Jump to content

ଓଡ଼ିଶା ଇତିହାସ/ମଗଧ ଓ କଳିଙ୍ଗ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ମଗଧ ଓ କଳିଙ୍ଗ

ମଗଧ ଓ କଳିଙ୍ଗ

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ପୂର୍ବରୁ ଓଡ଼ିଶାର କୌଣସି କାଳାନୁକ୍ରମିକ ଲିଖିତ ଇତିହାସ (Dated History) ଏ ପର୍ଯ୍ୟନ୍ତ ମିଳିନାହିଁ । କଳିଙ୍ଗକୁ ଯେହେତୁ ଓଡ଼ିଶାର ପୂର୍ବ ନାମ ଭାବରେ ଗ୍ରହଣ କରାଯାଏ, ଖ୍ରୀଷ୍ଟପୂର୍ବ ୨୬୧ରେ ସଂଘଟିତ କଳିଙ୍ଗଯୁଦ୍ଧ ସମୟରୁ ଓଡ଼ିଶାର ଇତିହାସକୁ କାଳର କ୍ରମ ଅନୁସାରେ ବର୍ଣ୍ଣନା କରିହୁଏ । ମଗଧର ସମ୍ରାଟ ଅଶୋକ ଏହି ସମୟରେ କଳିଙ୍ଗ ଆକ୍ରମଣ କରି ତାକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ଯୁଦ୍ଧ ପରେ ଅଶୋକ ଯେଉଁ ଅନୁଶାସନଗୁଡ଼ିକ ଲିପିବଦ୍ଧ କରି ଯାଇଥିଲେ, ତାକୁ ଆଧାର କରି ତତ୍‍କାଳୀନ ଓଡ଼ିଶା ବା କଳିଙ୍ଗର ଇତିହାସ ରଚନା କରାଯାଏ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଖାରବେଳଙ୍କ ସମୟରେ ଲିଖିତ ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ, ଅଶୋକଙ୍କ ପୂର୍ବରୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ହିଁ କଳିଙ୍ଗ ସହ ମଗଧର ଯୁଦ୍ଧ ମାଧ୍ୟମରେ ସମ୍ବନ୍ଧ ସ୍ଥାପିତ ହୋଇସାରିଥିଲା । ଖ୍ରୀଷ୍ଟପୂର୍ବ ୩୬୭ରୁ ୩୨୪ ମଧ୍ୟରେ ମଗଧରେ ନନ୍ଦବଂଶର ଶାସନ ଥିଲା ଏବଂ ଏହି ବଂଶର ମହାପଦ୍ମନନ୍ଦ ନାମରେ ଜଣେ ଶାସକ କଳିଙ୍ଗ ବିଜୟ କରିଥିଲେ । ଅଭିଲେଖ ଅନୁଯାୟୀ ସେ ଯୁଦ୍ଧ ଜୟ ପରେ କଳିଙ୍ଗରୁ ନେଇ ଯାଇଥିବା ଜୀନ ପ୍ରତିମାକୁ ଖାରବେଳ ପୁନରୁଦ୍ଧାର କରିଥିଲେ । ଶିଳାଲେଖରେ ଏକଥା ମଧ୍ୟ ଉଲ୍ଲେଖ ଅଛି ଯେ, ନନ୍ଦରାଜା କଳିଙ୍ଗରେ ଏକ କେନାଲ୍‍ ଖୋଦନ କରିଥିଲେ, ଯାହାକୁ ଖାରବେଳ ନିଜ ରାଜତ୍ୱ କାଳରେ ସଂପ୍ରସାରିତ କରିଥିଲେ । ଏହି ଅଭିଲେଖର ତଥ୍ୟ ଆଧାରରେ ଯୁକ୍ତି କରିହେବ ଯେ ନନ୍ଦ ରାଜା କଳିଙ୍ଗ ବିଜୟ ପରେ କୃଷିର ଉନ୍ନତି ପ୍ରତି ଦୃଷ୍ଟି ଦେଇଥିଲେ । ଅଶୋକଙ୍କ ପୂର୍ବରୁ ମଧ୍ୟ ଥରେ କଳିଙ୍ଗରାଜ୍ୟ ମଗଧର କର୍ତ୍ତୃତ୍ୱାଧୀନ ହୋଇଥିବା କଥା ହାତୀଗୁମ୍ଫା ଶିଳାଲେଖ ବ୍ୟତୀତ ଅନ୍ୟ କୌଣସି ଐତିହାସିକ ଦସ୍ତାବିଜରେ ନାହିଁ । ତେଣୁ କେତେକ ଐତିହାସିକ (ଯଥା - ବି.ଏମ୍‍.ବରୁଆ) ହାତୀଗୁମ୍ଫା ଶିଳାଲେଖବର୍ଣ୍ଣିିତ ନନ୍ଦରାଜାଙ୍କୁ ସମ୍ରାଟ ଅଶୋକ ବୋଲି ଚିହ୍ନିତ କରନ୍ତି । ମାତ୍ର ଅନ୍ୟ କେତେକ ଐତିହାସିକ (ଯଥା- ନବୀନ କୁମାର ସାହୁ) ଯୁକ୍ତି ବାଢ଼ନ୍ତି ଯେ ଅଶୋକଙ୍କ ପୂର୍ବରୁ ନନ୍ଦ ଶାସନ ସମୟରେ କଳିଙ୍ଗ ଥରେ ମଗଧର କର୍ତ୍ତୃତ୍ୱାଧୀନ ହୋଇଥିଲା । କଳିଙ୍ଗଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହେଲେ ଏବଂ ଯୁଦ୍ଧ, ଲୁଣ୍ଠନ ଆଦିରୁ ଦୂରେଇ ରହିଲେ । ତେଣୁ, କଳିଙ୍ଗରୁ ସେ ଜୀନ ମୂର୍ତ୍ତି ଲୁଣ୍ଠନ କରିବା କଥା ଗ୍ରହଣଯୋଗ୍ୟ ମନେହୁଏ ନାହିଁ । ଅନ୍ୟ ପକ୍ଷରେ ଅଶୋକଙ୍କ ପୂର୍ବକାଳୀନ ନନ୍ଦ ବଂଶର ଶାସକମାନେ ଜୈନ ଧର୍ମାବଲମ୍ବୀ ଥିଲେ ବୋଲି ପ୍ରମାଣ ରହିଛି । ତେଣୁ, ନନ୍ଦ ରାଜାଙ୍କଦ୍ୱାରା ଜୀନ ମୂର୍ତ୍ତି କଳିଙ୍ଗରୁ ଲୁଣ୍ଠିତ ହେବା କଥା ଅସଂଭବ ପ୍ରତୀତ ହୁଏ ନାହିଁ । ନିଜେ ଖାରବେଳ ଯେହେତୁ ଜୈନଧର୍ମ ପ୍ରତି ଆକୃଷ୍ଟ ଥିଲେ, ସେହି ଲୁଣ୍ଠିତ ଜୀନ ମୂର୍ତ୍ତିକୁ ଫେରାଇ ଆଣିବା କଥା ଯୁକ୍ତିିନିଷ୍ଠ ଲାଗେ । ସେ ଯାହାହେଉ, କଳିଙ୍ଗରେ ନନ୍ଦଶାସନ ସମ୍ବନ୍ଧରେ ଅନ୍ୟ କୌଣସି ଐତିହାସିକ ତଥ୍ୟ ନାହିଁ । ତେଣୁ, ତା'ର ମହତ୍ତ୍ୱକୁ ନେଇ ବିଶେଷ ଆଲୋଚନାର କୌଣସି ଅବସର ନଥିବା ମନେହୁଏ । ଯଦିବା ନନ୍ଦରାଜା କଳିଙ୍ଗ ଅଧିକାର କରିଥିଲେ, ତା'ର ଅବଧି ବିଶେଷ ନଥିଲା ଏବଂ ଅଶୋକଙ୍କ ରାଜତ୍ୱ ଆରମ୍ଭ ହେବା ବେଳକୁ କଳିଙ୍ଗ ରାଜ୍ୟ ମଗଧ କର୍ତ୍ତୃତ୍ୱରୁ ସ୍ୱାଧୀନ ହୋଇ ସାରିଥିଲା । ଅନ୍ୟଥା, ଅଶୋକଙ୍କ ସମୟରେ କଳିଙ୍ଗ ଆକ୍ରମଣର ଆବଶ୍ୟକତା ପଡ଼ି ନଥାନ୍ତା । ସିଂହାସନ ଆରୋହଣ କରିବାର ଅଷ୍ଟମ ବର୍ଷରେ ଅର୍ଥାତ୍‍ ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକ କଳିଙ୍ଗ ଆକ୍ରମଣ କଲେ । ସେତେବେଳେ ରାଜାମାନଙ୍କର ରାଜ୍ୟଜୟ କରିବା ଏକ ପ୍ରମୁଖ କାର୍ଯ୍ୟ ଥିଲା । ଏହା ସେମାନଙ୍କପାଇଁ ଗୌରବ ଆଣିବା ସହିତ ଏକକାଳୀନ ଧନସମ୍ପତ୍ତି ପାଇବାରେ ମଧ୍ୟ ସାହାଯ୍ୟ କରୁଥିଲା । ପ୍ରାୟ କ୍ଷେତ୍ରରେ ବିଜିତ ରାଜ୍ୟର ରାଜା ବିଜୟୀ ରାଜ୍ୟର ବଶ୍ୟତା ସ୍ୱୀକାର କରି ଏବଂ ଏକକାଳୀନ ମୂଲ୍ୟବାନ ଭେଟି, ଉପହାର ଓ କର ଆଦି ପ୍ରଦାନ କରି ପୁନର୍ବାର ରାଜ୍ୟ ଶାସନ କରୁଥିଲେ । ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସମୟରୁ ମୌର୍ଯ୍ୟ ସେନା ଖୁବ୍‍ ବିଶାଳ ଥିଲା । ପ୍ଳିନିଙ୍କ ମତାନୁସାରେ ଚନ୍ଦ୍ରଗୁପ୍ତଙ୍କ ସେନାବାହିନୀରେ ଛଅ ଲକ୍ଷ ପଦାତିକ ସୈନ୍ୟ, ତିରିଶ ହଜାର ଅଶ୍ୱାରୋହୀ ଓ ତିନି ହଜାର ହସ୍ତୀ ରହିଥିଲେ । ଏତେ ବିଶାଳ ସେନାକୁ ବିନିଯୋଗ କରିବା ସକାଶେ ତଥା ସେନାର ଖର୍ଚ୍ଚ ଭରଣା କରିବାଲାଗି ମୌର୍ଯ୍ୟ ସମ୍ରାଟଙ୍କ ପାଇଁ ଯୁଦ୍ଧ ଓ ରାଜ୍ୟ ଜୟ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା । ଦ୍ୱିତୀୟତଃ, ମୌର୍ଯ୍ୟ ଶାସନ ତା'ର ବ୍ୟାପକ ପ୍ରାଶାସନିକ ବ୍ୟବସ୍ଥାପାଇଁ ମଧ୍ୟ ପ୍ରସିଦ୍ଧ ଥିଲା । ଅନେକ ସଂଖ୍ୟକ କର୍ମଚାରୀଙ୍କ ଖର୍ଚ୍ଚ ଭରଣା ସକାଶେ ଅର୍ଥର ନିରନ୍ତର ଆବଶ୍ୟକତା ରହୁଥିଲା । ଅର୍ଥାତ୍‍ ରାଜ୍ୟଜୟ ଜରୁରି ହୋଇଥିଲା । ସେତେବେଳକୁ ଭାରତର ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଗଧ ସାମ୍ରାଜ୍ୟରେ ସାମିଲ ହୋଇ ସାରିଥିବା ବେଳେ କଳିଙ୍ଗ ସ୍ୱାଧୀନ ରହିବା ସମ୍ରାଟ ଅଶୋକଙ୍କପାଇଁ ଅସହ୍ୟ ହେବା ସ୍ୱାଭାବିକ । ଏତଦ୍‍ବ୍ୟତୀତ ସମୁଦ୍ର ପଥରେ ବାଣିଜ୍ୟ ସକାଶେ ଆବଶ୍ୟକ ଅନେକ ପୋତାଶ୍ରୟ କଳିଙ୍ଗର ଅଧିକାରରେ ଥିଲା, ଯାହା ମଗଧପାଇଁ ଈର୍ଷାର କାରଣ ହେଲା । ମନେହୁଏ, ସ୍ଥଳ ପଥରେ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ କଳିଙ୍ଗର ଅବସ୍ଥିତି ମଧ୍ୟ କଳିଙ୍ଗ ଯୁଦ୍ଧର ଅନ୍ୟ ଏକ ପ୍ରମୁଖ କାରଣ ଥିଲା । କଳିଙ୍ଗ ଅଧିକାର କଲେ ମଗଧରୁ ଦକ୍ଷିଣ ଭାରତ ସହିତ ଅବାଧରେ ବାଣିଜ୍ୟ କାରବାରର ସମ୍ଭାବନା ରହିଥିଲା । ଅଶୋକଙ୍କ କଳିଙ୍ଗ ଆକ୍ରମଣକୁ ନେଇ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଧୀବରକୁଳ ମଧ୍ୟରେ ଏକ କିମ୍ବଦନ୍ତୀ ପ୍ରଚଳିତ ଅଛି । କିମ୍ବଦନ୍ତୀ ଅନୁଯାୟୀ ଅଶୋକ ଜଣେ ଧୀବର କନ୍ୟା କାରୁବାକୀକୁ ବିବାହ କରିବାକୁ ଚାହୁଁଥିଲେ; ମାତ୍ର କଳିଙ୍ଗର ରାଜକୁମାରଙ୍କ ସହିତ କାରୁବାକୀଙ୍କ ବିବାହ ହେବାରୁ କଳିଙ୍ଗ ଓ ମଗଧ ମଧ୍ୟରେ ଶତ୍ରୁତା ଜନ୍ମିଲା, ଯାହାର ପରିଣତି ହେଲା କଳିଙ୍ଗ ଯୁଦ୍ଧ । କିନ୍ତୁ ବ୍ୟାପକ ଅର୍ଥନୈତିକ ଓ ସାମାଜିକ କାରଣ ବିନା ଏତେ ବିଶାଳ ସୈନ୍ୟବାହିନୀ ନେଇ କୌଣସି ରାଜା ଯୁଦ୍ଧ ଡାକରା ଦେଇ ନପାରନ୍ତି । ଯୁଦ୍ଧ ପରେ ହୁଏତ ସେତେବେଳର ପରମ୍ପରା ଅନୁଯାୟୀ ରାଜା କଳିଙ୍ଗରୁ କାରୁବାକୀଙ୍କୁ ନେଇ ବିବାହ କରିଥାଇ ପାରନ୍ତି । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ କାରୁବାକୀ କିମ୍ବଦନ୍ତୀ ଅଶୋକଙ୍କ ବହୁତ ପରେ ଆରମ୍ଭ ହୋଇଛି ଏବଂ ଏହାର ସତ୍ୟାସତ୍ୟକୁ ନେଇ ସନ୍ଦେହ କରିବାର ଯଥେଷ୍ଟ ଅବକାଶ ରହିଛି । ଅନେକ ସମୟରେ ଜାତିର ଗୌରବ ବୃଦ୍ଧି ଆଶାରେ କିମ୍ବଦନ୍ତୀମାନ ସୃଷ୍ଟି ହୋଇଥାଏ । ଏ କ୍ଷେତ୍ରରେ ମଧ୍ୟ ବିଶାଳ ମଗଧ ରାଜପରିବାର ଓ ମହାନ ସମ୍ରାଟ ଅଶୋକଙ୍କ ସହ ଧୀବରକୁଳର ବୈବାହିକ ବନ୍ଧନ ସ୍ଥାପନ କରି କିମ୍ବଦନ୍ତୀଟି ସେଭଳି ଏକ ଉଦ୍ଦେଶ୍ୟ ପୂରଣ କରୁଛି ବୋଲି ମନେ କରିବା ଅସ୍ୱାଭାବିକ ନୁହେଁ ।

ଅଶୋକଙ୍କ ତ୍ରୟୋଦଶ ଅନୁଶାସନରେ କଳିଙ୍ଗ ଯୁଦ୍ଧର ପରିଣତି ସମ୍ବନ୍ଧରେ ଉଲ୍ଲେଖ ରହିଛି । ଏହା ଅନୁଯାୟୀ, ଯୁଦ୍ଧରେ ଏକଲକ୍ଷ କଳିଙ୍ଗ ଲୋକଙ୍କର ମୃତ୍ୟୁ ହେଲା ଓ ଦେଢ଼ ଲକ୍ଷ ଲୋକଙ୍କୁ ଆହତ ଅବସ୍ଥାରେ ଯୁଦ୍ଧ ବନ୍ଦୀ ରୂପେ ନିଆଗଲା । ଏହି ସଂଖ୍ୟାରେ ଅନେକ ଅତିରଞ୍ଜନ ରହିଛି ବୋଲି କେତେକ ଐତିହାସିକ କହିଥାନ୍ତି । ଯୁଦ୍ଧରେ ବହୁ ସଂଖ୍ୟାରେ ଲୋକଙ୍କର ହତାହତ ହେବା ହୁଏତ ସତ୍ୟ, ମାତ୍ର ମୃତାହତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ କରି ଲକ୍ଷେ ଓ ଦେଢ଼ ଲକ୍ଷ ବୋଲି କହିବା ଅତିରଞ୍ଜନ ମନେହୁଏ । ଏକ ରୂଢ଼ି ଭାବରେ ଅନୁଶାସନରେ ହୁଏତ 'ଲକ୍ଷ' ଶବ୍ଦକୁ ବ୍ୟବହାର କରାଯାଇଛି ।

ଏକଥା ଅନସ୍ୱୀକାର୍ଯ୍ୟ ଯେ କଳିଙ୍ଗ ଯୁଦ୍ଧର ଭୟାବହତା ଅଶୋକଙ୍କୁ ଚଣ୍ତାଶୋକରୁ ଧର୍ମାଶୋକରେ ପରିଣତ କଲା । ଏଣିକି ରଣଭେରୀ ବଦଳରେ ଅଶୋକଙ୍କ ନେତୃତ୍ୱରେ ଧର୍ମଭେରୀ ବାଜିଲା । ଯୁଦ୍ଧ ପରେ ମଗଧ ହିଂସା ଓ ଆକ୍ରମଣାତ୍ମକ ନୀତି ପରିହାର କଲା ଏବଂ ଅଶୋକ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଶାନ୍ତି, ଅହିଂସା, ପ୍ରେମ, କରୁଣା ଓ ମାନବିକତା ମାଧ୍ୟମରେ ହୃଦୟ ଜୟ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କଲେ । କଳିଙ୍ଗଯୁଦ୍ଧ ଅଶୋକଙ୍କ ଜୀବନର ପ୍ରଥମ ଓ ଶେଷ ଯୁଦ୍ଧ ଥିଲା । ଯୁଦ୍ଧରେ ବ୍ରାହ୍ମଣ, ଶ୍ରମଣ ତଥା ନିରୀହ ନାଗରିକମାନେ ଯେଉଁ ପରି ଭାବରେ ମୃତାହତ ହେଲେ, ତାହା ଅଶୋକଙ୍କୁ ଦାରୁଣ ଭାବରେ ବ୍ୟଥିତ କଲା । ପ୍ରଜାମାନଙ୍କର ନୈତିକ ଓ ସାମାଜିକ କଲ୍ୟାଣ ନିମନ୍ତେ ସେ ଧର୍ମର ପ୍ରସାର କଲେ, ଯାହା ଅଶୋକଙ୍କ ଧର୍ମ୍ମ(ଧର୍ମ) ବୋଲି ଇତିହାସରେ ପରିଚିତ । ତାଙ୍କରି ପୃଷ୍ଠପୋଷକତାରେ ବୌଦ୍ଧଧର୍ମ ଦକ୍ଷିଣ-ପୂର୍ବ ଏସିଆ, ମିଶର, ଗ୍ରୀସ୍‍ ପ୍ରଭୃତି ଦେଶରେ ବହୁଳ ଭାବେ ପ୍ରସାରଲାଭ କଲା । ସେ କଳିଙ୍ଗର ପ୍ରଜାମାନଙ୍କୁ ପୁତ୍ର ତୁଲ୍ୟ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦେଲେ । ମଗଧର ପ୍ରତ୍ୟକ୍ଷ ଶାସନ ବାହାରେ ରହିଥିବା ପାର୍ବତ୍ୟ ଅଞ୍ଚଳର ଆଦିବାସୀମାନଙ୍କୁ ସେ 'ଧମ୍ମ' (ଧର୍ମ) ପାଳନ କରିବାକୁ ପରାମର୍ଶ ଦେଲେ । ପ୍ରଶାସନରେ ଧର୍ମ ମହାମାତ୍ର (ଅଧିକାରୀ) ନିଯୁକ୍ତ କରି ସେମାନଙ୍କୁ ଶାନ୍ତିର ଆଦର୍ଶ ପ୍ରଚାର କରିବାକୁ ବିଭିନ୍ନ ଦେଶକୁ ପ୍ରେରଣ କଲେ । ସେ ପ୍ରଜାଙ୍କୁ ପିତୃ ତୁଲ୍ୟ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦେବା ସହିତ ଅନ୍ୟ ପ୍ରାଣୀମାନଙ୍କ ପ୍ରତି ମଣିଷ ଦୟାପରବଶ ହେବାପାଇଁ ନିଜ ଅନୁଶାସନରେ ପରାମର୍ଶ ଦେଲେ । ଏହି ପ୍ରକାରେ ଅଶୋକ କଳିଙ୍ଗ ଯୁଦ୍ଧ ଉତ୍ତାରୁ ଯୁଦ୍ଧ ପରିବର୍ତ୍ତେ ଧର୍ମ ପ୍ରଚାରକୁ ମାଧ୍ୟମ କରି ମଗଧର ରାଜନୈତିକ କର୍ତ୍ତୃତ୍ୱ ବିସ୍ତାର କରିବାକୁ ପ୍ରୟାସ କରିଥିଲେ ଏବଂ ତହିଁରେ ଅନେକ ମାତ୍ରାରେ ସଫଳ ହୋଇଥିଲେ । କଳିଙ୍ଗ ଯୁଦ୍ଧ ପୂର୍ବରୁ ଅର୍ଥାତ୍‍ ଅଶୋକ ସିଂହାସନ ଆରୋହଣ କରିବା ସମୟରେ ବୌଦ୍ଧଧର୍ମ ମଗଧ ଏବଂ ତା'ର ପାଖାପାଖି ରାଜ୍ୟ ପର୍ଯ୍ୟନ୍ତ ସୀମିତ ରହିଥିଲା । ଯୁଦ୍ଧ ପୂର୍ବରୁ ଅଶୋକ କିମ୍ବା ତାଙ୍କ ପୂର୍ବପୁରୁଷ ଯଥା ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାର ମଧ୍ୟ ବୌଦ୍ଧଧର୍ମ ଗ୍ରହଣ କରିନଥିଲେ । ଚନ୍ଦ୍ରଗୁପ୍ତଙ୍କର ଜୈନଧର୍ମ ପ୍ରତି ଆକର୍ଷଣ ଥିଲା । ଗୌତମ ବୁଦ୍ଧଙ୍କ ସମୟରେ ମଗଧ ତଥା ଅନ୍ୟ କେତେକ ମହାଜନପଦରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୌଦ୍ଧଧର୍ମ ରାଜଅନୁଗ୍ରହ ପ୍ରାପ୍ତ ହୋଇଥିଲା । ସେହି ଅନୁସାରେ ଦେଖିଲେ, ଅଶୋକଙ୍କ ସମୟରେ ଅତିବେଶି ହେଲେ ବୌଦ୍ଧଧର୍ମ ଲୋକସ୍ତରରେ ରହିଥିଲା ବୋଲି କୁହାଯାଇ ପାରିବ । ମାତ୍ର ତାଙ୍କ ଉଦ୍ୟମରେ ଏହା ଭାରତର ବିଭିନ୍ନ ଅଞ୍ଚଳକୁ ତଥା ବିଦେଶକୁ ପ୍ରସାରିତ ହେଲା । ଅର୍ଥାତ୍‍ କଳିଙ୍ଗଯୁଦ୍ଧଯୋଗୁଁ ବୌଦ୍ଧଧର୍ମ ଏକ ବିଶ୍ୱସ୍ତରର ଧର୍ମ ଭାବରେ ଖ୍ୟାତି ପାଇଲା । ଏହା କଳିଙ୍ଗ ଯୁଦ୍ଧ, ଅଶୋକ, ବୌଦ୍ଧଧର୍ମ ଓ ମଗଧର ଐତିହାସିକ ମହତ୍ତ୍ୱ ପ୍ରତିପାଦନ କରେ । କଳିଙ୍ଗ ଯୁଦ୍ଧ ପରେ ଏବଂ ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ଅଶୋକ ସମ୍ପୂର୍ଣ୍ଣ ରୂପେ ସଂସାର ବିମୁଖ ହୋଇଥିଲେ ବୋଲି କୁହାଯାଇ ପାରିବ ନାହିଁ । ଯୁଦ୍ଧର ମାର୍ଗ ପରିହାର କରି ଧର୍ମ ଓ ଆଦର୍ଶ ମାଧ୍ୟମରେ ସେ ମଗଧ ସାମ୍ରାଜ୍ୟର କର୍ତ୍ତୃତ୍ୱ ବଜାୟ ରଖିବାକୁ ତଥା ତାକୁ ପାରୁପର୍ଯ୍ୟନ୍ତ ବିସ୍ତାର କରିବାକୁ ପ୍ରୟାସ କରିଥିଲେ । ଯୁଦ୍ଧ ପରେ ସେ ସେନାବାହିନୀକୁ ଭଙ୍ଗ କରିନଥିଲେ । କଳିଙ୍ଗକୁ ମଧ୍ୟ ତ୍ୟାଗ ନକରି ମଗଧ ସାମ୍ରାଜ୍ୟର ପ୍ରତ୍ୟକ୍ଷ ଶାସନାଧୀନ କରିଥିଲେ ବୋଲି ପ୍ରମାଣ ରହିଛି । ପରାଜୟ ପରେ କଳିଙ୍ଗ ମଗଧର ପଞ୍ଚମ ପ୍ରଦେଶ ଭାବେ ଶାସିତ ହେଲା । ତୋଷାଳୀ ଥିଲା ଏହାର ମୁଖ୍ୟ ରାଜଧାନୀ ଏବଂ ସମାପା ଥିଲା ଦ୍ୱିତୀୟ ରାଜଧାନୀ । ଯୁଦ୍ଧର କ୍ଷୟକ୍ଷତି ପରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟରେ ସେ ଉଦାର ନୀତି ଗ୍ରହଣ କରିଥିଲେ । ସେ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନରେ ଘୋଷଣା କରିଥିଲେ ଯେ, "ସମସ୍ତ ପ୍ରଜା ହେଲେ ମୋର ସନ୍ତାନ । ଯେପରି ମୁଁ ମୋର ସନ୍ତାନମାନଙ୍କର ଇହକାଳ ଓ ପରକାଳର ସୁଖ କାମନା କରେ, ସେହିପରି ସମସ୍ତ ମନୁଷ୍ୟଙ୍କ ନିମନ୍ତେ ତାହା ହିଁ ମୋର କାମ୍ୟ ।"

ଆରମ୍ଭରେ କଳିଙ୍ଗ ଅଶୋକଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଚାଲିଥିଲା । ଫଳରେ ମଗଧର ଅନ୍ୟାନ୍ୟ ପ୍ରାଦେଶିକ ରାଜଧାନୀ ତକ୍ଷଶିଳା, ଉଜ୍ଜୟିନୀ ଓ ସୁବର୍ଣ୍ଣଗିରି ପରି କଳିଙ୍ଗର ମୁଖ୍ୟ ରାଜଧାନୀ ତୋଷାଳୀ ମଧ୍ୟ ମହତ୍ତ୍ୱ ପାଇଲା । ମାତ୍ର ପରବର୍ତ୍ତୀ ସମୟରେ କଳିଙ୍ଗକୁ ଅଶୋକଙ୍କର ପ୍ରତିିନିଧି ରୂପେ ଜଣେ ମଗଧ ରାଜକୁମାର ଶାସନ କଲେ । ତାଙ୍କର ନାମ କୁମାରମନ୍ୟ ଥିଲା ବୋଲି କୁହାଯାଏ । ସେ ତୋଷାଳୀରେ ଅବସ୍ଥାପିତ ଥିଲେ । ମୌର୍ଯ୍ୟ ଶାସନର ଏକ ବଡ଼ ସ୍ୱାତନ୍ତ୍ର୍ୟ ଥିଲା ଅମଲାତନ୍ତ୍ର । ରାଜ୍ୟରେ ଅବସ୍ଥାପିତ ରାଜପ୍ରତିିନିଧିଙ୍କୁ ପ୍ରାଶାସନିକ ସହାୟତା ଦେବାପାଇଁ ଏକ ମନ୍ତ୍ରିପରିଷଦ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ ଥିଲେ । ଉଚ୍ଚ ଶ୍ରେଣୀର ପ୍ରାଶାସନିକ ଅଧିକାରୀଙ୍କୁ ମହାମାତ୍ର କୁହାଯାଉଥିଲା । ଆଇନ ଶୃଙ୍ଖଳା ରକ୍ଷାପାଇଁ ତଥା ରାଜସ୍ୱ ଆଦାୟପାଇଁ ମଧ୍ୟ ଅଧିକାରୀମାନେ ନିଯୁକ୍ତ ଥିଲେ । ମଗଧରେ ପ୍ରତିଷ୍ଠିତ ଏହି ଅମଲାତନ୍ତ୍ର କଳିଙ୍ଗର ପ୍ରଶାସନରେ ମଧ୍ୟ ଲାଗୁ ହୋଇଥିବାର କୌଣସି ସ୍ପଷ୍ଟ ପ୍ରମାଣ ମିଳେନାହିଁ । ହୁଏତ କଳିଙ୍ଗ ଅଧିକାର କଲା ପରେ ଆରମ୍ଭରେ କିଛି ସମୟ ନିଜ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ତାକୁ ରଖିବା ପରେ ଅଶୋକ କଳିଙ୍ଗକୁ ଜଣେ ମଗଧ ରାଜକୁମାରଙ୍କ ପ୍ରତ୍ୟକ୍ଷ ଶାସନରେ ଛାଡ଼ି ଯାଇଥିଲେ । ତୋଷାଳୀ ଓ ସମାପାଠାରେ ରାଜଧାନୀ ସ୍ଥାପନ କରି ନିୟମିତ ରାଜସ୍ୱ ଆଦାୟପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ରାଜକର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରୁଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ । ସମ୍ଭବତଃ ସ୍ଥାନୀୟ ରାଜାମାନଙ୍କ ଦାୟିତ୍ୱରେ ପୂର୍ବଭଳି ଶାସନ ରହିଥିଲା ଏବଂ ରାଜଧାନୀରେ ସେମାନେ ନିୟମିତ ରୂପେ ନିଜ ନିଜର ଦେୟ ଜମା କରୁଥିଲେ । ଅର୍ଥାତ୍‍ କଳିଙ୍ଗ ବିଜୟ ପରେ ସୁଦ୍ଧା ଅଶୋକ ସ୍ଥାନୀୟ ରାଜାମାନଙ୍କ ହାତରେ କଳିଙ୍ଗର ଶାସନ ଭାର ଛାଡ଼ି ଯାଇଥିଲେ । ମୌର୍ଯ୍ୟ ପ୍ରାଶାସନିକ ବ୍ୟବସ୍ଥା ସିଧାସଳଖ ଭାବେ କଳିଙ୍ଗରେ ଲାଗୁ ହୋଇ ନଥିଲା । ପ୍ରାଦେଶିକ ସ୍ୱାୟତ୍ତତା ବିନା ଆଜିଠୁଁ ୨୫୦୦ ବର୍ଷ ପୂର୍ବେ ମଗଧ ଭଳି ଏକ ବିଶାଳ ସାମ୍ରାଜ୍ୟ ତିଷ୍ଠି ରହିବା ସମ୍ଭବ ନଥିଲା । ପ୍ରକୃତରେ ଦେଖିବାକୁ ଗଲେ, ଅଶୋକଙ୍କ ଅହିଂସା, ଶାନ୍ତି ଓ ଧର୍ମନୀତି ପ୍ରବର୍ତ୍ତନ ପଛରେ ମଧ୍ୟ କେନ୍ଦ୍ରୀୟ ବ୍ୟବସ୍ଥା ବଦଳରେ ଏକ ସଂଘୀୟ ବ୍ୟବସ୍ଥାର ବ୍ୟାବହାରିକ ଆଧାରକୁ ଅନୁଭବ କରିହୁଏ । ଭୁବନେଶ୍ୱର ନିକଟସ୍ଥ ଧଉଳିରୁ ପ୍ରାପ୍ତ ଅଶୋକଙ୍କ ସ୍ୱତନ୍ତ୍ର ଅନୁଶାସନ କଳିଙ୍ଗରେ ଅବସ୍ଥାପିତ ରାଜ ପ୍ରତିିନିଧିଙ୍କୁ ସମ୍ବୋଧନ କରି ଜାରି କରାଯାଇଥିଲା । ଏଥିରୁ ଅଶୋକଙ୍କ ମାନବିକତା ଓ ପ୍ରଜାବତ୍ସଳତା ତଥା ନିରପେକ୍ଷତା ସୁସ୍ପଷ୍ଟ ହୁଏ । ରାଜପ୍ରତିିନିଧି କେତେ ମାତ୍ରାରେ ଏହି ଅନୁଶାସନକୁ କାର୍ଯ୍ୟକାରୀ କରିଥିଲେ ଜଣାପଡ଼େ ନାହିଁ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଇଂରାଜୀରେ ଅନୁଶାସନକୁ ଯେପରି ଲିପିବଦ୍ଧ କରିଛନ୍ତି, ତାହା ନିମ୍ନରେ ଅବିକଳ ଭାବରେ ଦିଆଗଲା :

In affairs of Administration, there might be persons who would suffer imprisonment or coercion. In that also might occur accidental death in prison and many might also heavily suffer for that. In that case you must strive to deal with all of them impartially, the attributes which are not conducive to impartial dealings are malignity, irascibility, harshness, hastiness, lack of practice, indolence and weariness. You all must strive so that these attributes may not be in you. At the root of all impartial dealings lie the absence of anger and avoidance of hurry. The judicial officer of the capital [Toshali] must strive at all times for this and they should not inflict sudden imprisonment or sudden coercion on people. For this purpose I would be sending on quinquennial tours the Mahamatras who would not be harsh and irascible and would be soft and gentle in dealings.
କଳିଙ୍ଗ ଯୁଦ୍ଧ ଓ ତା'ର ଐତିହାସିକ ମହତ୍ତ୍ୱ ଆଲୋଚନା ବେଳେ କେତୋଟି ସ୍ୱାଭାବିକ ପ୍ରଶ୍ନ ମନକୁ ଆସେ । ଯୁଦ୍ଧ ସମୟରେ କଳିଙ୍ଗର ରାଜା କିଏ ଥିଲେ ? କେଉଁ ବଂଶ ସେତେବେଳେ କଳିଙ୍ଗରେ ଶାସନ କରୁଥିଲେ ? କେଉଁ ଧରଣର ଶାସନ କଳିଙ୍ଗରେ ପ୍ରଚଳିତ ଥିଲା ? ବିନା ରାଜା କିମ୍ବା ବିନା ଲୋକପ୍ରିୟ ଶାସନରେ ଲକ୍ଷ ଲକ୍ଷ ଲୋକ କଳିଙ୍ଗ ପକ୍ଷରେ ଯୁଦ୍ଧରେ ଯୋଗଦେବା ସମ୍ଭବ ନୁହେଁ । ଯୁଦ୍ଧରେ ହତାହତ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ କେଉଁ ଅନୁପାତରେ ସୈନିକ ଥିଲେ ? ଯଦି ମୃତାହତଙ୍କ ମଧ୍ୟରେ ଅଧିକାଂଶ ବେସାମରିକ ନାଗରିକ, ତେବେ କଳିଙ୍ଗର ସେନାବାହିନୀର ବିଶାଳତାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ଏସବୁ ପ୍ରଶ୍ନର ସିଧାସଳଖ ଉତ୍ତର ଆଜି ପର୍ଯ୍ୟନ୍ତ ଐତିହାସିକମାନଙ୍କର ହସ୍ତଗତ ହୋଇନାହିଁ । କଳିଙ୍ଗ ଯୁଦ୍ଧ ଓ ମଗଧ ଶାସକ ଅଶୋକଙ୍କ କଳିଙ୍ଗ ଅଧିକାର ସମ୍ବନ୍ଧରେ ଜାଣିବା ଲାଗି ଏକମାତ୍ର ନିର୍ଭରଯୋଗ୍ୟ ଐତିହାସିକ ତଥ୍ୟ ହେଲା ଅଶୋକଙ୍କଦ୍ୱାରା ଲିଖିତ ଅନୁଶାସନ । ଏସବୁ ଅନୁଶାସନର ସ୍ୱରୂପ ହେଲା ରାଜାଦେଶ । ଉଭୟ ପ୍ରଜା ଓ ରାଜପ୍ରତିିନିଧି ତଥା ରାଜକର୍ମଚାରୀଙ୍କ ସୂଚନାର୍ଥେ ଅନୁଶାସନଗୁଡ଼ିକୁ ଜାରି କରାଯାଇଥିଲା । ଆଜି ଅନୁଶାସନ ଜାରି ହେବାର ପ୍ରାୟ ୨୫୦୦ ବର୍ଷ ପରେ ଐତିହାସିକମାନଙ୍କ ମନରେ ଉଠୁଥିବା ନୂଆ ନୂଆ ପ୍ରଶ୍ନଗୁଡ଼ିକୁ ଦୃଷ୍ଟିରେ ରଖି ତାକୁ ବିଶ୍ଳେଷଣ କରାଯାଉଛି । ସେ କ୍ଷେତ୍ରରେ ତହିଁରୁ ସିଧାସଳଖ ବର୍ତ୍ତମାନର ପ୍ରଶ୍ନଗୁଡିକର ଉତ୍ତର ଆଶା କରିବା ଯୁକ୍ତିଯୁକ୍ତ ମନେହୁଏ ନାହିଁ । ତେଣୁ ଏ ନେଇ ନୂଆ ତଥ୍ୟ ପ୍ରମାଣ ଓ ଐତିହାସିକ ନିଦର୍ଶନ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଆମକୁ ଯୁକ୍ତିନିଷ୍ଠ ଅନୁମାନକୁ ହିଁ ଆଧାର କରି ଇତିହାସ ରଚନା କରିବାକୁ ପଡ଼ିବ ।

ଅଶୋକ ତାଙ୍କ ଅନୁଶାସନଗୁଡ଼ିକରେ ସର୍ବଦା କଳିଙ୍ଗ ଦେଶକୁ କଳିଙ୍ଗମାନେ ବହୁବଚନରେ (Kalingas) ବୋଲି ସମ୍ବୋଧନ କରିଛନ୍ତି । ତାହାର ଅର୍ଥ ହେବ କଳିଙ୍ଗର ଲୋକମାନେ ବା କଳିଙ୍ଗର ରାଜ୍ୟମାନେ । ହୁଏତ ସେତେବେଳେ କଳିଙ୍ଗ ନାମରେ କୌଣସି ଗୋଟିଏ ରାଜ୍ୟ ନଥିଲା । 'କଳିଙ୍ଗମାନେ' (ଯେମିତି ଓଡ଼ିଆମାନେ) ବସବାସ କରୁଥିବା ସମଗ୍ର କ୍ଷେତ୍ରକୁ ବାହାରେ ଲୋକ କଳିଙ୍ଗ ନାମରେ ଜାଣୁଥିଲେ । (ଯେମିତି ପ୍ରାଚୀନ ଓ ମଧ୍ୟଯୁଗରେ ସମଗ୍ର ଭାରତବର୍ଷ ଏକ ଶାସନାଧୀନ ନ ହେବା ସତ୍ତ୍ୱେ ବିଦେଶରେ ଏହି କ୍ଷେତ୍ରକୁ ଭାରତ ବା ଇଣ୍ତିଆ ଏବଂ ଲୋକମାନଙ୍କୁ 'ଭାରତର ଲୋକମାନେ' ବା 'ଭାରତୀୟ' ବୋଲି କୁହାଯାଉଥିଲା । ଭାରତ ଭିତରେ ଅନେକ ରାଜ୍ୟ ଥିଲେ ଏବଂ ସେଗୁଡିକ ପରସ୍ପରଠାରୁ ଭିନ୍ନ ଥିଲେ । ମାତ୍ର ଭାରତ ବାହାରେ ସେମାନଙ୍କର ଗୋଟିଏ ପରିଚୟ ଥିଲା ।) ତେଣୁ କଳିଙ୍ଗର ବ୍ୟବସାୟୀମାନେ ଆସୁଥିବା କ୍ଷେତ୍ରକୁ କଳିଙ୍ଗ ନାମରେ ଜାଣିବା ଅସମ୍ଭବ ନୁହେଁ । ପ୍ରଶ୍ନ ଉଠେ, ଯଦି କଳିଙ୍ଗ ଅନେକଗୁଡିଏ ସ୍ଥାନୀୟ ଓ ଛୋଟଛୋଟ ରାଜ୍ୟର ସମୂହ ଥିଲା, ତେବେ ଏତେ ଅଧିକ ସଂଖ୍ୟକ ଲୋକ ଯୁଦ୍ଧରେ ମଗଧ ବିରୁଦ୍ଧରେ ଭାଗ ନେଲେ କେମିତି ? ଏହାର ଗୋଟିଏ ଉତ୍ତର ହେବ ଯେ କଳିଙ୍ଗ ଯୁଦ୍ଧରେ 'ଲକ୍ଷ' ସଂଖ୍ୟାରେ ଲୋକ ନିହତ ହେବା ଏବଂ 'ଦେଢ଼ ଲକ୍ଷ' ସଂଖ୍ୟାରେ ଲୋକ ଆହତ ହେବା ହୁଏତ କିଛିଟା ଅତିରଞ୍ଜନ । 'ଲକ୍ଷ' ଏଠାରେ ନିର୍ଦ୍ଦିଷ୍ଟ ସଂଖ୍ୟା ଭାବରେ ନ ହୋଇ ରୂଢ଼ି ଭାବରେ ହୁଏତ ବ୍ୟବହୃତ ହୋଇଛି । ଦ୍ୱିତୀୟତଃ, ହତାହତଙ୍କ ମଧ୍ୟରେ ସମସ୍ତେ କଳିଙ୍ଗର ସୈନ୍ୟ ଥିଲେ ବୋଲି କେଉଁଠି ଉଲ୍ଲିଖିତ ହୋଇନାହିଁ । ବରଂ ବ୍ରାହ୍ମଣ, ଶ୍ରମଣ ଓ ସାଧାରଣ ଲୋକ ଅନେକ ସଂଖ୍ୟାରେ ମୃତାହତ ହୋଇଛନ୍ତି ବୋଲି ଅଶୋକ ଗ୍ଳାନି ପ୍ରକାଶ କରିଛନ୍ତି । ହୁଏତ ଉଦ୍ଧତ ମଗଧ ସେନା ଯୁଦ୍ଧ ସମୟରେ ଅସଂଖ୍ୟ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥାଇ ପାରନ୍ତି । ଏହା ଅଶୋକଙ୍କୁ ସାମରିକ ଅଭିଯାନର ଦୁଷ୍ପରିଣାମକୁ ଅଧିକ ସ୍ପଷ୍ଟ ଭାବେ ଦେଖିବାକୁ ଅବସର ଦେଇଛି । ତୃତୀୟତଃ, କଳିଙ୍ଗ ଯୁଦ୍ଧ ପରେ ମଧ୍ୟ କଳିଙ୍ଗ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳ ବା ଆଟବିକ ରାଜ୍ୟଗୁଡିକ ଅଶୋକ ଜୟ କରି ପାରିନଥିଲେ । ଅର୍ଥାତ୍‍ କଳିଙ୍ଗ କୌଣସି ବିଶାଳ ସାମ୍ରାଜ୍ୟ ନଥିଲା ଏବଂ ତାକୁ ଆଧୁନିକ ଓଡ଼ିଶାର ପ୍ରାକୃତିକ ସୀମାଞ୍ଚଳ ସହ ତୁଳନା କରି ହେବ ନାହିଁ । ଅନେକ ସ୍ଥାନୀୟ ରାଜ୍ୟର ସମୂହ, ବିଶାଳ କଳିଙ୍ଗର ଏକ କ୍ଷୁଦ୍ର ଅଂଶବିଶେଷ ମାତ୍ର ଅଶୋକଙ୍କ କର୍ତ୍ତୃତ୍ୱକୁ ଆସିଥିଲା । କେତେକ ସ୍ଥାନୀୟ ରାଜା ଯଦି ମଗଧର ରାଜପ୍ରତିିଧିଙ୍କଠାରେ ବାର୍ଷିକ ଦେୟ ଦେଉଥିଲେ, ଅନ୍ୟ ବହୁତ ପାର୍ବତ୍ୟ ରାଜ୍ୟ ବା ଆଟବିକ ରାଜ୍ୟ ସ୍ୱାଧୀନ ମଧ୍ୟ ରହିଥିଲେ । ଯେଉଁ ସ୍ଥାନୀୟ ରାଜ୍ୟ ମଗଧକୁ ବାର୍ଷିକ ଦେୟ ଦେଇ ଅଶୋକଙ୍କ ବଶ୍ୟତା ସ୍ୱୀକାର କରିଥିଲେ, ସେଗୁଡିକ ମଧ୍ୟ ମଗଧ ପ୍ରଶାସନର ଦୂରରେ ରହି ନିଜ ନିଜର ଶାସନ ପୂର୍ବବତ ଅବ୍ୟାହତ ରଖିଥିଲେ । ଅଶୋକଙ୍କ ପରେ କଳିଙ୍ଗରେ ମଗଧ ଶାସନ ଅଧିକ କାଳ ଯାଏଁ ତିଷ୍ଠି ପାରି ନଥିଲା । ମୌର୍ଯ୍ୟ ବଂଶର ଶେଷ ସମ୍ରାଟ ବୃହଦ୍ରଥଙ୍କୁ ତାଙ୍କ ସେନାପତି ପୁଷ୍ୟମିତ୍ର ସୁଙ୍ଗ ହତ୍ୟା କରି ମଗଧ ଅଧିକାର କରିନେଲେ । ଏହାର ବହୁ ପୂର୍ବରୁ ମଗଧରେ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ କଳିଙ୍ଗର ସ୍ଥାନୀୟ ରାଜାମାନେ ହୁଏତ ବାର୍ଷିକ ଦେୟ ଦେବା ବନ୍ଦ କରି ସାରିଥିଲେ । ଏହା ସାଙ୍ଗରେ ସେମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ମଧ୍ୟ ଲାଭ କଲେ ବୋଲି ଅନୁମାନ କରାଯାଇପାରେ ।

...