ଓଡ଼ିଶା ରାଜନୀତିର ଇତିହାସ/୧୯୫୭ର ଝୁଲା ବିଧାନସଭା ଓ ମିଳିତ ସରକାର

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
୧୯୫୭ର ଝୁଲା ବିଧାନସଭା ଓ ମିଳିତ ସରକାର


ତ୍ରୟୋଦଶ ପରିଚ୍ଛେଦ
୧୯୫୭ର ଝୁଲା ବିଧାନସଭା
ଓ ମିଳିତ ସରକାର

୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ କଂଗ୍ରେସ ୧୪୦ଟି ଆସନରୁ ମାତ୍ର ୫୬ଟି ଆସନ ଲାଭ କରି ଏକକ ସଂଖ୍ୟା ଗରିଷ୍ଠଦଳର ମାନ୍ୟତା ଲାଭ କଲା । କିନ୍ତୁ ୭୧ ଜଣ ବିଧାୟକଙ୍କ ସମର୍ଥନ ରହିଲେ ଯାଇ କଂଗ୍ରେସଦଳ ମନ୍ତ୍ରିମଣ୍ଡଳ ଗଠନ କରିପାରିବ । ମନ୍ତ୍ରିମଣ୍ଡଳ ଗଠନ ନ ହେଲେ ଓଡ଼ିଶା କଂଗ୍ରେସ ବଦନାମ ହେବ । ଡକ୍ଟର ମହତାବଙ୍କ ରାଜନୈତିକ ସୁଖ୍ୟାତିରେ ଆଞ୍ଚ ଆସିବ । କାରଣ ମହତାବଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ହେଉଥିଲା । ଏଣୁ ୧୦ଜଣ ସ୍ୱାଧୀନ ବିଧାୟକ ଓ ୪-୫ ଜଣ ଗଣତନ୍ତ୍ର ପରିଷଦର ବିଧାୟକଙ୍କୁ ଆଣି କଂଗ୍ରେସ ଦଳଭୁକ୍ତ କରାଗଲା । ତା ସହିତ ଝାଡ଼ଖଣ୍ଡ ଦଳର ୫ ଜଣ ବିଧାୟକଙ୍କ ସମର୍ଥନ ହାସଲ କରାଗଲା ।

ଏହିପରି ଭାବରେ କୃତ୍ରିମ ସଂଖ୍ୟା ଗରିଷ୍ଠତା ହାସଲ କରାଯାଇ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଡକ୍ଟର ହରେକୃଷ୍ଣ ମହତାବ ହେଲେ ମୁଖ୍ୟମନ୍ତ୍ରୀ । ତାଙ୍କ ହାତରେ ରହିଲା ପଲଟିକାଲ ସର୍ଭିିସେସ୍‍ ଓ ଅର୍ଥ ବିଭାଗ । ଅନ୍ୟ ମନ୍ତ୍ରୀମାନେ ହେଲେ, ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ- ଘରୋଇ ଆଇନ୍‍ ଓ ଶିକ୍ଷାବିଭାଗ ମନ୍ତ୍ରୀ; ରାଧାନାଥ ରଥ- ଉନ୍ନୟନ ବିଭାଗ ମନ୍ତ୍ରୀ; ଶ୍ରୀ ଦିନବନ୍ଧୁ ସାହୁଶିଳ୍ପ, ଖଣି ଓ ଭୂତତ୍ତ୍ୱ ବିଭାଗ ମନ୍ତ୍ରୀ; ଶ୍ରୀ ସତ୍ୟପ୍ରିୟ ମହାନ୍ତି- ରାଜସ୍ୱ, ଅବକାରୀ ଓ ସ୍ୱାୟତ୍ତ ଶାସନ ବିଭାଗ ମନ୍ତ୍ରୀ; ବସନ୍ତ ମଞ୍ଜରୀ ଦେବୀ- ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ (ସ୍ୱାୟତ୍ତ ଶାସନ, ରିଲିଫ ଓ ପୁନର୍ବସତି), ନୀଳମଣି ରାଉତରାୟ- ଯୋଗାଣ ପରିବହନ ଓ ଶ୍ରମମନ୍ତ୍ରୀ; ପବିତ୍ର ମୋହନ ପ୍ରଧାନ- ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ମନ୍ତ୍ରୀ; ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ- ନଦୀ ଉପତ୍ୟକା ଉନ୍ନୟନ, ଦୁର୍ନୀତି ନିବାରଣ ସହ ରାଉରକେଲା ଇସ୍ପାତ କାରଖାନାର ସମସ୍ତ ବିଷୟର ମନ୍ତ୍ରୀ ।

ଉପମନ୍ତ୍ରୀମାନେ ହେଲେ; ଶ୍ରୀ ଶାନ୍ତନୁ କୁମାର ଦାସ- ପଲ୍‍ଟିକାଲ ସର୍ଭିିସେସ୍‍, ଉନ୍ନୟନ, ମତ୍ସ୍ୟ ଓ ସମବାୟ ବିଭାଗ; ଶ୍ରୀ ବୀର ବିକ୍ରମାଦିତ୍ୟ ସିଂହ ବରିହା- ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ (ଆଦିବାସୀ ଓ ହରିଜନ ଶିକ୍ଷା ଓ ଆଦିବାସୀ ଗବେଷଣା ବ୍ୟତୀତ); ଶ୍ରୀ କୁମୁଦ ଚନ୍ଦ୍ର ସିଂହ- ଲୋକସଂପର୍କ, ପରିବହନ ଓ ନିର୍ମାଣ ବିଭାଗ; ଶ୍ରୀ ହିମାଂଶୁ ଶେଖର ପାଢ଼ୀ- କୃଷି ବିଭାଗ । କଟକ ସହର ବିଧାୟକ ଶ୍ରୀ ବୀରେନ୍‍ ମିତ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ତାଙ୍କୁ ଡକ୍ଟର ମହତାବ ମନ୍ତ୍ରିମଣ୍ଡଳରେ ଗ୍ରହଣ କରି ନଥିଲେ । ସେଥିପାଇଁ ବୀରେନ୍‍ ମିତ୍ର ମନ ଦୁଃଖ କରଥିଲେ ।

ଡକ୍ଟର ହରେକୃଷ୍ଣ ମହତାବ :

ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ୱର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କଟକର ରେଭେନ୍‍ସା କଲେଜରେ ଅଧ୍ୟୟନ କରିଥିଲେ । ୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡ଼ିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାମାନଙ୍କ ଭିତରେ ସେ ଥିଲେ ଅନ୍ୟତମ । ୧୯୨୩-୨୪ରେ ସେ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭-୩୯ ମସିହା ଯାଏ ସେ ଓଡ଼ିଶାର ଦେଶୀୟ ରାଜ୍ୟ ପ୍ରଜା ଆନ୍ଦୋଳନକୁ ପରିଚାଳିତ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ଗଡ଼ଜାତ ପ୍ରଜା ଅନୁସନ୍ଧାନ କମିଟିର ଚେୟାରମ୍ୟାନ୍‍ ହେଲେ । ୧୯୪୨ ମସିହାରେ ସେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣକରି ଅହମଦନଗର ଦୁର୍ଗରେ ଭାରତର ତୁଙ୍ଗ କଂଗ୍ରେସ ନେତାମାନଙ୍କ ସହିତ ଅଟକବନ୍ଦୀ ଥିଲେ । ସେଠାରୁ ମୁକ୍ତ ହେବା ପରେ ୧୯୪୬ ମସିହା ଏପ୍ରିଲ୍‍ ମାସରେ ଓଡ଼ିଶାର କଂଗ୍ରେସର ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ୧୯୫୦ ମଇମାସ ୧୨ ତାରିଖ ଯାଏ କାର୍ଯ୍ୟ ବହନ କରଥିଲେ । ଏହି ସମୟରେ ତତ୍‍କାଳୀନ ଓଡ଼ିଶା ପ୍ରଦେଶ ସହିତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଥିଲା ତାଙ୍କର ଐତିହାସିକ ଅବଦାନ । ଏହା ଫଳରେ ପରବର୍ତ୍ତୀକାଳରେ ସ୍ୱାଧୀନ ଭାରତରେ ସମସ୍ତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପଥ ଉନ୍ମୁକ୍ତ ହୋଇଯାଇଥିଲା । ଏହା ବ୍ୟତୀତ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ଭୁବନେଶ୍ୱରଠାରେ ରାଜଧାନୀ ନିର୍ମାଣ ଆଦି ଉଲ୍ଲେଖନୀୟ ଘଟଣା । ୧୯୫୦-୫୨ ଯାଏଁ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ, ୧୯୫୨-୫୫ ଯାଏ ପାର୍ଲିିଆମେଣ୍ଟରେ କଂଗ୍ରେସ ଦଳର ସାଧାରଣ

ସମ୍ପାଦକ ଦାୟିତ୍ୱ ବହନ କରିିଥିଲେ । ଏହି ସମୟ ମଧ୍ୟରେ ସେ ଇଂଲଣ୍ଡ, ଆମେରିକା, ଜାପାନ ଆଦି ଅନେକ ରାଷ୍ଟ୍ର ଭ୍ରମଣରେ ଯାଇଥିଲେ । ୧୯୫୫ ମସିହା ମାର୍ଚ୍ଚ ମାସଠାରୁ ୧୯୫୬ ଅକ୍ଟୋବର ମାସ ଯାଏ ସେ ଥିଲେ ବମ୍ୱେ ପ୍ରଦେଶର ରାଜ୍ୟପାଳ । ତା'ପରେ ସେ ନବକୃଷ୍ଣ ଚୌଧୁରୀଙ୍କ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରି ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ ।

ସେ କେବଳ ଜଣେ ରାଜନୈତିକ ବା କୂଟନୀତିଜ୍ଞ ନୁହନ୍ତି, ସେ ଜଣେ ମହାନ୍‍ ସଂସ୍କୃତିସମ୍ପନ୍ନ ବ୍ୟକ୍ତି । 'ଓଡ଼ିଶା ଇତିହାସ' ପୁସ୍ତକ ରଚନା କରିବା ସହ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ବହୁ ଉଚ୍ଚକୋଟୀର ରାଜନୀତିକ ସମସ୍ୟାମୂଳକ ପୁସ୍ତକ ଲେଖିଛନ୍ତି । ଓଡ଼ିଆ ଭାଷାରେ ଅନେକ ଗଳ୍ପ, ଉପନ୍ୟାସ ଓ ନାଟକ ମଧ୍ୟ ସେ ରଚନା କରିଛନ୍ତି । ସାହିତ୍ୟ କୃତି ପାଇଁ ୧୯୫୦ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଡକ୍ଟର ମହତାବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଉପାଧିରେ ଭୂଷିତ କରିଛନ୍ତି । ସେ ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଜୀବନ ସଭ୍ୟ । ଏହିପରି ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ଡକ୍ଟର ମହତାବ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ଡକ୍ଟର ମହତାବଙ୍କ ମନ୍ତ୍ରିମଣ୍ଡଳ କିଛିଦିନ ଚାଲିବା ପରେ ବିଭ୍ରାଟ ଆରମ୍ଭ ହୋଇଗଲା । ଯେଉଁ ସ୍ୱାଧୀନ ସଦସ୍ୟ ଓ ଗଣତନ୍ତ୍ର ପରିଷଦର ସଦସ୍ୟମାନେ କଂଗ୍ରେସରେ ଯୋଗଦେଇଥିଲେ, ସେମାନେ ନାନା ପ୍ରକାର ଦାବି ଉପସ୍ଥାପନ କଲେ । କିଏ ମନ୍ତ୍ରୀପଦ ଦାବି କରୁଥାଆନ୍ତି ତ କିଏ ଆର୍ଥିକ ସହାୟତା ପାଇଁ ଦାବି ଉପସ୍ଥାପନ କରୁଥାଆନ୍ତି । ଆଉ ଝାଡ଼ଖଣ୍ଡ ଦଳର ନେତାମାନଙ୍କ କଥା କହିଲେ ନସରେ । ସେହି ସମୟରେ ଓଡ଼ିଶା ବିଧାନସଭା ଶନିବାର-ରବିବାରରେ ବନ୍ଦ ରହେ । ଶୁକ୍ରବାର ଦିନ ସକାଳଓଳି ବିଧାନସଭା ବସେ ଓ ଦିନ ଗୋଟାକରେ ବନ୍ଦ ହୁଏ । ପ୍ରତି ଶୁକ୍ରବାର ଦିନ ଝାଡ଼ଖଣ୍ଡ ଦଳର ସଭ୍ୟମାନେ ନିଜ ଗାଁ ଓ ନିର୍ବାଚନମଣ୍ଡଳୀକୁ ଯାଆନ୍ତି । ସ୍ୱାଧୀନ ସଭ୍ୟମାନଙ୍କର ଅଭ୍ୟାସ ମଧ୍ୟ ଠିକ୍‍ ସେହିପରି ।

ପବିତ୍ରମୋହନ ପ୍ରଧାନ ଥାଆନ୍ତି ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ମନ୍ତ୍ରୀ । ଝାଡ଼ଖଣ୍ଡ ଦଳର ନେତାମାନେ ସମସ୍ତେ ଆଦିବାସୀ । ତେଣୁ ସେମାନଙ୍କ ଯିବା ଆସିବା ଦାୟିତ୍ୱ ପବିତ୍ର ବାବୁଙ୍କ ଉପରେ ନ୍ୟସ୍ତ ଥାଏ । ସୋମବାର ଦିନ ୧୧ଟା ସୁଦ୍ଧା ଏହି ନେତାମାନଙ୍କୁ ବିଧାନସଭାରେ ଉପସ୍ଥିତ କରାଇବା ଦାୟିତ୍ୱ ମଧ୍ୟ ପବିତ୍ର ବାବୁଙ୍କର । ଗଣତନ୍ତ୍ର ପରିଷଦ ଦଳରୁ ଆସି କଂଗ୍ରେସରେ ମିଶିିବା ସଭ୍ୟମାନଙ୍କ ଉପରେ ଉକ୍ତ ଦଳର ଚାପ ଓ ଧମକ ସଦାସର୍ବଦା ଲାଗି ରହିଥାଏ ।

ଦିନକର କଥା । ସେଦିନ ବିଧାନସଭା ଚାଲିିବା ସମୟରେ ଗଣତନ୍ତ୍ର ଦଳରୁ କଂଗ୍ରେସରେ ମିଶିିବା ଦୁଇଜଣ ସଦସ୍ୟ ହଠାତ୍‍ କଂଗ୍ରେସ ଦଳ ତ୍ୟାଗ କରି ସେମାନଙ୍କ ନିଜ ଦଳରେ ମିଶିଗଲେ । ଏହାଫଳରେ କଂଗ୍ରେସ ଦଳରେ ହତାଶା ଭାବ ହେଲା । ଏଥିପାଇଁ ଗଣତନ୍ତ୍ର ପରିଷଦ ମଧ୍ୟ ଉତ୍ସାହୀ ହୋଇଉଠିଲେ । ତାଙ୍କ ଦଳରୁ ଯାଇ କଂଗ୍ରେସ ଦଳରେ ମିଶିିବା ଅନ୍ୟ ସଦସ୍ୟମାନଙ୍କୁ ନେଇଯିବା ପାଇଁ ଉଦ୍ୟମ କଲେ । ଖାଲି ସେତିକି ନୁହେଁ- କଂଗ୍ରେସଦଳରୁ ମଧ୍ୟ ଦୁଇ ତିନିଜଣ ସଦସ୍ୟଙ୍କୁ ନେଇଯିବା ପାଇଁ ଚେଷ୍ଟା ଅବ୍ୟାହତ ରଖିଲେ ।

ଆୟାରାମ ଗୟାରାମ ପ୍ରସଙ୍ଗ :

ଏପରି ଏକ ସଂଖ୍ୟାଲଘୁ ସରକାରକୁ ଚଳାଇବା କାଠିକର ପାଠ ହୋଇପଡ଼ିଲା । ସଦାସର୍ବଦା ଗଣତନ୍ତ୍ର ପରିଷଦ ଦଳର ସଭ୍ୟମାନଙ୍କ ସହ ବାଚନିକ ଯୁଦ୍ଧ ଚାଲିଲା । ବେଳେବେଳେ ହାତାହାତି ବି ହେଲା । ଦିଲ୍ଲୀ ମହଲରେ କଂଗ୍ରେସ ହାଇକମାଣ୍ଡ ଏଥିପାଇଁ ଅତ୍ୟନ୍ତ ବିବ୍ରତ ଓ ବିଚଳିତ ହୋଇପଡ଼ିଲେ । କାରଣ ସେତେବେଳେ ଅନ୍ୟ ଦଳରୁ ସଭ୍ୟ ଆଣି ମନ୍ତ୍ରିମଣ୍ଡଳ ଚଳାଇବା କାର୍ଯ୍ୟ ନିନ୍ଦା ଓ ଅପମାନସୂଚକ ବୋଲି ବିବେଚିତ ହେଉଥିଲା । ବିଧାନସଭା ବୈଠକରେ ଏପରି ଅବସ୍ଥା ଉପୁଜୁଥାଏ ଯେ ଜଣାପଡୁଥାଏ, ମନ୍ତ୍ରିମଣ୍ଡଳ କେତେେବେଳେ ଭାଙ୍ଗଯିବ ତାହା କେହି କହିପାରିବ ନାହିଁ । କଂଗ୍ରେସ ଦଳ ଏଥିପାଇଁ ସବୁବେଳେ ସଜାଗ ଥାଏ । ଦଳରେ ଯୋଗ ଦେଇଥିବା ସ୍ୱାଧୀନ ସଭ୍ୟମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥାଏ । ଅନ୍ୟମାନଙ୍କ ମଧ୍ୟରେ ଜଣେ ରାଜା ସ୍ୱାଧୀନ ସଭ୍ୟ ଭାବରେ ଥାଆନ୍ତି । ମହତ୍ତ୍ୱପୂର୍ଣ୍ଣ ଭୋଟିଂ ଦିନ ସେ ବିଧାନସଭାରେ ଉପସ୍ଥିତ ରହିବାକୁ କୁଣ୍ଠାବୋଧ କରନ୍ତି । କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ଲାଭ ନ ପାଇଲେ ସେ ବିଧାନସଭାରେ ଉପସ୍ଥିତ ରହି ଭୋଟ ଦେବେ ନାହିଁ ବୋଲି ରୋକ୍‍ଠୋକ୍‍ ଭାବରେ କହନ୍ତି । ଏହିସବୁ ପ୍ରସଙ୍ଗରେ କେନ୍ଦ୍ର କର୍ତ୍ତୃପକ୍ଷ ଓଡ଼ିଶାର କଂଗ୍ରେସ ସରକାରଙ୍କୁ ଭାଙ୍ଗିଦେବା ପାଇଁ ମନସ୍ଥ କରୁଥାଆନ୍ତି । ଡକ୍ଟର ମହତାବ ମଧ୍ୟ ଚାହୁଁଥିଲେ ଏପରି ଦୁର୍ବଳ ସରକାର ଭାଙ୍ଗିଯିବା ଉଚିତ ।

ହେଲେ ଯେଉଁମାନେ ମହତାବଙ୍କୁ ବମ୍ୱେ ରାଜ୍ୟପାଳ ପଦରୁ ଉଠାଇ ଆଣିିଲେ, ସେମାନେ ଚାହୁଁଥାଆନ୍ତି ଯେକୌଣସି ପ୍ରକାରେ ଓଡ଼ିଶାରେ କଂଗ୍ରେସ ସରକାର ବଞ୍ଚି ରହୁ । ସରକାର ଭାଙ୍ଗି ସାନି ନିର୍ବାଚନ କରିବାକୁ ଅଧିକାଂଶ ସଭ୍ୟ ଚାହୁଁ ନଥାନ୍ତି । ଶାସନ କୌଣସି ପ୍ରକାରେ ଚଳିବ, ମହତାବ ବାବୁ ଏହି ଶାସନର ନେତୃତ୍ୱ ନେବେ- ଏହା ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ନୀଳମଣି ରାଉତରାୟଙ୍କ ସମେତ କଂଗ୍ରେସ ଦଳର ଶତକଡ଼ା ପଚାଶ ଭାଗରୁ ଅଧିକ ସଭ୍ୟଙ୍କର ମତ ବୋଲି 'ମୁକ୍ତିପଥେ ସୈନିକ'ରେ ଲେଖିଛନ୍ତି ପବିତ୍ରମୋହନ ପ୍ରଧାନ ।

କଂଗ୍ରେସ ପ୍ରତି ଶକ୍ତ ଧକ୍କା :

୧୯୫୮ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ଓଡ଼ିଶା ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଝାଡଖଣ୍ଡଦଳର ୫ଜଣ ସଭ୍ୟଙ୍କ ସମର୍ଥନ ସହ ବିଧାନସଭାରେ କଂଗ୍ରେସଦଳର ସଭ୍ୟ ସଂଖ୍ୟା ଥିଲା ୭୫ । ଫଳରେ କଂଗ୍ରେସ ଦଳ ତରଫରୁ ବିଭୁଧେନ୍ଦ୍ର ମିଶ୍ର ଓ ମହମ୍ମଦ ହନିଫ୍‍ଙ୍କୁ ପ୍ରାର୍ଥୀ କରାଗଲା । ଗଣତନ୍ତ୍ର ପରିଷଦର ସଭ୍ୟସଂଖ୍ୟା ୪୧ । ଏହି ଦଳରୁ ହରିହର ପଟେଲ ପ୍ରାର୍ଥୀ ହେଲେ । ପ୍ରଜା ସମାଜବାଦୀ ଦଳର ସଭ୍ୟସଂଖ୍ୟା ୧୧ ଥାଇ ସେହି ଦଳରୁ ପ୍ରାର୍ଥୀ କରାଗଲା ଦିବାକର ପଟ୍ଟନାୟକଙ୍କୁ । କଂଗ୍ରେସ ଦଳର ସ୍ଥିତି ଅନୁଯାୟୀ ଦୁଇଜଣଯାକ ପ୍ରାର୍ଥୀ ଜିତିବା କଥା । ହେଲେ କଂଗ୍ରେସଦଳରୁ କେବଳ ବିଭୁଧେନ୍ଦ୍ର ମିଶ୍ର ଜିତିଲେ ଓ ମହମ୍ମଦ ହନିଫ୍‍ ପରାଜିତ ହେଲେ । ଗଣତନ୍ତ୍ର ପରିଷଦର ଏକମାତ୍ର ପ୍ରାର୍ଥୀ ହରିହର ପଟେଲ

ଓ ପ୍ରଜା ସମାଜବାଦୀ ଦଳର ପ୍ରାର୍ଥୀ ଦିବାକର ପଟ୍ଟନାୟକ ଜୟଯୁକ୍ତ ହେଲେ । ଏହା କଂଗ୍ରେସ ଦଳ ପାଇଁ ହେଲା ଏକ ଶକ୍ତ ଧକ୍କା ।

କଂଗ୍ରେସ ଦଳର ଏପରି ପରାଜୟ କାରଣରୁ ଗଣତନ୍ତ୍ର ପରିଷଦର ତୁଙ୍ଗ ନେତାମାନେ ଉତ୍ସାହୀ ହୋଇଉଠିଲେ । ତାଙ୍କ ଦଳରୁ କଂଗ୍ରେସ ଦଳରେ ମିଶିଯାଇଥିବା ସଦସ୍ୟମାନଙ୍କୁ କିପରି ନିଜ ଦଳକୁ ଅଣାଯିବ ଓ କଂଗ୍ରେସଦଳକୁ ଫଟାଇ ସେଥିରୁ କେମିତି କିଛି ସଦସ୍ୟଙ୍କୁ ଅଣାଯିବ ସେଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଲେ । ସେମାନେ ପ୍ରଥମେ ଖଡ଼ିଆଳର ରାଜା କଂଗ୍ରେସ ବିଧାୟକ ଅନୁପ ସିଂହ ଦେଓଙ୍କ ଉପରେ ଆଖି ପକାଇ ସଫଳ ହେଲେ । କାରଣ ଅନୁପ ସିଂହଦେଓ ଥିଲେ କଳାହାଣ୍ଡି ରାଜପରିବାରର ଜାମାତା । ଯେଉଁ ଅନୁପ ସିଂହଦେଓ ପ୍ରଥମ ସାଧାରଣ ନିର୍ବାଚନ କାଳରୁ କଂଗ୍ରେସ ଦଳରେ ଥାଇ ନୂଆପଡ଼ା ଆସନରୁ ୧୯୫୧-୫୨ ନିର୍ବାଚନରେ ବିଜୟୀ ହୋଇଥିଲେ, ସେ କଂଗ୍ରେସ ବିରୁଦ୍ଧରେ ମତବ୍ୟକ୍ତ କରି କଂଗ୍ରେସ ଦଳ ତ୍ୟାଗ କରି ବିରୋଧୀ ଦଳ ଆସନରେ ଯାଇ ବସିଲେ । ଏହା ପରେ ଦିଗପହଣ୍ଡି କଂଗ୍ରେସ ବିଧାୟକ, ବିଶିଷ୍ଟ ହରିଜନ ନେତା ମୋହନ ନାୟକ ଓ ଅନୁପ ସିଂହଦେଓଙ୍କ ସହ ନାମତାରା ଯୁଗ୍ମ ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ଘାସିରାମ ମାଝିଙ୍କୁ ମଧ୍ୟ ଗଣତନ୍ତ୍ର ପରିଷଦର ନେତାମାନେ ନିଜ ପକ୍ଷକୁ ଟାଣିନେଲେ । ଏହି ଦୁଇଜଣ ନେତା କଂଗ୍ରେସ ଦଳ ପରିତ୍ୟାଗ କରିିଥିବା କଥା ବାଚସ୍ପତିଙ୍କୁ ମଧ୍ୟ ଜଣାଇଦେଲେ ।

ଦିନକୁ ଦିନ ଅବସ୍ଥା ସଙ୍ଗୀନ ହୋଇଉଠିଲା । କଂଗ୍ରେସଦଳ ଉବୁଟୁବୁ ଅବସ୍ଥାରେ । କଂଗ୍ରେସର ବିଶିଷ୍ଟ ଯୁବ ବିଧାୟକ ବିଜୟାନନ୍ଦ ପଟ୍ଟନାୟକ ଜାଣିପାରିଲେ ଯେ ଅନୁପ ସିଂହଦେଓଙ୍କୁ କଳାହାଣ୍ଡି ରାଜା ସୁନ୍ଦରଗଡ଼ ରାଜାଙ୍କ ସରକାରୀ ବାସଭବନ (ଏମ୍‍.ଏଲ୍.ଏ. କ୍ୱାର୍ଟର)ରେ ଲୁଚେଇ ରଖିଛନ୍ତି । ତହୁଁ ସେ ଜବରଦସ୍ତ ସୁନ୍ଦରଗଡ଼ ରାଜାଙ୍କ ସରକାରୀ ବାସଗୃହରେ ପ୍ରବେଶ କରି ଗଣତନ୍ତ୍ର ପରିଷଦର ନେତାମାନଙ୍କ ଗହଣରେ ଥିବା ଅନୁପ ସିଂହଦେଓଙ୍କୁ ଉଦ୍ଧାର କଲେ । ଏହି ଘଟଣା ପରେ ଅନୁପ ସିଂହଦେଓ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କଲେ । ଏହା ପରେ ପରେ ମୋହନ ନାୟକ ଓ ଘାସିରାମ ମାଝି ମଧ୍ୟ କଂଗ୍ରେସ ଦଳକୁ ଫେରି ଆସିଲେ ।

୧୯୫୯ ମସିହା ବିଧାନସଭା ବଜେଟ୍‍ ଅଧିବେଶନ ସମୟରେ ଜଣାଗଲା, ଏଣିକି ସରକାର ଚାଲିବା କାଠିକର ପାଠ ହେବ । ଦିନେ ସରକାରଙ୍କର ଏକ ପ୍ରସ୍ତାବ ଉପରେ ଭୋଟ ଦାବିକରି ବିରୋଧିଦଳ ନାକଚ କରିଦେଲେ । ଏହି ବିଲ୍‍ଟି ପୌରସଂସ୍ଥା ନିର୍ବାଚନକୁ ବିଧିବଦ୍ଧ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ବିଲ୍‌ଟିକୁ ଆଣିଥିଲେ ମନ୍ତ୍ରୀ ସତ୍ୟପ୍ରିୟ ମହାନ୍ତି । ବିରୋଧିଦଳ ହଠାତ୍‍ ଏହି ବିଲ୍‍ ଉପରେ ଭୋଟ ଦାବି କଲେ । କଂଗ୍ରେସ ଦଳ ଏଥିପାଇଁ ସଜାଗ ନ ଥିଲେ । ଫଳରେ ଭୋଟରେ ଶାସକ ଦଳର ଶୋଚନୀୟ ପରାଜୟ ଘଟିଲା । ବିରୋଧିଦଳ ଏକାବନଟି ଓ ଶାସକ ଦଳ ତେୟାଳିଶିଟି ଭୋଟ ପାଇଲେ । ସରକାର ଇସ୍ତଫା ଦେବା ପାଇଁ ବିରୋଧିଦଳ ପକ୍ଷରୁ ଜୋରଦାର ଦାବି ହେଲା । ଅନ୍ୟଦଳର ସଦସ୍ୟ ଯେଉଁମାନେ କି କଂଗ୍ରେସରେ ମିଶିିଥିଲେ ସେମାନେ ସରକାରଙ୍କୁ ବଞ୍ଚାଇବା ପାଇଁ ନାନାପ୍ରକାର

ପ୍ରୋତ୍ସାହନ ଦାବି କଲେ । ଏପରି ନୀତିହିନ ଭାବରେ ମନ୍ତ୍ରିମଣ୍ଡଳ ଚଳାଇବା ଠିକ୍‍ ନୁହେଁ ବୋଲି କଂଗ୍ରେସର ମୁଖିଆ ନେତାମାନେ ପ୍ରସ୍ତାବ ଦେଲେ ।

ଆଉ କେତେକ କଂଗ୍ରେସ ନେତା ମତ ଦେଲେ ଯେ, ରାଜା ମହାରାଜଙ୍କ ଗଣତନ୍ତ୍ର ପରିଷଦ ଦଳକୁ କଂଗ୍ରେସରେ ସାମିଲ କରିଦେଲେ ଭଲ ହୁଅନ୍ତା । ଆଉ କିଏ କିଏ କହିଲେ ଯେ ଏହି ରାଜାମାନଙ୍କୁ ଦଳରେ ଉଚ୍ଚସ୍ଥାନ ପ୍ରଦାନ କଲେ, ସେମାନେ ଗଣତନ୍ତ୍ର ଦଳ ଭାଙ୍ଗି କଂଗ୍ରେସରେ ମିଶିଯାଆନ୍ତେ । ଉପକୂଳ ଅଞ୍ଚଳର କଂଗ୍ରେସ ନେତାମାନେ କହୁଥାଆନ୍ତି ଯେ ରାଜା ମହାରାଜାମାନେ କଂଗ୍ରେସ ଦଳରେ ଯୋଗଦେବାକୁ ଆଗ୍ରହୀ, ହେଲେ ପବିତ୍ର ମୋହନ ପ୍ରଧାନ ଏହି ମିଳନ ପ୍ରକ୍ରିୟାରେ ପ୍ରତିବନ୍ଧକ ହେଉଛନ୍ତି ।

ଶେଷରେ ଠିକ୍‍ ହେଲା ଯେ ଗଣତନ୍ତ୍ର ପରିଷଦ ସହ ହାତ ମିଳାଇ କଂଗ୍ରେସ ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାହେବ । କେନ୍ଦ୍ରରେ ଓଡ଼ିଶାର ରାଜାମାନଙ୍କ ସପକ୍ଷରେ କୁହାଗଲା ଯେ "ଓଡ଼ିଶାର ଗଣତନ୍ତ୍ର ଦଳର ରାଜାମାନେ ଲୋକପ୍ରିୟ, ଗଣତନ୍ତ୍ରବାଦୀ ଓ ପ୍ରଗତିଶୀଳ । ସେମାନେ ପଶ୍ଚିମ ଓଡ଼ିଶା ତ‌ଥା ଗଡ଼ଜାତମାନଙ୍କର ପ୍ରକୃତ ନେତା । ଯାହାହେଉ, କେନ୍ଦ୍ର ଏଥିରେ ରାଜିହେଲେ ।

ଡକ୍ଟର ମହତାବଙ୍କର ଆଶଙ୍କା ଥିଲା, କାଳେ ପବିତ୍ର ମୋହନ ପ୍ରଧାନ ଏହି ମିିଳିତ ମନ୍ତ୍ରିମଣ୍ଡଳ ଗଠନକୁ ବିରୋଧ କରିବେ; ତେଣୁ ସେ ମଝିରେ ମଝିରେ ପବିତ୍ରବାବୁଙ୍କୁ ବୁଝାଉ ଥାଆନ୍ତି । ତା'ପରେ ସେ ପ୍ରସ୍ତାବ ଦେଲେ ଯେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଗତୁରା ଇସ୍ତଫା ପ୍ରଦାନ କଲେ ଖୁବ୍‍ ଭଲ ହେବ । କିନ୍ତୁ କିଏ ଇସ୍ତଫା ଦେଇ ଆଦର୍ଶ ଦେଖାଇବ ? ମହତାବ ବାବୁ କହିଲେ, "ଯଦି ପବିତ୍ର ବାବୁ ଇସ୍ତଫା ପ୍ରଥମେ ଦେବେ, ତେବେ ଅନ୍ୟ ମନ୍ତ୍ରୀମାନେ ଇସ୍ତଫା ଦେଇଦେବେ" ଫଳରେ ପବିତ୍ର ବାବୁ ପ୍ରଥମେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । କାରଣ ପବିତ୍ର ବାବୁ ରାଜାମାନଙ୍କ ସହ ମିଶି ମିଳିତ ମନ୍ତ୍ରିମଣ୍ଡଳ ଗଠନ ସପକ୍ଷରେ ନାହାନ୍ତି ବୋଲି ଖୁବ୍‍ ଜୋରରେ ପ୍ରଚାର ହେଉଥିଲା । ପବିତ୍ରବାବୁ ଇସ୍ତଫା ଦେଇଥିବା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତା'ପରେ ସମସ୍ତେ ଇସ୍ତଫା ପ୍ରଦାନ କଲେ । କଂଗ୍ରେସ ମନ୍ତ୍ରିମଣ୍ଡଳ ଭାଙ୍ଗିଲା ।

କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ :

ଗଣତନ୍ତ୍ର ପରିଷଦର ସଭାପତି ପ୍ରତାପ କେଶରୀ ଦେଓ ଏହିପରି ମିଳିତ ମନ୍ତ୍ରିମଣ୍ଡଳ ଗଠନରେ ରାଜି ନ ଥିଲେ । କିନ୍ତୁ ରାଜେନ୍ଦ୍ର ନାରାୟଣ ସିଂହଦେଓ ଏହାକୁ ଏକ ସୁଯୋଗ ଭାବି ହାତଛଡ଼ା କରିବାକୁ ଚାହିଁ ନଥିଲେ । ଓଡ଼ିଶାର ଏକ ନୂଆ ମିଳିତ ମନ୍ତ୍ରିମଣ୍ଡଳ ୧୯୫୯ ମସିହା ମଇ ମାସ ୨୨ ତାରିଖ ଦିନ ୧୦ଟା ସମୟରେ କଟକ ରାଜଭବନଠାରେ ଶପଥ ଗ୍ରହଣ କଲେ । ଏହି ମନ୍ତ୍ରିମଣ୍ଡଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଗଠିତ ହେଲା । ପ୍ରଥମ ଦିନ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ତିନି ଜଣ ମନ୍ତ୍ରୀ ଶପଥ ଗ୍ରହଣ କଲେ । ଅନ୍ୟ ଦୁଇ ଜଣ ହେଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ରାଧାନାଥ ରଥ । ପରବର୍ତ୍ତୀ ସମୟରେ ଏହି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯାଇ ଉଭୟପକ୍ଷରୁ ଆଉ ଆଠଜଣଙ୍କୁ

ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇଥିଲା । ଏହି ମନ୍ତ୍ରିମଣ୍ଡଳରେ କଂଗ୍ରେସର ବହୁ ପୂର୍ବତନ ମନ୍ତ୍ରୀ ସ୍ଥାନ ପାଇଲେ ମଧ୍ୟ ଶ୍ରୀ ପବିତ୍ର ମୋହନ ପ୍ରଧାନଙ୍କୁ ଗ୍ରହଣ କରାଗଲା ନାହିଁ । ବୋଧେ ରାଜା ମହାରାଜାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଯେଉଁ ତିନିଜଣ ମନ୍ତ୍ରୀ ପ୍ରଥମେ ଶପଥ ଗ୍ରହଣ କରିିଥିଲେ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଏହିପରି ହେଲା: ଡକ୍ଟର ହରେକୃଷ୍ଣ ମହତାବ- (ମୁଖ୍ୟମନ୍ତ୍ରୀ) ପଲ୍‍ଟିକାଲ ଆଣ୍ଡ ସର୍ଭିିସେସ୍‍ ବିଭାଗର ସାଧାରଣ ଶାସନ ଓ ନୂଆ ରାଜଧାନୀ ପରିଚାଳନା, ସ୍ୱରାଷ୍ଟ୍ର, ରାଜସ୍ୱ, ଅବକାରୀ ଓ ଶିକ୍ଷାବିଭାଗ; ରାଜେନ୍ଦ୍ର ନାରାୟଣ ସିଂହଦେଓ- ଅର୍ଥ, ସାଧାରଣ ଶାସନ ଓ ନୂଆ ରାଜଧାନୀ ପରିଚାଳନା ବ୍ୟତୀତ ଆଦିବାସୀ ଓ ଗ୍ରାମମଙ୍ଗଳ, ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ଆଇନ ଓ ପୁନର୍ବସତି ବିଭାଗ; ରାଧାନାଥ ରଥ- ବିକାଶ, ନିର୍ମାଣ, ବାଣିଜ୍ୟ, ଯାନବାହନ ଓ ଯୋଗାଣ ବିଭାଗ ।

ଶପଥ ଗ୍ରହଣ ଉତ୍ସବ ପରେ ଡକ୍ଟର ହରେକୃଷ୍ଣ ମହତାବ ଓ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ମିଳିତ ଭାବରେ ନିମ୍ନଲିଖିତ ବିବୃତି ପ୍ରଦାନ କଲେ । ସେମାନେ କହିଲେ-

"ମୋଟାମୋଟି ଭାବରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ବିଶେଷତଃ ଷଢ଼େଇକଳା ଓ ଖରସୁଆଁ କଥା ଆମମାନଙ୍କ ମନରେ ସର୍ବଦା ରହିବ ଓ ସେସବୁ ଅଞ୍ଚଳକୁ ଓଡ଼ିଶା ସହିତ ପୁଣି ମିଶାଇବା ଲାଗି ଆମ୍ଭଦ୍ୱାରା ଯାହା କିଛି ହେବା ସମ୍ଭବ ଆମେ ସେ ସମସ୍ତ ଉଦ୍ୟମ କରିବୁ । ଏହି ମିଳନକୁ ରାଜନୈତିକ ସୁବିଧା ବୋଲି କେହି କେହି ଅଭିସନ୍ଧି ଆରୋପ କରିଛନ୍ତି । କିନ୍ତୁ ସେମାନେ ଭୁଲିଯିବା ଉଚିତ ନୁହେଁ ଯେ, ଯେଉଁଠାରେ ବ୍ୟବସ୍ଥାସଭା ଭିତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ରହିଛନ୍ତି ଓ କୌଣସି ଗୋଟିଏ ଦଳର ସୁସ୍ପଷ୍ଟ ସଂଖ୍ୟାଗରିଷ୍ଠତା ନାହିଁ, ସେଠାରେ ଗଣତନ୍ତ୍ର ବ୍ୟବସ୍ଥାକୁ ସଚଳ ରଖିବାକୁ ହେଲେ ମିଳିତ ସରକାର ଗଠନ ହିଁ ଏକମାତ୍ର ସ୍ୱାଭାବିକ ଅପରିହାର୍ଯ୍ୟ ପନ୍ଥା ।"

ବିବୃତିରେ ସେମାନେ ଆହୁରି କହିଲେ ଯେ ବ୍ୟବସ୍ଥାପକ ସଭା ଭିତରେ ଓ ବାହାରେ ଶକ୍ତିଶାଳୀ ସମର୍ଥନ ଥାଇ ଏକ ସୁଦୃଢ଼ ସରକାର ହେବା ଫଳରେ ଆମେ ଆଶା କରୁଛୁ ଯେ ବର୍ତ୍ତମାନ ଏ ରାଜନୈତିକ ଅଚଳ ଅବସ୍ଥାର ଅବସାନ ଘଟିବ । ରାଜ୍ୟର ବିରାଟ ସମ୍ପଦଗୁଡ଼ିକୁ ଯଥା ସମ୍ଭବ ସ୍ୱଳ୍ପତମ କାଳ ମଧ୍ୟରେ ଅଧିକତମ ପରିମାଣରେ ଉପଯୋଗ କରିବା ଏବଂ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ।

ଡକ୍ଟର ମହତାବ ଓ ଶ୍ରୀ ସିଂହଦେଓ ତାଙ୍କ ବିବୃତିରେ ଆହୁରି କହିଲେ ଯେ ବୃହତ୍ତର ରାଜନୈତିକ ଦଳ ଭିତରେ ଲକ୍ଷ୍ୟ ସାଧନର ସୁଦୃଢ଼ ସଂହତିର ଅଭାବ ଘଟିବା ଫଳରେ ଗତ କେତେବର୍ଷ ହେଲା ଓଡ଼ିଶା ରାଜନୈତିକ ଅନିଶ୍ଚିତତା ଭିତରେ ଘୋଷାରି ହେଉଥିଲା । ଓଡ଼ିଶା ପରି ଏକ ଅନୁନ୍ନତ ରାଜ୍ୟ ପକ୍ଷରେ ସେଭଳି ପରିସ୍ଥିତି ସହ୍ୟ କରାଯାଇ ନ ପାରେ । ପ୍ରାକୃତିକ ସମ୍ପଦ ଓ ଲୋକଶକ୍ତିରେ ଓଡ଼ିଶା ଗରିବ ନୁହେଁ । ଏହି ସମ୍ପଦ ସମୂହର ଯଥାର୍ଥ ବିିନିଯୋଗ କରିବାରେ ଯେଉଁ ଶକ୍ତି ପ୍ରୟୋଗ କରାଯିବା ଉଚିତ୍‍ ଥିଲା, ତାହା ଦୁର୍ଭାଗ୍ୟ କ୍ରମେ ସୀମାହୀନ ଓ ନିରର୍ଥକ ରାଜନୈତିକ ବାଦବିବାଦ ଭିତରେ ନଷ୍ଟ ହୋଇଯାଇଛି । ସେଭଳି ଅବସ୍ଥାର ଅବସାନ

ଘଟାଇବା ଲାଗି ଆମେ ସ୍ଥିର କରିଛୁ ଯେ ଏ ରାଜ୍ୟର ଦୁଇଟି ଯାକ ବଡ଼ ରାଜନୈତିକ ଦଳ ଯେଉଁମାନେ କି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଫଳ ଭାବରେ ଚଳାଇବା ବିଷୟରେ ପ୍ରକୃତରେ ବିଶ୍ୱାସ କରନ୍ତି ଏବଂ ଭାରତ ତ‌ଥା ଓଡ଼ିଶାର ଉନ୍ନତି ଓ ପ୍ରଗତି କାମନା କରନ୍ତି ସେ ଦୁଇଟିଯାକ ଦଳମିଳିତ ହେବା ଉଚିତ ଏବଂ ଏକ ମିଳିତ ସରକାର ଗଢ଼ି ଏକ ସଙ୍ଗେ କାର୍ଯ୍ୟ କରିବା ଉଚିତ ।"

ପୁଣି ଡକ୍ଟର ମହତାବ ଓ ସିଂହଦେଓ ସରକାରୀ କର୍ମଚାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ କହିଲେ ଯେ "ରାଜ୍ୟକୁ ପୁନର୍ଗଠିତ କରିବା ଭଳି କ୍ଲେଶକର କାର୍ଯ୍ୟ ସାଧନାରେ ଶାସନ କଳର ଗୁରୁଦାୟିତ୍ୱ ରହିଛି । ଆମର ଆଶା ଓ ବିଶ୍ୱାସ ଯେ ଓଡ଼ିଶାର ସ୍ଥାୟୀ ସରକାରୀ କର୍ମଚାରୀମାନେ ପରିସ୍ଥିତିର ଯୋଗ୍ୟ ହୋଇ ଉଠିବେ ଏବଂ ଶାସନକଳ ଭିତରେ ଦକ୍ଷତା ତ‌ଥା ସାଧୁତାର ନୂତନ ଆଦର୍ଶ ଦେଖାଇବେ ।"

ତା୧୪.୭.୧୯୫୯ରିଖରେ କଂଗ୍ରେସ-ଗଣତନ୍ତ୍ର ପରିଷଦର ମିଳିତ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହେଲା । ଏହି ମନ୍ତ୍ରିମଣ୍ଡଳରେ ନୂତନ ସଭ୍ୟ ଗ୍ରହଣ କରାଯିବା ସହ ବିଭାଗର ପୁନଃବଣ୍ଟନ ହେଲା:

କ୍ୟାବିନେଟ ମନ୍ତ୍ରୀ :

ଡକ୍ଟର ହରେକୃଷ୍ଣ ମହତାବ : ପଲ୍‍ଟିକାଲ ଆଣ୍ଡ୍‍ ସର୍ଭିିସେସ୍‍ (ସାଧାରଣ ବିଭାଗ), ଘରୋଇ,
ଶିକ୍ଷା, ଯୋଜନା ଓ ସମନ୍ୱୟ
ରାଜେନ୍ଦ୍ର ନାରାୟଣ ସିଂହଦେଓ : ଅର୍ଥ, ଶିଳ୍ପ, ଖଣି, ଭୂତତ୍ତ୍ୱ ଓ ଆଇନ
ରାଧାନାଥ ରଥ : ବିକାଶ
ସତ୍ୟପ୍ରିୟ ମହାନ୍ତି : ରାଜସ୍ୱ, ଅବକାରୀ, ପଲଟିକାଲ ଆଣ୍ଡ ସର୍ଭିିସେସ୍‍, ରାଜଧାନୀ ପ୍ରଶାସନ
ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ : ପୂର୍ତ୍ତ (ନିଯୁକ୍ତି, ଜଳସେଚନ, ନଦୀବନ୍ଧ, ଡ୍ରେନେଜ୍‍ ଓ ବିଜୁଳି)
ନୀଳମଣି ରାଉତରାୟ : ଯୋଗାଣ ଓ ବାଣିଜ୍ୟ
ଉଦିତ୍‍ ପ୍ରତାପ ଶେଖର ଦେଓ : ପଲଟିକାଲ ଆଣ୍ଡ ସର୍ଭିିସେସ, ରାଜଧାନୀ ପ୍ରଶାସନ, ଆଦିବାସୀ
କଲ୍ୟାଣ, ଭିଜିଲାନ୍‍ସ ସଂଗଠନ, ନଦୀ ଉପତ୍ୟକା ଉନ୍ନୟନ,
ରାଉରକେଲା ଇସ୍ପାତ କାରଖାନା ବିଷୟ
ବୃନ୍ଦାବନ ନାୟକ : ପରିବହନ, ପୂର୍ତ୍ତ (ରାସ୍ତା ଓ ଗୃହନିର୍ମାଣ)
ରାମ ପ୍ରସାଦ ମିଶ୍ର : ଯୋଜନା ଓ ସମନ୍ୱୟ (ଗୋଷ୍ଠୀ ଉନ୍ନୟନ, ଜାତୀୟ ସଂପ୍ରସାରଣ
ସେବା ଏବଂ ଗ୍ରାମ ପଞ୍ଚାୟତ ସଂଯୋଜନା)
ରାଜବଲ୍ଲଭ ମିଶ୍ର : ଆଦିବାସୀ ଗ୍ରାମ ମଙ୍ଗଳ ଏବଂ ଶ୍ରମ
* * *