ୍କୁ ଏହି ଯୁଦ୍ଧରେ କେତେକ ଓଡ଼ିଶା ରାଜା ସମର୍ଥନ ଦେଇଥିବା ବେଳେ, ହମ୍ଭିରଦେବ ବାହାମନୀର ସମର୍ଥନରୁ ବଞ୍ଚିତ ହେଲେ । ପରାଜୟ ପରେ ହମ୍ଭିରଙ୍କର ପୁରୁଷୋତ୍ତମଦେବଙ୍କ ସହ ବୁଝାମଣା ହେଲା । ଗଞ୍ଜାମର ଖିମଡ଼ିରେ ସାମନ୍ତ ରାଜପଦବୀ ପାଇ ହମ୍ଭିରଦେବ ସନ୍ତୁଷ୍ଟ ରହିଲେ । ଏହି କାରଣରୁ ଖିମଡ଼ି ରାଜାମାନେ ମଧ୍ୟ ଗଜପତି ଉପାଧି ବହନ କରୁଥିଲେ ଏବଂ ପୁରୀ ଅଧିକାରପାଇଁ ପରବର୍ତ୍ତୀ ସମୟରେ ପୁରୀ ଗଜପତିଙ୍କ ସହ କଳହ ମଧ୍ୟ କରିଥିଲେ । ପୁରୁଷୋତ୍ତମଙ୍କୁ ଅନ୍ୟ ଯେଉଁ ଏକ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେ ଥିଲେ ବିଜୟନଗର ସାମ୍ରାଜ୍ୟର ଶାସକ ସାଲ୍ୱ ନରସିଂହ । କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ଗଜପତି ଶାସନ ଅନ୍ତର୍ବିବାଦରେ ଲିପ୍ତ ହେବା ଦେଖି ସେ ଦକ୍ଷିଣରୁ ଗଜପତି ଶାସନକୁ ବିତାଡ଼ିତ କରିବାକୁ ଲାଗିଲେ । ତାଙ୍କର ପ୍ରତିଯୋଗିତା ଉଭୟ ଗଜପତି ରାଜା ଓ ବାହାମନୀ ସୁଲତାନଙ୍କ ସହ ଲାଗିଥିଲା । ହମ୍ଭିର ଦେବଙ୍କ ସହ ମେଣ୍ଟ କରି ବାହାମନୀ ସୁଲତାନ ଗଜପତି ସେନାକୁ ପରାଜିତ କଲେ ଏବଂ ରାଜମହେନ୍ଦ୍ରୀ ଅଧିକାର କରିନେଲେ । ସେତେବେଳେ ସାଲ୍ୱ ନରସିଂହ ଗଜପତି ରାଜ୍ୟରୁ କୃଷ୍ଣା-ଗଜପତି କ୍ଷେତ୍ର ଅଧିକାର କରିବାକୁ ଉଦ୍ୟମ କରୁଥିଲେ । ଧର୍ମ ଆଧାରରେ ସେ ଗଜପତି ପୁରୁଷୋତ୍ତମଙ୍କ ସହ ମେଣ୍ଟ କରିଥିଲେ । ଏଥିରୁ ମଧ୍ୟ ମନେହୁଏ ଯେ, ମଧ୍ୟ-ଯୁଗରେ ରାଜନୀତିକ ନିଷ୍ପତ୍ତି ଧର୍ମ ଆଧାରରେ ନିଆଯାଉ ନଥିଲା । ବିଜୟନଗର ରାଜ୍ୟ କ୍ରମାଗତ ଅବକ୍ଷୟର ଶିକାର ହେବାରୁ ସାଲ୍ୱ ନରସିଂହ ନିଜକୁ କର୍ଣ୍ଣାଟକର ସ୍ୱାଧୀନ ରାଜା ଘୋଷଣା କଲେ । ପୁରୁଷୋତ୍ତମ ତାଙ୍କ ବିରୋଧରେ ସେନାପ୍ରେରଣ କରି କର୍ଣ୍ଣାଟକର ଉଦୟଗିରି (କିମ୍ବଦନ୍ତୀର କାଞ୍ଚି) ଅଧିକାର କରିନେଲେ । ୧୪୯୦ରେ ସାଲ୍ୱ ନରସିଂହଙ୍କ ମୃତ୍ୟୁ ପରେ ଓଡ଼ିଶାର ଦକ୍ଷିଣରେ ବିଜୟନଗର କର୍ତ୍ତୃତ୍ୱରେ ରହିଥିବା ସାମନ୍ତ ରାଜ୍ୟମାନ ଦୁର୍ବଳ ହୋଇପଡ଼ିଲେ । ସେଗୁଡିକୁ ନିଜ ରାଜ୍ୟରେ ଯୋଡ଼ିଦେବାକୁ ପୁରୁଷୋତ୍ତମ ଯଥୋଚିତ ପ୍ରୟାସ କଲେ । କେତେକ ଐତିହାସିକଙ୍କ ମତରେ, ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ମଧ୍ୟ ୧୫୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଉଦୟଗିରି ରାଜ୍ୟ ଗଜପତି ଶାସନର ଅଧିକାରଭୁକ୍ତ ହୋଇ ରହିଥିଲା ।

ଓଡ଼ିଶାର କିମ୍ବଦନ୍ତୀରେ ସାଲ୍ୱ ନରସିଂହ କାଞ୍ଚି ରାଜା ରୂପେ ପରିଚିତ । ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କରି ପ୍ରଥମେ ପରାଜିତ ହେବା ଏବଂ ଦ୍ୱିତୀୟଥର ବିଜୟୀ ହେବା କଥା କିମ୍ବଦନ୍ତୀରେ ଉଲ୍ଲେଖ ଅଛି । ଜନ ସ୍ୱୀକୃତି ପାଇବା ସାଙ୍ଗକୁ ସେନାବାହିନୀକୁ ଯୁଦ୍ଧପାଇଁ ପ୍ରରୋଚିତ କରିବା ଏହି କିମ୍ବଦନ୍ତୀର ଉଦ୍ଦେଶ୍ୟ । କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥ ଯୁଦ୍ଧରେ ଗଜପତିଙ୍କପାଇଁ ସଂଗ୍ରାମ କରିଥିଲେ । ଏଥିରୁ ମନେହୁଏ ଯେ, ଗଜପତି ଶାସନ ସମୟରେ ଜଗନ୍ନାଥ ଓ ପୁରୀ ଗଜପତିଙ୍କ ମଧ୍ୟରେ ଏକ ଅନୁରୂପକତା ସୃଷ୍ଟି ହୋଇସାରିଥିଲା । ଜଗନ୍ନାଥ ପୁରୀ ରାଜାଙ୍କ ପ୍ରତିରକ୍ଷା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ସମକାଳୀନ ଅନ୍ୟ ଅଣ-ଓଡ଼ିଶା ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୁଦ୍ଧା କୁଣ୍ଠିତ ନଥିଲେ । ଏଥିରୁ କିମ୍ବଦନ୍ତୀ ପଛରେ ରହିଥିବା ରାଜନୈତିକ ଉଦ୍ଦେଶ୍ୟକୁ ବୁଝି ହୁଏ । ଉଦୟଗିରି ବା କାଞ୍ଚି ବିଜୟ ପରେ ପୁରୁଷୋତ୍ତମ ସାଲ୍ୱ ନରସିଂହଙ୍କ କନ୍ୟା ପଦ୍ମାବତୀଙ୍କ ସହ ବିବାହ କରିଥିଲେ ବୋଲି ପ୍ରବାଦ ରହିଛି । କୁହାଯାଏ, ପୁରୁଷୋତ୍ତମଙ୍କ ଉତ୍ତରାଧିକାରୀ ପ୍ରତାପରୁଦ୍ର ଦେବ ଥିଲେ ରାଣୀ ପଦ୍ମାବତୀଙ୍କ ପୁତ୍ର ।

ପ୍ରତାପରୁଦ୍ର ଦେବ (୧୪୯୭-୧୫୩୮) ୧୪୯୭ରେ ଗଜପତି ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରତାପରୁଦ୍ର ଦେବ ସିଂହାସନ ଆରୋହଣ କଲେ । ତାଙ୍କ ସମୟରେ ଓଡ଼ିଶାର ରାଜ୍ୟ ବିସ୍ତାର ହୋଇ ପାରିନଥିଲା । ବରଂ ଉତ୍ତର ବଙ୍ଗର ନବାବ, ଦକ୍ଷିଣରେ ବିଜୟନଗର ଓ ଗୋଲକୁଣ୍ଡା ଶାସକଙ୍କ ଆକ୍ରମଣ ଯୋଗୁଁ ଗଜପତି ରାଜ୍ୟ କ୍ଷୟ ହେବାରେ ଲାଗିଲା । ସେହି ଦୃଷ୍ଟିରୁ ଦେଖିଲେ ପ୍ରତାପରୁଦ୍ରଙ୍କ ସମୟରେ ଓଡ଼ିଶା ବହୁ ବହିରାକ୍ରମଣର ଶିକାର ହୋଇ କ୍ରମଶଃ ଦୁର୍ବଳ ହୋଇପଡିଲା ।

ପ୍ରତାପରୁଦ୍ରଙ୍କ ସିଂହାସନ ଆରୋହଣ ପୂର୍ବରୁ ୧୪୯୦ରେ ସାଲ୍ୱ ନରସିଂହଙ୍କର ଦେହାନ୍ତ ହୋଇ ସାରିଥିଲା । ସାଲ୍ୱ ନରସିଂହଙ୍କ ପରେ ନରସ ନାୟକ, ବିଜୟନଗରର ନାବାଳକ ରାଜା ଇମାଦି ନରସିଂହଙ୍କ ଅଭିଭାବକ ଭାବରେ ରାଜ୍ୟ ପରିଚାଳନା କଲେ । ତାଙ୍କର ଉଦ୍ୟମ ସତ୍ତ୍ୱେ ଅନ୍ତତଃ ୧୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଉଦୟଗିରି ଓ କୋଣ୍ଡାବିଡ଼ୁ ଗଜପତି ଶାସନଭୁକ୍ତ ହୋଇ ରହିଥିଲା । ଅନ୍ୟ ପକ୍ଷରେ ନରସ ନାୟକ ଶକ୍ତିଶାଳୀ ଥିଲେ ବୋଲି ବିଜୟନଗର କୌଣସି କ୍ଷେତ୍ର ହରାଇ ନଥିଲା । ୧୫୦୩ରେ ନରସ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ବୀର ନରସିଂହ ସାଲ୍ୱ ରାଜା ଇମାଦି ନରସିଂହଙ୍କୁ ହତ୍ୟା କରି ସିଂହାସନ ଆରୋହଣ କଲେ । ତାଙ୍କ ତାଲ୍ୱ ବା ତାଲୁଭ ବଂଶ ଏଣିକି ବିଜୟନଗରର ନୂଆ ରାଜବଂଶ ହେଲା । ବିଜୟନଗର ରାଜ୍ୟରେ ରାଜନୈତିକ କଳହ ଚାଲିଥିବା ବେଳେ ତା'ର ସୁଯୋଗ ନେଇ ପ୍ରତାପରୁଦ୍ର ପୂର୍ବରୁ ହରାଇଥିବା ତାମିଲ କ୍ଷେତ୍ରଗୁଡ଼ିକୁ ୧୫୦୯ରେ ଜୟ କରିବାକୁ ଚେଷ୍ଟା କଲେ । ମାତ୍ର ଏଥିରେ ତାଙ୍କୁ ସଫଳତା ମିଳିପାରିଲା ନାହିଁ ।

ସଫଳତା ନ ମିଳିବା ପଛରେ ଏକ ପ୍ରମୁଖ କାରଣ ହେଲା ବଙ୍ଗର ନବାବ ହୁସେନ ଶାହଙ୍କ ଓଡ଼ିଶା ଆକ୍ରମଣ । ମାଦଳାପାଞ୍ଜି ଅନୁଯାୟୀ ହୁସେନ ଶାହ ପୁରୀ ଜଗନ୍ନାଥ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରି ମୂର୍ତ୍ତିିଗୁଡ଼ିକୁ ଭାଙ୍ଗି ପକାଇଥିଲେ । ବଙ୍ଗର ନବାବଙ୍କ ଆକ୍ରମଣ ଖବର ପାଇ ପ୍ରତାପରୁଦ୍ରଦେବ ଦକ୍ଷିଣରୁ ଓଡ଼ିଶାକୁ ଫେରି ଆସିଲେ ଏବଂ ହୁସେନ୍‍ଙ୍କ ଆକ୍ରମଣକାରୀ ସେନାକୁ ଘଉଡାଇ ଦେଇଥିଲେ । ମାତ୍ର ତାଙ୍କ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ବିଶ୍ୱାସଘାତକତାଯୋଗୁଁ ଗଜପତି ସେନା ଆଗକୁ ବଢ଼ି ପାରିଲେ ନାହିଁ ।

ଗଜପତିଙ୍କ ଅନ୍ୟ ପ୍ରମୁଖ ପ୍ରତିଯୋଗୀ ଥିଲେ ବିଜୟନଗରର ରାଜା କୃଷ୍ଣଦେବ ରାୟ । ୧୫୧୦ରେ ସେ ସିଂହାସନ ଆରୋହଣ କଲା ପରେ ବିଜୟନଗର ପୁଣି ଥରେ ଶାନ୍ତିି ଓ ସମୃଦ୍ଧିର ପ୍ରତୀକ ହେଲା । ଫଳରେ ଗଜପତିଙ୍କପାଇଁ ନିଜ ରାଜ୍ୟର ହୃତ ଅଂଶଗୁଡିକୁ ଫେରିପାଇବା କଷ୍ଟକର ହୋଇ ପଡିଲା । ୧୫୧୨-୧୩ରେ ଉଦୟଗିରିକୁ ପୁନର୍ବାର ଅଧିକାର କରିବାନିମିତ୍ତ କୃଷ୍ଣଦେବ ରାୟ ଗଜପତିଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଏବଂ ଗଜପତି ସେନାଙ୍କ ତୀବ୍ର ପ୍ରତିରୋଧ ସତ୍ତ୍ୱେ ଉଦୟଗିରି ଜିଣି ନେଲେ । ଏହି ଯୁଦ୍ଧରେ ପ୍ରତାପରୁଦ୍ରଙ୍କ ସମ୍ପର୍କୀୟ ତିରୁମାଲା ରାଉତରାୟ ବିଜୟନଗର ସେନା ହାତରେ ବନ୍ଦୀ ହେଲେ । ଏହା ପରେ କୃଷ୍ଣଦେବ ରାୟ ଗୁଣ୍ଟୁର ନିକଟବର୍ତ୍ତୀ କୋଣ୍ଡାବିଡୁ ଦୁର୍ଗ ଅଧିକାର କରିବାଲାଗି ଗଜପତି ସେନାଙ୍କ ସହ ଯୁଦ୍ଧ କଲେ । ଦୁର୍ଗର ସମସ୍ତ ପ୍ରବେଶ ପଥକୁ ବିଜୟନଗର ସେନା ଅବରୁଦ୍ଧ କରିଦେବାରୁ ତହିଁରେ ଥିବା ଅଧିକାଂଶ ଗଜପତି ସେନାଙ୍କର ଅନାହାରରେ ମୃତ୍ୟୁ ହେଲା । ୧୫୧୫ ମସିହା ଜୁନ୍ ମାସ ବେଳକୁ କୋଣ୍ଡାବିଡୁରୁ ଗଜପତି ନିୟନ୍ତ୍ରଣର ଅନ୍ତ ହେଲା । କୋଣ୍ଡାବିଡୁ ଅଭିଯାନ ଚାଲିଥିବା ବେଳେ କୃଷ୍ଣଦେବ ଗଜପତି ଶାସନରେ ଥିବା ଅନ୍ୟାନ୍ୟ ଦୁର୍ଗ ଯଥା ଆଦାଙ୍କି, ବିନୁକୋଣ୍ଡା, ବେଲ୍ଲମକୋଣ୍ଡା, ନାଗାର୍ଜୁନକୋଣ୍ଡା, ଟାଙ୍ଗେଡା ଓ କୋଟଭରମ ଆଦି ଅଧିକାର କରିନେଲେ । ଯେହେତୁ ବଡ଼ ଦୁର୍ଗ କୋଣ୍ଡାବିଡୁର ସୁରକ୍ଷାପାଇଁ ଓଡ଼ିଶା ସେନା ଗୁରୁତ୍ୱ ଦେଉଥିଲେ, ଏହି ଦୁର୍ଗସବୁରେ ବିଜୟନଗର ସେନାକୁ ବିଶେଷ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ି ନଥିଲା ।

କୋଣ୍ଡାବିଡ଼ୁ ଓ ଅନ୍ୟାନ୍ୟ କ୍ଷୁଦ୍ର ଦୁର୍ଗଗୁଡ଼ିକୁ ଗଜପତି ସେନା ହରାଇବା ପରେ ଅନେକ ଉଚ୍ଚ ଅଧିକାରୀ ଓ ରାଜବଂଶଜ ମଧ୍ୟ ବିଜୟନଗର ସେନା ହାତରେ ବନ୍ଦୀ ହେଲେ । ସମକାଳୀନ ପର୍ତ୍ତୁଗୀଜ ଲେଖକ ନ୍ୟୁନିଜଙ୍କ(Nuniz) ବିବରଣୀ ଅନୁଯାୟୀ, ପ୍ରତାପରୁଦ୍ରଙ୍କ ପୁତ୍ର ବୀରଭଦ୍ର, ହମ୍ଭିର ଦେବଙ୍କ ପୁତ୍ର ନରହରି ପାତ୍ର ଏବଂ ଅନ୍ୟ କେତେକ ଉଚ୍ଚ ଅଧିକାରୀ, ଯଥା ମଲ୍ଲୁ ଖାନ୍‍, ଉଗାଣ୍ଡା ଖାନ୍‍ ଓ ବାଳଚନ୍ଦ୍ର ମହାପାତ୍ର ଆଦି ବିଜୟନଗର ହାତରେ ଯୁଦ୍ଧବନ୍ଦୀ ହେଲେ । ମଲ୍ଲୁ ଖାନ୍‍ ଓ ଉଗାଣ୍ଡା ଖାନ୍‍ଙ୍କ ଭଳି ମୁସଲିମ୍‍ ମଧ୍ୟ ଗଜପତିଙ୍କ ସେନାରେ କାର୍ଯ୍ୟ କରୁଥିଲେ ବୋଲି ଏଥିରୁ ପ୍ରମାଣ ମିଳେ । ସେତେବେଳେ ବିଜୟନଗର ସେନାରେ ମଧ୍ୟ ମୁସଲିମ୍‍ ସେନାପତିମାନେ କାର୍ଯ୍ୟ କରୁଥିଲେ । ତୁର୍କମାନଙ୍କର ଦିଲ୍ଲୀ ଅଧିକାର ପରେ ମୁସଲମାନ ସୈନ୍ୟଙ୍କୁ ସେମାନଙ୍କ ସାହସ ଓ ଦକ୍ଷତାଲାଗି ବିଭିନ୍ନ ରାଜା ନିଯୁକ୍ତି ଦେଉଥିଲେ । ଏହାର ଅର୍ଥ ହେବ ଯେ, ମଧ୍ୟକାଳରେ ସେନା ଧାର୍ମିକ ଆଧାରରେ ବିଭକ୍ତ ନଥିଲା । ମୁସଲମାନ ସୈନ୍ୟ ନିଜ ଅନ୍ନଦାତା ରାଜାଙ୍କ ପ୍ରତି ସର୍ବଦା ପ୍ରତିବଦ୍ଧ ରହୁଥିଲେ । ସେମାନଙ୍କର ଏହି ଅନୁରକ୍ତି ପ୍ରତିପକ୍ଷର ଶାସକ ମୁସଲମାନ ହେଲେ ମଧ୍ୟ ଊଣା ହେବାର କୌଣସି କାରଣ ନଥିଲା ।

କୋଣ୍ଡାବିଡୁ ଦୁର୍ଗ ଅଧିକାର କଲା ପରେ କୃଷ୍ଣଦେବଙ୍କ ସେନା କୃଷ୍ଣାନଦୀ ପାରହୋଇ ବିଜୟଓ୍ୱାଡା ନିକଟବର୍ତ୍ତୀ କୋଣ୍ଡାପଲ୍ଲୀ ଓ ଆଖପାଖର ଅନ୍ୟ କେତୋଟି ଦୁର୍ଗ ଯଥା- ଅନନ୍ତଗିରି, ନଲଗୋଣ୍ଡା, କମ୍ବୁମେଣ୍ଟୁ, କନକଗିରି ଆଦି ଅଧିକାର କରିନେଲେ । ଏହା ସହିତ କପିଳେନ୍ଦ୍ରଙ୍କଦ୍ୱାରା ଅଧିକୃତ ଅଧିକାଂଶ ତେଲେଙ୍ଗାନା ଅଞ୍ଚଳ ଗଜପତି ନିୟନ୍ତ୍ରଣରୁ ବାହାରି ଗଲା ।

କୃଷ୍ଣଦେବ ରାୟ ଉତ୍ତରକୁ ସୈନ୍ୟ ଚାଳନା କରି ବିଶାଖାପାଟଣା ନିକଟସ୍ଥ ସୀମାଞ୍ଚଳଠାରେ ପହଞ୍ଚିଲେ । ଗଜପତିଙ୍କ ଅଧିକାରୀମାନଙ୍କୁ ନିଜ ପକ୍ଷକୁ ନେଇ ଅତି ସହଜରେ ସେ ସୀମାଞ୍ଚଳମ୍‍ ଅଧିକାର କଲେ ଏବଂ ବିଜୟର ସ୍ମାରକୀ ସଦୃଶ ସେଠାରେ ଏକ ବିଜୟ ସ୍ତମ୍ଭ ନିର୍ମାଣ କଲେ । ଏହି ସମୟରେ ବିଜୟନଗର ରାଜ୍ୟ ନିକଟସ୍ଥ ଲକ୍ଷ୍ମୀନୃସିଂହ ମନ୍ଦିରକୁ ମଧ୍ୟ ଅନେକ ଦାନ ଦେଇଥିବାର ପ୍ରମାଣ ରହିଛି । ଅର୍ଥାତ କୃଷ୍ଣଦେବ ସମତାଳରେ ଯୁଦ୍ଧଜୟ ଓ ଧର୍ମକାର୍ଯ୍ୟ କରୁଥିଲେ ବୋଲି ବୁଝିବାକୁ ହେବ । ‌ 'ମନୁଚରିତ' ଓ 'ଅମୁକ୍ତମାଲ୍ୟାଦ' ନାମକ ଦୁଇଟି ସମକାଳୀନ ପୋଥି ଅନୁସାରେ ୧୫୧୭ରୁ ୧୫୧୯ ମଧ୍ୟରେ କୃଷ୍ଣଦେବ ରାୟ ଗଜପତିଙ୍କ ରାଜଧାନୀ କଟକ ଆକ୍ରମଣ କରି ବହୁ ଧନସମ୍ପତ୍ତି ଲୁଣ୍ଠନ କରିଥିଲେ ଏବଂ ସେଠାକାର କେତେକ ଗୃହବାଡି଼କୁ ପୋଡ଼ି ଦେଇଥିଲେ । ଏହି ଅଭିଯାନ ପୂର୍ବରୁ ସେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ପ୍ରତାପରୁଦ୍ରଙ୍କ ପରାଜୟ ପରେ ଉଭୟଙ୍କ ମଧ୍ୟରେ ସନ୍ଧି ହୋଇଥିଲା । ସନ୍ଧି ଅନୁଯାୟୀ ଗଜପତି ରାଜ୍ୟର ସୀମା କୃଷ୍ଣା ନଦୀ ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହେଲା । ପ୍ରତାପରୁଦ୍ର ନିଜ କନ୍ୟା ଜଗନ୍ମୋହିନୀଙ୍କୁ ମଧ୍ୟ କୃଷ୍ଣଦେବ ରାୟଙ୍କ ସହିତ ବିବାହ ଦେବାକୁ ସମ୍ମତ ହୋଇଥିଲେ । ବିଜୟନଗରରେ ତୁକ୍କା ନାମରେ ପରିଚିତ ଜଗନ୍ମୋହିନୀ 'ତୁକ୍କାପଞ୍ଚକମ୍‍' ଶୀର୍ଷକରେ ଏକ ପୁସ୍ତକ ରଚନା କରିଥିବା ଉଲ୍ଲେଖ ରହିଛି । ଏହିପରି ଭାବେ କପିଳେନ୍ଦ୍ରଙ୍କ ସମୟରେ ଅଧିକୃତ ଦକ୍ଷିଣର ପ୍ରାୟ ସମସ୍ତ କ୍ଷେତ୍ର ପ୍ରତାପରୁଦ୍ରଙ୍କ ସମୟରେ ଗଜପତି ନିୟନ୍ତ୍ରଣରୁ ବାହାରି ଯାଇଥିଲା । ଏହା ସତ୍ତ୍ୱେ, ପ୍ରତାପରୁଦ୍ରଙ୍କ ସାମ୍ରାଜ୍ୟ ଯଥେଷ୍ଟ ବଡ଼ ଥିଲା ବୋଲି କୁହାଯିବ, କାରଣ ବର୍ତ୍ତମାନର ଓଡ଼ିଶାରେ ଅନ୍ତର୍ଭୁକ୍ତ ଥିବା ତତ୍କାଳୀନ ସମସ୍ତ ରାଜ୍ୟ ସେତେବେଳେ ଗଜପତିଙ୍କ ପ୍ରଭୁତ୍ୱକୁ ସ୍ୱୀକାର କରିଥିଲେ । ପ୍ରାକୃତିକ ଓଡ଼ିଶାର କେତେକ ସୀମାନ୍ତ ଅଞ୍ଚଳ ମଧ୍ୟ ଗଜପତି ଶାସନାଧୀନ ଥିଲା ।

୧୫୧୯ରେ ବିଜୟନଗର ସହ ଶାନ୍ତି ସ୍ଥାପିତ ହେଲା ପରେ ଗଜପତି ରାଜାଙ୍କୁ ଗୋଲକୁଣ୍ଡାର ସୁଲତାନ କ୍ୟୁଲି କୁତବ ଶାହଙ୍କ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । କ୍ୟୁଲି କୁତବ ଆରମ୍ଭରେ ବାହାମନୀ ସୁଲତାନ ମେହମୁଦ ଶାହଙ୍କ ସେନାପତି ରୂପେ କାର୍ଯ୍ୟ କରୁଥିଲେ । ମାତ୍ର ବାହାମନୀ ସୁଲତାନଙ୍କ ପତନଯୋଗୁଁ ୧୫୧୨ରେ ସେ ସ୍ୱାଧୀନ ଗୋଲକୁଣ୍ଡା ରାଜ୍ୟ ସ୍ଥାପନ କଲେ । ବାହାମନୀର ଅନ୍ୟ ଜଣେ ସେନାପତି ମଧ୍ୟ ଏହି ସମୟରେ ବିଜାପୁର ରାଜ୍ୟ ସ୍ଥାପନ କଲେ । ବିଜୟନଗର ସହ ଓଡ଼ିଶାର ବିବାଦ ବେଳେ (୧୫୧୨-୧୫୧୯) ଉଭୟ ବିଜାପୁର ଓ ଗୋଲକୁଣ୍ଡା ସୁଲତାନ ପଡୋଶୀର ବିନା ଭୟରେ ନିଜ ନିଜ ରାଜ୍ୟ ଏବଂ ସେନାକୁ ସୁସଂଗଠିତ କଲେ । ୧୫୧୯ରେ ଗଜପତିଙ୍କ ସହ ସନ୍ଧି ପରେ ବିଜୟନଗର ରାଜା (କୃଷ୍ଣଦେବ ରାୟ) ରାୟଚୁର ଦୁର୍ଗ ଦଖଲପାଇଁ ବିଜାପୁର ଆକ୍ରମଣ କଲେ । ଏହାର ସୁଯୋଗ ନେଇ ଗୋଲକୁଣ୍ଡା ସୁଲତାନ ଦକ୍ଷିଣ ଓଡ଼ିଶା ଆକ୍ରମଣ କଲେ । ତାଙ୍କୁ କିଛି ସଫଳତା ମଧ୍ୟ ମିଳିଥିଲା । ମାତ୍ର ପ୍ରତାପରୁଦ୍ରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଉତ୍ତାରୁ ଗୋଲକୁଣ୍ଡା ସୁଲତାନଙ୍କୁ ନିରାଶ ହେବାକୁ ପଡିଲା । ଏହି ବିଜୟ ପରେ ପ୍ରତାପରୁଦ୍ର କୃଷ୍ଣାନଦୀ ତଟରେ ମଙ୍ଗଳଗିରି ନାମକ ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିଥିଲେ । ୧୫୨୯ରେ କୃଷ୍ଣଦେବ ରାୟଙ୍କ ଦେହାନ୍ତ ହେଲା । ଏହା ଫଳରେ ପ୍ରତାପରୁଦ୍ର ଶେଷ ସମୟରେ ପାଇଥିବା ଜଣେ ଅନ୍ତରଙ୍ଗ ମିତ୍ରଙ୍କୁ ହରାଇଲେ । ଏହାର ସୁଯୋଗ ନେଇ ଗୋଲକୁଣ୍ଡା ସୁଲତାନ ବାରମ୍ବାର ଓଡ଼ିଶା ଆକ୍ରମଣ କଲେ । ୧୫୩୧ର ଶେଷ ଆଡକୁ ପ୍ରତାପରୁଦ୍ରଙ୍କୁ ତାଙ୍କ ହାତରେ ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡ଼ିଲା । କୋଣ୍ଡାବିଡୁ ଦୁର୍ଗ ଗୋଲକୁଣ୍ଡା ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ୧୫୩୧ର ବିଜୟ ପରେ ଗୋଲକୁଣ୍ଡା ସୁଲତାନ କ୍ୟୁଲି କୁତବଙ୍କ ବିଜାପୁର ସୁଲତାନଙ୍କ ସହ ଯୁଦ୍ଧ ହେଲା । ଏହି କାରଣରୁ ଓଡ଼ିଶା ଉପରୁ ଗୋଲକୁଣ୍ଡା ସୁଲତାନଙ୍କର ଧ୍ୟାନ ଊଣା ହେଲା । ପ୍ରତାପରୁଦ୍ରଙ୍କ ମୃତ୍ୟୁ ପରେ ୧୫୪୦ରେ କ୍ୟୁଲି କୁତବ ରାଜମହେନ୍ଦ୍ରୀ ଅଧିକାର କରିନେଲେ । ଗୋଲକୁଣ୍ଡା ସେନାର ପରାକ୍ରମ ଦେଖି ଓଡ଼ିଶାର ତତ୍‍କାଳୀନ ଶାସକ ଗୋବିନ୍ଦ ବିଦ୍ୟାଧର ତାଙ୍କ ସହ ସନ୍ଧି ସ୍ଥାପନ କଲେ । ସନ୍ଧି ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଗୋଦାବରୀ ନଦୀ ସୀମାରେଖା ରୂପେ ଧାର୍ଯ୍ୟ ହେଲା ।

ଦକ୍ଷିଣର ପ୍ରତିଯୋଗୀମାନଙ୍କୁ ବାଦ୍‍ ଦେଲେ ଉତ୍ତରରେ ମଧ୍ୟ ପ୍ରତାପରୁଦ୍ରଙ୍କୁ ଶତ୍ରୁର ସମ୍ମୁଖୀନ ହେବାକୁ ପଡିଥିଲା । ବଙ୍ଗର ନବାବ ଆଲ୍ଲାଉଦ୍ଦିନ ହୁସେନ ଶାହ ଓ ପଶ୍ଚିମ ଉତ୍ତରପ୍ରଦେଶସ୍ଥ ଜୈପୁରର ଶର୍କି ସୁଲତାନ ହୁସାଙ୍ଗଶାହ ଥିଲେ ଉତ୍ତରରେ ଗଜପତିଙ୍କ ପ୍ରତିଦ୍ୱନ୍ଦ୍ୱୀ । ମାତ୍ର ଉଭୟ ଶାସକ ଦିଲ୍ଲୀର ସୁଲତାନ ବାହାଲୁଲ ଲୋଦିଙ୍କ ବିରୁଦ୍ଧରେ ସଂଘର୍ଷ କରିବାରୁ ଗଜପତିଙ୍କ ସହ ସେମାନଙ୍କର ଯୁଦ୍ଧ ହୋଇ ନଥିଲା । ଦିଲ୍ଲୀ ସୁଲତାନ ସେମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ । ତେଣୁ ସେମାନେ ପ୍ରତାପରୁଦ୍ରଙ୍କଠାରୁ ଆଶ୍ରୟ ଓ ସହଯୋଗ ଲୋଡ଼ିଥିଲେ । ପ୍ରତାପରୁଦ୍ରଙ୍କ ଉପାଧି-'ଯମୁନାପୁରାଧୀଶ୍ୱର ଗଜପତି ହୁସାନଶାହୀ ସୁରତନ୍ତ୍ର ଶରଣ ରକ୍ଷଣ'ରୁ ମନେହୁଏ ଯେ ଗଜପତି ସେମାନଙ୍କୁ ଆଶ୍ରୟ ଦେଇଥିଲେ । ଫଳରେ ଓଡ଼ିଶା ଉପରେ ପ୍ରତାପରୁଦ୍ରଙ୍କ ସମୟରେ ଜୌନପୁର ଏବଂ ବଙ୍ଗ ପକ୍ଷରୁ କୌଣସି ଆକ୍ରମଣ ହୋଇନଥିଲା ।

ପ୍ରତାପରୁଦ୍ର ଦେବ ୧୫୩୮ରେ ଦେହତ୍ୟାଗ କଲେ । ମାଦଳାପାଞ୍ଜି ଅନୁଯାୟୀ ତାଙ୍କ ପରେ ତାଙ୍କ ଦୁଇ ପୁତ୍ର କାଳୁଆ ଦେବ ଏବଂ କଖାରୁଆ ଦେବ ସିଂହାସନ ଆରୋହଣ କଲେ । ଉଭୟ ଶାସକ ପ୍ରଭାବଶାଳୀ ନଥିବାରୁ ପ୍ରକୃତ ଶାସନ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧରଙ୍କ ହାତରେ ରହିଥିଲା । ଶେଷରେ ଗୋବିନ୍ଦ ବିଦ୍ୟାଧର ଉଭୟଙ୍କୁ ହତ୍ୟା କରି ନିଜେ ରାଜା ହେଲେ । ଫଳରେ ସୂର୍ଯ୍ୟ ବଂଶ ଶାସନ ଲୋପ ପାଇଲା ଏବଂ ଓଡ଼ିଶା ଇତିହାସରେ ଭୋଇବଂଶ ନାମରେ ଏକ ନୂଆ ରାଜବଂଶର ପ୍ରତିଷ୍ଠା ହେଲା । ଉଭୟ ରାଜକୁମାର ଦୁର୍ବଳ ଓ ପ୍ରଭାବହୀନ ଥିଲେ ବୋଲି ମାଦଳାପାଞ୍ଜି ସେମାନଙ୍କୁ ବ୍ୟଙ୍ଗ କରି ଏହିଭଳି ନାମକରଣ କରିଥିବା ମନେହୁଏ ।

...