କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଡ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ଡ ଚମ୍ପୂ

ଡ ଚମ୍ପୂ
(ରାଗ ବିଲାହାରୀ, ଖେମଟା)

ଡର ନାହିଁକି ହେ, ପରତରୁଣୀ ହରଣୁ,
ଡୋର ଲାଗି ଘେର, ପଡ଼ିବ ଯେ ହେବ, ଚୋର ପରି ଆଚରଣୁ ।ପଦ।

ଡୋଳା ପ୍ରତିମାକୁ ପରାଏ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି,
ଡୁବିବଟି ଧନ କେଳିକି ମୋହନ ଲୋଡ଼ୁଛ ଯେ କୁଳପାଳି ।୧।

ଡକା ଦେବା ଦିନେ ଅରିଷ୍ଟେ ଉତ୍ତାନେ ଦେଖିଛୁ ଶକଟ ଦଶା,
ଡାକିମଧ୍ୟମାକୁ ଡାକି ଆଣିବାକୁ ଏଠାକୁ କାହା ଭରସା ।୨।

ଡବ ଡବ ବାରି ନିଃସରିବ ଚାରି ପହରେ ନୟନଯୁଗୁ,
ଡହ ଡହ ହେବ ମୃଦୁ ଅବୟବ ଶ୍ୟାମ ଶ୍ରୀଅଙ୍ଗୁଟି ଭୋଗୁ ।୩।

ଡାକି ତ ଜାଣି ମୋହନ ବଂଶୀରବେ ବିହର ସୁଖେ ଏ ବନେ,
ଡୁଇଁ ହେବୁ ସିନା ଆମ୍ଭେ ଫଳ ବିନା ନ ପଡ଼ୁ ତା ଆମ୍ଭ କାନେ ।୪।

ଡାଳିମ୍ବମଞ୍ଜିମଞ୍ଜୁଳଦଶନା ସେ ଖେଳୁଥାଉ ତୁମ୍ଭ ତୁଲେ,
ଡେଉଁଥାଅ ବନଯାକ ତୁମ୍ଭ ମନ ଶ୍ରୀହରିଚନ୍ଦନ ବୋଲେ ।୫।