କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଙ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search


କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଙ ଚମ୍ପୂ

ଙ ଚମ୍ପୂ
(ରାଗ: କୁମ୍ଭକାମୋଦୀ ବା ସିନ୍ଧୁକାମୋଦୀ)

ନୂଆନଟପଟଳୀମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ
ନିପଟ ନିସ୍ତେଜ ଦିଶୁଛି ତ ଆଜ ନିରଳସ ଚନ୍ଦ୍ରମୁଖ ॥ପଦ॥

ନୀଳୋତ୍ପଳ ବାସି ହେଲା ପରି ଦିଶି ଯାଉଛି ଦୂରୁ ଶ୍ରୀଅଙ୍ଗ
ନାସା ନୀଳ ତିଳଫୁଲରୁ ଅନିଳ ପ୍ରସରୁଛି ବେଗ ବେଗ ॥୧॥

ନୀପଉପବନ ନିକଟ, ପବନସ୍ପରଶରୁ ଯେବେ ଡର
ନଦୀକୂଳସ୍ଥଳ ଏ ବଡ଼ ଶୀତଳ ନୁହନ୍ତାଟିକି ବିହାର ॥୨॥

ନିଦ ନାହିଁ କି ନୟନେ ନିଶି ଦିନ ଆହା ମରଇ ମୋ ଧନ
ନବନୀତ ତହୁଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ ॥୩॥

ନବ ହେମଦ୍ୟୁତି ଅମରୀଏ ନିତି ନିଅନ୍ତି ଫୁଲ ଏ ବନୁ
ନେତ୍ରପଥେ ପଡ଼ିଗଲେ କି ସେ ଛାଡ଼ି ଯାଉ ନାହିଁ ଜ୍ୱର ମନୁ ॥୪॥

ନ ବିହର ଗୋପ ସଙ୍ଖାଳି ଏ ପାପଗହନରେ କିଛି ଦିନ
ନରେଶମଣ୍ଡନ ଶ୍ରୀହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ ॥୫॥