କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ନ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ନ ଚମ୍ପୂ

ନ ଚମ୍ପୂ
(ରାଗ କାମୋଦୀ, ଆଡ଼ତାଳି)

ନବବିଳାସିନୀ ରେ, ନକ୍ଷତ୍ରେଶ-ହାସିନୀ ।ପଦ।

ନାହିଁ ବୋଲିବା ବାଣୀ, ନିପଟ ନାହିଁ ଶୁଣି,
ନଳିନାକ୍ଷିରେ ହୋଇ କିସ ହେବ,
ନନ୍ଦନନ୍ଦନ ପ୍ରେମା, ପ୍ରେମାରେ ନୁହେ ଜମା,
ନିତମ୍ବିନୀଙ୍କ ଯେବେ ଗତି ଥିବ ।୧।

ନିଷ୍ଠୁର ଗୁଣ କୁଳିଶରୁ ପଡ଼ିଛି ବଳି,
ନିଶ୍ଚୟ ତିନିବର୍ଣ୍ଣ ନାହିଁ ଲେଖି,
ନାଗରୀବିମୋହନ, ମନ୍ତ୍ର ମାତ୍ରକ ମନ,
କପଟ ସମ୍ପୂଟରେ ଅଛି ରଖି ।୨।

ନିରନ୍ତରାୟ ରସ, ପ୍ରସାରଣେ ପୀୟୂଷ,
ଧାରାଧିକ୍କାରକାରୀ ପରି ଲାଗେ,
ନିମିଷକରେ ଜ୍ୱାଳା, ଜନ୍ମାଏ ଜିଣି ହାଳା-
ହଳକୁ ଯେ ସଙ୍ଖାଳି ମହାନାଗେ ।୩।

ନିଶିଦିନ ଶୟନ, ନ ଜାଣଇ, ନବୀନ
ବିସିନୀ ଦଳ ଶେଯ ଯାଏ ଜଳି,
ନୀପବନ ପବନ, ନିର୍ଦ୍ଧୂମ ଶିଖ ଧନ-
ଞ୍ଜୟ ଝାସରୁ କରେ କଟୁକେଳି ।୪।

ନିନ୍ଦାର ନିକେତନ, ହୋଇବୁରେ ନୂତନ
ମନ୍ଦାର-ବିମ୍ବ-କୁରୁବିନ୍ଦାଧରା,
ନିଶାରମଣକର କଳିକା-କଣ ତୋର,
ହୋଇଯିବ କଳ୍ପାନ୍ତ କାଳଖରା ।୫।

ନ ବରଷରୁ ଊଣା, କାଳୁ ତ ଅଛି ଜଣା,
ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ,
ନବନୀରଜ-କୋଷ- ନିଭ ତୋ କୁଚ଼ କିସ,
ଅଣ୍ଟିବ କଣ୍ଠୀରବମଧ୍ୟା ଘେନ ।୬।

ନିବେଦନ କରୁଛି, କରକଞ୍ଜ ଧରୁଛି,
ହେଲେ ହେଉ ଅରୁଚି ନିଦ୍ରାହାରେ,
ନରନାଥ ଶ୍ରୀହରିଚନ୍ଦନ ବନ୍ଦେ ଗୋରି,
ନ ରସ ନୀଳବାହା ମୁଦ୍ରାହାରେ ।୭।