ଓଡ଼ିଶା ରାଜନୀତିର ଇତିହାସ/ସ୍ୱାଧୀନତା ପୂର୍ବର ଦ୍ୱିତୀୟ ବିଧାନସଭା ଓ ମନ୍ତ୍ରିମଣ୍ଡଳ
←ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ସ୍ୱାଧୀନତା ପୂର୍ବର ଦ୍ୱିତୀୟ ବିଧାନସଭା ଓ ମନ୍ତ୍ରିମଣ୍ଡଳ |
ଓଡ଼ିଶାର ଗଡ଼ଜାତ ରାଜ୍ୟ→ |
୧୯୪୫ ମସିହାର କଥା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଲା । କିନ୍ତୁ ଭାରତବର୍ଷରେ ଲାଗିରହିଥାଏ ରାଜନୈତିକ ଅସ୍ଥିରତା । ଭାରତର ବଡ଼ଲାଟ ଥାଆନ୍ତି ଲର୍ଡ ଉଏଲଭେଲ । ଭାରତର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବ୍ରିଟିଶ୍ କ୍ୟାବିନେଟ୍ ସହ ଆଲୋଚନାପାଇଁ ସେ ଲଣ୍ଡନ ଯାତ୍ରା କଲେ ୧୯୪୫ ମାର୍ଚ୍ଚ ମାସରେ । ସେଠାରେ ଭାରତର ସଚିବ ଆଦିଙ୍କ ସହ ପରାମର୍ଶ କରି ଭାରତ ଫେରିଲେ । ଜୁନ୍ ୧୫ ତାରିଖରେ ଘୋଷଣା କଲେ, 'ଭାରତରେ ନୂତନ ଶାସନ ପରିଷଦ ଗଠନ ସମ୍ପର୍କରେ ଭାରତୀୟ ନେତାମାନଙ୍କ ସହ ଆଲୋଚନା ପାଇଁ ସେ ଇଚ୍ଛା କରୁଛନ୍ତି । ପ୍ରସ୍ତାବିତ ନୂତନ ପରିଷଦରେ ସମାନ ସଂଖ୍ୟକ ସବର୍ଣ୍ଣ ହିନ୍ଦୁ ଓ ମୁସଲମାନ ରହିବେ । ଭାଇସ୍ରୟ ଓ ମୁଖ୍ୟ ସେନାଧ୍ୟକ୍ଷଙ୍କୁ ଛାଡିଦେଲେ ପରିଷଦଟି କେବଳ ଭାରତୀୟମାନଙ୍କୁ ନେଇ ଗଠିତ ହେବ ଓ ବର୍ତ୍ତମାନ ଥିବା ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବ । ନୂତନ ଓ ସ୍ଥାୟୀ ସମ୍ବିଧାନ ଗୃହୀତ ହୋଇ କାର୍ଯ୍ୟ କରିବା ଯାଏ ମଧ୍ୟବର୍ତ୍ତୀ କାଳୀନ ସରକାର ଭାରତର ଶାସନ ଚଳାଇବେ ।'
ଏହା ପରେ ଭାରତର ବଡ଼ଲାଟଙ୍କ ଆଦେଶରେ ଜେଲରେ ଥିବା ସମସ୍ତ କଂଗ୍ରେସ ନେତାଙ୍କୁ ଖଲାସ କରିଦିଆଗଲା । ତାଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ ବଡ଼ଲାଟ ଜୁନ୍ ୨୫ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ସିମ୍ଲାରେ ଏକ ସମ୍ମିଳନୀ ଆୟୋଜନ କଲେ । ସମ୍ମିଳନୀ ବିଫଳ ହେଲା । କାରଣ ଜିନ୍ନା ଦାବିକଲେ-ମୁସଲିମ୍ ଲିଗ୍ର ସଭ୍ୟ ହୋଇନଥିଲେ କୌଣସି ମୁସଲମାନଙ୍କୁ ଭାରତର ଭାଇସ୍ରୟଙ୍କ ଶାସନ ପରିଷଦକୁ ନିଆ ନଯିବା ଉଚିତ । ଏହି ଦାବିକୁ କଂଗ୍ରେସ ଗ୍ରହଣ କରିବା ସମ୍ଭବ ହେଲାନାହିଁ ।
ଏହି ବର୍ଷ ବ୍ରିଟେନ୍ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ଜୁଲାଇ ଶେଷରେ ଶ୍ରମିକଦଳ (ଲେବର ପାର୍ଟି) ଶାସନ କ୍ଷମତାକୁ ଆସିଲେ । ଅଟ୍ଲି ହେଲେ କ୍ୟାବିନେଟ୍ ମୁଖ୍ୟ । ଭାରତପାଇଁ ଲର୍ଡ ପେଥିକ ଲରେନ୍ସ ନୂଆ ସଚିବ ନିଯୁକ୍ତ ହେଲେ । ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ଶ୍ରମିକ ଦଳର ସହାନୁଭୂତି ଥିଲା । ଫଳରେ ଭାରତବାସୀଙ୍କୁ ସ୍ୱୟଂଶାସନ ସରକାର ପ୍ରଦାନ ନିମନ୍ତେ ବ୍ରିଟେନ୍ର ନୂଆ ସରକାର ଅନୁମତି ପ୍ରଦାନ କଲେ । ଶ୍ରମିକଦଳ କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ଘୋଷଣାକଲେ- "ଭାରତରେ ବିଭିନ୍ନ ପ୍ରାଦେଶିକ ସଭାର ନିର୍ବାଚନ ୧୯୪୬ ମସିହା ମଧ୍ୟରେ ଅନୁଷ୍ଠିତ ହେବା ଦରକାର ।" ସେହି ଘୋଷଣା ଅନୁଯାୟୀ ଭାରତର ଭାଇସ୍ରୟ ସେପ୍ଟେମ୍ବର ୧୯ ତାରିଖ ଦିନ ବିବୃତି ଦେଇ କହିଲେ- "କେନ୍ଦ୍ର ଓ ପ୍ରାଦେଶିକ ସଭା ନିମନ୍ତେ ନୂତନ ନିର୍ବାଚନ ଅନୁଷ୍ଠିତ ହେବ । ତା'ପରେ ସମ୍ବିଧାନ ବିଧାୟିନୀ ସଭା ଆହୂତ ହେବ । କାରଣ ଭାରତରେ ସ୍ୱାୟତ୍ତ ଶାସନର ଆଶୁ ପ୍ରତିଷ୍ଠା ହେଉଛି ବ୍ରିଟିଶ ସରକାରଙ୍କର ନୀତି ।"
ବିଟ୍ରିଶ ସରକାରଙ୍କର ନୂଆନୀତି ଅନୁସାରେ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ସାର୍ ହଥର୍ଣ୍ଣ ଲୁଇସ୍ ଏକ ବିଜ୍ଞପ୍ତିରେ ୧୯୪୫ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ଓଡ଼ିଶା ବିଧାନସଭାକୁ ଭାଙ୍ଗିଦେଲେ । ଆଠବର୍ଷରୁ ଅଧିକ କାଳ ରହିଥିବା ଓଡ଼ିଶାର ପ୍ରଥମ ବିଧାନସଭା ଭାଙ୍ଗିଗଲା । ନୂତନ ବିଧାନସଭା ଗଠନ ପାଇଁ ନଭେମ୍ବର ମାସରେ ପ୍ରସ୍ତୁତି ପର୍ବ ଆରମ୍ଭ ହେଲା । ପୂର୍ବ ବିଧାନସଭା ପରି ଏହି ବିଧାନସଭା ନିମନ୍ତେ ୬୦ଟି ଆସନ ଉଦ୍ଦିଷ୍ଟ ରହିଲା । ସଂରକ୍ଷଣ ନୀତି ପୂର୍ବପରି ବଳବତ୍ତର ରହିଲା ।
କଂଗ୍ରେସ ଦଳ ତରଫରୁ ଓଡ଼ିଶାରେ ଏହି ନିର୍ବାଚନ ପରିଚାଳନା ନିମନ୍ତେ କେନ୍ଦ୍ର କଂଗ୍ରେସ କର୍ତ୍ତୃପକ୍ଷ ବିଶନ୍ୱାଥ ଦାସ ଓ ହରେକୃଷ୍ଣ ମହତାବଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କଲେ । କାରଣ ବିଶ୍ୱନାଥ ଦାସ ୧୯୪୩ ମସିହା ଅଗଷ୍ଟ ୨୮ ତାରିଖଠାରୁ ବିଧାନସଭା ସଭ୍ୟପଦ ପାଇଁ ଛ'ବର୍ଷ ସକାଶେ ଅଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା କରିବାବେଳେ ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ କାରାଗାରରେ ଥିଲେ । ଫଳରେ ସେ ୧୯୪୬ ମସିହା ନିର୍ବାଚନରେ ପ୍ରାର୍ଥୀ ହୋଇପାରିଲେ ନାହିଁ । କିନ୍ତୁ କେନ୍ଦ୍ରୀୟ କମିଟିର ନିର୍ଦ୍ଦେଶମତେ ସେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ । ସାର୍ ହଥର୍ଣ୍ଣ ଲୁଇସ୍ ୧୯୪୬ ମାର୍ଚ୍ଚ ୩୧ ତାରିଖ ଦିନ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ପଦରୁ ବଦଳି ହୋଇଗଲେ । ତାଙ୍କ ସ୍ଥାନରେ ସାର୍ ଚନ୍ଦୁଲାଲ ତ୍ରିବେଦୀ ଓଡ଼ିଶାର ରାଜ୍ୟପାଳ ହୋଇ ଆସିଲେ ଓ ୧୯୪୬ ମସିହା ଏପ୍ରିଲ ୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କଲେ ।
ବିଶ୍ୱନାଥ ଦାସ କଂଗ୍ରେସ ହାଇକମାଣ୍ଡ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଜଣାଇଥିଲେ ଓଡ଼ିଶାରେ କଂଗ୍ରେସଦଳ ୫୬ଟି ଆସନରୁ ୪୮ଟି ହାସଲ କରିବ ।
୧୯୪୬ ମସିହା ଏପ୍ରିଲ୍ ୪ ତାରିଖରୁ ୯ ତାରିଖ ଯାଏ ଓଡ଼ିଶାରେ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ପ୍ରତି ଜନସାଧାରଣଙ୍କ ପ୍ରବଳ ସମର୍ଥନ ମିଳିଲା । ସତକୁ ସତ କଂଗ୍ରେସ ଦଳ ୪୭ଟି ଆସନ ଲାଭ କଲା । ସେଥିରୁ ୩୬ଟି ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ମିଳିିଥିଲା । ପ୍ରଥମ ବିଧାନସଭାରେ ନିର୍ବାଚନ ଲଢ଼ି କଂଗ୍ରେସ ହାସଲ କରିଥିଲା ୩୬ଟି ଆସନ । ଦ୍ୱିତୀୟ ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପାଇଲା ୩୬ଟି ଆସନ ।
ବାକି ୧୧ଟି ଆସନ ଲାଭକଲା ପ୍ରତିଦ୍ୱନ୍ଦ୍ୱିତା କରି । କଂଗ୍ରେସ ପ୍ରତି ଓଡ଼ିଶା ଜନସାଧାରଣଙ୍କର କିପରି ବିପୁଳ ସମର୍ଥନ ଥିଲା- ତାହା ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରତୀୟମାନ ।
ଏହି ନିର୍ବାଚନର ବିଶେଷତ୍ୱ ହେଲା, ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦଳ 'ଇଉନାଇଟେଡ୍ ପାର୍ଟି', ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ 'ନ୍ୟାସନାଲ୍ ପାର୍ଟି' ଓ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ 'ସ୍ୱାଧୀନ ପାର୍ଟି' ତରଫରୁ କୌଣସି ପ୍ରାର୍ଥୀ ରହିଲେ ନାହିଁ । ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଦେଓ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟଲାଭ କଲେ । ମୁସ୍ଲିମ୍ଲିଗ୍ର ଚାରିଜଣ ଯାକ ପ୍ରାର୍ଥୀ ମଧ୍ୟ ବିଜୟଲାଭ କଲେ । ବୈଦ୍ୟନାଥ ରଥ କମ୍ୟୁନିଷ୍ଟ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତି ବିଧାନସଭାକୁ ଆସିଲେ । ଓଡ଼ିଶାର ଦ୍ୱିତୀୟ ବିଧାନସଭାରେ ବିଭିନ୍ନ ଦଳର ସ୍ଥିତି ହେଲା; କଂଗ୍ରେସ-୪୭, ମୁସଲିମ୍ଲିଗ୍-୪, କମ୍ୟୁନିଷ୍ଟ-୧, ସ୍ୱାଧୀନ-୪ ଓ ମନୋନୀତ-୪ ।
କଂଗ୍ରେସର ବିପୁଳ ବିଜୟରେ ବିରୋଧୀମାନେ ହତବାକ୍ ହୋଇଗଲେ । କଂଗ୍ରେସର ନୈତିକବଳ ମଧ୍ୟ ବୃଦ୍ଧି ପାଇଲା । ଏହା ସହିତ ଟକ୍କର ଦେବାପାଇଁ ଓଡ଼ିଶାରେ ଆଉ କୌଣସି ସୁସଂଗଠିତ ରାଜନୈତିକ ଦଳ ନଥିଲା । ୧୯୪୧ର ମିଳିତ ସରକାରରେ ଥିବା ଅସନ୍ତୁଷ୍ଟ କଂଗ୍ରେସ ନେତା ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଯଦୁମଣି ମଙ୍ଗରାଜ ଓ ଦିବାକର ପଟ୍ଟନାୟକ ଆଦିଙ୍କର ଏହି ନିର୍ବାଚନରେ କୌଣସି ସତ୍ତା ରହିଲା ନାହିଁ ।
ଏହି ନିର୍ବାଚନପାଇଁ କଂଗ୍ରେସ ପ୍ରାର୍ଥୀ ଚୟନରେ କେତେକ ସ୍ଥାନରେ ଉତ୍ସାହୀ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ଏପରିକି ପୂରା ଅଜଣା ଅଶୁଣା ବ୍ୟକ୍ତିମାନଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଥିଲା । ଜଣେ ବ୍ୟକ୍ତି ରୟାଲ ଏୟାରଫୋର୍ସରେ ଚାକିରି କରୁଥିଲେ । ତାଙ୍କ ନାମ ଲାଲ୍ ରଣଜିତ୍ ସିଂହ । ତାଙ୍କୁ ପ୍ରାର୍ଥୀ କରିବା ପାଇଁ ସର୍ଦ୍ଦାର ପଟେଲ ହରେକୃଷ୍ଣ ମହତାବଙ୍କ ପାଖକୁ ଚିଠି ଲେଖିଲେ । ୧୯୪୬ ମସିହା ଜାନୁଆରି ୮ ତାରିଖରେ ତାଙ୍କୁ ପ୍ରାଦେଶିକ କମିଟି ଗ୍ରହଣ କଲା । ଫଳରେ ଦଳ ଭିତରେ ନାନା ଭାବରେ ଆଲୋଚନା ଓ ସମାଲୋଚନା ଦେଖାଗଲା । ଏହି ପ୍ରାର୍ଥୀଙ୍କର ଜନ୍ମସ୍ଥାନ ହେଉଛି ସମ୍ବଲପୁର ଜିଲ୍ଲା । ସେଠାରେ ମଧ୍ୟ କଂଗ୍ରେସ କର୍ମୀମାନେ ଏହି ପ୍ରାର୍ଥୀଙ୍କ ଉପରେ
ଅସନ୍ତୋଷ ପ୍ରକାଶ କଲେ । ଯାହା ହେଉ ଲାଲ ରଣଜିତ୍ ସିଂହ ପଶ୍ଚିମ ବରଗଡ଼ ଆସନରୁ ବିଜୟଲାଭ କରି ଆସିଲେ ।
ସ୍ୱାଧୀନତା ପୂର୍ବ ଦ୍ୱିତୀୟ ବିଧାନସଭା ସଭ୍ୟ (୧୯୪୬) :
ବିଜୟୀ ପ୍ରାର୍ଥୀ | ଦଳର ନାମ | ନିର୍ବାଚନ ମଣ୍ଡଳୀ |
ଗୌରାଙ୍ଗ ଚରଣ ଦାସ | କଂଗ୍ରେସ | ପଶ୍ଚିମ କଟକ ସଦର |
ବିଜୟାନନ୍ଦ ପଟ୍ଟନାୟକ | କଂଗ୍ରେସ | କେନ୍ଦ୍ର କଟକ ସଦର |
ଭୈରବ ଚରଣ ମହାନ୍ତି | କଂଗ୍ରେସ | ଉତ୍ତର କଟକ ସଦର (ସାଧାରଣ) |
କାହ୍ନୁ ଚରଣ ଦାସ | କଂଗ୍ରେସ | ଉତ୍ତର କଟକ ସଦର (ସାଧାରଣ) |
ସାରଙ୍ଗଧର ଦାସ | କଂଗ୍ରେସ | ପୂର୍ବ କଟକ ସଦର (ସାଧାରଣ) |
ନାରାୟଣ ବୀରବର ସାମନ୍ତ | କଂଗ୍ରେସ | ପୂର୍ବ କଟକ ସଦର (ସାଧାରଣ) |
ନିତ୍ୟାନନ୍ଦ କାନୁନ୍ଗୋ | କଂଗ୍ରେସ | ଦକ୍ଷିଣ କଟକ ସଦର(ସାଧାରଣ) |
ଦୀନବନ୍ଧୁ ସାହୁ | କଂଗ୍ରେସ | କେନ୍ଦ୍ରୀୟ କେନ୍ଦ୍ରାପଡ଼ା (ସାଧାରଣ) |
ନବକୃଷ୍ଣ ଚୌଧୁରୀ (୬-୧୨-୧୯୪୯ରେ ଇସ୍ତଫା) |
କଂଗ୍ରେସ | ଉତ୍ତର କେନ୍ଦ୍ରାପଡ଼ା (ସାଧାରଣ) |
ସହଦେବ ଦାସ (ଉପନିର୍ବାଚନ) | କଂଗ୍ରେସ | ଉତ୍ତର କେନ୍ଦ୍ରାପଡ଼ା (ସାଧାରଣ) |
ରାଜକୃଷ୍ଣ ବୋଷ | କଂଗ୍ରେସ | ପୂର୍ବ କେନ୍ଦ୍ରାପଡ଼ା (ସାଧାରଣ) |
ଗଦାଧର ଦତ୍ତ | କଂଗ୍ରେସ | ପୂର୍ବ ଯାଜପୁର (ସାଧାରଣ) |
ଶାନ୍ତନୁ କୁମାର ଦାସ | କଂଗ୍ରେସ | ପୂର୍ବ ଯାଜପୁର ଅନୁିସୂଚିତ ଜାତି |
ଦ୍ୱାରୀକା ନାଥ ଦାସବ | କଂଗ୍ରେସ | ପଶ୍ଚିମ ଯାଜପୁର (ସାଧାରଣ) |
ମଦନ ମୋହନ ପଟ୍ଟନାୟକ | କଂଗ୍ରେସ | ଉତ୍ତର ଯାଜପୁର (ସାଧାରଣ) |
ହୃଷୀକେଶ ତ୍ରିପାଠୀ | କଂଗ୍ରେସ | ଅନୁଗୁଳ ଜିଲ୍ଲା (ସାଧାରଣ) |
ଜୟକୃଷ୍ଣ ମହାନ୍ତି | କଂଗ୍ରେସ | ପୂର୍ବ ପୁରୀ ସଦର (ସାଧାରଣ) |
ଲୋକନାଥ ମିଶ୍ର | କଂଗ୍ରେସ | ଦକ୍ଷିଣ ପୁରୀ ସଦର (ସାଧାରଣ) |
ଲିଙ୍ଗରାଜ ମିଶ୍ର | କଂଗ୍ରେସ | ଉତ୍ତର ପୁରୀ ସଦର (ସାଧାରଣ) |
ପୂର୍ଣ୍ଣାନନ୍ଦ ସାମଲ | କଂଗ୍ରେସ | ଉତ୍ତର ପୁରୀ ସଦର (ଅ.ସୂ.ଜାତି) |
ବନମାଳୀ ପଟ୍ଟନାୟକ | କଂଗ୍ରେସ | ପୂର୍ବ ଖୋର୍ଦ୍ଧା (ସାଧାରଣ) |
ସତ୍ୟବାଦୀ ନନ୍ଦ | କଂଗ୍ରେସ | ପଶ୍ଚିମ ଖୋର୍ଦ୍ଧା (ସାଧାରଣ) |
ସୁରେନ୍ଦ୍ର ନାଥ ଦାସ | କଂଗ୍ରେସ | କେନ୍ଦ୍ରୀୟ ବାଲେଶ୍ୱର ସଦର (ସାଧାରଣ) |
କୈଳାସ ଚନ୍ଦ୍ର ମହନ୍ତି | କଂଗ୍ରେସ | ଦକ୍ଷିଣ ବାଲେଶ୍ୱର ସଦର (ସାଧାରଣ) |
ନୀଳମଣି ରାଉତରାୟ | କଂଗ୍ରେସ | ଦକ୍ଷିଣ ବାଲେଶ୍ୱର (ସାଧାରଣ) |
କରୁଣାକର ପାଣିଗ୍ରାହୀ | କଂଗ୍ରେସ | ଉତ୍ତର ବାଲେଶ୍ୱର ସଦର (ସାଧାରଣ) |
ହରେକୃଷ୍ଣ ମହତାବ | କଂଗ୍ରେସ | ପୂର୍ବ ଭଦ୍ରକ (ସାଧାରଣ) |
ନବକୃଷ୍ଣ ଚୌଧୁରୀ (ଉପନିର୍ବାଚନ) | କଂଗ୍ରେସ | |
ଭାଗବତ ସାହୁ | କଂଗ୍ରେସ | ପଶ୍ଚିମ ଭଦ୍ରକ (ସାଧାରଣ) |
ବୃନ୍ଦାବନ ଚନ୍ଦ୍ର ଦାସ | କଂଗ୍ରେସ | ପଶ୍ଚିମ ଭଦ୍ରକ (ଅନୁସୂଚିତ ଜାତି) |
ବୋଧିରାମ ଦୁବେ | କଂଗ୍ରେସ | ସମ୍ବଲପୁର ସଦର (ସାଧାରଣ) |
୧୩.୧୨.୧୯୪୭ରେ ଇସ୍ତଫା ପ୍ରଦାନ | ||
ଶ୍ରଦ୍ଧାକର ସୂପକାର | କଂଗ୍ରେସ (୧.୧୨.୧୯୫୦ରେ ନିର୍ବାଚିତ) | |
ମୋହନ ସିଂହ | କଂଗ୍ରେସ | ସମ୍ବଲପୁର ସଦର (ଅ.ସୂ.ଜା) |
ଲାଲ ରଣଜିତ୍ ସିଂହ ବରିହା | କଂଗ୍ରେସ | ପଶ୍ଚିମ ବରଗଡ (ସାଧାରଣ) |
ଲକ୍ଷ୍ମୀନାରାୟଣ ମିଶ୍ର | କଂଗ୍ରେସ | ପୂର୍ବ ବରଗଡ଼ (ସାଧାଣରଣ) |
ବିଶି ବିଭାର | କଂଗ୍ରେସ | ପୂର୍ବ ବରଗଡ (ଅନୁସୂଚିତ ଜାତି) |
ଆର୍ତ୍ତତ୍ରାଣ ଦେବ | କଂଗ୍ରେସ | ଖଡ଼ିଆଳ (ସାଧାରଣ) |
ଦୀନବନ୍ଧୁ ବେହେରା | କଂଗ୍ରେସ | ଘୁମୁସର (ସାଧାରଣ) |
ଜଗନ୍ନାଥ ମିଶ୍ର | କଂଗ୍ରେସ | କୋଦଳା (ସାଧାରଣ) |
ନାରାୟଣ ପଣ୍ଡା | କଂଗ୍ରେସ | ଛତ୍ରପୁର (ସାଧାରଣ) |
ମଧୁସୂଦନ ମହାପାତ୍ର | କଂଗ୍ରେସ | ଆସ୍କା ସଦର (ସାଧାରଣ) |
ଇଶ୍ୱର ନାଏକ | କଂଗ୍ରେସ | ଆସ୍କା ସଦର ଅନୁସୂଚିତ ଜାତି |
ଉମାଚରଣ ପଟ୍ଟନାୟକ | କଂଗ୍ରେସ | ବ୍ରହ୍ମପୁର (ସାଧାରଣ) |
ସୋମନାଥ ପଣ୍ଡା | କଂଗ୍ରେସ | ବ୍ରହ୍ମପୁର (ସାଧାରଣ) |
ନାରାୟଣ ମୂର୍ତ୍ତିିଗାଡ଼େ | କଂଗ୍ରେସ | ବ୍ରହ୍ମପୁର (ସାଧାରଣ) |
ନାରାୟଣ ପାତ୍ର | କଂଗ୍ରେସ | ବାଲିଗଡା କନ୍ଧମାଳ (ସାଧାରଣ) |
ଅନନ୍ତ ତ୍ରିପାଠୀ ଶର୍ମା | କଂଗ୍ରେସ | ପାରଳାଖେମୁଣ୍ଡି (ସାଧାରଣ) |
ସଦାଶିବ ତ୍ରିପାଠୀ | କଂଗ୍ରେସ | ନବରଙ୍ଗପୁର (ସାଧାରଣ) |
ରାଧାମୋହନ ସାହୁ | କଂଗ୍ରେସ | ଜୟପୁର-ମାଲକାନଗିରି |
ରାଧାକୃଷ୍ଣ ବିଶ୍ୱାସରାୟ | କଂଗ୍ରେସ | କୋରାପୁଟ (ସାଧାରଣ) |
(୧୩.୭.୧୯୪୮ରେ ଇସ୍ତଫା) | ||
ଶ୍ରୀମତୀ ପ୍ରିୟମ୍ବଦା ଦେବୀ | କଂଗ୍ରେସ | କଟକ ଟାଉନ (ମହିଳା) |
ଶ୍ରୀମତୀ ଏ.ଲକ୍ଷ୍ମୀବାଈ | କଂଗ୍ରେସ | ବ୍ରହ୍ମପୁର (ମହିଳା) |
ଲାଲମୋହନ ପଟ୍ଟନାୟକ | କଂଗ୍ରେସ | ଓଡ଼ିଶା ଭାରତୀୟ ଖ୍ରୀଷ୍ଟିଆନ |
ମୌଲବୀ ମହମ୍ମଦ ଇଉସୁଫ | ମୁସଲିମ୍ ଲିଗ୍ | କଟକ ସଦର (ମୁସଲମାନ) |
ମୌଲବୀ ସାଭେଦ୍ ଫଜଲ୍ହକ | ମୁସଲିମ୍ ଲିଗ୍ | ଉତ୍ତର କଟକ ତଥା ଅନୁଗୁଳ |
ମୌଲବୀ ଲତିଫୁ ର ରହମନ | ମୁସଲିମ୍ ଲିଗ୍ | ଦକ୍ଷିଣ ଓଡ଼ିଶା (ମୁସଲମାନ୍) |
ମୌଲବୀ ମହମ୍ମଦ ଖାଁ | ମୁସଲିମ୍ ଲିଗ୍ | ବାଲେଶ୍ୱର ତଥା ସମ୍ବଲପୁର |
ଘନଶ୍ୟାମ ଦାସ ଥିରାନି | ସ୍ୱାଧୀନ | ଓଡ଼ିଶା ବାଣିଜ୍ୟ ଓ ଶିଳ୍ପ |
ଲୋକନା ମିଶ୍ର | ସ୍ୱାଧୀନ | ପଶ୍ଚିମ ଓଡ଼ିଶା ଜମିଦାର |
ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଟିକାୟତ | ସ୍ୱାଧୀନ | ପୂର୍ବ ଓଡ଼ିଶା ଜମିଦାର |
ବୈଦ୍ୟନାଥ ରଥ | କମ୍ୟୁନିଷ୍ଟ | ଶ୍ରମ ଓଡ଼ିଶା |
ମନୋନୀତ ସଭ୍ୟ-(୪) | ||
ଲକ୍ଷ୍ମୀନାରାୟଣ ସାହୁ | କଟକ | |
କୁମାରୀ ଆନେ କ୍ୟା୍ରିନ୍ମ ମନ୍ରୁ | ସେରାଙ୍ଗ-ଗଞ୍ଜ | |
ଅନ୍ତର୍ଯ୍ୟାମୀ ମଲ୍ଲିକ | କନ୍ଧମାଳ | |
ଗୋଦାବରଥି ରାମଦାସ | କନ୍ଧମାଳ |
ଏପ୍ରିଲ ୨୦ ତାରିଖରେ କଂଗ୍ରେସ ବିଧାୟକ ଦଳର ବୈଠକ କଟକଠାରେ ଅନୁଷ୍ଠିତ ହେଲା । ୪୭ ଜଣ ସଭ୍ୟଙ୍କ ମଧ୍ୟରୁ ୪୬ଜଣ ଏହି ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଶ୍ୱନାଥ ଦାସ ଅଧ୍ୟକ୍ଷତା କରିଥିଲେ । ସର୍ବ ସମ୍ମତି କ୍ରମେ ହରେ କୃଷ୍ଣ ମହତାବ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବାଛିବାପାଇଁ ହରେକୃଷ୍ଣ ମହତାବଙ୍କୁ କ୍ଷମତା ପ୍ରଦାନ କରାଗଲା । ୨୨ ଏପ୍ରିଲରେ ମନ୍ତ୍ରି ମଣ୍ଡଳର ଏକ ପାଞ୍ଚ ଜଣିଆ ତାଲିକା ମହତାବ ରାଜ୍ୟପାଳଙ୍କୁ ପ୍ରଦାନ କଲେ । ୧୯୪୬ ମସିହା ଏପ୍ରିଲ-୨୩ ତାରିଖରେ ଏହି ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କଲା । ଏହି ପାଞ୍ଚ ଜଣିଆ ତାଲିକାରେ ଥିଲେ-
ହରେକୃଷ୍ଣ ମହତାବ | : ପ୍ରଧାନମନ୍ତ୍ରୀ; ଘରୋଇ, ଅର୍, ପ୍ରସାର, ଯୋଜନା ଓ ପୁନର୍ଗଠନ |
ନବକୃଷ୍ଣ ଚୌଧୁରୀ | : ରାଜସ୍ୱ ଯୋଗାଣ ଓ ପରିବହନ |
ପଣ୍ଡିତ ଲିଙ୍ଗରାଜ ମିଶ୍ର | : ଶିକ୍ଷା, ଜଙ୍ଗଲ ଓ ସ୍ୱାସ୍ଥ୍ୟ |
ନିତ୍ୟାନନ୍ଦ କାନୁନ୍ଗୋ | : ବିଚାର ଓ ବିକାଶ ବିଭାଗ |
ରାଧାକୃଷ୍ଣ ବିଶ୍ୱାସ ରାୟ | : ନିର୍ମାଣ, ବାଣିଜ୍ୟ ଓ ଶ୍ରମ ବିଭାଗ |
ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ସାର୍ ଚନ୍ଦୁଲାଲ ତ୍ରିବେଦୀ ମନ୍ତ୍ରିମଣ୍ଡଳଙ୍କୁ ସ୍ୱାଗତ ଜଣାଇଲେ । ମନ୍ତ୍ରିମଣ୍ଡଳ ତରଫରୁ ପ୍ରଧାନମନ୍ତ୍ରୀ ମହତାବ ସମ୍ବର୍ଦ୍ଧନାର ଉତ୍ତର ଦେଇ କହିଲେ-
"Independence is not now a distant object to be gazed at like star of one's choice in the distant horizon. It is now on the point of being realised and all of us believe that we will have it before the year is out. Independence is a most urgent matter for, without it, poverty and squalor of the country cannot be effectively dealt with. To me independence has no political charm, if through it I can not tackle the problems of the masses i.e. their abject poverty, disease and ignorance.xxx"
ଚାରିଜଣ ମନୋନୀତ ସଭ୍ୟଙ୍କ ମଧ୍ୟରୁ ମାନ୍ୟବର ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ସୁପାରିଶରେ ତିନିଜଣଙ୍କୁ ଓ ନିଜ ଇଚ୍ଛାରେ ଅନ୍ୟ ଜଣଙ୍କୁ ମନୋନୀତ କରିିଲେ । ସେମାନେ ହେଲେ- ଲକ୍ଷ୍ମୀ ନାରାୟଣ ସାହୁ, କୁମାରୀ ଆନ୍ନା କାଥରିନ୍ ମୁନ୍ରୁ, ଅନ୍ତର୍ଯ୍ୟାମୀ ମଲ୍ଲିକ ଓ ଗୋଦାବରି ରାମଦାସ ।
ଦ୍ୱିତୀୟ ବିଧାନସଭାର ମାନ୍ୟବର ସଦସ୍ୟମାନେ ୧୯୪୬ ମସିହା ମଇ ମାସ ୨୭ ତାରିଖରେ ଶପଥ ଗ୍ରହଣ କଲେ । ସେହିଦିନ ଦ୍ୱିତୀୟ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇ ଦୁଇଦିନ ଯାଏ ଚାଲିଲା । ବିପୁଳ ସଂଖ୍ୟାଗରିଷ୍ଠତା ଯୋଗୁଁ କଂଗ୍ରେସ ଦଳର ମାନ୍ୟବର ସଦସ୍ୟ ଲାଲମୋହନ ପଟ୍ଟନାୟକ ଓ ଶ୍ରୀମତୀ ଲକ୍ଷ୍ମୀବାଈ ସର୍ବସମ୍ମତିକ୍ରମେ ଯଥାକ୍ରମେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ବାଚିତ ହେଲେ । ମାନ୍ୟବର ସଦସ୍ୟ
ଲକ୍ଷ୍ମୀନାରାୟଣ ସାହୁ ନିର୍ବାଚନ ପରିଚାଳନା କରିଥିଲେ । କଟକର ରେଭେନ୍ସା ମହାବିଦ୍ୟାଳୟ ହଲରେ ଦ୍ୱିତୀୟ ବିଧାନସଭାର ପ୍ରଥମ ବୈଠକ ଅନୁଷ୍ଠିତ ହେଲା ।
ଏହି ମନ୍ତ୍ରିମଣ୍ଡଳ କ୍ଷମତାକୁ ଆସିବାର ସପ୍ତାହକ ମଧ୍ୟରେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ଖଲାସ କରିଦେଲେ । ଆଜୀବନ କାରାଦଣ୍ଡ ଭେ।ଗ କରି ଦେଶାନ୍ତରୀ ହୋଇଥିବା ବତିଶ ଜଣ ବନ୍ଦୀଙ୍କ ଦଣ୍ଡାଦେଶକୁ ମଧ୍ୟ ଉଠାଇଦେଲେ । ଇଣ୍ଡିଆନ୍ ନ୍ୟାସନାଲ ଆର୍ମି (INA)ରେ ଚାକିରି କରିଥିବା ମେଡିକାଲ ଅଫିସରମାନଙ୍କୁ ପ୍ରାଦେଶିକ ମେଡିକାଲ ସର୍ଭିସରେ ଚାକିରି ଦେବାପାଇଁ ସୁବନ୍ଦୋବସ୍ତ କଲେ । ଜନସାଧାରଣ ଦାବିକଲେ ଯେ, ବର୍ମା କ୍ୟାମ୍ପରୁ ଫେରୁଥିବା ବ୍ୟକ୍ତିମାନଙ୍କୁ ଯୋଗ୍ୟତା ଅନୁସାରେ ସରକାରୀ କର୍ମ ଯୋଗାଇ ଦିଆଯାଉ । ୧୯୪୬ ମସିହା ମଇ ମାସ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣକଲେ- ୧୯୪୨-୪୩ ଭାରତଛାଡ଼ ଆନ୍ଦୋଳନ ସମୟରେ ଗାଁ ଗଣ୍ଡାରୁ ଆଦାୟ ହେଇଥିବା ଜୋରିମାନାକୁ ସେହି ଗ୍ରାମର ଲୋକଙ୍କୁ ଫେରାଇ ଦିଆଯିବ । ଏହି ମର୍ମରେ ସମସ୍ତ ଜିଲ୍ଲାପାଳଙ୍କୁ ଆଦେଶନାମା ପଠେଇ ଦିଆଗଲା ।
ଭାରତର ସ୍ୱାଧୀନତା ଆଉ ଅଳ୍ପ ସମୟ ବାକି ଅଛି ବୋଲି ଏହି ସମୟକୁ ଜଣାପଡୁଥିଲା । ପ୍ରକୃତରେ ଘଟଣାଟି ହିଁ ତାହା । ୧୯୪୬ ମସିହା ଜୁନ୍ ୧୬ ତାରିଖରେ ଭାରତର ଭାଇସରାୟ କେନ୍ଦ୍ରରେ ଏକ ଦୃଢ଼ ଓ ଦକ୍ଷ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବା ନିମନ୍ତେ ପ୍ରସ୍ତାବ ରଖିଲେ । ବିଭିନ୍ନ ରାଜ୍ୟରେ ଥିବା ଦକ୍ଷ ନେତାଙ୍କୁ ଏଥିରେ ସାମିଲ କରିବା ପାଇଁ ସେ ଚିନ୍ତା ପ୍ରକଟ କଲେ । ସରକାରରେ ଯୋଗ ଦେବାପାଇଁ କଂଗ୍ରେସ ଓ ମୁସ୍ଲିମ୍ ଲିଗ୍ର ନେତାମାନଙ୍କୁ ବ୍ୟକ୍ତିଗତ ଚିଠି ଲେଖିଲେ । ହରେକୃଷ୍ଣ ମହତାବଙ୍କ ପାଖକୁ ଭାଇସ୍ରଏଙ୍କର ବ୍ୟକ୍ତିଗତ ଚିଠି ଆସିଲା । ଓଡ଼ିଶାର ବିଭିନ୍ନ ସମସ୍ୟା ଓ ହିତ ଦୃଷ୍ଟିରୁ ସେ ଏହି ସରକାରରେ ଯୋଗଦେବା ନିମନ୍ତେ ଇଚ୍ଛା ପ୍ରକାଶ କଲେ ନାହିଁ । ସର୍ଦ୍ଦାର ପଟେଲଙ୍କ ସହ ଏ ସମ୍ପର୍କରେ ଆଲେଚନା କଲେ । ଭବିଷ୍ୟତରେ ଗଡ଼ଜାତ ରାଜ୍ୟର ସମସ୍ୟା ଉପୁଜିପ।ରେ, ଏଣୁ ଏହାର ସମାଧାନ ନିମନ୍ତେ ମହତାବ ଏହି କେନ୍ଦ୍ର ସରକାରରେ ଯୋଗଦେବା ଠିକ୍ ନୁହେଁ ବୋଲି କେନ୍ଦ୍ରୀୟ କଂଗ୍ରେସ କମିଟି ଉପଲବ୍ଧି କଲେ । ଫଳରେ ୨୨.୬.୧୯୪୬ ତାରିଖରେ ହରେକୃଷ୍ଣ ମହତାବ ଭାଇସରାୟଙ୍କୁ ଲେଖିଲେ କି-
"ବ୍ୟକ୍ତିଗତ ଅସୁବିଧା କାରଣରୁ ସେ କେନ୍ଦ୍ରର ଏହି ମଧ୍ୟବର୍ତ୍ତୀ ସରକାରରେ ଯୋଗଦେଇ ପାରିବେ ନାହିଁ ।" କେନ୍ଦ୍ରକୁ ମହତାବଙ୍କ ଯିବା ପ୍ରସ୍ତାବ ବନ୍ଦ ହୋଇଗଲା ।
ଏହା ପରେ ସମ୍ବିଧାନ ସଭା ନିମନ୍ତେ ସଭ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା । ଓଡ଼ିଶାରୁ ୯ଜଣ ସଭ୍ୟ ଏଥିପାଇଁ ମନୋନୀତ ହେବା କଥା । ୧୭.୭.୧୯୪୬ରେ ସମ୍ବିଧାନ ବିଧାୟକ ସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଲା । ଏଥିପାଇଁ ୨୭ଜଣ ପ୍ରାର୍ଥୀ ଥିଲେ । କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ଥିବାରୁ ୯ ଜଣଙ୍କୁ ସର୍ବସମ୍ମତି କ୍ରମେ ଓଡ଼ିଶାରୁ ପଠାଗଲା । ସେମାନେ ହେଲେ, ହରେକୃଷ୍ଣ ମହତାବ, ଶାନ୍ତନୁ କୁମାର ଦାସ, ମାଳତୀ ଚୌଧୁରୀ, ରାଜକୃଷ୍ଣ ବୋଷ, ବୋଧିରାମ ଦୁବେ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, ବିଶ୍ୱନାଥ ଦାସ ଓ ଲକ୍ଷ୍ମୀ ନାରାୟଣ ସାହୁ ।
ଦ୍ୱିତୀୟ ବିଧାନସଭା ନିର୍ବାଚନରେ ଦୁଇଜଣ ମହିଳା ଶ୍ରୀମତୀ ପ୍ରିୟମ୍ବଦା ଦେବୀ କଟକ ନଗର ମହିଳା ଆସନରୁ ଓ ଶ୍ରୀମତୀ ଏ. ଲକ୍ଷ୍ମୀବାଈ ବ୍ରହ୍ମପୁର ମହିଳା ଆସନରୁ ନିର୍ବାଚିତ ହୋଇ ଆସିଲେ । ଶ୍ରୀମତୀ ଏ. ଲକ୍ଷ୍ମୀବାଈ ଦ୍ୱିତୀୟବାର ନିର୍ବାଚତ ହୋଇ ଉପ-ବାଚସ୍ପତି ହେଲେ । ସରଳାଦେବୀଙ୍କ ସ୍ଥାନରେ ପ୍ରିୟମ୍ବଦା ଦେବୀ ନିର୍ବାଚିତ ହୋଇ ଆସିଲେ । ଦୁଇଜଣଯାକ କଂଗ୍ରେସ ଦଳର ସଭ୍ୟା ।
ପ୍ରିୟମ୍ବଦା ଦେବୀ :
ପ୍ରିୟମ୍ବଦା ଦେବୀଙ୍କର ଜନ୍ମ ୧୮୯୮ରେ କଟକ ଜିଲ୍ଲାର ସତ୍ୟଭାମାପୁର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପରିବାରରେ । ସେ ଜଣେ ସାହିତ୍ୟିକା । ତାଙ୍କ ପିତାଙ୍କ ନାମ ନାରାୟଣ ଦାସ । ପ୍ରିୟମ୍ବଦା ଦେବୀ ମଧୁବାବୁଙ୍କର ଝିଆରୀ ହେବେ । ସେ ୧୯୨୪ ମସିହାରେ ବାନର ସେନା ଗଠନ କରି ସ୍ୱ।ଧୀନତା ସଂଗ୍ରାମକୁ ସାହାଯ୍ୟ କରିିଥିଲେ । ୧୯୩୦ ମସିହାରେ ଗିରଫ ହୋଇ ତିନିମାସ କାରାବରଣ କଲେ । ୧୯୩୨ ମସିହାରେ ପୁନର୍ବାର ଜେଲ ଗଲେ । ଏଥର ଜେଲରେ ଚାରି ମାସ ରହିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ସ୍ୱମୀ ଭାଗୀରଥି ଦାସଙ୍କ ସହ ଗିରଫ ହୋଇ ଯାଜପୁର ସ୍ପେଶାଲ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ବିଚାର ହୋଇ ଛ'ମାସ କାରାବରଣ କଲେ । ତାଙ୍କର ଶ୍ୱଶୁରଘର ରମ୍ପାଗ୍ରାମ, ପୋ.ଅ. ବରୀ ଜିଲ୍ଲା କଟକ । ୧୯୯୯ଜୁଲାଇ ୮ ତାରିଖରେ କଟକ ସହର ସ୍ଥିତ ବାସଭବନରେ ୧୦୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।
ଏହି ବିଧାନସଭାରେ ଲାଲମୋହନ ପଟ୍ଟନାୟକ ବାଚସ୍ପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ କଲେ । ସେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀକାକୁଲମ ଜିଲ୍ଲାର ବୁଦ୍ଧରସିଙ୍ଗ ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲ ୧୮୯୧ ମସିହାରେ । ବ୍ରହ୍ମପୁରର ଖଲିକୋଟ କଲିଜିଏଟ୍ ହାଇସ୍କୁଲରୁ ୧୯୧୦ରେ ମାଟ୍ରିକ ପାସ୍ କଲେ । ତାପରେ ସେ ମାଡ୍ରାସ ଓ କଲିକତାରେ ଉଚ୍ଚଶିକ୍ଷା ଲାଭ କରି ବି.ଏ. ବି.ଏଲ୍ ପାସ କରିିଥିଲେ । ଏହା ପରେ ବ୍ରହ୍ମପୁର ସହରରେ ଓକିଲାତି ବ୍ୟବସାୟ ଆରମ୍ଭ କରି ବେଶ୍ ନାଆଁ କମେଇଲେ । ଲାଲମୋହନ ପଟ୍ଟନାୟକ ଭି.ଭି.ଗିରି., ସାର୍ ପର୍ଶୁରାମ ପାତ୍ର, ବିଶ୍ୱନାଥ ଦାସ, ଲିଙ୍ଗରାଜ ପାଣିଗ୍ରାହୀ ଓ ରାମକୃଷ୍ଣ ରଥ ଥିଲେ ତାଙ୍କର ସହକର୍ମୀ ଓକିଲ । ସେ ୧୦ ବର୍ଷ ଓକିଲାତି କରିିଥିଲେ । ତାପରେ ୧୯୨୧ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ଏହା ସହିତ ଓଡ଼ିଆ ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଅଂଶ ଗ୍ରହଣ କରିିଥିଲେ । ଏହି ସମୟରେ ସେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ । ୧୯୪୪ ମସିହାରେ ଖ୍ରୀଷ୍ଟୀୟ ମିଶନାରୀ କାର୍ଯ୍ୟ ପାଇଁ ସେ ବ୍ରହ୍ମପୁର ଓ କଟକରେ ଅବସ୍ଥାନ କଲେ । ଦ୍ୱିତୀୟ ସାଧାରଣ ନିର୍ବାଚନରେ ସେ ଓଡ଼ିଶା ଖ୍ରୀଷ୍ଟିଆନ ସଂରକ୍ଷଣ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟ ଲାଭ କଲେ । ସେ ଥିଲେ ଖ୍ରୀଷ୍ଟିଆନ୍ ଶିକ୍ଷା ପରିଷଦର ସଭାପତି, ଜେଲ ରିଫର୍ମ କମିଟିର ଅଧ୍ୟକ୍ଷ । ସେ ଓଡ଼ିଆ ଭକ୍ତି ସଙ୍ଗୀତ ଗାଇବା ଓ ଶୁଣିବାପାଇଁ ଭାରି ଭଲ ପାଉଥିଲେ । 'ରିସରେକ୍ଟେଡ ଓଡ଼ିଶା' ନାମରେ ଏକ ପୁସ୍ତକ ରଚନା କରି ସେଥିରେ ଓଡ଼ିଶାର ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ମହମାରୀ ଏବଂ ଦାରିଦ୍ର୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ପୁସ୍ତକଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାଷାରେ ସେ ଲେଖିଥିଲେ । 'ଜୀବନଚମ୍ପୂ' ଓ 'ବନ୍ଦନା' ନାମରେ ଦୁଇଟି ପୁସ୍ତକ ମଧ୍ୟ ସେ ପ୍ରକାଶ କରିଥିଲେ । ସେ ଥିଲେ ଅତ୍ୟନ୍ତ ମେଳାପୀ ଓ ସାହାଯ୍ୟକାରୀ ବ୍ୟକ୍ତି । ତାଙ୍କ ଜୀବନଟା ପୂରାପୂରି ଶୃଙ୍ଖଳା ମଧ୍ୟରେ ପରିଚାଳିତ ଥିଲା । ତାଙ୍କର ଶୃଙ୍ଖଳାବୋଧକୁ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଖୁବ୍ ତାରିଫ୍ କରୁଥିଲେ । ସେ ୧୯୫୬ ମସିହା ଫେବ୍ରୁଆରି ୨୭ ତାରିଖରେ ପରଲୋକ ଗମନ କଲେ । ତାଙ୍କ ପରି ଶୃଙ୍ଖଳିତ ଜାତୀୟବାଦୀ ବ୍ୟକ୍ତି ମିଳିବା କଷ୍ଟକର ।
ଏହି ବିଧାନସଭା ଓ ମନ୍ତ୍ରିମଣ୍ଡଳ ସମୟରେ ଦେଶ ସ୍ୱାଧୀନ ହୋଇଥିଲା ।