କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଣ ଚମ୍ପୂ
Jump to navigation
Jump to search
ଣ ଚମ୍ପୂ
(ରାଗ ଝିଂଝୋଟି, ଆଡ଼ତାଳି)
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି।ପଦ।
ଅଳି ତୁମ୍ଭର ନିବିଡ଼, ଅସହିଷ୍ଣୁ ସେ ଯେ ବଡ଼,
ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି ।୧।
ଅଧ ଅଧରରେ ସ୍ମିତ, ଉଲ୍ଲସି ହେଲେ ଲଜ୍ଜିତ,
ଊହିବି ଏହିଟି ବୋଲି କୃପାକଳ୍ପ ବଲ୍ଲୀଟି ।୨।
ଆରକତ କଲେ ମୁଖ, ଅଖଣ୍ଡ ସୁଧାମୟୂଖ,
ଆବୁର ସରିବ ମୋର ଜୀଇଲେ ହେଁ ମଲିଟି ।୩।
ଅଦୃଷ୍ଟବଳୁଁ କିଶୋରୀ, ଅଙ୍ଗୀକାର କଲେ ସରି,
ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ ପଲ୍ଲୀଟି ।୪।
ଉଗ୍ର ନିର୍ଦ୍ଦେଶ ନୃପର, ଉପବନ ଗୋପପୁର,
ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଦରିଟି ।୫।
ଅଷ୍ଟଦୁର୍ଗନାଥ ଭାଷେ, ଆହା ଧ୍ୟାନେ କି ଶୋଭା ସେ,
ଅଖିଳ ଜନନୀ ନାସା ମୃଗମଦ କଲିଟି ।୬।