ଓଡ଼ିଶା ଇତିହାସ/ଖାରବେଳ ପରବର୍ତ୍ତୀ ଓଡ଼ିଶା

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ଇତିହାସ (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଖାରବେଳ ପରବର୍ତ୍ତୀ ଓଡ଼ିଶା

ଖାରବେଳ ପରବର୍ତ୍ତୀ ଓଡ଼ିଶା

ଖାରବେଳ ପରବର୍ତ୍ତୀ ଓଡ଼ିଶାର ଇତିହାସ ପ୍ରାୟ ୮୦୦ ବର୍ଷ ଧରି ଖୁବ୍‍ ସ୍ପଷ୍ଟ ନୁହେଁ । ଏହି ଇତିହାସକୁ ଲିପିବଦ୍ଧ କରିବାପାଇଁ ଉପଲବ୍ଧ ଐତିହାସିକ ତଥ୍ୟ ପ୍ରମାଣ ଯଥେଷ୍ଟ ନୁହେଁ । ତେଣୁ, ତା'ର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ଧାରାବାହିକ ବିଶ୍ଳେଷଣ ଆଜି ପର୍ଯ୍ୟନ୍ତ ସମ୍ଭବପର ହୋଇ ପାରିନାହିଁ । ବିଭିନ୍ନ ସ୍ଥାନରୁ ଆବିଷ୍କୃତ କେତେକ ତାମ୍ରଶାସନ, ମୁଦ୍ରା, ପ୍ରଶସ୍ତି ଓ ଅଭିଲେଖକୁ ଆଧାର କରି ଉକ୍ତ ସମୟର ଇତିହାସ ରଚନା କରିବାକୁ ଐତିହାସିକମାନେ ପ୍ରୟାସ କରିଛନ୍ତି । ଏଥିରୁ ମନେହୁଏ ଯେ, ଖାରବେଳ ପରବର୍ତ୍ତୀ ସମୟରେ ଓଡ଼ିଶା ଏକଶାସନାଧୀନ ନଥିଲା । ଏହା ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଶାସକଙ୍କ ନିୟନ୍ତ୍ରଣକୁ ଆସିଥିଲା । ଏହି ସମୟରେ ଯେଉଁ ରାଜକୁଳମାନେ ଶାସନ କରିଥିଲେ, ସେମାନଙ୍କ ମଧ୍ୟରେ ରହିଥିଲେ ସାତବାହନ, ମୁରୁଣ୍ତ, ଗୁପ୍ତ, ମାଠର, ନଳ, ମାଣ, ଶରଭପୁରୀୟ ଓ ପୂର୍ବ-ଗଙ୍ଗବଂଶ । ଏହି ରାଜବଂଶମାନେ ପ୍ରାକୃତିକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶାସନ କରିଥିଲେ ବୋଲି ଯତ୍‍କିଞ୍ଚିତ୍‍ ପ୍ରମାଣ ରହିଛି । କିନ୍ତୁ ସେମାନଙ୍କ ଶାସନ ସମ୍ବନ୍ଧରେ ସବିଶେଷ ବିବରଣୀ, ତତ୍‍କାଳୀନ ସାମାଜିକ ଓ ଆର୍ଥିକ ଅବସ୍ଥା, ଲୋକ ସଂସ୍କୃତି ଆଦି ସୁସ୍ପଷ୍ଟ ନୁହେଁ ।

ସାତବାହନ

ଖାରବେଳଙ୍କ ଚେଦୀ ବଂଶର ସମସାମୟିକ ହେଲେ ଦକ୍ଷିଣର ସାତବାହନ ବଂଶ । ଖାରବେଳ ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲେଖ ରହିଛି । ଚେଦୀ ବଂଶର ପତନ ପରେ ସାତବାହନମାନେ ଦ୍ୱିତୀୟ ଶତାବ୍ଦୀର ଆଦ୍ୟ ଭାଗରେ କଳିଙ୍ଗ ଓ କୋଶଳ ରାଜ୍ୟ ଜୟ କରିଥିଲେ ବୋଲି ବିଶ୍ୱାସ କରାଯାଏ । ପ୍ରଥମେ ଶିଶୁପାଳଗଡ଼ରେ ଏବଂ ପରେ ଶାଲିହୁଣ୍ତମ, ରାମତୀର୍ଥ ଓ ସଂଘରାମା ଆଦି ସ୍ଥାନରେ କେତେକ ସାତବାହନକାଳୀନ ମୁଦ୍ରା ଆବିଷ୍କୃତ ହୋଇଛି । ଉଦୟଗିରିଠାରେ ସ୍ଥାନିତ ଯକ୍ଷମୂର୍ତ୍ତିି ସହିତ ସାତବାହନକାଳୀନ ସାଞ୍ଚି ମୂର୍ତ୍ତିିକଳାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ସାଞ୍ଚି, ସାତବାହନ ରାଜା ଦ୍ୱିତୀୟ ସାତକର୍ଣ୍ଣୀଙ୍କ ଅଧୀନରେ ରହିଥିଲା । ତେଣୁ କଳିଙ୍ଗ ଓ ସାତବାହନ ରାଜ୍ୟ ମଧ୍ୟରେ ରାଜନୈତିକ ଓ ସାଂସ୍କୃତିକ ସମ୍ପର୍କ ରହିଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ଏହି ସମ୍ପର୍କ ଦ୍ୱିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା ବୋଲି ଅନୁମାନ କରାଯାଏ । ଗୌତମୀପୁତ୍ର ସାତକର୍ଣ୍ଣୀ ବୌଦ୍ଧ ଦାର୍ଶନିକ ନାଗାର୍ଜୁନଙ୍କ ଆଗ୍ରହରେ କୋଶଳର ପରିମଳଗିରିଠାରେ (ଆଧୁନିକ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ) ଏକ ବୌଦ୍ଧ ବିହାର ନିର୍ମାଣ କରାଇଥିଲେ ବୋଲି ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂଙ୍କ ବିବରଣୀରୁ ସୂଚନା ମିଳେ ।

ମୁରୁଣ୍ତ ବଂଶ

ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ସାତବାହନ ବଂଶର ପତନ ପରେ ମୁରୁଣ୍ତ ବଂଶ କଳିଙ୍ଗ ଅଧିକାର କରିଥିଲେ । ମୁରୁଣ୍ତମାନେ ଭାରତକୁ କୁଶାଣମାନଙ୍କ ସହିତ ମଧ୍ୟଏସିଆରୁ ଆସିଥିଲେ । କୁଶାଣମାନଙ୍କର ପତନ ପରେ ସେମାନେ ପୂର୍ବ ଭାରତରେ ନିଜର ରାଜ୍ୟ ପ୍ରତିଷ୍ଠା କରି ବହୁ ବର୍ଷଧରି ଶାସନ କରିଥିଲେ । ମୁରୁଣ୍ତମାନେ କଳିଙ୍ଗରେ ଶାସନ କରିଥିବା ବିଷୟ ସେମାନଙ୍କ ମୁଦ୍ରାରୁ ସୂଚନା ମିଳେ । କୁଶାଣ ପ୍ରାନ୍ତରେ ସେମାନେ ମୁଦ୍ରା ପ୍ରଚଳନ କରିଥିଲେ ଯାହା ପ୍ରଥମେ ପୁରୀ ଏବଂ ପରେ ଭଦ୍ରକ ଓ ଶିଶୁପାଳଗଡ଼ ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି । ମୁରୁଣ୍ତ ରାଜତ୍ୱର ବହୁ ବର୍ଷ ପରେ ଲିଖିତ ମାଦଳାପାଞ୍ଜିରେ ରକ୍ତବାହୁ ନାମକ ଜଣେ ଯବନଙ୍କର ଜଗନ୍ନାଥ ମନ୍ଦିର ଆକ୍ରମଣ କଥା ବର୍ଣ୍ଣିିତ ହୋଇଛି । ଐତିହାସିକ ରାଖାଲ ଦାସ ବାନାର୍ଜୀଙ୍କ ମତରେ ରକ୍ତବାହୁ ଥିଲେ ସମ୍ଭବତଃ ମୁରୁଣ୍ତ ଶାସକ । କୁଶାଣର ସହଯୋଗୀ ସେନା ଭାବରେ ସେମାନେ (ମୁରୁଣ୍ତମାନେ) ଓଡ଼ିଶା ଆକ୍ରମଣ କରିଥିଲେ ଏବଂ କୁଶାଣ ବଂଶର ପତନ ପରେ ନିଜେ ସ୍ୱାଧୀନ ଭାବରେ ରାଜ୍ୟ ଶାସନ କଲେ । ମୁରୁଣ୍ତ ଶାସନ ଓଡ଼ିଶାର ଉପକୂଳ ଅଞ୍ଚଳରେ ରହିଥିଲା, କାରଣ କେବଳ ଏହି ଅଞ୍ଚଳରେ ମୁରୁଣ୍ତ ମୁଦ୍ରା ଆବିଷ୍କୃତ ହୋଇଛି । ଶିଶୁପାଳଗଡ଼ରୁ ଆବିଷ୍କୃତ ମୁଦ୍ରାରେ 'ମହାରାଜାଧିରାଜ ଧର୍ମଦାମୋଦରଙ୍କ ପ୍ରଚଳିତ ମୁଦ୍ରା' ବୋଲି ଉଲ୍ଲେଖ ରହିଛି । ସେତେବେଳେ ରାଜାମାନେ ନିଜର ପ୍ରଭୁତ୍ୱ ପ୍ରତିଷ୍ଠା ନିମନ୍ତେ ନିଜ ନାମରେ ମୁଦ୍ରା ପ୍ରଚଳନ କରୁଥିଲେ । ମାତ୍ର ଏକ ବୃହତ୍‍ ଅଞ୍ଚଳରେ ରାଜାଙ୍କର ସ୍ୱୀକୃତି ନଥିଲେ ଏହି ମୁଦ୍ରା ବାଣିଜ୍ୟ ବ୍ୟବସାୟର ମାଧ୍ୟମ ରୂପେ ବ୍ୟବହାର ହୋଇପାରିବ ନାହିଁ । ତେଣୁ କୁଶାଣମାନଙ୍କର ଦାୟାଦ ରୂପେ ଯେଉଁ ସାମନ୍ତ ଶାସକମାନେ ପ୍ରତିଷ୍ଠା ଲାଭ କରିଥିଲେ, ତନ୍ମଧ୍ୟରେ ମୁରୁଣ୍ତମାନେ ବୋଧହୁଏ ଥିଲେ ଅନ୍ୟତମ । କୁଶାଣ ସାମ୍ରାଜ୍ୟରେ ପ୍ରତିଷ୍ଠିତ ହୋଇଥିବା ଅନ୍ୟ କୁଶାଣ ଦାୟାଦ ବଂଶଗୁଡିକର ରାଜ୍ୟରେ ମଧ୍ୟ ଏହି ମୁଦ୍ରାର ସ୍ୱୀକୃତି ତଥା ପ୍ରଚଳନ ରହିଥିବାର ଅନୁମାନ କରାଯାଏ ।

ଗୁପ୍ତକାଳୀନ ଓଡ଼ିଶା

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ଉତ୍ତର ଭାରତରେ ଗୁପ୍ତବଂଶର ଉତ୍‍ଥାନ ହେଲା । ଗୁପ୍ତବଂଶର ପରାକ୍ରମୀ ଶାସକ ସମୁଦ୍ରଗୁପ୍ତ ବାରମ୍ବାର ଯୁଦ୍ଧ ଅଭିଯାନରେ ଯାଇ ଉତ୍ତର ଭାରତର ବହୁ ଅଂଶ ଓ ଦକ୍ଷିଣ ଭାରତର କେତେକ ଅଂଶ ନିଜ କର୍ତ୍ତୃତ୍ୱକୁ ଆଣିଥିଲେ । ଏକ ବୃହତ୍ତର ଗୁପ୍ତ ସାମ୍ରାଜ୍ୟ ସ୍ଥାପନରେ ଏହା ବିଶେଷ ସହାୟକ ହୋଇଥିଲା ।

ଆହ୍ଲାବାଦ ସ୍ତମ୍ଭ ଅଭିଲେଖରେ ସମୁଦ୍ରଗୁପ୍ତଙ୍କ ଦିଗ୍‍ବିଜୟ କଥା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ସମୁଦ୍ରଗୁପ୍ତଙ୍କ ସଭାକବି ହରିସେଣଙ୍କ ରଚନା ସେହି ସ୍ତମ୍ଭରେ ରହିଛି, ଯେଉଁଥିରେ ସମ୍ରାଟ ଅଶୋକଙ୍କ ଶିଳାଲେଖ ଅଛି । ସେହି ସ୍ତମ୍ଭ ଅଭିଲେଖ ଅନୁଯାୟୀ ସମୁଦ୍ରଗୁପ୍ତ ଦକ୍ଷିଣପଥ ଅଭିଯାନ ସମୟରେ କୋଶଳ, କଳିଙ୍ଗ ଆଦି ରାଜ୍ୟ ଜୟ କରିଥିଲେ । ସେ ଜିଣିଥିବା କୋଟ୍ଟୁର, ଏରଣ୍ତପଲ୍ଲୀ ଓ କୁବେର ରାଜ୍ୟ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଥିଲା ବୋଲି ଚିହ୍ନିତ କରାଯାଇଛି । ଯୁଦ୍ଧ ଜୟ ପରେ ସମୁଦ୍ରଗୁପ୍ତ ଦକ୍ଷିଣ ପଥର ସେହି ରାଜ୍ୟଗୁଡ଼ିକୁ ନିଜ ସାମ୍ରାଜ୍ୟରେ ସଂଲଗ୍ନ କରି ନଥିଲେ । ଗୁପ୍ତ ବଶ୍ୟତା ସ୍ୱୀକାର କଲା ପରେ ରାଜ୍ୟମାନେ ସ୍ୱତନ୍ତ୍ର ହୋଇ ରହିଥିଲେ । ଏହି କାରଣରୁ ଓଡ଼ିଶାରେ ଗୁପ୍ତ ରାଜତ୍ୱର ବିଶେଷ ପ୍ରଭାବ ଅନୁମିତ ହୋଇନଥିଲା । ରାଜନୈତିକ ନିୟନ୍ତ୍ରଣରେ ରହିନଥିବା ସତ୍ତ୍ୱେ ଓଡ଼ିଶାରେ ଗୁପ୍ତ ପ୍ରଭାବ ସଂସ୍କୃତି, ସ୍ଥାପତ୍ୟ, ବାଣିଜ୍ୟ ଆଦି କ୍ଷେତ୍ରରେ ରହିଥିବା ବିଶ୍ୱାସ କରାଯାଏ । ଓଡ଼ିଶାରେ ମିଳିଥିବା ଅନେକ ତାମ୍ର ଶାସନରେ 'ଗୁପ୍ତ ଯୁଗ'ର ଉଲ୍ଲେଖ ରହିଛି । ଖଲିକୋଟ ନିକଟସ୍ଥ ପଦ୍ମଖୋଲି ନାମକ ଏକ କ୍ଷୁଦ୍ର ରାଜ୍ୟର ଶାସକ ପୃଥ୍ୱୀବିଗ୍ରହ ନିଜକୁ 'ମହାରାଜା ଧର୍ମରାଜା' ଭାବରେ ନାମିତ କରି ଏଭଳି ଏକ ତାମ୍ରଶାସନ ଜାରି କରିଥିଲେ । ତହିଁରେ 'ଗୁପ୍ତାବ୍ଦ ୨୫୦' (ଖ୍ରୀଷ୍ଟାବ୍ଦ ୫୬୯-୫୭୦) ବୋଲି ଉଲ୍ଲେଖ ରହିଛି । ଏହାର ଅର୍ଥ ସମୁଦ୍ରଗୁପ୍ତଙ୍କ ପରେ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ଗୁପ୍ତାବ୍ଦର ପ୍ରଚଳନ ଥିଲା । ରାଜନୈତିକ ଅଧିକାର ନ ଥିବା ସତ୍ତ୍ୱେ ଓଡ଼ିଶାର ଅଭ୍ୟନ୍ତରରେ ଗୁପ୍ତାବ୍ଦର ପ୍ରଚଳନ ତତ୍‍କାଳୀନ ଇତିହାସକୁ ଅଧିକ ରହସ୍ୟାବୃତ କରିଦିଏ ।

ମାଠର ବଂଶ

ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ମାଠର ନାମକ ଏକ ରାଜ ବଂଶର ଅଭ୍ୟୁତ୍‍ଥାନ ଦେଖିବାକୁ ମିଳେ । ମାଠରମାନେ ଦକ୍ଷିଣ ଓଡ଼ିଶାରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରି କେତେକ ପଡୋଶୀ ରାଜ୍ୟକୁ ଅଧିକାର କରିଥିବା କୁହାଯାଏ । ମାଠର ବଂଶ ଗୁପ୍ତମାନଙ୍କର ସମସାମୟିକ ଥିଲା । ମାତ୍ର ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସ୍ତମ୍ଭଲେଖରେ ଏହି ରାଜବଂଶର ଉଲ୍ଲେଖ ନଥିବାରୁ ଅନୁମିତ ହୁଏ ଯେ ସମ୍ଭବତଃ ସମୁଦ୍ରଗୁପ୍ତଙ୍କ ପରେ ଏହି ବଂଶର ଉଦୟ ହୋଇଥିଲା । କେତେକ ତାମ୍ରଶାସନକୁ ଅଧାର କରି ମାଠର ବଂଶାବଳୀ ନିର୍ଣ୍ଣୟ କରାଯାଏ । ଐତିହାସିକ ନବୀନ କୁମାର ସାହୁଙ୍କଦ୍ୱାରା ପ୍ରସ୍ତୁତ ମାଠର ବଂଶାବଳୀ ନିମ୍ନରେ ଦିଆଗଲା ।

 
 
 
ବିଶାଖା ବର୍ମା (ଖ୍ରୀଷ୍ଟାବ୍ଦ ୩୫୦-୩୬୦)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
୨. ଉମା ବର୍ମା (୩୬୦-୩୯୫ ଖ୍ରୀଷ୍ଟାବ୍ଦ)୩. ଶଙ୍କର ବର୍ମା (୩୯୫-୪୦୦)
 
 
 
 
 
 
୪. ଶକ୍ତିବର୍ମା (୪୦୦-୪୨୦)
 
 
 
 
 
 
 
 
 
 
 
 
 
 
 
 
 
 
 
 
୫. ଅନନ୍ତ ଶକ୍ତି ବର୍ମା (୪୨୦-୪୫୦)୭. ପ୍ରଭଞ୍ଜନ ବର୍ମା (୪୬୦-୪୮୦)
 
 
 
 
 
 
 
 
୬. ଚନ୍ଦ୍ର ବର୍ମା (୪୫୦-୪୬୦)୮. ନନ୍ଦ ପ୍ରଭଞ୍ଜନ ବର୍ମା (୪୮୦-୪୯୮)
 
 

ଏହି ବଂଶାବଳୀରୁ ଜଣାଯାଏ ଯେ, ମାଠର ବଂଶର ପ୍ରତିଷ୍ଠାତା ଥିଲେ ବିଶାଖା ବର୍ମା । ସେ ୩୫୦ ଖ୍ରୀଷ୍ଟାବ୍ଦରେ ଶ୍ରୀପୁରଠାରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରିଥିଲେ । ସମ୍ଭବତଃ ସେ ରାଜବଂଶଜ ନଥିଲେ । ଏକ କ୍ଷୁଦ୍ରରାଜ୍ୟର ଅଧିପତି ହୋଇଥିବାରୁ ତାଙ୍କ ତାମ୍ରଶାସନରେ ସେ ନିଜକୁ କଳିଙ୍ଗାଧିପତି ବୋଲି ଉଲ୍ଲେଖ କରି ନାହାନ୍ତି । ବିଶାଖା ବର୍ମାଙ୍କ ପୁତ୍ର ଉମା ବର୍ମାଙ୍କ ସମୟରେ ମାଠର ରାଜ୍ୟ ବିସ୍ତାର ଲାଭ କରିଥିଲା । ସେ ଶ୍ୱେତକ ଅଞ୍ଚଳ (ଗଞ୍ଜାମ ଜିଲ୍ଲାର ଚିକିଟି) ଅଧିକାର କଲା ପରେ ସୁନଗରକୁ (ବଂଶଧାରା ନଦୀକୂଳସ୍ଥ ମୁଖଲିଙ୍ଗମ) ରାଜଧାନୀ ପରିବର୍ତ୍ତନ କରିଥିଲେ । ପରବର୍ତ୍ତୀ ସମୟରେ ଦକ୍ଷିଣ ଦିଗରେ ରାଜ୍ୟ ବିସ୍ତାର ହେବାରୁ ଶାସନର ସୁବିଧାପାଇଁ ବର୍ଦ୍ଧମାନପୁରକୁ ରାଜଧାନୀ ପରିବର୍ତ୍ତକରିଥିଲେ । କ୍ରମାଗତ ରାଜ୍ୟ ବିସ୍ତାର ନୀତି ଅବଲମ୍ବନ କରି ଉମା ବର୍ମା ରାଜତ୍ୱର ୩୦ ବର୍ଷରେ ନିଜକୁ 'କଳିଙ୍ଗାଧିପତି' ବୋଲି ତାମ୍ରଶାସନରେ ଉଲ୍ଲେଖ କରିଥିଲେ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟସ୍ଥ ସିଂହପୁରକୁ ରାଜଧାନୀ ପରିବର୍ତ୍ତନ କରିଥିଲେ । ସେ ପ୍ରଦାନ କରିଥିବା ଚାରିଗୋଟି ତାମ୍ରଶାସନରୁ ତାଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ସୂଚନା ମିଳେ । ମାଠର ରାଜାମାନଙ୍କ ମଧ୍ୟରେ ଉମା ବର୍ମା ଅଧିକ କାଳ ରାଜତ୍ୱ କରିଥିଲେ ଏବଂ ଅଧିକ ରାଜ୍ୟ ଜୟ ମଧ୍ୟ କରିଥିଲେ ।

ଏହି ସମୟରେ ଏକାଧିକ ମାଠର ରାଜା ଯଥା: ପ୍ରଭଞ୍ଜନ ବର୍ମା ଓ ଶେଷରାଜା ନନ୍ଦ ପ୍ରଭଞ୍ଜନ ବର୍ମା, ନିଜକୁ 'ସକଳ କଳିଙ୍ଗାଧିପତି' ବୋଲି ତାମ୍ରଶାସନରେ ଉଲ୍ଲେଖ କରିଛନ୍ତି । ବିଶେଷ କରି ନନ୍ଦ ପ୍ରଭଞ୍ଜନ ବର୍ମାଙ୍କ ସମୟରେ ଯେତେବେଳେ ମାଠର ରାଜ୍ୟ ବହିରାକ୍ରମଣର ଶିକାର ହୋଇ ସଂକୁଚିତ ହୋଇ ଆସିଥିଲା ଏବଂ ତା'ର ରାଜଧାନୀ ସିଂହପୁରଠାରୁ ବର୍ଦ୍ଧମାନପୁରକୁ ଫେରାଇ ଅଣାଯାଇଥିଲା, ସେତେବେଳେ ମଧ୍ୟ ଏହି ଉପାଧିର ଉଲ୍ଲେଖ ଏକ ଉପମା ମାତ୍ର ବୋଲି ମନେହୁଏ । ପଞ୍ଚମ ଶତାବ୍ଦୀର ଶେଷଭାଗରେ ପୂର୍ବ ଗଙ୍ଗବଂଶ କଳିଙ୍ଗରେ ଶାସନ ପ୍ରତିଷ୍ଠା କଲା ପରେ ମାଠର ରାଜବଂଶ ଲୋପ ପାଇଲା ।

ନଳ ରାଜବଂଶ

ପଞ୍ଚମ ଶତାବ୍ଦୀରେ ଯେତେବେଳେ ମାଠରମାନେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ନିକଟବର୍ତ୍ତୀ ଅଞ୍ଚଳରେ ଶାସନ କରୁଥିଲେ, ସେହି ସମୟରେ ଦକ୍ଷିଣ ଓଡ଼ିଶାର ଅନ୍ୟ ଏକ ଅଞ୍ଚଳ ଅର୍ଥାତ୍‍ ଆଧୁନିକ କୋରାପୁଟ ଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ ନଳରାଜବଂଶ ରାଜତ୍ୱ କରୁଥିଲେ । କେତେକ ତାମ୍ର ଶାସନ, ପ୍ରସ୍ତର ଅଭିଲେଖ ଓ ମୁଦ୍ରାରୁ ନଳ ରାଜତ୍ୱ ସମ୍ବନ୍ଧରେ ଯତ୍‍କିଞ୍ଚିତ୍‍ ଧାରଣା କରିହୁଏ । ଐତିହାସିକ ନବୀନ କୁମାର ସାହୁଙ୍କଦ୍ୱାରା ପ୍ରସ୍ତୁତ ନଳ ରାଜବଂଶାବଳୀ ନିମ୍ନରେ ପ୍ରଦତ୍ତ ହେଲା ।

ନଳ ବଂଶାବଳୀ
 
 
 
ବୃଷଧ୍ୱଜ (ପ୍ରାୟ ୪୦୦ ଖ୍ରୀଷ୍ଟାବ୍ଦ)
 
 
 
ବରାହରାଜ (ପ୍ରାୟ ୪୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ)
 
 
 
ଭବଦତ୍ତ ବର୍ମା (ଖ୍ରୀ. ୪୪୦-୪୬୫)
 
 
 
ଅର୍ଥପତିରାଜ (ଖ୍ରୀ. ୪୬୫-୪୭୫)
 
 
 
ସ୍କନ୍ଦ ବର୍ମା (ଖ୍ରୀ. ୪୭୫-୫୦୦)
 
 
 
ପୃଥ୍ୱୀରାଜ
 
 
 
ବିରୂପରାଜ
 
 
 
ବିଳାସତୁଙ୍ଗ (ପ୍ରାୟ ୭୦୦ ଖ୍ରୀଷ୍ଟାବ୍ଦ)
 

ବସ୍ତରର ନଳ ରାଜ ଭବଦତ୍ତ ବର୍ମାଙ୍କ ରିଠାପୁର ତାମ୍ରଶାସନ ଓ ସ୍କନ୍ଦ ବର୍ମାଙ୍କ କୋରାପୁଟର ପୋଡ଼ାଗଡ଼ ପ୍ରସ୍ତର ଅଭିଲେଖରୁ ନଳମାନଙ୍କ ସମ୍ବନ୍ଧରେ ସୂଚନା ମିଳେ । ଏହା ବ୍ୟତୀତ ଆହ୍ଲାବାଦ ନିକଟସ୍ଥ ଭିଟା ଗ୍ରାମରୁ ଏକ ସିଲ୍‍ମୋହର ଆବିଷ୍କୃତ ହୋଇଛି । ଏଥିରେ ନଳ ବଂଶର ପ୍ରଥମ ରାଜା ବୃଷଧ୍ୱଜଙ୍କ ସମ୍ବନ୍ଧରେ ଉଲ୍ଲେଖ ରହିଛି । ପ୍ରୟାଗଠାରେ ତୀର୍ଥଯାତ୍ରା ସମୟରେ ଭବଦତ୍ତ ବର୍ମା ରିଠାପୁର ତାମ୍ରଶାସନ ପ୍ରଦାନ କରିଥିଲେ । ଏଥିରେ ନଳରାଜ୍ୟ କୋରାପୁଟଠାରୁ ବେରାର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ବୋଲି ଉଲ୍ଲେଖ ରହିଛି । ନଳରାଜାମାନଙ୍କର ବକାଟକ ରାଜ୍ୟ ସହ ଯୁଦ୍ଧ ହୋଇଥିବାର ଜଣାଯାଏ । ସେମାନଙ୍କର ରାଜଧାନୀ ପୁଷ୍କରୀ (ପୋଡ଼ଗଡ଼)ଠାରେ ସ୍ଥାପିତ ହୋଇଥିଲା । ଏକଦା ଶତ୍ରୁମାନେ ଏହା ପୋଡ଼ି ଦେଇଥିଲେ । ନଳରାଜତ୍ୱ ପ୍ରାୟ ଏକ ଶତାବ୍ଦୀ ପର୍ଯ୍ୟନ୍ତ (୪୦୦ରୁ ୫୦୦ ଖ୍ରୀଷ୍ଟାବ୍ଦ) ରହିଥିଲା ବୋଲି ଅନୁମାନ କରାଯାଏ ।

ମାଣ ବଂଶ

ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ମାଠର ରାଜ୍ୟର ଉତ୍ତରରେ ଓ ମହାନଦୀର ଅପର ପାର୍ଶ୍ୱରେ ମାଣ ନାମରେ ଏକ ରାଜବଂଶ ଶାସନ କରୁଥିଲେ ବୋଲି ଦୁଇଟି ତାମ୍ରଶାସନରେ ଉଲ୍ଲେଖ ଅଛି । ଶମ୍ଭୁନାଥ ଥିଲେ ଏହି ବଂଶର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ରାଜା । ସେ ୫୮୦ରୁ ୬୦୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ବାଲେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ବିଶାଳ ରାଜ୍ୟରେ ରାଜତ୍ୱ କରୁଥିବା ଜଣାଯାଏ । ସେ 'ପରମ ମାହେଶ୍ୱର ପରମ ଭଟ୍ଟାରକ ପରମଦେବତା ଦୈବତ' ଉପାଧିରେ ନିଜକୁ ଭୂଷିତ କରିଥିଲେ, ଯାହା ତାଙ୍କ ବର୍ଦ୍ଧିତ ରାଜପ୍ରଭାବର ସୂଚନା ଦିଏ । ତାଙ୍କ ଅଧୀନରେ ରହିଥିବା ଜଣେ ସାମନ୍ତ 'ମହାରାଜ ଶିବରାଜ' ତାମ୍ର ଶାସନ ପ୍ରଦାନ କରିଥିଲେ ।

ବିଗ୍ରହ ବଂଶ

ମାଣବଂଶର ଏକ ସମସାମୟିକ ରାଜବଂଶ ହେଲେ ଆଧୁିନିକ ଗଞ୍ଜାମ ଅଞ୍ଚଳରେ ଶାସନ କରୁଥିବା ବିଗ୍ରହ ବଂଶ । ପୃଥିବୀ ବିଗ୍ରହ ଥିଲେ ଏହି ବଂଶର ପ୍ରଥମରାଜା । ସାମନ୍ତରାଜା ଧର୍ମରାଜଙ୍କ ଦ୍ୱାରା ୫୭୦ ଖ୍ରୀଷ୍ଟାବ୍ଦରେ ପ୍ରଦତ୍ତ ତାମ୍ରଶାସନରେ ପୃଥିବୀ ବିଗ୍ରହଙ୍କର ଉଲ୍ଲେଖ ରହିଛି । ବିଗ୍ରହମାନଙ୍କର ରାଜଧାନୀ ପଦ୍ମଖୋଲି (ଖଲ୍ଲିକୋଟ ନିକଟସ୍ଥ ପଦ୍ମଖୋଲ)ଠାରେ ରହିଥିଲା । ଲୋକବିଗ୍ରହ ଥିଲେ ଏହି ବଂଶର ଅନ୍ୟ ଜଣେ ରାଜା । ତାଙ୍କଦ୍ୱାରା ପ୍ରଦତ୍ତ କଣାସ ତାମ୍ର ଶାସନରୁ ଲୋକ ବିଗ୍ରହଙ୍କ ସମ୍ବନ୍ଧରେ ସୂଚନା ମିଳେ । ସେହି ତାମ୍ରଶାସନ ଅନୁସାରେ ସେ ଦକ୍ଷିଣ ତୋଷାଳୀ ଓ କେତେକ ପାର୍ବତ୍ୟ ରାଜ୍ୟ (ଆଧୁନିକ ସମୟର ଗଡଜାତ ରାଜ୍ୟ)ରେ ଶାସନ କରୁଥିଲେ ।

ଶରଭପୁରୀୟ ବଂଶ

ନଳବଂଶର ପତନ ପରେ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ ଦକ୍ଷିଣ କୋଶଳରେ (ଆଧୁନିକ କଳାହାଣ୍ତି, ଖରିଆର ଓ ରାୟପୁର ଅଞ୍ଚଳ) ଶରଭପୁରୀୟ ବଂଶ ରାଜତ୍ୱ କରିବାକୁ ଲାଗିଲେ । ସେମାନେ ସମ୍ଭବତଃ ନଳରାଜାମାନଙ୍କ ଅଧୀନରେ ସ୍ଥାନୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ନଳବଂଶର ପତନ ପରେ ଦକ୍ଷିଣ କୋଶଳରେ ନିଜକୁ ରାଜା ଘୋଷଣା କରି ସେମାନେ ଶାସନ ଆରମ୍ଭ କଲେ । ଶରଭପୁର ଥିଲା ସେମାନଙ୍କ ରାଜଧାନୀ । ମନେହୁଏ, ସେମାନେ ଗୁପ୍ତରାଜ୍ୟର ସାମନ୍ତ ଭାବରେ ରାଜତ୍ୱ କରୁଥିଲେ । ଏହି ବଂଶର ପ୍ରଥମ ରାଜା ଶରଭଙ୍କ ପରେ ନରେନ୍ଦ୍ର ଶାସନ ଭାର ଗ୍ରହଣ କଲେ । ତାଙ୍କଦ୍ୱାରା ପ୍ରଦତ୍ତ ପିପର୍ଦୁଲା ଓ କୁରୁଡ଼ ତାମ୍ର ଶାସନରେ ଶରଭପୁରୀୟ ବଂଶ ସମ୍ବନ୍ଧରେ ଉଲ୍ଲେଖ ରହିଛି । ଏହି ବଂଶର ରାଜା ମହେନ୍ଦ୍ରାଦିତ୍ୟ ଓ ପ୍ରସନ୍ନ ମାତ୍ରଙ୍କଦ୍ୱାରା ପ୍ରଚଳିତ କେତେକ ସ୍ୱର୍ଣ୍ଣମୁଦ୍ରା ଛତିଶଗଡ଼ର ରାୟପୁର, ବିଳାସପୁର ଓ କଳାହାଣ୍ତି ନିକଟସ୍ଥ ଖରିଆର ଓ ମାରାଗୁଡ଼ା ଅଞ୍ଚଳରୁ ଆବିଷ୍କୃତ ହୋଇଛି । ତେଣୁ ଉକ୍ତ ଅଞ୍ଚଳରେ ଶରଭପୁରୀୟ ମୁଦ୍ରାର ବ୍ୟବହାର ଥିବାର ତଥା ସେଠାରେ ଶରଭପୁରୀୟ ଶାସନ ରହିଥିବାର ଅନୁମାନ କରାଯାଏ । ଅନ୍ୟ ଜଣେ ଶରଭପୁରୀୟ ରାଜା ପ୍ରଥମ ସୁଦେବରାଜଙ୍କ ସମୟରେ ପ୍ରଦତ୍ତ ଛଅଗୋଟି ତାମ୍ର ଶାସନରୁ ଜଣାଯାଏ ଯେ, ଉକ୍ତ ରାଜା ଗଭୀର ଭଗବତ୍‍ ବିଶ୍ୱାସୀ ଥିଲେ ଓ ପିତାମାତାଙ୍କୁ ଭକ୍ତି କରୁଥିଲେ । ସେ ଯୋଦ୍ଧା ଥିଲେ । ପଣ୍ତିତମାନଙ୍କୁ ଜମି ପ୍ରଦାନ ଓ ଗୋଦାନ କରିଥିଲେ । ଶରଭପୁରୀୟମାନେ ସଂଶ୍ଳିଷ୍ଟ ଥିବା ଯୁଦ୍ଧ ସମ୍ପର୍କରେ କୌଣସି ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

ପୂର୍ବ ଗଙ୍ଗବଂଶ

ପୂର୍ବ ଗଙ୍ଗବଂଶ ବା ପ୍ରଥମ ଗଙ୍ଗବଂଶ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ (୪୯୬ ଖ୍ରୀଷ୍ଟାବ୍ଦ) ମହେନ୍ଦ୍ରଗିରି ଅଞ୍ଚଳରେ ରାଜ୍ୟ ସ୍ଥାପନ କରି କାଳକ୍ରମେ ଏକ ପରାକ୍ରମଶାଳୀ ରାଜବଂଶ ରୂପେ ପରିଚୟ ପାଇଥିଲେ । ଅଷ୍ଟମ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସେମାନଙ୍କର ପ୍ରଭୁତ୍ୱ ରହିଥିଲା । କଳିଙ୍ଗନଗର ସେମାନଙ୍କର ରାଜଧାନୀ ଥିଲା, ଯାହାକୁ ଶ୍ରୀକାକୁଲମ ଜିଲ୍ଲାର ମୁଖଲିଙ୍ଗମ୍‍ ବୋଲି ଚିହ୍ନିତ କରାଯାଏ । ଏହି ଜିଲ୍ଲାର ଦନ୍ତପୁରଠାରେ ଗଙ୍ଗମାନଙ୍କର ଦ୍ୱିତୀୟ ରାଜଧାନୀ ରହିଥିଲା । ସେମାନେ ନିଜକୁ 'ତ୍ରିକଳିଙ୍ଗାଧିପତି' ବୋଲି ତାମ୍ରଶାସନରେ ଉଲ୍ଲେଖ କରିଛନ୍ତି । ସମଗ୍ର କଳିଙ୍ଗ କ୍ଷେତ୍ରକୁ ଗଙ୍ଗମାନେ ଅଧିକାର କରିଥିବାର ଅନ୍ୟ କୌଣସି ଐତିହାସିକ ପ୍ରମାଣ ନାହିଁ ।

ଗଙ୍ଗମାନେ କର୍ଣ୍ଣାଟକର କୋଲାହଳପୁର (କୋଲାର) ଅଞ୍ଚଳରୁ କଳିଙ୍ଗକୁ ଆସିଥିଲେ ବୋଲି କୁହାଯାଏ । କଳିଙ୍ଗ ଗଙ୍ଗବଂଶର ପ୍ରଥମ ରାଜା ଥିଲେ ପ୍ରଥମ ଇନ୍ଦ୍ର ବର୍ମା । ସାମନ୍ତ ବର୍ମା, ହସ୍ତୀ ବର୍ମା, ଦ୍ୱିତୀୟ ଇନ୍ଦ୍ର ବର୍ମା, ତୃତୀୟ ଇନ୍ଦ୍ର ବର୍ମା ଓ ପ୍ରଥମ ଦେବେନ୍ଦ୍ର ବର୍ମା ଥିଲେ ଏହି ବଂଶର ଅନ୍ୟ କେତେକ ରାଜା । ହସ୍ତୀ ବର୍ମା ୫୭୭ ଖ୍ରୀଷ୍ଟାବ୍ଦରେ ନରସିଂହପଲ୍ଲୀ ତାମ୍ରଶାସନ ଓ ୫୭୮ଖ୍ରୀଷ୍ଟାବ୍ଦରେ ଉର୍ଲାମ ତାମ୍ର ଶାସନ ପ୍ରଦାନ କରିଥିଲେ । ଏଥିରେ ସେ ନିଜକୁ 'ରାଜସିଂହ' ଓ 'ରଣଭୀତ' (ଯାହାଙ୍କ ରଣ ଭୀତିପ୍ରଦାନ କରୁଥିଲା) ବୋଲି ଘୋଷଣା କରିଥିଲେ । ତୃତୀୟ ଇନ୍ଦ୍ର ବର୍ମାଙ୍କ ରାଜତ୍ୱ କାଳରେ ହୁଏନସାଂ କଳିଙ୍ଗ ଭ୍ରମଣରେ ଆସିଥିଲେ । ହୁଏନସାଂଙ୍କ ବିବରଣୀ ଅନୁଯାୟୀ ସେତେବେଳେ ଗଙ୍ଗ ଶାସିତ କଳିଙ୍ଗ ଏକ ସ୍ୱାଧୀନ ରାଜ୍ୟ ଥିଲା ଏବଂ ଏହାର ଉତ୍ତର ଦିଗରେ କଙ୍ଗୋଦ, ଦକ୍ଷିଣରେ ବେଙ୍ଗୀ ଓ ଉତ୍ତର-ପଶ୍ଚିମରେ କୋଶଳ ରାଜ୍ୟ ରହିଥିଲା । ରାଜଧାନୀ କଳିଙ୍ଗନଗରର ପରିଧି ପ୍ରାୟ ଚାରି ମାଇଲ ଥିଲା ଏବଂ ଏହା ଏକ ସମୃଦ୍ଧ ନଗରୀ ରୂପେ ଖ୍ୟାତି ଲାଭ କରିଥିଲା । ପଞ୍ଚମ ଦେବେନ୍ଦ୍ର ବର୍ମା ଥିଲେ ପୂର୍ବ ଗଙ୍ଗବଂଶର ଶେଷ ରାଜା । ତାଙ୍କ ପରେ ଏକାଦଶ ଶତାବ୍ଦୀର ଆଦ୍ୟ ଭାଗରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶର ଉତ୍‍ଥାନ ଘଟିଥିଲା । ଶୈଳୋଦ୍ଭବ ରାଜବଂଶ

ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରୁ ଶୈଳୋଦ୍ଭବ ରାଜବଂଶ କଙ୍ଗୋଦ ମଣ୍ତଳରେ ଶାସନ କରିଥିଲେ । ଅଷ୍ଟମ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ (୭୨୫ ଖ୍ରୀଷ୍ଟାବ୍ଦ) ସେମାନଙ୍କର ଶାସନ ରହିଥିଲା । ଶୈଳୋଦ୍ଭବ ଶାସନର ଏକ ଐତିହାସିକ ମହତ୍ତ୍ୱ ହେଲା, ପ୍ରୟୋଜନୀୟ ଐତିହାସିକ ତଥ୍ୟ ପ୍ରମାଣ ଉପଲବ୍‍ଧ ହେବା ଯୋଗୁଁ ଏହି ସମୟରୁ ଓଡ଼ିଶାର ଇତିହାସ କ୍ରମଶଃ ସ୍ପଷ୍ଟତର ହେବାକୁ ଲାଗିଲା । ଖାରବେଳଙ୍କ ପରବର୍ତ୍ତୀ ସମୟରୁ ଦୀର୍ଘ ୮୦୦ ବର୍ଷ ଧରି ଇତିହାସ ରଚନା ଯେଉଁ ଅସ୍ପଷ୍ଟତା ମଧ୍ୟରେ ଗତି କରିଥିଲା,ତାହା ଶୈଳୋଦ୍ଭବ ଶାସନ ସମୟରୁ ଆଉ ପରିଲକ୍ଷିତ ହେଲାନାହିଁ । ଶୈଳୋଦ୍ଭବ ଶାସନ ତଥା ସମସାମୟିକ ସମାଜ ଓ ସଂସ୍କୃତିର ଅଧ୍ୟୟନ କରିବା ପାଇଁ ଅନେକ ତାମ୍ରଶାସନ ଉପଲବ୍ଧ ହେଲା । ଏହା ବ୍ୟତୀତ ଏହି ସମୟରେ ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ ଓଡ଼ିଶା ଭ୍ରମଣ କରିଥିଲେ, ଯାହା ତାଙ୍କ ରଚିତ ବିବରଣୀରେ ବର୍ଣ୍ଣିିତ ହୋଇଛି । ଇତିହାସ ରଚନାପାଇଁ ଏହା ନିର୍ଭରଯୋଗ୍ୟ ପ୍ରାମାଣିକ ନିଦର୍ଶନ ରୂପେ ଗୃହୀତ ହେଲା ।

ଐତିହାସିକ ଡି. କେ. ଗାଙ୍ଗୁଲି ଶୈଳୋଦ୍ଭବ ଶାସନର ବଂଶାବଳୀକୁ ନିମ୍ନକ୍ରମରେ ସ୍ଥାପିତ କରିଛନ୍ତି ।

Odisha Itihasa.pdf
କଙ୍ଗୋଦମଣ୍ତଳ ରାଜ୍ୟ କଳିଙ୍ଗ ଓ ଓଡ୍ରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତରରେ ମହାନଦୀଠାରୁ ଦକ୍ଷିଣରେ ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । କଙ୍ଗୋଦରେ ଶାସନ କରୁଥିବା ଶୈଳୋଦ୍ଭବ ବଂଶ ଉତ୍ତର ଭାରତରେ ଆଧିପତ୍ୟ ବିସ୍ତାର କରିଥିବା ହର୍ଷବର୍ଦ୍ଧନ, ଶଶାଙ୍କ ଓ ପୁଲକେଶୀଙ୍କ ସମସାମୟିକ ଥିଲେ । କଙ୍ଗୋଦ ପ୍ରଥମେ ଶଶାଙ୍କଙ୍କର ସାମନ୍ତ ରାଜ୍ୟ ଥଲା । ତାଙ୍କ ପରାଜୟ ପରେ ତାହା ହର୍ଷବର୍ଦ୍ଧନଙ୍କ ସାମନ୍ତ ରାଜ୍ୟ ହେଲା । ମାତ୍ର ଉତ୍ତର ଭାରତର ଏହି ରାଜାମାନଙ୍କ ମଧ୍ୟରେ ଲାଗିରହିଥିବା କଳହ ଓ ଯୁଦ୍ଧର ସୁଯୋଗ ନେଇ କଙ୍ଗୋଦ ଶୈଳୋଦ୍ଭବ ମାନଙ୍କର ନେତୃତ୍ୱରେ କେବେ କେବେ ସ୍ୱାଧୀନ ରାଜ୍ୟ ରୂପେ ପ୍ରତିଷ୍ଠିତ ହେବାକୁ ମଧ୍ୟ ଅବସର ପାଇଥିଲା ।

ଶୈଳୋଦ୍ଭବକାଳୀନ ଏକ ତାମ୍ରଶାସନରେ ଏହି ବଂଶର ଉତ୍ପତ୍ତି ପ୍ରସଙ୍ଗ ଏକ କିମ୍ବଦନ୍ତୀ ଭାବରେ ରହିଛି । କିମ୍ବଦନ୍ତୀ ଅନୁଯାୟୀ କଳିଙ୍ଗ ରାଜ୍ୟରୁ ଅରାଜକତା ଦୂର କରିବା ନିମନ୍ତେ ଏକଦା ରାଜା ପୁଳିନ୍ଦସେନ ଶିବ ଉପାସନା କଲେ । ଏହାର ଫଳ ସ୍ୱରୂପ ଏକ ବିଶାଳ ଶିଳା ଦ୍ୱିଖଣ୍ତିତ ହୋଇ ତହିଁରୁ ଜଣେ ରାଜପୁରୁଷ ଆବିର୍ଭୂତ ହେଲେ । ଶୈଳୋଦ୍ଭବ ନାମରେ ପରିଚିତ ଏହି ରାଜପୁରୁଷ କଙ୍ଗୋଦ ରାଜ୍ୟ ପ୍ରତିଷ୍ଠା କରି ଅରାଜକତା ଦୂର କଲେ । ଯଦି ଇତିହାସ ଦୃଷ୍ଟିରୁ କିମ୍ବଦନ୍ତୀଟିର ବିଶ୍ଳେଷଣ କରାଯାଏ, ତେବେ ଶୈଳୋଦ୍ଭବମାନେ ହେବେ ପାର୍ବତ୍ୟ ଅଞ୍ଚଳର ଅଧିବାସୀ । ଐତିହାସିକମାନେ ପୁଳିନ୍ଦ ଓ ଶୈଳଜକୁ ଶବର ପରି ମହେନ୍ଦ୍ରଗିରିର ଏକ ଆଦିବାସୀ ଜାତି ବୋଲି ଚିହ୍ନିତ କରନ୍ତି । ରାଜବଂଶଜ ନ ହେବା ସତ୍ତ୍ୱେ ସେମାନେ ରାଜ୍ୟ ଶାସନ କରିଥିବାରୁ ନିଜକୁ ଲୋକସ୍ୱୀକୃତ ତଥା ଗ୍ରହଣୀୟ କରିବାପାଇଁ ସମ୍ଭବତଃ କିମ୍ବଦନ୍ତୀର ଆଶ୍ରୟ ନେଇଥିଲେ ।

ଏହି ବଂଶର ପ୍ରତିଷ୍ଠାତା ଓ ପ୍ରଥମ ରାଜା ଶୈଳୋଦ୍ଭବଙ୍କ ସମ୍ବନ୍ଧରେ କୌଣସି ବିଶେଷ ସୂଚନା ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ । ତେଣୁ ଦ୍ୱିତୀୟ ରାଜା ପ୍ରଥମ ଧର୍ମରାଜ ରଣଭୀତଙ୍କୁ ଶୈଳୋଦ୍ଭବ ବଂଶର ପ୍ରକୃତ ପ୍ରତିଷ୍ଠାତା ରୂପେ ମାନ୍ୟତା ଦିଆଯାଏ । ଗୁପ୍ତାବ୍ଦ ୨୫୦ ବା ୫୬୯ ଖ୍ରୀଷ୍ଟାବ୍ଦରେ ତାଙ୍କଦ୍ୱାରା ପ୍ରଦତ୍ତ ସୁମଣ୍ତଳ ତାମ୍ରଶାସନରୁ ଜଣାଯାଏ ଯେ, ସେ ବିଗ୍ରହ ବଂଶର ରାଜା ପୃଥିବୀ ବିଗ୍ରହଙ୍କର ସାମନ୍ତ ରାଜା ଥିଲେ । ୬୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶୈଳୋଦ୍ଭବମାନେ ବିଗ୍ରହ ରାଜ୍ୟର ସାମନ୍ତ ଥିବାର ପ୍ରମାଣ ରହିଛି । ବିଗ୍ରହମାନଙ୍କର ପତନର ସୁଯୋଗ ନେଇ ଛରମ୍ପରାଜ ପ୍ରଥମ ଅଯଶୋଭୀତ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଶେଷରେ କଙ୍ଗୋଦକୁ ସ୍ୱାଧୀନ ଘୋଷଣା କଲେ । ସେ ପ୍ରଦାନ କରିଥିବା ନୂଆପଲ୍ଲୀ ତାମ୍ରଶାସନରୁ ଜଣାଯାଏ ଯେ, ତାଙ୍କ ସମୟରେ କଙ୍ଗୋଦରେ ପ୍ରଶାସନର ସୁବିଧା ଲାଗି ଅନେକ ସାମନ୍ତ ଓ ରାଜକର୍ମଚାରୀ ରହିଥିଲେ । ରାଜକର୍ମଚାରୀଙ୍କ ମଧ୍ୟରେ ରହିଥିଲେ ଶ୍ରୀସାମନ୍ତ, ମହାସାମନ୍ତ, ଦଣ୍ତନାୟକ, କୁମାରାମାତ୍ୟ, ଉପାରିକ ଓ ଆୟୁକ୍ତଙ୍କ । ବିଜୟ କଙ୍ଗୋଦ ବାସକ ଥିଲା ତାଙ୍କର ରାଜଧାନୀ ।

ଦ୍ୱିତୀୟ ମାଧବରାଜଙ୍କ ସମୟରେ କଙ୍ଗୋଦ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କଙ୍କର ସାମନ୍ତ ରାଜ୍ୟ ଥିଲା ବୋଲି ଗଞ୍ଜାମ ତାମ୍ର ଶାସନରୁ ଜଣାପଡେ଼ । ଶଶାଙ୍କ କୌଣସି ଯୁଦ୍ଧ ମାଧ୍ୟମରେ ନୂଆ କରି ଶୈଳୋଦ୍ଭବମାନଙ୍କୁ ପରାସ୍ତ କରିଥିବାର ପ୍ରମାଣ ନାହିଁ । ତେଣୁ ମନେହୁଏ, ବିଗ୍ରହମାନେ ଶଶାଙ୍କ ରାଜାଙ୍କର ସାମନ୍ତ ଥିଲେ ଏବଂ ଶୈଳୋଦ୍ଭବ ରାଜା ବିଗ୍ରହମାନଙ୍କ ନିୟନ୍ତ୍ରଣରୁ ସ୍ୱାଧୀନ ହୋଇ ସିଧାସଳଖ ଶଶାଙ୍କଙ୍କର 'ମହାସାମନ୍ତ' ହେବାର କ୍ଷମତା ହାସଲ କରିଥିଲେ, ଯାହା ଅନେକ କାଳ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା । ଖ୍ରୀ.୬୨୦ ପୂର୍ବରୁ ଶଶାଙ୍କ ଓଡ୍ର, ଦଣ୍ତଭୁକ୍ତି ଓ ଉତ୍କଳ ଅଧିକାର କରିଥିଲେ । ତାଙ୍କର କଙ୍ଗୋଦ ଆକ୍ରମଣ କଥା କେଉଁଠାରେ ଉଲ୍ଲେଖ ନାହିଁ । ଅନ୍ୟ ପକ୍ଷରେ ଶୈଳୋଦ୍ଭବ ରାଜା ମାଧବରାଜ ୬୨୦ ଖ୍ରୀଷ୍ଟାବ୍ଦରେ ନିଜକୁ ଶଶାଙ୍କଙ୍କର 'ମହାସାମନ୍ତ' ବୋଲି ଘୋଷଣା କରିଛନ୍ତି । ଏହାର ଅର୍ଥ ହେବ, କଙ୍ଗୋଦ ପୂର୍ବରୁ ଶଶାଙ୍କଙ୍କର ଅଧିକାରଭୁକ୍ତ ଥିଲା । ଖ୍ରୀ ୬୨୫ରେ ଶଶାଙ୍କଙ୍କର ମୃତ୍ୟୁ ପରେ ମାଧବରାଜ ନିଜକୁ ସ୍ୱାଧୀନ ଘୋଷଣା କଲେ । ଅଶ୍ୱମେଧ ଯଜ୍ଞ ଆୟୋଜନ କରି ନିଜକୁ ସକଳ କଳିଙ୍ଗାଧିପତି ବୋଲି ନାମିତ କଲେ । ମାତ୍ର ୬୪୨ରେ ହର୍ଷବର୍ଦ୍ଧନ କଙ୍ଗୋଦ ଅଧିକାର କରି ପୁନଶ୍ଚ ଶୈଳୋଦ୍ଭବ ମାନଙ୍କୁ ସାମନ୍ତ ପଦରେ ରଖିଲେ । ୬୪୭ରେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପରେ ଶୈଳୋଦ୍ଭବମାନେ ପୁନର୍ବାର ନିଜକୁ ସ୍ୱାଧୀନ ଘୋଷଣା କଲେ ।

ଶୈଳୋଦ୍ଭବମାନଙ୍କ ସମୟରେ ଜ୍ୟେଷ୍ଠାଧିକାର ନିୟମ ରହିଥିଲା, ମାତ୍ର କନିଷ୍ଠ ମାଧବ ରାଜ ନାମକ ଜଣେ ଶୈଳୋଦ୍ଭବ ରାଜା ତାକୁ ଉଲ୍ଲଙ୍ଘନ କରିଥିବାର ନଜିର ମଧ୍ୟ ରହିଛି । ଶୈଳୋଦ୍ଭବମାନେ ବ୍ରାହ୍ମଣ୍ୟଧର୍ମର ପୃଷ୍ଠପୋଷକ ଥିଲେ, ଯଦିଓ ସେତେବେଳକୁ କଳିଙ୍ଗରେ ବୌଦ୍ଧ ଓ ଜୈନ ଧର୍ମର ପ୍ରସାର ଊଣା ନଥିଲା । ରାଜା ଦ୍ୱିତୀୟ ଧର୍ମରାଜଙ୍କ ରାଣୀ ରାଜାଙ୍କ ବିପରୀତ ଜୈନ ଧର୍ମର ପୃଷ୍ଠପୋଷକତା କରିଥିବାର ଉଲ୍ଲେଖ ରହିଛି । ଏଥିରୁ ମନେହୁଏ ଯେ, ଧର୍ମ ଆଧାରରେ ଲୋକେ ନିଜକୁ ଭାଗ ଭାଗ କରୁ ନଥିଲେ ଏବଂ ଗୋଟିଏ ପରିବାରରେ ମଧ୍ୟ ଏକାଧିକ ଧର୍ମର ପ୍ରବେଶ ରହିଥିଲା । ରାଜ୍ୟ ବିସ୍ତାରପାଇଁ ଶୈଳୋଦ୍ଭବମାନେ ଅଶ୍ୱମେଧ ଓ ବାଜପେୟ ଯଜ୍ଞକୁ ମାଧ୍ୟମ କରିଥିବାର ଉଦାହରଣ ରହିଛି । ଯେଉଁ ରାଜା ବଶ୍ୟତା ସ୍ୱୀକାର କରିବାକୁ ଅନିଚ୍ଛୁକ ଥିଲେ କେବଳ ସେହି ରାଜାଙ୍କ ବିରୁଦ୍ଧରେ ଯଜ୍ଞର ଆୟୋଜକ ବା ରାଜ୍ୟ ବିସ୍ତାରପାଇଁ ଆଗ୍ରହୀ ରାଜା ଯୁଦ୍ଧ କରୁଥିଲେ । ବଶ୍ୟତା ସ୍ୱୀକାର କରି କେତେକ ରାଜା ସାମନ୍ତ ସ୍ତରକୁ ଅବନୀତ ହେଉଥିବା ବେଳେ ଯଜ୍ଞ ଆୟୋଜନ କରି ଅନ୍ୟ କେତେକ ରାଜା ବିଶାଳ ସାମ୍ରାଜ୍ୟର ଅଧିକାରୀ ହେଉଥିଲେ । ସାମନ୍ତ ରାଜା ଉପରିସ୍ଥ ରାଜାକୁ ଉପହାର, ଭେଟି ଆଦି ଦେଇ ନିଜ କ୍ଷେତ୍ରରେ କର୍ତ୍ତୃତ୍ୱ ବଜାୟ ରଖୁଥିଲେ । ଏହିଭଳି ଭାବେ ସ୍ତରକୁ ସ୍ତର ହୋଇ ରାଜାମାନଙ୍କ ମଧ୍ୟରେ ଏକ ସାମନ୍ତୀ ସମ୍ବନ୍ଧ ଗଢ଼ି ଉଠୁଥିଲା । ଶୈଳୋଦ୍ଭବ ଶାସନ ସମୟର ଓଡ଼୍ର ଓ କଙ୍ଗୋଦରେ ଏହା ପରିଲକ୍ଷିତ ହୁଏ ।

ଶୈଳୋଦ୍ଭବ ଶାସନ କାଳର ଏକ ବଡ଼ ଐତିହାସିକ ଘଟଣା ହେଲା ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂଙ୍କ ଓଡ଼ିଶା ଭ୍ରମଣ । ହୁଏନସାଂ ସମ୍ଭବତଃ ୬୩୯ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଓଡ୍ର, କଳିଙ୍ଗ, କଙ୍ଗୋଦ ଓ କୋଶଳ ରାଜ୍ୟ ଭ୍ରମଣ କରିଥିଲେ । ତାଙ୍କ ବିବରଣୀରେ ଏହାର ଉଲ୍ଲେଖ ରହିଛି । ଓଡ୍ର, ଯାହାକୁ ସେ ୟୁ ଚା ବୋଲି ଲେଖିଛନ୍ତି, ତାହା ସେତେବେଳେ ହର୍ଷବର୍ଦ୍ଧନଙ୍କ ନିୟନ୍ତ୍ରଣରେ ଥିଲା। ହର୍ଷବର୍ଦ୍ଧନଙ୍କଦ୍ୱାରା ନିଯୁକ୍ତ ଜଣେ ସାମରିକ ଅଧିକାରୀ ଏହାର ପ୍ରଶାସନ ଦାୟିତ୍ୱରେ ରହିଥିଲେ। ବର୍ତ୍ତମାନ ବଙ୍ଗର ମେଦିିନିପୁର ଓ ଓଡ଼ିଶାର ଉପକୂଳ ଜିଲ୍ଲା ବାଲେଶ୍ୱର, କଟକ ଓ ପୁରୀର କିଛି ଅଂଶକୁ ନେଇ ଓଡ୍ର ରାଜ୍ୟ ଗଠିତ ହୋଇଥିଲା।

ହୁଏନ୍‍ସାଂ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଓଡ୍ର ଅଞ୍ଚଳର ଲୋକଙ୍କର ବର୍ଣ୍ଣ ଶ୍ୟାମଳ,ଆକୃତି ଦୀର୍ଘ ଓ ସ୍ୱଭାବ ଉଗ୍ର ଥିଲା। ସେମାନଙ୍କ ଭାଷା ଓ ଭାବ ମଧ୍ୟ-ଭାରତରୁ ଭିନ୍ନ ଥିଲା। ରାଜ୍ୟରେ ମହାଯାନ ବୌଦ୍ଧଙ୍କର ପ୍ରଭାବ ରହିଥିଲା। ପ୍ରାୟ ଶହେଟି ବୌଦ୍ଧ ବିହାରରେ ଅନ୍ୟୂନ ଦଶ ହଜାର ବୌଦ୍ଧ ଭିକ୍ଷୁ ରହିଥିଲେ। ଅନେକ ମନ୍ଦିର ଏହି ରାଜ୍ୟରେ ରହିଥିବାର ହୁଏନ୍‍ସାଂ ଲେଖିଛନ୍ତି। ବିବରଣୀରେ ପୁଷ୍ପଗିରି (ପୁସି ପୋକିଲି)ର ଉଲ୍ଲେଖ ରହିଛି- ଯାହା ବୌଦ୍ଧବିହାର ଭାବରେ ଖୁବ୍‍ ପ୍ରସିଦ୍ଧି ଅର୍ଜନ କରିଥିଲା। ଏହା ବ୍ୟତୀତ ହୁଏନସାଂ ଓଡ୍ର ରାଜ୍ୟର ଦକ୍ଷିଣ-ପଶ୍ଚିମ ଉପକୂଳରେ 'ଚେଲିତାଲୋ' ନାମକ ଏକ ସହର ଥିବାର ବର୍ଣ୍ଣନା କରିଛନ୍ତି। ଏହା ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଐତିହାସିକମାନେ ଏହି ସହରକୁ 'ଶ୍ରୀକ୍ଷେତ୍ର' ପୁରୀ ସହ ଚିହ୍ନିତ କରନ୍ତି।

କଙ୍ଗୋଦକୁ 'କଙ୍ଗୟୋ ତୋ' ବୋଲି ଉଲ୍ଲେଖ କରି ହୁଏନ୍‍ସାଂ ଲେଖିଛନ୍ତି ଏହା ଏକ ପାର୍ବତ୍ୟ ରାଜ୍ୟ ଥିଲା। ଲୋକଙ୍କର ବର୍ଣ୍ଣ ଶ୍ୟାମଳ ଏବଂ ସ୍ୱଭାବ ପରାକ୍ରମୀ ଥିବାର ଉଲ୍ଲେଖ ରହିଛି। କଙ୍ଗୋଦର ଲୋକେ ବ୍ୟବହାର କରୁଥିବା ଲିପି ଓ ମଧ୍ୟ-ଭାରତର ଲିପି ମଧ୍ୟରେ ପାର୍ଥକ୍ୟ ନଥିଲେ ମଧ୍ୟ, ଶୈଳୀରେ ପାର୍ଥକ୍ୟ ରହିଥିଲା। ହୁଏନ୍‍ସାଂଙ୍କ ଅନୁଯାୟୀ କଙ୍ଗୋଦରେ ବୌଦ୍ଧଧର୍ମ ଅବକ୍ଷୟଗାମୀ ଥିଲା। ମାତ୍ର ରାଜ୍ୟରେ ଶତାଧିକ ହିନ୍ଦୁ ଦେବଦେବୀ ମନ୍ଦିର ରହିଥିଲା ଓ ପ୍ରାୟ ଦଶ ହଜାର ଜୈନ ସନ୍ୟାସୀ ରହିଥିଲେ। ବ୍ୟବସାୟୀମାନେ କଉଡ଼ିକୁ ବିିନିମୟର ମାଧ୍ୟମ ରୂପେ ବ୍ୟବହାର କରୁଥିଲେ। କଙ୍ଗୋଦରେ ଉଚ୍ଚକୋଟୀର ହସ୍ତୀ ରହିଥିଲେ - ଯାହାକୁ ବାହାର ରାଜ୍ୟଗୁଡ଼ିକ କଙ୍ଗୋଦରୁ ଆମଦାନୀ କରୁଥଲେ।

କି ଲିଙ୍ଗ କିଆ (କଳିଙ୍ଗ) ଭ୍ରମଣ କରି ହୁଏନ୍‍ସାଂ ଲେଖିଛନ୍ତି ଯେ କଙ୍ଗୋଦ ପରି କଳିଙ୍ଗ ରାଜ୍ୟର ରାଜାମାନେ ମଧ୍ୟ ଉଚ୍ଚକୋଟୀର ହସ୍ତୀ ରପ୍ତାନି କରୁଥିଲେ। ଲୋକଙ୍କର ଭାଷା ମଧ୍ୟଭାରତରେ ପ୍ରଚଳିତ ଭାଷାଠାରୁ ପୃଥକ ଥିଲା। ଶତାଧିକ ଦେବମନ୍ଦିର ସହିତ କଳିଙ୍ଗରେ ଅନେକ ବୌଦ୍ଧ ବିହାର ରହିଥିବା କଥା ବିବରଣୀରେ ଉଲ୍ଲେଖ ଅଛି।

କଳିଙ୍ଗରୁ ହୁଏନ୍‍ସାଂ କୋଶଳ ରାଜ୍ୟକୁ ଭ୍ରମଣ କରିଥିଲେ ବୋଲି ବିଶ୍ୱାସ କରାଯାଏ। କୋଶଳରେ ସେତେବେଳେ ଶରଭପୁରୀୟ ବଂଶ ଶାସନ କରୁଥିଲେ। ଆଧୁିନିକ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ରାୟପୁର ଓ ବିଳାସପୁର ଅଞ୍ଚଳ କୋଶଳର ଅନ୍ତର୍ଭୁକ୍ତ ଥିଲା। ମହାଯାନପନ୍ଥୀଙ୍କର ରାଜ୍ୟରେ ପ୍ରଭାବ ରହିଥିଲା। କୋଶଳରେ ଶତାଧିକ ବୌଦ୍ଧ ବିହାର ରହିଥିବା କଥା ହୁଏନ୍‍ସାଂ ଲେଖିଛନ୍ତିି। 'ପୋଲୋମଲୋକିଲି' (ପରିମଳଗିରି)ଠାରେ ଏକ ବୃହତ୍‍ ବୌଦ୍ଧ ବିହାର ରହିଥିବା କଥା ବିବରଣୀରେ କୁହାଯାଇଛି। ଆଧୁନିକ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତାଞ୍ଚଳକୁ ପରିମଳ ଗିରି ବୋଲି ଐତିହାସିକମାନେ ଚିହ୍ନିତ କରନ୍ତି। ବୌଦ୍ଧ ବିହାର ବ୍ୟତୀତ ଅନେକ ସଂଖ୍ୟାରେ ଦେବମନ୍ଦିର ମଧ୍ୟ ରାଜ୍ୟରେ ରହିଥିବା କଥା ବିବରଣୀରେ କୁହାଯାଇଛି। କୋଶଳରୁ ହୁଏନ୍‍ସାଂ ଆନ୍ଧ୍ର ଅଭିମୁଖେ ଯାତ୍ରା କରିଥିଲେ ବୋଲି ବିଶ୍ୱାସ କରାଯାଏ।

ହୁଏନ୍‍ସାଂଙ୍କ ବିବରଣୀରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ସେତେବେଳେ ଓଡ଼ିଶାର ବିଭିନ୍ନ ରାଜ୍ୟ ତଥା ଓଡ୍ର, କଳିଙ୍ଗ ଓ କଙ୍ଗୋଦରେ ବ୍ୟବହୃତ ହେଉଥିବା ଭାଷା ମଧ୍ୟ-ଭାରତରୁ ପୃଥକ ଥିଲା। ଯଦିଓ ଏହି ତିିନି ରାଜ୍ୟରେ ବ୍ୟବହୃତ ଭାଷା ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଥିଲା, କୌଣସିଠାରେ ତା'ର ଉଲ୍ଲେଖ ନାହିଁ; ଭାଷା ଭିତ୍ତିରେ ଓଡ଼ିଶାର ରାଜ୍ୟଗୁଡ଼ିକ ଏକ ସ୍ୱତନ୍ତ୍ର ପରିଚୟ ରଖୁଥିଲେ। ତେଣୁ, ଅନେକ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିବା ସତ୍ତ୍ୱେ ବାହାର ଅଞ୍ଚଳରେ କଳିଙ୍ଗ ଗୋଟିଏ ଅଞ୍ଚଳ ବୋଲି ପରିଗଣିତ ହେଉଥିଲା। ଏହି ଆଧାରରେ ଶୈଳୋଦ୍ଭବ ରାଜାମାନେ ଏବଂ ତାଙ୍କ ପୂର୍ବରୁ ଅନ୍ୟ ରାଜାମାନେ ନିଜକୁ 'ସକଳ କଳିଙ୍ଗାଧିପତି' ନାମରେ ପରିଚୟ ଦେବାରେ ଗୌରବ ଅନୁଭବ କରୁଥିଲେ।

ଅଷ୍ଟମ ଶତାବ୍ଦୀର ଆରମ୍ଭରେ ଶୈଳୋଦ୍ଭବ ଶାସନର ପତନ ହେଲା। ଭୌମକର ବଂଶର ରାଜା ପ୍ରଥମ ଶିବକର ଦେବ ଉନ୍ମତ୍ତ କେଶରୀ ସେମାନଙ୍କୁ କଙ୍ଗୋଦରୁ ବିତାଡ଼ିତ କଲେ। ରାଜ୍ୟରୁ ବିତାଡ଼ିତ ହେବା ପରେ ଅଲ୍ଲପରାଜ ନାମକ ଜଣେ ଶୈଳୋଦ୍ଭବଙ୍କୁ ନସୁଣ୍ତା ପର୍ବତରେ ଅଭିଷେକ କରାଯାଇଥିଲା। ଅର୍ଥାତ୍‍ ଶୈଳୋଦ୍ଭବମାନେ ଭୌମକର ବଂଶର ଉଦୟ ପରେ ପୁଣି ପାର୍ବତ୍ୟ ଅଞ୍ଚଳକୁ ଚାଲି ଯାଇଥିବାର ଅନୁମାନ କରାଯାଏ।

...