କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ତ ଚମ୍ପୂ
Jump to navigation
Jump to search
ତ ଚମ୍ପୂ
(ରାଗ ଦେଶାକ୍ଷ, ତ୍ରିପଟା)
ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲା ରେ,
ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲାରେ ।ପଦ।
ତଳେ ବସନ ପ୍ରସାରି, ତୃଣ ଦଶନାନ୍ତେ ଧରି,
କହିଲେହେଁ ଅନୁସରି ରାଜି ତ ନ ଦିଶିଲାରେ ।୧।
ତହୁଁ କି ବିଷମଭାବ, ତର୍କିଲା ମୋ ଚାଟୁଶ୍ରବ-
ତଟକୁ ଘଟନ୍ତେ ଅବଧାନ ବିନା ହସିଲାରେ ।୨।
ତପନଜା ତଟକୁ ତୁ, ତରୁଣୀଟା କେଉଁ କୁତୂ-
ହଳରୁ ଆସିଲୁ ହେତୁ, କହ ବୋଲି ଘୋଷିଲାରେ ।୩।
ତାର ତୋର ସୁଲୋଚନା, ତାରତମ୍ୟ ବିବେଚନା,
ଲବ ହୋଇ ନାହିଁ ତହିଁ, ତୋ ଚିତ୍ତ କେ ପେଷିଲାରେ ।୪।
ତିରସ୍କାର ପୂର୍ବଭାଷା, ତରଲାଇ ସୁଖ ଆଶା,
ତୋଟିକି ଚୁମ୍ବିଲା ତୃଷା, ତିମିର ବିଳସିଲାରେ ।୫।
ତୁଚ୍ଛସ୍ନେହମନ ଜନ, ତୋ ସଙ୍ଗକୁ କି ଭାଜନ,
ପ୍ରପନ୍ନ ହରିଚନ୍ଦନ ଜଗଦ୍ଦେବ ଭାଷିଲାରେ ।୬।