କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଜ ଚମ୍ପୂ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ଜ ଚମ୍ପୂ

ଜ ଚମ୍ପୂ
(ରାଗ: କେଦାର)
(ମତାନ୍ତରରେ ପୁନାଙ୍ଗ)

ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ ଯାହା ଇଚ୍ଛା ତୋର ତାହା କର,
ଜ୍ଵଳନରୁ ବଳି ସେହି ଦିନୁ କେଳି କରେ ବିଭାବରୀନାହାକର ॥ପଦ॥

ଜଣକେତେ ବ୍ରଜଶିଶୁ ଥିଲେ ନିଜ, ପୂରୁଁ ଆସୁଥିଲି ଖେଳାଇ ସମଜ,
ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନଜର ॥୧॥

ଜାତିକୁରୁବିନ୍ଦ ବାତାୟନବୃନ୍ଦ, ଅନାଇଁ ମୁ ଚାଲୁଥିଲି ମନ୍ଦ ମନ୍ଦ,
ଜଙ୍ଗମ ହେବାର ଜମ୍ବୁନଦସାର ଶିରୀ ସ୍ଫୁରିଲା ସେ କି ପ୍ରକାର ॥୨॥

ଜୀବନଦ ନୀଳଜଳଜଯୁଗଳ, ବିଧୁବିମ୍ବେ ହୋଇ ବିଳାସବିଲୋଳ,
ଜାତ କଲା ଗର ଜରଜର ଶର- ନିକର ବରଷା ଖରତର ॥୩॥

ଜହରକୁ ଗୋଳି ଦେଲା ପରି ଗିଳି, ମୋହର ଦେହର ପୀଡ଼ା ଗଲା ବଳି,
ଜୀବନାଶା ଟଳି ଯାଉଅଛି କଳି ପାରୁ ନାହିଁ ମୁଁ ମୋ ହୃଦନ୍ତର ॥୪॥

ଜନମନୋହାରୀ ସେ ବିଚିତ୍ର ଶିରୀ, କାହା ନେତ୍ରପାତ୍ରେ ଯାଇ ନାହିଁ ପୂରି,
ଜଗଦ୍ଦେବ ହରିଚନ୍ଦନ ମୋହରି ନାମ କହୁଅଛି ନିରନ୍ତର ॥୫॥

ଅଧିକ ପଠନ[ସମ୍ପାଦନା]