କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଟ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ଟ ଚମ୍ପୂ

ଟ ଚମ୍ପୂ
(ରାଗ ବଜ୍ରକାନ୍ତି, ଯତି ତାଳ)

ଟାଣପଣ କର ସାର ହେ ମୋହନ, ଟାଣପଣ କର ସାର,
ଟିକାଏ ମଦନ କଦନକୁ ସହି ସଦନକୁ ବିଜେ କର ॥ପଦ॥

ଟଙ୍କାରି କି ଶ୍ରବସରିକି ବାସବକୋଦଣ୍ଡରୁ ଚଣ୍ଡ ଧନୁ,
ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ ତୁମ୍ଭଙ୍କୁ ଏକା ଅତନୁ ହେ ॥୧॥

ଟେକି ଏ ସୁନ୍ଦର ଶ୍ରୀମୁଖଟି ପରଘରବୁଡ଼ା ଫରମାସ,
ଟିକାଏ ହେଲେ ଯେ ହୃଦୟ ସରୋଜେ ନୋହିଲା ତ୍ରାସବିଳାସ ହେ ॥୨॥

ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୁରିବ,
ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖି ସରିବ ହେ ॥୩॥

ଟପା ଥିବା ଚାର ବଚନୁ ଗୋଚର ଯେତେ ସମାଚାର ଗୋପେ,
ଟିପିଦେଲେ କଂସ ଆଗେ କେ ନୃଶଂସ ନନ୍ଦ ବନ୍ଦୀ ହେବେ ଟୋପେ ହେ ॥୪॥

ଟାକିଛି ସୁଧାଂଶୁକଳାକୁ ଆକାଶୁଁ କରିବାକୁ ପାଣିଗତ,
ଟିକାୟିତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏ କି ଆଚରିତ ହେ ॥୫॥