ଓଡ଼ିଶା ଇତିହାସ/ଭୌମକର ଶାସନ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ଇତିହାସ (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଭୌମକର ଶାସନ

ଭୌମକର ଶାସନ

ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଆଦ୍ୟ ଭାଗରେ ଶୈଳୋଦ୍ଭବ ରାଜତ୍ୱର ପତନ ସମୟରେ ଓଡ଼ିଶାର ତୋଷାଳୀ କ୍ଷେତ୍ରରେ ଭୌମକରମାନେ ଏକ ରାଜ୍ୟ ପ୍ରତିଷ୍ଠା କରି ରାଜତ୍ୱ ଆରମ୍ଭ କଲେ। ତୋଷାଳୀ ରାଜ୍ୟ ଏହି ସମୟରେ ଉତ୍ତରରେ ଦଣ୍ତଭୁକ୍ତି (ମେଦିନିପୁର)ଠାରୁ ଆରମ୍ଭ କରି ଦକ୍ଷିଣରେ ମହେନ୍ଦ୍ର ପର୍ବତ (ଗଞ୍ଜାମ) ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ପ୍ରାୟ ଦୁଇଶହ ବର୍ଷ ଧରି (ଖ୍ରୀ.୭୩୬ ରୁ ଖ୍ରୀ.୯୨୩) ଭୌମକରମାନେ ରାଜ୍ୟ ଶାସନ କରିଥିଲେ। ଉପକୂଳ ଅଞ୍ଚଳ ବ୍ୟତୀତ ସେମାନେ ପଡୋଶୀ କଳିଙ୍ଗ ଓ ଓଡ୍ର ଅଞ୍ଚଳଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିବାକୁ ଅନେକ ସମୟରେ ଉଦ୍ୟମ କରୁଥିଲେ ଏବଂ ସେହି ଆଧାରରେ କେତେକ ଭୌମକର ରାଜା ନିଜକୁ 'ସକଳ କଳିଙ୍ଗାଧିପତି' ବୋଲି ଘୋଷଣା କରିଥିଲେ। ସେମାନେ ନିଜକୁ ଉତ୍କଳର ବୋଲି ମଧ୍ୟ କହୁଥିଲେ। ପ୍ରାକୃତିକ ଓଡ଼ିଶା ବାହାରେ ବଙ୍ଗର ରାଢ଼ ରାଜ୍ୟ ସହ ଯୁଦ୍ଧ କରି ସେମାନେ ବିଜୟୀ ହୋଇଥିବାର ପ୍ରମାଣ ରହିଛି। ଗୁହଦେବ ପାଟକ (ଯାଜପୁର କ୍ଷେତ୍ର) ସେମାନଙ୍କର ରାଜଧାନୀ ଥିଲା। ଅନେକ ଭୌମରାଜା ବୌଦ୍ଧ ଉପାସକ ଥିଲେ, ମାତ୍ର ବ୍ରାହ୍ମଣ୍ୟ ଧର୍ମ ଓ ତା'ର ବର୍ଣ୍ଣଭେଦ ନୀତିର ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପ୍ରଭୂତ ମାତ୍ରାରେ ରହିଥିଲା। ବିଶେଷକରି ବୌଦ୍ଧଧର୍ମର ଅହିଂସା ନୀତିର ସେମାନେ ଅନୁଗାମୀ ନଥିଲେ। ଏହି ବଂଶର ଅନ୍ୟୂନ ଛଅ ଜଣ ରାଣୀ ରାଜ୍ୟ ଶାସନ କରିଥିବାର ଦୃଷ୍ଟାନ୍ତ ରହିଛି। ଅଷ୍ଟମ ଓ ନବମ ଶତାବ୍ଦୀର ସାମାଜିକ ପରିବେଶରେ ରାଣୀମାନଙ୍କର ରାଜ୍ୟ ଶାସନର ଦୃଷ୍ଟାନ୍ତ ଭାରତ ଇତିହାସରେ ଅନ୍ୟ କେଉଁଠି ନାହିଁ। ଏହି ଦୃଷ୍ଟିରୁ ଭୌମକର ରାଜବଂଶର ଐତିହାସିକ ମହତ୍ତ୍ୱ ସମକାଳୀନ ଭାରତରେ ଖୁବ୍‍ ଅଧିକ ବୋଲି ମନେ କରାଯାଏ।

ବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଭୌମକର ରାଜବଂଶ ସମ୍ବନ୍ଧରେ ଐତିହାସିକମାନଙ୍କୁ କିଛି ଜଣାନଥିଲା। ବିଂଶ ଶତାବ୍ଦୀର ଆରମ୍ଭରେ କେତେକ ତାମ୍ରଶାସନ ଓ ଶିଳାଲେଖ ଆବିଷ୍କୃତ ହେଲା ଏବଂ ତହିଁରୁ ତୋଷାଳୀ ରାଜ୍ୟରେ ଦୀର୍ଘ କାଳ ଧରି ରାଜ୍ୟ ଶାସନ କରିଥିବା ଏହି ରାଜବଂଶ ବିଷୟ ଲୋକ ଲୋଚନକୁ ଆସିଲା। ଏପରିିକି ସମକାଳୀନ ମାଦଳାପାଞ୍ଜିରେ ମଧ୍ୟ ଭୌମମାନଙ୍କ ବିଷୟରେ କୌଣସି ସୂଚନା ନାହିଁ। ପଣ୍ତିତ ବିନାୟକ ମିଶ୍ର ନାମକ ଜଣେ ବିଦ୍ୱାନ ଭୌମ ତାମ୍ର ଶାସନଗୁଡ଼ିକୁ ସଂକଳିତ ଓ ବିଶ୍ଳେଷଣ କରି ପୁସ୍ତକ ଆକାରରେ (Orissa Under the Bhauma Kings) ପ୍ରକାଶ କଲା ପରେ ଏହି ରାଜବଂଶ ସଂପର୍କରେ ଇତିହାସ ଛାତ୍ରମାନଙ୍କ ବିଶେଷ ଦୃଷ୍ଟି ଆକର୍ଷିତ ହେଲା। ବିନାୟକ ମିଶ୍ରଙ୍କ ପୁସ୍ତକ ପ୍ରକାଶନ ପରେ ଏ ମଧ୍ୟରେ ଆହୁରି ଅନେକ ଐତିହାସିକ ତଥ୍ୟ ଓ ନିଦର୍ଶନ ପ୍ରାପ୍ତ ହୋଇଛି, ଯାହା ତତ୍‍କାଳୀନ ଓଡ଼ିଶାର ଚିତ୍ର ପ୍ରସ୍ତୁତିରେ ସହାୟକ ହୁଏ। ଭୌମ ପ୍ରଦତ୍ତ ତାମ୍ର ଶାସନଗୁଡ଼ିକରେ 'ଭୌମ ରାଜା' ବୋଲି ଉଲ୍ଲେଖ ରହିଥିବା ବେଳେ ଭୌମବଂଶୀୟ ରାଜାମାନଙ୍କ ନାମରେ ସର୍ବଦା 'କର' ପ୍ରତ୍ୟୟ ଯୋଡ଼ା ହୋଇଥାଏ। ଏହି କାରଣରୁ ଐତିହାସିକମାନେ ସେମାନଙ୍କୁ 'ଭୌମ-କର' ବା 'ଭୌମକର' ବଂଶ ବୋଲି ନାମିତ କରିଥାନ୍ତି। ବର୍ତ୍ତମାନ ଇତିହାସରେ 'ଭୌମକର' ନାମରେ ସେମାନେ ପରିଚିତ।

ଭୌମବଂଶର ଉତ୍ପତ୍ତି ସମ୍ବନ୍ଧରେ ମୁଖ୍ୟତଃ ଦୁଇଟି ମତ ଐତିହାସିକମାନେ ରଖିଥାନ୍ତି। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଭୌମମାନେ ଆସାମରୁ ଓଡ଼ିଶା ଆସିଥିଲେ। ଅଷ୍ଟମ ଶତାବ୍ଦୀରେ ଆସାମର ହର୍ଷବର୍ମନ ନାମକ ଜଣେ ରାଜା ଓଡ୍ର ଅଧିକାର କରିଥିଲେ ଏବଂ ବିଜିତ ଅଞ୍ଚଳର ପ୍ରଶାସନପାଇଁ ସାଙ୍ଗରେ ଆସିଥିବା ଭୌମମାନଙ୍କୁ ନିଯୁକ୍ତ କରିଥିଲେ। କାଳକ୍ରମେ ଭୌମମାନଙ୍କ ଉପରେ ହର୍ଷବର୍ମନଙ୍କର ନିୟନ୍ତ୍ରଣ ରହିଲା ନାହିଁ, ଯାହା ସେମାନଙ୍କୁ ସ୍ୱାଧୀନ ରାଜ୍ୟ ପ୍ରତିଷ୍ଠା କରିବାରେ ସହାୟକ ହେଲା। ନେପାଳର ପଶୁପତିନାଥ ମନ୍ଦିର ଅଭିଲେଖରେ ହର୍ଷବର୍ମନଙ୍କ କନ୍ୟାଙ୍କୁ ଭବଦତ୍ତ ବଂଶଜା କୁହାଯାଇଛି। ସେହିଭଳି ଭୌମରାଜ ଚତୁର୍ଥ ଶୁଭଙ୍କର ଦେବ ପ୍ରଦତ୍ତ ତାଳଚେର ତାମ୍ରଶାସନରେ ଭୌମରାଜା ଭବଦତ୍ତ ବଂଶର ବୋଲି ଉଲ୍ଲେଖ ରହିଛି। ଏହି ଆଧାରରେ ହର୍ଷବର୍ମନ ଓ ଭୌମମାନେ ଗୋଟିଏ ବଂଶର ବୋଲି ମନେ କରାଯାଏ।

ଅନ୍ୟ ମତ ଅନୁସାରେ, ଭୌମମାନେ ହେଲେ ଓଡ଼ିଶାର ଭୂୟାଁ ଆଦିବାସୀ ସଂପ୍ରଦାୟର। ତୋଷାଳୀରେ ରାଜ୍ୟ ସ୍ଥାପନ କଲା ପରେ ସେମାନେ ନିଜକୁ ଉଚ୍ଚବଂଶଜ ବୋଲି ପ୍ରତିଷ୍ଠା ଦେବାକୁ 'ଭୌମ' ଭାବରେ ନାମିତ କରିଥିଲେ। ଆଦିବାସୀ ସଂପ୍ରଦାୟରେ ନାରୀକୁ ପୁରୁଷ ପରି ଅଧିକାର ମିଳିଥାଏ। ସେହି କାରଣରୁ ଭୌମରାଣୀମାନଙ୍କୁ ମଧ୍ୟ ସିଂହାସନ ଆରୋହଣ କରିବାକୁ ଅବସର ମିଳିଥିଲା। ସେମାନେ 'ପରମ ଭଟ୍ଟାରକ', 'ପରମେଶ୍ୱର' ଓ 'ମହାରାଜାଧିରାଜ' ଆଦି ଉପାଧି ଗ୍ରହଣ କରି ନିଜ ବଂଶକୁ ପ୍ରତିଷ୍ଠା ଦେବାକୁ ପ୍ରୟାସ କରିଥିଲେ।

ଭୌମ ରାଜତ୍ୱ କାଳରେ ଯେଉଁ ତାମ୍ରଶାସନମାନ ଆବିଷ୍କୃତ ହୋଇଛି, ତାହାକୁ ଆଧାର କରି ଐତିହାସିକମାନେ କ୍ରମ ଅନୁଯାୟୀ ଭୌମବଂଶାବଳୀ ସ୍ଥିର କରିଛନ୍ତି। ଏହା ନିମ୍ନରେ ପ୍ରଦାନ କରାଗଲା।

Odisha Itihasa.pdf
Odisha Itihasa.pdf

କ୍ଷେମଙ୍କର ଦେବଙ୍କୁ ପ୍ରଥମ ଭୌମରାଜା ବୋଲି ଗ୍ରହଣ କରାଯାଏ। ସେ ଭୌମ ସମ୍ବତ ଆରମ୍ଭ କରିଥିଲେ, ଯାହାର କାଳ ନିରୂପଣ କରି ଐତିହାସିକମାନେ ତାକୁ ୭୩୬ ଖ୍ରୀଷ୍ଟାବ୍ଦ ବୋଲି କହିଛନ୍ତି। ପ୍ରଥମ ଶୁଭକର ଦେବ ପ୍ରଦତ୍ତ ନେଉଳପୁର ତାମ୍ର ଶାସନରୁ ଜଣାଯାଏ ଯେ, କ୍ଷେମଙ୍କର ବୌଦ୍ଧ ଉପାସକ ଥିଲେ ଏବଂ ସମାଜରେ ଚତୁର୍ବର୍ଣ୍ଣ ପ୍ରଥା ମଧ୍ୟ ଆରମ୍ଭ କରିଥିଲେ। ଏଥିରୁ ଅନୁମିତ ହୁଏ ଯେ, ଆଦିବାସୀ ସମାଜରେ ଜାତିପ୍ରଥାକୁ ପ୍ରଚଳନ କରି ସେ ସମାଜ ଉପରେ ରାଜନିୟନ୍ତ୍ରଣକୁ ସୁଦୃଢ଼ କରିବାକୁ ତଥା ନିଜକୁ କ୍ଷତ୍ରିୟ ସମତୁଲ କରିବାକୁ ଆବଶ୍ୟକ ପଦକ୍ଷେପ ନେଇଥିଲେ। କ୍ଷେମଙ୍କର ଦେବଙ୍କ ସମ୍ପର୍କରେ ଆଉ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ।

ଯଦିଓ କ୍ଷେମଙ୍କର ଦେବଙ୍କ ସମୟରୁ ଭୌମବଂଶର ଆରମ୍ଭ ହୋଇଥିଲା, ପ୍ରଥମ ଶିବକର ଦେବ ଥିଲେ ଏହି ରାଜବଂଶର ପ୍ରକୃତ ପ୍ରତିଷ୍ଠାତା। ସେ ବଙ୍ଗର ରାଢ଼ରାଜ୍ୟର ରାଜାଙ୍କୁ ପରାସ୍ତ କରି ରାଜକନ୍ୟା ଜୟାକଲ୍ଲୀଙ୍କୁ ବିବାହ କରିଥିଲେ। ଶ୍ୱେତକ ଗଙ୍ଗବଂଶର ରାଜା ଜୟବର୍ମାଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କୁ ସାମନ୍ତ ରାଜା ରୂପେ ସ୍ଥାପିତ କରିଥିଲେ। କଳିଙ୍ଗ ସହିତ ମଧ୍ୟ ତାଙ୍କର ଯୁଦ୍ଧ ହୋଇଥିଲା। ଜଣେ ବୌଦ୍ଧ ଉପାସକ ଭାବରେ ସେ ଚୀନ ସମ୍ରାଟ ତେ. ସଙ୍ଗଙ୍କ ପାଖକୁ ବୌଦ୍ଧ ଗ୍ରନ୍ଥ 'ଗଣ୍ତବ୍ୟୂହ' ଉପହାର ପଠାଇଥିଲେ। ପ୍ରଥମ ଶୁଭକର ଦେବ ମଧ୍ୟ ପିତା ପ୍ରଥମ ଶିବକର ଦେବଙ୍କ ପରି ବୌଦ୍ଧ ଉପାସକ ପୁଣି ଯୁଦ୍ଧ ପିପାସୁ ଥିଲେ। ମାତ୍ର ପଶ୍ଚିମ ଭାରତର ରାଷ୍ଟ୍ରକୂଟ ରାଜାଙ୍କ ହାତରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା।ଭୌମକରଙ୍କ ତୋଷାଳୀ ରାଜ୍ୟ ସହିତ କଳିଙ୍ଗ, ବଙ୍ଗ, ଡହଳ ଓ ଓଡ୍ର ରାଜ୍ୟ ମଧ୍ୟ ରାଷ୍ଟ୍ରକୂଟ ରାଜାଙ୍କ ହାତରେ ପରାସ୍ତ ହୋଇଥିଲେ। ରାଷ୍ଟ୍ରକୂଟ ସୈନ୍ୟ ପ୍ରତ୍ୟାବର୍ତ୍ତନ ପରେ ଭୌମମାନେ ପ୍ରଥମ ଶୁଭକର ଦେବଙ୍କ ନେତୃତ୍ୱରେ ପୁଣି ଥରେ ନିଜକୁ ସ୍ୱାଧୀନ ଘୋଷଣା କରିଥିଲେ। ବୌଦ୍ଧଧର୍ମର ପୃଷ୍ଠପୋଷକତା କରି ପ୍ରଥମ ଶୁଭକର ବିହାର ନିର୍ମାଣ କରିଥିଲେ ଏବଂ ତହିଁରେ ଅବଲୋକିତେଶ୍ୱରଙ୍କ ମୂର୍ତ୍ତିି ସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ତାଙ୍କ ରାଣୀ ମାଧବୀ ଦେବୀ ଯାଜପୁର ପାଖରେ ଶିବ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନାପାଇଁ ପୂଜକର ବ୍ୟବସ୍ଥା କରିଥିଲେ। ଏଥିରୁ ମନେହୁଏ ଯେ, ଭୌମ ରାଜ ପରିବାରରେ ଉଭୟ ବୌଦ୍ଧ ଓ ଶୈବ ଉପାସନା ଏକା ସାଙ୍ଗରେ ଚାଲିଥିଲା ଏବଂ ଗୋଟିଏ ଅନ୍ୟପାଇଁ ବାଧକ ନ ଥିଲା। ପ୍ରଥମ ଶୁଭକର ଦେବଙ୍କ ଉତ୍ତରାଧିକାରୀ ଦ୍ୱିତୀୟ ଶିବକର ଦେବଙ୍କ ସମୟରେ ଗୌଡ଼ (ବଂଗ) ରାଜା ଦେବପାଳ କଳିଙ୍ଗ ଆକ୍ରମଣ କରି ତୋଷାଳୀ ସମେତ ଅନ୍ୟାନ୍ୟ ରାଜକୁଳକୁ ପରାଜିତ କରିଥିଲେ ବୋଲି ଏକ ସ୍ତମ୍ଭଲେଖରେ ଉଲ୍ଲେଖ ରହିଛି। ଏହି ପରାଜୟ ପରେ ଭୌମକରମାନେ ଗୌଡ଼ର ଅଧୀନସ୍ଥ ହେଲେ, ଯଦିଓ ସେମାନଙ୍କ ରାଜ୍ୟରେ ପାଳମାନଙ୍କର ପ୍ରତ୍ୟକ୍ଷ ଶାସନ ଲାଗୁ ହୋଇନଥିଲା। ଏଥିରୁ ମନେହୁଏ ଯେ, ଆଞ୍ଚଳିକ ସ୍ତରରେ ଭୌମମାନେ ଶକ୍ତିଶାଳୀ ମନେ ହେଲେ ହେଁ, ବହିରାକ୍ରମଣର ସମ୍ମୁଖୀନ ହେବା ଭଳି ଶକ୍ତି ସେମାନଙ୍କର ନଥିଲା ସମସାମୟିକ ରାଷ୍ଟ୍ରକୂଟ, ପାଳ ଆଦି ଶକ୍ତିଶାଳୀ ରାଜ୍ୟର ଦୃଷ୍ଟିର ଅନ୍ତରାଳରେ ହିଁ ସେମାନେ ନିଜ ପ୍ରଭୁତ୍ୱ ବଜାୟ ରଖି ପାରୁଥିଲେ।

ଭୌମ ରାଜା ତୃତୀୟ ଶୁଭକର ଦେବଙ୍କ ମୃତ୍ୟୁ ପରେ ଯୁବରାଜ ନାବାଳକ ଥିବାରୁ ରାଜମାତା ପ୍ରଥମ ତ୍ରିଭୁବନ ମହାଦେବୀ ୮୪୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କଲେ ଏବଂ ଯୁବରାଜ ସାବାଳକ ହେବା ପର୍ଯ୍ୟନ୍ତ ଦକ୍ଷତାର ସହିତ ରାଜତ୍ୱ କଲେ। ସମ୍ଭବତଃ ସେ ହେବେ ଓଡ଼ିଶା ଇତିହାସର ପ୍ରଥମ ମହିଳା ଶାସକ। ତ୍ରିଭୁବନ ମହାଦେବୀ ବିଷ୍ଣୁ ଭକ୍ତ ଥିଲେ। ତାଙ୍କୁ ଜଣେ ଦକ୍ଷ ଶାସକ ଭାବରେ ସମସାମୟିକ ଆରବୀୟ ଓ ପାରସୀ ଭୂଗୋଳବିତ୍‍ମାନେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆରବ ଭୂଗୋଳବିତ୍‍ ଖୁର୍ଦ୍ଧାଧବି ୮୪୬ ଖ୍ରୀଷ୍ଟାବ୍ଦରେ ଲିଖିତ ନିଜ ବିବରଣୀରେ କହିଛନ୍ତି ଯେ 'ଦହମ' (ଭୌମ) ରାଜ୍ୟରେ 'ରାଇନା' (ରାଣୀ) ନାମରେ ପରିଚିତ ଜଣେ ମହିଳା ଶାସନ କରୁଥିଲେ। ତାଙ୍କ ରାଜ୍ୟ ସ୍ୱାଧୀନ ଥିଲା ଏବଂ ରାଜ୍ୟର ପ୍ରଭୂତ ସୈନ୍ୟବଳ ରହିଥିଲା।

ପ୍ରଥମ ତ୍ରିଭୁବନ ଦେବୀ ତାଙ୍କ ନାତି ସାବାଳକ ହେବା ଯାକେ ଶାସନ ଭାର ବହନ କରିଥିଲେ। ତାଙ୍କ ପରେ ଦ୍ୱିତୀୟ ଭୌମକର ରାଣୀ ଥିଲେ ପୃଥ୍ୱୀ ମହାଦେବୀ ବା ଦ୍ୱିତୀୟ ତ୍ରିଭୁବନ ମହାଦେବୀ (୮୯୦-୮୯୬ ଖ୍ରୀଷ୍ଟାବ୍ଦ)। ପୃଥ୍ୱୀ ମହାଦେବୀ ରାଜା ଚତୁର୍ଥ ଶୁଭକରଦେବଙ୍କ ରାଣୀ ଥିଲେ। ରାଜାଙ୍କର ଅକାଳ ମୃତ୍ୟୁ ପରେ ରାଜଭ୍ରାତା ତୃତୀୟ ଶିବକର ୮୮୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ମାତ୍ର ଅଳ୍ପକାଳ ପରେ ତାଙ୍କର ମଧ୍ୟ ମୃତ୍ୟୁ ହେବାରୁ ବିଧବା ରାଣୀ ପୃଥ୍ୱୀ ମହାଦେବୀ ରାଜତ୍ୱ କଲେ। କୋଶଳର ସୋମବଂଶୀ ରାଜା ଯଯାତିଙ୍କର ସେ ଭଉଣୀ ଥିଲେ। ତେଣୁ, ତାଙ୍କ (ପୃଥ୍ୱୀ ମହାଦେବୀଙ୍କ) ରାଜତ୍ୱ କାଳରେ ତୋଷାଳୀ ଉପରେ କୋଶଳର ଆଧିପତ୍ୟ ବୃଦ୍ଧି ପାଇଲା। ପଞ୍ଚମ ଶୁଭକର ଦେବଙ୍କ ମୃତ୍ୟୁ ପରେ ଗୌରୀ ମହାଦେବୀ, ଦଣ୍ତୀ ମହାଦେବୀ, ବକୁଳ ମହାଦେବୀ ଓ ଧର୍ମମହାଦେବୀ ନାମରେ ଚାରିଜଣ ରାଣୀ କ୍ରମାଗତ ଭାବେ ଭୌମ ରାଜ୍ୟରେ ରାଜତ୍ୱ କରିଥିଲେ। ଭୌମ ରାଣୀମାନଙ୍କର ସିଂହାସନ ଆରୋହଣ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ପୁରୁଷ ଉତ୍ତରାଧିକାରୀର ଅଭାବରେ ଅଥବା ପୁରୁଷ ଉତ୍ତରାଧିକାରୀ ସାବାଳକ ହେବା ପର୍ଯ୍ୟନ୍ତ କେବଳ ସେମାନେ ସିଂହାସନ ଆରୋହଣ କରିଥିଲେ। ଉଦାହରଣ ସ୍ୱରୂପ, ପୃଥ୍ୱୀ ମହାଦେବୀ ପତିଙ୍କ ମୃତ୍ୟୁ ପରେ ପତିଙ୍କ ଭ୍ରାତା ତୃତୀୟ ଶିବକରଙ୍କ ସିଂହାସନ ଆରୋହଣକୁ ମଧ୍ୟ ପୂର୍ଣ୍ଣ ସମ୍ମତି ଦେଇଥିଲେ। ତୃତୀୟ ଶିବକରଙ୍କର ମଧ୍ୟ ଅଳ୍ପ ଦିନ ପରେ ମୃତ୍ୟୁ ହେବାରୁ, ସେ ରାଜପଦ ଗ୍ରହଣ କରିବାର ଅବସର ପାଇଲେ। କେବଳ ସେତିକି ନୁହେଁ, ଯଦିଓ ସେ ରାଜପଦ ଗ୍ରହଣ କରିଥିଲେ, ତାଙ୍କ ଭ୍ରାତା ଉତ୍କଳର ସୋମବଂଶୀ ରାଜା ଯଯାତି ତାଙ୍କୁ ପ୍ରଶାସନରେ ନେପଥ୍ୟରୁ ସହଯୋଗ କରୁଥିଲେ। ସେହି ପ୍ରକ୍ରିୟାରେ ଭୌମରାଜ୍ୟ ତୋଷାଳୀ ସୋମବଂଶୀଙ୍କ ରାଜ୍ୟ ଉତ୍କଳର ଏକରକମ ଅଧିକାରଭୁକ୍ତ ବା ସାମନ୍ତରାଜ୍ୟ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏସବୁକୁ ବାଦ୍‍ ଦେଲେ, ଜଣାଯିବ ଯେ, ରାଣୀ ଶାସନ ସମୟ ତଥା ଦଶମ ଶତାବ୍ଦୀର ଆରମ୍ଭରେ ହିଁ ଭୌମକର ବଂଶର ପତନ ହେଲା। ଅନ୍ୟ ଶବ୍ଦରେ କହିଲେ, ଭୌମରାଜ୍ୟରେ ରାଣୀ ଶାସନ ସତ୍ତ୍ୱେ ପୁରୁଷତାନ୍ତ୍ରିକତା ଊଣା ହୋଇ ନଥିଲା। ପୁରୁଷର ଅଭାବରେ କେବଳ ମହିଳାଙ୍କୁ ଶାସନ ଭାର ମିଳିଥିଲା ଏବଂ ଦାୟାଦ ପୁରୁଷ ଉପଲବ୍ଧ ହେଲା ପରେ ରାଣୀ ଶାସନ ଭାରରୁ ଓହରି ଯାଉଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଭୌମରାଣୀମାନଙ୍କର ସିଂହାସନ ଆରୋହଣକୁ ଏକ ବଡ଼ ସାମାଜିକ ବିପ୍ଳବ ଭାବରେ ବୋଧହୁଏ ଗ୍ରହଣ କରିହେବ ନାହିଁ। ତା' ସତ୍ତ୍ୱେ ଆଜକୁ ୧୧୦୦ ବର୍ଷ ତଳେ ଯେ ନାରୀ ସିଂହାସନ ଆରୋହଣ କରି ରାଜତ୍ୱ କରୁଥିଲେ- ଏହାକୁ ଏକ ବିଶେଷ ସାମାଜିକ ଘଟଣା କୁହାଯାଇପାରେ। ଏହି ଭୌମ ପରଂପରା ଆଗକୁ ତିଷ୍ଠି ରହିଥିଲେ, ତାହା ନିଶ୍ଚୟ ଏକ ବଡ଼ଧରଣର ସାମାଜିକ ବିପ୍ଳବର ସୂତ୍ରପାତ କରିଥାନ୍ତା- ଏଥିରେ ସନ୍ଦେହ ନାହିଁ।

...