କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଚ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ଚ ଚମ୍ପୂ

ଚ ଚମ୍ପୂ
(ରାଗ: ପଞ୍ଚମ ବରାଡ଼ି)

ଚାହିଁ ଚାହିଁ ତୋ ସରଣୀ, କକୁଭକୁରେ ତରୁଣୀ, ଚିତ୍ରାର୍ପିତ ପରି ଥିଲି ବସି ।
ଚିତ୍ର ମଣିଲି ମୁଁ ତୋତେ, ଚାହିଁ ଯା ଅତରକିତେ, ଚାରିଚକ୍ଷୁ ମିଶାଇଲୁ ଆସି ରେ, ଚଳାପାଙ୍ଗି,
ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି, ଚିରତୃଷିତର ମୁଖେ ଭରି,
ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁ କି ପ୍ରାଣ, ଘେନିଲି ମୁଁ ଏତେ ସରିକରିରେ ॥୧॥

ଚେତା ଥିଲା ପରି କିଛି ପ୍ରତୀତ ତ ହେଉଅଛି, ଚିକ୍କଣ ତ ଦିଶୁଛି ମୋ ଦେହ ।
ଚିହ୍ନିକି ଲାଞ୍ଛନ ସତେ ଚାମରଚିକୁରା ମତେ ଚହକାଇ ପଚାରିଲୁ କହ ରେ, ଚଳାପାଙ୍ଗି,
ଚୁମ୍ବି ରବିନନ୍ଦନାର ନୀର, ଚନ୍ଦ୍ରିକାଚୟ ତୁଷାର ସାର,
ଚାରୁ ମାରୁତରୁ-ତରୁ, ତଳ ଶୀତଳ ହେତୁରୁ, ଚିନାଏ ତ ଖେଦ ନାହିଁ ମୋରରେ ॥୨॥

ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ, ଚୂଳମୁକୁଟିଆ ସଖାମାନେ ।
ଚିରାମରା ଶୃଙ୍ଗ ବେଣୁ, ବାଦ୍ୟନାଦ ଶୁଣୁ ଶୁଣୁ, ଶେଷ ହୁଏ ଦିନ ଦିନେ ଦିନେ ରେ, ଚଳାପାଙ୍ଗି,
ଚୁମ୍ବି ବାରୁଣୀକି ଦିନଦ୍ୟୁତି, ଚପଳେ ଅମ୍ବର ବରଜନ୍ତି,
ଚରମ ଭାଗ ମୋ ଭାରି, ଲାଗି ନାହିଁ ଭ୍ରମେ ଡରି, ଚମକି ତ ନାହିଁ ମୋର ଛାତିରେ ॥୩॥

ଚାମିକର ଚାରୁ ଶିରୀ-ମତୀ ସେ କେଉଁ ଅମରୀ, ଚାଖି ନାହିଁ ଦିନେ ମୋ ନୟନ ।
ଚମତ୍କାର କଥା ଦେଖି, ପେଟରେ କପଟ ରଖି, ତୋତେ ନିକି ନ କହନ୍ତି ଘେନ ରେ, ଚଳାପାଙ୍ଗି,
ଚରାଚର ଚାଲି ଭୟମୟ, ଚକଟି ଦେଲୁ ମୋ ହୃଦାଶୟ,
ଚରଣ ଯୁଗକୁ ତୋର, ବନ୍ଦେ ଅଷ୍ଟଦୁର୍ଗେଶ୍ୱର, ଚୋରି ନାହିଁ ଥିଲେହେଁ ବଞ୍ଚାଅରେ ॥୪॥